Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ସଭାପର୍ବ (ଦ୍ୱିତୀୟ ଖଣ୍ଡ)

ଆଦିକବି ସାରଳା ଦାସ

 

ସୂଚିପତ୍ର

 

ବିଷୟ

୧।

ଦଣ୍ଡପା ନୃପତି ଓ ସୁବଳ ଗିରିରେ ଗୋରେଖ ସହିତ ଭେଟହୋଇ ସେମାନଙ୍କୁ ନିମନ୍ତ୍ରଣ ଦେଇ ନକୁଳର ହସ୍ତିନା ପ୍ରତ୍ୟାଗମନ

୨।

ସହଦେବଙ୍କ ପୂର୍ବଦିଗ ରାଜାମାନଙ୍କୁ ବରଣ ନିମନ୍ତେ ଗମନ , ତେସ୍ତରି ମହାଭାରତ ବିବରଣ , ମାର୍କଣ୍ଡ , କୋନ୍ତଭୋଜ ପ୍ରଭୃତି ରାଜାଙ୍କୁ ନିମନ୍ତ୍ରଣ ଏବଂ ନୀଳସେନ ରାଜା ସହିତ ଖଣ୍ଡଯୁଦ୍ଧର ବିବରଣ ।

୩।

କେଶବ ରାଜା , ଶକୁନି ଓ ସହଦେବଙ୍କର କଥୋପକଥନ , ହୃଷୀକେଶ , ତ୍ରିକାଳହସ୍ତୀ ଓ ଚଉଦ ପୁର ନରପତି ପ୍ରଭୃତିଙ୍କୁ ନିମନ୍ତ୍ରଣ ଏବଂ କପିଳମୁନିଙ୍କ ଦ୍ୱାରା ସଗର ବଂଶ ଧ୍ୱଂସ ଓ ଗଙ୍ଗା ଆନୟନ ବିବରଣ କଥନ

୪।

ଭୀମସେନଙ୍କର ପଶ୍ଚିମ ଦିଗ ଯାତ୍ରା , ମୃଗସେନ ରାଜା ସହିତ ଯୁଦ୍ଧେ ପରାଜୟ , ସୋମବଂଶର ବଂଶାବଳୀ ଓ ମୃଗସେନର ଜନ୍ମ ବୃତ୍ତାନ୍ତ

୫।

ଦ୍ୱାରକାରେ ନିମନ୍ତ୍ରଣ ଦେଇ ଯୁଧିଷ୍ଠିରଙ୍କ ସହିତ ସାକ୍ଷାତ

୬।

ଶ୍ରୀକୃଷ୍ଣ ବାଳମାନଙ୍କର ଦ୍ୱାରରକ୍ଷା , ଅନନ୍ତ ପଡ଼ିହାରୀ ପଦ ପାଇବା ପାଇଁ ପ୍ରାର୍ଥନା , ଋଷିମାନଙ୍କୁ ଯଜ୍ଞରେ ବରଣ ଏବଂ ଯଯାତି ରାଜା ପ୍ରତି ପୁର ପ୍ରବୀର ଦୁଇ ପୁତ୍ରଙ୍କ ଷଡ଼ଯନ୍ତ୍ର

୭।

ମୟଦାନବ ସଭାରେ ଯୁଧିଷ୍ଠିରଙ୍କ ଉପବେଶନ , ଯଜ୍ଞର ଅନୁକୂଳ ଓ ଯେ ଯେଉଁ କାର୍ଯ୍ୟରେ ଦକ୍ଷ ତାହାକୁ ସେହି ସେହି କାର୍ଯ୍ୟରେ ନିୟୋଗ ଓ ଶାଢ଼ୀ ପ୍ରଦାନ

୮।

ଯୁଧିଷ୍ଠିରଙ୍କୁ ରାଜସୂୟ ଯଜ୍ଞରେ ରାଜାମାନଙ୍କର ଦର୍ଶନ , ଜମାଗୋଷ୍ଠ ରାଜାର ମୁକ୍ତି , ବିରାଟ ରାଜା ନ ଆସିବାରୁ ଶ୍ରୀକୃଷ୍ଣଙ୍କ କୋପ ଏବଂ ଅନ୍ଧ ନୃପତିଙ୍କୁ ଚକ୍ଷୁଦାନ

୯।

ରାଜାମାନଙ୍କର ଭୋଜନ ବ୍ୟବସ୍ଥା

୧୦।

ମେରୁଶୂଳ ଋଷିଙ୍କ ବିବରଣୀ

୧୧।

କାମଧେନୁ ହରଣ ଓ ରାଜସୂୟ ଯଜ୍ଞ ସୂଚନା

୧୨।

ଘଟୋତ୍କଚକୁ ସଭାକୁ ଆନୟନ ଓ ହିଡ଼ିମ୍ବିକୀ ସହିତ ଦ୍ରୌପଦୀର କଳହ

୧୩।

ବିଭୀଷଣଙ୍କୁ ନିମନ୍ତ୍ରଣ କରି ଆଣିବା ନିମନ୍ତେ ଘଟୋତ୍କଚର ଲଙ୍କା ଗମନ

୧୪।

ଯୁଧିଷ୍ଠିରଙ୍କ ଦର୍ଶନାର୍ଥେ ଶ୍ରୀକୃଷ୍ଣ ବିଭୀଷଣଙ୍କୁ ଘେନି ଭିତରକୁ ଯିବାପାଇଁ ଚାରିଦ୍ୱାରେ ଭ୍ରମଣ ଏବଂ ରାଜାମାନଙ୍କ ଭୋଜନାଦି ଦର୍ଶନ

୧୫।

ଯୁଧିଷ୍ଠିରଙ୍କ ଦର୍ଶନେ ବିରାଟ ରାଜାଙ୍କ ଅପମାନ

୧୬।

ଧୃଷ୍ଟଦ୍ୟୁମ୍ନଙ୍କ ପୂର୍ବଜନ୍ମ ବିବରଣୀ

୧୭।

ଏକଶତ ରଥ ସୁବର୍ଣ୍ଣ ମାଗିବା ନିମନ୍ତେ ଯୁଧିଷ୍ଠିରଙ୍କ ନିକଟକୁ ଶିଶୁପାଳର ଗମନ

୧୮।

ଜୟସିଂହ ଦୈତ୍ୟ ବଧ

୧୯।

ଅନନ୍ତ ନାଗଙ୍କୁ ନିମନ୍ତ୍ରଣ କରିବା ପାଇଁ ଅର୍ଜୁନଙ୍କର ପାତାଳେ ଗମନ ଓ ଶରମୁନେ ପୃଥିବୀ ଧାରଣ ଏବଂ ନାଗାବଳୀ ବିବାହ ପ୍ରସଙ୍ଗ

୨୦।

ଶିଶୁପାଳ ବଧ ଓ ତାହାର ପୂର୍ବଜନ୍ମ ବୃତ୍ତାନ୍ତ

୨୧।

ଦୁର୍ଯ୍ୟୋଧନର ଅପମାନ , ଅନନ୍ତ ଶିରେ ପୃଥିବୀ ସ୍ଥାପନ , ସନ୍ଧ୍ୟାବାଳୀର ବିବାହ ଓ ସିଂହ ଶୃଗାଳ କଥା

୨୨।

ଅର୍ଜୁନ ବୃକ୍ଷର ଉତ୍ପତ୍ତି ଓ ଇନ୍ଦ୍ରପ୍ରସ୍ଥରେ ସବ୍ୟସାଚୀଙ୍କର ଉପସ୍ଥିତି

୨୩।

ଶାଲୁ ବଧ

୨୪।

ପଶାଖେଳ ଓ ସଭାକୁ ପାଣ୍ଡବଙ୍କୁ ଆଗମନ

୨୫।

ଦୁଃଶାସନ କର୍ତ୍ତୃକ ଦ୍ରୌପଦୀଙ୍କୁ ସଭାସ୍ଥଳକୁ ଆନୟନ

୨୬।

କୁରୁସଭାରେ ଦ୍ରୌପଦୀର ଅପମାନ

୨୭।

ଦ୍ରୌପଦୀର ବସ୍ତ୍ରହରଣ ଓ ଧୃତରାଷ୍ଚ୍ରଙ୍କଠାରୁ ବରପ୍ରାପ୍ତି

୨୮।

ଶିବଙ୍କଠାରୁ ନାଗାର୍ଜୁନର ବରପ୍ରାପ୍ତି

୨୯।

ଅର୍ଜୁନ କର୍ତ୍ତୃକ ଅର୍ଜୁନର ମୃତ୍ୟୁ

୩୦।

ନାଗାର୍ଜୁନ କର୍ତ୍ତୃକ ଅର୍ଜୁନର ମୃତ୍ୟୁ

୩୧।

ଅର୍ଜୁନଙ୍କ ନିଧନରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଶିବଙ୍କ ପ୍ରତି କୋପ

୩୨।

ଅର୍ଜୁନର ପୁନର୍ଜୀବନ ଲାଭ ଓ ସମସ୍ତଙ୍କ ମହାନନ୍ଦ

୩୩।

ପାଣ୍ଡବଙ୍କର ଦ୍ୱୀତିୟ ବନବାସର କାରଣ

 

ଦଣ୍ଡପା ନୃପତି ଓ ସୁବଳ ଗିରିରେ ଗୋରେଖ ସହିତ ଭେଟହୋଇ
ସେମାନଙ୍କୁ ନିମନ୍ତ୍ରଣଦେଇ ନକୁଳର ହସ୍ତିନା ପ୍ରତ୍ୟାଗମନ

ଶ୍ୟାମଦୀର୍ଘ ବୋଲିକରି ୟେକ ନଗ୍ର ଗୋଟିୟେ

ତହିଂ ଯାଇ ପ୍ରବେଶ ମାଦ୍ରୀ ଦେବୀର ତନୟେ ।୧।

ସେ ଶ୍ୟାମଦୀର୍ଘ ଦେଶେ ଶତ୍ରୁଜିତ ବୋଲି ୟେକ ରାଜା

ଅରୁଣସେନ ନୃପତିର ସେ ଅଟଇ ଆତ୍ମଜା ।୨।

ସେତୁବଦ୍ଧ ସୁବଳାକଟକରେ ସେ ଅଟଇ ଆଧିପତି

ଶ୍ରୀରାମେଶ୍ୱର ଦେବତାଂକୁ ସେ ଖଟଇ ଅନୁବ୍ରତି ।୩।

ସେତୁବଦ୍ଧର ରାଜା ଯେ ଅଙ୍ଗଦ କୁମାର

ତାହାର ବଂଶରେ ୟେହୁ ଶତ୍ରୁଜିତ ଅବତାର ।୪।

ଅଙ୍ଗଦର ନନ୍ଦନ ଅନଙ୍ଗସେନ ନୃପତି

ଇନ୍ଦୁସେନ ବୋଲିକରି ଯେ ତାହାର ସନ୍ତତି ।୫।

ଇନ୍ଦୁସେନର ନନ୍ଦନ ବିଣାୟେକ ବୋଲି ରାଜା

କଉଶିକ ବୋଲିକରି ତାହାର ଆତ୍ମଜା ।୬।

କଉଶିକର ପୁତ୍ର ଯେ ବିରାଜ ଚକ୍ରବ୍ରତୀ

କୃନ୍ଦ ମୁକୁନ୍ଦ ବୋଲି ୟେହାର ସନ୍ତତି ।୭।

ମଳୟସେନ ବୋଲିକରି ଉପୁଜିଲା ୟେହାର ବାଳ

ମନୁମଥ ନୃପତି ଯେ ତାହାର ଦୁଲାକ ।୮।

ମନୁମଥର ନନ୍ଦନ ଶତ୍ରୁଜିତ ନୃପତି

ବେଲାଳ ବନରେ ସେ ୟେକାଙ୍ଗ ଚକ୍ରବ୍ରତୀ ।୯।

ସେତୁବନ୍ଧ ରାଜ୍ୟେ ଯାଇଂ ନକୁଳ ପରବେଶ

ଦୃମନ ଗିରି ପର୍ବତେ ଉଠିଲେ, ବାଜିଲା ବିଜିଘୋଷ ।୧୦।

ଘୋର ଶବଦ ଶୁଣି ସେ ପଚାରଇ ଶତ୍ରୁଜିତ ନୃପତି

କାହିଂର ଥାଠ ୟେରେ ବୁଝନି ମହାମନ୍ତ୍ରୀ ।୧୧।

ରାଜାର ବଚନେ ମନ୍ତ୍ରୀ ହକାରିଲା ପାରିଦଣ୍ଡ

କେଉଣ ଦେଶ ରାଜାର ଥାଠରେ ୟେ ଧାମନ୍ତି ପରଚଣ୍ଡ ।୧୨।

ମନ୍ତ୍ରୀର ବଚନେ ଯେ ଭୂୟାଂ ରାଜାଗଣ

ଚାରିଲକ୍ଷ ଯୋଦ୍ଧା ଘେନି ଧାମନ୍ତି ଅକୂପାର କୂଳେଣ ।୧୩।

ଦେଖିଲେ ଦୁର୍ମନଗିରି ଉପରେ ଥାଠ ଅଛନ୍ତି ଅପ୍ରମିତ

ସମଦଣ୍ଡ ଘେନି ଆସି ମିଳିଲେ ତୁରିତ ।୧୪।

ରେ ରେ କାର ଶବଦରେ ମୁଖରାବ ଧୁନିକରି

ସଇନି ବେଢ଼ିଲେ ଦୁର୍ମନଗିରି ଶତେପୁର କରି ।୧୫।

କାହିଂର ରେ ବୋଲିଣ ଊ‌ର୍ଦ୍ଧ୍ୱେ ଶବଦେକ ହାକି

ବାବନ୍ତି ସିଂଘନାଦ ଯେ ହମ୍ପାଳନ୍ତି ହାକି ।୧୬।

ପର୍ବତରେ ଥାଇଂ ଦେଖନ୍ତି ନକୁଳ ସଇନି

ଉଚ୍ଚବାଚ ହୁଅନ୍ତେଣ ସେ ପାହିଲା ରୟେଣୀ ।୧୭।

ନକୁଳ ବୋଇଲା ଆରେ ଓହ୍ଲାଅ ପର୍ବତୁଂ

ବସନ୍ତ ସେନାପତିକୁ ବୋଇଲେ ବାରତା କର ତୁ ।୧୮।

ପାଣ୍ଡବଂକର ଆଗ୍ୟାଂୟେ ସେ ମଳୟ ବସନ୍ତ ବେନି

ଦୁର୍ମନ ଗିରିପର୍ବତୁଂ ଓହ୍ଲାଇଲେ କରେ ବିଜେକର୍ଣ୍ଣକଟାର ଘେନି ।୧୯।

ଶତ୍ରୁଜିତର ସଇନି ଯେ ବିନ୍ଧନ୍ତି ନାରାଜ

ଯୁଦ୍ଧ ଦେଖି ବିକାଶିଲା ଦିଗୁଣ ତାହାଂକର ତେଜ ।୨୦।

ଅସିପତ୍ର ବୁଲାଇଣ ପଡ଼ିଲେ ବୀରେ ମାଡ଼ି

ପଳାଇଲେ କିଂକର ବଳ ପ୍ରତଗ୍ୟାଂ ଦର୍ପ ଛାଡ଼ି ।୨୧।

ମନ୍ତ୍ରୀବର ହକାରନ୍ତି ରହ ରହ ମହାବଳା

ରହି ସମସ୍ୟା କର ରେ କି ନିମନ୍ତେ ତୁମ୍ଭେ ପଳା ।୨୨।

ସମ୍ଭୋଧନା ବଚନେ ରହିଲେ ଗ୍ୟାନବର ମନ୍ତ୍ରୀ

ସମାର୍ଜନା କରି କହନ୍ତି ସେ ମଳୟ ବସନ୍ତି ସେନାପତି ।୨୩।

ଆହୋ ରାଜାକଇଂ ବାରତା କର ତୁମ୍ଭର ଯାଇଂ

ବୋଲ ନକୁଳ ଠାକୁରେ ୟେ ଯୁଝେଷ୍ଠି ଦେବଂକ ସାନ ଭାଇ ।୨୪।

ଆଗ୍ୟାଂ ପ୍ରମାଣ ଦକ୍ଷିଣ ଦିଗକୁ ବରଣ

ରାଜୁସିଯାଗ ନିମନ୍ତେ ରାଜାନ୍ତ ନିମନ୍ତ୍ରଣ ।୨୫।

ସମଦଣ୍ଡ ଘେନି ଯିବେ ଦକ୍ଷିଣ ଦିଗରେ ସାତ ସହସ୍ର ରାଜା

ଯୁଝେଷ୍ଠି ଦେବ ଠାକୁରଂକୁ କରିବେ ଯାଇ ପାଦପୂଜା ।୨୬।

ଶୁଣି କୋପାନଳ ସେ କିଂକରଗଣମାନେ

ଶ୍ରୀରାମହୁଂ ଆନ ଆମ୍ଭେ ନ ଜାଣୁ ନ ଶୁଣୁ କର୍ଣ୍ଣେ ।୨୭।

ଜୀବନକୁ ଯେବଣ ରାଜାର ହୋ ନିଚୟେ ନାହିଂ ଆଶ

ଶତ୍ରୁଜିତର ଆନଟି ତୁମ୍ଭେ ରାଜ୍ୟରେ ନ ପଶ ।୨୮।

ଆହୋ ପ୍ରତଗ୍ୟାଂ କରିଣ ସେ ତର୍ଜନ୍ତି ଗର୍ଜନ୍ତି

ଶାଳ ଶିଳ ପାଷାଣନ୍ତ ଘେନିଣ ବୁଲାବନ୍ତି ।୨୯।

କ୍ଷଣକେ ସାମନ୍ୟ ସେ କ୍ଷଣ କ୍ଷଣକେ କାମରୂପୀ

କ୍ଷଣକେ ଗୁପତ ହୁଇନ୍ତି କ୍ଷଣକେ ଗଗନ କ୍ଷେପି ।୩୦।

ଅନ୍ତରୀକ୍ଷେ ବୁଲାଇଂ ପ୍ରହାର କରନ୍ତି ଶାଳ ଶିଳ

କ୍ଷଣକେ ମହାବୀର ମୁରତି କ୍ଷଣକେ ବିକଟାଳ ।୩୧।

ଦେଖିଣ କୋପକଲେ ସେ ନକୁଳର ସଇନି

ଗର୍ଜିଣ ଉଠିଲେ ସେ ବାହାନାଦ ଧୁନି ।୩୨।

କୁନ୍ତ ଖଡ଼ଗ ଯେ ପରିଘ ନାରାଜ ତୀକ୍ଷମୁନା

ଛତ୍ରୀଂକର ସେନାପତି ସେ ବଡ଼କୁମାର ଜେନା ।୩୩।

ମୁଖରାବ ଶବଦ କରିଣ ଗୁଣଘୃଷ୍ଟି

ମହାଭୀଷ୍ମ ରୂପଧରି ଯେ ଯାବଡ଼େଣ ଉଠି ।୩୪।

ଧର ଧର ମାର ମାର ଯେ ପାଡ଼ନ୍ତି ବୀରେ ବୋବି

ପାଦ ଘୋୟେଣ ଯେ ହେଳ ଘେନଇଂ ପୃଥିଦେବୀ ।୩୫।

ଦୁସହ ପ୍ରତଗ୍ୟାଂ ହୋ କହିତେ କେ ପାରି

ଓହୋବଳ ଅନ୍ୟୋଅନ୍ୟି ଶହସ୍ର ମରାମରି ।୩୬।

ଝଲକନ୍ତି ଲାକିଂଆ ଯେ କୋନ୍ତ ମୁଦୁଗର ଜାଠି

ଗୁରୁଜ ଖଡ଼ଗ ଯେ ପରିଘ ଘେନି ପିଟି ।୩୭।

ପାଣ୍ଡବ ବଳ ସନ୍ୟ ଯେ ଉଠିଲେ ଗଳଗାଜି

କିଂକରଗଣ ସଇନି ଯେ ପଳାଇଲେ ସର୍ବେ ଭାଂଜି ।୩୮।

ମହାପ୍ରତଗ୍ୟାଂ ସେ ମଳୟ ବସନ୍ତ ବେନି

ଗୋଡ଼ାଇ ପ୍ରହାର କଲେ କିଂକର ବଳ ସଇନି ।୩୯।

ପ୍ରାଣର ବିକଳେ ପଳାବନ୍ତି ସର୍ବବୀରେ

ଭଗ୍ନବଳ ପଳାଇ ଯାଇଂ କହିଲେ ରାଜାର ଛାମୁରେ ।୪୦।

ଶୁଣିମା ଦେବ ସାବଧାନେ ଶତ୍ରୁଜିତ ଦଣ୍ଡଧାରୀ

ଅଦଭୁତେ ସଇନି ତୋହୋର ସମରେ ପ୍ରାଣହାରୀ ।୪୧।

ବଡ଼ ଦୁରାପଦ ଦେବ କେବଣ ଦେଶର ରାୟେ

ଶାଳ ଶିଳ ପରବତରେ ଦେବ ନୁହନ୍ତି ସେ କ୍ଷୟେ ।୪୨।

ସାଂଗ୍ରାମେ ସଇନି ତୋର ପାଇଲେ ବଡ଼ ଦୁଃଖ

ଶହସ୍ରକୁ ଭୟେ ନ କରନ୍ତି ଦେବ ହୋଇଲୁ ବିମୁଖ ।୪୩।

ଅଦଭୁତେ ସଇନି ତୋର ଅନେକ ନାଶ ଗଲା

ଯୋଜନେକ ପରିଯନ୍ତେ ଦେବ ପୟେଡ଼ ପଡ଼ିଲା ।୪୪।

ସଇନିର କଷ୍ଟ ଦେଖି ନୃପତି ଶତ୍ରୁଜିତ

ଶାର୍ଦ୍ଦୋଳେକ ଚଢ଼ି ସେ ବାହାର କୋପଚିତ୍ତ ।୪୫।

ହାଥେଣ କାଳଚକ୍ରେକ ଘେନିଣ ନୃପମଣି

କୋପେଣ ଗର୍ଜଇ ରାଜା ମହାମତ୍ତ ନାଗ ଜାଣି ।୪୬।

ସମରେ ପ୍ରବେଶ ସେ ହୋଇଲେ କୋପମୂର୍ତ୍ତି

ଦୂରହୁଂ ତାହାକଇଂ ଦେଖିଲେ ନକୁଳ ମହାଛତ୍ରୀ ।୪୭।

ମଳୟ ବସନ୍ତି ବେନି ସେନାପତି ରାଇ

ଆଗ୍ୟାଂଦିଲା ରାଜାକୁ ହୋ ଓଗାଳ ବେଗେ ଯାଇଂ ।୪୮।

ନକୁଳର ଆଗ୍ୟାଂୟେ ସେ ବେନି ସେନାପତି ଗଲେ

ଶତ୍ରୁଜିତ ସଙ୍ଗେ ଯାଇଂ ସାଂଗ୍ରାମ ଆରମ୍ଭିଲେ ।୪୯।

ହାଥେ କାଳଚକ୍ର ଘେନିଣ ସେ ଶତ୍ରୁଜିତ

ବସନ୍ତ ସେନାପତି ଉପରେ ପିଟିଲା ବଜ୍ର ଘାତ ।୫୦।

କାଳଚକ୍ର ଘାତେ ସେନାପତି ମହାବଳୀ

ଅସାଷ୍ଟମେ ବସନ୍ତ ସେନାପତି ରଥେ ପଡ଼ିଲାକ ଢଳି ।୫୧।

ବସନ୍ତ ସେନାପତି ଢଳନ୍ତେ ସେ ମଳୟସେନ ବୀର

ମୃଦୁଗରେକ ବୁଲାଇ ସେ ଧାମଇଂ କୋପଭର ।୫୨।

ଶତ୍ରୁଜିତ ଉପରେ ପ୍ରହାର କଲା କୋପେ

ପଡ଼ିଲା ଶାର୍ଦ୍ଦୂଳ ସେ ଲୋଟିଲା ତାର ଦର୍ପେ ।୫୩।

ବାହାନ ଅଭାବେ ସେ ଘୁଞ୍ଚିଲା ଶତ୍ରୁଜିତ

ଆକ୍ରୋଶି ଧଇଲା ଯାଇଂ ମଳୟ କ୍ଷତ୍ରୀ ବଳବନ୍ତ ।୫୪।

କେଶ ଧରି ଆକ୍ରେଶି ଆଣଇ ଅନ୍ତରୀଚ୍ଛେ

ଦୂରେ ଥାଇଂ ଦେଖିଲା ତାହା ସେ ଅଶ୍ୱିନୀ କୁମାରଂକ ବତ୍ସେ ।୫୫।

ରହ ରହ ବୋଲିଣ ସେ କରଇ ସମାର୍ଜନ

ନକୁଳର ବଚନେ ରକ୍ଷାକଲା ମଳୟ ବସନ୍ତ ସେନ ।୫୬।

ବଇକୁଲ୍ୟ ହୋଇ ସେ ପଚାରଇ ଶତ୍ରୁଜିତ

ସ୍ୱାମୀ କେବଣ ଦେଶର ତୁମ୍ଭେ ପ୍ରତଗ୍ୟାଂ ବଳବନ୍ତ ।୫୭।

ଅଦଭୁତେ ପଶିଲୁ ଆସି ମୋହୋର ରାଜ୍ୟର

ଅନେକ ସଇନି ମୋର କଲୁ ଅପହାର ।୫୮।

ମୁହିଂ ତୋହୋ ଶତ୍ରୁ ନହଇ କେଉଂଣସି କାଳେ

ଦୁସହ ଅପଚୟ ପଡ଼ିଲା ମୋର କର୍ମର ଅବଳେ ।୫୯।

ନକୁଳ ବୋଇଲେ ରେ ତୁ ପାମର ମନ୍ଦଜାତି

ଦେଶାଉର ବାରତା କି ତୋତେ ନ କହନ୍ତି ।୬୦।

ମୁହିଂ ହାଦେ ପାଣ୍ଡେବ ଅଭୟେ ସୋମବଂଶୀ

ନାମ ମୋହୋର ନକୁଳ ମୁଂ ଦକ୍ଷିଣ ଦିଗକଇଂ ବିଜେ କରି ଆସି ।୬୧।

ସାତ ସହସ୍ର ରାଜାନ୍ତ ମୁଂ ନେମଇଂ ନିମନ୍ତି

ରାଜୁସିଯାଗ ସଭାକୁ ଯିବେ ସେ ତଡ଼ତି ।୬୨।

ଆହୋ ଆମ୍ଭର ତୁମ୍ଭର ଅଇରି ପକ୍ଷ ନାହିଂ

ଯାତ୍ରାକଇଂ ରାଇ ଅଇଲେ ହୋ କଳିଦ୍ୱନ୍ଦ କାହିଂପାଇଂ ।୬୩।

ଅକ୍ଷତ ଗୁଆ ତୁହୋ ଘେନସି ଶତ୍ରୁଜିତ

ଅକାରଣେ ଅଦୋଷେ କିମ୍ପାଇ ହୋଇବୁ ନାଶଂଗତ ।୬୪।

ନକୁଳ ବୋଇଲେ ଯହୁଂ ଜଗନ୍ନାଥକଂର ନାମ ଭଣି

ଶାନ୍ତି ଉଜିଲାକ ସେ ସାନନ୍ଦେ ନୃପମଣି ।୬୫।

ପକାଉଥିଲା ରାଜା ରହିଲାକ ପାଲଟି

ନକୁଳକୁ ପ୍ରଣପତ୍ୟ ରାଜା କରଇ ପାଦପୃଷ୍ଟି ।୬୬।

ଅନେକ ବିନୋୟୀ ସେ ଯେ ହୋଅଇ ଶତ୍ରୁଜିତ

ନିମନ୍ତ୍ରଣ ଯୋଗାଡ଼ ରାଜା ଘେନିଲା ଶାନ୍ତିମତ ।୬୭।

ଦଣ୍ଡ ଘେନିଣ ବାହାର ସେ ହୋଇଲା ଦଣ୍ଡେଶ୍ୱର

ବହୁତ ସମ୍ଭର୍ବେ ଦଣ୍ଡ ସାଜଇ ନୃପବର ।୬୮।

ପଞ୍ଚବିଂଶ ଲକ୍ଷ ମତ୍ତଗଜ ସାଜି

ରଥ ନ ହିଂ ତାହାର ପଞ୍ଚଚାଳିସ ଲକ୍ଷ ବାଜି ।୬୯।

ପାଦାନ୍ତି ସଇନି ତାର ତିନି ଯେ ସାଗର

ଅକୂପାର କୂଳ ତେଜି ରାଜା ମୂରତି ଉତ୍ତର ।୭୦।

ତହୁଂ ବଳନ୍ତି ନକୂଳେ ସେତୁବନ୍ଧ ରାମେଶ୍ୱରେ

ବିଜେ କୁମାର ଯାଇଂ ବେଲାବନ ସୁବଳୟା ପର୍ବତ ଉପରେ ।୭୧।

ତେର ଯୋଜନ ଆୟେତନ ସେ ସୁବର୍ଣ୍ଣମୟେ ସ୍ଥଳୀ

ତିନିକୋଶ ଉତ୍ସର୍ଗ ଅର୍ଦ୍ଧକୋଶେକ ଅଗୁଳି ।୭୨।

ସୁବର୍ଣ୍ଣ ଦେଉଳ ଯେ ଶତେକାଳ ଉତ୍ସର୍ଗ

ସେ ଦେଉଳ ଉପରେ ଉଠି ଦେଖିଲେ ଦିଶଇ ଦିବାସ୍ୱର୍ଗ ।୭୩।

ପର୍ବତ ଉପରେ ଯେ ବିଜୟେ ଧୂର୍ଜଟୀ

ସଂସାରକୁ ଅଦୃଶ୍ୟ ନିମନ୍ତେ ପାତାଳ ସ୍ୱର୍ଗ ଘୋଟି ।୭୪।

ଶ୍ରୀରାମ ଘାଟ କୁଣ୍ଡେଣ କରନ୍ତି ସ୍ରାହାନ

ଦ୍ୱାରେଣ ଦେଖିଲେ ପାଷାଣ ରୂପେ ବିଜୟେ ହନୁମାନ ।୭୫।

ଦ୍ରଶନେ ଅନେକ ଯେ ବିନୟେ ଭଗତି

ଦେଉଳେ ଦେଖିଲେ ଯେ ଅବ୍ୟକତ ପଶୁପତି ।୭୬।

ବଇଡ଼ୁର୍ଯ ଶକତି ଯେ ପ୍ରବାଳ ଜ୍ୟୋତି ଜାଣି

ବିକାଶନ୍ତି ଜଳବିମ୍ୱୁ ତିନିତାଳ ଗଭୀର ପାଣି ।୭୭।

ୟେସନେକ ସରୂପ ସେ ଆଶ୍ରିଜ ବୀର ଚାହଂ

କେମନ୍ତେ ଶିବ ରୂପ ଦେଖିବା ସରୂପ ପୁଣ କାହିଂ ।୭୮

ନକୁଳ କରପତ୍ର ଯୋଡ଼ିଣ ପରିଣାମି

ଭୂମିଜାର ବଲ୍ଲଭ ଅନାଦି ସିଦ୍ଧ ସ୍ୱାମୀ ।୭୯।

ଶୁଦ୍ଧ ସମ୍ପଦ ଯାହାର ଅମୃତ ରସ ବାକି

ଠୁଳଶୂନ୍ୟ ଭେଦିବାକୁ ତୁହି ସେ ସର୍ବସାକ୍ଷୀ ।୮୦।

କାଳ ଅକାଳ ନାଥ ତୁହି ସେ ସର୍ବସଞ୍ଚା

ତୁହି ସେ ମଧୁଭାବେ କାଳକୁଟ ଭକ୍ଷ ବଞ୍ଚା ।୮୧।

ଜୟ ତୁ ଜୟ କରୁଣା ସାଗର ରାମେଶ୍ୱର

ପ୍ରସନ୍ନେ ସ୍ରିଜୁଲୁ ତୁହି ଶ୍ରୀରାମ ଅବତାର ।୮୨।

ଉଡ଼ଙ୍ଗ ବାହନ ନାଥ ବିଳସନ୍ତା ସର୍ବଋଦ୍ଧି

ଯାହାର ପ୍ରସନ୍ନେ ନାଥ ଲଭଇ ମଉଷଧି ।୮୩।

ଶ୍ରୀରାମେଶ୍ୱର ଯେ ଶ୍ରୀରାମଚନ୍ଦ୍ରେ ପୂଜା

ଲକ୍ଷଣର ବିନୟେ ତୁ ବିଜୟେ ଦେବରାଜା ।୮୪।

ବାଞ୍ଚିତ ଅବାଞ୍ଚିତ ତୁ ଜଗତ ଜନ ଗୁରୁ

କୃତାନ୍ତକର ଭୟରୁ ନାଥ ତୁହି ସେ ଉଦ୍ଧରୁ ।୮୫।

ଅନ୍ଧକ ବିଦାରଣ ନାଥ ତୋହୋର ଦିବ୍ୟବୁଦ୍ଧି

ଦୁସହ ସାଗରେ ସ୍ୱାମୀ ବନ୍ଧାଇଲୁ ବାରାନିଧି ।୮୬।

ଜନ ମନ ମୋହନ ନାଥ ପାଳନ୍ତା ଦେବ ସର୍ବ

ଯୋଗୀଜନ ହୃଦଗତେ ତୁହି ସେ ସର୍ବଜୀବ ।୮୭।

ତୋହୋର ପାଦେ ବିନୟେ ରଘୁବଂଶର ପତି

ବଧ କଲେ ଦଶାନନକଇଂ ପରମାନନ୍ଦ ଦାଶରଥି ।୮୮।

ପୃଥିବୀ ଭାରା ଉଦ୍ଧାରଣ କଲେ କଉଣପ ବଳ ଧ୍ୱଂସୀ

ତୁ ସେ ଅଣାକାର ଠୁଳ ଶୂନ୍ୟ ବିକାଶି ।୮୯।

ତୁହି ସେ ବାରାନିଧି ନାଥ ଯେ ତ୍ରିପୁରାରି

ତୁହି ସେ ପିନାକୀ ଧାରଣ ଦେବ ଅନଙ୍ଗ ଅଇରି ।୯୦।

ଶ୍ରୀରାମେଶ୍ୱର ଦେବଂକର ଶ୍ରୀଚରଣାରବିନ୍ଦେ

କୋଟିୟେ ତୀର୍ଥ ଘେନି ପୁଷ୍କର ସଙ୍ଗମ ହୋଇ ଯାହାର ପାଦେ ।୯୧।

କୋଟିୟେ ନିଧି ଘେନି ମହେଶ୍ୱର ମୂରତି

ସୁଖେ ବିଳସଇଂ ନାଥ ଯେତେ ତୋତେ ଭଗତି ।୯୨।

ଶ୍ରୀମହାଲିଙ୍ଗ ଶ୍ରୀରାମ ଈଶ୍ୱର ଯୋଗାଧି

ଶୁଦ୍ରମୂନି ସାଗୋଳା ଦାସ ନନ୍ଦିକେଶ୍ୱର ଦେବ ବନ୍ଦି ।୯୩।

ଶ୍ରୀରାମେଶ୍ୱର ଦେବଂକୁ ନକୁଳ କଲେ ଅନେକ ତୁସ୍ତି

ଭୂତଳ ତେଜି କରି ବିକାଶିଲେ ପଶୁପତି ।୯୪।

ନକୁଳକଇଂ ପ୍ରସନ୍ନ ହୋଇଲେ ବିଶ୍ୱବାସୀ

କହିଲେ ମହାରସ ଯେଣେ ହୋଇବ ଧନରାଶି ।୯୫।

ପାଇଲା ନକୁଳ ଯେ ମହାମନ୍ତ ସିଦ୍ଧି

ଯେଣେ ସେ ରତ୍ନ ଉପୁଜିବ ସର୍ବନିଧି ।୯୬।

ତହୁଂ ବିଜୟେ ଯେ କୁମାର ବୀରମଣି

ସୁବଳୟା ନଗ୍ର ଯେ ବେଲାବନ୍ତ ଜିଣି ।୯୭।

ଦକ୍ଷିଣ କୋଶଳେ ସେ ଅନେକ ରାଜା ସାଧି

କଦଳୀବନ ରାଜ୍ୟେ ପ୍ରବେଶ ମହାଯୋଧୀ ।୯୮।

ଦ୍ରଶନ କଲେ ସେ ମଚ୍ଛଇନ୍ଦ୍ର ନାଥ ପୁତା

ଭେଟିଲା ପରମ ଯୋଗୀ ଗୋରେଖ ଅବଧୂତା ।୯୯।

ଶୁକ୍ଳାମ୍ୱର ପୁରୁଷ ସେ ମଉଳେଣ ଚୂଳବେଣୀ

ଭସ୍ମ ବିଲେପନେ ଶ୍ୟାମଳ ଶୁଦ୍ଧବାଣୀ ।୧୦୦।

ବାଇଂସିଦ୍ଧର ସୁରଙ୍ଗେ କ୍ରୀଡ଼ାନ୍ତି ମତ୍ତଭୋଳା

ଅନନ୍ତ ଗାଇତିରୀ ସନ୍ନିଧ୍ୟେଣ କପିଳା ନନ୍ଦନୀ ବଉଳା ।୧୦୧।

କରସ୍ଥଳେ ଖପର ଶୁଦ୍ଧ ସଷ୍ଟିକ ବେନି କର୍ଣ୍ଣେ

ହୃଦେଣ ବକୁଳ ମାଳୀ ବେନି ପାଦୁକା ଗବନେ ।୧୦୨।

ପରମ ପୁରୁଷ ପୁରୀ ସେ କଦଳୀ ଭୁବନେ

ମନ ଆପଯାତ ନାହିଂ ମନୁଷ୍ୟ ଗବନେ ।୧୦୩।

ନକୁଳ କୁମାର ଭ୍ରମନ୍ତି ଚଉପାଶେ

ଜନଜନ୍ତୁ ଆଗମନ ନାହିଂ ଚଉପାଶେ ।୧୦୪।

ଯୋଗ୍ନୀ ନଦୀର ସେ ଉତ୍ତର କୂଳ ଆଡ଼େ

ଭେଟିଲେ ମହାତ୍ମାଂକୁ ବକୁଳ ବୃକ୍ଷ ତଳେ ।୧୦୫।

ନକୁଳ ପଚାରନ୍ତି ହୋ କାହିଂର ତୁମ୍ଭେ ଯୋଗୀ

ୟେଡ଼େ ପରିମଳ ଭୁବନେ କିମ୍ପା ମନୁଷ୍ୟ ପରିତ୍ୟାଗୀ ।୧୦୬।

ଗୋରେଖ ବୋଇଲେ ଶୁଣସି ଆରେ ପୁତା

ଆମ୍ଭେ ସେ ପଣ୍ଡିତ ହୋ ଗୋରେଖ ଅବଧୁତା ।୧୦୭।

ଅନାଦି ନାଥେ ଅଟନ୍ତି ସେ ନିରଞ୍ଜନ ଗୋତ୍ରୀ

ତାହାଂକର ନନ୍ଦନ ଯେ ମତ୍ସଇନ୍ଦ୍ର ନାମେ ଯତି ।୧୦୮।

ମତ୍ସେନ୍ଦ୍ରନାଥଂକର ଯେ ଆମ୍ଭେ ଅଟୁ ପୁତା

ଆମ୍ଭେ ସେ ପଣ୍ଡିତ ହୋ ଗୋରେଖ ଅବଧୁତା ।୧୦୯।

ଆହୋ ନକୁଳ ତୁ ନଜାଣୁ ୟେଥିର କଥା

ୟେ ରାଜ୍ୟ ପାଇଲୁ ଆମ୍ଭେ ଅନେକ କାଳର ବାରତା ।୧୧୦।

ଅନୁସଦନ ବୋଲି କରି ୟେକଇ ସତ୍ୟଯୁଗେ

ଭବାନୀ ନାମେ ପୃଥିବୀ ବସଇ ମଧ୍ୟସ୍ୱର୍ଗେ ।୧୧୧।

ୟେଥି ବହୁତ କାଳ ମାଡ଼ିଥିଲା କ୍ଷୀରୋଦ୍ର

ମହାଖଳା ପାତିଲା ସୋମେକ ନାମେ ରୁଦ୍ର ।୧୧୨।

କାଦମ୍ୱରୀ ପାନେ ସେହୁ ହୋଇଲା ମତ୍ତାର

ଡେଇଂଣ ପଡ଼ିଲା ଆସି ସାହେର ଭିତର ।୧୧୩।

ବହୁତ କନ୍ଦ କଲା ସେ ରତ୍ନାକର ତୁଲେ

କ୍ଷୀରୋଦ୍ର ଶୁଖିଲା ସେ ସଦାଶିବର ପିଇଲେ ।୧୧୪।

ଡରେଣ ଘୁଞ୍ଚିଲା ସେ ଅଗାଦ ଜଳସିନ୍ଧୁ

ଅପୋଡ଼ା ପୃଥୀ ୟେଥି ସର୍ବଦା ପାଳର ସିନ୍ଧୁ ।୧୧୫।

କାହାରିହିଂ ରାଜ୍ୟ ନୋହୋଇ କେହୁଣସି ବେଳେ

ସମୁଦ୍ର ଛଡ଼ା ଖଣ୍ଡିୟେ ଅଟଇ ସର୍ବକାଳେ ।୧୧୬।

କନ୍ଦଳେ ଛଡ଼ାଇଲେ ଯହୁଂ ସୋମେଳ ନାମେ ରୁଦ୍ରଦେବ

କଦଳୀ ବନ ନାମ ବିହିଲା ହାଦେ ସେ ଦଇବ ।୧୧୭।

ଅନାଥର ଭୂମି ୟେ ଅଟଇ ସର୍ବଥାପି

ଆମ୍ଭେହେଂ ଅନାଥର ନାଥ ଯେ ଅଦ୍ୟାପି ।୧୧୮।

ୟେ ଭୁବନ ମାଡ଼ି ଆମ୍ଭେ ରହିଲୁ ନାଥ ଗ୍ରନ୍ଥି

ନିରାଲମ୍ୱ ଭୂମି ୟେଥକୁ ନୁଆସନ୍ତି କେହି କତି ।୧୧୯।

ନକୁଳ ବୋଇଲେ ୟେ ନିର୍ମଳ ତୁମ୍ଭ ଦୀକ୍ଷା

ଯାଗ ଯଗ୍ୟେଂ ଯିବାକୁ ମହାତମା ବଳଇଟି କି ଇଚ୍ଛା ।୧୨୦।

ଗୋରେଖ ବୋଇଲେ ଆମ୍ଭେ ସର୍ବଦା କୁତୂହୋଳୀ

ଭ୍ରମଣ ଇଚ୍ଛାୟେଣ କଉତୁଳେ ଖେଳି ।୧୨୧।

ଶୁଣିଣ ଛାମୁରେ ନକୁଳ ଥୋଇଲେ ନେଇ ନିମନ୍ତ୍ରଣ ଯୋଗାଡ଼

ସାନନ୍ଦେ ପରମ ଯୋଗୀ ବିଚାରେ ସଂକୋଡ଼ ।୧୨୨।

ସୁଲଭ ହରଷେ ସଜ ଯେ ହୋଇଲେ ଗୋରେଖ

ତହୁଂଣ ଚଳିଲେ ଅଶ୍ୱିନୀ କୁମାରଙ୍କ ବତ୍ସ ।୧୨୩।

ପୁଣିହିଂ କୁମାର ଯେ ଆସଇ ନେଉଟି

ଗୋରେଖ ପଦ୍ମପାଦେ ପ୍ରଣପତ୍ୟ ହୋଇ ଲୋଟି ।୧୨୪।

ଆହାରେ ହନ୍ତ ବୋଇଲେ ଯେ ନକୁଳ କୁମାରଂକୁ

ପ୍ରତକ୍ଷେ ଭେଟିଲୁ ଆସି ଗୋରେଖ ନାଥଂକୁ ।୧୨୫।

ଯାହାକଇଂ ଭେଟିଲେ ହୋଅଇ କୋଟି କଳ୍ପି

ମାଗିଲେ ବ୍ରହ୍ମର୍ଷି ଦିଅନ୍ତି ଅଦ୍ୟାପି ।୧୨୬।

ପିଣ୍ଡ ପ୍ରାଣ ୟେକତ୍ୱକୁ ଯାହାର ଗ୍ୟାନ ତତୁ

ଯୋଗେଶ୍ୱର ପୁରୁଷ ସେ ଜାଣଇ ଗ୍ୟାନ ହେତୁ ।୧୨୭।

ସାରଥିର ବଚନେ ସେ ନକୁଳ ପରିଣାମି

କିଞ୍ଚିତ ଗ୍ୟାନ ମୋରେ କହିବା ଦେବ ସ୍ୱାମୀ ।୧୨୮।

ଗୋରେଖ ବୋଇଲେ ୟେ ସଂସାର ଜଞ୍ଜାଳ

ୟେହା ତେଜ୍ୟା କଲେ ନ ବ୍ରତିବ ସର୍ବକାଳ ।୧୨୯।

କୁମାର ବୟସ ତୋର ଯେ ଭୋଗ ୟେ ବିଳାସ

ଯୋଗ ସାଧିବାର ୟେତ ନୋହଇ ବୟସ ।୧୩୦।

ତୁ ଯେବେ ମାଗିଲୁ ତୋତେ ଦେବାର ପଦାର୍ଥେ

ସ୍ତମ୍ଭନ ବିଦ୍ୟାୟେ ସେ କହିଲେ ଅଦଭୂତେ ।୧୩୧।

ପବନ ଉଜାଣିକି କହିଲେ କାରଣ

ଶୁଷିରେ ଥକାଇ ୟେହା ସମ୍ଭାଳି କରି ଆଣ ।୧୩୨।

ସେଠାରେ ଅନ୍ତର୍ଦ୍ଧାନ ହୋଇଲେ ପୁରୁଷଇଂ

ତହୁଂଣ ନକୁଳ ଯେ ବିଜେ କରି ଆସଇ ।୧୩୩।

 

ସହଦେବଙ୍କ ପୂର୍ବଦିଗ ରାଜାମାନଙ୍କୁ ବରଣ ନିମନ୍ତେ ଗମନ, ତେସ୍ତରି
ମହାଭାରତ ବିବରଣ, ମାର୍କଣ୍ଡ, କୋନ୍ତଭୋଜ ପ୍ରଭୃତି ରାଜାଙ୍କୁ ନିମନ୍ତ୍ରଣ
ଏବଂ ନୀଳସେନ ରାଜା ସହିତ ଖଣ୍ଡ ଯୁଦ୍ଧର ବିବରଣ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ପଣ୍ଡିତଂକୁ

ସହଦେବ ଗଲା ଯେ ପୂରୁବ ଦିଗକୁ ।୧।

ସମସ୍ତ ରାଜାମାନନ୍ତ ସାଧ୍ୟ କଲାକ କେଉଣମନ୍ତେ

ତାହା ସଞ୍ଚପିଣ କହିବା ତପୋବନ୍ତେ ।୨।

ବଦନ୍ତି ଅଗସ୍ତି ତୁହୋ ଶୁଣ ଗ୍ୟାନବନ୍ତ

ତିନିଦିଗ ରାଜାୟେ ପ୍ରବେଶି ହୋଇଲେ ଇନ୍ଦ୍ରପ୍ରଶସ୍ତ ।୩।

ଉତ୍ତର ଦିଗର ରାଜାୟେ ରହିଛନ୍ତି ବାରୁଣାବନ୍ତେ

ଦକ୍ଷିଣ ଦିଗର ରାଜାୟେ ରହୁଛନ୍ତି ଯମପ୍ରଶସ୍ତେ ।୪।

ପଛିମ ଦିଗରେ ରାଜାୟେ ଅଛନ୍ତି ଇନ୍ଦ୍ରପ୍ରଶସ୍ତେ

ଯେ ଯାହାର ସ୍ଥାନ ଆବୋରି ରହିଲେ ବିଧିମତେ ।୫।

ସଭାର ଆୟେତନ ଯେ ଦ୍ୱାଦଶ ଯୋଜନ

ଗଙ୍ଗା ଯମୁନା ଦୁଇ ନଦୀର ମଧ୍ୟ ସ୍ଥାନ ।୬।

ସର୍ବ ଅବତାର ସେ କୁରୁକ୍ଷେତ୍ର ଭୂମି

ଦିଗାମ୍ୱରୀ କାତ୍ୟାୟାନୀ ତହିଂ ପ୍ରେତାଧି ରୂପେଣ ଭ୍ରମି ।୭।

ମହାଭାରଥ ଯୁଦ୍ଧ ଯେ ହୋଅଇ ସେ ଭୂମିର

ୟେମନ୍ତେ ଯୁଦ୍ଧ ହୋଇଲାଣି ତେୟୋସ୍ତରି ବାର ।୮।

ସାଂଗ୍ରାମେଣ ପଡ଼ନ୍ତି ତହିଂ ଯେତେ ରଥୀ ମହାରଥୀ

ନିଷତ ହୋଇଣ ଯେ ପଳାଇଣ ମରନ୍ତି ।୯।

ସେ କୁରୁକ୍ଷେତ୍ର ମଣ୍ଡଳ ଯେ ଦ୍ୱାଦଶ ଯୋଜନେ

ଅନେକ ରାଜାର ସଇନି ପଡ଼ନ୍ତି ତିଳମନ୍ଦା ପ୍ରମାଣେ ।୧୦।

ଗତି ଅଗତି ଯେ ଯେତେକ ପାଇଥାନ୍ତି

ଅସ୍ଥି ଚର୍ମ ମାୟେଂସ ତହିଂ ସେ ମିଳାବନ୍ତି ।୧୧।

ଯେତେବେଳେ ମହାଯାଗ କରନ୍ତି ଯୁଝେଷ୍ଠିର

ସେ ଗତି ଅଗତିମାନେ ସମସ୍ତେ ହୁଅନ୍ତି ପାର ।୧୨।

ଆହୋ ମନୁପୁରୁଷ, ପୁଣ ପୁଣ ହୋଅଇ ଯାଗ ପୁଣ ପୁଣହୋଅଇ ସମର

ୟେକ ସଂସାରେ ପଡ଼ିଣ ଆରେକ ସଂସାରେ ହୁଅନ୍ତି ପାର ।୧୩।

ମହାଯାଗ ଭୂମି ରଣଭୂଇଂ ଅଟଇ ସେହି

ପୃଥୀକେ ୟେମନ୍ତ ୟେ ଯାବତ କାଳେଣ ମହୀ ।୧୪।

ଆହୋ ବଇବସୁତ ମନୁ ପୃଥୀ ପ୍ରକୟେକ ହୁଅଇ

ପ୍ରଳୟେ ଅନ୍ତରେଣ ପୁଣ ପୃଥୀୟେକ ଭିଆଇଂ ।୧୫।

ପୁଣିହିଂ ରାମାୟେଣକ ହୁଅଇ ପୁଣ ହୋଅଇ ମହାଭାରଥେ

ଧାତୁବାଦ ପୁରୁଷ ଭିଆଉଥାଇ ୟେହି ମତେ ।୧୬।

ଆହୋ ବଇବସୁତମନୁ ସବୁ ବର୍ଣ୍ଣ ୟେକତ୍ୱ କରିଣ ବନମାଳୀ

ହୃଦୟେଣ ବହିଲା ଯେ ତାର ନାମ ବନମାଳୀ ।୧୭।

ୟେହି ସେ ଅଟଇ ପିତା ୟେହି ସେ ଅଟଇ ମାତା

ଜାତହିଂ ୟେହି ଅନ୍ତହିଂ ୟେହି ସେ କରତା ।୧୮।

ଉତପତ୍ତି କରାଉଂ ହୁଅଇ ଅନେକ ଭାରା

ଭାରା ହୋଇଲେଣ ନ ସହଇ ବସୁନ୍ଧରା ।୧୯।

ବସୁଧାର ବିକଳେ ସେ ହୋଅଇ ବିକଟାଳେ

ଭାରାଭର ନିବାରଣ ପୁଣ କରଇ ସର୍ବକାଳେ ।୨୦।

ସମସ୍ତ କଉତୁକ କରାଉଥାଇ ରସେ

ହରଇ ହରାଇବ ସେ ରାତ୍ର ଯେ ଦିବସେ ।୨୧।

ୟେସନ ଭିଆଣମାନ ଜଗନ୍ନାଥଂକର କଲା

ଜଗତ ଜୀବନ ଘେନି ଜଗୃଜୀବନ ନାମ ବହିଲା ।୨୨।

ଦିନ ସରିବାର ନିମନ୍ତେଣ କରି

ନାନା ଚରିତମାନ ଭିଆଉଥାଅ ଶ୍ରୀହରି ।୨୩।

କାଳ କଳଂକ କଳୁଷ ସମସ୍ତ ବଞ୍ଚିବାକୁ

ଇଚ୍ଛା ବଢ଼ାଇ ଥାଇ ସେ ଶରଧା ନିମନ୍ତକୁ ।୨୪।

ନର ନାରାୟେଣ ସେହୁ ମହାର୍ଣ୍ଣକ ବଞ୍ଚା

ନମୋ ନମୋ ଭଗବାନ ସଞ୍ଚା ଯେ ଅସଞ୍ଚା ।୨୫।

କରତଳ ବର୍ଣ୍ଣିତ ନୋହଇ ଭାବ ଅଭାବେ

ସନ୍ଥ ପ୍ରତିପାଳନ ପ୍ରସ୍ତାପେ ଅପ୍ରସ୍ତାପେ ।୨୬।

ସୁରବର ସୁନ୍ଦର ନାଥ କଇଚ୍ଛା ଜଗଜ୍ଜେଠୀ

ମମ ହୃଦେ ବିଘଂସୁ ତବ ନାମ ଗୋଟି ।୨୭।

ତୁଳସାର ବଲ୍ଲଭ ଚରଣକୁ ମୋର ଆଶ

ଜନ୍ମେ ଜନ୍ମେ ସେବଇ ମୁହିଂ ତୋହୋର ଦାସର ଦାସ ।୨୮।

ଇତିଶ୍ରୀ ପୁରାଣ ବାକ୍ୟେ କହିଲି ଜନହିତେ

ଶ୍ରୀବିଷ୍ଣୁ ପୁରାଣ ମହାଭାରତ ପୁରାଣ ବାକ୍ୟ ସଂଗତେ ।୨୯।

ୟେତ ମୋହଜଳ ସଂସାର ଅନୀତି ବଞ୍ଚିବାକୁ ବାବୁ

ଲୋଭ ମୋହ ହିଂସା ଅପବାତ ୟେହାକୁହିଂ ନୋହଇ ସବୁ ।୩୦।

ଅଭୟେ କାନ୍ତାୟେନୀ ମୋହୋର ନିଜ ମାତା

ପ୍ରତ୍ୟକ୍ଷ ବାକ୍ୟ ମୋତେ କହଇ ସର୍ବଥା ।୩୧।

ସେ ଯାହା କହଇ ମୁଂ ତାହା କରଇ ଲେଖନ

ଅସଞ୍ଚେପ କହିଲେ ପାଇବା କାହିଂ ଦିନ ।୩୨।

ଶଇଳ ରାଜାର ନନ୍ଦନୀ ବିଜେ ମୋହୋର ହୃଦେ

ଧନ ଆଣି ଚଉର୍ଯ୍ୟେ ଯେହ୍ନେ ହୁଅନ୍ତି ଆନନ୍ଦେ ।୩୩।

ଜଙ୍ଖେରପୁର ବାସିନୀ ପ୍ରତ୍ୟକ୍ଷେ ହିଙ୍ଗୁଳା

ବାଳୁତ କୁତୁହୋଳୀ ସର୍ବଦା ମତି ଭୋଳା ।୩୪।

ସେ ଦେବୀ ଚରଣେ ଆରାଧଇ ମଙ୍ଗଳେ

ଲଭିଲି ଅଭ୍ୟାଗତ ହୋ ମମ ବକ୍ଷସ୍ଥଳେ ।୩୫।

ଶ୍ରୀ ସାରଳା ଚଣ୍ଡୀର ଚରଣେ ସଦା ନମାମି

ଶୁଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡ ପରିଣାମି ।୩୬।

ଶୁଣିବା ହେ ବୁଧଜନେ ସୁଲଭ ବାରତା

ପୂର୍ବଦିଗ ବିଜୟେ ସହଦେବର ବ୍ୟବସ୍ଥା ।୩୭।

ତୁଳମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାର

ରୋହିଣୀ ନକ୍ଷତ୍ରକୁ ଭୋଗ ସେ ଦିନର ।୩୮।

ବାଳବ ନାମେ କରଣ ବରିୟନ ନାମେଣ ଯୋଗ

ଅମୃତ ମାହେନ୍ଦ୍ର ଯୋଗ ଘେନି ସହଦେବ ବିଜୟେ ପୂର୍ବଦିଗ ।୩୯।

ଲକ୍ଷେକ ରଥୀ ଯେ ବେନିଲକ୍ଷ ହାଥୀ

ଚାରିଲକ୍ଷ ଅଶ୍ୱ ନବମର୍ଭୂତ ପାଦାନ୍ତି ।୪୦।

ଟମକ ନିଶାଣ ଢୋଲ ଲକ୍ଷେକ ବୀରତୂର

ପାଟଛତ୍ର ଆଲମ୍ୱ ଉଦଣ୍ଡ ଅହିବ୍ରତେ ପନ୍ଦର ।୪୧।

ୟେତେକ ସଇନି ଘେନି ସେ ମଦନା ଦେବୀର ବଳା

ମାହେନ୍ଦ୍ର ମଳୟ ପର୍ବତେ ବିଜୟେ ଶୁଭ ଅନୁକୂଳା ।୪୨।

ଆକାଶେ ଦେଖିଲେ ଯେ ସ୍ୱାମୀ ଦିନକର

ମାହୀନ୍ଦ୍ର ସାରଥିକୁ ହକାରିଲେ କରତାର ।୪୩।

ଆହୋ ମାହୀନ୍ଦ୍ର ତୁ ଚଳ ୟେହିକ୍ଷଣ

ସହଦେବ ସାରଥି ହୋଇ ବିଜେକର ପୂର୍ବ ଦିଗେଣ ।୪୪।

ଦିନକର ଆଗ୍ୟାଂୟେଣ ସେ ମାହୀନ୍ଦ୍ର ସାରଥି

ସହଦେବ ଛାମୁରେ ଆସି ବିଜୟେ ତତକ୍ଷଣାନ୍ତି ।୪୫।

ଦେଖି ପୂଜାକଲା ସେ ମଦନାଦେବୀର ବଳା

ଦିଶଇ ସୁସଞ୍ଚ ସେ ବାଳଅର୍କ ଅନର୍ଗଳା ।୪୬।

ମାହୀନ୍ଦ୍ର ପର୍ବତୁଂ ସେ ଚଳଇ ରହୁବର ବାହି

ଶଙ୍ଖଧୁନି ଶବଦ ସୁସ୍ୱରେ ବଜାଇ ।୪୭।

ମାହୀନ୍ଦ୍ର ବୋଲିକରି ତହିଂ ୟେକ ନଦୀ ଗୋଟିୟେ

ତହିଂ ଯାଇ ସନ୍ଧ୍ୟା ସାରଇ ଅଶ୍ୱିନୀ ତନୟେ ।୪୮।

ଚଳନ୍ତି ସଇନି ଯେ ଅନେକ ଦରଷେ

ପ୍ରବେଶ ପାଣ୍ଡବ ଯାଇଂ ମାହୀନ୍ଦ୍ର ନାମ ଦେଶେ ।୪୯।

ଆସ୍ତାନେ ବିଜେ କରିଛନ୍ତି ମାରକଣ୍ଡ ନାମେ ନୃପତି

ତାହାଂକର ଅଗ୍ରତେ ଯାଇଂ ଡଗର କହନ୍ତି ।୫୦।

ଶୁଣିମା ଦେବ ସାବଧାନେ ମାହୀନ୍ଦ୍ର ଅଧିକାରୀ

କେଉଣ ଯୋଦ୍ଧାୟେଟି ଆସଇ ବିଜେ କରି ।୫୧।

ୟେସନ ସମୟେ ଯାଇଂ ସହଦେବର ଦୂତେ

ବାରତା ଜଣାଇଲେ ରାଜାର ଅଗ୍ରତେ ।୫୨।

ଶୁଣ ଦେବ ସାବଧାନେ ମାହୀନ୍ଦ୍ର ନୃପତି

ରାଜୁସି ଯଗ୍ୟଂ ସଭା ଯେ ଯୁଝେଷ୍ଠି ଦେବ କରନ୍ତି ।୫୩।

ସହଦେବ ବୋଲିକରି ଯୁଝେଷ୍ଠି ଦେବଂକର ଅନୁଜେ

ରାଜାନ୍ତ ନିମନ୍ତ୍ରଣେ ସେ ପୂର୍ବଦିଗେ ବିଜେ ।୫୪।

ମାହେନ୍ଦ୍ରଗିରି ପର୍ବତେ ଅଛନ୍ତି ବିଜେକରି

ଛାମୁକୁ ୟେବେ ଆସ ଦୁହୋ ଉଠ ଦଣ୍ଡଧାରୀ ।୫୫।

ଚାରଗଣ ମୁଖୁଂ ରାଜା ୟେସନେକ ବାକ୍ୟ ଶୁଣି

ଆସ୍ତାନେ ତେଜ୍ୟାକରି ଉଠିଲା ନୃପମଣି ।୫୬।

ଶତେକ ଭାର ପାଣିଦ୍ରବ୍ୟ ଘେନି ଦେଖା ଦରଶନି

ଛାମୁରେ ମାର୍କଣ୍ଡରାଜା କରଇ ଦଇନି ।୫୭।

ଅକ୍ଷତ ଗୁଆ ତାକୁ ଦିଲେକ ସଦଦେବ

ପୀରତି ବଢ଼ାଇଲେ ବହୁତ ମତିଭାବ ।୫୮।

ତୁ ଆମ୍ଭର ପୀରତି ଅଟୁସି ହୋ ମହାରାଜା

ସମତୁଣ୍ଡ ଘେନି ତୁହୋ ଜଇନ୍ତା ନଗ୍ରେ ଯାଅ ଯା ।୫୯।

ଅନେକ କୃତ କୃତ ହୋଇଲା ମାରକଣ୍ଡ

ତୁଲେଣ ଘେନିଲା ରାଜା ଶତେକ ପାରିଦଣ୍ଡ ।୬୦।

ରଥ ଗଜ ଅଶ୍ୱ ଘେନିଣ ସର୍ବସାଜି

ଚଳଇ ନରେନ୍ଦ୍ର ତାହାର ମହୀନ୍ଦ୍ରଗଡ଼ ତେଜି ।୬୧।

ତହୁଂଣ ବିଜେ କରିଗଲେ ସହଦେବ

ସିନ୍ଧୁ ଦେଶେଣ ବିଜୟେ କଲେକ ପାଣ୍ଡବ ।୬୨।

ସିନ୍ଧୁ ଦେଶର ରାଜା ନାମ ଯଦ୍ୟରଥ

ଗଜ ଅଶ୍ୱ ନାହିଂ ତାର ଦଶ ସହସ୍ର ରଥ ।୬୩।

ଡଗର କହିଲେ ଦେବ ଶୁଣିମା ସିନ୍ଧୁପତି

ପୂର୍ବଦିଗେ ବିଜୟେ ଦେବ ପାଣ୍ଡବ ସହଦେବ ମନ୍ତ୍ରୀ ।୬୪।

ପ୍ରବେଶ ହୋଇଲେ ଆସି ସିନ୍ଧୁଦେଶେ

ବଡ଼ ପ୍ରତାପୀ ସଇନି କ୍ଷେପନ୍ତି ମହାରୋଷେ ।୬୫।

ଦେଶାଉର ମୁଖେ ଶୁଣିଣ ବାରତା

ନଗ୍ରରେ ଉଚ୍ଛବ ରାଜା କରାଇଲା ତୁରିତ ।୬୬।

କଟକେ ପାୟେଡ଼ା ପାଡ଼ଇ ନିରନ୍ତରେ

ପୂର୍ଣ୍ଣକୁମ୍ଭ ରମ୍ଭାତରୁ ଚୂତପତ୍ର ରଖି ଦ୍ୱାରେ ।୬୭।

ଆପଣେ ପାଦଗତି କରି ରାୟେ ଆୟେ

ଶ୍ରୀକରେ ଚାମର ଧରି ବହୁତ ବିନୟେ ।୬୮।

ସହଦେବ ବିଜୟେ ସିନ୍ଧୁରାଜ୍ୟ ଭିତରେ

ଯଦ୍ୟରଥ ଦ୍ରଶନ କଲା ଆସି ସିନ୍ଧୁମନ୍ଦାର ତୀରେ ।୬୯।

ରଥରୁ ଓହ୍ଲାଇ ସେ ସହଦେବ ମହାମନ୍ତ୍ରୀ

ଯଦ୍ୟରଥକଇଂ କୋଳକଲେ ବହୁତ ପୀରତି ।୭୦।

କୋଳ ସମ୍ଭାଷଣ ଯେ ବହୁତ ବାରତ

ରାଜ୍ୟେ ପ୍ରବେଶ ହୋଇଲେ ବହୁତ ହରଷ ଚିତ୍ତ ।୭୧।

କୁଶଳ ବାରତା ଯେ ପଚାରନ୍ତି ବେନି

ଅନେକ ହରଷେ ବିଜୟେ ସନ୍ୟ ଘେନି ।୭୨।

ବଡ଼ ସମ୍ଭର୍ବେ ରାଜା କରନ୍ତି ଉତ୍ସବ

ଯଦ୍ୟରଥ ଭୁବନେ ମୁଣୋହି କଲେ ସହଦେବ ।୭୩।

ମୁଣୋହି ସାରିଣ ବିଜୟେ ଚନ୍ଦ୍ରଶାଳା ଭୁବନେ

ଅକ୍ଷତ ଯୋଗାଡ଼ ଦିଲେ ନିମନ୍ତ୍ରଣ ବିଧାନେ ।୭୪।

ଆହେ ଯଦ୍ୟରଥ ତୋତେ ଯେତେକ ରାଜା ସାଧୁ

ଆପଣେ ଘନିଯାଅ ସମସ୍ତ ମହାଯୋଧୀ ।୭୫।

ଯଦ୍ୟରଥ ବୋଇଲା ସେ ସମସ୍ତ ସଇନି

ସହସ୍ରେକ ରାଜାନ୍ତ ମୁହିଂ ଯିବଇ ଯେ ଘେନି ।୭୬।

ଯଦ୍ୟରଥରକୁ ଚଳଇ ମନ୍ତ୍ରୀବର

ବିଜୟେ କଲା ମହାମନ୍ତ୍ରୀ ବିରାଳଚନ୍ଦ୍ର ନଗର ।୭୭।

ସେ ବିରାଳଚନ୍ଦ୍ର ରାଜ୍ୟର ରାଜା ବଳାନୀକ ଚକ୍ରବ୍ରତୀ

ସହଦେବର ଡଗରେ ଯାଇଂ ବାରତା ଜଣାନ୍ତି ।୭୮।

ଶୁଣ ଦେବ ସାବଧାନେ ବଳାନୀକ ମହେଶ୍ୱର

ପୂର୍ବଦିଗେ ବିଜେ କଲେ ସହଦେବ ଠାକୁର ।୭୯।

ରାଜାମାନନ୍ତ ଯେ ନିମନ୍ତ୍ରଣ ଅର୍ଥେ

ସମସ୍ତ ନରେନ୍ଦ୍ର ବିଜୟେ ଇନ୍ଦ୍ର ଯେ ପ୍ରଶସ୍ତେ ।୮୦।

ବାରତା ପାଇଣ ସେ ଚଳଇ ବଳାନୀକ

ସମଦଣ୍ଡ ସଇନି ତାର ସାଜିଲା ଅନେକ ।୮୧।

ଆପଣେ ସମଦଣ୍ଡ ଘେନିଣ ମହୀପତ୍ୟେ

ସହଦେବକଇଂ ଦ୍ରଶନ କଲାକ ତୁରିତେ ।୮୨।

ଛାମୁରେ ରାଜା ଶତେ ସହସ୍ର ଦଣ୍ଡ ପରିଣାମି

ଜୀବନ ସୁଫଳ ଆଜ ନିସ୍ତରିବି ଦେବସ୍ୱାମୀ ।୮୩।

ଅକ୍ଷତ ଗୁଆ ତାକୁ ଦିଲେକ ସହଦେବ

ରାଜୁସି ଯାଗ ସଭାକୁ ଯାଅ ଯା ଅଗ୍ୟାଂ ଦିଲେ ଦେବ ।୮୪।

ମଦନା ନନ୍ଦନର ଆଗ୍ୟାଂ ଅବଧାରୀ

ଦଣ୍ଡ ଘେନି ଚଳିଲା ସେ ବଳାନୀକ ହସ୍ତିନା ରାଜ୍ୟପୁରୀ ।୮୫।

ଅନେକ ବୀରତୂର ନିଶାଣ ବାଦ୍ୟ ବାଜେ

ଚନ୍ଦ୍ରଚୂଡ଼ ଦେଶ ଜିଣି ସହଦେବ ଈଶାନ୍ୟ ଦିଗେ ବିଜେ ।୮୬।

ବୃନ୍ଦାଅର୍କ ବୋଲିକରି ୟେକରାଜ୍ୟ ଗୋଟିୟେ

ମଦନବସନ୍ତ ବୋଲି ତହିଂର ଅଟଇ ରାୟେ ।୮୭।

ସେ ରାଜାର ରାଜ୍ୟେ ବିଜୟେ ମନ୍ତ୍ରୀବୀର

ସନ୍ନିଧ୍ୟେ ହକାରି ପଠିଆଇଲେ ଡଗର ।୮୮।

ମଦନବସନ୍ତ ରାଜାଂକୁ କହି ବେଗେ ଯାଇଂ

ଦଣ୍ଡ ଘେନି ମୋ ଛାମୁକୁ ଆସୁ ଦଣ୍ଡସାଇଂ ।୮୯।

ସ୍ୱାମୀର ବଚନ ସେ ଚଳିଲେ ମୁନେହି

ମଦନବସନ୍ତ ରାଜା ଛାମୁରେଣ କହି ।୯୦।

ଆହୋ ରାଜା ସହଦେବ ଠାକୁରେ ପୂର୍ବଦିଗେ ବିଜେ

ନିମନ୍ତ୍ରଣ କରୁଅଛନ୍ତି ସବୁଦେଶ ରାଜ୍ୟେ ।୯୧।

ସନ୍ୟ ଘେନି ରହିଛନ୍ତି ମହୋଦଧିର କୂଳେ

ଦ୍ରଶନ କରାଇବା ତୋତେ ଯେ ପ୍ରସନ୍ନର ବେଳେ ।୯୨।

ଚାରଗଣ ମୁଖୁଂ ବଚନ ଶୁଣି ରାୟେ ହୋଇଲା ଉଷତ

ଦେଖା ଦରଶନି ଘେନି ଚଳଇ ବସନ୍ତ ।୯୩।

ମଉଦଧି କୂଳେ ଯେ ବିଜୟେ ମହାମନ୍ତ୍ରୀ

ନାମ ସଂକେତର ବେଳେ ଦ୍ରଶନ କରଇ ମହାଛତ୍ରୀ ।୯୪।

ଡଗରେ କହିଲେ ଦେବ ଆଗ୍ୟାଂ ଅଧିକାରୀ

ଦ୍ରଶନ କଲା ଆସି ମଦନବସନ୍ତ ଦଣ୍ଡଧାରୀ ।୯୫।

ଜପର ବେଳେ ଚାହିଂଲେ ଅବଲୋକନେ

ନିଉଛାଳି କର ସେ ଶୁତିଲା ରାଜଶୂନ୍ୟେ ।୯୬।

ଅନେକ ବିନୋୟୀ ହୋଇ ରାଜା କହଇ ବାରତ

ସ୍ୱାମୀ ମନ୍ତ୍ରୀବର ଗୁଣବନ୍ତ ପ୍ରତଗ୍ୟାଂ ସାମରଥ ।୯୭।

ସ୍ୱାମୀର ପାଦରଜ ପଡ଼ିଲେ ୟେ ମୋହର ଭୁବନେ

ମହାଯଗ୍ୟଂ ଫଳଶ୍ରୁତି ଲଭିବି ଅନେକ ପୁଣ୍ୟେ ।୯୮।

କଟକେ ପାୟେଡ଼ା ଯେ ପାଡ଼ିଲେ ଅମନାତ୍ୟେ

ନଗ୍ରେଣ ଉତ୍ସବ ସେ କରନ୍ତି ତୋଷ ଚିତ୍ତେ ।୯୯।

ଅନେକ ସୁଶୀତଳ ଦ୍ରବ୍ୟ ଉପହାରମାନ

ବହୁତ ସମ୍ଭର୍ବେ ବାଢ଼ିଲା ଅଛଇ ରାଜନ ।୧୦୦।

ପାୟେଡ଼ା ଉପରେ ଅଷ୍ଟରତନ କୁଢ଼ାଇ

ଲକ୍ଷେକ ସୁବର୍ଣ୍ଣ ରାଜା, ପୟରେ ପୂଜା ଦେଇ ।୧୦୧।

ରାଜାକଇଂ ନିମନ୍ତ୍ରଣ ଦିଲେକ ସହଦେବ

ସମସ୍ତ ସଇନି ଘେନି ରାଜୁସିଯାଗକୁ ତୁମ୍ଭେ ୟେହିକ୍ଷଣି ଯିବ ।୧୦୨।

ସଇନି ଚଳାଇ ରାଜା ଖଣ୍ଡେଦୂର ଯାଇଂ

ଧର୍ମନଗ୍ରୀ ପୂର୍ବତୁଂ ସହଦେବ ବାହୁଡ଼ଇ ।୧୦୩।

ତହୁଂଣ ଦଣ୍ଡ ଚଳାଇ ଚଳିଲେ ବୀରମଣି

ବୃନ୍ଦର ଦେଶେ ପ୍ରବେଶ ମନ୍ତ୍ରୀ ଚୂଡ଼ାମଣି ।୧୦୪।

ସେ ରାଜ୍ୟେଣ ସୁବାହୁ ବୋଲି ଅଟଇ ମହାରାଜା

ସହଦେବ ପୟରେ ଯେ କଲେକ ବହୁତ ପୂଜା ।୧୦୫।

ନିମନ୍ତ୍ରଣ ଯୋଗାଡ଼ ଦିଲେ ତାଂକୁ ସହଦେବ ଠାକୁରେ

ଦଣ୍ଡ ଘେନି ଚଳିଲା ରାଜା ଯମପ୍ରଶସ୍ତ ପୁରେ ।୧୦୬।

ସୁବାହୁ ରାଜାକୁ ସେ ନିମନ୍ତ୍ରଣ କରି

ଚଳନ୍ତି ମହାମନ୍ତ୍ରୀ ଦଣ୍ଡ ଆଗସରି ।୧୦୭।

କୃତାନ୍ତକ ନଦୀ ତୀରେ ରାଜ୍ୟେ ମଧୁବନ

ତହିଂର ନୃପତିର ନାମ ଅଟଇ ଦ୍ରୁମନସେନ ।୧୦୮।

ସେ କୃତାନ୍ତକ ନଦୀ ତୀରେ ପ୍ରବେଶ ଅଶ୍ୱିନୀ

ମହା ସମ୍ପଦେ ତାର ବିହଡ଼ନ୍ତ ସଇନି ।୧୦୯।

ବାଜନ୍ତି ବିଜିଘୋଷ ଟମକ ନିଶାଣ ଦାଉଣ୍ଡି

ବାଳଆଦିତ୍ୟ ପ୍ରାୟେକ ସେ କଣୟେ ରଥ ମୁଣ୍ଡି ।୧୧୦।

ଫରହର ଆଲମ୍ୱ ଯେ ଅଶ୍ୱଂକ ଉପରେ

ଅତି କଉତୁକେ ଥାଠ ଚଳନ୍ତି ସମ୍ଭରେ ।୧୧୧।

ଦୃମନ ନୃପତି ଯେ ବିଜୟେ ଆସ୍ତାନେ

ଛାମୁରେ ଜଣାଇଲେ ଯାଇଂ ଦେଶାଉରମାନେ ।୧୧୨।

ଦେବ ହସ୍ତିନାର ଠାକୁର ଯେ ଅଟନ୍ତି ଯୁଝେଷ୍ଠି

ବ୍ରିକୋଦର ଠାକୁରେ ତାହାଂକର ଅଟନ୍ତି କନେଷ୍ଟି ।୧୧୩।

ତାହାଂକର ଅନୁଜ ଯେ ଅଟନ୍ତି ଅରଜୁନ

ନକୁଳ କୁମାର ଦେବ ତାହାଂକ ତହୁଂ ସାନ ।୧୧୪।

ସହଦେବ କୁମାର ଯେ ତାହାଂକର ସାନୁଜେ

ମହାଯାଗ ନିମନ୍ତେ ସେ ପୂର୍ବଦିଗେ ବିଜେ ।୧୧୫।

ସକଳ ରାଜାନ୍ତ ଦେବ ଆଶନ୍ତି ନିମନ୍ତି

ଆମ୍ଭର ରାଜ୍ୟେ ଦେବ ଆଶି ପଶିଲେ କାଲି ରାତ୍ରି ।୧୧୬।

ଶୁଣିଣ ବିଚ଼ାର ସେ କରଇ ଦୃମନସେନ

ତହିଂକି ଯିବାର ତ କାରଣ ଅଛଇ ପୁଣ୍ୟ ।୧୧୭।

ଭୋଜନ ଅକ୍ଷତ ଯେ ଅନେକ ପାଇବା

ଲକ୍ଷେ କୋଟି ଜନଂକର ମୁଖହିଂ ଚ଼ାହିବା ।୧୧୮।

ଆପଣାର ସଙ୍ଗେ ଘେନିଲା ରାଜା ଯୋଦ୍ଧା ତିନିକୋଟି

ଦୃମନସେନ ଆସଇ ବାଟକୁ ପାଛୋଟି ।୧୧୯।

ସହଦେବ ବିଜେ କରିଛନ୍ତି ମଧୁସୂଦନ ପରବତେ

ତହିଂ ଯାଇଂ ପ୍ରବେଶ ହୋଇଲେ ଦୃମନସେନ ନୃପତ୍ୟେ ।୧୨୦।

ବହୁତ ସମ୍ୱରେ ଦ୍ରଶନକଲା ରାଜା

ଲକ୍ଷେକ ସୁବର୍ଣ୍ଣ ନେଇ କଲାକ ପାଦପୂଜା ।୧୨୧।

ବହୁତ ବିନୋୟୀ ଅନେକ ସମ୍ଭର୍ବେ

ମଧୁବନ କଟକେ ଯାଇଂ ବିଜୟେ ସହଦେବେ ।୧୨୨।

ଆହୋ ଇନ୍ଦ୍ର ବିଜେକଲେ ମାନବେ ହୋନ୍ତି ଯହ୍ନେ

ସମରାଷ୍ଟ ସଇନି ସାନନ୍ଦ ହୋନ୍ତି ତେହ୍ନେ ।୧୨୩।

ମୁଣୋହିକି ଯୋଗାଡ଼ କରଇ ମହିପତ୍ୟେ

ପଚନ୍ତି ସୁପକାରେ ଅନେକ ସଂପ୍ରତେ ।୧୨୪।

ନୃତ୍ୟ ଗୀତ ତାଣ୍ଡବେ ଯେ ଖଟନ୍ତି ବନିତା

ସପତସ୍ୱର ବୀଣା ମଧୁର ସଂଗୀତା ।୧୨୫।

ସ୍ରାହାନ ମାଜଣା ସାରିଲେ ସାତଘଡ଼ି

ମୁଣୋହିରେ ବିଜେ ସୂର୍ଯ୍ୟ ବେଳକୁ ବିଚ଼ାରି ।୧୨୬।

ଅନେକ ମେଂଜନ ଯେ ସୁପଂକୁ ଅନୁମାନ

ତ୍ରିପୁତି ହୋଇଣ ଯେ ଭୁଂଜନ୍ତି ସମସ୍ତ ସଇନ ।୧୨୭।

ଭୁଂଜିଣ ତୁଷ୍ଟେ ସେ କରନ୍ତି ଆଂଚୋବନ

ତ୍ରପୁର ତାମ୍ୱୋଳ ଯେ ସାନନ୍ଦେ ଭୋଜନ ।୧୨୮।

କୁଟୁମ୍ୱଯାକ ଘେନିଣ ସେ ନୃପତି ଦ୍ରୁମନସେନ

ଭୃତ୍ୟ ପ୍ରାୟେ ହୋଇଣ ସେ ଖଟଇ ତଳ ଆସ୍ତାନ ।୧୨୯।

ଅନେକ ବେଦଧୁନି ବହୁତ ମଙ୍ଗଳ ତୋଳି

ସୁଲକ୍ଷଣୀ ସ୍ତିରୀୟେ ଅର୍ଘ୍ୟଘେନି ଦିଅନ୍ତି ହୁଳହୁଳି ।୧୩୦।

ଦ୍ରୁମନସେନ ବୋଇଲା ଅଶ୍ୱମେଧ ଯାଗ କଲେ ମୋହର ଉପର ବଂଶେ

ସେ ଫଳେ ତୋହୋର ପାଦରଜ ପଡ଼ିଲା ମୋହୋର ୟେ
ଦେଶେ ।୧୩୧।

ପ୍ରତକ୍ଷେ ନାରାୟେଣ ମୁଂ ଦେଖିଲି ବେନି ଡ଼ୋଳେ

ରାଜ୍ୟକୁ ସୁଲଭ ମୋହୋର ହୋଇଲା ସର୍ବକାଳେ ।୧୩୨।

ସହଦେବ ବୋଇଲା ତୁ ହୋ ମହତ ଧାର୍ମିକ

ଅମହତ ଜନେ ସେ କହନ୍ତି ଅବିବେକ ।୧୩୩।

ନିମନ୍ତ୍ରଣ ଯୋଗାଡ଼ ଦିଲେକ ସହଦେବ

ଜଇନ୍ତା ଭୁବନେ ତୁମ୍ଭେ ସମସ୍ତେ ରହିଥିବ ।୧୩୪।

ମୁହିଂ ଯାଇଂ ଦ୍ରଶନ କରାଇବି ଭୀମସେନ ଠାକୁରଂକୁ

ଭୀମସେନ ଠାକୁରେ ଦ୍ରଶନ କରାଇବେ ଯୁଝେଷ୍ଠି ଦେବଂକୁ ।୧୩୫।

ସ୍ରାହାନ ଭୋଜନ ଯେ ସାରିଣ ଦ୍ରୁମନସେନ

ତତକ୍ଷଣେ ସାଜିଲା ତାହାର ସମଦଣ୍ଡ ସଇନ ।୧୩୬।

ଚଳଇ ନରେନ୍ଦ୍ର ଯେ ସଭାକୁ ତତକ୍ଷଣେ

ସହଦେବ ବାହାର ହୋଇଲେ ଈଶାନ୍ୟ କୋଣେ ।୧୩୭।

ଭୋଜସେନ ଦେଶେ ପ୍ରବେଶ ମନ୍ତ୍ରୀବର

ମହାରାଜ୍ୟ ଗୋଟିୟେ ସେ ବଡ଼ଇ ସମ୍ଭାର ।୧୩୮।

ସେ ରାଜ୍ୟକୁ ବେଢ଼ି ବହଇ ନଦୀ ବଇତରଣୀ

କୋନ୍ତଭୋଜ ବୋଲିକରି ତହିଂର ନୃପମଣି ।୧୩୯।

ସେ କୋନ୍ତଭୋଜ ନୃପତିର ୟେକଇ ଦୁହିତା

ତାହାର ନାମ ଅଟଇ ଦେବୀ ଯେ କୋଇନ୍ତା ।୧୪୦।

ତାହାକଇଂ ପ୍ରଦାନ ହୋଇଲେ ପଣ୍ଡୁ ଯେ ନୃପତି

ବଡ଼ାଇ ପ୍ରତାପୀ ସେ କୋନ୍ତଭୋଜ ନୃପତି ।୧୪୧।

ସେ କୋଇନ୍ତାଂକର ଯୁଝେଷ୍ଠି ଭୀମ ଅର୍ଜୁନ ତିନି ଆତ୍ମଜା

ସେ ନିମନ୍ତେ କୋନ୍ତଭୋଜ ହୋଇବେଟି ଅଜା ।୧୪୨।

ସେ ରାଜାର ଅଗ୍ରତେ ଯାଇଂ କହନ୍ତି ମୁନେହିଂ

ସ୍ୱାମୀ କେବଣ ଦେଶର ରାଜା ୟେଟି ଦଣ୍ଡ ଘେନି ବାହି ।୧୪୩।

କୋନ୍ତଭୋଜ ବୋଇଲା ପାତ୍ର ମନ୍ତ୍ରୀକି ହକାରି

ରାଜ୍ୟରେ ଉତ୍ସବ ରେ କରାଅ ମୋହୋରି ।୧୪୪।

କଟକ ଭିତରେଣ ପାଡ଼ିଲେ ପାୟେଡ଼ା

ଦ୍ୱାରେଣ କଦଳୀ ତରୁ ପୂର୍ଣ୍ଣ କଳସ ଉଭା ସଡ଼ା ।୧୪୫।

ରାଜାର ବଚନେ ସେ ରାଜ୍ୟେ କଲେକ ଉତ୍ସବ

ସମ୍ଭରେ ସନ୍ୟ ଘେନି ପାଛୋଟି ଆସଇ ରାଜଦେବ ।୧୪୬।

କୁଣ୍ଡଗିରି ପରବତେ ରହିଛନ୍ତି ବୀରମଣି

ସନ୍ନିଧ୍ୟେ ପ୍ରବେଶ ହୋଇଲେ କୋନ୍ତଭୋଜ ନୃପମଣି ।୧୪୭।

ସହଦେବ ବିଜେ କରିଥିଲେ ନିଜ ରଥେ

ଅଜାଗୁରୁ ଦେଖି ଉଭା ହୋଇଲେ ପାଦଗତେ ।୧୪୮।

ପାଦ୍ୟ ଅର୍ଘ୍ୟ ଯୋଗାଡ଼ ଗୋଟିୟେ ଛାମୁରେଣ ଦେଇ

ଚରଣ ତଳେ ସହଦେବ ଶୁତିଲେ ଦଣ୍ଡଲାଇଂ ।୧୪୯।

କୋଳକରି ଧଇଲେ ନୃପତି କୋନ୍ତଭୋଜ

ଅନେକ ଅଳଂକୃତ କଲେକ ହୃଦଫକଜ ।୧୫୦।

କର୍ପୂର କସ୍ତୁରୀ ଆଦି କଲେକ ମର୍ଦ୍ଦନ ।

ଅଷ୍ଟାଙ୍ଗ ଶରୀରେ ତାହା କଲେକ ଲେପନ ।୧୫୧।

କୃତ କୃତ ହୋଇ ରାଜା ଅନେକ ବିନୋୟୀ

କଟକେ ପ୍ରବେଶ ହୋଇଲେ ବେଗେ ରାଜସାଇଂ ।୧୫୨।

ସ୍ରାହାନ ଭୋଜନ କରାଇଲେ ଅନେକ ବିନୟେ

ପୁରସରି ସିଂଘାସନେ ବିଜେ କରଇ ମହାରାୟେ ।୧୫୩।

ଅନେକ ସାନନ୍ଦେ ସେ ଯେ ପୁରନାରୀ

ଗହଳ ଧନ୍ଦୋଳ ମାନିତି ଗଉରୋବ ନ ବିଚ଼ାରି ।୧୫୪।

ଧାମନ୍ତି ନିଜ କାନ୍ତା ତେଜି ଗୃହବାସନ୍ତ ଉପେଖି

ଗଲେ ଜଗମୋହନ ନ ପାରିବୁ ଦେଖି ।୧୫୫।

ୟେସନେକ ନଗ୍ରଜନେ ସମ୍ଭର ଆସ୍ତାନେ

ଦେଖିଣ ସାନନ୍ଦ କୁଳସ୍ତିରୀ – ବୃନ୍ଦମାନେ ।୧୫୬।

ମାତିନତ ଗଉରୋବ ଲାଜ ସେହି ଉପେଖି

ଛାଡ଼ିଲେ ଲଜ୍ଜାଭାବ ସହଦେବଂକୁ ଦେଖି ।୧୫୭।

ସହଦେବ ବୋଇଲେ ଯେତେ ଅଛି ପାରିଦଣ୍ଡ

ସବୁନ୍ତି ଘେନି ପିତା ରଥ ଗଜ ଅଶ୍ୱ ମଣ୍ଡ ।୧୫୮।

ବାଟେଣ ଯେତେକ ପାର୍ଥିବ ରାଜାମାନନ୍ତ

ନିମନ୍ତ୍ରଣ କରି ତାତ ନେମଟି ତାହାନ୍ତ ।୧୫୯।

କୁନ୍ତଭୋଜ ବୋଇଲେ ତୁ ବେଗେ ରାଜାନ୍ତ ସାଧି

ବହନ ହୋଇ ବାବୁ ଘେନିଆସ ସର୍ବ ଯୋଧୀ ।୧୬୦।

ୟେ ପୂର୍ବଦିଗ ନୋହେଇ ଅସହର ଭୂମି

ଦୁଷ୍ଟ ଦୁର୍ଜାଣ ନୋହୋନ୍ତି ରାଜାୟେ ମହାଧର୍ମୀ ।୧୬୧।

ଗ୍ୟାନବନ୍ତ ପଣ୍ଡିତ ଧାର୍ମିକ ମହାଭିଗ୍ୟଂ

ପୀରତିବତ୍ସଳ ଭାଗତବତ୍ସଳ ଅଟନ୍ତି ସର୍ବଗ୍ୟଂ ।୧୬୨।

ସମସ୍ତ ନୃପତି ବ୍ରତନ୍ତି ବିଷ୍ଣୁର ଆଶ୍ରିତେ

ତୁମ୍ଭନ୍ତ ଅବିଶ୍ୱାସ ନୋହୋନ୍ତି ଶାହାସ୍ର ଯୁଗତେ ।୧୬୩।

ସମସ୍ତ ରାଜାୟେ ପାଇଛନ୍ତି ବାରତା

ଆଗ୍ୟାଂ ପାଇବାକୁ ସେ ଅଛନ୍ତି ମହାରଥା ।୧୬୪।

ଆସ୍ତାନେ ବସାଇ ସେ କୁନ୍ତଭୋଜ ମହାରାଜା

ସହଦେବ କୁମାରକୁ କଲା ଅନେକ ପୂଜା ।୧୬୫।

କୁନ୍ତଭୋଜ ରାଜାକଇଂ ସହଦେବ କଲେକ ନିମନ୍ତ୍ରଣ

ଆଗ୍ୟାଂ ପ୍ରମାଣେ ବାହାର ହୋଇଲେ ରାଜା ତତକ୍ଷଣ ।୧୬୬।

ତହୁଂଣ ସହଦେବ ଥାଠନ୍ତ ଚଳାଇ

କର୍ଣ୍ଣମଣ୍ଡଳ ଦେଶେ ପ୍ରବେଶ ବୀର ଯାଇଂ ।୧୬୭।

ତ୍ରିୟଭୁଜ ବୋଲିଣ ତହିଂର ନରପତି

ତାର ରାଜ୍ୟେ ପ୍ରବେଶ ବିଚିତ୍ରବୀର୍ଯ୍ୟର ନାତି ।୧୬୮।

ରାଜାର ଅଗ୍ରତେ ଯାଇଂ କହିଲେ ମୁନେହି

ଶୁଣିମା ଦେବ ସାବଧାନେ ପରରାଷ୍ଟ ବାରତ କହି ।୧୬୯।

ସ୍ୱାମୀ ୟେକ ଯୋଦ୍ଧାୟେ ଯେ ସଇନି ଅଳପ

ରଥ ଗଜ ଅଶ୍ୱ ନାହିଂ ଅସଂକ୍ଷେପ ।୧୭୦।

ରାଜ୍ୟେଣ ପଶିଲା ଦେବ ସେ କେଉଣ ଦେଶର ରାୟେ

ବିହଡ଼ନ୍ତି ସଇନି ଦେବ ଉଲୁକାପାତ ପ୍ରାୟେ ।୧୭୧।

ଦେଶାଉର ମୁଖୁଂ ବାରତ ପାଇଣ ନୃପତି ତ୍ରିୟଭୁଜ

ମନ୍ତ୍ରୀକି ବୋଇଲା ବେଗକରି ଦଣ୍ଡ ମୋର ସାଜ ।୧୭୨।

ମୁହିଂ ସେ ଆନକର ସାଜୁଣ ଥାଇ ଥାଠ

ମୋହୋର ରଜ୍ୟରେ ରେ କାହିଂ ପଶଇ ପରରାଷ୍ଟ ।୧୭୩।

ସାଜନ୍ତି ସଇନି ଯେ ରଥ ଗଜ ହୟେ

ରାଜ୍ୟୁଂ ବାହାର ଥାଠ ଯେ ସମୋଦ୍ର ଲହଡ଼ି ପ୍ରାୟେ ।୧୭୪।

ଚ଼ାରିଲକ୍ଷ ଅଶ୍ୱ ଯେ ନବଲକ୍ଷ ପାଦାନ୍ତି

ସହଦେବ ସନ୍ୟକଇଂ ଯାଇ ଓଗାଳିଲେ ଝାତି ।୧୭୫।

ଧର ଧର ମାର ମାର ଶୁଭଇ ଘୋର ବୋବି

ପାଦର ବିଘାତେ ଯେ କମ୍ପଇ ପୃଥ୍ୱୀଦେବୀ ।୧୭୬।

ଜୟେନିକ ମନ୍ତ୍ରୀ ଯେ ଥାଠରେ ଆଗିଆଣି

ଚୋଖାର ତୁରଙ୍ଗ ଯେ ବିହଡ଼ନ୍ତି ଖୁରିସାଣି ।୧୭୭।

ବହୁତ ସମ୍ଭରେ ଯେ କର୍ଣ୍ଣମଣ୍ଡଳକର ଥାଠ

ଗର୍ଜିଣ ଉଠନ୍ତି ଯୋଦ୍ଧାୟେ ନିଘଞ୍ଚରେ ନାହିଂ ବାଟ ।୧୭୮।

ସହଦେବର ଅଗ୍ରତରେ କହିଲେ ଦେଶାଉରେ

ଶୁଣିମା ଦେବ ସାବଧାନେ ପାଣ୍ଡବ ମହାବୀରେ ।୧୭୯।

ସ୍ୱାମୀ କର୍ଣ୍ଣମଣ୍ଡଳର ରାଜା ଯେ ବଡ଼ାଇ ପ୍ରତାପୀ

ଝଲକାନ୍ତି ଲାଂକିୟା ଦେବ ଗର୍ଜନ୍ତି ମହାକୋପୀ ।୧୮୦।

ସ୍ୱାମୀ ଆଗେ ଓଗାଳିଲେ ରେ ରେ କାର ଶବଦ କରି

ବିନ୍ଧନ୍ତି ନାରାଜ ଦେବ ଗଉରୋବ ନ ବିଚ଼ାରି ।୧୮୧।

ସହଦେବ ବୋଇଲା ରାଇ କାମେଶ୍ୱର ସେନାପତି

ଆମ୍ଭେ ଆସିଅଛୁଂ ହୋ ତାହାନ୍ତ ନିମନ୍ତି ।୧୮୨।

ୟେଥିର ବାରତା କହ ତୁମ୍ଭେ ଯାଇଂ

ନ ଜାଣି ଦଣ୍ଡ ଚଢ଼ି ଦ୍ୱନ୍ଦ କରଇ କିଂପାଇ ।୧୮୩।

ସହଦେବର ଆଗ୍ୟାଂରେ ଚଳଇ କାମେଶ୍ୱର

ଅଶ୍ୱେକ ଚଢ଼ି ତ୍ରିୟଭୁଜ ମନ୍ତ୍ରୀର ଆଗର ।୧୮୪।

ଗ୍ୟାନବନ୍ତ ମନ୍ତ୍ରୀ ସେ ପୁଛଇ ବାରତ

କେବଣ ଦେଶରୁ ତୁମ୍ଭେ କଲ ହୋ ଆଗତ ।୧୮୫।

ଉଲୁକାପାତ ପ୍ରାୟେ ଆଣିଲ ୟେକ ଥାଠେ

ନ ପଚ଼ାରି କିଂପାଇ ପଶିଲ ପରରାଷ୍ଟେ ।୧୮୬।

କାମେଶ୍ୱର ମନ୍ତ୍ରୀ କହଇ ବାରତେ

ଆହୋ ମନ୍ତ୍ରୀ କହ ଯାଇ ତୋର ରାଜାର ଅଗ୍ରତେ ।୧୮୭।

ବୋଲ ସୋମବଂଶେ ଉତପତ୍ତି ଯୁଝେଷ୍ଠି ଦେବରାୟେ

ତାହାଂକର ଅନୁଜ ମାଦ୍ରୀଦେବୀର ତନୟେ ।୧୮୮।

ରାଜୁସି ଯଗ୍ୟଂ ଯେ କରିବେ ସେ ଧର୍ମସୁତେ

ସହଦେବ ଆସିଛନ୍ତି ରାଜାନ୍ତ ନିମନ୍ତ୍ରିବା ନିମନ୍ତେ ।୧୮୯।

ୟେ ଜମ୍ୱୋଦ୍ୱୀପର ମଧ୍ୟେ ଯେ ଲକ୍ଷେକ ନୃପତି

ଚତୁର୍ଦ୍ଦିଗ ରାଜାନ୍ତ ହୋ ନେଉଛନ୍ତି ନିମନ୍ତି ।୧୯୦।

କାର୍ଯ୍ୟେଣ ନିମନ୍ତ୍ରଣ ଆମ୍ଭେ ନୋହୁନା ଦ୍ୱନ୍ଦକାରୀ

ଉତ୍ସବ ଯାତ୍ରାକୁ ଯେ ବନ୍ଧୁ ବାନ୍ଧବ ଲୋକନ୍ତି ଲୋଡି ।୧୯୧।

ତୁମ୍ଭର ଆମ୍ଭର ପୀରତି ହୋ ଅନେକ ବନ୍ଧୁପଣ

ଉଚ୍ଚବାଚ ହୋଇଣ କିଂପା ଆସ ଅକାରଣ ।୧୯୨।

ମଧୁର୍ଯ ବଚନ ଯହୁଂ କହିଲେ କାମେଶ୍ୱର ସେନାପତି

ରାଜାର ଅଗ୍ରତେ ଯାଇଂ କହିଲେକ ମହାମନ୍ତ୍ରୀ ।୧୯୩।

ଶୁଣ ଦେବ ସାବଧାନେ ତ୍ରିୟଭୁଜେ ପଣ୍ଡୁରାଜାର ପୁତ

କୋନ୍ତଭୋଜ ନାତି କୋଇନ୍ତା ଦେବୀଂକର ୟେ ସୁତ ।୧୯୪।

ରାଜୁସି ଯାଗକୁ ୟେ ଅଇଲେ ରାଜନ୍ତ ନିମନ୍ତ୍ରଣେ

ବହୁତ ସମାର୍ଜନା କରି ଆମ୍ଭନ୍ତ କହିଲେ ବନ୍ଧୁପଣେ ।୧୯୫।

ମନ୍ତ୍ରୀବର କହିଲା ବହୁତ କଥା ସାମ୍ୟ

ଶୁଣିଣ ତ୍ରିୟଭୁଜ ଛାଡ଼ିଲା ଦୁଷ୍ଟତମ ।୧୯୬।

ଆପଣେ ନୃପତି ତହୁଂ ଅଶ୍ୱେକ ଚଳାଇ

ସନ୍ୟବଳମାନନ୍ତ ସମସ୍ତ ଘୁଞ୍ଚାଇ ରୁହାଇ।୧୯୭।

ଦଣ୍ଡସାମ୍ୟ କରି ବାହାର ନୃପସାଇଂ

ସହଦେବ ଛାମୁରେ ପ୍ରବେଶ ବୀରସାଇଂ ।୧୯୮।

ଆପଣେ ନୃପତି ଯେ ବାହାନ କଲା ତେଜ୍ୟା

ଚାମର ଗୋଟିୟେ ଘେନି ଶ୍ରୀଚରଣେ ଗବନ କରଇ ରାଜା ।୧୯୯।

ଯେଉଣ ସ୍ତାନେ ବିଜେ କରିଛନ୍ତି ଅଶ୍ୱିନୀ କୁମାରଂକ ଆତ୍ମଜ

ଛାମୁରେ ପ୍ରଣପତ୍ୟ ହୋଇଲା ନୃପତି ତ୍ରିୟଭୁଜ ।୨୦୦।

ଶ୍ରୀଭୁଜେଣ ସହଦେବ ଯେ ରାଜାଂକୁ କଲେ କୋଳ

ତ୍ରିୟଭୁଜ ରାଜା କଣ୍ଠେ ଲମ୍ୱାଇଲେ ରତ୍ନମାଳ ।୨୦୧।

ବେନିଜନେ କୋଳ ସମ୍ଭାଷଣ ଅନେକ ପୀରତି

କଟକ ଭିତରେ ବିଜୟେ କଲେକ ତତକ୍ଷଣାନ୍ତି ।୨୦୨।

ଅନେକ ଅକ୍ଷତ ତାକୁ କଲାକ ତ୍ରିୟଭୁଜ

ଭୋଜନ ଯୋଗାଡ଼ ଆଣି ଛାମୁରେ କଲା ସଜ ।୨୦୩।

ସହଦେବ ବୋଇଲେ ଭୋଜନକୁ ବେଳ କାହିଂ

ରାଜାମାନନ୍ତ ନିମନ୍ତ୍ରଣ କରିବି ବହନ ଯିବି ମୁହିଂ ।୨୦୪।

ନଉ ଦିବସ ମଧ୍ୟେ ନିମନ୍ତ୍ରିବି ସାତସହସ୍ର ରାଜା

ମୋହୋର ଦେଶର ରାଜାୟେ ଆଗେ କରିବେ ପୂଜା ।୨୦୫।

ପୂର୍ବଦ୍ୱାର ଦେଶ ୟେ ଅଟଇ ଈଶାଣ ଭୂମି

ବ୍ରାହ୍ମଣ ରାଜାମାନେ ୟେ ସମସ୍ତେହେଂ ମହାବ୍ରହ୍ମି ।୨୦୬।

ପ୍ରଥମେ ଅକ୍ଷତ ଦେବେ ୟେ ମହାଯଗ୍ୟଶ୍ୟଂ ସ୍ତାନେ

ନିର୍ଦ୍ୱନ୍ଦେ ରାଜାମାନନ୍ତ ନେମି ବୋଲି ମତେ ବାଛି ପଠିଆଇଲେ
ଜନାର୍ଦ୍ଦନେ ।୨୦୭।

ଚାରିଦିଗକୁ ଯେ ଆମ୍ଭେ ଅଇଲୁ ଚାରିଗୋଟି ଭାଇ

ଚାରିଉଣା ଲକ୍ଷେ ରାଜାନ୍ତ ନେମୁଂ ଆମ୍ଭେ ନିମନ୍ତାଇଂ ।୨୦୮।

ନିରାଧାର ଆଗ୍ୟାଂ ଆମ୍ଭନ୍ତ ଦିଲେ ବାସୁଦେବେ

ନଉ ଦିବସେ ରାଜାନ୍ତ ନ ନେଲେ ଆମ୍ଭନ୍ତ ଚକ୍ରେଣ ଛେଦିବେ ।୨୦୯।

ଭୋଜନ ଶୟନେ ଆମ୍ଭର କାହିଂରେ ନାହିଂ ଇଚ୍ଛା

ଯେ ଆଗେ ଦ୍ରଶନ ତାହାର ପୁରିବ ମନୋବାଚ୍ଛା ।୨୧୦।

ନିମନ୍ତ୍ରଣ ଯୋଗାଡ଼ ତାଂକୁ ଦେଲେକ ମନ୍ତ୍ରୀବର

ପାରିଦଣ୍ଡ ରାଜାନ୍ତ ଘେନିଣ ତୁ ୟେହିକ୍ଷଣି ହୁଅସି ବାହାର ।୨୧୧।

ନିରାଧାର ଆଗ୍ୟାଂୟେ ସେ ରାଜା ସାଜିଲା ତାହାର ଦଣ୍ଡ

ତକ୍ଷଣେ ବାହାର ରାଜା ଛାଡ଼ିଲା ରାଜ୍ୟଖଣ୍ଡ ।୨୧୨।

ତହୁଂଣ ସହଦେବ ଯେ ଚଳଇ ହରଷେ

ପ୍ରବେଶ ହୋଇଲା ଯାଇଂ ମିଥିଲା ରାଜ୍ୟ ଦେଶେ ।୨୧୩।

ନନ୍ଦସେନ ବୋଲିଣ ତହିଂର ଅଟଇ ରାଜା

ସହଦେବ ଦିଗବିଜେ ବାରତା ଶୁଣି ଆସି ଅଗ୍ରତେ କଲା ପୂଜା ।୨୧୪।

ପଞ୍ଚାଶ ଭାର ସୁବର୍ଣ୍ଣ ସେ ଦେଖା ଦରଶନି

ନିଉଛାଳି କଲା ରାଜା ଚଉବିଂଶ ପୁତ୍ରନ୍ତ ଘେନି ।୨୧୫।

ଆପଣେ ଚାମର ରାଜା ଢାଳଇ ଅଗ୍ରତେ

ପୁଣ ପୁଣ ପ୍ରଣପତ୍ୟ ବିନୟେ ଭଗତେ ।୨୧୬।

ନିଉଛାଳି କରି ରାଜା ରହିଲା ପୁରମେଣ୍ଟି

ମୋହୋର ମଥାରେ ଅଭିଷେକ କର ତୋହୋରବେନିପାଦ
ଗୋଟି ।୨୧୭।

ଜୀବନକୁ କାରଣ ମୋର ହୋଇବ ଜନ୍ମେ ଜନ୍ମେ

ଲଭିବି ଅନେକ ସୁଫଳ ସୁଭଗତି ଅନୁକ୍ରମେ ।୨୧୮।

ସହଦେବ ବୋଇଲା ରାଜା ଜୀବନ ତୋହୋର ସାଧୁ

ୟେ ପୂର୍ବଦିଗର ରାଜାମାନେ ସଭିୟେଂ ଆମ୍ଭର ବନ୍ଧୁ ।୨୧୯।

ଅକ୍ଷତ ଗୁଆ ତାଂକୁ ଦିଲେକ ମହାମନ୍ତ୍ରୀ

ସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୨୨୦।

ଚଳଇ ସହଦେବ ଯେ ଦକ୍ଷିଣକଇଂ ମୂର୍ତ୍ତିକରି

ନୀଳେନ୍ଦୀ ଦେଶେ ପ୍ରବେଶ ହୋଇଲେ ବେଗ କରି ।୨୨୧।

ନୀଳେନ୍ଦୀ ନଦୀକୂଳେ ନୀଳେନ୍ଦୀ ନଗ୍ର ବସଇକଟକ ଯୋଜନ
ମାଡ଼ି ସେ ରାଜ୍ୟସ୍ଥଳୀ ଅଟଇ

ଶତେ ପାରିଦଣ୍ଡ ସେ ରାଜା ନୀଳସେନକଇଂ ଖଟଇ ।୨୨୩।

ରାଜାର ଅଗ୍ରତେ ଯାଇଂ କହିଲେ ମୁନେହି

ଶୁଣ ଦେବ ସାବଧାନେ ଭୁବନାଧି ସାଇଂ ।୨୨୪।

ଯୁଝେଷ୍ଠି ଠାକୁର ବୋଲି ହସ୍ତିନା ଦେଶର ରାଜା

ରାଜୁସିଯାଗ କରିବେ ଲକ୍ଷ ନୃପତି କରିବେ ତାହାଂକୁ ପୂଜା ।୨୨୫।

ସହଦେବ ବୋଲିକରି ନକୁଳ ଦେବଂକର ସାନ ଭ୍ରାଥ

ନିମନ୍ତ୍ରଣ କରି ଆସୁଛନ୍ତି ପୂର୍ବଦିଗ ରାଜାମାନନ୍ତ ।୨୨୬।

ଆମ୍ଭର ରାଜ୍ୟେ ଆସ ଦେବ ହୋଇଲେ ପ୍ରବେଶ

ଆମ୍ଭେ ଦେଶାଉରେ ଯେ କହିଲୁ ସନ୍ଦେଶ ।୨୨୭।

ଶୁଣିଣ ନୀଳସେନ କୋପେଣ ପରଚଣ୍ଡ

ସନ୍ନିଧ୍ୟେ ହକାରିଲା ଶତେକ ପାରିଦଣ୍ଡ ।୨୨୮।

ଧାଅଂରେ ସଇନି ତାକୁ ନିରୋଧ କରି ବେଢ଼

ଜୀବନ୍ତା ଧରିଣ ବାନ୍ଧିଆଣ କରି ଦୃଢ଼ ।୨୨୯।

ତିରଣ ପ୍ରମାଣେ ମାଂସ କାଟିକରି ତୋଳି

ଅଛିମାଂସ କାଟିଣ ମୁଂ ଦେବଇଂ ବିଷାବଳି ।୨୩୦।

ମୋହର ମହିମାଂ ତାହାର ନାହିଂକି ଶୁଣିଲା

ସଞ୍ଚୟେ ନାଶକର ତାହାର ପାଞ୍ଜି ଯେ ପୋଛିଲା ।୨୩୧।

ରାଜାର ବଚନେ ସେ ସାଜିଲେ ସଇନି

ଛଲ ଚକ୍ର ନାରାଜ ଅସିପତ୍ର କୋନ୍ତ କରେ ଘେନି ।୨୩୨।

ଉଠିଲେ କୋପାନଳେ ରେ ରେ କାର ଶବଦେ

ମହୀ ଉଛୁଳିଲା ଯେ ମୁଖରାବ ଘୋର ନାଦେ ।୧୩୩।

କଟକେଣ ପଶନ୍ତେ ସହଦେବର ସଇନି

ଓଗାଳିଲେ ଯୋଦ୍ଧାୟେ ଯେ କରେଣ ଶସ୍ର ଘେନି ।୨୩୪।

ଝଲକନ୍ତି ଲାଂକିଆ ସେ କରେ ବୁଲାବନ୍ତି ତୋଳି

ଶ୍ୟାମଳ ମେଘେ ଯେହ୍ନେ ଝଟକନ୍ତି ବିଜୁଳି ।୨୩୫।

କୋଦଣ୍ଡେ ନାରାଜ ପୂରୋଇ ରୋଷଭରେ

ଅବିଚ୍ଛନ୍ନେ ବାଣ ସେ ବିନ୍ଧନ୍ତି ଉପରେ ।୨୩୬।

ଶରଦ ମେଘେ ଯେହ୍ନେ ଗର୍ଜନ୍ତି ନିର୍ଘାତ

ଗୁଣ ଟଂକାର ଶବଦ ଶୁଭଇ ସେହିମତ ।୨୩୭।

ସଇନିଂକି ତିଆରଇ ସେ ମଦନା ଦେବୀର ବତ୍ସ

ରଜନୀ ପ୍ରସର ହୋଉଂ ସାଗ୍ରାମୁଂ ଦଣ୍ଡେ ଘୁଞ୍ଚ ।୨୩୮।

ମନ୍ତ୍ରୀର ବଚନେ ନ ରହନ୍ତି ସଇନି

କଟାଳ ଦେଖି ନାରାଜ ବିନ୍ଧିଲେ କରେ ଘେନି ।୨୩୯।

ବେନି ପ୍ରହର ଯେ ହୋଇଲା ଶରବୃଷ୍ଟି

ଶହସ୍ରଂକ ପରିତାଳେ ରଜନୀ ଗଲା ଫାଟି ।୨୪୦।

ବେନି ସଇନି ଯହୁଂ ହୋଇଲେ ଅଭାବ

ସହସ୍ରେକ ଯୋଦ୍ଧା ଘେନି ଉଠିଲେ ସହଦେବ ।୨୪୧।

ଆହୋ ଆପଣାର ସଇନିକି କରିଣ ଆବୋରଣ

ରହ ରହ ବୋଲି ହାକଇ ପାଣ୍ଡବ ପଞ୍ଚାଣ ।୨୪୨।

ଓହୋବଳ ଘୋର ସାଂଗ୍ରାମେ ପ୍ରସର ହୋଇଲା ରାତି

ସାଂଗ୍ରାମେ ପଶିଲେ ସହଦେବ କାମେଶ୍ୱର ସେନାପତି ।୨୪୩।

ଦଶ ସହସ୍ର ଯୋଦ୍ଧା ଘେନିଣ ସେ ପ୍ରତଗ୍ୟାଂ ବୀରବର

ସହଦେବର ବେନି ସେନାପତି ଆବୋରିଲେ ସମର ।୨୪୪।

ନ ଘୁଞ୍ଚନ୍ତି ସଇନି ତାହାର ବଡ଼ାଇ ପରଚଣ୍ଡ

ନୀଳସେନ ରାଜାର ସେ ଶତେକ ପାରିଦଣ୍ଡ ।୨୪୫।

ଅନେକ ସାଂଗ୍ରାମ ଯେ ହୋଇଲା ଅନ୍ୟୋଅନ୍ୱି

ଉଠିଲେ ୟେକମୁଖ ହୋଇ ସହଦେବର ସଇନି ।୨୪୬।

ବିନ୍ଧନ୍ତି ନାରାଜ ଯେ ପରିଘ ତୀକ୍ଷମୁନା

ପଡ଼ିଲେ ଅଶ୍ୱଗଜ ମାହୁନ୍ତ ଫୁଟିଣ ବଜ୍ରସେନ୍‌ହା ।୨୪୭।

ହାଥୀଂକର କୁମ୍ଭସ୍ଥଳେ ନାରାଜ ହୋଇଲାକ ବୃଷ୍ଟି

ଗର୍ଜନ ନାଦ କରି ଗଜେ ପଡ଼ିଲେ ମହୀଲୋଟି ।୨୪୮।

ଗାଢ଼ ଶହସ୍ର ଘାତେ ଲୋଟନ୍ତି ରାଉତେ

ଗଜ ଅଶ୍ୱନ୍ତ ଘେନି ପଳାବନ୍ତି ରାଉତେ ମାହୁନ୍ତେ ।୨୪୯।

ସହଦେବର ସଇନି ନାରାୟଣଂକ ପ୍ରସାଦେ

ମାଇଲେ ଅନେକ ସଇନି ଅଛନ୍ତି ଅପ୍ରମାଦେ ।୨୫୦।

ବିକଳେ ସଇନିବଳ ପଳାଇଲେ ରଣେ ଭାଂଜି

ପାଣ୍ଡବ ବଳ ସଇନ ଉଠିଲେ ଗଳଗାଜି ।୨୫୧।

ତିନି ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼

ପଳାଇଂ ସଇନି ପ୍ରବେଶ ହୋଇଲେ ରାଜାର ଛମୁର ।୨୫୨।

ଭଗ୍ନବଳ ଦେଖିଣ ନୀଳସେନ ଚକ୍ରବ୍ରତୀ

ଚାରିଲକ୍ଷ ଯୋଦ୍ଧା ଘେନି ଚାଲିଲା ମତ୍ତହାଥୀ ।୨୫୩।

ରହ ରହ ବୋଲି କରି ଡାକ ପାଡ଼ଇ ନୃପମଣି

ଗର୍ଜିଣ ନାରାଜ ଯେ ବିନ୍ଧଇ ଆପଣା ହାଥେ ଘେନି ।୨୫୪।

ରାଜାକୁ ଦେଖି ସହଦେବ ହୋଇଲେକ ଆଗ

ଦେଖିଣ ସ୍ତମ୍ଭୀଭୂତ ହୋଇଲା ମହାନାଗ ।୨୫୫।

ସହଦେବ ପଚାରଇ ନୀଳସେନ ରାଜାକୁ

ଆହୋ ଅକାରଣେ ସମରେ କିଂପେ ପଶିଲୁ ମରିବାକୁ ।୨୫୬।

ମୁହିଂ ହାଦେ ଅଇଲି ପୂର୍ବଦିଗର ବରଣେ

ରାଜୁସି ଯାଗ ସଭାକୁ ରାଜନ୍ତ ନିମନ୍ତ୍ରଣେ ।୨୫୭।

ସମସ୍ତ ରାଜାମାନେ ଯାଉଛନ୍ତି ହସ୍ତିନାରାଜ୍ୟକୁ ବାହି

ତୋହୋର ପରା ମୂର୍ଖ ରାଜା ଦେଖିଲା ମୋର ନାହିଂ ।୨୫୮।

ଜୀବନ ଝଗଡ଼ କଲୁ ଆଇଷ୍ୟ ଥାଉଂ ରାଜା

ନ କର ସାଂଗ୍ରାମ ତୁ ଘୁଞ୍ଚିକରି ୟେଥୁଂ ଯା ଯା ।୨୫୯।

ମୁହିଂ ହାଦେ ସହଦେବ ପାଣ୍ଡବ ମନ୍ତ୍ରୀବର

ତୋହୋର ଦୁଷ୍ଟପଣକୁ ଯୋଗାନ୍ତି ବ୍ରିକୋଦର ।୨୬୦।

ୟେବେହେଂ ଦୁଷ୍ଟପଣ ତୁ ଛାଡ଼ସି ନୃପତି

ମୁହିଂ ହାଦେ ଆସିଅଛି ରାଜନ୍ତ ନିମନ୍ତି ।୨୬୧।

ରାଜୁସି ଜାଗ ସଭା ଯାତ୍ରାର ବିଧାନ

ଦ୍ରଶନେ ଖଣ୍ଡିବୁ ତୋହୋର ଦୁଷୁକୃତମାନ ।୨୬୨।

ଆହୋ ପୂର୍ବଦିଗ ରାଜା ହୋଇ ୟେଡ଼େକ କାଂହି ଦୁଷ୍ଟ

ମୂର୍ଖ ଅଗ୍ୟାନ ତୁହୋ ବଡ଼ାଇ ପାପିଷ୍ଠ ।୨୬୩।

ଭଲେ ବୁଝିଲି ମୁଂ ପଣ୍ଡିତପଣ ହୋଇ

ୟେତେବେଳେ ପରିଯନ୍ତେ ତୁ ବ୍ରତିଥାନ୍ତୁ କାହିଂ ।୨୬୪।

କହୁଂ କହୁଂ ସହଦେବର ବିକଶିଲା ମହାତେଜ

ନୀଳସେନ ରାଜକୁ ଦିଶିଲା ସହଦେବ ସହସ୍ରେକ ଭୁଜ ।୨୬୫।

ଦେଖିଣ ଆଶ୍ରିଜ ଯେ ହୋଇଲା ରାଜନ

ୟେକି ସେ ସତ୍ୟଯୁଗର ଯେ ସହସ୍ରା ଅରଜୁନ ।୨୬୬।

ପୁରାଣେ ଯାହା ଶୁଣିଲି ତାହା ଦେଖିଲି ବେନି ଡୋଳେ

ମନଭ୍ରାନ୍ତି ମୋର ଫିଟିଲା ଯେ ୟେତେବେଳେ ।୨୬୭।

ଗୁଣ ସରୂପମାନ ବିଚାରଇ ମହାରାଜା

ତତକ୍ଷଣେ ନୃପତିକଇଂ ବହନ କଲା ତେଜ୍ୟା ।୨୬୮।

ଆପଣାର କରରୁ ଛାଡ଼ିଲା ନିଜ ଦଣ୍ଡ

ପ୍ରଣପତ୍ୟ ହୋଇ ଶୁତିଲା ନୃପତି ନୀଳଷଣ୍ଢ ।୨୬୯।

ପାୟେ ଆସି ନିଉଛାଳି କରଇ ମହାରାଜା

ଆସ ଆସ ନୀଳସେନ ବୋଲି ସହଦେବ ରଥ କଲେ ତେଜ୍ୟା ।୨୭୦।

ନଳସେନ ରାଜାକଇଂ ତୋଳିଲେ ହାଥେ ଧରି

ଆକ୍ରେଷଣ କୋଳକଲେ ଶ୍ରୀଭୁଜେଣ ଭିଡ଼ି ।୨୭୧।

ରତ୍ନମାଳା ଗୋଟିୟେ ଆଭରଣ କଲେ ତାହାରି ହୃଦରେ

ଦେଖିଣ ଫିଟିଲା ରାଜାଂକ ଭ୍ରାନ୍ତି ପରମ ସାନନ୍ଦରେ ।୨୭୨।

ସ୍ୱାମୀ ମୁହିଂ ମୂର୍ଖ ଯେ ଅଟଇ ଅଗ୍ୟାଂତା

ନୋହିଲା ମୁହିଂ ଧାର୍ମିକ ବିବେକ ସହିଷ୍ଣୁତା ।୨୭୩।

ତୁ ଯେବେ ଶରଣମତ୍ସଳ ନାଥ ଜଗତଜନ ବନ୍ଧୁ

ୟେ ମଧ୍ୟସ୍ୱର୍ଗର ମଧ୍ୟେ ପାଣ୍ଡବ ମହିଂମା ତୋହୋର ସାଧୁ ।୨୭୪।

ତୁ ଦେବ ଶରଣମତ୍ସଳ କରୁଣାସାଗର

ଦଶଦୋଷ ଅପ୍ରାଧ କ୍ଷମା କରିବୁ ନା ମୋହୋର ।୨୭୫।

ସହଦେବ ବୋଇଲା ଅଗ୍ୟାନ ପ୍ରାଣୀଂକି

ପଣ୍ଡିତଜନେ କି ତାହାଂକର ଧରିବେ ମନ୍ଦ ବାକି ।୨୭୬।

ସହଦେବ ବୋଇଲେ ହୋ ନ ଭାଳ ମନ୍ଦଚିତ୍ତ

ଛତ୍ରୀବୃତ୍ତି ଥିଲେ ଅବଶ୍ୟ ହୋଅଇ ୟେମନ୍ତ ।୨୭୭।

ୟେ ଗତ ଦୋଷକୁ ତୁ ନ କର କିଛି ଭ୍ରାନ୍ତି

ପୂର୍ବଦିଗେ ବିଜେକଲି ମୁଂ ରାଜାନ୍ତ ନିମନ୍ତି ।୨୭୮।

ତୁ ନ ଚିହ୍ନି ଅକାରଣେ କିସ ଦୋଷୀ

ବିନା ଅପରାଧେ ମୁହିଂ ସେ ନୋହଇ ସନ୍ୟବଳ ନାଶି ।୨୭୯।

ନିମନ୍ତ୍ରଣ ଯୋଗାଡ଼ ଦିଲେ ସେ ନୀଳସେନ ରାଜାଂକୁ

ସମଦଣ୍ଡ ଘେନି ଚଳ ହୋ ରାଜା ହସ୍ତିନା ପୁରକୁ ।୨୮୦।

ସହଦେବ ବଚନେ ସେ ନୀଳସେନ ପରିଣାମି

ବୋଇଲା ଆଜକ ମୋହୋର ରାଜ୍ୟରେ ରହିବାକ ସ୍ୱାମୀ ।୨୮୧।

ସହଦେବ ବୋଇଲେ ତୁ ଚଳ ଯା ସନ୍ୟ ଘେନି

କ୍ଷଣେକ ନ ରହିବୁଟି ହୋ ଚଳ ଦିବା ରୟେଣୀ ।୨୮୨।

ନୀଳସେନଂକୁ ଚଳାଇ ମାଦ୍ରୀ ଦେବୀର ବଳା

ମନ୍ତ୍ରୀ ଚୂଡ଼ାମଣି ତହୁଂ ଦଣ୍ଡ ଘେନିଗଲା ।୨୮୩।=୭୭୬୪।

 

Unknown

କେଶବ ରାଜା, ଶକୁନି ସହଦେବଙ୍କର କଥୋପକଥନ, ହୃଷୀକେଶ, ତ୍ରିକାଳହସ୍ତୀ ଓ ଚଉଦ ପୁର ନରପତି ପ୍ରଭୃତିଙ୍କୁ ନିମନ୍ତ୍ରଣ ଏବଂ କପିଳ ମୁନିଙ୍କ ଦ୍ୱାରା ସଗର ବଂଶ ଧ୍ୱଂସ ଓ ଗଙ୍ଗା ଆନୟନ ବିବରଣ କଥନ ।

ଭବାନୀ ବୋଲି କରି ଅଟଇ ୟେକ ନଦୀ

ବିଷ୍ଣୁଭଦ୍ରାରୁ ଆସଇ ସେ ସାଗର ସଂଗମେ ଯାଇ ଭେଦି ।୧।

ସେ ନଦୀ କୂଳରେ ଚଳଇ ସହଦେବର ଥାଠ

ମଧୁମାତଙ୍ଗ ଦେଶର ହୋଇଲେ ନିକଟ ।୨।

ହସ୍ତୀଗ୍ରୀବ ବୋଲି କରି ୟେକଇ ପରବତ

ତହିଂ ଯାଇ ବିଜେ କଲେ ପଣ୍ଡୁ ରାଜାର ସୁତ ।୩।

ସେ ରାଜ୍ୟେଣ ରାଜ୍ୟ କରଇ ନୀଳକେଶବ ନୃପତି

ବିଜେ କରିଅଛି ସମ୍ଭରେ ଆସ୍ତାନ ଜଗତୀ ।୪।

ଚାରଗଣ ଜଣାଇଲେ ନୃପତିର ପାଶେ

ସ୍ୱାମୀ କେବଣ ଦେଶର ରାଜା ୟେଟି ଆସି ବିଜୟେ କଲେ ଆମ୍ଭର
ଦେଶେ ।୫।

ବଡ଼ାଇ ଉଚ୍ଛର୍ଗ ଦେବ ତାହାର ସଇନି

ଆକାଶ ଉଚ୍ଛୁଳୁଅଛି ବୀରତୂର ଧୁନି ।୬।

ମୁନେହିଂ ବଚନେ କେଶବସେନ ମହାରାଜା

କେବଣ ଦେଶର ସେଟି ପଚ଼ାରି ଆସ ଯା ଯା ।୭।

ରାଜାର ବଚନେ ବେଗେ ଗଲେ ଚାରଗଣ

ରାୟେବାର ପ୍ରାୟେ ହୋଇ ମିଳିଲେ ଛାମୁରେଣ ।୮।

ଆଗିଆଣି ଥାଠକୁ ସେ ପଚାରନ୍ତି ବାରତ

କେଉଣ ଦେଶୁଂ ତୁମ୍ଭେ କଲ ହୋ ଆଗତ ।୯।

ସନ୍ୟମାନେ ବୋଇଲେ ତୁମ୍ଭ ରାଜାକୁ କହ ଯାଇଂ

ପାଣ୍ଡବ ସୋମବଂଶୀ ଦେବଂକ ସାନ ଭାଇ ।୧୦।

ରାଜୁସିଯାଗ ସେହୁ କରିବାର ନିମନ୍ତେ

ସହଦେବ ଦିଗବିଜେ ରାଜନ୍ତ ନିମନ୍ତ୍ରଣ ଅର୍ଥେ ।୧୧।

ସଇନିର ମୁଖେ ସେ ପାଇଣ ବାରତ

ତତକ୍ଷଣେ ବାହୁଡ଼ିଲା ସେ କେଶବ ସେନର ଦୂତ ।୧୨।

ରାଜାର ଛାମୁରେ ଜଣାଇଲା ବେଗେ ଯାଇଂ

ସ୍ୱାମୀ ପୂର୍ବଦିଗେ ବିଜେ କଲେ ସହଦେବ ଗୋସାଇଂ ।୧୩।

ବାରତା ଶୁଣିଣ ସେ ସାନନ୍ଦ ନୃପତି

ଆସ୍ତାନ ତେଜ୍ୟା କରିଣ ରାଜା ଆସଇ ତତକ୍ଷଣାନ୍ତି ।୧୪।

ନଗ୍ରର ବାହାରେ ଯେ ରହିଛନ୍ତି ସହଦେବ

ଦ୍ରଶନ କଲାକ ଯାଇଂ ନୃପତି କେଶବ ।୧୫।

ସହସ୍ରେକ ଭାର ଯେ ପାଣିଦ୍ରବ୍ୟ ଅଷ୍ଟରତ୍ନ ଘେନି

ସହଦେବ ପାଦତଳେ କରଇ ଦଇନି ।୧୬।

ଅପାର ଦୂରୁ ରାଜା କରଇ ନିଉଛାଳି

ଶରୀରୁ ତ୍ରିପଣ୍ଡ ହୋଇ ବହଇ ଝାଳ ଗଳି ।୧୭।

ବହୁତ ବିନୟେ ହୋଇ କହଇ କେଶବ

ଶ୍ରୀଭୁଜେ କୋଳାଗ୍ରତ କଲେକ ସହଦେବ ।୧୮।

ସମଦଣ୍ଡ ସନ୍ୟବଳ ଘେନି ତୁ ହୋ ରାଜା

ହସ୍ତିନା ରାଜ୍ୟକୁ ବୋଲି ବହନ ହୋଇ ଯା ଯା ।୧୯।

ସହଦେବର ବଚନେ ସାନନ୍ଦ ନୃପମଣି

ଆଗ୍ୟାଂ ପ୍ରମାଣେ ସ୍ୱାମୀ ଯିବଇଂ ୟେହିକ୍ଷଣି ।୨୦।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେକ ମହାମନ୍ତ୍ରୀ

ବହୁତ ଗଉରୋବ କଲେ ଦେଖିଣ ତାହାର ବିନୟେ ଭଗତି ।୨୧।

ତହୁଂଣ ସହଦେବ ଯେ ଚଳଇ ଦଣ୍ଡ ବାହି

ଗାନ୍ଧାର ଦେଶେ ପ୍ରବେଶ ହୋଇଲେକ ବେଗେ ଯାଇଂ ।୨୨।

ଗାନ୍ଧାର ଦେଶେ ଯେ ନୃପତି ଅଟଇ ଶକୁନି

ତାର ପୁରେ ପ୍ରବେଶ ସହଦେବ ସନ୍ୟ ଘେନି ।୨୩।

ଶକୁନିର ଅଗ୍ରତେ ଯାଇଂ କହିଲେ ମୁନେହି

ଆସ୍ତାନର ତଳେ ଚାରଗଣେ ଯାଇଂ କହି ।୨୪।

ସ୍ୱାମୀ ଅଳପ ସୈନ୍ୟ ଘେନି କେଉଣ ଦେଶର ରାଜା

ଗନ୍ଧର୍ବ ପର୍ବତେ ଉଠି ବଜାୟେ ଅନେକ ବୀରତୂର ବାଜା ।୨୫।

ଶୁଣିଣ ଆଗ୍ୟାଂଦିଲା ସେ ମନ୍ତ୍ରୀବର ଶକୁନି

ରାଜ୍ୟକୁ ପଶି ନ ଦିଅରେ ଓଗାଳ ସଇନି ।୨୬।

ଦେଢ଼ଶତ ପାରିଦଣ୍ଡ ରାଜାନ୍ତ ହକାରି

ଆଗ୍ୟାଂଦିଲା ରାଜା ପରଦେଶୀଂକି ଆଣ ଧରି ।୨୭।

ମୋହର ରାଜ୍ୟରେ କିଂପା ତାହାର ୟେଡ଼େକ ପ୍ରଚଣ୍ଡ

ସୁରନଦୀ ତୀରେ ରେ କାଟି ପକାଅ ତାର ମୁଣ୍ଡ ।୨୮।

ରାଜାର ବଚନେ ସେ ଧାମନ୍ତି ସଇନି

ଧର ଧର ମାର ମାର ବୋଲି ଶୁଭଇ ଘୋର ଧୁନି ।୨୯।

ଝଲକନ୍ତି ଲାଂକିଆ ଯେ କୁନ୍ତ ବୁଲାବନ୍ତି ତୀକ୍ଷମୁନା ତୋଳି

ରହ ରହ ବୋଲିଣ ଆସି ଆଗିଆଣି ଉଗାଳି ।୩୦।

ନ ଜାଣ କି ତୁମ୍ଭେ ରେ ୟେ ପୂର୍ବଦିଗ କୋଶଳେ

ଗାନ୍ଧାରସେନ ଚକ୍ରବ୍ରତୀ ୟେ ଛତ୍ରୀବର ମହୀତଳେ ।୩୧।

ରଥ ଗଜ ଅଶ୍ୱ ଯାର ନ ଗଣିତା

ତାହାର ଛାମୁକୁ ପୁଣ ଯେ ଶକତା ।୩୨।

ଚାରଗଣ ମୁଖୁଂ ବଚନ ଶୁଣି ସେ ସହଦେବର ସଇନି

ପ୍ରତଗ୍ୟାଂ ଶୁଣିଣ ବିନ୍ଧିଲେ ଶସ୍ରମାନ ଘେନି ।୩୩।

ଲାଂକିଆ ଯେ ତୀକ୍ଷମୁନା ବିଜୁଳି ତ୍ରାସ ଜାଣି ଝଲକନ୍ତି

କକଡ଼ା ମାସ ବୃଷ୍ଟି ଜାଣି ନିରନ୍ତରେ ଶହସ୍ର ବିନ୍ଧନ୍ତି ।୩୪।

ଅବିଚ୍ଛନ୍ନେ ନାରାଜ ଦେଖି ଭାଜିଲେ ସଇନି

ପାରିଦଣ୍ଡମାନେ ଉଠିଲେ ସେ ସମଦଣ୍ଡ ଘେନି ।୩୫।

ଗଦା ମୁଦୁଗର ଯେ ଛେଲଚକ୍ର କୁନ୍ତ ଯାଠି

ଗଜ ଅଶ୍ୱଂକ ଉପରେ ବୁଲାଇଣ ପିଟି ।୩୬।

ଓହୋବଳ ସଇନି କେହି କାହାକୁ ନ ଘୁଞ୍ଚି

ମହାଘୋର ଯୁଦ୍ଧ ଯେ ସାଂଗ୍ରାମ ହୋଉଅଛି ।୩୭।

ପାଣ୍ଡେବ ବଳ ସନ୍ୟ ଯେ ଅଟନ୍ତି ନିର୍ଭୟା

ନାରାୟଣଂକ ପ୍ରସନ୍ନେ ଅତୁଟ ତାହାଂକର କାୟା ।୩୮।

କୋପେଣ ଉଠିଲେ ବୀରେ ଉପ୍ରୋଧମାନ ଛାଡ଼ି

ଗଜ ଅଶ୍ୱ ସଇନି ଯେ ପଡ଼ିଲେ ମୁଖ ମାଡ଼ି ।୩୯।

ୟେକମୁଖ ହୋଇଣ ଯହୁଂ ଉଠିଲେ ସମଦଣ୍ଡ

ମୁଖରାବ ଶବଦେ ଯେ କମ୍ପଇ ଭୁଅଖଣ୍ଡ ।୪୦।

ପାଣ୍ଡବ ବଳ ସଇନି ଆକ୍ରେଷି ଯାଇଂ ଘୋଟି

ଶହସ୍ର ବିଘାତେ ଗାନ୍ଧାରବଳ ସଇନି ପଡ଼ିଲେ ମହାଲୋଟି ।୪୧।

ଅନୀତି ପବନେ ଯେନ୍‌ହେ ଲୋଟନ୍ତି ବୃକ୍ଷମାଳା

ରକତେ କର୍ଦ୍ଦନ ଯେ ହୋଇଲେ ସନ୍ୟ ଭେଳା ।୪୨।

ଆଗିଆଣି ଥାଠେ ଥିଲେ ପାଞ୍ଚଶତ ଯୋଧୀ

ପାଣ୍ଡବ ବଳ ବିଘାତେ ସେ ହୋଇଲେ ନିରୋଧୀ ।୪୩।

ଦଣ୍ଡଭଗ୍ନ ଦେଖିଣ ସେ ଗାନ୍ଧାର ଶକୁନି

ଆପଣେ ଉଠିଲେ ତୁଲେ ଦଶଲକ୍ଷ ଯୋଦ୍ଧା ଘେନି ।୪୪।

ଦୂରହୁଂ ଦେଖିଲେ ତାହା ମଦନା ଦେବୀର ବାଳ

ଗାନ୍ଧାର ମହାରାଜା ୟେ ଆମ୍ଭର ମାତୁଳ ।୪୫।

ରହ ରହ ସନ୍ୟ ବୋଲି ହୋଇଲେକ ଆଗ

ଶକୁନିର ଆଗରେ ରଥ ଟେକିଲାକ ନେଇ ବେଗ ।୪୬।

ରଥରୁ ଓହ୍ଲାଇ ସେ ମାଦ୍ରୀ ଦେବୀର ସୁତ

ଶକୁନି ଛାମୁରେ ଯାଇଂ ହୋଇଲା ପ୍ରଣପତ୍ୟ ।୪୭।

ଗଜ ଉପରେ ଥାଇ ଦେଖିଲା ଗାନ୍ଧାରସେନ ରାୟେ

ମହାନାଗ ତେଜ୍ୟା କରି ଶକୁନି ବହୁତ ବିନୟେ ।୪୮।

ବାବୁ ମୁଂ ତୋତେ ନ ଜାଣଇ ସହଦେବ ବୋଲି

ଅଗ୍ୟାନେ ତୋର ତୁଲେ ଅନେକ ଦ୍ୱନ୍ଦ୍ୱ କଲି ।୪୯।

ତୁ ମୋହର ଜ୍ୟେଷ୍ଠ ବହେଣୀର ବାଳ

ଅନମିତେ ସଇନି ମୋର ମରାଇଲି ଚାଣ୍ଡାଳ ।୫୦।

ଶୂରବର ସୁନ୍ଦର ତୁ ପାଣ୍ଡବ ପରଚଣ୍ଡ

ବିଚାର କରି ବାବୁ ମୋତେ ହାଦେ ଦଣ୍ଡ ।୫୧।

ସହଦେବ ବୋଇଲେ ଛାମୁରେ ବିନୟ ଭାବ ହୋଇ

ମାମୁଂ ତୋହୋର ରାଜ୍ୟ ବୋଲି ମୋହୋର ଗ୍ୟାନ ନାହିଂ ।୫୨।

ୟେ ସେ ଗାନ୍ଧାର ଦେଶ ତୋହୋର ଅଟଇ ଯୁଗତେ

ଦେଶାଉରେ ବାରତ କି ନ କହିଲେ ତୋତେ ।୫୩।

ଶକୁନି ବୋଇଲା ବାବୁ ମୁଂ ଅଗ୍ୟାନେ କଲି ଦୋଷ

ଯୁଝେଷ୍ଠି ଦେବ ଛାମୁରେ ସଭାରେ ନ କରିବ ପ୍ରକାଶ ।୫୪।

କି ବୋଲି ବୋଲିବେ ମୋତେ ଧୃତିରାଷ୍ଟ୍ର ଗାନ୍ଧାରୀ

ଭୀମ ଅରଜୁନ କୋପ କରିବେ ଦେବହରି ।୫୫।

ସହଦେବ ବୋଇଲେ ୟେଥେ ଅପଣ୍ଡିତ କିୟେ ସେ

ଅଗ୍ୟାଂତ ଗୋପ୍ୟାନ କଥା ପ୍ରକାଶ କରିବେ ସେ ।୫୬।

ଶକୁନି ବୋଇଲେ ବାବୁ ୟେ ମୋତେ ବହୁତ ଲଜ୍ଜା

ମୁହିଂ ସେ ସାଧ୍ୟ କରିନେମି ୟେ ଦିଗରେ ଯେତେ ରାଜା ।୫୭।

ବାବୁ ତୁମ୍ଭର ନିମନ୍ତେ ମୁଂ ଅଟଇ ବଡ଼ ଦୁଖୀ

ତୁମ୍ଭର ହାଥେ ମୃତ୍ୟୁ ଲଭି ହୋଇବି ବଡ଼ ସୁଖୀ ।୫୮।

ବାବୁ ଦ୍ରିଯୋଧନ ମାତୁଳ ମୁଂ ମନ୍ତ୍ରୀ ହୋଇବି ଯଦ୍ୟପି

ପାଣ୍ଡବ ହିତ ଅର୍ଥେ ମୁଂ ବ୍ରତଇ ଅଦ୍ୟାପି ।୫୯।

ସହଦେବ ବୋଇଲା ମାତୁଳ ମୁଂ ଜାଣିଲି ସର୍ବତତ୍ତୁ

ୟେତେକାଳେ କହିଲୁ ଆସି ତୁ କଉରୋବଂକ ମୃତ୍ୟୁ ।୬୦।

ମାମୁଂ ମୁହିଂ ଜାଣିଅଛି ୟେଥିର ତଥ୍ୟ କଥା

ପୂର୍ବର ଚରିତ ପିତାମହଂକ ବାରତା ।୬୧।

କୁଟୁମ୍ୱ ନାଶକଲା ତୋହୋର ପଥର ଘରେ ଭରି

ଶହେ ଛୟୋଣୋଇ ଜଣ ନାଶ ଗଲେ ଅନ୍ନଶାସ୍ତି ହୋଇକରି ।୬୨।

ଗାନ୍ଧାର ଜ୍ୟେଷ୍ଠପୁତ୍ର ତୁ ଆଦିହୁଂ କୁଟିଆଳ

ଉପାୟେ ରକ୍ଷାକଲୁ ତୁ ବଞ୍ଚିଲୁ ୟେତେ କାଳ ।୬୩।

ପିତା ଯାହା କହିଲେ ତୋତେ ପ୍ରାଣତ୍ୟାଗ କାଳେ

ହାଥର ଅସ୍ଥି କରାଇଲୁ ପଶା କୁତୂହୋଳେ ।୬୪।

କପଟ ପଶା ଖେଳାଇବୁ ତୋହୋର ୟେ କୁଟବୁଦ୍ଧି

ଦୁର୍ଯ୍ୟୋଧନକୁ ସମ୍ପଦ ଦିଆଇବୁ ଆମ୍ଭର ହରାଇବୁ ସମ୍ପ୍ରଦ୍ଧି ।୬୫।

ତେବେ ସେ ନାଶ ହୋଇବ ପୃଥିବୀର ଭାରା

ତୋହୋରେ ସେ ଉଶ୍ୱାସ ହୋଇବ ବସୁନ୍ଧରା ।୬୬।

ଆହୋ ଗତ ଆଗତର ଥିଲା ଯେତେ କଥା

ବେନି ମନ୍ତ୍ରୀ କୁହାକୁହି ହୋଇଲେ ସମସ୍ତ ବାରତା ।୬୭।

ଶକୁନି ବୋଇଲେ ତୋତେ ପ୍ରାର୍ଥନା ୟେକ ମାଗଇ ବାବୁ

ମହାଭାରଥ ଯୁଦ୍ଧ ଅବଶ୍ୟ କରାଇବୁ ।୬୮।

ବାବୁ କୁରୁ ପାଣ୍ଡବେ ଅଭେଦ ହୋଇବେ ୟେହିକ୍ଷଣି

ତୋହୋର ମୋହୋରେ ଶାନ୍ତି ଯେବେ କରାଇବେ ଚକ୍ରପାଣି ।୬୯।

ବାବୁ ଅନେକ କଷ୍ଟ ଯେ ପାଉଅଛି ବସୁନ୍ଧରା

ମହାଭାରଥ ଯୁଦ୍ଧେ ସେ ଉଶ୍ୱାସ ହୋଇବ ମହାଭାରା ।୭୦।

ମୁହିଂ ତୋତେ ଦଇନି କରି ଯେ ବୋଲୁଅଛି ବାବୁ

ବାବୁ କଉରୋବ ବଂଶ ତୁହି ସେ ନାଶ କରାଇବୁ ।୭୧।

ମୁହିଂ ତାହାର ବଂଶ ଯେ ବିଶ୍ୱାସେ ମରାଇବି

ରଣଯଗ୍ୟଂ କରି ମୁହିଂ ଅବଶ୍ୟ ନାଶଯିବି ।୭୨।

ବାବୁ ପରଲୋକଇ କାରଣ ମାଗଇ ମୁହିଂ ତୋତେ

ଉଭୟେ ବଳ ମଧ୍ୟେ ତୁ ସମରେ ଶରଘାତ କର ମୋତେ ।୭୩।

ବାବୁ ତୋହୋରି ହାଥେ ମୁଂ ହୋଇବି ପ୍ରାଣତ୍ୟାଜ

ଅବସ୍ତା ମୋତେ ଦେଇ ନ ପାରଇଟି ଜନ୍ତୁରାଜ ।୭୪।

ସହଦେବ ବୋଇଲା ମାମୁଂ ୟେ ଅପାର କାଳର କଥା

ତୁ ମନ୍ତ୍ରୀ ଚୂଡ଼ାମଣି ଜାଣୁ ସର୍ବ କଥା ।୭୫।

ନିମନ୍ତ୍ରଣ ଯୋଗାଡ଼ ଯେ ତାଂକୁ ଦିଲେକ ସହଦେବ

ଦଣ୍ଡ ଘେନି ମାମୁଂ ତୁମ୍ଭେ ବହନ ହୋଇଣ ଯିବ ।୭୬।

ଶକୁନି ମହାମନ୍ତ୍ରୀ ଅନେକ ଗଉରୋବେ

ଆପଣା ଭୁବନକୁ ଘେନିଗଲାକ ସହଦେବେ ।୭୭।

ଅନେକ ସମ୍ଭର୍ବେ ସେ କରାଇଲେ ମୁଣୋହିଂ

ସେ ଦିନ ସହଦେବ ଗାନ୍ଧାର ଦେଶେଣ ରହି ।୭୮।

ଦଣ୍ଡ ଘେନି ମାତୁଳ ତୁ ଚଳ ୟେହିକ୍ଷଣ

ବେଗେ ଯାଇ ରାଜାନ୍ତ କରାଅ ସମ୍ଭାଳଣ ।୭୯।

ସହଦେବ ବଚନେ ସାନନ୍ଦ ଶକୁନି

ବାବୁ ମୁହିଂ ଯାଉଅଛିଟି ଈଶାଣ କୋଣ ରାଜାନ୍ତ ଘେନି ।୮୦।

ୟେ ଈଶାଣ କୋଶଳେ ମୁଂ ଅବଇ ୟେକ ଯୋଧୀ

ଦୁଇ ସହସ୍ର ରାଜା ମୋତେ ସର୍ବଦା ହୁଅନ୍ତି ସାଧି ।୮୧।

ଅନେକ ସମ୍ଭର୍ବେଣ ସେ ବାହାର ଶକୁନି

ଚଳଇ ମହାରାଜା ଗାନ୍ଧାର ଦେଶର ସନ୍ୟ ଘେନି ।୮୨।

ଆହୋ ଶକୁନି ମାମୁଂ ରାଜାର ଥାଠ ଚଳିଲେ

ବହୁତ ଦେଶର ନରେନ୍ଦ୍ର ପଛେ ଗୋଡ଼ାଇଲେ ।୮୩।

ତହୁଂଣ ସହଦେବ କରନ୍ତି ପୟାଣ

ବାଜନ୍ତି ବିଜିଘୋଷ ଟମକ ନିଶାଣ ।୮୪।

ମଉଦଧିର କୂଳେ ଯେ ମାହୀନ୍ଦ୍ର ବୋଲି ଦେଶ

ତହିଂର ରାଜାର ନାମ ଅଟଇ ଋଷିକେଶ ।୮୫।

ସହଦେବ ବିଜୟେ କଲେକ ସେହୁ ରାଜ୍ୟେ

ବାରତା ପାଇ ଋଷିକେଶ ଦ୍ରଶନ କରି ବିଜେ ।୮୬।

ବହୁତ ଅପୂର୍ବ ପଦାର୍ଥ ଆଣିଲା ଛାମୁକୁ

କଉତୁଳେ ସହଦେବ ପୁଚ୍ଛାକଲେ ତାକୁ ।୮୭।

ସେ ମାହେନ୍ଦ୍ର ନଗ୍ରରେ ଯେ ଅଶୀଲକ୍ଷ ଘର ବସଇ

କାନ୍ଥ ଶେଣି ଆଦିକରି ସବୁ ରତ୍ନ କୋଶଇ ।୮୮।

ସୁବର୍ଣ୍ଣର ଜଗତୀ ହୋୟେ ଯେ ମେଢ଼ ମଣ୍ଡୋପ

ତିରଣ ଛାଉଣି ଘର ନାହିଂ ଅଷ୍ଟରତ୍ନରେ ନିରୂପ ।୮୯।

ମୁହିଂ ଅଇଲିନି ବାବୁ ଅନେକ ଦେଶ ଭୂମି

ୟେଡ଼େ ବଡ଼ ରାଜ୍ୟ ଆୟତନ ଦେଖିଲି ଉତ୍ତମି ।୯୦।

ଋଷିକେଶ କହିଲେ ଛାମୁରେ ପରିଣାମି

ସତ୍ୟଯୁଗର ବାରତା ଶୁଣିମା ଦେବ ସ୍ୱାମୀ ।୯୧।

ସତ୍ୟଯୁଗେ ସୋମବଂଶେ ମାହୀନ୍ଦ୍ର ବୋଲି ୟେକ ରାଜା

କ୍ଷୀରୋଦ୍ରକୁ ସେବା ସେ କରଇ ନିତି ପୂଜା ।୯୨।

ସ୍ୱାମୀ ୟେମନ୍ତେ ଲକ୍ଷେ ଛତ୍ରିଶ ସହସ୍ର ବରଷ ପରିଯନ୍ତେ ଖଟି

ବାରାନିଧିକଇ ସେବା କରଇ ମହାକଷ୍ଟି ।୯୩।

ଧନୁମାସ ଶୁକ୍ଳପକ୍ଷ ଚଉଠୀ ଚନ୍ଦ୍ରବାର

ଶ୍ରବଣା ନକ୍ଷତ୍ର ଭୋଗଥିଲା ସେ ଦିନର ।୯୪।

ତୁଲେ ଛନ୍ତି ତାହାଂକର ଚିଲ ଚୋଡ଼ଙ୍ଗ ବେନି ଦାସୀ

କୋଟିୟେକ ତୀର୍ଥ ଅଭିଷେକ କରଇ କଣୟ କଳସୀ ।୯୫।

ଚାମର ଢ଼ାଳନ୍ତି ଡେଢି଼ଣ ଅଷ୍ଟ ନାୟିକା

ଦେଖିଲେ ମାହୀନ୍ଦ୍ର ରାଜା ସିନ୍ଧୁ କୂଳେ ଖଟିଅଛି ୟେକା ।୯୬।

ସ୍ୱାମୀ ବରୁଣ କୁମାରୀ ରାଜାକୁ ଦେଖିଲା ରାତ୍ରକାଳେ

ରାଜାକୁ ଦୃଶ୍ୟ ହୋଇଲେ ଖେଡ଼ର କୁତୂହୋଳେ ।୯୭।

ରାଜାକୁ ପ୍ରସନ୍ନ ହୋଇଲେ ଦେବୀ ଜଗଦ୍ଧାତ୍ରୀ

ଆମ୍ଭନ୍ତ ସେବା କରି ଥାଆ ଗୁରୁପଞ୍ଚମୀ ତିଥି ।୯୮।

ସ୍ୱାମୀ ଗୋସାମଣୀଂକ ଆଗ୍ୟାଂୟେ ସେ ମାହୀନ୍ଦ୍ର ନୃପତି

ପାଳିଲା ଦୃଢ଼ବ୍ରତେ ଯେ ମହାଲକ୍ଷ୍ମୀଂକି ଭଗତି ।୯୯।

ସ୍ୱାମୀ କମଳାର ପ୍ରସନ୍ନେ ଯେ ହୋଇଲେ ମହାରାଜା

ତେଣୁକରି କଣୟମୟେ ମାହୀନ୍ଦ୍ର ଦେଶର ରାଜା ।୧୦୦।

ବାହିଲେ ନ ସରଇ ଯେନ୍‌ହେ ଅବୟେ ବାରାନିଧି

ଭୂମି ସହିତେଣ କଣୟମୟେ ବିଧି ।୧୦୧।

କାଳେ ମହାଦେବୀ ଯହୁଂ ଅଭୟେ ବର ଦିଲା

ଗଜ ଗୋଟି ଘେନି ମାହିନ୍ଦ୍ର ରାଜା ଅଧାସ୍ୱର୍ଗେ ରହିଲା ।୧୦୨।

ଅନେକ ବିନୋୟୀ କହିଲା ଋଷିକେଶି

ମନ୍ତ୍ରୀବର ସୁବୁଦ୍ଧି ଶୁଣି ହୋଇଲେ ଦରହାସୀ ।୧୦୩।

ଅକ୍ଷତ ଗୁଆ ଯେ ଦିଲେ ମନ୍ତ୍ରୀ ଚୂଡ଼ାମଣି

ରାଜୁସି ଯାଗ ସଭାକୁ ରାଜା ଚଳିଯାଅ ୟେହିକ୍ଷଣି ।୧୦୪।

ସମଦଣ୍ଡ ଘେନିଣ ସେ ମାହୀନ୍ଦ୍ର ଦେଶର ରାୟେ

ଅନେକ ଧନ ଘେନିଣ ସେ ହସ୍ତିନା ରାଜ୍ୟକୁ ଆୟେ ।୧୦୫।

ଚଳନ୍ତି ସହଦେବ ମଙ୍ଗଳ ଅନକୂଳେ

ତ୍ରିକାଳହସ୍ତୀ ଭେଟିଲା ତ୍ରିଶିରା ପର୍ବତ ତଳେ ।୧୦୬।

ସନ୍ଦେଶ ଗାରଡ଼ି ସେ ପ୍ରତକ୍ଷେ ଦେବତା

ସହଦେବର ତୁଲେ ସେ ହୋଇଲେ ବହୁତ କଥା ।୧୦୭।

ପ୍ରତକ୍ଷେ ନାରାୟେଣ ସେ ବେଣ୍ଟ ବିନୋଦୀ

ବାମପାଦେ ମାଡ଼ିଅଛି ମହାରସ ମହାନିଧି ।୧୦୮।

ଯେବଣ ଦେବତା ଦ୍ରଶନେ ଦାରିଦ୍ର ଫିଟଇ

ଚାରି ଯୁଗରେ ସେ ମନୁଷ୍ୟ ରୂପ ଅଟଇ ।୧୦୯।

ଛାମୁରେ ଅକ୍ଷତ ଗୁଆ ଅର୍ଘ୍ୟସ୍ଥାଳୀ ଦେଇ

ମନ୍ତ୍ରୀ ଚୂଡ଼ାମଣି ଶୁତିଲେ ବିନୋୟୀ ।୧୧୦।

ସହଦେବ ପୁଣ ପୁଣ ବିନୟେ ପରିଣାମି

ରାଜୁସି ଯାଗ ସଭାକୁ ବିଜେ କରିବା ଦେବସ୍ୱାମୀ ।୧୧୧।

ବଦନ୍ତି ମହାତମା ସେ ତ୍ରକାଳହସ୍ତୀ

ଯମପ୍ରଶସ୍ତ ଭୁବନେ ଆମ୍ଭେ ଯାଉଥିବୁଂ ନିତି ।୧୧୨।

ଯେତେକ ବନଜୀବନମାନେ ଅଟନ୍ତି ଖାଇଜ୍ୟ ପାନ

ହରିଣ ବାହୁଟିଆ ମୃଗ ସଅମ୍ୱର ଗଣ୍ଡା ଯେତେ ଜୀବମାନ ।୧୧୩।

ଘାନ୍ତିକେ ଲକ୍ଷେ ଲକ୍ଷେକ ଆମ୍ଭେ ପକାଇ ଆସିଥିବୁଟି ମାରି

ହସ୍ତିନାର ଶବରେ ନେଉଥିବେଟି ଭାର ଭାର କରି ।୧୧୪।

ଆହୋ ବନଜୀବ ଯୋଗାଡ଼ ଲାଗଇ ଜାଣ ଯେତେ

ନିତ୍ୟାପତି ମାରି ଆମ୍ଭେ ଦେଉଥିବୁଟି ତୋତେ ।୧୧୫।

ଆହୋ ସହଦେବ ସନ୍ତୋଷ ହୋଇଲେ ତ୍ରିକାଳହସ୍ତୀର ବଚନେ

ତହୁଂଣ ମହାତମା ଯେ ଗଲେ ଅନ୍ତର୍ଧାନେ ।୧୧୬।

ଚଳଇ ସହଦେବ ଘେନିଣ ସମଦଣ୍ଡ

ବିହଡ଼ନ୍ତି ଯୋଦ୍ଧାମାନେ ବଡ଼ାଇ ପ୍ରଚଣ୍ଡ ।୧୧୭।

ଆହୋ କ୍ଷୀରୋଦ୍ର କୂଳେ ଯେ ବେଲାଳ ଦେଶ ବୋଲି

ତହିଂ ଯାଇ ସହଦେବର ଥାଠ ପଶଇ ପେଲି ।୧୧୮।

ସେ ଦେଶର ରାଜା ଯେ ବେଲାଳ ଚକ୍ରବ୍ରତୀ

ବାଳକାଳେ ସେ ଗଉତମ ମହଋଷିନ୍ତ ହୋଇଲେ ଭଗତି ।୧୧୯।

ଗଉତମୀ କୂଳେ ସିଂଘ ବୃହସ୍ପତି ଯୋଗେ ଅପାର ଦାନ ଘେନି

ଦାନ ଘେନନ୍ତେଣ ହୋଇଲା ଗୋରୁ ପଲ ତିନି ।୧୨୦।

ଆହୋ ପଞ୍ଚ ଶତକେ ଯେ ଗୋଷ୍ଠେକ ବୋଲି

ଚଉବିଂଶ ଗୋଷ୍ଠେ ଯେ ହୋୟେ ୟେକ ପଲ୍ଲୀ ।୧୨୧।

ଚଉବିଂଶ ପଲେ ଲଉଡ଼ି ୟେକ ନିର୍ବାଣି

ଚଉବିଂଶ ଲଉଡ଼ି ସେ ମହାଖୁଡ଼ ୟେକ ଜାଣି ।୧୨୨।

ଚଉବିଂଶ ମହାଖୁଡ଼େ ଅଟଇ ଯେତକ ଗାଈ

ତେତେକ ଉପରେ ଯେ ଖଟଇ ୟେକ ମହାଭୋଇ ।୧୨୩।

ୟେମନ୍ତେ ଚଉବିଂଶ ମହାଭୋଇ ଗଉତମଂକର ତହିଂ ଥିଲେ

ତୋଷେଣ ମହାତମା ତାହା ବେଲାଳସେନକଇଂ ଦିଲେ ।୧୨୪।

ଆହୋ ଯେତେକ ଘୃତ ଲଗାଇ ତାହାଂକର ହୋମକୁ

ବେଲାଳସେନ ଦିଅଇ ଯେ ନିତ୍ୟେ ଗଉତମଂକୁ ।୧୨୫।

ସେ ଗଉତମଂକ ପ୍ରସାଦେ ବେଲାଳସେନ ରାଜା

ମଉଦଧି କୂଳେ ତାହାଂକୁ ସମସ୍ତେ କରନ୍ତି ପୂଜା ।୧୨୬।

ସହଦେବ ବିଜେକଲେ ବେଲାଳସେନ ରାଜ୍ୟେ

ବୀର ତୂର ବୀର ଢୋଲ ଯେ ଗହଳ ଧୁନିବାଜେ ।୧୨୭।

ଦେଶ ଉର ବାରତା କଲା ସେ ବେଲାଳସେନ ରାଜାକୁ

ସ୍ୱାମୀ ପରଦେଶୀ ରାଜାୟେ ଧାଡ଼ି ଦିଅଇ ଆମ୍ଭର ରାଜ୍ୟକୁ ।୧୨୮।

ଆଚମ୍ୱିତ ବାରତା ଯେ ପାଇଣ ବେଲାଳ

ବୋଇଲା ରାଜ୍ୟକୁ ପଶି ନ ଦିଅରେ ବହନ ଓଗାଳ ।୧୨୯।

ମୋହୋର ଛାମୁକୁ ଆଣ ଯେ ତାହାକଇଂ ଧରି

ଜୀବନ୍ତା ଧରିଆଣ ମୋହୋର ଛାମୁକୁ ବନ୍ଦୀକରି ।୧୩୦।

ରାଜାର ଆଗ୍ୟାଂୟେ ସେ ଗୋପାଳ ବୀରମାନେ

ପ୍ରତଗ୍ୟାଂ କରି ସେ କୋପେ ଧାଇଂଲେ ବହନେ ।୧୩୧।

ପାଦେଣ କଢ଼ାଉ ବେନି କରେଣ ଯେ ଯାଠ

ମାଥେଣ ଖୋଲରି କରେ ବାଉଂଶୀ ଶର ଗୋଟି ।୧୩୨।

କର୍ଣ୍ଣେଣ ମନ୍ଦାର ପୁଷ୍ୟ ଗୁଂଜରା ଲଲାଟେ

ପ୍ରତଗ୍ୟାଂ ସାମରଥେ ଧାମନ୍ତି ଅଧର କରି ପୁଷ୍ଟେ ।୧୩୩।

କଢ଼ା ମର୍ଦ୍ଦଳ ଯେ ମୃଦଙ୍ଗ ଘୁମୁରା ଦାଉଣ୍ଡି

ମଦିରା ରସେ ଭୋଳ ଖେମଟା ନାଟଖଣ୍ଡି ।୧୩୪।

କଟିରେ କଟିସୂତ୍ର ଭିଡ଼ିଣ କାଛେଟି

ବିହଡ଼ନ୍ତି ଗୋପାଳେ ଦନ୍ତ ଯେ ପରକଟି ।୧୩୫।

ବୁଲାବନ୍ତି ଲଉଡ଼ି କୁଟୁଣୀ ଗୀତ ଗାଇ

ବଇଲେ ବଇଲେ ଚଢ଼ି କେ ଆସନ୍ତି ଖତାଇ ।୧୩୬।

ପାଣ୍ଡବ ସଇନି ଯେ ଗୋପାଳ ବଳ ଦେଖି

ପଶିଲେ ରଣରଙ୍ଗେ ଉପ୍ରୋଧ ଉପେକ୍ଷି ।୧୩୭।

ଗଦାନ୍ତ ବୁଲାଇଣ ବୀରେ ଧଇଲେ କରେ ଚାବ

କଉତୁକ ଦେଖି କରି ରୁହାଇଲେ ସହଦେବ ।୧୩୮।

ସମାର୍ଜନ୍ତି ସହଦେବ ଆପଣାର ସନ୍ୟବଳ

ବୋଇଲେ ଦେଖିବା ହୋ ଗୋପାଳଂକ କୁତୁହୋଳ ।୧୩୯।

ବଡ଼ାଇ ବଇଲେକ ଆରୋହି ଆସଇ ବେଲାଳ ଚକ୍ରବ୍ରତୀ

ବାମ ଡାହାଣେ ଉଭାରିଲେ ସହସ୍ରେକ ମଜୁର ଝାଲିଛତୀ ।୧୪୦।

ସାରଥିକି ବୋଇଲେ ସେ ଅନୁଶୁୟାର ପ୍ରାଣନାହା

ବେଲାଳସେନ ଉପରକୁ ରଥ ମୋହୋର ବାହା ।୧୪୧।

ସହଦେବ ବଚନେ ସାରଥୀ ରଥ ବାହି

ସଇନ ଉପରେ ନେଲା ରଥନ୍ତ ଚଳାଇ ।୧୪୨।

ବେଲାଳସେନ ଛାମୁରେ ଟେକିଲା ରଥ ନେଇ

ରାଜା ପଚାରଇ ତୁମ୍ଭେ କାହିଂର ନରସାଇଂ ।୧୪୩।

ମୋହୋର ରାଜ୍ୟରେ ମୁଂ ଅଟଇ ନିର୍ଦ୍ୱନ୍ଦୀ

କାହାରି ତୁଲେ ମୁଂ ନୋହୋଇ ଯେ ବିବାଦୀ ।୧୪୪।

ସମୋଦ୍ର ଛଡ଼ା ୟେଥେ ନୋହେ ଆନ କୃଷି

ୟେ ଗୋଧନ ପଲ ଦିଲେ ଗଉତମ ମହଋଷି ।୧୪୫।

ସହଦେବ ବୋଇଲେ ତୋହୋରେ ବହୁତ ଅଛି କାର୍ଯ୍ୟ

ତୋତେ ନିମନ୍ତ୍ରଣ କରି ନେମି ମୁହିଂ ଆଜ ।୧୪୬।

ରାଜୁସି ଯାଗ ସଭାକୁ ଚାଲ ଯିବ ହୋ ବେଲାଳ

ପୃଥୀରେ ଯେତେ ରାଜା ଅଛନ୍ତି ସେ ସକଳ ।୧୪୭।

ଲକ୍ଷେ ରାଜା ଆଗମନ କରିଛନ୍ତି ମହାଯୋଗେ

ତୋତେ ହୋ ନିମନ୍ତ୍ରଣ କରିବି କାର୍ଯ୍ୟ ଯୋଗେ ।୧୪୮।

ସହଦେବର ବଚନେ ଯେ ବୋଲଇ ବେଲାଳ

ମୁହିଂ କିଂପା ଯିବି ତୋହୋର ରାଜ୍ୟକୁ କୁତୁହୋଳ ।୧୪୯।

ବହୁତ ପ୍ରତଗ୍ୟାଂ ଯହୁଂ ସେ କଲାକ ଅମାନୀ

ସହଦେବ ବିନ୍ଧିଲା ଯେ ମୋହୋନା ଶରେକ ଘେନି ।୧୫୦।

ବଇଲେକ ଚଢ଼ି ଯେ ବେଲାଳସେନ ଥିଲା

ମୋହେ ଅସାଷ୍ଟମ ହୋଇ ସେ ଢଳିଣ ପଡ଼ିଲା ।୧୫୧।

ରଥପରେ ଥାଇଂ ସେ ଅଶ୍ୱିନୀ କୁମାରଂକ ଦୁଲାଳ

ଆକ୍ରେଷି ଧଇଲେ ଯାଇଂ ବେଲାଳସେନ ବାଳ ।୧୫୨।

ପାଟ ଡୋରେକ ଘେନି ବନ୍ଧନ କଲା ରଥେ

ଦେଖିଣ ବେଢିଲେ ଗୋପାଳ ତିନି ଯେ ମର୍ଭୁତେ ।୧୫୩।

ଲାଉଡ଼ି ବୁଲାଇଣ ପିଟିଲେ ମହାରୋଷେ

ମାରରେ ଗୋପାଳନ୍ତ ବୋଇଲେ ମାଦ୍ରୀଦେବୀର ଶିଷ୍ୟେ ।୧୫୪।

ସହଦେବର ବଚନେ ବେଢିଲେ ସଇନି

କରନ୍ତି ପ୍ରହାର ବୀରେ କରେ ଶସ୍ର ଘେନି ।୧୫୫।

ଆହୋ ପର୍ବତ ବିନ୍ଧିବାକୁ ସାମରଥ ଯେବଣ ବୀରେ

ଗୋପାଳେ ସାମରଥ କି ତାହାଂକ ଛାମୁରେ ।୧୫୬।

କାଦମ୍ୱରୀ ପାନେଣ ମହାମତ୍ତ ଭୋଳେ

ଅନେକ ସମର ତହିଂ କଲେକ ସେ ଗୋପାଳେ ।୧୫୭।

ସମସ୍ତ ଗୋପାଳେ ଯେ ପଡ଼ିଲେ ସମରେ

ଜଣେ କେହି ନ ରହିଲେ ସହଦେବର କୋପଭରେ ।୧୫୮।

ପାଞ୍ଚ ଅହିବ୍ରତ ତିନି ମର୍ଭୁତ ଗଉଡ଼େ

ସମସ୍ତେହେଂ ଲୋଟିଲେ ପାଣ୍ଡବ ସଇନି ଶରେ ।୧୫୯।

ସହଦେବ ବୋଇଲେରେ ଅଡ଼ାଅ ଗୋରୁପଲ

ଧାଇଂଣ ବେଢ଼ିଲେ ସେନାପତି ମହାମଲ୍ଲ ।୧୬୦।

ଆହୋ ଘୋର ସଇନି ଦେଖି ବିହଡ଼ିଲେ ସର୍ବ ଗାଈ

ହେମ୍ୱାରାବ ଶବଦ କରି ଉଠିଲେ କୋପେ ଧାଇଂ।୧୬୧।

ତହୁଂଣ ଗୋରୁପଲ ଉଠିଲେ ଗଳଗାଜି

ପାଣ୍ଡବ ବଳ ସଇନି ପଳାଇଲେ ସର୍ବଭାଜି ।୧୬୨।

ଅନେକ ବାଗେ ବୀର କଲେକ କଟାଳ

କେମନ୍ତେହେଂ ସାଧ୍ୟ ନୋହିଲେ ଗୋକୁଳ ।୧୬୩।

ବେଲାଳସେନ ବୋଇଲା ଗୋସାଇଂ ଗୋରୁୟେ ବଡ଼ ପରମାଦୀ

ପରଚେ ଗୋପାଳେ ସେ ହୋଅନ୍ତି ସର୍ବସାଧି ।୧୬୪।

ସ୍ୱାମୀ ଦୁର୍ଭାର ଗାଈ ସେ ଅଟନ୍ତି ବଡ଼ ମନ୍ଦ

ଗୋରୁକଇଂ ତୁଲେ ମନିଷର କାହିଂ ଦ୍ୱନ୍ଦ ।୧୬୫।

ଭୋ ଦେବ ସନ୍ୟ ଲୋଚାୟେ ନାଶ ନ କର ମନ୍ଦ ବୁଦ୍ଧି

ତୋହୋର ବେଳେ ସେ ଗୋରୁପଲ ନୋହେ ଦେବ ସାଧି ।୧୬୬।

ସହଦେବ ସଇନି ପାଇଲେ ବଡ଼ ଦୁଃଖ

ଭାବିଣ ରହିଲେ ବୀରେ ପାଇଣ ବିମୁଖ ।୧୬୭।

ଯୁଗତେ ଗୋଧନେ ଯେ ଶହସ୍ର ନୋହୋନ୍ତି ବଧି

ଧର୍ମ ପାରିପାଳି ଛାଡ଼ିଲେ ମହାଯୋଧୀ ।୧୬୮।

ଆହୋ ବେଲାଳସେନକୁ ଘେନିଗଲେ ସହଦେବ

ଚଉପୁର ନଗ୍ରେ ବଜୟେ ବୀର ପାଣ୍ଡବ ।୧୬୯।

ଚନ୍ଦ୍ରକେଶୀ ବୋଲିକରି ୟେକଇ ନଦୀଗୋଟି

ଚଉପୀଢ଼ ପର୍ବତୁଂ ସେ ଅସୁଣ ଅଛି ଫୁଟି ।୧୭୦।

ସହଦେବ ପ୍ରବେଶ ଯାଇଂ ଚଉନଗ୍ର ଦେଶେ

ବାରତା ପାଇ ନୃପତି ମନେଣ ହରଷେ ।୧୭୧।

ଅନେକ ସମ୍ଭରେ ସେ ଚନ୍ଦ୍ରଚୂଡ଼ ରାଜା

ସହଦେବ ପଦ୍ମପାଦେ କରଇ ଆସି ପୂଜା ।୧୭୨।

ସ୍ୱାମୀ ମୁହିଂ ଅନେକ ପୁଣ୍ୟ ଯେ ଅଜିଥିଲି ପୂର୍ବେ

ତୋହୋର ଶ୍ରୀଚରଣ ଦେଖିବାକୁ ଭାର୍ଜନ ହୋଇଲି ୟେବେ ।୧୭୩।

ବହୁତ ବିନୋଇ ହୋଇ କହଇ ନୃପମଣି

ସହଦେବେ ପ୍ରୀତି ବଢ଼ାଇଲେ ଭଗତି ପରିଣାମି ।୧୭୪।

ଚନ୍ଦ୍ରଚୂଡ ରାଜାଂକୁ ଦିଲେ ଅକ୍ଷତ ଯେ ଗୁଆ

ସମଦଣ୍ଡ ଘେନି ରାଜୁସି ଯାଗକୁ ଯାଅ ଯା ।୧୭୫।

ଚନ୍ଦ୍ରଚୂଡ ବୋଇଲା ଆଗ୍ୟାଂ ପ୍ରମାଣେ ସ୍ୱାମୀ ୟେହିକ୍ଷଣି ବେଗେ ଯିବି

ରାଜୁସି ଯାଗ ସଭାୟେ ଯୁଝେଷ୍ଠି ଦେବଂକୁ ସେବିବି ।୧୭୬।

ସହଦେବର ଆଗ୍ୟାଂ ଶିରେଣ ନିବେଶି

ସମଦଣ୍ଡ ଘେନି ବାହାର ହୋଇଲା ଚନ୍ଦ୍ରକେଶୀ ।୧୭୭।

ବୀର ତୂର ବାଦ୍ୟ ବଜାନ୍ତି ଗହନେ

ଚଳନ୍ତି ସହଦେବ ଅଲେଖ ରାଜ୍ୟସ୍ତାନେ ।୧୭୮।

ଅଲେଖସେନ ବୋଲି ରାଜା ହରିହର ବଂଶୀ

ସହଦେବକୁ ଦ୍ରଶନ କଲେ ସେ ସିନ୍ଧୁକୂଳେ ଆସି ।୧୭୯।

ଶତେକ ଭାର ଘେନି ପାଣିଦ୍ରବ୍ୟ ରାୟେ

ମନ୍ତ୍ରୀ ଚୂଡାମଣିର ଚରଣେ କରଇ ବିନୟେ ।୧୮୦।

ଅକ୍ଷତ ଗୁଆ ଯେ ତାକୁ ଦେଇ ବୋଇଲେ ସହଦେବ

ଆହୋ ରାଜୁସି ଯାଗ ସଭାକୁ ତୁମ୍ଭେ ବହନ ହୋଇ ଯିବ ।୧୮୧।

ମନ୍ତ୍ରୀବର ଆଗ୍ୟାଂ ନିବେଶିତ ଶିରେଣ

ସମଦଣ୍ଡ ଘେନି ରାଜା ବାହାର ତତକ୍ଷଣ ।୧୮୨।

ତହୁଂଣ ସହଦେବ ଚଳନ୍ତି ସନ୍ୟ ଘେନି

ମନୋହର ଦେଶେ ବିଜୟେ ମନ୍ତ୍ରୀ ଚୂଡ଼ାମଣି ।୧୮୩।

ତ୍ରିପୁରେଶ୍ୱର ବୋଲିଣ ତହିଂର ମହାରାଜା

ତ୍ରିଅମ୍ୱକ ବିଶ୍ୱବାସୀଂକୁ ସେ କରଇ ଅନେକ ପୂଜା ।୧୮୪।

ସେ ରାଜାର ରାଜ୍ୟେ ବିଜୟେ ସହଦେବ

ଛାମୁରେ ଦ୍ରଶନ କଲା ରାଜା ବଡ଼ାଇ ସମ୍ଭର୍ବ ।୧୮୫।

ସହଦେବ ବୋଇଲା ଶୁଣ ହୋ ତ୍ରିପୁରାନ୍ତ

ରାଜୁସି ଯାଗ ସଭାକୁ ବେଗେ ଚଳ ହୋ ନରନାଥ ।୧୮୬।

ନିମନ୍ତ୍ରଣ ଯୋଗାଡ଼ ଦିଲେ ମଦନା ଦେବୀର ବଳା

ସମଦଣ୍ଡ ଘେନିୀ ତ୍ରିପୁରାନ୍ତକ ବିଜେ କରି ଗଲା ।୧୮୭।

ତହୁଂଣ ସହଦେବ ଚଳନ୍ତି ଦଣ୍ଡ ସାଜି

ଯମନିକ ତୀର୍ଥେ ଯାଇଂ ଯମେଶ୍ୱର ଲିଙ୍ଗ ପୂଜି ।୧୮୮।

ନୀଳ କଳ୍ପବଟ ସନ୍ନଧ୍ୟେ ନୀଳ ସୁନ୍ଦର ପର୍ବତେ

ମନ୍ତ୍ରୀ ଚୂଡ଼ାମଣି ଯାଇଂ ବିଜୟେ ମହାତୀର୍ଥେ ।୧୮୯।

ଧନୁମାସ ଶୁକଲ ପକ୍ଷ ତ୍ରୟୋଦଶୀ ଅର୍କବାର

ପୁର୍ନବସୁ ରକ୍ଷଭୋଗ୍ୟ ଅଟେ ସେ ଦିନର ।୧୯୦।

ସହଦେବ ବିଜେ କଲେ ସେହି ଦିନ ନିଶି

ଭେଟିଲେ ମହାତମା ମାରକଣ୍ଡ ମହାଋଷି ।୧୯୧।

ବାହନ ତେଜ୍ୟା କରି ମାଦ୍ରୀ ଦେବୀର ସୁତ

ମାରକଣ୍ଡ ପଦ୍ମପାଦେ ବିନୟେ ଭଗତ ।୧୯୨।

ବଦୟନ୍ତି ମହାତମା କାଶ୍ୟପ ଋଷିର ନାତି

ପୂର୍ବଦିଗ ରାଜାନ୍ତ ବାବୁ ଅଇଲୁ କି ନିମନ୍ତି ।୧୯୩।

ସହଦେବ ବୋଇଲା ସ୍ୱାମୀ ତୋହୋର ଅନୁଗ୍ରହେ

ନିସନ୍ତିଲି ରାଜାନ୍ତ ମୁଂ କାର୍ଯ୍ୟର ସନ୍ଦେହେ ।୧୯୪।

ଭୋ ମାରକଣ୍ଡ ତୁମ୍ଭେ ଯିବଟି ରାଜୁସି ସଭାକୁ

ତୁମ୍ଭେ ନ ଥିଲେ ସେ ସଭା ନିବର୍ତ୍ତ ହୋଇ କି ଆନକୁ ।୧୯୫।

ମାରକଣ୍ଡେ ବୋଇଲେ ତହିଂ ଅଛନ୍ତି ବେଦବ୍ୟାସେ

ଆମ୍ଭେ ଯିବୁ ୟେହି ଦଶମୀର ଦିବସେ ।୧୯୬।

ଯେ ହାଦେ ଯମନିକ ପର୍ବତ ନୀଳସୁନ୍ଦର ଗିରି

କୋଟିୟେ ତୀର୍ଥ ଘେନି ପୁଷ୍କର ୟେଥେ ନିତ୍ୟେହେଂ ବିଜେ କରି ।୧୯୭।

ଦ୍ୱାପର ଅନ୍ତେ ୟେଥି ବିଜେ କରିବେ ଜଗନ୍ନାଥେ

ବଉଧ ରୂପ ହୋଇ ବିଜେ କରିବେ ଦଶ ସହସ୍ର ବର୍ଷ ପରିଯନ୍ତେ ।୧୯୮।

କଳିଯୁଗେ ଅନେକ ଜନ ଯେ କରିବେ ସେବା

ରଙ୍ଗ କଉତୁକେ ବିଜେ କରିବେ ୟେଥେ ରାମକୃଷ୍ଣ ଦୁଇ ଦେବା ।୧୯୯।

ତୁ ତ ସମସ୍ତ ଜାଣୁ ସର୍ବଗ୍ୟଂ ପଣ୍ଡିତ ମହାମନ୍ତ୍ରୀ

ଗତ ଆଗତ ତୋହୋର ସମସ୍ତ ହୃଦଗତି ।୨୦୦।

ପରମ କଲ୍ୟାଣ ବାଞ୍ଛା କରନ୍ତି ମହାକଳ୍ପି

ଚଳ ଯା ସହଦେବ ରାଜନ୍ତ ଘେନି ଅଦ୍ୟାପି ।୨୦୧।

ମାର୍କଣ୍ଡଂକ କଇଲାଣ ପାଇ ମନ୍ତ୍ରୀବର

ଅର୍କ ତୀର୍ଥେ ବିଜେ ଯାଇଂ ପାଣ୍ଡବ ସୁନ୍ଦର ।୨୦୨।

ଶ୍ରୀରାମଚଣ୍ଡୀ ଯେ ରାମେଶ୍ୱର ଦ୍ରଶନେ

ଚନ୍ଦ୍ରଭାଗା ସ୍ରାହାନ ବିରଞ୍ଚି ନାରାୟଣ ପ୍ରସନ୍ନେ ।୨୦୩।

ଶ୍ରୀ ଅର୍କତୀର୍ଥ ରାଜା ହୋୟେ ନାରାୟଣ ଦାସ

ତହିଂ ବିଜୟେ ପଣ୍ଡୁ ରାଜାର ଯେ ଶିଷ ।୨୦୪।

ସହଦେବ ବିଜୟେ ଦେଖିଣ ନାରାୟଣସେନ ନୃପତି

ଛାମୁରେ ଦ୍ରଶନ କଲା ଆସି ତତକ୍ଷଣାନ୍ତି ।୨୦୫।

ଅକ୍ଷତ ଗୁଆ ତାଂକୁ ଯେ ସହଦେବ ଦେଇ

ଅର୍କତୀର୍ଥେ ରନ୍ଧନ କରି କଲେକ ମୁଣୋହି ।୨୦୬।

ନାରାୟଣେ ଚଳାଇ ସେ ଆଶନ୍ତି ବହନେ

ମହ୍ଲାର ବଳରାମ ଭେଟିଲେ କନ୍ଦୁକ ଗହନେ ।୨୦୭।

ନବଲକ୍ଷ ଯୋଦ୍ଧା ଘେନି ସେ ମଲ୍‌ହାର ବନରେ

ବେଣ୍ଟ ବିନୋଦେ ଭ୍ରମଇ ସେ ଚିତ୍ରଉତ୍ପଳା ନଦୀ ତୀରେ ।୨୦୮।

ସହଦେବ ବଳ ଚଳନ୍ତେ ସେ ଓଗାଳିଲା ଆସି

କାହିଂର ରେ ଗର୍ବ ତୋର ଗମନ କଲୁ ବନେ ପଶି ।୨୦୯।

କ୍ରୀତିବାସ କ୍ଷେତ୍ର ୟେ ସୁବର୍ଣ୍ଣଚୂଡ଼ ଗିରି

ବିଜୟେ ପରମାନନ୍ଦ ଦେବ ତ୍ରିପୁରାରି ।୨୧୦।

ବଦୟନ୍ତି ସହଦେବ ଶୁଣ ହୋ ମଲ୍‌ହାର

ବିନ୍ଦୁତୀର୍ଥ ପରମ ସିଦ୍ଧ ସାର ।୨୧୧।

ପିତୃକାର୍ଯ୍ୟ ନିମନ୍ତେ ଆମ୍ଭର ମହାଯୋଗ

ନୋହୁ ଦ୍ୱନ୍ଦୀ ବାଦୀ ଆମ୍ଭେ ତୁ କିଂପା ବହୁ ରାଗ ।୨୧୨।

ରାଜୁସି ଯାଗ ନିମନ୍ତେ ରାଜାନ୍ତ ନିମନ୍ତ୍ରଣ

ଲକ୍ଷେ ରାଜା କରିବୁଂ ଆମ୍ଭେ ସଭାୟେଣ ।୨୧୩।

ତୋହୋରେଣ କାର୍ଯ୍ୟ ଅଛି ଆମ୍ଭର ଯେ ବାବୁ

ନିମନ୍ତ୍ରଣ କରି ଆମ୍ଭେ ତୋତେ ଘେନିଯିବୁ ।୨୧୪।

ନ କର ବିବାଦ ତୁ ଶୁଣ ହୋ ମଲ୍‌ହାର

ଆସ ମୋର ସନ୍ନିଧ୍ୟକୁ ଘେନ ବରଣ ମାଳ ।୨୧୫।

ସହଦେବର ବଚନ ପାଇଣ ବନଚର

ଯାନ ବାହନ ତେଜି ରାୟେ ବିଜୟେ କଲା ପୟର ।୨୧୬।

କୃତ ଅଞ୍ଜଳି ହୋଇ ବିନୟେ ଭାବ ବୋଲି

ମୁହିଂ ଅପ୍ରାଧି ଜନ ନ ଜାଣି କୋପ କଲି ।୨୧୭।

ଘେନ ମୋର ଭଗତି ନ ଘେନ ଆନ ମନ

ଶୁଣ ସାଗର ନାଥ ଦୟିନୀ ମୋର ଘେନ ।୨୧୮।

ସହଦେବ ବୋଇଲେ ଶୁଣ ହୋ ମଲ୍‌ହାର

ରାଜୁସୀ ଯାଗକୁ ତୁ ଚଳ ଧାତିକାରେ ।୨୧୯।

ଯେ ତୋହୋର ଉପମା ପଦାର୍ଥ ମିଳଇ ବାବୁ

ସନ୍ୟବଳ ଘେନି ତୁ ରାଜୁସି ଯଗ୍ୟଂକୁ ଚଳିଯିବୁ ।୨୨୦।

ମଲ୍‌ହାରସେନକଇଂ ସେ ନିମନ୍ତି ମନ୍ତ୍ରୀବର

ବିନ୍ଦୁସାଗରେ ପଶି ପଖାଳନ୍ତି ଶିର ।୨୨୧।

ବିଜୟେ ମନ୍ତ୍ରୀବର ସେ ୟେକାମ୍ୱର ତୀର୍ଥେ

ପିଣ୍ଡଦାନ ଦେଇ ପୂଜଇ ବିଶ୍ୱନାଥେ ।୨୨୨।

ଜୟତୁ ମହାଦେବ ଭୁବି ଭୁବନ ମଣ୍ଡି

ଅଭୟେ ଭୁବନବାସୀ ନାଥ ସକଳ ଦୁଖ ଖଣ୍ଡି ।୨୨୩।

ଗିରିଜାର ବଲ୍ଲଭ ନାଥ ସତାଂଶୁ ମଉଳି

ବୃଷଭ ବାହାନେ ବିଜୟେ ନାଥ ଜୟତୁ କାପାଳୀ ।୨୨୪।

ପର ଦୁଃଖେଣ କାତର ସ୍ୱାମୀ ପର ଲୋକର ବନ୍ଧୁ

ଭଗତ ଜନମତ୍ସଳ ସ୍ୱାମୀ ଆଶା ସାଗର ସିନ୍ଧୁ ।୨୨୫।

ଶ୍ରୀ ମହାଲିଙ୍ଗ ଭୁବନାଧି ଭୁବପତି

ଅଭୟେ ସୁନ୍ଦର ନାଥ ଫେଡନ୍ତା ଦୁର୍ଗତି ।୨୨୬।

ଜୟତୁ ଭୁବନେଶ୍ୱର ମହାଲିଙ୍ଗ ଦେବରାଜା

ମଉଳେଣ ଧବଳାଙ୍ଗୀ ଯାହାର ବକ୍ଷସ୍ଥଳେଣ ଗିରିଜା ।୨୨୭।

ସ୍ୱାମୀ ଜନ୍ମେ ଜନ୍ମେ ସେବା ମୋହୋର ତୋହୋର ପଦ୍ମପାଦେ

ଲଭିବି ପରମ ଗତି ନାଥ ତୋହୋର ପରସାଦେ ।୨୨୮।

କୃତ୍ତିବାସନ ବେନିଦତ୍ୟ ନିବାରଣ ଦେବସ୍ୱାମୀ

ତବ ପଦ୍ମପାଦେ ଶତ ସହସ୍ର ଦଣ୍ଡ ପରିଣାମି ।୨୨୯।

ଶ୍ରୀ ମହାଲିଙ୍ଗ କ୍ଷେତ୍ର ଆଧିପତି ଭୁବନେଶ୍ୱର ପୂଜା

ଶୁଦ୍ରମୁନି ସାରୋଳା ଦାସ ପ୍ରଣପତ୍ୟ ଲିଙ୍ଗରାଜା ।୨୩୦।

ସହଦେବର ବିନୟେ ଦେଖି ବିଜୟେ କାପାଳୀ

ରଷଭ ଆରୋହି ବିଜେ ପଞ୍ଚଇ ମଉଳି ।୨୩୧।

ସହଦେବ ପ୍ରଣପତ୍ୟ ହୋଇଲା ଶତେ ସହସ୍ର ଦଣ୍ଡ

ଭଗତ ଜନମତ୍ସଳ ନାଥ ଅପାଦ ମୋର ଖଣ୍ଡ ।୨୩୨।

ସହଦେବ ଭଗତି ଦେଖି ବିଶ୍ୱନାଥ ଦିଅନ୍ତି ସମ୍ଭାଷି

ଆହୋ ପଣ୍ଡୁର ନନ୍ଦନ ତୁ ପରମ କଲ୍ୟାଣ ହୁଅସି ।୨୩୩।

ଅନେକ ପରମାର୍ଥ ଯେ କହିଲେ ଲିଙ୍ଗରାଜା

ସର୍ବକାର୍ଯ୍ୟ ସିଦ୍ଧହୋଉ ତୁହୋ ବହନ ହୋଇ ଯା ଯା ।୨୩୪।

ରାଜାମାନନ୍ତ ବାବୁ ତୁ କଲୁ କି ନିମନ୍ତ୍ରିଣ

ଯାଗ ନିକଟ ଆସି ହୋଇଲା ହୋ କହିଲେ ନାରାୟେଣ ।୨୩୫।

ଅକ୍ଷତ ଗୁଆ ଦିଲେ ମନ୍ତ୍ରୀ ଚୂଡାମଣି

ଶିବଗଣନ୍ତ ଘେନି ରାଜୁସି ଯଗ୍ୟଂକୁ ବିଜେ କରିବା ଶୂଳପାଣି ।୨୩୬।

ଶୁଣ ହୋ ସହଦେବ ବୋଲନ୍ତି ବିଶ୍ୱନାଥେ

ଅର୍ଜୁନ ନିମନ୍ତ୍ରିଲା ଆମ୍ଭନ୍ତ ଅଚଳ ହିମବନ୍ତେ ।୨୩୭।

ଆକାଶ ଦିଗ୍‌ବିଜେ କରିଛି ଫାଲଗୁନି

ସ୍ୱର୍ଗରୁ ଆସିବେ ସେ ଦେବଗଣମାନନ୍ତ ଘେନି ।୨୩୮।

ଆମ୍ଭେ ଯାଉଅଛୁ ରାଜୁସି ଯାଗ ସଭାକୁ

ତୁ ବହନ ଘେନି ଯାଅ ଯା ରାଜାଗଣମାନଂକୁ ।୨୩୯।

ୟେତେ ବୋଲି ଅନ୍ତରୀକ୍ଷେ ଗଲେ ବିଶ୍ୱେଶ୍ୱର

ୟେକାମ୍ୱର ତୀର୍ଥରୁ ସହଦେବ ହୋଇଲେ ବାହାର ।୨୪୦।

ମଲ୍‌ହାରସେନ ବୋଲି ଯେଉଂଣ ଦଣ୍ଡପତି

ତାହାକଇଂ ସହଦେବ ଚଳନ୍ତି ନିମନ୍ତି ।୨୪୧।

ତହୁଂଣ ବିଜେ କରି ଗଲେ ମନ୍ତ୍ରୀ ଚୂଡାମଣି

ଚିତ୍ରୋତ୍ପଳା କୂଲେ ବିଜେ ଥାଠ ଯେ ପଲାଣି ।୨୪୨।

କୁଣ୍ଡଳ ଭୋଜ ବୋଲି ୟେକଇ ନୃପତି

ସହଦେବକଇଂ ଦ୍ରଶନ କଲା ପୁଷ ଶୁକଳ ଦଶମମୀର ରାତି ।୨୪୩।

ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲେକ ମନ୍ତ୍ରୀବର

ରାଜୁସିଯାଗ ସଭାକୁ ୟେହିକ୍ଷଣି ହୁଅସି ବାହାର ।୨୪୪।

ଚଳଇ କୁଣ୍ଡଳ ଭୋଜ ଥାଠ ଯେ ଚଳାଇ

ତହୁଂଣ ଚଳିଲେ ସହଦେବ ରଥ ବାହି ।୨୪୫।

ଶ୍ରୀ ମହାଲିଙ୍ଗ ଉତ୍ପଳେଶ୍ୱର ପୂଜି

ଅନେକ ବିନୟେ ତଲୟେ ଚିତ୍ତ ଭଜି ।୨୪୬।

ବିଶ୍ୱନାଥ ସେବାକରି ଚଳଇ ସହଦେବ

କପିଳାସ ଶିଖରେ ବିଜୟେ ପାଣ୍ଡବ ।୨୪୭।

କାଶୀସେବା କରି ରହିଲେ ନନ୍ଦୀକେଶ୍ୱର ତୀର୍ଥେ

ଜାରାସେନ ବୋଲିକରି ୟେକଇ କିରାତେ ।୨୪୮।

ସେ ଯାଇଂ ଦ୍ରଶନ କଲା ପାଣ୍ଡବ ପଞ୍ଚାଳ

ଆହୋ ବନଚର ତୋହୋର ସଇନି ଘେନି ରାଜୁସି ଯାଗକୁ ଚଳ ।୨୪୯।

କିରାତ ସେନ ନୃପତି ସହଦେବର ଚରଣେ ପରିଣାମି

ୟେ ତୋହୋର ଆଗ୍ୟାଂ ପ୍ରମାଣେ ୟେହିକ୍ଷଣି ଯିବି ସନ୍ୟ ଘେନି ।୨୫୦।

ଅପୂର୍ବ ବନଜୀବ ଦୋହଳ ଗଣ୍ଡାଭାର ଘେନି

ତକ୍ଷଣେ କିରାତେଶ୍ୱର ଚଳାଇ ସଇନି ।୨୫୧।

ଚଳନ୍ତି ସହଦେବ ଈଶାଣ କୋଣ ଦିଗେ

ଜଳତରଙ୍ଗ ରାଜ୍ୟେ ବିଜୟେ ଯାଇଂ ବେଗେ ।୨୫୨।

ବାଜନ୍ତି ବୀର ତୂର ଯେ ଟମକ ନିଶାଣି

ବିହଡ଼ନ୍ତି ରାଉତେ ଖେଦନ୍ତି ଆଗିଆଣି ।୨୫୩।

ରାଜ୍ୟେଣ ପଶନ୍ତେ ତହିଂ ଶୁଭଇ ଘୋର ବାଣୀ

ଡଗରେ ବାରତା କହିଲେ ଜଳତରଙ୍ଗ ନୃପମଣି ।୨୫୪।

ସ୍ୱାମୀ କେଉଣ ଦେଶର ରାଜା ୟେଟି ଆସୁଅଛି ଥାଠ ଯେ ପଲାଣି

ରାଇଜେ ପଶନ୍ତି ଦେବ କାହାକଇଂ ନ ଗଣି ।୨୫୫।

ରଥଗଜ ଅଶ୍ୱ ଦେବ ବହୁତ ନାହିଂ ଦଣ୍ଡ

କ୍ଷେପନ୍ତି ଯୋଦ୍ଧାୟେ ଯେ ପ୍ରତଗ୍ୟାଂ ପ୍ରଚଣ୍ଡ ।୨୫୬।

ଚାରଗଣ ମୁଂଖ ଶୁଣି ୟେସନ ବାରତ

ଆଗ୍ୟାଂ ଦିଲା ଜଳତରଙ୍ଗ ସାଜରେ ମୋହୋର ରଥ ।୨୫୭।

ରାଜାର ବଚନେ ସେ ସାଜିଲେ ସଇନି

ରହ ରହ ବୋଲିଣ ସେ ଡାକନ୍ତି ଘୋର ଧୁନି ।୨୫୮।

ଅନେକ ଶହସ୍ର ଧରି ଆରୋହନ୍ତି ହୟେ

ଚୋଖାର ତୁରଙ୍ଗମ ଖେଦନ୍ତି ନିର୍ଭୟେ ।୨୫୯।

ବହୁତ ସଇନି ତାର ନ ଯାଇ ଗଣନା

କରେଣ ଛେଲଚକ୍ର ତାଡେଣୀ ବଜ୍ରସେନ୍‌ହା ।୨୬୦।

ରଥ ଗଜ ଅଶ୍ୱମାନ ଅପାର ପାଦାନ୍ତି

ତିନିଶତ ପାରିଦଣ୍ଡ ତୁଲେ ଘେନିଣ ନୃପତି ।୨୬୧।

ଆହୋ ଲୋହାର ରଥ ଯେ ଶାର୍ଦ୍ଦୋଳ ଚର୍ମର ଛାୟେଣୀ

ଉଭୟେ ବଳ ମଧ୍ୟେ ଟେକିଲେ ରଥ ରାୟେ ଆଣି ।୨୬୨।

ଆଗିଆଣି ଥାଠେ ଓଗାଳିଲେ ରାୟେ ଆସି

ଚନ୍ଦ୍ର ଦେବତାଂକୁ ଦେଖି ରାହୁ ଯେହ୍ନେ ଗ୍ରାସି ।୨୬୩।

ପାଞ୍ଚଲକ୍ଷ ଯୋଦ୍ଧା ଘେନି ସେ ଜଳତରଙ୍ଗ

ଆକାଶେ କ୍ଷେପିବାକୁ ସାମରଥ ସେ ଯେବଣ ତୁରଙ୍ଗ ।୨୬୪।

ରାଜାର ପ୍ରତଗ୍ୟାଂ ଦେଖି ପାଣ୍ଡବ ସଇନି

ଗର୍ଜିଣ ଉଠିଲେ ବୀରେ କରେ ଶସ୍ର ଘେନି ।୨୬୫।

ପ୍ରତଗ୍ୟାଂ ସାମରଥ ସେ ଜଳତରଙ୍ଗ ମହାବଳୀ

ଆପଣେ ମହାରାଜା ସଇନି ଓଗାଳି ।୨୬୬।

ସନ୍ୟ ଦୁଇଭାଗ ହୋଇଲେ ରାଜାର ଉଠନ୍ତେ

ସହଦେବର ଛାମୁରେ ଓଗାଳିଲେ ୟେକ ରଥେ ।୨୬୭।

ଆହୋ ମହାତ୍ମା ତୁ ଅଟୁ କେଉଣ ଦେଶର ରଥୀ

କି ନିମନ୍ତେ ଆସିଣ ତୁହି ମୋହୋର ରାଜ୍ୟ ମନ୍ଥି ।୨୬୮।

ସହଦେବ ବୋଇଲା ତୁ କେଉଣ ମନ୍ଦପ୍ରାଣୀ

ସହଦେବ ପୂର୍ବଦିଗ ବିଜୟେ ବୋଲି ତୁ କି ନ ଜାଣି ।୨୬୯।

ରାଜୁସି ଯାଗ ଆମ୍ଭେ କରିବା ନିମନ୍ତେ

ଚଉଦିଗେ ବିଜେ ଆମ୍ଭେ କରିଅଛୁ ଚାରି ଭ୍ରାଥେ ।୨୭୦।

ଲକ୍ଷେକ ନୃପତି ମିଳିବେ ତହିଂ ହୋଇବ ରାଜସୂୟ ସଭା

ସମଦଣ୍ଡ ଘେନି କରି ଚାଲ ବହନ ହୋଇ ଯିବା ।୨୭୧।

ସହଦେବର ବଚନେ ଜଳତରଙ୍ଗ ରାୟେ

ରଥ ତେଜ୍ୟା କରି ପ୍ରଣପତ୍ୟ ଯାଇଂ କୟେ ।୨୭୨।

ତୁ ଦେବ ସୋମବଂଶୀ କ୍ଷତ୍ରିୟ ଉତ୍ତମା

ଦଶଦୋଷ ଅପ୍ରାଧ କରିବା ମୋହୋର କ୍ଷମା ।୨୭୩।

ରାଜକୁ କୋଳକଲେ ସେ ସହଦେବ ମହାମନ୍ତ୍ରୀ

ଅକ୍ଷତ ଯୋଗାଡ଼ ଦେଇ ଜଳତରଙ୍ଗ ରାଜାକୁ ନିମନ୍ତି ।୨୭୪।

ଦଣ୍ଡ ଘେନି ବାହାର ତୁ ହୁଅସି ୟେହିକ୍ଷଣେ

ଯାଇଂ ପ୍ରବେଶ ହୋଇଲେ ନି ସମସ୍ତ ରାଜାଗଣେ ।୨୭୫।

ଶୁଣିଣ ନରେନ୍ଦ୍ର ଯେ ହୋଇଲାକ ସାନନ୍ଦ

ବହୁତ ହରଷେ ସେ ମନେଣ ଆନନ୍ଦ ।୨୭୬।

ଚଳଇ ଜଳତରଙ୍ଗ ନିଜ ବଳ ଘେନି

ତରଙ୍ଗ ଦେଶୁଂ ବାହାର ହୋଇଲେ ସଇନି ।୨୭୭।

ଅନେକ ସମ୍ଭରେ ସେ ଯେ ଚଳଇ ନୃପମଣି

ହସ୍ତିନା ପୁରକୁ ବୋଲି ଦଣ୍ଡ ଯେ ପଲାଣି ।୨୭୮।

ଗୋମତୀ ନଦୀକୂଳେ ଚଳଇ ସହଦେବ ମହାମନ୍ତ୍ରୀ

କଇବ୍ରତରାଜା ସେ ନିଷାଦପୁର ଆଧିପତି ।୨୭୯।

ପଞ୍ଚବିଂଶ ମର୍ଭୁତ ମର୍ଭୁତ ସେ ନାବ ଯେ ପଲାଣି

ସତ୍ୟଯୁଗହୁଂ ସେ ବ୍ରତି ଅଛଇ ନୃପମଣି ।୨୮୦।

ତ୍ରେତୟା ଯୁଗେ ସେ ଶ୍ରୀରାମଚନ୍ଦ୍ରଂକୁ କଲାପାରି

ତୋଷେ ଶ୍ରୀରାମ ତାହାକୁ ଅମର ପଦ ଅବଧାରି ।୨୮୧।

ସେ ରାଜାର ରାଜ୍ୟେ ଯାଇଂ ପ୍ରବେଶ ସହଦେବ

ଜଗତ ବାରାତ ରାଜାନ୍ତ କହିଲେ ସଦିଭାବ ।୨୮୨।

ସହଦେବ ରହିଛନ୍ତି ନଦୀ ଦକ୍ଷିଣର କୂଳେ

ଉତ୍ତର କୂଳେଣ ଥାଇ ଦେଖଇ ନିଷାଦ ମହୀପାଳେ ।୨୮୩।

କଇବ୍ରତକଇଂ ରାଇଣ ବୋଲଇ ନରନାହା

ଦକ୍ଷିଣ କୂଳକୁ ରେ ନାବ ମୋର ବହନ କରି ବାହା ।୨୮୪।

କେବଣ ଦେଶର ରାଜା ଯେ ରହିଛନ୍ତି ତେଣେ ପାରି

ଦଣ୍ଡଘେନି ଆସିବ ୟେ କୂଳକୁ ବିଜେ କରି ।୨୮୫।

ରାଜାର ଆଗ୍ୟାଂୟେ ସେ ସାଜିଲେ ନାବମାନ

ଫରହର ପାତାଙ୍ଗେ ଝଲକନ୍ତି ରତ୍ନମାନ ।୨୮୬।

ନାବ ଲାଗିଲା ଯାଇଂ ଦକ୍ଷିଣକୂଳ ଆଡେ

ହେମା ପର୍ବତ ଯେ ବନସ୍ତର କଇଛାଡେ ।୨୮୭।

ସହଦେବ ବିଜେକଲେ ନାବର ଉପରେ

ସଇନି ପାର ହୋଇଲେ ନଦୀର ଉତ୍ତର ତୀରେ ।୨୮୮।

ଆସ୍ତାନ ତେଜ୍ୟା କରି ସେ ନିଷାଦ କଇବ୍ରତ ରାଜା

ଅର୍ଘ୍ୟ ଗୋଟିୟେକ ଘେନି ସହଦେବଂକୁ କଲା ପୂଜା ।୨୮୯।

ନିଜ ପୁରେଣ ଉଚ୍ଛବ ଯେ କରାଇ ନୃପତି

ଧବଳ ଘର କରି ମଣ୍ଡିଲା ମେଢ ମଣ୍ଡୋପ ଦେଉଳ ଜଗତୀ ।୨୯୦।

ସୁବର୍ଣ୍ଣର ସିଂଘାସନେ ସହଦେବଂକୁ ବସାଇ

ଲକ୍ଷେ ସୁବର୍ଣ୍ଣ ଘେନି ଶୁତିଲା ପାଦାଅର୍ଘ୍ୟ ଦେଇ ।୨୯୧।

ବହୁତ କୃତ କୃତ ହୋଇଲା ସେ ରାଜା ନିଷାଦ

ବାବୁ ଦ୍ରଶନେ ଖଣ୍ଡିଲି ମୁଂ ସକଳ ଅପାଦ ।୨୯୨।

ଯାବତ କାଳେ ଥାଇଂ ମୁହିଂ ୟେହି ନଦୀର କୂଳେ

ପଥଶ୍ରାନ୍ତ ଜନନ୍ତ ମୁହିଂ ଦେଉଥାଇ ପାରେ ।୨୯୩।

ବାବୁ ତୋହୋର ଉପରେ ବଂଶେଣ ନୃପତି ଯଯାତି

ତାହାନ୍ତ ପାରିକରି ଦେଇଅଛି ମୁଂ ଶତେଘାନ୍ତି ।୨୯୪।

ବାବୁ ଶ୍ରୀରାମଚନ୍ଦ୍ର ହାଦେ ବନବାସ ଯିବାକାଳେ

ସୀତା ଲକ୍ଷଣ ଘେନି ଆସି ହୋଇଲେ ୟେହି କୂଳେ ।୨୯୫।

ତାହାନ୍ତ ପାରିକରି ଦିଲି ବନବାସ ଯିବାକୁ

ୟେହି ବାଟେ ରାମଚନ୍ଦ୍ର ଗଲେ ବଞ୍ଛାବଟ ତଳକୁ ।୨୯୬।

ରାବଣ ମାରିଣ ରାମ ବାହୁଡ଼ିବାର କାଳେ

ଅନେକ ସମ୍ପଦ ରାମ ଅଯୋଧ୍ୟାକୁ ଯିବା ବେଳେ ।୨୯୭।

ପଦ୍ମେକ ନାବ ପଠିଆଇ ଦିବାରାତି

ତିନିଦିନେ ପାରିଆଇଂ ମୁଂ ଦିଲଇଂ ସବୁନ୍ତି ।୨୯୮।

ତୋଷେଣ ପ୍ରସନ୍ନ ମୋତେ ହୋଇଲେ ରାମଚନ୍ଦ୍ର

ବୋଇଲେ ଯୁଗେ ଯୁଗେ ଆମ୍ଭନ୍ତ ପାରିଆଇ ଦେଉଥାଅ ରେ
ନିଷାଦ ।୨୯୯।

ସ୍ୱାମୀଂକର ଆଗ୍ୟାଂ ମୁଂ ଯେ ହୃଦେ ଧରିଥିଲି

କଂସବଧ କରିବାର କାଳେ ରାମକୃଷ୍ଣ ସମସ୍ତ ଗୋପାଳନ୍ତ
ପାରିକରି ଦିଲି ।୩୦୦।

ସହଦେବ ବୋଇଲେ ତୁ ତ ପର ଉପକାରୀ

ଆଗାଦ ସାଗରୁ ତୁ ଧର୍ମେ କରୁ ପାରି ।୩୦୧।

ସମଦଣ୍ଡ ସଇନି ଘେନି ତୋହୋର ନାବମାନ

ରାଜାମାନଙ୍କର ଯେତେ ଦେଖା ଦରଶନି ଧନ ।୩୦୨।

ସହସ୍ରେକ ଶତେଭାର ଧନ ଦେଇଗଲେ ମୋତେ

ଅପ୍ରମିତ ହିରଣ୍ୟ ୟେହା ମୁଁ ବହିଥିବି କେମନ୍ତେ ।୩୦୩।

ସମତୁଲେ ସହସ୍ରେ ନାବରେ ପୂରୋଇଲେ ଧନ ମନ୍ତ୍ରୀବର

ଆଗ୍ୟାଂ ଦିଲେ ଘେନି ଯାଅ ସଙ୍ଗତେ ତୋହୋର ।୩୦୪।

କରେ ଅର୍ଘ୍ୟ ଘେନିଣ ସେ ପାଣ୍ଡବ ପଞ୍ଚାଣ

ନିଷାଦ ନୃପତିକି କଲାକ ନିମନ୍ତ୍ରଣ ।୩୦୫।

ସହସ୍ରେକ ନାବ ତୋହୋର ଥାଉ ୟେହି ତୀରେ

ଆସନ୍ତା ରାଜାମାନନ୍ତ ପାରିଆଇ ଦେଉଥିବେ କଣ୍ଡେଆରେ ।୩୦୬।

ଆଉ ସଇନି ଘେନି ତୁ ଚଳ ଯା ସଭାକୁ

ରାତ୍ର ଦିବସେ ବାହି ଯାଅ ଯା ରାଜୁସି ଯାଗକୁ ।୩୦୭।

ନିଷାଦ ରାଜା ବୋଇଲା ସ୍ୱାମୀ ତୋହୋର ଆଗ୍ୟାଂ ପରମାଣେ

ହସ୍ତିନା ରାଜ୍ୟକୁ ମୁହିଂ ଯାଉଅଛି ୟେହିକ୍ଷଣେ ।୩୦୮।

ଚଳନ୍ତି ସହଦେବ ଦିଗବିଜେ କରି

ପ୍ରବେଶ ହୋଇଲେ ଯାଇଂ ଗ୍ୟାନନଗ୍ରି ପୁରୀ ।୩୦୯।

ସେ ରାଜ୍ୟର ରାଜା କୁଳଚନ୍ଦ୍ର ବୋଲି

ତାହାର ରାଜ୍ୟେ ସଇନି ପଶିଲେ ଯାଇଂ ପେଲି ।୩୧୦।

ବୀରତୂର ବାଦ୍ୟନାଦେ ଯେ ଗଗନ ଉଛୁଳେ

ରାଜ୍ୟରେ ପଶିଲେ ସଇନି ସନ୍ଧ୍ୟା ଅବସାନ ବେଳେ ।୩୧୧।

କଟକ ରକ୍ଷଣୀ ତାର ଚାରିଲକ୍ଷ ଯୋଧୀ

ରାଜ୍ୟେଣ ପଶନ୍ତେ ଆସି ଆପଣେ ନିରୋଧି ।୩୧୨।

କାହିଂର ରେ ସଇନି ତୁମ୍ଭେ ପଶ ଅନମିତେ

କେବଣ ଦେଶର ରାଜା ତୁମ୍ଭେ ନ କହି ବାରତେ ।୩୧୩।

ଯମକଇଂ ଅଭୟା କି ହୋଇଲେ ମନ୍ଦପଣେ

ୟେ ମହୀଆଳୀ ରାଜା ଯାହାକୁ ଜିଣନ୍ତା ନାହିଂ ରଣେ ।୩୧୪।

ମହା ପ୍ରତାପୀ ରାଜା ୟେ କଉସ୍ତୁଭ ବଂଶୀ

ଅପୁଚ୍ଛା ଆଗୋଚରରେ କିମ୍ପା ରାଜ୍ୟରେ ଆମ୍ଭର ପଶି ।୩୧୫।

କହୁଂ କହୁଂ ରାଜାର ଯୋଦ୍ଧାୟେ ବିକାଶିଲେ ମହାତେଜ

ସହଦେବ ଉପରକୁ ବିନ୍ଧିଲେ ନାରାଜ ।୩୧୬।

ସହଦେବ ବୋଇଲେ ହୋ ରହ ରହ ସଇନି

ବନ୍ଧୁବାସ ଲୋକନ୍ତ କିମ୍ପେ ବିନ୍ଧ ନାରାଜ ଘେନି ।୩୧୭।

କୁଳ ଚନ୍ଦନ ବୋଇଲା ତୁମ୍ଭେ କେବଣ ଦେଶର ରାଜା

ପରରାଷ୍ଟରେ ପଶି କିଂପା ତୁମ୍ଭେ ବୀରତୂର ବାଦ୍ୟ ବଜା ।୩୧୮।

ସହଦେବ ବୋଇଲା ଆମ୍ଭେ ଅଭୟେ ସୋମବଂଶୀ

ରାଜୁସି ଯାଗ ନିମନ୍ତେଣ ରାଜାନ୍ତ ନିମନ୍ତ୍ରିଣ ଆସି ।୩୧୯।

ଅକ୍ଷତ ଗୁଆ ଯେ ଦିଲେ ସୋମବଂଶୀ ମହାଛତ୍ରୀ

ସମଦଣ୍ଡ ଘେନିଣ ହୋ ଚଳ ଦିବାରାତି ।୩୨୦।

ସହଦେବ ଆଗ୍ୟାଂୟେ ସେ କୁଳଚନ୍ଦନ ମହାରାଜା

ସହଦେବର ପଦ୍ମପାଦେ ସେ କଲା ବହୁତ ପୂଜା ।୩୨୧।

ବୋଇଲା ସ୍ୱାମୀ ଆମ୍ଭେ ପୁଣ୍ୟ ଯେ ଅର୍ଜିଅଛୁଂ ପୂର୍ବେ

ରାଜୁସିଯାଗ ଦେଖିବାକୁ ସାମରଥ ହେଲୁଂ ୟେବେ ।୩୨୨।

ସମଦଣ୍ଡ ଘେନିଣ ସେ ଗ୍ୟାନପୁର ଚକ୍ରବ୍ରତୀ

ନିଜ ରାଜ୍ୟ ଛାଡି ରାଜା ବାହାର ତତକ୍ଷଣାନ୍ତି ।୩୨୩।

ଚଳନ୍ତି ସହଦେବ ତହୁଂ ଚଳାଇଣ ନିଜ ବଳ

ସାହେର ସଙ୍ଗମେ ପ୍ରବେଶ ଯାଇଂ ପଣ୍ଡୁରାଜାର ଦୁଲାକ ।୩୨୪।

ସେ ତୀର୍ଥେ ବିଜେ କରିଛନ୍ତି କପିଳ ମହଋଷି

ତ୍ରିବେଣୀ ସଙ୍ଗମ ତୀରେ ତପ କରୁଛନ୍ତି ବସି ।୩୨୫।

ଲମ୍ୱିତ ଜଟା ଦୀର୍ଘ ଭୂମିତେଣ ଅଛି କଣ୍ଡି

ତିନିଯୁଗ ହୋଇଲାନି ମହାତମାର ୟେକଲୟେ ଆସନ ଗୋଟି ।୩୨୬।

ରଥରୁ ଓହ୍ଲାଇ ସେ ମଦନା ଦେବୀର ବଳା

ଋଷିଂକର ପାଦତଳେ ସହଦେବ ପ୍ରଣପତ୍ୟ ହେଲା ।୩୨୭।

ପରମ ଯୋଗୀ ପୁରୁଷ ସେ କହନ୍ତି ସମ୍ପାଦ

ପ୍ରସନ୍ନେ ବାରତା କହିଲେ ଭାବନା ସଦାନନ୍ଦ ।୩୨୮।

ସହଦେବକଇଂ କହନ୍ତି କପିଳା ମହାଯତି

ରାଜୁସଯାଗ ବାଭିୟେ କରୁଅଛ ଯହିଂର ନିମନ୍ତି ।୩୨୯।

କଉତୁକେ ଭାରା ନିବାରଇ ଅନନ୍ତ

ଜାତ କରାଇଣ ସେ ପୁଣ କରାବଇ ଅନ୍ତ ।୩୩୦।

ଶାସନ ନାଶକ ସେ ଉଦ୍ଧରଇ ପରମ ଯୋଗୀ

କଉତୁକୀ ପୁରୁଷ ସେ ଭରାଭର ପରିତ୍ୟାଗୀ ।୩୩୧।

ତୁମ୍ଭେ ବ୍ରତ ବାବୁ ରେ ଯେଉଂ ବିଷ୍ଣୁର ଆଶ୍ରିତେ

ସେ ପରମାନନ୍ଦ ପୁରୁଷ ତୁମ୍ଭନ୍ତ ଯାଗ କରାନ୍ତି ଭଦିତ ଅର୍ଥେ ।୩୩୨।

ଲକ୍ଷେ ନୃପତିକି ଆଉ ସବୁ କରାଉଅଛି ସାଧି

ତୁମ୍ଭନ୍ତ ୟେକଛତ୍ରୀ କରାଇବାକୁ ତାହାର ଯେ ବୁଦ୍ଧି ।୩୩୩।

ଗଙ୍ଗା ଯମୁନା ସରସ୍ୱତୀ ୟେ ଯେ ତିନିଧାର

ତିନିହେଂ ପ୍ରତିକ୍ଷଣ କରାନ୍ତି ଋଷିଂକ ଜଟା ଭିତର ।୩୩୪।

ସାହେର ସଙ୍ଗମେ ପୁଣ ସେ ହେଉଛନ୍ତି ତିନିମୂର୍ତ୍ତି

ଦେଖିଣ ଆଶ୍ରିଜ ହୋଇଲା ଯେ ସହଦେବ ମହାମନ୍ତ୍ରୀ ।୩୩୫।

କପିଳ ମହାଋଷିଂକି ସେ ପଚାରଇ ବାଣୀ

ବିନୟେଭାବ ହୋଇଣ ସେ ଯୋଡ଼ଇ ବେନିପାଣି ।୩୩୬।

ବଡ଼ାଇ ଆଶ୍ରିଜ ସେ ସ୍ୱାମୀ ଦେଖିଲି ମହାତ୍ମା

ତୁମ୍ଭନ୍ତ ନ ଲଘଂଇ ୟେ ଗଙ୍ଗା ସତ୍ୟଧର୍ମା ।୩୩୭।

ସହଦେବର ବଚନେ ଯେ ବୋଲନ୍ତି ବ୍ରହ୍ମଋଷି

ବହୁତ କାଳର କଥା କହିବା ତୁ ସାବଧାନ ଦଣ୍ଡେ ହୋଅସି ।୩୩୮।

ଆହୋ ବିଜୟା ନାମେ ସେ ସତ୍ୟ ଯୁଗର ଯେ କଥା

ପ୍ରୋହିଣୀ ନାମେଣ ଯେ ପୃଥୀର ବାରତା ।୩୩୯।

ଇଚ୍ଛାକୁର ବଂଶେଣ ସଗର ନାମେଣ ନୃପତି

ରାଜାକୁ ବିବାଦେ ଷାଠିୟେ ସହସ୍ର ପୁତ୍ରନ୍ତ କଲାକ ଉତପତ୍ତି ।୩୪୦।

ମାତା କାଳେ ତାହାନ୍ତ ନୁଆରିଲା ପୋଷି

ମୃତ୍ତିକା ଆହାର କର ବୋଲି ପୁତ୍ରନ୍ତ ବଚନ ପ୍ରକାଶି ।୩୪୧।

ଷାଠିୟେ ସହସ୍ର ପୁତ୍ର ୟେକମୁଖ ହୋଇ

ଜମ୍ୱୁଦୀପ ପୃଥୀୟେ ଦେଉଛନ୍ତି ଖାଇ ।୩୪୨।

ନବଲକ୍ଷ ନଉସହସ୍ର ଯୋଜନ ୟେ ପୃଥୀ

ଦକ୍ଷିଣ ପୂର୍ବ ପଶ୍ଚିମ ତିନିଦିଗ ଖାଇ ଯାଉଛନ୍ତି ।୩୪୩।

ଆହୋ ସହଦେବ ନିତ୍ୟାପଡ଼ି ଖାଉଛନ୍ତି ୟେହିବାଗେ

ଦ୍ୱାଦଶ ବରଷ ପରିଯନ୍ତେ ଆହାର କଲେ ସତ୍ୟଯୁଗେ ।୩୪୪।

ବିଦ୍ୟାଧର ପୁରୁଷମାନେ କହିଲେ ଯାଇ ପିତାଂକୁ

ଜମ୍ୱୁଦୀପ ପୃଥୀ ନାଶଗଲା ଦେବ କହିଲୁ ତୁମ୍ଭଂକୁ ।୩୪୫।

ପୃଥୀନାଶ ଯାଆନ୍ତେ ଜଗତ ପିତାମହ

ଆମ୍ଭନ୍ତ ଆଗ୍ୟାଂ ଦିଲେୁ ସାଗର ରାଜାର ପୁତ୍ରନ୍ତ ଦହ ।୩୪୬।

ଧାତାର ବଚନେ ଆମ୍ଭେ କଲୁ କୋପମୂର୍ତ୍ତି

ସଗର ରାଜା ଷାଠିୟେ ସହସ୍ର ପୁତ୍ରନ୍ତ ଦହିଲୁଂ ତତକ୍ଷଣାନ୍ତି ।୩୪୭।

ତାହାଂକର ନନ୍ଦନ ଯେ ଉପୁଜିଲା ଭାଗ୍ୟରଥୀ

ଆକାଶୁଂ ଗଙ୍ଗା ଆଣିଲା ସେ ମଧ୍ୟସ୍ୱର୍ଗ ପୃଥୀ ।୩୪୮।

ଚଉଦନ୍ତେ ପ୍ରହାର କଲା ମେରୁ ମେଖଳନ୍ତ ଅଇରାବ୍ରତ

ତିନିଦଂଡ଼ ଫୁଟିଲା ଭାଗି ରହିଲା ୟେକଦନ୍ତ ।୩୪୯।

ଗଙ୍ଗା ଯମୁନା ସରସ୍ୱତୀ ତିନିଧାର ଫୁଟି

ସେ ଅଇରାବ୍ରତ ନାଗ ପଡ଼ିଲା ମହୀ ଲୋଟି ।୩୫୦।

ଆଗେଣ ଭାଗୀରଥୀ ପଛେଣ ଆଦିନାରୀ

ଗଙ୍ଗାକୁ କଢ଼ାଇ ଆଣଇ ସେ ଦିଗାମ୍ୱରୀ ।୩୫୧।

ଜନହୁ ନାମେ ମହଋଷି କୃତାନ୍ତେକ ବନେ ତପ କରୁଅଛି

ତିନିଧାର ମହାତମା ଗଣ୍ଡୁଷ କରି ତାହା ଭଛି ।୩୫୨।

ଅନେକ ଭଗତି ପୁଣ ସେ ସଗର ରାଜାର ନାତି

ଜାନୁ ବିଦାରି କଲା ଗଙ୍ଗା ଯମୁନା ସରସ୍ୱତୀ ତିନିମୃତ୍ତି ।୩୫୩।

ଗଙ୍ଗାକୁ ପ୍ରାର୍ଥନା କରି ଯହୁଂ ମାଗିଲା ଦୃଢବାକି

ତହୁଂ ସେ ଜାହ୍ନବୀ ନାମ ବହିଲେ ଧବଳ ମୁଖୀ ।୩୫୪।

ଗଙ୍ଗାକୁ କଢ଼ାଇ ତହୁଂ ଯେ ଆଣି ଭାଗୀରଥୀ

ନବ ସହସ୍ର ନବଶତ ଯୋଜନ ଆଣିଲା ଈଶାନ ମୃତ୍ତି ।୩୫୫।

ଆହୋ ବିଜୟା ନଗ୍ରେ ଶାରଦା ବୋଲିଣ ୟେକଇ ଗନ୍ଧାକାରୀ

ଗଙ୍ଗା ବହି ଆସନ୍ତେଣ ଆଣି ପାତିଲା ସୁରାଜାରୀ ।୩୫୬।

ଆକାଶ ହାନ୍ଦୋଳିତ ତିନିଧାର ରୂପ

ଗନ୍ଧକାରୀ ସୁରାଜାରୀରେ ତିନିଧାର ରୂପ

ଗନ୍ଧକାରୀ ସୁରାଜାରୀରେ ତିନିହେଂ ହୋଇଲେ ଗୋପ୍ୟ ।୩୫୭।

ତାହାକଇଂ ଅନେକ ସେବାକଲେ ଭାଗୀରଥୀ

ଗଙ୍ଗାକୁ ସେ ମହାତ୍ମା ମାଗିଲା ଅଭ୍ୟର୍ଥୀ ।୩୫୮।

ତୁହି ସେ ମହାତ୍ମାଣୀ ଗୋ ପଶିଲୁ ୟେ ମୋହୋର ସୁରାଜାରୀ

ଆଜହୁଂ ନାମ ତୋହୋର ବହିବୁ ସୁରାଶୁରୀ ।୩୫୯।

ସତ୍ୟ ମନାଇଣ ସେ ଛାଡିଲା ଗଙ୍ଗାକୁ

ଆହୋ ଭାଗୀରଥୀ ଭେଟାଇଲା ନେଇ ତାହାର
ପିତାମହମାନଂକୁ ।୩୬୦।

ଅଗ୍ନିର ଭିତରେ ନ ପଶଇ ଭାଗୀରଥୀ

ଆମ୍ଭଂକୁ ପ୍ରତିକ୍ଷଣ କଲାକ ତିନିଘାନ୍ତି ।୩୬୧।

ଗଙ୍ଗାହିଂ ବେଢ୍‌ଅଛି ତିନିବେଳ ପରିଯନ୍ତେ

ଭାଗୀରଥୀ ବୋଇଲା ମାଗୋ ମୁଂ ଆଣିଲି ପିତାମହଂକ ନିମନ୍ତେ ।୩୬୨।

ୟେ ଦହନ ଅଗ୍ନି ଲିଭାଇବୁ ନା ମୋହୋରେ ଭଗତି ଅର୍ଥେ

ଗଙ୍ଗା ବୋଇଲେ ଆମ୍ଭେ ସରୂପ କହୁଂ ତୋତେ ।୩୬୩।

ଯାହାର ମଣ୍ଡୋଳ ପୋଡୁଅଛିଟି ସଭାବେ

ଆପଣେ ନ ଝାସିଲେ କେହୁ ପଶିବ ସେହୁଠାବେ ।୩୬୪।

ଭାଗୀରଥୀ ବୋଇଲା ମୁଂ ଯେ ତୋହୋରେ ଶରଣ

ବଂଶର ନିମନ୍ତେ ଦେହ ଝାସୁଅଛି ମୋତେ ଅଛିଟି କି କାରଣ ।୩୬୫।

ଗଙ୍ଗା ବୋଇଲେ ୟେ ଚାରିଯୁଗର ମଧ୍ୟେ

ଭାଗୀରଥୀ ଗଙ୍ଗା ବୋଲି ସ୍ରାହାନ କଲେ ଧର୍ମ ହୋଇବ ସାଧ୍ୟେ ।୩୬୬।

ଦେବ ଦାନବ ଯେ ମାନବ ଆଦିକରି

ସାହାନ କରୁଥିବେ ଯେ ତୋହୋର ନାମ ସୁମରି ।୩୬୭।

ଗଙ୍ଗାର ଅଗ୍ୟାଂୟେ ସେ ହୋଇା ଶାନ୍ତିମୂର୍ତ୍ତି

ଦହନ ଅନକେ ତତକ୍ଷଣାନ୍ତି ଝାସିଲା ଭାଗୀରଥୀ ।୩୬୮।

ସଗର ରାଜା ଷାଠିୟେସହସ୍ର ପୁତ୍ରନ୍ତ ମୁକତି କରି ଧବଳାଙ୍ଗୀ

ମମ ଲଲାଟେ ପ୍ରତିକ୍ଷଣ କରିଅଛନ୍ତି ସଉଭାଗୀ ।୩୬୯।

ସାଗରେ ସଙ୍ଗମ ଯେ ହୋଇଛନ୍ତି ମାହେଶ୍ୱରୀ

ୟେଥିର ମହିମା ଅସଂଖ୍ୟ କେହୁ ଅନ୍ତ କରିପାରି ।୩୭୦।

ବାବୁ ଶୁଣରେ ସହଦେବ ସାଗର ସଙ୍ଗମର କଥା

କୋଟିୟେ ତୀର୍ଥ କଲେ ସେ ପୁଣ୍ୟ ସରି ନୁହଇ ୟେହୁ କଥା ।୩୭୧।

ଆହୋ ସୁରସନ୍ଧି ବୋଲି ସତ୍ୟଯୁଗେ ଗଙ୍ଗାଇଡୁବାଇ
ନାମରେ ବେନି ଏକ ପକ୍ଷୀ

ଆକାଶେ ଉଡନ୍ତେଣ ସେ ଜଳେଣ ମୀନ ଦେଖି ।୩୭୨।

ମତ୍ସ୍ୟର ନିମନ୍ତେ ୟେଥେଂ ପଡ଼ିଲା ଅବଗାହି

ସଙ୍ଗମୁଂ ବାହାର ହୋଇ ନୁଆରିଲା ଜାଣ ସେହି ।୩୭୩।

ନିଜକାୟା ଝାସିଲା ସେ ସଙ୍ଗମ ଭିତରେ

ଇନ୍ଦ୍ରପଦେ ବସିଲା ସେ ଅମର ସ୍ୱର୍ଗରେ ।୩୭୪।

ୟେସନେକ ମହିମା ୟେ ତୀର୍ଥର ଅପ୍ରମିତି

ଆମ୍ଭର ବ୍ରହ୍ମହତ୍ୟା ଦୋଷ ଖଣ୍ଡଣ ଗଲା ୟେଥି ।୩୭୫

ତୁ ୟେବେ ୟେଥେଂ ସ୍ରାହାନ କରସି ପାଣ୍ଡବ

ପଣ୍ଡୁର ନାମ ଧରି ସ୍ରାହାନ କଲେ ବ୍ରହ୍ମହତ୍ୟା ଦୋଷ ପାର ଯିବ ।୩୭୬।

କପିଳ ମହଋଷିଂକ ବଚନେ ସେ ମନ୍ତ୍ରୀ ଚୂଡାମଣି

ମହାତୀର୍ଥେ ସ୍ରାହାନ କରଇ ବଂଶର ପାକେତ ଗୁଣି ।୩୭୬।

ସ୍ରାହାନ ନିତ୍ୟକର୍ମ ସାରିଣ ସହଦେବ

ପିଣ୍ଡଦାନ ଦିଲା ପିତାର ନିମନ୍ତେ ପାର୍ଥିବ ।୩୭୮।

ପଣ୍ଡୁ ରାଜାର ପାତେକ ବ୍ରହ୍ମହତ୍ୟା ଦୋଷମାନ

ଖଣ୍ଡିଲା ମହାପାତେକ ସେ ମହୀତୀର୍ଥେ କରି ସ୍ରାହାନ ।୩୭୯।

କପିଳଋଷିଂକି ନିମନ୍ତିଲା ସେ ଅଟନ୍ତି କ୍ଷେତ୍ରାଧିପତି

ରାଜୁସିଯାଗ ସଭାକଇଂ ମହାତ୍ମା ଯିବା ହୋ ବ୍ରହ୍ମଯତି ।୩୮୦।

ସାନନ୍ଦେଣ ସନମତ ସେ କଲେକ କପିଳ

ରାଜାନ୍ତ ଘେନିଣ ବାବୁ ଶୁଭଯୋଗେ ଚଳ ।୩୮୧।

ଆହୋ ଅସ୍ତୁକାର ପୁରୁଷେ ମହାତୀର୍ଥେ ଥିଲେ

ଅସ୍ତୁ ଅସ୍ତୁ ବୋଲି ମଙ୍ଗଳେ ବାକ୍ୟ କଲେ ।୩୮୨।

ତହୁଂଣ ସହଦେବ ଚଳନ୍ତି ଦୁର୍ଗମେ

ସୁମରନ୍ତି ଶ୍ରୀନାରାୟଣେ ଶ୍ରୀପୁରୁଷୋତ୍ତମେ ।୩୮୩।

ଜୟେ ଜୟେ ନାରାୟଣ କୃତାନ୍ତେକ ଦର୍ପଭଞ୍ଜା

କଉଶିକର ମନ୍ତ୍ରେ ଯେ ତାତେକୀ ବଳଗଞ୍ଜା ।୩୮୪।

ମହାବ୍ରହ୍ମ ପୁରୁଷ ସ୍ୱାମୀ କୋଦଣ୍ଡ ଦୀକ୍ଷା ଗୁରୁ

କଉତୁକ କୁତୂହୋଳେ ଶ୍ରୀମହାଭାରଥ ଯୁଦ୍ଧ କଲୁ ।୩୮୫।

ହିରଣ୍ୟ ବିଦାରଣ ନାଥ କଣକଳ୍ପ ଯୁଦ୍ଧେ

କଉପଣ ଦର୍ପ ଧଂସିଲୁ ବାରାନିଧି ସେତୁବନ୍ଧେ ।୩୮୬।

ସୟଳଜନ ବଲ୍ଲଭ ସ୍ୱାମୀ କମଳୀ ପ୍ରାଣୂନ୍ଧୁ

କମଳାର ପ୍ରିୟଭାବେ ମଛନ ସପ୍ତସିନ୍ଧୁ ।୩୮୭।

ଶ୍ରୀହରିଂକ ପଦ୍ମପାଦ ବିଘଂସୁ ମମହୃଦେ

ଶୂଦ୍ରମୁନି ସାରୋଳା ଦାସ ବଦନ୍ତି ପରମ ସାନନ୍ଦେ ।୩୮୮।୮୧୫୨।

 

ଭୀମସେନଙ୍କର ପଶ୍ଚିମ ଦିଗ ଯାତ୍ରା, ମୃଗସେନ ରାଜା ସହିତ ଯୁଦ୍ଧେ ପରାଜୟ, ସୋମବଂଶର ବଂଶାବଳୀ ଓ ମୃଗସେନର ଜନ୍ମ ବୃତ୍ତାନ୍ତ

ଘଟଋଷିଂକ ନନ୍ଦନ ଅଗସ୍ତି ମହାତପୀ

ଯାହାଂକ ବାକ୍ୟ ଶୁଣନ୍ତେ ତରନ୍ତି ମହାପାପୀ ।୧।

ବଇବସୁତ ମନୁ ପୁଚ୍ଛାକଲେ ପରସ୍ତାବେ

ଇତି ଶ୍ରୀ ବିଷ୍ଣୁ ପୁରାଣ କହିବା ଅଗସ୍ତି ମୁନିଦେବେ ।୨।

ଭୀମସେନ ଗଲା ଯେ ପଚ୍ଛିମ ଦିଗକୁ

ସଞ୍ଚପି ସାଧ୍ୟ କଲାଟି ତହିଂ ରାଜାଗଣମାନଂକୁ ।୩।

ରାଜାଗଣମାନନ୍ତ ଘେନି ଭୀମସେନ ଅଇଲାଟି କି ଶୁଭେ

ତବ ମୁଖୁଂ ମହାତମା ଶୁଣିମି ମୁହିଂ ୟେବେ ।୪।

ବଦନ୍ତି ଅଗସ୍ତି ଶୁଣସି ଯୁଗପତି

ପଛିମେ ନିମନ୍ତିଲା ଭୀମ ଚାରିଉଣା ପଞ୍ଚାଶସହସ୍ର ନୃପତି ।୫।

ପଛିମର ଅନ୍ତେ ଯେ ମେରୁର ଦକ୍ଷିଣ ପାରୁଶେ

ଦୁମେଖଳ୍‌ ବୋଲି ପର୍ବତ ହୋଟିୟେ ହର ଉଦ୍ୟାନ ଦେଶେ ।୬।

ହରିନାଥ ବୋଲିଣ ଯେ ତହିଂର ନରପତି

ଇସିକିନ୍ଧା ରାଜ୍ୟେ ଅପାର କାଳହୁଂ ତାର ଥିତି ।୭।

ହରିବଳ ସଇନି ଘେନିଣ ସେ ଖଟିଲା ଶ୍ରୀରାମଚନ୍ଦ୍ରଂକୁ

ରାବାୟେଣ ଯୁଦ୍ଧେ ଜୟେ କଲେ ଶ୍ରୀରାମଚନ୍ଦ୍ର ପ୍ରସନ୍ନ
ହୋଇଲେ ତାହାକୁ ।୮।

ନିଜ ଆଷ୍ୟ ବିହିଲେ ସ୍ୱାମୀ ତାକୁ ଚିର ଆଷ୍ୟ କରି

ସ୍ୱାମୀର ଆଗ୍ୟାଂ ପରମାଣେ ରହିଲା ଇସ୍କିନ୍ଧା ରାଜ୍ୟପୁରୀ ।୯।

ଅପାର କାଳୁଂ ସେ ରାଜ୍ୟ କରଇ ବନେ

ଖଣ୍ଡିଲା ସଇନି ତାର ଶ୍ରୀରାମ ପରସନେ ।୧୦।

ହରିବଳ ସଇନି ତାର ଅଷ୍ଟାଦଶ ମର୍ଭୁତ

ଯମଦଣ୍ଡ ନିର୍ଭୟେ ରାଜା ନିର୍ଦ୍ୱନ୍ଦେ ଥାଇ ବନସ୍ତ ।୧୧।

ସେ ରାଜ୍ୟେଣ ପ୍ରବେଶ ହୋଇଲା ପାବେନି

ରାଜ୍ୟେଣ ପଶନ୍ତେ ତହିଂ ଶୁଭଇ ଘୋର ଧୁନି ।୧୨।

କିଳିକିଳା ରାବ କରି ପର୍ବତୁଂ ଧାଇଂଲେ କପିବୀରେ

କରେଣ ଶୋଭାବନ ସେ ବୃକ୍ଷ ଯେ ପଥରେ ।୧୩।

ରେ ରେ କାର ଶବଦେ କିଳିକିଳା ବୃତ୍ତବାଣୀ

କମ୍ପିଲେ ବୃନ୍ଦାଅର୍କେ ଓହୋବଳ ଶବଦ ଶୁଣି ।୧୪।

କିଟି କିଟି ବାକ୍ୟେଣ ମିଟି ମିଟି ବେନି ତୋଳେ

ଖେଦନ୍ତି ଖେପନ୍ତି ଉଠନ୍ତି ବୃକ୍ଷତାଳେ ।୧୫।

ଭିଡନ୍ତି ଦଶନ ଓଷ୍ଠେ ଖଡାନ୍ତି ବିକଟ ମୁଖେ

ଦେଖିଣ ପାଣ୍ଡବବଳ ସଇନି ଧାମନ୍ତି ପରିକକ୍ଷେ ।୧୬।

ଧରନ୍ତେଣ ନ ପାଇଟି ପିଟନ୍ତେଣ ନୋହୋନ୍ତି କତି

ତର୍ଜନ୍ତି ଗର୍ଜନ୍ତି ବୀରେ ଅଭୟେ ସର୍ବରଥୀ ।୧୭।

ଭୀମସେନ ପଶିଲେ ସାଂଗ୍ରାମ ଉପେକ୍ଷି

ନଗ୍ରେଣ ପଶିଲେ ବୀରେ ହରିବଳନ୍ତ ନ ଲେଖି ।୧୮।

ଉତାଉଳ ବାଦ୍ୟ ଶୁଣିଲେ ସେ ହରିନାଥ ରାୟେ

ବେଲାଉଳ ବଳ ଘେନି ଆପଣେ ବିଜୟେ ।୧୯।

ଭୀମସେନ ଛାମୁରେଣ ପ୍ରବେଶ ହୋଇଲା ଆସି

ପାଣ୍ଡବବଳ ସଇନି ଦେଖିଣ ସର୍ବେ ତ୍ରାସି ।୨୦।

ହରିନାଥ ପଚାରଇ ଶୁଣ ହୋ ମହାତମା

ମାନବ ଜନମ ହୋଇ ତୋର ଦୁସହ ମହିମା ।୨୧।

କପିବଳ ସଇନି ମୋହୋର ଅଟନ୍ତି ମହାଯୋଧୀ ।

ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ର କଲେ ମୋତେ ସାଧି ।୨୨।

ଭୀମସେନ ବୋଇଲେ ତୋହୋର ପ୍ରତଗ୍ୟାଂ ବହୁତ

ମୁହିଂ ସେ ପାଣ୍ଡବ ହୋ ସୋମବଂଶେ ଅଟଇ ଜାତ ।୨୩।

ପବନ ନନ୍ଦନ ଯେ ଭୀମସେନ ମୋର ନାମ

ପଛିମ ଦିଗକୁ ବିଜେକଲି ମୁଂ ସୋମରାଷ୍ଟ ସୋମ ।୨୪।

ରାଜୁସି ଯଗ୍ୟଂ ଯୁଝେଷ୍ଠି କରିବା ନିମନ୍ତେ

ସମସ୍ତ ରାଜାମାନ ଯାଉଛନ୍ତି କଟକ ବାରୁଣାବନ୍ତେ ।୨୫।

ତୁ ମହାରାଜା ବନସ୍ତର ଅଧିକାରୀ

ତୋତେ ନିମନ୍ତ୍ରଣ ନିମନ୍ତେ ପଶିଲି ତୋର ପୁରୀ ।୨୬।

ସମଦଣ୍ଡ ଘେନି ତୁହୋ ଯିବୁ ୟେବେ ହସ୍ତିନା

ନୋହୁଂ ଆମ୍ଭେ ଦ୍ୱନ୍ଦକାରୀ ଉଚ୍ଛବ କାର୍ଯ୍ୟ ସିନା ।୨୭।

ଭୀମସେନର ବଚନେ ସାନନ୍ଦ ହରିନାଥ

ବୋଇଲା ପବନର ନନ୍ଦନ ତୋର ସୋଦର ହନୁମନ୍ତ ।୨୮।

ଭୀମସେନର ସନ୍ନିଧ୍ୟେ ନୃପତି ବିଜୟେ ପ୍ରିୟଭାବେ

ଭୀମସେନକଇଂ ପୂଜା କଲା ବଡାଇ ସମ୍ଭର୍ବେ ।୨୯।

ରାଜ୍ୟେଣ ନୃପତି ଯେ କରାଇ ଉଚ୍ଛବ

ବହୁତ ବନତୋହଳ ଦିଲାକ ସମ୍ଭର୍ବ ।୩୦।

ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲାକ ପଞ୍ଚାଳ

ଦଣ୍ଡସାଜି ବାହାର ହୋଇଲା ସେ ହରିନାଥ ମହୀପାଳ ।୩୧।

ତହୁଂଣ ମାରୁତି ଯେ ଚଳଇ ଦଣ୍ଡ ଘେନି

ମେଖଳ ଦେଶେ ଯାଇଂ ପ୍ରବେଶ ପାବେନି ।୩୨।

ଲୋକାଲୋକ ନାମେଣ ଯେବଣ ପର୍ବତ

ତହିଂ ଯାଇଣ ପ୍ରବେଶ ପବନର ସୁତ ।୩୩।

ବାଜଇ ବୀରତୂର ଟମକ ନିଶାଣ

ମୁଖରାବ ଶବଦେ କମ୍ପଇ ପ୍ରୟାଣ ।୩୪।

ମୃଗସେନ ନାମେଣ ଯେ ତହିଂର ନୃପତି

ବଡାଇ ପ୍ରତାପୀ ରାଜା ସେ ମେରୁ ମେଖଳେ ତାର ଥିତି ।୩୫।

ଭୀମସେନ ବିଜେକଲା ସେ ରାଜାର ରାଜ୍ୟେ

ମେଦିନୀ ଦଲଦଲିତ ହୋଇଲା ଘୋର ବାଦ୍ୟ ଶବଦ ବାଜେ ।୩୬।

ବୀରତୂର ଶବଦ ଶୁଣି ସେ ମୃଗସେନ ମହାରାଜା

କନ୍ଦର ଉପରେ ଥାଇ ଦେଖଇ ନୃପତି ମହାତେଜା ।୩୭।

ଶ୍ରୀଭୁଜେ ଶୋଭାବନ ଧନୁଶର ଭାରତୀ

ଅଧର ପୁଷ୍ଟକରି ରାଜା ଚାହଂଇ ପୂର୍ବ ମୂର୍ତ୍ତି ।୩୮।

କନ୍ଦର ବେଢ଼ିଲା ଯାଇଂ ପାଣ୍ଡବବଳ ଥାଠ

ଦେଖଇ ନୃପତି ଗହଳ ଗୁର ରାଷ୍ଟ ।୩୯।

ବୀରବର ପ୍ରତଗ୍ୟାଂ ଯହୁଂ କରନ୍ତି ସର୍ବଯୋଧୀ

ଆକ୍ରେଷି କରିଣ ଯେ ନାରାଜ ବେଗେ ବିନ୍ଧି ।୪୦।

ଯୋଦ୍ଧାଂକର ପ୍ରତଗ୍ୟାଂ ଶୁଣିଲା ମୃଗସେନା

କୋପେଣ ନାରାଜ ବିନ୍ଧଇଲା ତୀକ୍ଷମୁନା ।୪୧।

ଶିଂଗ ତୁରଙ୍ଗ ଧନୁରେ ପଞ୍ଚନାରାଜ ସନ୍ଧି

ଆକର୍ଣ୍ଣ ପୂରୋଇ ନୃପତି କୋପେଣ ଶର ବିନ୍ଧି ।୪୨।

ପଞ୍ଚ ନାରାଜ ଘୋଟିଲା ପାଣ୍ଡବବଳ ଥାଠ

ତ୍ରାସେ ପଳାବନ୍ତି ସଇନି ନ ଦିଶଇ ବାଟ ।୪୩।

ଅନ୍ତରୀକ୍ଷେ ପଡିଲା ଆସି ଭୀମସେନ ସଇନିର

ଯୋଦ୍ଧା ୟେକା ଘାନ୍ତିକେ ହୋଇଲେ ଅପହାର ।୪୪।

ପୁଣ ପ୍ରହାର କଲା ସେ ଶହସ୍ର ଯେ ବାରି

ପଞ୍ଚଦଶ ଯୋଦ୍ଧା ପୁଣ ପଡ଼ିଲେ ପ୍ରାଣହାରି ।୪୫।

ବାତ ଘାତେ ଯେନହେ ପଡ଼ଇ କଦଳୀ

ପୁଣ ପୁଣ ପ୍ରହାରେ ସଇନି ପଡୁଛନ୍ତି ଢଳି ।୪୬।

ସଇନି ନାଶ ଦେଖି ସେ ପାଣ୍ଡବ ପଞ୍ଚାଳ

ରଥ ଛାଡି ଡେଇଂ ପଡ଼ିଲା ସେ ପବନ ନନ୍ଦନ ମହାବଳ ।୪୭।

ପୁଣ ପୁଣ ପ୍ରହାର ସେ କଲା ମୃଗସେନ

ଭୀମସେନର ସଇନି ସର୍ବ ହୋଇଲେ ଦହନ ।୪୮।

ଥାଠ ପଳାବନ୍ତେ ଯେ କୋପେଣ ମାରୁତି

ବଜ୍ରଶିଳା ୟେକ ଘେନି ପର୍ବତେ ଉଠିଲା ତତକ୍ଷଣାନ୍ତି ।୪୯।

ରେ ରେ କାର ଶବଦେ ଚନ୍ଦ୍ରକୁ ଘୋଟଇ ଯେନ୍‌ହେ ରାହୁ

ଉର୍ଦ୍ଧ୍ୱଗତେ ନୃପତିକି କଲା ବେନି ବାହୁ ।୫୦।

ଭୀମସେନର ମୃର୍ତ୍ତି ଦେଖିଣ ମୃଗସେନ

ପୁଣ ଶତେ ନାରାଜ କଲାକ ଆଧାନ ।୫୧।

ଗିରିବର ଉହାଡ଼େ ଯେ ରହିଥିଲେ ସଇନି

ପଡ଼ିଲା ନାରାଜ ଯେ ଝଲକିଲା ବହନି ।୫୨।

ଶତେକ ରଥ ଯେ ଚାରିଶତ ହାଥୀ

ବେନି ଅହିବ୍ରତ ସନ୍ୟ ପଡ଼ିଲେ ତତ୍‌କ୍ଷଣାନ୍ତି ।୫୩।

ଶତେକ ନାରାଜ ପୁଣିହିଂ କଲା ବୃଷ୍ଟି

ଭୀମସେନ ଥାଠେ ପତି ବହନି ତେଜ ଉଠି ।୫୪।

ଯେସନେକ ପବନ ବହନ୍ତେ ପ୍ରଖର ଅନଳ

ସହସ୍ରେକ ତେଜ କରି ଦହଇ ପାଣ୍ଡବ ବଳ ।୫୫।

ଯେତେକ ସଇନି ଅଇଲେ ଭୀମସେନର ତୁଲେ

ସମସ୍ତ ଦହନ ହୋଇଲେ ମୃଗସେନର ନାରାଜ ପଡିଲେ ।୫୬।

ୟେକାମାତ୍ର ରହିଲେ ଭୀମସେନ ମରୁତ ସାରଥି

ସଖା ସୋଦର କେହି ନାହିଂ ତାର କତି ।୫୭।

ନିଜବଳ ସଇନି ତାର ସମସ୍ତ ଅବସ୍ତା ଦେଖି

ଅରୁଣ ଉଲ୍ଲୋଳ ଧାରାଶ୍ରାବଣ ବହଇ ବେନି ଆଖି ।୫୮।

କ୍ରୋଧେଣ ରୋବଇ ସେ ପାଣ୍ଡବ ପଞ୍ଚାଣ

ସାରଥିକି ପ୍ରଣପତ୍ୟେ ସେ ବୋଲଇ ଭୀମସେନ ।୫୯।

ତୁ ମୋହୋର ପିଅର ଯେ ପିତାମହ ସରି

ସଖା ସୋଦର ମୋହୋର ସମସ୍ତ ଅପହାରି ।୬୦।

ନିଲଜ୍ଜେ ରହିଅଛି ଯେ ମୋହୋର ର ପଞ୍ଚୁଆତ୍ମା

କ୍ଷତ୍ରୀବର ସୋହୋଡ଼ ଯେ ସାଧିୁ ମହାତମା ।୬୧।

ଆମ୍ଭନ୍ତ କିମ୍ପା ନାଶ ନ କଲା ସେହୁ ରଣେ

ଜୀବନ୍ତେ କିସ ପିରୋଜନ ପ୍ରାପତ ହୋଉ ମରଣେ ।୬୨।

ସଖା ସୋଦରନ୍ତ ଯେ ସମସ୍ତ ମରାଇ

ଛତ୍ରୀକୁଳକୁ ଲାଜ ଯେ ବ୍ରତିବା କିସ ପାଇଂ ।୬୩।

ଭୋ ପିତାମହ ବେଗେ ତୁ ବାହା ମୋର ରଥ

ମୃଗସେନ ନ ମାଇଲେ କିସ ମୋହୋର ଜୀବିତ ।୬୪।

ଭୀମସେନକଇଂ ସମାର୍ଜଇ ସାରଥିବର ଶ୍ରେଷ୍ଠ

ଅପଣ୍ଡିତ ଛତ୍ରୀ ତୁ ପ୍ରକୃତି ତୋର ଦୁଷ୍ଟ ।୬୫।

ଯଦ୍ୟପି କ୍ଷତ୍ରୀବର ସେ ଅଟଇ ଶୂରବନ୍ତା

ଅବଶ୍ୟ ହାରିବା ପଡ଼ିବା ସର୍ବଥା ନୋହୋଇ ଜିତା ।୬୬।

ୟେସନେକ ବିଚାରନ୍ତେ ଧାଇଂଲା ମୃଗସେନ

ହାବୋଡା ଶରକେ ଆଣି ମାଇଲା ବହନ ।୬୭।

ବଜ୍ରଗିରି ସମାନେ ନାରାଜ ତାର ପଡ଼ି

ଭୀମସେନ ରହୁବର ହୋଇଲା ସର୍ବ ଚୂରି ।୬୮।

ରଥ ଗଜ ଅଶ୍ୱ ଭଙ୍ଗ ଯହୁଂ ହୋଇଲା ସାଂଗ୍ରାମେ

ପାଦଗତି ହୋଇ ଧାମଇ ବୀର ଭୀମେ ।୬୯।

ସାରଥିର ବଚନେ କରଇ ନିରେଖା

ରାଗେଣ ମାରୁତି ଯେ ଧର୍ମ କଲାକ ଉପେକ୍ଷା ।୭୦।

ବାଆନ ବାଆନ ଭାର ବୁଲାଇ ଗଦା ବେନି

ମୃଗସେନକଇଂ ପ୍ରହାର କଲା ଆକ୍ରଷଣ ମାତ୍ର ଘେନି ।୭୧।

ନିଦାଘକାଳେ ଯେହ୍ନେ ରାହୁର ତେଜ ଦିଶି

ସେହି ସରୂପେ ଭୀମସେନ ମୃଗସେନକଇଂ ଆକ୍ରେଷି ।୭୨।

ବୁଲାଇଣ ପ୍ରହାର କଲା ସେ ହିଡିମ୍ୱକୀର ନାହା

ଦେଖିଣ ମୃଗସେନ ପାତିଲା ବେନି ବାହା ।୭୩।

ଭୀମସେନ ଗଦା ପ୍ରହାରିଲା ଗଳଗାଜି

ମୃଗସେନ ଉପରେ ପଡ଼ି ଗଦା ଗଲା ଭାଜି ।୭୪।

କୋଇନ୍ତାଂକର ନନ୍ଦନ ଯହୁଂ ହୋଇଲା ଶୂନ୍ୟ ହାଥ

ଲୋହସାର ଗଦା ଘେନି ପ୍ରହାର କଲା ମୃଗସେନ ନରନାଥ ।୭୫।

ଦେଖିଣ ବ୍ରିକୋଦର ପାଡ଼ିଲା ବାମ ଅଙ୍ଗ

ମୃଗସେନ ଗଦାବେନି ହୋଇଲାକ ଭଙ୍ଗ ।୭୬।

ଗର୍ଜଇ ବ୍ରିକୋଦର ପାଇଣ ମହାଖଂଗ

ବଜ୍ରମୁଥକେ ପ୍ରହାର କଲା ମୃଗସେନର ଅଙ୍ଗ ।୭୭।

ମୃଗସେନ ପ୍ରହାର କଲାକ ବଜ୍ରମୁଥେ

ଘାୟେଣ ବଞ୍ଚାଇଲା ତାହା ପବନର ସୁତେ ।୭୮।

ଦେଖିଣ ମୃଗସେନ ନୃପତି ଯେ ଧାଇଂଲା ମହାକ୍ରୋଧେ

ଆକ୍ରେଷି ବ୍ରିକୋଦରକୁ ଧଇଲା ମାଲଯୁଦ୍ଧେ ।୭୯।

ପବନ ନନ୍ଦନ ଯେ ମହାବଳବନ୍ତା

ମୃଗସେନ ନୃପତି ତ୍ରଇଲୋକ୍ୟେଣ ଜିତା ।୮୦।

ଭୁଜେ ଭୁଜ ଭିଡି ପାଦେଣ ପାଦ ଛନ୍ଦି

ଶିରେ ଶିର ପଡ଼ିତାଳ ହୃଦେଣ ହୃଦ ବାନ୍ଧି ।୮୧।

ସମର ସମ୍ଭର୍ବେ ବୀରେ ପଡ଼ିଲେ ମେଦିନୀ

ସତ୍ୟଯୁଗେ ସାଂଗ୍ରାମେ ଯେସନେକେ କେତୁ ମଙ୍ଗଳ ବେନି ।୮୨।

ତେସନେକେ ସାଂଗ୍ରାମେ ଯେ ପଡ଼ିଲା ମହାରୋଳ

ମୁଖରାବ ଶବଦ ଯେ ଶୁଭଇ ଗରୁଗୋଳ ।୮୩।

ଦେବ ଦାନବ ଯେ ପକ୍ଷ କିନ୍ନରମାନେ

ଭୟେଣ ତ୍ରାସିଲେ ନ ରହିଲେ ଶୂନ୍ୟସ୍ତାନେ ।୮୪।

ଶିରେ ଶିରେ ପଡ଼ିତାଳ କରନ୍ତେଣ ବେନି

ରଣଝଣ ଶବଦେ ଉଠଇ ଯେ ବହନି ।୮୫।

ଗଳଇ ରୁଧିର ଯେ ରୋମେ ରୋମେ ଶ୍ରୋଣି

ଦେହେ ଦେହ ଜଡ଼ି ହୋଇଲା ଯାମଳା ବୃକ୍ଷ ଜାଣି ।୮୬।

ଖାଇ ଖଣା ଆବର ଡିଙ୍ଗର ପର୍ବତ

ପଡ଼ିଣ ଧୂଳି ହୋଇଲେ ଗଡ଼ିଣ ଶରୀର ଘାତ ।୮୭।

ଦଲଦଲିତ ହୋଇଲା ସପତଦୀପା ପୃଥୀ

ମହାଭାରା ପାଇଣ ତ୍ରାସିଲା ବସୁମତୀ ।୮୮।

ଭୀମସେନକଇଂ ପଡ଼ିଲା ନୃପତି ମୃଗସେନ

ବକ୍ଷସ୍ଥଳେଣ ମାଡ଼ି ବସିଲା କୋପମନ ।୮୯।

ମହାନଗରକଇଂ ସିଂଘ ଯେହ୍ନେ ମାଡ଼ି ବସଇ ଆକ୍ରେଷି

ଭୀମସେନ ହୃଦଗତେ ତେହ୍ନେ ମୃଗସେନ ମାଡ଼ିବସି ।୯୦।

ଗନ୍ଧମାର୍ଦ୍ଦନ ମାଡ଼ି ଯେହ୍ନେ ବସଇ ମନ୍ଦର

ସେହି ସାଦ୍ରିଣେ ଦିଶଇ ମୃଗସେନ ମହାବୀର ।୯୧।

ବାମକର ବକ୍ଷସ୍ଥଳେ ଦକ୍ଷିଣରେ ମୁଥ ମାରି

ପ୍ରତଗ୍ୟାଂ କରି ବୋଲଇ ରେ କେ ତୋତେ ରକ୍ଷା କରି ।୯୨।

ନୟନ କଟାକ୍ଷ କରି ଅଧରେ ଦନ୍ତ ଚାପି

ରାହୁର ତେଜ ପ୍ରାୟେ ମୃଗସେନ ବିକାଶଇ କାମରୂପୀ ।୯୩।

ଘାୟେଣ ନିଚେଷ୍ଟ ସେ ହୋଇଣ ମାରୁତି

ଶତଶୃଂଗ ପର୍ବତକୁ ସିମରଣା କଲା ଝାତି ।୯୪।

କନ୍ଦରବର ରାଜା ଭୀମସେନର ଅଙ୍ଗେ ବିଜେ

ପାଇଲା ସାଷ୍ଟାମ ସେ ପବନର ଆତ୍ମଜେ ।୯୫।

ୟେକଉତ୍ତର ଶତଶୃଂଗ ପ୍ରାକ୍ରମ ବ୍ରିକୋଦର ମହାବଳେ

ଲେଉଟାଇ ମୃଗସେନକୁ ଭୀମ ପଡ଼ିଲାକ ତଳେ ।୯୬।

ମହା ବଳବନ୍ତା ସେ ପବନର ସୁତେ

ଗାଢ଼େଣ ବସିଲା ସେ ମୃଗସେନ ହୃଦଗତେ ।୯୭।

କୋଇନ୍ତାର ନନ୍ଦନ ସେ ପ୍ରତଗ୍ୟାଂ ମହାଗରୁ

ବୁଡ଼ିଲା ନିଜ ଜୀବନ ଆଜ କେ ପାରୁ ରକ୍ଷାକରୁ ।୯୮।

ସୁମର ମୃଗସେନ ରେ ତୋହୋର ପିତା ମାତା

ସୁମର ପାମର ରେ ତୋହୋର ଇଷ୍ଟ ସେ ଦେବତା ।୯୯।

ଭୀମସେନ ପ୍ରତଗ୍ୟାଂ ମୃଗସେନ ଶୁଣି

ଗର୍ଜିଣ ଭୀମସେନକୁ ଲେଉଟାଉଲା ବୀର ପୁଣି ।୧୦୦।

ଧାତିକାରେ ମାଡ଼ି ବସିଲା ଭୀମସେନର ବକ୍ଷସ୍ଥଳେ

ପୁଣ ପୁଣ ପ୍ରତଗ୍ୟାଂ ସେ କରଇ ମହାବଳେ ।୧୦୧।

ଆରେ ଆରେ ପାମର ମହିମାଂ ତୋର ଧନି

ରେ ରେ ପାମର ସାଧୁ ତୋହୋର ପିଅର ଜନନୀ ।୧୦୨।

ରେ ରେ ପାମର ରେ ସାଧୁ ତୋହୋର ଦର୍ପ

ରେ ରେ ପାମର ମାନବ ତୋହୋର କେଉଣ ଗୁଣ ପ୍ରତାପ ।୧୦୩।

ରେ ରେ ପାମର କିସ ପ୍ରତଗ୍ୟାଂ ଦୁଷ୍ଟ କରୁଂ

ରେ ରେ ପାମର କେ ତୋତେ ଆଜ ରକ୍ଷା କରୁ ।୧୦୪।

ରେ ରେ ପାମର ତୋର ବିଦାରିବି ବକ୍ଷସ୍ଥଳ

ରେ ରେ ପାମର ଆଜ ପୂରିଲା ତୋର କାଳ ।୧୦୫।

ରେ ରେ ପାମର ତୁ କେଉଣ ପ୍ରଦେଶୀ

ରେ ରେ ପାମର ତୋତେ ଛନ୍ଦିଲା କାଳଫାଶି ।୧୦୬।

ରେ ରେ ପାମର ଅଗ୍ୟାନ ଦୁଷ୍ଟ ତୋର ହିୟା

ରେ ରେ ପାମର ଆଜ ବିଦାରିବି ତୋର କାୟା ।୧୦୭।

ରେ ରେ ପାମର କିମ୍ପେ ବାଜିଲୁ କାଳସର୍ପ

ରେ ରେ ପାମର ଅଗ୍ୟାନେ ବୁଡ଼ାଇଲୁ ୟେଡ଼େ ଦର୍ପ ।୧୦୮।

ରେ ରେ ପାମର ତୋର ମହିମା ପ୍ରଚଣ୍ଡ

ରେ ରେ ପାମର ତୋର ମୋଡ଼ିବି ଆଜ ମୁଣ୍ଡ ।୧୦୯।

ରେ ରେ ପାମର ତୁ ଜନ୍ମିଲୁ କେଉଣ ଦେଶେ

ୟେଥେ ସେ କାୟା ଗୋଟିରେ କରାଇଲୁ ଧ୍ୱଂସେ ।୧୧୦।

ଯହିଂ ଯାହାର କର୍ମରେ ଅଛଇ ଲେଖିତ

ଦଇବ ସେ କରଇ ନା କର୍ମଣା ଗଳହାଥ ।୧୧୧।

କେଉଂଣ ଦେଶେ ସେ କେବଣ ରାଜ୍ୟେ କେବଣ କୁଳେ ଜନ୍ମି

ବୁଡ଼ାଇଲୁ ନିଜ ଶରୀର ପଡ଼ିଲୁ ୟେ ଭୂମି ।୧୧୨।

ସ୍ୱର୍ଗରେ ଦେବଲୋକେ ପାତାଳେ ନାଗଲୋକେ

ମଞ୍ଚେଣ ନରଲୋକେ ଅଛନ୍ତି ଅନେକେ ।୧୧୩।

ୟୋ ତୋହୋର ଅବସ୍ତା ଯେ ସମସ୍ତ ଭୁବନ ଦେଖୁଂ

ୟେ ତ୍ରଇଲୋକ୍ୟେଣ କେ ତୋତେ ପାରୁ ରଖୁ ।୧୧୪।

ଦୁରାପଦ ପ୍ରତଗ୍ୟାଂ ଯେ କରଇ ବୀରମଣି

ବିଚାରଇ ପ୍ରାଣେ ୟେହାକୁ ନାଶିବି ୟେହିକ୍ଷଣି ।୧୧୫।

ପୁଣି ବିଚାରଇ ୟେ କାହାର ତନୟେ

ସରୂପ ଲକ୍ଷଣ ଦିଶଇ ୟେ ଦିଗପାଳ ଅଂଶପ୍ରାୟେ ।୧୧୬।

ମାରିବି କି ମାରିବି ବୋଲି ବିଚାରଇ ପଞ୍ଚୁମନେ

ଯୁଗତେ ୟେ ନିର୍ଦ୍ଦୋଷୀ ୟେହାକୁ ବଧ କରିବି କେସନେ ।୧୧୭।

ପୁଣିହିଂ ମୃଗସେନ ପଚାରଇ ମୁଖ ଚାହିଂ

କେବଣ କୁଳେ ଜାତ ବାସ ତୋର କାହିଂ ।୧୧୮।

ଭୀମସେନ ପ୍ରତିଉତ୍ତର ଦିଅଇ ମାଲ ଯୁଦ୍ଧେଣ ହାରି

ମୁହିଂ ସେ ସୋମବଂଶୀ ବ୍ୟାସଂକ ଅଂଶକାରୀ ।୧୧୯।

ଚନ୍ଦ୍ରର ନନ୍ଦନ ସେ ବୁଧନାମେ ନୃପତି

ପୁରରବା ବୋଲିକରି ତାହାଂକର ସନ୍ତତି ।୧୨୦।

ପୁରରବା ନନ୍ଦନ ଆୟୁ ଦଣ୍ଡଧାରୀ

ନଘୋଷ ବୋଲିକରି ପୁତ୍ରେକ ତାହାଂକରି ।୧୨୧।

ନଘୋଷର ନନ୍ଦନ ଯେ ଅଟନ୍ତି ଯଯାତି

ୟେହାଂକର ନନ୍ଦନ ଯେ ପୁରୁନାମେ ନୃପତି ।୧୨୨।

ତାହାଂକର ନନ୍ଦନ ଯେ ନୃପତି ପ୍ରବୀର

ମନୁସାନନ୍ଦ ବୋଲିକରି ପୁତ୍ରେକ ୟେହାର ।୧୨୩।

ଇଳାବୀର ବୋଲିଣ ଯେ ତାହାର ନନ୍ଦନ

ଦୁଷ୍ୟନ୍ତ ବୋଲିକରି, ତାହାର ପୁତ୍ରେକ ଉତପନ୍ନ ।୧୨୪।

ଦୁଷ୍ୟନ୍ତ ରାଜାର ଯେ ଭ୍ରଥ ବୋଲି ୟେକ ତନୁ

ଭ୍ରଥର ନନ୍ଦନ ଯେ ହୋଇଲା ଭୂମନୁ ।୧୨୫।

ତାହାର ନନ୍ଦନ ହୋଇଲା ଯେ ବୀରଥ ବୋଲି ବତ୍ସ

ବୀରଥର ନନ୍ଦନ ଯେ ନାମ ବିଭୁରୀକ୍ଷ ।୧୨୬।

ବିଭୁରୀକ୍ଷ ନନ୍ଦନ ଯେ ନୃପତି ଶମ୍ଭୁରାଣ

କୁରୁନାଥ ବୋଲିକରି ତାହାର କୁମର ପଞ୍ଚାଣ ।୧୨୭।

କରୁର ନନ୍ଦନ ଯେ ପ୍ରତୀପ ନୃପତି

ପ୍ରତୀପ ନନ୍ଦନ ଯେ ଶାୟଂନ୍ତନ ମହାଯତି ।୧୨୮।

ଶାୟନ୍ତନୁର ନନ୍ଦନ ଯେ ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ଭୀଷ୍ମେ

ଅପୁତ୍ରିକ ହୋଇଲେ ୟେ ସେ ପାପ ଦୁଷୁକର୍ମେ ।୧୨୯।

ପାରେଶ୍ୱରଂକଭାରିଯା ଅଟନ୍ତି ସତ୍ୟବତୀ

ତାହାଂକର ନନ୍ଦନ ହୋଇଲେ ବେଦବ୍ୟାସ ମହାଯତି ।୧୩୦।

ବ୍ୟାସଂକର ନନ୍ଦନ ଯେ ପଣ୍ଡୁ ଧୃତିରାଷ୍ଟି

ପଣ୍ଡୁରାଜର ନନ୍ଦନ ଯେ ନୃପତି ଯୁଝେଷ୍ଠି ।୧୩୧।

ରାଜୁସି ଯାଗ ହୋ ସେ କରିବା ନିମନ୍ତେଣ

ମୁହିଂ ଅଇଲି ପଛିମ ଦିଗ ରାଜାନ୍ତ ନିମନ୍ତ୍ରିଣ ।୧୩୨।

ସମସ୍ତ ନୃପତି କଲାଇଂ ମୁହିଂ ସାଧି

ୟେ ପୃଥୀ ମଧ୍ୟେ ମୋତେ ସମାନ ନାହିଂ ଯୋଧୀ ।୧୩୩।

ଜରାସନ୍ଧକୁ ବଧ କଲି ମୁଂ ମାଲଯୁଦ୍ଧ କୁତୂହୋଳେ

ତୋତେ ହାରିଲି ମହାତମା କର୍ମର ଅବଳେ ।୧୩୪।

ମୃଗସେନ ବୋଇଲା ତୁ ଅଟୁ ଯେବେ ବ୍ୟାସବଂଶୀ

ଦେଖି ତଲୟେ କରି ସୁମରନି ଆସନ୍ତୁ ବ୍ୟାସ ମହଋଷି ।୧୩୫।

ମୃଗସେନର ବଚନେ ଭୀମସେନ ତଲୟେ କଲା ହୃଦଗତେ

ତତକ୍ଷଣେ ବିଜେକଲେ ବ୍ୟାସ ଭଗବନ୍ତେ ।୧୩୬।

ଦେଖିଲେ ଭୀମସେନର ଦୁସହ ଅବସ୍ତା

ଛାଡ଼ ଛାଡ଼ ମୃଗସେନ ହୋ ବଦନ୍ତି ବ୍ରହ୍ମବେତ୍ତା ।୧୩୭।

ବ୍ୟାସନ୍ତ ଦେଖି ସେ ମୃଗସେନ ପରିଣାମି

ନ ଛାଡଇ ୟେହାକୁ ଅବଶ୍ୟ ମାରିବି ଦେବସ୍ୱାମୀ ।୧୩୮।

ବ୍ୟାସ ବୋଇଲେଣ ତୁ ବାବୁ ଛାଡୁକିନା ବହନ

ୟେ ଆମ୍ଭର ସୋଦର ନାତି ଅଟେ ଭୀମସେନ ।୧୩୯।

ତୁ ଆମ୍ଭର ନନ୍ଦନ ୟେ ଆମ୍ଭର ପୁତ୍ରର ପୁତ୍ର

ସୋଦର ସୋଦର ବିବାଦୀ ତୁମ୍ଭେ ହେଉଛ କେମନ୍ତ ।୧୪୦।

ବ୍ୟାସଂକର ବଚନେ ସେ ଛାଡ଼ିଲା ତତକ୍ଷଣାନ୍ତି

କୋଳରେ ମହାତ୍ମା ବସାଇଲେ ତଡ଼ତି ପୁତ୍ର ନାତି ।୧୪୧।

ମୃଗସେନକଇଂ ସମମାର୍ଜନା କରନ୍ତି ବ୍ରହ୍ମଯତି

ୟେ ତୋହୋର ପୁତୁରା ଆମ୍ଭର ଅଟଇ ନାତି ।୧୪୨।

ସୋଦର ଦେଖିଣ ସେ ସାନନ୍ଦ ମୃଗସେନ

ଭୀମସେନକଇଂ କୋଳେ ବସାଇଲା ବହନ ।୧୪୩।

ଗତ ପୁରାଣ ବାକ୍ୟ କହନ୍ତି ବ୍ରହ୍ମଯତି

ଭୀମସେନକଇଂ ବଞ୍ଚାଇଲେ ମୃଗସେନର ଉତପତ୍ତି।୧୪୪।

ବହୁତ କାଳର କଥା ବଞ୍ଚାଇଲେ ସାନନ୍ଦେ

ନ ଜାଣି ବ୍ରିକୋଦର ତୁ କିମ୍ପେ ପଶିଲୁ ୟେଡ଼େ ପରମାଦେ ।୧୪୫।

ମୃଗସେନ ବୋଲିକରି ୟେ ଯେବଣ ମହାବୀର

ୟେହାର ଜନ୍ମ ହୋଇଲାଉଂ ନାରାୟେଣ ଜନ୍ମ ହୋଇଲେନି
ଶତେକ ଅବତାର ।୧୪୬।

ଅନେକ ଯୋଗାଡ଼ କରାଇଲା ମୃଗସେନ

ସାନନ୍ଦେଣ ଭୋଜନ କରାଇଲା ଭୀମସେନ ।୧୪୭।

ନିମନ୍ତ୍ରଣ ଯୋଗାଡ଼ ଦିଲେକ ପାବେନି

ହସ୍ତିନା ବିଜେ କରିବା ତାତ ନିଜ ବଳନ୍ତ ଘେନି ।୧୪୮।

ମୃଗସେନ ବୋଇଲା ରେ ସନ୍ୟ ସାଖା ମୋର ନାହିଂ

ୟେ ମେରୁ ମେଖଳେ ମୁଂ ୟେକା ଥାଇଂ ରହି ।୧୪୯।

ନ ଜାଣଇଂ ରାତ୍ର ମୁଂ ରେ ନ ଜାଣଇଂ ଦିବସ

ନ ଜାଣଇଂ ଯୁଗତେ ଚର ଆତଯାତ ପ୍ରଦୋଷ ।୧୫୦।

ନ ଜାଣଇଂ ଆଦିତ୍ୟ ମୁଂ ନ ଜାଇଂ ସୋମ

ନ ଜାଣଇଂ ଯମ ମୁଂ ଜାଣଇଂ ଧର୍ମ ।୧୫୧।

ନ ଜାଣଇଂ ଚନ୍ଦ୍ର ନ ଜାଣଇଂ ତ୍ରିପୁରାରି

ନ ଜାଣଇଂ ବ୍ରହ୍ମା ନ ଜାଣଇଂ ଦେବହରି ।୧୫୨।

ଭୀମସେନ ବୋଇଲା ହୋ ଜୀବନ ତୋହୋର ଧନ୍ୟ

ତୋତେ ଭେଟିଲି ସ୍ୱାମୀ ମୋହୋର ସାର୍ଥୁକ ଜୀବନ ।୧୫୩।

ବ୍ୟାସେ ବୋଇଲେ ବାବୁ ତୁମ୍ଭେ ଚଳ ବେଗ ହୋଇ

ରାଜାଗଣମାନନ୍ତ ସମସ୍ତ ନିଅ ଯା କଢ଼ାଇ ।୧୫୪।

ୟେ ବଚନ ଶୁଣି ବୋଇଲ ଭୀମସେନ

ବ୍ୟାସଂକର ମୁଖ ଚାହିଂ କରଇ ରୋଦନ ।୧୫୫।

ଭୋ ପିତାମହ ମୋତେ ହୋଇଲା ଅଯଶ

ଅକାରଣେ ସନ୍ୟ ମୋହୋର ହୋଇଲେ ପ୍ରାଣେ ନାଶ ।୧୫୬।

ମୃଗସେନର ଶହସ୍ର ଘାତେ ସନ୍ୟ ମୋହୋର ଲୋଟି

କେସନେକେ ୟେକା ରଥେ ମୁଂ ଯିବଇଂ ଲେଉଟି ।୧୫୭।

ହସ୍ତିନା ପୁରେ ଯାଇଂ ଚାହିଂବି କାହାର ମୁଖ

ସଖାନ୍ତ ମରାଇ କେନ୍‌ହେ ଯିବଇଂ ନିରେଖ ।୧୫୮।

କଉରୋବ ସଭାରେ ମୋତେ କରିବେ ଉପହାସ୍ୟ

ଜଗନ୍ନାଥଂକର କୋପେ ମୁହିଂ ଯିବଇଂ ପ୍ରାଣେ ନାଶ ।୧୫୯।

ଆସିବାର ବେଳେ ଆଗ୍ୟାଂ ମୋତେ ଦିଲେକ ଚକ୍ରଧର

ସନ୍ୟ ଗଣିତା ଦେବୁ ଆଣି ମୋହୋର ଛାମୁର ।୧୬୦।

ୟେସନେକେ ଆଗ୍ୟାଂ ମୋତେ ଦେଇଅଛନ୍ତି କେଶବ

କେସନେକେ ଯିବି ୟେଥୁଂ ସନ୍ୟର ଅଭାବ ।୧୬୧।

ଯେମନ୍ତେ ସନ୍ୟ ଜୀଅନ୍ତି ତାହା କର ମୁନିବର

ୟେ କଷଣୁଂ ପିତାମହ ପ୍ରତିକାର କର ।୧୬୨।

ବ୍ୟାସ ମହଋଷି ହୋଇଲେ ପରମ ଶାନ୍ତି

ବୋଇଲେ କେତେ କ୍ରୋଧକରୁ ଥିର ହୋଅ ହୋ ମାରୁତି ।୧୬୩।

ଭୀମର କ୍ରୋଧ ଦେଖି ଦୟା କଲେ ତପୀବର

ଜୀବନ୍ୟାସ ପାଣି ସିଞ୍ଚିଲେ ସନ୍ୟର ଉପର ।୧୬୪।

ଗତପ୍ରାଣ ଜାଣିଥିଲେ ବୀରେ ପଡ଼ି

ଜୀବନ ପାଇ ଉଠିଲେ କରିଣ ସିଂଘରଡ଼ି ।୧୬୫।

କରେଣ ଶହସ ଧରି ଧାଇଂଲେ ମତ୍ତଭୋଳେ

ସନ୍ୟନ୍ତ ସମାର୍ଜଇ ପବନର ବାଳେ ।୧୬୬।

ବ୍ୟାସେ ବୋଇଲେ ହୋ ତୁ ବହନ ହୋଇ ଚଳ

ବାଟେ ପ୍ରମାଦ ତୋତେ ନ କରୁ କଟାଳ ।୧୬୭।

ବହନ ଘେନିଯାଅ ରାଜାଗଣମାନଂକୁ

ୟେକାମାତ୍ର କଟାଳ ନ କରିବୁ ବିରାଟକୁ ।୧୬୮।

ତାହାର ଇଚ୍ଛାୟେ ସେ ଯାଉ ସଭାସ୍ତାନେ

ୟେତେ ବୋଲି ବ୍ୟାସେ ତହୁଂ ଗଲେ ଅନ୍ତର୍ଦ୍ଧାନେ ।୧୬୯।

ମୃଗସେନକଇଂ ଘେନିଣ ସେ ପାଣ୍ଡବ ପଞ୍ଚାଣ

ପୁଣ ପୁଣ ପ୍ରଣପତ୍ୟ ସେ ନୃପତି ପାଦ ତଳେଣ ।୧୭୦।

ପଛିମ ଦିଗ ସାଧି ଆସଇ ଭୀମସେନ

ଯେ ଯାହାର ସନ୍ୟ ଘେନି ଗଲେ ରାଜାଗଣ ।୧୭୧।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି ପରସ୍ତାବେ

ମୃଗସେନର ଚରିତ ତ ଅଶକ୍ୟ ମୁନିଦେବେ ।୧୭୨।

କାହାର ତନୟେ ୟେ କାହାର କୂଳେ ଉତପନ୍ନ

କାହାକୁ ସେବାକରି ଅମୃତ ପାଇଲା ମୃଗସେନ ।୧୭୩।

ଅଗସ୍ତି ବୋଇଲେ ତୁ ହୋ ଶୁଣ ମହାରାଜା ।

ୟେଥୁର ଚରିତ ତୋତେ କହିବା ମନୁଦ୍ୱିଜା ।୧୭୪।

ସୁରସିଦ୍ଧ ବୋଲିଣ ହୋ ୟେକଇ ସତ୍ୟଯୁଗେ

ଯୁଗ ବୟସେ ବ୍ୟାସେ ମୃଗୁଣୀ ସତସଙ୍ଗେ ।୧୭୫।

ମୃଗୁଣୀର ରଜେ ଯେ ବ୍ୟାସଂକର ବୀର୍ଯ୍ୟେ

ତହୁଂ ଜାତ ହୋଇଲା ୟେକଇ ଆତ୍ମଜେ ।୧୭୬।

ମନୁଷ୍ୟ ଶରୀର ଯେ ମୃଗର ମୁଣ୍ଡ ଗୋଟି

ଅମୃତ ଯୋଗରେ ତାକୁ ଜାତକଲେ ମୁନି ତପନିଷ୍ଠୀ ।୧୭୭।

ଅଭେଦ କବଚ ବଜ୍ରସେନ୍‌ହା ଲେପିଲେ ତାର ଅଙ୍ଗେ

ତ୍ରଇଲୋକେ ଜିଣନ୍ତା କେହୁ ନାହିଂ ସାଂଗ୍ରାମେ ତାର ସଙ୍ଗେ ।୧୭୮।

ମନୁଷ୍ୟ ଶରୀର ତାର ମୃଗର ମୁଣ୍ଡ ଗୋଟି

ମୃଗସେନ ନାମ ତେଣୁ ଦିଲେ ତପନିଷ୍ଠୀ ।୧୭୯।

ମେରୁ ମେଖଳେ ତାହାକୁ ରଖିଲେ ତପ ଦେଇ

ୟେକାନ୍ତେ ବିହରଇ ସଙ୍ଗତେ କେହି ନାହିଂ ।୧୮୦।

ଅମୃତ ପାନ ଦିଲେ ବ୍ୟାସ ମହାଯତି

ଅତୁଟ ଶରୀର ତାର କେବେହେଂ ନ ତୁଟି ।୧୮୧।

ଶୁଣିଲୁ କି ଯୋଗେଶ୍ୱର ହୋ ଯାହା କଲୁ ପୁଚ୍ଛା

ମୃଗସେନ ଜନ୍ମ ଶୁଣି ପୁରାଅ ମନବାଞ୍ଛା ।୧୮୨।

ଦଣ୍ଡଘେନି ବାହାର ସେ ପବନ ତନୟେ

ସଙ୍ଗରେ ଆସଇ ତାର ମୃଗସେନ ରାୟେ ।୧୮୩।

ଆହୋ ଧନୁମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଚନ୍ଦ୍ରାବାରେ

ପୁନର୍ବସୁ ନକ୍ଷତ୍ରକୁ ଭୋଗ ସେ ଦିନରେ ।୧୮୪।

ସେ ଦିନ ନକ୍ଷତ୍ରେ ଭୀମସେନ ବାହୁଡ଼ଇ

ୟେଥିର ଚରିତ ଯେ କହିଲେ ମୁନେହିଂ ।୧୮୫।

ପଚ୍ଛିମ ଦିଗ ସମସ୍ତ ରାଜାମାନ ନିମନ୍ତି

ଚଳଇ ମାରୁତି ଯେ ହରଷ ଭାବମତି ।୧୮୬।

ଜୟ ଜୟ ମହମାୟା ଗୋ ଅନାଦି ଶକତି

ହେମବନ୍ତର ନନ୍ଦନୀ ଗୋ ଅଭୟା ପାର୍ବତୀ ।୧୮୭।

ଯୁଗାନ୍ତକ ପୁରୁଷ ଗୋ ବରିଲୁ ବିଶ୍ୱବାସୀ

ହଟକେଶ୍ୱର ପୁରେ ଯାହାର ତେଳ ପରକାଶି ।୧୮୮।

ଯୋଗେଣ ଯୋଗେଶ୍ୱରୀ ମା ଗୋ ତୋହୋର ମହିମା ଉତ୍ତମି

କଳିକାଳ ନିବାରଣୀ ଗୋ ପ୍ରସନ୍ନେ ମହାବ୍ରହ୍ମୀ ।୧୮୯।

ମହାଯୋଗ ସାଧନୀ ଗୋ ଯୋଗିନୀ ତୋହୋର ରୂପ

ବାରଣ ନ ଯାଇ ମାଗୋ ଯାହାର ସରୂପ ।୧୯୦।

କ୍ଷଣେ ବୃଦ୍ଧା ମାଗୋ କ୍ଷଣେ ବାଳୁତ ରୂପ ଧରି

କ୍ଷଣକେ ଜଗମୋହିନୀ କ୍ଷଣ କ୍ଷଣକେ ମହାନ୍ତାରୀ ।୧୯୧।

ମହାରୁଦ୍ର ମନ୍ତ୍ରେ ମାଗୋ ଅଭୟ କାମାଚ୍ଛୀ

ମନୁକଳ୍ପ ବଞ୍ଚାଇଲୁ ଅଜପା ଲୟେ ବାଞ୍ଛି ।୧୯୨।

କଣକଳ୍ପ ସାର୍ଥୁକ ଗୋ ନୀଳେନ୍ଦୀ ଦଳ ରୁଚି

ପ୍ରସନ୍ନେ ଅପର୍ଣ୍ଣା ଗୋ ମୁର୍ଦ୍ଧୁନି ପିଙ୍ଗଳାକ୍ଷୀ ।୧୯୩।

ଖଟ୍ୱାଙ୍ଗ ତମ୍ୱରୁ ଗୋ ଖଡ଼ଗ ତ୍ରିଶୁଳ ଚକ୍ର ବଜ୍ର କାତି

କେଶରୀବାହନୀ ଗୋ ଭ୍ରମଣି ନିଶାରାତି ।୧୯୪।

କଢ଼ା ଘୁମୁରା ମର୍ଦ୍ଦଳ ଗୋ ବିଜିଘୋଷ ଦାଉଣ୍ଡି

ମଧୁପାନେ ମତ୍ତା ଗୋ ମତୁଆଳ ନାଟଖଣ୍ଡି ।୧୯୫।

ପାତାଳେ ଚରଣ ଯାହାର ଅର୍ଦ୍ଧରେ ଗବନା

ପ୍ରସନ୍ନ ଖର ନିଃଶ୍ୱାସ ଗୋ ସୁଦିବ୍ୟ ମୁର୍ଦ୍ଧନା ।୧୯୬।

ମନୁମଥ ସୁନ୍ଦରୀ ଗୋ ସୟଳଜନ ଚିନ୍ତା

ପରଲୋକ ବାନ୍ଧବୀ ଗୋ ବାଞ୍ଛିତ ବରଦ୍ୟନ୍ତା ।୧୯୭।

ତବ ଚରଣେ ଭଗତି ବିନୟ ମୋର ସଦା

ଜନ୍ମେ ଜନ୍ମେ ସେବଇ ଗୋ ସଉଭାଗୀ ନର୍ମଦା ।୧୯୮।

ମଙ୍ଗଳ ଶୁଭ ଯାହାର ଅଭୟେ ସ୍ୱର୍ଗବାସୀ

କିଞ୍ଛିତେ ଚିନ୍ତିଲେ ଫିଟାଇ ନାଶକର କାଳଫାଶୀ ।୧୯୯।

ଦ୍ରଶନେ ପ୍ରସନ୍ନ ଗୋ ପ୍ରସନ୍ନେ ସମସ୍ତ ପାପ ଖଣ୍ଡି

ଅଭୟେ ବର ଦାୟିନୀ ଗୋ ସିଦ୍ଧ ସାରୋଳ ନାମେ ଚଣ୍ଡୀ ।୨୦୦।

ତବ ପଦ୍ମପାଦେ ମୋର ଜନ୍ମେ ଜନ୍ମେ ସେବା

ଶୂଦ୍ରମୁନି ସାରୋଳା ଦାସକୁ ଅଭୟ ବର ଦେବା ।୨୦୧।

ଇତିଶ୍ରୀ ବିଷ୍ଣୁପୁରାଣ ସଭାପର୍ବ ବାଣୀ

ସଂସାର ଜନହିତେ ୟେକା ମୁଂ ବଞ୍ଚାଇଲି ଆଣି ।୨୦୨।

ପଛିମ ଦିଗ ନିମନ୍ତ୍ରଣ ସମାପତ ୟେଥୁ

ସଂସାରକୁ ଦେଖାଇଲି ମୁଂ ମୁକତି ବାଟ ହେତୁ ।୨୦୩-୮୩୫୫।

 

Unknown

ଅର୍ଜୁନଙ୍କର ଦେବଲୋକ ନିମନ୍ତ୍ରଣେ ଗମନ, ଯମଦ୍ୱାରା ପାପ ଓ ତାହାର ପ୍ରାୟଶ୍ଚିତ କଥନ, ଦ୍ୱାରକାରେ ନିମନ୍ତ୍ରଣ ଦେଇ ଯୁଧିଷ୍ଠିରଙ୍କ ସହିତ ସାକ୍ଷାତ

ବଇବସୁତ ମନୁ ପଚାରିଲେ ଅଗସ୍ତି ଦେବଂକୁ

ଉତ୍ତର ଦିଗେ ସାଧିଲା ଅର୍ଜୁନ ସକଳ ରାଜାମାନଂକୁ ।୧।

ଆବର କେଉଣ କୃତ ସେ କଲାକ ସର୍ବସାଚୀ

ୟେଥିର ଚରିତ ମୋତେ କହିବା ମୁନି ପାଞ୍ଚି ।୨।

ବଦୟନ୍ତି ଅଗସ୍ତି ଯେ କୁମ୍ଭଋଷିର ବଳା

ଶୁଣ ହୋ ଯୋଗପୁରୁଷ ଯୁଗାନ୍ତକ ମତିଭୋଳା ।୩।

ଉତ୍ତର ଦିଗେ ବିଜେ ଅର୍ଜୁନ ଚାଳିଶ ୟେକଉଣା ଚାଳିଶ
ସହସ୍ର ରାଜା ସାଧି

ଯମାଗୋଷ୍ଠ ରାଜାକୁ ରଥରେ ଅଛି ବାନ୍ଧି ।୪।

ମାତଳି ସାରଥିକୁ ବୋଲଇ ଫାଲଗୁନି

ଆକାଶକୁ ଚାଲ ହେ ମୋହୋର ରଥ ଘେନି ।୫।

ଇନ୍ଦ୍ରଦେବତାଂକୁ ଯାଇ ନିମନ୍ତିବା ସ୍ୱର୍ଗେ

ଅମର ଭୁବନକୁ ମୋର ରଥ ବାହା ବେଗେ ।୬।

ସ୍ୱର୍ଗ ମଞ୍ଚ ରାଜାମାନେ ସମସ୍ତେ ଛନ୍ତି ତୁଲେ

ହିମବନ୍ତ ପର୍ବତେ ସମସ୍ତ ଦଣ୍ଡ ଲାଇ ଶୁତିଲେ ।୭।

ଅର୍ଜୁନ ବୋଇଲେ ତୁମ୍ଭେ ଯାଅ ଇନ୍ଦ୍ରପ୍ରଶସ୍ତେ

ୟେ ମୋହୋର ଥାଠ ସନ୍ୟ ଯୋଦ୍ଧାମାନଂକ ସହିତେ ।୮।

ରାଜାମାନେ ବୋଇଲେ ସ୍ୱାମୀ ଆମ୍ଭର ଭଗତି ଘେନିମା

ଯମାଗୋଷ୍ଠ ରାଜାକୁ ଆମ୍ଭର ଗୋଚରେ ଛାଡ଼ିଦେବା ।୯।

ୟେହାକଇଂ ଘେନିଣ ଯେ ସମସ୍ତେ ଆମ୍ଭେ ଯିବୁ

ରାଜୁସି ଯାଗ ସଭାରେ ନେଇ ଦ୍ରଶନ କରାଇବୁ ।୧୦।

ଅର୍ଜୁନ ବୋଇଲେ ତୁମ୍ଭେ ନ ବୋଲ ୟେହାର ପାଇଂ

ଅଭାବି ନୃପତି ୟେ ୟେହାକଇଂ ସମ୍ପ୍ରତେ ମୋହୋର ନାହିଂ ।୧୧।

ଅବଶ୍ୟ ବନ୍ଧନ କରି ନେମଇଂ ସଭାକୁ

ଭୀମସେନ ଠାକୁର ସେ ୟେହାର ଦୋଷ ବିଚାରକୁ ।୧୨।

ଅନେକ କଷ୍ଠୋରେଣ ସେ ବୋଲଇ କିରୀଟୀ

ପାଷାଣ ରେଖ ଜାଣି ଯାହାର ପ୍ରତଗ୍ୟାଂ ବାକ୍ୟ ଗୋଟି ।୧୩।

ଚଳନ୍ତି ରାଜାମାନେ ଥାଠ ସନ୍ୟ ଚଳାଇ

ମାତଳି ସାରଥି ସେ ଆକାଶକୁ ନେଲା ରଥ ବାହି ।୧୪।

ସତ୍ୱରେ ଆଗ୍ୟାଂ ଦିଲା ସେ ସୋହୋଦ୍ରଲାର ପ୍ରାଣନାହା

ଅମର ଭୁବନକୁ ୟେବେ ବେଗକରି ମୋର ରଥ ବାହା ।୧୫।

ଅର୍ଜୁନ ବଚନେ ସେ ମାତଳି ସାରଥି

ପବନହୁଂ ବେଗ ରଥ ବାହିଲା ଊର୍ଦ୍ଧ୍ୱଗତି ।୧୬।

ଅନ୍ତରୀକ୍ଷେ ଦେଖିଲା ସେ ଦିନକର ନାଥେ ସ୍ୱାମୀ ।

ଆଦିତ୍ୟ ଦେବତାକୁ ଅରଜୁନ ପରଣାମି ।୧୭।

ଜୟତୁ ଜୟତୁ ଦେବ ଦିନକର ନାଥ ସ୍ୱାମୀ ।୧୮।

ଜୟ ଜୟ ଦିନକର ନାଥ ଅର୍କଦତ୍ୟ ନିବାରଣ

ସଂଗ୍ୟାର ବଲ୍ଲଭ ସ୍ୱାମୀ ତିମିରି ବିଦାରଣ ।୧୯।

ତୁ ଦେବ ଗଗନାଥି ପ୍ରତକ୍ଷେ ବ୍ରହ୍ମରୂପୀ

ୟେ ଗୋପ୍ୟାନ ରୂପ ସ୍ୱାମୀ ଜଗତେ କାୟା ବ୍ୟାପି ।୨୦।

ଦୁସହ ତିମିର ଯେ ଅନ୍ଧାର ଦର୍ପ ଧ୍ୱଂସି

ତ୍ରଇଲୋକ୍ୟ ତାରଣ ନାଥ କ୍ଷୀରୋଦ୍ର ଗୋପ୍ୟବାସୀ ।୨୧।

ଅରଜ ଅବୀଜ ଯାହାର ଅମାତ୍ୟା ଅପିତା

ତୁହି ନ ଜାଣୁ ସ୍ୱାମୀ କେ ତୋହୋର ପିତା ମାତା ।୨୨।

ସୟଳ ଜନ ଚିନ୍ତାମଣି ନାଥ ଶୂନ୍ୟେ ରଥେ ଭ୍ରମୁ

ପ୍ରାତ ଆହନ୍ନିକ ସନ୍ଧ୍ୟା ନୋହନ୍ତି ତୋହୋର ଛାମୁ ।୨୩।

ଅକାରଣ ଅନଙ୍ଗମୟେ ଅଜୟେ ଜନ ଚିନ୍ତା

ଭଗତେ ଅଭଗତେ ନାଥ ତୁହି ସେ ବର ଦ୍ୟନ୍ତା ।୨୪।

ଅନନ୍ତ ଦେବତା ବୋଲି ପୁରାଣ ବେଦେ ଭାଷି

କେହିତ ବିଦିତ ନାହିଂ ତୋହୋର ତେଜ ପରକାଶି ।୨୫।

ପୁଣ୍ୟବନ୍ତ ପୁରୁଷଂକର ନାଥ ତୁହି ସେ ଦିବ୍ୟଚଛୁ

ସତ୍ୟ ତ୍ରେତୟା ଦ୍ୱାପର କଳି ସମସ୍ତ ତୁହି ଯେ ସ୍ରିଜିଅଛୁ ।୨୬।

ଦିବସ ରାତ୍ର ଦେବ ତୋହୋର ସେ କଲା

ତୋହୋର ଦେଖୁଂ ଦେଖୁଂ ନାଥ ସମସ୍ତ ନାଶଗଲା ।୨୭।

ଅସ୍ତୁକାର ପୁରୁଷନ୍ତ ନାଥ ତୁହି ସେ ଦେବ ପେଷି

ଯେ ଯାହାର ବାଞ୍ଚାୟେ ସେ ହୋଉଛନ୍ତି ଦେବ ଧ୍ୱଂସି ।୨୮।

ଚାରିଖାନି ଚଉରାଶି ଲକ୍ଷ ଜୀବଜନ୍ତୁ

ତୋହୋର ଦ୍ରୋଛନାୟେ ସିନା ନାଥ ସବୁଂକରି ବ୍ରତ ହେତୁ ।୨୯।

ନ ଜାଣି ସଂସାରେ ଦେବ ହେଉଛନ୍ତି ବଣା

ଗ୍ୟାନ ଚିନ୍‌ହି ନ ପାରି ନାଶ ହେଉଛନ୍ତି ଆପଣା ।୩୦।

ସାଧୁ ସାଧୁ ସ୍ୱାମୀ ୟେ ତୋହୋର ସପତ ହୟେ

ତୋହୋର ତେଜ ଲାଗି ସିଝିଲା ୟେହାଂକର କାୟେ ।୩୧।

ସ୍ୱାମୀ ସାଧୁ ସାଧୁ ୟେ ବିନତା ନନ୍ଦନ ଅରୁଣ

ୟେ ତୋହୋର ତେଜ ସହି କରଇ ପ୍ରତିକ୍ଷଣ ।୩୨।

ତୋହର ସ୍ୱରୂପ ସ୍ୱାମୀ ୟେହାଂକ ଆଷ୍ୟ ଅତୁଟ

ତୋହୋର ସନ୍ନିଧ୍ୟେ ଥିଲେ ଯମଦଣ୍ଡ ନାହିଂ ଭେଟ ।୩୩।

ଅପାର ମହିଂମା ତୋର ସ୍ୱାମୀ ନ ସରଇ କହନ୍ତେ

ପ୍ରଣପତ୍ୟ ଫାଲଗୁନି ବିରଞ୍ଚି ନାରାୟଣ ପାଦଗତେ ।୩୪।

ପ୍ରସନ୍ନେ ପ୍ରତିଉତ୍ତର ଦିଲେକ ଦିନାଧି

ଯାଅ ଯାଅ ଅର୍ଜୁନ ତୋହୋର ସର୍ବକାର୍ଯ୍ୟ ହେଉ ସାଧି ।୩୫।

ରାଜୁସି ଯାଗ ଯେ ଯୁଝେଷ୍ଠି କରିବା ନିମନ୍ତେ

ତୁହି ବିଜେକଲୁ ଅରଜୁନ ଆକାଶ ବରଣର ଅର୍ଥେ ।୩୬।

ପ୍ରସନ୍ନେଣ ବର ତାକୁ ଦିଲେକ ଦେବରାଜା

ସର୍ବକାର୍ଯ୍ୟ ସିଦ୍ଧି ହୋଉ ତୁ ଆକାଶକଇଂ ବେଗେ ଯାଆ ଯା ।୩୭।

ନିମନ୍ତ୍ରଣ ଯୋଗାଡ଼ ଛାମୁରେଣ ଦେଇ

ଅର୍ଜୁନ ଶୁତିଲା ଦଣ୍ଡ ପ୍ରଳମ୍ୱିତ ହୋଇ ।୩୮।

ପ୍ରସନ୍ନେ ସନ୍ତୋଷ ଯେ ହୋଇଲେ ବିରଞ୍ଚି

ତହୁଂଣ ରଥ ଆଗକରି ଚଳଇ ସର୍ବସାଚୀ ।୩୯।

ସ୍ୱାମୀର ଆଗ୍ୟାଂ ଯେ ପରମାଣ କରି

ଚଳଇ ଅର୍ଜୁନ ଯେ ଆକାଶକୁ ବେଗକରି ।୪୦।

ଶୂନ୍ୟ ପୁରୁଷ ସମସ୍ତଂକୁ କରଇ ନିମନ୍ତ୍ରଣ

ବିଶ୍ୱଦେବା ସନକାଲୋକ ଆଦିକରି ସେ କରଇ ବରଣ ।୪୧।

ଭୁଅଲୋକ ପିତୃଲୋକ ଗ୍ରହଗଣ ଆଦିକରି

ଚନ୍ଦ୍ର ଦେବତାଂକୁ ସେ ଭେଟିଲା ଦୁତୀ ହରି ।୪୨।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେ ଛାମୁରେଣ ନେଇ

ଅର୍ଜୁନ ଶୁତିଲା ଛାମୁରେ ଦଣ୍ଡ ପ୍ରଣପତ୍ୟ ହୋଇ ।୪୩।

ଅନେକ ବିନୋଇ ଯେ ଚନ୍ଦ୍ରଂକୁ କରଇ ତୁସ୍ତି

ପ୍ରସନ୍ନେ ସମସ୍ୟା ଯେ ଦିଅନ୍ତି ନିଶାପତି ।୪୪।

ବଦୟନ୍ତି ଶଶଧର ତୁ ଶୁଣ ରେ ଫାଲଗୁନି

ଅମରାଧି ନାଥଂକୁ ଯାଇଂ ନିମନ୍ତ୍ରଣ କର ସସ୍ରଯୋନି ।୪୫।

ତୁ ତ ଆମ୍ଭର ବଂଶରେ ହସ୍ତିନା ଅଧୟକାରୀ

ପୃଥୀ ଭାରାଭର ନିମନ୍ତେ ତୁ ମଧ୍ୟସ୍ୱର୍ଗେ ଅବତରି ।୪୬।

ବାବୁ ଯେଉଂଣ କୃତ୍ୟ ରେ କରିଅଛୁ ମଧ୍ୟସ୍ୱର୍ଗେ

ବଂଶହିଂ ସାଧୁ ସାଧୁ ମୋହୋର ଅସଂଖ୍ୟ ପୁଣ୍ୟ ପୂର୍ବେ ।୪୭।

ଦେବତାନ୍ତ ନିମନ୍ତ୍ରଣ କର ଫାଲଗୁନି

ଆମ୍ଭେ ଯାଇଂ ସିନା ସଭାକୁ ଗ୍ରହଗଣନ୍ତ ସଙ୍ଗେ ଘେନି ।୪୮।

ଚନ୍ଦ୍ର ଦେବତାଂକୁ ନିମନ୍ତ୍ରିଣ ଧନୁର୍ଜୟେ

ଅଳକା ଭୁବନେ ବିଜୟେ ବାସବ ତନୟେ ।୪୯।

କୁବେର ଭୁବନ ଯେ ଦେଖଇ ଗହନ

ବିଶ୍ୱକର୍ମା ଲୋକେ ଘଟଣ କରୁଛନ୍ତି କମପୁରମାନ ।୫୦।

ଅନେକ ରତ୍ନ ଯୋଗାଡ଼ମାନ ନିର୍ବାଣ କରୁଅଛନ୍ତି ବେଗ ବେଗ

ପ୍ରବେଶ ସର୍ବସାଚୀ ଅଳକାନାଥ ଆଗ ।୫୧।

ନିମନ୍ତ୍ରଣ ଯୋଗାଡ଼ ଯେ ଛାମୁରେ ଥୋଇଣ ଫାଲଗୁନି

କୁବେର ଦେବତା ଚରଣେ କରଇ ଦଇନି ।୫୨।

ଅଳକାର ନାଥ ଅର୍ଜୁନକଇଂ କୋଳେ ଧରି

ସମସ୍ତ କୁଶଳ ଯେ ବାରତାମନାନ ପଚାରି ।୫୩।

ଅର୍ଜୁନ ବୋଇଲେ ସ୍ୱାମୀ ରାଜୁସିଯାଗକଇଂ ଯିବା

ବୃନ୍ଦାଅର୍କ ମେଳେ ଷୋହଳ ଦିବସ ରହିବା ।୫୪।

କୁବେର ବୋଇଲେ ବାବୁ ଦେଖ ରେ ଫାଲଗୁନି

ପଦ୍ମେକ ବିନ୍ଧାଣି ଲାଗିଛନ୍ତି ଦିହବା ଯେ ରୟଣୀ ।୫୫।

ନାରାୟଣେ ଆଗ୍ୟାଂ ବାବୁରେ ଦେଇଛନ୍ତି ମୋତେ

ରତ୍ନ ଘଟଣ କରାଉଛନ୍ତି ଯାଗକୁ ଲାଗଇ ଯେତେ ।୫୬।

କୁବେରଂକ ବଚନେ ସେ ପାଣ୍ଡବ ବିବତ୍ସ

ଘଟଣାମାନନ୍ତ ଅର୍ଜୁନ ଦେଖିଲା ପ୍ରତକ୍ଷ ।୫୭।

ଦେଖିଣ ଫାଲଗୁନି ଯେ ଅନେକ ସାନନ୍ଦେ

ସୁମରଇ ପାର୍ଥିବ ସ୍ୱାମୀ ପରମାନନ୍ଦେ ।୫୮।

ତୁ ଦେବ ଜଗୁମୋହୋନ ଜଗତ ଅଧିକାରୀ

ତୋହୋର ପ୍ରସାଦେ ସେ ଆମ୍ଭେ ଧବଳିଲୁ ବସୁନ୍ଧରୀ ।୫୯।

ଯେତେ ଯେତେ ପ୍ରତାପୀ ୟେ ପୃଥୀର ରାଜାମାନେ

ୟେହାନ୍ତ ଜିଣିବାକୁ ଆମ୍ଭେ ସାମରଥ ୟେକା ତୋହୋର ପ୍ରସନ୍ନେ ।୬୦।

ତୁହି ସେ ଆମ୍ଭନ୍ତ ଦେବ ସର୍ବଦା ସଂପକ୍ଷ

ତୋହୋର ପ୍ରସାଦେ ଆମ୍ଭେ ସମସ୍ତପୁରେ ଦଚ୍ଛ ।୬୧।

ଅନେକ ବିନୋଇ ସେ ପାଣ୍ଡବ ଫାଲଗୁନି

ଜଗନ୍ନାଥ ନାମ ଧରି ହୃଦେ କରଇ ଦଇନି ।୬୨।

କୁବେରକୁ ନିମନ୍ତ୍ରଣ କରଇ ସର୍ବସାଚୀ

ମାତଳି ସାରଥି ରଥ ବେଗେଣ ବାହୁଅଛି ।୬୩।

ଚଳନ୍ତି ତୁରଙ୍ଗମେ ଯେ ପବନୁଂ ଆପାତେ

ଅମର ଭୁବନେ ପ୍ରବେଶ ବାସବର ସୁତେ ।୬୪।

ଆକାଶ ସଭାୟେ ବିଜୟେ ସହସ୍ରାକ୍ଷ

ଆସ୍ତାନ ତଳେ ଯାଇଂ ଉଭା ହୋଇଲା ବିବତ୍ସ ।୬୫।

ଦେଖିଣ ସାନନ୍ଦ ଯେ ଅମରାଧି ନାଥ ସ୍ୱାମୀ

ପୁଣ ପୁଣ ଅର୍ଜୁନ ଯେ ବାସବ ତରେଣ ପରିଣାମି ।୬୬।

ଅନେକ ହରଷେଣ ଯେ ଦେବ ଆଖଣ୍ଡଳେ

ଅର୍ଜୁନକୁ ସୁରନାଥ ନେଇ ବସାଇଲେ କୋଳେ ।୬୭।

ଅନେକ ରତ୍ନ ଯେ ଆଭରଣ କଲେ ବୀର ପାର୍ଥେ

ପଚାରନ୍ତି ସୁରନାଥ ଅନେକ ପୁରୁଷାର୍ଥେ ।୬୮।

ରମ୍ଭା ଉର୍ବଶୀ ଯେ ମେନକା ଚିତ୍ରରେଖା

କାମସେଣା ମଦନିକା ମୋହିନୀ ଅମ୍ୱିକା ।୬୯।

ୟେହାଂକର ମୂଳେ ଚଉଷଠି କୋଟି ବିଳାସୁଣୀ

ଖଟନ୍ତି ଭରହରଷେ ସୁସ୍ୱର ଗାୟେଣୀ ।୭୦।

ଚଞ୍ଚପୁଟ ଚାଞ୍ଚପୁଟ ଘଟିତ ଉଦୁଘଟି

ମହା ମୋହିନୀ ସେ ତାଣ୍ଡବ ରସେ ଘଟି ।୭୧।

ବାସବର କୋଳେ ଯେ ବିଜୟେ ବିବତ୍ସ

ଅନେକ ସାନନ୍ଦେଣ ବୋଇଲେ ସହସ୍ରାକ୍ଷ ।୭୨।

ନୃତ୍ୟ ସରନ୍ତେଣ ଅନେକ ଯୋଗାଡ ଦେଇ

ତ୍ରିପୁତି କରାଇଲେ ଅର୍ଜୁନକୁ ଘେନିଣ ସୁରସାଇଂ ।୭୩।

ସମସ୍ତ ଦେବସ୍ତିରୀମାନେ କରେଣ ଅର୍ଘ୍ୟ ଘେନି

ଅର୍ଜୁନକୁ ବନ୍ଦାପନା କରାନ୍ତି ସହସ୍ରଯୋନି ।୭୪।

ସମସ୍ତ ଗଣିକାୟେ ଅର୍ଘ୍ୟ ବନ୍ଦାବନ୍ତି ଧନୁର୍ଜୟେ

ସାଧୁ ସଆଧୁ ଅର୍ଜୁନ ତୋହୋର ଗର୍ଭଧାରୀ ମାୟେ ।୭୫।

ଦେବାଧି ଦେବଂକର ଯେ ସ୍ୱାମୀ ଶିରୋମଣି

ତୋତେ ତୋଳେ ବସାଇଲେ ଦୁତୀଇନ୍ଦ୍ର ଜାଣି ।୭୬।

ୟେକକ୍ଷଣକଇଂ ଜୀବନ ତୋର ସାଧୁ

ଚିରାନ୍ତନ ଲକ୍ଷ୍ମୀ ନ ଛାଡୁ ତୋର କନ୍ଧୁ ।୭୭।

ଅନେକ ସୁଲଭ କହିଲେ ସମସ୍ତ ଯୁବତୀ

ନୟେନ ଦେଖନ୍ତେଣ ଅଶାନ୍ତି ଅତ୍ରିପୁତି ।୭୮।

ଈଶ୍ୱର ଯେ ଦହିଲା ଅନଙ୍ଗ କାମଦେବ

ଦୁତୀ ଅବତାରେ ତୁ ପ୍ରତକ୍ଷେ ସଦାଶିବ ।୭୯।

ଦିବାରାତ୍ରେ ଆମ୍ଭେ ତୋତେ ଦେଖିତେ ବଡ଼ ଇଚ୍ଛା

ସବୁରି ବଲ୍ଲଭ ହୋଇ ତୁ ପୂରାଅ ଆମ୍ଭ ମନବାଞ୍ଛା ।୮୦।

ପୁଣ ପୁଣ ଅନେକ ପ୍ରାର୍ଥନା ବାକ୍ୟ ବୋଲି

ବିରହ ଅସାଷ୍ଟମେ କେହି ନୁଆରନ୍ତି ଚାଲି ।୮୧।

କଷ୍ଟ କଷ୍ଟ ହୋଇ ଚଳନ୍ତି ନିଜ ବାସେ

ଅନୁବ୍ରତେ ଭାଳନ୍ତି ଦେବୀ ଯେ ଦିବସେ ।୮୨।

ଅର୍ଜୁନ ବଦନ ଚାହିଂ ବଦନ୍ତି ସୁରନାଥ

ବାବୁ କେବଣ କାର୍ଯ୍ୟ ଅର୍ଥେ ବିଜୟେ କଲୁ ୟେଥ ।୮୩।

ଅର୍ଜୁନ ବିନୋୟୀ ହୋଇ ବୋଲଇ ବେନିକର ଯୋଡ଼ି

ସ୍ୱାମୀ ରାଜୁସି ଯାଗ ନିମନ୍ତେ ଅଇଲି ତୁମ୍ଭନ୍ତ ବରି ।୮୪।

ଉତ୍ତର ଦିଗେ ବିଜେକରି ସାଧିଲି ରାଜାମାନ

ବିଦ୍ୟାଧରମାନନ୍ତ ଘେନି ବିଜେ କରିବା ମଘବାନ ।୮୫।

ଇନ୍ଦ୍ର ପୁଚ୍ଛାକଲେ ବାବୁ ଶୁଣ ରେ ଧନୁର୍ଜୟେ

ଆଗହୁଂ ଆମ୍ଭନ୍ତ ଆଗ୍ୟାଂ ଦେଇଅଛନ୍ତି ଦେବାଧି ଦେବରାୟେ ।୮୬।

ନନ୍ଦନ ବନର ଅଛି ଯେତେକ ପଂକୁ ଫଳ

ନାବେ ପୂରୋଇ ଦେଉଅଛଇ ନିତ୍ୟେ ଇନ୍ଦ୍ର ପ୍ରଶସ୍ତ କୂଳ ।୮୭।

ବାବୁ ନାବ ପଖାଳି କରି ପଚିଶ ଖର୍ବ

କଦଳୀ ନଟିକାଳ ଆମ୍ୱ ପଣସ ଆଦି ସକଳ ଦ୍ରବ୍ୟ ।୮୮।

ଚତୁର୍ମାସ୍ୟାଉଂ ବହି ନେଉଛନ୍ତି ହସ୍ତିନା

ଆମ୍ଭେ ସେ ଯାଗର ଭୃତ୍ୟର ଭୃତ୍ୟ ସିନା ।୮୯।

ଅକ୍ଷତ ନିମନ୍ତ୍ରଣ ତାଂକୁ ଦିଲେକ ସର୍ବସାଚୀ

ସ୍ୱାମୀ ପୁତ୍ର ପଉତ୍ର ବିଦ୍ୟାଧରନ୍ତ ଘେନି ଯିବ ଯେତେକ
ତୋହୋର ଅଛି ।୯୦।

ସ୍ୱାମୀ ସୁରନାଥ ଆଗ୍ୟାଂ ଦିଅ ଯିବି ମୁହିଂ ବ୍ରହ୍ମାର ଭୁବନକୁ

ନିମନ୍ତ୍ରଣ କରିବିଟି ପିତାମହ ଦେବତାଂକୁ ।୯୧।

ଶୁଣିଣ ପ୍ରସନ୍ନ ଯେ ହୋଇଲେ ମଘବାନ

ତୋଷେଣ ଦିଲେ ଆପଣାର ପୁଷ୍ୟକ ବିବାନ ।୯୨।

ବୋଇଲେ ୟେହି ବିବାନେ ବସି ଯେଉଂଣ ଭୁବନକଇଂ କରିବୁ ଇଚ୍ଛା

ୟେହିକ୍ଷଣି ଭେଟିବୁ ତୋହୋର ଯହିଂକି ମନବାଞ୍ଛା ।୯୩।

ସୁରନାଥ ବଚନ ଶୁଣି ସର୍ବସାଚୀ

ବିବାନେ ବିଜେକରି ଯଷୋବନ୍ତୀ ଭୁବନକଇଂ ଇଚ୍ଛି ।୯୪।

ଅର୍ଜୁନ ଆଗ୍ୟାଂଦିଲେ ମାତଳି ସାରଥିକି

ୟେ ଯମାଗୋଷ୍ଠ ରାଜାକୁ ତୁ ଥାଅ ସି ୟେଥେ ରଖି ।୯୫।

ମନେଣ ଚିନ୍ତିଲା ବୀର ବୀବାନେଣ ବସି

ଯଶୋବନ୍ତୀ ବ୍ରହ୍ମାପୁରେ ପ୍ରବେଶ ପାଥ ଆସି ।୯୬।

ହାହା ହୁହୁ ତିନିକୋଟି ଅଛନ୍ତି ଗନ୍ଧର୍ବେ

ଅର୍ଜୁନକୁ ଓଗାଳିଲେ ରଣମତ୍ତ ଗର୍ବେ ।୯୭।

କେରେ ମାନବ ତୁହି ରେ ଦିଗପାଳେ ନୋହିଂ

ବ୍ରହ୍ମାର ଭୁବନରେ ତୁରେ ପଶିଛୁ କାହିଂ ପାଇଂ ।୯୮।

ଆହୋ ! ବାସବର ନନ୍ଦନ ମୁଂ ପାଣ୍ଡବ ଫାଲଗୁନି

ତୁମ୍ଭେ ବିଦ୍ୟାଧରେ ମୋତେ କି ନିମନ୍ତେ ନ ଚିହ୍ନି ।୯୯।

ପିତାମହଂକୁ ନିମନ୍ତ୍ରିବି ମୁଂ ରାଜୁସିଯାଗ ଅର୍ଥେ

ମୁକୁଇଂ ପେଷିଲେ ସିନା ଯୁଝେଷ୍ଠି ନୃପତ୍ୟେ ।୧୦୦।

ବିଦ୍ୟାଧରେ ବୋଇଲେ ପାଥ କ୍ଷଣକେ ବିଶ୍ରାମ

ଜଣାଇଂ ଛାମୁକୁ ରାଇବା ତୋର ସତ୍ୟବାକ୍ୟ ହେଉ ଧର୍ମ ।୧୦୧।

କେବଣ କ୍ଷଣେ ତୁହୋ ହୋଇଅଛୁ ଜନ୍ମ

ବ୍ରହ୍ମାର ପୁରକୁ ଅଇଲୁ ସାଧୁ ତୋ ଜୀବନ ।୧୦୨।

ୟେମନ୍ତର ସମୟେ ବଶିଷ୍ଠ ତପୋଧନି

ପିତାମହର ଭୁବନକୁ ଆସୁଛନ୍ତି ସମସ୍ତ ମହାମୁନି ।୧୦୩।

ଅର୍ଜୁନ ନମସ୍କାର କଲେ ବଶିଷ୍ଠଂକୁ ଦେଖି

ଅବଲୋକନେ ଚାହିଂଲେ କିଞ୍ଚିତେ ବେନି ଆଖି ।୧୦୪।

ଅର୍ଜୁନର କର ଯେ ଧରିଣ ବଶିଷ୍ଠେ

ପ୍ରଣପତ୍ୟ କରାଇଲେ ପିତାମହର ପାଦପୃଷ୍ଠେ ।୧୦୫।

ଅର୍ଜୁନକୁ ଦେଖି ଧାତା କିଞ୍ଚିତ ଦ୍ରହାସି

ମଉନେ ପିତାମହ ନ ଦିଲେ ସମାପି ।୧୦୬।

ଅର୍ଜୁନ ଶତ ସହସ୍ର ଦଣ୍ଡ ପ୍ରଣପତ୍ୟ

କରଇ ତୁସ୍ତି ପାଥ ମସ୍ତକେ ଦେଇଣ ହାଥ ।୧୦୭।

ଦେବ ଦେବ ପିତାମହ ଜଗତଗୁରୁଧାତା

ଦେବ ଦେବ ପିତାମହ ଜଗତନାଥ କର୍ତ୍ତା ।୧୦୮।

ଦେବ ଦେବ ପିତାମହ ପୁରଷ ଅବର୍ଣ୍ଣା

ଦେବ ଦେବ ପିତାମହ ଅତୁଟ ବଜ୍ରସେନ୍‌ହା ।୧୦୯।

ଦେବ ଦେବ ପିତାମହ ନିରଞ୍ଜନ ଗୋତ୍ରୀ

ଦେବ ଦେବ ପିତାମହ ପିତାମହ ଅବୀର୍ଯୁଂ ଉତପତ୍ତି ।୧୧୦।

ଦେବ ଦେବ ପିତାମହ ଅଣାକାର ପୁରୁଷେ

ଦେବ ଦେବ ପିତାମହ ଅକ୍ଷୋଭ ଶୂନ୍ୟବାସେ ।୧୧୧।

ଦେବ ଦେବ ପିତାମହ ଚିନ୍‌ହି ବାପ ମାୟେ

ଦେବ ଦେବ ପିତାମହ ଅକ୍ଷୟେ ଅବୟେ ।୧୧୨।

ଦେବ ଦେବ ପିତାମହ ସତ୍ୟ ସେ ଶୁଦ୍ଧଚେତା

ଦେବ ଦେବ ପିତାମହ ଭୂତଭବିଷ୍ୟ ଗ୍ୟାଂତା ।୧୧୩।

ଦେବ ଦେବ ପିତାମହ ନବ ସୃଷ୍ଟି କରତା

ଦେବ ଦେବ ପିତାମହ ଧାତା ଯେ ବିଧାତା ।୧୧୪।

ଦେବ ଦେବ ପିତାମହ ଚତୁରାନନ ରୂପ

ଦେବ ଦେବ ପିତାମହ ନିର୍ଧୂମ ବନ୍‌ହି ସରୂପ ।୧୧୫।

ଦେବ ଦେବ ପିତାମହ ଭୁବନ ଯଶୋବନ୍ତୀ

ଦେବ ଦେବ ପିତାମହ ପ୍ରଚଣ୍ଡ ତେଜମୂର୍ତ୍ତି ।୧୧୬।

ଦେବ ଦେବ ପିତାମହ କମଣ୍ଡଳେ ଗଙ୍ଗା ଆଦି

ଦେବ ଦେବ ପିତାମହ ବେଦଶାସ୍ର ମନ୍ତ୍ରବାଦୀ ।୧୧୭।

ଦେବ ଦେବ ଧାତୁବାଦ ପୁରଷ ପରମ ବନ୍ଧୁ

ଦେବ ଦେବ ବାରଣ ତାରଣ ସତ୍ୟ ସିନ୍ଧୁ ।୧୧୮।

ଦେବ ଦେବ ପିତାମହ ଧାତା ଅନଙ୍ଗ ଦର୍ପ ଭଞ୍ଜା

ଦେବ ଦେବ ବ୍ରହ୍ମବେତ୍ତା ରାକ୍ଷସ ବଳ ଖଞ୍ଜା ।୧୧୯।

ଦେବ ଦେବ ରୁଚିର ତନୁ ଧବଳାଙ୍ଗ

ଦେବ ଦେବ ନିଷ୍କଳଂକ ନିର୍ମଳ ଯାହାର ଅଙ୍ଗ ।୧୨୦।

ଦେବ ଦେବ ପିତାମହ ସିଦ୍ଧ ବଚନ ମୋକ୍ଷଗୁରୁ

ତେବ ଦେବ ଧାତାମୁଖେ ଚତୁର୍ବେଦ ପଢୁ ।୧୨୧।

ଦେବ ଦେବ ସତ୍ୟ ସର୍ବଦା ନିର୍ମଳମୟେ

ଦେବ ଧନଞ୍ଜୟେ ତୋହୋର ଚରଣେ ବିନୟେ ।୧୨୨।

ଦେବ ଦେବ ପିତାମହ ଆଗେ ବ୍ରହ୍ମପଦ ଗୋଟି

ଦେବ ଦେବ ପିତାମହ ପକ୍ଷାନ୍ତେ ବିରଞ୍ଚି ପଦ ସେଟି ।୧୨୩।

ଦେବ ଦେବ ପିତାମହ ଚତୁର ମୁଖ ଅଷ୍ଟଲୋଚନା

ଦେବ ଦେବ ପିତାମହ ଯାହାର ଶରାରକୁ ଗାୟିତ୍ରୀ ବଜ୍ରସେହ୍ନା ।୧୨୪।

ଦେବ ଦେବ ପିତାମହ ରୁଦ୍ରେଣହିଂ ବିବାଦୀ

ଦେବ ଦେବ ପିତାମହ ପଞ୍ଚୁବଦନେ ଅଷ୍ଟାଙ୍ଗଯୋଗ ସାଧି ।୧୨୫।

ଦେବ ଦେବ ପିତାମହ ତାରକ ବ୍ରହ୍ମଗ୍ୟାନ

ଦେବ ଦେବ ପିତାମହ ସିଦ୍ଧ ସାଧନ ଆସନ ।୧୨୬।

ଦେବ ଦେବ ପିତାମହ ଜାତ ଅନ୍ତ ମଧ୍ୟସ୍ତାନ

ଦେବ ଦେବ ପିତାମହ ସାଧନ ବୋଧନ ବ୍ରହ୍ମଗ୍ୟାନ ।୧୨୭।

ଦେବ ଦେବ ପିତାମହ ଅରୂପ ଅକାଳ ଅକାମ

ଦେବ ଦେବ ପିତା ପିତାମହ ତୋର ନାମ ।୧୨୮।

ଦେବ ଦେବ ପିତାମହ ଆଗେ ବ୍ରହ୍ମପଦ ଗୋଟି

ଦେବ ଦେବ ପିତାମହ ପକ୍ଷାନ୍ତେ ବିରଞ୍ଚିପଦ ସେଟି ।୧୨୯।

ଦେବ ଦେବ ପିତାମହ ଚତୁର ମୁଖ ଅଷ୍ଟଲୋଚନା

ଦେବ ଦେବ ପିତାମହ ଯାହାର ଶରୀରକୁ ଗାୟତ୍ରୀ ବଜ୍ରସେହ୍ନା ।୧୩୦।

ଦେବ ଦେବ ପିତାମହ ରୁଦ୍ରେଣ ଦେବହିଂ ବିବାଦୀ

ଦେବ ଦେବ ପିତାମହ ପଞ୍ଚୁବଦନେ ଅଷ୍ଟାଙ୍ଗ ଯୋଗ ସାଧି ।୧୩୧।

ଦେବ ଦେବ ଚତୁରାନନ ଚତୁର ବଦନେ ଦେବ ବାଚି

ଦେବ ଦେବ ପିତାମହ ଚାରିଖାନି ଚଉରାଶି ଲକ୍ଷ ଜୀବ ସଞ୍ଚି ।୧୩୨।

ଦେବ ଦେବ ପିତାମହ ଅଗ୍ୟାନ ପ୍ରାଣୀଂକି ଗ୍ୟାନ ଦ୍ୟନ୍ତା

ଦେବ ଦେବ ପିତାମହ ମନୁକଳ୍ପ ମହା ବ୍ରହ୍ମବେତ୍ତା ।୧୩୩।

ଦେବ ଦେବ ପିତାମହ ମହାବିଦ୍ୟା ରୂପୀ

ଦେବ ଦେବ ପିତାମହ ତପୋବ୍ରହ୍ମ ବ୍ୟାପି ।୧୩୪।

ଦେବ ଦେବ ପିତାମହ ଅଲୋକିତ ଲୋକାନନ୍ ଆଦି

ଦେବ ଦେବ ପିତାମହ ଭଗତମତ୍ସଳ ସର୍ବସିଦ୍ଧି ।୧୩୫।

ଦେବ ଦେବ ପିତାମହ ଉପାୟେଣ ସର୍ବସଞ୍ଚା

ଦେବ ଦେବ ପିତାମହ କାଳକାମ ନିଦ୍ରା ତିନିବଞ୍ଚା ।୧୩୬।

ଦେବ ଦେବ ପିତାମହ ଶୂନ୍ୟ ଅବକାଶ ପଦ୍ମଯୋନି

ବ୍ରହ୍ମ ପ୍ରାପତେ ଭାଷିଲା ସାରୋଳା ଦାସ ଶୂଦ୍ରମୁନି ।୧୩୭।

ଧାତାକୁ ବିନୋୟୀ କରି ପାଣ୍ଡବ ଫାଲଗୁନି

ବ୍ରହ୍ମବେତ୍ତା ଚରଣେ ଯେ ବିନୟେ ଦଇନି ।୧୩୮।

ଅର୍ଜୁନ ବଚନେ ଯେ ବଦନ୍ତି ଦେବଗୁରୁ

ଯହିଂ ନିମନ୍ତେ ଅର୍ଜୁନ ସେ ବିନୟ ମୋତେ କରୁ ।୧୩୯।

ତୋହୋର ଜୀବନରେ କଲୁ ଯେତେ କୃତ୍ୟ

ମାନବ ହୋଇ ଚାରିଯୁଗେ ନାହିଂନା ୟେମନ୍ତ ।୧୪୦।

ଜଗମୋହନ ନାଥ ଯାହାକୁ ସଂପକ୍ଷ

ମାୟାୟେ ସକଳ ଯେ ଭିଆଇ ଶ୍ରୀବତ୍ସ ।୧୪୧।

ଆନନ୍ଦେ ବଦନ୍ତି ଦେବ ପଦ୍ମଯୋନି

ମଧ୍ୟପୁରେ ଜାତ ହୋଇ ସାଧୁ ସାଧୁରେ ଫାଲଗୁନି ।୧୪୨।

ଚଳ ଯା ଅର୍ଜୁନ ଆକାଶ ନିମନ୍ତ୍ରେ

ଆମ୍ଭେ ଯାଉଂ ସିନା ବୃନ୍ଦାଅର୍କ ସଙ୍ଗତେ ।୧୪୩।

ଛାମୁରେ ପାଦାଅର୍ଘ୍ୟ ଦେଇଣ ଧନର୍ଜୟେ

ପୁଣ ପୁଣ ଶତ ସହସ୍ର ଦଣ୍ଡ ପ୍ରଣମ୍ୟ ବିନୟେ ।୧୪୪।

ବଶିଷ୍ଠ ପଉଲସ୍ତି ବାମଦେବ ଅଗସ୍ତି

ଦୁଭାସ୍ୟା ବାଲମୀକ ମାରକଣ୍ଡ ସର୍ବଯତି ।୧୪୫।

ବିଶ୍ୱାମିତ୍ର ପାରେଶ୍ୱର ବ୍ୟାସେ ଭଗବନ୍ତେ

ଗଉତମ ଅଙ୍ଗିରା ଅଷ୍ଟବକ୍ର ସହିତେ ।୧୪୬।

ସବୁନ୍ତି ନିମନ୍ତ୍ରିଣ ପାର୍ଥ ପିତୃକାର୍ଯ୍ୟ ଅର୍ଥେ

ରାଜୁସି ଯାଗକୁ ଯିବା ଗୋସାଇଂମାନେ ବାଳଖିଳାଂକ ସହିତେ ।୧୪୭।

ସମସ୍ତେ ସନମତ କଲେ ପାର୍ଥର ବଚନ ଶୁଣି

ପିତାମହ ସଙ୍ଗତେ ଆମ୍ଭେ ଯିବୁ ୟେହିକ୍ଷଣି ।୧୪୮।

ଯୋଶୋବନ୍ତୀ ପୁରେ ପିତାମହଂକୁ ନିମନ୍ତ୍ରି

ସାଧୁ ଧନଞ୍ଜୟ ବୋଲି ପିତାମହ ପ୍ରଶଂସା କରନ୍ତି ।୧୪୯।

ବାହୁଡଇ ଅର୍ଜୁନ ଯେ ବାସବ ଭୁବନେ

ଅନେକ ସାନନ୍ଦେଣ ପୁଛନ୍ତି ମଘବାନେ ।୧୫୦।

ବ୍ରହ୍ମା ବୋଇଲେ ନାରଦ ମୁନିଂକ ହକାରି

ପାର୍ଥ ଅଇଲା ଆକାଶ ଦିଗବିଜେ କରି ।୧୫୧।

ତେତିଶ କୋଟି ଦେବତାଂକୁ କଲେ ନିମନ୍ତ୍ରଣ

ଯମ ସଞ୍ଜୀବନୀ ପୁରକୁ ପାଥ ଯିବ ସେହିକ୍ଷଣ ।୧୫୨।

ପଣ୍ଡୁର ଅବସ୍ତା ଦେଖଇ ନିକି ସର୍ବସାଚୀ

ପିତାର କଷ୍ଟ ଦେଖିଲେ ଯମ ରାଜାକୁ କରିବ ବହୁତ ବାଚି ।୧୫୩।

ୟେ ତ୍ରଇଲୋକ୍ୟ ଭୁବନରେ ଅରଜୁନ ମହାରଥା

ତାହାର କୋପନ୍ତେ କେହି ନାହିଂଟି ରଖନ୍ତା ।୧୫୪।

ତୁଯାଇ କହ ବାବୁ ଯମ ଦେବତାର ଆଗେ

ଆସ୍ତାନେ ପଣ୍ଡୁକୁ ବସାଇ ଅତି ବେଗେ ।୧୫୫।

ଅନେକ ଉପହାର ଦିବ୍ୟ ଅଳଂକାର ଦେଇ

ପଣ୍ଡୁର ଛାମୁରେ ଯମ ଥାଉ ଉଭାହୋଇ ।୧୫୬।

ପିତାର ପୁରୁଷାର୍ଥ ଦେଖି ଯମକୁ କରିବ ଅନୁଗ୍ରହ

ୟେସନକ ଚରିତ ତୁ କୃତାନ୍ତକ ଆଗେ କହ ।୧୫୭।

ପିତାର ବଚନେ ସେ ଚଳିଲେ ତପନିଷ୍ଠି

ସଞ୍ଜୀବନୀ ପୁରେ ଯାଇଂ ଯମକଇଂ ଭେଟି ।୧୫୮।

ପିତାମହ ବାରତା କହିଲେ ଯମର ଅଗ୍ରତେ

ଶୁଣିଣ ନାଶକର ପରମ ତୋଷଚିତ୍ତେ ।୧୫୯।

ପଣ୍ଡୁକୁ କରଇ ଅନେକ ପୁରୁଷାର୍ଥ

ଧର୍ମେଣ ପଞ୍ଚୁଗୋଟି ପୁତ୍ର କଲୁ ରାୟେ ଜାତ ।୧୬୦।

ରାଜୁସି ଯାଗ ଆରୋପଣ କଲେକ ଯୁଝେଷ୍ଠି

ଖଣ୍ଡିଲୁ ହତ୍ୟାଦୋଷ ପାରଗଲା ସମସ୍ତ ଅରଷ୍ଟି ।୧୬୧।

ଧନ୍ୟ ତୋହୋର ଜନନୀ ପିଅର ଧନି ଧନି

ସନ୍ତାନ ଉପୁଜାଇଲୁ ଶୁଭ ଅନକୂଳ ଘେନି ।୧୬୨।

ନ ଜାଣି ଶୃଙ୍ଗାର ଯେ ମୂର୍ଖେ କରନ୍ତି ଅନିର୍ଯାପ

ଆପଣାକୁ ଅଗତି ବଂଶକୁ ହୋଅଇ ମହାପାପ ।୧୬୩।

ଆପଣେ ନ ଜାଣନ୍ତି ମତ୍ତଗର୍ବେ ହୋଅନ୍ତି ବଣା

ଆପଣାର କଲାଦୋଷ ଯମକୁ ବୋଲଣା ।୧୬୪।

ସୁକ୍ଷଣେ ପୁତ୍ର ଉପୁଜାଇଲୁ ରାୟେ ପଣ୍ଡୁ

ଧର୍ମ ବର୍ଦ୍ଧୁତେ ତୋହୋର ଅପାଦ ଯେ ଖଣ୍ଡୁ ।୧୬୫।

ୟେସନେକ ବନ୍ଦନା ଯେ କରଇ ନାଶକର

ପଣ୍ଡୁଂକୁ ବସାଇଲା ନେଇ କଣୟ ସଭାର ।୧୬୬।

ଉପରେ ମଣ୍ଡିତ ବାରସ୍ୱତୀ ଭୁବନ ଜାଣି

ନେତର ଚନ୍ଦ୍ରାତପେ ରତ୍ନ ଢଳନ୍ତି ଶୁଦ୍ଧମଣି ।୧୬୭।

ଛାମୁରେ ନୃତ୍ୟଗୀତ କରନ୍ତି ବନିତା

ଖଟନ୍ତି ବିଳସୁଣୀ ତାଣ୍ଡବ ରସଗୀତା ।୧୬୮।

ମୃଦଙ୍ଗ ତାଳ କଂସାଳ ବେଣୁ ବଇଂଶୀ ବାଦ୍ୟ

ସରଗୁଣା ଅଧାଟୀ ଗାୟନ ସୁସବଦ ।୧୬୯।

ୟେମନ୍ତର ସମୟେ ବୀର ଫାଲଗୁନି

ଇନ୍ଦ୍ର ଦେବତା ଚରଣେ କରଇ ଦଇନି ।୧୭୦।

ଭୋ ତାତ ଯାଉଅଛି ମୁଂ ସଞ୍ଜୀବନୀ ପୁରେ

ପିତାଂକୁ ଦେଖିବି ମୋର ପିତୃଲୋକଂକ ସଙ୍ଗତରେ ।୧୭୧।

ଅର୍ଜୁନକୁ କୋଳେ ବସାଇ ବୋଲଇ ସହସ୍ରାକ୍ଷ

ବାବୁ ଯମକଇଂ କୋପ ନ ପୁଣ କରୁସି ବିବତ୍ସ ।୧୭୨।

ଅନାଦି ପୁରୁଷ ବାବୁ ଯାହାକଇଂ ଦିଲା ଦଣ୍ଡ

ପାପୀ ଲୋକଂକର ସେ ଦଳଣ କରଇ ପିଣ୍ଡ ।୧୭୩।

ବାବୁ ଜାତ କରଇ ବ୍ରହ୍ମା ସିନା ନାଶ କରଇ ଯମ

ୟେସନେକ ବେନି ଦେବତା ଅଟନ୍ତି ଯମଧର୍ମ ।୧୭୪।

ପୁଣ୍ୟବନ୍ତ ଲୋକଂକୁ ଅନେକ ବାଗେ ମଣ୍ଡଇ

ପାପୀଲୋକ ହୋଇଲେ ତାହାକୁ ଅନେକ ବାଗେ ଦଣ୍ଡଇ ।୧୭୫।

ଆପଣାର ଅର୍ଜିଲା ପାପ ସେ ଭୋଗ କରଇ ସବୁ

ନ ପୁଣ ଯମ ଦେବତାଂକୁ କୋପକରୁ ବାବୁ ।୧୭୬।

ଅନେକ ତିଆରି ପଠାଇଲେ ମଘବାନ

ତହୁଂଣ ନନ୍ଦୀଘୋଷ ରଥ ଆରୋହି ବିଜୟ ଅର୍ଜୁନ ।୧୭୭।

ମାତଳିଂକି ବୋଲଇ ସେ ସୁଭଦ୍ରାର ପ୍ରାଣନାହା

ସଞ୍ଜୀବନୀ ପୁରକୁ ଯେ ରଥ ବେଗେ ବାହା ।୧୭୮।

ବାସେବିର ବଚନେ ସେ ମାତଳି ସାରଥି

ସଞ୍ଜୀବନୀ ପୁରେ ରଥ ବାହିଲା ତତକ୍ଷଣାନ୍ତି ।୧୭୯।

ବିଜୟେ ଫାଲଗୁନି ଯାଇ ନାଶକର ଭୁବନେ

ଦେଖିଣ ତରିଲେ ଅନେକ ଦୁର୍ଗତି ପାପୀଜନାମାନେ ।୧୮୦।

ନି କର୍ମ ତେଜିଣ ତରନ୍ତି ସର୍ବପାପୀ

ତ୍ରାସେ କାଳ ବିକାଳେ ପଳାଇଲେ ଶୂନ୍ୟଭୁବନ କ୍ଷେପି ।୧୮୧।

ଯମର ଆସ୍ତାନେ ଯାଇ ବିଜୟେ ଦୁତୀକୃଷ୍ଣ

ଦେଖିଣ ନାଶକର ହୋଇଲା ଅନେକ ତୁଷ୍ଟ ।୧୮୨।

ଶ୍ରୀହସ୍ତେ ଅର୍ଘ୍ୟ ଘେନିଣ ଜନ୍ତୁରାଜା

ଅର୍ଜୁନର ପଦ୍ମପାଦେ କଲାକ ଦିବ୍ୟପୂଜା ।୧୮୩।

ପ୍ରତକ୍ଷେ ନାରାୟଣ ୟେ କୃଷ୍ଣ ଅବତାର ଦୁତୀ

ତବ ଦ୍ରଶନେ କରିଣ ମୋର ଖଣ୍ଡିଲା ଦୁର୍ଗତି ।୧୮୪।

ୟେ ତୋହୋର ବଦନ ଦେଖିଣ ଅଦ୍ୟାପି

ଇହଲୋକେ ପରଲୋକେ ତରିବେ ବହୁତ ପାପୀ ।୧୮୫।

ୟେତେକାଳ ଅନେକ ପୁଣ୍ୟ ମୋହୋର ଧନି

ୟେବେ ସେ ପ୍ରତିଷ୍ଠା ହୋଇଲା ମୋହୋର ଭୁବନ ସଂଜୀବନୀ ।୧୮୬।

ଅନୁଗ୍ରହ ନାଥ କାର୍ଯ୍ୟ ତୋହୋର କିସ

ପୃଥୀ ଭରାଭର ଦର୍ପକୁ ତୁ କରନ୍ତା ଉଶ୍ୱାସ ।୧୮୭।

ତବ କାର୍ଯ୍ୟେ ଗମନ କି ମୋତେ କରି ଅନୁଗ୍ରହ

ସୋମବଂଶ ମଣ୍ଡନ ନାଥ ମୋତେ ସରୂପ କହ ।୧୮୮।

ଅର୍ଜୁନ ବୋଇଲେ ଶୁଣ ନାଶକର ଦଇବତେ

ରାଜୁସି ଯଗ୍ୟଂ ଆମ୍ଭର ପିତାକାର୍ଯ୍ୟ ନିମନ୍ତେ ।୧୮୯।

ମଞ୍ଚଭୁବନ ପ୍ରାଣୀଂକି ତୁହି ସେ ଅଟୁ ମୂଳ

ତୋହୋର ଦୟାଭାବେ ବ୍ରତନ୍ତି ସକଳ ।୧୯୦।

ମମ ପିତା ପଣ୍ଡୁ ଅଛନ୍ତି କେବଣ ଥାନେ

ଦେଖିବି ପିତାଂକୁ ମୋହୋର ତୋହୋର ପରସନ୍ନେ ।୧୯୧।

ନାଶକର ବୋଇଲା ଦେବ ଶୁଣିମା ସବ୍ୟସାଚୀ

ଦେଖ ତୋହୋର ପିତାମହ ଯେବଣଠାରେ ବିଜେ କରିଅଛି ।୧୯୨।

ଆଗେଣ କୃତାନ୍ତେକ ଯେ ପଛେଣ ଫାଲଗୁନି

ଦିବ୍ୟ ସିଂଘାସନେ ଯମ ଦେବତା ଅର୍ଜୁନକୁ ଗଲା ଘେନି ।୧୯୩।

ବିଜୟେ ନରନାଥ ଅଭୟେ ସୋମବଂଶୀ

ଦିବ୍ୟ ସିଂଘାସନେ ଯେ ପଣ୍ଡୁରାଜା ଛନ୍ତି ବସି ।୧୯୪।

ଅନେକ ରତ୍ନ ଆଭରଣ ତାର ହୃଦେ

ଦେଖିଣ ଫାଲଗୁନି ଯେ ପରମ ସାନନ୍ଦେ ।୧୯୫।

ଶ୍ରୀକରେ ଅର୍ଘ୍ୟ ଯେ ଘେନିଣ ଅର୍ଜୁନ

ପଣ୍ଡୁର ପାଦତଳେ ପ୍ରଣମିତ ତୋଷମନ ।୧୯୬।

ଅର୍ଜୁନକୁ ଦେଖି ପରମ ସାନନ୍ଦ ମହାରାଜା

ତୋହୋର ପ୍ରସାଦେ ବାବୁ ତ୍ରଇଲୋକ୍ୟେ ମୋତେ ପୂଜା ।୧୯୭।

କାଳାନ୍ତକ ଭୁବନ ୟେ ନିଶାଚର ପୁରୀ

ୟେ ପୁରେ ପୂଜା ମୋ ତବ ପ୍ରସାଦେଣ କରି ।୧୯୮।

କରପତ୍ର ଯୋଡ଼ିଣ ଯେ ଅର୍ଜୁନ ବୋଇଲା

ଆମ୍ଭର ପୁରେ ଦିନେ ନାରଦ ବିଜେକଲା ।୧୯୯।

ଯୁଝେଷ୍ଠି ପଚାରିଲେ ହୋ କାହିଂ ଥିଲ ବ୍ରହ୍ମଚାରୀ

ନାରଦେ ବୋଇଲେ ଥିଲୁ ସଞ୍ଜୀବନୀ ପୁରୀ ।୨୦୦।

ଯୁଝେଷ୍ଠି ପଚାରିଲେ ଦେବ ମୋର ପିତା ପଣ୍ଡୁ ନୃପତି

ଯମର ସଭାମଧ୍ୟେ ଦେଖିଲ କି ବ୍ରହ୍ମଯତି ।୨୦୧।

ନାରଦେ ବୋଇଲେ ଦେଖିଲୁଂ ଯେ ତୋହୋର ତାତ

ଅନେକ ହନ୍ତସନ୍ତ କରଇ ଜନ୍ତୁନାଥ ।୨୦୨।

ଯମରାଜର ସଭା ତିନି ପାବଚ୍ଛର ତଳେ

ହେଠମାଥ ହୋଇ ଉଭା ହୋଇଚି କାଖେ ଲାଇଂ କରସ୍ଥଳେ ।୨୦୩।

ବସ ବୋଲି ପଣ୍ଡୁଂକୁ ଯେ ନ ବୋଲଇ ଯମ

ଯୁଝେଷ୍ଠି ପଚାରିଲେ ପିତା ମୋହୋର କଲା କେଉଣ ଅଧମ ।୨୦୪।

ନାରଦେ ବୋଇଲେ ମୁଂ ପଚାରିଲି ପଣ୍ଡୁଂକୁ

କେବଣ ପାପେ ନାଶକର ୟେତେକ ଶାସ୍ତି ବିହିଲା ତୁମ୍ଭଂକୁ ।୨୦୫।

ଯୁଝେଷ୍ଠି ଅଗ୍ରତେ ଯେ କହିଲେ ନାରଦେ

ତୋହୋର ପିତା ପଣ୍ଡୁ ବ୍ରହ୍ମହତ୍ୟା କଲା ହାଦେ ।୨୦୬।

ୟେତେ କହି ନାରଦେ ଗଲେ ଅର୍ନ୍ତଭାବେ

ଶୁଣିଣ ଉପହାସ କଲେକ କଉରୋବେ ।୨୦୭।

ପଣ୍ଡୁ ବୋଇଲେ ମୋତେ ନାରଦେ ନ ଦେଖିଲେ

ଗୁରୁପୁତ୍ର ନିମନ୍ତେ ହରି ୟେଥକୁ ଆସିଥିଲେ ।୨୦୮।

କୁମ୍ଭମାସ ଶୁକ୍ଳପକ୍ଷ ଗୁରୁବାର ଚଉଠି

ଅଶ୍ୱିନୀ ନକ୍ଷତ୍ର ସେ ଦିନବେଳ ନବଘଟି ।୨୦୯।

ଗୁରୁପୁତ୍ର ଘେନି ହରି ଯେ ବାହୁଡ଼ିବା ବେଳେ

ମୋତେ ଦେଖିଲେ ଯମସଭାର ତିନି ପାବଚ୍ଛ ତଳେ ।୨୧୦।

ଯମଦେବତାଂକୁ ପଚାରିଲେ ଧନଞ୍ଜୟେ

ପିତାର କେବଣ ପାତକ କହସି ନିର୍ଭୟେ ।୨୧୧।

ତବ ମୁଖଂ ଶୁଣିମି ମୁଂ ସରୂପ ସିଦ୍ଧାନ୍ତ

ବିନୟେ ଭଗତି ହୋଇ କହଇ କୃତାନ୍ତ ।୨୧୨।

ସ୍ୱାମୀ ବ୍ରହ୍ମହତ୍ୟା ଦୋଷ ଅଟଇ ମହାପାପ

ଡରେହେଂ ଶାସ୍ତି ନ ବିହିଲି ତହିଂର ଅନରୂପ ।୨୧୩।

ତୁମ୍ଭେ ରାଜୁସି ଯାଗ ଆରମ୍ଭିଲ ଯେତେବେଳେ

ହତ୍ୟାଦୋଷ କ୍ଷୟେକରି ବସାଇଲି ୟେ ସ୍ୱର୍ଗ ମଣ୍ଡଳେ ।୨୧୪।

ସ୍ୱାମୀ ତୋହୋର ଛାମୁରେ କହିଲି ସରୂପ ସିଦ୍ଧାନ୍ତ

ଶାସ୍ତିଦିଲେ ଦିଅ ନୋହିଲେ ନାଶ ହେ ବୀର ପାଥ ।୨୧୫।

ଅର୍ଜୁନ ବୋଇଲେ ଯେବଣ ପ୍ରସ୍ତାବ

ନାଶକର ଦଇବତ ତୁ କରିବୁନା ସେହିଭାବ ।୨୧୬।

ଆବର କଥାୟେ ମୁଂ ପଚାରଇ ତୋତେ ଯମ

କେବଣ ପାପ ନାଶଯାଇଂ ଯେ କଲେ କେବଣ ଧର୍ମ ।୨୧୭।

ୟେ କଥା ସଞ୍ଚପିଣ ଶାହାସ୍ର ଯୋଗେ କହ

କୃତାନ୍ତ ବୋଇଲେ ସ୍ୱାମୀ ଅବଧାନ ହୁଅ ।୨୧୮।

ଯମ ବୋଇଲେ ଦେବ ବ୍ରହ୍ମହତ୍ୟା ଦୋଷ କଲେ

ତଦ ଦୋଷ ବିନ୍ୟଶତି ହୁଅଇ ଅନ୍ନଦାନ ଦିଲେ ।୨୧୯।

ଯମ ବୋଇଲେ ଦେବ ଗୋହତ୍ୟା ଦୋଷ କଲେ

ତଦ ଦୋଷ କ୍ଷୟେ ଯାଇ କୋଟିୟେ ତୀର୍ଥ କଲେ ।୨୨୦।

ଯମ ବୋଇଲେ ଦେବ ସ୍ତିରୀହତ୍ୟା ଦୋଷ କଲେ

ତଦ ଦୋଷେ ନାଶଯାଇଂ ତ୍ରିପୁରା ଦେବତା ପୂଜିଲେ ।୨୨୧।

ଯମ ବୋଇଲେ ଦେବ ଗୁରୁପତ୍ନୀ ହରିଲେ

ତଦ ଦୋଷେ ନାଶଯାଇଂ ବ୍ରହ୍ମଗ୍ୟାନ ସାଧିଲେ ।୨୨୨।

ମାତୃହରଣ ସୁରାପାନ ବ୍ରହ୍ମହତ୍ୟା ସ୍ତିରୀ ଗୋହତ୍ୟା ବୃଷାଳୀପତି

ରଣଯାଗେ ଝାସ ଦିଲେ ସମସ୍ତ ନାଶଯାନ୍ତି ।୨୨୩।

ଯମ ଦେବତା କହିଲେ ଅର୍ଜୁନର ଆଗେ

ପଞ୍ଚୁମହାପାତକ ବଂଶେ କଳଂକ ଥିଲେ କ୍ଷୟେ ଯାଇ କଲେ
ରଣଯଗ୍ୟେଂ ।୨୨୪।

ଯମ ବୋଇଲେ ଦେବ ପରଦାରା ହରନ୍ତେ ପାପ ଦୋଷ

ଷଣ୍ଢ ଷଣ୍ଢୁଣୀ ଦାନ ଦିଲେ ସେ ପାତକ ହୋୟେ ଧ୍ୱଂସ ।୨୨୫।

ଯମ ବୋଇଲେ ଦେବ ପରଦ୍ରବ୍ୟ ଚଉର୍ଯ୍ୟକାରୀ

ସଦାଶିବେ ପ୍ରସାଦ କଲେ ସେ ପାତକ ଅପହରି ।୨୨୬।

ଯମ ବୋଇଲା ସ୍ୱାମୀ ପରଭୂମି ଯେ ହରନ୍ତି ବଳେ

ପୁଷ୍କରିଣୀ ଖୋଳାଇଲେ ସେ ପାପ ଧ୍ୱଂସ ନା ଯାଇ ଦାନଜଳେ ।୨୨୭।

ଯମ ବୋଇଲେ ଯେ ଅଦୋଷେ ବୃକ୍ଷ ଚ୍ଛେଦନକାରୀ

ବିପୁଳ ଘରଦାନ ଦିଲେ ସେ ଦୋଷୁଂ ଯାଇ ପାରି ।୨୨୮।

ଯମ ବୋଇଲେ ଦେବ ବିଶ୍ୱାସଘାତକ ଦୋଷ

ପ୍ରାଗେ ଝାସ ଦିଲେ ସେ ପାପ ଯାଇ ନାଶ ।୨୨୯।

ଯମ ବୋଇଲା ଦିଲି ଆତ୍ମାପାତେକ ଦୋଷ

କେବେହେଂ ନ ନେଉଟଇ ସେ ପଡ଼ଇ ନର୍କବାସ ।୨୩୦।

ଯମ ବୋଇଲା ଦେବ ଯେ ପରଜୀବ ହରଇ

ଶିବେ ଶତେପଳ ଚନ୍ଦନ ଲେପ ଦିଲ ସେ ଦୋଷ ପାରଯାଇ ।୨୩୧।

ସ୍ୱାମୀ ଯେବଣ ପ୍ରାଣୀ ହରନ୍ତି ବ୍ରହ୍ମସ୍ୱୀ

ଗୋଦାନ ଦେବ ମଣିକର୍ଣ୍ଣିକା ବାଣରାଶୀ ।୨୩୨।

ଯମ ବୋଇଲେ ଯେ ଜନ ହରଇ ବିଧବା ବ୍ରାହ୍ମଣୀ

ଯମ ଦଣ୍ଡୁ ନ ଉତୁରଇ ନର୍କେ ତାହାକଇଂ ଗଣି ।୨୩୩।

ଯମ ବୋଇଲେ ସ୍ୱାମୀ ଯେ ମାନୀତି ତିରୀ ହରଇ

ତଦ ଦୋଷ ହରଇ ଯେ ସାଗରେ ଝାସି ପାରଇ ।୨୩୪।

ଯମ ବୋଇଲେ ସ୍ୱାମୀ ଯେ ସଭାରେ କହଇ ମିଥ୍ୟା

ତଦ ଦୋଷ ପାରଯାଇ କ୍ଷୀରୋଦ୍ରେ ଯେବେ ତିନ୍ତଇ ମଥା ।୨୩୫।

ସ୍ୱାମୀ ଧନଲୋଭେ ସନ୍ତତି ବିକନ୍ତି ଯେବଣ ପ୍ରାଣୀ

ଜନ୍ମେ ଜନ୍ମେ ସେହୁ ହୁଅନ୍ତି ହାଡ଼ିଆଣୀ ।୨୩୬।

ଯମ ବୋଇଲା ସ୍ୱାମୀ ଯେ କଲାକୃତ୍ୟ ବିକି

ଅଚ୍ଛବେ ଜାତ ହୋଅଇ ଅଚ୍ଛବେ ତାହାକଇଂ ଲେଖି ।୨୩୭।

ଯମ ବୋଇଲା ସ୍ୱାମୀ ଯେ ଗୋପଛ ଭୂମି ହରଇ

ତଦ ପାତକ ହରଇ ଯେ ହିରଣ୍ୟ ଦାନ ଦେଇ ।୨୩୮।

ଯମ ବୋଇଲା ମାତା ପିତାରେ ଯେ ନ ଦିଅଇ ଅନ୍ନ

ପ୍ରାଗେ ଝାସ ଦିଲେ ସେ ଖଣ୍ଡଇ ପାପମାନ ।୨୩୯।

ଯମ ବୋଇଲା ଗୋସାଇଂ ଯେ ପୋଷିଲା ଜନ୍ତୁ ମାରଇ

ତିଳ ହିରଣ୍ୟ ଦାନ ଦିଲେ ସେ ତହିଂର ଦୋଷ ହରଇ ।୨୪୦।

ଯମ ବୋଇଲା ଯେ ନିୟମ କରଇ ଶିବଆଳେ

ପୁଣ ପୁଣ ଜାତ କରଇ ତାହାକୁ ଅଚ୍ଛବର କୋଳେ ।୨୪୧।

ନାଶକର କହଇ ସ୍ୱାମୀ ଅନେକ ମହାଦୋଷ

କହନ୍ତେ ପାତକ କେ କରିବ ପ୍ରକାଶ ।୨୪୨।

ଯମ ବୋଇଲେ ଦେବ ଶୁଣିମା ବୀର ପାଥେ

ଅପାର ପାତକ ଦେବ ନ ସରଇ କହନ୍ତେ ।୨୪୩।

ପାତେକ ଖଣ୍ଡଇ ଦେବ ପ୍ରାୟଶ୍ଚିତ କଲେ

ନାନା ପାତକ ଖଣ୍ଡଇ ଶ୍ରୀବିଷ୍ଣୁ ପୁରାଣ ଶୁଣିଲେ ।୨୪୪।

ଗ୍ୟାନେ ଅଗ୍ୟାନେ ଯେବେ କରନ୍ତି ଦୁଷୁକୃତ

ମୁକତିକଇଂ କାରଣ ଅଛି ଶୁଣିଲେ ଶ୍ରୀମହାଭାରଥ ।୨୪୫।

ସକଳ ଦୁଷୁକୃତ ହରିବାକୁ ନାରାୟଣହିଂ ସେ ମୂଳ

ଶ୍ରୀମହାଭାରଥ ୟେ ପବିତ୍ର ପୁଣ୍ୟଜଳ ।୨୪୬।

ଧର୍ମ ଅର୍ଥ କାମ ମୋକ୍ଷ ବୁଝିଲେ ଅଛି ସବୁ

ୟେଥି ନିର୍ଗୁଣ ହୋଇ ଶରୀର ବୁଡ଼ାଇବୁ ।୨୪୭।

ୟେଥି ତୀର୍ଥ ଲୋଡ଼ିବୁ ସବୁ ୟେଥିପାଇଂ

ଅର୍ଜୁନ ଅଗ୍ରତେ ଯମ ଦେବତା କହଇ ବୁଝାଇ ।୨୪୮।

ଶ୍ରୀମହାଭାରଥ ଯେ ପଢ଼ନ୍ତି ଶୁଣନ୍ତି ହୃଦଗତେ

ତାହାନ୍ତ ଶାସ୍ତି ମୁଂ ଦେଇ ନୁଆରଇ କଦାଚିତେ ।୨୪୯।

ଦାନ ସାଗର ଯେ ଯଗ୍ୟଂର ଫଳଶ୍ରୁତି

ଆଷ୍ୟ ଧନ ପୁତ୍ର ବାଞ୍ଚିଲେ ଅଛଇ ଯେ ୟେଥି ।୨୫୦।

କଳିକାଳ ପାତକ ୟେ ହରିବା ନିମନ୍ତେ

ମନୁଷ୍ୟ ଅବତାରେ କେଶବ ଜାତ ୟେଥେ ।୨୫୧।

ଆହୋ ଯାହା ସେ କହିଲେ ଅର୍ଜୁନର ଆଗେ ଯମଦେବତା

ମୁହିଂ ତାହା ସଞ୍ଚପି କହିବାକୁ କିସ ଯେ ଶକତା ।୨୫୨।

ସକଳ ଜନର ନାରାୟଣ ଯେ ଅଧିକାରୀ

ବୁଡ଼ନ୍ତେଣ ସଂସାରେ ସେହି ସେ କରଇ ପାରି ।୨୫୩।

ତୁଳସାର ବଲ୍ଲଭ ଶତ ସହସ୍ର ଗତେ

ବୋଲନ୍ତି ଶୂଦ୍ରମୁନି ସାରୋଳା ଦାସ ସୁଜନ ଜନହିତେ ।୨୫୪।

ଆହୋ ଅନେକ ବିନୋୟୀ କହିଲା ଯମଦେବତା

ଶୁଣିଣ ସାନନ୍ଦ ଯେ ଭାରଥ ମହାରଥା ।୨୫୫।

ପଣ୍ଡୁ ବୋଇଲା ବାବୁ ପରମ କଲ୍ୟାଣ ହୋଅସି

ବଂଶ ନିଷ୍କଳଂକ ହୋଉ ଆରୋପଣ କରସି ରାଜୁସି ।୨୫୬।

ପଣ୍ଡୁରାଜା ଯମରାଜା ଦୁହିନ୍ତି ନିମନ୍ତ୍ରି

ଚଳଇ ପାର୍ଥ ଯେ ଅନେକ ତୋଷମତି ।୨୫୭।

ଶୂନ୍ୟପୁରୁଷ ମେଳେ ଭୃଗୁ ବୃହସ୍ପତି

ହିରଣ୍ୟ ହେମବନ୍ତ ସବୁନ୍ତି ନିମନ୍ତ୍ରି ।୨୫୮।

ଯକ୍ଷ କିନ୍ନର ଗ୍ରହଗଣ ଆଦିକରି

ଆକାଶେଣ ନିମନ୍ତ୍ରିଲା ସେ ବାସବି ଦିନାଚାରି ।୨୫୯।

ମାତଳିକି ବୋଇଲା ରଥ ବାହସି ବହନ

ଦ୍ୱାରାବତୀ ପୁରକୁ ଯିବା ବୋଇଲେ ଫାଲଗୁନ୍ୟ ।୨୬୦।

ମାତଳି ବୋଇଲା ଦେବଦେବ ଜଗନ୍ନାଥେ

ରାଜୁସି ଯଗ୍ୟଂ ସଭାରେ ବିଜେ କରିଅଛନ୍ତି ଅଚ୍ୟୁତେ ।୨୬୧।

ଅର୍ଜୁନ ବୋଇଲା ତହିଁ ରାଜା ଉଗ୍ରସେନ

ଅଛନ୍ତି ସାତବଂଶ ଯେ ଯାଦବ ବୀରମାନ ।୨୬୨।

ଆବର ବିଶେଷେ ସେ ବଳରାମ ଦେବେ

ମୋହୋର ନିମନ୍ତ୍ରଣ ନ କଲେ ସେ କିଂପାଇଂ ଆସିବେ ।୨୬୩।

ଯଦ୍ୟପି ଜଗନ୍ନାଥେ ବୋଲିବେ ଅଭ୍ୟାଥୀ

ଆମ୍ଭର ନ ବରିଲେ ନ ଯାନ୍ତି ହଳପତି ।୨୬୪।

ବାହଇ ମାତଳି ଯେ ରଥ ବେଗକରି

ବିଜୟେ ପାର୍ଥ ଯାଇଂ ଦ୍ୱାରାବତୀ ପୁରୀ ।୨୬୫।

ଦେଖିଣ ସାନନ୍ଦ ଯେ ନୃପତି ଉଗ୍ରସେନ

ସଭାୟେ ବିଜେକଲେ ଯାଇ କୋଇନ୍ତା ନନ୍ଦନ ।୨୬୬।

ଅର୍ଜୁନର ଆଗମନ ବାରତା ଦେବ ଶୁଣି

ଆପଣେ ବିଜେକଲେ ଦେବ ହଳପାଣି ।୨୬୭।

କାମପାଳଂକୁ ଦେଖି ଅର୍ଜୁନ ରଥ କଲାକ ତେଜ୍ୟା

ବଳରାମଂକ ପାଦତଳେ କଲାକ ଅର୍ଘ୍ୟପୂଜା ।୨୬୮।

ଚରଣେ ଶତ ସହସ୍ର ଦଣ୍ଡ ପରିଣାମି

କଲ୍ୟାଣ ବାଞ୍ଚା ଯେ କରନ୍ତି ବଳରାମ ସ୍ୱାମୀ ।୨୬୯।

ଅର୍ଜୁନର ଆଗତ ବାରତା ଯେ ଶୁଣି ବାସୁଦେବର ପୁତ୍ରମାନେ

ବାସୁଦେବର ପୁତ୍ରମାନେ ପାଦାଅର୍ଘ୍ୟ ଦେଇ ପୂଜା କରନ୍ତି
ଫାଲଗୁନ୍ୟେ ।୨୭୦।

ପଦ୍ମନ ସାମ୍ୱ ଗଦ କୁମାର ମୋକ୍ଷପାନ

ୟେହାଂକର ମୂଳେ ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ ।୨୭୧।

ଅର୍ଜୁନର ଚରଣ ତଳେ ସମସ୍ତେ କରନ୍ତି ପୂଜା

ପୁତ୍ରନ୍ତ ଚୁମ୍ୱନ ଦିଅଇ ସେ ବାସବର ଆତ୍ମଜା ।୨୭୨।

ନିମନ୍ତ୍ରିଣ ଯୋଗାଡ଼ ଘେନିଣ ଫାଲଗୁନି

ବଳରାମଂକ ପାଦାପଦ୍ମେ ସେ କରଇ ଦଇନି ।୨୭୩।

ଉଗ୍ରସେନ ସହିତେ ସାତବଂଶ ରାଜଦେବା

ସବୁନ୍ତି ନିମନ୍ତ୍ରଇ ଚାଲ ହସ୍ତିନାକୁ ଯିବା ।୨୭୪।

ଶୁଣିଣ ସାନନ୍ଦ ସେ ଦେବ କାମପାଳ

ହୋଇଲେ ସଜ ସ୍ୱାମୀ ସାତବଂଶର ଯେତେକ ମହୀପାଳ ।୨୭୫।

ଉଗ୍ରସେନ ସହିତେଣ ସମସ୍ତ ପୁତ୍ରମାନେ

ଅନେକ ସାନନ୍ଦେ ଆରୋହନ୍ତି ଅଶ୍ୱଗଜ ବିମାନେ ।୨୭୬।

ଅନେକ ରତ୍ନ ଆଭରଣ ଦିବ୍ୟବେଶ

କୁସୁମ ମଣ୍ଡନ ପରିହରଣ ଦିବ୍ୟବାସ ।୨୭୭।

ଯଦୁବଂଶ କୃଷ୍ଣବଂଶ ଭୋଜବଂଶ ହଇହୟ ବଂଶ

ଚୁହାଣ ବଂଶ ଅନ୍ଧେକ ବଂଶ କୁକ୍‌କୁର ବଂଶ ଯେ ବିଶେଷ ।୨୭୮।

ଅସଂଖ୍ୟ ସନ୍ୟବଳ ଦ୍ୱାରିକାରୁ ବାହାରି ଥାଠ

ଘୋଟିଲା ସିନ୍ଧୁର ଉତ୍ତର କୂଳ ଚଉବିଂଶ ଯୋଜନ ବାଟ ।୨୭୯।

ତାଳଧ୍ୱଜ ରଥେ ସ୍ୱାମୀ ବିଜୟେ କାମପାଳ

ଶ୍ରୀଭୁଜେ ଶୋଭାବନ ଯାର ମୂଷଳ ବଜ୍ରଫାଳ ।୨୮୦।

ଚୋଖାର ତୁରଙ୍ଗମ ପବନୁଂ ବେଗ ବାଜୀ

ଘୋଟନ୍ତି ଗଗନ ପନ୍ଥେ ବାରଣ ମହାତେଜି ।୨୮୧।

ବିହଡ଼ନ୍ତି ମହାନାଗ ଯେ କରିବର ମହାଦନ୍ତା

ଚତୁରଙ୍ଗ ବଳ ସନ୍ୟ କେ କରିବ ଗଣିତା ।୨୮୨।

ସୁନ୍ଦର ସୁକୁମାର ବିପୁଳ ଠୁଳ କାୟା

ଯମର କାଳଦଣ୍ଡେ ୟେହୁ ଅଟନ୍ତି ନିର୍ଭୟା ।୨୮୩।

ଆଗେଣ ବାଟ କଢୟେ ପାଣ୍ଡବ ଫାଲଗୁନି

ପଛଣେ ଯାଦବ ବଳ କ୍ଷେପନ୍ତି ସଇନି ।୨୮୪।

ଝଲକନ୍ତି ରତେ ତିମିର ବିଦାରଣ ମଣି

ଜଣେ ଜଣେ ବିକାଶନ୍ତି ବାଳ ଅର୍କ ତେଜ ଜାଣି ।୨୮୫।

ପବନହୁଂ ବେଗେ ଚଳନ୍ତି ସେ ପ୍ରଥମ ଦିବସ

ଜଇନ୍ତା ନଗ୍ରଦ୍ୱାରେ ଯାଇଂ ହୋଇଲେ ପରବେଶ ।୨୮୬।

ଶ୍ରୀବଳରାମଂକ ଆଘତ ବାରତା ଯାଇଂ କହିଲେ ମୁନେହି

ଅର୍ଜୁନ ବାହୁଡ଼ା ବିଜେ ବୋଲି ଜଗନ୍ନାଥଂକ ଆଗେ କହି ।୨୮୭।

ଧନୁମାସ ଶୁକ୍ଳପକ୍ଷ ଯେ ତ୍ରୟୋଦଶୀ ଅର୍କବାର

ପୁନର୍ବସୁ ରୁକ୍ଷ ଭୋଗ ହୁଦେ ସେ ଦିନର ।୨୮୮।

ଗର ନାମେ କରଣ ସେ ବିସ୍ମୟ ଯେ ଯୋଗ

ଧନୁ ସଂକ୍ରାନ୍ତିକୁ ଯେ ଅଠାଇଶ ଦିନ ଭୋଗ ।୨୮୯।

ଉତ୍ତର ଆକାଶ ନିମନ୍ତ୍ରି ବାସବର ବଳା

ଅର୍ଜୁନ ବିଜୟେ କଲା ଯାଇଂ ଶୁଭଲଗ୍ନ ବେଳା ।୨୯୦।

ମହା ସମ୍ଭର୍ବେ ଆସି ବିଜୟେ କିରୀଟୀ

ଯମୁନା ନଦୀକୂଳେ ଯାଇଂ ଜଗନ୍ନାଥଂକୁ ଭେଟି ।୨୯୧।

ରଥରୁ ଓହ୍ଲାଇ ସେ ବୀର ଧନୁର୍ଜୟେ

ଶ୍ରୀ ଜଗନ୍ନାଥଂକ ପଦ୍ମପଦେ ଯାଇ ଶତସହସ୍ର ପ୍ରଣପତ୍ୟ
ହୋୟେ ।୨୯୨।

ୟତୁ ଯଦୁବଂଶର ସୁନ୍ଦର ଚକ୍ରପାଣି

ସପତ କୋଟି ବ୍ରହ୍ମାଣ୍ଡରେ ଠାକୁର ଶିରୋମଣି ।୨୯୩।

ମହାକଳ୍ପ ଅନ୍ତେ ଯେବଣ ଗଙ୍ଗା ସଞ୍ଚି

ଚରଣେ ଅଭିଷେକ କଲା ଯେ ବିରଞ୍ଚି ।୨୯୪।

ସେ ଚରଣର ଉଦକ ଢଳିଲା ଓହଳି

ମମ ଶିରେ ଅଭିଷେକ କଲି ଯେ ତାହା ତୋଳି ।୨୯୫।

କିଞ୍ଚିତ ଭରତେ ମୁଂ ହୋଇଲି ନିଜ ଦାସ

ଜନ୍ମେ ଜନ୍ମେ ଭାବ ବଢ଼ାଇଲି ମୁହାଂସ ।୨୯୬।

ଅଗାଧ ସାଗରୁ ନୁଆରିଲି ମୁହିଂ ଚିହ୍ନି ବଞ୍ଚି

ତବ ଭଗତ ଭାବେ ମହାଭାରଥ ଗୀତ ସଞ୍ଚି ।୨୯୭।

ତବ ପାଦ ପଂକଜ ବିଘଂସୁ ମମ ହୃଦେ

ସଂସାର ବୋଧିବାକୁ ନାଥ ପାଇଲି ସିଦ୍ଧପଦେ ।୨୯୮।

କୁଶସ୍ଥଳୀ ଦ୍ୱାରିକା ଯେ ଭ୍ରଥଖଣ୍ଡ ଭୂମି

ନୀଳସୁନ୍ଦର ପର୍ବତେ ମୁଂ ତୋଷିଲି ଦେବସ୍ୱାମୀ ।୨୯୯।

ଅକାରଣକଇଂ କାରଣ ଯେବଣ ସ୍ୱାମୀର ପାଦ

ଜନ୍ମେ ଅଭ୍ୟାସୁ ମମ ଶିରେ ତବପାଦ ।୩୦୦।

ଭଗତିର ବଲ୍ଲଭକୁ ଧ୍ୟାୟେ କରଇ ମମ ଆଶ

ଗ୍ରନ୍ଥିକ ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୩୦୧।

ଜୟତୁ ବିଘ୍ନ ବିନାଶନ ବିନାୟେକ

ଜୟତୁ ଧବଳାଙ୍ଗ ଅଭୟେ ବରଦାୟକ ।୩୦୨।

ଜୟତୁ ଶରଦ ଶୀତାଂଶୁ ମଉଳି

ଜୟତୁ ବିଘ୍ନରାଜ ପ୍ରସନ୍ନ ସଦା ଭୋଳି ।୩୦୩।

ଜୟତୁ ବିଘ୍ନରାଜ କାଶୀବର ଭୁବନ ମଣ୍ଡି

ସଦା ସମ୍ପଦ ନାଥ ଦୂରିତ ଦୁଖ ଖଣ୍ଡି ।୩୦୪।

ଜୟତୁ ନନ୍ଦକ ନନ୍ଦନ ବିଘ୍ନରାଜ

ପଶୁପତ୍ର ଅଜିନ ଚର୍ମ ପରିହରଣ ଦୀର୍ଘ ଅଇଶୁର୍ଯ୍ୟ ।୩୦୫।

ଜୟତୁ ବୀଣାୟେକ ପିନାକୀ ଧନୁହସ୍ତା

ଜୟତୁ ଦିଗାମ୍ୱର ପ୍ରସନ୍ନ ବରଦାତା ।୩୦୬।

ଜୟତୁ କପିଳାସ ସ୍ୱର୍ଗ ଦକ୍ଷିଣ ଦ୍ୱାରପାଳ

ଜୟତୁ ସଦା ସମ୍ପଦ ଲମ୍ୱୋଦର ।୩୦୭।

ଜୟତୁ କଉତୁକେ ଗଣୟା

ଜୟତୁ ପରମାନନ୍ଦ ସାନନ୍ଦ ମାତ ତୁୟା ।୩୦୮।

ସ୍ୱାମୀ କଉରୋବ ଅବତାର ତାଣ୍ଡରସ ଖେଡ଼େ

ବାଜଇ ବିଜିଘୋଷ ରଙ୍ଗରସ କୋଡ଼େ ।୩୦୯।

ଅନନ୍ତ ମହାନାଗ କଟିର ମେଖଳା

ଅରୁଣ କିରଣ ନେତ୍ର ପ୍ରସନ୍ନ ମତିଭୋଳା ।୩୧୦।

ସୁରସିଦ୍ଧ ମୁନି ଯାହାତୁ ଆଗେ ବନ୍ଦେ

ପରଲୋକ ଦାତା ତୁ ପରମ ସାନନ୍ଦେ ।୩୧୧।

ବିଘ୍ନ ବିନାଶନ ଦକ୍ଷଇଣେ ଯାର ଦୃଷ୍ଟି

ଗମନେ ଚଞ୍ଚଳ ଇନ୍ଦୁର ଜଙ୍ଗମ ପିଠି ।୩୧୨।

କଉସ୍ତୁଭ ମଣି ବିରାଜିତ ଯାହାର ହୃଦେ

ମଣ୍ଡିତ ସିନ୍ଦୂର କୁମ୍ଭସ୍ଥଳୀ ଯାହାର ପାଦେ ।୩୧୩।

ସ୍ୱାମୀ ଆଦି ଅନାଦି ଯେହୁ ପରମ ଯୋଗୀ

ସର୍ବଗ୍ୟଂ ପଦ ବିଘଂସିତ ଅମୃତ ଲଡୁଭୋଗୀ ।୩୧୪।

ଗିରିଜାର ନନ୍ଦନ ଶରଣ ରକ୍ଷଣ ଗଣପତି

ମୁକତିକଇଂ କାରଣ ତୁହି ସେ ବ୍ରହ୍ମଯତି ।୩୧୫।

ସ୍ୱାମୀ ଅଷ୍ଟାଦଶ ପୁରାଣ ଲେଖନ ପଠନେ

ହରିଲି ଦୁଷକୃତ ବିଘ୍ନରାଜଂକ ପ୍ରସନ୍ନେ ।୩୧୬।

ହରର ଦ୍ୱାରପାଳ ତୁ ଭୂତ ଭବିଷ୍ୟ ଗ୍ୟାଂତା

ବେଦ ଶାସ୍ରେ ନିର୍ଜିତ ଦୁସହ ବକତା ।୩୧୭।

ହଠେଣ ଧଂସିଲୁ ଯେ କାଶୀପତିର ପୁର

ହୃଦୟର ମଣି ତହୁଂ ହରାଇଲୁ ସେହିଠାରେ ।୩୧୮।

ମଣି ନ ପାଇଂଣ ଖୋଜିଲୁ ଦେବ ପୃଥୀ

ସତ୍ୟ ଅନାଦି ନାଥ ପାଇଲୁ ଗଣପତି ।୩୧୯।

ଶୂଳେ ବିଦାରିଲୁ ନାଥ ଅଭୟେ ମେଦିନୀ

ମଣିକର୍ଣ୍ଣିକା ତୀର୍ଥ ସେ ହୋଇଲା ମହାଗ୍ୟାନୀ ।୩୨୦।

ବ୍ରହ୍ମାର ରଞ୍ଚିତ ଯେ ଅପୋଡ଼ା ଅଛି ପୃଥୀ

ନେଇଣ ବିଜେ କରାଇଲୁ ବିଶ୍ୱନାଥେ ମୂରତି ।୩୨୧।

ଚଉଦ କୋଟି ଶିବଗଣନ୍ତ ଘେନିଣ ବିଶ୍ୱନାଥେ

ହତ୍ୟା ବିମୋଚନ ହୋଇଲା ସେହି ମଣିକାକର୍ଣ୍ଣିକା ମହାତୀର୍ଥେ ।୩୨୨।

ଶୂରବନ୍ତ ପଣ୍ଡିତ ଭିଗ୍ୟଂ ବ୍ରହ୍ମବେତ୍ତା

ତ୍ରିପୁର ବିନାଶନ ନାଥ ଅହର୍ନିଶି ବରଦାତା ।୩୨୩।

ଶରଣ ମଚ୍ଛଳ ନାଥ କଇଚ୍ଛା ଜଗଜ୍ଜେଠୀ

ମୁକତକଇଂ କାରଣ ନାଥ ତବ ନାମଗୋଟି .୩୨୪।

ସ୍ୱାମୀ ଇହ କଳିକାଳ କଳହ ସମସ୍ତ କରି ତେଜ୍ୟା

ମୁହିଂ ତୁମ୍ଭର ଦାସର ଦାସ ମୋତେ ପ୍ରସନ୍ନେ ହୋଇବା
ଦେବରାଜା ।୩୨୫।

ଶ୍ରୀବିଶ୍ୱନାଥ ସ୍ୱାମୀ କରିବା ପ୍ରତିକାର

ଶିରରେ ସିନ୍ଦୂର ସ୍ୱାମୀ ପୟରେ ନେପୂର ।୩୨୬।

ଶ୍ରୀବିଘ୍ନରାଜଂକର ମୁଂ ଚରଣେ ଶରଣ

ଅବ୍ୟଗତ ବାକ୍ୟ ମୋତେ କରିବା ପୁଂରଣ ।୩୨୭।

ଇତି ଶାହାସ୍ର ବାକ୍ୟେ ବିଘ୍ନରାଜ ନାମ

ହରିଲି ଦୁଷୁକୃତ ମୁଂ ବିଘ୍ନରାଜ ପ୍ରସନ୍ନ ।୩୨୮।

ଶ୍ରୀଲମ୍ୱୋଦର ନାଥ ଚରଣେ ଅନବ୍ରତେ

ଅବିଘ୍ନ ମସ୍ତୁ ବାକ୍ୟେ ବଞ୍ଚାଇଲି ଜନହିତେ ।୩୨୯।

ଶଇଳ ରାଜାର ନନ୍ଦନୀ ନନ୍ଦନ ତରଣ ମମ ହୃଦଗତେ

ତବ ବିନୟେ ଭାବିଲି ନାଥ ଭଗତ ଜନ ହିତେ ।୩୩୦।

କରିବର ବଦନ ନାଥ ତଲୟେ ମମ ଚିତ୍ତେ

ଶୂଦ୍ରମୁନି ସାରୋଳା ଦାସ ପୁରାଣ ସଙ୍ଗୀତେ ।୩୩୧।

ନମସ୍ତେ କାନ୍ତାନୀ ଗୋ ଅଭୟେ ପିଙ୍ଗଳାକ୍ଷୀ

ମାୟା ମୋହିନୀ ଗୋ ଚଞ୍ଚଳା କାମାକ୍ଷୀ ।୩୩୨।

ପ୍ରଥମ ଅବତାରେ ମାଗୋ କେତୁକା ମୂରତି

ଦୁଜ ଅବତାରେ ମାଗୋ କେତୁକା ମୂରତି

ଦୁଜ ଅବତାରେ ୟେକବଳା ପାର୍ବତୀ ।୩୩୩।

ତୃତୀୟା ଅବତାରେ ମାଗୋ ଦକ୍ଷ ଘରେ ଉମା

ଚତୁର୍ଥ ଅବତାରେ ପାର୍ବତୀ ରୁଦ୍ରବାମା ।୩୩୪।

ପଞ୍ଚମ ଅବତାରେ ହେମବନ୍ତର ଦୋହିତା

ରୁଦ୍ରବରି ନାମ ବହିଲୁ ଗିରିଜା ଗୋ ମାତା ।୩୩୫।

ଷଷ୍ଠ ଅବତାର ଗୋ କୃପାଜଳ ଘରେ

ନର୍ମଦା ସରସ୍ୱତୀ ନାମ ବହିଲୁ ମର୍ତ୍ତ୍ୟପୁରେ ।୩୩୬।

ସପ୍ତମ ଅବାତାରେ ଗୋ ପୁଷ୍କରର ଘରେ

ଗୋକୁଳେ ବଢ଼ିଲୁ ଗୋ ସାରଦା ଅବତାରେ ।୩୩୭।

ଅଷ୍ଟମ ଅବତାରେ ପ୍ରଶୁରାମ ବଚନେ

ସର୍ବ ମଙ୍ଗଳା ଅବତାର ହୋଇଲୁ ମଧ୍ୟଭୁବନେ ।୩୩୮।

ନବମ ଅବତାରେ ଗୋ ପ୍ରସନ୍ନେ ହିଙ୍ଗୁଳା

ବାଳୁତ ରୂପେ ଭଗ୍ନୀ ପ୍ରସନ୍ନ ମତିଭୋଳା ।୩୩୯।

ଦଶମ ଅବତାରେ ଅଜପତି କିରାତର ଘରେ

ସିଦ୍ଧ ସାରୋଳା ନାମ ବହିଲୁ ଗୋ ୟେ କଳିଯୁଗରେ ।୩୪୦।

ଜମ୍ୱୋଦୀପ ବାରାନିଧି ପଛିମ ଭାଗ ଆଡ଼େ

ମନ୍ଦର ପର୍ବତ ନୀଳସୁନ୍ଦର କଳପବଟ ଉତ୍ତର କଚ୍ଛାଡ଼େ ।୩୪୧।

ଚନ୍ଦ୍ରଭାଗା କୋଣାଅର୍କ ତୀର୍ଥ ଯେ ବାୟବେ

ଚିତ୍ରଉତ୍ପଳା ଦକ୍ଷିଣ ବାହିନୀ କୋଣଲାଗେ ।୩୪୨।

ଭ୍ରଥଖଣ୍ଡ ଓଡ଼ରାଷ୍ଟ ବ୍ରହ୍ମାର କୁଶସ୍ଥଳୀ

ୟେ ଭୂମିମଣ୍ଡଳ ମାଡ଼ି ଗୋ ବାଳୁତ ରୂପେ ଖେଡ଼ି ।୪୪୩।

କଳି ଗୋପ୍ୟାନ ତୀର୍ଥ ଚନ୍ଦ୍ରଭାଗା ବୋଲି ନଦୀ

ଈଶାନ୍ୟ ଦିଗେ ସେ ଚିତ୍ରୋତ୍ପଳା ଅଛି ଭେଦୀ ।୩୪୪।

ସେ ନଦୀର ଉତ୍ତର କୂଳେଣ ଆଶ୍ରମ ପ୍ରଶୁରାମ

ନିଜ ଭୁବନ ପାଟଣା ଗୋ କନକାବତୀ ନାମ ।୩୪୫।

ବିଶେଷ ଜଙ୍ଖେରପୁର ଗୋ ଜଇନ୍ତା ନଗ୍ର ବୋଲି

ସେ ସ୍ତାନେ ବାସୀକି ମୁଂ ଅଭଗତେ ଭେଟିଲି ।୩୪୬।

ପୂର୍ବଗତ ଗ୍ୟାନ ମୋତେ କହିଲୁ ମା ଶସ୍ରଯୋଗେ

ମାଗୋ ଗ୍ୟାନ ମୁଂ ପାଇଲି ସଉଭାଗେ ।୩୪୭।

କୃପାଜଳ ନନ୍ଦନୀ ବିଜେ ଯେବଣ ଦେବୀ

ଜନ୍ମେ ଜନ୍ମେ ଅଭ୍ୟାସଇ ମୁଂ ତାହାର ଚରଣେ ସେବି ।୩୪୮।

ସରୂପେ ପାଇଲି ମୁଂ ଶୁଦ୍ଧ ଗ୍ରନ୍ଥ ପୋଥି

ଶ୍ରୀଚଣ୍ଡୀ ସାରୋଳା ପ୍ରସନ୍ନେ ମୋର ଖଣ୍ଡିଲି ଦୁର୍ଗତି ।୩୪୯।

ସଂସାର ଜନ ବୋଧନେ କହିଲେ ହେଙ୍ଗୁଳା

କନ୍ଦର ନନ୍ଦନୀ ଯେ ହୃଦରେ ମୋର ହାରା ।୩୫୦।

ବାଳୁତ ଭାବେଣ କଉତୁକେ ଖେଡ଼ ଖେଳି

କୃଷ୍ଣବର୍ଣ୍ଣ ସରୂପେ ସରସେ ମତଭୋଳୀ ।୩୫୧।

ବିଘ୍ନ ବିନାଶିନୀ ଗୋ ବିପଦ କାଳେଣ ସାଖା

ଅହର୍ନିଶି ବରଦାତ୍ରୀ ମମ ହୃଦେ ବନମାଳା ୟେକା ।୩୫୨।

ସନକ ବିବାଦେ କପିଳାସ କ୍ଷେତ୍ର କରି

ବର ମାଗିଣ ବଲ୍ଲଭ ତୋର ହୋଇଲେ ତ୍ରିପୁରାରି ।୩୫୩।

ଶ୍ରୀ ସର୍ବମଙ୍ଗଳାର ଚରଣ ରେଣୁ ମୋର ଶିରେ

ପାପତ୍ରିତ ମାଇଲି ମୁଂ ନନ୍ଦୀକ ଅବତାରେ ।୩୫୪।

ସର୍ବଶୁଭ ମଙ୍ଗଳ ବାଞ୍ଚିଲି ମୁଂ ଦଧିବାବନ ଅନକୂଳେ

ସିଦ୍ଧ ସାରୋଳାର ଚରଣ ଲୁଳୁ ମୋର ବକ୍ଷସ୍ଥଳେ ।୩୫୫।

ମୁହିଂ ସର୍ବମଙ୍ଗଳାର ଦାସର ଯେ ଦାସ

ମୁନିଜନ ଅଂଶେ ଜନ୍ମିଲି ସେ ଜନ୍ମେ ଜନ୍ମେ ଅଭ୍ୟାସ ।୩୫୬।

ପ୍ରସନ୍ନେ ସାଧବୀର ଚରଣେ ଦଇନି

ବଦନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୩୫୭।

ଜନ୍ମେ ଜନ୍ମେ ଭାବଇ ମୁହିଂ ଅଗସ୍ତିଂକ ପାଦତଳେ

ବାରାନିଧି ଗଣ୍ଡୂଷ କଲା ଯେ ମୁନି ଖେଡ଼ର କୂତୋହୋଳେ ।୩୫୮।

ବ୍ୟାସଂକ ପ୍ରସନ୍ନେ ଅଭ୍ୟାଗତ ମୋହର ବାଣୀ

ଶ୍ରୀମହାଭାରଥ ସଭାପର୍ବ ବଞ୍ଚାଇଲି ଆଣି ।୩୫୯।

ବଇବସୁତ ମନୁ ବୋଲି ବିଲଂକ ଦେଶର ରାଜା

ସେ ଅଗସ୍ତିଂକ ପାଦପଦ୍ମେ କଲେ ଦିବ୍ୟପୂଜା ।୩୬୦।

ଯୁଗ ଅନ୍ତେକ ପରିଯନ୍ତେ ଅପୁତ୍ରିକ ହୋଇଥିଲା

ସପ୍ତବାର ଶ୍ରୀ ମହାଭାରଥ ଶୁଣି ସପ୍ତପୁତ୍ର ହୋଇଲା ।୩୬୧।

ଅଗସ୍ତିଂକି ପୁଣି ପୁଚ୍ଛାକଲେ ମୁନି ହେ ୟେ ସଂସାର ଅଗାଦ ଜଳ

ବିଶ୍ରାମିତେ ଠାବ ନାହିଂ ନ ପାଇଂ ଥଳକୂଳ ।୩୬୨।

ପିଣ୍ଡ ପ୍ରାଣ ଜଡ଼ି ମୋହୋର ୟେକତ୍ୱ ହ୍ୱନ୍ତି କେମନ୍ତେ

ଅଗସ୍ତି ବୋଇଲେ ହୋ ମହାଭାରଥ ଶୁଣ ନିତ୍ୟେ ।୩୬୩।

ନ ଭେଟିବ ନିଦ୍ରା ନ ଲାଗିବ ତୃଷା କ୍ଷୁଧା

ନ ଭେଟିବ କାଳକାମ କ୍ରୋଧ ରୋଗ ଶୋକ ନ କରିବ
କିଛି ବାଧା ।୩୬୪।

ଭାରିଯା ପୁତ୍ର କୁଟୁମ୍ୱ ବନ୍ଧୁବର୍ଗ କାମନା

ୟେହାନ୍ତ ଦେଖିଲେ ସଂସାରକୁ ବନ୍ଧନ ସିନା ।୩୬୫।

ରାଗ ମୋହ ଅହଂକାର ହିଂସା କାହାର ନିମନ୍ତେ

ଦ୍ୱନ୍ଦଛନ୍ଦ ସବୁ କୁଟୁମ୍ୱ ପୋଷାଅର୍ଥେ ।୩୬୬।

ଗ୍ୟାନ ଥାଉଂ ମୂଢ଼ ଲୋକେ ହୋଉଛନ୍ତି ବଣା

ଶ୍ରୀ ବିଷ୍ଣୁପୁରାଣ ୟେ ସଂସାରକୁ ଧାରଣା ।୩୬୭।

ରୋଗ ଶୋକ କ୍ଷୁଦା ନ ଭେଦଇ ଯାହାର ଭାବିଲେ

ଧ୍ୱଂସଇ ମହାପାତକ ଶ୍ରୀ ମହାଭାରଥ ଶୁଣିଲେ ।୩୬୮।

ଯଗ୍ୟଂକୁଣ୍ଡେ ଯେହ୍ନେ ବହ୍ନି ଧ୍ୱଂସଇ ଅନେକ ଘୃତ

ମହାଯାଗରୁ ଶତେଗୁଣ ଶୁଣିଲେ ଶ୍ରୀମହାଭାରଥ ।୩୬୯-୮୭୨୪।

 

ଶ୍ରୀକୃଷ୍ଣ ବାଳକମାନଙ୍କ ଦ୍ୱାରରକ୍ଷା, ଅନନ୍ତ ପଡ଼ିହାରୀ ପଦ
ପାଇବା ପାଇଁ ପ୍ରାର୍ଥନା, ଋଷିମାନଙ୍କୁ ଯଜ୍ଞରେ ବରଣ ଏବଂ
ଯଯାତି ରାଜା ପ୍ରତି ପୁର ପ୍ରବୀର ଦୁଇ ପୁତ୍ରଙ୍କ ଷଡ଼ଯନ୍ତ୍ର

କୁମ୍ଭଋଷିର ନନ୍ଦନ ଚରଣେ ମୋହୋର ସେବା

ରାଜୁସି ଯାଗ ମୋତେ ସଞ୍ଚପି ସଭାପର୍ବ କହିବା ।୧।

ଶୁଣ ହେ ଯୋଗେଶ୍ୱର ବଦନ୍ତି ଅଗସ୍ତି

କଉତୁକେ ସମସ୍ତ ରଙ୍ଗ ସ୍ରିଜନ୍ତି ଶ୍ରୀପତି ।୨।

ପଞ୍ଚାଶ ସହସ୍ର ରାଜା ଦୁଇଉଣା ପଛିମ

ରାଜାମାନନ୍ତ ଘେନି ପଛିମ ଦ୍ୱାରେ ବିଜୟେ ଭୀମସେନ ।୩।

ଉତ୍ତର ଦ୍ୱାରେ ଚାଳିଶି ସହସ୍ର ରାଜା ଘେନି ବୀରପାଥ

ଉତ୍ତର ଦ୍ୱାରେ ବିଜେ ବାସବର ସୁତ ।୪।

ଦକ୍ଷିଣେ ସାତସସ୍ର ରାଜା ଘେନିଣ ୟେକଉଣା

ଦକ୍ଷିଣ ଦ୍ୱାରେ ବିଜେ ମାଦ୍ରୀଦେବୀର ଦୁଲଣା ।୫।

ସହଦେବ ୟେକଉଣା ତିନି ସହସ୍ର ରାଜା ଘେନି ପୂର୍ବଦ୍ୱାରେ

ପୂରିତ ରାଜାଗଣମାନେ ବଡ଼ାଇ ସମ୍ଭର୍ବରେ ।୬।

ୟେ ବିଧି ଚାରିଉଣା ଲକ୍ଷେକ ନୃପତି

ଚଉଦିଗ ରାଜାନ୍ତ ସବୁନ୍ତି ଆଣିଲେ ନିମନ୍ତ୍ରି ।୭।

ମହାସଭାର ମଧ୍ୟେ ବିଜୟେ ବଳରାମ

ଛାମୁରେ ବିଜେକଲେ ପୁରୁଷଂକର ଉତ୍ତମ ।୮।

ଶ୍ରୀକରେ ଅର୍ଘ୍ୟ ଘେନିଣ ଧର୍ମସୁତେ

ଆପଣେ ପୂଜାକଲେ ବଳରାମଂକର ପାଦଗତେ ।୯।

ଅନେକ ରତ୍ନ ଘେନି ବହୁତ ଆରମ୍ଭେ

ବିଜେ କାମପାଳ ସୁଧର୍ମା ସଭାୟେ ସମ୍ଭର୍ବେ ।୧୦।

ପଦ୍ମନକୁ ସନ୍ନିଧେ ହକାରି ଜଗନ୍ନାଥେ

ଆପଣେ ଶାଢ଼ୀ ଦିଆଇଲେ ଯୁଝେଷ୍ଠି ଦେବଂକର ହାଥେ ।୧୧।

ଆହୋ ସହସ୍ରେକ ଭ୍ରାଥ ଘେନିଥିବ ପୂର୍ବଦ୍ୱାରେ

ଯେବଣ ରାଜାକୁ ଆଗ୍ୟାଂ ହୋଇବ ପଶିତେ ଦେବ ଭିତରେ ।୧୨।

ଶାମ୍ୱ କୁମାରକୁ ଯେ ସନ୍ନିଧ୍ୟେ ହକାରି

ଆପଣେ ଯୁଝେଷ୍ଠି ଦେବ ଶ୍ରୀହସ୍ତେ ଦିଲେ ଶାଢ଼ୀ ।୧୩।

ଚାରି ସହସ୍ର ଭ୍ରାଥ ଘେନି ତୁହୋ ଉତ୍ତର ଦ୍ୱାରେ ଥିବୁ

ଯେବଣ ରାଜାକୁ ଆଗ୍ୟାଂ ହୋଇବ ଭିତରକୁ ପଶିତେ ଦେବୁ ।୧୪।

ଗଦ ନାମେ କୁମର ଯେ ସତ୍ୟଭାମାର ବାଳ

ଦଶସହସ୍ର ଭ୍ରାଥ ଘେନି ସେ ପଛିମ ଦ୍ୱାରପାଳ ।୧୫।

ଜୟନ୍ତ ବୋଲିକରି ସେ କାଳିନ୍ଦୀର ବଚ୍ଛା

ନବ ସହସ୍ର ଭ୍ରାଥନ୍ତ ଘେନି ସେ ଦକ୍ଷିଣଦ୍ୱାରେ କରେ ରକ୍ଷା ।୧୬।

ତାଡ଼ ତୋଢ଼ର ଝୁମ୍ପା ସରଳ ବାହୁଟି ଜଗଦଳା

ମୁକୁଟ କୁଣ୍ଡଳ କର୍ଣ୍ଣାଞ୍ଚଳ ହୃଦେଣ ରତ୍ନମାଳା ।୧୭।

ଦେବାଙ୍ଗ ବସନ ଦାସୀନେତ ଝୀନ ଯେ ପତନି

ଯୁଝେଷ୍ଠି ଦେବେ ଶାଢ଼ୀଦିଲେ ଆପଣେ ଶ୍ରୀକରେ ଘେନି ।୧୮।

ଆହୋ ଜଗନ୍ନାଥଂକ ପୁତ୍ରମାନେ ତୁମ୍ଭେ ମହାଯୋଧୀ

ଅନେକ କଷ୍ଠୋରେ ଥିବ ତୁମ୍ଭେ ଚାରିଦ୍ୱାର ନିରେଧି ।୧୯।

ଯୁଝେଷ୍ଠି ଦେବନ୍ତ ପଚାରନ୍ତି କରଯୋଡ଼ି

କେବଣ ପଣେ ମୋତେ ହୋଇବାକ ଶାଢ଼ୀ ।୨୦।

ପୁତ୍ରନ୍ତ ହକାରି ବୋଲନ୍ତି ନାରାୟଣ

ବାବୁ ଠାକୁରଂକ ଆଗ୍ୟାଂ ୟେ ସାବଧାନ ହୋଇ ଶୁଣ ।୨୧।

ଯାହାର ଦ୍ୱାର ଅବା ନୋହିବାକ ନିରୋଧି

ଠାକୁରଂକ ଆଗ୍ୟାଂୟେ ୟେ ପୁଣ ହୋଇବ ଅପ୍ରାଧୀ ।୨୨।

ନିଷ୍ଠୁର ଆଗ୍ୟାଂ ସେ ପାଇଣ ସର୍ବଯୋଧୀ

ପୂର୍ବ ପଛିମ ଉତ୍ତର ଦକ୍ଷିଣ ଚାରିଦ୍ୱାର ନିରୋଧୀ ।୨୩।

ଯୁଝେଷ୍ଠି ଦେବଂକୁ ନାରାୟଣ ବଦୟନ୍ତି କରଯୋଡ଼ି

ସ୍ୱାମୀ ପଢ଼ିହାରୀ ପଣେ ଶ୍ରୀହସ୍ତେ ମୋତେ ଦେବା ଶାଢ଼ି ।୨୪।

ରାଜାନ୍ତ ଦ୍ରଶନ ମୁଂ ଛାମୁରେ କରାଇବି ଦେବରାୟେ

ସମାର୍ଜନ କରି ବସାଇବି ଯେ ଯାହାର ପାୟେ ।୨୫।

ନାରାୟେଣଂକ ବଚନେ ବିସରିଲେ ଯୁଝେଷ୍ଠି

ତ୍ରଇଲୋକ୍ୟେ ବନ୍ଦିତ ଦେବ ତବ ନାମ ଗୋଟି ।୨୬।

ଦେବାଧି ଦେବଂକର ତୁ ଶିରୋମଣି ଦେବରାଜା

ତୋହୋର ଚରଣାରବିନ୍ଦେ ସମସ୍ତେହେଂ କରନ୍ତି ଯେ ପୂଜା ।୨୭।

ମୋହୋରେ କି ତୋତେ କରିପାରଇ ଦୂତକାରୀ

ପିତାର ବ୍ରହ୍ମହତ୍ୟା ମୋହୋରେ ହୋଇବ ପାରି ।୨୮।

ବିନୟ ଭାବ ହୋଇ ଶ୍ରୀକୃଷ୍ଣ ବୋଇଲେ

ସ୍ୱାମୀ ପୃଥୀର ରାଜାମାନେ ଯେ ସମସ୍ତେ ଅଇଲେ ।୨୯।

ମୁହିଂ ଯେବେ ବଶ୍ୟଭାବେ ନ ଖଟିବି ଦେବ ତୋତେ

ୟେହି ମହୀମଣ୍ଡଳେ ରାଜା ତୋତେ ବନ୍ଦିବେ କେମନ୍ତେ ।୩୦।

ଯୁଝେଷ୍ଠି ବିଜେକଲେ ବ୍ୟାସଂକର ପାଶେ

ସ୍ୱାମୀ ନାରାୟଣଂକ ଚରିତତ ଶୁଣିଲ ପିତା ବ୍ୟାସେ ।୩୧।

ସ୍ୱାମୀ ଦୁସହ କଥା ୟେତ କହଇ ଚକ୍ରଧାରୀ

ବୋଇଲା ତୋହୋର ଯାଗରେ ମୁଂ ହୋଇବି ପଢିହାରୀ ।୩୨।

ବ୍ୟାସ ବୋଇଲେ ବାବୁ ଅଛଇ ନା ୟେମନ୍ତ

ଯହିଂ ଧର୍ମ ତହିଂ ନାରାୟଣ ହୋଇ ଭୃତ୍ୟ ।୩୩।

ବ୍ୟାସଂକର ବଚନେ ସେ ଯୁଝେଷ୍ଠି ଦଣ୍ଡଧାରୀ

ଆପଣେ ଶ୍ରୀହସ୍ତେ ଦିଲେ ଜଗନ୍ନାଥେ ଶାଢ଼ୀ ।୩୪।

ତଳହାଥ କରିଣ ଯେ ଆପଣେ ଶାଢ଼ୀ ଘେନିଲେ ଶ୍ରୀପତି

ମଥାରେ ଦେବରାଜା ଯେ ବାନ୍ଧିଲେ ତତକ୍ଷଣାନ୍ତି ।୩୫।

ବିଶ୍ୱକର୍ମା ଘଟଣ ସୁବର୍ଣ୍ଣର ବେତ ଯୋଡ଼ି

ଘେନିଲେ ବାସୁଦେବ ଅନନ୍ତ ପଢ଼ିହାରୀ ।୩୬।

ଷାଠିୟେ ସହସ୍ର ଶିଷନ୍ତ ଘେନିଣ ବେଦବ୍ୟାସେ

ଯାଗଶାଳ ଆରୋପଣ କରନ୍ତି ଶାହାସ୍ର ଉଦ୍ଦେଶେ ।୩୭।

ଲକ୍ଷେକ ବ୍ରାହ୍ମଣ ଘେନି ଧଉମ୍ୟ ପୁରୋହିତେ

ସେହି ପ୍ରବେଶ ହୋଇଲେ ଯାଇଂ ସଭାର ଅଗ୍ରତେ ।୩୮।

ବ୍ରହ୍ମାଂକର ନନ୍ଦନ ଯେ ବଶିଷ୍ଠ ମହଋଷି

ଅଶି ସହସ୍ର ଶିଷନ୍ତ ଘେନି ପ୍ରବେଶ ହୋଇଲେ ଆସି ।୩୯।

ଲକ୍ଷେକ ବାଳଖିଳାନ୍ତ ଘେନିଣ ବାଲମୀକ ଦୃଭାସା

ରାଜୁସି ଯାଗ ସଭାରେ ସାନନ୍ଦ ମନୀଷା ।୪୦।

ପଞ୍ଚାଶସହସ୍ର ଚେଲା ଘେନିଣ ମାରକଣ୍ଡେ

ସୁଦେବ ଅଗସ୍ତି ଘେନି ପ୍ରବେଶ ବିଭାଣ୍ଡେ ।୪୧।

ଋଷ୍ୟଶୃଙ୍ଗ ମୁନି ତୁଲେ ପଞ୍ଚାଶ ସହସ୍ର ଚେଲା

ନବସହସ୍ର ଚେଲା ଘେନି ଗଉତମ ବିଜେକଲା ।୪୨।

ସନକ ସନାତନ ଘେନି ଜନକ ମହଋଷି

ୟେକାଦଶ ସହସ୍ର ବ୍ରାହ୍ମଣ ଘେନି ଭାରଦ୍ୱାଦଶ ହୋଇଲେ ଆସି ।୪୩।

ପଞ୍ଚାଶ ସହସ୍ର ଶିଷ୍ୟନ୍ତ ଘେନି ବିଶ୍ୱାମିତ୍ର ମହାମୁନି

ରାଜୁସି ଯଗ୍ୟେଂ ପ୍ରବେଶ ହୋଇଲେ ଶିଷମାନନ୍ତ ଘେନି ।୪୪।

ଲକ୍ଷେକ ବ୍ରାହ୍ମଣ ଘେନି ଉଦ୍ଦାଳେକ ପୁରୋହିତେ

ସେହି ପ୍ରବେଶ ହୋଇଲେ ସେ ସଭାର ଅଗ୍ରତେ ।୪୫।

ଲକ୍ଷେକ ଚେଲା ଘେନି ସେ ମୁନି ବାମଦେବ

ନବ ସହସ୍ର ଶିଷ୍ୟକୁଂ ଘେନି ମୁନି ସଦାଶିବ ।୪୬।

ସୁମନ୍ତକ ପୁରୋହିତ ତୁଲେ ତିରିଶ ସହସ୍ର ଚେଲା

ରାଜୁସି ଯାଗ ସଭାରେ ସେହୁ ବିଜେକଲା ।୪୭।

ପଞ୍ଚାଶ ସହସ୍ର ଚେଲା ଘେନି ପ୍ରବେଶ ଜଇମିନି

ଉତଂକ ପ୍ରବେଶ ହୋଇଲେ ତିନିସହସ୍ର ଶିଷ ଘେନି ।୪୮।

ସହସ୍ରେ ଶିଷ ଘେନି ଅଷ୍ଟାବକ୍ରଂକ ମୂଳେ

ସଭାରେ ପ୍ରବେଶ ହୋଇଲେ ଯାଇ ଋଷିଂକର ତୁଲେ ।୪୯।

ରାଜଋଷି ଦେବଋଷି ବ୍ରହ୍ମଋଷି ଶୀଳଋଷି

ସମସ୍ତ ବ୍ରହ୍ମବେତ୍ତାୟ ରାଜୁସି ଯାଗ ସଭାରେ ପ୍ରବେଶ
ହୋଇଲେ ଆସି ।୫୦।

ଋଷିଗଣନ୍ତ ଦେଖି ଦେବ ଧର୍ମରାଜା

ଶ୍ରୀହସ୍ତେ ଅର୍ଘ୍ୟ ଘେନି ସମସ୍ତଂକ ପାଦେ କଲେ ପୂଜା ।୫୧।

ବସନ କୁଣ୍ଡଳ ରତ୍ନମାଳା ଗନ୍ଧ ଚନ୍ଦନ ଧୂପ ଦୀପ

ପାଦାଅର୍ଘ୍ୟ ଦେଇ ଆସନେ ବସାଇଲେ ଦେବ ଧର୍ମ ନୃପ ।୫୨।

ଶ୍ରୀକରେ ତ୍ରିଶୂଳେକ ଘେନିଣ ମରକଣ୍ଡେ

ଆପଣେ ମହାତମା ଯେ ଖୋଳନ୍ତି ଯାର କୁଣ୍ଡେ ।୫୩।

ଦ୍ୱଦଶକାଠି ବିସ୍ତାର ଯେ ଚାରିଆଡ଼ ସ୍ଥଳୀ

ତିନିକାଠି ଗଭୀର ଦ୍ୱାଦଶ ଆଙ୍ଗୁଳ ଉଗୁଳି ।୫୪।

ପୂର୍ବଦ୍ୱାରେ ବରଣ ହୋ ମାରକଣ୍ଡ ମହଋଷି

ତୁଲେଣ ମହାତମାଂକର ଯେ ପଞ୍ଚିଶ ସହସ୍ର ଶିଷି ।୫୫।

ଦକ୍ଷିଣ ଦ୍ୱାରେ ଯେ ବାମଦେବ ପ୍ରୋହିତେ

ପଛିମେ ଅଗସ୍ତି ଉତ୍ତରେ ସୁମନ୍ତେକ ଭଗବନ୍ତେ ।୫୬।

ବ୍ରହ୍ମା ବରଣ ଯେ ବଶିଷ୍ଠ ମହାମୁନି

ବରଣେ ଆଧ୍ୟାନ ଲକ୍ଷେ ବ୍ରାହ୍ମଣନ୍ତ ଘେନି ।୫୭।

ଦ୍ୱାଦଶ ବିଶ୍ୱଦେବା ସପତ ମନୁ ପୁରୁଷ

ଶୂନ୍ୟେ ଦେବତା ପଞ୍ଚସନକ ଲୋକ ଦଶ ।୫୮

ଅଷ୍ଟବକ୍ର ମନ୍ତ୍ର ବାକ୍ୟେ ଲକ୍ଷେକ ବ୍ରାହ୍ମଣ ବରି

ରକବେଦୀ ବ୍ରାହ୍ମଣ ଯେ ବରିଲେ ଲକ୍ଷଚାରି ।୫୯।

ବେନିଲକ୍ଷ ବିପ୍ର ଯେ ବରଣ ସାମବେଦୀ

ଯର୍ଜୁବେଦୀ ବ୍ରାହ୍ମଣ ପାଞ୍ଚଲକ୍ଷ ବରଣ ସମ୍ପାଦି ।୬୦।

ଅଥର୍ବବେଦୀରୁ ନବଲକ୍ଷେକ ବ୍ରାହ୍ମଣ

ଯୋଗ ମହାମୁଦ୍ରାୟେ ତିରିଶି ସହସ୍ର ବ୍ରାହ୍ମଣ ବରଣ ।୬୧।

ବ୍ରହ୍ମ ଦଇବତ ବିଷ୍ଣୁ ଦଇବତ ରୁଦ୍ର ଦଇବତ

ସୋମେକ ପାଞ୍ଚଲକ୍ଷ ଜଂଗମ ଆଠଶତ ।୬୨।

ସମସ୍ତଂକୁ ବରଣ ଯେ କରନ୍ତି ଧର୍ମସୁତ

ଅନେକ ସମ୍ଭରେ ବରଣ ଯୋଗାଡ଼ନ୍ତି ସମସ୍ତ ।୬୩।

ମହା ଯାଗଶାଳେ ଆସନନ୍ତ ଘେନି

ଯେ ଯାହାର ପାଠମନ୍ତ୍ରେ ବସିଲେ ସମସ୍ତ ମହାମୁନି ।୬୪।

କାଳିଞ୍ଜନ ପଢ଼ିହାରୀ କାଳଧ୍ୱଂସନ ଡଗର

ୟେ ଦୁହିନ୍ତି ପଠିଆଇଲେ ସଞ୍ଜୀବନୀ ପୁରୁଂ ନାଶକର ।୬୫।

ମହାପଣ୍ଡିତ ସେ ଗ୍ୟାନେଣ ସୁବୁଦ୍ଧି

ଭୂତ ଭବିଷ୍ୟ ଗ୍ୟାଂତା ସେ ଜାଣନ୍ତି ସର୍ବସିଦ୍ଧି ।୬୬।

ଅଦଭୂତେ ପ୍ରବେଶ ଆସି ହୋଇଲେ ଆକାଶୁଂ

ଲୋହିତ ବର୍ଣ୍ଣ ଶରୀର ଅଗ୍ନିତେଜ ଜାଣି ଦିଶୁ ।୬୭।

ଯୁଝେଷ୍ଠି ଦେବ ପଚାରିଲେ ସହଦେବର ଅଗ୍ରତେ

କାହିଂର ବେନିଦୂତେ ୟେ ଅଇଲେ ଅଦଭୁତେ ।୬୮।

ଲୋହିତ ବର୍ଣ୍ଣ ଶରୀର ନୋହଇ ମନୁଷ୍ୟ ଜାତି

ଆକାଶର ଦିଗପାଳ ପ୍ରାୟେ ଦିଶଇ ବେନିମୃତ୍ତି ।୬୯।

ବିଚାରି କହନି ମୋତେ ବାବୁ ନିଚୟ ଚରିତ ୟେହାଂକର

ସହଦେବ ବୋଇଲା ଦେବ ଶୁଣିମା ଦଣ୍ଡଧର ।୭୦।

ଆମ୍ଭର ଉପର ବଂଶେ ସତ୍ୟଯୁଗେ ବେନିରାଜା

ପୁରୁ ପ୍ରବୀର ବୋଲି ଯଯାତି ଦେବଂକର ଆତ୍ମଜା ।୭୧।

ସ୍ୱାମୀ ଯଯାତି ରାୟେ ଯେ ସତ୍ୟଯୁଗେ ସତ୍ୟବାଦୀ

ଦୁଇଲକ୍ଷ ତିନିସହସ୍ର ବରଷ ପରିଯନ୍ତେ ସେ ରାଜ୍ୟ କଲେ ସାଧି ।୭୨।

ପୁରୁ ପ୍ରବୀର ଯେ ଯଯାତିଂକର ଦୁଇ ବାଳ

ପିତାଂକର ବୃଦ୍ଧ ବୟସେ ୟେହାଂକର ଯୁବା କାଳ ।୭୩।

ସ୍ୱାମୀ ମୀନମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଭଉମବାର

ହସ୍ତା ନକ୍ଷତ୍ରକୁ ଭୋଗ୍ୟ ଅଟଇ ସେ ଦିନର ।୭୪।

ଅଶ୍ୱେ ଅଶ୍ୱେ ଚଢ଼ି ସେ ବେନି କୁମରେ

କୁତୂହୋଳେ ପଶିଲେ ସେ ମୃଗୟା ବିନୋଦରେ ।୭୫।

ଥାଠ ସନ୍ୟ ଘେନି ସେ ବଡ଼ାଇ ସମ୍ଭର୍ବେ

ଚଳନ୍ତି କୁମରେ ଯେ ଅତି ସଦିଭାବେ ।୭୬।

କୁମାରଂକ ଚଳନ୍ତେଣ ଜଣାଇଲା ମନ୍ତ୍ରୀ

ଶୁଣିମା ସାବଧାନେ ଯଯାତି ନରପତି ।୭୭।

ସ୍ୱାମୀ ଦୁଇପୋୟେ ତୋହୋର ଯୁବା ବୟସେ ଦୁଷ୍ଟ

ଗହନ ବନେ ପଶିଲେ ମୃଗୟା ବିନୋଦେ ବେଣ୍ଟ ।୭୮।

ବୋଲଇ ନୃପତି ଜଳଦନିକ ମନ୍ତ୍ରୀ ଆଗେ

ପୁତ୍ରଂକର ତୁଲେ ତୁହି ଚଳସି ହୋ ବେଗେ ।୭୯।

ପୁତ୍ରନ୍ତ ସମ୍ଭାଳି ମୋର ଆଣ ଯାଅ ବନସ୍ତୁ

ଯୁବା ବୟସେ କୁମାରେ ନ ଜାଣନ୍ତି ଧର୍ମତତ୍ତୁ ।୮୦।

ରାଜାର ବଚନେ ଯେ ଜଳଦନିକ ମନ୍ତ୍ରୀ ଗଲେ

ମୃଗୟା ବିନୋଦ କୁମାରଂକର ସାଙ୍ଗରେ ମିଳିଲେ ।୮୧।

ବେନିକୁମାରେ ମନ୍ତ୍ରୀଂକି ଘେନିଣ ତିନିପ୍ରାଣୀ

ଚଳନ୍ତି ବନସ୍ତରେ ବନଚର ଜନ୍ତୁ ଜାଣି ।୮୨।

ବହୁତ ଅଗମ୍ୟେ ପଶିଲେ ନିର୍ଝର ଝର ଅଟବ୍ୟା

ମନ୍ତ୍ରୀବର ବୋଇଲା ବାବୁ ହୋ ବହୁତ ଗହନକୁ ନ ଯିବା ।୮୩।

କୁମାରନ୍ତ ଘେନି ସେ ବସିଲା ଅଗ୍ରବୃକ୍ଷର ତଳେ

ଜଳଦନିକ ପଶିଲା ଆହାନିକ କାଳେ ।୮୪।

ପୁରୁ ପ୍ରବୀର ଦୁହେଂ ଉଠିଲେ ଝାତିକାରେ

ମନ୍ତ୍ରୀର କେଶ ଯାଇଂ ଧଇଲେ କେପଭରେ ।୮୫।

ବୁଲାବନ୍ତି ଖଡ଼ଗ ରାହୁର ତେଜ ଜାଣି

ବୋଇଲେ ଶିର ତୋହୋର ପକାଇବୁଂ ହାଣି ।୮୬।

ମନ୍ତ୍ରୀ ବୋଇଲା ମୁଂ ତୁମ୍ଭନ୍ତ କଲି କେଉଂଣ ଦୋଷ

ଅଦଭୁତେ ଅକାରଣେ କିଂପା ମୋତେ କର ନାଶ ।୮୭।

କୋପେଣ ବୋଲନ୍ତି କୁମରେ ସୁମର ତୁମ୍ଭର ଇଷ୍ଟଦେବତା

ସୁମର ମନ୍ତ୍ରୀ ଆହୋ ତୋହୋର ଯେ ପିତାମାତା ।୮୮।

ମନ୍ତ୍ରୀ ବୋଇଲା ମୋହୋର ଆନେ ନାହିଂ କାରଣ

ଧର୍ମ ପିତାମାତା ମୋହୋର ତୁମ୍ଭତହୁଂ ନାହିଂନା ଶରଣ ।୮୯।

ଶରଣ ବୋଲନ୍ତେଣ ପୁଣ କଲେ ତାକୁ ଦୟା

ସତ୍ୟବାକ୍ୟ ବୋଇଲେ ରଖିବୁ ତୋର କାୟା ।୯୦।

ସାନନ୍ଦେ ମନ୍ତ୍ରୀବର ତ୍ରିବାର ସତ୍ୟକରି

ପ୍ରାଣରକ୍ଷା ନିମନ୍ତେ ସେ ପୁଣ ପୁଣ ଉଚ୍ଚାରି ।୯୧।

ଛାଡ଼ିଲେ କେଶ ତାହାର ବସାଇଲେ ସନ୍ନିଧ୍ୟାନେ

ତୁ ମହାମନ୍ତ୍ରୀ ତୋତେ କିସ ତିଆରିବୁ ଅଗ୍ୟାନେ ।୯୨।

ପିତା ଆମ୍ଭର ଯେ ଅଟନ୍ତି ଯଯାତି

ଅନେକ କାଳ ପରିଯନ୍ତେ ରାଜ୍ୟ କଲେକ ଭୂଅପତି ।୯୩।

ପିତାର ଥାଆନ୍ତେ ଆମ୍ଭେ ହୋଇଲୁ ଯେ ବୃଦ୍ଧଅଙ୍ଗ

ଅଭୋଗ ଲିଙ୍ଗ ହୋଇଲୁ ବୟସ ବିଭଙ୍ଗ ।୯୪।

ୟେବେ ସେ ରାଜ୍ୟଧର ନୋହିଲୁ ବେନିଭ୍ରାଥ

ୟେଡ଼େ ବଡ଼ ସୋମବଂଶ ଆମ୍ଭନ୍ତ ନୋହିଲା ପ୍ରାପତ ।୯୫।

ଦଣ୍ଡଛତ୍ର ଟେକାଇ ନୋହିଲୁ ରାଜ୍ୟଭୋଗ୍ୟ

ରାଜକୁମାର ହୋଇ କାହିଂକି ନୋହିଲୁ ଯୋଗ୍ୟ ।୯୬।

ତୁ ୟେବେ ଆମ୍ଭନ୍ତୁ ସୋମବଂଶେ ରାଜ୍ୟଭୁଞ୍ଜ

ବିଶ୍ୱାସଘାତକୀ କରି ମାରିବୁ ଯଯାତି ମହାରାଜା ।୯୭।

ତୁ ଅବା ଭୟେକରୁ ବଂଶକୁ କଳଂକ ବୋଲି

ତୋହୋର ସାପକ୍ଷ ହୋଇଲେ ଆମ୍ଭେ ରାଜାକୁ ମାରିବୁ ପେଲି ।୯୮।

ପୁଷ୍ୟା ଅଭିଷେକ ଯେ ମହାଯାଗ କାଳେ

ମାରିବୁ ଯଯାତିକୁ ତୋହୋର ବୁଦ୍ଧିବଳେ ।୯୯।

ମନ୍ତ୍ରୀ ବୋଇଲେ ତୁମ୍ଭେ ପିତାକୁ ବଧକଲେ

ତୁମ୍ଭନ୍ତ ରାଜ୍ୟ ମୁଂ ଭୁଞ୍ଜାଇବିଟି କି ଭଲେ ।୧୦୦।

ବୁଦ୍ଧିବଳେ ମନ୍ତ୍ରୀବର ଶରୀର କଲା ରକ୍ଷା

ଅନେକ ପ୍ରୀତି ଉପୁଜାଇଲା ଯେହ୍ନେକ ମନବାଞ୍ଛା ।୧୦୧ ।

ଅନେକ ବେଣ୍ଟ ଧରି ଚଳନ୍ତି ନିଜ ପୁରେ

ବିଜୟେ ବେନି କୁମରେ ବଡ଼ାଇ ସମ୍ଭରେ ।୧୦୨।

ଯେ ଯାହାର ଇଚ୍ଛାୟେ ଅଛନ୍ତି ମନସରି

ଚଳଇ ମନ୍ତ୍ରୀବର ହୃଦୟେ ବହୁତ ବିସରି ।୧୦୩ ।

ହୃଦଗତ ଚିନ୍ତାୟେ ଶରୀର କଲା କ୍ଷୀନ୍ନ

ରୋଗ ପ୍ରବଳ ପ୍ରାୟେ ହୋଇଲା ବପୁ କ୍ଷୀନ୍ନ ।୧୦୪।

ମନ୍ତ୍ରୀକି ଉପନେଶି ପଚାରନ୍ତି ଯଯାତି ମହାରାୟେ

ପଚାରିଲେ ମନ୍ତ୍ରୀଂକି କିଂପେ କ୍ଷୀନ ତୋହର କାୟେ ।୧୦୫।

ଶରୀର ମଦାଅଗ୍ନିକି ପୀଡ଼ିଲା କେଉଂଶ ବ୍ୟାଧି

ତୁ ମହାମନ୍ତ୍ରୀ ଧାର୍ମିକ କରୁକିନା ୟେଥକୁ ବୁଦ୍ଧି ।୧୦୬।

ରାଜାର ବଚନେ ମନ୍ତ୍ରୀ ମଉନବ୍ରତ ହୋଇ ବସି

ମିଥ୍ୟା ବାକ୍ୟେଣ ସେ ନ ଦିଅଇ ସମ୍ଭାଷି ।୧୦୭।

ପ୍ରତିଦିନ ପଚାରନ୍ତେ ଗଲା ମାସ ତିନି

ଦିନେକ କଷ୍ଠୋର କରି ପଚାରିଲା ରାଜା ମନ୍ତ୍ରୀକି ୟେକାନ୍ତେ
ଘେନି ।୧୦୮।

ମିଥୁନ ମାସ ଶୁକ୍ଳ ଷଷ୍ଠି ପୁଣି ଅର୍କବାର

ଉତ୍ତରା ଫାଲଗୁନୀ ଋକ୍ଷ ଅଟେ ସେ ଦିନର ।୧୦୯।

ଅତିଗଣ୍ଡ ନା‌ମେ‌ ଯୋଗ ଶକୁନୀ ନାମେ କରଣ

ମନ୍ତ୍ରୀବର ରାୟେ ଯେ ୟେକାନ୍ତି ମେଳଣ ।୧୧୦।

ନିଅବକାଶ ସ୍ତାନ ୟେକାନ୍ତ ଗୋପଭୂମି

ମନ୍ତ୍ରୀକି କଷ୍ଠୋର କଲା ଯଯାତି ଦେବସ୍ୱାମୀ ।୧୧୧।

ମନ୍ତ୍ରୀବର ବୋଇଲା ଦେବ ଶୁଣିମା ସାବଧାନେ

ସତ୍ୟହିଂ ଲଂଘୁଅଛି ତୋହର ଜୀବନର ପୁଣ୍ୟେ ।୧୧୨।

ମନ୍ତ୍ରୀ ବିଚାରଇ ତେଣେ ସତ୍ୟଭଙ୍ଗ

ୟେଣେ ରାଜାଂକୁ ରକ୍ଷା କରଣେ ପାପପୁଣ୍ୟ ୟେକସଙ୍ଗ ।୧୧୩।

ଯଯାତିଂକ ପାଦତଳେ ଯମନିକ ପରିଣାମି

ଯେବଣେ ଦିନେ ପୁତ୍ରେ ତୋର ମୃଗୟା ଗଲେ ଦେବସ୍ୱାମୀ ।୧୧୪।

ତୁ ଯେ ମହାରାଜା ଆଗ୍ୟାଂଦିଲୁ ମୋତେ ରାଇ

ପୁତ୍ରଂକର ତୁଲେ ତୁ ଯା ଆସି ବେଗହୋଇ ।୧୧୫।

ଭୋ ଦେବ ତୋହର ଆଗ୍ୟାଂ ପ୍ରମାଣେଣ କରି

ପୁତ୍ରନ୍ତ ଘେନି ତୋହର ମୃଗୟା ବିହରି ।୧୧୬।

ଆହାନିକ କାଳେ ସେ ମୋତେ କଲେକ କଟାଳ

ଜଳଉଦ୍ୟାନ ସ୍ତାନେ ଧଇଲେ ମୋହର ବାଳ ।୧୧୭।

ଶିର ଚ୍ଛେଦିବାକୁ ମୋର କଲେ ରାୟେ ଇଚ୍ଛା

ବିକଳେ ବୋଇଲି ଦେବ କରିବା ମୋତେ ରକ୍ଷା ।୧୧୮।

ସତ୍ୟ କରାଇ ବୋଇଲେ ତୋତେ ଯେବେ ରଖିବୁ

ଯଯାତିଂକି ମାରି ଆମ୍ଭନ୍ତ ରାଜା କରାଇବୁ ।୧୧୯।

ରାଜ୍ୟେ ରାଜ୍ୟଧର ଯେ ନୋହିଲୁ ଆମ୍ଭେ କିଛି

ଆମ୍ଭେ ବୃଦ୍ଧ ହୋଇଲୁ ଆମ୍ଭର ପିତା ବ୍ରତି ଅଛି ।୧୨୦।

ଯଯାତିକି ମାରି ତୁ ଆମ୍ଭନ୍ତ କର ରାଜା

ଅନେକ ସମ୍ପଦେ ତୋତେ କରାଇବୁ ପୂଜା ।୧୨୧।

ସ୍ୱାମୀ ସତ୍ୟକଲି ମୁହିଂ ପ୍ରାଣରକ୍ଷା ନିମନ୍ତେ

ମୋହର ପାପଆତ୍ମା ମୁଂ ତୋତେ ପ୍ରମାଦ ଚିନ୍ତିବି କେମନ୍ତ ।୧୨୨।

ସ୍ୱାମୀ ଦୃଭାର କୁମାର ତୋତେ ମାରିତେ କଲେ ଇଚ୍ଛା

ଯେମନ୍ତେ ପାର ସ୍ୱାମୀ ଚେତିଣ କରି ରକ୍ଷା ।୧୨୩।

ସ୍ୱାମୀ ତୋହର ଚରିତ ଗୋଟା ଶୁଣିଣ ମମ ହୃଦେ

ତନୁ କ୍ଷୀନ୍ନ କଲିନି ମୋର ବଡ଼ାଇ ବିଷାଦେ ।୧୨୪।

ୟେତେ କହି ମନ୍ତ୍ରୀବର ଗଲେ ନିଜ ସ୍ଥାନେ

ପୁତଂକ ମୁଖ ଚାହିଂ ରାଜା ଗୁଣଇ ପ୍ରତିଦିନେ ।୧୨୫।

ପୁଷ୍ୟା ଅବିଷେକ ଦିନେ ମାରିବାକୁ କରିଛନ୍ତି

ସେ ଦିନ ପୁତ୍ରନ୍ତ ରାଇ ବସାଇ ସଭିୟେଂ କତି ।୧୨୬।

ପାତ୍ର ମନ୍ତ୍ରୀ ରାଜା ସମସ୍ତ ହଜାରି

ଶୁଭ ଅନକୂଳେ ରାଜା ଆଗ୍ୟାଂ ଅବିଧାରି ।୧୨୭।

ମୁହିଂ ରାଜେଶ୍ୱର ହୋଇଲି ବହୁତ ଭୋଗୀ

ଚତୁର୍ଥ ବୟସେ ମୁଂ ୟେବେ ତପେ ସେ ହୋଇବି ଯୋଗୀ ।୧୨୮।

ପୁରୁ ପ୍ରବୀର ତୁମ୍ଭେ କୁମାର ମୋହୋର ବେନି

ତୁମ୍ଭେ ରାଜ୍ୟକର ୟେବେ ଦୁଇ ପୁତ୍ରନ୍ତ ଘେନି ।୧୨୯।

ସମୟେକ ରାଜ୍ୟ କଲି ମୁହିଂ ସତ୍ୟଯୁଗେ

ତ୍ରେତୟା ଯୁଗହିଂ ସୋମବଂଶେଣ ମୋହର ଭାଗେ ।୧୩୦।

ସତ୍ୟଯୁଗେ ଲକ୍ଷେ ନବସହସ୍ର ବରଷ ରାଜ୍ୟ କଲି

ତ୍ରେତୟା ଯୁଗରୁ ଲକ୍ଷେ ତିନିସହସ୍ର ବରଷ ପୁହାଇଲି ।୧୩୧।

ୟେବେ ଲକ୍ଷେ ବରଷ ଭୋଗକଲି ଦ୍ୱାପରରେ

ଅନେକ ଧର୍ମକଲି ନବଦ୍ୱୀପ ସପତ ସାଗରେ ।୧୩୨।

ରାଜ୍ୟରକ୍ଷା ନିମନ୍ତେ ଅନେକ ଦୁଷ୍ଟଜନ ଛେଦି

ତେଣେ ହୋଇଅଛି ଅନେକ ହତ୍ୟାବାଦୀ ।୧୩୩।

ସକଳ ହତ୍ୟାପାତକ ମୋର ମୋଚନ ନିମନ୍ତେ

ହୋଇବି ତୀର୍ଥବାସୀ ମୁଂ ବହୁତ ଧନ ଅର୍ଥେ ।୧୩୪।

ପୁରୁପ୍ରବୀର ବେନି ପୁତ୍ର ରାଇ ଆପଣେ ଥାଇ କରାଇଲା ରାଜା

ଜମ୍ବୁଦ୍ୱୀପେ ଭ୍ରଥଖଣ୍ଡେ ଦୁହିନ୍ତି କରାଇଲା ପୂଜା ।୧୩୫।

ଆପଣେ ଦଣ୍ଡ କମଣ୍ଡଳ କଷା କଉପୀନ

ଚଳନ୍ତି ଯଯାତି ଯେ ବ୍ୟାସଂକ ତପସ୍ତାନ ।୧୩୬।

ସହଦେବ ବୋଇଲା ଦେବ ସାବଦାନେ ଭବନ୍ତୁ

ଯଯାତି ରଜ୍ୟ ତେଜ୍ୟାକଲା ଅପଣା ବ୍ରତ ହେତୁ ।୧୩୭।

ସେ ପୁରୁ ପ୍ରବୀର ଦୁହିନ୍ତି ଦୁଇଖଣ୍ଡେ ଦିଲା ପୃଥ୍ୱୀ ।

ଦ୍ୱାପରେ ରାଜ୍ୟକଲେ ଲକ୍ଷେ ସତଷଠି ବରଷ ପ୍ରତି ।୧୩୮।

ପ୍ରାଣତ୍ୟାଜ ହୋଇଲେ ସେ କାଳର ଅଭାବେ

ସେ ଦୁହିନ୍ତି ବିଚାର କଲା କୃତାନ୍ତକ ଦେବେ ।୧୩୯।

ନାଶକର ବୋଇଲେ ତୁମ୍ଭେ ଅଭୟ ସୋମବଂଶୀ

ବହୁତ ପୁଣ୍ୟକଲ ଅଳପେ ହୋଇଲ ଦୋଷୀ ।୧୪୦।

ପିତୃଦ୍ରୋହ କରିବାକୁ କଲ ତୁମ୍ଭେ ଇଚ୍ଛା

ପିତାର ସମ୍ପଦ ହାରିବାକୁ ତୁମ୍ଭେ କଲ ମନେ ବାଞ୍ଛା ।୧୪୧।

ମହାଗୁରୁଂକୁ ପାପ ଚିନ୍ତିଲ ହୋଇଲ ମହାଦୋଷୀ

ଯାଅ ତୁମ୍ଭେ ଜୀର୍ଣ୍ଣରୂପେ ହୁଅ ସିରେ ଝାସି ।୧୪୨।

କାଳ ବିକାଳେ ନାମେ ଯମର ବେନି ସେନାପତି

ଦୁହିଂକର କେଶ ଧରି ନେଲେ ତତକ୍ଷଣାନ୍ତି ।୧୪୩।

ଧର୍ମଲୋକେ ବୋଇଲେ ୟେ ସୋମବଂଶେ ଅଧିକାରୀ

ମୋକ୍ଷକୁ କାରଣ କିମ୍ପେ ୟେହାନ୍ତ ନ ବିଚାରି ।୧୪୪।

କେତେହେଂକେ ସମୟେ ଯେ ପାଇବେ ମୁକତି

ପ୍ରତିବାକ୍ୟେ କହିଥାଅ ହୋଇଥାନ୍ତୁ ତ୍ରିପୁତି ।୧୪୫।

କୁତାନ୍ତକ ଦଇବତ ଯେ ବିଚାରିଣ ବୋଇଲା

ବଡ଼ ଦ୍ରୋହକାରୀ ୟେହାନ୍ତ କାରଣ ନୋହିଲା ।୧୪୬।

ମନୁସାନନ୍ଦ ବୋଲିକରି ୟେହାଂକର ସନ୍ତତି

ଈଳୀନର ବୋଲିକରି ତାହାଂକର ଆପତ୍ୟି ।୧୪୭।

ତାହାଂକର ନନ୍ଦନ ଯେ ହୋଇବେ ଦୁଷ୍ୟନ୍ତ

ଦୁଷ୍ୟନ୍ତ ନନ୍ଦନ ହୋଇବାକ ଭ୍ରଥ ।୧୪୮।

ଭରଥର ନନ୍ଦନ ହୋଇଲା ଭୂମନ୍ୟୁ

ବିରଥ ବୋଲିକରି ୟେହାଂକର ତନୁ ।୧୪୯।

ବିରଥର ନନ୍ଦନ ଯେ ହୋଇବ ବିଭୁରୁକ୍ଷ

ଶମ୍ଭୁରାଣ ବୋଲିକରି ହୋଇଲା ତାହାଂକର ବତ୍ସ ।୧୫୦।

ଶମ୍ଭୁରାଣର ନନ୍ଦନ ହୋଇବ କୁରୁନାମେ ନୃପତି

ପ୍ରାର୍ଥିବ ବୋଲିକରି ତାହାଂକର ସନ୍ତତି ।୧୫୧।

ପାର୍ଥିବର ନନ୍ଦର ଯେ ହୋଇବ ଶାୟଂତନୁ

ଚିତ୍ର ବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ବୋଲି ୟେହାଂକର ତନୁ ।୧୫୨।

ଧୃତରାଷ୍ଟ୍ର ପଣ୍ଡୁ ହୋୟେ ବ୍ୟାସକୁଳେ ଜାତ

ପଣ୍ଡୁନୃପ ବଡ଼ ହୋଇଲେକ ବିଖ୍ୟାତ ।୧୫୩।

ଶବଦଭେଦୀ ରାଜା ତ୍ରଇଲୋକ୍ୟେ ଜଗଜ୍ଜିତା

ପଣ୍ଡୁନୃପତିୟେ ଯେ କରିବେ ବ୍ରହ୍ମହତ୍ୟା ।୧୫୪।

ପଣ୍ଡୁର ନନ୍ଦନ ହେବେ ଯୁଝେଷ୍ଠି ରାଜଦେବ

ପିତାର ନିମନ୍ତେ ରାଜୁସି ଯଗ୍ୟଂ ଆରମ୍ଭିବ ।୧୫୫।

ତାହାଂକର ଯଗ୍ୟଂ ପୁଣ ଆରୋପଣ ବେଳେ

ସତାଇଶ ପୁରୁଷର ପାପ ହାରିବ ଯୁଝେଷ୍ଠି ଦେବ ପୁଣ୍ୟବଳ ।୧୫୬।

କାଳିଞ୍ଜନ ପଢିହାରି କାଳଧ୍ୱଂସନ ଡଗର

ୟେ ଦୁହେଂ ଖଟିବେ ଯାଇଂ ରାଜୁସି ଯାଗ ସଭାରେ ।୧୫୭।

ଆହୋ ସେ ମହାଯଗ୍ୟଂ ୟେ ନୟନେଣ ତୁମ୍ଭେ ଚାହିଂ

ସମସ୍ତ ପାତେକମାନେ ହୋଇବ ତହିଂ ଦହି ।୧୫୮।

ସହଦେବ କହିଲେ ଯୁଝେଷ୍ଠି ଦେବଂକର ପାଶେ

ପୁରୁ ପ୍ରବୀର ୟେ ଦୁହେଂ ଆମ୍ଭର ଉପର ବଂଶେ ।୧୫୯।

ରାଜୁସି ଯଗ୍ୟଂସଭା ବରଣ ବାରତା ଶୁଣି

ଜୀର୍ଣ୍ଣ କୂପରୁ ନାଶକର ଉଦ୍ଧାରି ଧରିଆଣି ।୧୬୦।

ଯୁଝେଷ୍ଠି ଦେବେ ବୋଇଲେ ସହଦେବ ବେଗେ ଯା ଯା

ବଂଶର ପିତୃଲୋକନ୍ତ ଆମ୍ଭେ କରିବାକ ପୂଜା ।୧୬୧।

ଅନେକ ପୂଜା ୟେହାଂକୁ କଲେକ ଯୁଝେଷ୍ଠି

ଗତଦୋଷ ନିମନ୍ତେଣ ସେ ରାଜୁସି ଯଗ୍ୟେଂ ଖଟି ।୧୬୨।

ଶୁଣ ହୋ ପଣ୍ଡିତ ଜନେ ସୁପୁତ୍ରଂକର କଥା

ପିତୃଲୋକେ ଖଟନ୍ତି ହୋଇଣ ବଶ୍ୟବୃତ୍ତା ।୧୬୩-୮୮୮୭।

 

Unknown

ମୟଦାନବ ସଭାରେ ଯୁଧିଷ୍ଠିରଙ୍କ ଉପବେଶନ ଯଜ୍ଞର ଅନୁକୂଳ
ଓ ଯେ ଯେଉଂ କାର୍ଯ୍ୟରେ ଦକ୍ଷ ତାହାକୁ ସେହି
କାର୍ଯ୍ୟରେ ନିୟୋଗ ଓ ଶାଢ଼ୀ ପ୍ରଦାନ

ବଇବସୁତ ମନୁ ଆଗେ କହନ୍ତି ଅଗସ୍ତି

ଆହୋ ରାଜୁସି ଯାଗସଭା କହିଲେ ସରଇକି ।୧।

ମୟେ ଦାନେବକଇଂ ଧ୍ୟାୟେ କଲେକ ଅଚ୍ୟୁତ

ମାୟାସଭା ଘେନିଣ ସେ ପ୍ରବେଶ ଇନ୍ଦ୍ର ଯେ ପ୍ରଶସ୍ତି ।୨।

ପଞ୍ଚବିଂଶ ପଦ୍ମ ସେନାୟେ ଅଛନ୍ତି ମୁଣ୍ଡେ କରି

ଦେଖିଣ ଆଶ୍ରିଜ ଯେ ହୋଇଲେ ସେ ସକଳ ଦଣ୍ଡଧାରୀ ।୩।

ରାଜୁସି ଯାଗସଭା ଈଶାନ କୋଣ ଆତେ

ଗଙ୍ଗାକୁଳ ଯମଧର୍ମ ପର୍ବତର କରଛାଡ଼େ ।୪।

ଆକାଶର ସଭା ଛାୟା ମଣ୍ଡୋପର ତଳେ

ମୟଦାନବ ସଭା ନେଇଂ ଥାପିଲା ଶୁଭବେଳେ ।୫।

ଦେଖିଣ ଆଶ୍ରିଜ ଯେ ହୋଇଲେ ସକଳ ମହୀପତି

ସାଧୁ ଧର୍ମ ଯୁଝେଷ୍ଠି ତୋହର ଅଲୋକ୍ୟ କୀରତି ।୬।

ଶ୍ରବଣେ ଯାହା ଶୁଣିଥିଲୁ ୟେବେ ଦେଖିଲୁ ବେନି ଡୋଳେ

ତୋହର ମହିମାଂ ଦେଖିଲୁ ଆମ୍ଭର ପୁଣ୍ୟବଳେ ।୭।

ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗେ ଦୁଲଭା

ମନୁଷ୍ୟେ ଗୋଚର ନୁହଇ ରାଜୁସି ଯାଗସଭା ।୮।

ଦେଖିଣ ସାନନ୍ଦ ଯେ ହୋଇଲେ ଧର୍ମରାୟେ

ମୋତେ ଅଗୋଚର ହରି ତୋହର ଉପାୟେ ।୯।

କରପତ୍ର ଯୋଡ଼ିଣ ବୋଲନ୍ତି ଚକ୍ରପାଣି

ସ୍ୱାମୀ ଛାୟା ମଣ୍ଡପେ ବିଜେ କରିବେ ନୃପମଣି ।୧୦।

ରାଜାଧି ରାଜେଶ୍ଵର ତୁ ଜଗତେ ଅଧିକାରୀ

ତୁମ୍ଭେ ଛାୟାମଣ୍ଡୋପେ କରିବା ଦଣ୍ଡଧାରୀ ।୧୧।

ସ୍ୱାମୀ ମୟେଦାନବ ସଭାୟେ ବିଜେ କରିବା ଆପଣ

ୟେଥେ ଆସି ଦର୍ଶନ କରିବେ ସମସ୍ତ ରାଜାଗଣମାନ ।୧୨।

ସ୍ୱାମୀ ତୋହୋର କ୍ରୋଡ଼େ ଥିବ ଯେ ଦ୍ରୋପଦ ନନ୍ଦିନୀ

ପାବଚ୍ଛର ତଳେ ଥିବ ଦ୍ରୋପଦର ପୁତ୍ର ବେନି ।୧୩।

ଆରେକ ପାବଚ୍ଛ ତଳେ ଥିବ ସହଦେବ ମହାମନ୍ତ୍ରୀ

ଭୂତ ଭବିଷ୍ୟ ବାରତା ଜଣାଉଥିବ ଦିବାରାତି ।୧୪।

ଆରେକ ପାବଚ୍ଛ ତଳେ ଥିବ କୁମାର ନକୁଳ

ଅଭିଷେକ ଦଣ୍ଡଛତ୍ର ଧରିଥିବ ମାଦ୍ରୀଦେବୀର ଦୁଲାଳ ।୧୫।

ସ୍ୱାମୀ ଆରେକ ପାବଚ୍ଛ ତଳେ ଥିବ ବୀର ଯେ ପାବେନି

ଶ୍ରୀଭୁଞ୍ଜେଣ ଥିବ ସେହୁ ଗଦାବର ଘେନି ।୧୬।

ଆରେକ ପାବଚ୍ଛ ତଳେ ଥିବ ପଞ୍ଚାଣ ଫାଲଗୁନି

ଶ୍ରୀଭୁଜେ ଥିବ ସେ ଗାଣ୍ଡିମ ଧନୁଶସ୍ର ଘେନି ।୧୭।

ଯେ ଅବା କୁଞ୍ଚିତେ କରିବ ଅମାନୀ

ବିଜେକର୍ଣ୍ଣକଟାରୀରେ ଶିର ପକାଇବ ଛିନ୍ନି ।୧୮।

ସ୍ୱାମୀ ଉପରକୁ ଦଶ ପାବଚ୍ଛ ତଳକୁ ତିନି ପାବଚ୍ଛରେ

ଗାଜାମାନନ୍ତ ଦ୍ରଶନ ମୁଂ କରାଉଥିବି ସେ ଠାବରେ ।୧୯।

ସ୍ୱାମୀ ବିଚିତ୍ର ସଭା ୟେ ମୟଦାନବ ଯାହା ନିର୍ବାଣି

ସ୍ୱାମୀ ଶତ୍ରୁ ଗଳକଣ୍ଟକ ବୋଲି ସଭାର ନାମ ଜାଣି ।୨୦।

ସ୍ୱାମୀ ଅବାଡ଼େ ଚିତ୍ର ୟେ ଅଚିତ୍ର ଲେଖନ

ଜଳ ସଷ୍ଟିକ ୟେକତୁଲ୍ୟେ ନିରିବାଣ ।୨୧।

ଯୁଝେଷ୍ଠି ପରମ ସାନନ୍ଦ ଜଗନ୍ନାଥଂକ ବଚନେ

ସ୍ୱାମୀ କେତେବେଳେ ଦ୍ରଶନ ଆସି କରିବେ ସମସ୍ତ
ରାଜଗଣମାନେ ।୨୨।

ଗୋବିନ୍ଦେ ବୋଇଲେ ଦେବ ଦ୍ରୋଣ ଦେବା ଶାଢ଼ୀ ଧରି

ବ୍ରାହ୍ମଣ ଛତ୍ରଶାଳେ ସେ ହୁଅନ୍ତୁ ଅଧିକାରୀ ।୨୩।

ନାରାୟଣଂକ ଆଗ୍ୟାଂ ଯେ ପାଇଣ ଧର୍ମସୁତେ

ଶ୍ରୀହସ୍ତେ ଅର୍ଘ୍ୟ ଘେନି ହୋଇଲେ ଦ୍ରୋଣଂକର ଅଗ୍ରତେ ।୨୪।

ରତ୍ନମଣି ମୁକୁଟ କୁଣ୍ଡଳ ବାହୁଟି କଂକଣ

ଚତୁସମ କୁଂକୁମ ଦେବାଙ୍ଗ ବସନ ପରିହରଣ ।୨୫।

ତୁମ୍ଭେ ମୋହର ଗୁରୁ ବିପ୍ରକୁଳେ ମୁଖ୍ୟା

ବ୍ରାହ୍ମଣ ଛତ୍ରଶାଳେ ତୁମ୍ଭେ ୟେବେ ହୋଇବ ପରିଚ୍ଛା ।୨୬।

କୃପ ଆଚାର୍ଯ୍ୟେ ଅଶସ୍ତମାଂକ ସହିତେ

ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଯେ ଥିବ ବେନିଭ୍ରାଥେ ।୨୭।

ଚାରିପଦ୍ମ ବ୍ରାହ୍ମଣ ଯେ ସୂପକାରମାନ

ଛତ୍ରଶାଳେ କରାଇବେ ପାକ ପଞ୍ଚନ ବିଧାନ ।୨୮।

ବ୍ରାହ୍ମଣ ରାଜା ଯେତେ ବ୍ରାହ୍ମଣ ସଇନି

କୁନ୍ତୀ ଅନ୍ନ ଯୋଗାଉଥିବେ ଯେତେବେଳେ ମାଗୁଥିବ
ଦିବସ ରୟଣୀ ।୨୯।

ୟେସନେକ ଅମଜତପାକ ହୋଇବ ପଚନ

ୟେକଜଣକଇ ଅତ୍ରିପୁତି ନୋହିବେ ତ୍ରିପୁତି ହୋଇବେ ସର୍ବଜନ ।୩୦।

ଶାଢ଼ୀ ପାଇଲେ ଦ୍ରୋଣ କୃପ ଅଶସ୍ତମା ସହିତେ

ଛତ୍ରଶାଳା ମନ୍ଦିରେ ବିଜୟେ ତୋଷଚିତ୍ତେ ।୩୧।

ଦ୍ରୋଣଂକର ତୁଲେ ଯେ ବିଜୟେ ବାସୁଦେବ

ରାନ୍ଧଣାଶାଳମାନ ଯେ ଦେଖାଇଲେ ଠାବେ ଠାବେ ।୩୨।

ୟେକା ଚୁଲିକେ ଯେ ଅଷ୍ଟଉତ୍ତର ଶତେ ପଖା

ୟେହିମତି କେତେ ଚୁଲି କେ କରିବେ ଲେଖା ।୩୩।

ୟେଥିକେ ସୂପଚାର ଚୁଲିକେ ହୋୟେ ତିନି ତିନି

ୟେକା ନିଉତିକେ ତ୍ରିବିଧ ଭିଆଣନ୍ତ ଘେନି ।୩୪।

ଦଶପଦ୍ମ ଘର ଦ୍ରୋଣେ ଦେଖାଇଲେ ଦାମୋଦର

ସମସ୍ତ ଘରେ ପୂରିଅଛି ସୁବର୍ଣ୍ଣର ଯୋଗାଡ଼ ।୩୫।

ନଉତି କୁଡ଼େଇ ତେଲାଉଣୀ ମାଠିଆ

ସମସ୍ତ ସୁବର୍ଣ୍ଣ କରି ଭିଣାଇଛନ୍ତି ଜଗୁନାହା ।୩୬।

ଦେଖିଣ ଆଶ୍ରିଜ ଯେ ହୋଇଲେ ଦ୍ରୋଣଗୁରୁ

ଜଗତତାରଣ ନାଥ ତୁହି ସେ ୟେହା ସଞ୍ଚିପାରୁ ।୩୭।

ଦ୍ରୋଣଂକର ମୁଖ ଚାହିଂ ବଦୟନ୍ତି କେଶବ

ରୋଷୁଅ ଘରେ ପରିଚ୍ଛା ତୁମ୍ଭେ ହୁଅ ବୋଲି ଆଗ୍ୟାଂ ଦିଲେ ଯୁଝେଷ୍ଠି ରାଜଦେବ ।୩୮।

ଗଉରୀ ଶଉରୀ ନଳ ରାନ୍ଧଣା ବିଧି ତିନିପ୍ରତି

ଦୋହରା ପ୍ରସନ୍ନେ ସବୁ ଅମୃତ ରସ ନିତି ।୩୯।

ନାରାୟେଣ ଧ୍ୟାୟେ କଲେ ଦୋହରା ବହନି

ବିଜେ ବ୍ରାହ୍ମଣ ରୂପେ ଅମୃତ ଯୋଗାଡ଼ ଯେ ଘେନି ।୪୦।

ସୁମରନ୍ତି ମାଧବ ଯେ ପ୍ରସନ୍ନ ହିଙ୍ଗୁଳା

ବିଜୟେ ମାହେଶ୍ୱରୀ କାତ୍ୟାୟିନୀ ମହାଖଳା ।୪୧।

ବିନୟେ ଭଗତି ନାରାୟେଣ ହିଙ୍ଗୁଳା ପଦ୍ମପାଦେ

ୟେ ମହାଯାଗ ସଞ୍ଚା ହୋଇବ ତୋହର ପରସାଦେ ।୪୨।

ପ୍ରସନ୍ନ ହିଙ୍ଗୁଳା ନାରାୟଣଂକ ବଚନେ

ଯାଗ ସମାପତ ପରିଯନ୍ତେ ଥିବଇଂ ୟେହିସ୍ତାନେ ।୪୩।

ଅକଟା ଅବଟା ଯେ ଯୋଗାଡ଼ି ସହିତେ

ଅମୃତ ଯୋଗାଡ଼ ହେଉଥିବ ପଞ୍ଚନ କରୁଥିବ ଯେତେ ।୪୪।

ଗଉରୀ ଶଉରୀ ନଳ ରାନ୍ଧଣା ତ୍ରିବିଧି

ଦୋହରା ପ୍ରସନ୍ନେ ହୋଇଥିବ ସର୍ବସିଦ୍ଧି ।୪୫।

ଗଉରୀ ଯେହ୍ନେ ଅମୃତ ପାକ ପଚନ କରନ୍ତି ତ୍ରିଲୋଚନ ଦେବତାଂକୁ

ସରସ୍ୱତୀ ଯେହ୍ନେ ଅମୃତ ପାକ କରନ୍ତି ନାରାୟଣ ଦେବତାଂକୁ ।୪୬।

ନଳ ଯେହ୍ନେ ନଳ ବିଧି କଲାକ ପଚନ

ତିନିପ୍ରତି ରାନ୍ଧଣା କଲେ ହୋଇଣ ପ୍ରସନ୍ନ ।୪୭।

ତେସନେକ ସମ୍ପଦ ରାଜୁସି ଯାଗସଭା

ଆପଣେ ଯାହା ସର୍ଜନା କଲେକ ବସୁଦେବା ।୪୮।

ବଦୟନ୍ତି ଜଗନ୍ନାଥେ ଯୁଝେଷ୍ଠି ଦେବଂକ ଅଗ୍ରତେ

ସ୍ୱାମୀ ଭିଷ୍ମଂକୁ ଶାଢ଼ୀ ଦେବା ସଭାର ସମେତେ ।୪୯।

ସେହି ଛତ୍ରଶାଳେ ଦେବ ହୁଅନ୍ତୁ ଅଧିକରୀ

ସମସ୍ତ ରାନ୍ଧଣା ଯୋଗାଡ଼କୁ ଥାଆନ୍ତୁ ଚିନ୍ତାକରି ।୫୦।

କ୍ଷତ୍ରୀ ବର୍ଗେଣ ଅଛନ୍ତି ଯେତେକ ସଇନି

ଆପଣେ ତାହାନ୍ତ ସମାର୍ଜନା ଭୀଷ୍ମେ କରୁଥିବେ ଦିବା ଯେ ରୟଣୀ ।୫୧।

ଶ୍ରୀହସ୍ତେ ଶାଢ଼ୀ ଅକ୍ଷତ ଘେନିଣ ଧର୍ମସୁତେ

ଶାଢ଼ୀ ନେଇ ଆପଣେ ଗାଙ୍ଗେବ ଯେ ବାନ୍ଧିଲେ ନିଜେ ମାଥେ ।୫୨।

ବୋଇଲେ ଛତ୍ରଶାଳେ ପରିଚ୍ଛା ଯେ ଭୀଷ୍ମ ମହାରଥା

ମନ ଜାଣି ଭୀଷ୍ମେ ତୁମ୍ଭେ ହୋଇବ ଅନ୍ନଦାତା ।୫୩।

ୟେକା ଜଣକେ ଯେବେ ଅପୁତ୍ରିକ ହୋଇବ

ପାଣ୍ଡୁର ବ୍ରହ୍ମହତ୍ୟା କେବେହେଂ ପାର ନ ଯିବ ।୫୪।

ୟେକ ଜଣକଇଂ ଯେବେ ନ ପାଇବ ଅନ୍ନ

ଚକ୍ରମାରି ଶିର ଚ୍ଛେଦିବି ୟେ ମୋହୋର ଦୃଢ଼ ବଚନ ।୫୫।

ଶାଢ଼ୀ ପାଇଣ ଭୀଷ୍ମ ଗଲେ ଛତ୍ରଶାଳେ

ଦଶପଦ୍ମ ସୂପକାପ ଯେ ୟେହାକଂର ମେଳେ ।୫୬।

ତ୍ରିବିଧ ଭିଆଣ ଯେ କରିଣ ଦେବ ସଞ୍ଚି

ୟେକା ଜଣକର ତୁଣ୍ଡେ ନ ଶୁଭିବ ବାଚି ।୫୭।

ଶଲ୍ୟଂକୁ ଶାଢ଼ୀ ଦିଆଇଲେ ଯୁଝେଷ୍ଠି ଦେବଂକର ହାଥେ

ଭୂରିସର୍ବା ସୋମଦତ୍ତ ବାହ୍ଲିକ ସହିତେ ।୫୮।

ଉତ୍ତମ ସୋମବଂଶୀ ରାଜା ଯୋଦ୍ଧା ଅଶିଖର୍ବ

ୟେହାନ୍ତ ଘେନି ତୁମ୍ଭେ ଅନ୍ନହିଂ ପରଶିବ ।୫୯।

ତ୍ରିପୁତି ଇଚ୍ଛାୟେ ଯେ କରୁଥିବେ ଭୋଜନ ସର୍ବଜନ ।୬୦।

ଷୋଳସହସ୍ର ଗୋପାଳ ଆପଣାର ସଙ୍ଗୀ

ତାହାନ୍ତ ଆଗ୍ୟାଂ ଦିଲେ ଦେବ ଶିରିରଙ୍ଗୀ ।୬୧।

ଗାବନ୍ତ ଦୋହନ କରି କ୍ଷୀରଭାରମାନନ୍ତ

ଛତ୍ରଶାଳେ ପ୍ରବେଶ ନେଇ କରୁଥିବଟି ଅନୁବ୍ରତ ।୬୨।

ଶ୍ରୀହସ୍ତେ ଜଗନ୍ନାଥେ ସବୁନ୍ତି ଦିଲେ ଶାଢ଼ୀ

ଆଣନ୍ତି ଗୋପାଳେ ଯେ ଦୁଧ ଦୋହନ କରି ।୬୩।

ରୋଷେଇ ଘରେକେ ଦେବ ସହସ୍ରେକ ଭାର କ୍ଷୀର

ୟେ ବିଧି ରାନ୍ଧଣା ଘର ଦଶପଦ୍ମ ମେବଚ୍ଛ ପନ୍ଦର ।୬୪।

ୟେ ବିଧି ଘରେକ ସହସ୍ରେକ ଭାର କ୍ଷୀର ଆଣି

ଦଧି ଦୁଧ ଅଧାମ ୟେହି ଲେଖାୟେ ପରିମାଣି ।୬୫।

ଶତେକ ଧେନୁ ଗାଈକେ ଭାରେକ ଉଠଇ

ୟେମନ୍ତେକ ସହସ୍ରେ ଭାରକ ଲକ୍ଷେ ଗାଈ ଖଟଇ ।୬୬।

ଦଶପଦ୍ମ ପନ୍ଦର ମେବଚ୍ଛ ଘରକୁ ସମ୍ପାଦେ

ଦଶକ୍ଷଉଣୀ ପନ୍ଦର ପଦ୍ମ ଧେନୁ ହୋଇଲାକ ହାଦେ ।୬୭।

ଲେଖ ହୋ ଶୁବୁଦ୍ଧି ସୁଗ୍ୟାଂନୀ ପଣ୍ଡିତେ

ରାନ୍ଧଣା ଯୋଗାଡ଼କୁ ଦୁଧ ଆଣନ୍ତି ହାଦେ ୟେତେ ।୬୮।

ତେତିଶ ମହାଖୁଡ଼ ମୂଳେ ୟେକାଦଶ ପଦ୍ମ ଗୋପାଳ

ଦୁତୀ ସମୁଦ୍ର ଜାଣି ଦିଶଇ ଗୋପାଳ ।୬୯।

ଆବର ଦଶଅହିବ୍ରତେକ ଭାର ୟେହି ଲେଖାୟେ ପରିମାଣି

ଦଧି ଦୁଧ ଅଧାମ ପରଶିବାକୁ ୟେତେ ଆଣି ।୭୦।

ଲେଖନ ପଠନ ନ ଯାଇ ଶାହାସ୍ର ଯୋଗେ

ମୁଂ ଅବା କେତେ ଅନ୍ତ କରିପାରିବି ମୂର୍ଖ ସ୍ୱଭାବେ ।୭୧।

ଲକ୍ଷେ ରାଜାଂକର ଯେ ଅନିର୍ଯାପ ସଇନି

ସମିଦ ସମ୍ଭର୍ବେ ରାଜାୟେ ଆସିଛନ୍ତି ଯେ ଯାହା ବଳ ଘେନି ।୭୨।

ଗଙ୍ଗା ଯମୁନା ଦୁଇନଦୀ ମଧ୍ୟରେ ଛାୟା ମଣ୍ଡୋପେକ ରଞ୍ଚି

ଦ୍ୱାଦଶ ଯୋଜନ ତହିଂ ବିସ୍ତାର ହୋଇଅଛି ।୭୩।

ସେ ଭୂମି ମାଡ଼ିଣ ଯେ ଭୋଜନ ଭୂମିସ୍ଥଳୀ

କିଞ୍ଚିତେ ସର୍ଜନା ତାହା କଲେକ ବନମାଳୀ ।୭୪।

କିରାତ ରାଜା ଯେ ବନଚର ଆଧିପତି

ଗଙ୍ଗାକୂଳେ କାଠ ଆଣି କୁଢାବନ୍ତି ନିତିପ୍ରତି ।୭୫।

ହରିଣ ବରେହା ଯେ ଗୟଳ ଗଣ୍ଡାଜୀବ

ନବକୋଟି ଯୋଦ୍ଧା ଘେନିଆଣି ଦିଅଇ କିରାତେଶ୍ୱର ଦେବ ।୭୬।

ନିଷାଦ ରାଜା ଯେ ନୃପତି କଇବ୍ରତ

ଗଙ୍ଗାୟେ ନାବ ବାହଇ ନବଖର୍ବ ନଉ ମର୍ଭୁତ ।୭୭।

ଆକାଶ ଗଙ୍ଗାୟେ ନାରାୟେଣଂକ ଆଗ୍ୟାଂ ପରମାଣେ

ନାବ ଲାଗଇ ଯାଇଂ ଇନ୍ଦ୍ର ଦେବତାଂକର ନନ୍ଦନ ନାମେ ବନେ ।୭୮।

ଲୋକାଲୋକ ନାମେଣ ସେ ଯେବଣ ପରବତ

ତହିଂର କଇଛାଡ଼େ ନାବ ନେଇ ଲଗାଇ କଇବ୍ରତ ।୭୯।

ଇନ୍ଦ୍ରଦେବତାର ବନରକ୍ଷା ତୋଟାଳମାନେ

ନବଖର୍ବ ତୋଟାଳ ଆଣି ନାବେ ପୂରାବନ୍ତି ବହନେ ।୮୦।

କଦଳୀ ନଟୀକାଳ ପଣସ ଚୂତଫଳ

ଟଭା ନାରଙ୍ଗ ଜମ୍ବିଳ ଲେମ୍ବଉ କଣ୍ଟାହୋଳ ।୮୧।

ମେଞ୍ଜନ ଯୋଗାଡ଼ ରାନ୍ଧଣା ବିଧାନକୁ

ତୋଟାଳେ ନାବେ ପୂରାଇ ଦିଅନ୍ତି କଇବ୍ରତ ରାଜାକୁ ।୮୨।

ନବଖର୍ବ ନଉମର୍ଭୁତ ନାବ ଭରି

ଇନ୍ଦ୍ରପ୍ରଶସ୍ତେ ପକାନ୍ତି ପର୍ବତ ସମକରି ।୮୩।

ବନଫଳମାନ ସବୁ ଆଣଇ ସୁବାହୁ

ଆଳୁ ସାରୁ ଓଲୁଅ ହଳଦୀ ଆଣନ୍ତି ସେହୁ ।୮୪।

ନାରାୟେଣଂକ ଆଗ୍ୟାଂୟେ ଦୋହରା ହିଙ୍ଗୁଳି ପ୍ରସନ୍ନେ

କ୍ଷଣକେ ପାକ ସିଝଇ ଅମୃତର ସମାନେ ।୮୫।

ପରିବା ଲୁଣ ବେସର କ୍ଷୀର ପିଠଉ ଆଦିକରି

ଘୃତ ସଂଯୋଗେଣ ସେ ୟେକଘାନ୍ତିକେ ଯୋଗାଡ଼ି ।୮୬।

ଭାଣ୍ଡେ ପୂରୋଇଣ ଚୁଲୀରେ ବସାଇଲେ

କ୍ଷଣକେ ଅମୃତ ପାକ ହୋଇ ହିଙ୍ଗୁଳା ସୁମରିଲେ ।୮୭।

ୟେମନ୍ତ ରାନ୍ଧଣା ଗଉରୀ ଶଉରୀ ନଳବିଧି

ବିନାପାୟେ ପାକ ଯେ ହୋଉଛନ୍ତି ସର୍ବସିଧି ।୮୮।

ମକର ମାସ କୃଷ୍ଣପକ୍ଷ ତିଥି ଯେ ଚଉଠୀ

ଉତ୍ତରା ପାଲଗୁନି ନକ୍ଷତ୍ର ଭୋଗ୍ୟ ବେଳ ପାଞ୍ଚଘଟି ।୮୯।

ଚନ୍ଦ୍ରବାର ଆୟଷ୍ମାନ ଯୋଗ ଭୋଗ ତିନିଲତା

ବାଳବ ନାମେ କରଣ ଲଗ୍ନଘରେ ସ୍ଥିତା ।୯୦।

ଷଷ୍ଠଘରେ ଚନ୍ଦ୍ର ବୃହସ୍ପତି ୟେକାଦଶମେ

ଅଧ୍ୟକ୍ଷ ନାମେ କାଳ ବାରୁଣୀ ଅଷ୍ଟମେ ।୯୧।

କର୍ମଘରେ ଦଇବତ ଜନ୍ମଘରେ ଶନି

ଘଟଲଗ୍ନେ ଯଗ୍ୟଂକୁ ଅନୁକୂଳ କଲେ ବ୍ୟାସ ମହାମୁନି ।୯୨।

ନିତ୍ୟକର୍ମ ବିଧାନ ସାରିଣ ଦେବ ଧର୍ମେ

ବିଜେ ପଣ୍ଡୁନନ୍ଦନ ଯଗ୍ୟଂଶାଳ ଆଶ୍ରମେ ।୯୩।

ତ୍ରିଶୁଳେକ କରେଣ ଘେନି ଋଷି ମାରକଣ୍ଡ

ଆପଣେ ଶ୍ରୀହସ୍ତେ ସ୍ରିଜିଲେ ଯଗ୍ୟଂକୁଣ୍ଡ ।୯୪।

ଦ୍ୱାଦଶ ଯବ ଆୟତନ ଚଉଦିଗ

ଗଭୀର ଆୟତନ ଦ୍ୱାଦଶ ହବିର୍ଭାଗ ।୯୫।

ଲମ୍ବିତ ଜୂଡ଼ା ଯେ ତ୍ରିକଚ୍ଛ ବସନ

ଶ୍ରୀକରେ କୁଶବଟୁ ଦ୍ୱାଦଶ ଲକ୍ଷଣ ।୯୬।

ଲକ୍ଷେକ ବ୍ରାହ୍ମଣ ଘେନି ଧଉମ ପୁରୋହିତେ

କୃଷ୍ଣାଜିନ ଛାଲ ମାଡ଼ି ବସିଲେ ଯୁଝେଷ୍ଠି ଦେବଂକ ଅଗ୍ରତେ ।୯୭।

ଆପଣେ କୁଶହସ୍ତ ଧର୍ମରାଜା ଯୁଝେଷ୍ଠି

ଆକ୍ରଷଣ ଆସନ କଲେ କୃଷ୍ଣାଜୀନ ଛାଲଗୋଟି ।୯୮।

ସୁବର୍ଣ୍ଣର ଘଟେ ଯେ ତୀର୍ଥଜଳ ପାଣି

ପୁଷ୍କରଦେବତା ବହନ ଯୋଗାଇଲେ ଆଣି ।୯୯।

ତାହାଣ ବ୍ରତେକ ଶଙ୍ଖେ ଲାଇ ଜଳତିଳ

ସଂକଳ୍ପ କରନ୍ତି ପୁରୋହିତେ ଦେଶକାଳ ମନ୍ତ୍ରବଳ ।୧୦୦।

ବରଣ ସାରି ଆସ୍ତାନେ ବିଜେ ଦେବ ଧର୍ମେ

ଛାମୁରେ ଜଣାନ୍ତି ଦେବ ପୁରୁଷଉତ୍ତମେ ।୧୦୧।

ସ୍ୱାମୀ ଚତୁର୍ଦ୍ଦିଗରୁ ଯେ ଅଇଲେ ରାଜାମାନେ

ଦ୍ରଶନ କରିବେ ନା ବରଣ ବିଧାନେ ।୧୦୨।

ଅନେକ ସମ୍ପଦ ଘେନି ଦେବ ଧର୍ମସାଇଂ

ମୟଦାନବ ମାୟାସଭାରେ ବିଜେକଲେ ଯାଇଂ ।୧୦୩।

କୋଳେ ମାହେଶ୍ୱରୀ ବିଜୟେ ଜିଘ୍ନସେନୀ

ଅଗ୍ନିରୁ ଜାତ ସିଏ ପାଞ୍ଚାଳ ରାଜାର ନନ୍ଦନୀ ।୧୦୪।

ହାର କଂକଣ ନୂପୁର ଚନ୍ଦ୍ରକିରଣ ମଣି

ମୁକୁଟ କର୍ଣ୍ଣାଞ୍ଚଳ ଲଲାଟେ ସାମଛିନୀ ।୧୦୫।

ଅଳଂକାର ଅଭିଷେକ ଯେତେକ ଯୋଗାଡ଼

କୁବେର ତାକୁ ଭୂଷଣ କଲା ଅଷ୍ଟାଙ୍ଗ ଶରୀର ।୧୦୬।

ଅମଳାନ କୁସୁମ ଯେ ଦେବ ପୁଷ୍ୟମାଳ

ଯୁଝେଷ୍ଠି ଦେବଂକ କଣ୍ଠେ ଲମ୍ବାଇଲେ ଆଖଣ୍ଡଳ ।୧୦୭।

ଅନେକ ଅଭିଷେକ ଯୋଗାଡ଼ମାନ ଘେନି ଦେବୀ ଶଚୀ

ଦ୍ରୋପତୀ ଦେବୀ ଶରୀର ତାହା ନେଇ ରଂଚି ।୧୦୮।

ସଭାକୁ ଉଠିବାକୁ ତେର ଯେ ପାବଚ୍ଛ

ପାବଚ୍ଛକ ତଳେ ମନ୍ତ୍ରୀ ମଦନା ଦେବୀର ବତ୍ସ ।୧୦୯।

କରେ ଘେନିଅଛି ଭୂତଭବିଷ୍ୟ ପୋଥି

ଗତ ଆଗତ ସମସ୍ତ କହଇ ସହଦେବ ମନ୍ତ୍ରୀ ।୧୧୦।

କନକ ଦଣ୍ଡ ଛତ୍ର ଧରି ମାଦ୍ରୀ ଦେବୀର ବାଳେ

ଦୁଇପାବଚ୍ଛ ତଳେ କୁମାର ନକୁଳେ ।୧୧୧।

ତୃତୀୟ ପାବଚ୍ଛ ତଳେ ବିଜୟ ଫାଲଗୁନି

ଅନେକ ବେଶ ବେଶନ ହୋଇ ଗାଣ୍ଡିମ ଧନୁ ଧରି ।୧୧୨।

ଅନନ୍ତ ପଢିହାରୀ ସରୂପେ ଜଗନ୍ନାଥ

ଦଶ ପାବଚ୍ଛର ତଳେ ରହିଲେ ପ୍ରଭୁ ଜଗନ୍ନାଥ ।୧୧୩।

ଗୋବିନ୍ଦ ବୋଇଲେ ଦେବ ଦ୍ରିଯୋଧନକୁ ଦେବା ଶାଢ଼ୀ

ଭଣ୍ଡାର ନାୟକ ହୋଉ ସେ ଭଣ୍ଡାରେ ଅଧିକାରୀ ।୧୧୪।

ଭୂଇଂ ଛୁଇଂଣ ଯୁଝେଷ୍ଠି ଦେବେ ଶ୍ରବଣେ ଦିଲେ ହାଥ

ବୋଇଲେ ଧନମାନ ଧଂସନ ସ୍ୱାମୀ କରିବ ସମସ୍ତ ।୧୧୫।

ସ୍ୱାମୀ ଅନ୍ୟାଚାରୀ ଭାରିଜା ଅସହଣି ଜନ

ୟେହାଂକୁ ଗଉରୋବେ କଲେ କାର୍ଯ୍ୟ ହୋଇବ ନାଶପାନ ।୧୧୬।

ଅଭାବି ମଇତ୍ର ଯେ ଅସହୃଦ ବନ୍ଧୁଜନ

ୟେମାନନ୍ତ ପ୍ରୀତି କେଭେଂ ନ କରିବ ଜନାର୍ଦ୍ଦନ ।୧୧୭।

ଅବିଶ୍ୱାସୀ ସୋଦର ଯେ ନୋହୋଇ ହୃଦଗତା

ଦୁର୍ଜନ ଭ୍ରାଥ ଯେ ଅନ୍ୟାଚାରୀ ମାତା ।୧୧୮।

ୟେତେଲୋକ ତୁଲେ ହରି ପ୍ରୀତି ନ କରିବା

ୟେତେକଇଂ ବିଶ୍ୱାସେଣ ଧନ ଭାର୍ଯ୍ୟା ନ ସମର୍ପିବା ।୧୧୯।

ୟେହାଂକର ଗୋଚରେ ହରି ସମର୍ପିଲେ ଧନ

କାଳକାର୍ଯ୍ୟେ ସମସ୍ତେ ହୋଇବେ ନାଶପାନ ।୧୨୦।

ଯଦ୍ୟପି ସୋଦୋର ମୋର ଅଟଇ ମାନଗୋବିନ୍ଦ

କାଳେ ଦେଖି ନୁଆରିବ ହରି ମୋହୋର ସମ୍ପଦ ।୧୨୧।

ଅଳପ ବଇବାକୁ ହରୁ ଦେବ ବହୁତ କରି

ଧନଭରା ନ ଥିଲେ କି କାର୍ଯ୍ୟ କରିପାରି ।୧୨୨।

ଯୁଝେଷ୍ଠି ଦେବଂକ ମୁଖୁଂ ନିଷ୍ଠୁର ବାକ୍ୟ ଶୁଣି

ବିନୟ ଭାବ ହୋଇଣ ବୋଲନ୍ତି ଚକ୍ରପାଣି ।୧୨୩।

ସ୍ୱାମୀ ଭଣ୍ଡାରେ ଅଧିକାରୀ ଯେବେ ହୋଇବ ଦ୍ରିଯୋଧନ

ତାହାର ଇଚ୍ଛାୟେ ସେ ଯେତେ ଦେଉଥିବ ଅବିଚ୍ଛନ୍ନ ଧନ ।୧୨୪।

ତହିଂକି ଦେବ ତୁମ୍ଭେ ନ ଭାଳ କିଛି ବୁଦ୍ଧି

ପନ୍ନଗା ନାରାୟଣ ସେ ତାହାରକରେ ଅଛି ଶଙ୍ଖ ପଦ୍ମନିଧି ।୧୨୫।

ନାରାୟେଣଂକ ବଚନେ ହକାରିଲେ କାଳିଞ୍ଜନ

ଆରେ ଛାମୁକୁ ହକାରି ଆଣ ଦ୍ରିଯୋଧନ ।୧୨୬।

ସ୍ୱାମୀଂକର ବଚନେ ସେ କାଳିଞ୍ଜନ ପଢିହାରୀ

ଆଗ୍ୟାଂୟେ ଦ୍ରିଯୋଧନକୁ ଆଣିଲା ହକାରି ।୧୨୭।

ଆହୋ ଦ୍ରିଯୋଧନ ଛାମୁକୁ ବହନ ହୋଇ ଆସ ୟେହିକ୍ଷଣ

ଭଣ୍ଡାର ନାୟକ ତୁମ୍ଭେ ହୋଇବ ଠାକୁରଂକର ଆଗ୍ୟାଂ ପରମାଣ ।୧୨୮।

ଶକୁନି ବଦନ ଚାହିଂଲାକ ମହୀପାଳ

ପ୍ରଚାରଇ କେମନ୍ତ ଚରିତ ପ୍ରାୟେ ବୁଝିଲୁ ହୋ କହସି ମାତୁଳ ।୧୨୯।

ଶକୁନି ବୋଇଲା ରାଜ ଘେନି ବହନ ଶାଢ଼ୀ

ଯୁଝେଷ୍ଠିଂକର କାର୍ଯ୍ୟ ସେ ହୋଇବ ଅପହାରୀ ।୧୩୦।

ଭାରେକ ଆଗ୍ୟାଂ ହୋଇଲେ ଦଶଭାର ଦେବୁ

ତାହାର ଭଣ୍ଡାର ଧ୍ୱଂସନ ହୋଇବ ତୁ ଯଶ ଅରଜିବୁ ।୧୩୧।

ଧନର ଅଭାବେ ତାହାର ଧର୍ମ ହୋଇବ କାହିଂ

ଭାଜିବ ମହାଯାଗ ଯୁଝେଷ୍ଠିଂକି ଧର୍ମ ପ୍ରାପତ ନୋହି ।୧୩୨।

ଶକୁନି ବଚନେ ସେ କୁରୁବୀର ଦଣ୍ଡଧାରୀ

ଧାତିକାରେ ଯୁଝେଷ୍ଠି ଦେବଂକ ଛାମୁରେ ଆସଇ ବିଜେକରି ।୧୩୩।

ଶ୍ରୀହସ୍ତେଣ ଶାଢୀୟେକ ଘେନିଣ ଧର୍ମସୁତେ

ଦ୍ରିଯୋଧନକୁ ତିଆରନ୍ତି ପିତୃକାର୍ଯ୍ୟ ଅର୍ଥେ ।୧୩୪।

ବାବୁ ରାଜାମାନଂକର ଦେଖା ଦରଶନି ଧନ ଯେତେ

ସମସ୍ତ ସମ୍ଭାଳଣ କରିଥିବୁ ମୁହିଂ ସମର୍ପିଲି ତୋତେ ।୧୩୫।

ଯାହାକୁ ଆଗ୍ୟାଂ ହୋଇବ ନାରାୟଣଂକ ବଚନେ

ବିଚାରି ଧନ ଦେଉଥିବୁ ଯେ ଯେତେକ ଭାର୍ଜନେ ।୧୩୬।

ଯୁଝେଷ୍ଠିଂକ ବଚନେ ଦ୍ରିଯୋଧନ ପରମ ସାନନ୍ଦ

ଅବଧାରୀ ଶାଢୀ ଘେନିଲା ସେ ମାନଗୋବିନ୍ଦେ ।୧୩୭।

ତୁଲେଣ ମୁକୁଟବନ୍ଧା ଯୋଦ୍ଧା ବତିଶ ଲକ୍ଷ ରକ୍ଷା

ବାଆନ ଭଣ୍ଡାରେ ଦ୍ରିଯୋଧନ ହୋଇଲେ ପରିଚ୍ଛା ।୧୩୮।

ମଥାରେ ଶାଢୀ ବାନ୍ଧିଣ ଚଳଇ କୁରୁନାଥେ

ଆବୋରିଲେ ଭଣ୍ଡାର ଆପଣା କାର୍ଯ୍ୟଅର୍ଥେ ।୧୩୯।

ଶ୍ରୀଜଗନ୍ନାଥ ଦେବଂକ ଆଗ୍ୟାଂ ଅବଧାରୀ

ସ୍ୱାମୀ ଦୁର୍ଜୟ ଦୁର୍ମନକୁ ଧୁଶାସନେ ଦିଅ ଶାଢୀ ।୧୪୦।

ତୁଲେ ଯୋଦ୍ଧା ୟେହାଂକର ଚଉରାଶି ଲକ୍ଷ

ଗଜ ଅଶ୍ୱ ଭୋଗ ନିଯୋଗ ୟେ ହୁଅନ୍ତୁ ପରୀକ୍ଷ ।୧୪୧।

ଶକୁନି ମହାମନ୍ତ୍ରୀ ଯେ ଗାନ୍ଧାରସେନ ବଚ୍ଛା

ଗଜଅଶ୍ୱଂକୁ ଚରଣି ପିଉଣି ଦେବାକୁ ବୋଇବେ ପରିଚ୍ଛା ।୧୪୨।

ଯୁଝେଷ୍ଠି ଦେବ ବୋଇଲେ ଶୁଣସି ମାତୁଳ

ଗଜ ଅଶ୍ୱ ନିଯୋଗୀମାନଙ୍କୁ ଭଲକରି ପ୍ରତିପାଳ ।୧୪୩।

ଯେସନେକ ଚରଣି ପିଉଣି ଲାଗଇ ଘାସ ବିରି

ସବୁନ୍ତି ଦେବୁ ମାତୁଳ ସମତା ଦୃଷ୍ଟିକରି ।୧୪୪।

ଶକୁନିର ମୂଳେ ଦ୍ରିଯୋଧନ ଅଠାଣୋଇ ଭାଇ

ଅଶ୍ୱ ଗଜ ପରିଚ୍ଛାପଣ ବୀରେ ଆବୋରିଲେ ଯାଇ ।୧୪୫।

ବଦୟନ୍ତି କେଶବ ଶକୁନି ଅଗ୍ରତେ

ମହ୍ଲାର ନୃପତି ଯେ ଚଉଧର୍ମ ବନସ୍ତେ ।୧୪୬।

ବତିଶ ସାଗର ଯେ ତାହାର ସଇନି

ଗଙ୍ଗାକୁଳକୁ ଆସୁଅଛି ଘାସ ବିରି ଘେନି ।୧୪୭।

କଇବ୍ରତ ରାଜାୟେ ଜୟେନଗ୍ର ମନୁନାଥ ଦଣ୍ଡଧାରୀ

ନାବରେ ପୂରୋଇ ଆଣୁଛନ୍ତି ପାରିକରି ।୧୪୮।

ଆଗ୍ୟାଂ ପାଇଣ ଗଲେ ସେ ଧୃତିରାଷ୍ଟ ଆତ୍ମଜେ

ଆବୋରିଲେ ଅଧିକାର ଯେହ୍ନେ ଆଗ୍ୟାଂଦିଲେ ଦେବରାଜେ ।୧୪୯।

ମଳ ଘର ଅଧିକାରୀ ସମସ୍ତ ନିଯୋଗୀ

ଗହଳ ଧନ୍ଦୋଳ ହୋଇ ଧାମନ୍ତି ବେଗି ବେଗି ।୧୫୦।

ଲକ୍ଷେ ରାଜାର ଯେତେ ଗଜ ଅଶ୍ୱମାନ

ନିଯୋଗ ମୂଳେ ତାହା ବାଣ୍ଟିଦିଲା ଦୁର୍ଦଷ ଦ୍ରିଯୋଧନର
ଭାଇ ସାନ ।୧୫୧।

ଘାସ ବିରି ନିଯୋଗେ ଶକୁନି ପରିଚ୍ଛା

ଗଜ ଅଶ୍ୱନ୍ତ ବାଣ୍ଟି ଦିଅଇ ଗାନ୍ଧାରସେନ ବଚ୍ଛା ।୧୫୨।

ସମ୍ବାଳିଲେ ମହାନିଯୋଗ ଯେ ଆଗ୍ୟାଂ ଅବଧାନେ

ଖଟନ୍ତି ବେପାରେ ଦ୍ରିଯୋଧନର ଭ୍ରାଥମାନେ ।୧୫୩।

ଯୁଝେଷ୍ଠି ଦେବଂକ ଛାମୁରେ ବଦନ୍ତି ନାରାୟଣ

ସ୍ୱାମୀ ଧୁଶାସନକୁ ଶାଢ଼ୀ ଦେବା ରାତ୍ରବୁଲା ମାଝିପଣ ।୧୫୪।

ଦଇତ ଦାନବ ପିଶାଚ ହୋଇଛନ୍ତି ସର୍ବମେଳ

ରାତ୍ରକାଳେ କରନ୍ତି ନ ପୁଣ ଖଳବଳ ।୧୫୫।

ଦୁଷ୍ଟ କୁମାର ଧୁଶାସନ ବଡାଇ ଉପେକ୍ଷା

ତାହାର ବେଳେ ସ୍ୱାମୀ ନିଶି ହୋଇବ ରକ୍ଷା ।୧୫୬।

ଗୋବିନ୍ଦ ବୋଇଲେ ହୋ ଶୁଣ କାଳିଞ୍ଜନ

ଛାମୁକୁ ହକାରି ବେଗେ ଆଣ ଧୁଶାସନ ।୧୫୭।

କାଳିଞ୍ଜନ ପଢିଆରୀକୁ ଧୁଶାସନ ଆଣିଲା ହକାରି

ଶ୍ରୀହସ୍ତେ ଯୁଝେଷ୍ଠିଦେବ ତାକୁ ଦିଲେ ଶାଢୀ ।୧୫୮।

ବାବୁ ଲକ୍ଷେ ରାଜାଂକର ଅସଂକ୍ଷ ସନ୍ୟବଳ

ଉଚଳ ଚଞ୍ଚଳ ଯେ ଶୁଭଇ ମହାଗୋଳ ।୧୫୯।

ଅଛନ୍ତି ଦୁଷ୍ଟ ରାଜାୟେ ମହା ମହୀ ବିବାଦୀ

ୟେ ତୋହୋର ଦର୍ପେ ସମସ୍ତେ ହୋଇବେ କି ସାଧି ।୧୬୦।

ତିରିଶିଲକ୍ଷ ଯୋଦ୍ଧା ଥିବେ ତୋହୋର ତୁଲେ

ସେଠାରେ ଶିର ଚ୍ଛେଦିବୁ ତୋହୋର ଆଗ୍ୟାଂ ଅପଗ୍ୟାଂ କଲେ ।୧୬୧।

ତାଡ଼ ତୋଡ଼ର ଗୁମ୍ଫା ସରଳ ବାହୁଟି ଜଗଦଳା

ଶିରେ ମଣି ମୁକୁଟ ସୀମଛିନୀ କର୍ଣ୍ଣକୁ କର୍ଣ୍ଣାଞ୍ଚଳ ରତ୍ନମାଳା ।୧୬୨।

ଧୁଶାସନ କୁମାର ମଥାରେ ବାନ୍ଧି ଶାଢୀ

ପ୍ରର୍ଶୁରାମ ତେଜ ପ୍ରାୟେ ନିଶାରେ ଅଧିକାରୀ ।୧୬୩।

ଯୁଝେଷ୍ଠି ପଚାରିଲେ ଶୁଣିମା ଜନାର୍ଦ୍ଦନ

ଏ ସଭା ନିବୃତ୍ତି କରିବାକୁ କେ ହୋଇବ ଭାର୍ଜନ ।୧୬୪।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣ ଧର୍ମସୁତ

ଭୀମସେନକୁ ଆଗ୍ୟାଂଦିଲେ ସେ ସଭା କରିବ ନିବ୍ରତ୍ତ ।୧୬୫।

ଯୁଝେଷ୍ଠି ବୋଇଲେ ତୁ ସକଳ ଅଧିକାରୀ

ରାଜାମାନଂକୁ ରାଗ ତୋହୋର ମୁଂ ଦେବହରି ।୧୬୬।

ପ୍ରକୃତି ମୂର୍ଖ ଯେ ଅଟଇ ମନ୍ଦପ୍ରାଣୀ

ସେ କେମନ୍ତେ ସଭା ନିବର୍ତ୍ତ କରିବ ବିଚାର ଚକ୍ରପାଣି ।୧୬୭।

କିଞ୍ଚିତ ଦୋଷକୁ ନ ପୁଣ ବହୁତ କୋପ କରଇ

ସେ କେମନ୍ତେ କରି ଦେବ ସଭା ବିଚାରଇ ।୧୬୮।

ହକାରି ଆଣ ବୋଇଲେ ମାରଇ ତତକ୍ଷଣେ

ତାହାର ସଭା ବିଚାରିଲେ କି ବ୍ରତନ୍ତି ରାଜାଗଣମାନେ ।୧୬୯।

ଅମାର୍ଗ ଜନକୁ ସଭା ସମର୍ପିବା କେସନେ

ଅନୁବ୍ରତେ ଦୁଷ୍ଟବୁଦ୍ଧି ଯାହାର ପ୍ରସରଇ ମନେ ।୧୭୦।

ଶ୍ରୀଜଗନ୍ନାଥେ ବୋଇଲେ ଯେହୁ ଦୁସହ ମହାସଭା

ଆନରେ ନିବ୍ରତ୍ତି ନୁହଇ ପରିମାଣି ବୁଝିବା ।୧୭୧।

ଭୟେଣ ତ୍ରାସ ଦେବ ଯାହାକଇଂ କରନ୍ତି ଜନେ

ତାହାରେ ସେ ନିବର୍ତ୍ତ ହୁଅନ୍ତି ବହୁତ ଗହନେ ।୧୭୨।

ସ୍ୱାମୀ ଡଗରା ଭୟେ ଶଂକା ତ୍ରାସ ଚାରିପ୍ରତି

ଭାବିଲେ ଭଜିଲେ ସେ ସଭା ହୋଅଇ ନିବ୍ରତ୍ତି ।୧୭୩।

ନାରାୟେଣଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ପରମ ସାନନ୍ଦ ହୋଇଲେ ଯୁଝେଷ୍ଠି ନୃପମଣି ।୧୭୪।

ଶ୍ରୀହରି ଆଗ୍ୟାଂଦିଲେ କାଳିଞ୍ଜନକୁ ରାଇ

ଭୀମସେନକୁ ବେଗେ ଘେନିଆସ ଯାଇଂ ।୧୭୫।

ଆଗ୍ୟାଂ ପ୍ରମାଣେ ଯେ ଗଲାକ କାଳିଞ୍ଜନ

ଛାମୁରେ ଦ୍ରଶନ ନେଇ କରାଇଲା ଭୀମସେନ ।୧୭୬।

ଶ୍ରୀହସ୍ତେ ଶାଢ଼ୀ ଦିଲେ ଧର୍ମ ଯେ ନୃପତି

ସଭା ନିବର୍ତ୍ତ ବାବୁ କରିବୁ ମାରୁତି ।୧୭୭।

ଯେ ଯାହାର ଅନରୂପେ ସମାର୍ଜନ କରିବୁ

ତ୍ରାସକରି କହିବୁଟି ପ୍ରାଣେ ନ ମାରିବୁ ।୧୭୮।

ମଥାରେ ଶାଢ଼ୀ ବାନ୍ଧି ପବନର ବାଳ

ଯୁଝେଷ୍ଠିଂକ ସନ୍ନିଧ୍ୟରୁ ଆସଇ ତତକାଳ ।୧୭୯।

ଯୁଝେଷ୍ଠିଂକି ପୁଚ୍ଛକଲେ ହେବ ହୃଷୀକେଶି

ସ୍ୱାମୀ ରାଜାମାନେ ଦ୍ରଶନ କରିବେଟି କି ଆସି ।୧୮୦।

ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ଯଦୁନାହା

ମୁଂ କିସ କହିବି ହରି ନ ଜାଣୁ ଅବା କାହା ।୧୮୧।

ଆସନ୍ତୁ ରାଜାମାନେ ଶୁଣିମା ଦେବହରି

କରାଅ ଦ୍ରଶନ ବୋଲି ଆଗ୍ୟାଂ ଅବଧାରୀ ।୧୮୨।

 

ଯୁଧିଷ୍ଠିରଙ୍କୁ ରାଜସୂୟ ଯଜ୍ଞରେ ରାଜାମାନଙ୍କର ଦର୍ଶନ, ଜମାଗୋଷ୍ଠ
ରାଜାର ମୁକ୍ତି, ବିରାଟ ରାଜା ନ ଆସିବାରୁ ଶ୍ରୀକୃଷ୍ଣଙ୍କ କୋପ
ଏବଂ ଅନ୍ଧ ନୃପତିଙ୍କୁ ଚକ୍ଷୁଦାନ

ସହଦେବଂକୁ ଆଗ୍ୟାଂ ହୋଇଲାକ କାଳିଞ୍ଜନ ପଢିହାରୀ ଆଗେ

ଯାଇଂଣ ବୋଲ ସହଦେବକୁ ରାଜାନ୍ତ ଘେନି ଦ୍ରଶନ କରୁ ବେଗେ ।୧।

ଆଗ୍ୟାଂ ପ୍ରମାଣେ ସେ ଚଳିଲେ ଚାରଗଣ

ବାରତା କହନ୍ତି ଯାଇଂ ସହଦେବ ଅଗ୍ରତେଣ ।୨।

ପୂର୍ବଦ୍ୱାର ବାଟେ ଯେ ବିଜୟୀ ମନ୍ତ୍ରୀ ଚୂଡ଼ାମଣି

ରାଜାମାନଂକୁ ଆଗ୍ୟାଂ ହୋଇଲା ଆସ ୟେହିକ୍ଷଣି ।୩।

ଯେ ଯେତେ ଆଣିଛନ୍ତି ଦେଖା ଦରଶନି ଧନ ଘେନି

ଛାମୁକୁ ଆସ ବହନ ସମ୍ଭର ସନ୍ୟ ଘେନି ।୪।

ୟେସନେକ ବାରତା କହନ୍ତେ ଚାରଗଣେ

ଆପଣେ ବିଜୟ ସ୍ୱାମୀ କଲେକ ଜନାର୍ଦ୍ଦନେ ।୫।

ଦେଖିଲେ ସହଦେବ ରଥେ ବନ୍ଧନ ବେଲାଳ

ରଥର ସନ୍ନିଧ୍ୟେ ବିଜେ କଲେକ ନନ୍ଦବାଳ ।୬।

କେଶବଂକୁ ଦେଖି ରଥରୁ ଡେଇଂ ପଡ଼ିଲା ସହଦେବ

ଗୋବିନ୍ଦଂକର ପାଦେ ଲୋଟି କହଇ ସଦିଭାବ ।୭।

ବଦୟନ୍ତି ଜଗନ୍ନାଥେ ଶୁଣିମା ମନ୍ତ୍ରୀବର

କେବଣ ଦେଶ ରାଜା ୟେ ବନ୍ଧନ ରଥର ।୮।

କରପତ୍ର ଯୋଡି କହଇ ମାଦ୍ରୀର ଦୁଲାଳ

ସ୍ୱାମୀ ବେଲାଳ ଦେଶରେ ସେ ଯେ ନୃପତି ବେଲାଳ ।୯।

ୟେହାର ଦେଶରେ ମୁଂ ପଶିଲି ନିମନ୍ତ୍ରଣେ

ମୋହୋର ତୁଲେ ୟେ କଲାକ ମହାରଣେ ।୧୦।

ଅନେକ କୋପ ୟେ କରାଇଲା ଦେବ ମୋତେ

ବଳେ ଧରି ବନ୍ଧନ କଲି ମୋହୋର ରଥେ ।୧୧।

ଅନେକ ଗୋକୁଳ ଦେବ ଅଛଇ ୟେହାର

ପୂର୍ବେ ଯେ ୟେହାକୁ ଗଉତମ ଦିଲେ ବର ।୧୨।

ଗୋକୁଳ ଆଣିବାକୁ ଦେବ ବୁଦ୍ଧି କଲି ମୁହିଂ

ଅନେକ ସନ୍ୟ ମୋହୋର ମାଇଲେ ଦୁଷ୍ଟ ଗାଈ ।୧୩।

ଗୋକୁଳ ଛାଡ଼ିଲି ଦେବ ଡରିଣ ପ୍ରମାଦକୁ

ବେଲାଳସେନକୁ ବନ୍ଧନ କରି ଆଣିଛି ସଭାକୁ ।୧୪।

ବିଚାରିଣ ଦେବ କରିବା ଅନୁରାଗ

କୋପଚିତ୍ତେ ଆଗ୍ୟାଂଦିଲେ ମାରିବି ଦେବ ବେଗ ।୧୫।

ଶୁଣିଣ ପରମ ସାନନ୍ଦେ ବୋଇଲେ ଜଗନ୍ନାଥ

ୟେହାକୁ ସହଦେବ ତୁ ନ କର କେପ ଚିତ୍ତ ।୧୬।

ଗଉତମ ଋଷିର ଯେବେ ୟେ ଅଟଇ ସଞ୍ଚିଲା

ଆମ୍ଭର କୋପକଲେ ତାହାର କିସ ଗଲା ।୧୭।

ବେଗେ ବନ୍ଧନ ବାବୁରେ ଫେଡସି ୟେହାର

ମୁନି ଜାଣିଲେ ଚିତ୍ତ କରିବେ ଅନ୍ତର ।୧୮।

ଆହୁତି ହବିର୍ଭାଗ ନ ଦେବେ ତୋଷଚିତ୍ତେ

ଯଦି ଜାଣିବେ ବାବୁ ଗଉତମ ତପୋବନ୍ତେ ।୧୯।

ପିତାର ବ୍ରହ୍ମହତ୍ୟା ଯିବ ଅନୁସରି

ଜାଣିଲେ କୋପ ପୁଣ କରଇ ବ୍ରହ୍ମଚାରୀ ।୨୦।

ଭୟ ଲଗାଇ ଯହୁଂ କହିଲେ ଜଗନ୍ନାଥ

ବେଲାଳସେନର ବନ୍ଧନ ସହଦେବ କଲାକ ମୁକତ ।୨୧।

ବନ୍ଧନୁ ମୁକତ ହୋଇ ବିରାଜସେନ ଆତ୍ମଜା

ଶ୍ରୀଜଗନ୍ନାଥଂକ ପାଦ ପଂକଜେ କଲାକ ଦିବ୍ୟପୂଜା ।୨୨।

ଜୟତୁ ପଦ୍ମନାଭ ଦୁଖୀ ଲୋକର ଚିନ୍ତାମଣି

ଜୟତୁ ପଦ୍ମନାଭ ଶଙ୍ଖଚକ୍ର ପାଣି ।୨୩।

ଜୟତୁ ପଦ୍ମନାଭ ପ୍ରସନ୍ନେ ଫେଡ଼ିପାରୁ କଷ୍ଟ

ଜୟତୁ ପଦ୍ମନାଭ ପ୍ରାପତ ବଇକୁଣ୍ଠ ।୨୪।

ଜୟତୁ ପଦ୍ମନାଭ ସୟଳ ଦୁରିତ ନିବାରି

ଜୟତୁ ପଦ୍ମନାଭ ଦୁଖରୁ କରୁ ପାରି ।୨୫।

ଜୟତୁ ପଦ୍ମନାଭ ଘଟଣ ପୁଣ୍ୟରାଶି

ଜୟତୁ ପଦ୍ମନାଭ ଅସୁର ବଳ ନାଶି ।୨୬।

ଜୟତୁ ପଦ୍ମନାଭ ପରଦୁଖେ ଦୁଖୀ

ଜୟତୁ ପଦ୍ମନାଭ ଚଉଦଭୁବନ ଦେଖି ।୨୭।

ଜୟତୁ ପଦ୍ମନାଭ ଅନନ୍ତ ଶଯ୍ୟା ହରି

ଜୟତୁ ପଦ୍ମନାଭ ପରରେ ଦୁଖକାରୀ ।୨୮।

ଜୟତୁ ପଦ୍ମନାଭ ଶୟନ ପନ୍ନଗ ଶେଯ୍ୟା

ଜୟତୁ ପଦ୍ମନାଭ ପଦ୍ମିନୀ ଯାହାର ଭାରିଯା ।୨୯।

ଜୟତୁ ପଦ୍ମନାଭ କାଲିନ୍ଦୀର ପ୍ରାଣବନ୍ଧୁ

ଶୂଦ୍ରମୁନି ସାରୋଳା ଦାସେ ଭାବିଲେ ପୂର୍ଣ୍ଣଇନ୍ଦୁ ।୩୦।

ଅନେକ ସ୍ତୁତି ଯହୁଂ କଲେକ ବେଲାଳ

ଶୁଣିଣ ତୋଷ ହୋଇଲେ ଦେବକୀର ବାଳ ।୩୧।

ଶରୀର ଆଶ୍ୱାସନା କରନ୍ତି ଶ୍ରୀରଙ୍ଗ

ବାବୁ ୟେ କଥା ନ କହିବୁ ଗଉତମଂକର ଆଗ ।୩୨।

ୟେତେ ବୋଲିଣ ସେ ଦେବ ଚକ୍ରପାଣି

ସହଦେବକୁ ବୋଲନ୍ତି ଅମୃତ ମୃଦୁବାଣୀ ।୩୩।

ପୂର୍ବ ଦିଗରୁ ଆଣିଲୁ ରାଜା ସାତ ସହସ୍ର ୟେକ ଉଣା

ଶୀଘ୍ରେ ଘେନି ଦ୍ରଶନ କର ମାଦ୍ରୀର ଦୁଲଣା ।୩୪।

ସହଦେବ ଆଗ୍ୟାଂଦିଲେ ରାଜାଗଣମାନଂକୁ

ଆସ ଦ୍ରଶନ କରାଇବା ଯୁଝେଷ୍ଠି ଦେବଂକୁ ।୩୫।

ଶୁଣିଣ ସାନନ୍ଦ ଯେ ନୃପତି ସକଳ

ବାଜଇ ଟମକ ନିଶାଣ କାଳାହଳ ।୩୬।

ବାଜନ୍ତି ବୀରତୂର ମଙ୍ଗଳ ଧୁନି ବାଣୀ

ତ୍ରଇଲୋକ୍ୟ ଉଷତ ହୋଇଲା ଶଙ୍ଖ ଶବଦ ଶୁଣି ।୩୭।

ଦଧିବାବନ ସୁମରି ଶୁଭ ଅନୁକୂଳ ବେଳେ

ଆସନ୍ତି ରାଜାମାନେ ମାହୀନ୍ଦ୍ର ଯୋଗବେଳେ ।୩୮।

ପୂର୍ବଦ୍ୱାରେ ଦ୍ୱାରପାଳ କୁମାର ପ୍ରଦ୍ୟୁମ୍ନ

ତାହାଂକୁ ପୁଚ୍ଛା କରନ୍ତି ସ୍ୱାମୀ ଜଗତ ମୋହନ ।୩୯।

ବାବୁ ବହନ ଦ୍ୱାର ଛାଡ଼ ୟେ ରାଜାମାନେ ଭିତରକୁ ଯିବେ

ସଭାର ମଧ୍ୟେ ଯୁଝେଷ୍ଠି ଠାକୁରଂକୁ ଦ୍ରଶନ କରିବେ ।୪୦।

ମଙ୍ଗଳ ଶୁଭ ଅବଧାରୀ ଋକ୍ମିଣୀର ବାଳେ

ଅମୃତ ଯୋଗେ ପଶିଲେ ସର୍ବ ମହୀପାଳେ ।୪୧।

ଆସ୍ତାନେ ବିଜେ କରିଅଛନ୍ତି ଦେବ ଧର୍ମେ

ରାଜାମାନଂକୁ ଦ୍ରଶନ କରାବନ୍ତି ପୁରୁଷଂକ ଉତ୍ତମେ ।୪୨।

ସକଳ ରାଜାମାନେ ଛାମୁରେ ପରିଣାମି

ଶ୍ରୀଜଗନ୍ନାଥେ ବୋଇଲେ ହୋ ପୂର୍ବଦିଗର

ରାଜାମାନେ ଦ୍ରଶନ କରନ୍ତି ଦେବସ୍ୱାମୀ ।୪୩।

ଜିତ ମହାପ୍ରସାଦ ବୋଲି ଆଗ୍ୟାଂ ଅବଧାରୀ

ଆସ୍ତାନେ ବସନ୍ତି ଯାଇଂ ସମସ୍ତ ଦଣ୍ଡଧାରୀ ।୪୪।

ସମସ୍ତ ରାଜାମାନେ କରନ୍ତି ଅନେକ ସ୍ତୁତି

ନିରାକାର ପୁରୁଷ ପ୍ରାୟେ ଦେଖି ବୁଝିଲେ ଯୁଝେଷ୍ଠିଂକର ମୃତ୍ତି ।୪୫।

ପରମାନନ୍ଦ ନାଥ ସମସ୍ତଂକ ଭୂଅପତି

ଖଣ୍ଡିଲୁ ସକଳ ପାତକ ଦେବ ମେଣ୍ଟିଲୁ ଦୁର୍ଗତି ।୪୬।

ଛାୟା ମଣ୍ଡୋପ ପୂର୍ବାଦି ଭାଗର ଆସ୍ତାନେ

ସମାର୍ଜି ସମସ୍ତ ରାଜାମାନଂକୁ ବସାଇଲେ ଜନାର୍ଦ୍ଦନେ ।୪୭।

ୟେଥୁ ଅନନ୍ତରେ କୁମାର ନକୁଳ

ଦକ୍ଷିଣ ଦ୍ୱାରେ ଉଭାରିଲା ତାହାର ସନ୍ୟବଳ ।୪୮।

ଛାମୁରେ ଜଣାଇଲେ ଦେବ ଜଗନ୍ନାଥେ

ସ୍ୱାମୀ ନକୁଳ ଦ୍ରଶନ କରିବ ଦକ୍ଷିଣ ପ୍ରଶସ୍ତେ ।୪୯।

ଆସୁ ବୋଲି ଆଗ୍ୟାଂ ହୋଇଲା ଛାମୁରେ ଜଣାଇ

ଆପଣେ ବାସୁଦେବ ଗଲେ ବେଗ ବେଗ ହୋଇ ।୫୦।

ନାରାୟଣଂକଇଂ ଦେଖି ସମସ୍ତ ମହୀପତି

ଶ୍ରୀ ଜଗନ୍ନାଥଂକ ଚରଣେ ପ୍ରଣପତ୍ୟେ ତତକ୍ଷଣାନ୍ତି ।୫୧।

ଅନେକ ଭଗତେ ବିନୟେ ସର୍ବରାୟେ

ନାରାୟଣେ ଦ୍ରଶନ କଲେ ଦୁଷୁକୃତ କ୍ଷୟେ ।୫୨।

ସ୍ୱାମୀ ଯେବଣଂକୁ ଶ୍ରବଣେ ଥିଲୁ ଶୁଣି

ଚର୍ମ ନୟନେ ଦେଖିଲୁ ଦେବ ଚକ୍ରପାଣି ।୫୩।

ରାଜାଗଣଂକୁ ବଦୟନ୍ତି ଶ୍ରୀ ବାସୁଦେବ

କୋଟିୟେ ଜନ୍ମ ଦୁଖ ମୁକତ ହୋଇବ ଯୁଝେଷ୍ଠିଂକି ଦେଖିବ ।୫୪।

ମୁହିଂ ଭୁତ୍ୟପଣେ ଖଟଇ ଯାହାର ଚରଣେ

ଶୁଣିଣ ଆଶ୍ରିଜ ହୋଇଲେ ସମସ୍ତ ରାଜାଗଣମାନେ ।୫୫।

ସାଧୁ ଯୁଝେଷ୍ଠି ଯେ ଦେବ ମହିମାଂ ତୁମରି ଧନ

କେବଣ ମହାତ୍ମା ଅବା ଗୁପତେ ଅଛି ଜନ୍ମ ଘେନି ।୫୬।

ଦ୍ରଶନେ ଖଣ୍ଡିବା ସମସ୍ତ ମହାପାପ

ନାରାୟଣ ତ୍ରାସ କରଇ ଯାହାର ପରିତାପ ।୫୭।

ଗଦ କୁମାରକଇଂ ସ୍ୱାମୀ ଆଗ୍ୟାଂ ଅବଧାରୀ

ବାବୁ ଦ୍ୱାର ଛାଡ ରାଜାୟେ ଠାକୁରଂକପ ଦ୍ରଶନ କରି ।୫୮।

ନାରାୟଣଂକ ବଚନେ କୁମାର ଛାଡିଲାକ ଦ୍ୱାର

ତିନିସହସ୍ର ରାଜା ଘେନି ଭିତରେ ପଶିଲା ମକୁଳ କୁମାର ।୫୯।

ଦେଖା ଦରଶନି ଯେ ଯେତେ ଦ୍ରବ୍ୟମାନ

ଆସ୍ତାନ ତଳେ ବିଜେ ଦକ୍ଷିଣ କୋଶଳ ରାଜାଗଣ ।୬୦।

ସମସ୍ତ ରାଜାୟେ ଯେ କଲେ ନିଉଛାଳି

କରପତ୍ର ଯୋଡ଼ି ଛାମୁରେ ଜଣାନ୍ତି ବନମାଳୀ ।୬୧।

ସ୍ୱାମୀ ଦକ୍ଷିଣ କୋଶଳର ୟେ ତିନିସହସ୍ର ନୃପତି

ନକୁଳକୁମାର ଯେ ଆଣିଲା ନିମନ୍ତ୍ରି ।୬୨।

ଦେଖିଣ ସାନନ୍ଦ ଯେ ଯୁଝେଷ୍ଠି ରାଜଦେବ

ଆଗ୍ୟାଂ ହୋଇଲା ରାଜାୟେ ବସନ୍ତୁ ଯେ ଯାହାର ଠାବେ ।୬୩।

ସମସ୍ତ ରାଜାମାନନ୍ତ ଘେନିଣ ଦେବହରି

ଯେ ଯାହାର ଆସ୍ତାନେ ବସାଇଲେ ଗଉରୋବ କରି ।୬୪।

କାଳିଞ୍ଜନ ପଢିହାରୀ କାଳଧ୍ୱଂସନ ଡଗର

ଦରଶନି ଧନ ଦେଇ ସମର୍ପିଲେ ଦ୍ରିଯୋଧନର ଛାମୁର ।୬୫।

ପୂର୍ବଦିଗ ଦକ୍ଷିଣ ଦିଗର ଦରଶନି ଯେତେ ଧନମାନ

ଯତନେ ସମ୍ଭାଳି ଥୁଅ ହେ କୁରୁରାଣ ।୬୬।

ୟେଥୁ ଅନନ୍ତରେ ଶୁଣ ହୋ ମହାରାଜା

ପଛିମ ଦିଗ ରାଜାନ୍ତ ଘେନି ବିଜେ ପବନ ଆତ୍ମଜା ।୬୭।

ଶାମ୍ବକୁମାରକୁ ସେ ବୋଇଲେ ଭୀମସେନ

ବାବୁ ଦ୍ୱାର ଛାଡ଼ି ଠାକୁରଂକୁ ମୁଂ ଦ୍ରଶନ କରିବି ବହନ ।୬୮।

ଶାମ୍ବକୁମାର ବୋଇଲା ହୋ ଠାକୁରଂକ ବିନା ଆଗ୍ୟାଂ

ମୋହୋର ବେଳେ କାହିଂ କରିପାରିବି ତା ଅବଗ୍ୟାଂ ।୬୯।

ଆଗ୍ୟାଂ ହୋଇଲେ ସେ ତୋତେ ଛାଡ଼ି ପାରଇ ଦ୍ୱାର

ଶୁଣିଣ ଥମ୍ଭୀଭୂତ ହୋଇ ବସିଲା ବ୍ରିକୋଦର ।୭୦।

ଉତ୍ତରଦିଗ ରାଜାମାନନ୍ତ ଘେନିଣ ଅର୍ଜୁନ

ଉତ୍ତର ଦ୍ୱାରେ ଉଭା ସେ ବାସବର ନନ୍ଦନ ।୭୧।

ଯୁଝେଷ୍ଠିଂକ ଛାମୁରେ ଯାଇଂ ଜଣାଇଲେ ଦେବହରି

ସ୍ୱାମୀ ଉତ୍ତର ଦିଗ ରାଜାମାନନ୍ତ ଘେନିକରି ।୭୨।

ଆସିଛନ୍ତି ବିଜେକରି ବୀର ଫାଲଗୁନି

ଶ୍ରୀ ଜଗନ୍ନାଥଂକ ଚରଣେ କରଇ ଦଇନି ।୭୩।

ଦେଖିଲେ ଯମାଗୋଷ୍ଠ ବନ୍ଧା ହୋଇଅଛି ରଥେ

ଅର୍ଜୁନକୁ କୋଳାଗ୍ରତ କଲେକ ଜଗନ୍ନାଥେ ।୭୪।

ଅର୍ଜୁନ ବଦନ ଚାହିଂ ବଦୟନ୍ତି ଶ୍ରୀବତ୍ସି

କେବଣ ଦେଶ ନୃପତି ୟେ ବନ୍ଧନ ହୋଇଅଛି ।୭୫।

ଯୁଝେଷ୍ଠି ବୋଇଲେ ଦେବ ପଚାର କାହାକୁ

ରାଜାନ୍ତ ଘେନି ଅର୍ଜୁନ ଆସୁ ଭିତରକୁ ।୭୬।

ଶୁଣିଣ ସାନନ୍ଦ ଦେବ ଜଗତମୋହନ

ଉତ୍ତର ଦ୍ୱାରେ ପ୍ରବେଶ ହୋଇଲେ ତତକ୍ଷଣ ।୭୭।

ରଥରୁ ଓହ୍ଲାଇଣ ବୀର ଫାଲଗୁନି

ଶ୍ରୀ ଜଗନ୍ନାଥଂକ ପାଦତଳେ କରଇ ଦଇନି ।୭୮।

ଦେଖିଲେ ଯମାଗୋଷ୍ଠ ବନ୍ଧନ ହୋଇଅଛି ରଥେ

ଅର୍ଜୁନ କୋଳାଗ୍ରତ କଲେ ଦେବ ଜଗନ୍ନାଥେ ।୭୯।

ଅର୍ଜୁନ ବଦନ ଚାହିଂ ବଦନ୍ତି ଶ୍ରୀବତ୍ସି

କେବଣ ଦେଶରେ ନୃପତି ୟେ ବନ୍ଧନ ହୋଇଅଛି ।୮୦।

କରପତ୍ର ଯୋଡ଼ି କହେ ପାଣ୍ଡବ କୁଳଶ୍ରେଷ୍ଠ

ସ୍ୱାମୀ ଉତ୍ତର କୋଶଳ ରାଜା ୟେ ନାମ ଯମାଗୋଷ୍ଠ ।୮୧।

ତ୍ରଇଲୋକ୍ୟ ଅସଂଖ୍ୟ ଦେବ ଯାହାର ମହିମାଂ ପରଚଣ୍ଡ

ନାମ ଲିହି ପୋଛିଲେ ଜନ୍ତୁ ହ୍ୱନ୍ତି ବେନିଖଣ୍ଡ ।୮୨।

ମୋହୋର ସନ୍ୟବଳ ୟେ ସମସ୍ତ ନାଶକଲା

ବିଚାର କରିବା ସ୍ୱାମୀ ୟେ ଦୋଷ କାହାର ହୋଇଲା ।୮୩।

ଶ୍ରୀ ଜଗନ୍ନାଥେ ପୁଣି ପଚାରନ୍ତି ବାଣୀ

ବାବୁ ଯମାଗୋଷ୍ଠ ବନ୍ଧନ ଫେଡ ୟେହିକ୍ଷଣି ।୮୪।

ସଭା ନିବାଡିବାକୁ ପରିଛା ହୋଇଛନ୍ତି ଭୀମସେନ

ୟେ କଥା ଶୁଣିଲେ ଯମାଗୋଷ୍ଠ ନ ପାଇ ଜୀବନ ।୮୫।

ଦଶଦୋଷ ଅପ୍ରାଧ କର ୟେହାର କ୍ଷମା

ଅଗ୍ୟାନ ଦୋଷ ୟେହାର କେସନେକେ ଘେନିମା ।୮୬।

ୟେସନେକେ ନାରାୟଣ ପାଥକଇଂ ବଚନେ ବୁଝାଇ

ଯମାଗୋଷ୍ଠକୁ ଦିଲେ ବନ୍ଧନୁ ମୁକୁଳାଇ ।୮୭।

ନ ଜାଣୁ କି ଅର୍ଜୁନ ଭୀମସେନର କକ୍ଷା

ମୋହୋର ବେଳେ ତାହା କରି ନୋହେ ରକ୍ଷା ।୮୮।

ବୀରବର ସୋହଡ଼ ସେ କଇଚ୍ଛା ଜଗଜ୍ଜେଠୀ

ୟେକା ଚାପୋଡେକେ ଛିଣ୍ଡାଇବ ସେ ଯମଗୋଷ୍ଠର ମୁଣ୍ଡଗୋଟି ।୮୯।

ଅନେକ ତିଆରି ଦେବ ଅର୍ଜୁନକୁ ବୁଝାଇ

ଯମଗୋଷ୍ଠକୁ ହରି ଦିଲେ ବନ୍ଦୀ ମୁକୁଳାଇଂ ।୯୦।

ନାରାୟଣଂକ ମୁଖୁ ୟେସନେକ ବାକ୍ୟ ଶୁଣି

ରାଜାୟେ ତ୍ରାସିଲେ ଶ୍ରିକାଳ ଯୂଥ ଜାଣି ।୯୧।

ଆଗେଣ ବାସୁଦେବ ପଛେଣ ଫାଲଗୁନି

ମଧ୍ୟେ ୟେକଉଣା ଚାଳିଶ ସହସ୍ର ରାଜା ଘେନି ।୯୨।

ଉତ୍ତରଦ୍ୱାରେ ଦ୍ୱାରପାଳ ସତ୍ୟଭାମାଂକର ବାଳ

ଦେଖି ପାଦାର୍ଘ ଦିଲେ ସମସ୍ତ ମହୀପାଳ ।୯୩।

ଶ୍ରୀ ନାରାୟଣ ବୋଇଲେ ଦ୍ୱାର ଛାଡରେ ବାବୁ

ରାଜାନ୍ତ ଘେନି ଆମ୍ଭେ ଠାକୁରଂକୁ ଦ୍ରଶନ କରାଇବୁ ।୯୪।

ସତ୍ୟଭାମାର ନନ୍ଦନ କୁମାର ସତ୍ୟସେନ

ଛାଡିଲାକ ଦ୍ୱାର ଯେ ବେଗେ ପଶିଲେ ଜନାର୍ଦ୍ଦନ ।୯୫।

ଦେଖା ଦରଶନି ଧନ ରଥରେ ଅଛି ପୂରି

ରାଜାନ୍ତ ନେଇ ଦ୍ରଶନ କରାଇଲେ ଦେବହରି ।୯୬।

ସ୍ୱାମୀ ଉତ୍ତର ଦିଗ ରାଜାମାନେ କରନ୍ତି ଦ୍ରଶନ

କ୍ଷଣେକ ଯେଥକଇଂ ଦେବ ହୋଇବା ସାବଧାନ ।୯୭।

ଚାଳିଶସହସ୍ର ରାଜା ଚରଣେ ପରିଣାମି

କରପତ୍ର ଯୋଡି ସ୍ୱାମୀ କରନ୍ତି ଦଇନି ।୯୮।

ସ୍ୱାମୀ ଜନ୍ମର ସୁଫଳ ହେବ ଦେଖିଲୁ ଧର୍ମ ଯେ ଯୁଝେଷ୍ଠି

ଜୀବନ ସୁଫଳ ଆମ୍ଭର ରାଜୁସୀ ଯାଗେ ଖଟି ।୯୯।

ଜୀବନ ସୁଫଳ ସ୍ୱାମୀ ଆମ୍ଭେ ଦେଖିଲୁ ଜଗନ୍ନାଥ

ଜନ୍ମର ସୁଫଳ ଆଜ ଦେଖିଲୁ ଋଷିଗଣମାନନ୍ତ ।୧୦୦।

ବହୁତ ବିନୋୟୀ ହୋଇଲେ ରାଜାଗଣମାନେ

ଯୁଝେଷ୍ଠି ଦେବ ବୋଇଲେ ବସ ଯାଅ ଆସ୍ତାନେ ।୧୦୧।

ପରମ ଆନନ୍ଦ ସ୍ୱାମୀ ବଚନ ଶିରେ କରି

ଉତ୍ତର ଦିଗ ଆସ୍ତାନେ ବସାଇଲେ ସମସ୍ତ ଦଣ୍ଡଧାରୀ ।୧୦୨।

ଗୋବିନ୍ଦ ପୁଚ୍ଛାକଲେ ଯୁଝେଷ୍ଠି ଦେବ ସନ୍ନିଧ୍ୟାନେ

ସ୍ୱାମୀ ତିନିଦିଗରୁ ପ୍ରବେଶ ହୋଇଲେ ରାଜାଗଣମାନେ ।୧୦୩।

ବ୍ୟାସଂକର ତୁଲେ ଶ୍ରୀଜଗନ୍ନାଥ ହୋଇଲେ କଥା

ନାରାୟଣ ସଞ୍ଚେପି କହନ୍ତି ସମସ୍ତ ରାଜାମାନଂକ ବାରତା ।୧୦୪।

ଭୋ ଦେବ ବ୍ୟାସ ତିନିଦିଗରୁ ଅଇଲେ ରାଜାଗଣାମନେ

ପଛିମଦିଗ ରାଜାମାନନ୍ତ ଘେନି ରହିଛି ଭୀମସେନ ।୧୦୫।

ବ୍ୟାସେ ବୋଇଲେ ତୁମ୍ଭେ ଶୁଣିମା ଦେବ ଚକ୍ରଧାରୀ

ମାୟାୟେଣ ମାନବ ରୂପ ଧରି ଅଛୁ ଅବତାରି ।୧୦୬।

ସମସ୍ତ କୂତୋହଳ ଦେବ ତୁହି ସେ ପରିମାଣୁ

ସର୍ବଭୁତର ବାରତା ହୃଦଗତେ ସ୍ୱାମୀ ତୁହି ଜାଣୁ ।୧୦୭।

ବ୍ୟାସେ ବୋଇଲେ ଦେବ ସମସ୍ତ ରାଜାନ୍ତ ଦ୍ରଶନ କରାଅ ଆଣି

ୟେକାମାତ୍ର ବିରାଟ ଭିତରେ ନ ପଶିବଟି ଚକ୍ରପାଣି ।୧୦୮।

ଯୁଝେଷ୍ଠିଂକ ବିପତ୍ତି ଅବଶ୍ୟ ହୋଇବଟି ହୃଷୀକେଶ

ଗ୍ୟାନ ନୋହିବ ପାଣ୍ଡବଂକୁ ଗୁପତ ଅଗ୍ୟାଂତ ବନବାସ ।୧୦୯।

ୟେ ମହୀମଣ୍ଡଳେ ପାଣ୍ଡେବଂକ ଆର୍ଦ୍ଦୋଳି ସହିତେ କେହି ନାହିଂ କ୍ଷେମ

ବିରାଟ ରାଜ୍ୟେ ଗୋପ୍ୟାନେ ବଞ୍ଚିବେ ଦେବଧର୍ମ ।୧୧୦।

ଅଗ୍ୟାଂତବାସ ବରଷେ ତେର ଦିବସ ପରିଯନ୍ତେ

ବିରାଟହିଂ ସେ ସମ୍ଭାଳି ପାରିବ ପଞ୍ଚୁଭ୍ରାଥେ ।୧୧୧।

ସ୍ୱାମୀ ଶ୍ୱେତନାମେ ରାଜାୟେ ଥିଲା ସତ୍ୟଯୁଗେ

ଅନେକ ସମ୍ବର୍ବେ ସେ କଲା ମହାଯଗ୍ୟେଂ ।୧୧୨।

ସ୍ୱାମୀ ପୃଥିବୀ ହାଣ୍ଡି ହୋଇଲା ସପ୍ତ ସମୁଦ୍ର ଘୃତ

ବଶିଷ୍ଠେ ଯାଗନିକ ହୋଇଲେ ବ୍ରହ୍ମାଂକର ସୁତ ।୧୧୩।

ଚାରିମେଘ ହୋଇଲେ ସୃବ ଯେ ପ୍ରୋକ୍ଷଣୀ

ୟେମନ୍ତ ଚଉବିଂଶ ବରଷ ପରିଯନ୍ତେ ଘୃତ ବରଷିଲେ ଆଣି ।୧୧୪।

ମୂଷଳଧାରା ପ୍ରମାଣେ ବରଷିଲେ ଦିବାରାତି

ବ୍ରହ୍ମାଣ୍ଡ ଉଛୁଳିଲା ମହା ଆନନ୍ଦ ଜ୍ୟୋତି ।୧୧୫।

ଲୋଭେଣ ଘୃତ ଯେ ଖାଇଲେ ଲୋହିତାକ୍ଷ

ଲୁଦୁବୁଦୁ ମନ୍ଦାଅଗ୍ନି ହୋଇଲେ ପ୍ରତକ୍ଷ ।୧୧୬।

ସତ୍ୟଯୁଗ ସତରଲକ୍ଷ ଅଠାଇଶ ସହସ୍ର ବରଷ ପରିଯନ୍ତେ

ଲୁଦୁବୁଦୁ ବ୍ୟାଧି ହୋଇଲା ଅଗ୍ନିଂକି ୟେତେକାଳ ପରିଯନ୍ତେ ।୧୧୭।

ତ୍ରେତୟା ଯୁଗହିଂ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ଗଲା

ବଶ୍ୟାନରଂକର ମନ୍ଦାଅଗ୍ନି କେବେହେଂ ପାର ନ ଗଲା ।୧୧୮।

ଦ୍ୱାପରେ ଆଠଲକ୍ଷ ବରଷ ହୋଇଲେ ଲୁଦୁବୁଦୁ

ଖାଣ୍ଡବ ବନଦହନକରି ଅର୍ଜୁନ ଅଗ୍ନିଦେବତାର ଖଣ୍ଡିଲା ଆପଦୁଂ ।୧୧୯।

ୟେ ସେ ଶ୍ୱେତରାଜା ୟେବେ ଉପୁଜିଲା ବିରାଟ

ମଘଦେଶ ମତ୍ସଦେଶ ୟେହାର ସମରାଷ୍ଟ ।୧୨୦।

ସତ୍ୟେଣ ତହିଂ ଦିନ ପାର କରିବେଟି ଯୁଝେଷ୍ଠି

ଯେମନ୍ତେ ବିରାଟ ନ ଦେଖଇ ରାଜାର ଶରୀର ଗୋଟି ।୧୨୧।

ତୁ ଦେବୁ ସୟଳ ସଂସାରେ ଭାରାଭର ନିଧି

ଯେଥକୁ ବିଚାରି ନାରାୟେଣ କରିବୁନା ବୁଦ୍ଧି ।୧୨୨।

ସମସ୍ତ ରାଜାନ୍ତ ଘେନି ଭୀମସେନ ଆସୁ

ୟେକାମାତ୍ର ବିରାଟ ଯେ ଭିତରେ ନ ପଶୁ ।୧୨୩।

ୟେସନେକ ବିଚାରି ବ୍ୟାସେ କହିଲେ ଶାସ୍ରଯୋଗେ

ୟେଡେ ବଡ ଦୁଲ୍ଲଭ ବୋଲି ବୋଇଲେ ବାସୁଦେବେ ।୧୨୪।

ଉତ୍ତରଦିଗ ରାଜାନ୍ତ ଆସ୍ତାନେ ବସାଇ

ଭୀମସେନ ସନ୍ନିଧ୍ୟକୁ ଚଳନ୍ତି ଯଦୁସାଇଂ ।୧୨୫।

ଶ୍ରୀହସ୍ତେ ବେତଯୋଡି ପହୁଡି ଦେବଗନ୍ତା

ଅନନ୍ତ ପଢିହାରୀ ଯାଇଂ କହିଲେ ବାରତା ।୧୨୬।

ଧାତିକାରେ ଦେବ ବାହାର ହୋଇଲେ ପଚ୍ଛିମ ଦ୍ୱାରେ

ତତକ୍ଷଣେ ପ୍ରବେଶ ଯାଇଂ ଭୀମସେନର କତିରେ ।୧୨୭।

ଗୋବିନ୍ଦଂକୁ ଦେଖିଣ ଯେ ହସିଲେ ଭୀମସେନ

ଶ୍ରୀଭୁଜେ କୋଳାଗ୍ରତ କଲେ ଦେବ ଜନାର୍ଦ୍ଦନ ।୧୨୮।

ବହୁତ ବିଳମ୍ବ କଲୁ ତୁହି ଭୀମସେନ

ଅଇଲେ ଟିକି ତୋହୋର ସମସ୍ତ ରାଜାଗଣମାନ ।୧୨୯।

ଭୀମସେନ ବୋଇଲା ଦେବ ବଡ ଦୁରୁଗମ ଭୂମି

ୟେକାମାତ୍ର ବିରାଟ ନିହାଇ ଆସଇ ଦେବସ୍ୱାମୀ ।୧୩୦।

ଶୁଣିଣ କୋପକଲେ ସ୍ୱାମୀ ଦେବକୀର ବାଳ

ତୁ ଯେ ବୋଲାଉ ରେ ଭୀମ ପବନ ଦୁଲାଳ ।୧୩୧।

ଯାବତ କାଳେଣ ତୁହି ଅଟୁ ବଡ ଦୁଷ୍ଟ

ୟେଡେ ବଡ ରାଜା ତୋହୋର ନିହାଇ ଆସଇ ବିରାଟ ।୧୩୨।

ଶ୍ରୀକରେ ଚକ୍ର ଘେନି କୋପକଲେ ଯେ ଶ୍ରୀବତ୍ସି

ଭୟେ ଭୀମସେନ ଗଲା ଅପାର ଦୂର ଘୁଞ୍ଚି ।୧୩୩।

ଭୀମସେନ ବୋଇଲା ଦେବ ମୋତେ କୋପ ନ କରିବା ଗୋବିନ୍ଦି

ୟେହିକ୍ଷଣି ଦେବ ବିରାଟକଇଂ ଆଣିମି ମୁହିଂ ବାନ୍ଧି ।୧୩୪।

ଗୋବିନ୍ଦେ ବୋଇଲେ ତୋହୋପାଇଂ ଥୋଇଲା ଅଛି ଶାଢ଼ୀ

ୟେହିକ୍ଷଣି ପଶିବୁ ତୁହି ସଭା ନିବର୍ତ୍ତି କରି ।୧୩୫।

ଯେ ନ ଅଇଲା ସେ ପଛହୋଇ ଆସୁ

ତିନିଊଣା ପଞ୍ଚାଶ ସହସ୍ର ରାଜା ଭିତରେଣ ପଶୁ ।୧୩୬।

ଭୀମସେନ ବୋଇଲା ଦେବ ମୁହିଂ ସହିତ ନୁଆରିଲି

ବଜ୍ରଗିରି ଦେଶେ ମୁଂ କୃତାନ୍ତକ ମାନେ ରାଜାକୁ ମାଇଲି ।୧୩୭।

ୟେମନ୍ତେଣ ତିନି ଊଣା ପଞ୍ଚାଶ ସହସ୍ରେ ରାଜା

ଶୁଣି ବିସ୍ମୟେ ହୋଇଲେ ଦେବକୂର ତନୁଜା ।୧୩୮।

ଆମ୍ଭେ ଅଗ୍ୟାନ ଯୁଝେଷ୍ଠି ଦେବେ ବାଇ

ତୋତେ କିଂପା ରାଜା ନିମନ୍ତ୍ରଣେ ପଠିଆଇ ।୧୩୯।

ୟେତେକଇଂ ଆଣିଲୁ ପଣ୍ଡୁରାଜାର ମହାଭାଗ୍ୟ

ଭୀମସେନ ବୋଇଲା ଦେବ ମୋତେ ନ କରିବା ରାଗ ।୧୪୦।

ଯେବଣ ରାଜାକଇଂ ମୁଂ ପକାଇଲି ହାଣି

ସେ ରାଜାର ସନ୍ୟ ଦେବ ସାତ ଯେ କ୍ଷଉଣୀ ।୧୪୧।

ସ୍ୱାମୀ ଅନେକ ସୁବର୍ଣ୍ଣ ମୁଂ ଯେ ଆଣିଅଛି ରଥେ

ସୁବର୍ଣ୍ଣର ୟେତେ ସଇନି ଗଢ଼ାଇବା ନିମନ୍ତେ ।୧୪୨।

ଭୀମସେନର ବଚନେ ତହିଂ ହସିଲେ ଚକ୍ରପାଣି

ସମସ୍ତ ରାଜାମାନନ୍ତ ଦ୍ୱାରେ ଆସନ୍ତେ ତାଂକୁ ଗଣି ଗଣି ।୧୪୩।

ୟେମନ୍ତେ ତିନିଉଣା ପଞ୍ଚାଶ ସହସ୍ର ରାଜା

ଘେନିଣ ଭିତରକଇଂ ପଶିଲା ସେ ପବନର ଆତ୍ମଜା ।୧୪୪।

ରାଜାକେ ଦେଖା ଦରଶନି ଶତେ ଶତେ ରଥ

ଗହଳ ସମ୍ଭର୍ବେ ଚଳନ୍ତି ସମସ୍ତ ନୃପତ୍ୟ ।୧୪୫।

ଆସ୍ତାନ ଉପରେ ବିଜୟେ ଦେବଧର୍ମ

ରାଜାନ୍ତ ଘେନିଯାଇ ଯେ ଦ୍ରଶନ କଲେକ ଭୀମ ।୧୪୬।

ଗନ୍ଧର୍ବ ବଳ ଘେନି ଯେସନେକ ସହସ୍ରାକ୍ଷ

ତେସନ ସାଦ୍ରିଶେ ଯେ ପବନର ବତ୍ସ ।୧୪୭।

ଜିତ ମହାପ୍ରସାଦ ବୋଲିଣ ଆଗ୍ୟାଂ ଅବଧାରୀ

ଯେ ଯାହାର ଆସ୍ତାନେ ନେଇ ରାଜାନ୍ତ ବସାଇଲେ ଦେବହରି ।୧୪୮।

ଧର୍ମାରାଜା ଯୁଝେଷ୍ଠିଂକର ସମ୍ପଦ ଯାଗ ଦେଖି

ନିର୍ମଳ ହୋଇଲା ସମସ୍ତ ରାଜାଂକର ଆଖି ।୧୪୯।

ଦେଖନ୍ତି ରାଜାମାନେ ଛାୟା ମଣ୍ଡୋପର ସ୍ଥଳୀ

ସ୍ୱର୍ଗ ତେଜି ବିଜୟେ କି କଲେ ଅଂଶୁମାଳୀ ।୧୫୦।

ବିଶେଷେ ଅମରସ୍ଥାନ ଜଗନ୍ନାଥେ ଯାହା ସଞ୍ଚି ।

ଦୁତୀ ବଇକୁଣ୍ଠ ଭୁବନ କରି ମଧ୍ୟସ୍ୱର୍ଗେ ଅଛି ।୧୫୧।

ରୋଗ ଶୋକ ଭୋଖ ସେ ହରଇ ଯେଭଂଣ ସଭା

ସମସ୍ତ କଷ୍ଟ ପାସୋରିଲେ ସର୍ବ ରାଜଦେବା ।୧୫୨।

ଦେଖନ୍ତେଣ ସଭା ଶରଧାୟେ ଦିବସ ନ ଅଣ୍ଟଇ

ହରିଲେ ଦୁଷୁକୃତ ପାସୋରିଲେ ସର୍ବ କଷ୍ଟଇ ।୧୫୩।

ସୋମରାଷ୍ଟ୍ର ଦେଶର ରାଜା ଯେ ସୋମଦତ୍ତ

ଭୂତ ଋଷିର ଶାପ୍ୟେ ତା’ର ଅନ୍ଧ ବେନିନେତ୍ର ।୧୫୪।

ଆକ୍ରେଷିଣ ସଭାକଇଂ ସେ ଚାହିଂଲା ଦିବ୍ୟଦୃଷ୍ଚି

ଋଷିର ଶାପ୍ୟ ପାରଗଲା ଅନ୍ଧପଟଳ ଗଲା ଫିଟି ।୧୫୫।

ଜୟତୁ ଜୟ ଅନ୍ଧ ପଟଳ ବିଧ୍ୱଂସନ ବାସୁଦେବ

ଜୟ ଜୟ ଦାରିଦ୍ର ଦୋଷ ହରନ୍ତା ପଦ୍ମନାଭ ।୧୫୬।

ଜୟତୁ ଅଖିଳ ନୀଳେନ୍ଦୀ ଦଳରୂପୀ ।

ଅନନ୍ତ କୋଟି ବ୍ରହ୍ମାଣ୍ଡେ ସ୍ୱାମୀ ଯାହାର ତେଜ ବ୍ୟାପି ।୧୫୭।

ସୁପ୍ତେ ଭୁଂକ୍ତେ ଗବନେ ଭାବଇ ମଧୁରିପୁ

ତାରକ ସୁଗ୍ୟାନ ନାଥ ଲମ୍ପଟ ତୋହୋର ବପୁ ।୧୫୮।

ଯାବତ ଚନ୍ଦ୍ର ଦିବାକର ଆଦିମୂଳ

ସରୂପ ଦେଖିଲି ନୀଳ କକ୍ପ ବଟର ଯେ ତଳ ।୧୫୯।

କଉତୁକୀ ପୁରୁଷ ସଂସାର ହିତକାରୀ

ମାୟା ପଟଳ ଧର ସ୍ୱାମୀ କରେଣ ସୁବର୍ଣ୍ଣ ବେତଯୋଡ଼ି।୧୬୦।

ଅନ୍ଧ ଗୋପାଳ ଯେ ତ୍ରେତୟା ଯୁଗେ ଅନ୍ଧ ହୋଇଥିଲା

ଶ୍ରୀରାମଚନ୍ଦ୍ରଂକୁ ବେନି କଳେକ ଦୁଧ ଦିଲା ।୧୬୧।

ତତକ୍ଷଣେ ତପଧର୍ମ ବଳେ ତାହାର ସେ ବାଞ୍ଛୁ

ଭୋ ଶ୍ରୀରାମ କାହିଂ ଅଛୁ ବୋଲି ବୋଲିବା ମାତ୍ରକେ ତାହାର

ଦୁଶିଲା ବେନି ଚଛୁ ।୧୬୨।

ଅନ୍ଧ ଗୋପାଳ ଯେ ଅନ୍ଧ ହୋଇଥିଲା

ଗୋପେ ବାଳ ଖେଡ଼କାଳେ ବେନିଚଛୁ ପାଇଲା ।୧୬୩।

ବ୍ରାହ୍ମଣେକଟି ଜାତ ଅନ୍ଧ ଜନ୍ମେ ଜନ୍ମେ ଦାରିଦ୍ର ।

ଜଗନ୍ନାଥ ସେବାଉଂ ସେ ନ ଜାଣେ ଆନ ଛିଦ୍ର ।୧୬୪।

ଜାତ ଅନ୍ଧ ହୋଇଣ ଜନ୍ମେ ଜନ୍ମେ ଦରିଦ୍ର ହୋଇ ପୁଣ ଜାତ ହୋଇ

ମହତ ଭିକ୍ଷା ମାଗି ସେ ନାରାୟଣେ ବିନୋୟୀ ।୧୬୫।

ଦ୍ୱାପର ଯୁଗେଣ ସେ ଜନମିଲା ୟେକା

ଭିକ୍ଷା ମାଗନ୍ତେଣ ସେ ଯାଇଂ ରହିଲା ଦ୍ୱାରିକା ।୧୬୬।

ଶ୍ରୀ ଜଗନ୍ନାଥ ଭୁବନେ ତାହାର କଷ୍ଟ ପାରଗଲା

କର୍ମେଣ ବ୍ରାହ୍ମଣର ସେ ପୁତ୍ରେକ ହୋଇଲା ।୧୬୭

ସାତବରଷର ସେ ଯେ ହୋଇଲା ବାଳଶିଷି

ପଦ୍ମନ ବାଳୁତ ପୁତ୍ର ଋକ୍କିଣୀ ଗର୍ଭବାସୀ ।୧୬୮

ଦ୍ୱାରିକାରୁ ବାହାରି ସେ ଖେଳନ୍ତି ସମସ୍ତ ବାଳପୋୟେ

ରେଣୁଘର କରି ଖେଳନ୍ତି ତନୟେ ସଭିୟେଂ ।୧୬୯।

କୁତୂହୋଳେ କୁମାରେ କଉତୁକେ ଖେଳନ୍ତେ

ପଦ୍ମନର ବାଲିଗୃହ ଭାଙ୍ଗିଲା ଅନ୍ଧସୁତେ ।୧୭୦।

ରାଗେଣ ବୀର ପଦ୍ମନ ଦିଲା ତାକୁ ଗାଳି

ଅନ୍ଧର ନନ୍ଦନ ପଦ୍ମନକୁ ମାଇଲା ଆଞ୍ଜୋଳିୟେ ଧୂଳି ।୧୭୧।

ଅନ୍ଧପୁତ୍ର ଧୂଳିପଡ଼ି ପଦ୍ମନର ଅଙ୍ଗେ

ଅସାଷ୍ଟମେ କୁମର ରୋଦନ କଲା ବେଗେ ।୧୭୨

ଧୂଳି ଧୂସର ହୋଇ କୁମାର ଗଲା ଚଳି

ଜଗନ୍ନାଥଂକ ଆଗେ କାନ୍ଦି କରଇ ଗୁହାରି ।୧୭୩।

ସଙ୍ଗର ପୋୟେ ବୋଇଲ ମନ୍ଦ କଲୁରେ ଅନ୍ଧବାଳ

ସଞ୍ଚୟେ ଶ୍ରୀହରି ଆଜ ତୋର ପୂରୋଇବେ କାଳ ।୧୭୪।

ବତିଶ ସହସ୍ର ଶତେ ଅଷ୍ଟ ଉତ୍ତର ଭାରିଯା

ୟେତେକର ମଧ୍ୟେ ୟେକା ପଦ୍ମନ ମୋକ୍ଷପାନ ଆତ୍ମଜା ।୧୭୫।

ଅନେକ କ୍ରୋଧରେ ଗଲା ଯେ ରକ୍ମିଣୀର ବଳା

ସାଙ୍ଗର ପୋୟେ ବୋଇଲେ ଆରେ ଅନ୍ଧ ନନ୍ଦନ ୟେଥୁଂ ତୁ

ବହନ ହୋଇ ପଳା ।୧୭୬।

ବାଳୁତଂକର ବଚନ ଶୁଣିଣ ଅନ୍ଧଶିଷି

ଅନ୍ଧ ବ୍ରାହ୍ମଣର ଛାମୁକୁ ବହନ ପଳାଇ ଆସି ।୧୭୭।

ଅନ୍ଧ ବୋଇଲା ତୁତ ପଳାଇ ଅଇଲୁ ଅତିଶ୍ରମେ

ସମସ୍ୟା ଦେଇ ନୁଆରଇ ପୁତ୍ର ମତିଭ୍ରମେ ।୧୭୮।

ବିକଳେ ବୋଇଲା ତାତ ମୁଂ ମନ୍ଦକୃତ୍ୟ କଲି

ବାସୁଦେବଂକର ନନ୍ଦନ ପଦ୍ମନକୁ ମାଇଲି ।୧୭୯।

ବିକଳ ହୋଇ ପଦ୍ମନ କାନ୍ଦି ପକାଇଲା ବେଗେ

ନପୁଣ ବାସୁଦେବ ଆସନ୍ତି ପୁତ୍ର ରାଗେ ।୧୮୦।

ଅନ୍ଧ ବୋଇଲା ରେ ପୁତ୍ର ଲୁଚିଥାଅ ମୋହୋର ପିଠି

ଆସନ୍ତୁ ବାସୁଦେବ ଦେଖନ୍ତୁ ମୋହୋର ଦୃଷ୍ଚି ।୧୮୧।

ଅନ୍ଧର ନନ୍ଦନ ଯେ ଲୁଚିଲା ପିତାର ପଛେ

କାନ୍ଦିଣ ପଦ୍ମନ ଯାଇଂ କହିଲା ଶ୍ରୀବତ୍ସେ ।୧୮୨।

ହା ହା ପୁତ୍ର ବୋଲି କୋଳେ ଧଇଲେ କେଶବ

ବାବୁ କେ ତୋହୋର ଶରୀରେ କଲାକ ପ୍ରାଭବ ।୧୮୩।

କ୍ରୋଧେଣ ପଦ୍ମନ ଯେ କହଇ କାନ୍ଦିକରି

ସ୍ୱାମୀ ଅନ୍ଧ ବ୍ରାହ୍ମଣ ପୁତ୍ର ଅଦୋଷେ ମୋତେ ମାରି ।୧୮୪।

ପୁତ୍ରର ବିକଳ ସେ ଦେଖିଣ ଅଚ୍ୟୁତ

ମାୟା ମୋହେ କ୍ରୋଧିତ ସେ ହୋଇଲେ ଦେବ ଜଗଭୂତ ।୧୮୫।

ଆରେ ଦ୍ୱାରିକାର ଲୋକ ହୋଇ ୟେଡ଼େକ କାହାର କକ୍ଷା

କେବଣ ଅନ୍ଧର ପୁତ୍ର ମାଇଲା ବାବୁରେ ବହନ ମୋତେ ଦେଖା ।୧୮୬।

ରାଗେଣ ତ୍ରିପଣ୍ଡ ଗଳିତ ଦେବହରି

ବାମକରେ ପଦ୍ମନର ଭୁଜ ଡାହାଣେ ଚକ୍ର ଧରି ।୧୮୭।

କାନ୍ଦିଣ ପଦ୍ମନ ଯେ କଢାଉଅଛି ଆଗେ

ପଛେଣ ବାସୁଦେବ ଗୋଡ଼ାନ୍ତି ପୁତ୍ରର ବଇରାଗେ ।୧୮୮।

ଦୁରହୁଂ ଦେଖିଲା ଅନ୍ଧ ବ୍ରାହ୍ମଣର ବଚ୍ଛା

ଭୋପିତା କୃଷ୍ଣର ବଡ଼ାଇ କୋପ ମୋତେ କରି ନୁଆରିବୁ ରକ୍ଷା ।୧୮୯।

ୟେମନ୍ତର ସମୟେ ଦେବ ହୃଷୀକେଶ

ପଦ୍ମନ ଭେଟାଇଲା ଯାଇଂ ଅନ୍ଧ ବ୍ରାହ୍ମଣର ଶିଷ ।୧୯୦।

ରାଗେଣ ପ୍ରତିଉତ୍ତର ଯେ ଦିଅନ୍ତି ଗୋବିନ୍ଦ

ମୋହୋର ପୁତ୍ରକୁ ତୋହୋର ପୁତ୍ର କିଂପେ ମାଇଲା ରେ ଅନ୍ଧ ।୧୯୧।

ନାରାୟେଣଂକ ବଚନେ ଅନ୍ଧ ପରିଣାମି

ମୋହୋର ଛାରପୁତ୍ର କାହିଂ ମାରିପାରଇ ଦେବସ୍ୱାମୀ ।୧୯୨।

ସେବକ ଠାକୁରେ ୟେକଯୋଗ କାହିଂ

ରାଗେଣ କେଶବ ବୋଇଲେ ଅନ୍ଧର ମୁଖ ଚାହିଂ ।୧୯୩।

କୋପେଣ ସ୍ୱାମୀ ଯେ ବୋଲନ୍ତି ଅଚ୍ୟୁତେ

ତୋହୋର ପୁତ୍ର ମୋହୋର ପୁତ୍ର ପଦ୍ମନକୁ ମାଇଲା କେମନ୍ତେ ।୧୯୪।

ଧୂଳି ଧୂସର ପୁତ୍ର ମୋହୋର ଲାଜେ ଜରଜରି

ଦେଖ ରେ ଅନ୍ଧ ବୋଲି ରାଗେଣ ବୋଇଲେ ଦେହ ହରି ।୧୯୫।

ଶତେଜନ୍ମର ଅନ୍ଧ ପଟଳ ପାରଗଲା

ନାରାୟେଣଂକ ବଚନେ ତାହାର ବେନିଚଛୁକୁ ଦିଶିଲା ।୧୯୬।

ଜୟତୁ ଅନ୍ଧ ପଟଳ ବିଧ୍ୱଂସନ ବାସୁଦେବ

ଦ୍ରଶନ ମାତ୍ରକେ ଯାର ଭାବ ଯେ ଅଭାବ ।୧୯୭।

କୋପେ ବୋଇଲେ ଅନ୍ଧର ଫିଟିଲା ବେନିଚଛୁ

ମୁକତି ବାଟକୁ ନାଥ ସର୍ବଦା ତୁହି ଅଛୁ ।୧୯୮।

ସ୍ୱାମୀ ତବ ପାଦପଦ୍ମ ବିଘଂସୁ ମମ ହୃଦଗତେ

ତବ ଲୟେ ଆତ୍ମା ମୋହୋର ନ ଫିଟୁ କଦାଚିତେ ।୧୯୯।

ସୋମଦତ୍ତ ରାଜା ଯେ ତରିଲା ଅନ୍ଧକଷ୍ଟୁଂ

ମମବାଞ୍ଛା ହୃଦଗତେ ମାୟାପଟଳ ମୋହୋର ଫିଟୁ ।୨୦୦।

ସୟଳ ସଂସାର ନାଥ ଜଗତ ଜନ ଚିନ୍ତା

ଭବଜଳ ସାଗରୁ ନାଥ ତୁହିଂ ସେ ଉଦ୍ଧରନ୍ତା ।୨୦୧।

ସ୍ୱାମୀ ରାଗ ମୋହ ଅହଂକାର ମାୟାଜାଲ ଫାଶି

ଦୁର୍ଗତି ସଂସାରୁ ନାଥ ମୋତେ କରିବା ଉଦାସୀ ।୨୦୨।

ଜଗମୋହନ ନାଥ ମମ ହୃଦଗତେ ଭାବୁଂ

ମଙ୍ଗଳ ଶୁଭ ନାଥ ତୁହି ସେ ବ୍ରତ ସବୁ ।୨୦୩।

ସଜ୍ଜନ ଜନମନ ତୋଷିଲି ତୋଷଚିତ୍ତେ

ୟେ ମୃତୁ ମଣ୍ଡଳ ନାଥ ବଞ୍ଚାଇଲି ହିତେ ।୨୦୪।

ଶ୍ରୀ ପୁରୁଷତ୍ତୋମ ଚରଣେ ନମସ୍ତେ ନମସ୍ତେ

ଶ୍ରୀକୃଷ୍ଣର ନାମଗୋଟି ବିଘଂସୁ ମୋହୋର ହୃତଗତେ ।୨୦୫।

ତୁଳୁସାର ବଲ୍ଲଭ ଯେ ଭାବି ହୃଦଗତେ

ଶୂଦ୍ରମୁନି ସାରୋଳ ଦାସ ରଚିଲେ ସଭାପର୍ବ ଗୀତେ ।୨୦୬-୯୧୧୨।

ରାଜାମାନଙ୍କର ଭୋଜନ ବ୍ୟବସ୍ଥା

ବୟଦନ୍ତି ଅଗସ୍ତି ସର୍ବଗ୍ୟଂ ମହାଗ୍ୟାଂତା

ଷାଠିୟେ ଲକ୍ଷ ପୁରାଣ ଯେବଣ ମୁନି ବକତା ।୧।

ଦୁତୀ ଅମର ସ୍ୱର୍ଗୟେ ରାଜୁସି ଯାଗସଭା

ସମ୍ଭରେଣ ବିଜୟେ ତହିଂ ସମସ୍ତ ରାଜଦେବା ।୨।

ଜନ୍ମ ଯାହାର ସୁଫଳ ଜୀବନ ଧନ୍ୟ ଧନ୍ୟ

ସେ ସଭାରେ ବସିତେ ହୋଇଲେ ସେ ଭାର୍ଜନ ।୩।

ନୃପତିମାନେ ଯହୁଂ ଯାଇଂ ବସିଲେ ସମ୍ଭରେ

ଯୁଝେଷ୍ଠି ଦେବ ପୁଚ୍ଛାକଲେ ଜଗନ୍ନାଥଙ୍କ ଛାମୁରେ ।୪।

ସ୍ୱାମୀ ଅନେକ ଦେଶର ଯେ ଅଇଲେ ରାଜାମାନେ

ପାତ୍ର ଅମନାତ୍ୟ ଯୋଦ୍ଧାୟେ ଅସଂଖ୍ୟ ଗହନେ ।୫।

କେମନ୍ତେ କରି ହରି କଲୁ ୟେହାନ୍ତ ଚିନ୍ତା

ସଞ୍ଚପି କରି କହିବା ମୋତେ ଭୋଜନ ବାରତା ।୬।

ନାରଦେ ବୋଇଲେ ଯେବେ କେହି ଜଣେ ଭୋଜନେ ହୋଇବ

ଅତ୍ରିପୁତି ପଣ୍ଡୁରାଜାର ବ୍ରହ୍ମହତ୍ୟା ଦୋଷ କେବେ ନୋହିବ ବିନଶ୍ୟତି ।୭।

ଆହାର୍ଣ୍ଣିକ ବେଳ ଯହୁଂ ଆସି ହୋଇଲାକ ଦିନ

ମର୍ଦନ ମାଜଣା ଯୋଗଡ଼ ଯେ ଅନେକ ବିଧାନ ।୮।

ସୁଗନ୍ଧ ତଇଳ ମୂଳପାଗ ଯାହା ସଞ୍ଚି

ରାଜାଗଣମାନନ୍ତ ଆଣି ଶ୍ରୀଖଣ୍ଡି ଦେଉଅଛି ।୯।

ମର୍ଦ୍ଧନ ମାୟେ ଯେ ଜଗଜ୍ଜେଠୀହକାରି

ବାହାସ୍ଫୋଟ ବିନ୍ଧାଣ ସେ ଛତ୍ରିୟ ମହାଭାରି ।୧୦।

ମର୍ଦ୍ଧଣ ସାରିଣ ସେ ରାୟେ ପଶିଲେ ଗଙ୍ଗାଜଳେ

ସୁଗନ୍ଧ ଅୟେଂଳା ସେ ଲେପନ୍ତି ସୁସଞ୍ଚ ବାଳେ ।୧୧।

ସୁବର୍ଣ୍ଣ ଘଟମାନଂକରେ ତୋଳାଜଳ ପାଣି

ପନିର ନୀର ଯେନି ସେ ନିଉଡ଼ନ୍ତି ଆଣି ।୧୨।

ଗଙ୍ଗାରେ ପଶି ଯେ କୁତୂହୋଳେ ଅବଗ୍ରାହୀ

କରନ୍ତି ଜଳକ୍ରୀଡ଼ା କଉତୁକ ରସ ପାଇଂ ।୧୩।

ସ୍ରାହାନ ନିତ୍ୟକର୍ମ ସାରିଲେ ବିଧାନେ

ଆହାର୍ଣ୍ଣିକ ସନ୍ଧ୍ୟା ସାରନ୍ତି ପ୍ରୋହିତ ଜନମାନେ ।୧୪।

ଯେ ବିଧିରେ ନିତ୍ୟକର୍ମ ସମସ୍ତ ବିଧାନେ

ଦେବ ପିତୃ ତିଳ ଉଦକ କରନ୍ତି ରାଜାଗଣେ ।୧୫।

ନିତ୍ୟକର୍ମ ସାରିଣ ଯେ ଆସନ୍ତି ରାଜାଗଣମାନେ

ମୁଣୋହି ମନ୍ଦିରେ ଯାଇ ବିଜୟେ ଆସ୍ଥାନେ ।୧୬।

ଆସନ ପାଦାସନ ଯେ ଅଙ୍ଗନ୍ୟାସ ପୂଜା

ବିଷ୍ଣୁ ଦଇବତ ଆରୋପଣ କଲେ ସର୍ବଦିଜା ।୧୭।

ତ୍ରିକାଳ ଆହାନିକ ବେଳେ ଦେବ ପିତୃପିଣ୍ଡ

ବ୍ରହ୍ମ କର୍ମ ଧାରଣ ବଇଶ୍ୟାନର ସ୍ୱଧା ପରଚଣ୍ଡ ।୧୮।

ମହାମନ୍ତ୍ର ସ୍ୱାହା ବାକ୍ୟେଣ ପ୍ରସନ୍ନ ଆହୁତି

ବିଧାତାର ବାକ୍ୟେଣ ଯେ ଦୋହରା ଶାନ୍ତିମୃର୍ତ୍ତି ।୧୯।

ଲକ୍ଷେକ ନୃପତି ଯେ ଭୋଜନ ସ୍ତାନେ ବିଜେ

ପାଦ ଶଉଚ କରାଇ ପଲମ ଯୋଗାଡ଼େ ବିଜେ ।୨୦।

ଥାଳୀ ଗରିଆ ଯେ ସୁବର୍ଣ୍ଣ ପଇଲମ

ମଣ୍ଡା ଚିପା ଝରୀ ଖୋରି ଯେ ଅନେକ ସମ୍ଭର୍ବେ ରତ୍ନକମ ।୨୧।

ସୁସଞ୍ଚ ସୁଶୀତଳ ଯେ ସୁବାସିତ ନୀର

ଜଣେ ଜଣେ ବସାଇଲେ ରାଜାମାନଂକ ଛାମୁର ।୨୨।

ଇନ୍ଦ୍ରପ୍ରଶସ୍ତ ଯେ ଗଙ୍ଗାନଦୀ କୂଳେ

ଈଶାନ୍ତ ମୃତ୍ତି ହୋଇ ବସିଲେ ସମସ୍ତେ ମହୀପାଳେ ।୨୩।

ପରଶନ୍ତି ଅନ୍ନ ଯେ ପବିତ୍ର ସୂପକାରେ

ଗୁଆଘୃତ ଲବଣ ଯେ ବହୁତ ସମ୍ଭରେ ।୨୪।

ବିଷ୍ଣୁ ପ୍ରସାଦ ମୂଳେ ଆମ୍ବ ଅଦା ନଟୀକାଳ କଦଳୀ

ଛାମୁରେ ଅଷ୍ଟରତ୍ନର ଚାରି ଚାରି ଦୀପାବଳୀ ।୨୫।

ଦ୍ୱାଦଶ ହବିପାକ ପଞ୍ଚବାସନୀ ପଞ୍ଚମୁଦ୍ରା

ବାହ୍ୟବଳୀ ତ୍ରିପୁତି ବାକ୍ୟେଣ ବ୍ରହ୍ମରଦ୍ରା ।୨୬।

ଯେ ଯାହାର ସଂକଳ୍ପେ ଦେବ ପିତୃଅନ୍ନ

ଶ୍ରଦ୍ଧାରେ ଧରନ୍ତି ଦେବ ପିତୃଂକର ନାମ ।୨୭।

ଅନେକ ଯୋଗାଡ଼ ଯେ ନିରାମିଷ ପାଗ

ଭୁଞ୍ଜନ୍ତି ରାଜାମାନେ ହୃଦଗତେ ମହାସ୍ରାଗ ।୨୮।

ପ୍ରାଣ ଅପାନ ସମାନ ଉଦାନ ବ୍ୟାନ ପଞ୍ଚଭୂତ

ପଞ୍ଚଗୁଣ୍ଡି ଭୁକତ ଯେହ୍ନେ ପୂର୍ବର ଉକତ ।୨୯।

ସେ ପଞ୍ଚ ପୁରୁଷଂକୁ ଆଞ୍ଚୋବନ ପଞ୍ଚୁଧାର

ମହାତୁଷ୍ଟ ମନେଣ ସେ କରନ୍ତି ଆହାର ।୩୦।

ଯେବଣ ମ୍ୟଞ୍ଜନମାନ ଆସଇ ଆକାଶୁଂ

ଅମୃତରସ ପାକ ସେ ନ ସରଇ ପରଶୁଂ ପରଶୁଂ ।୩୧।

ଭୁଞ୍ଜନ୍ତି ନୃପତିମାନେ ଯାହାର ଯେତେ ଇଛା

ଅନେକ ସୁଫଳ ଅନ୍ନ ଆପ୍ୟାନ ମନବାଞ୍ଛା ।୩୨।

ଭୋଜନ ବିଧାନ ମାନ କହିତେ କି ପାରି

ଯାହା ସେ ସର୍ଜନା କରିଛନ୍ତି ଦେବହରି ।୩୩।

ଗଉରୀ ଶଉରୀ ନଳବିଧି ତିନିପ୍ରତି

ଭୁଞ୍ଜନ୍ତି ଅଧାମ ଯେ ଅନେକ ତ୍ରିପୁତି ।୩୪।

ଛଡ଼ରସ ଭୋଜନ ଗୋରସ ଆଣି ଦିଅନ୍ତି

ନାନା ପିଠାର ମହିମାଂ କେ ଅସଞ୍ଚପି କହନ୍ତି ।୩୫।

ଭୋଜନ ସାରିଣ ରାୟେ ନୁଆରନ୍ତି ଉଠି

ଭୂମିକି ଭାରା ଦେଇଣ ବଢ଼ାନ୍ତି ପାଦଗୋଟି ।୩୬।

ଆଂଚୋବନ ସ୍ତାନେ ଯେ ବିଜୟେ ମହୀପତ୍ୟେ

ସୁବର୍ଣ୍ଣର ଝରୀ ଧରି ଉଭା ସକଳ ଭୃତ୍ୟେ ।୩୭।

ନଦୀୟେକ ବହି ଯାଉଅଛି ରାଜାଂକର ଆଂଚୋବନେ ।୩୮।

ବିଜୟେ ରାଜାମାନେ ନିଅବକାଶ ସ୍ତାନେ ।

କ୍ରପୂର ତାମୁଳ ଯେ ଭୁଞ୍ଜନ୍ତି ମୁଖବାସ ବିଧାନେ ।୩୯।

ସର୍ବ ଅଳଙ୍କାର ହୋଇ ନାନା କୁସୁମେଣ ଚାରୁଗଭା

ଅମରାଧି ନାଥ ପ୍ରାୟେ ଦିଶନ୍ତି ସର୍ବେ ଶୋଭା ।୪୦।

ନବତନ ବସନ ଯେ ନବତନ ଅଳଂକାର

ସମ୍ଭର୍ବେ ସମସ୍ତ ରାଜାୟେ ବସିଲେ ଆସ୍ତାନର ।୪୧।

ଅନେକ ବିଳାସୁଣୀୟେ ଖଟନ୍ତି ବନିତା

ବହୁତ ନୃତ୍ୟ ଚଞ୍ଚଳ ତାଣ୍ଡବ ରସ ଗୀତା ।୪୨।

ଶୁଣସି ହୋ ମହାରାଜା ରାଜୁସି ଯାଗର ଚରିତ

ଲକ୍ଷେ ମାଢ଼ ସୁବର୍ଣ୍ଣରେ ପଇଲମ ନିର୍ମିତ ନିତ୍ୟ ନିତ୍ୟ ।୪୩।

ରାଜାକେ ଲକ୍ଷେମାଢ଼ ସୁବର୍ଣ୍ଣର ଖୋରି ଚିପାଝରୀ ଆଦିକରି

ମୁଣୋହି ସାରିଲେ ତାହା ପୋଛନ୍ତି ପରିବାରୀ ।୪୪।

ଯମୁନା ନଦୀ ଭିତରେ ପକାବନ୍ତି ତାହା ନେଇ

ଅଗାଦ ଗଭୀରେ ମେଲନ୍ତି ନ ଆଣନ୍ତି ବାହୁଡ଼ାଇ ।୪୫।

ୟେହିମତେ ନିତ୍ୟା ପ୍ରତି ନବତନ ଯୋଗାଡ଼

ଉଦ୍ଦିଷ୍ଟ ହୋଇଲେ ପକାବନ୍ତି ନେଇ ଅଗାଦ ଜଳର ।୪୬।

ୟେସନେକ ସମ୍ପଦ ଯେ ରାଜୁସି ଯାଗସଭା

ସପତନିଧି ଫେଡ଼ିଅଛି କୁବେର ରାଜଦେବା ।୪୭।

ରାଜାମାନଂକର ମୁଣୋହି ସାରି ଉଠିବା ଉତ୍ତାରେ

ପାତ୍ର ଅମାନାତ୍ୟ ମାନେ ବସନ୍ତି ତଦିଉତ୍ତାରେ ସମ୍ଭରେ ।୪୮।

ମୁକୁଟ ବନ୍ଧା ଯୋଦ୍ଧା ରାଉତ ଯେ ସାହାଣି ସାମଲ ହାଦେ ଜେନା

ମାଲ ମଣ୍ଡଳିକ ବଡକୁମାର ବଡଜେନା ।୪୯।

ଛତ୍ର ନବର ଭିତରେ ବସନ୍ତି ଭୋଜନ ନିମନ୍ତେ

ସନ୍ୟମାନେ ବସନ୍ତି ପାଦାନ୍ତି ବଳ ଯେତେ ।୫୦।

ଛତ୍ରଶାଳେ ପରିଛା ଯେ ଭୀଷ୍ମ ମହାରଥୀ

ଅନେକ ସମ୍ଭରେ ଅମୃତ ଯୋଗାଡ଼ ପରଶନ୍ତି।୫୧।

ଶୁଣସି ହୋ ମହାରାଜା ଯାହାଙ୍କଇଂ ପ୍ରସନ୍ନ ହିଙ୍ଗୁଳା

ଅମୃତୁଂ ଅଧିକ ସ୍ୱାଦ ଭୋଜନେ ମତିଭୋଳା ।୫୨।

ଭୋଜନ ସାରିଣ ସେ ଯେ କରନ୍ତି ଆଂଚୋବନ

ପବନ ଦେବତା ଉଡ଼ାଇ ନେଲା ଉତ୍ତିଷ୍ଟ ପତ୍ରମାନ ।୫୩।

ମେଘେ ଯେ ବରଷନ୍ତି ତହିଂର ଉପରେ

ଧୋଅ ପଖାଳି ହୋଇଗଲା ସେ ଅଗାଦ ସାଗରେ ।୫୪।

ପୁଣହିଂ ସନ୍ୟ ଭୁଞ୍ଜି ବସନ୍ତି ସେହି ଠାବେ

ବିହଡ଼ନ୍ତି ସମଦଣ୍ଡ କଉତୁକ ଭାବେ ।୫୫।

ସହସ୍ରେକ ହାଟ ଆଠ ସହସ୍ରେକ ପେଣ୍ଠ

ଅନୁବ୍ରତେ ଯାତ୍ରା ଯେ ଆନନ୍ଦ ସମରାଷ୍ଟ ।୫୬।

ନାରାୟଣଂକୁ ପୁଚ୍ଛାକଲେ ଯୁଝେଷ୍ଠି ରାଜଦେବ

ହରି ରାଜାଂକର ସଇନି ଯେ ବଡ଼ାଇ ସମ୍ଭର୍ବେ ।୫୭।

ଭୋଜନର ପରମାଣ ହୋଉଛି କେମନ୍ତେ

ବିଚାରିଣ ନାରାୟେଣ କହନ୍ତି ତଦଅନ୍ତେ ।୫୮।

ଛତ୍ରଶାଳ ଭୁବନେ ଆପଣେ ଯୁଝେଷ୍ଠି କଲେ ବିଜେ

ଆପଣେ ପହଣ୍ଡି ମଣାଇ ନିଅନ୍ତି ଦେବାଧି ଦେବରାଜେ ।୫୯।

ଦେଖନ୍ତି ସଇନି ଯେ ଅତିୟ ଗହନ

ବଡ଼ାଇ ସମ୍ଭର୍ବେ ଯେ ଭୁଞ୍ଜନ୍ତି ସନ୍ୟମାନ ।୬୦।

ଯୁଝେଷ୍ଠି ଦେବ ବୋଇଲେ ହରି ସନ୍ୟ କେତେ ଗଣି

କେମନ୍ତେ ୟେହା ଦେବ ଜାଣିମା ପରିମାଣି ।୬୧।

ପାଇଲା ନ ପାଇଲା କେମନ୍ତେ ସଞ୍ଚପି କରି

କୋଟିୟେ ଜନ ଭୁଞ୍ଜିଲେ ଦେବ ୟେକର ଶଂଖ ଫୁରି।୬୨।

ଯୁଝେଷ୍ଠି ବିଜେ କରିଅଛନ୍ତି ପଚ୍ଛିମ କଚ୍ଛାଡ଼େ

ଘଡ଼ିକେ ଦଶ ମର୍ଭୁତ ଶଂଖ ଫୁରିଲା ପୂର୍ବଆଡ଼େ ।୬୩।

ଦକ୍ଷିଣ ଆଡ଼େ ଯେ ଖର୍ବେକ ଶଂଖ ଫୁରଇ

ଶୁଣିଣ ଆଶ୍ରିଜ ଯେ ହୋଇଲେ ଯୁଝେଷ୍ଠି ରାଜସାଇଂ।୬୪।

ବିସରି ବୋଲନ୍ତି ହରି ୟେ ମୋତେ ଅସଖ୍ୟ

କେମନ୍ତେ ଅନ୍ନ ପାଉଛନ୍ତି ୟେତେ ଲୋକ ।୬୫।

ବଦୟନ୍ତି କେଶବ ଶୁଣ ଧର୍ମରାୟେ

ତବ ଆଗ୍ୟାଂୟେ ଭୃତ୍ୟପଣେ ଖଟିଛନ୍ତି ଦେବତାୟେ ।୬୬।

ସ୍ୱାମୀ ଦୋହୋରାୟେ ବିଜେ କରିଅଛନ୍ତି ସଭାର

ହିଙ୍ଗୁଳା ପ୍ରସନ୍ନେ ଅଣ୍ଟି ଉଗୁଳଇ ଅପାର ।୬୭।

ଭୋଜନ ସାରି ଯେତେବେଳେ ଉଠନ୍ତି ସକଳ ସନ୍ୟମାନେ

ଉତ୍ତିଷ୍ଟ ପତ୍ର ଉଡ଼ାଇ ନେଲା ପବନ ଦେବତା ଗଗନେ ।୬୮।

ତକ୍ଷଣେ ମେଘମାନେ ବରଷିଲେ ଭୋଜନଠାବେ

ମେଘ ଧୋଇନେଲେ ଦେଖିଲେ ରାଜଦେବେ ।୬୯।

ଯୁଝେଷ୍ଠି ବୋଇଲେ ହରି ପବନ ମୋହୋର ପିତା

ମୋହୋର ରାଜୁସି ଯାଗେ ହୋଇଲେ ସେ ଉତ୍ତିଷ୍ଟ ପୋଛନ୍ତା ।୭୦।

ୟେ କଥା ନ ଯୋଗାଇ ମୋତେ ପୁରୁଷଂକ ଉତ୍ତମ

ପବନ ଦେବତାକଂର ୟେମନ୍ତ କଥାରେ

ମୋର ନାଶଗଲା ସକଳ ଧର୍ମ ।୭୧।

ୟେକ ପିତାର ପାଇଂ କଷ୍ଟ ମୋହୋର ୟେତେ

ପବନ ଦେବତାଂକୁ ଉତ୍ତିଷ୍ଟ ପୋଛାଇବି କେମନ୍ତେ ।୭୨।

ସହଦେବ ବଦନ ଚାହିଂ ବାସୁଦେବ ବୋଇଲେ ଉତ୍ତର

କିସ କରିବା ବାବୁ ୟେତ ନ ଯୋଗାଇଲା ଠାକୁରକଂ ବିଚାର।୭୩।

ସହଦେବ ବୋଇଲା ବଚନ ଅନୁକ୍ରମେ

ମେରୁଶୂଳ ଋଷି ଅଛନ୍ତି ବଦରିକା ଆଶ୍ରମେ ।୭୪।

ସ୍ୱାମୀ ଅନଳ ନୟନ ସେ ବହିଛି ମହାତମ

ତାହାରେ ଉତ୍ତିଷ୍ଟ ପତ୍ରମାନ ହୋଇବେ ସର୍ବେ ଭସ୍ମ ।୭୫।

ୟେ ମହାଯାଗକଇଂ ସ୍ୱାମି ତୁହି ସିନା ଧାରଣ

ଭୀମସେନ ଠାକୁରଂକୁ ପଠିଆଅ ମେରୁଶୂଳ ଆଣନ୍ତୁ ବହନ ।୭୬।

ସହଦେବର ବଚନେ ହରି ପରମ ସାନନ୍ଦ

ଭୀମସେନକଇଂ ରାଇ ଆଗ୍ୟାଂ ଦିଲେକ ଗୋବିନ୍ଦ ।୭୭।

ତୁହୋ ଭୀମସେନ ବଦରିକା ଆଶ୍ରମକୁ ଯାଅ ୟେହିକ୍ଷଣ

ବୁଦ୍ଧି ବଳ ପ୍ରାକ୍ରମେ ତୁ ମେରୁଶୂଳ ମହଋଷିଂକୁ ବେଗେ ଆଣ ।୭୮-୯୧୯୦।

 

ମେରୁଶୂଳ ଋଷିଂକ ବିବରଣୀ

ନାରାୟଣଂକ ବଚନେ ଚଳଇ ସେ ପାଣ୍ଡବ ମହାରଥା

ଯାନ୍ତେଣ ଅନିଳ ପର୍ବତେ ଭେଟିଲ ପବନ ଦେବତା ।୧।

ମରୁତ ବୋଇଲେ ମେରୁଶୂଳ ତହିଂକି ଯାଉଛୁ କିରେ ବାବୁ

ଅନଳନେତ୍ର ପୁରୁଷଂକୁ ତୁ କେମନ୍ତେ ଆଣିବୁ ।୨।

ସେ ମହାତ୍ମାଂକର ତୁ କି ନଜାଣୁ ମହିମାଂ

ପବନ ଦେବତା କହନ୍ତି ଶୁଣସି ରେ ଭୀମା ।୩।

ମନୁ ଅନ୍ତର ବୋଲି ୟେକଇ ସତ୍ୟଯୁଗେ

ମନୁକେତନ ବୋଲି ବ୍ରହ୍ମା ବସଇ ସେ ଅମର ସ୍ୱର୍ଗେ ।୪।

ସୋମେକ ନାମେଣ ସେ ବସଇ ରୁଦ୍ରଦେବତା

ମେରୁଶୂଳର ପିଅର ଅଟଇ ମାନଧାତା ।୫।

ମନୁ ପୁଛାକଲେ ଶୁଣ ହୋ ଅଗସ୍ତିୟେ

ମେରୁଶୂଳର କଥାତ ବଡ଼ାଇ ସନ୍ଦେହେ ।୬।

କାହାର ନନ୍ଦନ ସେ କେଉଂଣ ପୁରେ ଥିଲା

ଅନଳ ଲୋଚନ ମହାତ୍ମା ସେ କେମନ୍ତେ ପାଇଲା ।୭।

ଅଗସ୍ତି ବୋଇଲେ ଶୁଣ ହୋ ମନୁରାଜା ପଣ୍ଡିତ ମହାବ୍ରହ୍ମ

ତୁ ଯେ ପୁଛାକଲୁ ମେରୁଶୂଳର ଆଦିଜନ୍ମ ।୮।

ପବନ ଦେବତା କହଇ ଭୀମସେନକୁ

ସେ ମନୁକେତନ ବ୍ରହ୍ନା ଗଲା ମେରୁ ମେଖଳକୁ ।୯।

ଆକାଶକୁ ଫୁଟିଣ ସେ ବହଇ ଜାହ୍ନବୀ

ନିତ୍ୟକର୍ମ ବିଧାନେ ପିତା ନିରଞ୍ଜନ ସେବି ।୧୦।

ଅମର ବିଳାସୁଣୀ ଅଷ୍ଟ ଯେ ନାୟିକା

କାମିନୀ କାମସେଣୀ ମୋହିନୀ ମଦନିକା ।୧୧।

ମେନକା କମଳା ଚଞ୍ଚଳା ସଉଭାଗୀ

ପ୍ରଥମ ଯୁବାବୟସୀ ମାତଙ୍ଗୀ ମହାଭୋଗୀ ।୧୨।

ଗଙ୍ଗାକଇଂ ସ୍ରାହାନେ ଗଲେ ଅପକ୍ଷରୀ

ବିବସନଶାହୀ ହୋଇଲେ ଜଳକ୍ରୀଡ଼ା କରି ।୧୩।

ସ୍ତନ ଜାନୁ ଯଉବନ ସେ ଅତି ମାନ ଯୁବତୀ

ତାହାଂକର ରୂପ ଦେଖି ପାଷାଣ ଜଡ଼ନ୍ତି ।୧୪।

ସନ୍ଧ୍ୟାକାଳେ ତାହାନ୍ତ ଦେଖିଲେ ଦେବବର

ମଦନ ଅସାଷ୍ଟମେ ଢ଼ଳିଲା ଶରୀର ।୧୫।

ଜଳରୁ ବାହାର ହୋଇଲେ ବସନ ଉଲାଗି

କୁଂକୁମ ଲେପନ ହୋଇଲେ ସମସ୍ତ ସଉଭାଗୀ ।୧୬।

ସେ କନ୍ୟାଂକର ସରୂପ ଦେଖିଣ ବ୍ରହ୍ମବେତ୍ତା

ମଦନ ଶରେ ଅସାଷ୍ଟମ ହୋଇଲେ ଦେବ ଧାତା ।୧୭।

ମୟାଣ ବାଣ ଶରୀରେ ପଡ଼ିଣ ନିକିଳି

କାମ ଆରତେ ପିତାର ଗଳିଲା ତ୍ରିବଳୀ।୧୮।

ସନ୍ଧ୍ୟାକାଳ ତେଜ୍ୟାକଲେ ଜଗତର ପ୍ରହୁ

ତପଧର୍ମ ନାଶ ନିମନ୍ତେ ଆସି ୟେ ପ୍ରବେଶ ହୋଇଲେ କାହୁଂ ।୧୯।

କାମବୋଲି କରିଣ ଅଛି ଯେଉଂଣ ମହାଧାତୁ

ଅଣ ଶୃଙ୍ଗାରେ ଢଳିଲା ପିତାମହର ରେତୁ ।୨୦।

ମହାରସ ଢଳନ୍ତେ ଭାଙ୍ଗିଲା ପିତାମହର ଶ୍ରାଗ

ମେରୁ ମେଖଳେ ଢ଼ଳି ପଡ଼ଇ ରେତ ବେଗ ।୨୧।

ମହା ଅମୋହରେତ ସେ ଯେ କାଳାନକ ଦୀର୍ଘ

ମେରୁମେଖଳ ସହି ନୁଆରିଲା ଧାତାର ମହ ଧାତୁ ତେଜ ।୨୨।

ଦୁଇମନ୍ଦା ଢଳିଣ ଯେ ପଡ଼ିଲା ମେରୁଠାବ

ରଖ ରଖ ବୋଲି ମେରୁ ଦିଲାକ ମହାରାବେ ।୨୩।

ମେରୁ ବିକଳେ ଦେବ ପାତିଲେ ବାମହାଥ

ଆରେକ ମନ୍ଦା ପଡ଼ନ୍ତେ ଧଇଲେ କରପତ୍ର ।୨୪।

ସେ ରେତ ମନ୍ଦାକ ଯେ ଧରିଣ ବେଦପତି ।

ମେରୁ କ୍ରୋଟ ଅନଳ ଭିତରେ ପଳାଇଲେ ତତକ୍ଷଣାନ୍ତି ।୨୫।

ପୁଣିହିଂ ମନ୍ଦାୟେକ ପଡ଼ୁଅଛି ଢ଼ଳି

ମେରୁର ବିକଳେ ଧାତା କରେ ଧଇଲେକ ତୋଳି ।୨୬।

ମନକୁ ଖିଂଖିଂ କରି ଗଙ୍ଗା ବାଲିକି ଦିଲେ ଫିଙ୍ଗି

ବମୁଖେ ବେଦବର ଉଠିଲେ ନିତ୍ୟକର୍ମ ପରିତ୍ୟାଗୀ ।୨୭।

ଶୁଣ ବାବୁ ଭୀମସେନ କହନ୍ତି ମରୁତ

ପ୍ରଥମ ଯେ ବେନିମନ୍ଦା ପଡ଼ିଲା ମେରୁ ପରବତ ।୨୮।

ରଖ ରଖ ବୋଲି ଅଚଳ ମେରୁ ବୋବି ଦିଲା

ସେ ବେନିମନ୍ଦାରୁ ରକ୍ଷଭକ୍ଷ ବୋଲି ବେନିପୁତ୍ର ଉପୁଜିଲା ।୨୯।

ଆରେକ ମନ୍ଦାକ ଯାହା ଗଙ୍ଗା ବାଲିକି ଦିଲେ ଫିଙ୍ଗି

ତହୁଂ ଜାତ ହୋଇଲେ ବାଲଖିଲ୍ୟା ପରମଯୋଗୀ ।୩୦।

ଭୀମସେନ ଅଗ୍ରତେ କହଇ ପବନ ଦେବନ୍ତା

ସେ ସେ ବାଲଖିଲ୍ୟା ବାବୁ ଭୂତ ଭବିଷ୍ୟ ଗ୍ୟାଂତା ।୩୧।

ୟେହାର ମୂଳେ ଯେ ଲକ୍ଷେକ ବାଲଖିଲ୍ୟା ଉପୁଜି

ମହାବ୍ରହ୍ମ ସାଧି ସେ ରାଗ ମୋହ ସର୍ବତେଜି ।୩୨।

ଅଗ୍ନିର ଭିତରେ ବେଦବର ପକାଇଲେ ଯେଉଂଣ ମହାଧାତୁ

ସେ ଅଗ୍ନି ଭିତରୁ ପୁରୁଷେକ ଉପୁଜିଲା ବ୍ରହ୍ମତତ୍ତୁ ।୩୩।

ଶରୀର ବିକାଶଇ ତାର ଜ୍ୟୋତି କାଳାନକ

ୟେକା ଚରଣେ ତିନିଶିର ନବଡ଼ୋଳ ।୩୪।

ଲୋହିତ ବର୍ଣ୍ଣ ଶରୀର ଦ୍ୱାଦଶ ତାର ଭୁଜ

ସପତ ତାଳ ଉଚ୍ଛର୍ଗ ତାହାର ହୃଦୟ ସରୋଜ ।୩୫।

ତାହାର ଛାମୁରେ ରହି ନୁଆରିଲେ ବେଦବ୍ରହ୍ମେ

ମେରୁଶୂଳ ନାମ ଦେଇ ତାକୁ ଛାଡ଼ିଲେ ବଦରିକା ଆଶ୍ରମେ ।୩୬।

ବିଭା ନୋହିଲା ସେ ନ ଇଚ୍ଛିଲା ଦାରା

ମହାବ୍ରହ୍ମ ଘେନି ସାଧିଲା ସେ ଯୋଗଲୟେ ଭାରା ।୩୭।

ୟେକସ୍ତରି ଗଣ୍ଡା ଯୁଗ ଗଲାନି ୟେହିମତେ

ମନୁୟେକ ବଞ୍ଚାଇଲାନି ବୟସେ ବାଳୁତେ ।୩୮।

ଯେବଣ କତିକି ସେ ଚାହାଂଇ ନୟନେ

ସମସ୍ତ ଦହିଜ ହୁଅଇ ଯିସ ଥାଇ ପଞ୍ଚଇ ଯୋଜନେ ।୩୯।

ସମସ୍ତ ଦହିଜ ହୁଅଇ ପାଷାଣ ଆଦିକରି

ଦ୍ୱାଦଶ ଯୋଜନ ପରିଯନ୍ତେ କେହି ନ ଥାଇ ସନ୍ନିଧ୍ୟେ ତାହାରି ।୪୦।

ବାବୁ ସେ ମେରୁଶୂଳର ମହିମାଂ ଅଗୋଚର

ତାହାର ଜନ୍ମଦିନୁଂ ବାବୁ ନାରାୟଣ ହୋଇଲେ ଶତେବେଳ
ଅବତାର ।୪୧।

ୟେହେର୍ଣ୍ଣେକ ଦୁର୍ଲଭକୁ ତୋତେ ପେଷିଲେ ଚକ୍ରପାଣି

ତୁ କେଉଂଣମତେ ଯାଉଅଛୁ ମେରୁଶୂଳ ମହଋଷିଂକି ଆଣି ।୪୨।

ଭୀମସେନ ବୋଇଲା ତାତ ନାରାୟଣଂକର ଆଗ୍ୟାଂ

ମୋହୋର ବେଳେ କି ତାହା କରି ପାରଇ ଅବଗ୍ୟାଂ ।୪୩।

ଶ୍ରୀହରିର ଆଶ୍ରିତେ ଆମ୍ଭେ ବ୍ରତୁନା ସର୍ବଥା

ମରି ଅବା ତରି ଅବା ବାକ୍ୟ ତାହାର ଯଥା ।୪୪।

ଭୀମସେନର ବଚନେ କହଇ ମରୁତ ଉତ୍ତର

ମେରୁଶୂଳ ଆଣି ନ ଯା ବାହୁଡ଼ି ଯା ବ୍ରିକୋଦର ।୪୫।

ୟେଣେ ସେ ହୋଇବ ତୋତେ ଅନେକ ଅପହାର ।୪୬।

ଭୀମସେନ ବୋଇଲା ତାତ ଜଗନ୍ନାଥଂକର ଆଗ୍ୟାଂ ଯେବେ ମେଣ୍ଟି

ଅବଶ୍ୟ ଚକ୍ରମାରି ଛିନ୍ନାଇବେ ମୋର ମୁଣ୍ଡଗୋଟି ।୪୭।

ଭୀମସେନ ବୋଇଲା ତାତ ଅବଶ୍ୟ ଆଣିମଇଂ ମେରୁଯେ ଶୂଳକୁ

ତୋହୋର ବୁଦ୍ଧିବଳ ଥିଲେ ତାତ ରକ୍ଷାକର ମୁକୁ ।୪୮।

ପବନ ଦେବତା ଗୋଡ଼ାଇଅଛି ଭୀମସେନର ତୁଲେ

ମେରୁଶୂଳ ଆଶ୍ରମ ପଞ୍ଚ ଯୋଜନ ଥାଉଂ ସେ ରହିଲେ ।୪୯।

ମେରୁଶୂଳ ପଛକତିକି ଥାଇ ପବନ ଦେବତା

କହଇ ମହାତମାକୁ ଯୁଝେଷ୍ଠି ଦେବଂକ ରାଜୁସି ଯାଗର ବାରତା ।୫୦।

ଆହୋ ସୋମବଂଶେ ରାଜା ଯେ ଯୁଝେଷ୍ଠି ମହୀପତ୍ୟେ

ରାଜୁସିଯାଗ କଲା ପିତା ପଣ୍ଡୁର ନିମନ୍ତେ ।୫୧।

ପୃଥୀର ରାଜାମାନେ ବ୍ରହ୍ମଋଷି ରାଜଋଷି

ରାଜୁସିଯାଗ ସଭାରେ ମିଳିଲେ ସର୍ବେ ଆସି ।୫୨।

ଆହୋ ପବନର ନନ୍ଦନ ଯେ ପାଣ୍ଡବ ଭୀମସେନ

ତୋତେ ନିମନ୍ତ୍ରି ଆସି ରହିଛି ପାଞ୍ଚ ଯୋଜନେଣ ।୫୩।

ତୋହର ନ ଗଲେ ନୋହଇଟି ରାଜୁସି ମହାସଭା

ଭୋ ମହାତମା ପୁରୁଷ ଉଠ ଚାଲ ବହନ ହୋଇ ଯିବା ।୫୪।

ଭୀମସେନ ଡାକଦିଲା ପାଞ୍ଚ ଯୋଜନ ଅନ୍ତରେ

ଭୋ ମେରୁଶୂଳ ଋଷି ବିଜେ କରିବା ରାଜୁସି ଯାଗସଭାରେ ।୫୫।

ଋଷିକି ହାକଦେଇ ଯେ ପଳାଇଲା ଭୀମସେନ

ଉଚ୍ଚସ୍ୱରେ ହାକନ୍ତେ ଶୁଭିଲା ଋଷିଂକ ଶ୍ରବଣ ।୫୬।

ମେରୁ ମେଖଳ ମଧୁଂ ସେ ମହାତ୍ମା ବେଗେ ଉଠି

ଦ୍ୱାଦଶ ଯୋଜନ ପରିଯନ୍ତେ ପଡ଼ିଲା ତାହାର ଦୃଷ୍ଟି ।୫୭।

ବୃକ୍ଷ ପତଙ୍ଗ ଯେତେ ଜୀବଜନ୍ତୁ ଥିଲେ

ଋଷିଂକର ଅନଳ ନୟନେ ପଡ଼ି ସମସ୍ତ ଦହିଜ ହୋଇଲେ ।୫୮।

ପବନ ଦେବତା ବହିଲା ଯେ ପଛିମ ମୂରତି

ପଛିମକୁ ବହିଲା ସେ ଉଠିଲା ମହା ଅନଳ ଜ୍ୟୋତି ।୫୯।

ଭୀମସେନ ପଳାୟେ ଯେ ଦକ୍ଷିଣ ଆଡ଼କୁ

ପୁଣ ପାଞ୍ଚ ଯୋଜନ ଅନ୍ତରେ ଡାକ ଦିଅଇ ସେ ମେରୁଶୂଳକୁ ।୬୦।

ଆସ ହୋ ମହାତମା ଦକ୍ଷିଣ ମୂରତି

ପବନ ଉଡ଼ାଇ ନିଅଇ ଅନଳ ମହାଜ୍ୟୋତି ।୬୧।

ୟେହିମତି ମେରୁଶୂଳକୁ କଢ଼ାଇ ଆଣଇ ଭୀମସେନ

ବାରୁଣାବନ୍ତେ ପରବେଶ ରାତ୍ର ଦିବସ ତିନିଦିନ ।୬୨।

ଆହୋ ବାରୁଣାବନ୍ତ ବୋଲିଣ ଯେଉଂଣ ପରବତ

ତହିଂ ଉପରେ ବସିଲେ ମେରୁଶୂଳ ତପୋବନ୍ତ ।୬୩।

ହୃଦପଦ୍ମ ଭିତରେ ନିମଜ୍ଜିଲା ତାହାର ଅନଳ ଲୋଚନ

ସମସ୍ତ ରାଜାୟେ ମିଳିଲେ ଆସି ମେରୁଶୂଳର ସନ୍ନିଧ୍ୟାନ ।୬୪।

ଶ୍ରୀହସ୍ତେ ଅର୍ଘ୍ୟ ଘେନି ଯୁଝେଷ୍ଠି ଦେବରାଜା

ମେରୁଶୂଳ ଅଗ୍ରତେ ଯାଇଂ କରନ୍ତି ଦିବ୍ୟପୂଜା ।୬୫।

ମହା ବ୍ରହ୍ମଋଷି କଲ୍ୟାଣ କଲେ ବାଞ୍ଛା

ଚିର ଆଷ୍ୟହୁଅ ରାଜା ପ୍ରାପତ ହୋଇ ତୋତେ ଯାହା କଲୁ ଇଚ୍ଛା ।୬୬।

ରାଜାମାନନ୍ତ ଘେନିଣ ମହାରାଜା ଯୁଝେଷ୍ଠି

ସମସ୍ତେ ଗୋପ୍ୟହେଲେ ମେରୁଶୂଳ ପିଠି ।୬୭।

ସନ୍ନିଧ୍ୟେ ହୋଇ ଦେବ ବଦୟନ୍ତି ନାରାୟେଣ

ଆହୋ ବ୍ରହ୍ମଋଷି ତୁ ସାବଧାନେ ଶୁଣ ।୬୮।

ରାଜୁସି ଯାଗ ହାତେ ଆରୋପିଲେ ଧର୍ମରାଜ ଯୁଝେଷ୍ଠି

ତୋହୋର ସେ ଖଣ୍ଡନ ହୋଇବ ସକଳ ଅରିଷ୍ଠି ।୬୯।

ବାରୁଣାବନ୍ତ ପର୍ବତ ଉପରେ ମୁନି ବସିଥିବୁ

ସଇନି ଭୁଞ୍ଜି ଉଠିଲେ ତୁ କିଞ୍ଚିତେ ତହିଂକି ଚାହିଂବୁ ।୭୦।

ସେ ଉତ୍ତିଷ୍ଟ ପତ୍ରମାନ ସବୁ ହୋଇବ ଦହିଜ

ଅନେକ ବିନୋୟୀ ହୋଇ କହିଲେ ଦେବରାଜ ।୭୧।

ମେରୁଶୂଳ ବୋଇଲେ ତୁମ୍ଭେ ପୁରୁଷଂକ ଉତ୍ତମ

ଆମ୍ଭର ସଖ୍ୟେ କରି ନୁଆରିବୁ ୟେ ରାଜୁସି ଯାଗ ଧର୍ମ ।୭୨।

ଯେଉଂଣ ପ୍ରାଣୀମାନେ ନୁଆରନ୍ତି ଧର୍ମ କରି

କିଞ୍ଚିତ ମାତ୍ରକେ ହୋଇ ସେ ପର ଉପୁଗାରୀ ।୭୩।

ପରକାର୍ଯ୍ୟ ଧର୍ମେଣ ଯେଉଂଣ ହୋନ୍ତି ଦୁଖୀ

ଶତେଭାଗ ପୁଣ୍ୟରୁ ହୋ ଭାଗେକ ତାହାଂକର ଲେଖି ।୭୪।

ଦେବାକଇଂ ସଖ୍ୟ ତ କିଛି ନୋହିବ ଆମ୍ଭର

ଆମ୍ଭରେ ହୋଇବ ଯେବେ ଯୁଝେଷ୍ଠି ଦେବଂକୁ ଉପୁଗାର ।୭୫।

ଯେହ୍ନେକ ଆଗ୍ୟାଂ ତୁ ହୋ ଦିଲୁ ଭଗବାନ

ଆମ୍ଭର ଭାଗେ ହୋଇଲା ଉତ୍ତିଷ୍ଟ ପତ୍ରମାନ ।୭୬।

ମେରୁଶୂଳକଇଂ ପ୍ରବୋଧି ଗଲେ ଜଗଭୂତେ

ମହାଯୋଗେ ଯାଇଂ ପ୍ରବେଶ ହୋଇଲେ ଅଚ୍ୟୁତେ ।୭୭।

ଇନ୍ଦ୍ରପ୍ରଶସ୍ତକୁ ଜଇନ୍ତା ଦ୍ୱାଦଶ ଯୋଜନ ପରିଯନ୍ତେ

ଅନୁକ୍ଷଣେ ଅନ୍ନ ଭୋଜନ ତହିଂ ହୋଉଛି ଅପ୍ରମିତେ ।୭୮।

ଭୋଜନ ସାରି ଆଡ଼େ ହୁଅନ୍ତି ସକଳ ସଇନି

କିଞ୍ଚିତ ଦୃଷ୍ଟିରେ ଚାହାଂନ୍ତେ ମେରୁଶୂଳ ମହାମୁନି ।୭୯।

ସେ ଉତ୍ତିଷ୍ଟ ପତ୍ରମାନ ହୋଅନ୍ତି ଦହିଜ

ଅଗସ୍ତି ବୋଇଲେ ସେ ମେରୁଶୂଳର ମହିମାଂ ଶୁଣିଲୁ ମହାରାଜା ।୮୦।

ସେ ପତ୍ରମାନ ଦହିଜ ହୁଅନ୍ତି ଯେତେବେଳେ

ତହିଂର ଉପରେ ଯାଇଂ ବରଷନ୍ତି ମେଘମାଳେ ।୮୧।

ଅଙ୍ଗାର ପାଉଂଶ ଭାସି ସୋହୋଡ଼ରେ ଯାଇଂ

ଗୋମୟ ପକାଇ ଛଡ଼ା ପହଂରା ଦ୍ୟନ୍ତି ତହିଂ ।୮୨।

ଶତେ ଉତ୍ତର ଯେ ଖଞ୍ଜଣୀ ତହିଂ ଜନ

ପୂର୍ବର ଶାପ୍ୟେ ଜାତ ଚାଣ୍ଡାଳ ରୁପେଣ ।୮୩।

ତେଣୁ ସେ ଭୋଜନ ଅନ୍ତେ ଛଡ଼ା ପୟେଂରା ଦ୍ୟନ୍ତି

ତାହାଂକର ପୂର୍ବଜନ୍ମ ଶୁଣ ହୋ ନୃପତି ।୮୪-୧୦୨୭୪।

 

Unknown

କାମଧେନୁ ହରଣ ଓ ରାଜସୂୟ ଯଜ୍ଞ ସୂଚନା

କଣୟରୁଦ୍ର ବୋଲି ହଇହେୟ ବଂଶେ ରାଜା

ତା ତହୁଂ ଉତପତ୍ତି ହୋଇଲେ ଶତେକ ଆତ୍ମଜା ।୧।

କୃପାଜଳ ମହଋଷିଂକର ଥିଲା କାମଧେନୁ ଗାଈ

ଚଉର୍ଯ୍ୟ ପୁରୁଷେ ତାହା ନେଲେକ ଚୋରାଇ ।୨।

ଜମ୍ବୁଦ୍ୱୀପରୁ ଗାଈ ଚଉର୍ଯ୍ୟ କରିନେଲେ

ଶାକଲ୍ୟ ଦ୍ୱୀପେ ନେଇ ଗୁପତେ ଥୋଇଲେ ।୩।

ଅଷ୍ଟଉତ୍ତର ଶତେପୁତ୍ର କ୍ଷୀରପାନ କରନ୍ତି ସୁଖେ

କୃପାଜଳ ମହଋଷି ଗାଈ ଲୋଡ଼ନ୍ତି ମହାଦୁଖେ।୪।

ଜପ ତପ ତେଜ୍ୟାକଲେ ସତ୍ୟଯୁଗ ପରିଯନ୍ତେ

ଅନିଳବସୁଂକୁ ଦେଖିଲେ ମୁନି ଅନିଳ ପର୍ବତେ ।୫।

ଋଷି ପଚାରିଲେ ଆହୋ ଅନିଳ ପୁରୁଷ

ଆମ୍ଭ କାମଧେନୁ ହରିଲା କେଉଂଣ ରାକ୍ଷସ ।୬।

ତୁମ୍ଭେ ଅଷ୍ଟବସୁ ଯେ ଅଟ ମହାବୀରା

ଚାରିଯୁଗେ ଜାଣୁ ତୁମ୍ଭେ ଅଟ ଗାଈ ଚୋରା ।୭।

ଟସକର ପ୍ରକୃତି ଟସ୍କର ସେ ଜାଣନ୍ତି

ତୁମ୍ଭେ ଦେଖିଲକି ଗାଈ କେ ନେଲା ନିଶରାତି।୮।

ଅନିଳବସୁ ବୋଇଲେ ତୁମ୍ଭେ ଶୁଣ ହୋ କୃପାଜଳେ

ଗାଈ ହଜିଲାନି ହୋଇଲାନି ତୁମ୍ଭର ଚିରକାଳେ ।୯।

କଣୟ ରୁଦ୍ର ରାଜାର ଅଟନ୍ତି ଶତେକ ଚାଟେ

ସତ୍ୟଯୁଗରେ ଗାଈ ଗୋଟି ତୁମ୍ଭର ନେଲେ ୟେହି ବାଟେ ।୧୦।

ଗାଈକି ଦୋହନ ସେ କରନ୍ତି ନେଇ ଗୋପ୍ୟେ

ତୁମ୍ଭର ଗାଈକି ମୁନିହେ ଲୁଚାଇଛନ୍ତି ନେଇ ଶାକଲ୍ୟ ଦୀପେ ।୧୧।

ଅନିଳବସୁ ତହୁଂ ବାରତା ମୁନି ପାଇ

ଶାକଲ୍ୟ ଦ୍ୱୀପେ ଗାଈ ଠାବ କଲେ ଯାଇଂ।୧୨।

କୃତାନ୍ତେକ ରୁଦ୍ର ବୋଲି କଣୟ ଋଦ୍ରର ଜ୍ୟେଷ୍ଠ ପୁତ୍ର

ତାହାକଇଂ ମାଗିଲେ ଯାଇଂ ଗାଈ ଗୋଟି ତପୋବନ୍ତ ।୧୩।

ଅଷ୍ଟଉତ୍ତର ଶତେଋଦ୍ର ତାହାନ୍ତ ଯେ ବେଢି

ମାର ମାର ବୋଲି କରି ତାର କେଶ ଯେ ଉଛୁଡି ।୧୪।

କେ ନେଡା ଗୋଇଠାୟେ ପିଟନ୍ତି ନେଇ ବାଡ଼ି

ବିକଳେ ମହାତମା ତହୁଂ ପଳାଇଲେ ଗାଈଛାଡ଼ି ।୧୫।

କୋପେଣ ଶାପ୍ୟ ଦିଲେ କୃପାଜଳ ଦେବେ

ଯାଅ ତୁମ୍ଭେ ଜାତ ହୁଅରେ ଚାଣ୍ଡାଳୁଣୀର ଗର୍ଭେ ।୧୬।

ଗ୍ୟାନ ଥାଉଂ ହରିଲରେ ବ୍ରାହ୍ମଣର ଗାଈ

ଚଉର୍ଯ୍ୟ ପୁରୁଷ ହୋଇ ଦୟା ତୁମ୍ଭର ନାହିଂ ।୧୭।

ୟେକାଦଶ ରୁଦ୍ରଂକର ଅଟ ତୁମ୍ଭେ ଚାଟ

ଧାର୍ମିକ ବିବେକ ସେ ଦିଗପାଳ ପଣ୍ଡିତ ଅଟ।୧୮।

ତାହାଂକର ପୁତ୍ର ହୋଇ ତୁମ୍ଭେ କିଂପା ୟେତେକ ଅଗ୍ୟାଂତା

ଅଗଣା ଖତ କୁଢ଼କୁ ତୁମ୍ଭେ ନିକାଉ ଥାଅ ସର୍ବଥା।୧୯।

ପାମର ଅଗ୍ୟାନ ତୁମ୍ଭେ ଅଟ ଗାଈ ଚୋରା

ସବୁରି ଉତ୍ତିଷ୍ଟ କାଢ଼ି ଦେଉଥାଅ ଛଡ଼ା ଯେ ପୟେଂରା ।୨୦।

ଧୃତୀରୁଦ୍ର ବୋଲିଣ ୟେକଇ ଭ୍ରାଥେକ

ଋଷିଂକି ବିନୋୟୀ ସେ ବୋଇଲେ ଅନେକ ।୨୧।

ତୁ ୟେଡ଼େ ମହାତ୍ମା ବୋଲି ଆମ୍ଭେ ନୁଆରିଲୁ ଚିହ୍ନି

ଶପ୍ୟକଇଂ ମୁକତ ମୋତ କହିବା ମହାମୁନି ।୨୨।

ଗାଈ ଗୋଟି ଘେନି ଗୋଡ଼ାଇଲେ ଋଷିଂକ ପଛେ ବିକଳେ

ବୋଇଲେ ଦୁରାପଦ ଶାପ୍ୟ ଆମ୍ଭନ୍ତ ଦିଲୁ କୃପାଜଳେ

ୟେକାଦଶ ରୁଦ୍ରଯାଇଂ ଓଗାଳିଲେ କୃପାଜଳେ ।୨୩।

ବୋଲନ୍ତି ତୁମ୍ଭେ ଯେ ଧାର୍ମିକ ବିବେକ ତପୋବନ୍ତ ମହାମୁନି

ଦୁଷ୍ଟଂକର ଦୋଷ ସ୍ୱାମୀ ତୁମ୍ଭେ କିଂପେ ଘେନି ।୨୪।

ନ ଜାଣି ତୁମ୍ଭନ୍ତ ଦ୍ରୋହ କଲେ ମୋହର ଯେ ପୋୟେ

ଯୁଗତେ ଶିଶୁଭାବ ବାଳୁତ ୟେ ତନୟେ ।୨୫।

ବେଳକ ମହାତମା ହୋ କିଂପେ ନ କଲ ଉପେକ୍ଷା

ଶାପକୁ ମୁକତ ତୋହର ୟେବେ ହୋଉ ମନ ବାଞ୍ଛା ।୨୬।

ୟେକାଦଶ ଋଦ୍ରଂକର ଭଗତେଣ କରି

ପୁତ୍ରନ୍ତ ସଦୟେ କଲେ କୃପାଜଳ ବ୍ରହ୍ମଚାରୀ ।୨୭।

ବୋଇଲେ ତ୍ରେତୟା ଯୁଗେ ତୁମ୍ଭେ ଚାଣ୍ଡାଳ ଘରେ ଥିବ

ହସ୍ତିନାରେ ଛେରା ପୟେଂରା କରି ଯୁଗେକ ବହିଯିବ ।୨୮।

ତ୍ରେତୟା ଯୁଗ ଅନ୍ତରେ ହୋଇବ ଦ୍ୱାପର ନାମେ ଯୁଗ

ସୋମବଂଶେ ଉପୁଜିବେ ଯୁଝେଷ୍ଠି ଦେବ ଜମ୍ବୁଦ୍ୱୀପ ମହୀଭାଗ ।୨୯।

ରାଜୁସି ଯାଗ ଯେ ସେ କରିବେ ଆରୋପଣ

ତହାଂକର ପୁରେ ପ୍ରବେଶ ହୋଇବେ ପୃଥିର ରାଜାଗଣ ।୩୦।

ସେ ରାଜାଗଣଂକର ଭୋଜନର ସ୍ତାନେ

ତହିଂ ତୁମ୍ଭେ ଛଡ଼ାପୟେଂରା କରିବ ପ୍ରତିଦିନେ।୩୧।

ସେ ମହାଯାଗେ ଖଟିବ ତୁମ୍ଭେ ଛଡ଼ ଦଶ ଦିବସ

ତହିଂରେ ସେ ପାର ଯିବ ତୁମ୍ଭର ଗୋରୁଚରା ଦୋଷ ।୩୨।

ଶୁଣ ହୋ ବଇବସୁତମନୁ ତୁମ୍ଭେ ରାଜୁସି ଯାଗାର ମହିମା

ତହିଂକି ବାଟ ଚାହୁଂଥିଲେ ସେ ଚଉର୍ଯ୍ୟ ରୁଦ୍ର ମହାତମା ।୩୩।

ସୁବର୍ଣ୍ଣର ପୟେଂରା ସେ ବୀରେ କରେଛନ୍ତି ଧରି

ସେ ରାଜୁସି ଯାଗ ସ୍ତାନ ଛଡ଼ା ପୟେଂରା କରି।୩୪।

ସୁବର୍ଣ୍ଣ କପୋରାରେ ଗୋମଳ ନୀର ଚକଟି

ଅଷ୍ଟ ଉତ୍ତର ଶତେ ଭ୍ରାଥ କରନ୍ତି ତହିଂ ବୃଷ୍ଟି ।୩୫।

ମେରୁଶୂଳ ଦହନ କରନ୍ତି ଉତ୍ତିଷ୍ଟ ପତ୍ରମାନ

ମେଘେ ବୃଷ୍ଟି କରି ସେ ଭୂମି କରନ୍ତି ଧୋୟନ ।୩୬।

ୟେକାଦଶ ରୁଦ୍ରଂକର ସେ ପୁତ୍ର ଅଷ୍ଟଉତ୍ତର ଶତେଲାଭ

ସେ ଭୂମି ପୟେଂରି ଗୋମୟେ ଛଡ଼ା ଦେଇ ।୩୭।

ୟେସନେକ ସମ୍ଭର୍ବ ସେ ଭୋଜନ ସ୍ତାନର କଥା

ବଇବସୁତ ମନୁଂକୁ କହନ୍ତି ଅଗସ୍ତି ବ୍ରହ୍ମବେତ୍ତା ।୩୮।

ମନୁ ପୁଚ୍ଛା କଲେ ଶୁଣିମା ଅଗସ୍ତିୟେ

ଯାଗର ବାରତା ମୋତେ କହିବା ସଂଦେହେ ।୩୯।

ବଦୟନ୍ତି ଅଗସ୍ତି ଯେ କୁମ୍ଭଋଷିର ବାଳ

ମହା ଯାଗର ବାରତା ତୁ ଶୁଣ ହୋ ମହୀପାଳ ।୪୦।

ଭୋଜନ ସମ୍ପଦମାନ ସମସ୍ତ କରାଇ

ଯାଗଶାଳେ ବିଜେକଲେ ଯୁଝେଷ୍ଠି ଦେବେ ଯାଇଂ ।୪୧।

ବଶିଷ୍ଠ ପଉଲସ୍ତି ମାରକଣ୍ଡ ବିଶ୍ୱାମିତ୍ରେ

ସମସ୍ତ ଋଷିଙ୍କ ଚରଣେ ଯୁଝେଷ୍ଠି ହୋଇଲେ ପ୍ରଣପତ୍ୟ ।୪୨।

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ଯାହାକୁ ଯେ ବିଧି ବରଣ ସମ୍ପାଦ ।୪୩।

ଆସନ ସମାର୍ଜନ ପାଦାସନ ନଇବେଦ୍ୟ ଗନ୍ଧ ଯେ ଚନ୍ଦନ

ଧୂପ ଦୀପ ନବତନ ବସ୍ର ଆଚ୍ଛାଦନ ।୪୪।

ବିପ୍ରବରଣ କର୍ମେଣ ଯେସନେକ ପୂର୍ବୋକ୍ତ ବିଧି

ଆପଣେ ଧର୍ମରାୟେ କରନ୍ତି ସଂସିଦ୍ଧି।୪୫।

ଯାଗ କୁଣ୍ଡ ପ୍ରତିଷ୍ଠା କରନ୍ତି ଯାଗନିକେ

ହରିର୍ଭାବ ସମାପତ କରନ୍ତି ଧର୍ମ ଲୋକେ ।୪୬।

ସୁବର୍ଣ୍ଣର ପବିତ୍ରା ଯେ ସୁବର୍ଣ୍ଣ ଉତ୍ତରାକ୍ଷି

ଯାଗ କର୍ମଣ ବାକ୍ୟେ ଯୁଝେଷ୍ଠି ଦେବ ବାଛି ।୪୭।

କରେ କୁଶବଟୁ ଡାହାଣ ବ୍ରତେକ ଶଂଖେ ଜବ ତିଳପାଣି

ବାମପାଖେ ଜିଘ୍ନସେନୀ ଯେ ଦ୍ରୁପଦ ଦୁଲଣୀ ।୪୮।

କୁଶଆସନ କୁଶହସ୍ତ ହୋଇଣ ଦଣ୍ଡଧାରି

ଧଉମ୍ୟ ପୁରୋହିତ ମୂଳେ ସମସ୍ତ ବାକ୍ୟ ଉଚ୍ଚାରି ।୪୯।

ଗହଳେ ବେଦ ଆଧ୍ୟାନ କରନ୍ତି ବିପ୍ରମାନେ

ଯଥାବିଧି ବାକ୍ୟେ କରନ୍ତି ଆଶିଷ୍ୟ ବିଧାନେ ।୫୦।

ଅଗ୍ନି ଆଚ୍ଛାଦନ ସ୍ୱାହା ସ୍ୱଧା ମୂଳେ

ଅଷ୍ଚାଦଶ ପ୍ରତିସମିଧ ମନ୍ତ୍ରବଳ ବରଣ କାଳେ ।୫୧।

ପ୍ରାଣତ୍ୟାଜ ବିଶ୍ୱାନର କାଳାନଳ ପିଙ୍ଗଳ ଜାଳା

ଜାତ ଅନଳମୂଳେ ପଞ୍ଚଋଦ୍ର କଳା ।୫୨।

ଆୟୁର ଜ୍ୟୋତିର ଧନୁର ଶିଶୁମୁନା ଅଜପା ମନ୍ତ୍ରେ

ଯଥା ମନ୍ତ୍ରବାକ୍ୟ ଉଚ୍ଚାରଣ କରନ୍ତି ପୁରୋହିତେ ।୫୩।

ଆହୋ ମନୁରାଜା ଜଟୀ ହଟି ବଟି ସାମୁଟି

ୟେହାଂକର ମୂଳେ ଯେ ଅଷ୍ଟାଦଶ ସମିଧ ଖଟି ।୫୪।

ଜାତ ଅଗ୍ନି ଶମୀ ସମିଧ ବୃତ୍ତାନ୍ତ

ୟେହାନ୍ତ ମୁଖ୍ୟ କରି ଷୋଳଲକ୍ଷ ଔଷଧାନ୍ତ ।୫୫।

ମାରକଣ୍ଡ ବଶିଷ୍ଠ ପଉଲସ୍ତି ସୁଦେବ

ବିଜୟେ ଜାଗନିକ ଯେ ଯାହାର ଠାବ ।୫୬।

ଅଙ୍ଗନ୍ୟାସ କରନ୍ୟାସ ଆତ୍ମଶୋଧନ ସମାପତ

ବ୍ରହ୍ମା ବରଣେ ବରିଲେ ଅଷ୍ଟକୁଳା ନାଗନ୍ତ ।୫୭।

ୟେହାନ୍ତ ପଞ୍ଚାମୃତ ନଇବେଦ୍ୟ ସାରି

ବଶ୍ୟାନର ମୂଳେ ପଞ୍ଚଅଗ୍ନି ବରି ।୫୮।

ଗୁଆଘୃତ ଆରୋପଣେ ପ୍ରୋକ୍ଷଣୀ ସୋରା

ଅଷ୍ଟାଦଶ ବହନି ଯେ ଦ୍ୱାଦଶ ଦୋହୋରା ।୫୯।

ଯଗ୍ୟକୁଣ୍ଡ ସମାର୍ଜନ କରନ୍ତି ମାରକଣ୍ଡେ

ଅଗ୍ନିଦେବତାଂକୁ ବିଜେ କରାଇଲେ ନେଇ ଯାଗକୁଣ୍ଡେ ।୬୦।

ପ୍ରଥମ ଆହୁତି ବଶ୍ୟାନର ମୂଳେ

ସ୍ରୋହା ଛାଡ଼ିଲେ ନେଇ ଅଗ୍ନି ଦେବତାଂକ ଗର୍ଭସ୍ଥଳେ ।୬୧।

ଘଟଣ ଆହୁରି ଯେ ପାତିଲେ ଦେବ ଧର୍ମେ

ସ୍ୱାହା ସ୍ୱାଧା ମନ୍ତ୍ରେ ଯେସନେ ନିତ୍ୟକର୍ମେ ।୬୨।

ସ୍ରୋହା ପୂରୋଇଣ ଛାଡ଼ିଲେ ମୁନି ଘୃତ

ପଞ୍ଚଜନ୍ୟ ଶଂଖ ଧୁନି କରନ୍ତି ଅଚ୍ୟୁତ ।୬୩।

ବ୍ରାହ୍ମଣଗଣମାନେ କରନ୍ତି ବେଦଧୁନି

ମଙ୍ଗଳ ସୀଉକାର ଗାବନ୍ତି କାମିନୀ ।୬୪।

ଦ୍ୱାରେଣ ମଙ୍ଗଳ ଯେ ଡାକନ୍ତି ଚଣ୍ଡପୁତ୍ରେ

ଗ୍ରହଶାନ୍ତି ମନ୍ତ୍ର ଯେ ଜପନ୍ତି ପଣ୍ଡିତେ ।୬୫।

ଘୃତ ଆପ୍ୟାନେ ଯେ ବିକାଶନ୍ତି ଅନଳ

ଯୁଝେଷ୍ଠିଦେବ ଛାଡ଼ିଲେ ଆଜୋଳିୟେ ତଣ୍ଡୁଳ।୬୬।

ବ୍ରାହ୍ମଣଗଣମାନେ କରନ୍ତି କଲ୍ୟାଣ

ଧର୍ମ ପ୍ରାପତ ହୋଉ ବୋଲି ବୋଲନ୍ତି ବିପ୍ରଗଣ ।୬୭।

ଅଗ୍ନି ନିତେଜ ଦେଖିଣ ବଦନ୍ତି ଦୁର୍ଭାସା

ବ୍ୟାସଂକୁ ପ୍ରତିଉତ୍ତର ଦିଲେ ଅଗ୍ନିର ନାହିଂ ଅବକାଶା।୬୮।

ଭୋ ବ୍ୟାସେ ତୋହୋର ପରା ମହଋଷି ଦିଲୁ ପ୍ରଥମ ଆହୁତି

ଅଗ୍ନିଶିଖା ନ ଘେତିଲା ନାହିଂ ଲୋହିତବର୍ଣ୍ଣ ମୂର୍ତ୍ତି ।୬୯।

ମାରକଣ୍ଡେ ବୋଇଲେ ମକରମାସ ଅନ୍ତେ ଶତେ କିରଣ ଘେନିଉଦେ

ତାହାଂକର ତେଜେ ଅଗ୍ନି ଶୁକଳବର୍ଣ୍ଣ ଦିଶନ୍ତି ହାଦେ ।୭୦।

ବଶିଷ୍ଠେ ବୋଇଲେ ହାଦେ ହୋ ନୁହଇ ୟେମନ୍ତ

ୟେ ମହାଅନଳ ଆହୁତିରେ କି ସତେଜ ଆଦିତ୍ୟ ।୭୧।

ଆପଣେ ଯାଗନିକ ଯହିଂ ବ୍ୟାସ ବଶିଷ୍ଠ ମାରକଣ୍ଡ

ତହିଂ କିସ ଆଦିତ୍ୟ ରଶ୍ମି ତେଜ ବ୍ରହ୍ମାଣ୍ଡ ।୭୨।

ନାରଦେ ବୋଇଲେ ତୁମ୍ଭେ ନ କହ ଯଥାର୍ଥ କଥା

ମହଋଷି ହୋଇ ତୁମ୍ଭେ ନ ଜାଣ ଗତ ଆଗତ ବାରତା।୭୩।

ଦୁର୍ଭାଷା ବୋଇଲେ ତୁମ୍ଭେ କଳହପ୍ରିୟା ମୁନି

ଭୂତ ଭବିଷ୍ୟ ବାରତା ତୁମ୍ଭେ ଜାଣୁ ଭୂବନ ତିନି ।୭୪।

କେମନ୍ତ ଅଗ୍ନି ଦେବତାଂକର ଯେ ନ ଦିଶିଲା ଶିଖା

ଶାସ୍ତ୍ରବାକ୍ୟେ ମୁନି ମୋତେ ବିଚାରିଣ ଦେଖା ।୭୫।

ନାରଦେ ବୋଇଲେ ମୁଂ ଅଟଇ କଳହ ପ୍ରିୟା

ମିଥ୍ୟା ନ କହିଣ ଯେ ସତ୍ୟହିଂ କହଇ ଯାହା ।୭୬।

ଆହୋ ମୋହର ସତ୍ୟ କହନ୍ତେ ନିଶ୍ଚୟ ଲାଗଇ କଳି

ତେଣୁକରି ମୋତେ କଳହ ପ୍ରିୟା ବୋଲି ।୭୭।

ମାରକଣ୍ଡ ବୋଇଲେ ତୁମ୍ଭେ ଦେବ ଡଗର ଯଥାର୍ଥ

ସମସ୍ତ ଦୃଶ୍ୟ ତୁମ୍ଭନ୍ତ ଭୂତ ଭବିଷ୍ୟ ବାରତ ।୭୮।

ନାରଦେ ବୋଇଲେ କହିବା ସତ୍ୟ ବାକ୍ୟ ଗୋଟି

ଅପୁତ୍ରିକ ରାଜା ଯେ ଅଟଇ ଧର୍ମରାଜା ଯୁଝେଷ୍ଠି ।୭୯।

ସନ୍ତାନ ଅଭାବ ଧର୍ମ ହୋଅଇ ହାନୀ

ତେଣୁକରି ଅଗ୍ନି ଦେବତା ଆହୁରି ନ ଘେନି ।୮୦।

ରାଜା ହୋଇକରି ଅପୁତ୍ରିକ ହୋଇଲେ

ଇନ୍ଦ୍ର ଦେବତା ରାଜ୍ୟ ନ ପାଳଇ ଭଲେ ।୮୧।

ରାଜା ହୋଇ ଯେବେ ପୁତ୍ର ନ ଥାଇ କୋଳେ

ବସୁଧା ଫଳଦାୟକ ନ ହୁଅଇ ଭଲେ ।୮୨।

ରାଜା ହୋଇକରି ଅପୁତ୍ରିକ ହୋଇଲେ

ମେଘ ତହିଂ ପୃଥୀ ଯେ ନ ପାଳନ୍ତି ଭଲେ ।୮୩।

ରାଜା ହୋଇକରି ସନ୍ତତି ଯେବେ ନାହିଂ

ଅଗ୍ନି ଦେବତା ହବିର୍ଭାଗ ନ ଘେନଇ ।୮୪।

ରାଜା ହୋଇକରି ଅପୁତ୍ରିକ ହୋଇଲେ

ପିତୃଲୋକ ହବିର୍ଭାବ ଆହୁରି ନ ପାବନ୍ତି ଭଲେ ।୮୫।

ଅପୁତ୍ରିକ ହୋଅଇ ଯେବଣ ଦେଶ ରାଜା ।

ଅନେକ ଦୁଖିତ ସେ ରାଜ୍ୟ ଜନପ୍ରଭା ।୮୬।

ରାଜା ହୋଇକରି ଯେବେ ସେ ହୋଅଇ ଅପୁତ୍ରିକ

ପାତ୍ର ଅମାନାତ୍ୟେ ତାରେ କେହି ନ ପାବନ୍ତି ସୁଖ।୮୭।

ଅପୁତ୍ରିକ ହୋଇକରି ଯେଉଣ ନୃପତି

ଦେବତା ବ୍ରାହ୍ମଣେ ଯେ ନ ଘେନନ୍ତି ଭଗତି ।୮୮।

ଯୁଝେଷ୍ଠି ଦେବ ଅପୁତ୍ରିକ ପୁତ୍ର ତାହାଂକର ନାହିଂ

ଅଗ୍ନି ଦେବତା ଆହୁତି ପରିଛ ୟେହାର କାହିଂ ।୮୯।

ନାରଦଂକର ତହୁଂ ନିଷ୍ଠୁର ବାକ୍ୟ ଶୁଣି

ଥମ୍ଭୀଭୂତ ହୋଇ ବସିଲେ ଚକ୍ରପାଣି ।୯୦।

ନାରାୟଣ ଥମ୍ଭୀଭୂତେ ହସିଲେ ବ୍ୟାସ ସହାଋଷି

ନାରଦଂକ ବଚନ କେହୁ କରିବ ମିଥ୍ୟାଭାସି ।୯୧।

ଯୁଝେଷ୍ଠି ଅପୁତ୍ରିକ ହୋଇଲେ କେବଣ ଅର୍ଥେ

ୟେକ ଆତ୍ମା ଅଟନ୍ତି ନା ପାଣ୍ଡବ ପଞ୍ଚୁଭ୍ରାଥେ ।୯୨।

ପ୍ରଥମ ବନବାସେ ହିଡ଼ମ୍ବକ ବନେ

ହିଡ଼ିମ୍ବିକୀ ପ୍ରଦାନ ହୋଇଲେ ଭୀମସେନେ।୯୩।

ବଜ୍ରକପଚର ନନ୍ଦନୀ ଅଟନ୍ତି ଅନାଦି ଅପର୍ଣା

ଅନାଦି ମାହେଶ୍ୱରି ନିରଞ୍ଜନୀ ରୂପେ ସିନା ।୯୪।

ସେହି ହିଡ଼ିମ୍ବିକୀ ତହିଂ ଭୀମସେନର ବୀର୍ଯ୍ୟେ

ଘଟ ଉତ୍କଟ ନାମେ ଯେ ଉପୁଜିଲା ଆତ୍ମଜେ ।୯୫।

ଭୀମସେନର ଜ୍ୟେଷ୍ଠପୁତ୍ର ଯୁଝେଷ୍ଠିଂକର ବଳା

କେମନ୍ତେ ଯୁଝେଷ୍ଠି ଦେବ ଅପୁତ୍ରିକ ହୋଇଲା ।୯୬।

ନାରଦେ ବୋଇଲେ ଯାହା ସତ କହିଲ ବ୍ୟାସେ

ଅଗ୍ନି ବରଣେ ନାହିଂ ଘଟଉତ୍କଟ ଯୁଝେଷ୍ଠି ଦେବଂକ ପାଶେ ।୯୭।

ମହାଶାସ୍ର ବକତା ହୋଇ କିଂପେ ବ୍ୟାସ ହୋଇଲେ ବଣା

ୟେ ମହାଯାଗ ଥାନକୁ ଘଟଉତ୍କଟକୁ ବହନ କରି ଅଣା ।୯୮।

ନାରାୟଣେ ଆଗ୍ୟାଂ ଦିଲେ ସେ ଭୀମସେନକୁ

ହୃତଗତେ ଚିନ୍ତ ତୋହର ପୁତ୍ର ଘଟଉତ୍କଟକୁ ।୯୯-୧୦୩୭୩।

 

ଘଟୋତ୍କଚକୁ ସଭାକୁ ଆନୟନ ଓ
ହିଡ଼ିମ୍ବିକୀ ସହିତ ଦ୍ରୋପଦୀର କଳହ

ନରାୟଣ ବଚନେ ସେ ପାଣ୍ଡବ ମାରୁତି

କୁମାର ନାମ ଧରିଣ ହୃଦଗତ ଚିନ୍ତି ।୧।

ହସ୍ତିନାକୁ ହିଡ଼ିମ୍ବକ ବନ ସହସ୍ର ଯୋଜନ

ଆସନ କମ୍ପିଲା ଘଟଉତ୍କଟର ହିଡ଼ମ୍ବିକୀର ନାନ ।୨।

ପଚାରଇ କୁମାର ମାତାର ଅଗ୍ରତେ

ମାଗୋ ୟୋ ମୋହୋର ଆସ୍ତାନ କିମ୍ପେ କଂପିଲା ଅଦଭୂତେ ।୩।

ନନ୍ଦନର ବଚନେ ହୃଦଗତେ ଉପଲେଖି

ଘଟଉତ୍କଟ ଅଗ୍ରତେ କହଇ ହିଡ଼ିମ୍ବିକୀ ।୪।

ବାବୁ ସୋମବଂଶେ ରାଜା ଧର୍ମ ଯେ ଯୁଝେଷ୍ଠି

ଭୀମସେନ ବୋଲିକରି ତାହାଂକର କନିଷ୍ଠ ଭ୍ରାଥ ଗୋଟି।୫।

ରାଜାନ୍ତ ବରି ରାଜୁସି ଯାଗ କରନ୍ତି ଆରୋପଣ

ତହିଂର ନିମନ୍ତେ ତୋତେ କଲେକ ନିମନ୍ତ୍ରଣ ।୬।

ତଲୟେ କରି ଚିନ୍ତିଲେ ତୋହୋର ପିତା ଭୀମସେନ

ଘଟଉତ୍କଟ ବୋଇଲା ମାଗୋ ଯିବଇଂ ୟେହିକ୍ଷଣ ।୭।

ପୁତ୍ର କୋଳେ ବସାଇ ବୋଲଇ ହିଡ଼ିମ୍ବିକୀ

କିସ ଦ୍ରବ୍ୟ ଘେନି ମାତା ଗୋ ମୁଂ ଯିବଇଂ ତହିଂକି ।୮।

ହିଡ଼ିମ୍ବିକୀ ବୋଇଲା ବାବୁ ତହିଂ ରୁଣ୍ଡ ହୋଇଛନ୍ତି ଲକ୍ଷେକ ମହାରାଜା

ବଡ଼ାଇ ସମ୍ଭର୍ବେ ଯାଇଂ ତୁହିଂ କରିବୁ ପାଦପୂଜା ।୯।

ସହସ୍ରେକ ରଥେ ପୁଣ ପୁରୋଇଣ ପାଣିଦ୍ରବ୍ୟ

କସ୍ତୁରୀ ସହସ୍ରେ ଜିଆଦ ଯେ ଲକ୍ଷେକ ଜୀବ ।୧୦।

ଲକ୍ଷେକ ଭାର ଯେ ସୁଗନ୍ଧି ଗଣ୍ଠିଅନା

ଲକ୍ଷେକ ଭାର ପୁଣି ଅଗର ଚନ୍ଦନା ।୧୧।

ୟେତେକ ଘେନି ସଜ ହିଡ଼ମ୍ବିକୀର ବାଳ

ଲକ୍ଷେକ ଭାର ଘେନିଲା ଫକୁ ଚୂତଫଳ ।୧୨।

ସଙ୍ଗେ ନିଶାଚର ବଳ କୋଟିୟେକ ରଥୀ

ବିରାଜନ୍ତି ମୁକୁଟେ ବାଳ ଆଦିତ୍ୟର ଜ୍ୟୋତି ।୧୩।

ମକରମାସ ଶୁକ୍ଲପକ୍ଷ ତୃତୀୟା ଚନ୍ଦ୍ରବାର

ଶତଭିକ୍ଷା ନକ୍ଷତ୍ରକୁ ଭୋଗ ସେ ଦିନର ।୧୪।

ହିଡ଼ିମ୍ବିକୀର ଚରଣେ କୁମର ଓଳଗ ମେଲାଇ

ତାରଣୀ ନଦୀକୂଳେ ଯାଇଂ ଠାଥ ଯେ ଚଳାଇଂ।୧୫।

ଥୋକାୟେକ ହିଡ଼ିମ୍ବିକୀ ଆସଇ ପାଛୋଟି

ବାବୁ ହୃଦଗତେ ଧରିଥିବୁ ମୋହୋର ବାକ୍ୟ ଗୋଟି ।୧୬।

ଯାଆନ୍ତେଣ ବାଟେ ଭେଟିବୁ ତୋହର ତାତ ଭୀମସେନ

ପିତାଂକୁ ନମସ୍କାର କରିବୁ ପ୍ରଥମେ ।୧୭।

ଦୁଜେଣ ପ୍ରଣିପତ୍ୟ କରିବୁ ବାସୁଦେବ

ତିଜେଣ ବ୍ୟାସଂକୁ ନମସ୍କାର କରି ମହାଯଗ୍ୟଂଠାବ ।୧୮।

ଚତୁର୍ଥେଣ ନମସ୍କାର କରିବୁ ଯୁଝେଷ୍ଠିଂକି

ଆନ କାହାକଇଂ ନମସ୍କାର ନୋହିବୁ ବୋଇଲେ ହିଡ଼ିମ୍ବିକୀ ।୧୯।

ବାବୁ ହିଡ଼ମ୍ବେକ-ବନର ଅଟ ତୁ ଠାକୁର ଅଭିଷେକ ମୂର୍ଦ୍ଧନା

ମାନବ କୁଳକୁ ଅଟୁ ତୁ ଦେବତା ସମାନ ସିନା।୨୦।

ଘଟଉତ୍କଟ ବୋଇଲା ମାଗ ଅଧର୍ମ କହିଲୁ

ହିଂସା କରି ମାଗୋ ମତେ ନିଷେଧିଲୁ ।୨୧।

ମାଗୋ ଯୁଝେଷ୍ଠି ଦେବଂକ କୋଳେ ଥିବେ ଦ୍ରୁପଦ ଦୁହିତୀ

ତାହାଂକୁ ନମସ୍କାର କରନ୍ତି ଗୋ ଲକ୍ଷେକ ନୃପତି।୨୨।

ବ୍ରାହ୍ମଣ ରାଜାର ସେ ଯେ ଅଟନ୍ତି କୁମାରୀ

ମହା ଜିଘ୍ନସେନୀ ସେ ଯେ ଅନାଦି ମାହେଶ୍ୱରୀ ।୨୩।

ଯୁଝେଷ୍ଠି ଦେବହୁଂ ସେ ଅଟନ୍ତି ଗରୁହଂସୀ

ତାହାର କୋପ କଲେ ମୋହୋର ଶରୀର ହୋଇବ ଧ୍ୱଂସି ।୨୪।

ତୋହୋର ଅଟଇ ମାଗୋ ସପତଣୀ ହିଂସା

ତେଣୁକରି ନ ଛାଡ଼ିଲୁ ଗୋ ତୋହର କଳଂକ ମନୀଷା ।୨୫।

ହିଡ଼ିମ୍ବିକୀ ବୋଇଲେ ତୁ ଯେ ହିଡ଼ିମ୍ବକ ବନେ ଆଧିପତି

ମହାବ୍ରହ୍ମବେତ୍ତା ବଜ୍ରକପଚର ନାତି ।୨୬।

କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ଅଭିଷେକ କରିଅଛି ୟେ ତୋହର ଶରୀର ।୨୭।

ପାଣ୍ଡବନ୍ତ ନମସ୍କାର ତୋହୋର ନ ଯୋଗାଇ ଯୁଗତେ

ସ୍ତ୍ରିରୀଂକି ନମସ୍କାର ତୁ କରିବୁ କେମନ୍ତେ ।୨୮।

ତୁହି ଯେ ବୋଇଲୁ ମୋତେ ସେହୁ ଯାଗରୁ ଉତପତ୍ତି

ସ୍ତ୍ରିରୀକୁଳକୁ ଦୂଷିତ ସେ ଅଟଇ ଅସତୀ ।୨୯।

ବାବୁ ୟେକା ପୁରୁଷକୁ ପାଞ୍ଚସ୍ତରୀ ଅଟଇ ଯୁଗତେ

ସ୍ତିରୀହୋଇ ପାଞ୍ଚ ପତି ଗଛଇ କେମନ୍ତେ ।୩୦।

ବାବୁ ଛାର ନିଲକ୍ଷଣୀ ପାମରୀ ସେ ଅଟଇ ଅସତୀ

ତାହାକଇ ନମସ୍କାର କଲେ ଆଷ୍ୟ କ୍ଷୟେ ହ୍ୱନ୍ତି ।୩୧।

କୁମାର ଭୟ ଦେଖି ବୋଲଇ ହିଡ଼ିମ୍ବକୀ

ବାବୁ ତୁ ଯେବେ ଭୟେ କଲୁ ପୁତ୍ର ମୁହିଂ

ତୋହୋର ସଙ୍ଗତେ ଯିବି କି?।୩୨।

ସୁତକଇଂ ଘେନି ସେ ବଜ୍ରକପଚର କୁମାରୀ

ଅସୁରୀ ରୂପ ତେଜି ଅଇଲା କାମସେଣା ରୂପ ଧରି ।୩୩।

ଆକାଶେଣ ଓଷ୍ଠ ମଞ୍ଚେଣ ତାର ଦୃଷ୍ଟି

ଗର୍ଭର ଭିତରେ ଭରିଲା ଅସୁର ରଥ କୋଟି ।୩୪।

ବିଶ୍ୱରୂପ ଧରିଣ ଯହୁଂ ଆସଇ ହିଡ଼ିମ୍ବିକୀ

ଶୂନ୍ୟ ପୁରୁଷେ ତ୍ରାସିଲେ ତାହାର ରୂପ ଦେଖି ।୩୫।

ଆଦିତ୍ୟ ଦେବତା ଆକାଶେ ହୋଇଲେ ଉହାଡ଼େ କରି

ଶୂନ୍ୟ ପୁରୁଷମାନେ ଗଲେ ଅନ୍ତରୀକ୍ଷ ପୁରୀ।୩୬।

ପୁତ୍ରର କୋଟିୟେ ରଥ ଭରିଲା ହିଡ଼ିମ୍ବିକୀର ଗର୍ଭଗତେ

ଶୂନ୍ୟ ଭୂବନ ଘୋଟିଣ ଆସଇ ଶୂନ୍ୟପଥେ ।୩୭।

ଭୀମସେନର ମୁଖ ଚାହିଂ ବଦୟନ୍ତି ଶ୍ରୀବତ୍ସି

ଆହୋ ପୁତ୍ରକଇଂ ଘେନି ତୋର ହିଡ଼ିମ୍ବିକୀ ଆସୁଅଛି ।୩୮।

ଯୁଝେଷ୍ଠି ପୁଚ୍ଛାକଲେ ମନ୍ତ୍ରୀ ସହଦେବର ଅଗ୍ରତେ

ବାବୁ ଆଦିତ୍ୟ ଦେବତା ଅଦୃଶ୍ୟ ହୋଇଲେ କେବଣହିଂ ଅର୍ଥେ।୩୯।

କରପତ୍ର ଯୋଡ଼ିଣ କହଇ ମଦନା ଦେବୀର ବଳା

ଆଦିତ୍ୟ ଦେବତା ତେଜ ତହୁଂ ହିଡ଼ିମ୍ବିକୀର ତେଜ ଅନର୍ଗଳା ।୪୦।

ସ୍ୱାମୀ ୟେ କୋଟିୟେ ରଥ ପୁତ୍ରର ଗର୍ଭଗତ କରି

ତାହାତ ତେଜେ ଅଦୃଶ୍ୟ ହୋଇଲେ ଗଗନବିହାରୀ ।୪୧।

ଭୀମସେନକଇଂ ବକାରି ବଦୟନ୍ତି ଜଗନ୍ନାଥେ

ଆସୁଅଛି ଘଟଉତ୍କଟ ତାହାର ମାତାର ସହିତେ ।୪୨।

ଆହୋ ମହାଭୀଷ୍ମ ରୂପ ଧରି ଯେ ଆସଇ ହିଡ଼ିମ୍ବିକୀ

ମାନୁଷେ ତ୍ରାସିବେ ନା ତାହାର ରୂପ ଦେଖି ।୪୩।

ଥୋକାୟେକ ଦୂର ବ୍ରିକୋଦର ତୁମ୍ଭେ ଯାଅନି ପାଛୋଟି

ପ୍ରବୋଧନା କରି ଘେନ ଆସ ତୋହୋର ପୁତ୍ର ଗୋଟି ।୪୪।

ଚଳଇ ମାରୁତି ନାରାୟେଣଂକ ବଚନେ

ମନୁମଥ ପର୍ବତେ ଯାଇଂ ଭେଟିଲା ଭୀମସେନ ।୪୫।

ସ୍ୱାମୀର ବଦନ ସେ ନିରୋପିଣ ହିଡ଼ିମ୍ବିକୀ

ତେଜିଲା ଭୀଷ୍ମରୂପ ହୋଇଲା ଦନ୍ଦ୍ରମୁଖୀ ।୪୬।

କାମସେଣାର ପ୍ରାୟେକ ସ୍ତିରୀୟେକ ହୋଇଂ

ଭୀମସେନର ପାଦଗତେ ପ୍ରଣପତ୍ୟ କଲା ଯାଇଂ ।୪୭।

ଘଟଉତ୍କଟ ପ୍ରଳମ୍ବ କରଇ ପିତାର ପାଦତଳେ

ରଥ ଛାଡ଼ି ନିଉଛାଳି କଲେ ରାକ୍ଷସ ସନ୍ୟବଳେ ।୪୮।

ପୁତ୍ରକଇଂ କୋଳକରି ସେ ପାଣ୍ଡବେ ପଞ୍ଚାଳ

ଭୀମସେନ ପଚାରଇ ବାରତା କୁଶଳ ।୪୯।

ସକଳ ଶୁଭ ବୋଲି ବୋଇଲା ତାହାର କୁମର

ତହୁଂ ହିଡ଼ିମ୍ବିକୀକି ସମ୍ବୋଧନା କଲେ ବ୍ରିକୋଦର ।୫୦।

ରାକ୍ଷସବଳ ସନ୍ୟ ରୁହାଇଲେ ବାରୁଣାବନ୍ତ ପର୍ବତେ

ବୋଇଲେ ମଦନସେନ ଅନ୍ନମେଞ୍ଚନ ଆଣି ଦେଉଥିବ ନିତ୍ୟେ ।୫୧।

କୁମାରକୁ ସଙ୍ଗେ ଘେନି ଚଳଇ ପାବେନି

ଦ୍ୱାରେ ରହିଲା ସେ ବଜ୍ର କପଚର ନନ୍ଦନୀ ।୫୨।

ଭିତରେ ପ୍ରବେଶ ସେ ହିଡିମ୍ବିକୀର ବଳା

ନାରାୟେଣଂକୁ ଦେଖି କୁମର ପଦ୍ମପାଦେ ପ୍ରଣପତ୍ୟ କଲା ।୫୩।

ଆଗେଣ ବାସୁଦେବ ଯେ ପଛେଣ ଭୀମସେନ

ମଧ୍ୟେ ଘଟଉତ୍‌କଟ ହିଡ଼ିମ୍ବିକୀର ନନ୍ଦନ ।୫୪।

ବ୍ୟାସ ବଶିଷ୍ଠଂକୁ ସେ ଭେଟିଲା ଯାଗଶାଳେ

ଋଷିମାନନ୍ତ ପ୍ରଣପତ୍ୟ କଲା ହିଡିମ୍ବିକୀକ ବାଳେ ।୫୫।

ରାଜାମାନେ ସମସ୍ତେ ହେଂ ତାହାକଇଂ ନିରେଖିଣ ଦେଖି

ଆହୋ ମାତୁଳ ୟେହାର ହିଡ଼ିମ୍ବକ ମାତା ହିଡ଼ିମ୍ବେକୀ ।୫୬।

ଭୀମସେନ ଠାକୁରେ ହିଡ଼ିମ୍ବକ ନିବାରି

କିମ୍ଭିରୀ କିନ୍ନରୀ ବକ ଦଇତକୁ ସଘାଂରି ।୫୭।

ବଜ୍ର କପଚର ନନ୍ଦିନୀ ଯହୁଂ ଭୀମସେନକଇଂ କଲା ଇଚ୍ଛା

ୟେ ଘଟଉତ୍‌କଟ ଭୀମସେନ ଠାକୁରଂକର ବଚ୍ଛା ।୫୮।

ସମସ୍ତେ ସାନନ୍ଦ ହେଲେ ତାହାକଇଂ ଚାହିଂ

ଅଦୃଷ୍ଟି ଅଶୃତି ୟେହା ଦେଖିଲା ଶୁଣିଲା ଆମ୍ବରତ ନାହିଂ ।୫୯।

ଆସ୍ତାନର ତଳେ ନେଇ ଭେଟାଇଲେ ଜନାର୍ଦ୍ଦନ

ଅନେକ ରତ୍ନ ଘେନି କୁମାର କଲାକ ଦରଶନ ।୬୦।

ପ୍ରତକ୍ଷେ ନିରଞ୍ଜନ ଅବତାର ଯେଉଣ ଦେବସ୍ୱାମୀ

ହିଡ଼ିମ୍ବକ ବନର ଆଧିପତି ଘଟଉତ୍କଟ ପରିଣାମି ।୬୧।

ଜିତ ମହାପ୍ରସାଦ ବୋଲି ଯେ ଆଗ୍ୟାଂ ଅବଧାରୀ

ଛାମୁରେ ଉଭା କୁମାର ଦୁଇ କାଖେ ହାଥ ଭରି ।୬୨।

ଦ୍ରୋପତୀର ମୁଖ ଚାହିଂ କୁମାର କଲାକ ହେଠମାଥ

ଦେଖିଣ କୋପ କଲେ ଦ୍ରୋପଦର ଦୁହିତ ।୬୩।

କୁମରର ଅବିନୟ ଦେଖି କୋପିଲେ ପାଞ୍ଚାଳୀ

ରାଗେଣ ତ୍ରିପଣ୍ଡ ବେନି ନେତ୍ରୁ ଅଶ୍ରୁଜଳ ଗଳି ।୬୪।

ଅଧର କମ୍ପାଇଣ ସେ କ୍ରୋଧେଣ ମାହେଶ୍ୱରୀ

ଘଟଉତ୍‌କଟ ବଦନ ଚାହିଂ ଆଗ୍ୟାଂ ଅବଧାରୀ ।୬୫।

ଆରେ ଘଟଉତ୍‌କଟ ତୁ ମାତାର ବୋଲପାଇଂ

ମୁକୁଇଂ ନମସ୍କାର ନୋହିଲୁ କିସ ପାଇଂ ।୬୬।

ମୁହିଂ ମହାଜିଘ୍ନସେନୀ ଯୁଝେଷ୍ଠି ଦେବକଂର ପାଟବଂଶୀ

ପାଣ୍ଡବହୁଂ ଶତେଗୁଣ ମୁହିଂ ସେ ଅଟଇ ଗୁରୁହଂସୀ ।୬୭।

ବ୍ରାହ୍ମଣ ରାଜା ଦ୍ରୋପଦର ମୁହିଂ ଅଟଇ କୁମାରୀ

ମାତା ନିଲକ୍ଷଣୀ ତୋହୋର ଅଟଇ ଅସୁରୀ ।୬୮।

ମାତାର ବଚନେ ତୁ ଗର୍ବିତ ହୋଇଲୁରେ ଦୁଷ୍ଟ

ମୁକୁଇଂ ନମସ୍କାର କିଂପେ ନ କଲୁରେ ପାପିଷ୍ଠ ।୬୯।

ୟେ ମହାସଭାରେ ମୋତେ ନିନ୍ଦା କଲୁରେ ପାମର

ମୋହୋର ଶାପ୍ୟେ ଅଳ୍ପାୟୁଷ ହୁଅରେ ହି ଛାର ।୭୦।

ମାତା ପାମେରୀ ବାକ୍ୟେ ମୋତେ ତୁହି ହିଂସା କଲୁ

ବିନାଯୁଦ୍ଧେ ତୋହୋର ହୃଦେ ବଜ୍ର ଶକତି ପଡୁ ।୭୧।

ୟେସନେକ ଶାପ୍ୟ ଯହୁଂ ଦିଲେକ ସତ୍ୟ ଉଚ୍ଚାରି

ତ୍ରାସେଣ ଘଟଉତ୍‌କଟ ଯେ ପଳାଇଲା ଘୁଞ୍ଚିକରି ।୭୨।

ଦ୍ୱାରେଣ ଶୁଣୁଥିଲା ତାହା ହିଡିମ୍ବିକୀ ବାଳୀ

ଗଦକୁମାରକୁ ପେଲି ଭିତରେ ପଶିଲା ଜଞ୍ଜାଳୀ ।୭୩।

ଲାଜ ଭୟ ସଂକୋଚ ସେ ସମସ୍ତ ତେଜ୍ୟା କରି

କୋପେଣ ଦ୍ରୋପଦୀକି ଆସି ବଚନ ଅବଧାରୀ ।୭୪।

ଆଲୋ ଦେଖୁ ଦେଖୁ ପାମେରୀ ଅଟୁ ତୁ ଅସତୀ

ୟେକା ସ୍ତିରୀ କି କାହିଂଲୋ ଅଛଇ ପଞ୍ଚୁପତି ।୭୫।

ପୁତ୍ର ମୋହୋର କୋଟିୟେ ପାଟେ ମୂର୍ଦ୍ଧନା ଅଭିଷେକୀ

ତାହାର ତ ନମସ୍କାର ଲୋ ନ ଯୋଗାଇ ସ୍ତିରୀଂକି ।୭୬।

ଅଗ୍ୟାନ ବାଳୁତ ପୁତ୍ରକୁ ମୋର ଲୋ କଲୁ ୟେଡେକ କୋପ

ଗୁଣ ନ ବିଚାରିଲୋ ଅନନୁତେ ଦିଲୁ ଶାପ ।୭୭।

ୟେ ଯେ ସେ ଶାପ୍ୟ ତୋହୋର ନୋହିବ ଅନ୍ୟସ୍ତା

ଯୁଗତେ ସେ ତୋହୋର ପୁତ୍ର ତୁ ତାହାର ମାତା ।୭୮।

ତୋହୋର ଶାପ ତାହାକୁ ହୋଉ ପରମହିତ

ହୃଦଗତେ ଶକତି ପଡ଼ନ୍ତେ ପୁତ୍ରକୁ ମୋହୋର ଅଛିନି କ୍ଷତ୍ରୀବୃତ୍ତ ।୭୯।

ପିଠି କତିକି ଯେବେ ପଡନ୍ତା ଶକତି

କ୍ଷତ୍ରୀକି ଅକାରଣ ହୁଅନ୍ତା ନର୍କଗତି ।୮୦।

ତୁ ତ ଆଣ୍ଠୁକୁଡି ପୁତ୍ର ତୋହୋର ନାହିଂ

ତୁକୁଇ ଶାପ୍ୟ ଅବା ଦେବଇ ମୁହିଂ କାହିଂ ।୮୧।

ଶୁଣ ହୋ ବଇବସୁତ ମନୁ ସେ ହିଡିମ୍ବିକୀର ମହିମା

ଭବିଷ୍ୟକୁ ଶାପ ଦିଲା ବ୍ରିକୋଦରର ବାମା ।୮୨।

ଅବଶ୍ୟ ପୁତ୍ର ପ୍ରାପତ ହୋଇବ ତୋତେ ୟେ ପାଞ୍ଚକରି ବୀର୍ଯ୍ୟେ

କାଳେ ଉପୁଜିବେ ତୋର ପଞ୍ଚୁ ଯେ ଆତ୍ମଜେ ।୮୩।

ମୋହୋର ଶାପ୍ୟକୁ ତାହାନ୍ତ ହୋଇବ ପରମାଦ

ସାତ ସାତ ବରଷେ ପୁତ୍ର ତୋହୋର ହୋଇବେ ଶିରଚ୍ଛେଦ ।୮୪।

ୟେସନେକ ଶାପ୍ୟ ଯହୁଂ ହିଡ଼ିମ୍ବିକୀ ଦିଲା

ସଭାରେ ଦୁଇ ସତୀଂକର କଳି ଯେ ହୋଇଲା ।୮୫।

ଶ୍ରୀଜଗନ୍ନାଥେ ଚାହିଂଲେ ବ୍ୟାସଂକର ମୁଖ

ଭୋବ୍ୟାସ ୟେ ଶାପ୍ୟ ତୋହୋର ଶାହାସ୍ରେ କେମନ୍ତେ
ଅଛି ଦେଖ ।୮୬।

ନାରାୟଣଂକ ବଚେ ବ୍ୟାସେ ଫେଇଲେ ଗ୍ରନ୍ଥ ପୋଥି

ସଭାରେ ଶ୍ରୋତା ହୋଇଅଛନ୍ତି ଲକ୍ଷେକ ନୃପତି ।୮୭।

ଆଗତ ଗ୍ରନ୍ଥ ଯେ କହୁଅଛି ବ୍ୟାସେ

ପୁରାଣ ବାକ୍ୟ ଯେ କହନ୍ତି ଭବିଷ୍ୟେ ।୮୮।

ଶୁଣ ଦେବ ସାବଧାନେ ଜଗନ୍ନାଥ ପରମବ୍ରହ୍ମ ଯୋଗୀ

କୁରୁ ପାଣ୍ଡବେ ଅନ୍ୟୋଅନ୍ୟି ହୋଇବେ କାଳ ଭୋଗୀ ।୮୯।

ପ୍ରଥମେ ସେନାପତି ହୋଇବାକ ହାଦେ ଭୀଷ୍ମେ

ମହାଯୁଦ୍ଧ କରିବେ ସେ ଦଶ ଯେ ଦିବସେ ।୯୦।

ତହିଂର ଉତ୍ତାରେ ସେନାପତି ହୋଇବେ ଗୁରୁ ଦ୍ରୋଣେ

ଦ୍ୱିତୀୟ ଦିବସକ ରାତ୍ରକ ହୋଇବ ଘୋର ରଣେ ।୯୧।

କର୍ଣ୍ଣର ହାଥେ ଥିବ ବଜ୍ର ଯେ ଶକତି

ନନ୍ଦୀଘୋଷ ରଥେ ଥିବ ସାରଥି ହୋଇଥିବ ଦାଶରଥି ।୯୨।

ଘଟଉତ୍‌କଟଇଂ ଚାହିଂ ଚାହିଂ ବୋଲିବେ ହୃଷିକେଶୀ

ନନ୍ଦୀଘୋଷ ରଥ ପଛ କତି ତୁ ନିଶ୍ଚିନ୍ତେ ଲୁଚି ଥାଅସି ।୯୩।

ଶକତି ବୁଲାଇଣ ଯେ ମାରନ୍ତେ ରାଧେବ

ନନ୍ଦୀଘୋଷ ରଥ ପାତାଳକୁ ଚାପିବ ହନୁଦେବ ।୯୪।

ଧାତିକାରେ ନନ୍ଦୀଘୋଷ ରଥ ପଶିବ ପାତାଳେ

କର୍ଣ୍ଣ ମାରିବା ଶକତି ପଡ଼ିବ ଘଟଉତ୍କଟର ବକ୍ଷସ୍ଥଳେ ।୯୫।

ୟେସନେକେ ବ୍ୟାସେ କହିଲେ ଆଗତ ଗ୍ରନ୍ଥ କଥା

ଘଟଉତ୍‌କଟର ଚରିତ ହରି ୟେସନେକ ବ୍ୟବସ୍ଥା ।୯୬।

ପୁଣିହିଂ ପୁଚ୍ଛାକଲେ ଦେବ ଯେ ଅଚ୍ୟୁତ

ପାଞ୍ଚାଳୀ କୁମାରଂକ କଥା ହୋଇବ କେମନ୍ତ ।୯୭।

ବ୍ୟାସେ ବୋଇଲେ ଯେ ଶ୍ରାହାସ୍ର ବିଧାନେ

ଦ୍ରୋଣଂକର ଉତ୍ତାରେ ସେନାପତି ହୋଇବେ ହାଦେ ବୀର କର୍ଣ୍ଣେ ।୯୮।

କର୍ଣ୍ଣର ସାଂଗ୍ରାମ ହରି ହୋଇବ ଅଢ଼ାଇ ଦିବସ

ଶେଷ ଗଦାପର୍ବ ହୋଇବ ମହାରଣ ଅର୍ଦ୍ଧେକ ଦିବସ ।୯୯।

ବହୁତ ସମର ହୋଇବ ସେ ଅର୍ଦ୍ଧ ଦିବସର ମଧ୍ୟେ

ସମସ୍ତ ଶେଷ ହୋଇବ ଅଷ୍ଟାଦଶ ଦିବସର ଯୁଦ୍ଧେ ।୧୦୦।

ଦଣ୍ଡ ଜୟେ କରିଣ ସେ ପାଣ୍ଡେବ ପଞ୍ଚୁଭ୍ରାଥେ

ଶୁଭ ଅନୁକୂଳେ ଯେ ବିଜୟେ ଯମପ୍ରଶସ୍ତେ ।୧୦୧।

ପାଣ୍ଡେବନ୍ତ ଘେନି ହରି ତୁମ୍ଭେ ଯିବ ଦ୍ୱାରିକା

ପାଞ୍ଚାଳୀ କୁମାରନ୍ତ ଶୁଆଇ ନିଶଂକା ।୧୦୨।

ଅଶସ୍ତମା ସେନାପତି ହୋଇବ ସେହି ରାତି

ଶ୍ରୀଖଣ୍ଡି ଧୃଷ୍ଚଦ୍ୟୁମନ ଯେ ମାରିବ ଦୁହିନ୍ତି ।୧୦୩।

ପାଞ୍ଜାଳୀ କୁମାର ଯେ ଶୋଇଥିବେ ପଲଂକେ

ପର୍ଶୁୟେକ ଘେନି ଅଶସ୍ତମା ପଶିବ ନିଶଂକେ ।୧୦୪।

ପାଞ୍ଚାଳୀ କୁମାରଂକର ଯେ ଚ୍ଛେଦିବ ପଞ୍ଚୁଶିର

ଧନୁରେ ଲମ୍ବାଇ ପଞ୍ଚୁଶିର କରିବ ଯେ ଭାର ।୧୦୫।

ଦ୍ରିଯୋଧନ ଅଗ୍ରତେ ତାହା ପକାଇବ ନେଇ

ପ୍ରାଣ ବିସର୍ଜନ କୁରୁବଇ ପାଞ୍ଚଗୋଟି ପୁତ୍ରଂକର ମୁଖ ଚାହିଂ ।୧୦୬।

କହନ୍ତି ମହାତମା ପରାଶର ଋଷିଂକର ସୁତ

ହିଡ଼ିମ୍ବେକୀ ଶାପ ହରି ହାଦେ ହୋଇବ ୟେମନ୍ତେ ।୧୦୭।

ବ୍ୟାସଂକର ମୁଖରୁ ଯେ ୟେସନେକ ବାକ୍ୟ ଶୁଣି

ପରମ ସାନନ୍ଦ ହୋଇଲେ ଦେବ ଚକ୍ରପାଣି ।୧୦୮।

ଆପଣେ ମହାତମା ଯେ କରନ୍ତି ସାଧୁ ସାଧୁ

ସମ୍ବୋଧନା କରିଶାନ୍ତି କରାଇଲେ ବେନିବଧୂ ।୧୦୯-୧୦୪୮୨।

 

Unknown

ବିଭୀଷଣକୁ ନିମନ୍ତ୍ରଣ କରି ଆଣିବା ନିମନ୍ତେ
ଘଟଉତ୍‌କଚର ଲଙ୍କା ଗମନ

ଅନେକ ବେଶ ବେଶନ ଯେ କରାଇଲେ ଘଟଉତ୍‌କଟ

ଯୁଝେଷ୍ଠିଦେବଂକ କୋଳେ ନେଇ ପୁତ୍ରକୁ ବସାଇଲେକ ।୧।

ବହୁତ ମଙ୍ଗଳ ଯେ ଶୁଭଇ ବେଦଧୁନି

ହବିର୍ଭାଗ ସମର୍ପନ୍ତି ଶୁଦ୍ଧ ମହାମୁନି ।୨।

ଯୁଝେଷ୍ଠି ଦେବ ପୁଚ୍ଛାକଲେ ଶୁଣିମା ଦେବ ନାରାୟଣ

ଅଇଲେଟିକି ଜଗନ୍ନାଥେ ପୃଥୀର ସମସ୍ତ ରାଜାଗଣ ।୩।

ବଦୟନ୍ତି ଜଗନ୍ନାଥେ ଶୁଣ ଧର୍ମରାୟେ

ସ୍ୱାମୀ ମଧ୍ୟପୁରେ ଥାଇଂ ନୁଆସଇ ୟେକ ରାୟେ ।୪।

ସ୍ୱାମୀ ବଡାଇ ଗୁରୁହଂସୀ ସେ ଅଟଇ ମହାରାଜା

ତ୍ରେତୟା ଯୁଗର ସେ ଅଟଇ ଧାର୍ମିକ ଅମର ଦ୍ୱିଜା ।୫।

ଯୁଝେଷ୍ଠି ଆଶ୍ରିଜ ହୋଇଲେ ତାହା ଶୁଣି

ୟେଡ଼େ ଦୁରାନ୍ତେକ ରାଜା ଦେଖିଲାତ ନାହିଂ ଚକ୍ରପାଣି ।୬।

ବଦୟନ୍ତି ଜଗନ୍ନାଥ ଶୁଣିମା ଧର୍ମନୃପେ

ବିଭୀଷଣ ନାମେ ରାଜାୟେ ଅଛଇ ଲଂକାଦ୍ୱୀପେ ।୭।

ଶ୍ରୀରାମଚନ୍ଦ୍ରଂକର ଅଭିଷେକୀ ସେ ଅଟଇ ମହୀପତ୍ୟେ

ଯୁଝେଷ୍ଠିଦେବ ବୋଇଲେ ସେ କିଂପେ ଆସିବାକ ୟେଥେ ।୮।

ନାରାୟଣ ବୋଇଲେ ହୋ ଆମ୍ଭେ ପେଷବାକ ଦୂତେ

ଆସିବା ନୁଆସିବା ଜାଣିମା ତଦନ୍ତେ ।୯।

ସହଦେବ ଘେନି ଦେବ ବିଜୟେ ଯୋଗେଶ୍ୱର

ବ୍ୟାସଂକର ସନ୍ନିଧ୍ୟରେ ଯାଇଂ ବିଜୟେ ଦାମୋଦର ।୧୦।

ଭୋ ବ୍ୟାସେ ଯୋଗାଇ କି ୟେ ତୁମ୍ଭର ବିଚାରକୁ

ଶ୍ରୀମୁଖ ଦେଉଅଛୁଂ ଆମ୍ଭେ ବିଭୀଷଣ ଆସିବାକୁ ।୧୧।

ବ୍ୟାସେ ବୋଇଲେ ଦେବ ତୁ ଅଟୁ ପରମ ଯୋଗୀ

ତୋହୋର ଶ୍ରୀମୁଖ ଗଲେ ବିଭୀଷଣ ଆସିବ ବେଗି ।୧୨।

ସହଦେବଂକୁ ଘେନି ଦେବ ବ୍ୟାସଂକର ଅଗ୍ରତେ

ଲିହନ୍ତି ଶ୍ରୀମୁଖେ ଯୁଝେଷ୍ଠିଂକ ବଚନ ଅନୁମତେ ।୧୩।

ମାୟାୟେ ପରଲୋକ ଯେ କରଇ ଆଚ୍ଛାଦନ

ମନୁକାଳ ଉଞ୍ଜାଇଣ ପୁଣ ପୁଣ ଉତପନ୍ନ ।୧୪।

ଲଂକାଧିପତି ବିଭୀଷଣକୁ ଶ୍ରୀମୁଖ--

ଶ୍ରୀ ଅନନ୍ତ କୋଟି ବ୍ରହ୍ମାଣ୍ଡର ନୃପତି । ନିରାକାର ଶଇଳ ଧାରଣ ।

ପରଶୁଧର ପରମାନନ୍ଦ ମୂରତି । ପୁରରବା ଦେବ ଉଦିତ ପାଟ ।

ସୋମବଂଶ ପାଟ ଉଦ୍ଧାରଣ । ନୈରୁତ ମହାଦେବ ଉଦେ ଅର୍ଥ ।

ଭାନୁବନ୍ତ ଭୁବନାଧିପତ୍ୟେ । ଉଭୟ ଭୁବନ ତ୍ରଇଲୋକ୍ୟେଶ୍ୱର ।

ଯଯାତି ଦେବ ମାନ ଉଦ୍ଧାରଣ । କଉଶିକ ବଳ ଭଙ୍ଗାଣ ।

ନୃପ ଦେଶ ଉଦ୍ଧାରଣ । ଶଶଦର ମହୀ ଅଳଂକୃତ ।

ବିନ୍ଧ୍ୟାଚଳ ପର୍ବତ ବିଡଳାଧିକ । ମନୁକଳ୍ପ ବର ଦାୟକ ।

ତାରଣସୁର ଶିଖର । ନଘୋଷ ମହାସର୍ପ ମୁକତଅର୍ଥ ।

କାଳିଂଜନ କାଳାନ୍ତକ, ପଞ୍ଛାଳପୁର ମଣ୍ଡଣ । ଗଣ୍ଡୁକୀ ଦର୍ପ ଚୂଡ଼ଣ ।

କାଳେବର ବନ ସତ୍ୟ ପରୀକ୍ଷା। ଭୋପାଳ ଗିରି କନ୍ଦର ଚୂଡ଼ା ଚୂର୍ଣ୍ଣକ।

କାଳ ଭୟେ ନିଶୋଧନ । କପିଳାସ ସ୍ୱର୍ଗ ଶତ୍ରୁକୁ ଉରସଲ ।

ଶରେ ସାଗର ବାରାନିଧି ବନ୍ଧନ । ହନୁମନ୍ତର ପ୍ରାଣ ଗୁରୁ ।

ନାଗେଣୀ ବଳ ବିନାଶକ । ଜୀମୂତ ବାହାନକୁ କଲୁ ଚିର ଆଇଷ୍ୟକ ।

ଗଙ୍ଗା ଗୟା ମଣିକର୍ଣ୍ଣିକା ଗୋଦାବରୀ ଗଉତମୀ ।

ହରପାଦ କେଦାର ପ୍ରୟାଗ ଶରଣ ଭଦ୍ରା ।

କାମିନୀ ମାନିନୀ ମାଳତୀ ପୁଷ୍କର ବାରାନିଧି ।

ଶଉରୀ ଶାକମ୍ଭରୀ କାଶୀ କଉଶିକ ଅନ୍ଧକ କାବେରୀ ।

କୋଟିୟେ ତୀର୍ଥ ପ୍ରତିଷ୍ଠା ସାମରଥ ନିକ ।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ, ଇଗ୍ନି ଅଇଶାନ୍ୟ ବାୟବ ନଇରୁତ ।

ଅଷ୍ଟକୁଳା ନାଗ ନୀଳୀମ୍ବର କ୍ଷୀର ଲବଣ ନୀର ନୀଳ ଇକ୍ଷୁ ।

ଅମ୍ବୁସୁରା ଦଧିଘୃତ । ବାଲି, ପବନ ସମୁଦ୍ର କାରେଣୀ ।

ପଦ୍ମ କୁଶଳ ରତ୍ନ ଜମ୍ବୁ ମଳୟା କ୍ରଉଞ୍ଚା ଶ୍ୱେତଚନ୍ଦ୍ର ।

ୟେ ନବଦ୍ୱୀପ ଠାକୁର ମଉଡ଼ମଣି ।

ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି ।

ଚଉରାଶୀ ଲକ୍ଷେକ ଜୀବଜନ୍ତୁ ରକ୍ଷା ପାଳକ ।

ନାଶକର ଦର୍ପ ହରନ୍ତା କୃତାନ୍ତେକ ।

ଅମରାଧି ନାଥ ରକ୍ଷା ପାଳକ । ଖାଣ୍ଡବ ବନ ବିଧ୍ୱଂସନ ।

ଅଗ୍ନିଦେବତାଂକର ଶରଣ ଉଦ୍ଧାରଣ । ଆରୋଗ୍ୟ ମହାପ୍ରଭୁ ।

କୁମ୍ଭୀର କିନ୍ନରୀ ବକ ହିଡ଼ିମ୍ବେକ ଦର୍ପ ଚୂରଣ ।

ବୀରାଧି ବୀରବର ବ୍ରିକୋଦର ଜେନାଂକର ସ୍ୱାମୀଗୁରୁ ।

ଜଗୁଅନ ଆତ୍ମା ସାରିକ୍ଷ । କଳପିରାଜା ଧୂମାନ୍ତେକ ।

କୁଣ୍ଡଳାସୁର ବିଦାରଣ । ଗୋହିଂସା ପ୍ରାଣ ହରଣ ।

ପାଣ୍ଡବାସୁର ମୋଡ଼ଣ । ଦେବ ଦାନବ ଯକ୍ଷ କିନ୍ନର ।

ଗନ୍ଧର୍ବ ମହାମେଘ ନର ନାଗ ରକ୍ଷ କଉଣପ ପିଶାଚ ।

ୟେକାଦଶ ଲୋକ ଚିନ୍ତାମଣି । ସତ୍ୟଯୁଗ ନିରଞ୍ଜନ ।

ତ୍ରେତୟା ଯୁଗେ ନୀଳାମ୍ବର ବିଷ୍ଣୁ ଅବତାରେକ ।

ଦ୍ୱାପର ଧର୍ମ ମହାରାଜା ଯୁଝେଷ୍ଠିଦେବ ଅବତାରେକ ।

କଳିଯୁଗେ କମଳ କୋଷ ନିରାକାର ।

ମହା ପ୍ରଳୟରେ ପନ୍ନଗା ନାରାୟଣ ।

ମନ ପବନ ଚଇତନ ମନଧ୍ୟାନ ଗୁରୁ ।

ଦାତବ୍ୟ ସତ୍ୟବର ମହାପ୍ରଭୁ ସ୍ୱାମୀର ଚରଣ ଉଦ୍ଦେଶ୍ୟ ।

ଲକ୍ଷେ ରାଜାଂକ ମଉଡ଼ମଣି ।

ଭାରାଭର ଦର୍ପ ବିଧ୍ୱଂସନ ଶ୍ରୀରାମଚନ୍ଦ୍ର ବିଜୟେ ଅଳଂକୃତ ।

ମାନଧାତାକଇଂ ଗ୍ୟାନ ଉପଦେଶ ।

ମାଧବ ଦେବ ନିତ୍ୟ ନିରାକାର ଅବତାର ।

ଶୁକ୍ଳାମ୍ବର ଶରୀର ଶୂନ୍ୟେ ଅବତାରେକ ।

ଶ୍ରୀବାସୁଦେବ ଯାହାର ଚରଣେ ଭୃତ୍ୟ ।

ଗ୍ୟାନଗୁରୁ ଧ୍ୟାନଗୁରୁ । ଗାୟତ୍ରୀ ମହାମନ୍ତ୍ର ଗ୍ୟାନଗୁରୁ ।

ପାଦ ପଲ୍ଲବେ ଶରଣ ।

ଶରଣ ରକ୍ଷଣ ଇଚ୍ଛା ଜଗଜ୍ଜେଠୀ ।

ଦୁଷ୍ଟ ଦର୍ପ ବିଧ୍ୱଂସନ । ରାଜାଧି ରାଜେଶ୍ୱର ।

ବାରାନିଧି ସାରିକ୍ଷେ ଯାହାର ମହିମାଂ ।

ମେରୁ ସାଦ୍ରିଶ୍ୟେ ବଡ଼ିମା ପବନ ସାରିକ୍ଷେ ଚଞ୍ଚଳ ।

ମହୀ ସାରିକ୍ଷେ ସାଧାରଣ । ଥାବର ସାଦ୍ରିଶ୍ୟେ ନିଶ୍ଚଳବନ୍ତ ।

ଶଂଖ ଶ୍ୱେତପଦ୍ମ ମହାପଦ୍ମ କର୍କୋଟକ କୁଳୀକ ତକ୍ଷକ ।

ଅନନ୍ତ ଅଷ୍ଟକୁଳା ନାଗ ।

ଚରଣେ ଭୂଷଣ ଦିଗାଙ୍ଗ ମୂର୍ଦ୍ଧନା ।

ପୁଷ୍କର ନିତ୍ୟେ ନିତ୍ୟେ ଅଭିଷେକ ।

ଗୁଣସାଗର ନାଥ କଇଚ୍ଛା ଜଗଜ୍ଜେଠୀ ।

ନିରାକାର ସାରିକ୍ଷେ ଶୁକ୍ଳାମ୍ବର ଶରୀର ।

ରୋମାଞ୍ଚ ବିଷ୍ଣୁ ଚରଣେ ବନ୍ଦନ ରାଜାଧି ରାଜ ଯୁଝେଷ୍ଠି ଦେବ ।

ଠାକୁରଂକର ପଦ୍ମପାଦେ ବିନୟେ ନମଃ ।

ତୋହୋର ଥାଠ ସନ୍ୟମୂଳେ ଦେଖା ଦରଶନି ।

ଧନ ଘେନି ଇନ୍ଦ୍ରପ୍ରଶସ୍ତେ ରାଜୁସୀ ଯାଗ ସଭାକୁ ଉଠି ଆସିବା ।

ଶ୍ରୀଜଗନ୍ନାଥ ଦେବଂକର ବାୟେଂଛା ।

ଶ୍ରୀହସ୍ତେ ଶଂଖଚକ୍ର ସନ୍ତେକ ପ୍ରମାଣ ।

ଆହୋ ବିଭୀଷଣ ରାଜା ତୋହୋର ସନ୍ୟବଳ ଘେନି ଗଲା ।

ଦୂତ ପତି ସଙ୍ଗେ ଶୀଘ୍ରେ ହୋଇ ଆସିବ ।

ତୋତେ ଯେ ଆମ୍ଭେ ରାମ ଅବତାରେ ।

କହିଲା ନାହିଂକି ? ତୋତେ ଠାକୁରଂକୁ ଦ୍ରଶନ କରାଇବା ବୋଲି

ମୁକତକୁ କାରଣ ବହୁତ ଅଛିଟି । ନାରାୟଣ କୋଟିୟେ

ଅବତାରେ ଯେତେକ ଫଳ ଶ୍ରୁତି । ଆହୋ ବିଭୀଷଣ ଶୀଘ୍ରେ

ପୟାମି । ବିଳମ୍ବେ ଦ୍ରଶନ ନାସ୍ତିଟି ବେଗେ ଆସ ।

ଶୂଦ୍ରମୁନି ସାରୋଳା ଦାସ ଦୂତ ପ୍ରଭୁ ଚରଣେ ଶତଦଣ୍ଡ

ପ୍ରଳମ୍ବ ବିନୟେ ନମାମି- - ଶ୍ରୀ - - ଶ୍ରୀ - - ଶ୍ରୀ ।

ଶ୍ରୀମୁଖ ସମାପତ କରିଣ ଜଗନ୍ନାଥେ

ଶ୍ରୀମୁଦା ସନ୍ତେକ ବସିଲା ଯୁଝେଷ୍ଠି ଦେବଂକ ହାଥେ ।୧୫।

ଯୁଝେଷ୍ଠି ପଚାରିଲେ ଶୁଣିମା ଅନନ୍ତ

ଲଙ୍କାଗଡ଼କୁ ଯିବାକୁ ହରି କେ ଆମ୍ଭର ସାମରଥ ।୧୬।

ଦୁସହ ଦୁରାନ୍ତେକ ସମୁଦ୍ର ଗଡ଼ଖାଇ

ମାନବ ମାତ୍ରକେ ପୁଣ ନୁଆରଇ ଯାଇଂ ।୧୭।

ଯୁଝେଷ୍ଠିଂକ ଅଗ୍ରତେ ଯେ ବଦୟନ୍ତି ଶ୍ରୀବତ୍ସି

ହିଡ଼ିମ୍ବିକୀ ନନ୍ଦନ ଘଟଉତ୍‌କଟ ଭୀମସେନର ବତ୍ସି ।୧୮।

ଅନ୍ତରୀକ୍ଷେ ଗମଇ ଦେବ ଅସୁରଂକର ରଥ

ସେହି ସେ ଗମି ପାରଇ ଅଗମ୍ୟ ସାହେର ଶୂନ୍ୟପଥ ।୧୯।

ନାରାୟଣଂକ ଆଗ୍ୟାଂ ପ୍ରମାଣେ ଯୁଝେଷ୍ଠି ଦଣ୍ଡଧାରୀ

ଲଂକାଗଡ଼କ ଘଟଉତ୍କଟକୁ ଆଗ୍ୟାଂ ଅବଧାରୀ ।୨୦।

ଅନ୍ତରିକ୍ଷେ ବିମାନ ଯେ ଚଢ଼ି ବୀରମଣି

ଲଂକାକୁ ବାହାର ହୋଇ ଦୂତୀ ବିଦ୍ୟାଧର ଜାଣି ।୨୧।

ବାସବର ଆଗ୍ୟାଂୟେ ଯେହ୍ନେ ଚଳଇ ଅଙ୍ଗାର ପନ୍ନଙ୍ଗ

ଅନେକ ମଣି ରତ୍ନ ହୋଇଲା ଆଭରଣ ଅଙ୍ଗ ।୨୨।

ସ୍ୱାମୀଂକର ଶ୍ରୀମୁଖ ଲମ୍ବାଇ ହୃଦଗତେ

ହିଡ଼ିମ୍ବୀର ନନ୍ଦନ ଚଳଇ ଦକ୍ଷିଣ ଦିଗ ପଥେ ।୨୩।

ସଭାରେ ବିଚାର କରନ୍ତି ସର୍ବରାୟେ

ସାଗେର ଡିଙ୍ଗରେ ସବୁ ଯୁଝେଷ୍ଠିଂକ ତେଜୋମୟେ ।୨୪।

ତେପନ ଯୁଗର ଯେ ବିଭୀଷଣ ମହାରାଜା

ଯୁଝେଷ୍ଠିଦେବଂକ ଚରଣେ କରିବ ଆସି ପୂଜା ।୨୫।

ବଡ଼ାଇ ଦୁଲଭ କୃତ୍ୟ ହୋଇବାକ ସମ୍ପଦେ

ବହୁତ ଅପୂର୍ବ ଦେଖିବା ଯୁଝେଷ୍ଠିଦେବଂକ ପ୍ରସାଦେ ।୨୬।

ସମସ୍ତ ରାଜାମାନେ କରନ୍ତି ସାଧୁ ସାଧୁ

ଇନ୍ଦ୍ରପ୍ରଶସ୍ତୁଂ ବାହାର ହୋଇଲା ହିଡ଼ିମ୍ବୀର ପ୍ରାଣବନ୍ଧୁ ।୨୭।

ଦୁତୀଇନ୍ଦ୍ର ପ୍ରାୟେ ଦିଶଇ ଭୀମସେନର ବଳା

କାର୍ତ୍ତିକେଶ୍ୱର ଜାଣି ତେଜ ଅନର୍ଗଳା ।୨୮।

ହିଡ଼ିମ୍ବିକୀ ନନ୍ଦନ ଚଳଇ ଦକ୍ଷିଣ ମୂରତି

ଡାକନାଦେ କମ୍ପିଲା ସେ ଅମର ବାରସ୍ୱତୀ ।୨୯।

ଜମ୍ବୋଦ୍ୱୀପ ପୃଥୀ ଜିଣି ସେ ଗଲା ୟେକରାତ୍ରେ

କ୍ଷୀରୋଦକୁ ଜିଣିଗଲା ରୟଣୀ ପ୍ରଭାତେ ।୩୦।

ମାଘ ଶୁକଳ ପକ୍ଷ ଭଉମବାର ଚତୁର୍ଥୀରେ

ଉତ୍ତରାଭାଦ୍ର ନକ୍ଷତ୍ର ପାଞ୍ଜଘଡ଼ି ଠାରେ ।୩୧।

ଘଟଉତ୍‌କଟ ପ୍ରବେଶ ହୋଇଲା ଲଂକା ଦ୍ୱୀପେଣ

ୟେକାଦଶ ଯୋଜନେ ଉଚ୍ଚ ଜଗତୀରେ ବିଜୟେ ବିଭୀଷଣ ।୩୨।

ଦେବ ଆସ୍ତାନେ ବସିଅଛନ୍ତି ମନ୍ତ୍ରୀ ଅମନାତ୍ୟେ

ଆକାଶେ ଦିଶିଲା ଯେ ଗମନ୍ତେ ୟେକାରଥେ ।୩୩।

ଛାମୁରେ ଜଣାଇଲେ ପାରୁଶ ମହାମନ୍ତ୍ରୀ

ସ୍ୱାମୀ ଆକାଶ ମାର୍ଗ ତ ଗମଇ ୟେକାରଥୀ ।୩୪।

ଅମର ତେଜ୍ୟାକରି କି ବିଜୟେ ସୁରପତି

ଅସଂଖ୍ୟ ଅଗୋଚର ଦିଶଇ ଦିବ୍ୟ ମୂରତି ।୩୫।

ଦ୍ୟୁମନସେନ ବୋଇଲା ୟେ ନୋହଇ ମଘବା

ଅଇରାବ୍ରତ ନାଗ ଥାଆନ୍ତାଟିକି ହୋଇଲେ ସୁରଦେବା ।୩୬।

ଅଳକା ତେଜଇଣ ବିଜେକଲେ କି କୁବେର

ବାରାନିଧି ନାଥ କି ବିଜୟେ ରତ୍ନାକର ।୩୭।

କି ରୁଦ୍ରେ ଦେବତା କପିଳାସ ବାସୀ

ବୃଷଭ ଅଭାବେ କି ବିଜୟେ ରତ୍ନାକର ।୩୮।

ୟେସନେକ ବିଚାରନ୍ତେ ଲଂକାର ସଇନି

ଜଗତୀର ସନ୍ନିଧ୍ୟେ ବିଜେକଲା ଘଟଉତ୍‌କଟ ରଥ ଘେନି ।୩୯।

ଶଙ୍ଖଚକ୍ର ଚିହ୍ନ ଉଡ଼ଇ ରଥର ଉପରେ

ଆସନ ତେଜିଣ ଉଠିଲା ଲଂକେଶ୍ୱର ଧାତିକାରେ ।୪୦।

ରଥରୁ ଓହ୍ଲାଇଲା ସେ ହିଡ଼ିମ୍ବୀର ବାଳ

ଜଗତୀ ତଳେ ଉଭା ଅସ୍କନ୍ଦ ବଲ ମହୀପାଳ ।୪୧।

ହୃଦଗତେ ଶ୍ରୀମୁଖ ଅଛି ତାର ଲାଗି

ଦେଖିଣ ବିଭୀଷଣ ଆସ୍ତାନ ପରିତ୍ୟାଗୀ ।୪୨।

ମହାପାରୁଶ ମନ୍ତ୍ରୀ ପଚାରଇ ଅଗ୍ରତେ

କେବଣ ଭୁବନୁ ତୁମ୍ଭେ ଆଗତ ଅଦଭୂତେ ।୪୩।

ଘଟଉତ୍‌କଟ ବୋଇଲା ପାୟେଡା ପାଡ ବିଭୀଷଣ

ନିଉଛାଳି କରି ଠାକୁରଂକ ଶ୍ରୀମୁଖ ବେଗେ ଘେନ ।୪୪।

ବିଭୀଷେଣ ବୋଇଲା ମୁଂ ଯୁଗେ ଯୁଗେ ଅମର

ଆନ ଠାକୁର ତ ନ ଜାଣଇଂ ମୋହୋର ଉପର ।୪୫।

ରାବଣେଶ୍ୱର ଠାକୁର ଥିଲା ତ୍ରେତୟା ଯୁଗେ

ଶ୍ରୀରାମଚନ୍ଦ୍ର ବଧିଲେ ତାକୁ ଜାନକୀର ଅଭାବେ ।୪୬।

ଦୁତୀ ଠାକୁର ମୋର ଶ୍ରୀରାମଚନ୍ଦ୍ର ଦେବସ୍ୱାମୀ

ଅନ୍ୟେକ ଠାକୁର ହୋ ନ ଜାଣୁ ତ ଆମି ।୪୭।

ରାମ ରାବଣକୁ ମୁଂ ଦୁହିଂନ୍ତ ଜାଣଇଂ

ମୁହିଂ ସାଂଗ୍ରାମେ ଜଗଜ୍ଜିତା ଆନ କାହାକଇଂ ନ ଗଣଇଂ ।୪୮।

ଘଟଉତ୍‌କଟ ବୋଇଲେ ଶ୍ରୀରାମ ତ୍ରେତୟା ଯୁଗ ଅବତାରେ

ସୂର୍ଯ୍ୟବଂଶେ ଜାତ ହୋଇଥିଲେ ସେ ଦଶରଥ ଘରେ ।୪୯।

ଅନନ୍ତବଂଶେ ରାଜା ଯଦୁ ନାମେଣ ଋଷି

ଅରୁଣତେଜ ବୋଲିଅଟଇ ତାର ଶିଷି ।୫୦।

ଅରୁଣତେଜ ପୁତ୍ର ଅନନ୍ତ ବସୁଦେବ

ତାହାର ନନ୍ଦନ ହୋଇଲେ ଯେ ବାସୁଦେବ ।୫୧।

ଅଷ୍ଟମଲ୍ଲୁମୂଳେ ସେ କଂସାସୁର ବଧି

ଜାରା ନାରକା କାଳଦମନ ବିଶୋଧି ।୫୨।

ଦନ୍ତବକ୍ର ସୋମଦତ୍ତ ଶିଶୁପାଳ ବାଣାଶୁର

ବଜ୍ରନାଭ ସୁନାଭ ଧ୍ୱଂସିଲେ ଅସୁରବଳ ।୫୩।

ସେ ଆପଣେ ବିଜେ କରିଅଛନ୍ତି ଇନ୍ଦ୍ରପ୍ରଶସ୍ତେ

ତୋହୋରୋ ଶ୍ରୀମୁଖ ଦିଲେ ସେ ଯିବାର ନିମନ୍ତେ ।୫୪।

ସନ୍ଦେଶ ବାରତା ଯହୁଂ ଶୁଣିଲା ବିଭୀଷଣ

ଜଗତୀରୁ ଡେଇଂ ସେ ପଡ଼ିଲା ତତକ୍ଷଣ ।୫୫।

ପାୟେଡା ପାଡିଣ ସେ କରଇ ନିଇଛାଳି

ଘଟଉତ୍‌କଟ ଶ୍ରୀମୁଖ କରେ ଦିଲା ତୋଳି ।୫୬।

ଶତସହସ୍ର ଦଣ୍ଡ ହୋଇ ଶୁତିଲା ପରିଣାମି

ଶିରେଣ ଶ୍ରୀମୁଖ ଘେନି ସୁମରଇ ଶ୍ରୀରାମଚନ୍ଦ୍ର ସ୍ୱାମୀ ।୫୭।

ମୁଦଫେଇ ପଢ଼ିଲା ସେ ପଣ୍ଡିତ ଭିଗ୍ୟଂବନ୍ତ

ଦ୍ୱାପର ଯୁଗେଣ ଅସଂଖ୍ୟ ଯେବଣ ଚରିତ ।୫୮।

ବିଭୀଷଣ ପଚାରଇ ଯୁଝେଷ୍ଠିଦେବ ନୃପତି

କାହାର କୁଳେ ଜାତ ସେ କାହୁଂ ଉତପତି ।୫୯।

ଘଟଉତ୍‌କଟ ବୋଇଲା ସେ ଆଦି ନିରଞ୍ଜନ

ତାହାଂକର ତହୁଂ ତିନି ପୁରୁଷେ ହୋଇଲେ ଉତପନ୍ନ ।୬୦।

ବ୍ରହ୍ମକର୍ମ ଧର୍ମ ଯେ ତିନି ଦଇବତ

ଚନ୍ଦ୍ର ସୂର୍ଯ୍ୟ ପବନ ଶୂନ୍ୟରୁ ଉତପତ ।୬୧।

ଆହୋ ଚନ୍ଦ୍ରର ନନ୍ଦନ ସେ ବୁଧ ଉପୁଜିଲା

ପୁରୁରବା ବୋଲିକରି ତାହାର ପୁତ୍ରେକ ହୋଇଲା ।୬୨।

ପୁରୁରବା ନନ୍ଦନ ଯେ ଆୟୁର ନୃପତି

ନହୁଷ ବୋଲି ହୋଇଲା ତାହାରି ସନ୍ତତି ।୬୩।

ନହୁଷ ନନ୍ଦନ ଯେ ଯଯାତି ମହାରାୟେ

ପୁରୁ ବୋଲିକରି ତାହାର ତନୟେ ।୬୪।

ପୁରୁର ନନ୍ଦନ ଯେ ପ୍ରବୀର ନୃପତି

ଇଳିନର ବୋଲିକରି ତାହାର ସନ୍ତତି ।୬୫।

ଇଳିନର ନନ୍ଦନ ଯେ ହୋଇଲା ଦୁଷ୍ୟନ୍ତ

ତାହାର ନନ୍ଦନ ହୋଇଲା ବୀରଭ୍ରଥ ।୬୬।

ଭ୍ରଥର ନନ୍ଦନ ଯେ ହୋଇଲା ଭୁମନ୍ୟୁ

ବିରଥି ବୋଲିକରି ତାହାଂକର ତନୁ ।୬୭।

ବିରଥର ନନ୍ଦନ ଶମ୍ଭୁରାଣ ନୃପତି

ଆଦିତ୍ୟର ଦୁହିତା ପ୍ରଦାନ ହୋଇଲା ତାପତୀ ।୬୮।

ଦେବତାୟେ ସହି ନୁଆରିଲେ ତାପତୀର ରଶ୍ମି

ତାହାକଇଂ ଘେନି ଗୃହବାସ କଲେ ସମ୍ଭୁରାଣ ସ୍ୱାମୀ ।୬୯।

ତାପତୀ ତହୁଂ ଉପୁଜିଲା କୁରୁ ନାମେ ଆତ୍ମଜ

ତାହାଂକର ନନ୍ଦନ ହୋଇଲା ପାଥିବ ମହାରାଜ (ପ୍ରତୀପ) ।୭୦।

ପା ଥିବର ନନ୍ଦନ ଯେ ହୋଇଲେ ଶାୟନ୍ତନୁ

ବିଚିତ୍ରବୀର୍ଯ୍ୟ ହୋଇଲେ ତାହାଂକର ତନୁ ।୭୧।

ବ୍ୟାସ ବୀର୍ଯ୍ୟୁ ଜାତ ପଣ୍ଡୁ ଧୃତିରାଷ୍ଟି

ପଣ୍ଡୁଂକର ନନ୍ଦନ ଯେ ଧର୍ମରାୟେ ଯୁଝେଷ୍ଠି ।୭୨।

ଧର୍ମ ଦେବତାଂକ ବୀର୍ଯ୍ୟେ ଜାତ ଯୁଝେଷ୍ଠି ଦେବରାୟେ

ତାହାଂକର ସାନୁଜ ଭୀମସେନ ପବନ ତନୟେ ।୭୩।

ବାସବର ନନ୍ଦନ ସେ ଯେ ବୀର ଫାଲଗୁନି

ହରି ଅରଜୁନ ୟେକ ଆତ୍ମା ଅଟନ୍ତି ୟେହୁ ବେନି ।୭୪।

ପାଞ୍ଜାଳ ଦେଶେ ପାର୍ଥ ବିନ୍ଧିଲେ ରାଧାଚକ୍ର

ଦ୍ରୋପଦୀ ହରଣେ ଦର୍ପ ମର୍ଦିଲେ ଲକ୍ଷେ ରାଜାଂକର ।୭୫।

କୁମ୍ଭେକ ନାମେ ଦଇତ କପିଳାସ ଉପାଡ଼ନ୍ତେ

ସାଂଗ୍ରାମେ ସରି ନୋହିଲେ ଦେବ ଈଶ୍ୱରେ ଶିବଗଣ ସହିତେ ।୭୬।

ସେ କୁମ୍ଭକ ଦଇତକୁ ବଧକଲେ ଅରଜୁନେ

କପିଳାସ ଛଡ଼ାଇ ଆଣି ଦିଲେ ତ୍ରିଲୋଚନେ ।୭୭।

ଗୋସିଂହ ବଧ କରି ହରି ବଳରାମେ ରଖି

ସୋହୋଡ଼ ସୁନ୍ଦର ସେ ପାଣ୍ଡବ ସର୍ବସାଚୀ ।୭୮।

ଘଟଉତ୍‌କଟ କହଇ ବିଭୀଷଣ ଆଗେ

ଆହୋ ତୁତ ଜାଣୁ ଶ୍ୱେତରାଜା ଯାଗକଲା ସତ୍ୟଯୁଗେ ।୭୯।

ଚଉବିଂଶ ବରଷ ପରିଯନ୍ତେ ଘୃତ ବରଷିଲା ଯାଗକୁଣ୍ଡେ ଅପ୍ରମିତେ

ଭଣ ଭକ୍ଷପାନ କରିଲେ ଅଗ୍ନି ଦଇବତେ ।୮୦।

ତିନିଯୁଗ ପରିଯନ୍ତେ ମଦାଅଗ୍ନି ଲୁଦୁ ବୁଦୁ ବ୍ୟାଧି

ବ୍ରହ୍ମା ବିଷ୍ଣୁ ମହେଶ୍ୱର କେହି ଦେଇ ନୁଆରିଲେ ମଉଷଧି ।୮୧।

ଅର୍ଜୁନକଇଂ ମାଗିଲା ସେ ବିଭୁକ୍ଷିତ ହୋଇ

ଅଗ୍ନି ଦେବତାଂକୁ ରଖିଲେ ଖାଣ୍ଡବ ବନ ଦହି ।୮୨।

ଅନେକ ସାଂଗ୍ରାମ କଲେ ତହିଂ ଅମରାଧି ମଘବାନ

ୟେସନେକ ମହିମାଂ ତାହାଂକର ଶୁଣ ହୋ ବିଭୀଷଣ ।୮୩।

ଅର୍ଜୁନକୁ ସାଂଗ୍ରାମେ ହାରିଲେ ସୁରରାଜ ଦେବା

ଅଗ୍ନି ଦେବତା ମଦାଅଗ୍ନି ପାରିକରି ପାର୍ଥ ହୋଇଲେ ଉଭା ।୮୪।

ଖାଣ୍ଡବ ବନ ଦହି ଅଗ୍ନି ଦେବତାଂକର ପାରକଲେ ଲୁଦୁ ବୁଦୁ ବ୍ୟାଧି

ଦ୍ୱାପରେ ପାଣ୍ଡବେ ହାଦେ ୟେମନ୍ତେ ମହାଯୋଧୀ ।୮୫।

ଆହୋ ବିଭୀଷଣ ହନୁମନ୍ତର ତୁଲେ ଅର୍ଜୁନର ବିବାଦ

ଶରେ ସାଗର ପାର୍ଥ ବାନ୍ଧିଲେ ସେତୁବନ୍ଧ ।୮୬।

ନୀଳେନ୍ଦୀ ସରୋବରେ ଦଳିଲେକ କାଳୀ

ଭୟେ ଭଗ୍ନୀକି ପ୍ରଦାନ କଲେ ଦେବ ବନମାଳୀ ।୮୭।

ଆହୋ ରାଜୁସୀ ଯଗ୍ୟଂ ଆରୋପଣ କଲେ ଯୁଝେଷ୍ଠି ରାଜଦେବା

ଲକ୍ଷେକ ନୃପତି ଆସି ଚରଣେ କଲେ ସେବା ।୮୮।

ତ୍ରଇଲୋକ୍ୟର ଠାକୁର ଯେ ଦେବ ଚକ୍ରଧାରୀ

ସେ ମହାଯଗ୍ୟଂ ସଭାରେ ବାସୁଦେବ ହୋଇଲେ
ଅନନ୍ତ ପଢିହାରୀ ।୮୯।

ବିଚାର ଶ୍ରୀମୁଖ ଦିଲେ ଛାମୁରେ ଜଣାଇ

ୟେଡ଼େବଡ଼ ସମ୍ପଦ ତୁହୋ ଦେଖିବୁସି ଯାଇଂ ।୯୦।

ସେ ଯୁଝେଷ୍ଠି ମହାରାଜାଂକର ତୋତେ ଲୋଡ଼ା ନାହିଂ

ବଡ଼ ବଡ଼ ରାଜାମାନେ ସଭା ଦେଖିବାକୁ ନ ପାଇ ।୯୧।

ଧର୍ମରାଜଂକର ଛାମୁରେ ଜଗନ୍ନାଥେ ବହୁତ ଜଣାଇ

ବୋଇଲେ ୟେ ସମ୍ବାଦ ବିଭୀଷଣ ମୋର ନ ଦେଖିବ କିଂପାଇଂ ।୯୨।

ଅନେକ ବିନୟ ଭାବେ କହିଲେ ଦେବହରି

ତେଣୁକରି ଆଗ୍ୟାଂ ଦିଲେ ଆସୁ ସେ ଲଂକାର ଦଣ୍ଡଧାରୀ ।୯୩।

ଜଗନ୍ନାଥେ କହିଲେ ଯେ ଯୁଝେଷ୍ଠି ଦେବଂକର ଆଗେ

ବଡ଼ାଇ ଭଗତି ବିଭୀଷଣ ମୋହୋର ହୃଦଭାଗେ ।୯୪।

ୟେମନ୍ତ ବୋଲିକରି ଯହୁଂ କହିଲେ ଜଗନ୍ନାଥେ

ତେଣୁକରି ଯୁଝେଷ୍ଠି ଦେବ ଆଗ୍ୟାଂ ଦିଲେ ତୁରିତେ ।୯୫।

ବୋଇଲେ ହୃଦୟରେ ତୋହୋର ତାହାକୁ ୟେଡ଼େ ଭାବ

ଆସି ଦ୍ରଶନ କରୁ ବିଭୀଷଣ ରାଜଦେବ ।୯୬।

ଘଟଉତ୍‌କଟ ବଚନେ ବିଭୀଷଣ ହୋଇଲା ତ୍ରିପୁତି

ବହୁତ ପୂଜାକଲା ତାକୁ ଲଂକାର ଆଧିପତି ।୯୭।

ମନ୍ତ୍ରୀକି ଘେନି ୟେକାନ୍ତେ ଭାଳଇ ଲଂକାଧି

ଶ୍ରୀରାମ ଦ୍ରଶନେ ମୋର ସମସ୍ତ କାର୍ଯ୍ୟ ସିଦ୍ଧି ।୯୮।

ସେତୁବନ୍ଧ ଉତୁରି ଅଯୋଧ୍ୟାକୁ ଯିବାବେଳେ

ମୁହିଂ ପୁଚ୍ଛାକଲି ସ୍ୱାମୀଂକ ଉତ୍ତରନ୍ତ ମୃତ୍ତିବେଳେ ।୯୯।

ସ୍ୱାମୀ ତ୍ରେତୟା ଯୁଥେ ଯେ ଭେଟିଲଇଂ ତୋତେ

ଦ୍ୱାପରେ ଦୃଶ୍ୟ ସ୍ୱାମୀ ହୋଇବୁ କି ନାହିଂ ମୋତେ ।୧୦୦।

ଶ୍ରୀରାମଚନ୍ଦ୍ର କହିଲେ ଯେ କହ୍ନା ଅବତାରେ

ଦ୍ୱାପରେ ଜନମି ମୁଂ ଆମ୍ଭେ ବାସୁଦେବର ଘରେ ।୧୦୧।

ଦୂତ ଆସନ୍ତେଣ ତୁ ଯିବୁଟି ବହନ

ଶ୍ରୀ ନିଦାବିଷ୍ଣୁଂକୁ ତୋତେ କରାଇବା ଦ୍ରଶନ ।୧୦୨।

ଆହୋ ମହାପାରୁଶ ମନ୍ତ୍ରୀ ଶ୍ରୀରାମ ମୋତେ ୟେସନ ଛନ୍ତି ବୋଲି

ନିଦାବିଷ୍ଣୁ ହସ୍ତିନାରେ ବିଜୟେ ୟେବେ ମୁଂ ବାରତା ପାଇଲି ।୧୦୩।

ସାନନ୍ଦେ ଆଗ୍ୟାଂ ଦିଲା ଲଂକାଗଡ଼ ମହାରାଜା

ମନ୍ତ୍ରୀକି ବୋଇଲେ ମୋର ସମଦଣ୍ଡ ସଜା ।୧୦୪।

ଅନେକ ଉତ୍‌ସୁକେ ସଜ ହୋଇଲେ ଦଇତ ବଳ

ଅସୁରଂକର ବାଦ୍ୟଘାତେ କୁରୁମ ଚହଳ ।୧୦୫।

ବତିଶ ଅଂକୁଶ ନିଦ୍ରାଘ ବଳ ସଇନି

ବାହାର ହୋଇଲେ ରାକ୍ଷସେ ଯେ ଯାହାର ସନ୍ୟବଳ ଘେନି ।୧୦୬।

ଲକ୍ଷେକ ରଥରେ ସେ ପୂରୋଇ ପାଣିଦ୍ରବ୍ୟ

ଉତ୍ତରକଇଂ ମୃତ୍ତି କଲା ଲଂକାର ରାଜଦେବ ।୧୦୭।

ବତିଶ ଅଂକୁଶ ସଇନି ବଳ ସାଜି

ମହାମତ୍ତାର ବେଳେ ବୀରେ ଉଠିଲେ ଗଳଗାଜି ।୧୦୮।

ଦେବଦଳନ ରଥ ଯେ ରାବଣର ଥିଲା

ସେ ରଥେ ବିଭୀଷେଣ ସମଦଣ୍ଡ ଘେନି ବିଜେକଲା ।୧୦୯।

ଲକ୍ଷେକ ଶାର୍ଦ୍ଦୋଳ ସେ ଯୋଚିଲା ଅଛି ରଥେ

ଅତିଅନ୍ତ ଚଞ୍ଚଳ ସେ ଉଡ଼ନ୍ତି ଗଗନର ପଥେ ।୧୧୦।

ଦେଢ଼ଶତ ଯୋଜନ ଯେ ଅଗାଧ ଜଳଧି

ୟେକା ପ୍ରହରକ ଉତ୍ତାରେ ଶାର୍ଦ୍ଦୋଳ ଗଲେ ଖେଦି ।୧୧୧।

ସାହେର ଜିଣିଲା ଯହୁଂ ଅସୁରଂକର ରଥ

ବିହଡ଼ ଦାଢ଼ ଭୟାଂକର ଦିଶଇ ସ୍ୱରୂପ ।୧୧୨।

ପର୍ବତର ପ୍ରାୟକ ସେ ଅସୁରେ କାମରୂପୀ

ତଣ୍ଡାକୁଳ ମାଡିଗଲେ ନବ ଯୋଜନ ବ୍ୟାପୀ ।୧୧୩।

ହିଡ଼ିମ୍ବିକୀର ନନ୍ଦନ ତାହା ଦେଖିଣ ଆଶ୍ରିଜ

ବିଚାରଇ ମନ୍ଦକୃତ୍ୟ କଲେକ ଦେବରାଜ ।୧୧୪।

ୟେ ମହାସଇନି ଯାଇଂ କାହିଂ ବିଶ୍ରାମିବ

ୟେ ମହାରାକ୍ଷସଂକୁ କେ ଅନ୍ନ ଅଣ୍ଟାଇବ ।୧୧୫।

ନ ପୁଣ ଲଘଂନ୍ତି ୟେ ମାନବ ସଇନି

ୟେକା ନିମିଷକେ ଲଂଘିବେ ପୁରତିନି ।୧୧୬।

ଘଟଉତ୍‌କଟ ବୋଇଲା ମୁଂ ଯାଉଛି ଆଗହୋଇ

ସ୍ୱାମୀଂକ ଛାମୁରେ ଜଣାଇବି ବେଗେ ଯାଇଂ ।୧୧୭।

ପୃଥୀରେ ଜାତ ହୋଇଅଛନ୍ତି ଦାମୋଦର

ଭାରା ନ ସହଇଟି ଦେବ ଚକ୍ରଧର ।୧୧୮।

ପୃଥୀ ନ ଲଂଘିବଟି ୟେକଇ ଜଣକୁ

ସଇନି ଘେନିଆସ ତୁମ୍ଭେ ଇନ୍ଦ୍ରପ୍ରଶସ୍ତକୁ ।୧୧୯।

ଶୂନ୍ୟେଣ ଗମଇ ସେ ଭୀମସେନର ବଳା

ବିଭୀଷେଣ ଦିଲା କୁମାର କଣ୍ଠେ ଜୟେ ରତ୍ନମାଳା ।୧୨୦।

ସତ୍ୟଯୁଗେ ଆଦିତ୍ୟ ଦିଲେ ଘଟଉତ୍‌କଟକୁ ରାବଣକୁ
ଅଇରି ବିଦାରଣ ମଣି

ସେ ରତ୍ନମାଳା ବିଭୀଷଣ ଦିଲା ଆଣି ।୧୨୧।

ଅଭୟେ ବଳବନ୍ତା ସେ ହିଡ଼ିମ୍ବିକୀର ତନୟେ

ମଣିର ତେଜ ଦିଶିଲା ସେ ବାଳଅର୍କ ପରାୟେ ।୧୨୨।

ଅନ୍ତରୀକ୍ଷେ କୁମାର ଯେ ଚଳିଲା ଅତିଖରେ

ୟେକା ଦିବସେକ ଗମିଲା ଉଣେଇଶ ଶତ ଯୋଜନରେ ।୧୨୩।

ରଥ ତେଜ୍ୟା କରିଣ ସେ ବଜ୍ରକପଚର ନାତି

ଦକ୍ଷିଣ ଦ୍ୱାରେ ଉଭା ହୋଇଲା ରୟଣୀ ପାହାନ୍ତି ।୧୨୪।

ଯାଆନ୍ତେ ନିରୋଧିଲା ସତ୍ୟଭାମାଂକର ବାଳ

ଦକ୍ଷିଣ ଦ୍ୱାରେ ଦ୍ୱାରପାଳ ଗଦ ଯେ କୁମାର ।୧୨୫।

ଘଟଉତ୍‌କଟ ବୋଇଲା ଦ୍ୱାର ଛାଡ଼ି ମୁଂ ଯିବି ଭିତରକୁ

ଲଂକାଗଡ଼ର ବାରତା ମୁଂ ଜଣାଇମି ଠାକୁରଂକୁ ।୧୨୬।

ଦକ୍ଷିଣ ଦ୍ୱାରେ ଥିଲା ମାତଂଗ ସେନାପତି

ଭୀମସେନ ଠାକୁରଂକୁ କହିଲା ଯାଇ ଝାତି ।୧୨୭।

ଘଟଉତ୍‌କଟ ଆଗତ ବୋଲିଣ ଜଣାଇ

ଭୀମସେନ ଘେନି ବିଜେ ଜଗତଭୂତ ସାଇଂ ।୧୨୮।

ଯୁଝେଷ୍ଠି ଦେବଂକ ଅଗ୍ରତେ ସହଦେବ କହିଲା

ଲଂକାଗଡ଼ ମାଝୀ ଦେବ ବିଭୀଷଣ ଅଇଲା ।୧୨୯।

ଯୁଝେଷ୍ଠିଦେବ ଆଶ୍ରିଜ ହୋଇଲେ ତାହା ଶୁଣି

ୟେଡେ ବଡ଼ ରାଜାକୁ ବାଳୁତ ପୁତ୍ର କେହ୍ନେ ଆଣି ।୧୩୦।

ଶୁଣିଣ ସାନନ୍ଦ ଯେ ହୋଇଲେ ଦେବାଧି ଦେବରାଜେ

ଘଟଉତ୍‌କଟ ଛାମୁରେ ଶ୍ରୀଜଗନ୍ନାଥେ କଲେ ବିଜେ ।୧୩୧।

ହିଡ଼ିମ୍ବିକୀର ନନ୍ଦନ ଦେଖିଣ ପରିଣାମି

ସମଦଣ୍ଡ ଘେନିଣ ବିଭୀଷଣେ ରାଜା ବିଜେକଲେ ଦେବସ୍ୱାମୀ ।୧୩୨।

ଅନେକ ସଇନ ଦେବ ଆଣିଲେ ତାର ତୁଲେ

ଗିରିବର ସାମାନ୍ୟେ ଜାଣି ରାକ୍ଷସେ ଅଇଲେ ।୧୩୩।

ୟେତେ ବଡ଼ ମହାଯାଗ ଆରୋପିଣ ନାଶିଲୁ ଦେବ ତୁହି

ସାରନ୍ତୁ ଯାଗ ଦେବ ବିଭୀଷଣକୁ ନ କହି ।୧୩୪।

ସ୍ୱାମୀ ଲକ୍ଷେରାଜା ସଇନିକୁ ଅନ୍ନ ଲାଗଇ ଯେତେ

ୟେକା ବିଭୀଷଣ ସଇନିକୁ ନ ଅଣ୍ଟିବ ତେତ ।୧୩୫।

ଭୋଜନ କେମନ୍ତେ ତାହାଂକୁ ଅଣ୍ଟୋଇବ ବାସୁଦେବ

ଯଦ୍ୟପି ଲଂଘିବେ ସେ ବ୍ରତିବେ କି ମାନବ ।୧୩୬।

ଆପଣେ ଆରେପି ଦେବ ଆପଣେ ନାଶକଲୁ

ତୁହି ସେ ବିଭୀଷଣକୁ ଦେବ ସଞ୍ଚୟେ ଅଣାଇଲୁ ।୧୩୭।

ଘଟଉତ୍‌କଟ ବଚନେ ଲାଗିଲା ବଡ଼ ତ୍ରାସ

ହନୁମନ୍ତକଇଂ ସୁମରଣା କଲେ ଋଷୀକେଶ ।୧୩୮।

ହସ୍ତିନାକଇଂ ଇସ୍କିନ୍ଦା ଚଉଷଠୀ ଯୋଜନ

ଚିନ୍ତନେ ଆସନ କମ୍ପିଲା ହନୁମାନ ।୧୩୯।

ଆସନେ କମ୍ପନ୍ତେ ସେ ଜାଣିଲା ପାବେନି

ତକ୍ଷଣେ ସାଜିଲା ତାର ଦଧିମୁଖା ସଇନି ।୧୪୦।

ସାତପଦ୍ମ ପନ୍ଦର ମେବଚ୍ଛକପିବଳ

ଭାବେ ସେହୁ ଲାଞ୍ଜେ ବସାଇଲା ସକଳ ।୧୪୧।

କିଳିକିଳା ରାବ ଦେଇ ଦଧିମୁଖା ସଇନି

ଖେପଇ ପାବନି ତାର ନିଜବଳ ଘେନି ।୧୪୨।

ଶୂନ୍ୟ ଭୁବନେ ଭେଦି ୟେକା ପାଦଳେ ଭ୍ରମି

ଇନ୍ଦ୍ରପ୍ରଶସ୍ତ ସଭାୟେ ବିଜୟେ ହନୁମନ୍ତ ସ୍ୱାମୀ ।୧୪୩।

ଦୂରହୁଂ ଦେଖିଲେ ଦେବ ଅନନ୍ତ ପଢ଼ିହାରୀ

ଦୂତକାର ଗନ୍ତା ପିନ୍ଧି କାଖେ ବେତଯୋଡ଼ି ।୧୪୪।

ଅଞ୍ଜନାର ନନ୍ଦନ ଯେ ଦେଖିଲା ତାହାନ୍ତ ଦୂରେ

ପ୍ରଣପତ୍ୟ ହୋଇ ବୀର ନିଉଛାଳି କଲାକ ଛାମୁରେ ।୧୪୫।

ହନୁମନ୍ତକଇଂ ଦେଖିଣ ସମସ୍ତ ଦେଶର ରାୟେ

ଲଂକାର କୃତାନ୍ତକ ୟେ ରାବଣ ବଳକ୍ଷୟେ ।୧୪୬।

ସାଧୁ ସାଧୁ ମହିଂମା ତୁମର ଯୁଝେଷ୍ଠି ରାଜଦେବ

ତୋହୋର ପ୍ରସାଦେ ଦେଖିଲୁ ଅନେକ ଅପୂରୁବ ।୧୪୭।

ତ୍ରଇଲୋକ୍ୟ ଯେଉଂଣ ବୀରେ ଅଟନ୍ତି ଅସାଧି

ୟେକା ଯୁଝେଷ୍ଠି ଦେବ ବଟନ୍ ହୋଇଲେ ସର୍ବେସାଧି ।୧୪୮।

ହନୁମନ୍ତ ବୋଲି ଶୁଣି ନ ଦେଖି ନୟନେ

ଜନ୍ମର ସୁଫଳ ହୋଇଲା ଯୁଝେଷ୍ଠିଦେବର ପ୍ରସନ୍ନେ ।୧୪୯।

ହନୁମନ୍ତ ବଦନ ଚାହିଂ ବଦନ୍ତି ଜଗନ୍ନାଥେ

ଆହୋ ପାବେନି ବିଭୀଷଣେ ଆସୁଅଛି ଠାକୁରଂକର
କାର୍ଯ୍ୟ ଅର୍ଥେ ।୧୫୦।

ହନୁମନ୍ତ ବୋଇଲା ଚାଲ ହୋ ଯିବା ଦେବରାୟେ

ବିଭୀଷଣ ଆମ୍ଭର ଦେଖାଦେଖି ନାହିଂ ଅପାର ସମୟେ ।୧୫୧।

ଡାହାଣେ ହନୁମନ୍ତ ବାମେଣ ବ୍ରିକୋଦର

ପଛ କତିକି ବିସତା ନନ୍ଦନ ଖଗେଶ୍ୱର ।୧୫୨।

ଲମ୍ବିତ କବରୀ ଯେ ଲୋଟଣୀ ଜୂଡା

ଶ୍ରୀଖଣ୍ଡ ଚନ୍ଦନ କପାଳେ ପଞ୍ଚୁପୁଟି ।୧୫୩।

ଦକ୍ଷିଣ ମୃତ୍ତି ସ୍ୱାମୀ ଗବନ ଅବଲୀଳା

ତ୍ରଇଲୋକ୍ୟ ମୋହୋଇ ସ୍ୱାମୀ ଦଇବକୀର ବଳା ।୧୫୪।

ବେନି ଯୋଜନ ପରିଯନ୍ତେ ଦେବ କଲେକ ପାଛୋଟି

ତୁଙ୍ଗଭଦ୍ରା ନଦୀକୂଳେ ବିଭୀଷଣକଇଂ ଯାଇଂ ଭେଟି ।୧୫୫।

ଶଙ୍ଖ ଚକ୍ର ଗଦା ଯେ କୋଦଣ୍ଡ ଦେବ ଚକ୍ରପାଣି

କାଖେ ସୁବର୍ଣ୍ଣର ବେତଯୋଡ଼ି ଅନନ୍ତ କୋଟି ବ୍ରହ୍ମାଣ୍ଡର
ଶିରୋମଣି ।୧୫୬।

ଗରୁଡ଼ଧ୍ୱଜ ଚିହ୍ନ ଯେ ଦେଖିଲାକ ଦୂରେ

ରଥରୁ ଓହ୍ଲାଇ ବିଭୀଷଣ ପ୍ରଳମ୍ବ କଲା ଧାତିକାରେ ।୧୫୭।

ପରମାନନ୍ଦ ପୁରୁଷ ଦେବ ବନମାଳୀ

ଦୂରୁଂ ଦେଖି ବିଭୀଷଣ କଲାକ ନିଉଛାଳି ।୧୫୮।

ମହା କାମରୂପୀ ହୋଇଥିଲେ ଅସୁରେ

ହନୁମନ୍ତର ମୁଖ ଚାହିଂ ରହିଲେ ବହୁଦୂରେ ।୧୫୯।

ତେର ଯୋଜନ ମାଡ଼ିଣ ଯେବଣ ବଳ ରହିଅଛି

ହନୁମନ୍ତର ଡରେ ସର୍ବେ ହୋଇଲେକ ଲୋଚି ।୧୬୦।

ୟେକର ପଛକତିକି ଆରେକ ଲୁଚନ୍ତି ଅସୁରା

ଆହୋ କେମନ୍ତ ଚରିତ ୟେଥି ଅଛି ଆସଇ ଲଂକାପୋଡା ।୧୬୧।

ୟେ ସେ ଧଂସିଲା ହୋ ରାବଣର ସମ୍ପ୍ରଧି

ଦୃଭାର ବଳ ନାଶ ଗଲାଟି ୟେହାର ବୁଦ୍ଧି ।୧୬୨।

ଅଚଳ ଗିରିମାଳ ୟେ ବହି ଆଣିଲା ୟେହାର ହୃଦେ

କ୍ଷିରୋଦ ଭିତରେ ୟେ ବାନ୍ଧିଲା ସେତୁବନ୍ଧେ ।୧୬୩।

ଶତେ ଚଉବିଂଶ ଯୋଜନ ବନ୍ଧର ଦୀର୍ଘସ୍ଥଳୀ

ବତିଶ ଯୋଜନ ଉଚ୍ଛର୍ଗ ଦ୍ୱାଦଶ ଯୋଜନ ଅଗିଳି ।୧୬୪।

ୟେକା ଘାନ୍ତିକେ ୟେ ବାନ୍ଧିଲା ଯେଡେ ବଡ ସେତୁ

ୟେହାରେ ଶ୍ରୀରାମେ ଯେ ପାଇେଲ ସର୍ବ ହେତୁ ।୧୬୫।

ଅକଳିତ ସାଗରେ କଲାଟି ୟେହୁ ବାଟ

ସମରେ ଦିନେକ ରାବଣ ତୁଲେ ହୋଇଲାକ ଭେଟ ।୧୬୬।

ରାବଣ ଲକ୍ଷ୍ମଣକଇଂ ମାଇଲା ବ୍ରହ୍ମ ଯେ ଶକତି

ଲଂକାକୁ ନିଅଇଂ ବୋଲି ଧଇଲା ଯାଇଂ ଧାତି ।୧୬୭।

ଲକ୍ଷଣକୁଇଂ ତୋଳନ୍ତେ ହନୁ ଦେଖିଲାକ ଦୂରେ

ରେରେକାର କରି ହନୁମନ୍ତ ମାଇଲା ଚାପୋଡ଼ ।୧୬୮।

ହାବୋଡ଼ା ଘାତେ ରାବଣର ମୁଖରୁ ବହଇ ଶ୍ରୋଣୀ

ନିଚେଷ୍ଟ ହୋଇ ପଡ଼ିଲେ ସଂକାର ଶିରୋମଣି ।୧୬୯।

ଲକ୍ଷ୍ମଣକଇଂ ଘେନିଗଲା ଶ୍ରୀରାମର ପାଶେ

ନିର୍ଦ୍ଦୟା ବାନର ୟେହାକୁ କେ ଯିବ ବିଶ୍ୱାସେ ।୧୭୦।

କେ ବୋଲଇ କପଟ ହୋଇଲା ନିଚୟେ

ନଶନ୍ତ କାଳକୁ ହୋଇଲା ୟେବେ ବିପରୀତ ଉପାୟେ ।୧୭୧।

ନିର୍ଦ୍ଦୟ ଲଂକା ପୋଡା ଦୟା ୟେହାର ନାହିଂ

ତ୍ରାସେଣ କମ୍ପନ୍ତି ସମସ୍ତେ ହନୁମନ୍ତର ମୁଖ ଚାହିଂ ।୧୭୨।

ଦଶନହ ମୁଖରେ ଅସୁରେ ନେଇ ଭରି

ରଖ ରଖ ଶ୍ରୀରାମ ବୋଲି ଶରଣ ଫୁକାରି ।୧୭୩।

ପୁଣ ପୁଣ ନିଉଛାଳି ଯେ କରଇ ବିଭୀଷଣ

ଜୟତୁ ଜୟ ରଘୁନାଥ ମୁଂ ତୋହୋରେ ଶରଣ ।୧୭୪।

ଋଷିଶିଂଗ ଯାଗୁଂ ଜାତ ଅମଳାଣ ସୂର୍ଯ୍ୟବଂଶୀ

ଜାନକୀ ବଲ୍ଲଭ ନାଥ ନିର୍ଗୁଣ ଗୁଣରାଶି ।୧୭୫।

କଉଶିକ ବଚନେ ନାଥ ତାଡକୀ ଦର୍ପ ଧଂସି

ଗଙ୍ଗା ଉଦ୍ଧରଣ କଲୁ ନାଥ ଅଭୟେ ଅବିନାଶୀ ।୧୭୬।

ମହାତୀର୍ଥ ଉଦ୍ଧାରଣ କଲୁ ଜଗନ୍ନାଥ

ତୋହୋର ସ୍ରାହାନେ ଜାହ୍ନବୀ ଖଣ୍ଡିଲା ଦୁଷୁକୃତ ।୧୭୭।

ସ୍ୱାମୀ ଗଉତମ ଶାପରେ ଅହଲ୍ୟା ପାଷାଣ ରୂପ ଧରି

ତୋହୋରେ ଶ୍ରୀଚରଣେ ଲାଗନ୍ତେ ପାଇଲା ନିଜ ଶରୀ ।୧୭୮।

ଜାନକୀ ସ୍ୱୟମ୍ବରେ ଶିବଧନୁ ଭାଜି

କମଳାର ବଲ୍ଲଭ ନାଥ ପ୍ରଶୁରାମ ଦର୍ପ ଗଞ୍ଜି ।୧୭୯।

ତୋହୋର ବଲ୍ଲଭୀର ଭାଙ୍ଗିଲା ଯହୁଂ ମୁଦ୍ରା

ବ୍ରହ୍ମାର ନନ୍ଦନୀ ଉଦ୍ଧରିଲୁ ଫଲୁକୀ ଶୁନଭଦ୍ରା ।୧୮୦।

ନନ୍ଦୀଗ୍ରାମ ମଣ୍ଡପ ନାଥ ଚିତ୍ରକୂଟ ଗିରି ରକ୍ଷା

ବଶିଷ୍ଠ ସାଧାରଣ ଦଣ୍ଡକା ବନର କଇଚ୍ଛା ।୧୮୧।

ସ୍ୱାମୀ ଜପାସୁର କୁମର ଖର ଦୂଷଣ ତ୍ରିଶିରା

ସ୍ୱାମୀ ତୋହୋର ରାଗେ ନାଶଗଲେ ୟେ ତିନିବୀରା ।୧୮୨।

ବଳୀର ଦର୍ପ ଦେବ ନାଶିଲୁ କୋଦଣ୍ଡେ

ସପତଶାଳ ବିଦାରି ନାଥ କଲୁ ଖଣ୍ଡେ ଖଣ୍ଡେ ।୧୮୩।

ଧାନୁକୀ ଚନ୍ଦ୍ର ଚୂଡ଼ାମଣି କୋଦଣ୍ଡ ଦୀକ୍ଷାଗୁରୁ

ସୁଗ୍ରୀବ ବିନୟ ନାଥ ଶରଣ ଉଦ୍ଧାରୁ ।୧୮୪।

ହରିନାଥ ବଲ୍ଲଭ ସ୍ୱାମୀ କଇଚ୍ଛା ଜଗଜ୍ଜେଠୀ

ସର୍ବ ଭୁବନେ ବିଦିତ ତବ ନାମ ଗୋଟି ।୧୮୫।

ହନୁମନ୍ତ ସାଖାୟେ ବାନ୍ଧିଲୁ ବାରାନିଧି

ଶ୍ରୀରାମ ଚରଣେ ଶରଣ ଦୁର୍ଗା ପରସାଦୀ ।୧୮୬।

ସ୍ୱାମୀ ହନୁମନ୍ତ ଠାକୁର ମୁଖେ ମହିମାଂ ତୋର ଶୁଣି

ଶରଣ ପଶିଲି ଦେବ ମହିମା ତୋର ଜାଣି ।୧୮୭।

ସ୍ୱାମୀ ଅକ୍ଷୟ ଇନ୍ଦ୍ରଜିତ ରାବଣ କୁମ୍ଭକର୍ଣ୍ଣ

ଦହିଲୁ ମହାଅନଳେ ଦେବ ଅସୁର ବଳ ସନ୍ୟ ।୧୮୮।

ଶରଣପଞ୍ଜର ନାଥ ଭଗତ ମଚ୍ଛଳ

ଲଂକା ଦ୍ୱୀପର ମୋତେ ସଞ୍ଜିଲୁ ଚିରକାଳ ।୧୮୯।

ସ୍ୱାମୀ ଦୁଷ୍ଟବଳ ଧଂସିଣ ଲଂକାୟେ ମୋତେ ଥାପି

ତବ ପ୍ରସନ୍ନେ ନାଥ ହୋଇଲି ମୁଂ କୋଟିକଳ୍ପୀ ।୧୯୦।

ସ୍ୱାମୀ ମୁହିଂ ତୋର ଚରଣେ ଶରଣ ସକଳ ପ୍ରସ୍ତାବେ

ଅନୁଗ୍ରହ ନାଥ ମୋତେ ଦୟାକଲୁ ୟେବେ ।୧୯୧।

ତୁ ସେ ଦେବ ଆଦି ଅନାଦି ଅଟୁ ମୀନରୂପୀ

ବେଦବର ଅର୍ଥେ ନାଥ ଶଂଖାସୁରେ କୋପୀ ।୧୯୨।

କୂର୍ମରୂପେ ଦେବ ତୁହି ଧଇଲୁ ମେଦିନୀ

ତିଳମନ୍ଦା ପ୍ରାୟେକ ହୋଇ ଲାଗିଲା ଅବନୀ ।୧୯୩।

ଅବନୀ ଦଇତ ନାଥ ବିଦାରଣ ନିମନ୍ତେ

ବରେହା ରୂପ ଦେବ ବିକାଶିଲୁ ପଦ୍ମନେତ୍ରେ ।୧୯୪।

ବଳିକି ଦୁସହ ଯହୁଂ ଦେଖିଲୁ ମହାଦାନୀ

ବାମନ ରୂପ ହୋଇ ପ୍ରତିଗ୍ରହେ ଦାନ ଘେନି ।୧୯୫।

ପ୍ରାର୍ଥନା କରିଣ ଦେବ ଚାପିଲୁ ପାତାଳେ

ତୁ ସେ ଦାନବ ବଳ ବିଦାରିଲୁ ସର୍ବକାଳେ ।୧୯୬।

ସ୍ୱାମୀ ନରସିଂହ ରୂପ ଧଇଲୁ ହିରଣକଶିପୁ ନିମନ୍ତେ

ଜାନୁରେ ପକାଇଣ ଦେବ ବିଦାରିଲୁ ତୀଖ ନହଘାତେ ।୧୯୭।

ସ୍ୱାମୀ ନରସିଂହ ରୂପ ଧଇଲୁ ହିରଣକଶିପୁ ନିମନ୍ତେ

ବିଶ୍ୱାସେ ନାଶକଲୁ ଦେବ ତାହାକଇଂ ଗୋପ୍ୟେ ।୧୯୮।

ପୁଣ ପଶୁରାମ ରୂପ ପ୍ରକାଶି

କ୍ଷତ୍ରୀ ମର୍ଦନ ତୁ କଲୁ ଋଷିକେଶୀ ।୧୯୯।

ସ୍ୱାମୀ ରାମ ଅବତାରେ ମହିମା ତୋର ଧନ୍ୟ

ଅନେକ ସମ୍ପଦେ ତୋତେ ଖଟଇ ମଘବାନ ।୨୦୦।

ରାବଣକୁ ନାଶି ଯେ ଅନେକ ଅସୁର କରି କ୍ଷୟେ

ଦୟାଚିତ୍ତେ ଭୋ ନାଥ ତୁ ମୋତେ କଲୁ ଲଂକା ରାୟେ ।୨୦୧।

କହ୍ନା ଅବତାରେ ଦେବ ଦଳିଲୁ କାଳୀୟ କଂସକେଶୀ

ଚାଣୁର ମୁଷ୍ଟିକ ବଳା ପ୍ରଳମ୍ୱାସୁର ଧ୍ୱଂସି ।୨୦୨।

ସ୍ୱାମୀ ଅନନ୍ତ କୋଟି ବ୍ରହ୍ମାଣ୍ଡେ ଯାହାର ଅନନ୍ତ ମହିମା

ଚତୃମୁଖେ ସଂଚରି ଯାହା କହି ନୁଆରିଲା ବେଦବ୍ରହ୍ମା ।୨୦୩।

ସ୍ୱାମୀ ମୃହିଂ ତୋହୋର ଦାସର ଦାସ ଅଟଇ ଭୃତ୍ୟର ଭୃତ୍ୟ

ଜନ୍ମେ ଜନ୍ମେ ତୋହୋର ନାମ ମୋହୋର ବିଘଂସୁ କଣ୍ଠତଟ ।୨୦୪।

ସ୍ୱାମୀ ଇହଲୋକେ ପରଲୋକେ ମୋକ୍ଷକୁ ତ ତବ ନାମ

ଅର୍ହନିଶି ବିଂଘସୁ ମୋହୋର ହୃଦୟରେ ଶ୍ରୀରାମ ଶ୍ରୀରାମ ।୨୦୫।

ଅକଳିତ ସାଗର ୟେ ଚରିତ ଶ୍ରୀ ମହାଭାରଥ

ଇତିଶ୍ରୀ ବିଷ୍ଣୁପୁରାଣ ମୁଂ କି କହିତେ ସାମରଥ ।୨୦୬।

ଶ୍ରୀରାମ ନାମଗୋଟି ଭାବଇ ନିତ୍ୟେ ନିତ୍ୟେ

ମୁଂ ୟେହା ବଞ୍ଚାଇଲି ସଂସାର ଜନହିତେ ।୨୦୭।

 

ଶ୍ରୀରାମ ନାମଗୋଟି ଭଜନ କର ମନର ସାନନ୍ଦେ

ଶୂଦ୍ରମୁନି ସାରୋଳା ଦାସକୁ ମୁକତି କରିବେ
ରାମଚନ୍ଦ୍ରେ ।୨୦୮-୧୦୬୯୦।

 

ଯୁଧିଷ୍ଠିରଙ୍କ ଦର୍ଶନାର୍ଥେ ଶ୍ରୀକୃଷ୍ଣ ବିଭୀଷଣଙ୍କୁ ଘେନି ଯିବାପାଇଁ
ଚାରିଦ୍ୱାରେ ଭ୍ରମଣ ଏବଂ ରାଜାମାନଙ୍କ ଭୋଜନାଦି ଦର୍ଶନ

ବଦୟନ୍ତି ଅଗସ୍ତି ଯେ ପଣ୍ଡିତ ମହାଗ୍ୟାତା

ବିଲଂକ ଦେଶର ନୃପତି ଯେ ବଇବସୁତମନୁ ଶ୍ରୋତା ।୧।

ଅନେକ ବିନୋପୀଣ କହଇ ବିଭୀଷଣ

ଶ୍ରୀ ପୁରୁଷୋତ୍ତମଂକ ଚରଣେ ଶତ ସହସ୍ର ଦଣ୍ଡ ପରିଣାମ ।୨।

ସ୍ୱାମୀ ତ୍ରେତୟା ଯୁଗେ ସେବା କଲି ୟେ ତୋହୋର ଚରଣେ

ଦ୍ୱାପରେ ଅନୁଗ୍ରହ ତୁ ମୋତେ କଲୁ ନାରାୟଣେ ।୩।

ବଦୟନ୍ତି କେଶବ ଶୁଣସି ଲଂକାଧି

ଆମ୍ଭନ୍ତ ଦ୍ରଶନେ ତୋର ସକଳ କାର୍ଯ୍ୟସିଦ୍ଧି ।୪।

ନିରାକାର ଅବତାର ଯୁଝେଷ୍ଠି ଦେବସ୍ୱାମୀ

ଲକ୍ଷେକ ନୃପତି ଯାହାର ଚରଣେ ପରିଣାମି ।୫।

ଶୁକ୍ଳାମ୍ୱର ଶରୀର ଯେ ନିକଳଂକ ଦେବରାଜ

ସେ ସ୍ୱାମୀର ଚରଣେ ସେବ ହୋ ବିଶ୍ରବୀର ତନୁଜ ।୬।

ନାରାୟେଣଂକ ବଚନେ ବୋଲଇ ବିଭୀଷଣ

ମୁଂ ତୋହୋର ଚରଣେ ଦେବ ବୋଲଇ ବିଭୀଷଣ

ମୁଂ ତୋହୋର ଚରଣେ ଦେବ ଅଟଇ ଶରଣ ।୭।

ଅଞ୍ଜନାର ନନ୍ଦନ ମୋହୋର ସନ୍ୟକୁ ଦୟାକରୁ

ୟେହାକୁ ଦେଖି ସନ୍ୟ ମୋହୋର କାତର ହେଲେ ଦୂରୁଂ ।୮।

ତେଣୁ ସେ ଭୋ ଦେବ କଥାୟେ ମାଗଇ ତୁକୁ

ଅଭ୍ୟର୍ଥୀ ଆଗ୍ୟାଂ ମୁଂ ମାଗୁଅଛି ହନୁମନ୍ତ ଠାକୁରଂକୁ ।୯।

ୟେ ମୋହର ତୁଲେ ଛନ୍ତି ଯେତେକ ନିଶାଚର ବଳ

ୟେ ଦାନବ ବଳ ସଇନିକି ୟେକା ହନୁମନ୍ତ ଅଟଇ କ୍ଷୟେକାଳ ।୧୦।

ୟେହାକଇଂ ଦେଖି ସଇନି ମୋର ବଡାଇ କାତର

ଅଞ୍ଜନା ନନ୍ଦନ ନାଥ ସନ୍ୟ ମୋହୋର ରକ୍ଷାକର ।୧୧।

ହନୁମନ୍ତ ବୋଇଲା ତୋତେ ଆଗ୍ୟାଂ ଦେବରାଜେ

ତୁହୋ ଆପଣେ ଆସିଅଛୁ ଯୁଝେଷ୍ଠି ଦେବଂକର କାର୍ଯ୍ୟେ ।୧୨।

ଯେବଣ ଯୁଝେଷ୍ଠି ଦେବ ତ୍ରଇଲୋକ୍ୟର ନାଥ

ତାହାଂକର ବଚନ ଯେ ଅଟଇ ଅଲଂଘିତ ।୧୩।

ଆହୋ ଭୀମସେନ ବୋଲିକରି ଯେ ତାହାଂକର ଅନୁଜ

ପାଥିବ ବୋଲିକରି ତାହାଂକର ସାନୁଜ ।୧୪।

ସୁଗନ୍ଧିକା ହରଣେ ଗଲାବ ଖିନିଖିନେ

ୟେକା ଜଣକେ ଧଂସିଲା ସେ ମୋହୋର ମଧୁବନେ ।୧୫।

ବାନର ମୁଖୁଂ ବାରତାପାଇଣ ମୁଂ ଯେ କରଇ ମହାରୋଷ

ମୋହୋର ଛାମୁରେ ସେ କଲା ଗୁଣଘୋଷ ।୧୬।

ସତ୍ୟ ତ୍ରେତୟା ଯେ ଦ୍ୱାପର ଯୁଗକଳି

ୟେ ଚାରି ଯୁଗରେ ମୁଂ ଅଟଇ ମହାବଳୀ ।୧୭।

ଆହୋ ବିଭୀଷଣ ସେତୁ ବାନ୍ଧିଲୁ ଆମ୍ଭେ ସାତଦିନେ

ଅଷ୍ଟାଦଶ ବୃନ୍ଦ ସଇନ ଘେନି ଶ୍ରୀରାମଚନ୍ଦ୍ର ଆପଣେ ।୧୮।

ମୋହୋର ବିବାଦେ ପାଥ ବିନ୍ଧିଲା ମନଭେଦୀ

ପଣକର ମଧ୍ୟେଣ ସେ ବାନ୍ଧିଲା ବାରାନିଧି ।୧୯।

ବିଭୀଷଣ ବୋଇଲା ସ୍ୱାମୀ ବାନ୍ଧଇଲା ଅବା ଶରେ

ଉଭାହୋଇ ପାରିଲଟିକି ତହିଂର ଉପରେ ।୨୦।

ହନୁମନ୍ତ ବୋଇଲା ହୋ ମୁଂ ଆପଣେ ପରୀକ୍ଷ କଲି

ବିଶ୍ୱରୂପ ଧରି ବନ୍ଧ ଉପରେ ଧାପ ଦିଲି ।୨୧।

ୟେକ ଲିତାୟେକ ସେ ନ ଟଳିଲା ଶରବନ୍ଧ

ଭୟେଣ ପୂଜାକଲି ମୁହିଂ ପାଣ୍ଡେବ ନରେନ୍ଦ୍ର ।୨୨।

ବିଭୀଷଣ ବୋଲେ ଶର ସହନ୍ତା କି ଭୁଲେ

ଶ୍ରୀରାମ ସେ ବନ୍ଧତଳେ ମୀନରୂପେ ଥିଲେ ।୨୩।

ଆହୋ ବିଭୀଷଣ ଦ୍ରଶନ କରିବା ଚାଲ ବେଗେ

ଛାମୁରେ ବିନୟ ଭାବ ହୋଇବୁଟି ବହୁତ ବାଗେ ।୨୪।

ଆହୋ ବିଭୀଷଣ ପ୍ରତକ୍ଷେ ନିରଞ୍ଜନ ସେ ଧର୍ମରାଜା ଯୁଝେଷ୍ଠି

କର ଲେଉଟାନ୍ତେ ଯାହାର ଲେଉଟଇ ନବସୃଷ୍ଟି ।୨୫।

ଖାଣ୍ଡବବନ ଦହିଲୁ ଯେ ପାଣ୍ଡବ ମହାଯୋଧୀ

ଅଗ୍ନି ଦେବତାର ଖଣ୍ଡିଲା ଲୁଦୁବୁଦୁ ବ୍ୟାଧି ।୨୬।

ବାବୁ ଯେତେମାନ ପାରୁ ପାଣ୍ଡବନ୍ତ କର ସେବା

ବିନୟ ବାକ୍ୟେ ସେ କାରଣ ଅଛିଟି ରେ ବାବା ।୨୭।

ଶ୍ରୀଜଗନ୍ନାଥେ ବୋଇଲେ ହନୁମନ୍ତକଇଂ ଚାହିଂ

ବିଭୀଷଣ ସନ୍ୟଂକୁ ତୁ ଅନ୍ନ ଦିଅସି ତୁ ଥାଇ ।୨୮।

ୟେକାଜଣକଇଂ କେହି ଯେହ୍ନେ ନୋହିବେଟି ଅତ୍ରିପୁତି

ୟେମାନ ସେ ତୋତେ ଲାଗଇ ବୋଲି ବୋଇଲେ ଶ୍ରୀପତି ।୨୯।

ପାରୁଶ ମହାପାରୁଶ ବିଭୀଷଣର ବେନିମନ୍ତ୍ରୀ

ଆପଣେ ତାହାନ୍ତ ଘେନି ଅଇଲେ ଶ୍ରୀପତି ।୩୦।

ଆହୋ ବିଭୀଷଣ ଠାକୁରକୁ ତୋତେ କରାଇବା ଦ୍ରଶନ

ପ୍ରଣପତ୍ୟ ହୋଇଥିବୁଟି ତାହାଂକ ସନ୍ନିଧାନ ।୩୧।

ନାରାୟଣଂକ ବଚନେ ବୋଲଇ ବିଭୀଷଣ

ତୋ ତହୁଂ ଠାକୁର ମୁଂ ତ ନ ଜାଣଇ ଆନ ।୩୨।

ୟେସନେକେ ବୋଲି ବିଭୀଷଣ ବିଚାରଇ ହୃଦଗତେ

ବିଭୀଷଣର ମନ ଯେ ଜାଣିଲେ ଜଗନ୍ନାଥେ ।୩୩।

ୟେ ପୁଣ ପ୍ରଣପତ୍ୟ ନୋହିବ ଠାକୁରଂକୁ

ନ ପୁଣ ଯୁଝେଷ୍ଠିଦେବ କୋପ କରଇ ମୁକୁ ।୩୪।

ଅନେକ ତିଆରିଲେ ଦେବ ବିଭୀଷଣର ହାଥ ଧରି

ଦକ୍ଷିଣ ଦ୍ୱାରେ ପ୍ରବେଶ ହୋଇଲେ ଦେବହରି ।୩୫।

ସେ ଦ୍ୱାରେ ଦ୍ୱାରପାଳ ହୋ କାଳିନ୍ଦୀର ବଳା

ପ୍ରତକ୍ଷେ ନାରାୟଣ ସେ ବତିଶ ଗୁଣେ କଳା ।୩୬।

ଅନେକ ଅଳଂକାର ସେ ଶରୀରେ ଭୂଷଣ

ଦେଖିଣ ସାନନ୍ଦ ସେ ହୋଇଲେ ବିଭୀଷେଣ ।୩୭।

ବଦନ୍ତି କେଶବ ଶୁଣ ହୋ ଦକ୍ଷିଣ ଦ୍ୱାରପାଳ

ଲଂକାଦୀପ ମାଝୀ ୟେ ବିଭୀଷଣ ମହୀପାଳ ।୩୮।

ତେପନ ଯୁଗର ରାଜାୟେ ଶ୍ରୀରାମ ଅଭିଷେକୀ

ଯୁଝେଷ୍ଠିଦେବ ଠାକୁରଇଂ ୟେ ଆସିଅଛଇ ଦେଖି ।୩୯।

ଭିତରକୁ ଯିବୁ ଆମ୍ଭେ ଦ୍ୱାର ଛାଡିଦିଅ ରେ ବାବୁ

ବିଭୀଷଣଂକୁ ଯୁଝେଷ୍ଠି ଠାକୁରଂକୁ ଦ୍ରଶନ କରାଇବୁ ।୪୦।

କୁମାର ବୋଇଲା ମୁଂ ଆଗ୍ୟାଂ ନ ପାଇଲେ

ବିନା ଅଗ୍ୟାଂୟେ ଦ୍ୱାର ଛାଡି ନୁହଇଂ ମୋହୋର ବେଳେ ।୪୧।

ତହୁଂଣ ବିଭୀଷଣକଇଂ ଘେନିଣ ଜଗନ୍ନାଥେ

ପୂର୍ବ ଦ୍ୱାରକୁ ଚଳନ୍ତି ଭିତରେ ପଶିବା ନିମନ୍ତେ ।୪୨।

ଗୋବିନ୍ଦେ ବୋଇଲେ ସେ ହକାରି କାଳିଞ୍ଜନ

ବିଭୀଷଣର ଆଣିଲା ଯେତେ ପାଣିଦ୍ରବ୍ୟ ଲକ୍ଷେ ରଥ ଧନ ।୪୩।

ଭଣ୍ଡାର ଅଧିକାରୀକି ବୋଲ ୟେହା ଯତନେ ଥାଉ ଥୋଇ

ମଧ୍ୟସ୍ୱର୍ଗକଇଂ ଅପୂର୍ବ ପଦାର୍ଥ ୟେ ୟେହା ଲୋଡିତେ ନ ପାଇ ।୪୪।

ସ୍ୱାମୀର ଅଗ୍ୟାଂୟେ ଦରଶନି ଲକ୍ଷେ ରଥ ଧନନେଲେ

ଦ୍ରିଯୋଧନ ଅଗ୍ରତେ ନେଇଣ ସମର୍ପିଲେ ।୪୫।

ବିଭୀଷଣକଇ ଘେନି ଦେବ ଦାମୋବରେ

ବିଜୟେ ଜଗମୋହନ ପୂର୍ବସିଂହଦ୍ୱାରେ ।୪୬।

ଦଶ ଅହିବ୍ରତ ଗୋଷ୍ଠ ଦୋହନ ହୋଉଅଛି ଗାଈ

ନବତାଳ ଉଚ୍ଛର୍ଗେ ଖୀରନଦୀ ଯେ ଯାଉଅଛି ବହି ।୪୭।

ଦେଖିଣ ଆଶ୍ରିଜ ହୋଇଲେ ଯେ କୁମ୍ଭକର୍ଣ୍ଣର ସାନ

ନାହିଂ ନାହିଂ ଦେଖିଲା ୟେସନେକ ବିଧାନ ।୪୮।

ସୁବର୍ଣ୍ଣର କୋଳେୟାରେ ବିଜୟ ଅନଙ୍ଗ

ଅଶି ସହସ୍ର ଯୋଦ୍ଧା ଯେ ଅଛନ୍ତି ତାହାଂକର ସଙ୍ଗ ।୪୯।

ଅନେକ ଗହଳ ପୂର୍ବଦିନ ରାଜାଂକର ସଇନି

ବହୁତ ଧନ ପାଣିଦ୍ରବ୍ୟ ଆଣିଛନ୍ତି ଦେଖି ଦରଶନି ।୫୦।

ଲକ୍ଷେ ରାଜାଂକର ଯେତେ ଅଶ୍ୱଶାଳମାନ

ଯେ ଯାହାର ନିଯୋଗ ଯେ କରନ୍ତି ଆରୋପଣ ।୫୧।

ଦେଖିଣ ଆଶ୍ରିଜ ଯେ ପୁଷ୍ୟ ମାଳୁଣୀର ବତ୍ସି

ବଡାଇ ଦୁର୍ଲଭ ଦେଖିଣ ନ ଫୁରାଇ କିଛି ।୫୨।

ଗୋବିନ୍ଦ ବୋଇଲେ ବାବୁ ଶୁଣରେ ପଦ୍ମନ

ୟେ ହାଦେ ଲଂକାଗଡ଼ ମାଝୀଟି ବିଭୀଷଣ ।୫୩।

ବାବୁ ଦ୍ୱାର ଛାଡିଦେଇ ପାରକି ରେ ଆମ୍ଭଂକୁ

ବିଭୀଷଣକଇଂ ଦ୍ରଶନ କରାଇବୁ ଯୁଝେଷ୍ଠିଦେବ ଠାକୁରଂକୁ ।୫୪।

ଆହୋ ବାବୁ ମୀନକେତନ ୟେ ବଡ଼ ଧାର୍ମିକ ମହାତମା

ତେପନ ଯୁଗର ରାଜା ୟେ ମାନବ ଉତ୍ତମା ।୫୫।

ମହେଶ୍ୱର ଅବତାର ୟେ ଶ୍ରୀରାମ ଅଭିଷେକୀ

ଆଗ୍ୟାଂୟେ ଅଇଲା ୟେ ଯୁଝେଷ୍ଠି ଦେବଂକୁ ଦେଖି ।୫୬।

ନାରାୟଣଂକର ବଚନ ଶୁଣିଣ ଶମ୍ୱର ଅଇରି

ବିନା ଆଗ୍ୟାଂୟେ ୟେକି ଭିତରକୁ ଛାଡିପାରି ।୫୭।

ଆଜକ ଦେବ ରହିଥିବା ୟେହୁ ସଂଘଦ୍ୱାରେ

ଠାକୁରଂକୁ ଜଣାଇଲେ ସେ ଛାଡିତ ପାରଇ ଭିତରେ ।୫୮।

ଶ୍ରୀଜଗନ୍ନାଥେ ବୋଇଲେ ହୋ ବିଭୀଷଣ କେମନ୍ତେ କରିବା

ଦେଖି ଉତ୍ତର ଦ୍ୱାରକୁ ଚାଲ ବହନହୋଇ ଯିବା ।୫୯।

ବିଭୀଷଣକଇଂ ଘେନି ଦେବ ବିଜୟେ କଲେ ତହୁଂ

ପ୍ରତେ ନ ଯାଇ ବିଭୀଷଣ ୟେଡେକ ପ୍ରତଗ୍ୟାଂ କହୁ କହୁଂ ।୬୦।

ଧାର୍ମିକ ବିବେକ ଯେ ଧର୍ମରାଜା ଯୁଝେଷ୍ଠି

ତ୍ରଇଲୋକ୍ୟେ ବନ୍ଦନ ଯାହାର ନାମ ଗୋଟି ।୬୧।

ଆହୋ ବିଭୀଷଣ ମହା ଗରୁହଂସୀ ପରମ ବଇଷ୍ଣବ ଯୁଝେଷ୍ଠି ଦେବସ୍ୱାମୀ

ଅପସରି ବହୁତ ଦୂରହୁଂ ହୋଇ ପରିଣାମି ।୬୨।

ହୃଦଗତେ ବିଚାରି ବୋଲଇ ବିଭୀଷଣଇଂ

ଆନ କେ ଠାକୁର ତୋ ତହୁଂ ଆନକୁ ନ ଜାଣଇଂ ।୬୩।

ସଂସାର ଜଗତମୟେ ଜଗନ୍ନାଥ ତୋହୋର ନାମ

ଆଉରମାନେ ପୁରୁଷ ତୁ ପୁରୁଶଂକ ଉତ୍ତମ ।୬୪।

ୟେସନେକ ବୋଲିଣ ବିଭୀଷଣ ବିଚାରଇ ହୃଦଗତେ

ଅନ୍ତର୍ଗତ ବାରତା ତାର ଜାଣିଲେ ଦେବ ପଦ୍ମନେତ୍ରେ ।୬୫।

ଚିନ୍ତା ପଶିଲା ଦେବ ଦେବାଧି ଦେବରାଜା

ନ ପୁଣ ଯୁଝେଷ୍ଠି ଦେବ ପାଆନ୍ତି ୟେଥେ ଲଜ୍ଜା ।୬୬।

ବିଭୀଷଣକଇଂ ଘେନି ତହୁଂ ଦେବାଧି ଦାମୋଦର

ବିଜେ ଜଗମୋହନ ବାରୁଣାବନ୍ତ ଉତ୍ତର ଦ୍ୱାର ।୬୭।

ଚାଳିଶ ସହସ୍ର ରାଜାର ଯେତେକ ସଇନି

ଲକ୍ଷେକୋଟି ସାଗର ଧନ ଦେଖା ଦରପଣି ।୬୮।

ଦେଖିଣ ସନ୍ୟମାନେ ଦୂରହୁଂ ଅପସରି

ବୋଇଲେ ଆତୋ ହୋ ଆଡ ହୋ ଯାଆନ୍ତୁ ଅନନ୍ତ ପଢିହାରୀ ।୬୯।

ଶାମ୍ୱ କୁମର ବିଜୟେ ଦୁତୀ ଇନ୍ଦ୍ର ଜାଣି

ଅନର୍ଘ ମଣିମୁକୁଟ ଶିରେ ଝଲକଇ ସୂର୍ଯ୍ୟ ଜାଣି ।୭୦।

ନିଜ ସ୍ୱାମୀଂକି ଦେଖି ସେ ଉଠିଲା ଧାତିକାରେ

ପ୍ରଳମ୍ୱିତ ହୋଇଲା ଶ୍ରୀଜଗନ୍ନାଥଂକ ପୟରେ ।୭୧।

ଶ୍ରୀକରେ ପୁତ୍ରକଇଂ କରନ୍ତି ଆଶୀଷ ବାଞ୍ଛା

ଅନେକ ବିପୁଳ ଭୋଗ ଭୁଞ୍ଜ ବାବୁ ଯେ ତୋହୋର ଇଚ୍ଛା ।୭୨।

ବିଭୀଷଣକଇଂ ଦେଖାନ୍ତି ରାଜାଂକ ଭୋଜନ ସ୍ଥାନ

ଯମୁନା ନଦୀରେ ରାଜାୟେ କରନ୍ତି ସ୍ରାହାନ ।୭୩।

ସ୍ରାହାନ ପାଣି ଯେ ଗଙ୍ଗାଜଳେ ପତି

ଯମୁନା ଧାରଯାକ ବହଇ କସ୍ତୁରୀ ।୭୪।

ସମ୍ପୂର୍ଣ୍ଣ ଯୁବା ବୟସୀ ସ୍ୱର୍ଗର ଅପସରୀ

ଦେବାଙ୍ଗ ବସ୍ର ପିନ୍ଧି ଯେ କ୍ରୀଡାରଙ୍ଗ କରି ।୭୫।

ସ୍ରାହାନ କରିଣ ଯେ କେଣନ୍ତ ପଖାଳି

ଭୃତ୍ୟଜନେ ବେଢ଼ି ତହିଂ ଚାମର ଯେ ଢାଳି ।୭୬।

ଭଣ୍ଡାରୁ ନବତନ ବସ୍ରନ୍ତ ନେଇ ଦିଲେ

ସୁଗନ୍ଧ କୁସୁମେଣ କେଶ ସାଞ୍ଜୋଇଲେ ।୭୭।

ମଲ୍ଲି ମାଳତୀ କେତକୀ ଆବର ଜାତି ଯୁତି

ବକୁଳ ଛୁରୀଅନା ଚମ୍ପକ ସେବତୀ ।୭୮।

ଅନେକ କୁସୁମେଣ କବେରୀ ଭାର ଗଭା

ଅମୂଲ୍ୟ ଅଳଂକାର ଦିଶନ୍ତି ଅତି ଶୋଭା ।୭୯।

ଅମନାତ୍ୟ ପାତ୍ର ଯେ ବଡ କୁମାର ଜେନା

ସମସ୍ତ ମୁକୁଟବନ୍ଧା ଯୋଦ୍ଧା ମହାରଥୀ ସର୍ବସେନା ।୮୦।

ଅନେକ ବେଶ ବେଶନ ହୋଇଣ ମହାରାଜେ

ଦେବମଣ୍ଡଳ ଭୁବନ ଆସ୍ତାନେ ଯାଇଂ ବିଜେ ।୮୧।

ପାଦ ଶଉଚି କରି ବିଜୟେ ଭୋଜନର ସ୍ଥାନେ

ସୁବର୍ଣ୍ଣ ପଇଲମେ ଯୋଗାଡ ଦିଅନ୍ତି ବିଧାନେ ।୮୨।

ଆହୋ ବିଭୀଷଣ ରାଜାକେ ଲକ୍ଷମାଢ ସୁବର୍ଣ୍ଣ ପଇଲମ ଯୋଗାଡର

ନିତ୍ୟହିଂ ନବତନ ସେ ନାନାବିଧି ବେଭାର ।୮୩।

ମୁଣୋହି ଠାବରେ ବିଜୟେ ରାଜାୟେ ବଡାଇ ସମ୍ଭରେ

ବାରୁଣୀ ଦ୍ୱାଦଶ ଯେ ବିଶ୍ୱଦେବା ଦିନକରେ ।୮୪।

ଦୋହରା ସମାପତ ବାସନା ଦ୍ୱାରେ ବାସେଳୀ

ବାହିଜ ବଳି ସାରି ଅନ୍ନପତ୍ରା ବଳି ।୮୫।

ୟେସନେକ ସମ୍ପଦ ଯେ ଭୋଜନ ବିଧାନେ

ପରସନ୍ତି ଅନ୍ନବଲ୍ଲଭ ସୂପକାରମାନେ ।୮୬।

ଯୁଗତେ ଅନ୍ନ ଦେବ ବାସୁଦେବ ଯାହା ସଞ୍ଚି

ସୁବାସ ସୁଗନ୍ଧରେ ଆକାଶ ଆମୋଗୁ ଅଛି ।୮୭।

ଗଉରୀ ଶଉରୀ ନଳବିଧି ରାନ୍ଧଣା ତିନିପ୍ରତି

ଦେଖି ପୁଣ୍ୟଲୋକେ ହୋଇଲେ ତ୍ରିପୁତି ।୮୮।

ସୁବାସିତ ଘୃତ ଲବଣରସ ପାଗେ

ଦେବ ପିତୃ ସମର୍ପି ଭୁଞ୍ଜନ୍ତି ଅତି ସ୍ରଗେ ।୮୯।

ଭୋଜନର ମହିମାଂ ଦେଖିଣ ବିଭୀଷଣ

ସାଧୁ ସାଧୁ ନାରାୟେଣ ବୋଲି ହୃଦେ କରଇ ଘୋଷଣ ।୯୦।

ଦେବତା ଅଗ୍ରେପନ୍ତି ସୁପଂକୁ ଅନ୍ନ ଦେଖି

ମାନବ ମାତ୍ରକେ କେ ପାରଇ ଉପେଖି ।୯୧।

ବହୁତ ବିଧି ସଞ୍ଚିତ ଅମୃତ ରସ ପାଗେ

ଅନେକ ହରଷେ ଭୁଞ୍ଜନ୍ତି ରାୟେ ସିରାଗେ ।୯୨।

ଗୋରସ ରସ ନିର୍ମିତ ଅଗଣିତ ନାନା ବର୍ଣ୍ଣେ ପିଠା

କ୍ରପୂର ଆମୋଦନ୍ତେ ସୁସ୍ୱାଦୁ ଅତି ମିଠା ।୯୩।

ଲଂକାକଇଂ ଅଗୋଚର ୟେ ଭୋଜନ ବିଧାନ

ଦେଖିଣ ବହୁତ ପ୍ରଶଂସା କଲାକ ବିଭୀଷଣ ।୯୪।

ଶ୍ରୀ ଜଗନ୍ନାଥ ଦେବଂକର କାଖେଣ ଦେବଯୋଡି

ସମସ୍ତ ରାଜାମାନନ୍ତ ଦେବ ସମାର୍ଜନ କରି ।୯୫।

ତ୍ରିପୁତି ବାକ୍ୟେଣ ଦେବ ଜଣେ ସମାର୍ଜି

ନାରାୟଣଂକଇଂ ଦେଖି ରାଜାୟେ କଉତୁକେ ଭୁଞ୍ଜି ।୯୬।

ବିଭୀଷଣ ବୋଇଲା ୟେ କେଉଂଣ ଉପାୟ ମୋତେ

ଯାହାକଇଂ ତଲୟେ କରିଛନ୍ତି ଜଗନ୍ନାଥେ ।୯୭।

କେଉଂଣ ଚରିତ ମୋତେ ଭିଆଇଅଛୁ ଦେବହରି

ମକୁଇଂ ଅଗୋଚର ଚରିତ ୟେ ହୋଇଲା ତୋହାରି ।୯୮।

କୋଟିବ୍ରହ୍ମାଣ୍ଡ ଯାହାର ରୋମ ଶିଖରେ ବସଇ

କାହାକଇଂ ଭୃତ୍ୟପଣ ତୋହୋର ଋଷୀକେଶର ।୯୯।

ଭୋଜନେ ତୁଷ୍ଟ ଯହୁଂ ହୋଇଲେ ରାଜାମାନେ

ଶଙ୍ଖଧ୍ୱନି ଶବଦେଣ ବିଜେକରେ ଆଂଚୋବନେ ।୧୦୦।

ମେରୁଶୂଳ ଋଷି ଚାହିଂଲେ ଅପାଙ୍ଗ ନୟନେ

ଦହିଜ ହୋଇଲେ ସବୁ ଉତ୍ତିଷ୍ଠ ପତ୍ରମାନେ ।୧୦୧।

ସୁବର୍ଣ୍ଣ ଯୋଗାଡମାନ କାଢ଼ିନେଲେ ପରିବାରୀ

ଗଙ୍ଗା ଭିତରେ ନେଇ ମେଲିଦେଲେ ସୁନ୍ଦରୀ ।୧୦୨।

ବିଭୀଷଣ ଜଣାଇଲେ ଶ୍ରୀଜଗନ୍ନାଥଂକ ଆଗରେ

କିଂପେ ପକାଇଲେ ସୁବର୍ଣ୍ଣ ଯୋଗାଡ ନେଇ ଅଗାଦ ଜଳରେ ।୧୦୩।

ଗୋବିନ୍ଦ ବୋଇଲେ ଆହୋ ଶୁଣ ବିଭୀଷଣ

ନବତନ ଯୋଗାଡ ଲକ୍ଷେ ରାଜାଂକୁ ନିତ୍ୟାପତି ଭିଆଣ ।୧୦୪।

ବିଭୀଷଣ ବୋଇଲା ସ୍ୱାମୀ ୟେ ବଡାଇ ଦୁର୍ଲଭ

ଆନ ଯଗ୍ୟେଂ ଦେଖଇଲା ନାହିଂ ତ ୟେସନ ସମ୍ଭର୍ବ ।୧୦୫।

କେଉଂଣ ରାଜାର ପୁତ୍ର ୟେମାନେ ଅଟନ୍ତି

ପଅଂରି କରି ଭୂମିରେ ଗୋମଳ ଛଡା ଦ୍ୟନ୍ତି ।୧୦୬।

କଣୟ ରୁଦ୍ରସେନର ସେ ଶତେକ ସନ୍ତତି

ପଇତ ନୀରେ ଗୋଳି ଗୋମଳ ଛରା ଦ୍ୟନ୍ତି ।୧୦୭।

ଅସୁର ଭୋଗ୍ୟ ପାଇଥିଲେ ୟେ ସତ୍ୟଯୁଗେ

ଶାପରୁ ପାର ୟେହି ହୋଇବେ ୟେଥିଯୋଗେ ।୧୦୮।

ବଶିଷ୍ଠଂକ ଶତେପୁତ୍ର ଦୋଷୀ ଗୋରୁ ନିଅନ୍ତେ

ସେ ଛେରା ପୟେରା ପକାନ୍ତି ମୁକତି ନିମନ୍ତେ ।୧୦୯।

ବ୍ରହ୍ମରାକ୍ଷସ ହୋଇଥିଲେ ସେ ବିଶ୍ୱାମିତ୍ରଂକ ଶାପେ

କାହାକଇଂ ଗୋଚର ନାହିଂ ୟେଥି ଖଟିଛନ୍ତି ଗୋପ୍ୟେ ।୧୧୦।

ତହିଂର ଉପରେ ହୋ ବରଷନ୍ତି ମେଘମାନେ

ତହିଂର ଉପରେହିଂ କରନ୍ତି ପୁଣ ଚନ୍ଦନ ଲେପନେ ।୧୧୧।

ପୁଣ ତହିଂର ଉପରେ ଭୁଞ୍ଜି ବସନ୍ତି ସଇନି

କୋଟିୟେ ବସି ଭୁଞ୍ଜିଲେ ଶୁଭଇ ଶଙ୍ଖଧ୍ୱନି ।୧୧୨।

ବିଭୀଷଣକଇଂ ଘେନି ହରି ଦଣ୍ଡେକ ହୋଇଲେ ଉଭା

ଦଶ ମେବଚ୍ଛ ଶଙ୍ଖଧ୍ୱନି ଫୁରିଲା ଅସମ୍ଭବା ।୧୧୩।

ବହୁତ ଅଗୋଚରେ ପ୍ରଶଂସଇ ବିଭୀଷଣ

ବାବୁ ଯୁଝେଷ୍ଠି ତୋହୋର ମହିମା ଧନ୍ୟ ଧନ୍ୟ ।୧୧୪।

ୟେହି ମହୀମଣ୍ଡଳେ ଉପୁଜିଲେ ଅନେକ ମହାରଥା

ଜାନୁଘଣ୍ଟ ପୁରୁରବା ବେଣୁ ନଘୋଷ ଦୁଷ୍ୟନ୍ତ ମାନଧାତା ।୧୧୫।

ପ୍ରଶୁରାମ ବଳୀ ଶ୍ୱେତବାଳୀ ହରି ଚନ୍ଦନ ଭାନୁଇନ୍ଦ୍ର

କାଳନେମି ନଳ କଉଶିକ କେହି ପାଳିତ ନୁଆରିଲେ
ୟେସନକ ସମ୍ପଦ ।୧୧୬।

ୟେକେ ୟେକେ ଥିଲେ ୟେତ ମହା ମହା ରାୟେ

କେହି କରି ନୁଆରିଲେ ୟେସନକ ସଭାୟେ ।୧୧୭।

ଶ୍ରୀଜଗନ୍ନାଥେ ବୋଇଲେ ହୋ ବିଭୀଷଣ ଆମ୍ଭର ମହିମାଂ ଧନି ଧନି

ୟେତେ ବଡ ସମ୍ପଦ ଦେଖୁଅଛୁଂ ଯେ ୟେହୁ ଚକ୍ଷୁ ଘେନି ।୧୧୮।

ସ୍ୱାମୀ ଯଦ୍ୟପି ଅର୍ଜିଲା ୟେ ଦୁସହ ସମ୍ପଦେ

ସମସ୍ତ ସମ୍ପଦ ୟେ ତୋହୋର ପରସାଦେ ।୧୨୯।

ଚହୁଂଣ ଚଳନ୍ତି ଦେବ ବିଭୀଷଣ ହାଥ ଧରି

ଛତ୍ରଶାଳମାନନ୍ତ ନେଇ ଦେଖାଇଲେ ଦେବହରି ।୧୨୦।

ରୋଷୁଅ ଘରମାନନ୍ତ ଦେଖାଇଲେ ପ୍ରଭୁ ନେଇ

ଆଶ୍ରିଜ ବିଭୀଷଣ ସକଳ ସମ୍ପଦ ଚାହିଂ ।୧୨୧।

ୟେକା ପାଞ୍ଚ ନଉତିଳେ ତିନିଚଟୁ ତିନି ସୂପକାର

ୟେ ବିଧି ସହସ୍ରେକ ସୂପକାର ୟେକା ରୋଷୁଅ ଘରର ।୧୨୨।

ବିଭୀଷଣ ବୋଇଲା ଦେବ ଶୁଣିମା ନାରାୟଣ

ୟେକ ଚୂଲୀ ଗୋଟାକୁ କିମ୍ପେ ତିନି ବ୍ରାହ୍ମଣ ଭିଆଣ ।୧୨୩।

କହନ୍ତି ଜଗନ୍ନାଥେ ଶୁଣ ତୁ ମହାମନ୍ତ୍ରୀ

ତ୍ରିବିଧି ଭିଆଣ ସେ ୟେସନେକ ପ୍ରତି ।୧୨୪।

ମହାପ୍ରଖର ଯେ ଅନଳର ଜ୍ୟୋତି

ପ୍ରଥମ ହାଣ୍ଡି ନେଇ ଚୂଲୀରେ ବସାନ୍ତି ।୧୨୫।

ନବତନ ହାଣ୍ଡି ଯେବେ ଫୁଟଇ ଯୁଗତେ

ଆରେକ ନଉତି ନେଇ ଯୋଗାଇବ ତୁରିବେ ।୧୨୬।

ଅନେକ ମେଞ୍ଜନ ପୂରୋଇ ସିଝାଇ ଚଳାଇ

ବେଳେକାଳେ ଫାଟଇ ସେ ମହାଭାରାଇ ।୧୨୭।

ତହିଂକି ଭିଆଇଲା ଅଛି ଆରେକ ନଉତି

ସେ ନଉତି ଭିତରେ ନେଇ ଢାଳିବାକ ଧାତି ।୧୨୮।

ତିନିଚଟୁ ଘେନିଣ ଯେ ସୂପକାର ତିନି

ପ୍ରଥମେ ଚଳାଇବ ୟେକ ଚଟୁ ଘେନି ।୧୨୯।

ଚଳାଉ ଚଳାଉ ତାର ହାଥେ ଫୁଟିଣ ପଡିଲେ

ସେ ତିଉଣଗୋଟି ଧୂମ ହୋଇବ ନା ତାହାର ହାଥ କାଢ଼ିଲେ ।୧୩୦।

ଆରେକ ଥିବ ନା ତହିଂ ତଟୁ ଘେନି ତାର ଆଗେ

ତାହାର ହାଥ କାଢିଲେ ସେ ଚଳାଇବ ବେଗେ ।୧୩୧।

ଆରେକ ସୂପକାର ତାହା ଡୋଳିଣ ଆଣନ୍ତେ

ମହାତାତି ଲାଗନ୍ତେ ପୋଡିବ ତାର ହାଥେ ।୧୩୨।

ତାହାର ଛାଡନ୍ତେ ଆରେକ ଥିବ ପଛକତି

ଧାତିକାରେ ସମ୍ଭାଳି ସେ ଧରିବ ନଉତି ।୧୩୩।

ଶ୍ରୀଜଗନ୍ନାଥେ ବୋଇଲେ ମନ୍ତ୍ରୀ ଶୁଣ ହୋ ବିଭୀଷଣ

ମହାପଣ୍ଡିତ ସହଦେବ ମନ୍ତ୍ରୀ କଲା ୟେ ତ୍ରିବିଧି ଭିଆଣ ।୧୩୪।

ୟେସନେକ ମହିମାଂ ସେ ଯୁଝେଷ୍ଠି ଦେବରାୟେ

ଭୃତ୍ୟପଣେ ଖଟିଛନ୍ତି ଅଗ୍ନି ଦେବତାୟେ ।୧୩୫।

ଚୂଲୀରେ ପୂରୋଇଲେ ନେଇ କାଠ ଦାରୁକଞ୍ଚା

ଅତିବେଗେ ଜଳନ୍ତି ସେ ଶୁଖିଲା ଜାଣି ସଞ୍ଚା ।୧୩୬।

ଆହୋ ବିଭୀଷଣ ଅକଟା ଅବଟା କରି ପାରିବା ପୂରୋଇ

ଚୂଲୀରେ ବସାଇଲେ ସେ ଅମୃତ ପାକ ହୋଇ ।୧୩୭।

ବିଶ୍ୱନାଥଂକ ପାଇଂ ରାନ୍ଧି ପରଶନ୍ତି ଯେସନେ ଗଉରୀ

ନାରାୟଣ ତୋଷିଲା ଯେହ୍ନେ ଲକ୍ଷ୍ମୀ ଯେ ଶଉରୀ ।୧୩୮।

ସତ୍ୟଯୁଗେ ନଳ ଯେହ୍ନେ ଅମୃତ ପାକ କରି

ଦେବତାନ୍ତ ତୋଷିଲା ଯେହ୍ନେ ଡରସ ଯୋଗାଡି ।୧୩୯।

ଗଉରୀ ଶଉରୀ ଯେ ନଳବିଧି ତିନିପ୍ରତି

ଦୋହରା ହିଙ୍ଗୁଳା ପ୍ରସନ୍ନେ କ୍ଷଣକେ ସମସ୍ତ ସମ୍ପାଦନ୍ତି ।୧୪୦।

ୟେସନେକ ମହିମାଂ ଯେ ରାନ୍ଧଣା ବିଧାନ

ନନ୍ଦନବନୁଂ ଇନ୍ଦ୍ରଦେବତା ଦିଅଇ ଫଳ ଯୋଗାଡମାନ ।୧୪୧।

ତଣ୍ଡୁଳମାନ ଆସୁଛନ୍ତି ଶାକଲ୍ୟ ଦ୍ୱୀପୁ

ବିଭୀଷଣକଇଂ ଦେଖଆନ୍ତି ପ୍ରଭୁ ଜଗତ ଆଧିପୁ ।୧୪୨।

ବିଭୀଷଣକଇଂ ଘେନି ଦେବ ଗଙ୍ଗାକୂଳେ ବିଜେ

ତିନିପଦ୍ମ ନାବ ନନ୍ଦନ ବନୁଂ ଅଇଲାକ ସଜେ ।୧୪୩।

ଆଦିହୁଂ ବ୍ରାହ୍ମାଣ ଚାଣ୍ଡାଳ ଯାୟେ ୟେକା ଆସନେ

ସବୁନ୍ତି ୟେକତୁଲ୍ୟ ଭୋଜନ ବିଧାନେ ।୧୪୪।

ରାଜାମାନଂକର ସନ୍ୟ ସେନା ଆଦିକରି

ବାଦ୍ୟକାରମାନଂକୁହିଂ ରତ୍ନ ଯୋଗଡ ସମସରି ।୧୪୫।

ଗଜ ଅଶ୍ୱମାନଂକୁ ଚରଣୀ ପିଉଣୀ ବ୍ରୀହି

ପରିଚ୍ଛା ମୂଳେ ସମସ୍ତ ଦିଅନ୍ତି ପୁଷ୍ଟକରି ।୧୪୬।

ବନଜୀବମାନନ୍ତ ଆଣି ଦିଅଇ କିରାତ ଅଜପତି

ମୃଗ ହରିଣ ବାହୁଟିଆ ଗଣ୍ଡାଜୀବ ପ୍ରତି ।୧୪୭।

ବିଭୀଷଣ ଶ୍ରୀକୃଷ୍ଣ ଚରଣେ ପରିଣାମି

ୟେହେନେକ ସରୂପ କରି ତୁ ଭିଆଇଲୁ ଦେବସ୍ୱାମୀ ।୧୪୮।

ସମସ୍ତ ଦେଖାଇ ଯେ ଚଳନ୍ତି ଦେବ ଦାମୋଦର

ବିଜୟେ ଜଗମୋହନ ସଭାର ପଚ୍ଛିମ ଦୁଆର ।୧୪୯।

ସାତ କ୍ଷଉଣୀ ବଳ ଘେନି ରାଜା ଯେ ବିରାଟ

ପ୍ରଣପତ୍ୟ ହୋଇଲା ଆସି କେଶବ ପାଦବୃଷ୍ଠ ।୧୫୦।

ସ୍ୱାମୀ ମୁହିଂ ଅଇଲି ପାଞ୍ଚଦିନ ପରିଯନ୍ତେ

ଦ୍ରଶନ କରନ୍ତା ଦେବ ନୋହିଲାକ କେହି ମୋତେ ।୧୫୧।

ୟେତେଦିନ ପରିଯନ୍ତେ ଦେବ ପଶତେ ନୁଆରିଲି

ଗୋବିନ୍ଦେ ବୋଇଲେ ହୋ ତୁ ଭୋଜନ କାହିଂକରି ।୧୫୨।

ବିରାଟ ବୋଇଲା ଗୋସାଇଂ ମୋହ ଛାରକୁ କେହୁ ପୂଛି

ସାତ କ୍ଷଉଣୀ ବଳ ଘେନି ମୁଂ ଛତ୍ରଶାଳେ ଅନ୍ନ ଭୁଞ୍ଜୁଅଛି ।୧୫୩।

ସମସ୍ତେ କହିଲେ ସେ ଅନନ୍ତ ପଢ଼ିହାରୀ

ତାହାକଇଂ ଭେଟିଲେ ସେ ଦ୍ରଶନ କରିପାରି ।୧୫୪।

ନାରାୟଣେ ବୋଇଲେ ସେ ଅନନ୍ତ ପଢ଼ିହାରୀକି

ଆହୋ ବିରାଟ ରାଜାକୁ ଚିହ୍ନି ପାରୁ ଟିକି ।୧୫୫।

ବିରାଟ ବୋଇଲା ସେ ଥାଆନ୍ତି ଠାକୁରଂକ ଛାମୁରେ

ମୁହିଂ କାହିଂ ଭେଟିବି ପଶି ନ ଦିଅନ୍ତି ଭିତରେ ।୧୫୬।

ବିଭୀଷଣ ବୋଇଲା ଦେବ ତୁମ୍ଭେ ମାୟାଧର

ଅନେକ ଚରିତ ତୋହୋର ଦେବଂତୁ ଅଗୋଚର ।୧୫୭।

ମାନବ ମାତ୍ରକେ କେ ପାରିବ ଅନ୍ତକରି

ମୁହିଂ ତୋତେ ସଂଞ୍ଚପି ଯେ ନୁଆରିଲି ଲୟେକରି ଦେବହରି ।୧୫୮।

ପଛିମ ଦ୍ୱାରେ ଗହଳ କହିତ କି ପାରି

ପଞ୍ଚାଶ ଦ୍ୱାର ଅଛନ୍ତି ଉଭାରି ।୧୫୯।

ଦେଖା ଦରଶନି ଯେ ଅନେକ ଧନରତ୍ନମାନ

କୁଢ କୁଢ ହୋଇ ହୋଉଅଛି ଧ୍ୱଂସନ ।୧୬୦।

ହୀରା ନୀଳା ବଇତୁର୍ଯ୍ୟ ଯେ କେହୁ ଅନ୍ତ ପୁଚ୍ଛି

ଗଜ ଅଶ୍ୱଂକର ପାଦଘାତେ ମାଟିରେ ଗୋପ୍ୟ ହୋଉଅଛି ।୧୬୧।

ଦ୍ୱାରେ ବସିଛନ୍ତି ଗଦ ଯେ କୁମାରେ

ନବ ସହସ୍ର ଭ୍ରାଥେ ଅଛନ୍ତି ତାହା ସଙ୍ଗତର ।୧୬୨।

ଯଦ୍ୟପି ହୋଇବେ ହରିହର ବ୍ରହ୍ମା ସୁରପତି

ବିନା ଅଗ୍ୟାଂୟେ ପଶିତେ କାହାର ଶକତି ।୧୬୩।

ଯୋଦ୍ଧା ଅମନାତ୍ୟ ସେନା ଅତିୟ ଗହନ

ବିଭୀଷଣ ଘେନି ଦ୍ୱାରେ ବିଜୟେ ଭଗବାନ ।୧୬୪।

ଆସ୍ତାନେ ବସିଅଛି କୁମର, ଦେଖିଣ ନଉଠି

ଗୋବିନ୍ଦଂକ କତିକି ସେ ନ ଦିଅଇ ଦୃଷ୍ଟି ।୧୬୫।

ବଦୟନ୍ତି କେଶବ ଆହୋ ଶୁଣ ଦ୍ୱାରପାଳ

ୟେ ହାଦେ ବିଭୀଷଣ ବିଶ୍ରବାର ବାଳ ।୧୬୬।

ଲଂକାର ଠାକୁର ୟେ ତେପନ ଯୁଗର ରାଜା

ଠାକୁରଂକ ପାଦପଦ୍ମେ କରିବ ଯାଇଂ ପୂଜା ।୧୬୭।

ଦ୍ୱାର ଛାଡ ବାବୁ ଆମ୍ଭେ ଯିବୁ ଭିତରକୁ

ବିଭୀଷଣଂକୁ ଦ୍ରଶନ କରାଇବୁ ଯୁଝେଷ୍ଠି ଠାକୁରଂକୁ ।୧୬୮।

ପୁଣ ପୁଣ ବିନୋୟୀ ଯେ କହନ୍ତି ନାରାୟଣ

ନ ଶୁଣଇ କୁମାର ତାହାର ଗରୁହଂସୀ ପଣ ।୧୬୯।

କଷ୍ଠୋର ବଚନେ ସେ ବୋଲଇ କୁମରମଣି

କେ ତୋହୋର ଲଂକାଗତର ବିଭୀଷଣ କେ ତାହାକଇଂ ଜାଣି ।୧୭୦।

ମହା ମହା ରାଜାୟେ ଦ୍ରଶନ ନ ପାନ୍ତି ୟେହୁ ଦ୍ୱାରେ

ତୋହୋଭଳି ଦ୍ରଶନ କାହିଂ ପାଇବୁ ୟେତେବେଳେ ।୧୭୧।

ୟେତେବୋଲି କୁମର ହୋଇଲାକ ତୂନୀ

ଲାଜପାଇ ଗଲେ ହରି ବିଭୀଷଣକଇଂ ଘେନି ।୧୭୨।

ଆହୋ ବିଭୀଷଣ ମହା ମହା ରାଜାୟେ ଦ୍ୱାରେ ନୁଆରନ୍ତି ଯାଇ

ବଡାଇ ନିରାପକ୍ଷ ୟେ ଦ୍ୱାରପାଳ ହୋଇ ।୧୭୩।

ମୁହିଂ ୟେହିକ୍ଷଣି ୟେହାକୁ ପ୍ରାଭବ କରିପାରଇ

ଯୁଝେଷ୍ଠି ଦେବ ଠାକୁରଂକ କୋପକୁ ସେ ଡରଇ ।୧୭୪।

ତହୁଂ ବିଭୀଷଣକଇଂ ଘେନି ଗଲେ ବନମାଳୀ

ଇନ୍ଦ୍ରପ୍ରଶସ୍ତ ସଭାର ଭଣ୍ଡାର ଦ୍ୱାରେ ଯାଇ ମିଳି ।୧୭୫।

ମାନଗୋବିନ୍ଦ ବିଜେ କରିଅଛି ଭଣ୍ଡାର ଦ୍ୱାରେ

ବତିଶ କୋଟି ଯୋଦ୍ଧା ଘେନି ବଡାଇ ସମ୍ଭରେ ।୧୭୬।

ଗୋବିନ୍ଦେ ବୋଇଲେ ଶୁଣ ହୋ ଲଂକାର ଆଧିପତି

କୁରୁକୁଳ ମଣ୍ଡନ ୟେ ରାଜା ମାନଚକ୍ରବ୍ରତୀ ।୧୭୭।

ଭାଗ୍ୟବନ୍ତ ରାଜା ୟେହାକୁ କରିବୁ ପରିଣାମ

ପ୍ରତକ୍ଷେ ବିଷ୍ଣୁୟେ ପନ୍ନଗା ନାରାୟଣ ।୧୭୮।

ଅନର୍ଘ ମଣି ମୁକୁଟ ଅଛଇ ୟେହାର ଶିରେ

କୋଟିୟେ ମାଣିକ୍ୟ ଅଛି ସପତ ଶିଖରେ ।୧୭୯।

କୋଟିୟେ ପାଦେ ତହିଂ ବିଜୟେ କମଳାକ୍ଷୀ

ଅହନିଶି ୟେହାର କନ୍ଧରୁ ନ ଛାଡଇ ଲକ୍ଷୀ ।୧୮୦।

ଶଙ୍ଖ ପଦ୍ନନିଧି ଅଛି ୟେହାର ବେନି କରସ୍ଥଳେ

ପଥର ପାଣିଦ୍ରବ୍ୟ ହୋଅଇ ୟେହାର କର ଲାଗିଲେ ।୧୮୧।

ଚାଲନ୍ତେଣ ଅବେଣ୍ଟ ଯେ ସୁବର୍ଣ୍ଣ ପଦ୍ମ ଫୁଟଇ

ଚଉରାଶି ଗୁଣ ଲକ୍ଷଣେ ୟେ ଅତିମାନେ ମାନଗୋବିନ୍ଦାଇ ।୧୮୨।

କ୍ଷଣେ ମାତ୍ର ପରମ ଲକ୍ଷ୍ମୀ ନ ଛାଡଇ ୟେହାର କନ୍ଧୁ

ଅଭୟ ବୀରବର ୟେ ମାନଗୋବିନ୍ଦ ବୀରଧୁ ।୧୮୩।

ୟେ ଅଷ୍ଟଦିନେ ବିଭାହୋଇ ଅହନିଶି ବରବେଶୀ

ପିତାମାତା କାହାକଇଂ ନମସ୍କାର କେବେହେଂ ନ ଭାଷି ।୧୮୪।

ୟେ ମଧ୍ୟସ୍ୱର୍ଗେ ଲକ୍ଷେ ରାଜାର ମଉଡମଣି

ସପତ ବ୍ରହ୍ମାଣ୍ଡେ ୟେହାର ମହିମାଂ ଧନି ଧନି ।୧୮୫।

ଲଂଘିଲା ସମୋଦ୍ର ସାରିକ୍ଷେ ୟେହାର ବଡିମା

ତେଜେ ପ୍ରଶୁରାମ ୟେ ଗ୍ୟାନବନ୍ତେ ବେଦବ୍ରହ୍ମା ।୧୮୬।

ଆହୋ ବିଭୀଷଣ ଯୁଝେଷ୍ଠିଂକ ମହିମାଂ ବୁଝ ତତ୍ତୁକରି

ୟେଡେବଡ ରାଜା ହାଦେ ଭଣ୍ଡାରେ ଅଧିକାରୀ ।୧୮୭।

ବିଭୀଷଣ ବୋଇଲା ତୁ ସର୍ବ ସଞ୍ଚିତ ବାସୁଦେବ

ୟେହାର ହାଥେ ଦିଲେ ଭଣ୍ଡାର ନ ସରିବ ।୧୮୮।

ଗୋବିନ୍ଦ ବୋଇଲେ ଆହୋ ବିଭୀଷଣ ତୁ ଯୁଝେଷ୍ଠି ଦେବ
ଠାକୁରଂକୁ ଦେଖିଲେ

କୋଟିୟେ ଜନ୍ମର ସୁଫଳ ହୋଇବ ଶ୍ରୀଚରଣେ ସେବିଲେ ।୧୮୯।

ଆହୋ ବିଭୀଷଣ ଶତ ସହସ୍ର ଦଣ୍ଡ ପ୍ରଳମ୍ୱ ହୋଉଥିବୁ

ଠାକୁରଂକର ଆଗ୍ୟାଂ ହୋଇଲେ ତୁ ବହନ ଉଠିବୁ ।୧୯୦।

ବିଚାରି ବିଭୀଷଣ ବୋଲଇ ହୃଦଗତେ

ମୁହିଂ ଆନ ଠାକୁର ନ ଜାଣଇ ଦେବ ୟେକା ଜାଣଇ ତୋତେ ।୧୯୧।

ୟେସନେକ ବିଭୀଷଣ ବିଚାରଇ ହୃଦଗତେ

ବିଭୀଷଣ ଗର୍ଭର ବାରତା ଜାଣିଲେ ଅଚ୍ୟୁତେ ।୧୯୨।

ବିଚାରି ବୋଇଲେ ଆମ୍ଭେ ମନ୍ଦକୃତ୍ୟ କଲୁ

ୟେଡେ ବଡ଼ ବଦାମି ରାଜାକୁ କିଂପେ ଆମ୍ଭେ ୟେଥକୁ ଆଣିଲୁ ।୧୯୩।

ୟେତ ଦଣ୍ଡ ପ୍ରଳମ୍ୱ ନୋହଇ ଯୁଝେଷ୍ଠି ଠାକୁରଂକ ଅଗ୍ରତେ

ସେ ମହାପ୍ରଭୁ ନ ପୁଣ କୋପ କରନ୍ତି ମୋତେ ।୧୯୪।

ଗୋବିନ୍ଦେ ବଇଲେ ବିଭୀଷଣର ଆଣିଲା ଯେତେ ପାଣିଦ୍ରବ୍ୟ

ଯତନେ କରି ମାନଗୋବିନ୍ଦ ଥୋଇଅଛୁନା ସର୍ବ ।୧୯୫।

ଦ୍ରିଯୋଧନ ବୋଇଲା ହରି ଲକ୍ଷେକ ରଥ ଥିଲା

ୟେକା ନିମିଷକର ଦାନେ ସମସ୍ତ ସରିଲା ।୧୯୬।

ଶୁଣିଣ ବିଭୀଷଣ ବଡାଇ ଆଶ୍ରିଜଭାବ

ୟେମନ୍ତ କରିଣ ୟେହା ସଞ୍ଚିଅଛୁ ହୋ ବାସୁଦେବ ।୧୯୭।

ସ୍ୱାମୀ ଦେବକଇଂ ଦୁର୍ଲଭ ସେ ରଜୁସି ଯାଗସଭା

ଅବିଚ୍ଛନ୍ନେ ଦାନ ଘେନୁଅଛିନ୍ତି ବିପ୍ରଦେବା ।୧୯୮।

ଭଣ୍ଡାର ଦ୍ୱାରେ ଘଡିୟେ ରହିଲେ ହରି ବିଭୀଷଣକୁ ଘେନି

ଘଡିୟେକେ ଦାନ ହୋଇଲା ସୁବର୍ଣ୍ଣ ଭାର ମେବଚ୍ଛି ତିନି ।୧୯୯।

ବିଭୀଷଣ ବୋଇଲା ଧନ୍ୟ ଜୀବନ ସାଧୁ ସାଧୁ

ଧନେ ଉଦମ ନୋହଇ ବାରାନିଧି ନିନ୍ଦୁ ।୨୦୦।

ତହୁଂ ବିଭୀଷଣକଇଂ ଘେନି ଦେବ ଦାମୋଦରେ

ରତ୍ନ ଘଟଣାମାନ ହରି ଦେଖାନ୍ତି ସମ୍ଭରେ ।୨୦୧।

ପଞ୍ଚାଶ ସହସ୍ର ତହିଂ ଲାଗିଅଛି ଘଟଣ ବିନ୍ଧାଣି

ଅଳକା କୁବେର ପୁରୁଂ ବିଦ୍ୟାଧରେ ଧନ ଦେଉଛନ୍ତି ଆଣି ।୨୦୨।

କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ତୀର୍ଥରାଜା ଖଟିଅଛି ସଭାର ଦକ୍ଷିଣ ଦୁଆର ।୨୦୩।

ବିଭୀଷଣର ସଇନି ଭୁଞ୍ଜ ବସିଛନ୍ତି ସରସ୍ୱତୀ ନଦୀତୀରେ

ପରଷଇ ସୁପଂକୁ ଅନ୍ନ ଅଞ୍ଜନା କୁମରେ ।୨୦୪।

ଭୁଞ୍ଜନ୍ତି ରାକ୍ଷସ ବଳ ଯାହାର ଯେତେ ଇଚ୍ଛା

ପରଷଇ ପାବେନି ତାହାର ନାହିଂ ଯେ ଉପେକ୍ଷା ।୨୦୫।

ମାରୁତି ସମାର୍ଜଇ ଆହୋ ନ କର କେହି ଭୀତି

ତୁଷ୍ଟ ହୋଇ ଭୁଞ୍ଜ ତୁମ୍ଭେ ଯାହାର ଯେତେକ ତ୍ରିପୁତି ।୨୦୬।

ଯଦ୍ୟପି କାର୍ଯ୍ୟେଣ ସମାର୍ଜଇ ପାବେନି

ଭୟେ ଛାଡିଯାଇ କି ରାକ୍ଷସବଳ ସଇନି ।୨୦୭।

ପରଷଇ ହନୁମନ୍ତ ଯାଚଇ ସାନନ୍ଦେ

ଡରେଣ ବୋଲନ୍ତି ଗୋସାଇଂ ଅଣ୍ଟିଲାଣି ଆଇ ନ ଦେ, ନ ଦେ ।୨୦୮।

ବିଭୀଷଣକଇଂ ତାହା ଦେଖାଇଲେ ଦେବାଧିଦେବେ

ପୁଣି ଦକ୍ଷିଣଦ୍ୱାରେ ବିଜେକଲେ ଯାଇଂ ବାସୁଦେବେ ।୨୦୯।

ବୀରବର କୁମରକୁ କରନ୍ତି ମଣାଇ

ବିଭୀଷଣକଇଂ ଦ୍ରଶନ କରାଇବା ନେଇ ଠାକୁରଂକୁ ଜଣାଇ ।୨୧୦।

ବୀରବର ବୋଇଲା ଦେବ ଦଣ୍ଡେହେଂ ରହ ୟେଥ

ବ୍ରିକୋଦର ଠଆକୁରଂକୁ ଯାଇଂ କହଇ ବାରତ ।୨୧୧।

ବୀରବର ଡାକଇ ଦିଅଇ ହୋ ଡଗର କାଳିଞ୍ଜନ

ବାରତା କହ ଯାଇଂ ଠାକୁର ଭୀମସେନ ।୨୧୨।

ବୋଲ ଲଂକା ଦ୍ୱୀପର ମାଝି ଘେନିଣ ପଢିହାରୀ ଅନନ୍ତ

ଦ୍ରଶନ କରିବାକୁ ସେ ବୋଲନ୍ତି ବହୁତ ।୨୧୩।

ଦ୍ୱାରପାଳ ବଚନେ ଚଳିଲା କାଳିଞ୍ଜନ

ବାରତା ଜଣାଇଲା ଯାଇଂ ସଭାରେ ଭୀମସେନ ।୨୧୪।

ଲଂକା ବିଭୀଷଣର ଆଗତ ବୋଲିଣ ଜଣାଇଂ

ଶୁଣିଣ ଭୀମସେନ ଆସନ୍ତି ବେଗହୋଇ ।୨୧୫।

ଭୀମସେନ ପ୍ରବେଶ ଯାଇଂ ହୋଇଲା ଦକ୍ଷିଣ ଦ୍ୱାରେ

ଆସୁ ବିଭୀଷଣ ଦ୍ୱାର ଛାଡ ହେ ବୀରବରେ ।୨୧୬।

ଯାଅ ବୋଲିକରି ଆଗ୍ୟାଂ ଦିଲାକ କୁମରେ

ବିଭୀଷଣକଇଂ ଘେନି ଦେବ ପଶିଲେ ଭିତରେ ।୨୧୭।

ପାରୁଶ ମହାପାରୁଶ ବେନିମନ୍ତ୍ରୀ ସଙ୍ଗରେ

ବସିଛନ୍ତି ରାଜାମାନେ ବଡାଇ ସମ୍ଭରେ ।୨୧୮।

ସମସ୍ତ ରାଜାୟେ ଦେଖି ହୋଉଛନ୍ତି କୃତକୃତ

ୟେ ସେ ବିଭୀଷଣ ହୋ ଲଂକାଗତର ନାଥ ।୨୧୯।

ୟେକା କନ୍ଧରେ ତାର ଶୋଭିତ ପଞ୍ଚୁଶିର

ଦଶଭୁଜ ଦଶଲୋଚନ ଅନଙ୍ଗ ଅବତାର ।୨୨୦।

ଅନେକ ଅଳଂକାର ଭୂଷଣ ତାର କାୟେ

ପ୍ରତକ୍ଷେ ଦିଶଇ ସେ ଦୁତୀବ୍ରହ୍ମା ପ୍ରାୟେ ।୨୨୧।

ଦେଖନ୍ତେ ଅପୂର୍ବ ସେ ଚାଲନ୍ତେଣ ଶୋହଇ

ମହା ବଇଷ୍ଣବପଣେ ସେ ଜଗୁଜନ ମୋହଇ ।୨୨୨।

ଆଗେଣ ଜଗନ୍ନାଥ ପଛେଣ ବିଭୀଷଣ

ଶ୍ରବଣେ ଯାହା ଶୁଣିଲୁ ପ୍ରତକ୍ଷେ ଦେଖିଲୁ ନାରାୟଣ ।୨୨୩।

ଆହୋ ନୃପତିଗଣମାନେ ଦେଖିଣ ପ୍ରଶଂସି

ୟେହାର ସେ ପିଅର ହୋ ବିଶ୍ରବା ମହାଋଷି ।୨୨୪।

ଅନେକ ମଣିଗଣ ଭୂଷଣ ତାହାର ହୃଦେ

ଦେଖିଣ ନୃପତିମାନେ ପରମ ସାନନ୍ଦେ ।୨୨୫।

ରାଜାମାନେ ବୋଲନ୍ତି ଜୀବନ ଆମ୍ଭର ଧନ୍ୟ

ତେପନ ଯୁଗର ରାଜା ଦେଖିଲୁ ବିଭୀଷଣ ।୨୨୬।

ପୂର୍ବ ପୁଣ୍ୟର ବଳେ ଦେଖିଲୁ ରାଜୁସି ଯାଗସଭା

ପାଣ୍ଡବଂକ ପରସନ୍ନେ ଅନେକ ଅପୂର୍ବ ଦେଖିବା ।୨୨୭।

ଯାଗଶାଳେ ଥାଇ ଦେଖନ୍ତି ସମସ୍ତ ଋଷିଗଣମାନେ

ଦେଖ ଦେଖ ବିଭୀଷଣ ବିଶ୍ରବାର ନାନେ ।୨୨୮।

ରାବଣକୁ ବଧ କରାଇଲା ଶ୍ରୀରାମରେ ଶରଣ ପଶି

ଦେବକାର୍ଯ୍ୟ କଲା ୟେ ଜାନକୀ ବଲ୍ଲଭ ତୋଷି ।୨୨୯।

ଦେଖିଣ ସାନନ୍ଦ ଯେ ସମସ୍ତ ମହାମୁନି

କଲ୍ୟାଣ ବାଞ୍ଛା କରିଣ କଲେକ ବେଦଧୁନି ।୨୩୦।

ବିଭୀଷଣକଇଂ ତିଆରନ୍ତି ଦେବ ଯେ ଅଚ୍ୟୁତେ

ତୁ ପ୍ରଳମ୍ୱ ହୋଇଥିବୁଟି ଠାକୁରଂକର ଚରଣ ଅଗ୍ରତେ ।୨୩୧।

ମହାଗରୁହଂସୀ ଧର୍ମାରାଜା ଯୁଝେଷ୍ଠି

ସ୍ୱାମୀଂକର ଆଗ୍ୟାଂ ପାଇଲେ ସେ ଉଠି ।୨୩୨।

ଅନେକ ତପ ଯେ କରିଣ ଅଛୁ ପୂର୍ବେ

ତହିଂର ଫଳଶ୍ରୁତି ପାଇବୁନା ୟେବେ ।୨୩୩।

ଶ୍ରୀଜଗନ୍ନାଥଂକ ବଚନେ ବିଭୀଷଣ ବିଚାରି

ହୃଦଗତେ ବୋଇଲା ମୁଂ ତୋତେ ଜାଣଇ ଦେବହରି ।୨୩୪।

ବିଭୀଷଣର ଗର୍ଭକଥା ଜାଣିଲେ ବାସୁଦେବ

ନିଶ୍ଚୟେ ଠାକୁରଂକୁ ୟେତ ପ୍ରଳମ୍ୱ ନୋହିବ ।୨୩୫।

ଆସ୍ଥାନେ ବିଜେ କରିଛନ୍ତି ଦେବଧର୍ମେ

ବିଭୀଷଣଂକୁ ଘେନି ବିଜେ ଶ୍ରୀପୁରୁଷୋତ୍ତୋମ ।୨୩୬।

ଖଣ୍ଡେ ଦୂରୁଂ ଦିଶିଲା ଠାକୁରଂକ ସିଂହାସନ

କାଖେ ହାଥ ଲାଇ ଉଭା ହୋଇଲେ ଜନାର୍ଦ୍ଦନ ।୨୩୭।

ଗୋବିନ୍ଦେ ବୋଇଲେ ଲଂକାଗତର ମାଝି

ଅବଧାରି ହୋଇବା ଦେବ ବିଭୀଷଣ ଦ୍ରଶନ କରୁଅଛି ।୨୩୮।

ଉଚ୍ଚସ୍ୱରେ ଡାକ ଦିଅନ୍ତି ଦେବ ବନମାଳୀ

ଆପଣେ ଜଗନ୍ନାଥ ଯେ କଲେ ନିଉଛାଳି ।୨୩୯।

ବହୁତ ବନ୍ଦନା ଯେ ବିନୟ ବାଣୀ ବୋଲି

ଆପଣେ ତିନିପାବଚ୍ଛ ତଳେ ଦେବ ସୁତିଲେ ଗତଘାଲି ।୨୪୦।

ଦେଖିଣ ଆଶ୍ରିଜ ଯେ ଲଂକା ଖଡର ଆଧିପତି

ନିରୋପି ଚାହଂଇ ସେ ଯୁଝେଷ୍ଠି ଦେବଂକର ମୃତ୍ତି ।୨୪୧।

ବିଚାରଇ ବିଭୀଷଣ ୟେତ ନୁହଇଂ ସାମାନ୍ୟ ଜଣ

ଶ୍ରୀଜଗନ୍ନାଥ ୟେହାଂକର ପାଦେ କରନ୍ତି ପ୍ରତିକ୍ଷଣ ।୨୪୨।

ନିରାକାର ବିଷ୍ଣୁ ୟେ ଅଟଇ ପ୍ରତକ୍ଷ

ବିଚାରିଣ ପ୍ରଣପତ୍ୟ ହୋଇଲା ପଞ୍ଚମୁଖ ।୨୪୩।

ଯୁଝେଷ୍ଠିଂକ ପଦ୍ମପାଦେ ପ୍ରଳମ୍ୱ ଜନାର୍ଦ୍ଦନ

ବାସୁଦେବଂକ ପାଦତଳେ ପ୍ରଳମ୍ୱ ବିଭୀଷଣ ।୨୪୪।

ମାରକଣ୍ଡ ମୁଖ ଚାହିଂ ବ୍ୟାସ ମହାଋଷି

ସାଧୁ ସାଧୁ ବିଭୀଷଣ ବୋଲି ସମସ୍ତେ ଧନି ଭାଷି ।୨୪୫।

ମନ୍ତ୍ରୀପଣେ ତୋତେ କେହି ନାହିଂନା ସମସରି

ନୋହିଲେଣ ରାବଣ ସମ୍ପଦ କେହୁ ପାରଇ ହରି ।୨୪୬।

ତୁହି ସେ ମହାତମା ଯା ଜାଣୁ ସର୍ବବୁଦ୍ଧି

ତେପନ ଯୁଗର ଆଷ୍ୟ ପାଇଲୁ ମହାମନ୍ତ୍ର ସାଧି ।୨୪୭।

ଜିତ ମହାପ୍ରସାଦ ବୋଲିଣ ଅର୍ଜୁନ ଜଣାଇ

ସ୍ୱାମୀ ବିଭୀଷଣକଇଂ ଘେନି ପ୍ରଳମ୍ୱ ଜଗୁସାଇଂ ।୨୪୮।

ଯୁଝେଷ୍ଠିଦେବ ବୋଇଲେ ଯାଅରେ ନକୁଳ

ବାଞ୍ଛା ସିଦ୍ଧହୋଉ ଶ୍ରୀହରିଂକି ବେଗେ ତୋଳ ।୨୪୯।

ନକୁଳ ବୋଇଲା ଆଗ୍ୟାଂ ଦିଲେ ଧର୍ମରାୟେ

ତତକ୍ଷଣେ ଉଠିଲା ପ୍ରଭୁ ବସୁଦେବର ତନୟେ ।୨୫୦।

ଗୋବନ୍ଦେ ବୋଇଲେ ବିଭୀଷଣ ଶିରେ ହାଥ ଦେଇ

ଆଗହୁଂ ନ ଉଠିବୁଟି ତୋତେ ଠାକୁରଂକ ଆଗ୍ୟାଂ ନାହିଂ ।୨୫୧।

ରହିଲା ବିଭୀଷଣ ଶ୍ରୀଜଗନ୍ନାଥଂକର ବଚନେ

ଆଡେହୋଇ ଛାମୁରେ ଜଣାଇଲେ ଜନାର୍ଦ୍ଦନେ ।୨୫୨।

ସ୍ୱାମୀ ଲଂକାଗଡ ମାଝିୟେ ତେପନ ଯୁଗର ବିଭୀଷଣ

ସ୍ୱାମୀଂକର ଚରଣେ କରୁଛି ପରିଣାମ ।୨୫୩।

ଶ୍ରୀରାମ ଅଭିଷେକୀ ୟେ ଅଟଇ ମହାରାଜା

ସ୍ୱାମୀଂକର ପଦ୍ମପାଦେ ସେ କରୁଅଛି ସେବାପୂଜା ।୨୫୪।

ବାମକର ବେଗେ ଚାଳି ବୋଇଲେ ପାର୍ଥିବେ

ଆଷ୍ୟ ଆରୋଗ୍ୟ ଶରୀର ହୋଉ ଉଠ ହୋ ରାଜଦେବେ ।୨୫୫।

ଗୋବିନ୍ଦେ ବୋଇଲେ ତୁ ଉଠ ହୋ ମହାରାଜା

ଫିଟିଲା ମନଭ୍ରାନ୍ତି ଶ୍ରୀଚରଣେ କର ପୂଜା ।୨୫୬।

ନାରାୟଣଂକ ବଚନେ ଉଠିଲା ମହାମନ୍ତ୍ରୀ

ପୁଣ ପୁଣ ନିରୋପଇ ଯୁଝେଷ୍ଠି ଦେବଂକର ମୃତ୍ତି ।୨୫୭।

ୟେ ଯେବେ ଯୁଗତେଣ ମାନବ ଜନ୍ମ ହୁଅନ୍ତା

ମୋହୋର ନମସ୍କାରେ କି ଶରୀର ଥାଆନ୍ତା ।୨୫୮।

ସଂଚୟେ ଜଳି ଯାଆନ୍ତାନି ୟେହାର ନିଜ କାୟେ

ଅଂଶା ଅବତାରେ ୟେ ପ୍ରତକ୍ଷେ ବ୍ରହ୍ମମୟେ ।୨୫୯।

ଶ୍ରୀକରେ ଅର୍ଘ୍ୟ ଘେନିଣ ବୀର ବିଭୀଷେଣ

ଯୁଝେଷ୍ଠି ଦେବଂକ ଶ୍ରୀ ଚରଣାରବିନ୍ଦେ କଲାକ ବନ୍ଦନ ।୨୬୦।

ଶ୍ରୀହସ୍ତେ ଯୁଝେଷ୍ଠିଦେବ ଦିଲେ ଜୟମାଳା

ବହୁତ ପୁରୁଷାର୍ଥ କଲେ ସେ ଧର୍ମବଳା ।୨୬୧।

ଆସ୍ତାନେ ବସବୋଲି ଆଗ୍ୟାଂ ଅବଧଆରି

କନେକ ଆସନେ ନେଇ ବସାଇଲେ ଦେବହରି ।୨୬୨।

ବାରସ୍ୱତୀ ଭୁବନ ପ୍ରାୟେକ ସଭାର ଆୟତନ

ବହୁତ ସାନନ୍ଦେ ତହିଂ ବିଜୟେ ବିଭୀଷଣ ।୨୬୩।

ଅମର ବିଳାସୁଣୀ ତାଣ୍ଡବ ଗୋୟେଣୀ

ଖଟନ୍ତି ଭରହରଷ ସେ ଛାମୁରେ ଲଂକମଣି ।୨୬୪।

ରାଜୁସିଯାଗ ସଭା ପଞ୍ଚଦଶ ଦିବସେ

ପୁଷ୍ୟବୃଷ୍ଟି ଗୋଟାୟେ ହୋଇଲା ଆକାଶେ ।୨୬୫।

ପଣ୍ଡୁ ସ୍ୱର୍ଗଗଲା ବୋଲି ଆକାଶେ ଶୁଭିଲା ବାଣୀ

ଜୟ ଜୟ ଶବଦ ଶୁଭଇ ସାହେର ଘୋଷ ଜାଣି ।୨୬୬।

ବେଦ ଆଧ୍ୟାନ ଶବଦ ଶୁଭିଲା ଗରୁଧୁନି

ଧର୍ମ ପ୍ରାପତ ହୋଉ ବୋଲି ବୋଇଲେ ସର୍ବମୁନି ।୨୬୭।

ବିଭୀଷଣ ଜଣାଇଲା ବ୍ୟାସଂକର ଆଗେ

ଯୁବାନାଶ୍ୱ ରାଜା ଯାଗକଲା ସତ୍ୟଯୁଗେ ।୨୬୮।

ରାଜାମାନେ ପୁଚ୍ଛାକଲେ ବ୍ୟାସଂକ ଅଗ୍ରତେ

ମାନଧାତା ଜନ୍ମକଥା କହ ହେ ପଣ୍ଡିତେ ।୨୬୯।

ବ୍ୟାସେ ସଭାୟେଣ ଯେ ଫେଇଲେ ଗ୍ରନ୍ଥପୋଥି

ଲକ୍ଷେରାଜା ଶ୍ରୋତା ବକତା ବ୍ୟାସ ମହାଯତି ।୨୭୦।

ପାରେଶ୍ୱର ନନ୍ଦନ ସେ ବେଦବ୍ୟାସେ ହୋଇଛନ୍ତି ବକତା

କଉତୁକେ କହିଲେ ଯୁବନାଶ୍ୱ ରାଜାର ଯାଗ୍ୟଂର ବାରତା ।୨୭୧।

ଶୁଣ ହୋ ସମସ୍ତ ନୃପତିଗଣମାନେ

ଯୁବନାଶ୍ୱ ଯାଗର ବାରତା ଶୁଣିମା ସାବଧାନେ ।୨୭୨।

ସୂର୍ଯ୍ୟବଂଶୀ ରାଜା ଯେମନ୍ତେ ହୋଇଲେକ ଜାତ

ସଞ୍ଚପି କହିବା ହୋ ତହିଂର ବାରତ ।୨୭୩।

ବ୍ୟାସଂକର ବଚନେ ଗ୍ରନ୍ଥ ଫେଇଲେ ଦେବ ଶୁକବ୍ରହ୍ମା

ଶୁଣହୋ ସାବଧାନେ ଭଗତ ମହାତମା ।୨୭୪।

ଆଦିହୁଂ ଶୂନ୍ୟ ଶୂନ୍ୟହୁଂ ନିରଞ୍ଜନ

ନିରଞ୍ଜନହୁଂ ଶକତି ଯେ ହୋଇଲା ଉତପନ୍ନ ।୨୭୫।

ଶକତି ନିରଞ୍ଜନ ଦୁହେଂ ଅଂଶ ଘ୍ନି

ଭବ ବିସ୍ତାର ନିମନ୍ତେ ଉପୁଜିଲେ ବ୍ରହ୍ମବେତ୍ତା ।୨୭୭।

ବ୍ରହ୍ମାବେତ୍ତା ନନ୍ଦନ ଉପୁଜିଲେ ସୀତାଶୁଂ

ହରି ଶଂକର ବୋଲି ଯେ ତାହାଂକର ଶିଶୁ ।୨୭୮।

ହରି ଶଂକର ନନ୍ଦନ ଯେ ହୋଇଲେ ସୋମପା

ସୋମପାର ନନ୍ଦନ ଯେ ହୋଇଲା ସିଦ୍ଧତପା ।୨୭୯।

ସିଦ୍ଧତପାର ନନ୍ଦନ ହୋଇଲା ମରୁତ

ମରୁତର ପୁତ୍ର ଯେ ହୋଇଲା ମାରୁତ ।୨୮୦।

ମାରୁତର ନନ୍ଦନ ହୋଇଲା ସ୍ୱାରୋଚଇ

ସ୍ୱାରୋଚଇ ନନ୍ଦନ ଯେ କଳ୍ପତରୁ କହି ।୨୮୧।

କାଶ୍ୟପ ବୋଲିଣ ଯେ କଳ୍ପତରୁର ଶିଶି

ମହାଗ୍ୟାନବନ୍ତ ସେହୁ ବ୍ରହ୍ମାର ସାଦୃଶି ।୨୮୨।

କାଶ୍ୟପର ନନ୍ଦନ ଦକ୍ଷ ପ୍ରଜାପତି

ବଇବସୁତ ମନୁ ବୋଲି ତାହାର ସନ୍ତତି ।୨୮୩।

ବଇବସୁତର ନନ୍ଦନ ହୋଇଲା ଇକ୍ଷାକୁରୁ

ଇକ୍ଷାକୁରୁର ନନ୍ଦନ ହୋଇଲା ଦୀକ୍ଷାକୁରୁ ।୨୮୪।

ଦୀକ୍ଷାକୁରୁର ନନ୍ଦନ ହୋଇଲା ଭିକ୍ଷାକୁରୁ

ତ୍ରଇଲୋକ୍ୟେ ପ୍ରତାପୀ ସେ ଅଟଇ ମହାମେରୁ ।୨୮୫।

ଭିକ୍ଷାକୁରୁର ତହୁଂ ପୁଣ ସୂର୍ଯ୍ୟବଂଶ ଉପୁଜିଲା

ତେଣୁ ସେ ସୂର୍ଯ୍ୟବଂଶ ବିଖ୍ୟାତ ହୋଇଲା ।୨୮୬।

ସୂର୍ଯ୍ୟର ନନ୍ଦନ ଯେ ହୋଇଲେ ବିବତ୍ସ

ନଉପାଦ ବୋଲି କରି ବିବଚ୍ଛର ବଚ୍ଛ ।୨୮୭।

ନଉପାଦର ନନ୍ଦନ ଯେ ହୋଇଲା ଆପାଦ

ଆପାଦର ନନ୍ଦନ ହୋଇଲା ସମ୍ପାଦ ।୨୮୮।

ସମ୍ପାଦର ନନ୍ଦନ ଯେ ବର୍ଣ୍ଣାନିକ ବୋଲି

ବର୍ଣ୍ଣାନିକର ନନ୍ଦନ ଯେ କୁମ୍ଭ ନାମେଣ କହିଲି ।୨୮୯।

କୁମ୍ଭର ନନ୍ଦନ ଯେ ସଦ୍ୟବର ନୃପତି

ସତ୍ୟବର ନନ୍ଦନ ଯେ ହୋଇଲା ଧୀରତି ।୨୯୦।

ଧୀତରିର ନନ୍ଦନ ହୋଇଲା କାକୁସ୍ଥ ମହାରାଜା

କାକୁସ୍ଥର ନନ୍ଦନ ଯେ କଉସ୍ତୁଭ ନାମେ ରାଜା ।୨୯୧।

କଉସ୍ତୁଭର ନନ୍ଦନ ଯେ ଉତ୍ତାନପାଦ ରାଜା

ବୀର ଦୁଶାସନ ବୋଲିଣ ତାହାର ତନୁଜା ।୨୯୨।

ଦୁଶାସନ ନନ୍ଦନ ଯେ ହୋଇଲା ଶଂକର

ବିସର୍ଗ ବୋଲିକରି ଯେ ନନ୍ଦନ ତାହାର ।୨୯୩।

ବିସର୍ଗର ନନ୍ଦନ ଉପୁଜିଲା ବିଷଂକ

ସରଧର୍ମ ବୋଲିକରି ତାହାର ପୁତ୍ରେକ ।୨୯୪।

ୟେହାର ନନ୍ଦନ ଉପୁଜିଲା ତ୍ରିଗଜ (ତ୍ରିଜଙ୍ଗ)

ଭୁଜଙ୍ଗ ବୋଲିକରି ତାହାର ଆତ୍ମଜ ।୨୯୫।

ଭୁଜଙ୍ଗର ପୁତ୍ର ଯେ ହୋଇଲା ବିରଥ

ବିଷ୍ଣୁରାଟ ବୋଲିକରି ତାହାର ୟେକ ସୁତ ।୨୯୬।

ବିଷ୍ଣୁରାଟର ନନ୍ଦନ ହୋଇଲା ହୋଇଲା ସାଷ୍ଟାମକ

ଅଶ୍ୱମାନ ବୋଲିକରି ତାହାର ପୁତ୍ରେକ ।୨୯୭।

ଅଶ୍ୱମାନ ପୁତ୍ର ଯେ ହୋଇଲା ଭିଗ୍ୟଂମାନ

ଗ୍ୟାଂତକ୍ଷ ବୋଲିକରି ଯେ ତାହାର ନନ୍ଦନ ।୨୯୮।

ଅସଂଖ୍ୟ ବୋଲିକରି ୟେହାଂକର ବତ୍ସ

ଅସଂଖ୍ୟର ନନ୍ଦନ ଯେ ହୋଇଲା କୁଳକ୍ଷ (କୁଳାତ୍ସ) ।୨୯୯।

କୁଳାତ୍ସର ନନ୍ଦନ ଯେ ନୃପତି ରିସୁନ୍ଦ

ରିସୁନ୍ଦର ପୁତ୍ର ଯେ ହୋଇଲା ମାହୀନ୍ଦ୍ର ।୩୦୦।

ହରିଶ୍ଚନ୍ଦ୍ର ଯେ ଅଟଇ ମାହୀନ୍ଦ୍ର ନନ୍ଦନ

ସଉଭାଗ୍ୟ ବୋଲିକରି ତାହାର ପୁତ୍ର ନାମ ।୩୦୧।

ସଉଭାଗ୍ୟର ନନ୍ଦନ ଯେ ଅଟଇ ସତ୍ୟବର

ସତ୍ୟବର ନନ୍ଦନ ଯେ ହୋଇଲା ଅନୁସର ।୩୦୨।

ଅନୁସର ନନ୍ଦନ ଯେ ଅଟଇ ଅଶ୍ୱସେନ

ଅଶ୍ୱସେନର ପୁତ୍ର ଯେ ଭଇରବ ରାଜନ ।୩୦୩।

ଭଇରବର ପୁତ୍ର ଯେ ଉପୁଜିଲା ଜଭୁଜ

ଜଭୁଜର ନନ୍ଦନ ଯେ ଅଟଇ ରଭୁଜ ।୩୦୪।

ରଭୁଜର ନନ୍ଦନ ସେ ଅଟଇ ସୁରସେନ

ଧାରତି ବୋଲିକରି ତାହାର ନନ୍ଦନ ।୩୦୫।

ଧାରତିର ନନ୍ଦନ ଯେ ହୋଇଲା ଅମ୍ୱୁଜା

ଅଶ୍ୱବନ୍ତ ବୋଲିକରି ତାହାର ତନୁଜା ।୩୦୬।

ଅଶ୍ୱବନ୍ତର ନନ୍ଦନ ଯେ ହୋଇଲା ଅଜର

ଅଜର ନନ୍ଦନ ଯେ ହୋଇଲା ସଗର ।୩୦୭।

ସଗର ନନ୍ଦନ ଯେ ସମର୍ଥକ ନୃପତି

ସମର୍ଥକର ନନ୍ଦନ ହୋଇଲା ଭଗୀରଥୀ ।୩୦୮।

ଭଗୀରଥୀର ନନ୍ଦନ ହୋଇଲା ଅଶ୍ୱବନ୍ତ

ଦିଲୀପ ବୋଲିକରି ତାହାର ୟେକ ପୁତ୍ର ।୩୦୯।

ଦିଲୀପର ନନ୍ଦନ ନାମ ହରିବିଶ୍ୱ

ହରିବିଶ୍ୱର ନନ୍ଦନ ନାମ ଯୁବନାଶ୍ୱ ।୩୧୦।

ସେ ଯୁବନାଶ୍ୱ ରାଜାର ପୁତ୍ର ଯେ ନୋହିଲା

ସତ୍ୟଯୁଗେ ଅପୁତ୍ରିକ ହୋଇ ସେ ବେନିଲକ୍ଷ ବରଷ ରାଜ୍ୟକଲା ।୩୧୧।

ଅନେକ ଯାଗ ଯଗ୍ୟଂ କଲାକ ଆହୁତି

ତଦ୍ୟାପି ପୁତ୍ର ନ ପାଇଲା ଯୁବନାଶ୍ୱ ନୃପତି ।୩୧୨।

ନାନା ଦାନେ ରାଜା ହୋଇଲା ନିପୁଣ

ଦାନ ସାଗରେ ଯେତେକ ଶାହାସ୍ର ଧର୍ମମାନ ।୩୧୩।

ବହୁତ ପୂଜାକଲା ଦେବତା ବ୍ରାହ୍ମଣେ

ତଥାପି ପୁତ୍ର ଜାତ ନୋହିଲା ରାଜନେ ।୩୧୪।

ଅନେକ କ୍ରୋଧ ରାଜା ହୋଇଲା ପୁତ୍ର ଦୁଖେ

ଦେବତା ବ୍ରାହ୍ମଣ୍ଡ ଦ୍ରବ୍ୟ ହରିଲାକ ବିମୁଖେ ।୩୧୫।

ବଶିଷ୍ଠ ବାମଦେବେ କହିଲେ ପିତାଂକୁ

ଯୁବନାଶ୍ୱ ହରଣ କଲା ଦେବତା ବ୍ରାହ୍ମଣମାନଂକୁ ।୩୧୬।

ବେଦମନ୍ତ୍ର ସତଜ ନୋହିଲାକ ବିରଞ୍ଚି

କଷ୍ଠୋର ପିତାମହ ସେ ସନ୍ତତି ସଞ୍ଚି ।୩୧୭।

ଅଗ୍ନି ତ୍ରିପୁତି ନିମନ୍ତେ ରଂଚିଲେ ଯାଗଶ୍ରେଷ୍ଠ

ମହାମନ୍ତ୍ରେ ଜାତକଲେ ସନ୍ତତି ଜଳଘଟ ।୩୧୮।

ଆହୁତି ପାଡିଲେ ନେଇ ଲୋକାଲୋକ ଗିରି

ମହାମନ୍ତ୍ର ଜଳଘଟ ଥୋଇଲେ ଯତ୍ନକରି ।୩୧୯।

ଅଗ୍ରବୃକ୍ଷ ଉପରେ ଦ୍ରିଶାଖା ଡାକଗୋଟି

ତହିଂର ଉପରେ ଥୋଇଲେ ମହାମନ୍ତ୍ର ଜଳଘଟି ।୩୨୦।

ବୋଇଲେ କାଲି ପ୍ରଭାତେ ୟେହା କହିବା ବଶିଷ୍ଠଂକୁ

ୟେ ଜଳଘଟ ଗୋଟି ନେଇ ଯୁବନାଶ୍ୱ ରାଜାଂକୁ ।୩୨୧।

ଥୋଇଣ ବେଦବର ଗଲେକ ବ୍ରହ୍ମାଣ୍ଡେ

ବଶିଷ୍ଟ ଯାଇଛନ୍ତି ଗୟା ମାରକଣ୍ଡେ ।୩୨୨।

କୁମ୍ଭମାସ ଶୁକ୍ଳପକ୍ଷ ଗୁରୁବାର ଚଉଠୀ

ରେବତୀ ନକ୍ଷତ୍ର ଯେ ବୋଳ ତେରଘଡ଼ିଟି ।୩୨୩।

ସେ ଦିନ ଯୁବନାଶ୍ୱ ମୃଗୟା ବିନୋଦ କରି

ବନେ ନ ପାଇଲା ପଣ୍ଡାଜୀବ ହରିଣ ମୃଗ ଲୋଡ଼ି ।୩୨୪।

ଜଳ ନପାଇ ନୃପତି ହୋଇଲା ମହାଶ୍ରମୀ

ମନ୍ତ୍ରୀକି ରାଇ ବୋଇଲା ସୂର୍ଯ୍ୟବଂଶ ରାଜାଧର୍ମୀ ।୩୨୫।

ଶୁଣ ହୋ ମହାମନ୍ତ୍ରୀ ଶ୍ରମେ ଦହିଜ ମୋର କାୟେ

ବହନ ଲୋଡ଼ିଆଣି ସୁସଞ୍ଚ ଜଳ ଫୁଟିୟେ ।୩୨୬।

ରାଜାର ଆଗ୍ୟାଂୟେ ମନ୍ତ୍ରୀ ଅଶ୍ୱେକ ଆରୋହି

ଭ୍ରମନ୍ତେଣ ପାଣିଘାଟି ଲୋଡ଼ି ନ ପାଇଲା କାହିଂ ।୩୨୭।

ଲୋକାଲୋକ ଗିରି ଯାଇଂ ସେ ଭେଟିଲା ନିକଟେ

ଦେଖିଲା ଅଗ୍ରବୃକ୍ଷ ଡାଳେ ଅଛି ସୁସଞ୍ଚ ଜଳଘଟେ ।୩୨୮।

ସେ ଜଳଘଟ ଘେନିଣ ମନ୍ତ୍ରୀ ଅଇଲାକ ବେଗେ

ଅତି ଯତ୍ନେ ଦିଲା ତାହା ଯୁବନାଶ୍ୱ ଆଗେ ।୩୨୯।

ମହାଶ୍ରମେ ରାଜା ଜଳକୁ ଆକ୍ରେଷି

ସେ ଜଳ ପଇଣ ରାଜା ହୋଇଲା ମନତୋଷି ।୩୩୦।

ମହାମନ୍ତ୍ର ଜଳଘଟ ରାଜା ତୃଷାରେ ପିଇଲା

ଧାତାର ମନ୍ତ୍ରେ ଗର୍ଭେ ପୁତ୍ରେକ ରହିଲା ।୩୩୧।

ନିଜ କଟକେ ଯାଇଂ ବିଜୟେ ସୂର୍ଯ୍ୟବଂଶୀ

ପିତାଂକୁ ଭେଟିଲେ ଯାଇଂ ବଶିଷ୍ଠ ମହଋଷି ।୩୩୨।

ଧାତା ବୋଇଲେ ଯାଅ ତୁ ଲୋକାଲୋକ ଗିରି ଶିଖରେ

ସନ୍ତତି ଜଳଘଟ ଅଛି ଅଗ୍ରବୃକ୍ଷର ଉପରେ ।୩୩୩।

ଯୁବନାଶ୍ୱ ରାଜାର ପ୍ରିୟବତୀ ବନିତା

ସେ ଜଳ ଭକ୍ଷିଲେ ପୁତ୍ର ହେବ ଅଭୟ ବଳବନ୍ତା ।୩୩୪।

ଧାତାର ଆଗ୍ୟାଂରେ ଗଲେକ ବଶିଷ୍ଠେ

ବୃକ୍ଷ ଉପରେ ଲୋଡ଼ିଲେ ତହିଂ ନାହିଂ ମହାମନ୍ତ୍ର ଜଳଘଟେ ।୩୩୫।

ଗିରି ଉପରେ ସମସ୍ତ ଠାବ ଲୋଡ଼ିଲେ

ନପାଇ ବଶିଷ୍ଠେ ଯେ ବାହୁଡି ଅଇଲେ ।୩୩୬।

ପିତାର ସନ୍ନିଧ୍ୟେ ଯାଇଂ କହିଲେ ବାହୁଡ଼ି

ସ୍ୱାମୀ ଲୋକାଲୋକ ଶିଖରେ ତ ନ ପାଇଲି ଲୋଡ଼ି ।୩୩୭।

ଶୁଣିଣ ପିତାମହ ମନରେ ବିସରି

ନ ପୁଣ ଦାନବେ ତାହା ନେଲେକ ଅପହରି ।୩୩୮।

ତୃଷାର ଆରତେ ନିକି ପିଅନ୍ତି ବିସରି ।୩୩୯।

ସେ ପୁତ୍ର ଉତପତି ହୋଇଲେ ଦତ୍ୟକୁଳେ

ଆଜହୁଂ ଆକାଶ ତେଜିବେ ଦିଗପାଳେ ।୩୪୦।

ଧ୍ୟାନେଣ ଚିନ୍ତି ତାହା ଜାଣିଲେ ଜଗୁନାହା

ବୋଇଲେ ଯୁବନାଶ୍ୱ ଆଧାର କଲାଣି ତାହା ।୩୪୧।

ବିଚାରି ବୋଇଲେ ସୂର୍ଯ୍ୟବଂଶକୁ କାରଣ ହୋଇଲା

ୟେଡ଼େ ବଡ଼ ଯୁବନାଶ୍ୱ ରାଜା ଅଖଡ଼େ ନାଶଗଲା ।୩୪୨।

ଯାଅ ଯା ବଶିଷ୍ଠ ତୁ ଯୁବନାଶ୍ୱ ରାଜାର ତହିଂକି

ରାଜାକୁ ରକ୍ଷାକର ଯା ଶୁଣାଇ ଧର୍ମବାକି ।୩୪୩।

ଯୁବନାଶ୍ୱ ନାଶଗଲା ପାଇଲା ମନବାଞ୍ଛା

ବଂଶକୁ କାରଣ ହୋଉ ତୁ ପୁତ୍ରକୁ କର ରକ୍ଷା ।୩୪୪।

ସେ ମହାମନ୍ତ୍ର ଜଳଘଟ ପିଇଲା ଯୁବନାଶ୍ୱେ

ମହା ବଳବନ୍ତା ପୁତ୍ରେ ରହିଲା ଗର୍ଭଭାରି

ତିନିମାସେ ନୃପତି ନୁଆରିଲା ସଂହରି ।୩୪୬।

ବିଚାରଇ ମହାରାଜା କେବଣ ଚରିତ ମୋହୋର ଗର୍ଭବ୍ୟାଧି

ବେଜ ବଦ୍ୟଲଗାଇ ଆଣିଲେ ମଉଷୋଧି ।୩୪୭।

ବ୍ରହ୍ମାର ମହାମନ୍ତ୍ର ସେ ଗର୍ଭରେ ବହିଲା ଅଛି

ମନ୍ତ୍ର ମଉଷୋଧିରେ କି ସେ ଯାଇ ଘୁଞ୍ଚି ।୩୪୮।

ଯେସନେକ ଅଚଳ ଅଟଇ ମେରୁକୀଳା

ତେସନେକେ ସରୂପେ ଗର୍ଭେ ରହିଲା ଅଛି ବଳା ।୩୪୯।

ମହାବଇଷ୍ଣବ ସେ ଯେ କୁମାର ଅତୀୟ ବଳବନ୍ତା

ଚତୁର୍ମାସେ ନରେନ୍ଦ୍ର ମହା ଅଶକତା ।୩୫୦।

ବସିତ ନୁଆରଇ ସେ ପଡ଼ଇ ମହୀଲୋଟି

ୟେମନ୍ତର ସମୟେ ବଶିଷ୍ଠେ ଯାଇଂ ଭେଟି ।୩୫୧।

ବ୍ୟାସ ବାଲମୀକ ସୁଦେବ ମାରକଣ୍ଡେ

ପରମାର୍ଥ କହି ସମାର୍ଜନ୍ତି ତାର ପିଣ୍ଡେ ।୩୫୨।

ବଶିଷ୍ଠେ ବୋଇଲେ ରାଜା ନକର ମଉଷୋଧି

ଗର୍ଭେଣ ତୋହୋର ଆନ କିଛି ନାହିଂ ବ୍ୟାଧି ।୩୫୩।

ଆହୋ ତୁ ଯହୁଂ ଦେବତା ବ୍ରାହ୍ମଣେ ନ ଥାପିଲୁ

ଅତିଅନ୍ତ କଷ୍ଠୋରେ ଆମ୍ଭେ ପିତାମହଂକୁ କହିଲୁ ।୩୫୪।

ସନ୍ତତି ଜଳଘଟ ସେ ଉତପତି କଲେ ଯଗ୍ୟେଂ

ଯତନେ ଥୋଇଲେ ନେଇ ଲୋକାଲୋକ ଗିରି ଅଗ୍ରବୃକ୍ଷ ଅଗ୍ରେ ।୩୫୫।

ତୁ ଯେବଣ ଦିନେ ଗଲୁ ମୃଗୟା ବିନୋଦେ

ଜଳ ନପାଇ ରାଜା ବସିଲୁ ବିଷାଦେ ।୩୫୬।

ମନ୍ତ୍ରୀ ତୋହୋର ଯେ ଅଶ୍ୱକେ ଚଢ଼ିଗଲା

ଜଳ ଲୋଡ଼ନ୍ତେ ସେ ମନ୍ତ୍ରଘଟକୁ ପାଇଲା ।୩୫୭।

ତୋତେ ନରେନ୍ଦ୍ର ଦିଲାକ ସେ ଆଣି

ମହାଶ୍ରମେ କରି ରାଜା ପିଇଲୁ ସେ ପାଣି ।୩୫୮।

ଧାତାର ମହାମନ୍ତ୍ର ସେ କାହିଂକି ଯିବ ନାଶ

ପୁତ୍ରେକ ରହିଅଛି ରାଜା ତୋହୋର ଗର୍ଭବାସ ।୩୫୯।

ଯୁବନାଶ୍ୱ ହରଷ ହୋଇଲା ବଶିଷ୍ଠଂକ ବଚନେ

ମୁହିଂ ପଛେ ମରଇ ମୋହୋର ହୋଇବ ନନ୍ଦନେ ।୩୬୦।

ବହୁତ ସାନନ୍ଦ ହୋଇଲା ମହୀପତ୍ୟେ

କୁମାରର ଭାରା ରାଜା ସହିବ କେମନ୍ତେ ।୩୬୧।

ମାତାର ଗର୍ଭେ ସିନା ପୁତ୍ରକଇଂ ଠାବ ଅଛି

ମହା ଚଞ୍ଚଳା ସେ ବିସ୍ତୀର୍ଣ୍ଣ ତାହାର କୁକ୍ଷି ।୩୬୨।

ପିତାର ଶକ୍ୟେ କି ପାରଇ ତାହା ରହି

ମହାଜ୍ୱାଳା ପାଇ ରାଜା ଶରୀର ହୋୟେ ବହି ।୩୬୩।

ବିଷ୍ଣୁପୁରାଣ ପୋଥି ଯେ ଫେଡିଲେ ଶୁକବ୍ରହ୍ମା

ଅନୁବ୍ରତେ ଶୁଣାଅଲେ ପଣ୍ଡିତ ମହାତମା ।୩୬୪।

ନବଶତ କନ୍ୟା ପ୍ରିୟବତୀ ତା ଭାରିଜା

ବେଢ଼ିଥାନ୍ତି ଅବିରତେ ନ ଛାଡ଼ନ୍ତି ମହାରାଜା ।୩୬୫।

କାଶୀଥାନେ ଗୋ ଦୋହନ କଲେକ ଲକ୍ଷେ ଧେନୁ

ଗ୍ରହଶ୍ୟାନ୍ତି କରାନ୍ତି ଯେ ବୃହସ୍ପତିଂର ତନୁ ।୩୬୬।

ନବଲକ୍ଷ ବ୍ରାହ୍ମଣ ବିଷ୍ଣୁଆଳେ

ଦେବୀଂକି ବଳିଭୋଜା ଦିଅନ୍ତି ମହା ନିଶାକାଳେ ।୩୬୭।

ୟେସନେକ ଚଣ୍ଡୀପାଠେ ଲକ୍ଷେକ ବିପ୍ର ବରି

ମହାଶାନ୍ତି ନିମନ୍ତେ ରୁଦ୍ରସ୍ତୋତ୍ର ପତି ।୩୬୮।

ସହି ନୁଆରଇ ରାଜା ରୁବଇ ଉଚ୍ଚସ୍ୱରେ

ମହା ବଳବନ୍ତା କୁମର ଯେ ବୁଲଇ ଗର୍ଭର ଭିତରେ ।୩୬୯।

ଅନେକ ବଇକୁଲ୍ୟ ହୁଅଇ ଯୁବନାଶ୍ୱ

ଗର୍ଭେଣ କୁମାର ଯା ହୋଇଲା ଅଷ୍ଟମାସ ।୩୭୦।

ଲୋଡଇ କୁମାର ଯେ ନ ପାଇଣ ଦ୍ୱାର

ମହା ଭଇରବ ରୂପ କଲାକ ବିସ୍ତାର ।୩୭୧।

କୁମ୍ଭ ଶୁକଳ ଚଉଠି ଦିନ ରହିଲା ରାଜାର ଗର୍ଭେ

କନ୍ୟକୁଶଳ ଚଉଠୀ ଦିନ ଗର୍ଭ ଉଦବେଗେ ।୩୭୨।

ଅଶିଣ ମାସ ଶୁକୁଳ ପକ୍ଷ ଚଉଷଠୀର ତିଥି

ଅନୁରାଧା ନକ୍ଷତ୍ର ଯେ ବାର ବୃହସ୍ପତି ।୩୭୩।

ଗର ନାମରେ କରଣ ସଉଭାଗ୍ୟ ନାମେ ଯୋଗ

ରାତ୍ର ଦେଢ଼ ପ୍ରହରେ ଯେ ବୁଧର ବେଳଭୋଗ ।୩୭୪।

ଗର୍ଭର ଭିତରୁ ପୁତ୍ର ବାହାନାଦ କରି

ବାହାର ହୋଇଲା ପୁତ୍ର ପଞ୍ଜରା ବିଦିରି ।୩୭୫।

ପୁତ୍ରର ବଦନ ସେ ଚାହିଁଲା ଯୁବନାଶ୍ୱ

ଛାଡିଲା ଜୀବ ଆତ୍ମା ଯେ ପାଇଲା ସ୍ୱର୍ଗ ବାସ ।୩୭୬।

ତୁଳସା ନାମେଣ ଯେ ଯବନାଶ୍ୱର ପାଟରାଣୀ

ପୁତ୍ରକଇଂ ସମ୍ଭାଳି ଧଇଲା ବଂଶ କାରେଣୀ ।୩୭୭।

ରାଜାର ପିଣ୍ଡ ନେଇଗଲେ ପ୍ରାଗତୀର୍ଥେ

ଦହନ କରାଇଲେ ନେଇ ବଶିଷ୍ଠ ପୁରୋହିତେ ।୩୭୮।

ଧାତାର ମନ୍ତ୍ରେ ଯେ ଉପୁଜିଲା ସନ୍ତତି

ମାତା ବିହୁନେ କୁମାର ହୋଇଲା ଉତପତ୍ତି ।୩୭୯।

ଋଷିଗଣମାନେ ଦିଲେ ତାହାର ନାମ

ମାନଧାତା ନାମ ତାର ହୋଇଲା ମହାବ୍ରହ୍ମ ।୩୮୦।

ପୁରାଣ ଉକତେ ହୋ କହିଲେ ଶୁକବ୍ରହ୍ମା

ସେ ମାନଧାତା ସତ୍ୟଯୁଗେ ହୋଇଲା ଉତକର୍ମା ।୩୮୧।

ସତ୍ୟଯୁଗେ ରାଜ୍ୟକଲା ରାଜା ଲକ୍ଷେ ଷାଠିୟେ ସହସ୍ର ବରଷ

ନବଦ୍ୱୀପ ସପତ ସାଗରେ ତାହାର ତେଜ ଯେ ପରକାଶ ।୩୮୨।

ଶୁଣ ହୋ ମହାରାଜା ସେ ମାନଧାତାର ମହିମାଂ

ନବଦ୍ୱୀପେ ୟେକାଙ୍ଗ ରାଜା ସେ ହୋଇଲା ଉପମା ।୩୮୩।

ଆଦି ସଂସାରେ ଧନୁ ୟେକ ସଞ୍ଚିଲେ ଶତମନୁ

ନବଲକ୍ଷ ବଳ ସେ ଯେ ଅଜଙ୍ଗନାମେ ଧନୁ ।୩୮୪।

ସେ ଧନୁର ତେଜେ ମାନଧାତା ମହାଯୋଧୀ

ୟେକା ନାରାଜକେ ସେହୁ ସପତ ଦୀପ ସାଧି ।୩୮୫।

ଶକ୍ର ସନ୍ଧାନ ଦିଆଇଲା ଆକାଶ ଭୁବନୁଂ

ସତ୍ୟଯୁଗେ ମହାରାଜା ସେ ଯୁବନାଶ୍ୱର ତନୁ ।୩୮୬।

ସେ ରାଜା ମହାଯଗ୍ୟଂ କଲା ବିଲଂକର ଦେଶେ

ଯାଗଶାଳ ଉତ୍ସର୍ଗ ହୋଇଲା ସେ ଅର୍ଦ୍ଧ ଆକାଶେ ।୩୮୭।

ସତ୍ୟଯୁଗେ ମଧ୍ୟସ୍ୱର୍ଗେ ବସନ୍ତି ଛଡ ଚକ୍ରବ୍ରତୀ

ବଳୀବେଣୁ ମାନଧାତା ଜାନୁଘଣ୍ଟ ପ୍ରଶୁରାମ ହରିଚନ୍ଦନ ନୃପତି ।୩୮୮।

ସତ୍ୟଯୁଗେ ସତର ଲକ୍ଷ ଅଠାଇଣ ସହସ୍ର ବରଷ

ଧର୍ମେଣ ପାଳିଲେ ପୃଥୀ ରହିଲା କୀର୍ତ୍ତିଯଶ ।୩୮୯।

ୟେ ଯୁଗ ପାରକଲେ ଛଡରାଜା ହୋଇ

ୟେସନେକ ଯାଗକରି ନୁଆରିଲେ କେହି ।୩୯୦।

ଲକ୍ଷେ ରାଜା ପରିମୁଖେ ଶୁକବ୍ରହ୍ମା କହି

ୟେଡେ ବଡ ଯାଗତ ନ କଲେ ପୁଣି କେହି ।୩୯୧।

ୟେସନେକ ପ୍ରସ୍ତାବ ଯେ କହିଲେ ଶୁକବ୍ରହ୍ମା

ପୁସ୍ତକ ବନ୍ଧନ ଯେ କଲେକ ମହାତମା ।୩୯୨।

ଶୁଣିଣ ରାଜାମାନେ ବଡ ସାନନ୍ଦ ହୋଇଲେ

ଧନ୍ୟ ବିଭୀଷଣ ବୋଲି ସମସ୍ତେ ବୋଇଲେ ।୩୯୩।

ତୋହୋର ପ୍ରସାଦେ ଆମ୍ଭେ ମୁକତ ହୋଇଲୁ

ସତ୍ୟଯୁଗର ମାନଧାତା ଜନମ ଶୁଣିଲୁ ।୩୯୪।

ନମାମି ଭଗବାନ ଯେ ଭକତ ମତ୍ସଳା

ନୀଳଘନ ମେଦୁର ସ୍ୱାମୀ ନୀଳବର୍ଣ୍ଣ କଳା ।୩୯୫।

ନୀଳଉତ୍ପଳ ତନୁ ପରିହରଣ ପୀତବାସ

ନୀଳାମ୍ୱର ନାଥ ସୋହତ ପୁରୁଷ ।୩୯୬।

ନମାମି ନରହରି ନରଂକୁ ତାରଣ

ନୀଳ କଳ୍ପକଟ ତଳେ ତାହାର ଆସନ ।୩୯୭।

ନୀଳାଦ୍ରି ଲୋଚନ ନାଥ ଚରଣେ ଦଇନି

ବଦନ୍ତି ସାରୋଳା ଦାସ ଗ୍ରନ୍ଥିକାର ଶୂଦ୍ରମୁନି ।୩୯୮-୧୧୦୮୮।

 

Unknown

ଯୁଧିଷ୍ଠିରଙ୍କ ଦର୍ଶନେ ବିରାଟ ରାଜାଙ୍କ ଅପମାନ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

ୟେଥୁ ଉତ୍ତାରେ କିସ ହୋଇଲା କହିବା ରସବାକି ।୧।

କହନ୍ତି ଅଗସ୍ତି ଯେ ରାଜାର ବଚନେ

ଶୁଣ ହୋ ମହାରାଜା ହୋଇଣ ତତ୍ତ୍ୱଗ୍ୟାନେ ।୨।

ୟେସନେକ ସମୟେ ଯେ ଡଗର କାଳିଞ୍ଜନ

ଛାମୁରେ ଜଣାଇଲା ଯାଇଂ ଠାକୁର ଭୀମସେନ ।୩।

ସ୍ୱାମୀ ପଚ୍ଛିମ ଦିଗର ରାଜା ବିରାଟ ତାର ନାମ

ମୋତେ ଦ୍ରଶନ କରାଅ ବୋଲି ବୋବି ପାଡଇ ଅବିଚ୍ଛନ୍ନ ।୪।

ଭୀମସେନ ଜଣାଇଲେ ଯାଇ ଶ୍ରୀ ଜଗନ୍ନାଥଂକ ପାଶେ

ସ୍ୱାମୀ ବିରାଟ ପଡିଅଛି ତହିଂ ପଚ୍ଛିମ ଦ୍ୱାର ପ୍ରଦେଶେ ।୫।

ଗୋବିନ୍ଦ ବୋଇଲେ ଯେ ବ୍ୟାସ ମହଋଷିଂକି

ଭୋ ବ୍ୟାସେ ବିରାଟ ଆସି ଲୋଡଇ ଯୁଝେଷ୍ଠିଦେବ ତହିକି ।୬।

ବ୍ୟାସେ ବୋଇଲେ ହୋ ଶୁଣିମା ଶ୍ରୀ ରଙ୍ଗର

ବିରାଟ କଥା ହରି ତୋତେ ସେ ଲାଗଇ ।୭।

ତୁ ଦେବ ମାୟାଧର ଚକ୍ରକୂଟ ବୁଦ୍ଧି

ୟେ ସୟଳ ଜନ ଚିନ୍ତାମଣି ନାଥ ବାଞ୍ଛା ଯେ ପୟୋଧି ।୮।

ଯେମନ୍ତେ ବିରାଟ ନ ଦେଖଇ ତେମନ୍ତେ କରି ଦେଖା

ବିପଦ କାଳେ ପାଣ୍ଡବଂକୁ ନାହିଂଟି ଆନ ସାଖା ।୯।

ବ୍ୟାସ ବାସୁଦେବ ଯେ ୟେକସ୍ଥାନେ ବସି

ଭୀମସେନକୁ ସନ୍ନିଧ୍ୟେ ରାଇ ଭାଳନ୍ତି ଋଷୀକେଶି ।୧୦।

ବ୍ରିକୋଦର ବସାଇ ବଦନ୍ତି ହୃଷୀକେଶ

ଚାପୋଡେ ଉପରେ ଦେଇ ବିରାଟକୁ ଘେନିଆସ ।୧୧।

ଯେମନ୍ତେ ବିରାଟ ହୋଅଇ ପରଆତ୍ମା

ଯୁଝେଷ୍ଠି ଦେବଂକୁ ଚିହ୍ନି ନୁଆରଇ ମହାତ୍ମା ।୧୨।

ବ୍ୟାସ ବାସୁଦେବଂକ ବଚନେ ମହା ରୋଷିତ ଯେ ଭୀମ

ରାଗେଣ ତ୍ରିପଣ୍ଡ ଯେ ଗଳଇ ମହାଶ୍ରମ ।୧୩।

ବାଉନ ବାଉନ ଭାର ଗଦା ବୁଲାଇ ବେନି ହାଥେ

ଦେଖିଣ ତ୍ରିସିଲେ ଯେ ରାଜାଗଣ ସମସ୍ତେ ।୧୪।

ବୋଇଲେ ଦୁରାପଦ କୋପ କାହାକୁ କଲେ ଭୀମ

ଛଡଲକ୍ଷ ଯୋଜନେ ଥାଇ ତ୍ରିସିଲେକ ଯମ ।୧୫।

ଦନ୍ତେଣ ଅଧର ଚାପି ଧାମଇ ବ୍ରିକୋଦର

ଧାତିକାରେ ପ୍ରବେଶ ହୋଇଳେ ଯାଇଂ ସଭାର ପଚ୍ଛିମଦ୍ୱାର ।୧୬।

ଦ୍ୱାରେ ଉଭାହୋଇ ଡାକ ଦିଅଇ ପବନର ଚାଟ

ଆରେ ମଘ ମତ୍ସଦେଶ ରାଜା କାହିଂ ଅଛୁ ବିରାଟ ।୧୭।

କାଳଚକ୍ର ପ୍ରାୟେ ତାର ବୁଲଇ ବେନି ଆଖି

ବିରାଟ ତ୍ରାସିଲା ଯେ କଟାଳ ମୃର୍ତ୍ତି ଦେଖି ।୧୮।

ଡରେଣ ମତ୍ସାଧି ଯେ କମ୍ପଇ ଥରହର

ଛାମୁରେଣ ପ୍ରବେଶ ହୋଇଲା ମନ୍ତ୍ରୀ ଯାଚକେଶ୍ୱର ।୧୯।

ବ୍ରିକୋଦର ବୋଇଲା ରେ ତୁହି କି ସେ ମତ୍ସ ଆଧିପତି

କରଯୋଡି ଯାଚକେଶ୍ୱର ବୋଇଲା ଭୋ ଦେବ ମୁଂ
ମଘଦେଶର ମନ୍ତ୍ରୀ ।୨୦।

ବ୍ରିକୋଦର ବୋଇଲା ବିରାଟକୁ ଆଣ ମୋର ଛାମୁକୁ

ତାହାକୁ ଆଗ୍ୟାଂ ହୋଇଲା ରେ ଛାମୁକୁ ନେମାକୁ ।୨୧।

ଅପଳ ଭାନ୍ତି ଫିଟିଲା ଶୁଣି ମତ୍ସଦେଶର ସ୍ୱାମୀ

ଭୀମସେନ ପାଦତଳେ ହୋଇଲା ପରିଣାମି ।୨୨।

ପଞ୍ଚବିଂଶ ଭାର ରତ୍ନ ଶ୍ରୀମୁଖ ସମଳ

ଘେନିଣ ଦ୍ରଶନେ ଚଳିଲା ମତ୍ସଦେଶ ମହୀପାଳ ।୨୩।

ଭୀମସେନ ବୋଇଲା ବିରାଟ ବହନ ଉଠ

ୟେଚେ ବଡ ମନ୍ଦ ତୁରେ ଅଟୁସି ବିରାଟ ।୨୪।

ତେପନ ଯୁଗର ରାଜା ଲଂକାଗତିର ବିଭୀଷଣ

ତାହାର ଦ୍ରଶନ କଲା ଆସି ହୋଇଲା ତିନି ଦିନ ।୨୫।

ୟେଡେ ବଡ ଅବଗ୍ୟାଂ କିଂକେ କେଉଂଣ ଦର୍ପେ ଦମ୍ଭ

ନିକଟ ରାଜା ହୋଇ ତୋର ୟେତେକ ବିଳମ୍ୱ ।୨୬।

ଆହୋ ବିରାଟ ପରା କୀଂଚେକ ତୋହୋର ଶଳା

ଶତସିଂଘର ପ୍ରାକ୍ରଣ ସାଂଗ୍ରାମେ ମହାବଳା ।୨୭।

ମମ ଶ୍ରୀମୁଖକୁ ସେହୁ ପୁଣି ନିନ୍ଦା କରିଅଛି

ବିରାଟ ବୋଇଲା ଦେବ ସେ ଦୁଷ୍ଟ ପ୍ରକୃତି ।୨୮।

ବିରାଟ ବୋଇଲା ଦେବ ସେ ଦୁଷ୍ଟ ପ୍ରକୃତି

ଅପଣ୍ଡିତ ଜନଂକର ଦୋଷକୁ କିସ ଭ୍ରାନ୍ତି ।୨୯।

ଭୀମସେନ ବୋଇଲା ଅଇଲୁ କେବଣହିଂ ଦିନେ

ସ୍ୱାମୀ ଚତୁର୍ଥ ଦିବସ ହୋଇଲା ମୁଂ ଅଇଲି ସଭାସ୍ଥାନେ ।୩୦।

ଭୀମସେନ ବୋଇଲା ତୁ ଶୁଣ ହୋ ବିରାଟ

ଅନ୍ନ ଭୋଜନ କେମନ୍ତେ କରନ୍ତି ତୋର ଥାଠ ।୩୧।

ବିରାଟ ବୋଇଲା ସ୍ୱାମୀ ଅବିକ୍ଷଣେ ଅନ୍ନ

ସାତ କ୍ଷଉଣୀ ବଳ ଘେନି ମୁଂ ଛତ୍ରଶାଳେ କରଇ ଭୋଜନ ।୩୨।

ଭୀମସେନ ସାନନ୍ଦ ବିରାଟ ବଚନ ଶୁଣି

ସ୍ୱାମୀଂକୁ ଦ୍ରଶନେ ତୁହି କିସ ଅଛୁଂ ଆଣି ।୩୩।

ସ୍ୱାମୀ କିଞ୍ଚିତ ମାତ୍ର ମୁଂ ଅଟଇ କିଂକରମତି

ଶତେଭାର ପାଣିଦ୍ରବ୍ୟ ଆଣିଛି ନିଭ୍ରାନ୍ତି ।୩୪।

ଭୀମସେନ ବୋଇଲା ତୁ ଦୁଇ ରାଜ୍ୟେ ଅଧିକାରୀ

ପର ସମ୍ପଦ ତୁ ସୁଖେଣ ଭୋଗ୍ୟକରି ।୩୫।

ଦୁହାଂଣ ଦୁଇପଦ୍ମ ବରତ ବାରଲକ୍ଷ ଗାଈ

ପରର ବିତ୍ତ ତହୁଂ ୟେତେକ ଘେନିଅଛୁଂ ଛଡାଇ ।୩୬।

ନୀଂଚକ ଦେଖାଇ ତୋର ୟେଡେକ ଗାରିମା

ନଛାଡୁ ମଂଦ ପ୍ରକୃତି ତୋହୋର ୟେଡେକ ଅବଗ୍ୟାଂ ।୩୭।

ଆହୋ ବିରାଟ ଶତେଭାର ପାଣିଦ୍ରବ୍ୟ ଆଣିଲୁ ତୋହୋର ପରାରାଜା

ଜନମୁଖେ ଚାହିଂବାକୁ ନ ପାଇଲୁ ଲଜ୍ଜା ।୩୮।

ଆହୋ ବିରାଟ ତୋହୋର ପାଇଂ ଯେ ଗୁହାରି କରିଛି ତ୍ରିଗର୍ତ୍ତ

ତାହା ନ ଶୁଣୁ ଆମ୍ଭେ ତୋହୋର ନିମିତ୍ତ ।୩୯।

ତୁ ତହିଂକି ଅଇଲୁ ହୋ ଅଶୁଦ୍ଧ ମନ୍ଦଭାବେ

ଆସ ତୋତେ ଘାନ୍ତିୟେ ଦ୍ରଶନ କରାଇବା ହାଦେ ୟେବେ ।୪୦।

କହୁଂ କହୁଂ କୋପିତ ସେ ପଣ୍ଡୁରାଜାର ସୁତ

ବିରାଟର ବେକେ ନେଇ ଦିଲା ବାମହାଥ ।୪୧।

ଆରେକ ହାଥ ନେଇ ତାର ଦିଲାକ କଟିଭାଗେ

ପେଲିଣ ଭୀମସେନ ଆଣଇ ତତବେଗେ ।୪୨।

ବିରାଟ ନୃପତିର ନାହିଂନା ସାହାସ

ଆରତେ ବୋଲଇ ଗୋସାଇଂ ମୋହୋର ଅଛଇ କିସ ଦୋଷ ।୪୩।

ଭୀମସେନ ବୋଇଲା ତୋତେ ତ୍ରିଗର୍ତ୍ତର ଗୁହାରି

ବଳେଣ ରାଜ୍ୟ ମାତି ବସିଅଛୁ ତାହାରି ।୪୪।

ବିରାଟର ଆତ୍ମା କି ହୋଇବ ବିସର୍ଜ

ସମସ୍ତ ରାଜାମାନେ ଦେଖି ହୋଇଲେ ଆଶ୍ରିଜ ।୪୫।

ଧର୍ମ ଧର୍ମ ସୁମରନ୍ତି ସମସ୍ତ ରାଜାମାନେ

ଆହୋ ବିଳମ୍ୱ ହୋଇଲା ବିରାଟ ଆସିବା ସମୟେ ନାଶଗଲା
ପ୍ରାଣେ ।୪୬।

ଥୋକାୟେ ବୋଇଲେ ହୋ ୟେ ବ୍ରତିବ ଛାମୁକୁ ଗଲେ

ମୃତ୍ୟୁଯୋଗ ନାହିଂ ୟେହାର ଠାକୁର ଦ୍ରଶନ କଲେ ।୪୭।

ରାଜାୟେ ସୁମରନ୍ତି ମାହେଶ୍ୱରୀ ଆପାଦ ଖଣ୍ଡଣି

ବେଳେକ ବିରାଟ ପ୍ରାଣ ପାଉ ରକ୍ଷାକର ଗୋସାମଣି ।୪୮।

ଥୋକାୟେ ବୋଲନ୍ତି ଧର୍ମସଭା ପିତୃକାର୍ଯ୍ୟ

ଅପ୍ରାଧହିଂ ସେ ବିରାଟକୁ ମୃତ୍ୟୁ ନାହିଂ ଆଜ ।୪୯।

ଶ୍ରୀ ଜଗନ୍ନାଥଂକର ବଦନ ଚାହିଂଲେ ବ୍ୟାସ ମହାମୁନି

ଭୋ ମାୟାଧର ବିରାଟ ଯୁଝେଷ୍ଠିକି ଯେମନ୍ତେ ନ ଚିହ୍ନି ।୫୦।

ତୁଳସା ଦେବୀ ବଲ୍ଲଭ ବ୍ୟାସଂକର ବଚନେ

ଆପଣେ ଧାମନ୍ତି ଦେବ ସ୍ୱାମୀ ଜନାର୍ଦ୍ଦନେ ।୫୧।

ସୁଦର୍ଶନ ଚକ୍ର ଅନ୍ତରିକ୍ଷେ ଦିଲେ ପେଶି

ବିରାଟ ଛାମୁରେ ଶୂନ୍ୟେ ବୁଲାଇଲେ ସେ ଆସି ।୫୨।

ୟେକେଣ ଆକ୍ରେଷି ତହିଂ ଆଣୁଅଛି ବୀର ଭୀମା

ତେଣୁକରି ବିରାଟ ଯେ ହୋଇଅଛି ପରିଆତ୍ମା ।୫୩।

ଆବର ଅଦୃଶ୍ୟେ ଯେ ଚକ୍ର ପରକାଶ

ତେଣୁକରି ତାହକଇଂ ଅନ୍ଧାର ଦିଶିଲା ଦଶଦିଶ ।୫୪।

ଗୋବିନ୍ଦ ବୋଇଲେ ମଘଦେଶ ମତ୍ସଦେଶ ରାଜାଅଟଇ ବିରାଟ

ଦ୍ରଶନ କରୁଅଛି ସ୍ୱାମୀ ଅସ୍ତାନର ନିକଟ ।୫୫।

ଜଣାଇ ବ୍ରିକୋଦର ମାଡଇ ତାର ତୋଟି

ଅସମ୍ଭାଳ ହୋଇ ବିରାଟ ପଡିଲା ମହୀଲୋଟି ।୫୬।

ଆହୋ ବିରାଟ ଉଠ ଉଠ ବୋଲି ବୋଲନ୍ତି ଧର୍ମବତ୍ସ

ବିଜୁଳି ତେଜ ପ୍ରାୟେ ଦିଶିଲା ମୁଦି ମତ୍ସ ।୫୭।

ପଡିଥାଇ ବିରାଟ ଅଳପ ଦୃଷ୍ଟି

ଆବର ଦେଖିଲା ବାମପାଦର ଅଙ୍ଗୁଷ୍ଠି ଗୋଟି ।୫୮।

ଭୀମସେନ ବୋଇଲା କି ଦେଖୁଲୁ ବିରାଟ

ବିରାଟ ବୋଇଲା ଗୋସାଇଂ ଦେଖିଲଇଂ ଶ୍ରୀଚରଣେ ପାଦପୃଷ୍ଠ ।୫୯।

ଗୋବିନ୍ଦ ବୋଇଲେ ୟେ ମୋଢ଼ା ବିରାଟ ବଡ ଦ୍ୱନ୍ଦୀ

ଆପଣାର ଗୋତ୍ର ତେଜି ଶଳାର ଗୋତ୍ର ବନ୍ଦି ।୬୦।

ଗୋବିନ୍ଦ ବୋଇଲେ ୟେ ମୋଢ଼ା କୁପୁରୁଷା

ବାହାର କରିଦିଅ ୟେହାକୁ ସଭାରେ ନ ବସା ।୬୧।

ନାରାୟଣଂକ ଆଗ୍ୟାଂ ପାଇଣ ବ୍ରିକୋଦର

ବିରାଟ ରାଜାକୁ ଛାଡିଲା ବାହାର ଦ୍ୱାର ।୬୨।

ୟେମନ୍ତେ ପାଞ୍ଚଦିନ ହୋଇଲା ଆହୁତି

ବସିଲେ ସମ୍ଭର୍ବେ ତହିଂ ଅନେକ ନୃପତି ।୬୩।

ମହାମନ୍ତ୍ର ଆହୁତି ବିକାଶଇ ଗଗନ ମଣ୍ଡଳେ

ଆକାଶେ ଆଘ୍ରାଣ ତା କରନ୍ତି ଦିଗପାଳେ ।୬୪।

ଅବିଚ୍ଛନ୍ନେ ଦାନଧ୍ୟାନ ଯେ ଯେତେକ ପଦାର୍ଥ ମାଗି

ଅଷ୍ଟରତ୍ନ ମୂଳେ ଦିଅନ୍ତି ଯାହାକୁ ଯେତେ ଲାଗି ।୬୫।

ଇଚ୍ଛାୟେ ଯେ ଯେତେବେଳେ ମାଗଇ ଯେ ଅନ୍ନ

ଯେତେ ଇଚ୍ଛା ତେତେ ସେ କରନ୍ତି ଭୋଜନ ।୬୬।

ମକର ମାସ ଶୁକଳପକ୍ଷ ପୂର୍ଣ୍ଣମୀର ଦିନ

ଆସ୍ତାନ ଉପରେ ଉଠିଲେ ଧୃଷ୍ଟ ଯେ ଦ୍ୟୁମନ ।୬୭।

ଶ୍ରୀବତ୍ସ ଲାଞ୍ଛନ ଯେ ତାମ୍ୱ୍ରବର୍ଣ୍ଣ କାୟେ

ସରୂପେ ଦିଶନ୍ତି ସେ ବ୍ରହ୍ମାର ପୁତ୍ର ପ୍ରାୟେ ।୬୮।

ଲୋଟଣି ଜୁତା ସେ ଯେ ହୋଇଣ କୁଶହାଥ

ଯୁଝେଷ୍ଠି ଦେବେ ଦେଖି ମସ୍ତକେ ଦିଲେ ହାଥ ।୬୯।

କର ପ୍ରସାରି କଲ୍ୟାଣ କଲେ ଧୃଷ୍ଟ ଯେ ଦ୍ୟୁମନେ

ଦେଖିଣ ଆଶ୍ରିଜ ହୋଇଲେ ସମସ୍ତ ରାଜାଗଣମାନେ ।୭୦।୧୧୧୫୮।

 

ଧୃଷ୍ଟଦ୍ୟୁମନ୍ନଙ୍କ ପୂର୍ବଜନ୍ମ ବିବରଣୀ

ଆହୋ ମନୁ ପୁଚ୍ଛାକଲେ ତୁ ହୋ ଶୁଣ ଚଇତନ

ଅତୁଟ ସର୍ବଗ୍ୟଂ ପୁରୁଷ ତୁ ଅଟୁ ସାଧୁ ବ୍ରହ୍ମଗ୍ୟାନୀ ।୧।

ମୁହିଂ ସେ କ୍ଷୟେ ହୋଇ ତୁହି ସେ ଅକ୍ଷୟେ

ମୁହିଂ ସେ କରଇ ଭୟେ ତୁ ଅଟୁ ନିର୍ଭୟେ ।୨।

କେମନ୍ତେ ୟେକତ ୟେ ହୋଅଇ ପିଣ୍ଡପ୍ରାଣ

ମନ ବୋଲେ ଚଇତନ ତୁ ବିଷ୍ଣୁ ପୁରାଣ ଶୁଣ ।୩।

ଚଇତନ ବୋଇଲା ମୁହିଂ ବୁଝିବି କେମନ୍ତେ

ମନକୁ ଭ୍ରାନ୍ତିକରି ନ ଯାଇ ସମ୍ପ୍ରତେ ।୪।

ବହୁତ ଗହନ ୟେ ଦୁର୍ଲଭ ଶାହାସ୍ର ବାଟ

ସ୍ଥଳ ଅନ୍ତ ନପାଇ ହାଦେ ନୋହିଲି ନିକଟ ।୫।

ବୋଇଲୁ ତୁ ଯେବେ କଥାୟେ କହିଲୁ ୟେବେହେଂ

କେ ୟେହା ସମ୍ପ୍ରତେ କରିବ ୟେତେକ ସନ୍ଦେହେ ।୬।

ବୋଇଲୁ ଯେ ତ୍ରଇଲୋକ୍ୟ କରୁଅଛନ୍ତି ଯାହାର ପାଦେ

ପ୍ରସ୍ତାବେ ପ୍ରଣପତ୍ୟ ହୋଉଅଛନ୍ତି ଗୋବିନ୍ଦେ ।୭।

ଲକ୍ଷେକ ନୃପତି ଯାହାର ଚରଣ ତଳେ ଲୋଟି

ମୁକୁଟ ଶିଖାରେ ବସୁଅଛି ଯୁଝେଷ୍ଠିଂକ ପାଦ ଅଙ୍ଗୁଷ୍ଠି ।୮।

ୟେ ଦ୍ୱାପର ଯୁଗେ ଯାହାର ୟେସନେକ ମହିମାଂ

ଶୁକ୍ଳାମ୍ୱର ଶରୀର ଯେ ପ୍ରତକ୍ଷେ ମହାତମା ।୯।

ଦେବ ଦାନବେ ଯାହାର ମହିମାଂ ଅଗୋଚର

ସେ ଧୃଷ୍ଟଦ୍ୟୁମନକଇଂ କିମ୍ପେ ହୋଇଲେ ନମସ୍କାର ।୧୦।

ମନୁ ବୋଇଲା ତୁ ଯେ ଶାହାସ୍ର ନିନ୍ଦାକରୁ

ମୁହି ସେ ଅକ୍ଷୟେ ତୁହି ୟେହିମନ୍ତେହେଂ ମରୁ ।୧୧।

ସମସ୍ତ ସୁଲଭ ୟେ ଶାହାସ୍ର ତତ୍ତ୍ୱ କଥା

ମତ୍ତଗର୍ବ ଭାବେ ତୁ ନିନ୍ଦୁଥାଉ ସର୍ବଥା ।୧୨।

ନ ଇଚ୍ଛୁ ତପଧର୍ମ ଲୋଭେ ହୋଉ ଭୋଗୀ

ଅତୁଟ ଶରୀର ଗୋଟିକି ତୁ କରାଉ ତେଣୁ ରୋଗୀ ।୧୩।

ଆପଣେ ଆପଣେ ତୁ ହୋଉଅଛୁ ନାଶ

ଲୋଭେଣ ପାତକ ତୋର ମୋହୋର କିସ ଦୋଷ ।୧୪।

ମନ ବୋଇଲା ତୋତେ କରିବା କାରଣ

ୟେକ ଲୟ କରି ତୁ ଶ୍ରୀ ମହାଭାର୍ଥ ଶୁଣ ।୧୫।

ତୁ ଯେ ବୋଇଲୁ ସେ ଯେ ଅଟଇ ବଡ ମନ୍ଦ

ଯୁଝେଷ୍ଠି ଦେବ ହାଦେ ଜାଣି ହେଲେ ଅନ୍ଧ ।୧୬।

ଯୁଝେଷ୍ଠି ଦେବେ ଅବା ନ ଜାଣି ଦିଲେ ହାଥ

ଧୃଷ୍ଟଦ୍ୟୁମନ କଲ୍ୟାଣ କଲେ କେଉଂଣ ମତ ।୧୭।

ଦ୍ରୂପଦ ନନ୍ଦନ ଯହୁଂ କଲେକ କଲ୍ୟାଣ

ରାଗେଣ ମୁକୁଟ କମ୍ପାଇଂ ଦେବ ନାରାୟଣ ।୧୮।

ୟେହିକ୍ଷଣି ଚକ୍ରେ ଚ୍ଛେଦିବଇ ୟେହାର ଶିର

ଦ୍ରୋପତୀରେ କୋପ ପୁଣ ହୋଇବ ଅପାର ।୧୯।

ସହି ନୁଆରି ଯୁଝେଷ୍ଠିଂକି ପୁଚ୍ଛକଲେ ଅଚ୍ୟୁତ

ସ୍ୱାମୀ ସନ୍ଦେଶ ରଥାୟେ ତୋତେ ପଚାରଇ ନରନାଥ ।୨୦।

ସ୍ୱାମୀ ଲକ୍ଷେକ ନୃପତି ଯାର ଚରଣରେ ବନ୍ଦେ

ଦେବଋଷି ବ୍ରହ୍ମଋଷି ପରମ ସାନନ୍ଦେ ।୨୧।

ସ୍ୱାମୀ ବଡାଇ ଦୁରାପଦ ଲାଗିଲାକ ମୋତେ

ଧୃଷ୍ଟଦ୍ୟୁମନକଇଂ ନମସ୍କାର କଲ କେଉଂଣ ଅର୍ଥେ ।୨୨।

ଯୁଝେଷ୍ଠି ଦେବ ବୋଇଲେ ହରି ସେ ଦ୍ରୋପଦୀଂକର ଜ୍ୟେଷ୍ଠଭ୍ରାଥ

ତେଣୁକରି ୟେହାନ୍ତ ନମସ୍କାର ଯେ ଅଟଇ ବିହିତ ।୨୩।

ଆହୋ ଚଇତନ ଛାମୁରେ ଜଣାଇଲେ ଦେବ ହୃଷୀକେଶ

ଶୁକବ୍ରହ୍ମ ମୁନିଂକି ସେ ସେ ହକାରିଲେ ପାଶ ।୨୪।

କାଖେ ଶୁକ ବ୍ରହ୍ମାୟେ ଘେନିଣ ପୁରାଣ ଶାସ୍ର ପୋଥି

ଯୁଝେଷ୍ଠି ଦେବଂକ କତିରେ ଯାଇଂଣ ବସନ୍ତି ।୨୫।

ନାରାୟଣ ବୋଇଲେ ହୋ ଶୁଣସି ପଣ୍ଡିତେ

ଭାରିଯା ଜ୍ୟେଷ୍ଠଭ୍ରାଥକଇଂ ନମସ୍କାର ଅଛି କି ଶାହାସ୍ର ଯୁଗତେ ।୨୬।

ଶୁକ ବ୍ରହ୍ମାୟେ କହିଲେ ଶାହାସ୍ର ବିଧାନେ

ଶଳାକୁ ନମସ୍କାର ନାହିଂନା ବିଦ୍ୟମାନେ ।୨୭।

ବ୍ୟାସଂକର ପାଠେ ଶଳା ଭୃତ୍ୟ ସମାନ

ଜୁଆଇଂ ଭଗ୍ନୀଜା ଦ୍ରଶନେ ଅଶେଷ ପୁଣ୍ୟମାନ ।୨୮।

ଦେବତା ପୂଜାକଲେ ଯେତେ ଧର୍ମ ଗଚ୍ଛି

ଭଗ୍ନୀଜା ଜୁଆଇଂକି ମାନ୍ୟକଲେ ତେସନେକ ପୁଣ୍ୟବାଚି ।୨୯।

ଯେବେ ଦୂରୁଂ ଜୁଆଇଂ ଭଣଜା ଦେଖିବା

ଦେବତା ପ୍ରାୟେ କରି ଆରାଧନା କରିବା ।୩୦।

ଶୁକ ମୁନିଂକର ବାକ୍ୟ ୟେସନେକ ଶୁଣି

ଦେବ ପିତୃ ପ୍ରାୟେ ଜୁଆଇଂ ଭଣଜାଂକୁ ଗଣି ।୩୧।

ବିଭା ମଙ୍ଗଳ ଯେ ପିତୃକାର୍ଯ୍ୟ ତିଥି

ୟେହାନ୍ତ ଭୋଜନ କରାଇଲେ ଲକ୍ଷେ ବ୍ରାହ୍ମଣ ପଂଳଶ୍ରୁତି ।୩୨।

ୟେହାଂକର ଚରଣ ପଖାଳିଣ କଲେ

ଅମୋକ୍ଷ ଲୋକ ମୋକ୍ଷ ହୁଅନ୍ତି ପାଦ ଉଦକ ପଡ଼ିଲେ ।୩୩।

ଆହୋ ଚଇତନ ପୁରାଣ ବାଣୀ ଯେ ୟେସନେକ ଶୁଣି

ବଢ଼ିଲା ଦୁରାପଦ କୋପ ଅନନ୍ତ ଚକ୍ରପାଣି ।୩୪।

ୟେତେକ ଦର୍ପ ତୋହୋର ଆରେ ଦ୍ରୋପଦ ପୁତ୍ର

ଭାରିଯାର ଡରେ ଯୁଝେଷ୍ଠି ଦେବ ମସ୍ତକେ ଦିଲେ ହାଥ ।୩୫।

ତୁ ଛାର ପାମରରେ ତୋହୋର ୟେଡେକ ଭରସା

କଲ୍ୟାଣ କରିବାକୁ କେମନ୍ତେ ବଳିଲା ମନୀଷା ।୩୬।

ଯାଗ୍ୟଂଶାଳେ ଥାଇ ତାହା ଦେଖିଲେ ବେଦବ୍ୟାସ

ବିଚାରନ୍ତି ଧୃଷ୍ଟଦ୍ୟୁମନ ନିଶ୍ଚେ ହୋଇବ ପ୍ରାଣେ ନାଶ ।୩୭।

ୟେହିକ୍ଷଣି ଜଗନ୍ନାଥେ ଚକ୍ରେଣ ମାରିବ

ୟେଡ଼େ ବଡ଼ ସଭାରେ ଧର୍ମ ବିଅର୍ଥ ହୋଇବ ।୩୮।

ଯାଗଶାଳୁ ମହାତ୍ମା ଅଇଲେ ତତକ୍ଷଣାନ୍ତି

ଆସ୍ତାନ ଉପରେ ଯାଇଂ ବିଜେକଲେ ଝାତି ।୩୯।

ବ୍ୟାସଂକୁ ଦେଖି ଆସନ ତେଜ୍ୟାକଲେ ଯୁଝେଷ୍ଠି

ବ୍ୟାସଂକ ଚରଣେ ନେଇ ଦିଲେ ପାଦାଅର୍ଘ୍ୟ ଗୋଟି ।୪୦।

ବ୍ୟାସକଂ ମୁଖ ଚାହିଂ ବୋଇଲେ ଦାମୋଦର

ଦ୍ରୋପଦ ପୁତ୍ର ଧୃଷ୍ଟଦ୍ୟୁମନକୁ ଠାକୁରେ କେହ୍ନେ କଲେ ନମସ୍କାର ।୪୧।

ଦ୍ରୋପଦୀ ପ୍ରଣପତ୍ୟ ବ୍ୟାସଂକ ପାଦତଳେ

ଭୋ ଗୁରୁଦେବ ଭ୍ରାଥ ମୋର ନାଶ ଯାଉଛି ୟେ ମହାସଭାରେ ।୪୨।

ସ୍ୱାମୀ ତ୍ରଇଲୋକ୍ୟେ ଅସଂଖ୍ୟ ଯେବଣ ଦେବର କଇଚ୍ଛା

ନାରାୟଣ କୋପରୁ ମୋ ଭ୍ରାଥକୁ କର ରକ୍ଷା ।୪୩।

ବ୍ୟାସେ ବୋଇଲେ ହୋ ଶୁଣିମ ଭଗବାନ

ସାମାନ୍ୟେ ପ୍ରାୟେ ମଣିଲକି ୟେ ଧୃଷ୍ଟଦ୍ୟୁମନ ।୪୪।

ୟେକବଳା ପାର୍ବତୀ ଯେ ଆଦିଦେବ ମାତା

ତାହାଂକର ବଲ୍ଲଭ ହୋ ଅଟନ୍ତି ରୁଦ୍ର ଯେ ଦେବତା ।୪୫।

ୟେକବର୍ଣ୍ଣ ପାଟୋଳି ବସ୍ର ପଞ୍ଚାଉନ କୋଟି ଶାଢ଼ୀ

କଳପେକ ବସିଲା ସେ ସକଳ ମୋହ ଛାଡ଼ି ।୪୬।

ପତ୍ନୀର ଅଭାବେ ସେ ଦେବ ୟେ ଧୂର୍ଜଟୀ

ରୁଦ୍ରହିଂ ନିରାଶେଣ ସନ୍ନିଧ୍ୟେ ତାହାର ଖଟି ।୪୭।

ତୁଳ ଶୁକଳ ପକ୍ଷ ଚନ୍ଦ୍ରବାର ଦଶମୀ

ଉତ୍ତର ଭୋଦୋ ନକ୍ଷତ୍ର ଯୋଗ ଯେ ସୁକର୍ମୀ ।୪୮।

ଉତ୍ପତି ନାମେ ସମ୍ବଚ୍ଛର ପରିଘ ନାମେ କାଳ

କପିଳାସେ ବିଜେ କଲେ ତେଜିଣ ପାତାଳ ।୪୯।

ନିରଞ୍ଜନ ପୁରୁଷ ଯେ ପଞ୍ଚଷଣ୍ଢ ହୋଇ

କପିଳା ପଛକତି ଅଛନ୍ତି ଗୋଡ଼ାଇ ।୫୦।

ସୋମେକ ରୁଦ୍ର ବୋଇଲେ ଶୁଣସି ୟେକ ବଳା

ଦେଖିଲୁ ଟିକି ଅସତୀ ତୋହର ମାତା ଯେ କପିଳା ।୫୧।

ୟେକ ଗାଈକି ଗୋଡ଼ାଇ ଅଛନ୍ତି ପଞ୍ଚଷଣ୍ଢ

ୟେକଇ ଶୃଙ୍ଗାର ଦେବ ସବୁଂକୁହିଂ କିମ୍ପା ଭଣ୍ଡ ।୫୨।

ୟେକବଳା ବୋଇଲେ ୟେ ଅଟଇ ଯୁଗତେ

ସଂସାରେ ଅସତୀ କିମ୍ପା ନ ବୋଲିବେ ମୋତେ ।୫୩।

ୟେକକଇଂ ଆବୋରିଣ ଚାରିନ୍ତ କରିଣ ନିରାଶ

ପାଞ୍ଚଗୋଟି ଷଣ୍ଢକଇଂ ନଦିଅତୁ ଆଶ ।୫୪।

ବଇଭାଗ ବଚନେ କୋପକଲା ଯେ କପିଳା

ଆଲୋ ୟେଡ଼େକ କଥା ତୁ କିଂପା ବୋଇଲୁ ୟେକ ବଳା ।୫୫।

ନିରଞ୍ଜନ ପୁରୁଷେ ଅଟନ୍ତି ମୋହର ଜ୍ୟେଷ୍ଠଭାଇ

ପଞ୍ଚୁ ଆତ୍ମା ପଞ୍ଚୁଷଣ୍ଢ ହୋଇ ମୋତେ ଅଛନ୍ତି ଗୋଡ଼ାଇ ।୫୬।

ତୁ ୟେହା ବୁଝିତ ନୁଆଇଲୁ ୟେକ ବଳା ପାର୍ବତୀ

ବିଚାର ନକରି ବୋଇଲୁ ମାତା ମୋର ଅଟଇ ଅସତୀ ।୫୭।

ଅଗ୍ୟାନେ ବୋଇଲୁ ଲୋ ମୋତେ ଦୂଷିତ କଥା

ତୋହୋର ୟେକ ବଳା ଲୋ ହେଉ ପଞ୍ଜୁଭ୍ରାଥା ।୫୮।

ମହତ ଲୋକକୁ ଯେ ବୋଇଲୁ ଅସତୀ

ଚତୁର୍ଥ ଅବତାରେ ତୋହର ହେଉ ପଞ୍ଚୁପତି ।୫୯।

କପିଳା ବୋଇଲେ ଈଶ୍ଵର ତୁମ୍ଭେ ଭୁତ ଭବିଷ୍ୟ ଗ୍ୟାଂତା

ଦୃଷ୍ଟିରେ ଦେଖି କହିଲୁ ୟେ ଦୁର୍ବୁଦ୍ଧି ବାରତା ।୬୦।

ପାଞ୍ଚାଳୀ ରୂପେ ହୋଅ ତୁ ଦ୍ରୋପଦ ଦୋହିତ

ଧୃଷ୍ଟଦ୍ୟୁମନ ହୋଉ ତୋହର ଜ୍ୟେଷ୍ଠଭ୍ରାଥ ।୬୧।

ଭାଇଂକି ବଲ୍ଲଭ ଯେ ବୋଇଲୁ ଅନରୂପେ

ଈଶ୍ଵର ତୋହର ଭ୍ରାଥା ହୋଉ ମୋହୋର ଶାପେ ।୬୨।

ବଦନ୍ତି ପାରେଶ୍ଵର ଶୁଣ ଦେବ ହରି

ସେ ୟେକ ବଳା ପାର୍ବତୀ ସଂଜାତ ରୂପ ଧରି ।୬୩।

ସୋମେକ ରୁଦ୍ର ଯେ ଇଚ୍ଛିଲେ ଇନ୍ଦ୍ରପଦ

ଅମରାଧି ନାଥ ଯେ ହୋଇଲେ ଦେବଇନ୍ଦ୍ର ।୬୪।

ଭୂତ ଋଷିଂକି ଯେ ମାଇଲେ ଆକାଶ ବିବାଦେ

ଶରୀର ନାଶଗଲା ତ୍ଵଷ୍ଟା ଋଷିର ପ୍ରସାଦେ ।୬୫।

ପଞ୍ଚଠାବ କରିଣ ଯେ ଥୋଇଲେ ପଞ୍ଚୁଆତ୍ମା

କଉତୁକେ ଧ୍ଵଂସିତ ହୋଇଲେ ସେ ମହାତମା ।୬୬।

ଶରୀର ଦହନ ହୋଇଲା ସେହି ଭସ୍ମଅଗ୍ନି

ଯୁଗାନ୍ତରେ ଯାଗ କଲେ ପଞ୍ଚାଳେଶ୍ଵର ନୃପମଣି ।୬୭।

ମହାମନ୍ତ୍ରେଣ ଦିଲେ ଯହୁଂ ପୂର୍ଣ୍ଣ ଆହୁତି

ଧୃଷ୍ଟଦ୍ୟୁମନେ ପ୍ରଥମେ ହୋଇଲେ ଉତପତ୍ତି ।୬୮।

ଦୁଜ ଯାଗେ ପୁଣ ଉପୁଜିଲେ ପାଞ୍ଚାଳୀ

କହନ୍ତି ବେଦବ୍ୟାସେ ଶୁଣ ହୋ ବନମାଳୀ ।୬୯।

ଧୃଷ୍ଟଦ୍ୟୁମନେ ଜାତ ସେ ରୁଦ୍ର ଅବତାର ସ୍ୱଂୟେ

ଇନ୍ଦ୍ରକଳା ଘେନିଣ ଯୁଝେଷ୍ଠି ଦେବରାୟେ ।୭୦।

ମହା ଅଦାରାୟେ ଉପୁଜିଲେ ଅନଳ ବିଦାରି

ଧୃଷ୍ଟଦ୍ୟୁମନେ ଯୁଝେଷ୍ଠି ହୁଂ ବଡ଼ ଅଟନ୍ତି ଯୁଗ ଚାରି ।୭୧।

ଯୁଗତେ ଈଶ୍ଵର ଅବତାର ଧୃଷ୍ଟଦ୍ୟୁମନ

ତେଣୁକରି ନମସ୍କାର କଲେ ଯୁଝେଷ୍ଠି ଦେବ ସାନ ।୭୨।

ମହା କଳ୍ପ ବଞ୍ଚାନ୍ତା ଯେବଣ ବ୍ୟାସଂକର ବୁଦ୍ଧି

ସରୂପ ଦେଖାଇ ଶ୍ରୀଜଗନ୍ନାଥ ଙ୍କୁ ପ୍ରବୋଧି ।୭୩।

ବ୍ୟାସଂକର ବଚନେ ଛାଡ଼ିଲେ ହରି କୋପ

ଧୃଷ୍ଟଦ୍ୟୁମନ କଇଂ ପ୍ରୀତି କଲେ ଅନରୂପ ।୭୪।

ଗୋବିନ୍ଦେ ବୋଇଲେ ବ୍ୟାସେ କହିଲେ ଅଦ୍ୟାପି

ଆବର ନମସ୍କାର ନୋହିବ ସଞ୍ଚପି ।୭୫।

ସ୍ଵାମୀ ତୋହୋର ଅଭିମାନ ଦେବ ନ ପାରଇ ସହି

ଦ୍ରୋପତୀ ବୋଇଲେ ମୋର ୟେଣେ କାର୍ଯ୍ୟ ନାହିଂ ।୭୬।

ଶୁଣ ହୋ ଚଇତନ ବଦନ୍ତି ମୁନି ମହାଗ୍ୟାଂତା

ଇତି ଶ୍ରୀ ମହାଭାରଥ ସଭାପର୍ବ କଥା ।୭୭।

ୟେକ ମହାତମା ବ୍ୟାସଂକର ପ୍ରସନ୍ନେ

ବେଳକ ରକ୍ଷା ହୋଇଲେ ଧୃଷ୍ଟଦ୍ୟୁମନେ ।୭୮।

ବ୍ୟାସେ ବାସୁଦେବଂକୁ କହିଲେ ୟେକାନ୍ତେ

ଦ୍ରୋଣେ ଶିରଚ୍ଛେଦ ହୋଇବେଟି ଦୃଷ୍ଟଦ୍ୟମନଂକ ହାଥେ ।୭୯।

ଭୀଷ୍ମ ମହାରଥୀଂକୁ ନାଶ କରିବେ ଶ୍ରୀଖଣ୍ଡି

ୟେ ଦୁହିଂକର ପ୍ରସନ୍ନେ ସେ ଭାରଥ ଯୁଦ୍ଧ ମଣ୍ଡି ।୮୦।

ବ୍ୟାସଂକର ବଚନେ ହରି ହୋଇଲେ ପରମ ଶାନ୍ତି

ରକ୍ଷାଗଲେ ଧୃଷ୍ଟଦ୍ୟୁମନେ ଫିଟିଲା ମନ ଭ୍ରାନ୍ତି ।୮୧।

ସତ୍ୟ ଧର୍ମ ପ୍ରାପତ ଅମୃତ ରସ ବାରତା

ସାବଧାନେ ଶୁଣ ହୋ ସଭାପର୍ବ କଥା ।୮୨।୧୧୨୪୦।

 

Unknown

ୟେକଶତ ରଥ ସୁବର୍ଣ୍ଣ ମାଗିବା ନିମନ୍ତେ
ଯୁଧିଷ୍ଠିରଙ୍କ ନିକଟକୁ ଶିଶୁପାଳର ଗମନ

ଆହୋ ଯୁଝେଷ୍ଠି ଦେବଂକର ଅନକ ସମ୍ପଦ ଦେଖି

ଭାଳନ୍ତି ଦୁଷ୍ଟମାନେ ଧର୍ମ ଯେ ଉପେକ୍ଷି ।୧।

କର୍ଣ୍ଣ ଶଂକୁନି ଯେ ଧୁଶାସନ ମୂଳେ

ଶାଲ୍ଵ ପୁଣ୍ଡରୀକ ଆବର ଶିଶୁପାଳେ ।୨।

ବିଚାରି ଶତ୍ରୁକୁ ନାଶେ ନୁଆରିଲୁ କର୍ମେ

କେମନ୍ତେ ନାଶ କରିବା ଯୁଝେଷ୍ଠି ଦେବଂକର ଧର୍ମେ ।୩।

ଶକୁନି ଦ୍ରିଯୋଧନକୁ ପଚାରଇ ଗୁପତ ଭାବ

ବାଉନ ଭାର ଭଣ୍ଡାର ସେ ଦ୍ରିଯୋଧନ ଅଛିଟିକି ପାଣିଦ୍ରବ୍ୟ ।୪।

ଦ୍ରିଯୋଧନ ବୋଇଲା ହୋ ଭାରେକଇଂ ନାହିଂ

ୟେଣେ ସେ କଷଣ ହୋ କରିବା ଆମ୍ଭେ ରହି ।୫।

ଶକୁନି ତିଆରିଣ ବୋଇଲା ଶିଶୁପାଳକୁ

ଶତେରଥ ପାଣିଦ୍ରବ୍ୟ ମାଗ ଯୁଝେଷ୍ଠି ଦେବ ଠାକୁରଂକୁ ।୬।

ଦେଇ ନୁଆରିବ ଧନ ନାହିଂତ ଭଣ୍ଡାରେ

ଦୂଷିତ କରି ନାଶ କରିବାନା ବେଭାରେ ।୭।

ଦମଘୋଷ ନନ୍ଦନ ୟେସନକ ବାକ୍ୟ ଶୁଣି

ଅନେକ ହରଷ ଯେ ହୋଇଲା ବୀରମଣି ।୮।

ସହସ୍ରେ ବ୍ରାହ୍ମଣ ଘେନିଣ ଖଗୋରା

ମହାଯାଗ ଉତ୍ତର ଦ୍ଵାରେ ପ୍ରବେଶ ମହାବୀରା ।୯।

ଆରେ କାଳିଞ୍ଜନ ବାରତା କର ଯାଇଂ ଅନନ୍ତ ପଢିହାରୀ

ଯୁଝେଷ୍ଠିଂକ ବାରତା ଘେନ କରେ ତୋହୋରି ।୧୦।

ବୋଲ ଚେଦି ଦେଶର ରାଜା ଦମଘୋଷର ପୁତ୍ର

ଦରିଦ୍ରବାସୀ ହୋଇଲି ମୁହିଂ କପାଳ ଘଟିତ ।୧୧।

ୟେ ଯୁଝେଷ୍ଠିର ମହାଯୋଗ ଦାରିଦ୍ର ମୋର ଯିବ

ପାଣିଦ୍ରବ୍ୟ ଶତେ ରଥ ମୋତେ ୟେହିକ୍ଷଣି ଦେବ ।୧୨।

ନୋହିଲେ ଯଗ୍ୟଂ ତୋର କରିବି ଦୂଷଣ

କଲା କୃତହିଂ ନାଶ ହୋଇବ ତାହାର ଧର୍ମମାନ ।୧୩।

ଶିଶୁପାଳ ବଚନେ ସେ କାଳିଞ୍ଜନ ପଢିଆରୀ

ଭୀମସେନ ଆଗେ ବାରତା ଯାଇଂ କରି ।୧୪।

ଭୋ ଦେବ ଶିଶୁପାଳ ରାଜା ହୋଇଲା ଦରିଦ୍ରବାସୀ

ଧନହୀନ କୁଟୁମ୍ବ ତାହାର ନୁଆରଇ ପୋଷି ।୧୫।

ଶତେରଥ ଦେବ ସେ ଯେ ମାଗଇ ପାଣିଦ୍ରବ୍ୟ

ନ ଦିଲେ ଦେବ ଆହୁତି ସେ ଦୂଷଣ କରିବ ।୧୬।

ଭୀମସେନ ଆଗ୍ୟାଂଦିଲେ କାଳିଞ୍ଜନ ପଢହାରୀଂକୁ

ଆରେ ୟେ କଥା କହ ଯାଇଂଭଣ୍ଡର ନାୟେକ ଦ୍ରିଯୋଧନକୁ ।୧୭।

ବୋଲି ଦରଦ୍ର ଶିଶୁପାଳ ମାଗୁଅଛି ଦାନ

ପାଣିଦ୍ରବ୍ୟ ଦେଉ ତାକୁ ଶତେରଥ ଧନ ।୧୮।

ଆଗ୍ୟାଂ ପ୍ରମାଣେ ବହନ ଚଳଇ ଦୂତକାରୀ

ଭଣ୍ଡାର ନାୟେକକୁ ବାରତା ଯାଇଂ କରି ।୧୯।

ଆହୋ ଭଣ୍ଡାର ଅଧିକାରୀ ଭୀମସେନ ଠାକୁରଂକ ଦୃଢବାଣୀ

ଶିଶୁପାଳକଇଂ ଶତେରଥ ପାଣିଦ୍ରବ୍ୟ ଦେବୁ ୟେହିକ୍ଷଣି ।୨୦।

ମାନଗୋବିନ୍ଦ ବୋଇଲା ଶୁଣ ହୋ ଶିଶୁପାଳ

ବାଆନ ଭଣ୍ଡାରେ ଧନ ନାହିଂ ଦେଖାଇଲା ଗାନ୍ଧାରିର ବାଳ ।୨୧।

ଶିଶୁପାଳ ବୋଇଲା ୟେଥେତ ପାଣିଦ୍ରବ୍ୟ ନାହିଂ

ଆନ ଧନମାନ କି ହେବ ଅର୍ପୂବ ମୁକୁଇଂ ।୨୨।

କହ ହୋ କାଳିଞ୍ଜନ ୟେହାର କହଣା

ତୁ ଯାହା ଦେଖିଲୁ ତାହା ଭୀମସେନକଇଂ ଜଣା ।୨୩।

ତତକ୍ଷଣେ କାଳିଞ୍ଜନ ଚଳଇ ଯେ ଭୀମସେନ ଛାମୁକୁ

ସ୍ଵାମୀ ଦ୍ରିଯୋଧନ ସକଳ ଭଣ୍ଡାର ଦେଖାଇଲା ଶିଶୁପାଳକୁ ।୨୪।

ଶିଶୁପାଳ ବୋଇଲା ଭଣ୍ଡାରେ ପାଣିଦ୍ରବ୍ୟ ନାହିଂ

ସମସ୍ତ ନାସ୍ତିକଲା ସେ ଧନମାନନ୍ତ ଚାହିଂ ।୨୫।

ବାରତା ପାଇଣ ସେ ଯେ ପବନ ଆତ୍ମଜେ

ଶିଶୁପାଳକୁ ଘେନିଣ ଆପଣେ କଲା ବିଜେ ।୨୬।

ଦ୍ରିଯୋଧନ ସନ୍ନିଧ୍ୟେ ଯାଇଂ ବିଜେ ବ୍ରିକୋଧର

ଶତେରଥ ପାଣିଦ୍ରବ୍ୟ ଶିଶୁପାଳକୁ ଦେଉକିନା ଭଣ୍ଡାର ।୨୭।

ଦ୍ରିଯୋଧନ ଦେଖାଇଲା ଭଣ୍ଡାରମାନ ସର୍ବ

ଦେଖିଲେ ରଥେ କହିଂ ତହିଂ ନାହିଂ ପାଣିଦ୍ରବ୍ୟ ।୨୮।

ବାହୁଡ଼ି ଭୀମସେନ କହଇ ବାସୁଦେବଂକୁ

ସ୍ଵାମୀ ଶିଶୁପାଳ କଷଣ କରି ଲୋଡ଼ଇ ଆମ୍ବଂକୁ ।୨୯।

ପାଣିଦ୍ରବ୍ୟ ଶତେରଥ ମାଗଇ ଦେବହରି

ମୁଇଂ ଯାଇଂ ଦେଖିଲି ଭଣ୍ଡାରେତ ନାହିଂ ଭାରେକ ଆଦିକରି ।୩୦।

ଭୀମସେନର ମୁଖୁଂ ୟେସନକ ବାକ୍ୟ ଶୁଣି

ହନୁମନ୍ତକଇଂ ହକାରି ଆଗ୍ୟାଂ ଦିଲେ ଚକ୍ରପାଣି ।୩୧।

ବୋଇଲେ ୟେହିକ୍ଷଣି ବହନ ଚଳିଯିବୁ

କେହି ନ ଯାଣିବେ ଯେ ପାଷାଣ କଢାଇବୁ ।୩୨।

ବାଉନ ଭଣ୍ଡାରକୁ ତୁ ଭରିବୁ ଯତ୍ନ କରି

ଯେମନ୍ତେ ଆନ ଲୋକେ ନୁଆରନ୍ତି କଳି ।୩୩।

ନାରାୟଣଂକ ଆଗ୍ୟାଂୟେ ହନୁମନ୍ତ ଗଲା

ଗୁପତେ ପର୍ବତ ଆଣି ଭଣ୍ଡାରେ ପୂରୋଇଲା ।୩୪।

ମୁଥ ପ୍ରହାରିଣ ସବୁନ୍ତି ଚୂରକରି

ନାରାୟଣଂକ ଅଗ୍ରତେ ଜଣାଇଲା ବାହୁଡ଼ି ।୩୫।

ଭୋ ଦେବ ପାଷାଣ ଆଣି ପୂରୋଇଲି ଭଣ୍ଡାରେ

କେହି ତାହା ଜାଣନ୍ତା ନାହିଂ ନୋହିଲା ସଭାରେ ।୩୬।

ହନୁମନ୍ତର ମୁଖୁଂ ୟେସନେକ ବାକ୍ୟ ଶୁଣି

ଆପଣେ ବିଜେକଲେ ଦେବ ଚକ୍ରପାଣି ।୩୭।

କଟି ମେଖଳେଣ ଗନ୍ତା କାଖେଣ ବେତଯୋଡ଼ି

ଶିଶୁପାଳ ସନ୍ନିଧ୍ୟେ ବିଜେ ଅନନ୍ତ ପଢିହାରୀ ।୩୮।

କି ବୋଲୁ ଶିଶୁପାଳ ତୁ କାହିଂକି ମାଗୁ ଧନ

ଆମ୍ଭର ସୋଦର ହୋଇ ୟେଠାକୁ ହୋଇଲୁ ଭାର୍ଜନ ।୩୯।

ଶିଶୁପାଳ ବୋଇଲା ମୋହୋର ପାଣିଦ୍ରବ୍ୟେ କାର୍ଯ୍ୟ

ଯୁଝେଷ୍ଠିଂକି ଧନ ମାଗିଲେତ ନାହିଂ ମୋର ଲାଜ ।୪୦।

ଶିଶୁପାଳ ହାତ ଧରି ଦେବ ଦାମୋଦରେ

ବିଜୟେ ଜଗମୋହନ ଅକ୍ଷୟଭଣ୍ଡାର ଦ୍ଵାରେ ।୪୧।

ଆହୋ ଦ୍ରିଯୋଧନ ଶିଶୁପାଳ ଯେ ଦରିଦ୍ରବାସୀ

ପାଣିଦ୍ରବ୍ୟ ଯେବେ ମାଗଇ ୟେହାକୁ ଶତେଭାର ଦୋସି ।୪୨।

ବିନୟ ଭାବ ହୋଇ ବୋଲଇ କଉରୋବ

ଭଣ୍ଡାରେ ପାଣିଦ୍ରବ୍ୟ ନାହିଂ ହୋ ବାସୁଦେବ ।୪୩।

ଗୋବିନ୍ଦେ ବୋଇଲେ ହୋ ଦେଖ ଭଣ୍ଡାରେଣ

ଆମ୍ଭର ଛାମୁକୁ ଦେଖି ଆଞ୍ଜୋଳାୟେ ଆଣ ।୪୪।

ନାରାୟଣଂକ ବଚନେ ସେ ମାନଚକ୍ରବ୍ରତୀ

ଭଣ୍ଡାରେ ପଶି ଆଞ୍ଜୋଳାୟେ ଆଣିଲା ତଡ଼ତି ।୪୫।

ଛାମୁରେ ନେଇ ଦିଲା ଦେଖିଲେ ବାସୁଦେବ

ଦେଖ ହୋ ଶିଶୁପାଳ ୟେ ଅପୂର୍ବ ପାଣିଦ୍ରବ୍ୟ ।୪୬।

ଗୋବିନ୍ଦଂକ ବଚନେ ଦ୍ରିଯୋଧନ କରେ ପୂରୋଇଂ ଦେଇ

ପଥରେ କର ଲାଗନ୍ତେ ସେ ପାଣିଦ୍ରବ୍ୟ ହୋଇ ।୪୭।

ୟେକା ଭଣ୍ଡାରୁ ପୂରୋଇ ଶତେ ରଥ ଦିଲା

ଅତୁଟ ଭଣ୍ଡାର ତହୁଂ କୋଣେହେଂ ନ ସରିଲା ।୪୮।

ଦେଖ ହୋ ମନୁ ପୁରୁଷ ଶ୍ରୀହରିଂକ ମହିମାଂ

ଅଦୃଷ୍ଟକି ଦୃଷ୍ଟି କଲା ପୁରୁଷଂକ ଉତ୍ତମା ।୪୯।

ଶିଶୁପାଳକୁ ଗଉରୋବେ ବଦୟନ୍ତି ଦେବରାଜା

ଦରଦ୍ର ଫିଟିଲା ତୋହର ତ୍ରିପୁତି ହୋଇ ଯା ଯା ।୫୦।

ଚଇତନ ବୋଇଲା ଶୁଣ ତୁହୋ ମନ

ଦ୍ରିଯୋଧନର ଚରିତ ୟେ ବଡ଼ାଇ ବିଧାନ ।୫୧।

ମନ ବୋଇଲା ତୁ ହୋ ଚଇତନ ଶୁଣ

ଯେ ସେ ଦ୍ରିଯୋଧନ ସେ ପନ୍ନଗା ନାରାୟଣ ।୫୨।

ଶଙ୍ଖ ପଦ୍ମନିଧି ଅଛଇ ଯାର କରେ

ପାଣିଦ୍ରବ୍ୟ ହୋଅଇ କର ଲାଗିଲେ ମାଂକରଡ଼ା ପଥରେ ।୫୩।

ଚାଲନ୍ତେଣ ସୁବର୍ଣ୍ଣର ଅବେଣ୍ଟ ପଦ୍ମ ଫୁଟଇ

ପ୍ରତକ୍ଷେ ମାନଗୋବିନ୍ଦ ସେ କୃଷ୍ଣରୂପ ଅଟଇ ।୫୪।

କାହାକଇଂ ନମସ୍କାର ସେ ନ କରଇ ବିଧି

ବଇଲେ ନ ସରଇ ଧନ ଅବୟେ ବାରାନିଧି ।୫୫।

ଯେବଣ ଦ୍ରବ୍ୟେ ତାହାର ହାଥ ଲାଗିଲା

କାଷ୍ଠପାଷାଣ ସବୁ ପାଣିଦ୍ରବ୍ୟ ହୋଇଲା ।୫୬।୧୧୨୯୬।

 

ଜୟସିଂହ ଦୈତ୍ୟ ବଧ

ଚଇତନ ତୋଷ ହୋଇଲା ମନ ବଚନ ଶୁଣି

କହସି କଳ୍ପଧର୍ମ ଅମୃତ ରସ ବାଣୀ ।୧।

ଆବର ଶୁଣସି ହୋ ଅସମ୍ଭବ କଥା

ସାବଧାନେ ଶୁଣିମା ମହାଯଗ୍ୟଂର ବାରତା ।୨।

ଶୁଣ ହୋ ଚଇତନ ମହାଯାଗର କାଳେ

ରାଜାମାନଂକର ସମ୍ଭବ ଆସ୍ତାନର ବେଳେ ।୩।

ଗୋସିଂଘ ଦତ୍ୟକୁ ଯେ ମାଇଲା ଅର୍ଜୁନ

ଜୟସିଂଘ ବୋଲି କରି ତାହାରି ନନ୍ଦନ ।୪।

ଜେନାବଳୀ ନଗ୍ରେ ସେ ଅଟଇ ଆଧିପତି

ମୟେଂଷାସୁର ଦାନବର ସେ ଅଟଇ ପଣନାତି ।୫।

ଜୟେସଂଘର ମନ୍ତ୍ରୀ ଯେ କୃତାନ୍ତକ ନାମ

ସେ ବାରତା ପାଇଲା ରାଜୁସି ଯଗ୍ୟଂର ଧର୍ମ ।୬।

ଜୟସିଂଘ ଅଗ୍ରତେ କୃତାନ୍ତକ ମନ୍ତ୍ରୀ ତା କହିଲା

ୟେଡ଼େବଡ଼ ରାଜାହୋଇ ତୋତେ ଯାଗରେ ବରଣ ନ କଲା ।୭।

ରାଜା ହୋଇଣ ଯେବେ ହୋଅଇ ଅବରଣ

ତାହାର ରାଜ୍ୟେ ଥିବାର କିସ ପ୍ରୟୋଜନ ।୮।

ରାଜୁସି ଯାଗ ଯେ ଯୁଝେଷ୍ଠି ଦେବ କଲା

ଅଷ୍ଟାଦଶ ବଂଶ ରାଜା ସବୁନ୍ତି ବରିଲା ।୯।

କେବଣହିଂ ଦୋଷେ ସେ ବାଛିଲାକ ତୋତେ

ରାଜୁସି ଯାଗ କୁ ରାଜା ନ ବରିଲା ଯୁଗତେ ।୧୦।

ପ୍ରତାପ ବଂଶେଣ ତୁ ଅଟୁ ଅଧିକାରୀ

ୟେଡ଼େ ବଡ଼ ରାଜାକୁ କିଂପେ ଅବରଣ କରି ।୧୧।

ମନ୍ତ୍ରୀବର ବଚନ ଶୁଣିଣ ଜୟସିଂଘ

ବାତେ କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗ ।୧୨।

ମନ୍ତ୍ରୀକି ଆଗ୍ୟାଂ ଦିଲା ସେ ପ୍ରତାପୀ ଦନୁଜ

ବୋଇଲା ଜୟସଂଘ ଦଣ୍ଡ ମୋହୋରରେ ସାଜ ।୧୩।

ସମଦଣ୍ଡ ସାଜ ଯିବଇଂ ରାଜୁସି ଯାଗ ସଭାକୁ

ଭାଞ୍ଜିବଇଂ ମହାସଭା କେ ଅବା ପାରୁ ରଖୁ ।୧୪।

ରାଜାର ବଚନେ ମନ୍ତ୍ରୀ ସମଦଣ୍ଡ ସାଜିଲା

ରଥ ଗଜ ଅଶ୍ଵ ପାଦାନ୍ତି ସମସ୍ତ ସଜକଲା ।୧୫।

ତିନିପଦ୍ମ ରଥ ଯେ ବତିଶ ପଦ୍ମ ହାଥୀ

ଷାଠିୟେ ସାଗର ଅସ୍ଵ ଚଉରାଶି କ୍ଷଉଣୀ ପାଦାନ୍ତି ।୧୬।

ପଞ୍ଚାଶ ଲକ୍ଷ ବୀରତୂର ଟମକ ନିଶାଣ

ଚାଲନ୍ତେଣ ଥାଠ ଯେ ମାରନ୍ତି ବଜ୍ରବାଣ ।୧୭।

ଅନ୍ଧାର କାଳେ ଯେହ୍ନେ ଦିଶଇ ଆଲୋମୟେ

ବୃନ୍ଦାଅର୍କେ ଦେଖିଣ ଆକାଶେ କଲେ ମହାଭୟେ ।୧୮।

ନାରଦ ମୁନି ଯାଇଂ କହିଲେ ବାସବ ଦେବତାଂକୁ

ଜୟସିଂଘ ଦଣ୍ଡକଲା କେଉଂଣ ଭୁବନକୁ ।୧୯।

ନ ପୁଣ ଧାଡ଼ି ଦିଅଇ ତୋହୋର ଅମର ସ୍ଵର୍ଗେ

ନିଶାଚର ବଳତ ଧାମନ୍ତି ଅତି ବେଗେ ।୨୦।

ନାରଦଂକ ବଚନେ ସେ ବାସବ ଦେବତା

ଅମର ସ୍ଵର୍ଗ ତେଜି ପଳାଇଲା ସର୍ବଥା ।୨୧।

ହର ଉଦ୍ୟାନ ବନେ ବାସବ ଯାଇଂ ଲୁଚି

ଜୟସିଂଘ ଦଣ୍ଡ ଦେଖି ଦେବତାୟେ ସ୍ଵର୍ଗରୁ ଗଲେ ଘୁଞ୍ଚି ।୨୨।

ଚମ୍ପାଇଲେ ସମଦଣ୍ଡ ରଥୀ ମହାରଥୀ

ନିଦ୍ରାଘ ବଳ ହୋଇଲେ ହସ୍ତିନା ମୂରତି ।୨୩।

ନାରଦ ମହଋଷି ତେଜିଲେ ଆକାଶ

ରାଜୁସି ଯାଗ ସଭାୟେ ହୋଇଲେ ପ୍ରବେଶ ।୨୪।

ହାଥେ ମହାତ୍ମାଂକର ସପତସ୍ଵର ବେଣୀ

ଦେଖିଣ ପୂଜାକଲେ ଦେବ ଚକ୍ରପାଣି ।୨୫।

ଆସ୍ତାନ ତେଜିଣ ଧର୍ମରାଜା ଉଠିଲେ ଧତିକାରେ

ଶତସହସ୍ର ଦଣ୍ଡ ପ୍ରଳମ୍ବ ନାରଦଂକ ପୟରେ ।୨୬।

ଆସ୍ତାନ ତେଜ୍ୟାକଲେ ଦେବ ଧର୍ମରାଜା

ବ୍ରହ୍ମଋଷିଂକର ପାଦପଦ୍ମେ କଲେ ଦିବ୍ୟପୂଜା ।୨୭।

ନାରଦେ ବୋଇଲେ ଆହୋ ଶୁଣ ଧର୍ମସୁତ

ତୋହର ସଭାକୁ ବାହିଲା ଜୟସଂଘ ସୁତ ।୨୮।

ଭାଞ୍ଜିବ ମହାସଭା କରିବ ଭଗନସ୍ତ

ଅସଞ୍ଚେପ ବଳ ତାର ଅସଂଖ୍ୟ ଗଜ ରଥ ।୨୯।

ତୁ ଯହୁଂ ବରିଲୁ ଲକ୍ଷେ ରାଜାଗଣ

ଜୟସଂଘ ରାଜାକୁ ତୁ ନ କଲୁ ବରଣ ।୩୦।

ମନ୍ତ୍ରୀ କହିଲା ତାର ୟେସନେକ ସମ୍ପାଦ

ତେଣୁକରି ଦଣ୍ଡ ସାଜି ଆସଇ ପଲାଦ ।୩୧।

ଦେବତାମାନେ ଯେ ରହିଥିଲେ ଅଧାସ୍ଵର୍ଗେ

ଆନନ୍ଦେ ଦେଖୁଥିଲେ ତୋହୋର ମହାଯୋଗେ ।୩୨।

ଜୟେସିଂଘ ରାଜାର ସେ ମହାଥାଠ ଦେଖି

ତ୍ରାସେଣ ପଳାଇଲେ ଦେବ ଆକାଶ ଉପେକ୍ଷି ।୩୩।

ନାରଦେ କହିଲେ ଯହୁଂ ନିରାଧାର ବାଣୀ

ସଭାରେ ଚମକ ପଡ଼ିଲା ଜୟସିଂଘର ଆଗତ ଶୁଣି ।୩୪।

ବ୍ୟାସଦେବ କହିଲେ ଶୁଣ ହୋ ବାସୁଦେବ

ଜୟସିଂଘ ବାହିଲା କେମନ୍ତେ କରିବା ଦେବ ।୩୫।

ରାଜାଗଣମାନନ୍ତ ସେ ପକାଇବ ମାରି

ଋଷି ବିପ୍ରଂକର ମାୟେଂସ ଖାଇବ ପୋଡ଼ିକରି ।୩୬।

ଘନ ଘନ ବାରତା କହନ୍ତି ଗଗନ ଚାରଲୋକେ

ମହାସଭା ଯାକ ଯେ ପଡ଼ିଲା ଚମକେ ।୩୭।

ଅନେକ ବଇକୁଲ୍ୟ ହେଲେ ରାୟେ ହୃଦୟେ

ସମସ୍ୟା ଦେଇ ନୁଆରନ୍ତି ଭୀମସେନର ଭୟେ ।୩୮।

ସମସ୍ତଂକର ବିକଳ ଯେ ଜାଣିଲେ ଦେବ ହରି

ସନ୍ନିଧ୍ୟେ ନାରାୟଣ ଅର୍ଜୁନକଇଂ ହକାରି ।୩୯।

ଜୟସିଂଘ ବାହିଲା ପାଥ ତୁ କେମନ୍ତ ବିଚାରୁ

ୟେ ମହାସଭାକୁ ତ ଲାଗିଲା ମହାଗୁରୁ ।୪୦।

ଅର୍ଜୁନ ବୋଇଲା ଦେବ ତହିଂକି ନ କର ଚିନ୍ତା

ୟେ ମହାଯୋଗକୁ ହାଦେ ତୁହି ସେ ରଖନ୍ତା ।୪୧।

ଥାଆନ୍ତୁ ରାଜାମାନେ ସଭାରେ ନିଶ୍ଚେନ୍ତେ

ତୁ ସ୍ଵାମୀ ପ୍ରସନ୍ନ ୟେକା ଥିବୁଟି ମୋତେ ।୪୨।

ଗୋବିନ୍ଦେ ବୋଇଲେ ତୁହି ଯେ ବହୁତ ପ୍ରତଗ୍ୟାଂବହୁ

କେମନ୍ତେ ଜୟସିଂଘ ଦୂର ହୋଇ ରହୁ ।୪୩।

ସଭାକୁ ଅସୁରେ ହୋଇଲେ ଗଳଗାଜି

ଉଚ୍ଚବାଚେ ରାଜାୟେ ପଳାଇବେ ସର୍ବେ ଭାଞ୍ଜି ।୪୪।

ଅର୍ଜୁନ ବୋଇଲା ଦେବ ୟେ ଗୋସିଂଘର ହୁଅଇ କିସ

ଜଗନ୍ନାଥେ ବୋଇଲେ ହୋ ୟେ ଅଟଇ ତାହାର ଶିଷ ।୪୫।

ଅର୍ଜୁନ ବୋଇଲା ଦେବ ୟେକି ଗୋସିଂଘହୁଂ ପ୍ରତାପୀ

ମୋହୋ ଚରିତ୍ର କି ଦେବ ନ ଜାଣୁଂ ଅଦ୍ୟାପି ।୪୬।

ନାରାୟଣ ବୋଇଲେ ତୋହର ଅସଂଖ୍ୟ ଯେ କଥା

ୟେ ରାଜାମାନେ ଜାଣନ୍ତି କି ତହିଂର ବାରତା ।୪୭।

ଗୋବିନ୍ଦେ ବୋଇଲେ ଆମ୍ଭେ ଚାଲିଯିବା ବେନି

ସାଙ୍ଗରେ ହନୁମନ୍ତକୁ ନେବା କି ହୋ ଫାଲଗୁନି ।୪୮।

ଅର୍ଜୁନ ବୋଇଲେ ଦେବ ନୁହଇ ୟେମନ୍ତ

ତ୍ରେତୟା ଯୁଗେ ୟେହାର ପ୍ରତଗ୍ୟାଂ ବହୁତ ।୪୯।

ୟେ ଦ୍ଵାପର ଯୁଗେ ଦେବ ଭାରୋଇ ମଲ୍ଲ ମୁହିଂ

ତୁମ୍ଭେ ଯାଗ ଚରଚା କରି ମୁଂ ତାହାକୁ ଭେଟଇ ଯାଇଂ ।୫୦।

ନାରାୟଣଂକୁ ତିଆରି ଅର୍ଜୁନ ହୋଇଲା ସଜ

ଗରୁଡକଇଂ ହକାରି ଆଗ୍ୟାଂଦେଲେ ଦେବରାଜ ।୫୧।

ବାବୁ ଜୟସିଂଘ ବଧକରି ଯାଉଅଛି କୀରଟୀ

ଅର୍ଜୁନକୁ ବଇନେତ୍ର ହୋ ବସାଅ ତୋର ପିଠି ।୫୨।

ନାରାୟଣଂକ ବଚନେ ବିନତା ନନ୍ଦନ ଖଗେଶ୍ଵର

ଅର୍ଜୁନକୁ ଖଗେଶ୍ଵର ବସାଇଲା ସେ ପିଠିର ।୫୩।

କ୍ଷୟ ତ୍ରୋଣ ବେନିକରେ ଗାଣ୍ଡିମ ଧନୁ

ଅନ୍ତରିକ୍ଷେ ବିଜୟେ କଲା ବାସବର ତନୁ ।୫୪।

ଜୟସିଂଘ ସଇନି ନିନ୍ଦିକେଶ୍ଵର ବନ ଘୋଟି

ନଦୀତୀରେ ଅର୍ଜୁନ ଯାଇଂ ତାହାକଇଂ ଭେଟି ।୫୫।

ନାରାୟଣ ବିଜୟେ ଯେହ୍ନେ ବଇନେତ୍ର ପିଠି

ସେହି ସରୂପେ ଦିଶଇ ପାଣ୍ଡବ କୀରଟୀ ।୫୬।

ଅସୁର ବଳ ଦେଖି ସେ ଗରୁଡ଼ ରାବଦିଲା

ଭୟେଣ ନିଶାଚର ବଳ କମ୍ପିଣ ଉଠିଲା ।୫୭।

ତ୍ରଇଲୋକ ହାନ୍ଦୋଳ ହୋଇ ସେ ଖଗେଶ୍ଵର ରଡ଼ି

ଅସୁରଂକ ହାଥଂ ଶସ୍ର ପଡ଼ିଲାକ ଝଡ଼ି ।୫୮।

ଥାଠର ଭିତରେ ଉଲୁକାପାତ ଦିଶି

ନାରାୟଣ ବିଜେକଲେ କି ବଇକୁଣ୍ଠ ଉପେଖି ।୫୯।

ଅସୁର ବଳ ନିଶୋଧାନ ୟେ ପ୍ରତକ୍ଷେ ବାସୁଦେବ

ୟେହାର ମୁଖେ ପଡ଼ି କେହି ନ ବ୍ରତିବ ।୬୦।

ଜୟସିଂଘ ପଚାରଇ କୃତନ୍ତକ ମନ୍ତ୍ରୀକି

ବାହନ ଚଢି କେବଣ ଜନ ଅଇଲା କାହିଂକି ।୬୧।

ବୋଲଇ କୃତାନ୍ତକ ଶୁଣହେ ଜୟସିଂଘ

ଦୁତୀ ବାସୁଦେବ ୟେ ପ୍ରତକ୍ଷେ ଅନଙ୍ଗ ।୬୨।

ଭାରତେ ଭାରୋଇ ମଲ୍ଲ ଅସଂଖ୍ୟ ମହିମାଂ

ରଣେ ଅଜୟ ୟେ କ୍ଷତ୍ରୀ କୁଳେଣ ବଡ଼ିମା ।୬୩।

ତହିଂ ରାଜାଗଣମାନନ୍ତ ସମାର୍ଜନ୍ତେ ବାସୁଦେବ

ଜୟସିଂଘ ତହିଂକି ଅର୍ଜୁନ ଗଲାନି ତୁମ୍ଭେ ବିରସ ଭାବ ।୬୪।

ମାରକଣ୍ଡ ବୋଇଲେ ଜୟସିଂଘ ଚଉରାଶି କ୍ଷଉଣୀ ସନ୍ୟ

ୟେକା ଜଣେ ତହିଂକି ବିଜେକଲା ଫାଲଗୁନ୍ୟ ।୬୫।

ସମୁଦ୍ରେ ସମର କେନ୍ହେ କରିବା ୟେକାଜଣେ

ଗୋସିଂଘ ପୁତ୍ରକୁ ଅର୍ଜୁନ ସମାନ ନୋହିବ କ୍ଷତ୍ରୀପଣେ ।୬୬।

ବ୍ୟାସେ ବୋଇଲେ ତୁମ୍ଭେ ଶୁଣିମା ମାରକଣ୍ଡେ

ସାବଧାନେ ଶୁଣ ତୁମ୍ଭେ ପୁର୍ବର କଥା ଖଣ୍ଡେ ।୬୭।

ଆହେ ଗୋସିଂଘ ବୋଲିକରି ୟେହାର ଅଟଇ ପିତା

ଦ୍ଵାରକା ଭୁବନକଇଂ ସମୟେକେ ବାହିଲା ଦଇତା ।୬୮।

ସାତବଂଶ ଘେନି ସମର କଲେ ରାମକୃଷ୍ଣେ

ସାଂଗ୍ରାମେ ନ ଘୁଞ୍ଚିଲେ ସେହୁ ଦୁସହ ଦଇତେ ଦ୍ରପିଷ୍ଠେ ।୬୯।

ରାମକୃଷ୍ଣ କଇଂ ଧରି ଜିଣିଲା ବାହୁବଳେ

ତ୍ରାସେ କାମପାଳେ ପଶିଲେ ପାତାଳେ ।୭୦।

ବାସୁଦେବ ପଦ୍ମନ ଦୁହିନ୍ତି ସେହୁ ଧରି

ଯାଗକୁଣ୍ଡକଇଂ ଫିଙ୍ଗିଦେଲା ବାହାନାଦ କରି ।୭୧।

କୋପେଣ ସେ ସାତବଂଶର ସଇନି

ଧନ ଭଣ୍ଡାର ଜୂର କରି ନେଲା ସତ୍ୟଭାମାନ୍ତ ଘେନି ।୭୨।

ବଇଶାଖ ମାସ ଯେ କୃଷ୍ଣ ଦଶମୀର ଦିନ

କିରାତ ରୂପେ ଅର୍ଜୁନ ବୁଲୁଥିଲା ବନ ।୭୩।

ଭବାନୀ ନଦୀତୀରେ କାମେଶ୍ଵର ପର୍ବତ

ତହିର ଉପରେ ଦକ୍ଷିଣ ମୂରତି ହୋଇ ବସିଛି ବୀର ପାଥ ।୭୪।

ଗୋସିଂଘ ରଥେ ଥାଇ ଦେଖିଲେ ଜଗନ୍ନାଥଂକର ବାମା

ବାବୁ ଅର୍ଜୁନ ରଖ ବୋଲି ଡାକ ଦିଲେ ସତ୍ୟଭାମା ।୭୫।

ଅଣ୍ଡିର କୋକିଳ ଜାଣି ଶୁଭଇ ଦିବ୍ୟବାଣୀ

ପର୍ବତ ଉପରେ ଥାଇ ତାହା ଶୁଣିଲା ବୀର ଫାଲଗୁନି ।୭୬।

ପୁଣ ଆରେକ ଡାକ ଦିଲେକ ଦେବୀ ଝାତି

ଅସୁର ବଳ ଥାଠ ଦେଖିଲା ବିଚିତ୍ରବୀର୍ଯ୍ୟର ନାତି ।୭୭।

ପୁଣ ଡାକି ବୋଇଲେ ଅର୍ଜୁନ ମୁଂ ସତ୍ୟଭାମା ଅଟଇ

ବଳାତ୍କାରେ ମୋତେ ହରି ନେଉଛନ୍ତି ଦ୍ରପିଷ୍ଠଇ ।୭୮।

ସତ୍ୟଭାମାର ବଚନ ଯହୁଂ ଶୁଣିଲା ସରୂପ

ତମେ ପାର୍ଥିବ ଯେ କଲା ମହାକୋପ ।୭୯।

ଦଶ ଯୂଣ ମାଡ଼ି ଆସୁଅଛି ଅସୁର ବଳ ସଇନି

ୟେକା ଜଣକେ ତାହା ଉଗାଳିଲା ଫାଲଗୁନି ।୮୦।

ଆସୁର ବଳ ସଇନି କି ବିନ୍ଧିଲା ବୀର ପାଥ

ରାତ୍ର ଦିବସ କେ ସେ ମାଇଲା ସମସ୍ତ ଦଇତ ।୮୧।

ଗୋସିଂଘକୁ ବଧ କରିଣ ନେଲା ଶକ୍ରାବତୀ

ଦ୍ଵାରକାୟେ ଉତ୍ସବ ଯେ କରାଇଲେ ଦେବ ଶିରୀପତି ।୮୨।

ବେଦବ୍ୟାସେ କହିଲେ ଯେ ରାଜୁସି ଯାଗ ସଭାରେ

ୟେ ରାକ୍ଷାସ ନାଶ ଯାନ୍ତିନି ଅର୍ଜୁନ ସମରେ ।୮୩।

ବ୍ୟାସଂକର ମୁଖୁଂ ଶୁଣିଣ ୟେ ଦିବ୍ୟ ବଚନ

ମନର ଭ୍ରାନ୍ତି ଫିଟିଲା ସମସ୍ତ ରାଜାଗଣମାନ ।୮୪।

ଅସୁର ବଳ ସଇନି ଦେଖିଲେ ଫାଲଗୁନି

ରାଗେଣ ବିନ୍ଧିଲା ପାଥ ଦିବ୍ୟ ଶହସ୍ର ଘେନି ।୮୫।

ୟେକା ନାରାଜକେ ଅସୁର ସଇନି ଘୋଟି

ଥାଟ ଯାକେ ତାହାର ହୋଇଲା ଶରବୃଷ୍ଟି ।୮୬।

ସବୁଂକରି ଉପରେ ଯାଇଂ ପଡ଼ିଲାକ ବାଣ

ଆକାଶୁଂ ବୃଷ୍ଟି ଯେହ୍ନେ ଧାରା ଯେ ଶ୍ରାବଣ ।୮୭।

ଦେଖିଣ ଗର୍ଜିଲେ ଯେ ନିଦାଘ ବଳମାନ

ଶହସ୍ରନ୍ତ ବୁଲାଇ ଧାଇଂଲେ ଯାତୁଧାନ ।୮୮।

ୟେକା ଅସୁରକେ ନାରାଜ ଦଶ ବିଂଶ ତିରିଶ

ବିନ୍ଧିଲେ ଆକ୍ରେଷିଣ କୋପେ ସମସ୍ତ ରାକ୍ଷସ ।୮୯।

ସମର ନିଂଶକା ସେ ସୁଭଦ୍ରାର ନାହା

ଆବର ବିଶେଷ ଯାହାକଇଂ ଖଗେଶ୍ଵର ସାହା ।୯୦।

ଅସୁର ବଳ ସଇନି ବିନ୍ଧିଲେ ଯେତେ କାଣ୍ଡ

ଦେଖିଣ ବଇନେତ୍ର ବିସ୍ତାର କଲା ତୁଣ୍ଡ ।୯୧।

ପଦ୍ମ, ପଦ୍ମ ନାରାଜ ପଡ଼ଇ ସମ୍ଭର୍ବେ

ସମସ୍ତ ସଂହରିଲା ୟେ ୟେକା ଖଗେଶ୍ଵର ଗର୍ଭେ ।୯୨।

ପୁଣ ପେଷିଲେ ନିଶାଚରେ କୁନ୍ତ ଅସିବର

ବୁଲାଇଂଣ ପ୍ରହାର କରନ୍ତି ଗରୁଡ଼ ଉପର ।।୯୩।

ରଣରଙ୍ଗ ମନ୍ଥନ କଲା ସେ କଳାପି ଅପୂର୍ଣ୍ଣା

ପକ୍ଷୀରେ ପଡ଼ି ସମସ୍ତ ଶହସ୍ର ହୋଉଛନ୍ତି ଚୂନା ।୯୪।

ପୁଣିହିଂ ଶହସ୍ର ଧରି ଆସନ୍ତି ଦୂରାନ୍ତେ

ତାହାଂକର ଭୁଜ ଅର୍ଜୁନ ଛେଦଇ ଶରଘାତେ ।୯୫।

କର ଚରଣ ସବୁ ହୋଇଲା ଖଣ୍ଡ ଖଣ୍ଡ

ବହଇ ଶ୍ରୋଣିତ ଯେ ଶରୀର ତ୍ରିପଣ୍ଡ ।୯୬।

ଅସୁରେ ନାରାଜ କଲେ ଅର୍ଜୁନ ଉପରକୁ

ଆବୋରିଣ ଖଗେଶ୍ଵର ପକ୍ଷୀ ଘୋଡ଼ାଇଲା ପାଥକୁ ।୯୭।

ପକ୍ଷୀର ପଡ଼ି ନାରାଜ ହୋଉଛନ୍ତି ଥନ୍ତା

ଧାଇଂଣ ଅସୁର ଥାଠେ ସେ ପଶିଲା ରଣମନ୍ଥା ।୯୮।

ଅନିର୍ବାରଣ ଶର ଯେ ମାଇଲେ ଧନୁର୍ଜୟେ

ଲୋଟନ୍ତି ଅସୁର ବଳ ପାର୍ଥିବ ଶରଘାୟେ ।୯୯।

ରଥ ଗଜ ଅଶ୍ଵ ପଡ଼ନ୍ତି ଘୋର ଯୁଦ୍ଧେ

ଲକ୍ଷ ଲକ୍ଷ ହୋଇଣ ଯେ ନାଚନ୍ତି କବନ୍ଧେ ।୧୦୦।

ଶୁଣିସିହୋ ଚଇତନ ସେ ପାଣ୍ଡବଂକର ମହିଂମା

ୟେ ତ୍ରିଭୁବନ ମଧ୍ୟେ ଯାହାଂକର ଅସଂକ୍ଷ ଗାରିମା ।୧୦୧।

ବଡ ବିମୁଖ ହୋଇ ସେ ଅସୁର ବଳ ଭଙ୍ଗ

ଶତେ ମର୍ଭୂତ ଯୋଦ୍ଧା ଘେନି ଉଠିଲା ଜୟେସିଂହ ।୧୦୨।

ଯେସନେକ କୃତାନ୍ତେକ ଧରିଣ କାଳଫାଶି

ୟେକା ଅର୍ଜୁନକୁ ବେଢିଲେ ୟେତକ ସନ୍ୟ ଆସି ।୧୦୩।

ଦେଖିଣ ବଇନେତ୍ର ହାଦେ ଦିଲାକ ପକ୍ଷୀ ଝାଡ଼ି

ଅନେକ ଯୋଜନେ ସେ ଅସୁରେ ଯାଇଂ ପଡ଼ି ।୧୦୪।

ଉର ପିଠି ମଣ୍ଡ ଭାଞ୍ଜି ହୋଇଲାକ ଚୂନା

ନବଖର୍ବ ଯୋଦ୍ଧା ପଡ଼ିଲେ ଅସୁର ବଳ ସେହ୍ନା ।୧୦୫।

ପୁଣିହିଂ ତିନିଲକ୍ଷ ଯୋଦ୍ଧା ଘେନିଣ ଜୟେସିଂହ

ରେ ରେ କାର ଶବଦେ ମିଳିଲା ଅର୍ଜୁନର ଆଗ ।୧୦୬।

ଦେଖିଣ ସାନନ୍ଦ ଯେ ଭୀମସେନର କନେଷ୍ଠି

ଯୋଦ୍ଧାକେ ବିନ୍ଧିଲା ସେ ନାରାଜ କୋଟି କୋଟି ।୧୦୭।

ୟେକା ଘାନ୍ତିକେ ବିନ୍ଧିଲା ମନାରାଜ ନବଖର୍ବ ଯୋଦ୍ଧାଂକୁ

ଭୁଜ ଜାନୁ କନ୍ଧ ଫୁଟିଣ ଯାଇ କାହାର ବୁକୁ ।୧୦୮।

ୟେକା ରୋମେକେ ପାଞ୍ଚ ପାଞ୍ଚ ଶର ଫୁଟି

ବାତେ ଚୂତଫଳ ପ୍ରାୟେ ଅସୁରେ ପଡ଼ିଲେ ମହୀଲୋଟି ।୧୦୯।

ପୁଣିହିଂ ହାବୋଡ଼ା ଶରେକ ମାଇଲା ଫାଲଗୁନ୍ୟ

ରୋଧିର ମାୟେଂସ ସବୁ ହୋଇଲା କର୍ଦ୍ଦନ ।୧୧୦।

ଅଂସକ୍ଷେପ ନାରାଜ ବିନ୍ଧିଲା ଧନୁର୍ଜୟେ

ଲୋଟିଲେ ଦାନବେ ବଳ ବାତେ କଦଳୀ ବନ ପ୍ରାୟେ ।୧୧୧।

କାଳାନଳ ତେଜ ଜାଣି ଦିଶଇ ଫାଲଗୁନି

ୟେକା ଜଣକେ ଅନ୍ତକଲା ଜୟେଂସିହର ସଇନି ।୧୧୨।

ଗରୁଡ଼ ଉଡ଼ାଇ ଦିଲା ଯେ ପକ୍ଷୀର ବାତଘାତେ

ତିରଣ ରାଶି ପ୍ରାୟେ ହୋଇ ଯେ ଉଡ଼ିଲେ ଦଇତେ ।୧୧୩।

ସଇନି ବିଅର୍ଥ ଯେ ଦେଖିଣ ଜୟେସିଂହ

ସମରେ ଦାନବ ଯାଇ ଓଗାଳିଲା ଆଗ ।୧୧୪।

ବୋଇଲା ଆରେ ଆରେ ପାଣ୍ଡବାରେ ତୁ ମୋହର ପିତାର ବଇରି

କାହିଂ ଯିବୁ ଆଜ ରେ ମୋର ଛାମୁରେଣ ପଡ଼ି ।୧୧୫।

ପିତାକୁ ମୋହର ମାଇଲୁ ୟେବେ ଯେ ଜାଣିଲି

ଯତନେ ଯାହାକୁ ଲୋଡ଼ଇରେ ତାହାକୁ ପ୍ରତକ୍ଷେ ପାଇଲି ।୧୧୬।

ଅସୁର ବଚନେ ସେ କୋପିତ ବୀରପାଥ

ମୁହିଂ ସେ ହରିଲି ଗୋସିଂହର ଦର୍ପ ଅର୍ଥ ।୧୧୭।

ବଂଶେ ବଂଶେ ତୁମ୍ଭରେ ମୋହୋର ହାଥେ ବଧ

ଯେତେମାନେ ପାର ରେ ରହିଣ କର ଯୁଦ୍ଧ ।୧୧୮।

ନପୁଣ ନିସତ ହୋଇ ମରାଇ ବନ୍ଧୁବର୍ଗ

ଅର୍ଜୁନର ଅନେକ ପ୍ରତଗ୍ୟାଂ ଶୁଣି ଜୟେସିଂହ କଲା ରାଗ ।୧୧୯।

ଲୋହଶର ଧନୁୟେକ ଧରି ପ୍ରତିକଚ୍ଛେ

କୋପେଣ ଜୟେସିଂହ ପେଶିଲା ଶର ଲକ୍ଷେ ।୧୨୦।

ନିର୍ଧ୍ଵମ ଅଗ୍ନି ଜାଣି ଯେହ୍ନେ ଦିଶଇ ତାର ତେଜ

ନାଶକର ଦେବତା ପ୍ରାୟେକ ଦିଶଇ ଦନୁଜ ।୧୨୧।

ଦୁରାନ୍ତକ ମୂର୍ତ୍ତି ହୋଇଣ ବୀର ଫାଲଗୁନି

କୋପେଣ ବିନ୍ଧିଲା ସେ ଲକ୍ଷେକ ଶର ଘେନି ।୧୨୨।

ନାରାଜେ ନାରାଜେ ପଡ଼ି ହୋଇଲେ ଅପହାରି

ପୁଣି ଜୟସିଂହ ଯୋଚିଲା ନାରାଜ ଲକ୍ଷ ଚାରି ।୧୨୩।

ଲୋହାର ଶର ଯେ ଝଲକନ୍ତି ତୀକ୍ଷମୁନା

ପର୍ବତ ଫୁଟଇ ଯହିଂ ରହଇ କି ସାଞ୍ଜୁସେହ୍ନା ।୧୨୪।

କୋପେ ଦୁରାନ୍ତେକ ଶର ଯେ ବିନ୍ଧିଲା ଉପରେ

ଗର୍ଭ ବିସ୍ତାରିଣ ତାହା ଭକ୍ଷିଲା ଖଗେଶ୍ଵରେ ।୧୨୫।

ଦେଖିଣ ଆଶ୍ରିଜ ଯେ ହୋଇଲା ଦୁରାନ୍ତକ

ପକ୍ଷୀର ହୋଇ ଧନ୍ୟ ତୋ ମହିମାଂ ଅନେକ ।୧୨୬।

ଦେବ ସେହି ନୁଆରନ୍ତି ଯେବଣ ଶହସ୍ର ଜ୍ୟୋତି

ଗର୍ଭେଣ ସଂହରିଲୁ ଧନ୍ୟ ଧନ୍ୟ ତୋହର ଜୀବତି ।୧୨୭।

ଲୁହାର ରଥେକ ଯେ ଚଢିଲା ଦଇତ

ଧାଇଂଣ ଖଗେଶ୍ଵର ତହିଂ କଲାକ ପକ୍ଷଘାତ ।୧୨୮।

ଅତୁଟ ମହାରଥ ଅଟଇ ବଜ୍ରସେନା

ଗରୁଡ଼ ପକ୍ଷଘାତେ ହୋଇଲା ସର୍ବ ଚୁନା ।୧୨୯।

ରଥରେ ଯୋଚିଲା ଥିଲା ଲକ୍ଷେକ ମତ୍ତବ୍ରାଘ

ସେହି ଚୂର ଗଲା ଯେ ଗରୁଡ ପକ୍ଷୀ ରାଗ ।୧୩୦।

ପୁଣିହିଂ ଅର୍ଜୁନ ତୀକ୍ଷ ନାରାଜେକ ବିନ୍ଧି

ଜୟେସିଂହର ଲୋହସାର ଧନୁ ପକାଇଲା ଛେଦି ।୧୩୧।

ଧନୁଭଗ୍ନ ଦେଖି କୋପେଣ ଦୁରାନ୍ତେକ

ଲୁହା ବେନିଗଦା ଧଇଲା ବେନିଜେ ହାଥେକ ।୧୩୨।

କୋପେଣ ଗର୍ଜଇ ସେ କାଳସର୍ପ ପ୍ରାୟେ

ମେରୁଗିରି ପର୍ବତ ଜାଣି ଦିଶେ ତାର କାୟେ ।୧୩୩।

ଲୁହାର ବେନିଗଦା ସେ କୋପେଣ ବୁଲାଇ

ଅର୍ଜୁନ ଉପରେ ସେ ପ୍ରହାର କଲା ନେଇ ।୧୩୪।

ଗଦାବର ପଡ଼ନ୍ତେଣ ଦେଖିଲା ଖଗେବର

ଅର୍ଜୁନ ଶରୀରେ ଆବର ପକ୍ଷୀ କଲାକ ଉହାଡ଼ ।୧୩୫।

ଗରୁଡ଼ ଉପରେ ପଡ଼ିଲା ଯେ ଗଦାବେନି

ସତେଖଣ୍ଡ ହୋଇ ଭଜିଲା ଦେଖିଲା ଫାଲଗୁନି ।୧୩୬।

ଗରଳ ଛାଡ଼ିଲେ ଯେ ଉଡ଼ଙ୍ଗ ଦର୍ପଭାଞ୍ଜି

ଗଦା ଛାଡ଼ି ଦୁରାନ୍ତେକ ଶାନ୍ତିମୃର୍ତ୍ତି ଭଜି ।୧୩୭।

ଶୂନ୍ୟହସ୍ତ ହୋଇଲା ସେ ଗୋସିଂହର ବଳା

ପୁଣ ଦୁରାନ୍ତେକ ସେ ଘେନିଲା ଖଣ୍ଡା ଫଳା ।୧୩୮।

କୁରାଳ ଚକ୍ର ପ୍ରାୟେ ବୁଲାଇ ବେନି ଖଣ୍ଡା

ଫଳା ସେ ଦେଇ ସମରେ ଉଠିଲା ଅସୁର କୁଳ ଷଣ୍ଢା ।୧୩୯।

କୋପେ କାଳାନଳ ଜାଣି ଗୋସିଂହର ସୁତ

ଖଡ଼ଗ ବୁଲାଇ ଅର୍ଜୁନକୁ ପିଟିଲା ଦଇତ ।୧୪୦।

ବିନତାର ନନ୍ଦନ ଯେ ଖଡ଼ଗ ପ୍ରହାର ଦେଖି

ଅର୍ଜୁନ ଓହାଡ଼ କରି ପାତିଲା ତାହାର ପକ୍ଷୀ ।୧୪୧।

ପକ୍ଷୀର ଉପରେ ସେ ପଡିଲା ଅସିବର

ତୀକ୍ଷପତ୍ର ଖଣ୍ଡା ସେ ହୋଇଲା ସତେ ଚୂର ।୧୪୨।

ବିଶହସ୍ର ହୋଇଣ ଅସୁର ଯାଉଛି ଲେଉଟି

ବଜ୍ରାବଳୀ ଗଦାଘେନି ପିଟିଲା କୀରୀଟି ।୧୪୩।

ଦେଖିଣ ଦୁରେନ୍ତେକ ଯେ ପାଡିଲା ବାମକର

ଅର୍ଜୁନ ହାଥୁଂ ଉଛଡି ଘେନିଲାକ ଅସୁର ।୧୪୪।

ସେହି ଶହସ୍ର ଘେନି ଲେଉଟାଇ ପିଟି

ଗରୁଡ ଉପରେ ପଡି ଶହସ୍ର ଗଲା ତୁଟି ।୧୪୫।

ପୁଣ ଅର୍ଜୁନ ସେ ବିନ୍ଧିଲା ତୀଖମୁନା

ଦତ୍ୟ ହୃଦଗତେ ପଡି ଫୁଟିଲା ବଜ୍ରସେହ୍ନା ।୧୪୬।

ପୁଣି ବିନ୍ଧିଲା ପାଥ କୋପେଣ ହାବୋଡେକ ଶରେ

ଗରିବର ଉପୁଡି ପଡିଲା କି ଅସୁର ଉପରେ ।୧୪୭।

ଶହସ୍ର ବିଘାତେ ଉସୁର ପଡିଲା ଉତ୍ତାନଶାୟୀ

ନାସିକା ମୁଖେ ରୁଧିର ଘନ ଘନ ବହି ।୧୪୮।

ଘାୟେଣ ନିଚେଷ୍ଟ ସେ ହୋଇଲା ଦୁରାନ୍ତ

ପୁଣିହିଂ ଲକ୍ଷେକ ନାରାଜ ବିନ୍ଧିଲା ବୀର ପାଥେ ।୧୪୯।

ପୁଣିହିଂ ମାଇଲା ସେ ଆମୋହ ଶକତି

ଆତ୍ମା ବିସର୍ଜି ହୋଇଲା ଅସୁର ମହାଛତ୍ରୀ ।୧୫୦।

ପୁଣହିଂ ନୀଳଚକ୍ର ଘେନିଣ କୋପେ ହାଣି

ଶରୀର ପଡି ଶହସ୍ର ଚୂରଗଲା ପୁଣି ।୧୫୧।

ଅନିର୍ଯାପ ଶର ଘେନିଣ ମାଇଲାକ ଝାତି

ଭୟେଣ ଅର୍ଜୁନ ପଶିନୁ ଆରେ ତାର କତି ।୧୫୨।

ଯେତେକ ନାରାଜ ପଡିଲା ଜୟସିଂହର ଉପରେ

ଗଦା ମୁଦୁଗର ଶକତି ଆଦି ସମସ୍ତ ହୋଇଲେ ଚୂରେ ।୧୫୩।

ପୁଣ ସାଷ୍ଟାମ ହୋଇ ଉଠିଲା ଦଇତ ଅଇରି

ଧାତିକାରେ ଉପାଡିଲା ସେ କଉଶିକ ନାମେ ଗିରି ।୧୫୪।

ବୁଲାଇ ପିଟିଲା ସେ ଦଇତ ପରଚଣ୍ଡା

ବଇନେତ୍ର ଉପରେ ପଡ଼ି ହୋଇଲା ମସୀଗୁଣ୍ଡା ।୧୫୫।

ଆପେଣେ ପକ୍ଷୀବର ମାଇଲା ପକ୍ଷଘାତେ

ନିଚେଷ୍ଟ ହୋଇଣ ଯେ ପଡିଲା ଦୁରାନ୍ତେ ।୧୫୬।

ପଡନ୍ତେ ଅସୁରକୁ ମାଇଲା ବଜ୍ରଥଣ୍ଟେ

ବେନିଫାଳ ହୋଇ ଚିରି ହୋଇଲା ଦ୍ରପିଷ୍ଠେ ।୧୫୭।

ଅର୍ଜୁନ ବୋଇଲା ସ୍ଵାମୀ ଦଇତ ହତଗତ

ଜେନାବଳୀ ପାଟଣାକୁ ମୋତେ ନାୟେସି ବଇନେତ୍ର ।୧୫୮।

ଅନେକ ରତ୍ନ ଭଣ୍ଡାର ଅଛି ଦେବ ତହିଂ

ଅପୂର୍ବ ପଦାର୍ଥମାନ ଆଣିବା ହାଦେ ବହି ।୧୫୯।

ଶୁଣିଣ ସାନନ୍ଦ ସେ କଶ୍ୟପର ବଳା

କଉତୁକେ ଉଡଇ ସେ ପକ୍ଷୀ ଅନର୍ଗଳା ।୧୬୦।

ଜେନାବଳୀ ପାଟଣା ସନ୍ନିଧ୍ୟେ ଯାଇଂ ମିଳି

କିଞ୍ଚିତେ ଖଗେଶ୍ଵର ପକ୍ଷ ଦିଲାକ ଚାଳି ।୧୬୧।

ଅନେକ ମେଢ ମଣ୍ଡପ ଦେଉଳ ଜଗତୀ

ଭାଞ୍ଜିଣ ଭଗନସ୍ତ ହୋଇଲା ଛତିବତି ।୧୬୨।

ଯେତେକ ଥିଲେ ତହିଂ ଅସୁର ଅସୁରୀ

ଉଡିଲେ ଗଗନ ଗତେ କ୍ଷୀରୋଦ୍ରେ ଯାଇଂ ପଡି ।୧୬୩

ଯେତେକ ଥିଲେ ତହିଂ ଅସୁରଂକ ବଂଶ

ଗରୁଡ ପକ୍ଷାଘାତେ ସବୁ ହୋଇଲାକ ଧ୍ଵଂସ ।୧୬୪।

ଅନେକ ଧନ ଭଣ୍ଡାର ସେ ଘେନିଣ ସର୍ବସାଚୀ

ଗରୁଡ ପିଠିରେ ସେ ଥୋଇଲା ସବୁ ବାଛି ।୧୬୫।

ବାହୁଡଇ ଖଗେଶ୍ଵ ର ଅର୍ଜୁନକୁ ଘେନି

ସଭାୟେ କହିଲେ ଯାଇଂ ନାରଦ ମହାମୁନି ।୧୬୬।

ଆହୋ ରାଜାମାନେ ତୁମ୍ଭେ ନୋହସି ବିକଳ

ଅର୍ଜୁନ ଧଂସିଲାନି ଜୟେସିଂହର ବଳ ।୧୬୭।

ଅସୁର ବଳ ନିପାତେଣ ପାଣ୍ଡବ ସୋହଡ

ଗରୁଡ ସହିତେ ଗଲେ ଜେନାବଳୀ ନଗ୍ରପୁର ।୧୬୮।

କୋପେଣ ପକ୍ଷୀଜାତ କଲା ସେ ବିନତାର ସୁତ

ଜେନାବଳୀ ନଗ୍ର ଭାଞ୍ଜି କଲାକ ଭଗନସ୍ତ ।୧୬୯।

ବହୁତ ଧନଭଣ୍ଡାର ଘେନିଣ ସର୍ବସାଚୀ

ରଣ ଜୟ କରିଣ ହାଦେ ଅର୍ଜୁନ ଆସୁଅଛି ।୧୭୦।

ନାରଦଂକ ବଚନେ ସେ ସମସ୍ତ ନୃପତି

ଛାଡିଲେ ମନୁବ୍ୟଥା ହୋଇଲା ନିଭ୍ରାନ୍ତି ।୧୭୧।

ଅନେକ ସାନନ୍ଦ ହୋଇଲେ ଯୁଝେଷ୍ଠି ଦେବ ରାୟେ

ୟେମନ୍ତର ସମୟେ ଯାଇ ପ୍ରବେଶ ଧନୁର୍ଜୟେ ।୧୭୨।

ତାଡକା ବଧକରି କାର୍ତ୍ତିକେଶ୍ଵର ଯେହ୍ନେ

ଅର୍ଜୁନର ତେଜ ମୃର୍ତ୍ତି ବିକାଶଇ ତେହ୍ନେ ।୧୭୩।

ସମସ୍ତ ନରେନ୍ଦ୍ରମାନେ ଅନେକ ସାନନ୍ଦ

ସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଶବଦ ।୧୭୪।

ୟେମନ୍ତ ମହିମାଂ ଯେ ନ ଥିବ କ୍ଷତ୍ରୀପଣେ

ୟେ ମହାଜାଗ କାହାରେ ହୋଇବ ଆରୋପଣେ ।୧୭୫।

ବହୁତ ମହିମାଂ କଥା ଯେ ଅନେକ ପ୍ରଶଂସା

ଧନ୍ୟ ଧନ୍ୟ ପାଣ୍ଡବେ ତୁମ୍ଭର ପୂରୁ ମନବାଞ୍ଛା ।୧୭୬।

ୟେ ଆମ୍ଭର ଛତ୍ରୀବୃତ୍ତ ଅଟଇ ଯେବେ ସତ

ପଣ୍ଡୁ ରାଜାକଇଂ ହେଉ ସ୍ଵର୍ଗ ପରାପତ ।୧୭୭।

ୟେସନେକ ସମୟେ ସମସ୍ତ ଧନ୍ୟ ଧନ୍ୟ ଭାଷି

ସଭାରେ ଖଗେଶ୍ଵର ପ୍ରବେଶ ହୋଇଲାକ ଆସି ।୧୭୮।

ବହୁତ କାଳର ଧନ ଅନେକ ପାଣିଦ୍ରବ୍ୟ

ବହନ୍ତେ ପିଠିରୁ ନ ସରଇ ରାତ୍ରଦିବ ।୧୭୯।

ବାଆନ ଭଣ୍ଡାର ପୂରିଲା ସବୁ ପାଣିଦ୍ରବ୍ୟମୟେ

ଆକାଶେ ଦେବତାୟେ ଯେ କଲେ ଜୟେ ଜୟେ ।୧୮୦।

ଅସୁରଂକୁ ଦେବନ୍ତାଂକର ଅନେକ ଭୟ ଥିଲା

ଜୟସିଂହ ମାରି ଅର୍ଜୁନ ସବୁ ଭୟ ପାରକଲା ।୧୮୧।

ଦେବଗଣମାନେ ଯେ ହୋଇଲେ ଅନେକ ତୃଷ୍ଟି

ଆକାଶୁଂ ସଭାୟେ ହୋଇଲା ଅନେକ ପୁଷ୍ୟବୃଷ୍ଟି ।୧୮୨।

ଶୁଣ ହୋ ମହାରାଜା ରାଜୁସି ଯାଗର କଥା

ବିପୁଳ ସମ୍ପଦ ଲଭନ୍ତି ଶୁଣନ୍ତେ ସର୍ବଥା ।୧୮୩।

ବହୁତ ମହିମାଂ ଯେ ନ ସରଇ କହନ୍ତେ

ଇକ୍ଷୁଦଣ୍ଡ ବ୍ରତିଲି ମୁଂ ବିଷ୍ଣୁନାମ ସୁମରନ୍ତେ ।୧୮୪।

ଶ୍ରୀ ରଘୁନାଥ ସୁନ୍ଦର ଅମଳାଣ ସୂର୍ଯ୍ୟବଂଶୀ

କଉଶିକ ଯାଗଛଳେ ତାଡକି ଦର୍ପ ଧ୍ଵଂସି ।୧୮୫।

ଶୁଦ୍ଧ ସଷ୍ଟିକ ଜାଣି ଜାହାର ପଞ୍ଚୁମୁଦ୍ରା

କଉସ୍ତୁଭ ବିଘଂସିତ ଅଭୟେ ଗ୍ୟାନସିଦ୍ଧା ।୧୮୬।

ଋଷିଯାଗ ରକ୍ଷଣ ଜାନକୀ ପ୍ରାଣଗୁରୁ

ଶିବଧନୁ ଭଞ୍ଜାଣ ନାଥ ଶରଣ ଉଦ୍ଧାରୁ ।୧୮୭।

ଗଙ୍ଗା ଉଦ୍ଧାରଣ ଦେବ ହିରଣ୍ୟ ପୁର ଧ୍ଵଂସା

ଭଗତ ଜନ ଉଦ୍ଧାରଣ ନାଥ ପୂରାଅ ମନୀଷା ।୧୮୮।

ଶରଣ ରକ୍ଷଣ ନାଥ ରଘୁକୁଳ ସ୍ଵାମୀ

ତବ ପଦ୍ମପାଦେ ଦେବ ଶତ ଶହସ୍ର ଦଣ୍ଡ ପରିଣାମି ।୧୮୯।

ଯମ ଦର୍ପ ଭଙ୍ଗାଣ ନାଥ ନନ୍ଦକ ବନ ମଣ୍ଡି

ସୟଳ ଜନ ତାରଣ ନାଥ ଅପାଦ ଦୁଖ ମଣ୍ଡି ।୧୯୦।

କଉଶଲ୍ୟା ନନ୍ଦନ ପାଦେ ଶରଣ ମାଗଇ

ୟେ ଭବ ସାଗରୁ ନାଥ ତାରିବା ଗୋସାଇଂ ।୧୯୧।

କେବଣ ପାତକ ମୁଂ କଲଇଂ ପୂର୍ବକର୍ମେ

ତହିଂର ଅନୁକର୍ମେ ଜନ୍ମିଲି ମାନବ ଜନ୍ନେ ।୧୯୨।

ଅଭୟେ ବରଦାତା ଯେ କୋଦଣ୍ଡ ଦୀକ୍ଷାଗୁରୁ

ରଘୁବଂଶ ବଲ୍ଲଭ ନାଥ ଶରଣ ଉଦ୍ଧାରୁ ।୧୯୩।

କରୁଣା ସାଗର ନାଥ ଧାନୁକି ଚକ୍ର ଚୂଡାମଣି

ସପ୍ତଶାଳା ନିବାରଣ ନାଥ ସୁଗ୍ରୀବ ଆତଂକ ଶୁଣି ।୧୯୪।

ହରିବଳ ସାଖାୟେ ଦେବ ବାନ୍ଧିଲୁ ବାରାନିଧି

କୃତାନ୍ତେକ ବିବାଦେ ଦେବ ନିଦାଘ ବଳଛେଦି ।୧୯୫।

ଶବରି ବଲ୍ଲଭ ଯେ ମାଲ୍ୟବନ୍ତ ଶିଖେ

ଛେଦିଲୁ ଦଶାନନ ଜାନକୀର ଶୋକେ ।୧୯୬।

ଶ୍ରୀରାମ ଚରଣେ ସେବା ସାରୋଳ ଦାସ କବି

ନର୍ମଦା ସରସ୍ଵତୀ ପ୍ରସନ୍ନେ ବାକ୍ୟଦେବୀ ।୧୯୭।

ଅଗସ୍ତି ବକତା ବଇବସୁତ ମନୁ ଶ୍ରୋତା

ମନ ଶ୍ରୋତା ଅଟଇ ଯେ ଚଇତନ ବକତା ।୧୯୮।

 

ପିଣ୍ଡପ୍ରାଣ ୟେକତ୍ଵ ହୋଇବାର ପାଇଂ

ଶ୍ରୀ ମହାଭାରଥ ଯେ ବଞ୍ଚାଇଲି ମୁହିଂ ।୧୯୯।

 

ଅନନ୍ତ ନାଗଂକୁ ନିମନ୍ତ୍ରଣ କରିବା ପାଇଂ ଅର୍ଜୁନଙ୍କର ପାତଳେ ଗମନ ଓ
ଶରମୁନେ ପୃଥିବୀ ଧାରଣ ଏବଂ ନାଗାବଳୀ ବିବାହ ପ୍ରସଙ୍ଗ

ଚଇତନ ପୁଚ୍ଛାକଲେ ଯେ ମନୁ ପୁରୁଷକୁ

କହସି ନିରାଧାର ଅମୃତ ରସ ମୁକୁ ।୧।

ୟେ ମୃତ ଶବ ନାମରୁ ବେଳେକ ମୋତେ ତରା

ତୋହର ତୁଲେ ହୋ ଜଡିତ ମୋତେ କରା ।୨।

ବୋଲଇ ମନୁ ପୁରୁଷ ଚଇତନ ସମ୍ପାଦେ

ହୃଦଗତେ ତଲୟେ ହୋ କରିଣ ଥଅ ହାଦେ ।୩।

ଆବର ମହିଂମା ଯୁଝେଷ୍ଠି ଦେବଂକର ହାଦେ ଶୁଣ

ଅଷ୍ଟାଦଶ ବଂଶର ଯେ ଅଟନ୍ତି ରାଜାଗଣ ।୪।

ୟେସନେକ ସମ୍ପାଦ ହୋ ରାଜୁସି ଯାଗ ସଭା

କଟନ୍ତି ନୃପତିଗଣେ ସମ୍ଭରେ ସର୍ବଦେବା ।୫।

ନୃତ୍ୟଗୀତ ରସେ ଯେ ପ୍ରସର ହୋଇଲାକ ରାତି

ନିଦ୍ରା ଆଳସ କାହାର ଶରୀରେ ନ ଭେଦନ୍ତି ।୬।

ଅର୍ଜୁନ ବଇନେତ୍ର ଶ୍ରୀହରି ଚରଣେ ପରିଣାମି

ଜୟେସିଂହ ଦତ୍ୟକୁ ବଧକଲୁ ଦେବସ୍ଵାମୀ ।୭।

ସଞ୍ଚପି କହୁଲେ ସାଂଗ୍ରାମ ବାରତା

ପକ୍ଷୀରାଜର ପ୍ରସନ୍ନେ ବଧ କଲଇଂ ଦଇତା ।୮।

ଅର୍ଜୁନ ବଚନେ ସାନନ୍ଦ ଦେବହରି

ଯୁଝେଷ୍ଠି ଛାମୁରେ ଦ୍ରଶନ ଯାଇଂ କରି ।୯।

ଦେଖିଣ ସାନନ୍ଦେ ଯେ ହୋଇଲେ ଧର୍ମବାଳ

ସାଂଗ୍ରାମର ବାରତା ପାଥ କହିଲା ସକଳ ।୧୦।

ଅନେକ ଉଚ୍ଛବ ସ୍ଵାମୀ କରାଇଲେ ଧର୍ମସୁତେ

ଅନେକ ଦାନ ଦିଲେ ସଭାର ଆରୋଗ୍ୟ ନିମନ୍ତେ ।୧୧।

ନିତ୍ୟକର୍ମ ବିଧାନ ସକଳ ନୃପତି

ସ୍ରାହାନ ବିଧାନ ଯେ ଗଙ୍ଗାୟେ ସାରନ୍ତି ।୧୨।

ନାମ ସଂକେତେ ଯେ ବସନ୍ତି ରାଜାଗଣେ

ଛାମୁରେ ଅଗସ୍ତି ଶୁଣାନ୍ତି ବିଷ୍ଣୁ ଯେ ପୁରାଣେ ।୧୩।

କହନ୍ତି ମହାମୁନି ଯେ ଉପର ବଂଶ କଥା

ଲକ୍ଷେ ନୃପତି ତହିଂ ହୋଇଛନ୍ତି ଶ୍ରୋତା ।୧୪।

ସମସ୍ତ ରାଜାୟେ ପଚାରିଲେ ଭଗବନ୍ତ

କହନ୍ତି ଅଗସ୍ତି ପ୍ରସ୍ତାବେ ରାମାୟଣ ଗ୍ରଛ ।୧୫।

ୟେମନ୍ତର ସମୟେ ଋଷ୍ୟଶୃଙ୍ଗ ମହାଯତି

ଭାଣ୍ଡେକ ବିଭାଣ୍ଡେକ ଆସି ସଭାରେ ମିଳନ୍ତି ।୧୬।

ଅପୂର୍ବ ମହାତମା ସେ ଋଷିଶୃଙ୍ଗ ବୋଲି

ଶରୀର ମନୁଷ୍ୟ ରୂପ ମୃଗମୁଣ୍ଡ ଚକିତ ଚାଲି ।୧୭।

ବେନିଗୋଟି ଶିଂଗ ତାହାର କପାଳେଣ ଦେଖି

ଲକ୍ଷେକ ରାଜା ପଚାରିଲେ ଅଗସ୍ତି ମୁନିଂକି ।୧୮।

ବଡାଇ ସୁସଞ୍ଚ ୟେ କାହାର ଅଟଇ ତନୁ

କେବଣ ତୀର୍ଥବାସୀ ୟେ ୟେହାନ୍ତ ଆମ୍ଭେ ନଚିହ୍ନୁ ।୧୯।

ଶୁଣ ହୋ ଲକ୍ଷେ ରାଜା ଅଗସ୍ତି ବୋଇଲେ

ସତ୍ୟଯୁଗେ ବିଭାଣ୍ଡକ ଅମର ସ୍ଵର୍ଗଗଲେ ।୨୦।

ଅମର ଆସ୍ତାନ ମଣ୍ଡଳେ ବିଜୟେ ଆକଣ୍ଡଳେ

ସନ୍ନିଧ୍ୟେ ଖଟିଛନ୍ତି ସମସ୍ତ ଦିଗପାଳେ ।୨୧।

ଚଉଷଠି କୋଟି ଯେ ଅମର ବିଳାଶୁଣି

ଭରହରଷେଣ ଖଟିଲେ ଗାୟେଣୀ ।୨୨।

ୟେସନେକ ସମୟେ ସେ ବିଭାଣ୍ଡକ ମହଋଷି

ଇନ୍ଦ୍ରଦେବତାୟେ ଯେ ତାହାନ୍ତ ନ ଦିଲେ ବସି ।୨୩।

ରାଗେଣ ମହାତମା ଯେ ତହୁଂ ଅଇଲେ ଅପସରି

ଅଭିମାନ କଲେ ସେ ଇନ୍ଦ୍ରକୁ ଚାହିଂକରି ।୨୪।

ଆହୋ ସୁରନାଥ ତୁ ଅଟୁ ସୁରଦେବ

ଆମ୍ଭନ୍ତ ନ ଚିହ୍ନିଲୁ ପୁରନ୍ଦର ମତ୍ତଗର୍ବ ।୨୫।

ମୁହିଂ ସେ ବିଭାଣ୍ଡକ ଜାଣିଥାଅ ତୋହର ହାଦେ

ୟେହି ଅମର ସ୍ଵର୍ଗେ ବିସିବି ତୋହର ହୃଦେ ।୨୬।

ୟେତେ ବୋଲିଣ ଚଳିଲେ ସେ ମହା ବ୍ରହ୍ମଋଷି

ବଦରିକା ଆଶ୍ରମେ ମହାତମା ବସିଲେ ନିରାଶୀ ।୨୭।

ଇନ୍ଦ୍ରପଦ ଘେନିମି ବୋଲି ହୃଦଗତେ କଲେ ବୁଦ୍ଧି

ଆହାର ନିଦ୍ରା ମଇଥୁନ ତେଜି ନିରନ୍ଥନ ପ୍ରବୋଧି ।୨୮।

ସତ୍ୟଯୁଗ ସତର ଲକ୍ଷେ ଅଠାଇଶ ଶହସ୍ର ବରଷ ପରିଯନ୍ତେ

ପବନ ଉଯାଇଂ ବସିଲେ କାଳ ୟେତେ ।୨୯।

ସମସ୍ତ ନିରାଶ ସେ ହୋଇଲା ମହାତମା

ନାରଦେ କହିଲେ ଯାଇଂ ବେଗେ ବେଦବ୍ରହ୍ମା ।୩୦।

ଭୋ ପିତା ବିଭାଣ୍ଡକ ବୋଲି ଯେବଣ ମହାଋଷି

ସତ୍ୟଯୁଗ ବଞ୍ଚିଲା ନିରାଶ ଉପବାସୀ ।୩୧।

ତ୍ରେତୟା ଯୁଗ ତିନିଲକ୍ଷ ବରଷ ପରିଯନ୍ତେ

ଉପବାସେ ବସିଲେ ସେ ନିରାଶୀ କାଳ ୟେତେ ।୩୨।

ରଜନୀ ପ୍ରଭାତେ ନିରଞ୍ଜନ ହୋଇବ ପରସନ

ବସିବ ଅମର ସ୍ଵର୍ଗେ ଇନ୍ଦ୍ରପଦେ ବିଭାଣ୍ଡକ ମହାମୁନ୍ୟ ।୩୩।

ଅଭିମାନେ ବାସବର ଘେନିବ ଇନ୍ଦ୍ରପଦ

ୟେସନକ ବାରତା ଯାଇଂ କହିଲେ ନାରଦ ।୩୪।

ଧାତିକାରେ ନାରଦ ଯାଇଂ କହିଲେ ବାସବ ଦେବତାଂକୁ

ବିଭାଣ୍ଡକ ମହାଋଷି ପ୍ରମାଦ ଚିନ୍ତିଲାକ ତୁକୁ ।୩୫।

ନିରଞ୍ଜନ ପ୍ରସନ୍ନେ ସେ ଅମର ସ୍ଵର୍ଗ ଘେନି

କାଲି ପାଞ୍ଚଘଡିମାନେ ଇନ୍ଦ୍ରପଦେ ବସିବ ବିଭାଣ୍ଡେକ ମହାମୁନି ।୩୬।

ନାରଦଂକ ମୁଖରୁ ସେ ନିରାଧାର ବାକ୍ୟ ଶୁଣି

ବିରସ ହୋଇଣ ଯେ ବସିଲା ଦେବ ବଜ୍ରପାଣି ।୩୭।

ଅସକନ୍ଦା ନାମେଣ ଯେ ୟେକଇ ଅପକ୍ଷରୀ

ତାହାକଇଂ ହକାରିତେ ବୋଇଲେ ବଜ୍ରଧାରୀ ।୩୮।

ତୁ ଆରେ ସୁନ୍ଦରୀ ରଖ ମୋହର ଅମର

ବିଭାଣ୍ଡକ ଋଷିର ତୁ ତପ ଭଗ୍ନକର ।୩୯।

ନିଷ୍ଠୁର ଆଗ୍ୟାଂ ଯହୁଂ ଦିଲେକ ଦେବରାଜ

ଋଷିର ଆଶ୍ରମକୁ ଅପକ୍ଷରୀ ହୋଇଲାକ ସଜ ।୪୦।

ବିବିଧ ବେସ ବେସନ ଅଳଙ୍କାର ଘେନି

ତୁଲେଣ ମୟାଣ ବସନ୍ତ ମଳୟା ନୀଳ ତିନି ।୪୧।

ସୁରନାଥ ର ବଚନେ ଚଳଇ ଅସ୍କନ୍ଦା

ବିଭାଣ୍ଡକ ଆଶ୍ରମେ ମିଳି ମତ୍ତବୃନ୍ଦା ।।୪୨।

ଅନେକ ମଧୁର ଇସ ଗାୟନେ ସେ ମୋହିଲା ମୁନିଂକି

ଢଳିଲେ ମହାତମା ସେ କନ୍ୟାର ରୂପ ଦେଖି ।୪୩।

ଛାଡିଲେ ତପମୁନି ବଢିଲା ମହାଶ୍ରମ

ମହାକଷଣ ଦେବ ପୀଡିଲା ତାକୁ କାମ ।୪୪।

ଭାଞ୍ଜିଲା ସାଷ୍ଟାମ ଯେ ମହାତ୍ମାର ତେଜ

ଢଳିଲା ଅମୋହ ରେତ ପଡିଲାକ ବୀର୍ଯ ।୪୫।

ଉପଭଗ୍ନ ହୋଇ ମହାତମା ତହୁଂ ଉଠି

ବାମକରେ ଧଇଲେ ମୁନି ଅମୋହ ରେତ ଫୁଟି ।୪୬।

ଗଙ୍ଗା ଭିତରକୁ ତାହା ଦିଲେକ ପକାଇ

ଶୁଦ୍ଧ ସଷ୍ଟିକ ପ୍ରାୟେ ସେ ଜଳରେ ଉପୁଚିଆଇ ।୪୭।

ଅସକନ୍ଦା ନାମେଣ ସେ ୟେକଇ ମୃଗୁଣୀ

ତୃଷାରେ ଅଇଲା ସେ ପିଇବାକଇଂ ପାଣି ।୪୮।

ଋଷିରେ ରେତ ଯେ ପଡ଼ିଲା ତାର ଗର୍ଭେ

କୁମାରେକ ପ୍ରାପତ ହୋଇଲା ୟେସନେକ ଭାବେ ।୪୯।

ସଇନ୍ଦୁ ଜାତ ଯେ ହୋଇଲା ବାଳଯତି

ମନୁଷ୍ୟ ଶରୀର ମୃଗର ମୁଣ୍ଡଗୋଟି ।୫୦।

ବିଭଳିତ ଆତ୍ମା ଶରୀର ତାର ଧେଖି

ସେ ମୃଗୁଣୀ ନନ୍ଦନକୁ ଗଲା ଯେ ଉପେଖି ।୫୧।

ବିଭାଣ୍ଡକ ଦେଖିଲେ କୁମାର ବାଳଯତି

ଧ୍ୟାନେଣ ଜାଣିଲେ ସେ ଆମ୍ଭର ସନ୍ତତି ।୫୨।

ଅତି ଯତ୍ନକରି ତାହା ପାଳିଲେ ବ୍ରହ୍ମବେତ୍ତା

କ୍ଷୀର ବିହୁନେ ନନ୍ଦନ ପାଇଲା ଅବସ୍ଥା ।୫୩।

ବିଭାଣ୍ଡକ କୋପକଲେ ଇନ୍ଦ୍ର ଦେବତାକୁ

ଦୁଖେ ଅର୍ଜିଲାର ତପଭଗ୍ନ କଲୁରେ ମୁକୁ ।୫୪।

କର୍ମେ ପ୍ରାପତ ହୋଇଲା ବାଳଖିଳା ପୁତ୍ରଗୋଟି

କେମନ୍ତେ ବ୍ରତିବ ୟେହାକୁ ନାହିଂ କ୍ଷୀର ଫୁଟି ।୫୫।

ଯେତେବେଳେ ନନ୍ଦନ ଲୋଡଇ ମୋର କ୍ଷୀର

ବହନେ ଜଳ ବୃଷ୍ଟି କରିବୁ ସୁରେଶ୍ଵର ।୫୬।

ପାଣି ନ ବରଷିଲେ ତୁ ୟେ ପୁତ୍ରର କୋପେ

ଅମର ଦଷନ ହୋଇବଟି ୟେ ପୁତ୍ରର ଶାପେ ।୫୭।

ଶୁଣ ହୋ ଲକ୍ଷେରାଜା ବଦନ୍ତି ପାରେଶ୍ଵର

ଅମର ଭୁବନ କମ୍ପଇ ଯେବଣ ବାଳପୁତ୍ର କୋପଭର ।୫୮।

ଯେବଣ ଦେଶର ଇନ୍ଦ୍ର ନ କରଇ ଜଳବୃଷ୍ଟି

ୟେ ମହାତ୍ମାର ଗଲେ ଶୁଭେ ହୁଅଇ ସୁବୃଷ୍ଟି ।୫୯।

ୟେ ସେ ଋଷ୍ୟଶୃଙ୍ଗ ହୋ ପୁଚ୍ଛାକଲେ ଯାହା

ଶୁଣିଣ ପୂଜା କଲେ ସମସ୍ତ ନରନାହା ।୬୦।

ଋଷ୍ୟଶୃଙ୍ଗ ଵିଜେ କଲେ ଯୁଝେଷ୍ଠି ଦେବଂକ ଅଗ୍ରତେ

ପାଦାଅର୍ଘ୍ୟ ଦେଇ ତାହାନ୍ତ ବସାଇଲେ ଧର୍ମ ସୁତେ ।।୬୧।

ଶୁଣସି ହୋ ଚଇତନ କହନ୍ତି ନିଜ ଆତ୍ମା

ସଞ୍ଚପି ପୁଚ୍ଛାକଲୁ ଯାହା ରଜୁସି ଯାଗର ମହିମାଂ ।୬୨।

ଅଗାଦ ସମୁଦ୍ର ୟେ ସାହେର ବାଲି ଜାଣି

କାହାର ଶକ୍ୟ ବଳେ ୟର ପାରିବାକ ଗଣି ।୬୩।

ବହୁତ ମହିମାଂ ୟେ ନସରଇ କହନ୍ତେ

ପାଇବ ପରମ ଗତି ମହାଭରଥ ଶୁଣନ୍ତେ ।୬୪।

ନିତ୍ୟକର୍ମ ବିଧାନେ ରହିଲେ ସର୍ବଦେବା

ଦ୍ଵାଦଶ ଦିବସେ ୟେମନ୍ତେ ହୋଇଲା ରାଜୁସି ଯାଗ ସଭା ।୬୫।

ପୂର୍ଣ୍ଣ ଆହୁତିକି ମୁନି ଘେନିଲେ ଅନୁକୁଳ

ଳକ୍ଷେକ ଘୃତକୁମ୍ଭ ଥାପିଲେ ମନ୍ତ୍ରବଳ ।୬୬।

ଲକ୍ଷେ କୁମ୍ଭ ବସିଅଛି ଆହୂତି କୁଣ୍ଡ ବେଢି

ମହାମନ୍ତ୍ରେ ତୋଳିଲେ ତା ପାରେଶ୍ଵର ବହ୍ମଚାରୀ ।୬୭।

ବ୍ୟାସେ କହିଲେ ଯେ ଜଗନ୍ନାଥଂକ ପାଶେ

ଲକ୍ଷେକୁମ୍ଭ ଢଳଇ ସେ ଜୁଝେଷ୍ଠିଂକ ଛଡ ନିଶ୍ଵାସେ ।୬୮।

ସନ୍ତେକ ଜାଣୀମା ପଣ୍ଡୁର ଯେ ବ୍ରହ୍ମହତ୍ୟା ଦୋଷ ପାରଗଲା

ମହାମନ୍ତ୍ର ବାକ୍ୟେ ତାହା ଋଷି ଉଦ୍ଧାଳେକ କହିଲା ।୬୯।

ଚିନ୍ତିଲା ବ୍ରହ୍ମାଧାତୁ ଘଟ ଯୋଗେଣ ପଞ୍ଚୁଆତ୍ମା ।୭୦।

ଯୁଝେଷ୍ଠିଂକ ସନ୍ନିଧ୍ୟେ ପ୍ରବେଶ ପୁରୋହିତ ଧଉମ୍ୟେ

ଜଳଉଦେକ ଜୁଝେଷ୍ଠିଂକି କରାବନ୍ତି ନିତ୍ୟକର୍ମେ ।୭୧।

ଆକାଶଗଙ୍ଗା ବୋଲି ଯେବଣ ୟେକ ନଦୀ

ମେରୁ ମେଖଳୁଂ ସେ ତ୍ରିବେଣୀ ଈଶାନେ ଭେଦୀ ।୭୨।

ଅନ୍ତର ଭୂମିରେ ସେ ଯାଇଂ କରନ୍ତି ପ୍ରକୁତି ଶଂକା

ଦ୍ଵାଦଶ ଅଙ୍ଗୁଳ ସେ କନେଷ୍ଠ ମୃତ୍ତିକା ।୭୩।

ଉତ୍ତର ତୀର ଘାଟେ ଶଉଚନ୍ତେ ପାଣି

ଗୋପାଳ ପୁତ୍ରମାନେ ଯୋଗାଉଛନ୍ତି ଆଣି ।୭୪।

ସ୍ନାହାନ ସନ୍ଧ୍ୟା ନିତ୍ୟକର୍ମ ସାରିଣ ଧଉମ୍ୟ ପୁରୋହିତେ

ଯୁଝେଷ୍ଠି ଦେବଂକୁ ନିତ୍ୟକର୍ମ କରାଇଲେ ଋଷି ସମସ୍ତେ ।୭୫।

ଯୁଝେଷ୍ଠିଂକ ଛଡ ନିଶ୍ଵାସେ ଢଳିଲା ଲକ୍ଷେ ଆହୁତି

ୟେକା ଘଟେକ ନ ଟଳି ରାହିଲା ନିଭ୍ରାନ୍ତି ।୭୬।

ଦେଖିଣ ଆଶ୍ରିଜ ହୋଇଲେ ଯେ ବ୍ୟାସ ମହାତମା

ଶାହାସ୍ର ପୋଥି ବିଚାରି ଜାଣି ଶୁକ୍ରବ୍ରହ୍ମା ।୭୭।

ବ୍ୟାସଂକର ବଦନ ଚାହିଂଣ ବଦନ୍ତ ଜଗନ୍ନାଥେ

କୁମ୍ଭେକ ନ ଟଳିଲା ମୁନି ରହିଲା କେମନ୍ତେ ।୭୮।

ନାରାୟଣଂକ ଅଗ୍ରତେ କହିଲେ ନାରଦ ମହାମୁନି

କୁମ୍ଭେକ ନ ଠଳିଲା ଆମ୍ଭେ ସନ୍ଦେଶ ଅଛୁଂ ଘେନି ।୭୯।

ନାରଦେ କହିଲେ ହରି ହେ ନ ଅଇଲା ରାଜୟେ

ସେ ଘେନି ଣ ଟଳିଲା ହରି ରହିଲା ଘଟ ଯେ ଗୋଟିୟେ ।୮୦।

ଶୁଣିଣ ବଡ ବିରସ ହୋଇଲେ ଦେବ ଯେ ଅଚ୍ୟୁତ

କେବଣ ନୃପତି ନିହାଇ କରଇ ଆଗତ ।୮୧।

ବ୍ୟାସେ ବୋଇଲେ ତୁମ୍ଭେ ଶୁଣିମା ଦେବହରି

ପାତଳ ସ୍ଵର୍ଗେ ଦେବ ବାସୁକୀ ଅଧିକାରୀ ।୮୨।

ପଣ୍ଡୁରାଜା ଯେ ଯମସଭା ତିନିପାବଚ୍ଛ ତଳେ ଥିଲା

ମଧ୍ୟଭୁବନେ ଅନ୍ନଛତ୍ର ଦିଅନ୍ତେ ପାବଚ୍ଛେକ ଉଠିଲା ।୮୩।

ନାଗବଳ ଘେନି ଯେବେ ଆସିବ ବାସୁକୀ ନାଗରାଜା

ସେହୁ ଆସି ଷୋଳହ ଦିବସେ କରିବ ପାଦପୂଜା ।୮୪।

ତେବେ ସେ ପଣ୍ଡୁର ବ୍ରହ୍ମହତ୍ୟା ଯିବ କ୍ଷୟେ

ଶୁଣିଣ ବଡ ଆଶ୍ରିଜ ହୋଇଲେ ଦେବ ଧର୍ମରାୟେ ।୮୫।

ଯୁଝେଷ୍ଠିଂକର ବିରସ ଦେଖିଣ ଦେବହରି

ଆଣିମା ନାଗ ରାଜା ପିତୃକାର୍ଯ୍ୟ କରି ।୮୬।

ଯୁଝେଷ୍ଠି ଦେବ ବୋଇଲେ ସେ ବ୍ରହ୍ମାଣ୍ଡ ଧାରଣ

ନବଦ୍ଵୀପ ସପତ ସାଗର ଅଛି ଯାହାର ଫେରୁ ଉପରେଣ ।୮୭।

କେସନେକ ତାହାର ଅସିବାର ସମ୍ପ୍ରତେ କରିବି ମୁହିଂ

ସେ ମହାଭାଗ ମେଦୀନି ଦେବ ଥୋଇବ ପୁଣ କହିଂ ।୮୮।

ଯୁଝେଷ୍ଠି ଦେବଂକ ବଚନେ ବଦୟନ୍ତି ଶ୍ରୀବଚ୍ଛ

ଦ୍ରହସିତ ହୋଇ ଚାହିଂଲେ ବିବତ୍ସର ମୁଖ ।୮୯।

ପାତାଳ ସ୍ଵର୍ଗକୁ ହୋ ତୁ ଯାଅସି ଫାଲଗୁନି

ନାଗବଳ ସହିତେ ବାସୁକୀ ରାଜା ଆସି ଘେନି ।୯୦।

ନାରାୟଣଂକର ୟେସନେକ ଆଗ୍ୟାଂୟେଣ କରି

ଅନେକ ସାନନ୍ଦେ ଯେ ଚଳଇ ଚପଧାରୀ ।୯୧।

ଶୁଣି ବ୍ୟାସେ ପାତିଲେ ଲକ୍ଷେକ ଆହୁତି

ୟେ ବିଧି ମହାବ୍ରହ୍ମ ଟେକିଲେ ଆହୁତି ତଡ଼ତି ।୯୨।

ଚଳଇ ପାର୍ଥୀବ ସେ ତୀକ୍ଷବର ଉତ୍ତମ

ଶ୍ରୀଭୁଜେ ଶୋଭାବନ ଧନୁ ଯେ ଗାଣ୍ଡିମ ।୯୩।

ରଥ ଗଜ ଅଶ୍ଵ ତୁଲେ ନାହିଂ ଯେ ପାଦାନ୍ତି

ୟେକେସରେ ଚଳଇ ସେ ଶାୟନ୍ତନୁର ପଣନାତି ।୯୪।

ହେମବନ୍ତ ଉଦେଗିରି ମଧ୍ୟ ଯେ ନିକଟେ

ତହିଂର ମଧ୍ୟେ ପଡିଅଛି ପାତାଳକୁ ବାଟେ ।୯୫।

ମହାବ୍ରହ୍ମଂକୁ ସେ ହୃଦେଣ କରି ଲୟେ

ଲକ୍ଷେ ଯୋଜନ ପାତାଳେ ପଶିଲା ଧନୁର୍ଜୟେ ।୯୬।

ନାଗମାନେ ଆଶ୍ରିଜ ହୋଇଲେ ତାହାକଇଂ ଦେଖି

ବୋଇଲେ କାହିଂରେ ରେ ମାନବ ଅଇଲୁ ତୋହର ଭୁବନ
ଉପେକ୍ଷି ।୯୭।

ଅର୍ଜୁନ ବୋଇଲେ ତୁମ୍ଭ ରାଜା ସପ୍ତଶାଖା

ମୁହିଂ ତାହାକଇଂ ନିମନ୍ତ୍ରିବି ବହନ ମୋତେ ଦେଖା ।୯୮।

ଚଳି ଯାଆନ୍ତେ ସେ ବୀର ପାଣ୍ଡବ କୀରଟୀ

ଅନନ୍ତ ନାଗରାଜା ବାସୁକୀକୁ ଅର୍ଜୁନ ଯାଇଂ ଭେଟି ।୯୯।

ଦେଖିଣ ସାନନ୍ଦ ସେ ଅନନ୍ତ ନାଗରାଜା

ଅର୍ଜୁନକୁ ବାସୁକି କରଇ ଦିବ୍ୟପୂଜା ।୧୦୦।

ଅନେକ ପୁରୁଷାର୍ଥ ଯେ କଲାକ ବାସୁକୀ

ପୁରେ ଉତ୍ସବ କରାଇଲା ସେ ଅର୍ଜୁନକୁ ଦେଖି ।୧୦୧।

ଅନେକ ସକୁଟୁମ୍ବ ଘେନିଣ ନାଗ ଅନନ୍ତ

ଅନେକ ବିନୋୟୀ ସେ ଅର୍ଜୁନେ ହୋଇଲେ ଭଗତ ।୧୦୨।

ଅନନ୍ତ ପଚାରଇ ବାବୁ ଶୁଣରେ ଫାଲଗୁନି

ତୋତେ ଦେଖି ନିର୍ମଳ ହୋଇଲା ଚର୍ମ ଆଖି ଜୀବନ ମୋର ଧନି ।୧୦୩।

ମୋତେ ଅନୁଗ୍ରହ କିକଲୁ ହୋ ଧନୁର୍ଜୟେ

କେଉଂଣ କାରେଣ ମୋହର ପୁରକୁ ବିଜୟେ ।୧୦୪।

ଅର୍ଜୁନ ବୋଇଲା ତାତ ସାବଧନେ ଶୁଣ

ମୋତେ ରାଇ ଆଗ୍ୟାଂ ଦିଲେ ଦେବ ନାରୟଣ ।୧୦୫।

ରାଜୁସି ଯାଗ ସ୍ଵାମୀ କରନ୍ତି ଧର୍ମସୁତେ

ମୁହିଂ ଅଇଲି ତୋତେ ନେମାର ନିମନ୍ତେ ।୧୦୬।

ବହନ ଆସ ତାତ ଯିବା ମଧ୍ୟପୁରେ

ନାଗବଳ ଘେନି ତୁମ୍ଭେ ଥିବ ଷୋଳଦିନ ରାଜୁସି ଯାଗ ସଭାରେ ।୧୦୭।

ଅନନ୍ତ ହାସ୍ୟ କଲା ଅର୍ଜୁନ ବଚନ ଶୁଣି

ମୋହର କଥାକି ନ ଜାଣନ୍ତି ଦେବ ଚକ୍ରପାଣି ।୧୦୮।

ନବଦ୍ଵୀପ ସପତ ସାଗର ଚାରିଖାନି ଚଉରାଶି ଲକ୍ଷ ଜୀବଜନ୍ତୁ

ମୋହର ପିଠିରେ ସେ ସବୁରି ବ୍ରତ ହେତୁ ।୧୦୯।

ଆହୋ ଅଚଳାଚଳ ମେଦିନୀ ମହାଭରୁ

ମୁହିଂ ସେ ସମ୍ଭାଳିଣ ଅଛି ୟେଡ଼େ ବଡ଼ ମହାଗୁରୁ ।୧୧୦।

ଅନେକ ଲକ୍ଷ ଯେ ଗିରି ଡିଙ୍ଗର ପରବତ

ମୋହର ଅସମ୍ଭାଳେ ସମସ୍ତ ହୋଇବ ରାସାଙ୍ଗତ ।୧୧୧।

ଅନନ୍ତର ବଚନେ ଅର୍ଜୁନ ବିଚାରି

ଯାଅ ଯାଅ ବୋଲି ଆଗ୍ୟାଂ ମୋତେ ଦିଲେ ଦେବ ହରି ।୧୧୨।

ମୁହିଂ ବିଚାର ଯେ କଲଇଂ ୟେମନ୍ତେ

ୟେଡ଼େ ମହାଭାରା ବହିଅଛି ୟେହାର ମାଥ ।୧୧୩।

ନ ନେଇ କେମନ୍ତେ ମୁଂ ଯିବଇଂ ବାହୁଡି

ନିଶ୍ଚୟେ କୋପ ମତେ କରିବେ ଦେବହରି ।୧୧୪।

ପ୍ରତଗ୍ୟାଂ ବହଇ ମୋର ନାମ ଧନୁର୍ଜୟେ

ତ୍ରଇଲୋକ୍ୟ ନାମେ ମୁହିଂ ବହିଲି ବିଜୟେ ।୧୧୫।

ନ ଜିଣିଲେ ନ ବାହୁଡଇ ୟେସନ ମୋହର ବିରଧୂ

ହାରିଲେ ପ୍ରତଗ୍ୟାଂ ମୋହର ହୋଇଲା ଅସାଧୁ ।୧୧୬।

ସଭାର ମଧ୍ୟେ ମୋତେ ଶୁଭୁଅଛି ଧନି ଧନି

ଅର୍ଜୁନ ଆସିବ ୟେହିକ୍ଷଣି ନାଗବଳ ଘେନି ।୧୧୭।

ଦୁଷ୍ଟ ଦ୍ରପିଷ୍ଠ ରାଜାୟେ ଅଛନ୍ତି ମହାଦ୍ଵନ୍ଦୀ

ବାସୁକୀ ନ ଗଲେ ହୋଇବି ମୁହିଂ ନିନ୍ଦି ।୧୧୮।

ବିଚାରି ବୋଇଲା ତୁମ୍ଭେ ଯିବ ନା ହସ୍ତିନାକୁ

ଅନନ୍ତ ବୋଇଲା ମୁଂ ଭାରାଦେବଇଂ କାହାକୁ ।୧୨୯।

କିମ୍ପାଇଂ ହୁଡିଲୁ ହୋଇଣ ୟେଡେ ବଡ ପଣ୍ଡିତ

ପୃଥିବୀ ସଞ୍ଚୟେ ହୋଇବ ରାସଂଗତ ।୧୨୦।

ଅର୍ଜୁନ ବୋଇଲା ତୁ ପୃଥୀ ଛାଡ ନାଗରାଜା

ମୁହିଂ ପୃଥୀ ଧରିବଇଂ ତୁ ବହନ ହୋଇ ଯା ଯା ।୧୨୧।

ଅର୍ଜୁନ ବଚନେ ସେ ଚତୁର୍ଦ୍ଦଶ ଆଖି

ଶୁଣିଣ ବିସାଦ ଯେ ହୋଇଲା ବାସୁକୀ ।୧୨୨।

ଆହୋ ପନ୍ନଗା ନାରାୟଣ ମୁହିଂ ଅନନ୍ତ ଅବତାର

ମୋତେହେଂ ଅସମ୍ଭବ ୟେ ଅଟଇ ମହାଭାର ।୧୨୩।

ବାସୁକୀ ବୋଇଲା ବାବୁ ଗ୍ୟାନ ତୋହର ନାହିଂ

ୟେଡେ ବଡ ଗର୍ବ ବହିଲୁ ତୁ ମାନବ ଜନ୍ମ ବହି ।୧୨୪।

ୟେ ମହାଭାରା ଯେ ଦେବଣ ଅଗୋଚର

ଯେବଣ ଭାରା ସହି ନୁଆରିଲା ମେରୁ ଯେ ମନ୍ଦର ।୧୨୫।

ଅର୍ଜୁନ ବୋଇଲା ତୁ କିଛିହିଂ ନ ଭାଳ

ଧରିବି ବସୁନ୍ଧରୀ ତୁ ଛାଡ ହୋ ମହାବ୍ୟାଳ ।୧୨୬।

ଅର୍ଜୁନ ବଚନ ଶୁଣି ସେ ଅନନ୍ତ ମହାବୀର

ବୋଇଲା ଦେଖିବା କେମନ୍ତେ ବହିବୁ ତୁ ଅଚଳ ମହାଭାର ।୧୨୭।

ୟେସନେକ ବଚନେ ସେ ପାର୍ଥୀବ ଯୋଗେଶ୍ଵର

ମହାଭଇରୋବ ମୃର୍ତ୍ତି ସେ ହୋଇଲା ଅବତାର ।୧୨୮।

ୟେକେ ପାଦ ପୃଥିବୀର ଆରେକ ପାଦ ଆଣ୍ଠର ଉପର

ମହା ତେଜମୃର୍ତ୍ତି ସେ ଧଇଲା ଧନୁର୍ଦ୍ଧରେ ।୧୨୯।

ଧନୁହୁଳେ ଦିଲା ନେଇଂ ଡାହାଣ ଜାନୁ

ଆରେକ ହୁଳ ଲଗାଇଲା ମଧ୍ୟ ଯେ ଭୁବନୁ ।୧୩୦।

ଧନୁ ହୁଳେକ ଆଣ୍ଠୁରେ ଆରେକ ହୁଳ ପୃଥିବୀ

ବହିଲା ମହାଭାରା ପାଥ ମୂରତି ବଇଷ୍ଣବୀ ।୧୩୧।

ଛାଡ ହୋ ଅନନ୍ତ ୟେବେ ବୋଲି ବୋଇଲା ଫାଲଗୁନି

କାଢ଼ସି ତୋହର ଫେରୁ ମୁଂ ଧଇଲି ମେଦିନୀ ।୧୩୨।

ଅର୍ଜୁନ ବୋଇଲୁ ତୁ କହିଲୁ ଦୁସହଇ

ନବଦୀପ ସପତ ସାଗର କାହିଂ ଧନୁହୁଳେ ରହି ।୧୩୩।

ଯଦ୍ୟପି ଫେରୁ ମୁହିଂ ଖସାଇବି କାଢ଼ି

ତୋହୋର ଉପରେ ପୃଥିବୀ ପଡିବଇଂ ମାଡ଼ି ।୧୩୪।

ଅର୍ଜୁନ ବୋଇଲେ ତୁ ୟେମନ୍ତେ କିମ୍ପେ କହି

ଛାଡୁକିନା ପୃଥିବୀ କେମନ୍ତେ ନ ରହି ।୧୩୫।

ନିଷ୍ଠୁର ବଚନେ ଫେରୁ କାଢ଼ିଲା ଅନନ୍ତ

ନିଶ୍ଚଳେ ଧନୁହୁଳେ ପୃଥି ଧଇଲା ବୀର ପାଥ ।୧୩୬।

ଅଳପ ଅଳପ କରି ବାସୁକୀ କାଢ଼ିଲା ଅଚଳ

ଦେଖିଲା ନାଗରାଜା ପୃଥୀ ରହିଲା ଧନୁହୁଳ ।୧୩୭।

ଶୁଣ ହୋ ଚଇତନ ଅର୍ଜୁନର ମହିମାଂ

ଆକାଶେ ସାଧୁ ସାଧୁ କଲେ ବେଦବ୍ରହ୍ମା ।୧୩୮।

ଦେଖିଣ ଆଶ୍ରିଜ ଯେ ହୋଇଲା ନାଗବଳେ

ଅବହେଳେ ମେଦିନୀ ପାଥ ଧଇଲେ ଧନୁହୁଳେ ।୧୩୯।

ନିଶ୍ଚଳ ହୋଇ ରହିଲା ଯେ ନବଦ୍ଵୀପ ସପତ ସାଗର

ଚାରିଖାନି ଚଉରାଶି ଲକ୍ଷ ଜୀବଜନ୍ତୁ କୀଟ ପତଙ୍ଗ ସ୍ଥାବର ।୧୪୦।

ନବଦ୍ଵୀପ ସପତ ସାଗର ଯେତେକ ଜୀବଜନ୍ତୁ

ସମସ୍ତେ ରହିଲେ ଯେ ଯାହାର ବ୍ରତ ହେତୁ ।୧୪୧।

ଅନେକ ସାନନ୍ଦ ଯେ ହୋଇଲା ମହାବ୍ୟାଳ

ଅର୍ଜୁନ କଣ୍ଠେ ନେଇ ଦିଲେ ଜୟମାଳ ।୧୪୨।

ବୋଇଲା ପ୍ରତକ୍ଷେ ଅଟୁ ତୁ ହୋ ନାରାୟଣ ମୃତ୍ତି

ଅନନ୍ତ ବାସୁଦେବ ରୂପେ ଧରିଅଛୁ ପୃଥ୍ଵୀ ।୧୪୩।

ସଞ୍ଚୟେ ଅର୍ଜୁନ ଯେ ଅନନ୍ତ ଅବତାର

ବାବୁ ଯେତେମାନେ ପାର ୟେହାର ଶ୍ରୀ ପୟରେ ସେବା କର ।୧୪୪।

ଦେଖି ଆଶ୍ରିଜ ହୋଇଲେ ନାଗବଳମାନେ

ଯାଅ ଯାଅ ନାଗରାଜା ଘେନିଣ ତୋହର ନାଗସନ୍ୟେ ।୧୪୫।

ଅନନ୍ତ ବୋଇଲା ବାବୁ ୟେ ମହାଭାରା ଦେଇ ତୋତେ

ଦେଖିଣ ଆଶ୍ରିଜ ହୋଇଲି ମୁଂ ନ ଯିବି କେମନ୍ତେ ।୧୪୬।

ବାସୁକୀ ନାମେଣ ଯେ ନାଗରାଜାର ବଲ୍ଲଭୀ

ତାହାର ନନ୍ଦନୀ ନାମେ ସନ୍ଧ୍ୟାବାଳୀ ଦେବୀ ।୧୪୭।

ସନ୍ନିଧ୍ୟେଣ ଅନନ୍ତ ହକାରି ଦୁହିତାକୁ

ମା ଗୋ ତୁହି ସେବା କରିଥିବୁ ଅର୍ଜୁନ ଦେବତାଂକୁ ।୧୪୮।

ମୁହିଂ ମହାଭାର ଦେଇ ଯାଉଅଛି ୟେହାଂକ ଗୋଚରେ

ତୁ ଦିବାରାତ୍ର ଖଟିଥିବୁ ୟେହାଂକ ପୟରେ ।୧୪୯।

ସୁସଞ୍ଚ ଜଳ ଘେନି ପଖାଳିବୁ ୟେହାଂକର କାୟେ

ଝୀନ ବସନଗୋଟି ପିନ୍ଧାଇବୁ ମୋର ମୟେ ।୧୫୦।

କସ୍ତୁରୀ ଗନ୍ଧ ଚନ୍ଦନ ତୁ ଲେପନ କରିବୁ ଶରୀରେ

ଅନେକ ସୁଗନ୍ଧ ସଞ୍ଚ କୁସୁମ ସାଞ୍ଜୋଇବୁ କେଶରେ ।୧୫୧।

ଅମୃତ ଯୋଗାଡ଼ ମାଗୋ ଦେଉଥିବୁ ରନ୍ଧନ କରି

ଆଂଚୋବନ କରାଇବୁ ଆପଣକରେ ଧରି ।୧୫୨।

ମାଗୋ ଯେସନେକେ ସ୍ଵାମୀ କି ଖଟଇ ଭାରିଜା

ସେହି ମତି କରି ଖଟିବୁ ଗୋ ସମସ୍ତ କରି ପରିତେଜ୍ୟା ।୧୫୩।

ମାଗୋ ଯଦ୍ୟପି ଭାରା ପାଇବ ଅର୍ଜୁନ

ଆପଣେ ପୃଥ୍ଵୀ ଧରିବୁଟି ତୋହର ତୋଷ ମନ ।୧୫୪।

ମାଗୋ ଯେମନ୍ତେ ବିରସ ନ ହୋଇ ସର୍ବସାଚୀ

ନ ପୁଣ ମାତା ଗୋ କରାଉ ମୋତେ ବାଚୀ ।୧୫୫।

ବାବୁ ଦଶଦୋଷ ଅପ୍ରାଧ ନ ଧରିବୁ କିରୀଟୀ

ତୋହର ଚରଣ ତଳେ ଖଟିଥିବ ମୋର ଦୁହିତା ଗୋଟି ।୧୫୬।

ଅର୍ଜୁନ ବୋଇଲା ତୋର ନ ଥାଇ କିନା ଦୁହିତା

ନାଗବଳ ଘେନି ତୁ ହୋ ବହନ କର ଗମିତା ।୧୫୭।

ଯେତେକ ନାଗବଳ ଅଛନ୍ତି ତୋର ପୁରେ

ବାଳୁତ ବୃଦ୍ଧ ସବୁନ୍ତି ଘେନିଣ ଯାଅ ତୋହର ସଙ୍ଗରେ ।୧୫୮।

ଅର୍ଜୁନ ର ଆଗ୍ୟାଂୟେ ସମସ୍ତ ନାଗବୀରେ

ସମଦଣ୍ଡ ଘେନି ସେ ବାହାର ବିମ୍ବର ଦ୍ଵାରେ ।୧୫୯।

ସହସ୍ର ଫଣା ସତେକ ଫଣା ନଗଂକର ଶୀରେ

ପାତାଳୁଂ ବହାର ହୋଇ ଉଭାରିଲେ ମଧ୍ୟେପୁରେ ।୧୬୦।

ଦେଖିଣ ତ୍ରାସ ପାଇଲେ ସକଳ ମନୁଷ୍ୟେ

କାଳ ଗରଳ ତେଜ ଝଲକନ୍ତି ଆକେଶେ ।୧୬୧।

ସାନନ୍ଦେ ଉଡଙ୍ଗ ବଳ ଧାଇଂଛନ୍ତି ଗର୍ଜି

ଅନେକ ବନ କନ୍ଦରମାନ ପଡୁଅଛି ଭାଜି ।୧୬୨।

ଅର୍ଜୁନଂକୁ ଅନେକ ବିନୋୟୀ ହୋଇ ଖଟଇ ନାଗେଣୀ

ସମସ୍ତ ପରିତେଜ୍ୟା ଦାସୀ ଭୃତ୍ୟ ଜାଣି ।୧୬୩।

ପ୍ରଭାତେ ସ୍ରାହାନ ସନ୍ଧ୍ୟା ହାଦେ ଯେ କରାଇ

ଅନେକ ଅଳଂକାର ଶରୀରେ ଆଭରଣ କଲା ନେଇ ।୧୬୪।

ଅମୃତ ଯୋଗାଡମାନ ସେ ଦେଉଥାଇ ପାଞ୍ଚି

ଭାବେଣ ଭୋଜନ ତାହାକରଇ ସର୍ବସାଚୀ ।୧୬୫।

ଯେସନେକ ଶୋଭାବନ ପାଷାଣ ଦେବତା

ପୂଜା ବିଧାନେ ଯେସନେ ଖଟଇ ବିଦୁଗ୍ୟାଂତା ।୧୬୬।

ତେସନେକ ଭଗତେ ଖଟଇ ସନ୍ଧ୍ୟାବାଳୀ

ଭୃତ୍ୟର ଭୃତ୍ୟେ ପ୍ରାୟେ ହୋଇଣ ସେ ଖଟଇ ଅଗୁଳି ।୧୬୭।

ସମଦଣ୍ଡେ ଉଡଙ୍ଗ ବଳେ ଚଳନ୍ତି ହରଷେ

ଚତୁର୍ଦିବସ ମଧ୍ୟେ ଯାଇଂ ହୋଇଲେ ପ୍ରବେଶ ।୧୬୮।

ଦେଶାଉରେ ବାରତା କହିଲେ ପଚ୍ଛିମ ଦ୍ଵାରେ

ସ୍ଵାମୀ ଅନନ୍ତ ବିଜେକଲେ ଆସି ଇନ୍ଦ୍ର ପ୍ରଶସ୍ତରେ ।୧୬୯।

ଶାମ୍ବକୁମର କହିଲା କାଳୀଞ୍ଜନ ଡଗରକୁ

ବାସୁକୀ ଅଇଲା ଜଣାଅ ଭୀମସେନ ଠାକୁରଂକୁ ।୧୭୦।

କାଳୀଞ୍ଜନ ଜାଣାଇଲା ବ୍ରିକୋଦର ଠାକୁରଂକ ଆଗେ

ସ୍ଵାମୀ ବାସୁକୀ ବିଜେକଲା ନାଗବଳ ସଙ୍ଗେ ।୧୭୧।

ଭୀମସେନ ଜଣାଇଲେ ଅନନ୍ତ ପଢିହାରୀ

ବାସୁକୀ ନାଗରାଜା ଅଇଲା ବିଜେ କରି ।୧୭୨।

ଶୁଣିଣ ସାନନ୍ଦ ଯେ ଦେବ ଦଇତାରୀ

ଯୁଝେଷ୍ଠି ଦେବଂକ ଛାମୁରେ ଜଣାଇଲେ ଶିଘ୍ରେ କରି ।୧୭୩।

ସ୍ଵାମୀ ନାଗବଳ ମାନନ୍ତ ଘେନିଣ ବିଜୟୀ ଅନନ୍ତେ

ଅର୍ଜୁନ ଗଲା ଯେ ପାତାଳ ନିମନ୍ତ୍ରେ ।୧୭୪।

ଯୁଝେଷ୍ଠି ଦେବେ ଆଗ୍ୟାଂଦେଲେ ଆସୁ ବେଗହୋଇ

ଆଗ୍ୟାଂୟେଣ ବିଜୟୀ କଲେକ ଜଗୁସାଇଂ ।୧୭୫।

ଦ୍ଵାରେ ନାରାୟଣ ସ୍ଵାମୀ କଲେ ଯାଇଂ ବିଜେ

ବାରୁଣାବନ୍ତ ପର୍ବତେ ଯହୁଂ ବିଜୟେ ଦେବରାଜ ।୧୭୬।

ଗିରିଶିଖରେ ଯାଇଂ ଦେଖନ୍ତି ବନମାଳୀ

ଶଙ୍ଖପଦ୍ମ ଗୋକ୍ଷୀରେ ନୀଳବର୍ଣ୍ଣ ନାଗ ମହାବଳୀ ।୧୭୭।

ପଞ୍ଚବିଂଶ ଲକ୍ଷ ଭାର ଯେ ନାଗବଳ କାନ୍ଧେ

ମହୀ ହାନ୍ଦୋଳ ହୋଇଅଛି ନାଗକର ଫୁ ଫୁ ତାରନାଦେ ।୧୭୮।

ନାଗବଳ ସନ୍ୟଂକର ଯହୁଂ ଦେଖିଲେ ମୂରତି

ଖଗେଶ୍ଵରକୁ ସୁମରଣା କଲେକ ଶ୍ରୀପତି ।୧୭୯।

ବିନତାର ନନ୍ଦନ ସନ୍ନିଧ୍ୟେ ଯାଇଂଭେଟି

ବିଜେ ଜଗମୋହନ ବଇନେତ୍ର ପିଠି ।୧୮୦।

ଯହୁଂ ବିକାଶିଲା ତହିଂ ଖଗେଶ୍ଵର ରୂପ

ଦେଖିଣ ଫଣି ବଳଂକର ଭାଞ୍ଜିଲାକ ଗୁରୁ ଦର୍ପ ।୧୮୧।

ଅନେକ ଭୀଷ୍ମମୃତ୍ତି ନାଗବଳ ହୋଇଥିଲେ

ଗରୁଡ ଦେଖି ସମସ୍ତେ କିଂକର ହୋଇଲେ ।୧୮୨।

ନାଗବଳନ୍ତ ଘେନିଣ ବିଜୟେ ବାସୁକୀ

ପ୍ରଳମ୍ବିତ ହୋଇଲା ନାରାୟଣକଇଂ ଦେଖି ।୧୮୩।

ବଇନେତ୍ର ପିଟିରେ ବିଜୟେ ବାସୁଦେବେ

ବହୁତ ବିନୟେ ଅନନ୍ତ ଖଟଇ ପ୍ରିୟଭାବେ ।୧୮୪।

ଗୋବିନ୍ଦେ ବୋଇଲେ ତୁ ଅଇଲୁ ଭଲକଲୁ ବାସୁକୀ

ଅନେକ ପୁଣ୍ୟେ ସେ ଯୁଝେଷ୍ଠି ଦେବଂକୁ ଦେଖି ।୧୮୫।

ଆହୋ ନାଗରାଜ ତୋହର ତହିଂକି ଯେ ଅର୍ଜୁନ ନିମନ୍ତ୍ରେଣ ଗଲା

ତୁହି ତ ଅଇଲୁ ଅର୍ଜୁନ କିଂପେ ନଇଲା ।୧୮୬।

ଅନନ୍ତ ବୋଇଲା ତୁ ଦେବ ଜଗନ୍ନାଥ ଜଗତ ମୋହନ

ଅନେକ ମୃତ୍ତିରେ ତୁ ଦେବ ହେଉ ହାଦେ ଜନ୍ମ ।୧୮୭।

ଯେ ସେ ଅର୍ଜୁନ ଦେବ ପ୍ରତକ୍ଷେ ଅଟୁ ତୁହି

ଧନୁର ହୁଳେ ଅର୍ଜୁନ ପୃଥିବୀ ଅଛି ବହି ।୧୮୮।

ଦେବେଣ ଆଗୋଚର ଦେବ ତାହାର ମହିଂମା

ତୋହର ସଂଚିତେ ଦେବ ତାହର ୟେସନେକ ମହିଂମା ।୧୮୯।

ଅନେକ ମହିଂମା ଯହୁଂ କହିଲା ବାସିକୀ

ଜଗନ୍ନାଥେ ବୋଇଲେ ତୁ ନ କହିବୁ ଯୁଝେଷ୍ଠିଂକି ।୧୯୦।

ଅନେକ ବଇକୁଲ୍ୟ ହୋଇବ ଧର୍ମ ତାହା ଶୁଣି

ବୋଲିବେ ଭାଇକି ମୋର ମାଡି ପଡିବ ଧରଣୀ ।୧୯୧।

ନାଗବଳ ସଇନିନ୍ତ ଘେନି ଅନନ୍ତ ନାଗରାଜା

ଶ୍ରୀ ଜଗନ୍ନାଥଂକ ପାଦପଦ୍ମେ କଲାକ ଅନେକ ପୂଜା ।୧୯୨

ଅନନ୍ତକଇଂ ଘେନିଣ ଚଳନ୍ତି ଜଗତ ମୋହନ

ବିଜୟେ ଜଗନ୍ନାଥ ସଭାର ଆସ୍ତାନ ।୧୯୩।

ଦେଖିଣ କୃତ୍ୟକୃତ୍ୟ ହୋଇଲେ ସକଳହିଂ ନରଇନ୍ଦ୍ର

ନାଗରାଜାକଇଂ ଦେଖିଲୁ ସ୍ଵାମୀଂକି ପ୍ରସାଦେ ।୧୯୪।

ୟେ ନାଗରାଜକୁ ଦେଖନ୍ତୁ ଆମ୍ଭେ କାହିଂ

ଅନେକ କଳ୍ପରୁ ରାଜା ୟେ ଦେଖିଲା ଆମ୍ଭ ନାହିଂ ।୧୯୫।

ମନୁକର୍ମା ଗୋପାଳଂକୁ ବଦୟନ୍ତି ଦାମୋଦର

ନାଗରାଜା ସନ୍ୟଂକୁ ତୁମ୍ଭେ ଯୋଗାଇବ କ୍ଷୀର ।୧୯୬।

କ୍ଷୀରପାନେ ରହିଲେ ସେ ନାଗବଳ ମାନେ

ଗରୁଡଦେଖି ପଳାଇ ଲୋଡନ୍ତି ଅବିଚ୍ଛନ୍ନେ ।୧୯୭।

ଆହୋ ନାଗମାନେ ତୁମ୍ଭେ କିଛିହିଂ ନ ଡର

ଗରୁଡକୁ ଭୟେ ତୁମ୍ଭେ କିଛିଂହି ନ କର ।୧୯୮।

ୟେ ମହାଯଗ୍ୟଂ ଧର୍ମ ରାଜାଂକ ସଭା

କାହାରି ବେଳେ ୟେଥେଂ ଲଘନ୍ତା ନାହିଂରେ ବାବା ।୧୯୯।

ସଭା ନିବର୍ତ୍ତାଇ ଯେ ପବନ ବଳା

କୃତ୍ତାନ୍ତକ ଦେବତାଂକ ଠାରୁ ତାର ତେଜ ଅନର୍ଗଳା ।୨୦୦।

ନର ରାକ୍ଷସ ପିଶାଚ ସର୍ବେ ହୋଇଛନ୍ତି ୟେକ

ଉଗ୍ର ପ୍ରାୟେ କରି କେହି ନ କରନ୍ତି ବାକ୍ୟ ।୨୦୧।

ସୁଖେଣ ଥାଅ ତୁମ୍ଭେ କ୍ରୀଡାରସ କୁତୂହୋଳେ

ପାତାଳହୁଂ ଅଧିକ କରି ସୁଖ ଦେବ ତୁମ୍ଭଂକୁ ଯୁଝେଷ୍ଠିଂକ
ଆଗ୍ୟାଂ ବଳେ ।୨୦୨।

ନାରାୟଣ ଆଗ୍ୟାଂୟେ ସେ ରହିଲେ ନିଭ୍ରାନ୍ତେ

ସୁଖେଣ ବିହରନ୍ତି ସେ ମାନେବଂକର ସଂଗତେ ।୨୦୩।

ଅନନ୍ତ ନାଗରାଜାକଇଂ ଘେନି ଚଳନ୍ତି ଦେବ ହରି

ଯୁଝେଷ୍ଠିଂକ ଛାମୁରେ ନେଇଣ ଉଭାରି ।୨୦୪।

ଶ୍ରୀହସ୍ତେ ଅର୍ଘ୍ୟ ଘେନିଣ ନାଗରାଜା

ଯୁଝେଷ୍ଠି ଦେବଂକ ଚରଣେ କଲେକ ପାଦପୂଜା ।୨୦୫।

ଗୋବିନ୍ଦେ ବୋଇଲେ ସ୍ଵାମୀ ପାତାଳ ସ୍ଵର୍ଗର ୟେ ନାଗରାଜା

ସ୍ଵାମୀଂକର ଶ୍ରୀଚରଣେ ଆସି ଯେ କରଇ ପାଦପୂଜା ।୨୦୬।

ଛାମୁରେ ଅର୍ଘ୍ୟ ଥୋଇଲା ସେ ପାତାଳ ସ୍ଵର୍ଗଗାମୀ

ଯୁଝେଷ୍ଠିଂକ ଚରଣ ତଳେ ହୋଇଲା ପରିଣାମି ୨୦୭।

ଶ୍ରୀକର ଚାଳିଣ ବୋଇଲେ ଉଠ ହୋ ନାଗରାୟେ

ମସ୍ତକେ ହାଥ ଦେଇଣ ସେ ଅନେକ ବିନୟେ ।୨୦୮।

ଲକ୍ଷେକ ଭାର ସୁବର୍ଣ୍ଣ ଦେଖା ଦରଶନୀ

ନାଗବଳ ମାନେ ଭାରକରି କନ୍ଧରେ ଛନ୍ତି ଘେନି ।୨୦୯।

ଭଣ୍ଡାରେ ଥୁଆଇଲେ ନେଇ ସମସ୍ତ ଧନମାନ

ୟେକା ନିମିଷକେ ସରିଲା ଦେଉଂ ଦେଉଂ ଦାନ ।୨୧୦।

ନାଗରାଜାକୁ ଆଗ୍ୟାଂ ହୋଇଲା ସଭାରେ ଯାଇଂ ବସ

ଭୁଜଧରୀ ଆସ୍ତାନେ ବସାଇଲେ ହୃଷିକେଶ ।୨୧୧।

ଆହୁତି ଦିଅନ୍ତି ତହିଂ ପାରେଶ୍ଵରଂକ ତନୟେ

ମହାଅନଳ ଦେବତା ଘୃତେଣ ତୋଷ ହୋୟେ ।୨୧୨।

ଦିଅନ୍ତି ଘୃତ ଆହୁତି ଶ୍ରୋହାରେଣ ତୋଳି

ଆକାଶେ ଉଛୁଳଇ ବହନି ପ୍ରଜ୍ଜ୍ଵଳି।୨୧୩।

ସ୍ରାହାନ ଭୋଜନ ଯେ ଯାହାର ଯେତେ ଇଚ୍ଛା

ଦାନେଣ ତୋଷନ୍ତି ଯେ କରନ୍ତି ଯାହାବାଞ୍ଛା ।୨୧୪।

ଶତ୍ରୁ ମିତ୍ର ଯେ ସମସ୍ତେ ୟେକ ପ୍ରୀତି

ଦାନ ସଙ୍ଗତେ ଯେ ଯାହା ମାଗନ୍ତି ତାହା ପାବନ୍ତି ।୨୧୫।

ଅଗତି ଅମୋକ୍ଷ ଯେତେକ ପିତୃଲୋକମନେ

ସ୍ଵର୍ଗେଣ ବସନ୍ତି ସର୍ବେ ଯଗ୍ୟଂର ଧୂମ୍ରପାନେ ।୨୧୬।

ଅନେକ ସମ୍ପଦେ ଦିଅନ୍ତି ଦାନ ଦକ୍ଷିଣା ଯେ ଧନ

ଦୁଖୀ ଦରଦ୍ର ନାହାନ୍ତି ଅବିକ୍ଷଣେ ଦିଅନ୍ତି ଦାନ ।୨୧୭।

ଆହୋ ଚଇତନ ସତ୍ୟ ତ୍ରତୟା ଦ୍ଵାପର ହାଦେ ଯୁଗ କଳି

ୟେ ଚାରିଯୁଗେ ହୋ ଗଣ୍ଡାୟେକ ବୋଲି ।୨୧୮।

ୟେକସ୍ତରୀ ଗଣ୍ଡାୟେ ମନୁୟେକ ଗଣି

ଚଉଦ ମନୁୟେ ଯେ କଳପେ ବଖାଣି ।୨୧୯।

ସାତ କଳପେ ଯେ ଉହାଳେକ ବୋଲି

ଅଷ୍ଟାଦଶ ଉହାଳେକ ଚନ୍ଦ୍ରେକି ବଖାଣିଲି ।୨୨୦।

ୟେତେକାଳ ଭୋଗ୍ୟ ହୋଇଲେ ପୃଥିବୀର

ରାମାୟଣେକ ଭାରଥେକ ହୋଅଇ ୟେଥିରେ ।୨୨୧।

ଚନ୍ଦ୍ରେକ ପୂରିଲେ ପୃଥିବୀ ପ୍ରଳୟେ ଯାଇଂ

ୟେତେକାଳ ପରିଯନ୍ତେ ସମୁଦ୍ରହିଂ ସେ ଥାଇ ।୨୨୨।

ପୁଣିହିଂ ଉଦୟେ ନିରଞ୍ଜନ ପୁରୁଷ

ବ୍ରହ୍ମଲୋକ ବିଷ୍ଣୁଲୋକ ରୁଦ୍ରଲୋକ କରଇ ଉଦ୍ଦେଶ୍ୟ ।୨୨୩।

ପୁଣି ନବସୃଷ୍ଟି ଜାତ କରଇ ବିଧାତା

ସମସ୍ତ ଉତପତ୍ତି ପ୍ରଳୟ କରଇ ସେ ନିରଞ୍ଜନ ଦେବତା ।୨୨୪।

ପୁଣ ସତ୍ୟଯୁଗ କରଇ ଆଚାର

ଉପୁଜନ୍ତି ପୁରୁରବା ନଘୋଷ ଯଯାତି ମାନଧାତା ବୀର‌ ।୨୨୫।

ପ୍ରଶୁରାମ ଜାନୁଘଣ୍ଟ ବେଣୁ ଭାଗୀରଥୀ

ହରିଚନ୍ଦନ ଇକ୍ଷାକୁରୁ ଶମ୍ଭୁରାଣ ଦକ୍ଷ ପ୍ରଜାପତି ।୨୨୬।

ସତ୍ୟ ଉତ୍ତାରେଣ ତ୍ରେତୟା ଧାରଣ

ପଉଲସ୍ତିଂକର ବଂଶେ ଉପୁଜଇ ରାବଣ ।୨୨୭।

ଅଲୋକ୍ୟ ବର ପାଇ ହରଇ ଦେବୀ ସୀତା

ଶ୍ରୀରାମ ବାଣେ ସେ ହୋଅଇ ନାଶଂଗତା ।୨୨୮।

ତ୍ରେତୟା ଅନ୍ତରେ ପୁଣ ହୋଅଇ ଦ୍ଵାପର ଯୁଗ

କହ୍ନା ଅବତାରେ ହରି ଜାତ ମଧ୍ୟସ୍ଵର୍ଗ ।୨୨୯।

କୁରୁପାଣ୍ଡବ ବେନି ବଳ ହୁଅନ୍ତି ଉତପତ୍ତି

ମହାଭାରଥ ସମରେ ପୁଣ ସମସ୍ତେ ହୋଅନ୍ତି ବିନଶ୍ଵତି ।୨୩୦।

ମହାଯାଗ ସ୍ଥାନ ଅଟଇ ଯୁଗେ ଯୁଗେ

ୟେ ଭୂମିରେ ମହାଭାରଥ ହୋଇଲାକ ପୂର୍ବେ ।୨୩୧।

ୟେ ଅବତାରକୁ ତେସ୍ତରୀ ବାର ପରିଯନ୍ତେ

ରାଜୁସି ଯାଗ ୟେଥି ହୋଅଇ କାଳ ୟେଥେ ।୨୩୨।

ଅଗସ୍ତି କହିଲେ ଶୁଣ ହୋ ବଇବ ସୁତ ମନୁ

ଅନେକ ବାର ଯୁଝେଷ୍ଠି ଜାତ ହୋଇଲେଣି ମଧ୍ୟ ଭୁବନୁଂ ।୨୩୩।

ଅନେକ ରତ୍ନ ଯେ ଘେନିଣ ନାଗରାଜା

ଯୁଝେଷ୍ଠି ଦେବଂକ ଚରଣେ କଲାକ ଦିବ୍ୟ ପୂଜା ।୨୩୪।

ନାରାୟଣଂକ କଉତୁକେ ଦିବ୍ୟରସ ବାଣୀ

ନାଗରାଜାଂକୁ ଆସ୍ତାନେ ବସାଇଲେ ଚକ୍ରପାଣି ।୨୩୫।

ଅଷ୍ଟକୁଳା ନାଗନ୍ତ ଘେନି ବିଜୟେ ଆସ୍ତାନେ

ଯେ ବିଧି ବିଧାନ ମୁଣୋହି କରନ୍ତି ରାଜାମାନେ ।୨୩୬।

ରାଜୁସି ଯଗ୍ୟଂ ସଭାୟେଣ ବିଜୟେ ସର୍ବରାଜା

ଅନନ୍ତ ଚରଣେ ତଳେ କଲେ ଦିବ୍ୟପୂଜା ।୨୩୭।

ସେ ଅନନ୍ତ ରାହିଲା ସଭାୟେ ଷୋଳ ଦିବସ ପରିଯନ୍ତେ

ଅନେକ ପୁରୁଷାର୍ଥ ତାକୁ କଲେକ ଜଗନ୍ନାଥ ।୨୩୮।

ସଭାରେ ସମାପତେ ଦିଲେ ପୂର୍ଣ୍ଣ ଯେ ଆହୁତି

ଲକ୍ଷେକ ଘଟ ଯେ ଢଳିଲା ତତକ୍ଷଣାତି ।୨୩୯।

ଆକାଶ ଭୁବନୁଂ ଶୁଭିଲା ବେଦଧ୍ଵନି

ପଣ୍ଡୁର ବ୍ରହ୍ମହତ୍ୟା ଦୋଷ ଗଲା ବୋଇଲେ ସର୍ବମୁନୀ ।୨୪୦।

ମହାମନ୍ତ୍ର ବାକ୍ୟେଣ ଦିଲେ ପୂର୍ଣ୍ଣ ଯେ ଆହୁତି

ଅଗ୍ନି ଦେବତାଂକୁ ତୋଷିଲେ କଲେ ଶାନ୍ତିମୃତ୍ତି ।୨୪୧।

ଅବିଚ୍ଛନ୍ନେ ଦାନ ହୋଇ ନିତ୍ୟାପତି

ବାଉନ ଭଣ୍ଡାର ତୁଚ୍ଛା ହୋଇଲା ଦିନ ପ୍ରତି ।୨୪୨।

ପୁଣ ପୁଣ ଅବିକ୍ଷଣେ ଦାନ ବିଧି ଧାରା

ଅନେକ ବିଙ୍ଘସିଲା ମାନଗୋବିନ୍ଦ ମହାବୀରା ।୨୪୩।

ଭାରେକ ଦାନଦିଲେ ଶତେକ ଭାର ପୂରୋଇ

ଦ୍ରିଯୋଧନ ବୋଇଲେ ଭଣ୍ଡାରୁ ଧନ ନ ସରଇ ।୨୪୪।

ଶଙ୍ଖନିଧି ପଦ୍ମନିଧି ଅଛଇ ତାହାରେ ହାଥେ

ଭାରେକ ବୋଇଲେ ଯେ ପୂରୋଇ ଭାର ଶତେ ।୨୪୫।

ସୋମବଂଶେଣ ଯେତକ ପାତକେ ଥିଲା

ସେ ମହାଯଗ୍ୟଂର ଫଳେ ସମସ୍ତ ଧ୍ଵଂସ କଲା ।୨୪୬।

ଅନେକ ଜନ୍ମର ସେ ଖଣ୍ଡିଲେ ଦୁଷୁକୃତ

ମହା ପୁଣ୍ୟତୋୟା ସ୍ଥାନ ୟେ ଯେହ୍ନେ ଦିଶଇ ବିଷ୍ଣୁପଥ ।୨୪୭।

ଯେଉଂଣ ନରେ ୟେହା ପଢନ୍ତି ଶୁଣନ୍ତି ହୃଦଗତେ

ପାବନ୍ତି ବଇକୁଣ୍ଠେ ସେ ବସନ୍ତି ପୁରାଣ ସଂଗତେ ।୨୪୮।

ଯେଉଂଣ ନରେ ଶୁଣନ୍ତି ମନେ ସଂକଳ୍ପ ଯେ କରି

ଧନ ସନ୍ତାନ ବର୍ଦ୍ଧୁତ ହୁଅଇ ସେ ପାବନ୍ତି ବିଷ୍ଣୁପୁରୀ ।୨୪୯।

ହତ୍ୟା ପାତେକ ଦୋଷ ଯେତେକ ବଂଶେଣ ଥାଇ

କୁଳର କଳଂକମାନ ସମସ୍ତ କ୍ଷୟେ ଯାଇ ।୨୫୦।

ହତ୍ୟା ବିମୋଚନ ଯେ ୟେହୁ ରାଜୁସି ମହାଯୋଗ ସଭା

ୟେ କଥା ହୃଦଗତେ ତଳୟେ କରିଥିବି ରେ ବାବା ।୨୫୧।

ଦ୍ଵନ୍ଦ ଜଞ୍ଜାଳ ଦୋଷ ସବୁ ଦୂର କରେ ବାବୁ

ରାଗ ମୋହ ଅହଂକାର ମାୟାସିନା ୟେ ସବୁ ।୨୫୨।

ବହୁତ ପାପ ଅର୍ଜଇ କୁଟୁମ୍ବ ପୋଷଣ ଅର୍ଥେ

ସମସ୍ତ ପାତାଳ କ୍ଷୟପାଇ ଶ୍ରୀ ମହାଭାରଥ ଶୁଣନ୍ତେ ।୨୫୩।୧୧୭୪୮।

 

Unknown

ଶିଶୁପାଳ ବଧ ଓ ତାହାର ପୂର୍ବଜନ୍ମ ବୃତ୍ତାନ୍ତ

ମନୁ ପୁଚ୍ଛା କଲାକ ଚଇତନକୁ ତଦ ଅନ୍ତେ

ହେ ମହା ଯାଗସଭା ସମାପତ ହୋଇଲା ୟେମନ୍ତେ ।୧।

କୁମ୍ଭମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଗୁରୁବାର

ଅଶ୍ଵିନୀ ନାମେ ନକ୍ଷତ୍ର ଭୋଜ ସେ ଦିନର ।୨।

କଉଳବ କରଣ ଅଟେ ଶୁକ୍ଳ ନାମେ ଯୋଗ

ସେଦିନ ସମାପତ ହୋଇଲା ମହାଯାଗ ।୩।

ବ୍ୟାସେ ଥାଇ ସ୍ରାହାନେ କରାନ୍ତି ମହାଶାନ୍ତି

ଯେଉଂଣ ଜଳ ପଡ଼ିଲେ ଅମୋକ୍ଷ ମୋକ୍ଷଗତି ପାନ୍ତି ।୪।

କନକ ଘଟଗୋଟି ଯେ ସହସ୍ରେକ ଧାର

କୋଟିୟେ ତୀର୍ଥ ଘେନି ତହିଂ ବିଜୟେ ପୁଷ୍କର ।୫।

ଅଜପା ଗାୟତ୍ରୀ ଯେ ଆଚାର୍ଯ୍ୟ ବରଣେ

ଯୁଝେଷ୍ଠିଦେବଂକୁ ସ୍ରାହାନ କରାବନ୍ତେ ବ୍ରାହ୍ମଣେ ।୬।

ସ୍ରାହାନ ସାରିଣ ଯେ ଅନେକ ଦିଲେ ଦାନ

ବିପ୍ରଜନମାନନ୍ତ ମହା ରସେଣ ଭୋଜନ ।୭।

ଗଙ୍ଗା ଗୟା ଗୋଦାବରୀ ସରଯୁ ଜମୁନା ସରସ୍ଵତୀ

ଫଲୁକୀ ରଣଭଦ୍ରା କାଶୀ କଉଶିକ ଆବର ଗୋମତୀ ।୮।

ବାରାଣାସୀ ହରପାପକ ବଇତରଣୀ ଚିତ୍ରଉତ୍ପଳା ଘେନି

କେଦାର ଭାଗୀରଥୀ ନର୍ମଦା ପ୍ରାଗବେଣୀ ।୯।

କୋଟିୟେ ତୀର୍ଥ ଘେନି କ୍ଷତ୍ରାଧି ପୁଷ୍କର

ବିଜେ କରିଅଛନ୍ତି ହସ୍ତିନା ନବର ।୧୦।

ଯୁଝେଷ୍ଠି ଦେବଂକର ରାଜୁସି ଯାଗର ଅଭିଷେକ

ଶୂନ୍ୟେଣ ଥାଇଂ ସମସ୍ତ ଦେଖନ୍ତି ବୃନ୍ଦାଅର୍କ ।୧୧।

ଆକାଶେଣ ପୁଷ୍ୟବୃଷ୍ଟି କରନ୍ତି ମଘବା

ଜୟେ ଜୟେ ଶବଦେ ଭାସନ୍ତି ସର୍ବଦେବା ।୧୨।

ତ୍ରଇଲୋକ୍ୟର ନାଥ ଜଗତର ଅଧିକାରୀ

ସମ୍ମୁଖେଣ ଅଭିଷେକ ହୁଅନ୍ତି ଯୁଝେଷ୍ଠି ଦଣ୍ଡଧାରୀ ।୧୩।

ଅଷ୍ଟେ ରତ୍ନ ମୁକୁଟ ହାଦେ ବିନ୍ଧିଲେ ଜଗନ୍ନାଥେ

କଚଟି ବାହୁଟି ଜଗଦଳା ପଦେକ ସହିତେ ।୧୪।

ଅଷ୍ଟରତ୍ନେ ଖଞ୍ଜିତ କରନ୍ତି ବନମାଳୀ

କଣ୍ଠେ କଣ୍ଠମାଳ ହାଥରେ ରତ୍ନମୁଦି ଭରି ।୧୫।

ନାନା ଅଳଂକାରେ ସେ ସୁବେଶ ବେଶ କରି

ଗନ୍ଧ ଚନ୍ଦନ କର୍ପୁର ଜୁଆଦ କସ୍ତୁରୀ ।୧୬।

ଯୁଝେଷ୍ଠିଂକ ଶରୀରେ ବୋଳିଲେ ନାରାୟଣ

ମଣିମା ମଣିମା ବୋଲି ଡାକନ୍ତି ଜନାର୍ଦ୍ଦନ ।୧୭।

ସୁବର୍ଣ୍ଣର ପଇତା ଦିଲେ ଋଷିଗଣମାନେ

କଉତୁକ ଉତ୍ସବ ଯେ ମଙ୍ଗଳ ବିଧାନେ ।୧୮।

ଅପାର ତତୁଲ୍ୟ କରନ୍ତି ସର୍ବସାଚୀ

ଯୁଝେଷ୍ଠି ଦେବଂକର କୋଳେ ଦ୍ରୋପତୀ ଦେବୀ ଛନ୍ତି ।୧୯।

ଦେଖିଣ ପରମ ସନ୍ତୋଷ ସକଳ ଋଷିଗଣ

ଲକ୍ଷେ ରାଜା ସହିତେଣ ଅଛନ୍ତି ସଙ୍ଗତେଣ ।୨୦।

ଅଂଶା ଅବତାର ସେ ଧର୍ମର ତନୟେ

ତାହାଂକର କୋଳେ ଯେ ଦ୍ରୋପଦ ଦୋହିତାୟେ ।୨୧।

କୋଟିୟେ ତୀର୍ଥ ଘେନି ଯେ କ୍ଷେତ୍ରାଧି ପୁଷ୍କର

ଅଭିଷେକ କରାଇଲେ ଯୁଝେଷ୍ଠି ଦେବଂକର ଶିର ।୨୨।

ତ୍ରିଦଶ ଦେବତାୟେ ଯେ କଲେ ସାଧୁ ସାଧୁ

ଯୁଝେଷ୍ଠି ଦେବଂକର ଅଭିଷେକ ହସ୍ତିନାରେ ବାନା ବିରଧୂ ।୨୩।

ମହାଦେବ ଦଣ୍ଡଛତ୍ର ଧରଇ ଦକ୍ଷିଣ ଭାଗେ

କନେକ ଛତ୍ର ଯେ ନକୁଳ ଧରିଛନ୍ତି ଆଗେ ।୨୪।

ବିଜୟେ ଯୁଝେଷ୍ଠି ଦେବ ଶ୍ଵେତହାଥୀ ପିଠି

ଯୁଝେଷ୍ଠି ଦେବଂକର କୋଳେ ଦ୍ରୋପତୀ ଦେବୀ ଛନ୍ତି ।୨୫।

ଭ୍ରମନ୍ତି ଯୁଝେଷ୍ଠି ପଞ୍ଚୁକଟକ ଭୁବନେ

ଜୟେ ଜୟେ ଶବଦ ସମସ୍ତ ମୁନିମାନେ ।୨୬।

ଆପଣେ ଜଗନ୍ନାଥ ମଣିମା ମଣିମା ବୋଲି ହାକି

ଲକ୍ଷେରାଜା ସଙ୍ଗତେଣ ଗୋଡାଇ ଅଛନ୍ତି ।୨୭।

ଦେବଗଣ ଋଷିଗଣ ମାନବ ସହିତେ

ଗୋଡାଇ ଅଛନ୍ତି ସମସ୍ତ ନରନାଥେ ।୨୮।

ହାକନ୍ତି ଚଣ୍ଡପୁତ୍ରେ ମଙ୍ଗଳ ସୀଉକାରେ

ଜୟେ ଜୟେ ଶବଦ ଭାଷନ୍ତି ହସ୍ତିନା କଟକରେ ।୨୯।

ସମସ୍ତ ଦେବସ୍ତିରୀ ଅଧାସ୍ଵର୍ଗେ ଥାଇ

ଦେଖନ୍ତି ବନ୍ଦାପନା ଅବିଷେକ ସକଳ ରାଜସାଇଂ ।୩୦।

ହାଥୀରୁ ଉତୁରି ସେ ଚନ୍ଦ୍ରଶାଳା ପୁରେ ବିଜେକରି

ଖଟନ୍ତି ବିଳାସୁଣୀୟେ ସୁଲଭ କୁମାରୀ ।୩୧।

ମଙ୍ଗଳ ଧୁନି ତୋଳି ଦିଅନ୍ତି ହୁଳହୁଳି

ସମସ୍ତ ଋଷି ବେଢି ଯେ ବନ୍ଦାପନା କରି ।୩୨।

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ବ୍ରାହ୍ମଣ ଜଣକେ ଦଶ ସହସ୍ର ମାଢ ବାଆସ୍ତରୀ ସଂସିଦ୍ଧ ।୩୩।

ବଇତରଣୀ କୁଳେ ଯେ ଉଦେକ ସ୍ରାହାନ

ୟେକ ବ୍ରାହ୍ମଣେକ ଦିଅନ୍ତି ଲକ୍ଷେଭାର ଧନ ।୩୪।

ଆରକେ ବେଳେ ବ୍ରାହ୍ମଣେ ପ୍ରତିଗ୍ରହେ ନ କରିବେ ବୋଲି ଆନେ

ଦ୍ଵାପର ଯୁଗେ ସୁସ୍ଥେ ଥିବେନା ଯୁଝେଷ୍ଠି ଦେବଂକର ଦାନେ ।୩୫।

ନ କରିବେ କୃଷି ଯେ ନ କରିବେ ବାଣିଜ୍ୟ

କୁଟୁମ୍ବନ୍ତ ଘେନି ବ୍ରତିଥିବେ ନା ଅଇଶୁର୍ଯ୍ୟ ।୩୬।

ୟେହେନେକେ ଦାନ ଦିଲେକ ଯୁଝେଷ୍ଠି

ଖଣ୍ଡିଲେ ବଂଶର ଦୋଷ ପାରଗଲା ଅରଷ୍ଟି ।୩୭।

ବ୍ୟାସେ ବୋଇଲେ ତୁମ୍ଭେ ଶୁଣ ହୋ ଧର୍ମରାୟେ

ଶ୍ରୀକର ଘେନ ବାବୁ ତୋର ଅର୍ଘ୍ୟ ଯେ ଗୋଟିୟେ ।୩୮।

ସୁବର୍ଣ୍ଣର ପାତ୍ରେ ଲକ୍ଷେକ ଅଷ୍ଟରତ୍ନ

ମାଣିକ୍ୟର ଦୀପ ସହସ୍ରେକ ସୁଗ୍ୟାନ ।୩୯।

ବିଜୟେ ଧର୍ମରାୟେ ମହାଯାଗ ସଭାରେ

ଲକ୍ଷେକ ନୃପତି ଉଭା ଯେ ହୋଇଛନ୍ତି ଛାମୁରେ ।୪୦।

ଆହୋ ଅଛ ତୁମ୍ଭେ ବ୍ରହ୍ମକ୍ଷତ୍ରୀ ବଶ୍ୟ ଶୂଦ୍ର ମୁଳେ ଅଷ୍ଟାଦଶ ବଂଶୀ

ଦେବଋଷି ବ୍ରହ୍ମଋଷି ରାଜଋଷି ମହାଋଷି ।୪୧।

ଶ୍ରୀକରେ ଅର୍ଘ୍ୟ ଘେନି ପଚାରନ୍ତି ଦେବ ଧର୍ମେ

ୟେହେନେକ ବେଭାର ଅଛଇ ପୂର୍ବ କର୍ମେ ।୪୨।

ମହା ଭାଗ୍ୟବନ୍ତ ତୁମ୍ଭେ ଧାର୍ମିକ ବିବେକ

ଗୁଣବନ୍ତ ପଣ୍ଡିତ ତୁମ୍ଭେ ସର୍ବଗ୍ୟଂ ଶାହାସ୍ରିକ ।୪୩।

ପ୍ରଥମେ ପାଦାର୍ଘ୍ୟ କାହାକଇଂ କରି ପୂଜା

ଦୁଜେଣ ଅକ୍ଷତ କରିବି ସର୍ବରାଜା ।୪୪।

ୟେଥକଇଂ ଆଗ୍ୟାଂ ମୋତେ ଦେବାକ ଶୁଦ୍ଧ ଚିତ୍ତେ

ବିଚାରି ସମସ୍ତେହେଂ ଆଗ୍ୟାଂ ଦେବା ମୋତେ ।୪୫।

ଯୁଝେଷ୍ଠି ଦେବଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ରାଜାମାନେ ଥମ୍ଭୀଭୂତ ହୋଇଲେ ମଉନବ୍ରତ ଜାଣି ।୪୬।

ସମସ୍ତେ ନୃପତିୟେ ୟେକ ମୁଖ ହୋଇ

ଦ୍ରୋଣ ଗୁରୁଂକୁ ସମସ୍ତେ ଯେ ସନ୍ନିଧ୍ୟେ ବସାଇ ।୪୭।

ଭୋ ଦ୍ରୋଣଗୁରୁ ତୁମ୍ଭେ ଭାରଦ୍ଵାଦଶଂକର ବତ୍ସି

ପ୍ରଶୁରାମଂକର ଗୁଣବିଦ୍ୟା ତୁମ୍ଭର ତହିଂ ଅଛି ।୪୮।

ତ୍ରେତୟା ଯୁଗରେ ତୁମ୍ଭେ ଦ୍ଵାପର ଯୁଗେ ତୁମ୍ଭେ

ତୁମ୍ଭର ବିଦ୍ୟାରେ ସେ କ୍ଷତ୍ରୀ ଅଟ ସିନା ଆମ୍ଭେ ।୪୯।

ଧନୁ ଶହସ୍ର ବିଦ୍ୟାରେ ତୁମ୍ଭେ ସବୁରି ଅଟ ଗୁରୁ

ଯୁଝେଷ୍ଠି ଯାହା ବୋଇଲେ ତୁ କାହା ବିଚାରୁ ।୫୦।

ବିପ୍ର ମୁଖୁଂ ବାହାର ହୋଇବ ଯେବଣ କଥା

ସବୁଂକରି ଆମ୍ଭର ସନମତ ସେ ସିଦ୍ଧ ବାରତା ।୫୧।

ଦ୍ରୋଣେ ବୋଇଲେ ବାବୁ ତୁମ୍ଭେ ଲକ୍ଷେକ ନୃପତି

ମୁକୁଇଂ ଯେ ପୁଚ୍ଛାକଲେ କହିବାନା ଯୁଗତି ।୫୨।

ଆହୋ ଧର୍ମ ଅର୍ଥ କାମ ମୋକ୍ଷ ଯେ ଚାରିବର୍ଗକୁ

ବାସୁଦେବ ପ୍ରୀତି ୟେ ବୋଲି ସଂକଳ୍ପ କାଳକୁ ।୫୩।

ୟେହେନେକ ଯୋଗାଇଲା ମୋହର ବିଚାରକୁ

ଶ୍ରୀକୃଷ୍ଣ ଥାଉଂ ପଦାର୍ଘ୍ୟ ଅଛି କି ଆନକୁ ।୫୪।

ୟେସନେକ ବିଧାନ ଯେ ଅଛଇ ଶାହାସ୍ର ଯୋଗେ

ମୁହିଂ ୟେହା ପୁଚ୍ଛି ଅଛଇନି ବ୍ୟାସଂକର ଆଗେ ।୫୫।

କାଶୀଶ୍ଵର ବୋଇଲେ ଦ୍ରୋଣେ କହିଲେ ଭଲ

ଦିଅନ୍ତୁ ପାଦାର୍ଘ ବିଷ୍ଣୁଂକୁ ଯୁଝେଷ୍ଠିଂକୁ ବୋଲ ।୫୬।

ଦ୍ରୋଣେ ବୋଇଲେ ତୁମ୍ଭେ ଶୁଣ ହେ ଯୁଝେଷ୍ଠି

ଶ୍ରୀ ଜଗନ୍ନାଥଂକ ଚରଣେ ଦିଅ ପାଦାର୍ଘ୍ୟ ଗୋଟି ।୫୭।

ଶୁଣିଣ ଧର୍ମ ରାଜା ପରମ ସାନନ୍ଦେ

ଜୟତୁ ଜଗମୋହନ ପରମାନନ୍ଦ ଗୋବିନ୍ଦେ ।୫୮।

ଚତୃବର୍ଗ ପୁରୁଷ ତୁ ଜଗତଜନ ଚିନ୍ତା

ଜଗୁଜନ ସୋଦର ତୁ ଅଭୟେ ବରଦାତା ।୫୯।

ଶ୍ରୀ ତୁଳୁଶାର ବଲ୍ଲଭ ଶ୍ରୀ ଚରଣେ ନମାମି

ଶୁଦ୍ରମୁନି ସାରୋଳା ଦାସ ଶତ ଶହସ୍ର ଦଣ୍ଡ ପରିମାଣି ।୬୦।

ଶୁଣ ହୋ ଚଇତନ ଅମୃତ ରସ କଥା

ଶ୍ରୀ ମହାଭାରଥ ସଭାପର୍ବ ର ସନ୍ଦେଶ ବାରତା ।୬୧।

ଶ୍ରୀକରେ ଦେବ ଯୁଝେଷ୍ଠି ପାଦାଅର୍ଘ୍ୟ ଘେନି

ତୀର୍ଥଜଳେ ପଖାଳିଲେ ଜଗନ୍ନାଥଂକର ପାଦ ବେନି ।୬୨।

କୋଟିୟେ ତୀର୍ଥର ଜଳ ଶତେଫଳ ସ୍ରାହାନେ

ଆକାଂଶୁ ପୁଷ୍ୟବୃଷ୍ଟି କଲେ ଦେବଗଣମାନେ ।୬୩।

ସୁବାସିତ କୁସୁମେ ଯେ ଦ୍ଵାଦଶ ବର୍ଣ୍ଣେ ଗଭା

ଜଗୁଜନ ମୋହନ ନାଥ ଯେସନ୍ତି ଦିବ୍ୟଶୋଭା ।୬୪।

ସପତ ସରି ମାଳ ଅଷ୍ଟରତ୍ନେ ଖଞ୍ଜି

ଶ୍ରୀକୃଷ୍ଣଂକ ହୃଦେ ଆଭରଣ କଲେ ଯୁଝେଷ୍ଠି ଦେବ ଭଞ୍ଜି ।୬୫।

ଶଙ୍ଖ ଚକ୍ର ଗଦା ଯେ ସାରଙ୍ଗ ଚତୁର୍ଭୁଜେ

ତ୍ରଇଲୋକ୍ୟ ମୋହନ ନାଥ ଦେବାଧି ଦେବରାଜେ ।୬୬।

ଅନେକ ସମ୍ପଦ କଲେ ଜଗନ୍ନାଥଂକୁ ଧର୍ମନାନେ

ଦେଖି ସହି ନୁଆରିଲେ ଦୁଷ୍ଟ ରାଜାମାନେ ।୬୭।

ଦେଖି ଶିଶୁପାଳ ଦ୍ରିଯୋଧନ ଯେ ଶଂକୁନି

ପୁଣ୍ଡରୀକ ବାସୁଦେବ ଦୁଶାସନ କର୍ଣ୍ଣ ଘେନି ।୬୮।

ବିଜୟେ ଦୁଷ୍ଟମାନେ ୟେକଇ ଆସନେ

ଆହେ ପାଣ୍ଡବଂକ ଚରିତ ଦେଖ ୟେସନେକ ବିଧାନେ ।୬୯।

ଆମ୍ଭେ ରାଜ କୁମାରମାନେ କେ ଟିପାଟେ ଅଭିଷେକୀ

ବଂଶେ ବଂଶେ ଧାରଣ ଆମ୍ଭେ ଅଟୁୟେ ପୃଥୀକି ।୭୦।

ଆମ୍ଭନ୍ତ ଚରଣ କରି ନ ଦେଲା ପାଦାଅର୍ଘ୍ୟେ

ଭୁଅ ମଣ୍ଡଳେ ଧାରଣ ଆମ୍ଭେ ଅଟୁଂ ମଧ୍ୟେସ୍ଵର୍ଗେ ।୭୧।

ନନ୍ଦ ଗଉଡପୁଅ କହ୍ନା ଗଉଡ ଅଟଇ

ତାହାକୁ ପାଦାଅର୍ଘ୍ୟ ଦିଲା ଦୁସହ ସଂକଟଇ ।୭୨।

କେହି କିଛି ନ ବୋଇଲ ହୋଇଲ ତୁମ୍ଭେ ତୂନୀ

ଦେବଇନ୍ଦ୍ର ପ୍ରାୟେକ ବସିଲା ଗଉଡ ଅଭିଷେକୀ ବିଧାନ ଘେନି ।୭୩।

ଶଂକୁନି ବୋଇଲା ଯେ କୁମାର ଶିଶୁପାଳକୁ

କୃଷ୍ଣ ପାଦାଅର୍ଘ୍ୟ ଘେନିଲା ଯୋଗାଇଲା କି ତୁମ୍ଭର ମନକୁ ।୭୪।

ସଂସାରେ ଶୁଭଇ ଶିଶୁପାଳର ଜଗନ୍ନାଥ ସୋହଦ୍ର ଭ୍ରାଥ

ତୋହର ବଚନକୁ ଛଳ ନ କରଇ ଜଗନ୍ନାଥ ।୭୫।

ପାରିଲେ ପରିହାସ୍ୟେ ବୋଲି କିନା ଶ୍ରୀହରିଂକି

ଶିଶୁପାଳ ବୋଇଲା ମୋତେ ପାରିବୁ ଟିକି ରଖି ।୭୬।

ପିଠି ରକ୍ଷା ଯେବେ କରି ପାରିବ କୁରୁବୀର

ଶ୍ରୀକୃଷ୍ଣଂକୁ ଝିଂଘାସି ମୁଂ ବୋଲିବି ଉତ୍ତର ।୭୭।

ଶାଲୁ ପୁଣ୍ଡରିକ ଦ୍ରିଯୋଧନ ବୋଇଲେ

ତ୍ରଇଲୋକ ଲଙ୍ଘିବ କେ ତୋତେ ଆମ୍ଭର ସାହା ଥିଲେ ।୭୮।

ତୋହର ବଚନକୁ ଯେବେ କୋପ କରଇ ହରି

ସମସ୍ତ ହୋଇ ଅନ୍ଧେ ମାରିବା ତାଂକୁ ବେଢି ।୭୯।

ଯାହାକଇଂ ଆଶ୍ରିତ ହେଉଥିବ ମେରୁ

ଯାଅ ଯା ଶିଶୁପାଳ ତୁ କାହକୁ ଭୟେକରୁ ।୮୦।

ଶାଲୁ ପୁଣ୍ଡରୀକ ଦ୍ରିଯୋଧନ ସହିତେ ବୋଇଲେ

କାହିଂକି ବିଚାର ତୁହୋ କରୁ ମହୀପାଳେ ।୮୧।

ସମୋଦ୍ର ଲଙ୍ଘିଲେ ଯେ କେତେ ମାତ୍ର ପୃଥୀ

ପାଣ୍ଡବଂକ ଅଗ୍ରତେ ଯାଇଂ କହିବୁନା ଯୁଗତି ।୮୨।

ମାନଗୋବିନ୍ଦ ବୋଇଲା ତୁ କିଛିହିଂ ନ ଭାଳ

ପିଠି ରକ୍ଷା କରିବି ମୁଂ ତୁ ଯାଅ ଯା ଶିଶୁପାଳ ।୮୩।

ଶାଲୁ ବୋଇଲା ଭାଇ ତୋତେ ସେ ଲଙ୍ଘିଲେ

ଦ୍ଵାରିକା ସମ୍ପଦ ମୁଂ ସାରିବି ତବଛଳେ ।୮୪।

ମାନ ଅଭିମାନ ଫେଇବି ତୋହୋର

ଛପନକୋଟି ଯାଦବ ନାଶିବି ସତ୍ୟ ସତ୍ୟ ମୋହର ।୮୫।

ମାନଗୋବିନ୍ଦର ପ୍ରାୟେ ସଖା ଥାଉଂ ଥାଉଂ

ମନରେ କାହାକୁ ସେ ତୁହି ଭୟେ ପାଉ ।୮୬।

ଶକୁନି ବୋଇଲା ତୁ ଶୁଣ ହୋ ଶିଶୁପାଳ

ଭ୍ରଚ୍ଛନା କରି ତୁ ହରିଂକି ବେଗେ ଚାଳ ।୮୭।

ଦୁଷ୍ଟଂକ ବଚନେ ଦମଘୋଷର ଭାଳ

ଅସିପତ୍ର ଝୁଣି ଉଠିଲା ଧାତିକାର ।୮୮।

ସଭାର ମଧ୍ୟେ ବିଜେ କରି ଅଛନ୍ତି ଦେବହରି

ଭୀମ ନକୁଳ ଛାମୁରେ ଅଛନ୍ତି ଚାମର ଉଭାରି ।୮୯।

ଅଳଂକାର ଯୁଗତ କରାଉଛନ୍ତି ଦେବ ଯୁଝେଷ୍ଠି

ଦମଘୋଷ ନନ୍ଦନ ସନିଧ୍ୟେ ଯାଇଂ ଭେଟି ।୯୦।

ବାମ ଆଣ୍ଠୁ ଭୂମିରେଵ ମାଡି ବସିଲା ଦର୍ପକରି

ପ୍ରତଗ୍ୟାଂ ଆରମ୍ଭେ ସେ ଖଡଗ ଉଭାରି ।୯୧।

ଦମଘୋଷ ନନ୍ଦନ ଯୁଝେଷ୍ଠିଂକୁ ପ୍ରକାଶି

ତୁହି ଯେ ମହା ଧର୍ମ ଆରମ୍ଭିଲୁ ରାଜୁସି ।୯୨।

ୟେଡେକ ସମ୍ପଦ ଯେ ଅର୍ଜିଲୁ ସମ୍ଭର୍ବେ

ଅନେକ ଅନ୍ନଛତ୍ର ଅନେକ ବିନୟ ଭାବେ ।୯୩।

ସମସ୍ତେ ସେବାକଲୁ ତୁମ୍ଭେ ହୋଇଲ ମହାରାଜ

ଲକ୍ଷେ ରାଜା ମାନ୍ୟକଲେ ତୁ ପାଇଲୁ ଅଇଶୁର୍ଯ୍ୟ ।୯୪।

ପୃଥୀ ଧବଳିଲୁ ତୁ ହୋଇଲୁ ମହାରାଜା

ସମସ୍ତ ରାଜାମାନେ କଲେକ ପାଦ ପୂଜା ।୯୫।

ୟେ ତିନି ଭୁବନ ମଧ୍ୟେ ତୁ ଅଟୁ ମହାରଥା

ଦ୍ଵାପର ଯୁଗରେ ରୁହାଇଲୁ ତୋର କଥା ।୯୬।

ୟେଡେକ ବଡ ଯଶ ରାଜା ନାଶକଲୁ ଅନମିତେ

ଗଉଡକୁ ପାଦାଅର୍ଘ୍ୟେ ଦିଲୁ ହୋ କେମନ୍ତେ ।୯୭।

ଅର୍ଥକୁ ଗଉରୋବ ଗୁଣ କୁ ଅଛି ପୂଜା

କେବଣ ରାଜାର ସେ ହୋ ଅଟଇ ଆତ୍ମାଜା ।୯୮।

କେ ବୋଲଇ ସେ ଆଦ୍ୟହୁଂ ଉପୁଜିଲା ବସୁଦେବର ଘରେ

କେ ବୋଲଇ ଗୋପକୁ ପଳାଇଲା କଂସ ଡରେ ।୯୯।

ନନ୍ଦ ଗଉଡ ପିତା ମାତା ଯଶୋବନ୍ତି ଗଉଡୁଣୀ

ଦ୍ଵାରେ ଦ୍ଵାରେ ଦହି ବିକନ୍ତି ପ୍ରତକ୍ଷେ ୟେହା ଜାଣି ।୧୦୦।

ଦୁଇବାପର ୟେକ ପୁତ୍ର ବ୍ରତିବାର ନିମନ୍ତେ

ୟେଡେ ପାମର ଜନକୁ ପାଦାଅର୍ଘ୍ୟେ ଦିଲୁ ହୋ କେମନ୍ତେ ।୧୦୧।

ପୁଣିହିଂ ବୋଇଲା ତୁମ୍ଭେ ଗୋଳକୁଣ୍ଡା ଜାର ଜାତକ

ପିତା ତୁମ୍ଭର ଅରଜିଲା ବ୍ରହ୍ମହତ୍ୟା ପାତକ ।୧୦୨।

ୟେକା ମାତା ତୁମ୍ଭର ରେ ଅଟଇ ତିନି ପିତା

ୟେକା ଭାରିଜାକୁ ତୁମ୍ଭେ ରେ ହୋଇଲ ପଞ୍ଚୁଭ୍ରଥା ।୧୦୩।

ସେହି ଜାତି ଅଟନ୍ତି ଯେ ଜାତଜାତ

ତୁମ୍ଭକୁ ବନ୍ଧୁପଣେ ଯୋଗାଇ ଜଗନ୍ନାଥ ।୧୦୪।

ଅବରଣି ଲୋକକୁ ରେ ବରିଲ ତୁମ୍ଭେ ଆଣି

ପଣ୍ଡିତ ଲୋକେ ସେ ଯେ ଭୁଲନ୍ତି ନ ଜାଣି ।୧୦୫।

ୟେହୁ ଅବା, ହୋ ହରି ଚରଣ କଲାକ ତୋତେ

ତୁ ରେ ଗଉଡ଼ ପାଦାଅର୍ଘ୍ୟ ଘେନିଲୁ କେମନ୍ତେ ।୧୦୬।

ବାଳୁତ କାଳେ ବଧ କଲୁରେ ପ୍ରୋହିଣୀ

ସ୍ତିରୀହତ୍ୟା ପାତକ ତୋର ସମସ୍ତେହେଂ ଜାଣି ।୧୦୭।

ଭୁବିବାହାନ ରାଜା ଯେ ପୂର୍ବେ ସ୍ତିରୀହତ୍ୟା କଲା

ଶତେଜନ୍ମ ପରିଯନ୍ତେ ଚାଣ୍ଡାଳୁଣୀ ଗର୍ଭେ ଉପୁଜିଲା ।୧୦୮।

ପ୍ରୋହିଣୀ ବଧ କଲୁ ସ୍ତିରୀହତ୍ୟା ବଡ଼ ଦୋଷୀ

ଯୁଗତେଣ ପୁଣ୍ୟସ୍ଥାନେ ନଦେଇ ତୋତେ ବସି ।୧୦୯।

ଶିଶୁପାଳର ଝିଂଘାସ ଶୁଣିଣ ବିକ୍ରୋଦର

ରାଗେଣ ଅଧର ତାର କମ୍ପଇ ଥରହର ।୧୧୦।

ଲୋଚନ ତରାଟି ସେ ଦିଅଇ ଘୋର ଡାକେ

ବିଚାରଇ ଦମଘୋଷ ନନ୍ଦନକୁ ଚାପିବି ବାମକାଖେ ।୧୧୧।

ଯୁଝେଷ୍ଠିଦେବ ବୋଇଲେ କୋପ ସଂହରରେ ବାବୁ

ରାଗୀ ହୋଇଲେ ଧର୍ମ ଆମ୍ଭର ନାଶଯିବଟି ସବୁ ।୧୧୨।

ବୋଇଲେ ବୋଲୁ ଶିଶୁପାଳ ନକର ତହିଂକି କୋପ

ଦଇବ ଫଳର ସିନା ତହିଂର ଦୋଷ ଅନରୂପ ।୧୧୩।

ଧର୍ମକୁ ଝିଂଘାସ କଲେ ନ ସହନ୍ତି ଦିଗପାଳ

ଆମ୍ଭର କୋପ କରିବାର ନ ଯୋଗାଇ ବାବୁ ୟେତେବେଳେ ।୧୧୪।

ମୋହର ଶପତଟି ତୋତେ ଶାନ୍ତ ହୁଅ ଭୀମ

ଧର୍ମ ବନ୍ଧୁତ ହୋଇ ସହରଣ କଲେ ତମ ।୧୧୫।

ସ୍ଵାମୀଂକର ବଚନେ ଯେ ଭୀମସେନ ପରମ ଶାନ୍ତି

ଅନେକ ବାଗେ ଭୀମସେନକୁ ଯୁଝେଷ୍ଠି କରାନ୍ତି ନିବର୍ତ୍ତି ।୧୧୬।

ଆହୋ ଭୀମସେନ ନ ଜାଣ ତୁ ୟେଥିର ଚରିତ

ଜଗନ୍ନାଥ ଦେବଂକର ଶିଶୁପାଳ ସୋଦର ଭ୍ରାଥ ।୧୧୭।

ବାବୁ ସତ୍ୟବ୍ରତ ବୋଲିକରି ବ୍ରହ୍ମାବଂଶେ ୟେକ ରାଜା

ଦେବକୀ ଦଇବକୀ ବୋଲି ତାହାଂକର ଦୁଜ ତନୁଜା ।୧୧୮।

ଜ୍ୟେଷ୍ଠ ଦୁହିତାର ନାମ ଅଟଇ ଦେବକୀ

ବସୁଦେବକଇଂ ପ୍ରଦାନକଲେ ଧାର୍ମିକପଣ ଦେଖି ।୧୧୯।

ଆରେକ ଦୁହିତାର ନାମ ଅଟଇ ଦଇବକୀ

ତାହାକଇଂ ପ୍ରଦାନ କଲେ ଦମଘୋଷ ନୃପତିକି ।୧୨୦।

ଦେବକୀର ଗର୍ଭେ ଉପୁଜିଲେ ଦେବ ଜନାର୍ଦ୍ଦନ

ଦଇବକୀର ଗର୍ଭେ ଶିଶୁପାଳ ହୋଇଲେ ଉତପନ୍ନ ।୧୨୧।

ୟେକା ସହୋଦ୍ର ଅଟନ୍ତି ସେ ବେନି ଭୟେଣୀର ସୁତ

ସହୋଦ୍ରପଣେ ୟେହା ସହୁଛନ୍ତି ଜଗନ୍ନାଥ ।୧୨୨।

ଯୁଝେଷ୍ଠିଂକ ବଚନେ ଭୀମସେନ ଶାନ୍ତି ଭଜି

ପୁଣ ପୁଣ ଶିଶୁପାଳ କହଇ ଗଳଗାଜି ।୧୨୩।

ଆରେ ଆରେ ଗଉଡତୁ ଅଟୁ ବଡ଼ ମନ୍ଦ ଭଣ୍ଡ

ଗୋଗଷ୍ଠରେ ପଶି ତୁରେ ବଧକଲୁ ଷଣ୍ଢ ।୧୨୪।

ଈଶ୍ଵର ଦେବତା ଗୋରୁ ବଧିଲେ ବାଳକାଳେ

ସେ ଗୋହତ୍ୟା ଦୋଷ ବିମୋଚନ ନ ଗଲା ୟେତେକାଳେ ।୧୨୫।

ଯେଉଂଣ ଦେବତାଂକୁ ଧ୍ୟାୟେ କରନ୍ତି ସପତ ବ୍ରହ୍ମାଣ୍ଡ

ଯେବେହେଂ ଖପରେ ତାର ଲାଗିଅଛି ଗୋମାତାର ମୁଣ୍ଡ ।୧୨୬।

ଗୋହତ୍ୟା ପାତକ ଯେ ନ ଯାଇ କହଣ

ସମସ୍ତ ପାତକ କଲୁ ଲୁଚାଇଲୁ ମିଛେହେଂ ବୋଲାଉ ବଡ଼ଜଣ ।୧୨୭।

ଗୋପାଳୁଣୀମାନେ ସମସ୍ତେ ତୋହୋର ସହୋଦ୍ର ମାନି

କୁଞ୍ଜବନେ କ୍ରୀଡାକଲୁ ସେମାନନ୍ତ ଘେନି ।୧୨୮।

ଅନିର୍ଯ୍ୟାପ ଆତ୍ମା ତୋର ୟେଡ଼େ ମହାପାପୀ

ଅଗ୍ୟାନ ପାଣ୍ଡବେ ୟେ ସଭାରେ ତୋତେ ଥାପି ।୧୨୯।

ଅଗସ୍ତି ଋଷିଂକର ପୁତ୍ର ଯେ ବୋଲଇ

ପ୍ରତିଗ୍ରହ କରି ଲୋଡୁ ୟେ ସଭାରେଣ ଥାଇ ।୧୩୦।

ସ୍ତୀରିହତ୍ୟା ଗୋହତ୍ୟା ପରଦାରା ହରଣ ଦୋଷ

କେମନ୍ତେ ବ୍ରତିଅଛୁ ଜୀବନେ କରି ଆଶ ।୧୩୧।

ଆହୋ ଯେଉଂଣ ପ୍ରାଣୀୟେ ବ୍ରତନ୍ତି ହତ୍ୟା ଯେ ବିବାଦେ

ସଂସାରେ ଗତି ନୁହନ୍ତି ଅମୋକ୍ଷ ହୁଅନ୍ତି ହାଦେ ।୧୩୨।

ଭଣ୍ଡପଣେ କାର୍ଯ୍ୟେ ତୁରେ ଘେନିଲୁ ୟେହିମାତେ

ଧର୍ମଦେବତା ତୋତେ ରେ ସହିଛି କେମନ୍ତେ ।୧୩୩।

ୟେ ମହାସଭା ହାଦେ ଦେବଆସ୍ତାନ ଜାଣି

ହତ ମୂର୍ଖ ପାଣ୍ଡବେ ତୋତେ ରେ ବରିଛନ୍ତି ଆଣି ।୧୩୪।

ମରିବା ଜୀଇଂବା ତୁ ଦୁଇ ନ ବିଚାର

ପ୍ରାଣକୁ ଶଂକା ଯେ ନାହିଂନା ତୋହରି ।୧୩୫।

ଦ୍ରୋଣେ ବୋଇଲେ ହୋ ଶୁଣସି ଶିଶୁପାଳ

ଜଗବନ୍ଦନ ନାଥଂକୁ ତୁ ଆଉ ନକର କଟାଳ ।୧୩୬।

ଯାହାର ଉଦରେ ବସଇ ମହୀ ନବଖଣ୍ଡ

ରୋମକୂପେ ଯାହାର ବସଇ କୋଟି କୋଟି ବ୍ରହ୍ମାଣ୍ଡ ।୧୩୭।

ଅନେକ ଝିଂଘାସ ହରି ସହିଲାନି ତୋତେ

ପ୍ରାଣେ ନାଶ ନ କରନ୍ତି ବାନ୍ଧେବ ନିମନ୍ତେ ।୧୩୮।

ଯିସ ଅଗ୍ୟାନେ ଅବା ମନ୍ଦ ବୋଇଲୁ ରେ ବାବୁ

କିଞ୍ଚିତ କୋପେ ତୁରେ ସଂପୋଡେ ନାଶଯିବୁ ।୧୩୯।

ଦ୍ରୋଣଂକର ମୁଖୁଂ ଯେ ୟେସନେକ ବାକ୍ୟ ଶୁଣି

ଅଧର ପୃଷ୍ଠ କରି ଶିଶୁପାଳ ଉଠିଲା ଶିର ଝଣି ।୧୪୦।

ତୁ ଯାହା ବୋଇଲେ ହୋ ଭାରଦ୍ଵାଦଶଂକର ସୁତ

ଆମ୍ଭେ ତୋତେ କହୁ ସିନା ୟେଥିରେ ତଦନ୍ତ ।୧୪୧।

ଜାରାସନ୍ଧର ଦୁହିତା ଯେ ହେତି ପରହେତି

ତାହାଂକର ବଲ୍ଲଭ ଯେ କଂସାସୁର ନୃପତି ।୧୪୨।

ତାହାକଇଂ ବଧ ୟେହୁ ଯେ କଲେ ବାଳକାଳେ

ପିତାର ଆଗେ ଦୋହିତାୟେ କାନ୍ଦି କହିଲେ ବିକଳେ ।୧୪୩।

ଭୋ ପିତା ତ୍ରଇଲୋକ୍ୟେ ତୁ ଧାରଣ ଅଟୁ ମହାଦେବ

ତୋହର ପରା ପିତା ଥାଉଂ ଆମ୍ଭେ ହୋଇଲୁ ବିଧବ ।୧୪୪।

ଦୟା ର ସାଗର ତୁ ଶରଣ ପଞ୍ଜର ବୀରଧୂ

ତୋହର ଦୁହିତା ହୋଇ ଆମ୍ଭର ଜୀବନ ଅସାଧୁ ।୧୪୫।

ଜୁଆଇଂର କଷ୍ଟ ଆଉ ଦୁହିତାଂକ ବିକଳେ

ମଥୁରା ରାଜ୍ୟକୁ ସେ ବାହିଲା ଘେନିଣ ସନ୍ୟବଳେ ।୧୪୬।

ଅନେକ ଧନ ଭଣ୍ଡାର ସମସ୍ତ କଲା ଜୂର

ବନ୍ଧୁବର୍ଗ ଛାଡ଼ି ତହୁଂ ପଳାଇଲା ଚକ୍ରଧର ।୧୪୭।

ଦୁଇ ଭାଇ ଲୁଚିଲେ ଯାଇଂ କଉସ୍ତୁଭ ପର୍ବତେ

ତହିଂ ଲୋଡ଼ି ତଦନ୍ତ ନ ପାଇଲୁ ସମସ୍ତେ ।୧୪୮।

ଦୁଜ ଧାଡ଼ିରେ ଯାଇଂ ଲୋଡ଼ିଲେ ସେହି ବନେ

ତହୁଂ ପଳାଇ ଯାଇଂ ଲୁଚିଲେ ଖିନିଖିନେ ।୧୪୯।

ସେ ପର୍ବତ ଧଂସିଲୁ ଆମ୍ଭର ବାହୁବଳେ

ତହୁଂ ପଳାଇଲେ ସେ ପ୍ରାଣର ବିକଳେ ।୧୫୦।

କେୟୂରକୁଣ୍ଡଳ ବୋଲିକରି ୟେକଇ ବନସ୍ତେ

ତହିଂ ବିକଳେ ଲୁଚିଲେ କୁଟୁମ୍ବ ସହିତେ ।୧୫୧।

ଚାରଗଣ ମୁଖେ ବାରତା ଆମ୍ଭେ ପାଇ

ସେ କେୟୂରକଣ୍ଡୁଳ ବନସ୍ତ ଦିଲୁ ଜୂଇ ଲଗାଇ ।୧୫୨।

ଖଣା ଖୋଳାଇ ଯେ ଆମ୍ଭେ ଦିଲୁ ଜୂଇ ଲଗାଇ

ନାନା ଜୀବଜନ୍ତୁ ମଲେ ୟାହାଂକର ପାଇଂ ।୧୫୩।

ଆମ୍ଭର ଭୟେ ତହୁଂ ୟେହୁ ପଳାଇଲେ

ଅରୁଣା ନାମେ କୁଣ୍ଡଳୀ ନିର୍ଝର ଗିରିରେ ଲୁଚିଲେ ।୧୫୪।

ବାରତା ପାଇ ସମୟେକ ପୁଣି ଆମ୍ଭେ ଧାଡ଼ିଦିଲୁ ତହିଂକି

ଅନେକ ଜୀବଜନ୍ତୁ ବଧକରି ଗୋଧନ ଆଣିଲୁ ନ ପାରିଲେ
କେହି ରଖି ।୧୫୫।

ତହୁଂ ପଳାଇଣ ଯାଇଂ ଲୁଚିଲେ ହେମବନ୍ତେ

ବନ୍ଧୁବର୍ଗ ଛାଡ଼ିଣ ଯେ ରହିଲେ ରାମକୃଷ୍ଣ ବେନିଭ୍ରାଥେ ।୧୫୬।

ଆହୋ ମହା ଧାର୍ମିକ ରାଜା ସେ ଅଟଇ ଜାରାସନ୍ଧ

ପଳାଇଲା ଲୋକଂକର ସେ କୁଟୁମ୍ବ ନ କରଇ ବଧ ।୧୫୭।

ପୁଣିହିଂ ପଳାଇଣ ଗଲେ ଯେ ବେନିଭ୍ରାଥେ

ସଭିୟେଂ ଲୁଚିଲେ ଯାଇଂ ହିରଣ୍ୟଗର୍ଭ ପର୍ବତେ ।୧୫୮।

କଷ୍ଟ ଦେଖିଣ ସେ ଜାରାସନ୍ଧ ତୁମ୍ଭନ୍ତ ରକ୍ଷାକଲା

ସମର କାଳେ ଜାରାସନ୍ଧ ୟେହାଂକୁ ଉପେଖିଲା ।୧୫୯।

ତହୁଂଣ ପଳାଇଣ ତୁମ୍ଭେ ଗଲ ଯେ ବିମୁଖେ

ଗୋମତ ଗିରି ପର୍ବତେ ଲୁଚିଲେ ମହାଦୁଖେ ।୧୬୦।

ମହା କଇଚ୍ଛାବନ୍ତ ରାଜା ସେ ଅଟଇ ବୀର ଜାରା

ଲକ୍ଷେପୁର କରି ଯାଇଂ ଗୋମତ ଗିରି ବେଢିଲା ।୧୬୧।

ଅଷ୍ଟାଦଶ ବେଳ ପରିଯନ୍ତେ ବେଢିଲୁ ସମ୍ଭର୍ବେଣ ଥାଠ

ପଳାଇ ଯିବାକୁ ତୁମ୍ଭେ ନ ପାଇଲ ବାଟ ।୧୬୨।

ପର୍ବତ ବେଢି ପୋଡ଼ିଲୁ ଅଗ୍ନିନ୍ତ ଲଗାଇ

ଅନେକ ଜୀବଜନ୍ତୁ ନାଶଗଲେ ତୁମ୍ଭରି ପାଇଂ ।୧୬୩।

ସେ ଗୋମତ ପର୍ବତ ଉପରୁ ପଳାଇଲ ଆମ୍ଭର ଡରେ

ବନ୍ଧୁବର୍ଗ ଘେନି ରହିଲ ଯାଇଂ ମଧୁ ବନସ୍ତରେ ।୧୬୪।

ପୁଣ ତହିଂକି ନ ଗଲୁ ହୋ ଆମ୍ଭେ ଅବହେଳେ

କାଳ ଦମନକୁ ପଠାଇ ଦିଲୁ କୁତୂହୋଳେ ।୧୬୫।

ଭାଞ୍ଜିଣ ମଧୁବନ ସେ କଲା ଭଗନସ୍ତ

କ୍ଷୀରୋଦ୍ର ଭିତରେ ଯାଇଂ କଲ ଯେ ବାସନ୍ତ ।୧୬୬।

କହୁଂ କହୁଂ କୋପ ଦିଗୁଣ ବଢିଲା ଶିଶୁପାଳ

କରେ ଖଡ଼ଗ ଧରି ଝମକାଇ ଅନ୍ତରାଳ ।୧୬୭।

ଶିଶୁପାଳର ବଡ଼ିମା ଦେଖିଣ ଭୀଷ୍ମେ ଆଗ ସରି

ଶିଶୁପାଳର ଆଗେ ଯାଇଂ ବଚନ ଉଚ୍ଚାରି ।୧୬୮।

ଆରେ ଆରେ ଶିଶୁପାଳ ତୁ ଅଟୁ ବଡ଼ ଦୁଷ୍ଟ

ହରିଂକି ୟେଡ଼େ କଟାଳ କିଂପାରେ କରୁ ମନ୍ଦ ପାପିଷ୍ଠ ।୧୬୯।

ଆରେ ସ୍ଵର୍ଗ ମଞ୍ଚ ପାତାଳ ରସାତଳ ୟେ ସପତ ବ୍ରହ୍ମାଣ୍ଡ

ରୋମମୂଳେ ଯାହାର ଅଛି ମହୀ ନବଖଣ୍ଡ ।୧୭୦।

ଦୁସହ ପ୍ରତଗ୍ୟାଂ କରୁଥିଲେ ଅଷ୍ଟମଲ୍ଲେ

ବାଳୁତ ଖେଡ଼ କୁତୂହୋଳେ ହରି ସମସ୍ତ ନାଶକଲେ ।୧୭୧।

କଂସର ମହିମାଂ ତ କହିଲୁ ଅପ୍ରମିତ

ୟେହି କେଶବ ମୃତ୍ତି ଦେଖି ସେ ହୋଇଲା ପ୍ରାଣେ ହତ ।୧୭୨।

ଆରେ ଶିଶୁପାଳ ଆବର କହିଲୁରେ ଅଷ୍ଟାଦଶ ବେଳ ଦିଲ ଧାଡ଼ି

କେତେ କେତେ ସଇନ୍ୟ ତୁମ୍ଭର ନୋହିଲେ ଅପହାରି ।୧୭୩।

ଗୋମନ୍ତ ଯୁଦ୍ଧର ତୁ କହିଲୁ ଯେତେ କଥା

ଆମ୍ଭେ କି ନ ଜାଣୁ ତହିଂର ସନ୍ଦେଶ ବାରତା ।୧୭୪।

ଅଶି କ୍ଷଉଣୀ ଯେ ତୁମ୍ଭେ ସଇନି ଘେନିଗଲ

ସତାଉନ କ୍ଷଉଣୀ ଯେ ତହିଂରେ ମରାଇଲ ।୧୭୫।

ଯେତେ କୃତ କଲେ ତହିଂ ଦେବ ବଳରାମ

ପଳାଇଲା ଜରାସନ୍ଧ ସେ ହାରିଣ ସାଂଗ୍ରାମେ ।୧୭୬।

ଆରେ ଶିଶୁପାଳ କାଳଦମନ ଗଲା ଯେ ତୁମ୍ଭରି ବିଶୁଆସେ

ୟେକା ବେଳକେ ନେଉଟି ନଇଲା ତ ତୁମ୍ଭରି ପାଶେ ।୧୭୬।

ଅନେକ ପ୍ରତଗ୍ୟାଂ ସେ କରୁଥିଲା ବୀର ଜାରା

ବେଳେକହିଂ ସେ ସହି ନୁଆରିଲା ଭୀମସେନର ଭାରା ।୧୭୮।

ଜରା ଛାର ପାମର ବୋଲି ସେ ଆପଣେ ନ ମାରି

ସେବକ ଭୀମସେନ ହାଥେ ଜରାସନ୍ଧକୁ ନିବାରି ।୧୭୯।

ଆରେ ତୁମ୍ଭର ପ୍ରସାଦେ ଶ୍ରିକାଳ ବାସୁଦେବ ନାଶଗଲା

ତୁମେ ପଳାଇଗଲ ରେ ଅନେକ ମଧ୍ୟସ୍ଥ ଲୋକ ମଲା ।୧୮୦।

ଆରେ ଅଗ୍ୟାନ ମୂରୁଖ ବାଇ ବାଳୁତ ସଭାବ

ନାଶକର ଦେବତା ଆଗେ ରେ କିସ କହି ଗର୍ବ ।୧୮୧।

ଶିଶୁପାଳ ବୋଇଲା ତୁ ହୋ ନଜାଣୁ ଗାଙ୍ଗବ

କ୍ଷତ୍ରୀ ହୋଇ ପଳାଇଲେ କିସ ତାହାର ଗର୍ବ ।୧୮୨।

ଜରାସନ୍ଧ ମଲା ଯୁଦ୍ଧରେ ପଡ଼ିଲା

କହ୍ନା ଗଉଡ଼ ପ୍ରାୟେତ ନିସତ ନୋହିଲା ।୧୮୩।

ଆହେ ଭୀଷ୍ମ ୟେମନ୍ତ କଥା କହଇ ଶୁଣ ହାଦେ ତୁମ୍ଭେ

ୟେହାଂକର ଚଉର୍ଯ୍ୟତାପଣ କଥା କହୁଂ ଆମ୍ଭେ ।୧୮୪।

ୟେମନ୍ତ କଇଚ୍ଛାବନ୍ତ ଭୀଷ୍ମକ ମହାରାୟେ

ଲକ୍ଷେକ ରାଜା ବରି ସେ ସୟମ୍ବର କୟେ ।୧୮୫।

ସମସ୍ତ ନୃପତିୟେ ସୟମ୍ବରେ ଛନ୍ତି ବସି

ପଞ୍ଚ ଦିବସ ଉତ୍ତାରେଣ ରାମ କୃଷ୍ଣ ମିଳିଲେକ ଆସି ।୧୮୬।

ରାଜାମାନେ ବିଚାରକଲେ ଯେ ଆସ୍ତାନେ

ନନ୍ଦ ଗଉଡ଼ ପିତା ୟେହାର ଅଟଇ ବିଦ୍ୟମାନେ ।୧୮୭।

ଆମ୍ଭେ ରାଜ କୁମାରମାନେ ସମସ୍ତେ ଅଛୁଂ ବସି

ୟେ ରାଜ ସଭାରେ ଗଉଡ଼ ବସିବେ କେହ୍ନେ ଆସି ।୧୮୮।

ମୁରାଟ କରି କହିଲେ ସମସ୍ତ ନୃପତି

ତିନି ପାବଚ୍ଛର ତଳେ ଉଭାହୋଇ ଅଢାଇ ପ୍ରହରେ ୟେ
ଲେଉଟିଲେ ଝାତି ।୧୮୯।

ଭୀଷ୍ମେ ବୋଇଲେ ତୁରେ କହିଲୁ ମତ୍ତଗର୍ବ

ତହିଂର ଚରିତ ରେ ଜାଣୁ ଆମ୍ଭେ ସର୍ବ ।୧୯୦।

ରାଗେଣ ଜଗନ୍ନାଥ ଗଲେ ଅପସରି

ଆଗ୍ୟାଂ ଦିଲେ ସ୍ଵାମୀ ଗରୁଡ଼େ ହକାରି ।୧୯୧।

ବିନତା ନନ୍ଦନ ଯେ ମାଇଲା ପକ୍ଷଘାତେ

ସୟମ୍ବର ଭଗ୍ନଗଲା ପକ୍ଷୀର ବାତଘାତେ ।୧୯୨।

ସମସ୍ତ ରାଜାୟେ ଯେ ତିରଣ ପ୍ରାୟେ ଉଡ଼ି

ସହସ୍ର ଯୋଜନ ହାଥୀ ଘୋଡ଼ା ଯାଇଂ ପଡ଼ି ।୧୯୩।

ଆରେ ଶିଶୁପାଳ ସେ ସୟମ୍ବର କାଳେ ଆମ୍ଭେ ଯାଇଥିଲୁ

ତିନିଶତ ଯୋଜନେ ଯାଇଂ ଉଡ଼ିଣ ପଡ଼ିଲୁ ।୧୯୪।

ତୁ ଯେ ବୋଲାଉ ଥିଲୁ ଦମଘୋଷର ଦୁଲଣା

ଚକ୍ଷୁ ଥାଉଂ ଥାଉଂ ରାଜପଥେ ହୋଉଛୁରେ ବଣା ।୧୯୫।

ଋକ୍ମିଣୀକି ବର ଯେ ହୋଇଥିଲୁ ଶିଶୁପାଳ

ବିଭାହୋଇ ବସିଲୁ ଯେ ଛାମୁଡ଼ିଆ ତଳ ।୧୯୬।

ପରପଞ୍ଚ ବରବେଶ ହୋଇଲୁ ରେ ବରଣ

ଅହିଗ୍ୟଂ ସ୍ଥାନରୁ କନ୍ୟା ଗଲା ତାହା ନେଲେ ନାରାୟଣ ।୧୯୭।

ଆରେ ଜରାସନ୍ଧ ସହିତେ ସାଜିଲ ସମଦଣ୍ଡ

ଅନେକ ସଇନି ମଲେ ସଭିୟେଂ ହୋଇଲେ ଯେ ଭଣ୍ଡ ।୧୯୮।

ଦୟାସାଗର ହରି ସେ କଇଚ୍ଛା ଜଗଜ୍ଜଠୀ

ତୁମ୍ଭର ଦେଖନ୍ତେ ଋକ୍ମଣକୁ କଲେକ ସାତବେଣ୍ଟି ।୧୯୯।

କୁତୂହୋଳେ ନ ମାରିଣ ତାକୁ କଲେ ପରପଞ୍ଚ

ନିଲ୍ଲଜ ଜୀବନ ଘେନି ତୁମ୍ଭେ ରେ ବ୍ରତିଅଛ ।୨୦୦।

ଭୀଷ୍ମଂକର ମୁଖୁଂ ୟେହେନ୍ନେକ ଝିଂଘାସ ବାଣୀ ଶୁଣି

ରାଗେଣ ଶିଶୁପାଳ ଯେ ଉଠିଲା ଶିର ଝୁଣି ।୨୦୧।

ପୁଣ ପୁଣ ମତ୍ତଗର୍ବେ କହଇ ପ୍ରତଗ୍ୟାଂ

ମହତଂକର ବଚନ ସେ କଲାକ ଅବଗ୍ୟାଂ ।୨୦୨।

ଗର୍ଜିଣ ଉଠିଲା ସେ ଅଧର ଦନ୍ତ ଚାପି

ବେନିଭୁଜେ ଗଦା ବୁଲାଇ ଉଠଇ କାମରୂପୀ ।୨୦୩।

ବୋଇଲା ଅନେକ ଧର୍ମ ଅର୍ଜିଲୁ ହୋ ଯୁଝେଷ୍ଠି

ଧର୍ମକଇଂ କଷଣ ହୋ ପାପକଇଂ ଜାଣ ଭେଟି ।୨୦୪।

ଶୁଣ ହୋ ଗାଙ୍ଗବେ ୟେହାଂକର ପ୍ରକୃତି

ଦଇପାୟନ ବ୍ରାହ୍ମଣର ଯେସନେକ ରୀତି ।୨୦୫।

ଦଇପାୟନ ବୋଲିଣ ଯେ ୟେକଇ ବ୍ରାହ୍ମଣ

ଅନେକ ବେଦମନ୍ତ୍ରେ ନିର୍ଜିତ ଭିଗ୍ୟଂ ପୁଣ ।୨୦୬।

ଅନେକ ଦାନ ସେହୁ ଘେନିଲା ଧନ ଲୋଭେ

ୟେକାୟେଣ ବ୍ରତଇ ସେ କୁଟୁମ୍ବେ ଅଭାବେ ।୨୦୭।

ୟେମନ୍ତେ ଚତୁର୍ଥ ବୟସ ହେଲାଣି ସେ ଭ୍ରମ

ଛାଡ଼ିଲା ସବୁ କର୍ମ ନାଶିଲା ସବୁ ଧର୍ମ ।୨୦୮।

ମନ୍ତ୍ର ନ ପଢନ୍ତେ ସେ ହୋଇଲା ଭିକ୍ଷାବାସୀ

ତଦ୍ୟାପି ନୁଆରିଲା ଉଦର ତାର ପୋଷି ।୨୦୯।

ଅନେକ ଦୁଖ ପାଇଲା ସେ ଦଇପାୟନ ବ୍ରାହ୍ମଣ

ନିତିପ୍ରତି ଗୃହେ ସେ ଅର୍ଜଇ ପାପମାନ ।୨୧୦।

ସେ ଦେଶ ଛାଡ଼ିଣ ଗଲା ଅନ୍ୟ ଦେଶେ

ରୁଦ୍ରାକ୍ଷମାଳ କମଣ୍ଡଳ କଷା କଉପୀନ ତପୋଧନ ବେଶେ ।୨୧୧।

ଉଜାଣ ବୋଲିଣ ଯେ ୟେକଇ ନଗରୀ

ମଳୟାନିକ ବୋଲିଣ ସାଧବ ତହିଂର ଅଧିକାରୀ ।୨୧୨।

ବଡ଼ାଇ ସମ୍ପଦ ଅଟଇ ଲକ୍ଷ୍ମୀଧର

ଶତେକ ବୋଇତର ସେ ଅଟଇ ବଣିଜାର ।୨୧୩।

ତାହାର ପିଣ୍ଡାରେ ଯାଇଂ ବସିଲା ଅଭ୍ୟାଗତ

ଆଶିଷ୍ୟେ ଯଜମାନ କାଣ୍ଡି କରଇ ଉକତ ।୨୧୪।

ଧାର୍ମିକ ଧେଖି ସାଧବ କଲା ଗଉରବ

ପୁତ୍ର ପୁତ୍ରୀ ଘେନିଣ ତାର ଚରଣେ ସେବିଲା ସାଧବ ।୨୧୫।

ଅନେକ ଭଗତି କଲେ ଜନେ ଅସି

ମଉନବ୍ରତେ ବସିଥାଇ ସେ ନ ଦିଅଇ ସମ୍ଭାଷି ।୨୧୬।

ବସଇ ଦୃଢ ଆସନେ ଫୁଟଇ ଲୋକିତ କର୍ମେ

ବଡ଼ ଧାର୍ମିକ ଦେଖି ଆସି ଭଗତି ହୋନ୍ତି ନଗ୍ରଜନେ ।୨୧୭।

ମିଛେହେଂ ବୋଲଇ ମୋର ଅନ୍ନ ଭୋଜନ ନାହିଂ

ଶୁନ୍ୟ ପବନ ଭେଦୀ ମୁଂ ନିରଞ୍ଜନ ଦାହି ।୨୧୮।

ନିଷ୍ଠାପର ଦେଖି ଜନେ ବହୁତ କଲେ ମାନି

ଚରଣ ପଖାଳିଣ ଉଦେକ ଶିରେ ଘେନି ।୨୧୯।

ବଡ଼ାଇ ଧର୍ମିକ ସାଧୁ ପାପକୁ ବଡ଼ ଭୟେ

ପରାପର ନାହିଂ ତାର ସବୁ ୟେକମୟେ ।୨୨୦।

ଯେତେବେଳେ ନିଦ୍ରା ଯାନ୍ତି ସେ ଗୃହବାସୀ ଲୋକେ

ରାନ୍ଧଣାଶାଳେ ସେ ପଶଇ ଯାଇଂ ଗୋପ୍ୟେ ।୨୨୧।

ଉଦର ପୁରିଲେ ସେ ବାହାର ହୋଇ ଆସି

ମହା ନିଷ୍ଠାପର ପାତିଣ ମଉନେ ଥାଇ ବସି ।୨୨୨।

ୟେହିମତି ହୋଇ ସେ ଦିନା ପାଞ୍ଚସାତ ଗଲା

ସୁପଂକୁ ଅନ୍ନ ମେଞ୍ଜନ ସମସ୍ତ ଭକ୍ଷକଲା ।୨୨୩।

ରୟଣୀ ପ୍ରଭାତେ ଯେ ଦେଖନ୍ତି ସୁପକାରେ

ସୁସ୍ଵାଦୁ ପଦାର୍ଥମାନ ନାହିଂନା ହାଣ୍ଡରେ ।୨୨୪।

କେବଣ ଚରିତ ୟେ ଜାଣିମା କେମନ୍ତେ

ବୋଇଲା ଅନ୍ନ ମେଞ୍ଜନମାନ ତ ନାହିଂ ୟେଥେ ।୨୨୫।

ୟେମନ୍ତେହେଂ ଗଲା ନବବାସ ପରିଯନ୍ତେ

ଶରୀର ପୁଷ୍ଟ ହୋଇଲା ଛଦ୍ରମ ତପୋବନ୍ତେ ।୨୨୬।

ଶିଶୁପାଳ ବୋଇଲା ଗାଙ୍ଗେବ ସାବଧାନେ ଶୁଣ

ଦିନ ବଞ୍ଚୁଥାଇ ସେ ପାତିଣ ଭଣ୍ଡପଣ ।୨୨୭।

ପ୍ରତିଦିନ ଲୋକଂକର ଯହୁଂ ଆହାର ତୁଟିଲା

ପରଶନ୍ତେ ଲୋକଂକୁ ଭାତ ତିଉଣ ନ ଅଣ୍ଟିଲା ।୨୨୮।

ସେ ସୁପକାରକୁ ବେଢି ଦିଅନ୍ତି ଯେ ଗାଳି

ବିକଳେ ଦ୍ଵିଜବର ମନେ ମନେ ଭାଳି ।୨୨୯।

ୟେକ ଦିନେ ଦ୍ଵିଜବର ରାନ୍ଧଣା ଘରେ ଟାକି

ସେ ଛଦ୍ରମ ବ୍ରାହ୍ମଣକୁ ଭିତରେ ପଶିବାର ଦେଖି ।୨୩୦।

ହାଣ୍ଡିରେ ଖାଆନ୍ତେ ସେ ମୁଣ୍ଡରେ ପିଟିଲା ବାଡ଼ି

ଫାଟିଲା ଶିର ତାର ପଡ଼ିଲା ମୁହଂ ମାଡ଼ି ।୨୩୧।

କରେଣ ସୂପକାର ଘେନିଲା ଦୀପାବଳୀ

ନଗ୍ର ଲୋକନ୍ତ ଡାକଦିଲା ହୋଇଲେ ସର୍ବ ମେଳି ।୨୩୨।

ସମସ୍ତେ ଦେଖିଲେ ୟେତ ଛଦ୍ରମ ବ୍ରାହ୍ମଣ

ଚାଣ୍ଡାଳ ହାଥେ କାଢି ପକାଇ ଦିଲେକ ଜଳେଣ ।୨୩୩।

ସମସ୍ତେ ଝିଂଘାସନ୍ତି ପରପଞ୍ଚ ୟେମନ୍ତେଣ ବ୍ରତି
ଧିକ ହୋଉକିନା ହୋ ୟେହାର ଜୀବତି ।୨୩୪।

ଶିଶୁପାଳ କହିଲା, ଭୀଷ୍ମେ କହିଲା ଯେବଣ କଥା

ୟେହାର ଚରିତ ହାଦେ ତେମନ୍ତ ବେବସ୍ତା ।୨୩୫।

ୟେ ପାମର ପାଣ୍ଡବେ ଯେ ନ ଜାଣନ୍ତି ୟେ ଖଣ୍ଡି

ୟେହିମତେ କହ୍ନା ଗଉଡ଼ ଯେ ଖାଉଅଛି ଭଣ୍ଡି ।୨୩୬।

ଶିଶୁପାଳର ଅନେକ ଝିଂଘାସ ବଚନ ହାଦେ ଗୁଣି

ତମ୍ବଚକ୍ର ପ୍ରାୟେକ ନୟନ ବୁଲାବନ୍ତି ଚକ୍ରପାଣି ।୨୩୭।

ଦମଘୋଷ ବୋଇଲା ଶୁଣ ରେ ଶିଶୁପାଳ
ମୃତୁ କୁ ଆଶ୍ରେ କରି ତୁ ହରିଂକି କରୁଛୁ କଟାଳ ।୨୩୮।

ଶ୍ରୀ ଜଗନ୍ନାଥଂକ ଶ୍ରୀଚରଣେ ଦମଘୋଷ ଶତେସହସ୍ର ଦଣ୍ଡ ପରିଣାମି
ବୋଲେ ଶିଶୁପାଳର ଦୋଷ ଉପେକ୍ଷା କରିବା ଦେବସ୍ଵାମୀ ।୨୩୯।

ସ୍ଵାମୀ ଟେଳାଇ ମାଇଲେକି ଟଳଇ ମନ୍ଦର

ଧୂଳି ପକାଇଲେ ପୋଡ଼ି ହୁଅଇ କି ସାହେର ।୨୪୦।

ଦୁଷ୍ଟଂକର ଦୋଷ ସ୍ଵାମୀ ତୁହି ସେ ଉଦ୍ଧରନ୍ତା

ମୂର୍ଖଂକର ଦୋଷ ସ୍ଵାମୀ ତୁହି ସେ ସହନ୍ତା ।୨୪୧।

ସ୍ଵାମୀ ଯମୁନାର କୂଳେ ଖେଡ଼ିବାର ବେଳେ

ଶିଶୁପାଳ ନାମ ଦିଲୁ ଧରିଣ ତାକୁ କୋଳେ ।୨୪୨।

ତୁଦେବ ଶରଣ ପଞ୍ଜର ବୀରଧୂ ମହାପ୍ରଭୁ

ଅରିଷ୍ଟ ଦୋଷ ବିନାଶକ କରନ୍ତା ଦେବ ସବୁ ।୨୪୩।

ସୟଳ ଉଦ୍ଧାରଣ ନାଥ ସକଳ ଜନ ଚିନ୍ତା

ନବଦ୍ଵୀପ ସପତ ସାଗର ନାଥ ତୁହି ସେ ଉଦ୍ଧରନ୍ତା ।୨୪୪।

ଭାବଗ୍ରାହୀ ଜଗନ୍ନାଥ ତୁ ଭଗତ ଯେ ମତ୍ସଳା

ସମସ୍ତ କଳ୍ମଷ ଧ୍ଵଂସୁ ଶରୀର ତୋର କଳା ।୨୪୫।

ସକଳ ବ୍ରହ୍ମାଣ୍ଡନାଥ ତୁହିଂ ସେ ଦିବ୍ୟଚଛୁ

ଛାର ପାମର ଶିଶୁପାଳ କଇଂ ତୁ କୋପ କରୁଅଛୁ ।୨୪୬।

ସ୍ଵାମୀ ମୁଣ୍ଡେ ପେଲିଲେ କି ବସୁନ୍ଧରୀ ଚଳଇ

କିଞ୍ଚିତ ମାତ୍ର ଛାର ୟେ ଶିଶୁପାଳ ଅଟଇ ।୨୪୭।

ଦୋଷ ଉପେକ୍ଷା କରିବା ନାଥ ଘେନିମା ଦେଇନି

ଶ୍ରୀକୃଷ୍ଣ ଚରଣେ ଶରଣ ଗ୍ରନ୍ଥିକ ସାରୋଳା ଦାସ ଶୂଦ୍ରମୁନି ।୨୪୮।

ଶ୍ରୀ ଜଗନ୍ନାଥ ବୋଇଲେ କେତେ ଦୟିନୀ ହୋଉ ତାତ

ମୋତେ କେତେ ବୋଲ ତୋହର ପୁତ୍ରର ପରାକୃତ ।୨୪୯।

ନଶନ୍ତ କାଳ ଯେତେବେଳେ ହୁଅଇଟି ପ୍ରାଣୀ

ପରାପର ସେହି କିଛିହିଂ ନ ଜାଣି ।୨୫୦।

ଶୁଣି ଶିଶୁପାଳ ଗର୍ଜଇ ମହାବୀରା

କିସ ପରାପର ମୋତେ ବୋଲୁରେ ପାମର ଗଉଡ଼ା ।୨୫୧।

ଗୋପାଳ ମାତ୍ରକ ହୋଇ ତୋହୋର କିସ କଇଚ୍ଛା

ଗୋପାଳୁଣୀ ଲୋଚାୟେ ଘେନିଥିବୁ ରେ ୟେ ତୋହୋର ଇଚ୍ଛା ।୨୫୨।

ତୁ କିଂପାଇଂ ଆସୁରେ ୟେ ରାଜୁସି ସଭାକୁ

କିସ ସାମର୍ଥ୍ୟ ଅଟୁ ତୁରେ ପାଦାର୍ଘ୍ୟ ଘେନିମାକୁ ।୨୫୩।

କୂପଜଳ ହୋଇ କି ଗଙ୍ଗାଜଳେ ସରି

ବ୍ରାହ୍ମଣ ତୁଲେ କାହିଂ ଚାଣ୍ଡାଳ ଲୋକନ୍ତ ସମମରି ।୨୫୪।

ଦେବ ପାଷାଣକୁ କାହିଂ ତୁଠ ପଥ ହୋୟେ ତୁଲ

ସେବତୀ ପୁଷ୍ୟେ କାହିଂ ମିଶା ହୋଇବ ଅରଖ ଫୁଲ ।୨୫୫।

ଗୁଞ୍ଜ ପଟାନ୍ତର କି ମାଣିକର ତୁଲେ

ହୀରାକୁ ପଟାନ୍ତରକି ସଷ୍ଟିକରେ ପାଣି ଥିଲେ ।୨୫୬।

ଜାର ଜାତକା ପାଣ୍ଡବେ ଯେ କୁଳ ଗୋତ୍ର ନାହିଂ

ପାଣ୍ଡବନ୍ତ ଭଣ୍ଡି ଖାଉ ତୁ ଜଗନ୍ନାଥ ନାମ ବହି ।୨୫୭।

ଆରେ ଆରେ ଗଉଡ଼ କିଂପାଇ ତୁ ନ ଦେଉ ସମ୍ଭାଷି

ମଉନବ୍ରତ ହୋଇ କିଂପେ ସଭାୟେଣ ଅଛୁ ବସି ।୨୫୮।

ଚାପୋଡ଼େ ମାରିଣ ଛିନାଇବି ତୋର ଶିର

ମରଣେ କାରଣ ପାଇବୁ ତୋର ଇଷ୍ଟ ଦେବତା ସୁମର ।୨୫୯।

ଅସିପତ୍ର ବୁଲାଇଣ ଉର୍ଦ୍ଧ୍ଵକଇଂ ଭୁଜ ତୋଳି

ବହୁତ ଝିଂଘାସିଣ ରାଗେଣ ଦିଅଇ ଗାଳି ।୨୬୦।

ଯହୁଂ ସେ କେଶବ ସ୍ଵାମୀ ଦେଖିଲେ ଅଷ୍ଟାଙ୍ଗ

ବାତେ କଦଳୀ ପତ୍ର ପ୍ରାୟେକ କଂପଇ ତାଂକ ଅଙ୍ଗ ।୨୬୧।

ମୋଡ଼ିକରି ମୁଣ୍ଡ ୟେହାର ପକାଇବି ତଳେ

ୟେ ମହାସଭା ଯାକ ହୋଇବ ମହାଗୋଳେ ।୨୬୨।

କଠୋର ଦେଖିଣ ବିଚାରନ୍ତି ଦେବହରି

ସୁଦ୍ରିଶେଣ ଚକ୍ରକୁ ଆଗ୍ୟାଂ ଦିଲେକ ମୁରାରି ।୨୬୩।

ଶୂନ୍ୟେଣ ଚକ୍ରକୁ ସ୍ଵାମୀ ଆଗ୍ୟାଂ ଦିଲେ ୟେକା

ଶିଶୁପାଳର ଶିର କମଳ ବହନ ଛେଦିପକା ।୨୬୪।

ଅନ୍ତରୀକ୍ଷେ ପଡ଼ିଲା ଯେ ଚକ୍ର ସୁଦ୍ରିଶେଣ

ଶିଶୁପାଳର ଶିରଛେଦି ପକାଇଲା ତତକ୍ଷଣ ।୨୬୫।

ପ୍ରତକ୍ଷେ ଦେଖିଲେ ଯେ ଦୁଷ୍ଟ ରାଜାମାନେ

ବୋଇଲେ ଶିଶୁପାଳ ନାଶଗଲା ଜଗନ୍ନାଥଂକର ଗ୍ୟାନେ ।୨୬୬।

ଭୀଷ୍ମେ ଦ୍ରୋଣେ ବୋଇଲେ ହୋ ନକର କିଛି ଗୋଳ

ଧର୍ମକଇଂ ଝିଂଘାସିଲେ ହୋ ଜୀବନ କେତେ କାଳ ।୨୬୭।

ଅଦଭୁତେ ଜଗନ୍ନାଥକଇଂ ବହୁତ ଝିଂଘାସିଲା

ଅକାଳ ଚକ୍ର ତାକୁ ହୋ ମାଡ଼ିଣ ପଡ଼ିଲା ।୨୬୮।

ଅସ୍ତୁକାରେ ପୁରୁଷେ ଯେ ନୁଆରିଲେ ସେହି

ନିର୍ଘାତେ ଘାଡ଼େଣ ହୋ ତୁଟିଲା ତାର ଦେହୀ ।୨୬୯।

ଅସ୍ତାନରେ ବସିଥିଲେ ଯେତେ ଦୁଷ୍ଟ ରାୟେ

ସଭାରୁ ଉଠିଣ ପଳାଇଲେ ପାଇଣ ମହାଭୟେ ।୨୭୦।

ଉଠିଲାକ ଗୋଳ ଯେ ମହା ଯଗ୍ୟଂସଭା

ଆପଣେ ରାଜାନ୍ତ ସମାର୍ଜନ୍ତି ଯୁଝେଷ୍ଠି ରାଜଦେବା ।୨୭୧।

ସଭାଗୋଳ ଦେଖିଣ ବ୍ୟାସ ମହାଯତି

ପାତକ ଖଣ୍ଡଣ ନିମନ୍ତେ ଦିଲେକ ପୂର୍ଣ୍ଣ ଯେ ଆହୁତି ।୨୭୨।

ଯୁଝେଷ୍ଠିଂକ ଛଡ଼ ନିଶ୍ଵାସେ ଲକ୍ଷେକ କୁମ୍ଭ ଯେ ଢଳିଲା

ଆକାଶୁଂ ବାଣୀ ଶୁଭିଲା ପଣ୍ଡୁରାଜା ସ୍ଵର୍ଗକଇଂ ଗଲା ।୨୭୩।

ବ୍ରହ୍ମହତ୍ୟା ପାତକ ତାର ଶରୀରୁ ଗଲା ପାର

ସ୍ଵର୍ଗପୁରେ ବସିଲା ସେ ପଣ୍ଡୁରାଜା ମହାବୀର ।୨୭୪।

ସମସ୍ତେ ବ୍ରହ୍ମଣମାନେ କଲେ ବେଦଧୂନି

ଧୃତିରାଷ୍ଟ୍ରଂକୁ ପୂଜା କଲେ ଯୁଝେଷ୍ଠି କରେ ଅର୍ଘ୍ୟ ଘେନି ।୨୭୫।

ଅନେକ ସମ୍ଭର୍ବେ କଲେ ରାୟେ ପୂଜା

ବହୁତ କଣୟ ବୃଷ୍ଟି କଲେ ଧର୍ମର ଆତ୍ମଜା ।୨୭୬।

ବେଗେ ରାଜାଗଣମାନନ୍ତ ସେ କଲେକ ସମାର୍ଜନ

ଲୋପନ୍ତି କ୍ରପୂର ଆଦି ସୁବାସ ଚନ୍ଦନ ।୨୭୭।

ରତ୍ନ ବସ୍ର ଅଳଂକାର ବହୁତ ଅକ୍ଷତ କରି

ଚଲନ୍ତି ରାଜାମାନେ ଯେ ଯାହାର ନିଜ ପୁରୀ ।୨୭୮।

ସମାର୍ଜି ରାଜାନ୍ତ ଯେ ପିଠିଆଇଲେ ନିଜ ଦେଶେ

ଅନେକ ବିନୋୟୀ କହି ବହୁତ ବିଶ୍ଵାସେ ।୨୭୯।

ରାଜାଗଣେ ଚାହିଂ ଭୀମସେନ ଦିଲେକ ସେ ଆଗ୍ୟାଂ

ଯେ ଯାହାର ଦେଶେ ଥିବେ ନ କରିବା ଅବଗ୍ୟାଂ ।୨୮୦।

ଆମ୍ଭର ଅଧୀନେ ହୋ ପଡ଼ିବ ଯେବେ କାର୍ଯ୍ୟ

ଦୂତ ପ୍ରମନ୍ତିଲେ ହୋ ଆସିବ ସର୍ବରାଜ ।୨୮୧।

ୟେକ ନ ଲଂଘିବଟି ତୁମେ ଆରେକର ସୀମା

ଆଗ୍ୟାଂ ମେଣ୍ଟିଲେ ଜାଣିଥାଅ ମୁହିଂ ସେ ବୀର ଭୀମା ।୨୮୨।

ସମସ୍ତ ରାଜାୟେ ବରୁଣାବନ୍ତେ ଭୀମସେନ ଚରଣେ ପରିଣାମି

ୟେ ତୋହେ ଆଗ୍ୟାଂ ଆମ୍ଭଂକୁ ନିରାଧାର ଦେବସ୍ଵାମୀ ।୨୮୩।

ଆମ୍ଭେ ସେ ପାରିଦଣ୍ଡ ସମସ୍ତ ରାଜେଶ୍ଵର

ଲକ୍ଷେ ରାଜାଂକ ଉପରେ ଭୀମସେନହିଂ ଠାକୁର ।୨୮୪।

ଗଙ୍ଗା ପାରି ହୋଇ ଚଳିଲେ ସମସ୍ତ ରାଜାମାନେ

ବାରୁଣାବନ୍ତ ରାଜ୍ୟରୁ ବାହୁଡ଼ିଲେ ଭୀମସେନେ ।୨୮୫।

ଦରଦସେନ ଯମାଗୋଷ୍ଠ ରାଜାକଇଂ କରାଇଲେ ପୀରତି

ୟେକଆତ୍ମା ହୋଇ ତା ଚଳିଲେ ବେନି ଯେ ନୃପତି ।୨୮୬।

ତ୍ରିଗର୍ତ୍ତ ବୋଇଲା ସ୍ଵାମୀ ମୁଂ ମତ୍ସଦେଶର ନୃପତି

ମୋହୋର ରାଜ୍ୟ ବଳେଣ ଛଡ଼ାଇ ଘେନିଅଛି ବିରାଟ ନୃପତି ।୨୮୭।

ଦୁଂହାଳ ଦୁଇଲକ୍ଷ ବରଡ଼ ବାରଲକ୍ଷ ଗାଈ

ଅଣ୍ଡିର ନବ ସହସ୍ର ବଚ୍ଛା ଲକ୍ଷେ ମାଈ ।୨୮୮।

ୟେତେକ ଗୋଧନ ମୋର ଛଡ଼ାଇ ଘେନି ଅଛି ବଳେ

ନେରେଖକଇଂ ସ୍ଵାମୀ ରାଖିବା ୟେତେବେଳେ ।୨୮୯।

ଆହୋ ଚଇତନ ବିରାଟକୁ ଦୃଶ ତ ନୋହନ୍ତି ପଞ୍ଚୁଭାଇ

ଭୀମସେନ ବୋଇଲା ବିରାଟ ଗଲାନି ୟେଥେ ନାହିଂ ।୨୯୦।

ତୁ ୟେବେ ରହିଥାଅ ଦ୍ରିଯୋଧନର ଗୋଚରେ

ପଶ୍ଚାନ୍ତେ ବିଚାରି ତୋତେ ବସାଇବା ରାଜ୍ୟରେ ।୨୯୧।

ଭୀମସେନର ବଚନେ ତ୍ରିଗର୍ତ୍ତେଶ୍ଵର ଗଲା

ଦ୍ରିଯୋଧନର ଆଶ୍ରିତେ ଯାଇଂଣ ରହିଲା ।୨୯୨।

ଯୁଝେଷ୍ଠିଂକ ଚରଣେ ଦମଘୋଷ ପରିଣାମି

ଶିଶୁପାଳକଇଂ ଦହନ କରିବି ମୋତେ ଆଗ୍ୟାଂ ଦେବା ସ୍ଵାମୀ ।୨୯୩।

ସ୍ଵାମୀ ଯେ ଯାହା ଅର୍ଜିଲା ତାହା ଭୁଞ୍ଜିଲା ଯୁଗତେ

ଅପାର କାଳହୁଂ ତାହା ମୃତୁ ଦିଶୁଥିଲା ମୋତେ ।୨୯୪।

ଅନେକ ଗନ୍ଧ ଚନ୍ଦନ କ୍ରପୂର ଦେବଦାରୁ

ୟେମାନ ଆଗ୍ୟାଂ ହୋଇଲାନି ଆଣ ଭଣ୍ଡାର ଘରୁ ।୨୯୫।

ଦିବ୍ୟ ପଲଂକେ ନେଇ ଶୁଆଇଲେ ଶିଶୁପାଳ କଳେବର

ନେଇଣ ବସାଇଲେ ଗଙ୍ଗାନଦୀ କୂଳର ।୨୯୬।

ମୃତୁପିଣ୍ଡ ଦହନ କଲେକ ଶମଶାନେ

ଅନେକ ଦାନ ପାଇଲେ ବିଭୋକ୍ଷିତ ବିପ୍ରମାନେ ।୨୯୭।

ବ୍ରାହ୍ମଣ ମାନଂକୁ ସେ ଅନେକ କଲେ ପୂଜା

ଅନେକ ଭଗତି ହୋଇଲେ ସେ ଦେବ ଧର୍ମରାଜା ।୨୯୮।

ବସନ କୁଣ୍ଡଳ ଧୁପ ଦୀପ ନଇବେଦ୍ୟ

ପୁଣ୍ୟତୋୟା କୂଳେ ଶମଶାନ ସମ୍ପାଦ ।୨୯୯।

ଅବିଚ୍ଛନ୍ନେ ଦାନ ହୋଇଲା ବାଉନ ଭଣ୍ଡାରର ଧନ

ଚଉଂବିଶ ଦିବସ ପରିଯନ୍ତେ ଦିଲେକ ଅନ୍ନଦାନ ।୩୦୦।

ରାଜାନ୍ତ ଦିଅନ୍ତି ତାଡ଼ ତୋଢର ବାହୁଟି ଜଗଦଳା

ଶିରେ ସିମନ୍ଥିନୀ ମୁକୁଟ କୁଣ୍ଡଳ ମୁକୁତା ରତ୍ନ ମାଳା ।୩୦୧।

ଅନେକ ଅଳଂକାର ଦେବାଙ୍ଗ ବସନ

ଶାଢୀ ପ୍ରସାଦ ଘେନି ଚଳିଲେ ସମସ୍ତ ରାଜାଗଣମାନ ।୩୦୨।

ସମସ୍ତ ରାଜାୟେ ଯେ ସାଧୁ ସାଧୁ ଭାଷି

ପାଣ୍ଡୁର ଆପାଦ ଖଣ୍ଡଣ ହୋଉ ପଣ୍ଡୁ ହୁଅନ୍ତୁ ସ୍ଵର୍ଗବାସୀ ।୩୦୩।

ଭୋ ଦେବ ଯୁଝେଷ୍ଠି ଆମ୍ଭର ଆଷ୍ୟ ଘେନି ବ୍ରତ

ଶତ୍ରୁମାରି ପଞ୍ଚୁ କଟକ ମଧ୍ୟେଣ ହୋଅ ୟେକଛତ୍ର ।୩୦୪।

ଋଷିଗଣମାନେ ସମସ୍ତେ ଶୁଭ କଲ୍ୟାଣ ବାଞ୍ଛି

ପ୍ରାପତ ହୋଉ ତୋତେ ମନରେ‌ ଯାହା ଇଚ୍ଛି ।୩୦୫।

ନିକଳଂକ ହୋଇଥାଉ ତୋହର ଦେହ ଗୋଟି

ୟେହି ସ୍ଵଦେହ ଘେନି ସ୍ଵର୍ଗେ ବସ ହୋ ଯୁଝେଷ୍ଟି ।୩୦୬।

ରାଜ ସମ୍ପଦ ତୋତେ ସର୍ବଦା ହୋଉଥାଉ

ଦଇତ ଦାନବ ତୋତେ ଜିଣନ୍ତା କେହି ନୋହୁ ।୩୦୭।

ଇନ୍ଦ୍ର ପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା ପଞ୍ଚୁଦେଶ

ଚିରାଞ୍ଚନ ହୋଇଣ ରାଜ୍ୟେ କରନ୍ତୁ ତୋହୋର ବଂଶ ।୩୦୮।

ୟେହେନ୍ନେକ ସମ୍ପଦ ଅର୍ଜିଲୁ ପୁଣ୍ୟ ଧର୍ମମାନ

ସର୍ବଦା ୟେହିମନ୍ତେ ହୁଅସି ଭାର୍ଜନ ।୩୦୯।

ଯେବେ ଆମ୍ଭର ଜପତପ ଅଟଇ ସତ

ପଞ୍ଚୁରାଜ୍ୟେ ଜମ୍ବୋଦୀପ ତୋତେ ହୋଇବାକ ପ୍ରାପତ ।୩୧୦।

ଦେବଋଷି ବ୍ରହ୍ମଋଷି ରାଜଋଷି ଶିରେଣ ଦିଲେ ଅର୍ଘ୍ୟ

ଆମ୍ଭର ବାଞ୍ଛାୟେ ତୋତେ ପ୍ରାପତ ହୋଉ ସ୍ଵର୍ଗ ।୩୧୧।

ବନ ଡୋହଳ ଫଳ ସମସ୍ତ ଋଷିଂକି

ଅନେକ ଶୀତଳ ଦ୍ରବ୍ୟ ଧର୍ମରାଜ ଆପଣେ ଦିଅନ୍ତି ଦେଖି ।୩୧୨।

ଅନେତ ତ୍ରପୁତି ହୋଇଣ ଋଷିମାନେ

ପନୀର ଶୀତଳ ଜଳେ ଋଷିୟେ କରନ୍ତି ଆଂଚୋବନେ ।୩୧୩।

ଚଳନ୍ତି ବ୍ରାହ୍ମଣମାନେ ଅନେକ କଲ୍ୟାଣ ବାଞ୍ଛାକରି

ଅକଣ୍ଟେକ ହୋଇଥାଉ ତୋହର ପୁରୀ ।୩୧୪।

ଚଇତନ ପୁଚ୍ଛାକଲେ ଶୁଣ ମନୁ ଦେବା

ଶିଶୁପାଳର ମହିମାଂ ତ ଦେବେଣ ଦୁଲଭା ।୩୧୫।

ନାରାୟଣଂକ ଚକ୍ର ସେ ପାଇଲା ଶ୍ରୀହସ୍ତେ

ଜନ୍ମର ଅଭ୍ୟାସ ଅଛିଟିକି ୟେସନେକ ସଙ୍ଗତେ ।୩୧୬।

ମନୁ ବୋଇଲେ ଚଇତନ ସାବଧାନେ ଶୁଣ

ଶିଶୁପାଳ ମହିଂମା ତୋତେ କହିବା ପୂର୍ବଜନ୍ମ ।୩୧୭।

ସାମାନ୍ୟ ନୋହଇ ସେ ଅଟଇ ବଡ଼ ଜଣେ

ତହିଂର ଅର୍ଥେ ଚକ୍ର ପାଇଲା ସାବଧାନେ ଶୁଣ ।୩୧୮।

ବିଷ୍ଣୁଗରଭ ବୋଲିଣ ୟେକଇ ସତ୍ୟଯୁଗେ

ପଦ୍ମଯୋନି ବ୍ରହ୍ମା ଗଲା ବଇକୁଣ୍ଠ ସ୍ଵର୍ଗେ /୩୧୯।

ନବଯୁଗ ପରିଯନ୍ତେ ଦ୍ଵାରେ ଥିଲା ବସି

ଜୟେ ବିଜୟେ ତାକୁ ନ ଦିଲେ ଭିତରକୁ ପଶି ।୩୨୦।

ସାର ନାମେଣ ଯେ ଅଟଇ ବଇକୁଣ୍ଠଇଂ
ଅଣାକର ବିଷ୍ଣୁର ଆସନ ଅଟଇ ତହିଂ ।୩୨୧।

ୟେକ ଲୟେ କରି ଧାତା ତାହାଂକୁ ଉପଲେଖି

ଅଣାକର ପୁରୁଷଂକୁ ନୁଆରିଲା ଦେଖି ।୩୨୨।

ବାହୁଡ଼ ପିତାମହ ଆସଇ ମଧ୍ୟସ୍ଵର୍ଗେ

ସରସ୍ଵତୀ ନଦୀତୀରେ ଶୁକ୍ଳାମ୍ବର ପର୍ବତ ଲାଗେ ।୩୨୩।

ଆବର ଆକାଶ ପୁରେ ଯାଇଂ କିସ ମୁଂ କରିବି

ବିଷ୍ଣୁର ଚିହ୍ନବର୍ଣ୍ଣ ମୁଂ କେମନ୍ତେ ଦେଖିବି ।୩୨୪।

ଅଣାକର ଲୟେକରି ବସିଲାକ ନିଆଶୀ

ଶୂନ୍ୟ ପବନ ଭକ୍ଷୀଣ ସେ କଳପ ଯାୟେ ବସି ।୩୨୫।

ପବନ ନିରୋଧିଣ ସେ ଛନ୍ଦିଲା ଉଜାଣି

ଅଣାକର ବିତ୍ରକେ ଆନ ସେ ନଜାଣି ।୩୨୬।

ମହାଯୋଗ ପୁରୁଷ ସେ ବସିଲା ୟେହିମତେ

ମଉନେ ବସିଲା ସତଷଠୀ ଯୁଗ ପରିଯନ୍ତେ ।୩୨୭।

ଅଣାକର ପୁରୁଷ ସେ ଜାଣିଲେ ଯୋଗଲୟେ

ବ୍ରହ୍ମା ବଇକୁଣ୍ଠକଇଂ ଇଚ୍ଛିଲା ତଲୟେ ।୩୨୮।

ପ୍ରିୟା ଚାରୁ କମଳା କୁଳବତୀ ଚାରିବାଳୀ

ୟେହାନ୍ତ ହକାରିଣ ଆଗ୍ୟାଂ ଦିଲେକ ଦେବ ବନମାଳୀ ।୩୨୯।

ତୁମ୍ଭେ ୟେବେ ବେଗେ ଯିବ ଗୋ ମଧ୍ୟ ଭୁବନକୁ

ପଦ୍ମଯୋନି ବ୍ରହ୍ମା ଲୋଡୁଛି ବଇକୁଣ୍ଠ ଆସିବାକୁ ।୩୩୦।

ତୁମ୍ଭେ ଚାରିହେଂ ଯାଇଣ ତାହାର ତପ ଭାଞ୍ଜ

କାମ କଷ୍ଠୋର କରି ଶରୀର ତାର ଗଞ୍ଜ ।୩୩୧।

ନାରାୟାଣଂକ ଆଗ୍ୟଂୟେ ସେ ଚଳିଲେ ଯୁବତୀ

ଦେଖିଲେ ଧାତାର ଯେ କଷ୍ଠୋର ତପ ମୃତ୍ତି ।୩୩୨।

କରେଣ ସପତ ସ୍ଵରବେଣୀ ଯେ ପିନାକୀ ଅଧାଟି

ମଧୁର ରସ ଉଂକାରି ପିତାମହକଇଂ ଖଟି ।୩୩୩।

ପଦବନ୍ଧ ସୁଲଳିତ ପଞ୍ଚମ ସ୍ଵର ଗୀତା

କୋକିଳ ଧ୍ଵନୀ ସୁସ୍ଵରେ ସେ ଗାବନ୍ତି ବନିତା ।୩୩୪।

ଯୁଗତେଣ ଯୁବାନାରୀ ଆବର ପେଶକାରୀ

ଧର୍ମ ବିନାଶନୀ ସେ ଅଟନ୍ତି ଧୂର୍ତ୍ତି ଚାରି ।୩୩୫।

ଶରୀରମାନ ଦିଶନ୍ତି ରସାଣ ପତ୍ର ଜାଣି

ବହୁତ ବିଧି ଅଳଂକାର ଝୀନ ପତନୀ କାଛେଣୀ ୩୩୬।

ଯୁଗତେ କୁମ୍ଭମାସ କୁହୁଡ଼ି ଶିଶିର ବୃଷ୍ଟି

ଥନ କାନୁ ଯୁବବନ ଦିଶଇ ସମସ୍ତ ଫୁଟି ।୩୩୭।

ଚାହିଂଲେ ପିତାମହ ଅବଲୋକନ ଆଖି

ବିଭଳିତ ମତୁଆଳ ଶରୀର ତାହାଂକର ଦେଖି ।୩୩୮।

କ୍ଷଣେ କ୍ଷଣେ ଅବଲୋକନ ଚାହାଂଣୀ ଛଟକ ମାୟା

ଦେଖିଣ ଅସାଷ୍ଟାମ ପିତାମହର କାୟା ।୩୩୯।

ୟେଡ଼େ ମହାତ୍ମା ସେ ନିଆଶୀ ମହାଗ୍ୟାନୀ

ସମସ୍ୟା ନକରି ସେ ଠାରି ଦିଲେ କର ଘେନି ।୩୪୦।

କାର୍ଯ୍ୟ ଘେନିଲେ ସେ ସାନନ୍ଦେ ପ୍ରମଦା

ସରିଲା ତପ ତାହାର ଭାଞ୍ଜିଲାକ ଯୋଗମୁଦ୍ରା ।୩୪୧।

ମହାମାୟା ସୁନ୍ଦରୀ ଦେଖି ଆରତ ପଦ୍ମଯୋନି

କାମେଣ ଅସାଷ୍ଟମେ ସେ କରାଇଲେ କାମିନୀ ।୩୪୨।

ଦେଖିଣ ଆରତ ସେ ହୋଇଲା ଆଦି ବ୍ରହ୍ମବେତ୍ତା

ଢଳିଲା ଅମୋହ ରେତ ବ୍ରହ୍ମ ହୋଇଲା ଖଳିତା ।୩୪୩।

ଅମୋହ ରେତ ଯେ ଗଳିତ ହୋଇଲା ଚାରିଧାର

ଚାରିପୁତ୍ର ହୋଇଲେ ସେ ଧାତାରୁ ଅବତାର ।୩୪୪।

କୁମରନ୍ତ ଦେଖିଣ ସେ ସାନନ୍ଦ ବେଦବ୍ରହ୍ମା

କନ୍ୟାକଇଂ କୋପ ତାର ବଢିଲା ଅବିଶ୍ରମା ।୩୪୫।

ଆହୋ ଦୁଖେଣ ଅର୍ଜିଲା ଦୁରାପଦ ୟେ ମୋହୋର ତପ

ତାହା ନାଶକଲା ଲୋ ଦେଖାଇ ନିଜ ରୂପ ।୩୪୬।

ୟେଡ଼େ ବଡ଼ ତପ ଭାଞ୍ଜିଲା କାମ ସୁଖ

ଯାଅ ଚାରିହେଂ ତୁମ୍ଭେ ଲୋ ହୋଅସି ଅମୋକ୍ଷ ।୩୪୭।

ତ୍ରଇଲୋକ୍ୟେ କେହି ତୁମ୍ଭନ୍ତ ନୋହିବେ ପ୍ରଦାନ

ନିଷ୍ଫଳ ହୋଉ ତୁମ୍ଭର ୟେ ନବ ଯଉବନ ।୩୪୮।

ଆହୋ ଚଇତନ ମହାବ୍ରହ୍ମ ପୁରୁଷ ଦିଲା ବଇରାଗେ

ପୁତ୍ରନ୍ତ କୋଳେ ଧାତା ଧଇଲା ଅତି ସ୍ରାଗେ ।୩୪୯।

ହରଷେଣ କୁମାରେ ବସନ୍ତି ଯହୁଂ କୋଳେ

କନ୍ୟାୟେ ବର ମାଗିଲେ ପରସନ ବେଳେ ।୩୫୦।

ତୋହର ପ୍ରସନ୍ନେ ନାଥ ସଂସାରେ ହ୍ଵନ୍ତି ମୋକ୍ଷ

ତୋତେ ଭେଟି କିଂପେ ଆମ୍ଭେ ହୋଇଲୁ ଅମୋକ୍ଷ ।୩୫୧।

ବିକଳ ଦେଖିଣ ଯେ ପ୍ରସନ୍ନ ହୋଇଲେ ବେଦ ଚାରି

ଚାରିହେଂ ହୁଅ ତୁମ୍ଭେ ଲୋ ସପନ ସୁନ୍ଦରୀ ।୩୫୨।

ସପନେ ପୁରୁଷଂକୁ ଲୋ କରାଇବ କେଳି

ସରୂପ ଲୋଡ଼ିଲେ ତୁମ୍ଭେ ନୋହିବ ମନର ହିଆଳି ।୩୫୩।

ସ୍ତିରୀଂକ ରମଣ କାଳେ କରିବ ପୁରୁଷ ରୂପ ବେଶେ

ନାନା ଅବସ୍ଥାରେ ଲୋ ପୁରୋଇବ କାମରସେ ।୩୫୪।

ଲୋଡ଼ନ୍ତେ ଧରନ୍ତେ ନୋହିବ ପରାପତ

ସପନ ସୁନ୍ଦରୀ ରୂପ ଲୋ ହୋଉ ତୁମ୍ଭରି ଗାତ୍ର ।୩୫୫।

ପ୍ରିୟା ଚାରୁ କୁଳବତୀ କମଳା

ପିତାର ଶାପ୍ୟେ ସେ ହୋଇଲେ ଅନର୍ଗଳା ।୩୫୬।

ସବୁଂକରି ତୁଲେସେ କ୍ରୀଡ଼ାରଙ୍ଗ କରନ୍ତି

ନାନା ଅବସ୍ଥା କରି ବିନ୍ଦୁ ଯେ ଚଳାବନ୍ତି ।୩୫୭।

ଲୋଡ଼ିଲେ ସେ କାହାରି ନୁହନ୍ତି ଯୁଗତେ

ଅଗତି ହୋଇଲେ ସେ ପିତାମହର ଶାପ୍ୟଗତେ ।୩୫୮।

ଚାରି କୁମାରନ୍ତ ରାଇ ବୋଇଲେ ବେଦବର

ବାବୁ ବିଷ୍ଣୁନାଥ ନାଶ କଲାରେ ତପ ଯେ ମୋହୋର ।୩୫୯।

ଧାତାର ବୀର୍ଯ୍ୟୁଂ ଉଜିଲେ ଯେବଣ ଚାରିତନୁ

ସନକ ସନନ୍ତ ସନାତନ ଅବର କୁମାର ମନୁ ।୩୬୦।

ମାନୁ ବୋଲିଣ ଯେବଣ ସାନଶିଷି

ତାହାଂକଇ ଆଗ୍ୟାଂ ଦିଲେତୁ ପାତାଳ ବଇକୁଣ୍ଠ କୁ ଯାଅସି ।୩୬୧।

ଅଣାକାର ପୁରୁଷଂକୁ ତୁ କର ଯା ଦରଶନ

ମନୁ ମହଋଷି ତହୁଂ ଜଗତ ଉତପନ୍ନ ।୩୬୨।

ଯୋଗ ଲୟେଣ ସେ ପିତାମହର ତନୁ

ଅଣାକାର ଦରଶନେ ଚଳିଲେକ ମନୁ ।୩୬୩।

ମଞ୍ଚ ଜଗତ ପାତାଳ ଜଗତ ସୁତଳ ତାଳତଳ

ଜଗତ ରସାତଳ ମହାତଳ ଅତିତଳ ।୩୬୪।

ୟେ ବିଧି ସପତ ପାତାଳ ଯେ ୟେସନକ ଭେଦୀ

ଯାନ୍ତେଣ ଭେଟିଲେ ମନୁ ବଇକୁଣ୍ଠ ସଉନିଧି ।୩୬୫।

ସତ୍ୟ ଅଚାରି ବଇକୁଣ୍ଠ ସାମପାଳ ବଇକୁଣ୍ଠ

ନୀଳ ବଇକୁଣ୍ଠ ଯେ ଯମନିକ ବଇକୁଣ୍ଠ ।୩୬୬।

ୟେତେ ବଇକୁଣ୍ଠ ଜିଣି ଗଲାକ ହାଦେ ମନୁ

ସାର ବଇକୁଣ୍ଠେ ଭେଟିଲା ପିତାମହର ତନୁ ।୩୬୭।

ନ ପଢି ପଣ୍ଡିତ ନ ସାଧି ଯୋଗେଶ୍ଵର

ମଧ୍ୟପୁରୁଂ ଅଇଲେ ମୁନି ବେଳ ଦେଢ ଯେ ପ୍ରହର ।୩୬୮।

ଅନନ୍ତ ବଇକୁଣ୍ଠ ଜିଣିଗଲେ ୟେହିମତେ

ସାର ବଇକୁଣ୍ଠେ ପ୍ରବେଶ ତିନିଲକ୍ଷ ବରଷ ପରିଯନ୍ତେ ।୩୬୯।

ଆହୋ ରାୟେ ସେ ସାର ବଇକୁଣ୍ଠେ ଦ୍ଵାରପାଳ ଜୟ ଜେ ବିଜୟେ

ମେରୁଗିରି ଜାଣି ସେ ଦୁହିଂକର କାୟେ ।୩୭୦।

ଦୁଇଗଦା ଘେନିଛନ୍ତି ମନ୍ଦର ପର୍ବତ ଜାଣି

ତମ୍ଭାର ଚକ୍ର ପ୍ରାୟେ ବୁଲାନ୍ତି ନୟନ ବେନି ।୩୭୧।

ମୀନମାସ କୃଷ୍ଣପକ୍ଷ ଦ୍ଵାଦଶୀ ଅର୍କବାର

ଶତଭିଷା ନକ୍ଷତ୍ରକୁ ଭୋଗ ସେ ଦିନର ।୩୭୨।

ଅତିଗଣ୍ଡ ନାମେ ଯୋଗ ବିଷ୍ଟି ନାମେ କରଣ

ୟେସନେକ ଯୋଗେ ମନୁ ପ୍ରବେଶ ବଇକୁଣ୍ଠ ଦ୍ଵାରେଣ ।୩୭୩।

ଯବ ପ୍ରମାଣେ ସେ ଅଟନ୍ତି ବାଳଶିଷି

ଜୟେ ବିଜୟେ ଦୁଇ ଭାଇ ତାହାନ୍ତ ଦେଖି ହସି ।୩୭୪।

ଚଉଷଠି ଯୋଜନ ଉଚ୍ଛର୍ଗ ସିଂହଦ୍ଵାର କେଳିୟା ବେନି

ଜୟେ ବିଜୟେ ହସିଲେ କରେ କରତାଳ ଘେନି ।୩୭୫।

ବତିଶ ବତିଶ ଯୋଜନ ସେ ଦୁଂହିକର କର

କୀଟ ପ୍ରାୟେ ତାହାଂକୁ ଦିଶଇ ମେରୁ ଯେ ମନ୍ଦର ।୩୭୬।

କୁଶହାଥ ହୋଇଣ ଯେ ପିତାମହର ତନୁ

ବେଦ ଆଧ୍ୟାନ ତହିଂ କଲେକ ବାଳମନୁ ।୩୭୭।

ବେଦ ଆଧ୍ୟାନ ଶବଦେ କଂପିଲା ପାତାଳ ଜଗତ

ସାର ବଇକୁଣ୍ଠ ଠାରୁ କଂପିଲା ପାତାଳ ଭୁବନ ପରିଯନ୍ତ ।୩୭୮।

ମନୁ ବୋଇଲେ ବାଭିୟେ ଆଶିଷ ଆମ୍ଭର ଘେନ

କଳ୍ପ ଆଷ୍ୟ ହୋଇଥାଅ ୟେହି ଯେ ଭୁବନ ।୩୭୯।

କୁଶହାଥ ହୋଇଣ ମୁନି ବାଞ୍ଛିତ ତଣ୍ଡୁଳ ଯାଚି

ଆଷ୍ୟ ଆରୋଗ୍ୟ ହୋଉ ବୋଲି କଲ୍ୟାଣ ମୁନି ବାଞ୍ଛି ।୩୮୦।

ଅଜପା ମନ୍ତ୍ରେ ସାଧି ସେ ଅଗ୍ୟାନ ବାଳଖିଲ୍ୟା

ପୁଣ ପୁଣ ବେଦ ଆଧ୍ୟାନ ପଦ୍ମଯୋନିର ବଳା ।୩୮୧।

ବେଦବର ଶବଦେ ପାତାଳ ଭୁବନ କମ୍ପିଲା ।୩୮୨।

ଜୟେ ବିଜୟେ ବୋଇଲେ ତୋହର କିସ ଆଷ୍ୟ

ତୁହି ସେ ମନବରେ ଆମ୍ଭନ୍ତ କରୁ ଆଶିଷ୍ୟ ।୩୮୩।

ଉପହାସ କରିଣ ସେ ଅନେକ ଝିଂଘାସ ବୋଲି

ପଳା ଯା ବୋଲିକରି ସେ ପକାଇ ଦିଲେ ପେଲି ।୩୮୪।

ଜୟ ବିଜୟଂକର କର ପବନ ଲାଗିଣ ତନୁ

ପାଞ୍ଚଲକ୍ଷ ଯୋଜନେ ଯାଇଂ ପଡ଼ିଲେକ ମନୁ ।୩୮୫।

ସାଷ୍ଟାମ ହୋଇଣ ପୁଣି କୁମାର ବାହୁଡ଼ିଲା

ବେନିଘଡ଼ି ମଧ୍ୟେ ଯାଇଂ ଦ୍ଵାରେଣ ମିଳିଲା ।୩୮୬।

ପୁଣି ବେଦ ଆଧ୍ୟାନ କରଇ ବାଳଯତି

ଗାଢେଣ ଭିତରକୁ ସେ ପଶିତେ କଲା ମତି ।୩୮୭।

ପେଲିଣ ଦିଲେ ସେ ତର୍ଜନୀ ଅଙ୍ଗୁଷ୍ଠି

ଅସାଷ୍ଟମେ ମହାତମା ପଡ଼ିଲେ ମହୀଲୋଟି ।୩୮୮।

ମୁଖରୁ ବାଳ ଶିଷିର ବହୁଅଛି ଶ୍ରୋଣି

ୟେମନ୍ତେହେଂ କଲ୍ୟାଣ ଯେ କରୁଛନ୍ତି ମୁନି ।୩୮୯।

ଜୟେ ବିଜୟେ ବୋଇଲେ ତୁ ଅଟୁରେ ନିଲ୍ଲଜ

ଚାପୋଡ଼େ ମାରି ତୋର ମୁଣ୍ଡ ଛିଡ଼ାଇବୁ ଆଜ ।୩୯୦।

ୟେମନ୍ତେ ସେ ମହାତମା ସହସ୍ରେ ବରଷ ରହିଲା

ଅନେକ ବେଦମନ୍ତ୍ର ଶାହାସ୍ର ସେ କହିଲା ।୩୯୧।

ଯହୁଂଣ ତାହାନ୍ତ ପଶିତେ ନ ଦିଲେ ଦ୍ଵାରପାଳେ

ରାଗେଣ ଶାପ୍ୟ ମୁନି ଦିଲେକ କୋପାନଳେ ।୩୯୨।

ଆରେ ବିଷ୍ଣୁଂକର ଦ୍ଵାରପାଳ ହୋଇ ତୁମ୍ଭେ ମହତ ହୋଇବ

ଦୁରାନ୍ତ ଜନକଇଂ ଦ୍ରଶନ କରାଇବ ।୩୯୩।

ନିର୍ଦ୍ଦୟ ଚାଣ୍ଡାଳ ତୁମ୍ଭେ ରେ ଅଟ ମନ୍ଦଜାତି

ନିଶ୍ଚୟେ ଅଟ ତୁମ୍ଭେରେ ଅସୁର ପ୍ରକୃତି ।୩୯୪।

ଦେବକଳା ହୋଇ ତୁମ୍ଭେ ୟେଡ଼େକ ନିର୍ଦ୍ଦୟେ

ଯାଅରେ ରାକ୍ଷସ ଜନ୍ମ ତୁମ୍ଭେ ହୋଅ ଜୟେ ଯେ ବିଜୟେ ।୩୯୫।

ତପବଳ ଭାଞ୍ଜିଣ ରେ ନାଶକଲ ମୋର ଧର୍ମ

ଅସୁର କୁଳେ ତୁମ୍ଭେ ହୁଅସି ରେ ଜନମ ।୩୯୬।

ମନୁର ଶାପ୍ୟେ ଯେ ତାକୁ ଲାଗିଲା ମହାଭୟେ

ପଚାରନ୍ତି ବାଳ ଯତିକି କାହାର ତନୟେ ।୩୯୭।

ପବିତ୍ର ବାଳଖିଳା ସେ ଆମ୍ଭେ କୁଶକେତୁର ତନୁ

ମୁହିଂ ସେ ସାନଶିଶୁ ନାମ ମୋହୋର ମନୁ ।୩୯୮।

ପିତାଂକର ଆଗ୍ୟଂୟେ ଯେ ଅଇଲି ୟେଥିକି

ସାର ବଇକୁଣ୍ଠେ ଅଇଲି ଆଣାକାର ପୁରୁଷକଇଂ ଦେଖି ।୩୯୯।

ତୁମ୍ଭେ ଦୁଇ ପାମର ରେ କଲ ମନ୍ଦବୁଦ୍ଧି

ତପୋଧନ ଗ୍ୟାନୀଜନଂକୁ ତୁମ୍ଭେ ଦ୍ୱାର କିଂପେ ନିରୋଧି ।୪୦୦।

ଜୟେ ବିଜୟେ ବୋଇଲେ ହୋ ପାଇଲୁ ସନ୍ଦେହ

ଶାପକଇଂ କାରେଣ ଯେ ମୁକତି ୟେବେ କହ ।୪୦୧।

କେବଣ କାରଣେ ଆମ୍ଭେ ହୋଇବୁ ମୁକତି

ସଂଶୟ ଫେଡ଼ି ଆମ୍ଭଂକୁ କହ ବାଳଯତି ।୪୦୨।

ମନୁ ବୋଇଲେ ୟେବେ ଚିହ୍ନିଲଟିକି ରେ ମୁର୍ଖ

ତିନିଜନ୍ମ ଉତ୍ତାରେଣ ହୁଅ ତୁମ୍ଭେ ମୋକ୍ଷ ।୪୦୩।

ଅସୁର କୁଳେ ତୁମ୍ଭେ ଜନ୍ମେ ଜନ୍ମେ ଅବତରି

ନାରାୟଣେ ପ୍ରୀତି ଭଗତି ଯେବେ କରି ।୪୦୪।

ଭଗତି ହୋଇଲେ ତୁମ୍ଭେ ଶତେଜନ୍ମେ ଆସିବ

ଅନେକ କାଳେ ଆସି ବଇକୁଣ୍ଠ ପୁରେ ବସିବ ।୪୦୫।

ଯଦ୍ୟପି ନାରାୟଣ ତୁଲେ ତୁମ୍ଭେ ହୋଇବ ବଇରି

ବଲ୍ଲଭୀ ହରଣେ ତୁମ୍ଭେ ହୁଅ ଦୋଷକାରୀ ।୪୦୬।

ଅପ୍ରୀତି ହୋଇଲେ ତୁମ୍ଭେ ତିନିଜନ୍ମେ ଆସ

ବାହୁଡ଼ିଣ ଆସି ତୁମ୍ଭେ ୟେହି ବଇକୁଣ୍ଠେ ବସ ।୪୦୭।

ଆହୋ ଚଇତନ ସେ ମନୁଋଷିଂକର ଶାପେ

ଅସୁର ଯୋନିରେ ଉପୁଜିଲେ ସେ ଗତଜନ୍ମର ମହାପାପେ ।୪୦୮।

ପ୍ରଥମେ ଅବତାର ହିରଣ୍ୟ ହିରଣାକ୍ଷ

ପୃଥୀ ଉଦ୍ଧାରେଣ ବରେହା ରୂପେ ତାକୁ ମାଇଲେ ଶ୍ରୀବତ୍ସ ।୪୦୯।

ଆରେକ ମୂରତି ହିରଣ୍ୟ କଶିପୁ

ନରସିଂହ ରୂପେ ନାରାୟଣ ତାହାର ବିଦାରିଲେ ବପୁ ।୪୧୦।

ଦିଜ ଅବତାରେ ରାବଣ କୁମ୍ଭକର୍ଣ୍ଣ

ରାମ ଅବତାରେ ତାହାକଇଂ ନାଶିଲେ ଜନାର୍ଦ୍ଦନ ।୪୧୧।

ଦ୍ୱାପରେ ଉପୁଜିଲେ ୟେ ମହୀ ମଣ୍ଡଳେ

ନାମ ବହିଲେ ଯେ ଦନ୍ତବକ ଶିଶୁପାଳେ ।୪୧୨।

ସତ୍ୟ ଯୁଗେଣ ୟେ ହରିଲେ ବସୁମତୀ

ଦାଢେଣ ବିଦାରିଲେ ଦେବ ଧଂସିଲେ ଦୁହିନ୍ତି ।୪୧୩।

ତେତୟା ଯୁଗରେ ୟେ ହରିଲେ ଦେବୀ ସୀତା

ଶ୍ରୀରାମ ନାରାଜେ ୟେ ହୋଇଲେ ନଂଶଗତା ।୪୧୪।

ଦ୍ଵାପର ଯୁଗେ ସେ ରୁକ୍ମିଣୀଂକି କଲେ ଇଚ୍ଛା

ସହିଥିଲେ ଦେବ ନ କଲେ ବଡ଼ କଇଚ୍ଛା ।୪୧୫।

ବହୁତ କଟାଳ ୟେବେ ନୁଆରିଲେ ସହି

ତେଣୁ ସେ ଚକ୍ରଘାତ କଲେକ ନିପ୍ରୋହି ।୪୧୬।

କେହୁଣସି ଜନ୍ମେ ୟେ ଚକ୍ର ନ ପାଇଲେ

କହ୍ନା ଅବତାରେ ସେ ଚକ୍ରେଣ ନାଶଗଲେ ।୪୧୭।

ଦନ୍ତବକ୍ର ନାଶଗଲା ଋକ୍ମିଣୀର ସଂୟବର କାଳେ

ଶିଶୁପାଳ ନାଶଗଲା ରାଜୁସି ଯାଗକାଳେ ।୪୧୮।

ଶୁଣ ହୋ ମନୁରାୟେ ପୂର୍ବର ଚରିତ

ତିନି ଜନ୍ମରେ ସେ ପାଇଲା ମୁକତ ।୪୧୯।

ବାର ବରଷୟେ ଚକ୍ରକୁ ଆଶ୍ରାକରି

ତେଣୁକରି ନାରାୟଣ ସଙ୍ଗତେ ଦ୍ଵନ୍ଦକାରୀ ।୪୨୦।

ଆନ ଜନ୍ମରେ ସେ ଚକ୍ରଘାତ ନାହିଂ

ତେଣୁ ସେ ବ୍ରତିଥିଲେ ତିନିଯୁଗ ସହି ।୪୨୧।

ଦ୍ଵାପରଯୁଗରେ ସେ ପାଇଲେ ମୁକତି

ଶୁଣ ହୋ ମନୁରାୟେ ବିଲଂକ ଆଧିପତି ।୪୨୨।

ଶିଶୁପାଳ ନାଶଗଲା ରାଜୁସୀ ସଭାପର୍ବ

ଶାଲୁହିଂ ୟେହି ନିକଟେ ବଧ ଯେ ହୋଇବ ।୪୨୩।

ଶୁଣ ହୋ ମନୁରାୟେ ଆଦି ସର୍ଜନର କଥା

ଯହୁଂ ସେ ଛେଦିଲେ ହରି ଶିଶୁପାଳର ମଥା ।୪୨୪।

ରାଜସଭାର ମଧ୍ୟେ ହୋଇଲା ଶିରଚ୍ଛେଦ

ପିଣ୍ଡରୁ ଆତ୍ମା ବାହାର ହୋଇ ରହିଲା ଶୁନ୍ୟ ମଧ୍ୟ ।୪୨୫।

ଦେବ ବିମାନ ଆସି ଲାଗିଲା ଅନ୍ତରୀକ୍ଷେ

ହାକଇ ମାତଳୀ ଶୁଣ ତୁ ପୁତ୍ର ବତ୍ସେ ।୪୨୬।

ଆସ ଆସ ବିମାନେ ବସ ଦେବ ତୁହି

ଇନ୍ଦ୍ରର ବଚନେ ଅଇଲି ତୋତେ ନେଇ ।୪୨୭।

ସୁରନାଥର ଆଗ୍ୟାଂୟେ ଲଭସି ଶୂନ୍ୟମାନ

ଜଗନ୍ନାଥର ଚକ୍ରଘାତେ ଲଭିଲୁ ମୋକ୍ଷପାନ ।୪୨୮।

ଦେବ ବିମାନେ ସେ ବସିଲା ଶିଶୁପାଳ

ଯାନ୍ତେଣ ନିରୋପନ୍ତି ସେ ଦେବକୀର ବାଳ ।୪୨୯।

ଦେଖଇ ସେ ନାରାୟଣ ଶଙ୍ଖ ଚକ୍ରଧାରୀ

ଶୂନ୍ୟେ ରହି ଶିଶୁପାଳ ଅନେକ ସ୍ତୁତିକରି ।୪୩୦।

ଜୟତୁ କେଶବ ଯେ କୃଷ୍ଣ ଅବତାର

ବରେହା ରୂପେ ପୃଥିବୀ ଧଇଲୁ ଦାଢର ।୪୩୧।

ଆମ୍ଭେ ଦ୍ଵାର ନ ଛାଡ଼ିଲୁ ମନୁଋଷିର ଶାପ୍ୟେ

ଜନମିଲୁ ନିଶାଚର କଉଣୋପ ମହାଦର୍ପେ ।୪୩୨।

ହରିଲୁ ମେଦିନୀ ଦେବ ହୋଇଲୁ ବିବାଦୀ

ଦାଢେଣ ବିଦାରଣ ହୋ କଲୁ ଜନ୍ମ ଆଦି ।୪୩୩।

ହିରଣ୍ୟକଶିପୁ ରୂପେଣ ଶତ୍ରୁପଣ ଇଚ୍ଛି

ନରସିଂହ ରୂପେ ଦେବ ବିଦାରିଲୁ କୁଚ୍ଛି ।୪୩୪।

ସତ୍ୟଯୁଗ ଉତ୍ତାରେଣ ଦେବ ତ୍ରେତୟା ଯୁଗ ଭୋଗୀ

ରାମ ଅବତାରେ ଜାତ ହୋଇଲୁ ପରମଯୋଗୀ ।୪୩୫।

ସୀତା ହରଣେ ଆମ୍ଭେ ଦେବ ହୋଇଲୁଂ ତୋହର ବିବାଦୀ

ଲଂକେ ନାଶକଲୁ ମୋତେ ଗୁଣନିଧି ।୪୩୬।

ରାବଣ କୁମ୍ଭକର୍ଣ୍ଣ ଯେ ରାମ ଅବତାରେ

ଲଂକେ ନାଶକଲୁ ଦେବ କୋଦଣ୍ଡ ଧରି କରେ ।୪୩୭।

ୟେବେ ଦ୍ଵାପର ଯୁଗେ ଦନ୍ତବକ୍ର ଶିଶୁପାଳ

ଦନ୍ତବକ୍ର ନାଶିଲୁ ଋକ୍ମିଣୀବିଭା ହୋଇବାର ବେଳ ।୪୩୮।

ସ୍ଵାମୀ ଦୁଷ୍ଟ ଭାବ ମୁହିଂ ବହିଲି ଚକ୍ରଧର

ୟେତେକାଳେ ଅନୁଗ୍ରହ ହୋଇଲା ତୋହୋର ।୪୩୯।

ସ୍ଵାମୀ ଯାମଳା ଅର୍ଜୁନ ଯେ ଭାଞ୍ଜିଲୁ ବାଳକାଳେ

ପାଦେଣ ଶକଟା ଭାଞ୍ଜିଲୁ ଦେବ ଖେଡ଼ର କୁତୂହୋଳେ ।୪୪୦।

ଜୟତୁ କେଶବ ନାରାୟଣ ଅବତାର

ଦୁସ୍ତରୁ ତାରି ନାଥ ୟେବେ କରିଲୁ ମୋତେ ପାର ।୪୪୧।

କାଳେ କାଳେ ଦୁଷ୍ଟଂକୁ ତୁ କରୁ ଯେ ସଂହାର

ତୁ ଦେବ ଅନନ୍ତ କୋଟି ବ୍ରହ୍ମାଣ୍ଡ ଠାକୁର ।୪୪୨।

ପ୍ରଥମେ ନାଶକଲୁ ଦେବ ମଧୁ କଇଟଭ

ଜଳଚର ପଂକଚର ହରିଲୁ ଦେବ ସବୁଂକରି ଦର୍ପ ।୪୪୩।

ତୁହି ବିଦାରଣ ନାଥ କଲୁ ରକ୍ଷ ଭକ୍ଷ

ମାଳି ସୁମାଳୀ ଯେ ତୁ ମାଇଲୁ ପ୍ରତକ୍ଷ ।୪୪୪।

ହେତି ପ୍ରହେତି ପୁଣ ହୋଇଲେ ଦେବ ଧଂସୀ

କେତୁ ମହାକେତୁ ପୂରୋଇଲୁ ଦେବ ଆସି ।୪୪୫।

ଭଞ୍ଜନ ଅଭଞ୍ଜନ ଦେବ ୟେ ଦୁଇ କଉଣୋପ

ବିଲଂକ ଦେଶରେ ଦେବ ହରିଲୁ ତାହାଂକର ଦର୍ପ ।୪୪୬।

କୁମ୍ଭ ନିକୁମ୍ଭ ଦେବ ୟେ ଦୁଇ ଦଇତ୍ୟ ମାରି

ଅପାର ଜନ୍ମ ହେଲୁ ତୋହୋର ସେ ବଇରି ।୪୪୭।

ବ୍ରଜାଙ୍ଗ କାଳାନଳ ୟେ ଦୁଇ ଦଇତ୍ୟ ନାମ

କୁଶହାଥେ ନାଶିଲୁ ତୁ ପୁରୁଷଂକ ଉତ୍ତମ ।୪୪୮।

ଯାବତ ଇନ୍ଦ୍ର ଚନ୍ଦ୍ର ଦିବାକର ତିନିମୃତ୍ତି

ତୁହି ସେ ପୁଣ ପୁଣ ଉଦ୍ଧାରୁ ବସୁମତୀ ।୪୪୯।

ଅନନ୍ତ ଅବତାରେ ହୋଇଲୁ କାର୍ଯ୍ୟ ଅର୍ଥେ

କେହୁଣସି କାଳେ ଦେବ ନ ମାଇଲୁ ଚକ୍ରଘାତେ ।୪୫୦।

ସାଧୁ ସାଧୁ ମହିଂମା ତୋର ଦେବ କହ୍ନା ଅବତାର

ଦୁସ୍ତରୁଂ ତାରଣ ନାଥ ତୁହି ସେ କରୁ ପାର ।୪୫୧।

ଭାରିଯା ହରଣୁ ଆନ ଦେବ ଅଛି କି କଟାଳ

ତାହା ଉପେକ୍ଷା ନାଥ କରିଥିଲୁ ୟେତେକାଳ ।୪୫୨।

ମୁକତକଇଂ କାରଣ ନାଥ କଲ ହୋ ଶ୍ରୀବଚ୍ଛି

ଦିଅସି ଆଗ୍ୟାଂ ମୋତେ ବଇକୁଣ୍ଠ ଯାଉଅଛି ।୪୫୩।

ଅନେକ ତୃସ୍ତି କରିଣ ସେ ପଣ୍ଡିତ ମହାଗ୍ୟାଂନେ

ବିଜୟେ କଲା ଯାଇ ସେ ପୁଷ୍ୟକ ବିମାନେ ।୪୫୪।

ଅନେକ ପାଟ ଛତ୍ର ଯୋଗାଇଲେ ବିଷ୍ଣୁଗଣେ

ସାର ବଇକୁଣ୍ଠେ ଯାଇଂ ବିଜୟେ ତତକ୍ଷଣେ ।୪୫୫।

ବାଜଇ ବିଜିଘୋଷ ଶଂଖ ଯେ ଦୁନ୍ଦୁଭି

ମୁକତି ଅର୍ଥେ ଭାବନା ସେ ସାରୋଳା ଦାସ କବି ।୪୫୬।୧୨୨୦୪।

 

Unknown

ଦୁର୍ଯୋଧନର ଅପମାନ, ଅନନ୍ତ ଶିରେ ପୃଥିବୀ ସ୍ଥାପନ,
ସନ୍ଧ୍ୟାବାଳୀର ବିବାହ ଓ ସିଂହ ଶୃଗାଳ କଥା

ଶୁଣ ବଇବସୁତ ମନୁ କହିଲେ ଅଗସ୍ତି ମହାଋଷି

ଶିଶୁପାଳ ହୋଇଲା ବଇକୁଣ୍ଠ ପୁର ବାସୀ ।୧।

ପୁଣ ବଇକୁଣ୍ଠ ଦ୍ଵାରେ ଯାଇଂ ଆବୋରିଲେ ବେନି

ବସିଲେ ଜୟେ ବିଜୟେ ଯୋଗ ଭୋଗ ଘେନି ।୨।

ୟେହା ଶୁଣି ପୁଚ୍ଛାକଲା ବିଲଂକ ଆଧିପତି

ୟେକମନେ ଶୁଣ ତୁମ୍ଭେ କୁମ୍ଭ ଋଷିଂକର ସନ୍ତତି ।୩।

ଶିଶୁପାଳ ମରଣ ତ ଅସଂଖ୍ୟ ଅଲୋକିତ

ଚକ୍ର ପ୍ରାପତ ତାକୁ କଲେକ ଜଗନ୍ନାଥ ।୪।

ଲକ୍ଷେ ରାଜା ଯେତେ ସେ ସଭାରେ ବରଣ

କେହି ନ ଦେଖିଲେ କି ତାହାର ମରଣ ।୫।

କେହି କିଛି ହାଦେ ବୋଇଲେତ ନାହିଂ

କହିବା ୟେକମନେ ପଣ୍ଡିତ ଗୁଣଗ୍ରାହୀ ।୬।

କହନ୍ତି ମହାତମା ସେ ଘଟ ଋଷିଂକର ବତ୍ସ

ସଭାରେ ଗୋଳ ଯେ ଉଠିଲା ପ୍ରତକ୍ଷ ।୭।

ସଜ୍ଜନ ରାଜାମାନେ କରନ୍ତି ବିଚାର

ବିଷ୍ଣୁନିନ୍ଦା କଲା ସେ ହୋଇଲା ଅପହାର ।୮।

ଦୁଷ୍ଟ ରାଜାମାନେ ସେ ହୁଅନ୍ତି କୁହାକୁହି

ଭାଳନ୍ତି ୟେକମନେ ପଞ୍ଚୁପ୍ରାଣ ଦେଇ ।୯।

ଦ୍ରିଯୋଧନ ଶକୁନି ଯେ ଧୁଶାସନ ବୀର

କର୍ଣ୍ଣ ଯଦ୍ୟରଥ କଳିଙ୍ଗସେନ ନୃପବର ।୧୦।

ପୁଣ୍ଡରୀକ ବାସୁଦେବ ସମାଗୋଷ୍ଠ ସହିତେ

ଶାଲୁକି ହକାରି ସେ ବୋଇଲେ ଗୁପତେ ।୧୧।

ଆହୋ ଆମ୍ଭର ଦେଖନ୍ତେ ଶିଶୁପାଳ ହତ

କେହି ରଖି ନୁଆରିଲେ ତାହାର ନିଜ ଗାତ୍ର ।୧୨।

ଅଦଭୁତେ ପ୍ରାପତ ହୋଇଲା ଯେ ମରଣ

ଦେଖୁଂ ଦେଖୁଂ ମାୟା ୟେଥେଂ କଲେକ ନାରାୟଣ ।୧୩।

ୟେ ମହାସଭାରେ କୂଟ କଲେକ ଯେ ହରି

ପାରିବୁକି ଶାଲୁ ହୋ ଦ୍ଵାରିକା ଉପାଡ଼ି ।୧୪।

ଛପନ କୋଟି ଯାଦବ ସମସ୍ତେ ଛନ୍ତି ୟେଥ

ସାତବଂଶ ଘେନି ୟେଥେ ବିଜୟ ହଳନାଥ ।୧୫।

ଅଷ୍ଟ ପାଟବଂଶୀ ଘେନି ବିଜୟେ ଦେବ ହରି

ୟେ ମହା ସଭାୟେଣ ତ ଅଛନ୍ତି ସଂଭରି ।୧୬।

ଦ୍ଵାରିକା ଭୁବନ ସମସ୍ତ ଗତ

ଦେଶ ଉଜାଡ଼ି ରାଜ୍ୟ ତୁ କର ଭଗନସ୍ତ ।୧୭।

ପାରିଲେ ଅଭିମାନ ଫେଡ଼ ହୋ ଶାଲୁ ବୀର

ଯାଅ ୟେହିକ୍ଷଣି ହୋ ଦଣ୍ଡ ଘେନି ତୋର ।୧୮।

ଦ୍ରିଯୋଧନ ବୋଇଲା ନ ଭାଳ ମନେ ଭୀତି

ଆମ୍ଭେ ସାହା ଥିଲେ କି ଅଛଇ ଦୁରୁଗତି ।୧୯।

ୟେ ଯେବେ କୂଟ ୟେଥି କଲେକ ନାରାୟଣ

ଆମ୍ଭର କୁଟ ୟେଥେ କରସି ଭିଆଣ ।୨୦।

ଶକୁନି ବୋଇଲା କଥା ସରୂପ ନିୟତ

ଆମ୍ଭର ବୋଲେ ସିନା ଶିଶୁପାଳ ହତ ।୨୧।

ୟେଡ଼େ ବଡ଼ ସାହାପକ୍ଷ ଥାଉଂ ହୋଇଲା ଅକାରଣ

ସମସ୍ତ ଦୋଷ ନ ପାଇବ କି ବଚନ ।୨୨।

ଦେଖୁଂ ଦେଖୁଂ ବିଶ୍ଵାସ ଘାତକୀ ଯେ ହୋଇଲ

ରଖି ଯେବେ ନୁଆରିଲ ବୋଲ କିମ୍ପେ ଦିଲ ।୨୩।

ପିଠି ରକ୍ଷା କରିବାକୁ ଯେବେ ନୋହିବ ଭାଜନ

କେବଣ ସାର୍ଥୁକ ଯେ ଅଟଇ ଜୀବନ ।୨୪।

କଟାଳି ଶକୁନି କହିଲା ଯାଇଂ ବେଗେ ରାଗେ

ବାହାର ଶାଲୁ ରାୟେ ଯେ ବଚନ ସରାଗେ ।୨୫।

ଦୁଷ୍ଟଂକର ବଚନ ଜାଣିଣ ଦେବ ସ୍ଵାମୀ

ପଦ୍ମନକୁ ହକାରି କହିଲେ ଦିବ୍ୟ ବାଣୀ ।୨୬।

ୟେ ମୋହୋର ବଚନ ଶୁଣସି ମନସିଜ

ଯାଗ ସମାପତ ଯେ ହୋଇଲାକ ଆଜ ।୨୭।

ସମସ୍ତ ରାଜାମାନେ ହୋଇଲେ ମେଲାଣି

ଗଙ୍ଗା ପରି ହୋଇ ଚଳିଲେ ନୃପମଣି ।୨୮।

ଠାକୁରଂକ ଆଗ୍ୟାଂୟେ ଯେ ମେଲାଣି କରାଇ

ଯାଅ ତୁମ୍ଭେ ସନ୍ୟବଳ ଦ୍ଵାରିକା ଚଳାଇ ।୨୯।

ଅଷ୍ଟ ପାଟବଂଶୀ କୂଳବଧୁ ସହିତେ

ସମସ୍ତିଂକ ମେଲାଣି କରାଇ ଜଗଭୂତେ ।୩୦।

ଜଣେ ଜଣେ ଅକ୍ଷତ ବିଧି ମୟେମତ୍ତ

ଶ୍ରୀହସ୍ତେ ଶାଢୀ ସେ ଦିଲେକ ଧର୍ମସୁତ ।୩୧।

ନୀଳାମ୍ବର ଚରଣେ ବିନୟେ ଧର୍ମସୁତେ

କରନ୍ତି ପୂଜାବିଧି ପୂର୍ବର ବିଧିମତେ ।୩୨।

ଉଗ୍ରିସନ ସହିତେ ଯାଦବ ବଳମାନ

ସମସ୍ତେ ଚଳିଲେ ସେ ଦ୍ଵାରିକା ଭୁବନ ।୩୩।

ବିବାନ ଆରୋହୀ ଯେ ଚଳିଲେ ତୁରିତେ

କହନ୍ତି ଜଗନ୍ନାଥେ ପଦ୍ମନ ଅଗ୍ରତେ ।୩୪।

ଦ୍ଵାରିକାରେ କଥା ବାବୁ ସମସ୍ତ ଲାଗଇ ତୋତେ

ଆମ୍ଭେ ପଛ ହୋଇ ଯେ ଯିବୁଂଟି ଦିନା କେତେ ।୩୫।

ରାଜାମାନନ୍ତ ସେ ସମ୍ଭୋଧନା କରି

ଆମ୍ଭେ ଯାଉଂ ସିନା ବୋଲି ପୁତ୍ରନ୍ତ ତିଆରି ।୩୬।

ଶୁଣ ହେ ମନୁରାୟେ ଚଇତନ କହଇ

ବିଶ୍ଵକୂଟ ମାୟା ସେ ସ୍ରିଜିଲେ ଭାବଗ୍ରାହୀ ।୩୭।

ରାଜାମାନଂକଇଂ ସେ ମେଲାଣି ଅକ୍ଷତ

ଜଣେ ଜଣେ ବେଭାର କଲେ ବିଧିମତ ।୩୮।

ଆସ୍ଥାନେ ଥାଇ ଆଗ୍ୟାଂ ଦେଲେକ ଧର୍ମ ଯୁଝେଷ୍ଠି

ଦ୍ରିଯୋଧନକଇଂ ହକାରିଣ ଆଣରେ କନିଷ୍ଠି ।୩୯।

ସ୍ଵାମୀଂକର ଆଗ୍ୟାଂୟେ ଶିରାଗ୍ରତେ ଘେନି

ଦ୍ରିଯୋଧନକଇଂ ସନ୍ନିଧ୍ୟେ ହକାରି ଆଣିଲେ ପାବେନି ।୪୦।

ଯୁଝେଷ୍ଠି ଦେବ ବୋଇଲେ ଦ୍ରିଯୋଧନେ ଦେଖି

ବାବୁ ଆସ୍ଥାନକୁ ଉଠି ଆସ ମୋହୋର କତିକି ।୪୧।

ଆସ୍ଥାନ ଉପରକୁ ଉଠଇ ଦ୍ରିଯୋଧନ

ଦ୍ଵାଦଶ ପାବଚ୍ଛରେ ଗଲାନି ୟେକଇ ଯେ ପୁଣ ।୪୨।

ସଷ୍ଟିକ ପାବଚ୍ଛ ବୋଲି ବଢାଇ ଦିଲା ପାଦ

ତିନିତାଳ ଗଭୀର ଜଳେ ପଡ଼ିଲା ଅଗାଦ ।୪୩।

କରତାଳ ମାରିଣ ହସିଲା ଭୀମସେନ

ବେକେଣ ହାଥ ଦେଇ ଆଣିଲା ସନ୍ନିଧ୍ୟାନ ।୪୪।

ପୁଣି ସଭାର ଉପରକୁ ନେଉଛି ମାରୁତି

ଆସ୍ଥାନ ଦେଖାଇ ବୋଇଲା ବସ ଯା କୁରୁପତି ।୪୫।

ଆସ୍ଥାନେ ଦ୍ରିଯୋଧନ ଯାଇଣ ବସିଲା

ପିଠି କତିକି ତାର କନେକ ଖମ୍ବେକ ଦିଶିଲା ।୪୬।

ଖମ୍ବ ବୋଲି କରି ଯେ ଆଉଜିଲା ପରିମଳେ

ଉତ୍ତାନଶାୟୀ ହୋଇ ପଡ଼ିଲା ଗଭୀର ରାସାନ୍ତଳେ ।୪୭।

ପୁଣ କରତାଳ ମାରି ହସିଲା ଭୀମସେନ

କୁରୁଳି ବୋବି ପାଡ଼ିଲେ ଯେ ଯୁବା ରାଜାମାନ ୪୮।

ନାସିକାୟେ ହାଥ ଦେଇ ହସିଲେ ଜଗନ୍ନାଥେ

ଭୀମସେନ ଉଛୁଡ଼ି ଯେ ଆଣିଲା ତୁରିତ ।୪୯।

ଯୁଝେଷ୍ଠି ଦେବ ବୋଇଲେ ବାବୁ କତିକି ମୋର ଆସ

ୟେ ମୋହର ଆସ୍ତାନ ଡାହାଣ ପାଖରେ ବସ ।୫୦।

ସଷ୍ଟିକର ପୀଢ଼ବୋଲି ବସନ୍ତେଣ ଯାଇଂ

ନବତାଳ ଗଭୀର ମୁହଂ ମାଡ଼ିଣ ପଡ଼ଇ ।୫୧।

ବହୁତ ଉପହାସ ଶୁଭିଲା ସଭାରେ

ପୁଣିହିଂ ବାହା ଧରି  ଓଟାରି ଆଣିଲା ବିକ୍ରୋଦରେ ।୫୨।

ଯୁଝେଷ୍ଠି ବୋଇଲେ ବାବୁ ଘେନ ଅର୍ଘ୍ୟ ରତ୍ନମାନ

ଲଇଂ ଦରାଣ୍ଡଇଂ ରାଜା କିଛି ନାହିଂ ପୁଣ ।୫୩।

ଶାଢୀ ବୋଲିଣ ରାଜା ଘେନଇ ଦରାଣ୍ଡି

ତନି ପାବଚ୍ଛ ତଳେ ପଡ଼ିଲା ମୁହଂ ମାଡ଼ି ।୫୪।

ତଳକୁ ମୁଣ୍ଡ ଯେ ବେନି ଗୋଡ଼ ଉପରକୁ

ପୁଣିହିଂ ଉଠନ୍ତେଣ ପଡ଼ିଲା ମାଡ଼ି ତାର ବୁକୁ ।୫୫।

କରତାଳ ମାରିଣ ଯେ ଭୀମସେନ ହସିଲା

ବାପର ବାଆକି ପୁଅକୁ ଲାଗିଲା ।୫୬।

କିମ୍ପାଇଂ ୟେମନ୍ତ ହୋଇଲୁ ମାନଗୋବିନ୍ଦ

ଚକ୍ଷୁ ଥାଉ ଥାଉ କିମ୍ପେ ହୋଇଲୁ ତୁ ଅନ୍ଧ ।୫୭।

ଜଳ ସମଷ୍ଟିକ ଯେ ତୁହି ନୁଆରିଲୁ ବାରି

ଅପମାନେ ଦ୍ରିଯୋଧନ ତଳକୁ ଡେଇଂପଡ଼ି ।୫୮।

ଅଭିମାନ ଘେନି ନ ରହିଲା ଦଣ୍ଡେକଇଂ

ହସ୍ତିନାକୁ ବୋଲି ରାଜା ଗଲା ଦୁଖ ସହି ।୫୯।

ଶଲ୍ୟ ଶକୁନି ଯେ ଧୁଶାସନ ସହିତେ

ସଭାରୁ ଚଳିଗଲେ ସକଳ ଅମନାତ୍ୟେ ।୬୦।

ବିଜେକଲେ କଉରୋବେ ନିଜ ରାଜ୍ୟ ପୁରୀ

କୁଶଶେଯ୍ୟା କରି ରାଜା ଶୋଇଲା କପାଟ ପାଡ଼ି ।୬୧।

ଆସ୍ତାନ ଯେ ଧର୍ମରାଜା କଲେକ ପରିତେଜ୍ୟା

ବାସୁକୀ ନାଗରାଜାକୁ ଆପଣେ କଲେ ପୂଜା ।୬୨।

ଅନେକ ଧନ ରତନ ଅଳଂକାର ବିଧି

ତୋହୋ ପ୍ରସାଦେ ଅନନ୍ତ ମୋହୋର ସକଳ କର୍ଯ୍ୟସିଦ୍ଧି ।୬୩।

ଅଷ୍ଟକୁଳା ନାଗନ୍ତ କଲେ ବହୁତ ପୂଜା

ନାଗବଳ ଘେନି ତାତ ପାତାଳକୁ ଯା ଯା ।୬୪।

ଚଳଇ ନାଗରାଜା ପାତାଳ ଭୁବନେ

ଯୁଝେଷ୍ଠିଂକି ଅନେକ ପୁରୁଷାର୍ଥ କଲେ ଲଂକାର ବିଭୀଷଣେ ।୬୫।

ଅନେକ ଦ୍ରବ୍ୟନ୍ତ ଯେ ଅପୂର୍ବ ରତ୍ନ ଅଳଂକାର

ସମସ୍ତ ସନ୍ୟଂକୁ ଦିଲେକ କଣୟ ଯୋଗାଡ଼ ।୬୬।

ଅପୂର୍ବ ବସନ ଝୀନ ଯେ ପତନି

ଲଂକପତି ସନ୍ୟଂକୁ ଅଣ୍ଟିଲା ଭଳି ଘେନି ।୬୭।

ଶ୍ରୀଜଗନ୍ନାଥ ବୋଇଲେ ହୋ ଯାଅ ଯା ବିଭୀଷେଣ

ପୁଣ୍ୟ ଥିଲେ ସେ ଦେଖୁଥାଇ ନାନା ଅପୂର୍ବ କଥାମାନ ।୬୮।

ବିଭୀଷଣ ବୋଇଲା ଗୋସାଇଂ ୟେହି ଦ୍ଵାପର ଯୁଗେ

ଦେଖିଲି ନାରାୟଣ ଅନେକ ସଂଯୋଗେ ।୬୯।

କଳିଯୁଗେ ଭୋ ଦେବ ଦେଖିବି ତୋତେ କାହିଂ

କେବଣ ଭୁବନକୁ ବୋଲି ମୁଂ ଥିବଇଂ ବାଟ ଚାହିଂ ।୭୦।

ଗୋବିନ୍ଦେ ବୋଇଲେ ସଦିଭାବେ କହୁଂ ତୋତେ

ବାରାନିଧି ଉତ୍ତର ତଟେ ଯମନିକ ତୀର୍ଥେ ।୭୧।

ନୀଳ ସୁନ୍ଦର ପର୍ବତେ କଳ୍ପବଟ ତଳେ ମିଳି

ଆମ୍ଭେ ତହିଂ ବିଜେ କରିବୁ ବଉଦ୍ଧ ରୂପ ଧରି ।୭୨।

ମିଥୁନ ମାସ ଶୁକଳ ପକ୍ଷ ଦୁତୀୟାର ତିଥି

ପୁନର୍ବସୁ ନକ୍ଷତ୍ର ସେ ଦିନର ପାହାନ୍ତି ।୭୩।

ସେ ଦିନରେ ରଥଯାତ୍ରା କରିବୁ ଆମ୍ଭେ ଖେଡ଼ି

ଦକ୍ଷିଣ ମୂରତି ବିଜେ କରିବୁଂ ବଳଗଣ୍ଡି ।୭୪।

ଅର୍ଦ୍ଧଘଡ଼ି ପରିଯନ୍ତେ ଆମ୍ଭେ ସେ ଦିନ ହୋଇବୁଂ ଦକ୍ଷିଣ ମୂରତି

ଉତ୍ତର ଦ୍ଵାରେ ତୋର ତୁଝିବ ଜଗତୀ ।୭୫।

ଆମ୍ଭେ ଚାହିଂଥିବୁ ନୀଳସୁନ୍ଦର ପର୍ବତେ

ଲଂକା ଗଡ଼କୁ ଦୃଶ୍ୟ ହୋଇବୁଂ ଆମ୍ଭେ ତୋତେ ।୭୬।

ଯାଅ ଯା ବିଭୀଷଣ ବୋଲି ଆଗ୍ୟାଂଦିଲେ ସ୍ଵାମୀ

ଦୃଷ୍ଟି ପରିଯନ୍ତେ ବିଭୀଷଣ ହୋଇଲା ପରିଣାମି ।୭୭।

ଶ୍ରୀଜଗନ୍ନାଥେ ବାହୁଡ଼ିଲେ ଯମୁନା ନଦୀ କୂଳୁଂ

ଦଣ୍ଡ ଘେନି ବିଭୀଷଣ ଚଳଇ ହେଳୁଂ ହେଳୁଂ ।୭୮।

ଗୋବିନ୍ଦେ ଅଦୃଶ୍ୟ ହୋଇଲେ ଯେତେବେଳେ

ଆରୋହିଲେ ବିବାନନ୍ତ ସମସ୍ତ ଅସୁର ବଳେ ।୭୯।

ଅନେକ ସମ୍ଭର୍ବେ ସେ ଥାଠ ସଇନି ଚଳାଇ

ଲବଣ ପାର ହୋଇ ଲଂକା ଗଡ଼କୁ ଯାଇ ।୮୦।

ନାଗବଳ ସନ୍ୟ ଘେନି ଅନନ୍ତ ନାଗରାଜା

ଆଗ୍ୟାଂ ଦିଲେ ଜଗନ୍ନାଥେ ପାତାଳ ସ୍ଵର୍ଗ ଯା ।୮୧।

ଅନନ୍ତ ବୋଇଲା ମୋହୋର ତହିଂକି ଯେ କରିଗଲା ଦିଗବିଜେ

ଧନୁହୁଳେ ପୃଥୀ ଧଇଲା ସେ କାହାର ଆତ୍ମଜେ |୮୨|

ନାଗରାଜା ବଚନେ କହନ୍ତି ଦେବହରି

ତାହାର ଚରିତ ହୋ ତୁ ନଜାଣୁ ଅନନ୍ତ ବସୁନ୍ଧରୀ |୮୩|

ପୁରୁରବା ତିନିଲକ୍ଷ ଶତାଣୋଇ ସହସ୍ର ଅଂକେ

ବିଧାତା ବିଜେକଲେ ଶୂନ୍ୟ ଦୀପାନ୍ତକେ |୮୪|

ବ୍ରହ୍ମାର ଡାହାଣ ହୋୟେ ଯେଉଂଣ ବଦନ

ରକବେଦ ତେଣେ ଯେ ହୋଅଇ ଆଧ୍ୟାନ |୮୫|

ଗୁରୁ ବଦନ ଯେ ବିକାଶଇ ବାମେ

ସାମବେଦ ଗାୟନ କରନ୍ତି ଯେ ବ୍ରହ୍ମେ |୮୬|

ପଛକଇଂ ତାର ଯେଉଂ ବଦନ ପ୍ରକାଶି

ସେ ବଦନେ ପିତାମହ ଯଜୁର୍ବେଦ ଭାଷି |୮୭|

ୟେସନେକ ଚାରି ବଦନ ବେଦବରଇ

ଊର୍ଦ୍ଧ୍ଵବଦନେ ଦେବ ଅଜପା ବେଦ ପଢ଼ଇ |୮୮|

ଈଶ୍ଵର ଦେବତାଂକ ଟଳିଲା ଆସନ

ବିଧାତାଂକୁ ଭେଟିଲେ ଯାଇଂ ପଞ୍ଚଇ ବଦନ |୮୯|

ଦେଖିଲେ ଧାତା ଯେ ପଢ଼ଇ ବେଦମନ୍ତ୍ର

ଈଶ୍ଵରଂକୁ ବୋଇଲେ ଧାତା ୟେ କେଉଂଣ ବୁତ୍ତାନ୍ତ |୯୦|

ମୁଂ ଯେ ପଞ୍ଚ ବକ୍ରତ ପରମ ଯୋଗୀ

ଜଡ଼ିତ ମନ୍ତ୍ରେ କିମ୍ପାଇ ଗାୟତିରୀ ଯେ ଲାଗି |୯୧|

ଚତୃ ବଦନକୁ ତୋର ଚତୃଦେବ ଯୁଗତେ

ଯୋଗ ବେଦ ଭାଷୁ ତୁହି କେବଣ ସଙ୍ଗତେ |୯୨|

ୟେ ମୋହୋର ସଦ୍ୟୁଂ ଜାତ ବାମ ଘୋର ଈଶାନ ତତପୁରୁଷ

ମୋହୋର ପଞ୍ଚୁ ବଦନ ଅଟଇ ସରୂପ |୯୩|

ମୁହିଂ ଶିଶୁମନା ଘୋଷଇ ସମସ୍ତ ଘେନି

ପଞ୍ଚୁବଦନକୁ ପଞ୍ଚୁବେଦ ୟେ ପଦ୍ମଯୋନି |୯୪|

ବ୍ରହ୍ମାୟେ ବୋଇଲେ ମୁହିଂ ନବସୃଷ୍ଟି କରତା

ଧାତୁବାଦ୍ୟ ପୁରୁଷ ମୁହିଂ ବିହି ଯେ ବିଧାତା |୯୫|

ତୋହୋର ଇଚ୍ଛାୟେ ଯେବେ ହୋଇଲୁ ଭୂଷଣ

ସକଳ କଥାମାନ ୟେ ମୋହୋର ଭିଆଣ |୯୬|

ବ୍ରହ୍ମାର ଶିରେ ମୁଣ୍ଡେକ ହୋଇଲା ଜାତଲୟା

ଈଶ୍ଵରେ ବୋଇଲେ ଯୁଗତେ କଲୁ ହଠମାୟା |୯୭|

ନଟକାର ଲୋକକଂର ସେ ୟେସନେକ ପ୍ରକୃତି

ମୁଣ୍ଡେ ହରନ୍ତି ମୁଣ୍ଡକେ କରନ୍ତି ଉତପତ୍ତି |୯୮|

କହୁଂ କହୁଂ କୋପାନଳ ହେଲେକ ତ୍ରିପୁରାରି

ସେ ପଞ୍ଚୁବକ୍ତର ମୁଣ୍ଡ ପକାଇଲେ ମୋଡ଼ି |୯୯|

ବ୍ରହ୍ମାର ମୁଣ୍ଡ ଯେ ମୋଡ଼ିଲା ପରମ ଯୋଗୀ

ବ୍ରହ୍ମାର ଶିର ରୁଦ୍ର ଦେବତାର କରେ ଲାଗି |୧୦୦|

ଈଶ୍ଵର ଦେବତା ଯେ ପକାଇଲେ ସଞ୍ଚାଡ଼ି

କରରୁ ଛଡ଼ାଇ ଯେ ନୁଆରିଲେ ତ୍ରିପୁରାରି |୧୦୧|

ଶୂଳେ ବିଦାରନ୍ତେ ପୁଣ ହାଣନ୍ତେ ପରଶୁ

ନ ତୁଟାଇ ଶିର ସେ ଇଶ୍ଵର କର ବାସୁଂ |୧୦୨|

ବ୍ରହ୍ମାଂକର ମୁଣ୍ଡରୁ ଯେ ପଡ଼ିଲା ରୁଧିର

ସେ ଶ୍ରୋଣିରୁ ପୁରୁଷେ ଯେ ହୋଇଲା ବାହାର |୧୦୩|

ମଧ୍ୟପୁରେ ଚରଣେ ଆକାଶେ ତାର ଶିର

ଧାତା ମୁଖ ଚାହିଂ ସେହୁ ମାଗଇ ଆଧାର |୧୦୪|

ବ୍ରହ୍ମା ବୋଇଲେ ୟେ ଅଛଇ ପଞ୍ଚମୁଖ

ଆରେ ବ୍ରହ୍ମ ଅସୁର ତୁ ୟେହାକଇଂ ଭକ୍ଷ |୧୦୫|

ପିତାର ଆଗ୍ୟାଂୟେ ସେ ଚଳଇ ତତକ୍ଷଣାନ୍ତି

ଈଶ୍ଵର ଦେବତାଂକୁ ସେ ଭେଟଇ ଝଟତି |୧୦୬|

ଅନେକ ସମର ସେହୁ କଲା ରୁଦ୍ରତୁଲେ

ସହସ୍ରେ ବରଷେ ତାକୁ ରଣେ ନ ଅଣ୍ଟିଲେ |୧୦୭|

ହୃଦରେ ପ୍ରହାର କଲେ ମୂଷଳ ଶକତି

ତେଣେ ବଧ ନୋହିଲା ଶସ୍ତ ସେନାପତି |୧୦୮|

ତ୍ରାସେ ଈଶ୍ଵର ତହୁଂ ପଳାବନ୍ତି ଭାଜି

ଗୋଡ଼ାଇ ବ୍ରହ୍ମ ଅସୁର କୋପେଣ ଗଳଗାଜି |୧୦୯|

ସୂର୍ଯ୍ୟକୁ ଚାହିଂ ବୋଇଲେ ସେ ରୁଦ୍ର ଦେବତା

ଆହୋ ଦିନକର ଦେବତା ମୋତେ କଟାଳ କରୁଛି ବ୍ରହ୍ମ
ଯେ ଦଇତା |୧୧୦|

ଆଦିତ୍ୟ ଦେବତା ବୋଇଲେ ତୁ ବ୍ରହ୍ମହତ୍ୟା କଲୁ ଦୋଷ

ତୋହୋ ମୁଖ ଚାହାନ୍ତେଣ ଅପାର ଅପଯଶ |୧୧୧|

ଆଦିତ୍ୟ ଦେବତାର ଝିଂଘାସ ଶୁଣିଣ ଦେବ କାଶୀ

ଅମରାବତୀ ବ୍ରହ୍ମାଣ୍ଡେ ମିଳିଲେ ବିଶ୍ଵବାସୀ |୧୧୨|

ଅମର ବାରସ୍ଵତୀରେ ବିଜୟେ ଆଖଣ୍ଡଳ

ଈଶ୍ଵର ବୋଇଲେ ମୋତେ ବ୍ରହ୍ମ ଦଇତା କରୁଛି କଟାଳ |୧୧୩|

ଈଶ୍ଵରଂକ ମୁଖ ନ ଚାହିଂ ଇନ୍ଦ୍ର ଯେ ଦେବତା

ବୋଇଲେ ରୁଦ୍ର ତୁ କଲୁତ ବ୍ରହ୍ମହତ୍ୟା |୧୧୪|

ଆକାଶ ତେଜିଲେ ବେଦ ପୁରନ୍ଦର ଝିଂଘାସେ

କ୍ଷୀର ସମୋଦ୍ରକୁ ଯେ ଯାଉଛନ୍ତି ବିଶ୍ଵବାସେ |୧୧୫|

ନବଶତ ନୀଳ ଯେ ୟେକପାଦେ ଗଲେ ଜିଣି

କ୍ଷୀରୋଦ୍ରେ ଡେଇଂଯାଇ ସେ ପଶିଲେ ଶୂଳପାଣି |୧୧୬|

ଈଶ୍ଵରେ ଡିଅନ୍ତେ ଡିୟେଂ ବ୍ରହ୍ମ ଦଇତାୟେ

ସମୋଦ୍ର ଭିତରେ ପଡ଼ିଲେ ଅସ୍ଵସ୍ତମୟେ |୧୧୭|

ଜଳ ହାନ୍ଦୋଳ ବଡ଼ ହୋଇଲା ସିନ୍ଧୁ ମନ୍ଥନ ପରାୟେ

ଅନନ୍ତ ନାମେ ବିଷ୍ଣୁ ଜାଣିଲେ ଯୋଗଲୟେ |୧୧୮|

ଚଉରାଶି କାଠି ଗଭୀର ଯେବଣ ପାଣି

ସେ ବ୍ରହ୍ମ ଦଇତାଂକୁ ହୋଇଲା ତହିଂ ଆଣ୍ଠୁଆଣି |୧୧୯|

ପଳାଇ ନୁଆରନ୍ତି ଦେବ ଯେ ପଞ୍ଚୁମୁଖ

ଊର୍ଦ୍ଧ୍ଵେ ଡାକ ଦିଅନ୍ତି ନାରାୟଣ ହୋ ମୋତେ ରଖ |୧୨୦|

ଈଶ୍ଵର ଦେବତାର କଷ୍ଠୋର ବାକ୍ୟ ଶୁଣି

ଆସ ଆସ ବୋଲିଣ ଡାକିଲେ ଚକ୍ରପାଣି |୧୨୧|

ତିନି ସହସ୍ର ଯୋଜନରେ ହର ଥିଲେ

ଭୁଜ ବଢ଼ାଇ ଇଶ୍ଵରଂକୁ ନାରାୟଣ କୋଳକଲେ |୧୨୨|

ଦେଖ ହୋ ଚଇତନ ମହିମାଂ ଦେବରାଜ

ତିନି ସହସ୍ର ଯେଜନ ଯାୟେ ବଢ଼ିଲା ବେନି ଭୁଜ |୧୨୩|

ଈଶ୍ଵର ଦେବତାଂକୁ କୋଳରେ ଦେବ ଧରି

ଶସ୍ତ ସେନାପତିକିଂ ଚକ୍ର ଉହଡ଼ି ଉଭାରି |୧୨୪|

ଚକ୍ରର ତେଜ ଦେଖି ଦୂରେଣ ସେହି ରହି

କରପତ୍ର ଯୋଡ଼ିଣ ଜଗଭୂତର ଆଗେ କହି |୧୨୫|

ସ୍ଵାମୀ ବ୍ରହ୍ମା ମୋତେ ପେଷିଲେ ଆଧାର ନିମନ୍ତେ

ୟେହାର ମାଂସ ଖାଇ ହୋଇବି ତ୍ରିପୁତେ |୧୨୬|

ମୋହୋର ଆଧାର ଯେ ଖଣ୍ଡିଲୁ ପୁରୁଷଂକ ଉତ୍ତମ

ମୋହୋର ଶରୀର ଦହନେ ଯେ ତୋହୋର କିସ ଧର୍ମ |୧୨୭|

ଶୁଣିଣ ନାରାୟଣ ନୟନ କଟାକ୍ଷି

ଚକ୍ର ଘେନି ତାହା ନିବ୍ରତି କଲେ ଋଷିକେଶି |୧୨୮|

ହାଥରେ ଲାଗିଅଛି ବ୍ରହ୍ମାର କ୍ଷିଦ୍ର ମୁଣ୍ଡ

ଦେ ଦେ ବୋଲିକରି ସେ ବିସ୍ତାର କରଇ ତୁଣ୍ଡ |୧୨୯|

ତାହାର ଶ୍ରାନ୍ତ ଦେଖି ଦେବ ଦାମୋଦରେ

ନବନିଶି ଚକ୍ର ଦେବ ଧଇଲେ ବାମ କରେ |୧୩୦|

ଡାହାଣ କର ଯେ ଚିରିଲେ ଅନନ୍ତ

ଭୁଜରୁ ତୁମ୍ଵ ପରିମାଣେ ବହିଲା ରକତ |୧୩୧|

ସେ ବ୍ରହ୍ମାର ମୁଣ୍ଡ ଯେ ରୁଦ୍ର କରେ ଅଛି ଲାଗି

ବିଷ୍ଣୁର ରୁଧିର ତହିଂ ଢ଼ାଳିଲେ ଅତି ବେଗି |୧୩୨|

ଈଶ୍ଵର ଦେବତା ଶରୀରୁ ଦିଲେ ଯେ ମାୟେଂସ

ବିଭୂତି ମେଲି ତାହା କଲେକ ଅଭ୍ୟାସ |୧୩୩|

ସହସ୍ରେ ବରଷେ ଶାନ୍ତି ହୋଇଲାକ ମୁଣ୍ଡ

ତ୍ରିପୁତି ଭଜିଲା ଯେ ବୁଜିଲାକ ତୁଣ୍ଡ |୧୩୪|

ସେ ନାରାୟଣଂକ ରକତ ଈଶ୍ଵରଂକର ବିଭୂତି

ବ୍ରହ୍ମାର ମୁଣ୍ଡରୁ ସେ ହୋଇଲା ଉତପତ୍ତି |୧୩୫|

ପ୍ରଶସ୍ତ ନାମ ତାକୁ ଦିଲେକ ଦେବହରି

ବୋଇଲେ ୟେ ବ୍ରହ୍ମରାକ୍ଷସ କୁ ପକା ମାରି |୧୩୬|

ନାରାୟଣଂକ ଆଗ୍ୟାଂୟେ ସେ ପ୍ରଶସ୍ତ ସେନାପତି

ଶସ୍ତ ଉପରକୁ ଧାଇଂଲା କୋପ ଯେ ମୂରତି |୧୩୭|

ଶସ୍ତ ପ୍ରଶସ୍ତଂକର ହୋଇଲାକ ସାଂଗ୍ରାମ

ଆକାଶେ ସର୍ବେ କମ୍ପିଲେ ତ୍ରାସିଲେ ଦେବ ଧର୍ମ |୧୩୮|

ପାତାଳ ଆଦିକରି କମ୍ପିଲା ସପତ ଯେ ଦ୍ଵୀପ

ମୃତୁ ମଣ୍ଡଳରେ ସମସ୍ତେ ହୋଇଲେକ ଗୋପ୍ୟ |୧୩୯|

ୟେସନେକ ଉଲୁକାପାତ ହୋଇଲାକ ମହୀ

ଚନ୍ଦ୍ର ସୂର୍ଯ୍ୟ ତ୍ରାସିଲେ ଉଦୟେ ଜ୍ୟୋତି ନାହିଂ |୧୪୦|

ତାହାଂକର ନିଶ୍ଵାସେ ଯେ ବୋହିଲା ପବନ

ଉଡ଼ିଣ ଗଲେ ପୁଣି ସମସ୍ତ ଗିରିବରମାନ |୧୪୧|

ସମୋଦ୍ରେ ପଡ଼ିଲେ ଯେ ଶୂନ୍ୟଭୂମି ମାଡ଼ି

ଚାରିଖାନି ଜୀବଜନ୍ତୁ ପଡ଼ିଲେ ସର୍ବେ ବୁଡ଼ି |୧୪୨|

ଦୁରାପଦ ସମର ଯେ ହୋଇଲା ମହାଗୋଳ

ଆକାଶ ବ୍ୟାପିଲା ସିନ୍ଧୁ ଯେ ଉଛୁଳ |୧୪୩|

ସମସ୍ତ ଆରତ ପୁଣ ଦେଖିଲେ ବେଦବ୍ରହ୍ମା

ନାରାୟଣଂକ ପ୍ରାର୍ଥନା ମାଗିଲେକ ମହତମା |୧୪୪|

ଧାତାର ବଚନେ ଯେ ନିରିଧାର କରି

ସମର ସମାର୍ଜନା କରନ୍ତି ଦେବହରି |୧୪୫|

ଦୁଇ ସେନାପତିଂକର ଧଇଲେ ଦେବ ହାଥ

ସମର ରୁହାଅ ବୋଲି ବୋଇଲେ ଆଦିନାଥ |୧୪୬|

ପୃଥୀ ନାଶ ଗଲାନି ତୁମ୍ଭର ସମରେ

ୟେ ସତ୍ୟଯୁଗେ ୟେତିକି ଥାଉ ବୋଇଲେ ଦାମୋଦରେ |୧୪୭|

ସତ୍ୟଯୁଗେ ତୁମେ ଶସ୍ତ ଯେ ପ୍ରଶସ୍ତ

ତ୍ରେତୟା ଯୁଗେ ତୁମ୍ଭେ ବାଳୀ ସୁଗ୍ରୀବର ଜାତ |୧୪୮|

ଦ୍ଵାପର ଯୁଗେ ତୁମ୍ଭେ କର୍ଣ୍ଣ ଅରଜୁନ

ୟେସନେକ ଆଗ୍ୟାଂ ଦିଲେ ଶ୍ରୀମଧୁସୂଦନ |୧୪୯|

ବ୍ରହ୍ମାର ତହୁଂ ଯେ ଶସ୍ତ ଉପୁଜିଲା

ନାରାୟଣ ଆଗ୍ୟାଂୟେ ଯେ ଆଦିତ୍ୟ ସଂହରିଲା |୧୫୦|

ନାରାୟଣର ତହୁଂ ଯେ ଉପୁଜିଲା ପ୍ରଶସ୍ତ

କେଶବର ଆଗ୍ୟାଂୟେ ତାହା ସଂହରିଲେ ପୁରୁହୂତ |୧୫୧|

ତୁ ହୋ ବାସୁକୀ ପଚାରିଲୁ ଆର୍ଜୁନର ମହିଂମା

ଯେ ସେ ଅର୍ଜୁନ ସେ ଆଦି ମହାତମା |୧୫୨|

ବିଷ୍ଣୁଂକର ରକତ ସଦାଶିବର ମାୟେଂସ

ବ୍ରହ୍ମାର ମୁଣ୍ଡ ଯେ ବାସେବର ତେଜ ପ୍ରକାଶ |୧୫୩|

ୟେତେକ ସରୂପେ ହୋୟେ ଜାତ ଫାଲଗୁନ

ପୃଥିବୀ ଧରିତେ ସେ ହୋଇଲା ଭାଜନ |୧୫୪|

ଭାରତେ ଭାରୋଇମଲ୍ଲ ନାମ ତା ଅର୍ଜୁନ |୧୫୫|

ଶୁଣି ପରମ ସନ୍ତୋଷ ହୋଇଲା ବାସୁକୀ

ଶ୍ରୀଜଗନ୍ନାଥଂକ ବଚନେ ଗଲା ଅର୍ଜୁନ ତହିଂକି |୧୫୬|

ଅଷ୍ଟକୁଳା ନାଗନ୍ତ ଘେନିଣ ସଙ୍ଗତରେ

ପ୍ରବେଶ ହୋଇଲା ଯାଇଂ ପାତାଳ ପୁରରେ |୧୫୭|

ଦେଖିଲା ବାସୁକୀ ଯହିଂ ବିଜୟେ ବାସବି

ଧନୁର ହୁଳେ ଧରିଅଛି ସେ ସପତ ଦ୍ଵୀପା ଭୁବି |୧୫୮|

ଦେଖିଣ ଅନେକ ହରଷ ନାଗରାଜା

ଅନେକ ଅଳଂକାରେ ସେ କରଇ ପାଦପୂଜା |୧୫୯|

ସାଧୁ ସାଧୁ ପାର୍ଥୀବ ହୋ ଜୀବନ ତୋହୋର ଧନି

ସାଧୁକ୍ଷଣେ ଜାତକଲା ତୋହୋର ଜନନୀ |୧୬୦|

କୁଟୁମ୍ଵନ୍ତ ଘେନିଣ ନାଗରାଜା ପରିଣାମି

ୟେ ମହାଭାରା ପୃଥିବୀ ତୋହୋର ଗୋଚରେ ଦେଇଗଲି
ଦେବସ୍ଵାମୀ |୧୬୧|

ଦଶଦୋଷ ଅପ୍ରାଧ କ୍ଷମା କରିବା ସର୍ବସାଚୀ

ଜଗବଦନ ସ୍ଵାମୀ ହୃଦେ ନ ଧରିବୁ ମୋତେ ବାଚି |୧୬୨|

ୟେବେ ପୃଥିବୀ ଛାଡ଼ ହୋ ମୋର ଶିରେ

କିସ ଦେଇ ଭଗତି ପାଥ ମୁଂ ହୋଇବି ତୋହୋରେ |୧୬୩|

ଅର୍ଜୁନ ବୋଇଲା ସ୍ଵାମୀ ସମ୍ଭାଳ ବସୁନ୍ଧରୀ

ମହା ଭାରାଭର ପୃଥୀ ଧରସି ଦୃଢ଼କରି |୧୬୪|

ଯେ ଯାହା ଠାବେ ହୋ ଲଗାଅ ତୋର ଫେରୁ

ନ ପୁଣ ନାଗରାଜା ତୁ ସମ୍ଭାଳି ନୁଆରୁ |୧୬୫|

ଅନନ୍ତ ନାଗରାଜା ପାଥକୁ ବଚନ ପ୍ରକାଶି

ୟେ ମୋହୋର ସଦା ବହନ୍ତା ପୃଥୀ ଛାଡ଼ି ମୋତେ ଦେସି |୧୬୬|

ଆହେ ଅନନ୍ତ ନାଗ ତୁ ଯେ ଧରିଥିଲୁ ପୃଥୀବି

ପୁଣ ନ ବହିଲୁ ଦିନାକେତେ ୟେ ଭୁବି |୧୬୭|

ନ ବହି ବହିବା ତ ଅଟେ ଦୁରାପଦ

ଯିସ ତିସ ହୋଇ ମେଦିନୀ ଟଳିଲେ ପଡ଼ିବ ଆପଦ |୧୬୮|

ତୋତେ ତ ସମ୍ପଦ ୟେ ଦୁରାପଦ ମହାଭାରା

ପାତାଳ ଅନନ୍ତ ହୋ ସମ୍ଭାଳ ବସୁନ୍ଧରା |୧୬୯|

ସମ୍ଭାଳ ସମ୍ଭାଳ ବୋଲି ବୋଇଲା ବାସବର ବାଳ

ଧୀରକରି ବାସବି ଯେ କାଢ଼ିଲେ ଧନୁହୁଳ |୧୭୦|

ଅନନ୍ତ ସମ୍ଭାଳିଲା ସେ ମହାଭାରା ମେଦିନୀ

ଅନନ୍ତ ଛାମୁରେଣ ଉଭା ହୋଇଛି ବୀର ଫାଲଗୁନି |୧୭୧|

ଯାଉଛି ପିତାମହ ମୋହୋର ହସ୍ତିନା

ନାଗରାଜ ବୋଇଲେ ବାବୁ ଯାଉଛ କିନା |୧୭୨|

ତୋହୋର ଗୋଚରେ ମୁଂ ଦେଇଗଲି ବସୁନ୍ଧରା

କିସ ଦେଇ ଭଗତି ତୋତେ ହୋଇବି ମହାବୀରା |୧୭୩|

ଅର୍ଜୁନ ବୋଇଲା କିଂକେ ବିଲୋପୁ ନାଗରାଜେ

ମେଦିନୀ ଧଇଲି ସିନା ଆମ୍ଭର ନିଜ କାର୍ଯ୍ୟେ |୧୭୪|

ଅନେକ ଯୁଗତେ ଆମ୍ଭନ୍ତ ଥିବ ଅନଗୃହ

ସର୍ବଦା ଅନନ୍ତ ଆମ୍ଭନ୍ତ କରିଥିବୁ ସେନେହ |୧୭୫|

ଅନନ୍ତ ବୋଇଲା ଯେବେ ଅନୁଗ୍ରହ ଅଛି ମୋତେ

ହୃଦୟ ନିକଳଂକ ତୋର ଜାଣିମା କେମନ୍ତେ |୧୭୬|

ବୋଲନ୍ତି ଧନୁର୍ଜୟେ ଶୁଣ ହୋ ନାଗରାୟେ

ଯେମନ୍ତେ ସମ୍ପ୍ରତେ ଯାଉ କରସି ଉପାୟେ |୧୭୭|

ଅନନ୍ତ ବୋଇଲା ମୋର ସନ୍ଧ୍ୟାବଳୀ ଦୁହିତୀ

ସେ ତୋତେ ନିତ୍ୟାପ୍ରତି ଖଟିଣ ଥିଲା ୟେଥି |୧୭୮|

ଭାରିଜା ପ୍ରାୟେକ ହୋଇଣ ଖଟିଥିଲା ମନର ହିଆଳି

ତୋହୋର ଅନୁଗ୍ରହ ହୋଇଲେ ପ୍ରଦାନିବି ସନ୍ଧ୍ୟାବାଳୀ |୧୭୯|

ଅର୍ଜୁନ ବୋଇଲା ଯେହ୍ନେ ତୋହୋର ବିଚାର

ଯେ ତୋହୋର ଇଚ୍ଛା ୟେବେ ବିଚାରି କାର୍ଯ୍ୟ କର |୧୮୦|

ପୁତ୍ରନ୍ତ ରାଇଣ ଆଗ୍ୟାଂ ଦିଲା ଯେ ଅନନ୍ତ ନାଗଦେବା

ପୁରେ ଉତ୍ସବ କରାଅ ସନ୍ଧ୍ୟାବଳୀକି କରାଇବା ବିଭା |୧୮୧|

ଶୁଣିଣ ସାନନ୍ଦ ଯେ ହୋଇଲେ ସମସ୍ତ ନାଗଲୋକ

ବୋଇଲେ ଅନେକ ପୁଣ୍ୟ ଆମ୍ଭର ଯେ ପାତାଳ ପୁରଯାକ |୧୮୨|

ଅନେକ ସାନନ୍ଦ ସେ ହୋଇଲେ ଉଡ଼ଙ୍ଗ ବଳେ

ବିଭାର ସମ୍ଭର୍ବ ବିଧି ସେ କରନ୍ତି ପାତାଳେ |୧୮୩|

କନ୍ୟା ବେଶ ବେଶନ କରାଇଲେ ସନ୍ଧ୍ୟାବାଳୀ

ନାଗେଣୀ କନ୍ୟାମାନେ ଦିଅନ୍ତି ହୁଳହୁଳି |୧୮୪|

ଯେ ବିଧି ମଙ୍ଗଳ କରାବନ୍ତେ ଜଉତିଷ ପୁରୋହିତେ

ସୀଉକାର ବରଣ କରାବନ୍ତି ବେଦବିଧି ମତେ |୧୮୫|

ସୋମଗୋତ୍ର ଯେ ପାଣ୍ଡବ ଫାଲଗୁନି

ଅନନ୍ତ ଗୋତ୍ର ଯେ ନାଗରାଜାର ନନ୍ଦିନୀ |୧୮୬|

ପଦ୍ମନାଗର କୋଳରେ ବିଜୟେ କୁମାରୀ

ପ୍ରଦାନ କରାବନ୍ତି ଜରତକାରୁ ବ୍ରହ୍ମଚାରୀ |୧୮୭|

ରତ୍ନମଣି ମୁକୁଟ କୁଣ୍ଡଳ ଜଗଦଳା

ଶିରେ ସୀମନ୍ଥିନୀ ହୃଦେ ଭୂଷଣ ରତ୍ନମାଳା |୧୮୮|

ବେନିକୁଳ ଗୋତ୍ର ଯେ ଉଚ୍ଚାରନ୍ତି ପୁରୋହିତେ

କୁଶଗ୍ରନ୍ଥି ବନ୍ଧନ କଲେକ ମହାମନ୍ତ୍ର ଉକତେ |୧୮୯|

ବହୁତ ଯଉତୁକ ଯେ କରିବାର ଅନନ୍ତ

କୁଟୁମ୍ଵ ଘେନିଣ ଯେ ବିନୟ ବହୁତ |୧୯୦|

କୁଶ ବନ୍ଧନ ଗଣ୍ଠି ଫେଇଲି ପ୍ରୋହିତେ

ଲାଜା ହୋମ ଆରୋପଣ କଲେ ମହାମନ୍ତ୍ରେ |୧୯୧|

ଅନେକ ମଙ୍ଗଳ ଗୀତ ଗାବନ୍ତି କାମେନୀ

ବ୍ରାହ୍ମଣେ ବେଢ଼ି ତହିଂ କରନ୍ତି ବେଦଧୁନି |୧୯୨|

ଘୃତ ପାରଣା କଲେ ପ୍ରତିଷ୍ଠା ଅର୍ଥେ କରି

ବନ୍ଦାପନା କରି ସମ୍ଭର୍ବେ ନେଲେ କୁମାର କୁମାରୀ |୧୯୩|

ବର କନ୍ୟା ପ୍ରବେଶ ହୋଇଲେ ଅନ୍ତେଶ୍ଵର ପୁରେ

ମଙ୍ଗଳ ଗୀତ ଗାଇ ସେ ହୁଳହୁଳି ଦ୍ୟନ୍ତି ଯେ ଦ୍ଵାରେ |୧୯୪|

ଅମୃତ ଛଡ଼ ରସେଣ ଭୋଜନ କଲେକ ବରକନ୍ୟା

ଆଂଚୋବନ ସାରିଣ ଅର୍ଜୁନ ଘେନିଣ ନାଗେଣୀ ଅପର୍ଣ୍ଣା |୧୯୫|

ସୁସଞ୍ଚ ପଲଂକେ ଶେଯାଇ ସୁପାତି

ଦ୍ଵାରେ ମଙ୍ଗଳ ଧୁନି ଭାଷନ୍ତି ସକଳ ଯୁବତୀ |୧୯୬|

ବିବିଧ କ୍ରୀଡ଼ାରସ ଅର୍ଜୁନର ନାଗେଣୀର ତୁଲେ

ଅନେକ ରସ କଉତୁକେ ରୟଣୀ ପୁହାଇଲେ |୧୯୭|

ସାରିଲେ ଚଉଠି ସପ୍ତମଙ୍ଗଳାର ବିଧି

ବିଧିମତ କରିଣ ସାରିଲେ ସର୍ବସିଦ୍ଧି |୧୯୮|

ନାଗୋଣୀର ତୁଲେ କ୍ରୀଡ଼ା ରଙ୍ଗରସେ

ନିଶ୍ଚିନ୍ତେଣ ରହିଲା ଅର୍ଜୁନ ପାତାଳ ସ୍ଵର୍ଗବାସେ |୧୯୯|

ବହୁତ ଭଗତି ଯହୁଂ ହୋଇଲା ନାଗେଣୀ

ପୁରୁଷ ବଶ ବିଦ୍ୟାୟେ ସେ ମୋହିଲା ଫାଲଗୁନି |୨୦୦|

ପାସୋରିଲା ଅର୍ଜୁନ ଯୁଝେଷ୍ଠି ଜଗନ୍ନାଥ

ଆବର ପାସୋରିଲା ସୋହୋଦ୍ରା ଦ୍ରୋପଦ ଦୁହିତ |୨୦୧|

ପାଣ୍ଡବ ସୁନ୍ଦର ଯେ ନିଶ୍ଚିନ୍ତେ ପାତାଳେ

ସମସ୍ତହିଂ ତେଜ୍ୟାକଲା ନାଗେଣୀର ମେଳେ |୨୦୨|

ପ୍ରାଣେ ପ୍ରାଣେ ଅର୍ଜୁନକୁ ନାଗେଣୀ ଥାଇ ଖଟି

ପଞ୍ଚୁରାଜ୍ୟ କଟକ ପାସୋରିଲା କୀରୀଟି |୨୦୩|

ସନ୍ଧ୍ୟାବାଳୀ ତେଜ୍ୟା କରିତେ ନ ବଳଇ ମନ

ସର୍ବ ତେଜ୍ୟାକରି ପାତାଳେ ରହିଲା ଫାଲଗୁନ୍ୟ |୨୦୪|

ବଦୟନ୍ତି ଅଗସ୍ତି ଶୁଣ ହୋ ଯୋଗେଶ୍ଵର

ମହାସଭା ସମାପତ ହେଲା ରାଜୁସି ଯାଗର |୨୦୫|

ଅନେକ ସମ୍ପଦେଣ ସେ ଯେ ଗଲେ ରାଜାମାନେ

ୟେକାମାତ୍ର ଦ୍ରିଯୋଧନ ସଭାରେ ପାଇଲା ଅପମାନେ |୨୦୬|

ଦଇବେଣ ଯେବଣ ସଭା ଭିଆଇଲେ ବାସୁଦେବେ

ମହାମାୟା ସଭା ଦିଲା ମୟ ନାମେଣ ଦାନବେ |୨୦୭|

ଅବାଡ଼େ ଚିତ୍ର ଲେଖନ ଶୂନ୍ୟ ଖମ୍ଵ ଚାଳ

ସଷ୍ଟିକର ସଙ୍ଗତେ ଘଟଣ କଲା ଜଳ |୨୦୮|

ଭଗତ ଲୋକଂକୁ ତହିଂ ଦିଶଇ ଆକାର

ବାରଣ ନ ଯାଇ ସେହୁ ଆବର ଅଣାକାର |୨୦୯|

ଶତ୍ରୁ ଗଳ କଣ୍ଟକ ଅଟଇ ସେ ସଭାର ନାମ

ଚକ୍ରକୂଟେ ଯାହା ସ୍ରିଜିଲେ ଶ୍ରୀପୁରୁଷୋତ୍ତମ |୨୧୦|

ଯୁଝେଷ୍ଠି ଦେବଂକ ଯେ ଅଭଗତ ହୃଦଗତେ

ସେ ସଭା ତାହାକୁ ଦୃଶ୍ୟ ନୋହଇ କଦାଚିତେ |୨୧୧|

ଯୁଝେଷ୍ଠି ଦେବ ଯେ ଦ୍ରିଯୋଧନକୁ ରାଇଲେ ସଦିଭାବେ

ମନେ କିନ୍ତୁ କରି ଉଠିଲା କୁରୁରାଜ ଦେବେ |୨୧୨|

ନିକଳଂକ ଚିତ୍ତେ ସେ ଯେ ନ ଗଲା ସଭାକୁ

ଅନେକ ଝିଘାଂସି ପାଇଲା ସେ ଆସ୍ତାନେ ଉଠିବାକୁ |୨୧୩|

ବସିତେ ନ ଜାଣି ସେ ପାଇଲା ବହୁତ ଲଜ୍ଜା

ଅନ୍ତେଶ୍ଵର ପୁରେ ନୃପତି ପାଡ଼ି ଶୁତିଲା କୁଶଶଯ୍ୟା |୨୧୪|

ଆହୋ ଭୀଷ୍ମ ଦ୍ରୋଣ କର୍ଣ୍ଣ ଅଶସ୍ତମା ଭୁରିସର୍ବା ସହିତେ

ସଭାରୁ ଉଠିଗଲେ ଅମନାତ୍ୟ ପ୍ରୋହିତେ |୨୧୫|

ଚନ୍ଦ୍ରଶାଳା ପୁରେ ଶୟନ ମାନଚକ୍ରବ୍ରତୀ

ଦ୍ଵାରେଣ ପ୍ରବେଶ ହୋଇଲେ ସକଳ ସେନାପତି |୨୧୬|

କର୍ଣ୍ଣ ମହାରଥୀ ଦ୍ଵାରେଣ ଦିଅଇ ଡାକ

ଶୁଣ ଦେବ ମହାରାଜା କାଗାକୁ ୟେଡ଼େ ଶୋକ |୨୧୭|

ତୁ ଦେବ ସୟଳ ସଂସାର ଜଗଜ୍ଜିତା

ମହାଭିଗ୍ୟଂ ପଣ୍ଡିତ ନାଥ କାହାକୁ ତୋର ଚିନ୍ତା |୨୧୮|

ଦ୍ରିଯୋଧନ ବୋଇଲା ମଇତ୍ର ତୁ ମୋହୋର ସୁହୃଦେ

ପୁଣ୍ୟେଣ ପ୍ରାପତ ତୋତେ ପାଇଲଇଂ ମୁହିଂ ହାଦେ |୨୧୯|

ଆବର ସମ୍ପକ୍ଷ ମୋତେ ମାତୁଳ ଶକୁନି

ଦୁହିଂକର ପ୍ରସାଦେ ସାଧିଲି ମେଦିନୀ |୨୨୦|

ଯେବଣ ସମ୍ପଦମାନ ଅର୍ଜିଲେ ପାଣ୍ଡବେ

ଦେବକଇଂ ଦୁର୍ଲ୍ଲଭ ୟେ ମାନବକଇଂ ଅସମ୍ଭବେ |୨୨୧|

ଚଉବିଂଶ ଦିବସ ପରିଯନ୍ତେ ହୋଇଲା ମହାଯାଗ

ଦୁଖୀ ଦରିଦ୍ର କେହୁ ନୋହିଲେ ମହୀଭାଗ |୨୨୨|

ଅନେକ କଷଣ କଲୁ ଧନ ନାଶିବାର ଅର୍ଥେ

ତେମନ୍ତେହେଂ ଜିଣି ନୁଆରିଲୁ କଦାଚିତେ |୨୨୩|

ଶିଶୁପାଳ ନାଶଗଲା ଆମ୍ଭର ବିଶୁଆସେ

ଶାଲୁହିଂ ଯାଇଅଛି ଆମ୍ଭର ପ୍ରତିଆଶେ |୨୨୪|

କେବଣ ଉପାୟ ସେ କରିବ ନ ଜାଣି

କରଇ ସନ୍ତାପ ସେ କୁରୁକୁଳ ମଣି |୨୨୫|

ନାରାୟଣ ସମ୍ପକ୍ଷ ଯେ ଅଟଇ ତାହାକୁ

ଅସଂଖ୍ୟ ଚରିତ ସଭା ଅଗୋଚର ଦେବଂକୁ |୨୨୬|

ଅମର ବାରସ୍ଵତୀ ଜିଣି ଦେଖିଲି ୟେହାର ପୁରୀ

ଦେବତା ସମାନେ ତହିଂ ଦେଖିଲି ନର ନାରୀ |୨୨୭|

ଅନେକ ଧନ ଧଂସନ କଲଇ ମୁହିଂ ରାଗେ

କେବଣ ମାୟାୟେ ଭଣ୍ଡାର ପୂରୋଇ ସେହୁ ବାଗେ |୨୨୮|

ଦେଉଂଣ ନ ସରଇ ଲକ୍ଷ ଲକ୍ଷ ଧନ

ଗୁଣେ ଦିଲେ ବେନିଗୁଣ ହୁଅଇ ସମ୍ପୂର୍ଣ୍ଣ |୨୨୯|

ୟେଥିରେ ସନ୍ଦେଶ କେହି ବୁଝି ନୁଆରିଲୁ

ବଳ ବୀର୍ଯ୍ୟ ଥାଉଂ ଆମ୍ଭେ ହତ ଯେ ହୋଇଲୁ |୨୩୦|

ସଭାୟେଣ ଭୀମା ମୋତେ ଯେତେ କୃତ୍ୟ କଲା

ଜୀବାଉଂ ମରଣ ମୋତେ ଶତେ ଗୁଣେ ଭଲା |୨୩୧|

ଆପଣାର ଶରୀରେଣ ବଳ ପ୍ରାଣ ଥାଆନ୍ତେ

ସାବତର ବିଭୂତି ମୁଂ ଦେଖିବି କେମନ୍ତେ |୨୩୨|

ବିଷ ଖାଇ ମରିବି ଆତ୍ମଘାତକୁ ବଡ଼ ଭୟେ

ପ୍ରାଗେ ଝାସିବି ନୋହିଲେ ଦହନ କରିବି କାୟେ |୨୩୩|

ଦ୍ରିଯୋଧନର ବିରସ ଦେଖିଣ ବୋଲଇ ଶକୁନି

ୟେହେନ୍ନେକ ଛାର କଥାକୁ ତୁ ୟେଡ଼େ ଅଭିମାନୀ |୨୩୪|

ବାବୁ ତୋହୋର ନ ସହିଲେ ମୋହୋର ୟେମନ୍ତ ଅଛି ବୁଦ୍ଧି

ଘଡ଼ିକର ମଧ୍ୟେ ହରିବି ପାଣ୍ଡବଂକର ସମ୍ପ୍ରଧି |୨୩୫|

ସଞ୍ଚୟେ କରି ରାଜା ତୋହୋର ନ ସହିଲେ

ପାଣ୍ଡବଂକର ସମ୍ପ୍ରଧି ଯାକ ହରି ପାରଇ ମୋହୋର ବଳେ |୨୩୬|

ଶକୁନି ମୁଖର ୟେସନେକ ବଚନ ଶୁଣିଣ କୁରୁରାଣ

କପାଟ ଫେଡ଼ିଣ ରାଜା ବାହାର ତତକ୍ଷଣ |୨୩୭|

ଶ୍ରୀଭୁଜେ ଶକୁନିକି କରଇ ରାୟେ କୋଳ

ହୃଦେ ଲମ୍ଵାଇଲା ନେଇ ଚଉସରା ରତ୍ନମାଳ |୨୩୮|

ବେଳେକ ମାରୁତ ହୋ ତୋହୋର ପରସାଦେ

ଭୀମକୁ ବିଷଲଡ଼ୁ ଖୁଆଇଲୁ ହାଦେ |୨୩୯|

ଦୁଜେଣ ଜଉଘର ଭିଆଇଲୁ ମହାକୂଟେ

ଜଉ ସଜଳସ ଗୁଆଘୃତ ଛଣପଟେ |୨୪୦|

ତିଜେଣ ମେଲି ଦିଲୁ ଯମୁନାର ଜଳେ

ନାଗୁଣୀ ଜୀଆଂଇଲେ କେବଣ ପୁଣ୍ୟବଳେ |୨୪୧|

ତୁହି ସେ ଅଟୁ ମୋହୋର ପ୍ରାଣ ହିତ

ତିନିବେଳ ମରିବାଉଂ ପାଣ୍ଡବେ ପାଇଲେ ଜୀବିତ |୨୪୨|

ୟେବେ ଚତୁର୍ଥ ବେଳ ଜିଣିମା କେମନ୍ତେ

କେବଣ ଉପାୟେ ଅଛି କହକିନା ମୋତେ |୨୪୩|

ଶକୁନି ବୋଇଲା ୟେବେ ସ୍ରାହାନ ଭୋଜନ ତୁ କର

ଉପାୟେ ଶତ୍ରୁ ଜିଣିବା କରିଣ ବିଚାର |୨୪୪|

ତୁ ତାହାନ୍ତ ପଞ୍ଚଭୂତେ କରିଥିଲୁ ଅଭିନ୍ନ

ତେଣୁ ସେ ୟେଡ଼େକ ସମ୍ପଦ ଅରଜିଲେ ପଣ୍ଡୁନାନ |୨୪୫|

ଶକୁନି ବୋଇଲା ଧୁଶାସନକୁ ରାଇ

ରାଜାକଇଂ ସ୍ରାହାନ ତୁ କରାଅ ବେଗେ ନେଇ |୨୪୬|

ଆଗ୍ୟାଂ ପ୍ରାମାଣେ ଯେ ଗଲା ଧୁଶାସନ

ମାନଗୋବିନ୍ଦ ରାଜାକୁ ଯେ କରାଇଲେ ସ୍ରାହାନ |୨୪୭|

ସ୍ରାହାନ ସାରିଣ ରାଜା ମୁଣୋହିରେ ବିଜେ

ମନର ବିକୃତେ ଅନ୍ନେ ନ ରୁଚଇ କୁରୁରାଜେ |୨୪୮|

ଆଚୋବନ ସାରି ରାଜା କ୍ରପୂର ତାମ୍ଵୋଳ ଭୁଞ୍ଜି

ଶକୁନିର ବୋଲକୁ ସେ ୟେକଲୟେ କରି ଭଜି |୨୪୯|

ବିଜୟେ ମାନଗୋବିନ୍ଦ ଚନ୍ଦ୍ରଶାଳା ପୁରେ

ଶକୁନି ହକାରି ରାଜା ବସିଲା ୟେକାନ୍ତରେ |୨୫୦|

କହିବୁଟି ମାତୁଳ ତୋହୋର ବୁଦ୍ଧିଗୋଟି

ହୋଇବି ତ୍ରିପୁତି ମୋର ମନୁ ଭ୍ରାନ୍ତି ଯାଉ ଫିଟି |୨୫୧|

ଶକୁନି ବୋଇଲା ଶୁଣ ହୋ ମାନଗୋବିନ୍ଦେ

ଯୁଝେଷ୍ଠିଂକର ନିୟମ ମୁଂ କହଇ ଶୁଣ ହାଦେ |୨୫୨|

ଆହୋ ପ୍ରୀତିଭାବେ ଯେ ଯାହା କହଇ ତାହାଂକୁ

ଅବଶ୍ୟ ଦିଅଇ ସେ ତାହା କହଇ ତୁମ୍ଭଂକୁ |୨୫୩|

ଜୂତର ଶୁଦ୍ଧେଣ ଯେ ହାରଇଟି ଯାହାଂକୁ

ରାଜ୍ୟଭାର ସମ୍ପଦ ଘେନି ବାହାର କରି ତାକୁ |୨୫୪|

ଆସ୍ତାନେ ବିଜେ କରାଇ ସନ୍ନିଧ୍ୟେ ତାହାନ୍ତ ବସା

ଯୁଝେଷ୍ଠିଂକର ତୁଲେ ତୋତେ ଖେଳାଇବି ପଶା |୨୫୫|

ମୋହୋର ଖେଳନ୍ତେ ସେ ହାରିବେ ଯୁଗତେ

ଯୁଝେଷ୍ଠିଂକର ସମ୍ପଦ ଆମ୍ଭେ ହୋ ହାରିବା ୟେହିମତେ |୨୫୬|

ଦ୍ରିଯୋଧନ ବୋଇଲା ମାତୁଳ ତୁ ଅସଖ୍ୟ କହିଲୁ

ୟେଡ଼େ ବଡ଼ ପଦାର୍ଥ ତୁହି କାହୁଂ ସେ ପାଇଲୁ |୨୫୭|

ଶକୁନି ବୋଇଲା ଶୁଣ ମହୀପାଳ

ୟେ ପଶାର ଚରିତ ଜାଣଇ ମୋହୋର ପିତାର ଥିବାକାଳ |୨୫୮|

ପଶାକୁ ଜିତା ଯେ ମୋହୋର ପିତା ଗାନ୍ଧାରସେନ

ବିଚାରଇ କେମନ୍ତେ ପଶାରେ ଜିଣିମି ସକଳ ରାଜାଗଣମାନ |୨୫୯|

ୟେତେ ବୋଲି ଗଲି ଚିତ୍ରୋତ୍ପଳା ଉଡ଼୍ରା କୁର ତୀର୍ଥେ

ଗଙ୍ଗାକୁ ସେବିଲା ସେ ପଶାର ନିମନ୍ତେ |୨୬୦|

ମୀନମାସ ଶୁକ୍ଳପକ୍ଷ ଚନ୍ଦ୍ରବାର ଦିନେ

ପୁଷ୍ୟା ନକ୍ଷତ୍ରରେ ପିତା ବସିଲେ ଯୋଗଧ୍ୟାନେ |୨୬୧|

ମନ ବଚନେ କର୍ତ୍ତବ୍ୟେ ସେ ଜପଇ ୟେକଚିତ୍ତେ

ମହାଯୋଗେ ବସିଲା ରାଜା ନବ ବରଷ ପରିଯନ୍ତେ |୨୬୨|

ଅନେକ ବିନୋୟୀ ରାଜା ଖଟଇ ମହାମାୟା

ଅଗାଦେ ଆସନ କମ୍ପିଲା ଜାହ୍ନବୀ ଆଦିତୋୟା |୨୬୩|

ଜଳର ଭିତରେ ଥାଇ ବୋଲନ୍ତି ଜାହ୍ନବୀ

ଆହୋ ଗାନ୍ଧାରସେନ ତୁ କଷ୍ଠୋରେ ମୋତେ ସେବି |୨୬୪|

ମାଗସି ତୋ ମହାରାଜା ଯେ ତୋହୋର ଆଧ୍ୟାନ

ୟୋ ମୋହୋର ସତ୍ୟ ସତ୍ୟ ଦୃଢ଼ ମୋ ବଚନ |୨୬୫|

ଗାନ୍ଧାରସେନ ବୋଇଲା ମୋହୋର ହୀନକର୍ମ

ସ୍ତିରୀଲିଙ୍ଗ ସେବାକଲି ମୋହୋର କିସ ଧର୍ମ |୨୬୬|

ଅନାଦି ମାହେଶ୍ଵରୀ ତୁ ସଦାଶିବର ବଲ୍ଲଭା

ଅଗ୍ୟାନ ମୂରୁଖ ମୁହିଂ ତୋତେ କିସ କରିବଇଂ ସେବା |୨୬୭|

ମାଗୋ ଯହିଂରେ ନିମନ୍ତେ ମୁଂ ତୋହୋରେ ଭଗତି

ବିଜୟେ ପଶାସାର ମୋତେ ଦିବାକ ମହାସ୍ଵତୀ |୨୬୮|

ମୋହୋର ଖେଳନ୍ତେ ମୋତେ ନୋହିବେ କେହି ସରି

ଅନୁଗ୍ରହ କରିବା ମୋତେ ଗୋ ନିର୍ଘାତର କୁମାରୀ |୨୬୯|

ଗଙ୍ଗା ବୋଇଲେ ମୁଂ ଦେବଇଂ ତୋହୋର ବୋଲେ

ସମୟେକ ବାହୁଡ଼ାଇ ଦେବୁଟି ଆଣି ଈଶ୍ଵରେ ଲୋଡ଼ାକଲେ |୨୭୦|

ଅନ୍ତରୀକ୍ଷେ ପଶାସାର ସେ ଦିଲେକ ପକାଇ

ବରଷକ ଉତ୍ତାରେ ପଶା ଦେବୁଟି ବାହୁଡ଼ାଇ |୨୭୧|

ଶକୁନି ବୋଇଲା ବାବୁ ଶୁଣ ଦ୍ରିଯୋଧନ

ବିଜୟା ପଶାସାର ଘେନି ଅଇଲେ ଗାନ୍ଧାରସେନ |୨୭୨|

ଦ୍ଵାଦଶ ବରଷ ପରିଯନ୍ତେ ସେହୁ ସେ ଘେନିଗଲା

ପୃଥୀ ରାଜାମାନନ୍ତ ସମସ୍ତ ଜିଣିଲା |୨୭୩|

ପଶା ନ ପାଇ ରାଗେ ଶାପ୍ୟ ଦିଲେକ ଜାହ୍ନବୀ

କୋପେଣ ବୋଇଲେ ତୁରେ ପଥର ଘରେ ହୁଅ ପରାଭବି |୨୭୪|

ସମୟେକ ପଶା ଘେନିଣ ବାହୁଡ଼ିଲେ ଗାନ୍ଧାରସେନ

ପ୍ରବେଶ ହୋଇଲେ ଯାଇଂ ଉତ୍ତରାଂକୁର ତୀର୍ଥେଣ |୨୭୫|

ଜଳ ଭିତରକୁ ରାଜା ପଶା ଦିଲା ଫିଙ୍ଗି

ଶ୍ରୀକରେ ଘେନିଣ ତାହା ସମ୍ଭାଳିଲେ ଧବଳାଙ୍ଗୀ |୨୭୬|

ଗାନ୍ଧାରସେନ ବୋଇଲା ମାତ ମୋତେ ଆଗ୍ୟାଂ ଦେବାକ ହରଷେ

ଯେମନ୍ତେକେ ୟେକଥା ରହିଥାଉ ମୋହୋର ବଂଶେ |୨୭୭|

ଶୂନ୍ୟେଣ କହିଲେ ଯେ ପରମ ମାହେଶ୍ଵରୀ

ଶୁଣସି ହୋ ଗାନ୍ଧାରସେନ ବଚନ ଆମ୍ଭରି |୨୭୮|

ଯେଉଂଣ ଭୁଜେ ପଶା ପାଡ଼ୁଥିଲୁ ଯେ ତୋହୋର

ସେ ଭୁଜଗୋଟି ଘେନିମ ଯେବେ ତୋହୋର କୁମର |୨୭୯|

ତୋହୋର ମରଣ କାଳେ ଘେନିମ କର ପଲ୍ଲବ ଅସ୍ଥିଗୋଟି

ତାହା ଘେନିଣ ପୁଅ ତୋହୋର କରିବ ପଶାକାଠି |୨୮୦|

ସେ ପଶାକାଠି ଘେନିଣ ତୋହୋର ବଂଶ

ଜିଣନ୍ତା ନୋହିବଟି ତାକୁ କେହି ପାତାଳ ପଞ୍ଚ ଆକାଶ |୨୮୧|

ବାବୁ ୟେ ବଚନ ମୋତେ କହିଲେ ଗାନ୍ଧାରସେନ ନୃପତି

ମୃତୁକାଳେ କରର ଅସ୍ଥି ମୁଂ ଘେନିଲି ଦୁହିନ୍ତି |୨୮୨|

ପଶାସାର କରାଇଲି ବାମକର ପବେକ

ବାବୁ ଡ଼ାହାଣକର ପଶାକାଠି ଦୁଇଗୋଟି ହୋ ୟେହାଂକ |୨୮୩|

ବାବୁ ୟେ ପଶା ଘେନିଣ ମୁଂ ଥୋଇଛି ଯତ୍ନକରି

ୟେଣେ ସେ ପାଣ୍ଡବଂକର ସମ୍ପଦ ପାରଇ ମୁଂ ହରି |୨୮୪|

ଶକୁନିର ବଚନ ଶୁଣି ରାୟେ ତୁଷ୍ଟ

ୟେସନ ସମୟେ ଯାଇଂ ପ୍ରବେଶ ଧୃତିରାଷ୍ଟ |୨୮୫|

ଆସ୍ଥାନେ ବିଜୟେ ଯାଇଂ କଲେ କଉରୋବେ

ଅନେକ ପ୍ରଶଂସା ସେ କରଇ ପାଞ୍ଚଉ ପାଣ୍ଡବେ |୨୮୬|

ସାଧୁ ଆମର ବଂଶ ସାଧୁ ସାଧୁରେ କୁମର

ସାଧୁ ହୋଇଲେ ପାଣ୍ଡବେ ୟେ ପଞ୍ଚୁ ରାଜ୍ୟର |୨୮୭|

ୟେସନେକ ସୁକ୍ଷଣେ ଯେ ଉପୁଜାଇଲା ପୁତ୍ରଗୋଟି

ଯେ ସେ କୋଇନ୍ତା ସେ ପରମା ସାଧବୀ ମାହେଶ୍ଵରୀଟି |୨୮୮|

ବଂଶର ଅନେକ ପୁଣ୍ୟ ଅରଜିଲେ ୟେ ପୁତ୍ରଂକ ପ୍ରସାଦେ

ଚାରିଯୁଗର ମଧ୍ୟେ ଅରଜିଲା ପରମ ପଦେ |୨୮୯|

ପାପକର୍ମ କଲି ଅନ୍ଧ ମୋହୋର ବେନିଚଛୁ

ତୁ ପୁଣି ତାହାଂକୁ ୟେବେ ପାପ ଚିନ୍ତୁଅଛୁ |୨୯୦|

ପିତାର ବଚନେ ମାନଗୋବିନ୍ଦ ବୋଇଲା

ମୋହୋର ଚଛୁ କିମ୍ପାଇ ଅନ୍ଧ ଯେ ନୋହିଲା |୨୯୧|

ଯେବଣ ପୁରୁଷର ଶରୀରେ ଥିବ ବଳ ପ୍ରାଣ

ସାବତ ସମ୍ପଦ ଦେଖିବା କେଉଂଣ କାରଣ |୨୯୨|

ଦ୍ରିଯୋଧନ ବୋଇଲା ତାତ ବୁଦ୍ଧିୟେ କହ ମୁକୁ

ପାଣ୍ଡବଂକର ସମ୍ପଦ ନାଶ କରିବାକୁ |୨୯୩|

ଶୁଣିଣ ବିଷାଦ ଯେ ଅମ୍ଵିକା ନନ୍ଦନ

ଭୂଇଂ ଛୁଇଂ ଧୃତିରାଷ୍ଟ ଛୁଇଂଲା ବେନିକର୍ଣ୍ଣ |୨୯୪|

କିସ କଥା ୟେ ବାବୁରେ କହିଲୁ ତୁ ମୋତେ

ଆଉ ବେଳେ ୟେ କଥା ନ କହିବୁଟି କଦାଚିତେ |୨୯୫|

ଗୁପତେ ଚାରପଣେ ଥାଆନ୍ତି ସନ୍ନିଧ୍ୟାନେ

ବାରତା କହିବେଟି ଯାଇଂ ଦେବ ଜନାର୍ଦ୍ଦନେ |୨୯୬|

ବାବୁ ତ୍ରଇଲୋକ୍ୟେ ବିଦିତ ହୋଇଲେ ପଣ୍ଡୁଂକର ପୋୟେ

ଯାହାର ଚରଣେ ସେବାକଲା ନାରାୟେଣ ସ୍ଵୟେଂ |୨୯୭|

ତେପନ ଯୁଗର ବିଭୀଷଣ ଲଂକାର ମହାରାଜା

ଷୋଳଦିନ ପରିଯନ୍ତେ ଆସି କଲା ପୟରେ ପୂଜା |୨୯୮|

ବାବୁ ତ୍ରଇଲୋକର ନାଥ ଯେ ଦେବ ଚକ୍ରଧାରୀ

ସେ ହୋଇଲେ ଯଗ୍ୟଂଶାଳେ ଅନନ୍ତ ପଢ଼ିହାରୀ |୨୯୯|

ଅଭିମାନ ପାଇ ବାବୁ ସଭାରୁ ଅଇଲୁ ଅବା ବେଗେ

ତହିଂକି ଭିଆଉ ଅଛୁ ୟେସନେକେ ପ୍ରସ୍ତାବେ |୩୦୦|

ଦେବତାମାନେ ସମସ୍ତେ ପ୍ରବେଶ ହୋଇଲେ ଆସି

ସେ ମହାସଭାରେ ସମସ୍ତେହଂ ଥିଲେ ବସି |୩୦୧|

ବାବୁ ୟେକଛତ୍ରୀ ହୋଇଲେ ସେ ୟେ ତିନି ଜଗତେ

ତାହାଂକର ସମ୍ପଦ ତୁହି ହରି ଲୋଡ଼ୁ କେମନ୍ତେ |୩୦୨|

ବାବୁ ସୁଜନ ଜନମାନଂକୁ ଯେ ବିପତ୍ତି ଚିନ୍ତିଲେ

ଆପଣାକୁ ପ୍ରମାଦ ପଡ଼ଇ ନିଶ୍ଚିନ୍ତ କରି ବୁଝିଲେ |୩୦୩|

ଯେବେ ରାଜ୍ୟ ତୋତେ ହୋଇବ ପ୍ରାପତ

ଆରବେଳେ ଯୁଝେଷ୍ଠିଂକି ପ୍ରମାଦ ନ ଚିନ୍ତ |୩୦୪|

ବାବୁ ପରକଇଂ ପ୍ରମାଦ ଚିନ୍ତନ୍ତି ଯେଉଂଣ ପ୍ରାଣୀ

ଆପଣାକୁ ଫଳଇ ୟେହା ପୁରାଣେ ବଖାଣି |୩୦୫|

ତୁ ୟେହା ବିଚାର ବାବୁ ନ କରୁ କିମ୍ପା ମନେ

ମହାପ୍ରଭୁରେ ଅଭାବ ତୁ ହୋଇବୁ କେସନେ |୩୦୬|

ଲକ୍ଷେ ନୃପତି ଯାହାକଇଂ ହୋଇଲେ ବଶ୍ୟାବୃତ୍ତି

ତୁ ତାହାଂକର ତୁଲେ କେହ୍ନେ ହୋଉଛୁ ଅପ୍ରୀତି |୩୦୭|

ଆନେକ ବାଗେ ତିଆରିଲା ରାଜା ଧୃତରାଷ୍ଟ

ବଚନ ମେଣ୍ଚିଣ ସେ ଆଗ୍ୟାଂ କଲାକ ଭ୍ରଷ୍ଟ |୩୦୮|

ଦ୍ରିଯୋଧନ ବୋଇଲା ତାତ ବଳେଣ କିସ କାର୍ଯ୍ୟ

ଉପାୟେ ଯୁଝେଷ୍ଠିଂକର ହରିବୁ ଆମ୍ଭେ ରାଜ୍ୟ |୩୦୯|

ଉପାୟେ ଯାହା କରି ତାହା ନୁଆରି ପରାକ୍ରମେ

ସିଂଘକଇଂ ଶ୍ରିକାଳ ଜିଣିଲା କୂଟକର୍ମେ |୩୧୦|

ସିଂଘ ଶ୍ରିକାଳ ବ୍ୟାଘ୍ର ଯେ ନେଉଳ

ୟେ ଚାରିହେଂ ମଇତ୍ର ଥାଆନ୍ତି ୟେକମେଳ |୩୧୧|

ବନସ୍ତେ ବୁଲନ୍ତି ହୋଇଣ ମହାଗୋଷ୍ଠି

ଚାରିହେଂ ହୋଇ ମାଇଲେ ୟେକ ମୃଗଗୋଟି |୩୧୨|

ଶ୍ରିକାଳ ବୋଇଲା ଅନ୍ୟାଚାର ନ କରିବା

ଶଉଚବନ୍ତ ହୋଇ ମିଗ୍ର ମାୟେଂସ ଭକ୍ଷିବା |୩୧୩|

ଶ୍ରିକାଳ ବୋଇଲା ମୁହିଂ ଥାଇ ୟେଥେ ରଖି

ସ୍ରାହାନ କରିଆସ ମୋହୋର ତହିଂକି |୩୧୪|

ସିଂଘ ବ୍ୟାଘ୍ର ଆବର ନେଉଳ ତିନିଜୀବେ

ସ୍ରାହାନ ତରିତେ ସେ ଗଲେ ଜଳଠାବେ |୩୧୫|

ୟେମନ୍ତେ ତିନି ମଇତ୍ରି ଗଲେ ସ୍ରାହାନ କରି

ଶ୍ରିକାଳ ରହିଲା ସେ ମାୟେଂସକୁ ଆବୋରି |୩୧୬|

ସ୍ରାହାନ କରି ସିଂଘ ବେଗେଣ ଆଇଲା

ପଚାରଇ କେଶରୀ ବ୍ୟାଘ୍ର କେଣେ ଗଲା |୩୧୭|

କରପତ୍ର ଯୋଡିଣ ଯେ ବୋଇଲା ଶ୍ରିକାଳ

ତୋହୋର ତହୁଂ ବ୍ୟାଘ୍ର ଯେ ଅଇଲା ଦଣ୍ଡେ ବେଳ |୩୧୮|

ଆଗେ ବଳେ ମାଂସ ଭକ୍ଷି ଗଲା ମହାବଳ |୩୧୯|

ସିଂଘ ବୋଇଲେ ୟେ ମାଂସ ହୋଇଲା ଉଦ୍ଦିଷ୍ଟ

ଆଗ ବ୍ୟାଘ୍ର ଗ୍ରାସକଲା ୟେ ମାଂସ ଗଲା ନଷ୍ଟ |୩୨୦|

ଉତ୍ତିଷ୍ଟ ବୋଲିକରି ସେ ଯେ ମାଂସ ଗଲା ତେଜି

ବନସ୍ତେ ପଶିଲା ସେ ଆନ ମାୟେଂସ ଖୋଜି |୩୨୧|

ସିଂଘ ବୋଇଲା ୟେ ବ୍ୟାଘ୍ରର ଉତ୍ତିଷ୍ଟ ହୋଇଲା

ମୁହିଂ ବନପତି ମୋତେ ୟେ ଯୋଗ୍ୟ ନୋହିଲା |୩୨୨|

ସିଂଘହିଂ ଛାଡ଼ିଗଲା ସେ ମୃଗର ସାୟେଂସ

ବ୍ୟାଘ୍ର ଆସି ମିଳିଲା ଜମ୍ଵୁକର ପାଶ |୩୨୩|

ସିଂଘ ତ ନଇଲା ବୋଲି ବ୍ୟାଘ୍ର ଯେ ପଚାରି

ଜମ୍ଵୁକ ବୋଇଲା ତହିଂ କରପତ୍ର ଯୋଡ଼ି |୩୨୪|

ଆହୋ ସିଂଘ ବୋଇଲା ୟେହା ବ୍ୟାଘ୍ର ଶ୍ରିକାଳ ଧଇଲେ

ୟେ ମାୟେଂସ ଆଉ ମୋତେ ନ ଯୋଗାଇ ଭଲେ |୩୨୫|

ଉପେକ୍ଷିଣ ଗଲା ସିଂଘ ହୋଇଣ ବଡ଼ ରାଗ

ସିଂଘ ରୁଷିଗଲା ବୋଲି ଯେ ତ୍ରାସକଲା ବ୍ୟାଘ୍ର |୩୨୬|

ସିଂଘର ତରେ ଯେ ବ୍ୟାଘ୍ର ଗଲା ଛାଡ଼ି

ଅପାର ଦୂରକୁ ବୋଲି ଗଲା ଅପସରି |୩୨୭|

ନେଉଳ ଆସି ହୋଇଲା ସବୁଂକରି ପଛେ

ତାହାର ଉପରକୁ ଜମ୍ଵୁକ ଧାଇଂଲା କୋପମୁଖେ |୩୨୮|

ଶ୍ରିକାଳ ମୃତ୍ତି ଦେଖି ନେଉଳ ପଳାଇଲା

ୟେକାୟେ ଜମ୍ଵୁକ ସବୁ ମୃଗ ମାଂସ ଭକ୍ଷିଲା |୩୨୯|

ଦ୍ରିଯୋଧନ ବୋଇଲା ତାତ ଶୁଣିମା ମହାରାୟେ

ପ୍ରାକ୍ରମହିଂ ତାତ ବଡ଼ ଯେ ଅଟଇ ଉପାୟେ |୩୩୦|

ଧୃତିରାଷ୍ଟ ବୋଇଲା ମୁଂ ଜାଣଇ କିରେ ବାବୁ

ଉପାୟମାନ ତୁମ୍ଭର ମୁଂ ଜାଣିଅଛି ସବୁ |୩୩୧|

ପୂର୍ବେ ଯେ ଉପାୟ ତୁ କଲୁ ଦ୍ରିଯୋଧନ

ବିଶ୍ଵାସୀ ବିଷଲଡ଼ୁ ଖୁଆଇଲୁ ଭୀମସେନ |୩୩୨|

ବିଷ ଲହରି ତାକୁ ଘାରିଲା ଯେତେବେଳେ

ନାଗୁଣୀ ଖାଉ ବୋଲି ମେଲିଲ ତାକୁ ଜଳେ |୩୩୩|

ପୁଣ୍ୟେଣ ନାଗବଳ ଜିଣିଲା ମହାବଳୀ

ନାଗେଣୀ କନ୍ୟା ପ୍ରଦାନ ହୋଇଲା ବେଲାବାଳୀ |୩୩୪|

ନାଗେଣୀର ମେଳେ କ୍ରୀଡ଼ା ରସରଂଗ ନିତ୍ୟେ

ବଳୀବେଲାଳ ବୋଲି ତାହାର ଉପୁଜିଲେ ପୁତ୍ରେ |୩୩୫|

ସେହି ଉପାୟମାନ କହିଥିଲା ଶକୁନି

ଆବର ଭୀମସେନ ଅଇଲା ଅନେକ ରତ୍ନ ଘେନି |୩୩୬|

ଦ୍ରିଯୋଧନ ବୋଇଲା ତାତ ଶୁଣ ପୂର୍ବର ଚରିତ

ଶଶାର ବୁଦ୍ଧିବଳେ ସିଂଘ ହୋଇଲାକ ହତ |୩୩୭|

ଭୋ ତାତ ବନସ୍ତର ପତି ଯେ ଅଟଇ କେଶରୀ

ବନେଣ ପଶି ସେ ଅନେକ ଜନ୍ତୁ ନାଶ କରି |୩୩୮|

ବଦନ୍ତି ଜୀବମାନେ ତୁମ୍ଭେ ଶୁଣ ହୋ ବନସ୍ତପତି

ରାଜା ହୋଇ ସ୍ଵାମୀ ତୁ କରୁଛୁ ଅନୀତି |୩୩୯|

ଯାହାକୁ ପାଉ ଅନିର୍ଯାପେ ମାରି ଖାଉ

ପଳାଇଲା ଜୀବଜନ୍ତୁ କତିକି ନ ଯାଉ |୩୪୦|

ୟେବେ ଥାଉ ସ୍ଵାମୀ ତୁ ଆମ୍ଭନ୍ତ ବନେ ପ୍ରତିପାଳି

ଜୀବକେ ତୋତେ ଆମ୍ଭେ କରିଥିବୁଂ ଦିନେ ଦିନେ ପାଳି |୩୪୧|

ୟେହି କଣୟ ଗିରି ଶିଖରେ ତୁ ବିଜେ କରିଥିବୁ

ଯାହାର ପାଳି ପଡ଼ିବ ଜଣକେ ତୋତେ ଦେବୁ |୩୪୨|

ସିଂଘ ବୋଇଲା ମୋତେ ଯେ ୟେହି ସେ ଭଲଇ

ନିତିଦିନ ଲୋଡ଼ିଯାଇଂ ମୋତେ ବଡ଼ କଷ୍ଟଇ |୩୪୩|

ନିତି ଜୀବକେ ଦିଅନ୍ତି ଯାହାର ପଡ଼ଇ ପାଳି

ସୁଖେଣ ମୃଣୋହିଂ କରଇ ସିଂଘ ମନର ହିଆଳି |୩୪୪|

ଆହୋ ଚଇତନ ଶଶାର ବଂଶ ଯେ ସମସ୍ତ ଗଲା ତୁଟି

କେବଳ ମାତ୍ର ରହିଅଛି ବୃଦ୍ଧ ଶଶାଗୋଟି |୩୪୫|

ଭାଳଇ ବୃଦ୍ଧ ଶଶା ଯେ ବଇକୁଲ୍ୟ ହୋଇ

ସିଂଘର ତହିଂକି ତାହାର ଯାଇଡ଼େ ମନ ନାହିଂ |୩୪୬|

ପୁଣି ବିଚାରଇ ସତେ ଅଚଇ ବନପତି

ତାହାର କୋପକଲେ କେ ବନସ୍ତେ ଥିବ ବ୍ରତି |୩୪୭|

ହୋ ଦଇବ ପୁରୁଷେ ମୋତେ ହୋଇବା ସଂପକ୍ଷ

ମୁଂ ତୋହୋରେ ଶରଣ ହୋ ବଂଶ ମୋର ରଖ |୩୪୮|

ମନେ ଭ୍ରାନ୍ତି କରି ଚଳଇ ବୃଦ୍ଧ ଶଶା

କ୍ଷୁଧାୟେଣ ବନପତିର ହାଦେ ବଳିଛି ମନୀଷା |୩୪୯|

ବେଳ ଉଛୁରେ ବୃଦ୍ଧ ଶଶା ମିଳିଲା ସନ୍ନିଧ୍ୟେ

ଦେଖି ବନପତି ଯେ ବୋଇଲା ମହାକ୍ରୋଧେ |୩୫୦|

ଆରେ କ୍ଷୁଧାୟେଣ ଆଇତ ଯେ ମୋହୋର ମନୀଷା

ତୁ କିପେଂ ୟେଡ଼େ ଉଛର କଲୁରେ ବୃଦ୍ଧ ଶଶା |୩୫୧|

କପଟେ କହଇ ସେ ବନଚର ଜୀବ

ବାଟେ ସଂକଟ ମୋତେ ପଡ଼ିଲାକ ଦେବ |୩୫୨|

ଆରେକ ସିଂଘ ମୋତେ ଦେଖିଲା ଆସନ୍ତେ

ବଳାତ୍‌କାରେ ବାଟେ ଦେବ ଭକ୍ଷୁଥିଲା ମୋତେ |୩୫୩|

ମୁହିଂ ତାହାକଇଂ ଦେବ ହୋଇଲି ବିଶ୍ଵାସି

ତୋତେ କହିଯିବା ପାଇଂ ମୁହିଂ ଅଛି ଆସି |୩୫୪|

ସିଂଘ ବୋଇଲା ମୁଂ ୟେ ବନେ ଅଟଇ ୟେକାଙ୍ଗେ

ତୁରେ ବୃଦ୍ଧ ଶଶା କାହିଂ ଦେଖିଲୁ ଆରକେ ସିଂଘେ |୩୫୫|

ୟେହିକ୍ଷଣି ବିକୋଡ଼ି ଯେ ମୋଡ଼ଇ ତାର ଶିଖା

କେବଣ ସ୍ଥାନେ ଅଛି ରେ ମୋତେ ବହନ କରି ଦେଖା |୩୫୬|

କୂଟ କପଟେଣ ଶଶା ନେଲା ସିଂଘକଇଂ କଢ଼ାଇ

ମହା ଗହନ ବନେ ଲାଇଲା ତାକୁ ନେଇ |୩୫୭|

ଅଗାଦ ବାମ୍ଫୀ ଗୋଟିୟେ ନେଇ ସିଂଘକୁ ଦେଖାଇଲା

ସ୍ଵାମୀ ତୋହୋର ଭୟେଣ ସିଂଘ ଆସି ୟେଥି ଭିତରେ ପଶିଲା |୩୫୮|

ଉପାୟେଣ ବୃଦ୍ଧ ଶଶା ପାଡ଼ିଲା ୟେକ କୂଟ

କୂପକୁ ଚାହିଂ ସିଂଘ ଅଧର କଲା ପୁଷ୍ଟ |୩୫୯|

ଗର୍ଜିଣ ସିଂଘ ଯେ ବିକ୍ରମିଣ ଚାହିଂ

ଜଳେଣ ଦେଖିଲା ସେ ଆପଣାର ଛାଇ |୩୬୦|

ତାହାର ତେଜ ବିକାଶିଲା ସେହି ସରୂପ ମୃତ୍ତି

ବୋଇଲା ଯଥାର୍ଥ ୟେ ଅଟଇ ବନପତି |୩୬୧|

ବୃଦ୍ଧ ଶଶାର ବଚନ ମୁଂ ଯେ କରୁଥିଲି ମିଛ

ସଂଚୟେ ବନପତି ମୋତେ କରିଥିଲା କଇଚ୍ଛା |୩୬୨|

ମୁହିଂ ଯେବେ ନିବାରି ନୁଆରିବି ୟେହା

କେସନେକ ହୋଇବି ଆବର ବନନାହା |୩୬୩|

ୟେହିକ୍ଷଣି ୟେହାକୁ ବିଦାରିଣ ପକାଇବି ମାରି

ମୋହୋର ଛାମୁରେ ୟେଡ଼େ ପ୍ରତଗ୍ୟାଂ ୟେହାରି |୩୬୪|

ରେ ରେ କାର କରିଣ ଯେ ସିଂଘ ହାକଦିଲା

କୂପର ଭିତରେ ତହିଂ ଶବଦେକ ଶୁଭିଲା |୩୬୫|

ଶୁଣ ହୋ ତାତ ସିଂଘର ଅପଣ୍ଡିତ ପଣ ଦର୍ପେ

ରେ ରେ କାର କରି ସିଂଘ ଡ଼େଇଂ ପଡ଼ିଲା ସେହି କୂପେ |୩୬୬|

ସେ କୂପର ଗଭୀର ତାତ ୟେକବିଂଶ ତାଳ

ଠାବକେ ବୁଡ଼ିଲା ସିଂଘ ନ ପାଇଲା ଥଳ |୩୬୭|

ଭୋ ତାତ ଶଶାର ବଂଶ ବୁଡ଼ିବା ନିମନ୍ତେ

ବନଜୀବ ମାତ୍ରକ ହୋଇ କଲାକ ୟେଡ଼େକ କୃତ୍ୟେ |୩୬୮|

ଶଶାର ବୁଦ୍ଧବଳେ ସିଂଘ ନାଶଗଲା

ଉପାୟେ କରି ସିନା ତାତ ୟେସନ କୃତ୍ୟ କଲା |୩୬୯|

ଉପାୟେ ଯାହା କରି ତାହା ପ୍ରାକର୍ମେ ନୁଆରି

ଶଶାର ବୁଦ୍ଧି ବଳେ ନାଶଗଲାଟି କେଶରୀ |୩୭୦|

ପାଣ୍ଡବେ ହୋଇଲେ ତାତ ମୋତେ ସିଂଘର ସଂଜାତ

ଆମ୍ଭେ ସେ ହୋଇଲୁ ତାତ ଶଶା ବୁଦ୍ଧିମତ |୩୭୧|

ଅନୁଗ୍ରହ କରି ଆଗ୍ୟାଂ ଦେବାକୁ କୁରୁରାଜ

ଉପାୟେ କରି ଯୁଝେଷ୍ଠିକ ଘେନି ମୁଂ ଆମ୍ଭେ ରାଜ୍ୟ |୩୭୨|

କପଟ କୂଟ କଥା ଯହୁଂ କହିଲେ ଦ୍ରିଯୋଧନ ଶକୁନି

ଜାଣି ନୁଆରି ଧୃତିରାଷ୍ଟ ହୋଇଲାକ ତୂନୀ |୩୭୩|

ତୋହୋର ବିଚାରେ ଯେ ଯୋଗାଇ କୁରୁପତି

ଶକୁନିର ଉପାୟେ ନ ପୁଣ ବଂଶକୁ ଦେଇ ଶାସ୍ତି |୩୭୪|

କୂଟ କପଟ ମନ୍ତ୍ରୀ ୟେ ଅଟଇ ବଡ଼ ଦୁଷ୍ଟ

ଅପଣ୍ଡିତ ମୂର୍ଖ ୟେ ପାମର ପାପିଷ୍ଠ |୩୭୫|

ଶକୁନିର ବଂଶ ତୁ ନାଶ କଲୁ ପଥର ଘରେ ଭରି

ନ ପୁଣ ତୋହୋର ବଂଶ ନାଶ କରଇ ଉପାୟେଣ କରି |୩୭୬|

ୟେହାର ଉପାୟେ ନପୁଣ ହୋଅଇ ତୋହୋର ଉପରେ

ପାଣ୍ଡଂବକ କୋପେ ନପୁଣ ନାଶ ଯାଇ କୁରୁବୀରେ |୩୭୭|

ଦ୍ରିଯୋଧନ ବୋଇଲା ତାତ ତୁମ୍ଭେ ନ ଜାଣ କିଛି ବୁଦ୍ଧି

ଶକୁନି ପ୍ରସାଦେ ମୋର ସକଳ ସମ୍ପ୍ରଧି |୩୭୮|

ନଶନ୍ତ କାଳକୁ ପ୍ରାଣୀଂକର ବଢ଼ଇ ଯେହ୍ନେ ରୋଗ

ଅପଣ୍ଡିତ ଜନେ ତହିଂକି ନଜାଣି କରନ୍ତି ଶୋଗ |୩୭୯|

ଧୃତିରାଷ୍ଟକଇଂ ବଞ୍ଚାଇ ଯେ ଚଳନ୍ତି କଉରୋବେ

ଇନ୍ଦ୍ର ପ୍ରଶସ୍ତ ରାଜ୍ୟେ ଯାଇଂ ବିଜୟେ ସମ୍ଭର୍ବେ |୩୮୦|

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ଯେ ଶକୁନି

ଅଶସ୍ତମା କୃପ ଆଚାର୍ଯ୍ୟ ଶଲ୍ୟ ସୋମଦତ୍ତ ଘେନି |୩୮୧|

ସଭାୟେ ବିଜେକଲେ ସକଳ ଅମାନାତ୍ୟେ

ଯେ ଯାହାର ପ୍ରତଗ୍ୟାଂ ସେ କରନ୍ତି ଅନମିତେ |୩୮୨|

ୟେକ ଆରକେ ଯେ କହନ୍ତି ଦର୍ପ କଥା

କଉରୋବଂକ ଛାମୁରେ କି ପାଣ୍ଡବ ବଳବନ୍ତା |୩୮୩|

ୟେସନେକ ବିଚାରନ୍ତି ଗଲା ମାସ ବେନି

ନିତି ପ୍ରତି ଦ୍ରିଯୋଧନ ବିଚାରଇ ଶକୁନିକି ଘେନି |୩୮୪|

ନମାମି ନାରାୟଣ ସ୍ଵାମୀ ଲକ୍ଷ୍ମୀ ଦେବୀର ପତି

ମାୟା ମୋହରୁ ମୋତେ ପାରିକରି ଦେବ ଶିରୀପତି |୩୮୫|

ଶ୍ରୀ ତୁଳୁସାର ବଲ୍ଲଭ ଚରଣେ ଦୟିନୀ

ଶ୍ରୀ ସାରୋଳାଂକ ପ୍ରସନ୍ନେ ବଦନ୍ତି ସାରୋଳା ଦାସ ଶୂଦ୍ରମୂନି |୩୮୬|୧୨୫୯୦|

 

Unknown

ଅର୍ଜୁନ ବୃକ୍ଷର ଉତ୍ପତ୍ତି ଓ ଇନ୍ଦ୍ରପ୍ରସ୍ଥରେ ସବ୍ୟସାଚୀଙ୍କର ଉପସ୍ଥିତି

ଆହୋ ଚଇତନ ପୁଚ୍ଛାକଲା ଯେ ମନୁ ପୁରୁଷଂକୁ

ଅର୍ଜୁନ ବୀର ଗଲା ଯେ ପାତାଳ ପୁରକୁ |୧|

ନାଗେଣୀର ମେଳେ ସେ ଯେ ନିଚିନ୍ତେ ରହିଲା

ହସ୍ତିନା ସଭାକୁ ସେ କି ନିମନ୍ତେ ନଇଲା |୨|

ମନୁ ବଦନ୍ତି ଆହୋ ଶୁଣ ଚଇତନ

ସନ୍ଧ୍ୟାବାଳୀକି ପ୍ରଦାନ ଯେ ହୋଇଲା ଅର୍ଜୁନ |୩|

ନାଗେଣୀର ତୁଲେ କ୍ରୀଡ଼ା ରଙ୍ଗରସ ଚିତ୍ତେ

ପାତାଳ ସ୍ଵର୍ଗେ ରହିଲା ସେ ତିନିମାସ ପରିଯନ୍ତେ |୪|

ଯୁଝେଷ୍ଠି ଦେବ ପୁଚ୍ଛା କଲେ ଶୁଣିମା ନାରାୟଣ

ଅର୍ଜୁନର ଚରିତ ୟେ କେବଣ କାରଣ |୫|

ଧନୁହୁଳେ ପାଥ ଯେ ଧଇଲା ବସୁମତୀ

କି ଅବା ପଡ଼ିଲା ମାଡ଼ି ତାହାର ଉପରେଣ ପୃଥୀ |୬|

କୁଶଳେ ଥିଲା କି ରହନ୍ତା ମୋର ପାଥ

କ୍ଷଣକେ ନ ଦେଖିଲେ ସେ ମୃଚ୍ଛି ନୁଆରଇ ଆମ୍ଭନ୍ତ |୭|

ଯୁଝେଷ୍ଠିଂକ ବଚନେ ଦେବ ଜନାର୍ଦ୍ଦନ

ଗୋବିନ୍ଦେ ଚାହିଂଲେ ସହଦେବର ବଦନ |୮|

ଆହୋ ସହଦେବ ଅର୍ଜୁନ କଥା ତୁ କେମନ୍ତ ବିଚାରୁ

କହୁ କିନା ମନ୍ତ୍ରୀବର କିମ୍ପାଇଂ ଗୋପ୍ୟ କରୁ |୯|

କରପତ୍ର ଯୋଡ଼ିଣ ଯେ କହଇ ସହଦେବ

ଶୁଣ ଦେବ ସାବଧାନେ ମୁକୁନ୍ଦ ମାଧବ |୧୦|

ସ୍ଵାମୀ ଯେତେବେଳେ ବାସୁକୀ ଅଇଲା ମହାସଭା

ଧନୁହୁଳେ ପାଥ ମେଦିନୀ ଧରି ହୋଇଲେକ ଉଭା |୧୧|

ଅବହେଳେ ମେଦିନୀ ଧରି ପାଥ ଧନୁହୁଳେ

ନାଗରାଜା ଦୋହିତ ସମର୍ପିଲା ଆସିବାର ବେଳେ |୧୨|

ଅର୍ଜୁନ ସ୍ଵାମୀଂକି ସେ ନାଗୁଣୀ ଥିଲା ଖଟି

ଯାଗ ସାରି ଅନନ୍ତ ନାଗ ୟେଥୁଂ ଗଲେକ ଲେଉଟି |୧୩|

ବାହୁଡ଼ି ଅନନ୍ତ ସମ୍ଭାଳିଲେ ବସୁନ୍ଧରା

ସନ୍ଧ୍ୟାବାଳୀକି ପ୍ରଦାନ କଲା ଯେ ନାଗ ବୀରା |୧୪|

ବଡ଼ାଇ ସୁନ୍ଦର ସେ ଅନନ୍ତ ନାଗର ଦୁଲଣୀ

ମୋହବଶେ ପଡ଼ିଲେ ତହିଂ ବୀର ଫାଲଗୁନି |୧୫|

ସ୍ଵାମୀ ରହିଛନ୍ତି ଅର୍ଜୁନ ଠାକୁର ନାଗେଣୀର ମେଳେ

ବହୁତ ଭଗତି ସେ ହୋଅଛନ୍ତି ନାଗବଳେ |୧୬|

ଯୁଝେଷ୍ଠି ଠାକୁରେ ସେ ରହିଲା ପାତାଳ ସ୍ଵର୍ଗେ

ମୋହୋରେଣ ବିବାଦୀ ୟେଣେ ହୋଉଛନ୍ତି କଉରବେ |୧୭|

ଅର୍ଜୁନକୁ ଧ୍ୟାୟେ କରି ସୁମରି ଦେବ ହରି

ବହନ ଆସୁ ପାଥ ଚିନ୍ତ ଶୀଘ୍ରକରି |୧୮|

ଯୁଝେଷେଠିଂକ ବଚନ ଦେବ ଶିରୀପତି

ଅର୍ଜୁନକଇଂ ସୁମରଣା କଲେ ତତକ୍ଷଣାନ୍ତି |୧୯|

ନାଗେଣୀକି କୋଳେ ବସାଇ ଯେ ଅର୍ଜୁନ

କ୍ରୀଡ଼ାରଙ୍ଗ କୁତୂହୋଳେ ପୀଡ଼ିତ ମଦନ |୨୦|

ୟେମନ୍ତର ସମୟେ କମ୍ପିଲା ଆସନ

ହୃଦଗତେ ଧ୍ୟାୟେ କରି ଜାଣିଲା ମୋତେ ସୁମରନ୍ତି ଭଗବାନ |୨୧|

ଧାତିକାରେ ଅର୍ଜୁନ ନାଗେଣୀକି କଲା ତେଜ୍ୟା

ଦେଖିଣ ଆଶ୍ରିକ ନାଗରାଜାର ଆତ୍ମଜା |୨୨|

ଉଠିଣ କୋଳ କଲା ସେ ନାଗରାଜାର ଦୁଲାଳୀ

ଭୋ ନାଥ ପ୍ରକୃତି ତୋର ଦେଖିଲି ବିଭାଳି |୨୩|

କଷ୍ଠୋରେ ପଚାରଇ ସେ ସ୍ତିରୀ ମହାକଇଚ୍ଛା

ୟେଡ଼େକ ପିରତୀ ନାଥ କେହ୍ନେ କରୁଛୁ ଉପେକ୍ଷା |୨୪|

ଅର୍ଜୁନ ବୋଇଲା ତୁ ଶୁଣସିରେ ସନ୍ଧ୍ୟାବାଳୀ

ମୋହୋର ଠାକୁର ଯେ ଅଟନ୍ତି ଦେବ ବନମାଳୀ |୨୫|

ସୋ ମୋତେ ଚିନ୍ତିଲେ ଗୋ ହୃଦେ କରିଣ ତଲୟେ

ମୁହିଂ ହସ୍ତିନାକୁ ଯିବି ବୋଲି ବୋଇଲା ଧନୁର୍ଜୟେ |୨୬|

ତୁ ୟେବେ ସୁନ୍ଦରୀ ଗୋ ନିଚିନ୍ତେ ଥାଆସି ୟେଥେ

ପୁଣି ସମୟେକେ ଆସିବି ବୋଲି ବୋଲଇ ବୀରପାଥେ |୨୭|

ନାଗେଣୀ ବୋଇଲା ତୁ ମୋହୋର ପଞ୍ଚଭୂତ ଆତ୍ମା

ଅଦଭୂତେ ପ୍ରାପତ ମୋତେ ହୋଇଲୁ ମହାତ୍ମା |୨୮|

ମୁଂ ତୋହୋର ଭାବେନୀ ଶୃଙ୍ଗାର ରସେ ବୁଡ଼ି

ତୁ ପ୍ରାଣବନ୍ଦୁ ମୋତେ କେମନ୍ତ ଯିବୁ ଛାଡ଼ି |୨୯|

ୟେଡ଼େ ବଡ଼ ମୁହାଂସ ନାଥ ଛାଡ଼ିବୁ କେମନ୍ତେ

ମୁକୁହିଂ ଛାଡ଼ି ଯିବାକୁ ଚିତ୍ତ ବଳିବ କେମନ୍ତେ |୩୦|

ପୁଣି ବୋଇଲା ପୁରୁଷେ ସେ ବଡ଼ାଇ ନିର୍ଦ୍ଦୟା

ଭାବ ଦେଖାଇ ଭଣ୍ଡାଅ ସମସ୍ତ ତୁମର ଯେ ମାୟା |୩୧|

ଶୁକପକ୍ଷୀ ପ୍ରାୟକେଟି ତୁମ୍ଭର ପ୍ରକୃତି

ସୁବର୍ଣ୍ଣ ପଞ୍ଜରୀରେ ପଞ୍ଚାମୃତ ଦେଇ ନିତି |୩୨|

ସବ୍ୟେ ଅସବ୍ୟେ ସେ ପଞ୍ଜରୀରୁ ଫିଟିଲେ

ସଦିଭାବ ଅଛିଟିକି ସେ ଶୁଆ ଡ଼ାଳରେ ବସିଲେ |୩୩|

ପୋଡ଼ୁ ପୋଡ଼ୁ ସ୍ଵାମୀ ୟେ ସ୍ତିରୀ ଜନ୍ମ ଗୋଟି

ପରେଣ ଦୂଷିତ ୟେ ନିର୍ଲଜ ଜୀବନ ହେଟି |୩୪|

ଅନେକ ବିନୟ ଭାବେ କରି ଅବା ସେବା

କାଳେ ଆପଣାର ସେ ନୁହଂନ୍ତିଟିରେ ବାବା |୩୫|

ୟେସନେକ ବୃତ୍ତନ୍ତା ସ୍ଵାମୀ ଜାଣିଲଇଂ ୟେବେ

ନିର୍ଲଜ ଆତ୍ମା କିମ୍ପେ ଥିବ ତୋହୋର ଅଭାବେ |୩୬|

ସ୍ଵାମୀ ପିଅର ମୋହୋର ଅଟଇ ମହାନାଗ ଅନନ୍ତ

ପ୍ରତକ୍ଷେ ମହିମା ତୋହୋର ଦେଖିଲି ମହତ |୩୭|

ପୋଡ଼ୁ ପୋଡ଼ୁ ନାଥ ୟେ ମୋହୋର ହୀନକର୍ମ

କେଉଂଣ ପାପକ୍ଷଣେ ହୋଇଲି ମୁହିଂ ଜନ୍ମ |୩୮|

କି ଅବା ତୋତେ ମୁହିଂ ହୋଇଲି ଅଭଗତ

ତେଣୁକରି ଉପେକ୍ଷା ମୋତେ କରୁ ପ୍ରାଣନାଥ |୩୯|

ୟେସନେକ ବୋଲି ସେ ଅର୍ଜୁନ ଧଇଲା କୋଳକରି

ମୁଖେ ଚୁମ୍ଵନ ଦେଇଣ ଆକ୍ରେଷିଣ ଭିଡ଼ି |୪୦|

ଭୋ ସ୍ଵାମୀ ଅମୃତ ସମାନ ଯେ ଅଟଇ ମୁଖଗୋଟି

କେମନ୍ତେ ମୂରୁଛିବି ମୁଂ ରାଢ଼େଣୀ ପାପିଷ୍ଠୀ |୪୧|

ମୁହିଂ ସେ ଅଗ୍ୟାନେ ଥିଲି ୟେବେ ହୋଇଲି ନବଯୁବା

ଗ୍ୟାନ କରାଇ କେମନ୍ତେ ଛାଡ଼ି ଲୋଡ଼ୁ ଅବା |୪୨|

ବସ୍ର ଅସମ୍ଭାଳ ଯେ ଆଉଳ ତାର କେଶ

ନୀଳେନ୍ଦୀ ଦଳ ଲୋଚନ ଲୋୟେଣ ଅଦୃଶ୍ୟ |୪୩|

ଅର୍ଜୁନର ହୃଦେ ନେଇ ଲଗାଇଲା କୁଚ ବେନି

ପ୍ରେମ କଉତୁକେ ସେ ଭାବଇ କାମେନୀ |୪୪|

ୟେ ତୋହୋର ବଚନ ଅମୃତ ରସ ଗୋଟି

ମୁଂ ପାମରୀ କେମନ୍ତେ ମୃଚ୍ଛିବି ହୋ କିରୀଟୀ |୪୫|

କ୍ରୋଧେ ଗୁରୁତର ଯେ ନୁଆସଇ ବାଣୀ

ଅଧର କମ୍ପାଇ କରି ବୋଲଇ ତରୁଣୀ |୪୬|

କ୍ରୋଧଭର ହୋଇ ଯେ ବୋଲଇ ନାଗବାଳୀ

ଦହନ ହୋଇବି ଅର୍ଜୁନ ଅଗ୍ନି ଦେ ସଂଜାଳି |୪୭|

ତୋହୋର ଆଭାବେ ମୋହୋର କିସ ଯେ ଜୀବତି

ସଞ୍ଚୟେ ଅର୍ଜୁନ ହୋ ଘେନିଲୁ ସ୍ତିରୀହତ୍ୟା ଦୋଷଗୋଟି |୪୮|

ମୁଖେ ମୁଖେ ଲଗାଇ ସେ କରଇ ବିଳାପ

କ୍ଷଣକେ ସାଷ୍ଟାମ ହୋଇ କହଇ ସରୂପ |୪୯|

ଅର୍ଜୁନ ବୋଇଲା ତୁରେ ରହ ରହ ସଖୀ

ଅକାରଣେ ବିଳାପ ରେ ନ କର ଶଶୀମୁଖୀ |୫୦|

ସମ୍ପୂର୍ଣ୍ଣ ଚନ୍ଦ୍ରବଦନ ଯେସନେ ବିକାଶି

ଲୋୟେଣ ଲୋଚନ ତୋର ତେସନେକ ଦିଶି |୫୧|

ଝୁରି ଝୁରି ଶରୀର ତୋର ନ କର ବିରସ

ମୁଂ ୟେଥେ ରହି ନୁଆରଇ ଯିବଇ ଅବଶ୍ୟ |୫୨|

ଶ୍ରୀଜଗନ୍ନାଥଂକର ଭଗିନୀ ମୋହୋର ଭାରିଜା

ତୋହୋର ନିମନ୍ତେ ମୁଂ ତାହାକଇଂ ପରିତେଜ୍ୟା |୫୩|

ଦେଖିବଇଂ ମୋହୋର କୁଟୁମ୍ଵ ବନ୍ଧୁଜନ ବର୍ଗ

ପୁଣି ସମୟେକ ଆସଇ ସିନା ପାତାଳ ଯେ ସ୍ଵର୍ଗ |୫୪|

ନ ଭାଳ ଭାବିନୀ ଗୋ ନୁହସି ରେ ଗଞ୍ଜି

ଆପଣେ ଯାହା ଅର୍ଜି କର୍ମଣେ ତାହା ଭୁଞ୍ଜି |୫୫|

ଅଳପ ସମୟ ଗୋ ତୁ ଥାଅସି ମନ ମୃଚ୍ଛି

ନିଜ ଦେଶ ମଣ୍ଡଳକୁ ମୁଂ ବିଜେ କରୁଅଛି |୫୬|

ସନ୍ଧ୍ୟାବାଳୀ ବୋଇଲା ମୁଂ କି ତୋହୋର ବଇରି

ମହତ ଜନ ହୋଇ ନାଥ ୟେମନ୍ତେ ନ କରି |୫୭|

ଅର୍ଜୁନ କୋଷ୍ଠର ଦେଖିଣ ଚଳିଲା ନାଗୁଣୀ

ପିତାର ଆଗରେ ଯାଇଂ କହଇ ଶୋକବାଣୀ |୫୮|

ଭୋ ତାତ ନ ଜାଣି ମୋତେ କଲୁ ହେ ପ୍ରଦାନ

ୟେଡ଼େ ବଡ଼ ରାଜା ହୋଇ କଲୁ କୃତ୍ୟ ହୀନ |୫୯|

ମୋତେ ପ୍ରଦାନ କଲୁ ଜାତି ଅନ୍ତର ଲୋକକୁ

କାଳେଣ ତେଜ୍ୟାକରି ସେ ଯାଉଅଛି ମୁକୁ |୬୦|

ମଧ୍ୟପୁର ଯାଇତେ ଲୋଡ଼ଇ ତୋହୋର ଜୁଆଇଂ

ଅନେକ ବାଗେଣ ତାତ ତାକୁ କିହିଲି ବିନୋୟୀ |୬୧|

ଅନନ୍ତ ବୋଇଲା ମା ଗୋ ତାରେ କରାଇଲୁ ବିମୁଖ

ବୟସ ମତ୍ତଗର୍ବେ ଦିଲୁକି ତାକୁ ଦୁଖ |୬୨|

ଶଙ୍ଖପଦ୍ମ ମହାପଦ୍ମ ଶ୍ଵେତ କୁଳିକ ତକ୍ଷକ

ପୁତ୍ରନ୍ତ ହକାରି ଆଗ୍ୟାଂ ଦିଲାକ ପାତାଳ ନାୟକ |୬୩|

ୟେବେ ତୁମ୍ଭେ ଚଳ ବାଭିୟେ ଅର୍ଜୁନ ତହିଂକି

କିମର୍ଥେ ପାଥ ଦୁହିତାକୁ ମୋର କରାଇଲ ଦୁଖୀ |୬୪|

କେଉଣଂ ଅସମ୍ଭବ ହୋଇଲା ତାହାକୁ

କେଉଂଣ ଅର୍ଥେ ଯାଇ ଲୋଡ଼ଇ ସେ ମଧ୍ୟ ଭୁବନକୁ |୬୫|

ପିତାର ଆଗ୍ୟାଂୟେ ସେ ଚଳିଲେ ନାଗବୀରେ

କ୍ରୋଧରେ ସନ୍ଧ୍ୟାବାଳୀ ଗୋଡ଼ାଇ ପଛରେ |୬୬|

ଅର୍ଜୁନର ସନ୍ନିଧ୍ୟେ ଯେ ପ୍ରବେଶ ହୋଇଲେ ଯାଇ

ଅନକୂଳ କରିଅଛି ପାଥ ହସ୍ତିନାକୁ ଦୃଷ୍ଟିଦେଇ |୬୭|

ଅନେକ ରତ୍ନ ଯୋଗାଡ଼ ଘେନିଣ ସର୍ବନାଗ

ଅର୍ଜୁନ ଛାମୁରେ ନେଇ ଦିଲେକ ପାଦାଅର୍ଘ୍ୟ |୬୮|

ଅର୍ଜୁନ ବୋଇଲେ ଯେ ଅଷ୍ଟକୂଳା ନାଗଂକୁ

ମୁହିଂ ଯାଉଅଛି ୟେବେ ମଧ୍ୟ ଭୁବନକୁ |୬୯|

ବିନୟ ଭାବ ହୋଇ ଯେ ବୋଇଲା କୁଳିକ

ସ୍ଵାମୀ ପାତାଳ ଭୁବନେ ପାଇଲା କି ମହାଦୁଖ |୭୦|

କି ଅବା ଆମ୍ଭେ ତୋତେ କରି ନୁଆରିଲୁ ସେବା

ତେଣୁ କରି ଯାଇ ଲୋଡ଼ୁଅଛୁ ଅବା |୭୧|

କି ଅବା ଭଗ୍ନୀ ଆମ୍ଭର ତୋତେ ନୋହିଲା ଭଗତ

ତେଣୁକରି ଯିବାକୁ ହୋ ଲୋଡ଼ୁଅଛୁ ବୀରପାଥ |୭୨|

ଅର୍ଜୁନ ବୋଇଲା ଯେ ପରମ ଅପର୍ଣ୍ଣା

ମହା ମାହେଶ୍ଵରୀ ସେ ପୃଥିବୀକି ଧାରଣା |୭୩|

ଅନେକ ଭଗତେ ମୋତେ ହୋଇଲା ନାଗବଳେ

ଅନେକ ପୂଜା ମୁଂ ପାଇଲି ପାତାଳେ |୭୪|

ଆହୋ ପୃଥୀଭାରା ନାଶିହବା ନିମନ୍ତେ ଆମ୍ଭେ ବହୁତ ବିବାଦୀ

ସହୋଦ୍ର ଦ୍ରିଯୋଧନ ତୁଲେ ହୋଇଅଛୁ ଦ୍ଵନ୍ଦୀ |୭୫|

କେଉଂଣ ଅପାଦ ଯେ ପଡ଼ିଲା ଦ୍ଵାରିକାକୁ

ତେଣୁ କରି ଶ୍ରୀଜଗନ୍ନାଥେ ସୁମରଣା କଲେ ମୁକୁ |୭୬|

ଅନନ୍ତ ନାଗରାଜା ଛାମୁରେ ଯାଇଂ ପାଇ

ଅର୍ଜୁନ ବୋଇଲା ବାଭିୟେ ୟେବେ ମଞ୍ଚକୁ ଯିବି ମୁହିଂ |୭୭|

ଅନନ୍ତ ବୋଇଲା ସର୍ବସାଚୀ

କେଉଂଣ ଅଭଗତ ମୋର ଦୋହିତାକଇଂ ଲେଛି |୭୮|

ବାସୁକୀ ଅଗ୍ରତେ ଯେ କହିଲେ ବାସେବି

ବାସୁଦେବ ସୁମରନ୍ତେ ମୁହିଂ କେମନ୍ତେ ନ ଯିବି |୭୯|

କି ଅବା ଦଇତଦାନବଂକର ହୋଇଲା ଉତକର୍ମ

ତେଣୁ ଘନ ଘନ ସୁମରନ୍ତେ ମୋତେ ପୁରୁଷ ଉତ୍ତମ |୮୦|

ଅର୍ଜୁନ ବଚନ ଶୁଣି ବୋଇଲା ଅନନ୍ତ

କଟାଳ କରିବାକୁ ମୁଂ ତୋତେ ନୋହଇ ସାମରଥ |୮୧|

ଅନେକ ଦୁର୍ଦ୍ଦଣ୍ଡ ସଇନି ହୋଇଲେ ମହାଭାରା

ତୁହି ସେ ଉଶ୍ଵାସ କରିବୁ ନା ବସୁନ୍ଧରା |୮୨|

କୃଷ୍ଣ ଅର୍ଜୁନ ତୁମ୍ଭେ ୟେକ ଆତ୍ମା ବେନି

ନୋହିଲେ ଆନର ବଳେ କି ଧରି ହୋଅଇ ମେଦିନୀ |୮୩|

ଦୋହିତା ବିକଳେ ଅବା ରୁହାଇବି ତୁକୁ

କେ ସେନାପତି ହୋଇବ ମହାଭାରଥ ସମରକୁ |୮୪|

ଅର୍ଜୁନ ବୋଇଲା ତାତ ଆଗ୍ୟାଂ ଦେବା ମୋତେ

ସନ୍ଧ୍ୟାବାଳୀ କଥା ଦେବ ଲାଗଇଟି ତୋତେ |୮୫|

ୟେତେ କହି ପାଥ ଯେ ଚଳିଲା ବହନ

ସଙ୍ଗତେ ଗୋଡ଼ାଇଛନ୍ତି ଅଷ୍ଚକୁଳା ନାଗମାନ |୮୬|

ଭିତର ନବରେ ଯାଇଂ ପଶିଲା ସର୍ବସାଚୀ

ସନ୍ଧ୍ୟାବାଳୀ ସନ୍ନିଧ୍ୟେ ଯେ ଉଭା ହୋଇଅଛି |୮୭|

ଅର୍ଜୁନ ବୋଇଲା ତୁରେ କ୍ରୋଧ ଛାଡ଼ସି ସଙ୍ଗାତ

ହରଷ ହୋଇଣ ଅର୍ଘ୍ୟ ଦିଅସି ମୋର ମାଥ |୮୮|

ସନ୍ଧ୍ୟାବାଳୀ ସନ୍ନିଧ୍ୟେ ଯେ ଅର୍ଜୁନ ପ୍ରବୋଧି କହୁଅଛି

ସନ୍ତୋଷ ଚିତ୍ତେ କହ ମୁଂ ସଖୀ ଯାଉଅଛି |୮୯|

ସନ୍ଧ୍ୟାବାଳୀ ବୋଇଲା ନାଥ ନିରାଶ ନ କର ମୁକୁ

ତୋହୋର ତୁଲେ ନେମୁଂ ମୋତେ ମଧ୍ୟ ଭୁବନକୁ |୯୦|

ଅର୍ଜୁନ ବୋଇଲା ମୋର ଭାରିଜା ପାଞ୍ଚାଳୀ

ବଡ଼ାଇ ପ୍ରତାପୀ ସେ ଦ୍ରୋପଦ ଦୁଲାଳୀ |୯୧|

ସୋହୋଦ୍ରା ବୋଲିକରି ସେ ରାମକୃଷ୍ଣଂକ ଭୟେଣୀ

ମହାଦୃଷ୍ଟତ ସେହି ଅଟଇ ଅସହଣି |୯୨|

ତିରୀ ଡ଼ଂକୁଣୀତ ବଡ଼ାଇ ଜଞ୍ଜାଳୀ

ତିନିହେଂ ୟେକ ଠାବ ହୋଇଲେ ଅବଶ୍ୟ ଲଗାଇବେ କଳି |୯୩|

ତୁ ମହାଦୁଷ୍ଟ ତୋତେ ନେଇତ ନୁଆରି

ମୁହିଂ ପୁଣ ସମୟେକେ ଆସଇ କିନା ତୋହୋର ପୁରୀ |୯୪|

ଛାଡ଼ସି ଅଭିମାନ ଗୋ ସଖୀ ନ କରସି ଶୋକ

ପୁଣି ପୁଣି ସମାର୍ଜନା ଯେ କରନ୍ତି ନାଗଲୋକ |୯୫|

ନାଗେଣୀ ବୋଇଲା ସ୍ଵାମୀ ମୋର ଗର୍ଭ ବେନିମାସ

ତୋହୋର ଗଲେ ନ ପୁଣ ମୋତେ ଲାଗଇ ଉପହାସ |୯୬|

ଅର୍ଜୁନ ବୋଇଲେ ଯେବେ ତୋହୋର ପୁତ୍ର ହୋଇବ ଜନ୍ମ

ତୋହୋର ମୋହୋର ଦେବୁଟି ଦୁହିଂକର ନାମ |୯୭|

କରପତ୍ର ଯୋଡ଼ିଣ ଯେ ବୋଲଇ ହଂସ ଗବନୀ

ୟେ ମୋହୋର ନବଯୁବା ବୟସ କାହିଂ ସଂହରିବି ଦେବସ୍ଵାମୀ |୯୮|

ମୋହିନୀ ରୂପ ମୋହୋର ନବଯୁବା ବୟସ

କାହାର ତୁଲେ ସ୍ଵାମୀ ମୁଂ କରିବି ଅଭିଳାଷ |୯୯|

ୟେସନେକ ବଚନେ ଯେ ବାର ଫାଲଗୁନି

ନାଗେଣୀର କଥା ସେହି ମନେ ମନେ ଗୁଣି |୧୦୦|

ଯେତେବେଳେ ନାଗୁଣୀ କହିଲେ ୟେମନ୍ତ

ଶୁଣିକରି ଅର୍ଜୁନ ଯେ ହୋଇଲା ଉଷତ |୧୦୧|

ବାମକରେ ବାବଲ ଶର ଘେନି ବାର ଫାଲଗୁନି

ଦକ୍ଷିଣ ଭୁଜେ ଘାତ କଲାକ ଗାର ତିନି |୧୦୨|

ରୋଧିର ବୃଷ୍ଟିହୋଇ ପଡ଼ିଲା ପ୍ରତକ୍ଷେ

ତହୁଂ ଉତପତ୍ତି ହୋଇଲା ସୁସଞ୍ଚ କୋମଳ ବୃକ୍ଷେ |୧୦୩|

ଶୁଣସି ରେ ସନ୍ଧ୍ୟାବାଳୀ ବୋଲନ୍ତି ବିବତ୍ସ

ୟେ ସେ ସୁନ୍ଦରୀ ରେ ଅର୍ଜୁନ ନାମେ ବୃକ୍ଷ |୧୦୪|

ଯେତେବେଳେ ତୋହୋର ହୋଇବ ଶୃଙ୍ଗାରକଇଂ ଇଚ୍ଛା

ନାନା ବେଶ ବେଶନ ହୋଇ କରିବୁ ମନବାଞ୍ଛା |୧୦୫|

ମୋତେ ସୁମରିଣ ୟେହୁ ବୃକ୍ଷକ କୋଳ କଲେ

ଭାଜିବ କାମସ୍ରାଗ ୟେ ବୃକ୍ଷକୁ ଆକ୍ରେଷିଲେ |୧୦୬|

ୟେ ବୃକ୍ଷ ଶରୀର ଗୋ ଅଟଇ ମୋହୋର

ତୋର ମନୋରଥ ମୋର ସରୂପ ୟେ ବୃକ୍ଷ ବାହାର |୧୦୭|

ମୋ ତହୁଂ ଶତେଗୁଣେ ୟେ ବୃକ୍ଷକୁ ଥାଅ ସେବି

ୟେସନେକ ବାଣୀ ଯେ ବୋଇଲେ ବାସେବି |୧୦୮|

ସନ୍ଧ୍ୟାବାଳୀ ବୋଇଲା ଯେ ୟେ ବୃକ୍ଷ ପ୍ରମାଣ

ତୁମ୍ଭେ ଆଡ଼େ ହୋଅ ବୃକ୍ଷକୁ ମୁଂ କରେ ଆକ୍ରେଷଣ |୧୦୯|

ଦେଖିଲେ ପ୍ରତକ୍ଷେ ଯେ କରିବଇଂ ତୋତେ

ଶୁଣିଣ ଆଡ଼େ ହୋଇଲେ ପଣ୍ଡୁରାଜାଂକର ସୁତେ |୧୧୦|

ଦିବ୍ୟ ବେଶ ବେଶନ ହୋଇଣ ନାଗେଣୀ ସନ୍ଧ୍ୟାବାଳୀ

ବୃକ୍ଷକୁ କାନ ଅର୍ଥେଣ କୋଳକରି |୧୧୧|

ତତକ୍ଷଣେ ଦୁତୀୟ ପାପ ଶରୀର ସେ ଇନ୍ଦ୍ରର କୁମର

ସାକ୍ଷାତେ ସନ୍ଧ୍ୟାବାଳୀ ହୋଇଲା ବିହାର |୧୧୨|

ସନ୍ଧ୍ୟାବାଳୀ ସାକ୍ଷାତେ ରମଣ ତାହା କଲା

ୟେବେ ବିଡ଼ିବା ନାଥ ଆସ ବୋଲି ନାଗେଣୀ ବୋଇଲା |୧୧୩|

ପୁଣି ନାଗୁଣୀ ବୋଇଲା ମୋତେ କହିଲ ସନ୍ଦେଶ

ଆବର କଥାୟେ ସ୍ଵାମୀ ପଚାରଇ ମନ ପ୍ରାସ |୧୧୪|

ତୁମ୍ଭେ କ୍ଷତ୍ରିୟ ଅଟ ସ୍ଵଭାବେ ଦ୍ଵନ୍ଦକାରୀ

ଅନୁବ୍ରତେ ପ୍ରମାଦେ ତୁମ୍ଭେ ପଶ ଆଗସରି |୧୧୫|

ପାପ ପରମାଦ ହୋଇଲି ମୁଂ ଜାଣିମଇଂ କେମନ୍ତେ

ୟେଥିର ସନ୍ଦେଶ ସ୍ଵାମୀ କହିଣ ଥିବା ମୋତେ |୧୧୬|

ନାଗେଣୀ ବଚନେ ଯେ ଦ୍ରହସିତ ବୀର ପାଥେ

ବାଳୁକ ଭାବେ ପ୍ରାୟେ କହିଲୁ ରେ ସଂଘାତ |୧୧୭|

ଆମ୍ଭେ ସେ ପୃଥ୍ଵୀ ମଧ୍ୟେ ଅଟୁ ଜଗୁଜିତା

ଯମର କାଳଦଣ୍ଡ ଆମ୍ଭେ ସେ ବିନାଶ କରନ୍ତା |୧୧୮|

ମୋହୋର ଜ୍ୟେଷ୍ଠଭ୍ରାଥ ବୀର ବ୍ରିକୋଦର

କାଳେବର ମୃତ୍ତି ଦେଖିଲୁ ପଳାଇ ନାଶକର |୧୧୯|

ପରଣେ ପ୍ରମାଦ ଗୋ ଆମ୍ଭେ ସେ କରୁ ରକ୍ଷା

ତୁ ଆମ୍ଭର ମୃତୁରେ କାହିଂ କରୁ ବାଞ୍ଛା |୧୨୦|

ବୋଲଇ ସନ୍ଧ୍ୟାବାଳୀ କରପତ୍ର ଯୋଡ଼ି

ପୃଥୀଜାତ ହୋଇଲେ ଅବଶ୍ୟ ପ୍ରାଣହାରି |୧୨୧|

ଯାହାକୁ ଦେଖାଇଣ ସ୍ଵାମୀ ପ୍ରତଗ୍ୟାଂ ହାଦେ କର

ସେହି କାଳେ କାୟା ନାଶ କରଇ ୟେହି ପୃଥିବୀର |୧୨୨|

ଈଶ୍ଵର ଦେବତା ନିରଞ୍ଜନକୁ କରଇ ସେବା

ତିନିକୋଟି ବାର ପରିଯନ୍ତେ ମଲା ସେହୁ ଦେବା |୧୨୩|

ତୋହୋର ତହୁଂଣ ଯେ କେ ଅଛଇ ହାଦେ ଜୀଇଂ

ନାମରୂପ ହୋଇଲେ ସବୁରି ପ୍ରାଣ ଯାଇ |୧୨୪|

ନାଗେଣୀର ବଚନେ ଯେ ବୋଲଇ ସର୍ବସାଚୀ

ଅବଶ୍ୟ ସୁନ୍ଦରୀରେ ମୃତୁପଥ ଗଚ୍ଛି |୧୨୫|

ଯେବେ ସୁନ୍ଦରୀରେ ମୋତେ ପଡ଼ିବ ପରମାଦେ

ୟେ ଅର୍ଜୁନ ବୃକ୍ଷଗୋଟି ମଉଳିବ ହାଦେ |୧୨୬|

ୟେସନେକ ବଚନ ଗୋଟି ଧରିଣ ଥିବୁଟି ହୃଦେ

ନିଶ୍ଚେକରି ନାଶ ଯିବ ଅର୍ଜୁନ ବୃକ୍ଷ ହାଦେ |୧୨୭|

କିଛିହିଂ ତୋହୋର ମନକୁ ଭ୍ରାନ୍ତି ନ କର ସଖୀ

ଅବଶ୍ୟ ଯିବି ତୋତେ ସରୂପ କହିଲିଟି |୧୨୮|

ଅର୍ଜୁନ ବୋଇଲା ଯାଉଛି ନାଗର ଦୁଲାଳୀ

ମନରେ ଚିନ୍ତା ତୁ ନକର କିଛି ଭାଳି |୧୨୯|

ନାଗେଣୀ ବୋଇଲା ଯେବେ କହିଲା ୟେମନ୍ତ

ଯାଇଂକରି ପ୍ରାଣନାଥ ଆସିବଟି ତୁରିତ |୧୩୦|

ନ ଦେଖିଲେ ଦଣ୍ଡେ ତୋତେ ନ ରହଇ ଦେହୀ

ତୋହୋର ବିନୁ ମୋହୋର ଆନକଥା ନାହିଂ |୧୩୧|

ଯେତେବେଳେ ପ୍ରାଣନାଥ ଦେଖିଲି ତୋହୋର ବଦନ

ଯଣେହିଂ ଉପେକ୍ଷିବାକୁ ନ ବଳିଲା ମୋର ମନ |୧୩୨|

ଅର୍ଜୁନ ବୋଇଲା ସଂଘାତ ନ ରହଇ ମୋହୋର ଦେହୀ

ହସ୍ତିନା ପୁରକୁଟି ଯାଉଅଛି ମୁହିଂ |୧୩୩|

ଅନୁବ୍ରତେ ଦୟାଟି କରିଥିବୁ ହୃଦେ

ମନର ତାପମାନ ସଖୀ ଗୋ ଛାଡ଼ ୟେବେ |୧୩୪|

ୟେସନେକ ସନ୍ଦେଶ ଯେ କହିଣ ପାର୍ଥିବ

ନାଗେଣୀକି ପ୍ରବୋଧି କହିଲେ ବହୁତ ଭାବ |୧୩୫|

ବୋଲଇ ଅର୍ଜୁନ ସୁଖେ ଥାଅ ରେ ସୁନ୍ଦରୀ

ପାତାଳ ଭୁବନୁଂ ପାତ ତୁରିତେ ବିଜେକରି |୧୩୬|

ୟେଡ଼େ କହି ଅର୍ଜୁନ ତୁରିତେ ବାହାର

ନାଗେଣୀ ରହିଲା ସେ ସନ୍ତୋଷ ହେମମୟ ପୁର |୧୩୭|

ଶ୍ରୀଭୂଜେ ଶୋଭାବନ ଗାଣ୍ଡିମ ଧନୁ କ୍ରୋଣ

ଇନ୍ଦ୍ର ପ୍ରଶସ୍ତ ଯେ ଯାଇ ବିଜୟେ ପାଣ୍ଡବ ପଞ୍ଚାଣ|୧୩୮|

ଧର୍ମ ନନ୍ଦନ ସନିଧ୍ୟ୍ୟେ ବିଜୟେ ବାସୁଦେବ

ୟେମନ୍ତ ସମୟେ ଯାଇଂଣ ପ୍ରଣପତ୍ୟ ହୋଇଲା ପାର୍ଥିବ |୧୩୯|

ଅର୍ଜୁନକୁ ଦେଖିଣ ଦେବ ସାନନ୍ଦ ଦଇତାରି

ଶ୍ରୀଭୂଜେ ନାରାୟଣ ସେ ଅର୍ଜୁନକୁ କୋଳକରି |୧୪୦|

କୁଶଳ ବାରତା କହଇ ଫାଲଗୁନି

ଧନୁହୁଳେ ଧଇଲି ଦେବ ୟେ ମହାଭାରା ମେଦିନୀ |୧୪୧|

ପ୍ରାକର୍ମ ଦେଖିଣ ସେ ଅନନ୍ତ ମହାବଳୀ

ଅଷ୍ଟକୁଳା ନାଗ ଘେନି ଘଟିଲା ମନର ହିଆଳି |୧୪୨|

ଗୋବିନ୍ଦ ମୁଖ ଚାହିଂ ବୋଲଇ ଫାଲଗୁନି

ଦୋହିତାଗୋଟି ପ୍ରଦାନ ସେ ମୋତେ କଲା ଦେବସ୍ଵାମୀ |୧୪୩|

ଶୁଣିଣ ଦ୍ରହସିତ ହୋଇ ବୋଇଲେ ଅନନ୍ତ

ଆମ୍ଭନ୍ତ ବସରି ପାଥ ତୁ ରହିଲୁ କେମନ୍ତ |୧୪୪|

ଦେଖିଣ ଯୁଝେଷ୍ଠି ଦେବ ଯେ ଅପାର କୃତକୃତ୍ୟ

ନାଗଲୋକେ ମହିଂମା ତୁ ଅର୍ଜିଲୁ ବହୁତ |୧୪୫|

କୁଶଳେ ରହିଲେ ସେ ପାଣ୍ଡବ ପଞ୍ଚୁବୀରେ

ରାଜ୍ୟେ ଆବୋରି ରହିଲେ ବାରୁଣାବନ୍ତ ପୁରେ |୧୪୬|

ଭାଇନ୍ତ ଘେନି କରି ସେ ବିହଡ଼ନ୍ତି ବନେ

କୂତୋହୋଳେ ବେଣ୍ଟ ବିନୋଦେ ବିଜେ ସେ ଗହନ କାନନେ |୧୪୭|

ଅନେକ ଜୀବ ଦେଖନ୍ତି ମୃଗ ସୟମ୍ଵର ହରିଣ

ଜୀବ ନାଶ ନ କରନ୍ତି ଶର ନ ପେଷନ୍ତି ଧର୍ମନାନ |୧୪୮|

ୟେଥୁ ଅନନ୍ତରେ ଦିବସ ଅବଶେଷ

ଆସନ୍ତି ପଞ୍ଚୁବୀରେ ବାରୁଣାବନ୍ତ ଦେଶ |୧୪୯|

ଅର୍ଜୁନ ବିନୟୀ ହୋଇ କହଇ ଜଗନ୍ନାଥ

ତୁ ଦେବ ଜଗବାନ୍ଧବ ଜଗୁଜନ ହିତ |୧୫୦|

ଜଗତ ସଂହାରେ ସେ ତୁହି ଯେ ଉଦ୍ଧରନ୍ତା

ମଧୁରିପୁ ନାମ ତୋତେ ବିହିଲା ବିଧାତା |୧୫୧|

ଜଳ ପ୍ରଳୟ କାଳେ ମଧୁକଇଟଭ ଦତ୍ୟ ମାରି

ମାୟେଂସ ମେଦକରି ଯେ ଭିଆଇଲୁ ବସୁନ୍ଧରୀ |୧୫୨|

ଦେବ ପାଞ୍ଚଜନ୍ୟ ଶଙ୍ଖ ନିମନ୍ତେ ମହାଜଳ ମନ୍ଥି

ବହୁତ କଣୟ ତହୁଂ ହୋଇଲା ଉତପତ୍ତି |୧୫୩|

କଷ୍ଠୋର ମନ୍ଥନେ ଯେ ବିଷହିଂ ନିରୋଧି

ବିଶ୍ଵନାଥେ ସଂହରିଲେ ତୁହି ସେ କଲୁ ବୁଦ୍ଧି |୧୫୪|

ପରମାନନ୍ଦ ସ୍ଵାମୀ ତୁହି ସେ ଜଗତ ଆଦି ମୂଳ

ତୋହୋର ଉଦରୁ ସେ ଜାତହିଂ ସୟଳ |୧୫୫|

କିଞ୍ଚିତ ଚରିତ ତୋର ଦେବଂକୁ ଦୁର୍ଲ୍ଲଭ

ଜଗ ବନ୍ଦନ ସ୍ଵାମୀ ତୁ ପ୍ରତକ୍ଷ ପଦ୍ମନାଭ |୧୫୬|

ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି

ୟେକ ଶରୀରୁଂ ଦେବ ସମସ୍ତ ନିରିବାଣି |୧୫୭|

ଠୁଳ ଶୂନ୍ୟ ଭେଦି ସଚରାଚର ପୃଥୀ

ଦିଗାଙ୍ଗ ମେଖଳେ ଯେ ଶରୀର ଯାହାର ଥିତି |୧୫୮|

ନିର୍ମଳ ନିକଳଂକ ନିର୍ଭୟେ ନିଶଂକା

ଖେଡ଼ କୁତୂହୋଳେ ନାଥ ନାଶକଲୁ ଲଂକା |୧୫୯|

ନିର୍ବାଣ ପୁରୁଷ ନାଥ ଅଭୟେ ବରଦ୍ୟନ୍ତା

ତୁମ୍ଭେ ସେ ବିଶ୍ଵନାଥ ଜଗତ କରତା |୧୬୦|

ଜାତ ଅନ୍ତ ମଧ୍ୟେ ଅବକାଶ କରି

ଜନମୋହନ ନାଥ ତୁ ଦେବ ଦଇତାରି |୧୬୧|

ରାଜୀବ ଲୋଚନ ସ୍ଵାମୀ ମାଧୁର୍ଯ୍ୟ ଯାର ବୁଦ୍ଧି

ଶରଣ ରକ୍ଷଣ ନାଥ ଅଗାଧ ପୟୋଧି |୧୬୨|

ନମସ୍ତେ ହୃଷୀକେଶ କାଳନ୍ଦୀ ପ୍ରାଣନାଥ

ସୁର ସଞ୍ଚିତ ବୁଦ୍ଧି ପରମ ପରମାର୍ଥ |୧୬୩|

ଯଶୋବନ୍ତୀର ନନ୍ଦନ ଚରଣେ ମୋର ଶିର

ଷାଠିୟେ ଲକ୍ଷ ଭାରତ ପୁରାଣ ମମ ହୃଦୟରେ |୧୬୪|

ମଧୁବନ ମଣ୍ଡନ ନାଥ ସୋମସୂର୍ଯ୍ୟ ନେତ୍ରା

ଶୟନ ଉଡ଼ଙ୍ଗ ନାଥ ଅନନ୍ତ ପଇତା |୧୬୫|

କଳିକାଳ ଧ୍ଵଂସନ ନାଥ ବିଜେ ନୀଳ ସୁନ୍ଦର ପର୍ବତେ

ନୀଳ କୱ୍ପବଟ ତଳ ନାଥ ପ୍ରାପତ ହେବ ମୋତେ |୧୬୬|

ସିଦ୍ଧଗ୍ରନ୍ଥ କହିଲେ ଚେତନା ମମ ହୃଦେ

ତବ ଭୁବନ ତେଜି ନାଥ ଆନ ଠାବ ମୋତେ ନାଦେ |୧୬୭|

ତୁଳସାର ବଲ୍ଲଭ ପଦ୍ମପାଦ ପଞ୍ଚଭୂତେ ମୁହିଂ ଭାବି

ବଦୟନ୍ତି ଶୂଦ୍ରମୂନି ସାରୋଳା ଦାସ କବି |୧୬୮|୧୨୭୫୮|

 

ଶାଲୁବଧ

ଶୁଣ ହୋ ମନୁରାୟେ ବଦୟନ୍ତି ବ୍ରହ୍ମବେତ୍ତା

ସଭାପର୍ବ ରସେ ରାଜୁସି ଯାଗ କଥା |୧|

ଧର୍ମ ନନ୍ଦନ ବଦନ ଚାହିଂ ବୋଲନ୍ତି ଦେବହରି

ସ୍ଵାମୀ ଆଗ୍ୟାଂଦିଲେ ମୁଂ ଯିବଇଂ ଦ୍ଵାରବତୀ ପୁରୀ |୨|

ଯଗ୍ୟଂ ସମାପତ ହୋଇଲା ନିୟତ

ଆଗ୍ୟାଂଦିଲେ ଯିବି ବୋଇଲେ ଜଗନ୍ନାଥ |୩|

ମସ୍ତକେ ହାଥ ଦେଇ ବୋଳନ୍ତି ଦେବ ହରି

କାର୍ପୁଣ୍ୟ ଭାବ ହୋଇ ପାଆନ୍ତି ଅପସରି |୪|

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଜଗନ୍ନାଥ

ୟୋ ମୋହୋର ସମ୍ପଦ ସବୁ ତୋହୋର ସଞ୍ଚିତ |୫|

ମୋତେ କି ଗୋଚର ଅଟଇ ୟେହୁ କଥା

ମୁଂ କାହିଂ ଗମ୍ୟ କରିତେ ସାମରଥା |୬|

ମୋହୋର ବୋଇଲେ କି ହୋଇ ଅର୍ଣ୍ଣ ଦେଇ

ଲକ୍ଷେରାଜାଂକୁ ଯେ ନବତନ ଯାଗାଡ଼ ଦେଇ |୭|

ନିଦ୍ରବ୍ୟ ପୁରୁଷ ମୁଂ ଅଟଇ ନିୟତ

ସୁବେଳେ ପାଇଲି ମୁହିଂ ତୋତେ ସିନା ଭେଟ |୮|

ପିତାର ବ୍ରହ୍ମହତ୍ୟା ଦୋଷ ପାପ ହୋଇଲା କ୍ଷୟେ

ତୋହୋର ନ ସଞ୍ଚିଲେ ୟେହା କାହାର ବେଳେ ହୋୟେ |୯|

ନିଧନର ଧନ ଅଟୁ ତୁ ଜଗନ୍ନାଥ

ସଂସାରେ ବହୁତ କୀର୍ତ୍ତି ହୋଇଲା ବିଖ୍ୟାତ |୧୦|

ପଞ୍ଚୁପାଣ୍ଡବଂକର ଅନ୍ୟ ସଖା ନାହିଂ

ମାରୁ ତାରୁ ରଖୁ ୟେକା ପ୍ରଭୁ ଭାବଗ୍ରାହୀ |୧୧|

ମୁଂ ଅନାସ୍ତ ପ୍ରାଣୀ ତୁ ଅନାସ୍ତ ଜନଂକର ବନ୍ଧୁ

କେବଣ ଗୁଣେ ନାଥ ମୋତେ କୃପାସିନ୍ଧୁ |୧୨|

ଯୁଝେଷ୍ଠି ମୁଖ ଚାହିଂ ବଦୟନ୍ତି ଦେବହରି

ତୁମ୍ଭେ ମୋହୋର ପିତା ବସୁଦେବର ସରି |୧୩|

ମାତା ମୋହୋର ଅଟଇ ଦ୍ରୋପଦ ଦୁହିତ

ମୁହିଂ ତୋହୋର ଅଟଇ ପରିଚାର ନିୟତ |୧୪|

ଭୀମ ଅରଜୁନ ନକୁଳ ସହଦେବ

ୟେହାଂକର ତୁଲେ ମୋତେ ଗଣନା କରିବ |୧୫|

ଯୁଝେଷ୍ଠି ବୋଇଲେ ହରି ତୁ ପରମ ମହତ

ମୋତେ ଚିତ୍ତେ ଅନ୍ତର ନ ଧର ଜଗନ୍ନାଥ |୧୬|

ପରମ କଲ୍ୟାଣ ହୁଅସି ଦେବହରି

ଶୁଭେଣ ଚଳ ହରି ଦ୍ଵାରାବତୀ ପୁରୀ |୧୭|

ଯୁଝେଷ୍ଠିଂକି ମାନ୍ୟଧର୍ମ କରିଣ ନାରାୟଣ

ଗରୁଡ଼ ପିଠିରେ ବିଜେ ଦେବ ତତକ୍ଷଣ |୧୮|

ନକୁଳ ସହଦେବ ଭୀମସେନ କିରୀଟୀ

ୟେମାନେ ଗଲେ ଜଗନ୍ନାଥଂକୁ ପାଛୋଟି |୧୯|

ଚାରି ପାଣ୍ଡବଂକୁ ବଦନ୍ତି ନାରାୟଣେ

ଦ୍ଵନ୍ଦବାଦ ନ କରିବଟି ରାଜା ଦ୍ରିଯୋଧନେ |୨୦|

କର୍କଶ ମଧୁପିଙ୍ଗଳ ଅଟଇ ଧୃତିରାଷ୍ଟି

ବିଶ୍ଵାସ ନ କରିବଟି ହୋ କହିଲୁ ସରୂପଟି |୨୧|

ଠାକୁରଂକର ଚରଣେ କରିବ ଭଗତି

ୟେସନେକ ଆଗ୍ୟାଂ ଯେ ଦିଲେକ ଶିରୀପତି |୨୨|

ଚାରିପାଣ୍ଡବଂକୁ ରୁହାଇ ନାରାୟଣ

ଲୀଳାୟେ ଚଳନ୍ତି ପ୍ରଭୁ ଜଗତ ମୋହନ |୨୩|

ୟେଥୁ ଅନନ୍ତରେ କଥା ଶୁଣ ମନୁ ରାୟେ

ଶ୍ରୀମହାଭାରତ ଶୁଣି ପାପ କର କ୍ଷୟେ |୨୪|

ବଇବସୁତ ମନୁ ଯେ ବିଲଂକ ଅଧିକାରୀ

ଅଗସ୍ତି ମୁନିଂକ ପାଦେ ପୂଜାବିଧି କରି |୨୫|

ଭୋ ମୁନି ଅଗସ୍ତି ଘଟ ଋଷିଂକ ନନ୍ଦନ

କଥାୟେ ପୁଚ୍ଛିବି ଅଗସ୍ତି ହୋଅ ସାବଧାନ |୨୬|

ତୁ ଯେ ଗ୍ୟାନବନ୍ତ ପଣ୍ଡିତ ପୂଜ୍ୟ ଯତି

ଅଷ୍ଟାଦଶ ପୁରାଣ ଯାହାର ମୁଖରୁ ଉରତି |୨୭|

ଦୁତୀୟ ବ୍ରହ୍ମା ସମାନେ ତୋହୋର ଯେ ବୁଦ୍ଧି

ଶ୍ରୀ ମହାଭାରତ ୟେ ଅଗାଦ ପୟୋଧି |୨୮|

ତବ ମୁଖୁଂ ଶୁଣିଲେ ୟେ ସକଳ ଚରିତ

କିଛୁଂ କିଛୁଂ ଭାବ ପଶିଲା ଗର୍ଭଗତ |୨୯|

କେବଳ କଥାୟେ ପୁଚ୍ଛିବି ୟେ ମୋହୋର ବୁଦ୍ଧି

କହ ମହାମୁନି ମୋତେ ସକଳ ଶାସ୍ର ଶୋଧି |୩୦|

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ହୋ ରାଜନ

କେଉଂଣ କଥା ଅସଖ୍ୟ କହସି ଆଗେଣ |୩୧|

ମନୁରାୟେ ବୋଇଲେ ଶୁଣସି ମହାମୁନ୍ୟ

ଶିଶୁପାଳ ମଲା ଯେ ସଭାର ମଧ୍ୟେଣ |୩୨|

ଶାଲୁ ବଧ ମୋତେ କହିବା ମହାମୁନି

ୟେ ତୋହୋର ବଚନେ ହୋଇଥିବି ଗ୍ୟାନୀ |୩୩|

ଅଗସ୍ତି ବୋଇଲେ ଶୁଣସି ରାଜନ

ବିଷ୍ଣୁର ଚକ୍ର ଆଶେ ୟେହାଂକର ଜନମ |୩୪|

ବାରେ ବାରେ ଅଟନ୍ତି ବିଷ୍ଣୁଂକର ବଇରି

ଚକ୍ର ନିମନ୍ତେ ନେଲେ ଦାରା ଚଉର୍ଯ୍ୟ କରି |୩୫|

ଶ୍ରୀରାମ ଅବତାରେ ନାଶିଲେ ତାହାନ୍ତ

ସେ ଜନ୍ମେ ଚକ୍ର ଯେ ନୋହିଲା ପରାପତ |୩୬|

ୟେବେ ଆସି ଦ୍ଵାପରେ ହୋଇଲେ ଅବତାର

ରାବଣ ଅବତରିଲା ଦିମଘୋଷ ଘର |୩୭|

ଶିଶୁପାଳ ନାମ ସେ ବହିଲା ନିୟତ

ମରଣ ଲଭିଲା ପାଇଲା ମୁକତ |୩୮|

ନିରାକାର କଥା ଯେ ପଡ଼ିଲା ମନର

ଚକ୍ରପାତ କଲେ ଯେ ଦେବ ଚକ୍ରଧର |୩୯|

ଶୁଣ ତୁ ମନୁରାୟେ ବିଲଂକ ଅଧିକାରୀ

ଶାଲୁ ବଧ ତୋତେ କହିବା ବିସ୍ତାର ତଥ୍ୟ କରି |୪୦|

ଯେବେ ତୁ ଶ୍ରୋତା ହୋଇଲୁ ହୋ ପୁଣି

କହନ୍ତି ମନୁରାୟେ ଶୁଣ ବ୍ରହ୍ମମୁନି |୪୧|

କାହାର କୁଳେ ଜାତ ଶାଲୁ ସେ ଗୁଣ ଘେନି

ୟେଥିର ଚରିତ ମୋତେ କହ ମହାମୁନି |୪୨|

କିମ୍ପାଇଂ ଅନ୍ତର ସେ ହୋଇଲା ନିୟତ

ସମସ୍ତ ଜନ୍ମେଣ ସେ ୟେକଠାବ ଜାତ |୪୩|

ୟେ କଥା ବିସ୍ତାରି କହସି ବ୍ରହ୍ମମୁନି

ଗୁଣବନ୍ତ ପଣ୍ଡିତ ତୁ ଯେ ଅଟୁ ମହାଗ୍ୟାନୀ |୪୪|

ଶୁଣ ତୁ ମନୁରାୟେ ତହନ୍ତି ଅଗସ୍ତି

ଶ୍ରୀରାମ ତୁଲେ ବହୁତ ଯୁଦ୍ଧ କଲା ଲଂକପତି |୪୫|

କୁମ୍ଭକର୍ଣ୍ଣର ଯୁଦ୍ଧ ଯେ କହିତେ ଅସଂକ୍ଷେପ

ଦେବଂକୁ ଦୁର୍ଲ୍ଲଭ ୟେ ମାନବେ ଅସମ୍ଭବ |୪୬|

ନାରାଜ ପଡ଼ନ୍ତେ ଯେ ତାହାର ହୃଦୟର

ସମସ୍ତ ଚୂର୍ଣ୍ଣ ହୋଇଯାଇ ତାହାର ବୁକୁର |୪୭|

ବିମୁଖ ହୋଇଣ ରାମ ଖୂର୍ପଶର ଧରି

ଶରୀର କାଟିଲେ ତାର ଖଣ୍ଡ ଖଣ୍ଡ କରି |୪୮|

ମନ୍ଦର ଗିରି ଜାଣି ତାହାର ଶରୀର

ଚକ୍ରପ୍ରାପତ ଯେ ନ କଲେ ଚକ୍ରଧର |୪୯|

କୋପେଣ ଅନେକ ଶର ବିନ୍ଧିଲେ ରଘୁବୀର

ତୁଳା ପ୍ରାୟେ କରି ମାଂସ କାଟିଲେ ତାହାର |୫୦|

ପଡ଼ିଲା ରଣ ମଧ୍ୟେ ନାଚଇ କବନ୍ଧ

ଡ଼େଇଂଣ ବାନର ସେ ଅନେକ କଲା ବଧ |୫୧|

ବିମୁଖ ପାଇ ରାମ ବ୍ରହ୍ମଶର ଧର

ତାହାର ବ୍ରହ୍ମକପାଳ ରାମ ମାଇଲେ କୋପଭରି |୫୨|

ବାବଲ ବାଣେ ରାମ ଦିଳେ ଯେ ଉଡ଼ାଇ

ସେ ବ୍ରହ୍ମ କପାଳ ପଡ଼ିଲା ଶାକଲ୍ୟ ଦ୍ଵୀପ ଯାଇଂ |୫୩|

ସେ ଚ୍ଛେଦ କପାଳ ରାବ କରନ୍ତି ନିୟତ

ହା ରାମ ହା ରାମ ବୋଲି ସୁମରଇ ହୃଦଗତ |୫୪|

ଭୋ ରାମ ମୁହିଂ ତୋହୋର ନୁହଇଂ ବଇରି

ତୋହୋର ଭାବିନୀକି ସେ ରାବଣ ନେଲା ହରି |୫୫|

ତାହାର ତୁଲେ ଜନ୍ମ ମୋତେ ନ କର ରଘୁବୀର

ବିନା ଦୋଷେ ଶାପ ମୋତେ ନୋହିଲାକ ପାର |୫୬|

ଶୁଣ ହୋ ମନୁରାୟେ କ୍ଷତ୍ରୀର ମହିମାଂ

ଅପାଦ ତ ରହଇ ନ ଯାଇ ଯଶସୀମା |୫୭|

କାଶୀ ଦେଶରେ ଯେ କାମେଶ୍ଵର ନୃପତି

ତାହାର କୋଳେ କୁମ୍ଭକର୍ଣ୍ଣ ଉତପତ୍ତି |୫୮|

ନିରାଲମ୍ଵ ଭୁବନକୁ ସେହୁ ଯିବା ପାଇଂ

ବିଷ୍ଣୁର ଅଇରିତାପଣ ସେ ହୋଇଥାଇ |୫୯|

ଦୁଷ୍ଟଂକର ସଙ୍ଗତେ ସେ ଭାଳଇ ନିୟତ

ଶାଲୁ ନାମ ବହଇ ସେ ଅସୁରେଶ୍ଵର ନାଥ |୬୦|

ଯେତେବେଳେ ସେ ସଭାରେ ଶିଶୁପାଳ ମନ୍ଦ ବୋଲି

ଅନେକ ଭ୍ରଚ୍ଛନାୟେ ନାରାୟଣକଇଂ ଦିଲା ଗାଳି |୬୧|

ଦ୍ରିଯୋଧନ ବୋଇଲା ତୁ ଶୁଣସି ଶାଲୁବୀର

ୟେବେ ଦ୍ଵାରିକାୟେ ପଶି ତୁ ରାଜ୍ୟନ୍ତ ଉଜାଡ଼ |୬୨|

ବଳ ଦୁର୍ବଳକୁ ତୋତେ ଅଟେ ମୁହିଂ ସାହି

ଯାଅ ଯା ଶାଲୁବୀର ରଥ ତୋହୋର ବାହି |୬୩|

ଦ୍ରିଯୋଧନର ବଚନ ଶୁଣିଣ ଦୁଷ୍ଟ ବୀର

ବାହିଲା ସମଦଣ୍ଡ ସେ ଦ୍ଵାରାବତୀ ପୁର |୬୪|

ପାରାର୍ଦ୍ଧ ମନ୍ତ୍ରୀ ବୋଇଲା ଶୁଣି ନୃପମଣି

ୟେ ଦୁଷ୍ଟ ସଭାବ ଛାଡ଼ସି ମୋହୋର ବୋଲ ଶୁଣି |୬୫|

ବିଷ୍ଣୁର ବଇରିତା ମନୁ ଛାଡ଼ସି ହୋ ମହାରାୟେ

ଶାଲୁ ବୋଇଲା ମୁଂ ତ୍ରଇଲୋକେ ଅଜୟେ |୬୬|

ମୋତ ଜିଣିମାକୁ କେହି ଅଟଇ ସାମରଥ

ନ ବାର ମହାମନ୍ତ୍ରୀ ପଣ୍ଡିତ ଗୁଣବନ୍ତ |୬୭|

ଆହୋ ରାମକୃଷ୍ଣଂକୁ ନାହିଂ ନାହିଂ ମୋର ଭୟେ

ସାଜ ସାଜ ସମଦଣ୍ଡ ବହୁତ ହାଥୀଦ୍ଵୟେ |୬୮|

ଶାଲୁ ଯେ ସଭାରୁ ହୋଇଲା ବାହାର

ସାଜିଲା ସନ୍ୟ ତାର ଦ୍ଵାରାବତୀ ପୁର |୬୯|

କୋଟିୟେ ରଥ ଘେନି ଶାଲୁ ଚଳଇ ଅନ୍ତରୀକ୍ଷେ

ଗନ୍ଧର୍ବ ରାଜା କି ସେ ଅଟଇ ପ୍ରତକ୍ଷେ |୭୦|

ଦଶ ପଦ୍ମ ଗଜ ସାଜିଲା ନିଘୋଡ଼

ପାଦାନ୍ତି ସାଜିଲା ଦଶକୋଟି ବୀର |୭୧|

ଅଶ୍ଵ ଗଜମାନ ହୋଇଲାକ ମଣ୍ଡନ

ଗୁପତେ ବାହିଲା ସେ ଦ୍ଵାରାବତୀ ଭୁବନ |୭୨|

ରାତ୍ର ଥାଉଂ ଥାଉଂ ସେ ବେଢ଼ିଲେ ଯାଇଂ ବଳ

ସିନ୍ଧୁଘୋଷ ପ୍ରାୟେ ଶବଦ ଉଛୁଳ |୭୩|

ମହାଗୋଳ ଶବଦ ଯହୁଂ ଶୁଭିଲା ମୁଖରାବ

ଡ଼ଗରେ କହିଲେ ଉଗ୍ରସେନଲ ରାଜା ଆଗ |୭୪|

ସ୍ଵାମୀ କେଉଂଣ ରାଜା ୟେଥି ଆସଇ ସନ୍ୟ ବାହି

ହୋଇବା ସାବଧାନ କହିଲି ଦେବ ମୁହିଂ |୭୫|

ଡ଼ଗର ମୁଖୁଂ ଯହୁଂ ଶୁଣିଲେ ବାରତ

ଉଗ୍ରସେନ ସାଜିଲେ ସଇନି ସମସ୍ତ |୭୬|

ସାତବଂଶ ଯାଦବ ଛପନ କୋଟି ବୀର

ସମସ୍ତେ ଯାନ ହାବନ ଚଢ଼ି ହୋଇଲେ ବାହାର |୭୭|

ଭୁବନ ବେଢ଼ିଣ ଯେ ରହିଛି ଶାଲୁ ବୀର

ବାହାନ ଚଢ଼ି ବାହାର ଯାଦବେ ଅତୀୟ ସମର |୭୮|

ରେ ରେ କାର କରି କହନ୍ତି ବୀରମଣି

କରେ ଧରିଛନ୍ତି ଉଳା ଯେ ଆଢ଼େଣି |୭୯|

ମାର ମାର ଶବଦ କରିଣ ମହା ବୋବି

ମହିଷାସୁର ଯୁଦ୍ଧେ ଯେହ୍ନେ ହାକଇ ଭଇରୋବୀ |୮୦|

ତେସନେକ ଶବଦ ସନ୍ୟଂକର ନାଦେ

ପାରାର୍ଦ୍ଧ ମନ୍ତ୍ରୀ ବୋଇଲେ ୟେବେ ପଡ଼ିଲା ପରମାଦେ |୮୧|

ମୋହୋର ବୋଲ ତୁ ନକଲୁ ବାରମଣି

ସକଳ ସମ୍ପଦ ହରାଇବୁ ୟେହିକ୍ଷଣି |୮୨|

ନିଶ୍ଚୟେ ତୋହୋର ହୃଦେ ପଶିଲେ କାଳଗଣ

ପରପାଇଂ ଛଳେ ଦେଉଅଛୁଂ ପ୍ରାଣ |୮୩|

ଧର୍ମ ଦେବତା ସହିତ କି ଧର୍ମକୁ ଲଂଘିଲେ

ନିଶ୍ଚୟେ ଧର୍ମ ତୋତେ ୟେବେ ଆବୋରିଲେ |୮୪|

ମନ୍ତ୍ରୀର ବୋଲ ଯେଉଂଣ ରାଜା ନ କରଇ

ନିଚୟେ ଶିରୀହାନି ବିଧାତା ଛାଡ଼ଇ |୮୫|

ମନ୍ତ୍ରୀର ବଚନ ଯେ ନକଲା ଗୋସିଂହ

ସମ୍ପୋଡ଼େ ନାଶଗଲା ସନ୍ୟ ହେଲେ ଭଙ୍ଗ |୮୬|

ଜଳ ତରଙ୍ଗ ରାଜା ମନ୍ତ୍ରୀ ବୋଲ ନ କଲା

ସମସ୍ତ ସମ୍ପଦ କ୍ଷଣେକ ସେହୁ ଦିଲା |୮୭|

ମୁହିଂ ତୋହୋର ମନ୍ତ୍ରୀ ନ କଲୁ ମୋର ବୋଲ

ନିଚୟେ ମହାରାଜ ପୂରିଲା ତୋର କାଳ |୮୮|

ଯହୁଂ କହିଲା ମନ୍ତ୍ରୀ ନିୟତ ବଚନ

ଖଙ୍ଖ ପ୍ରାୟେ ବୁଝି ତହିଂ ବଢ଼ିଲା କ୍ରୋଧମାନ |୮୯|

ଅସିପତ୍ର ଧରିଣ ବୋଲଇ ଶିର ଝୁଣି

ମନ୍ତ୍ରୀ ବୋଇଲା ମୋତେ ତୁ ନାଶ ୟେହିକ୍ଷଣି |୯୦|

ଆବର କି ପ୍ରାଣ ଆଜ ପାଇବୁ ନିୟତ

ଧର୍ମ ଛାଡ଼ିଲା ରାଜା ପାଇଲୁ ହାନିପଥ |୯୧|

ୟେମନ୍ତ ବୋଲନ୍ତି ଯେ ମିଳିଲେ ସଇନି

ବିନ୍ଧନ୍ତି ରାଉତେ ମହା ମହା ସେନା |୯୩|

କକଡ଼ା ମାସେ ଯେହ୍ନେ ବରଷଇ ଜଳଧାର

ବିନ୍ଧନ୍ତି ଯାଦବେ ହୋଇଣ ଆଗୁସାର |୯୪|

ଭାଜିଲେ ଦାନବ ବଳ ପାଇଣ ମହାଭୟେ

ରହ ରହ ବୋଲିଣ ଡ଼ାକଇ ଶାଲୁରାୟେ |୯୫|

ବନ୍ଧ ଭାଞ୍ଜନ୍ତେ ଯେହ୍ନେ ନ ରହଇ ପାଣି

ରାଜାକୁ ଛାଡ଼ିଣ ତେହ୍ନେ ପଳାନ୍ତି ସଇନି |୯୬|

ପଦ୍ମନର ତୁଲେ ଯେ ଶାଲୁବୀର ଯୁଦ୍ଧ

କହିତେ ଅସମ୍ଭବ ମାନବେ ନୋହେ ସାଧ୍ୟ |୯୭|

କୃଷ୍ଣର ନନ୍ଦନ ସେ ପ୍ରତକ୍ଷେ କାମଦେବ

ତାହାର ଆଗରେ କେ ସଂଗ୍ରାମ କରିବ |୯୮|

ରଣେ ଅପଜୟେ ସେ ପାଇଲା ଶାଲୁରାୟେ

ଦ୍ଵାରବତୀ ପୁରୁଂ ସେ ଅପସରି ଆୟେ |୯୯|

ସନ୍ୟ ଘେନି ଯାଆନ୍ତେ ସେ ରମ୍ୟେକ ପର୍ବତେ

ବଇନେତ୍ର ପିଠିରେ ତା ଦେଖିଲେ ଜଗନ୍ନାଥେ |୧୦୦|

ସନ୍ୟ ସିନ୍ଧୁ ପ୍ରାୟ ଆସଇ ସଂଭରି

ଖଗବର ପିଠିରେ ଥାଇଂ ନାରାୟଣ ତଲେ କରି |୧୦୧|

ବିନତା ନନ୍ଦନକୁ ପୁଚ୍ଛନ୍ତି ଚକ୍ରଧର

କେଉଂଣ ରାଜାର ୟେ ଅଟଇ ସନ୍ୟ ଘୋର |୧୦୨|

ଦ୍ଵାରକା ସନ୍ନିଧ୍ୟକଇଂ ବାହାର କାହାର ଥାଟ

ଭଲ କରି ଚିହ୍ନ ତୁ ବିନତା ନନ୍ଦନ ଜ୍ୟେଷ୍ଠ |୧୦୩|

କହୁଂ କହୁଂ ସନ୍ୟ ଅଇଲେ କତିକି ଆଗସରି

ଚିହ୍ନିଲା ବିନତା ନନ୍ଦନ ତଲେ କରି |୧୦୪|

ସ୍ଵାମୀ ଶିଶୁପାଳ ଅଭିମାନେ ପାମର ଦୃଷ୍ଟବୁଦ୍ଧି

ବାହିଲା ଶାଲୁବୀର ସନ୍ୟ ତାର ସାଜି |୧୦୫|

ୟେସନେକ ବଚନ ଗରୁଡ଼ କହନ୍ତେ

ଛାମୁରେ ପ୍ରବେଶ ଯାଇଂ କାଶୀରାଜାର ସୁତେ |୧୦୬|

ଶାଲୁ ଡ଼ାକ ଦିଅଇ ଶୁଣ ରେ ଗଉଡ଼

ରାଜ ସଭାରେ ବସିଲୁ ତୁ ପାମର ମନ୍ଦ ମୂଢ଼ |୧୦୭|

ଅଗ୍ୟାନ ପାମର ତୁରେ ଗ୍ୟାନ ତୋର ନାହିଂ

କିମ୍ପାଇ ନାଶ କଲୁ ତୁ ଯେ ମୋହୋର ଭାଇ |୧୦୮|

ତିରଣ ପ୍ରମାଣେ ମାୟେଂସ କାଟିବି ତୋହୋର

ୟେବେ ତୋହୋର ପାଞ୍ଜି ରେ ପୋଛିଲା ନାଶକର |୧୦୯|

ସମ୍ମୁଖେ ଗଉଡ଼ ରେ ପଡ଼ିଲୁ ଆଜ ତୁହି

ଉବୁରି ଯିବାକଇଂ ଅଛଇ ଆର କାହିଂ |୧୧୦|

କାଳସର୍ପ ମୁଖରେ ଭରିଲୁ ଆଜ ହାଥ

ଭୋକିଲା ବ୍ରାଘକଇଂ ଚାଳିଲୁ ଅନମିତ |୧୧୧|

ସିଂଘକୁ ଚାଳଇ କରିବର ହୋଇ

ବ୍ରାଘ ସଙ୍ଗେ କାହିଂ ଅଜାଯୂଥ ଯୁଝଇ |୧୧୨|

ମୁହିଂ ସେ ଶାମଳ ପଚ୍ଛୀ ତୁହି ସେ କୀଟ ଜନ୍ତୁ

ଆଜ ରେ ଗୋପାଳ ଜାଣିମା କେହ୍ନେ ତୁହି ବ୍ରତୁ |୧୧୩|

ନିଶ୍ଚୟେ ମରଣ ତୋର ହୋଇଲା ନିକଟ

ଦଇବ କଢ଼ାଇଲା ମୃତୁକଇଂ ବାଟ |୧୧୪|

ପର ଯାଚକପଣେ ୟେଡ଼େ ତୋହୋର ଦର୍ପ

ସମ୍ମୁଖେ ନାଶିଲୁ ମୋର ଭାଇକୁ କରି କୋପ |୧୧୫|

ବେଳେକ ଉପେକ୍ଷା ନକଲୁ ରେ ତୁହି

ତୋତେ କିମ୍ପା ଉପେକ୍ଷା ହୋଇବ ମୋର ଦେହୀ |୧୧୬|

ୟେଡ଼େ ବୋଲି ଶାଲୁ ମହାକୋପ ହୋଇ

ସନ୍ୟଂକୁ ହାକ ଦିଲା ମାରରେ ତୁହାଇ |୧୧୭|

ପରିଘ ଭୁଷଣ୍ଡି ଚକ୍ର ଆଦି ତୀଖବାଣ

ବଜ୍ରସୂଚୀ ନାରାଜ ଯେ ପେଷନ୍ତି ଗରୁଟାଣ |୧୧୮|

ଛେଲ ବାବଲ ତୀଖ ଶର କୋନ୍ତ

ଗୁରୁଜ କମାଣ ଧରିଣ ବୀରେ ହାଥ |୧୧୯|

ଜଳଧାରା ପରମାଣେ ପଡ଼ଇ ଶରବୃଷ୍ଟି

ତାହା ଦେଖି ବଇନେତ୍ର ପକ୍ଷ ଦିଲା ବିଞ୍ଚି |୧୨୦|

ସକଳ ଶସ୍ରମାନ ପକ୍ଷର ଦେହେ ପଡ଼ି

ଦୂରେଣ ପଡ଼ିଲେ ସେ କରିଣ ଘୋର ରଡ଼ି |୧୨୧|

ରୋଷେଣ ଶସ୍ରମାନ କଲେକ ପଡ଼ିତାଳ

ଧାରା ଶ୍ରାବଣେ ଯେହ୍ନେ ବରଷଇ ଜଳ |୧୨୨|

ଅତୀୟ ଗହନ ଯୁଦ୍ଧର ଚରିତ

ବଇନେତ୍ରେ ବସିଣ ଶସ୍ର ମେଣ୍ଟିଲେ ଜଗନ୍ନାଥ |୧୨୩|

ଅତୀୟ ଘଞ୍ଚାଳ ଯହୁଂ କଲେକ ସେ ବଳ

କୋପେଣ ହରି ସୁମରିଲେ ଚକ୍ର ଯେ ବାବଲ |୧୨୪|

ସୁଦ୍ରିଶେନ ଚକ୍ର ନାରାୟଣୀ ଚକ୍ର ବଷ୍ଣବା ଚକ୍ର

ସୁମରନ୍ତେ ଚକ୍ରମାନ ପ୍ରବେଶ ହୋଇଲେକ |୧୨୫|

ଚକ୍ରହାଥ ଯହୁଂ ହୋଇଲେ ଦଇତାରି

ତାହା ଦେଖି ଶାଲୁ ବୀର ମନରେ ବିଚାରି |୧୨୬|

ୟେହା ଚକ୍ରକୁ ସର୍ବଦା ମୋହୋର ପ୍ରତିଆଶ

ୟେବେ ମାୟାଯୁଦ୍ଧ ମୁଂ କରିବି ଅବଶ୍ୟ |୧୨୭|

ବିଷ୍ଣୁର ବଇଗୁଣେ ମୋହୋର ମରଣ

ତେବେ ସେ ପାଇବି ନିୟତ ଭୁବନ |୧୨୮|

ଶାଲୁ ନୃପନାଥ ମାୟା ଯୁଦ୍ଧ କଲା

ସ୍ଵର୍ଗ ମଞ୍ଚ ପାତାଳ ତଚିନିପୁର ଭ୍ରମିଲା |୧୨୯|

କ୍ଷଣକେ ରଥ ଦୃଶ୍ୟ କ୍ଷଣକେ ଆକାଶ

କ୍ଷଣକେ ପାତାଳ ଭ୍ରମର ଦଶଦିଶ |୧୩୦|

କ୍ଷଣକେ ଆଗରେ ଟେକଇ ଆସ ଯାନ

କ୍ଷଣକେ ଅଦୃଶ୍ୟ ବିଜୁଳି ଜ୍ୟୋତି ବର୍ଣ୍ଣ |୧୩୧|

ଚକ୍ରହାଥେ ଧରିଣ ଚାହାନ୍ତି ଜଗନ୍ନାଥ

ଦେଖା କେହ୍ନେ ନ ଦେଉରେ ପାମର ଦୁରାନ୍ତ |୧୩୨|

ୟେମନ୍ତ ବୋଲନ୍ତେ ଛାମୁରେ ରଥ କରି

ମାୟା ବାସୁଦେବର ସେ ଅଛଇ କେଶ ଧରି |୧୩୩|

ବିଜେ କର୍ଣ୍ଣ କଟାର ଧରି ତେଜମତ

ହାକଇ ଶାଲୁବୀର ଶୁଣ ତୁ ଜଗନ୍ନାଥ |୧୩୪|

ପାର ଯେବେ ରକ୍ଷାକର ତୋର ତାତ

ୟେ ତୋର ପିତା ବାସୁଦେବ ଅଟଇ କି ସତ |୧୩୫|

କୋଟିୟେ ସିଂଘର ପରାକ୍ରମ ଅଟଇ ତୋର ଭାଇ

ବଳେ ବଳରାମ ବୋଲି ନାମ ତା ଅଟଇ |୧୩୬|

ଉଗ୍ରସେନ ସହିତେ ଯାଦବ ବଳ ମାରି

ଦ୍ଵାରିକା ଜୂର କରି ଆଣିଲି ୟେହାକୁ ଧରି |୧୩୭|

ପାରିଲେ ରକ୍ଷାକର ଆରେ ରେ ଗଉଡ଼

ଭାଇର ପାଲଟେ ମାରିବି ସତ୍ୟ ୟେ ମୋହୋର ଅଡ଼ |୧୩୮|

ୟେସନେକ ବୋଲିଣ ବିକ୍ରମ ମୁଖ ହୋଇ

ମାୟା ବସୁଦେବ ବାଳ ଝିଂକିଲା ତୁହାଇ |୧୩୯|

ପାରିଲେ ରକ୍ଷାକର ଆହୋ ଜଗନ୍ନାଥ

ୟେଡ଼େ ବେଲି କଟାର ଧଇଲା ଦକ୍ଷିଣ ହାଥ |୧୪୦|

ବାମକରେ ବାଳ ଦକ୍ଷିଣ କରେ କରବାଳ

ରୋଷେଣ ଛେଦି ପକାଇଲା ମୁଣ୍ଡ ଭୂଅତଳ |୧୪୧|

ତାହା ଦେଖି ଜଗନ୍ନାଥ ଆକୁଳ ଶରୀର

ଚକ୍ର ହାଥୁଂ ନ ଯାଇ ଚକ୍ଷୁରୁ ବହେ ନୀର |୧୪୨|

ୟେ ମୋହୋର ଭୁବନ ହୋଇଲା ନାରଖାର

ପିତା ସହିତେ ଧରି ନାଶିଲା ମୋହୋର |୧୪୩|

ୟେଡ଼େ ବୋଲି ସ୍ଵାମୀ ଯୋଗଧ୍ୟାୟେ ବସି

ଯହୁଂ ସେ ବନ୍ଦୀ ଉଜାଣି ପବନ ଘରେ ପଶି |୧୪୪|

ପୁରର ଚରିତ ହେତୁ କଲେ ତହିଂ

ଜାଣିଲେ ତଥ୍ୟ କରି ବ୍ରହ୍ମାଣ୍ଡ ଗୋସାଇଂ |୧୪୫|

ୟେହାର ବେଳେ କି ହୁଅଇ ପିତାକୁ ମାରି

ଯେବଣ ଦ୍ଵାରିକା ମୋର ଅଟଇ ଅଜୟେ ଗଡ଼ପୁରୀ |୧୪୬|

ସୁଦ୍ରିଶେଣ ଚକ୍ର ବୁଲଇ ପ୍ରଚଣ୍ଡ

ମାଛି ଉଡ଼ି ପଡ଼ିଲେ ହୁଅଇ ଶତେ ଖଣ୍ଡ |୧୪୭|

ୟେ ପାପୀ ଚାଣ୍ଡାଳା ମୋତେ ଲଗାଇଲା ପ୍ରାସ

ୟେଡ଼େ ବୋଇଲେ ଚକ୍ଷୁ ଫେଇଲେ ଜଗଦୀଶ |୧୪୮|

ଛାମୁରେ ରଥ ଛାଡ଼ି ଶାଲୁ ଅଛି ରହି

ଚକ୍ର ହାଥ ହୋଇଲେ ପ୍ରଭୁ ଭାବଗ୍ରାହୀ |୧୪୯|

କୋପେଣ କୋହାନଳ ଦେବକୀର ବାଳ

ଆରେ ଆରେ ଅଗ୍ୟାନ ମୂଢ଼ ପାମର ଚାଣ୍ଡାଳ |୧୫୦|

ଜନ୍ମ ଜନ୍ମାନ୍ତର ମୋତେ ଚାଳ ରେ ନିୟତ

ୟେହି କ୍ଷଣିକ କଥାୟେ ଯେ ନହୋଇ ରେ ଦତ୍ୟ |୧୫୧|

ରାମ ଅବତାରେ ମୋତେ କଲରେ ଯେମନ୍ତ

ଦାରା ଚଉର୍ଯ୍ୟେ ଆମ୍ଭେ ନାଶିଲୁ ତୁମ୍ଭନ୍ତ |୧୫୨|

ମାୟା ସୀତା ଗୋଟିୟେ ସାଂଗ୍ରାମେ ଦିଲୁ ହାଣି

ତାହା ଦେଖି କ୍ରୋଧ ଯେ ହୋଇଲୁ ନ ଜାଣି |୧୫୩|

ୟେବେହେଂ ପୁଣି ମୋତେ ଚାଳୁରେ ଚାଣ୍ଡାଳ

ତୋହୋ ଛାର ବେଳେ କାହିଂ ପିତାର ଧରୁ ବାଳ |୧୫୪|

ଯେବଣ ଦ୍ଵାରିକା ମୋର ତ୍ରଇଲୋକ୍ୟ ଅଜୟେ

ତୋହୋର ଛାର ପାମର କରୁ ତୁ ଉପାୟେ |୧୫୫|

କୋଟି କୋଟି ସିଂଘ ବଳ ପରାକ୍ରମ ରାମ

ତୁ ଛାର ପାମର କି ତାକୁ ଜିଣିବୁଂ ସାଂଗ୍ରାମ |୧୫୬|

ବାରେ ବାରେ ମୋତେ ଚାଳ ରେ ନିୟତ

ଆଜ ତୁମ୍ଭର ପ୍ରାଣ ହରିଲା ଜନ୍ତୁନାଥ |୧୫୭|

ୟେଡ଼େ ବୋଲି ଚକ୍ର ଘେନିଲେ ଦେବହରି

ରଥରେ ଥାଇଂ ଯେ ଶାଲୁ ତୁସ୍ତି କରି |୧୫୮|

ଜନ୍ମ ଜନ୍ମାନ୍ତରେ ହରି ତବ ଚରଣରେ ଆଶ

ଦିଅସି ନିଜ ସ୍ଥାନ ପରମ ପୁରୁଷ |୧୫୯|

ଅନେକ କାଳ ଦେବ ଉପୁଜିଲେ ଦତ୍ୟପୁରୀ

ୟେ ତୋହୋର ଚକ୍ରକଇଂ ଆଶା ମୁହିଂ କରି |୧୬୦|

ମ୍ଳେକ୍ଷାଦି ଜନ୍ମରୁ ମୋତେ କରସି ମୁକତ

ପାପାଦି ନର୍କ ଘୋର ନ ମିଶୁ ମୋର ଗାତ୍ର |୧୬୧|

ୟେମନ୍ତ ନ କଲେ ନାଥ ଚକ୍ର ମୁଂ ନ ପାଇ

ମୋହୋ ଛାର ବଳେ କି ଦ୍ଵାରିକା ପାରଇ ଯାଇ |୧୬୨|

ଚକ୍ର ପ୍ରାପତ ମୋତେ କର ଜଗନ୍ନାଥ

ମେକ୍ଷ୍ଳ ଜନ୍ମରୁ ମୋତେ କରସି ମୁକତ |୧୬୩|

ୟେତେ ବୋଲି ଚକ୍ରକୁ ପାଡ଼ିଲାକ ଶିର

ସୁଦ୍ରିଶେନ ଚକ୍ର ଯାଇଂ ପଡ଼ିଲାକ ଉପର |୧୬୪|

ଦେବ ବିବାନ ଯେ ଲାଗିଲା ତଡ଼ତି

ବିଷ୍ଣୁର ଭୁବନକୁ ସେ ବଳିଲାକ ଧାତି |୧୬୫|

ଶୁଣ ହୋ ମନୁରାୟେ ପୁଚ୍ଛନ୍ତି ଅଗସ୍ତି

ଜୟେ ବିଜୟେ ସେ ଦ୍ଵାରପାଳ ଅଟନ୍ତି |୧୬୬|

ତିନି ଜନ୍ମ ଲଭି ସେ ପାଇଲେ ମୁକତ

କହସି ଅଗସ୍ତି ସେ ଘଟଋଷିଂକର ସୁତ |୧୬୭|

ଜୟ ତୁ ଶ୍ରୀ ଜଗନ୍ନାଥ ରାଜୀବ ଲୋଚନ

ଦ୍ରଶନ ମାତ୍ରକେ ଦୁଖ ଦରିଦ୍ର ଧ୍ଵଂସନ |୧୬୮|

ପାପାଦି ପାତକ ନାଥ ମୋହୋର କର ଧ୍ଵଂସ

ମେକ୍ଷ୍ଳ ଜନ୍ମରୁ ମୋତେ ତାରିବା ପରମ ପୁରୁଷ |୧୬୯|

ଶ୍ରୀପୁରୁଷୋତ୍ତମ ଚରଣେ ମୋ ଚିତ୍ତ ଅନୁବ୍ରତେ

ଶୂଦ୍ରମୂନି ସାରଳା ଦାସ ଜନ୍ମେ ଜନ୍ମେ ଭୃତ୍ୟେ |୧୭୦|

ୟେଥୁ ଅନନ୍ତରେ ସ୍ଵାମୀ ଦେବ ଜନାର୍ଦ୍ଦନ

ହରଷେ ବିଜୟେ ସ୍ଵାମୀ ଦ୍ଵାରିକା ଭୁବନ |୧୭୧|

ବଇନେତ୍ର ବାହାନୁଂ ଉତୁରିଲେ ଜଗନ୍ନାଥ

ବଳରାମଂକ ଚରଣେ କରନ୍ତି ପ୍ରଣପତ୍ୟ |୧୭୨|

କୁଶଳ ବାରତା ଯେ ପୁଚ୍ଛନ୍ତି ସଂକ୍ରୀଷେଣ

କେବଣ ସଭା ଭିଆଇଲେ ଯୁଝେଷ୍ଠି ଭାଜନ |୧୭୩|

ଲକ୍ଷେକ ରାଜା କି ହୋଇଲେ ସଂକଳ୍ପ

ଅନ୍ନ ସଂସ୍ଥା କଲେ କି ଧର୍ମନୃପ |୧୭୪|

ସମସ୍ତ ରାଜାମାନ ହୋଇଲେ ଟିକି ଶାନ୍ତି

କହସି ଜଗନ୍ନାଥ ରାଜୁସି ଯୁଗତି |୧୭୫|

ବଦୟନ୍ତି କେଶବ ଶୁଣସି ବଳେବର

ଛୟାଣୋଇଂ ସହସ୍ରରାଜା ବନ୍ଦୀଥିଲେଜାରାସନ୍ଧର ଘର |୧୭୬|

ଭୀମହାଥେ ଜାରାସନ୍ଧକୁ ମରାଇ

ଛୟାଣୋଇଂ ସହସ୍ରରାଜା ଆଣିଲୁ ହଳସାଇଂ |୧୭୭|

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ

ସମସ୍ତ ରାଜାମାନେ ଅଇଲେ ବରଣ |୧୭୮|

ଚାରିଉଣା ଲକ୍ଷେ ରାଜା ଅଇଲେ ଗଣନ

ଲଂକାରୁ ଅଣାଇଲୁ ରାଜା ବିଭୀଷେଣ |୧୭୯|

ତିନିରାଜା ସନ୍ୟବଳ ସଜମତ

ଶୁଦ୍ଧ ସୁବର୍ଣ୍ଣରେ କରାଇଲୁ ନିର୍ବାଣିତ |୧୮୦|

ସ୍ଵାମୀ ବହୁତ ଅସଖ୍ୟ କହିଣ ନ ଯାଇ

ନାହିଂ ନୋହିବ ୟେ ତ୍ରଇଲୋକ୍ୟରେ ମହୀ |୧୮୧|

ପାତାଳୁଂ ଅନନ୍ତ ସହିତେ ଆସଇ

ଲକ୍ଷେ ରାଜାଂକର ମୁକୁଟ ଯୁଝେଷ୍ଠି ଦେବଙ୍କ ଚରଣେ ଲୋଟଇ |୧୮୨|

ବଳରାମେ ବୋଇଲେ ଶୁଣ ଜଗନ୍ନାଥ

ପାଣ୍ଡବଂକ ଶଉର୍ଯ୍ୟ କାହିଂ ହୋଅଇ ୟେମନ୍ତ |୧୮୩|

ୟେ ତୋହୋର ଭିଆଣ ସିନା ସବୁ ଚକ୍ରଧର

ତେଣୁ ସେ ଯାଗ କଲେ ଯୁଝେଷ୍ଠି ଠାକୁର |୧୮୪|

ଶୁଦ୍ଧ ସୁବର୍ଣ୍ଣ ସେ ଆଣିଲେ ୟେଡ଼େ କାହୁଂ

କେମନ୍ତେ ରାଜା ସେ ଗଢ଼ାଇଲେ ମହାବାହୁ |୧୮୫|

ଗୋବିନ୍ଦ ବୋଇଲେ ହୋ ଶୁଣିମା ହଳହସ୍ତ

ବହୁତ ଧନ ଦିଲା ଜାରାସନ୍ଧର ପୁତ୍ର |୧୮୬|

ସକଳ ଦେଶରୁ ଯେ ଅଇଲେ ନୃପତ୍ୟ

ଦେଖା ଦରଶନ ଧନ ଅନେକ ଅପ୍ରମିତ |୧୮୭|

ପାଣ୍ଡବଂକର ଧନ ଦ୍ରବ୍ୟ ଦେବ କିଞ୍ଚିତ ମାତର

ଶୁଣିଣ ହରଷ ହୋଇଲେ ରେବତୀର ବର |୧୮୮|

କ୍ଷଣେକେ ହରଷ ହୋଇ ବୋଲନ୍ତି ସଂକ୍ରିଷେଣ

ହରି ଭୀମକୁ ନୁଆଣିଲୁ ସୁମ୍ଭର ସଙ୍ଗତେଣ |୧୮୯|

ଜାରାସନ୍ଧକଇଂ ଯେ ବଧିଲା ମାରୁତି

ତାହାକୁ ଆଣିଲେ ନଗ୍ରେ ଉତ୍ସବେ କରାନ୍ତି |୧୯୦|

ଯେବଣ ଭୟେ ଦ୍ଵାରିକା ନ ରହି

ସମୋଦ୍ରେ ଠାବ ନ ଦିଲା ଦେଖିଲୁ ନା ତୁହି |୧୯୧|

ଧନ୍ୟ ଧନ୍ୟରେ ପାଣ୍ଡବ ବୀରବର ଭୀମ

ଆମ୍ଭର ତାପ ଭୟେ ଜଡ଼ାଇଲୁ ମନ |୧୯୨|

ଜଗନ୍ନାଥେ ବୋଇଲେ ଦେବ ତୁମ୍ଭର ଯେବେ ଦୟେ

ଅଣାଇବା ପାଣ୍ଡବଂନ୍ତ ଶୁଣ ଦେବରାୟେ |୧୯୩|

ବଳଦେବଂକ ଆଗେ ବୋଲନ୍ତି ନାରାୟଣ

ମନ୍ୟ ଧର୍ମ କରିଣ ବିଜୟେ ତତକ୍ଷଣ |୧୯୪|

ନିଜ ଭୁବନେ ଯାଇଂ ବିଜୟେ ଜଗନ୍ନାଥ

ମାତା ପିତାକଇଂ ପାଦେ ହୋଇଲେ ଭଗତ |୧୯୫|

ମୁଣୋହି ଯୋଗାଡ଼ ଯେ କରନ୍ତି ଋକ୍ମିଣୀ

ଅଷ୍ଟ ପାଟବଂଶୀରେ ଶ୍ରେଷ୍ଠ ଅଟନ୍ତି ଭୀଷ୍ମେକ ନନ୍ଦିନୀ |୧୯୬|

ମୁଣୋହି ସାରିଣ ଆଞ୍ଚୋବନ ଦେବରାୟେ

ଚନ୍ଦ୍ରଶାଳା ପୁରେ ନାରାୟଣ କଲେକ ବିଜୟେ |୧୯୭|

ଋକ୍ମିଣୀ କହନ୍ତି ସ୍ଵାମୀଂକର ଅଗ୍ରତେ

ପ୍ରଦ୍ୟୁମ୍ନ ସ୍ଵନକ୍ଷତ୍ର ବନ୍ଦାପନା ଯୁଗତେ |୧୯୮|

ତିଥିବାର ନକ୍ଷତ୍ର ଖୋଜ ଅନୁକୂଳ

ଯୋଗ କରିଣ ଯେ ତାର ଚନ୍ଦ୍ରବେଳ |୧୯୯|

ଶୁଣିଣ ଶ୍ରୀହରି ଯେ ହୁଅନ୍ତି ହସ ହସ

କହନ୍ତି ଭୀଷ୍ମେକ ନନ୍ଦେନୀ ଶ୍ରୀକୃଷ୍ଣଂକର ପାଶ |୨୦୦|

ସନିଧ୍ୟ୍ୟେ ହକାରିଲେ ବିନତା କୁମର

ଶ୍ରୀକୃଷ୍ଣ ପାଦେ ଯାଇଂ କଲାକ ନମସ୍କାର |୨୦୧|

ତୁହୋ ଖଗବର ଚଳସି ଧାତିକାର

ବେଗେଣ ଯିବୁ ତୁହି ଇନ୍ଦ୍ରପ୍ରସ୍ତପୁର ।୨୦୨।

ଯୁଝେଷ୍ଠି ଦେବ ଠାକୁର ଦ୍ରୋପତୀ ସହିତେ

ଚାରିଭାଇ ଘେନି ତୁ ଆସ ହୋ ତୁରିତେ ।୨୦୩।

ଆମ୍ଭର ବନ୍ଧୁ ସୋଦର ପୀରତିଟି ସେହି

ପଦ୍ମନ ସ୍ୱନକ୍ଷତ୍ର ବୋଲି କହିବୁଟି ଯାଇଂ ।୨୦୪।

ବଡ଼ ବେଗେ ଆସି ବିନତା କୁମାର

ଶ୍ରୀକୃଷ୍ଣଂକ ବଚନେ ଗରୁଡ଼ ଚଳିଲା ଧାତିକାର ।୨୦୫।

ପ୍ରବେଶ ହୋଇଲା ସେ ବରୁଣା ପର୍ବତେ

ଯହିଂ ସେ ବିଜୟେ ରାଜା ଧର୍ମସୁତେ ।୨୦୬।

ସକଳ ସମ୍ଭାଷଣା କହଇ ଖଗେଶ୍ୱର

ଠାକୁରଂକର ଆଗ୍ୟାଂୟେ ସେ ଅଇଲି ନିରାଧାର ।୨୦୭।

ପଦ୍ମନର ବନ୍ଦାପନା ବିଧି ଯେ ଯୁଗତ

ଦ୍ରୋପତୀ ସହିତେ ତୁମ୍ଭେ ଚଳସି ପଞ୍ଚୁଭ୍ରାଥ ।୨୦୮।

ହରଷ ଧର୍ମସୁତ ପଚ୍ଛୀର ବଚନେ

ଅନ୍ତେଶ୍ୱର ପୁରେ ପଶିଲେ ଦେବ ଧର୍ମେ ।୨୦୯।

ଦ୍ରୋପତୀଂକି କହିଲେ ସକଳ ଚରିତ

ଆସ ଗୋ ଜିଘ୍ନସେନୀ ଯିବା ଜଗନ୍ନାଥେ ପେଷିଛନ୍ତି ଦୂତ ।୨୧୦।

ପଦ୍ମନ ଉତ୍ସବ ଚରିତ ବିଧାନ

ନେମାକୁ ଆସିଛନ୍ତି ବିନତା ନନ୍ଦନ ।୨୧୧।

ହରଷ ଦ୍ରୋପତୀ ଯେ ଧର୍ମଂକ ବଚନେ

ଆମ୍ଭର ବନ୍ଧୁ ସେ ଅଦନ୍ତି ଭଗବାନେ ।୨୧୨।

ତାହାଂକର ବ୍ୟତ୍ରକେ ଆମ୍ଭର ନାହିଂ କେହି

ଚାଲ ଯିବା ଆମ୍ଭେ ଗରୁଡ଼ ଆରୋହି ।୨୧୩।

ଯୁଝେଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ

ଦ୍ରୋପତୀ ସହିତେ ବସି ଚଳିଲେକ ସର୍ବ ।୨୧୪।

ଆହୋ ଚଇତନ ଦ୍ୱାରିକା ଭୁବନେ ହୋଇଲେ ପରବେଶ

ଅଷ୍ଟଯାଟବଂଶୀମାନେ ଦ୍ରୋପତୀଂକି ଦେଖିଣ ହୋଇଲେ ହରଷ ।୨୧୫।

ଆମ୍ଭର ଭାଗ୍ୟେ ଯେ ଦେଖିଲୁ ଦ୍ରୋପତୀ

ଦୁଷ୍କୃତମାନ ନାଶି ସକଳ ପାପ ଚ୍ଛେଦୀ ।୨୧୬।

ଦ୍ରୋପତୀଂକ ପାଦରେ କରନ୍ତି ସେ ମାନ୍ୟ

ଅନେକ ପୂଜା ବିଧି କଲେକ ପୟରେଣ ।୨୧୭।

ଯୁଝେଷ୍ଠି ଦେବଂକୁ ଯେ ନାରାୟଣ ଦେଖି

ଦଣ୍ଡ ପ୍ରଣପତ୍ୟ କଲେ ଆସନ ଉପେକ୍ଷି ।୨୧୮।

ଗୋବିନ୍ଦଂକ ପାଦେ ଅର୍ଜୁନ ପରିଣାମି

ଦେଖିଣ କୃତ କୃତ ହୋଇଲେ ଦେବସ୍ୱାମୀ ।୨୧୯।

ନକୁଳ ସହଦେବ କରନ୍ତି ନମସ୍କାର

କୋଳକରି ସନ୍ନିଧ୍ୟେ ବସାଇଲେ ଚକ୍ରଧର ।୨୨୦।

ବଳଦେବଂକୁ ଦେଖିଣ ପଞ୍ଚୁ ୟେ ପାଣ୍ଡବେ

ହୋଇଲେ ପ୍ରଣପତ୍ୟ ପୂର୍ବାପୂର୍ବ ଭାବେ ।୨୨୧।

ଆସ୍ଥାନରେ ବସିଲେ ୟେକ ସଙ୍ଗ ହୋଇ

ପଦ୍ମନର ବନ୍ଦାପନା ସାରିଲେକ ତହିଂ ।୨୨୨।

ୟେଥୁ ଅନ୍ତରେଣ ଦିନା ପାଞ୍ଜ ଶେଷେ

ଯୁଝେଷ୍ଠି ଦେବେ କହିଲେ ଜଗନ୍ନାଥଂକର ପାଶେ ।୨୨୩।

ଆଗ୍ୟାଂ ଦିଲେ ଯିବୁ ଆମ୍ଭେ ମାତାୟେ ଛନ୍ତି ୟେକା

ପୁର ତୁଚ୍ଛା ହୋଇଅଛି କେହି ନାହିଂ ସାଖା ।୨୨୪।

ଜଗନ୍ନାଥ ଦେବଂକୁ ମେଲାଣି ପୁଣି ମାଗି

ଦ୍ରୋପତୀ ସଜ ସେ କରାନ୍ତି ବେଗି ବେଗି ।୨୨୫।

ବହୁତ ହରଷ ହୋଇଲେ ବିଷ୍ଣୁଂକ ପାଟରାଣୀ

ଜଣେ ଜଣେ ପାଦ ପୂଜା ବସ୍ର ଦିଲେ ଆଣି ।୨୨୬।

ଚାରି ପାଣ୍ଡବନ୍ତ ଭାଇ ବୋଇଲେ ଧର୍ମସୁତ

ଦିନା ଚାରି ରହି ତୁମ୍ଭେ ଯିବଟି ତୁରିତ ।୨୨୭।

ଦ୍ରୋପତୀଂକି ଘେନି ଆମ୍ଭେ ଯାଉଅଛୁଂ ପୂର

ପତି ପତ୍ନୀ ଦୁହେଂ ବିଜେ କଲେ ଗରୁଡ଼ ପିଠିର ।୨୨୮।

ଦ୍ୱାରିକାଉଂ ବାହର ସେ ହୋଇଲେ ତଡ଼ତି

ବାରୁଣାବନ୍ତପୁର ନିଅଡ଼େ ଦେଖି ଜ୍ୟୋତି ।୨୨୯।

ଧବଳ ଜ୍ୟୋତିପରୁ ଦେଖି ଧର୍ମସୁତ

ଦ୍ରୋପତୀଂକି ବୋଇଲେ କୋଇନ୍ତୀଂକ ଜ୍ୟୋଷ୍ଠପୁତ୍ର ।୨୩୦।

ଆଗୋ ଧବଳପୁର କାହାର ନିର୍ମଳ ଦିଶଇ

ଶୁଣିଣ ହସିଲେ ଯେ ଦ୍ରୋପଦ ତନୟୀ ।୨୩୧।

ସେ ପୁର କାହାର ତେଣେ କିସ କାର୍ଯ୍ୟ

ଆମ୍ଭର ସୋଦର ବନ୍ଧୁ ଅଟନ୍ତି ଦେବରାଜ ।୨୩୨।

ସେ ଭୁବନର କଥା ନ କହ ମମ ଠାଇଂ

ତୁମ୍ଭର ସୋଦରଂକର ସେ ନବର ଅଟଇ ।୨୩୩।

ଦ୍ରେପତୀଂକର କହନ୍ତେ ସେ ଧର୍ମରାୟେ କହି

ଆମ୍ଭର ବଚନ ତୁମ୍ଭେ ନ କରିବ ନାହିଂ ।୨୩୪।

ଅପାର ଦିନ ହୋଇଲାନି ପିତାଂକୁ ନାହିଂ ଭେଟ

ଯିବଇଂ ହସ୍ତିନାପୁର ନ କର ସଂକଟ ।୨୩୫।

ମାତାଂକର ଆଗରେ କହିବୁ ୟେହୁ କଥା

ତୁମ୍ଭେ ପ୍ରବେଶିଲେ ତାହାଂକ ମନେ ନ ରହିବ ବ୍ୟଥା ।୨୩୬।

ସୋଦର ଦେଖିଣ ମୁଂ ଚଳିବି ତୁରିତ

ମୋହୋର ମେନ ତ ନ ଥାଇ ହିଂସାକୃତ ।୨୩୭।

ମୋହୋର ଶପଥ ତୁମ୍ଭଂକୁ ନ କରସି ନାହିଂ

ତୁମ୍ଭନ୍ତ ଗରୁଡ଼ ଯେ ଛାଡ଼ି ଆସୁ ଯାଇ ।୨୩୮।

ୟେହିକ୍ଷଣି ଆମ୍ଭେ ଆସିବୁଂ ପାଲଟି

କେବଳ ଦେଖାଦେଖି ହେବୁଂ ଭେଟାଭେଟି ।୨୩୯।

ଦ୍ରୋପତୀ ବୋଇଲେ ଯେବେ ସୋଦର ଦେଖି ସଧ

ବେଗ ହୋଇ ଆସ ଭାଇମାନେ ନାହାଂନ୍ତି ସନ୍ନିଧ୍ୟ ।୨୪୦।

ୟେସନେକ ତିଆରିଣ ଦେବୀ ସେ ପାଞ୍ଚାଳୀ

ବଇନେତ୍ର ଆରୋହିଣ ବାରୁଣାବନ୍ତେ ମିଳି ।୨୪୧।

ଯୁଝେଷ୍ଠି ଦେବେ ଗଲେ ଧୃତିରାଷ୍ଟଂକୁ ଦେଖି

ୟେଥୁ ଅନନ୍ତରେ କପଟ ପଶା ଚରିତ ଉପଲେଖି ।୨୪୨।

ଶୁଣ ହୋ ମନୁରାୟେ ୟେସନେକ ଚରିତ

ୟେଠାରୁ ସଭାପର୍ବ ହୋଇଲା ସମାପତ ।୨୪୩।

ୟେଥୁ ଅନନ୍ତରେ କପଟ ପଶା ରସ

ୟେ ସଭା ପର୍ବରେ ଯେତେ କୃତ୍ୟ କଲେ ହୃଷୀକେଶ ।୨୪୪।

ୟେହା ଗାଇ ଶୁଣି ଶୁଣାଇଲେ ସେମାନେ ହୋନ୍ତି ହରିଦାସ

ଶ୍ରୀଦୁର୍ଗାଚରଣେ ଶରଣ କବି ସାରୋଶ ଚଣ୍ଡୀଦାସ ।୨୪୫-୧୩୦୦୩।

 

Unknown

ପଶାଖେଳ ଓ ସଭାକୁ ପାଣ୍ଡବଂକ ଆଗମନ

ଯେଥୁ ଅନନ୍ତରେ ସେ କପଟ ପଶା ଖେଡ଼

କୂଟ ଭିଆଇବ ସେ ଶକୁନି ମହାମୂଢ଼ ।୧।

ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି

କପଟ ପଶା କରିଛି ଶକୁନି ମହାମନ୍ତ୍ରୀ ।୨।

କୁମ୍ଭ ଋଷିନନ୍ଦନ ଚରଣ ମମ ହୃଦେ

କହିବି ମହାଭାରଥ ତୋହୋର ପରସାଦେ ।୩।

ବହୁତ ବିନୋୟୀ ଯେ ବୋଇଲା ଫାଲଗୁନି

ତୋହୋର ପ୍ରସାଦେ ନାଥ ଧଇଲି ମେଦିନୀ ।୪।

ଅର୍ଜୁନକୁ ସମାର୍ଜନା କରିଣ ଦେବରାଜେ

ଦ୍ୱାରିକାକୁ ନାରାୟଣ ଗରୁଡ଼ ପିଠିରେ କଲେ ବିଜେ ।୫।

ଯୁଝେଷ୍ଠିଂକ ଛାମୁରେ କହିଲେ ଶ୍ରୀବଚ୍ଛି

ଆଗ୍ୟାଂ ଦେବା ମୁକୁ ମୁଂ ଦ୍ୱାରିକାକୁ ଯାଉଅଛି ।୬।

ଯୁଝେଷ୍ଠିଂକ ଆଗ୍ୟାଂ ପାଇ ଚଳନ୍ତି ଦେବହରି

ବିଜୟେ ଜଗନ୍ନାଥ ଦ୍ୱାରାବତୀ ପୁରୀ ।୭।

ଭୀମ ଅରଜୁନ ଯେ ନକୁଳ ସହଦେବ

ଜଗନ୍ନାଥଂକୁ ପାଛୋଟି ଗଲେ ଚାରି ଯେ ପାଣ୍ଡବ ।୮।

ଯୁଝେଷ୍ଠି ଦେବ କହିଲେ ଯେ ଦିବ୍ୟ ବାକି

ଚାଲ ଆମ୍ଭେ ଯିବା ଧୃତିରାଷ୍ଟଂକ ତହିଂକି ।୯।

ମିଥୁନ ମାସ ଶୁକ୍ଳପକ୍ଷ ତୃତୀୟା ବୁଧବାର

ଅଶ୍ଳେଷା ନକ୍ଷତ୍ରକୁ ଭୋଗ ଦଣ୍ଡ ତେର ।୧୦।

ତେର ଦଣ୍ଡ ଉତ୍ତାରେ ମଗାସିଂହରାଶି

ଯିବାପାଇଂ ଅନୁକୂଳ ବିଚାରନ୍ତି ବସି ।୧୧।

ବିଷ୍ଟିନାମେ କରଣ ଦ୍ୱାଦଶ ଦଣ୍ଡ ପରିଯନ୍ତେ ।

ନାଗ ନାମେ ଯୋଗ ସମ୍ପୂର୍ଣ୍ଣ ଯୁଗତେ ।୧୨।

ନଇଋତେ ଯୋଗ୍ନୀ ଯେ ନାରାୟଣୀ ମୂର୍ତ୍ତି

ଯୁଝେଷ୍ଠି ଦେବଂକ ବିଜୟ କାଳେ ଅଗ୍ରତେଣ ସ୍ଥିତି ।୧୩।

ଯୁଝେଷ୍ଠିଦେବ ସଜ ହୋଇଲେ ଧୃତରାଷ୍ଟକଇଂ ଦେଖିବାକୁ

ଭୀମ ଅର୍ଜୁନ ନ ଜାଣନ୍ତି ୟେହାଂକର ଯିବାର ବେଳକୁ ।୧୪।

ଶ୍ୱେତ ହସ୍ତୀ ଗୋଟିୟେ ଆରୋହି ଯେ ଯୁଝେଷ୍ଠି ରାଜନ

ବିଜୟେ ଧର୍ମ ନନ୍ଦନ ଯାଇଂ ହସ୍ତିନା ଭୁବନ ।୧୫।

ନକୁଳ ସହଦେବ ଭୀମସେନ କିରୀଟୀ

ୟେମାନେ ଯାଇଛନ୍ତି ଜଗନ୍ନାଥକଇଂ ପାଛୋଟି ।୧୬।

ବିଜୟେ ଧୃତିରାଷ୍ଟ ଚନ୍ଦ୍ରଶାଳା ମନ୍ଦିରେ

ଯୁଝେଷ୍ଠି ଦେବେ ବିଜୟେ କଲେ ସିଂଘଦ୍ୱାରେ ।୧୭।

ମହାନାଗ ପିଠି ତେଜ୍ୟା କଲେ ଧର୍ମରାଜା

ଶ୍ରୀଚରଣେ ଯାଇଂ ସେବା କଲେ ଧର୍ମର ତନୁଜା ।୧୮।

ଧୃତିରାଷ୍ଟର ଚରଣେ ଜମାନ୍ତି ସଞ୍ଚୟେ

ଯୁଝେଷ୍ଠି ଦେବ ତୋହୋର ଛାମୁରେ ବିଜୟେ ।୧୯।

ଅମ୍ବିକାର ନନ୍ଦନ ଦରାଣ୍ଡଇ ଚଉକତି

ବାବୁ ସୋମବଂଶର ସାଧୁ ମୋହୋର ଯେ କୁମର ଉତପତ୍ତି ।୨୦।

ମୁହିଂ ମହାପାତକୀ ଅସାଧୁ ପଣେ ଅବତରି

ମୋହୋର ପୋୟେ ହୋଇଲେ ଅଶେଷ ଦ୍ୱନ୍ଦକାରୀ ।୨୧।

ବାବୁ ତୋହୋର ପ୍ରାୟେକ ପୁତ୍ର ଜାତ ହୋଉ

ଦ୍ରିଯୋଧନ ପ୍ରାୟେକ ଶତେ ପୁତ୍ର ନୋହୁ ।୨୨।

କର୍କଶ ମଧୁ ପିଙ୍ଗଳ ପ୍ରକୃତି ତାହାର ନଷ୍ଟ

ସେ ପୁତ୍ର ଥିଲେ ବାବୁ ବଂଶକୁ ବଡ଼ କଷ୍ଟ ।୨୩।

ଯଦ୍ୟପି ପୁତ୍ରେ ମୋହୋର ହୋଇବେ ମନ୍ଦଭାଗୀ

ତୁହି ସେ ଧର୍ମଶୀଳ ଦୋଷ ତାଂକର କରିବୁ ପରିତ୍ୟାଗୀ ।୨୪।

ବାବୁ ପାପକୁହିଂ ପୁଣ୍ୟ ସହିବ କି ସର୍ବକାଳେ

ପାପଇଂ ନାଶ ଯାଇଟି ପୁଣ୍ୟ ବର୍ଦ୍ଧୁତ ବେଳେ ।୨୫।

କଦାଶ୍ଚିତେ ବାବୁ କୋପ ନ କରିବୁ ଦ୍ରିଯୋଧନକୁ

ୟେବେ ଚଳିଯାଅ ବାବୁ ହସ୍ତିନା ସଭାକୁ ।୨୬।

ଯୁଝେଷ୍ଠି ଦେବ କହିଲେ ତାତ କହିଲ ନ ବିଚାରି

ଦ୍ରିଯୋଧନର ସହୋଦ୍ର ପଣକୁ ମୋତେ ଭୀମା ନୋହେ ସରି ।୨୭।

ସ୍ୱାମୀ ଯେବଣ ଭଣ୍ଡାର ମୋର ସମ୍ଭାଳି ମହାଯୋଗେ

ଧନେ କଳନ୍ତା ନୋହିଲା କେହୁ ମୋତେ ଦ୍ରିଯୋଧନର ଅନୁରାଗେ ।୨୮।

ଭୋ ତାତ ଲକ୍ଷେ ରାଜାଂକର ଯେତେ ଦେଖା ଦରଶନି ଧନ

ଭଣ୍ଡାରେ ପୂରୋଇ ରାତ୍ର ଦିବସେ ଦିୟେ ଦାନ ।୨୯।

କେମନ୍ତେ ହେଂ ସୁଝି ପାରି ସେ କାଳର ୟେତେ ଗୁଣ ।୩୦।

ଭୋ ତାତ ଚକ୍ଷୁହୀନ ପଣେ ଦୁର୍ବୁଦ୍ଧି କଥା କହୁ

ଦ୍ରିଯୋଧନ ପରାୟେକ ସହୋଦ୍ର ମୋତେ ସର୍ବକାଳେ ହୋଉ ।୩୧।

ଧୃତିରାଷ୍ଟ ବୋଇଲା ବାବୁ ନିସ୍ତରିଲି ନିସ୍ତରିଲି ମୁହିଂ

ତୋହୋର ତହିଂ ମୋହୋର ପୁତ୍ର ଅଛି ୟେଡେ ଯଶ ଉପୁଜାଇ ।୩୨।

ଅନେକ ପ୍ରଶଂସା କଲେ ତାଂକୁ କୁରୁରାୟେ

ସଭାର ଆସ୍ଥାନେ ଯାଇଂଣ ଯୁଝେଷ୍ଠି ଦେବ ବିଜୟେ ।୩୩।

ଭାଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନି ଭୂରିସର୍ବାଂକୁ

ନମସ୍କାର କଲେ ଦେବ ଗୁରୁଜନ ମାନଂକୁ ।୩୪।

ସଭାର ମଧ୍ୟ ସ୍ଥାନେ ଦେବ ହୋଇଲେକ ଉଭା

ଦ୍ରିଯୋଧନ ଛାଡ଼ି ଆଉ ସର୍ବେ କଲେ ସେବା ।୩୫।

ଦୁଜ ଖମ୍ବ ମାଡ଼ି ବସି ଅଛଇ ଶକୁନି

ଆପଣେ ଆପଣେ ପାଡ଼ଇ ୟେ ପଶାକାଠି ଘେନି ।୩୬।

ପଶା ଦେଖି ଯୁଝେଷ୍ଠି ବସିଲେ ତାର ଛାମୁ

ବୋଇଲେ ଯୁଝେଷ୍ଠି ପଶା ଖେଲିବାକି ମାମୁଂ ।୩୭।

ଅଣ୍ଟିରୁ ଆପଣେ ଯେ କାଢ଼ିଲେ ଖଡ଼ି ଗୋଟି

ପସା କୋଠି କାଟନ୍ତି ତହିଂ ଧର୍ମ ଯଏ ଯୁଝେଷ୍ଠି ।୩୮।

ଦ୍ୱାଦଶ କୋଠି ତିନି ଛକ ଚରଣ ଶିର

ବଇଜୟନ୍ତି ମାଳା ଯେ ଲେଖନ୍ତି ଯୁଝେଷ୍ଠିର ।୩୯।

ହରଷେଣ ମହାରାଜା କାଟିଲେ ୟେକବେଳେ

ଦେଖିଣ ଆଶ୍ରିର୍ଯ୍ୟ ଯେ ହୋଇଲେ ସକଳେ ।୪୦।

ଦ୍ରିଯୋଧନ ବୋଇଲା ମାତୁଳ ହୋ ପଛଘୁଞ୍ଚ

ଯୁଝେଷ୍ଠିଂକର ତୁଲେ ତୁଲେ ମୋହୋର ଖେଡ଼ ସଞ୍ଚ ।୪୧।

ପୂର୍ବେଣ ଯୁଝେଷ୍ଠି ଯେ ପଚ୍ଛିମେ ଦ୍ରିଯୋଧନ

ମଧ୍ୟ ପାରୁଷେ ବସିଲା ଶକୁନି କୂଟ ଗ୍ୟାନ ।୪୨।

ମାନଗୋବିନ୍ଦ ମୁଖ ଚାହିଂ ବୋଲନ୍ତି ଧର୍ମରାଜା

ଖେଳକୁ କିସ ବାବୁ କରିବା ପରିଜା ।୪୩।

ଯୁଝେଷ୍ଠିଂକ ବଚନେ ମାନଗୋବିନ୍ଦ ଯେ ପୁଚ୍ଛି

ମୋହୋର ପରିଜା ହୋଇଲା ଶରୀରେ ଯେତେ ଅଳଂକାର ଅଛି ।୪୪।

ଆଭରଣ କାଢିଣ ଥୋଇଲା ରାୟେ ଭୂମି

ଦେଖି ବିଚାରନ୍ତି ଧର୍ମରାୟେ ସ୍ୱାମୀ ।୪୫।

ଆପଣା ଶରୀରେ ଥିଲା ଯେତେକ ଅଳଂକାର

ଶରୀରୁ କାଢ଼ି ସେ ଥୋଇଲେ ଦେବ ଯୁଝେଷ୍ଠିର ।୪୬।

ସମସ୍ତ ଅଳଂକାର ମାନ ଥୋଇଲେ ଭୂମିଗତ

ଯୁଝେଷ୍ଠି ଦେବ ବୋଇଲେ ୟେହି ସେ ଯୁଗତ ।୪୭।

ରାଜାୟେ ରାଜାୟେ ଯୁଗତେ ଖେଳେ ପୀଢ଼ କତରି

ତତକ୍ଷଣେ ଦେଇଟି ୟାହା ପଶାରେଣ ହାରି ।୪୮।

ଦ୍ରିଯୋଧନ ବୋଇଲା ହୋ ୟେହି ଯୁଗତ

ଯୁଝେଷ୍ଠି ଦେବେ ବୋଇଲେ ଯାହା ମୋହୋର ସନମତ ।୪୯।

ଦ୍ରିଯୋଧନ ବୋଇଲା ଶକୁନିକୁ ଚାହିଂ

ସବୁ ଧର୍ମ ମାତୁଳ ଅଛଇ ତୋର ତହିଂ ।୫୦।

ଆମ୍ଭ ବେନି ତୁଲ କରିତୁ ପାଉଥିବୁ ପଶା

ଓହୋ କୁଳକୁ ୟେକ ତୁଲ ହୋଇବ ମନୀଷା ।୫୧।

ଯେ ସେ ମଧ୍ୟପାତ୍ର ପ୍ରତକ୍ଷେ ଅଟଇ ସେ ଧର୍ମ

ତୋହୋର ପାଡ଼ିଲେ ହାରଜିଣ ଯେହ୍ନେକ ଆମ୍ଭର କର୍ମ ।୫୨।

ପାଡ ହେ ଶକୁନି ତୁ ଗୋରେଖ ସୁମରି

ବେନି କୁଳ ଜିଣୁ ଆମ୍ଭେ ଯେମନ୍ତେ ନ ହାରି ।୫୩।

କୂଟ ପଶା ୟେକ ଘେନିଣ ନରପତି

ସୁମରଇ ଶକୁନି ଗୋରେଖ ମହାଯତୀ ।୫୪।

ବେନି ଲକ୍ଷ ଅମୂଲ୍ୟ ରତ୍ନ ଥିଲା ଦ୍ରିଯୋଧନର ହୃଦେ

ଧାତିକାରେ ପୀଢ଼ କଲା ରାଜା ମାନଗୋବିନ୍ଦେ ।୫୫।

ସହସ୍ରେକ ରତ୍ନ ଯୁଝେଷ୍ଠିର ତହିଂ ଥିଲା

ତହିଂକି ତତୁଲ୍ୟ ଯେ ମାନଗୋବିନ୍ଦ ସହିଲା ।୫୬।

ପାତଇ ଶକୁନି ଯେ ସୁମରଇ ଜାହ୍ନବୀ

ମମ ପିତାମହ ଯେ ପୂର୍ବେଣ ତୋତେ ସେବି ।୫୭।

ପିତାକୁ ମାଇଲା ମୋର ଦ୍ରିଯୋଧନ ପଥର ଘରେ ଭରି

ତହିଂକି କାରଣ କରିବାକୁ ମୁଂ ନୋହୋଇ ତ ସରି ।୫୮।

ତୋହୋର ଆଗ୍ୟାଂୟେ ମୁଂ ପାରଇ ଅବା ଜିତି

ବଂଶକଇଂ କାରଣ ଗୋ କରାଇବା ଆଜ ଶାନ୍ତି ।୫୯।

ଆଜର ପଶାରେ ଯୁଝେଷ୍ଠି ହାରଇ ଯେମନ୍ତେ

ରାଜ୍ୟଭାର ସିଂହାସନ ଦ୍ରିଯୋଧନ କଇଂ ଦିଆଇବି ୟେମନ୍ତେ ।୬୦।

କଉରୋବଂକୁ ହସ୍ତେ ପାଣ୍ଡବନ୍ତ ଦିଆଇବି ଶାସ୍ତି

କେଶ ଆକର୍ଷଣ ଆଜ କରାଇବି ଦ୍ରୋପତୀ ।୬୧।

ସେ ପାଞ୍ଚାଳୀର ଜିଂଘାସେ କୋପିଣ ଭୀମସେନ

ତେବେ ସିନା ନାଶ ଯିବେ କଉରୋବ ମାନ ।୬୨।

ତୁ ଦେବ ପରମ ପଣ୍ଡିତ ଅଟୁ ହୋ ଗୋରେଖ

କାଠି ହସ୍ତେ ଘେନି ବୋଲେ ମୋତେ ହରାଇବା ସମ୍ପକ୍ଷ ।୬୩।

ପାଡଇ ମନ୍ତ୍ରୀବର ବୋଲଇ ଜିତଜିତ

ପ୍ରଥମ ପୀଢ଼ ଯେ ପାଡିଲା କୁରୁନାଥ ।୬୪।

ପାଞ୍ଚ ଯେ ଯୁଝେଷ୍ଠି ଚାରି ଯେ ଧୃତିରାଷ୍ଟ୍ରି

ପାଡନ୍ତେ ପଡିଲା ଯେ ଚାରିପୀଢ଼ ଗୋଟି ।୬୫।

ଦ୍ରିଯୋଧନ ବୋଇଲା ଖଡ଼ି ଦିଅ ମୋତେ

ମୋହୋର ପୀଢ଼ ଯେ ହୋଇଲା ଯୁଗତେ ।୬୬।

କଳିକାଳ ସୁମରି ପାଡିଲା ମହାମନ୍ତ୍ରୀ

ପ୍ରଥମ ଦାନ ଯେ ପଡିଲା ଚଉକତି ।୬୭।

ପ୍ରଥମ ପୀଢ଼କ ଯେ ହାରିଲେ ଯୁଝେଷ୍ଠି

ଅଳଂକାରମାନ କାଢ଼ି ଆଣିଲା ଧୃତିରାଷ୍ଟ୍ରି ।୬୮।

ଦ୍ରିଯୋଧନ ବୋଇଲା ମୋହୋର ମୁକୁଟ

ତିନିଂକ ତୁଲ କରି ସର୍ବ ରତ୍ନ ଘଟ ।୬୯।

ପାଡ ପାଡ ମାତୁଳ ବୋଲିଣ ବୋଇଲା

ପାଡନ୍ତେ ବେନି ଦାନ ଚଉକା ପଡ଼ିଲା ।୭୦।

ଦୁତୀୟ ପୀଢ଼ ଯେ ହାରିଲେ ଯୁଝେଷ୍ଠି

ଅଳଂକାରମାନ ସବୁ ନିଲେ ଧୃତିରାଷ୍ଟି ।୭୧।

ଦ୍ରିଯୋଧନ ବୋଇଲେ ତୁମ୍ଭ କର୍ଣ୍ଣର କୁଣ୍ଡଳ

ତହିଂକି କଚ୍ଛ ୟେହାର ୟେ ରତ୍ନମାନ ସକଳ ।୭୨।

ଦୁଇରାଜାଂକର ଯେତେକ ଭୂଷଣ

କୁଣ୍ଡଳକୁ କଚ୍ଛ ଯେ କଲାକ କୁରୁରାଣ ।୭୩।

ହାରନ୍ତେ କୋପ ଯେ କଲେ ଧର୍ମବାଳ

କର୍ଣ୍ଣରୁ କାଢ଼ିଲେ ଦେବ ଅମୃତ କୁଣ୍ଡଳ ।୭୪।

ସତ୍ୟଯୁଗେ ଯାଗ କଲେକ ଯଯାତି

ଚନ୍ଦ୍ର ଦେବତା ଦିଲେ କୁଣ୍ଡଳ ବେନି ମୂର୍ତ୍ତି ।୭୫।

ସେ କୁଣ୍ଡଳ ଯେତେବେଳେ ଯାୟେ ଥାଇ କର୍ଣ୍ଣେ

ନିଶି ଦିବସ ପ୍ରାୟେକ ଦିଶଇ ବିଦ୍ୟାମାନେ ।୭୬।

ସେ କୁଣ୍ଡଳ କର୍ଣ୍ଣେ ଥିଲେ ନ ପୀଡ଼ଇ ରୋଗ ବ୍ୟାଧି

ନାନାଦି କ୍ଳେଶକୁ ସେ ପରମ ମଉଷଧି ।୭୭।

ୟେହି ସୋମବଂଶେ ନୃପତି ମରୁତ

ତାହା ତହିଂ ଥିଲା କୁଣ୍ଡଳ ଯୁଗ ସାତ ।୭୮।

ଯୁଝେଷ୍ଠି ଦେବଂକର ମହାଯାଗ କାଳେ

ମଋତ ରାଜା ଦିଲେ ଯୁଝେଷ୍ଠିଂକୁ ଧର୍ମ ବଳେ ।୭୯।

ସେ କୁଣ୍ଡଳ କର୍ଣ୍ଣେ ନ ଗଚ୍ଛଇ ମୃତୁ

ଅଷ୍ଟ ଧାତୁ ଝରଇ ମଉଷଧି ପରମ ହେତୁ ।୮୦।

ପଶାର କୁତୂହୋଳେ ଦେବ ଧର୍ମବାଳେ

ଶ୍ରୀକରେ ପୀଢ଼ କଲେ ବେନି ଅମୃତ କୁଣ୍ଡଳେ ।୮୧।

ଜିତ ଜିତ ବୋଲି ସେ ପାଡିଲା ଶକୁନି

ପଞ୍ଚୁଆତି ପଡ଼ିଲା ଯେ ହାରିଲେ କୁଣ୍ଡଳ ବେନି ।୮୨।

ହସିଣ ଦ୍ରିଯୋଧନ ଘେନିଲା ତକ୍ଷଣେ

ଭୂଷିଣ କଲା ନେଇ ଆପଣା ଶ୍ରବଣେ ।୮୩।

ବିଜୟା ମୁକୁଟ ଯେ ଅଳକା ନାଥ ଦିଲା

ଭୋଳେଣ ଧର୍ମନାନ ଯେ ତାହା ପୀଢ଼ କଲା ।୮୪।

ପଞ୍ଚୁଆତି ମାନଗୋବିନ୍ଦ ଦୁଇ ଚଉକା ଯୁଝେଷ୍ଠି

ପାଡ଼ ବେଗେ ମାମୁଂ ବୋଲଇ ଧୃତିରାଷ୍ଟ୍ରି ।୮୫।

ଜିତ ଜିତ ବୋଲି ପଶା ପାଡ଼ିଲା କୂଟେଶ୍ୱର

ପଞ୍ଚୁଆତି ପଡ଼ିଲା ହାରିଲେ ଯୁଝେଷ୍ଠିର ।୮୬।

ଧୁଶାସନ ମୁକୁଟ ବାଢ଼ିଲା ଧାତିକାରେ

ଆପଣେ ଧୁଶାସନ ବାନ୍ଧିଲାକ ଶିରେ ।୮୭।

ଯୁଝେଷ୍ଠିଂକ ଅଳଂକାର ଭରିଣ ବୀର ହୃଦେ

ମତୁଆଳ ନାଟ ଖଣ୍ଡି ନାଚଇ ଆନନ୍ଦେ ।୮୮।

ରାଗେଣ ଯୁଝେଷ୍ଠି କରୁଛନ୍ତି ପୀଢ଼ାସାର

ବୋଇଲେ ୟେଘାନ୍ତି ମୋହୋର ଚତୁର୍ଦ୍ଦଶ ଭଣ୍ଡାର ।୮୯।

ଦ୍ରିଯୋଧନ ବୋଇଲା ମୋହୋର ହୋଇଲା ଦୁଗୁଣ

ସବୁ ଭଣ୍ଡାର ମୋହୋର ହୋଇଲା କଷଣ ।୯୦।

ପାଡ଼ିଲା ଶକୁନି ଯେ ଚାହିଂଣ ପଶାକାଠି

ପଞ୍ଚୁଆତି ପଡ଼ିଲା ଯେ ହାରିଲେ ଯୁଝେଷ୍ଠି ।୯୧।

କାଠି ଘେନି କରେ ଯେ ବୋଇଲେ ଯୁଝେଷ୍ଠି

ତୋହୋର ମୋହୋର ଦାନ କରିପା ପାଲଟି ।୯୨।

ଆମ୍ଭର ପଞ୍ଚୁଆତି ତୋହୋର ଆନ ଦାନ କଚ୍ଛ

ଦ୍ରିଯୋଧନ ବୋଇଲା ମୋହୋର ହୋଇଲା ଚଉବତ ।୯୩।

ପଞ୍ଚୁଆତି ପଡ଼ିଲେ ତୁ ଜିଣିମୁ ଯୁଗତେ

ଚଉବତ ପଡ଼ିଲେ ରାୟେ ହାରିବୁ ତୁରିୁତେ ।୯୪।

ତୁ ଯେବେ ଦାନ ପାଲଟ କଲୁ ଧର୍ମସୁତେ

ଅଶ୍ୱଦଣ୍ଡ ପୀଢ଼ ମୁଂ କଲଇଂ ଯୁଗତେ ।୯୫।

ଦ୍ରିଯୋଧନ ବଚନେ ଯୁଝେଷ୍ଠି ମହାରାଜ

ବୋଇଲେ ମୋହୋର ଅଶ୍ୱଦଣ୍ଡ ମୁଂ କଲଇଂ ପରିଜା ।୯୬।

ପଶାକରି ମନ୍ତ୍ରୀ ପାଡଇ କୂଟ ବୁଦ୍ଧି

ପଡ଼ିଲା ଚଉବତ ଯେ ପୂର୍ବର ଯଥା ବିଧି ।୯୭।

ଅଶ୍ୱଦଣ୍ଡ ହାରିଲେ ଦେବ ପଶାର କୁତୂହୋଳେ

ଦେଖିଣ ଉପହାସ୍ୟ କଲେ କଉରୋବ ବଳେ ।୯୮।

ଦ୍ରିଯୋଧନ ବୋଇଲା ୟେଘାନ୍ତି ପୀଢ଼ କର

ଗଜଦଣ୍ଡ ୟେଘାନ୍ତି ପୀଢ଼ ହୋଇଲା ମୋହୋର ।୯୯।

ଯୁଝେଷ୍ଠି ଦେବେ ବୋଇଲେ ମୋହୋର ଗଜବଳ

ଶୀଘ୍ରେଣ ବୋଇଲେ ତୁ ପାଡ ପାଡ ହୋ ମାତୁଳ ।୧୦୦।

ନବ ଖର୍ବ ଗଜ ଯେ ଚାରି ଅହିବ୍ରତ

ରାଗେଣ ପୀଢ଼ କଲେ ସେ ଦେବ ଧର୍ମସୁତ ।୧୦୧।

ଜିତ ଜିତ ବୋଲିଣ ଯେ ଶକୁନି ପାଡ଼ିଲା

ଯୁଝେଷ୍ଠି ଦେବ ଦେଖନ୍ତେ ଚଉବତ ପଡ଼ିଲା ।୧୦୨।

ହାରିଲେ ଗଜ ବଳ ଦେବ ପଶାର କୁତୂହୋଳେ

କିଳି କିଳା ନାଦ କଲେ କୁରୁବୀରେ ।୧୦୩।

ଯୁଝେଷ୍ଠି ଦେବ ବୋଇଲେ ପାଲଟାଇବା ଆନ ଦାନ

ତୁହି ଘେନ ଆନ ଦାନ ମୁହିଂ ଘେନଇ ଆନ ।୧୦୪।

ଶକୁନି ବୋଇଲା ଯୁଜେଷ୍ଠି ବେଇଲେ ହାଦେ ଯାହା

ତୁମ୍ଭେ ହୋ କୁରୁପତି କରିବ ନାହିଂ କି ତାହା ।୧୦୫।

ଦ୍ରିଯୋଧନ ବୋଇଲା ଦାନ ଘେନ ତୁମ୍ଭର ଯେ ଇଚ୍ଛା

ଯହିଂକି ଯୁଝେଷ୍ଠି ହୋ ବଳିତ ତୋହୋର ମନୋବାଞ୍ଛା ।୧୦୬।

ଯୁଝେଷ୍ଠି ଦେବ ବୋଇଲେ ମୋହୋର ଦାନ ଦଶ

ଦୁଇ ଚଉକ ଦାନ ଘେନେ ଗାନ୍ଧାରୀର ଶିଷ ।୧୦୭।

ଦ୍ରିଯୋଧନ ବୋଇଲା ମୋହୋର ଯେତେ ରଥ ଯାନ

ସ୍ରାଗେ ହସିଲେ ଯେ ଦେବ ଧର୍ମନାନ ।୧୦୮।

ଯୁଝେଷ୍ଠି ବୋଇଲେ ମୋହୋର ରଥ ବଳ ହୋଇଲା ଯୁଗତେ

ପାଡ ମାମୁଂ ଶକୁନି ଧର୍ମର ଆଶ୍ରିତେ ।୧୦୯।

ପଶା କାଠି ଘେନି ମନ୍ତ୍ରୀ ମଞ୍ଚଳାଇ ବେନି ଭୁଜେ

ପାଡ଼ଇ ମହାମନ୍ତ୍ରୀ ଗାନ୍ଧାର ସେନ ଆତ୍ମଜେ ।୧୧୦।

ଜିତ ଜିତ ବୋଲି ସେ ପାଡ଼ିଲା ଦାନେକ

ଅଭ୍ୟାସେ ପଡ଼ିଲା ଦାନ ବେନି ଯେ ଚଉକ ।୧୧୧।

ଅଶି କୋଟି ରଥ ଦେବ ଧର୍ମେ

ପ୍ରଶଂସନ୍ତି କଉରୋବେ କେବଣ ତୋହୋର କର୍ମେ ।୧୧୨।

ଭୀଷ୍ମେ ବୋଇଲେ ବାବୁ ନ ଖେଳଟି ଯୁଝେଷ୍ଠି

ଆଜକ ବିପକ୍ଷ ତୋହୋର କର୍ମ ଯୋଗ ଅରଷ୍ଟି ।୧୧୩।

କପଟେ ଜିଣନ୍ତି ଆବର କରନ୍ତି ଉପହାସ

ହାରିଣ ଯୁଝେଷ୍ଟି ଦେବ ବେଳୁଂ ବେଳ ଗୁରୁରୋଷ ।୧୧୪।

ଦ୍ରିଯୋଧନ ବୋଇଲା ପଶା ପାଡ଼ ହୋ ଶକୁନି

ୟେଘାନ୍ତି ପୀଢ଼ କଲି ମୋହୋର ୟେକାଦଶ କ୍ଷଉଣୀ ଶଇନି ।୧୧୫।

ଶୁଣିଣ ସାନନ୍ଦ ଯେ ହୋଇଲେ ଧର୍ମବାଳ

ମୋହୋରି ପୀଢ଼କଲି ସାତକ୍ଷଉଣୀ ଅଙ୍ଗବଳ ।୧୧୬।

ମନ୍ତ୍ରୀ ଚୂଡ଼ାମଣି ପାତିଲା କୂଟ ବୁଦ୍ଧି

ପଡ଼ିଲା ବେନି ଚଉକ ହାରିଲେ ଯୁଝେଷ୍ଠି ସମ୍ପ୍ରଧି ।୧୧୭।

ରଥ ଗଜ ଅଶ୍ୱ ହାରିଲେ ସକଳ ପାଦାନ୍ତି

ହାରିଲେ ଯୁଝେଷ୍ଠି ଦେବ ଜିଣିଲେ କୁରୁପତି ।୧୧୮।

ହସନ୍ତି କଉରୋବେ ମତ୍ତାଳ ଗୀତଗାଇ

କରତାଳି ମାରିଣ ଯେ ଗାଲ ତୂରୀ ବାଇ ।୧୧୯।

ପ୍ରେମର ମିଷ୍ଟ ଯେ ଅଟଇ ମଉନ

ଜରର ମିଷ୍ଟ ଯେ ପାଣି ଆଗ୍ରହଣ ।୧୨୦।

ମନର ମିଠା ୟେ ଅଟଇ ମଉନ

କାର୍ଯ୍ୟର ମିଠା ଯେବେ ହୋୟେ ତତକ୍ଷଣ ।୧୨୧।

ରାନ୍ଧଣା ମିଠା ଯେବେ ସୁପଂକୁ ହୋଇ ସିଝି

କହଣାର ମିଠା ଯେବେ ଶୁଣନ୍ତା ଲୋକ ବୁଝି ।୧୨୨।

ଶାହାସ୍ର ମିଠା ଯେବେ କରତବ୍ୟେ ଘେନି

ଭରହ ମିଠା ଯେବେ କୋକିଳ ପ୍ରାୟେ ଶୁଭଇ ବାଣୀ ।୧୨୩।

ଯନ୍ତ୍ରର ମିଠା ଯେବେ ହସ୍ତ ଚଳଇ ଭଲେ

ଆଧାର ମିଠା ଯେବେ ଭୁଞ୍ଜେ କ୍ଷୁଧା ବେଳେ ।୧୨୪।

ବଣିଜ ମିଠା ଯେବେ ସୁଲଭେ ପାୟେ ବିକା

ରୂପର ମିଠା ଯେବେ ସୁନ୍ଦର ନାସିକା ।୧୨୫।

ସମର ମିଠା ଯେବେ ଦିଶଇ ରୁଧିର

ଗୃହର ମିଠା ଯେବେ କୁଟୁମ୍ବ ବିସ୍ତାର ।୧୨୬।

ତପର ମିଠା ଯେବେ ନୋହେ ଦ୍ୱନ୍ଦକାରୀ

ଜୁଅର ମିଠା ଯେବେ ମତ୍ସଲେଣ ହାରି ।୧୨୭।

ଖେଡ଼ର ମିଠା ଯେ ପାଇଲେ ଧର୍ମରାୟେ

ବେଳୁଂବେଳ ସ୍ରାଗ ବଳିଲା ପଶାୟେ ।୧୨୮।

ବଦୟନ୍ତି ଗାଙ୍ଗେବ ତୁ ନ ଖେଳରେ ବାବୁ

ସକଳ ସମ୍ପଦ ସରିଲା ଆର କିସ ତୁ ଦେବୁ ।୧୨୯।

ବିପଦ କାଳ ତୋତେ ପଡ଼ିଅଛି ଆସି

ୟେକା ହାରୁଅଛୁ ହାଥରେ ସୁଖ ବସି ।୧୩୦।

ଅତିହିଂ ହାରିଲେ ଆଉ ଆସଇକି ଖେଡ଼

ଆବର ଜିଂଘାସ ହାସ କରନ୍ତି ସଂକୋଡ ।୧୩୧।

ଛାଡ ଛାଡ ପଶାୟେ ମୋହୋର ଯୁଗତେ

ୟେବେ ଯାଅ ଯାଅ ଆନ ଦିନେ ଖେଡ଼ ଜୁତ ।୧୩୨।

ଭୀଷ୍ମଂକ ବଚନେ କର୍ଣ୍ଣ ବୀର ବୋଇଲା

ତୁମ୍ଭେ ଯେ ବୋଲୁଅଛ ଯୁଝେଷ୍ଠି କିସ ହାରିଲା ।୧୩୩।

ତାହାର ଧନ ତ ନୋହୋଇ ଯୁଗତ

ଯୁଝେଷ୍ଠି କିସ ସେ ହାରିଲା ନଇଅତ ।୧୩୪।

ମରୁତ ଦିଲା କୁଣ୍ଡଳ କୁବେର ଦିଲା ମୁକୁଟ

ଜାରାସନ୍ଧ ମାରି, ଆଣିଲା ରଥ ଗଜ ଅଶ୍ୱ ଥାଠ ।୧୩୫।

ଦ୍ରୋପଦ ଯଉତୁକ ଦିଲା ବଳ ସାତ କ୍ଷଉଣୀ

ରାଜାମାନେ ଯାଗକୁ ଆଣିଲେ ଧନ ଦେଖା ଦରଶନି ।୧୩୬।

ୟେହାଂକର ଅର୍ଜିଲାର ପଦାର୍ଥେକ ତହିଂ ନାହିଂ

ପଦାର୍ଥମାନ ଆପମାର ଥୋଇଛନ୍ତି କାହିଂ ।୧୩୭।

ରାଜ୍ୟ ହାର ଜିଣ ଯେବେ ହୋଅନ୍ତ ପଶାରେ

ତେବେ ସେ ସାର୍ଥୁକ କେଡ଼ ଜାଣିମା ସଂସାରେ ।୧୩୮।

ଦ୍ରିଯୋଧନ ବୋଇଲା ଯାହା ତୁମ୍ଭେ କହିଲ ମଇତ୍ର

ଅଢ଼ାଇ କଟକ ମୋହୋର ଅଟଇ ଯଥା ଅର୍ଥ ।୧୩୯।

ହସ୍ତିନା ଯମପ୍ରଶସ୍ତ ଅଟଇ ମୋହୋର

ଜଇନ୍ତା ବାରୁଣା ଯେ ଅଟଇ ୟେହାଂକର ।୧୪୦।

ଇନ୍ଦ୍ର ପ୍ରଶସ୍ତ ରାଜ୍ୟ କରିବା ଅଧ ଅଧ

ତେବେ ସେ ପଶା ଖେଡ଼ ହୋଇବ ଜାଣ ସାଧ୍ୟ ।୧୪୧।

ମୋହୋର ବେନି ଅର୍ଦ୍ଧ ରାଜ୍ୟ ପୀଢ଼ କଲି ପଶା

ଶୁଣିଣ ଯୁଝେଷ୍ଠି ଦେବଂକର ତହିଂକି ବଳିଲା ମନୀଷା ।୧୪୨।

ମୋହୋର ଅଢ଼ାଇ ରାଜ୍ୟ କଲି ମୁହିଂ ପୀଢ଼

ଦୁଇ ରାଜାଂକର ମନ ବଚନ ହୋଇଲାକ ଦୃଢ଼ ।୧୪୩।

ଶକୁନି ପାଡ଼ନ୍ତେ ଭଞ୍ଜାଇଲେ ଯୁଝେଷ୍ଠି

ଆପଣେ ଶ୍ରୀହସ୍ତେ ମଞ୍ଚାଳନ୍ତି ପଶା କାଠି ।୧୪୪।

ପାଡ ପାଡ ବୋଲି ଦିଲେ ଶକୁନିର ହାଥେ

ଶକୁନି ବୋଇଲା ବାବୁ ଧର୍ମ ଉଦିତ ହୋଉ ତୋତେ ।୧୪୫।

ଜିତ ଜିତ ବୋଲି ଶକୁନି ମନ୍ତ୍ରୀ ପାଡ଼ି

ଦେଖିଲେ ଯୁଝେଷ୍ଠି ଦେବ ବେନି ଚଉକା ଅଛି ପତି ।୧୪୬।

ଦାନ ପଡ଼ନ୍ତେ ରାଜ୍ୟ ହାରିଲେ ଧର୍ମନାନେ

ତଦ୍ୟପି ବିକାର ନାହିଂ ତାହାଂକର ମନେ ।୧୪୭।

ପଶା କାଠି ଘେନି ବିଚାରନ୍ତି ମହୀପତ୍ୟେ

କିସ ପୀଢ଼ କରିବି ବୋଲି ଭାଳନ୍ତି ହୃଦଗତେ ।୧୪୮।

ଦ୍ରିଯୋଧନ ବୋଇଲା ଯେବେ ଆଉ ଖେଡ଼ି ଲୋଡୁ

ଭାଇନ୍ତ ପୀଢ଼ କରୁ କିନା ଆବର କିସ ହିଂ ବିଚାରୁ ।୧୪୯।

କରୁକିନା ପୀଢ଼ କିସ ବିଚାରୁ ଯୁଝେଷ୍ଠି

ଭୀମାର ତୁଲକୁ ମୋର ୟେଘାନ୍ତି ପୀଢ଼ଗୋଟି ।୧୫୦।

ୟେଘାନ୍ତି ପୀଢ ଯେବେ ପଡ଼ିବ ତୋହୋର

ପଞ୍ଚାଶ ଭ୍ରାଥ ମୋହୋର ହୋଇଲା ୟେ ପୀଢର ।୧୫୧।

ଅନେକ ସ୍ରାଗେ ରାଜା କହଇ ଧୃତିରାଷ୍ଟ୍ରି

ଖେଡ ରସ ଭୋଳେ ସନମତ କଲେକ ଯୁଝେଷ୍ଠି ।୧୫୨।

ବାବୁ ପବନର ନନ୍ଦନ କଇଚ୍ଛା ଜଗଜ୍ଜେଠୀ

ଶତଶୃଙ୍ଗ ଚୂର ଗଲା ଲାଗି ଯାହାର ବାମ ପାଦ ଅଂଗୁଷ୍ଠି ।୧୫୩।

ପାଣ୍ଡବାସୁର ମାରି ପାର କଲା ବିଷ ଲଡ଼ୁ

ବୀରମାନଂକର ଦର୍ପ ଚୂର କଲା ଝିମାଣି ଖେଳ ଖେଡ଼ୁ ।୧୫୪।

ନାଗେଣୀ ବଳ ଜିଣି ହରିଲା ବେଳାବେଳୀ

କାମ୍ୟକ ବିବାଦେଣ ଧଂସିଲା ଦର୍ପ କାଳୀ ।୧୫୫।

ଜଦୁଘର ଭସ୍ମକଲା ଚୂଡଣ ମଧୁଗିରି

କୋପେଣ ନାଶ କଲା ଯେ କୁମ୍ଭିରୀ କିନ୍ନରୀ ।୧୫୬।

ହିଡ଼ିମ୍ବେକ ଧଂସିଲା ଓଡ଼ାଦି ଶିବପୁର

ଚାଣ୍ଡାଳ ବଳଧଂସିଲା ଥାପିଲା ବିଷ୍ଣୁଂକର ।୧୫୭।

ବକ ରାକ୍ଷସ ବଧିଲା ୟେ ୟେକଚକ୍ରା ନଗ୍ରେ

ରାଜାଂକର ଦର୍ପ ଧଂସିଲା ପାଞ୍ଚାଳୀ ସୟମ୍ବରେ ।୧୫୮।

ରାଜାଂକର ବିକଳେଣ ବିଦାରିଲା ଜାରା

ରାଜାନ୍ତ ଉଦ୍ଧରିଲା ଚରଣୁଂ ନିଆଳି ହରା ।୧୫୯।

ପଚ୍ଛିମ ଦିଗ ନିମନ୍ତ୍ରେଣ ରାଜାନ୍ତ କଲା ସାଧି

ବିଭୁଲାକ୍ଷ ଧଂସିଲା ଯାହାର ବୁଦ୍ଧି ।୧୬୦।

ଯମର ଉପରକୁ ଯାହାର କାଳଦଣ୍ଡ ବାରଧୂ

ଲକ୍ଷେ ରାଜାର ମଉଡ଼ମଣି ପ୍ରତଗ୍ୟାଂ ଯାହାର ସାଧୁ ।୧୬୧।

ଦୁଷ୍ଟଂକର ଦର୍ପଦଳନ କ୍ଷତ୍ରିପଣେ ଜଗତବନ୍ଧୁ ।୧୬୨।

ବୀରବର ବ୍ରିକୋଦର କଇଚ୍ଛା ଜଗଜ୍ଜେଠୀ

ଆକାଶେ ଶୁଭଇ ସାଧୁ ଯାହାରି ନାମ ଗୋଟି ।୧୬୩।

ଚତୁର୍ଦିଗ ରାଜାନ୍ତ ଜିଣିମାକୁ ସମର୍ଥ ମୋର ଭାଇ

ୟେ ପୀଡେ ପରିଜା ମୁଂ କଲଇ ତାହାକଇଂ ।୧୬୪।

ଯୁଝେଷ୍ଠିଂକ ମୁଖ ଚାହିଂ ଶକୁନି ପଚାରି

ପାଡୁ ଅଛି ଦୃଢ଼ ବ୍ରତ ହୋଇଲାକି ଦୁହିଂକରି ।୧୬୫।

ଯୁଝେଷ୍ଠି ଦେବ ବୋଇଲେ ହୋଇଲା ମୋର ସତ୍ୟ ସତ୍ୟ

ଦ୍ରିଯୋଧନ ବୋଇଲା ୟେ ମୋହୋର ସନମତ ।୧୬୬।

ମୋହୋର ଭାଇ ଧୁଶାସନ ୟେହାର ଭାଗର

ଜିଣିଅଛି ଯେତେକ ଧନ ଭଣ୍ଡାର ତାହାର ।୧୬୭।

ଓହୋକୁଳ ସନମତ କରାଇ ପାଡଇ ଶକୁନି ମହାମନ୍ତ୍ରୀ

ସାକ୍ଷୀ କରାଇ ଭୀଷ୍ମ ଦ୍ରୋଣ କର୍ଣ୍ଣ ଯେ ତିନିନ୍ତି ।୧୬୮।

ମୋହୋର ଦୋଷ ନାହିଂଟି ୟେହାଂକରି ଯେହ୍ନେ ମନୀଷା

ଦୁହିଂକର ଅନୁମତେ ମୁଂ ପଡ଼ୁଅଛି ପଶା ।୧୬୯।

ଜିତ ଜିତ ବୋଲିଣ ଯେ ପଡ଼ିଲା ମହାମନ୍ତ୍ରୀ

ପଡ଼ିଲା ବେନି ଚଉକ ଜିଣିଲା କୁରୁପତି ।୧୭୦।

ସଭାରେ ବାହାସ୍ଫୋଟ ଦିଲାକ ଧୁଶାସନ

ୟେଘାନ୍ତି ଜାଣିମା ହୋ ଭୀମାର ଦର୍ପମାନ ।୧୭୧।

ଭୂମିରେ ଯୁଝେଷ୍ଠିଦେବ ପ୍ରହାର କରନ୍ତି ବେନିପଶାକାଠି

ଉପହାସ ପ୍ରାୟେ କରି ହସଇ ଧୃତିରାଷ୍ଟ୍ରି ।୧୭୨।

ଭାମାର ପ୍ରାୟେ ସୋହଦ୍ର ହାରିଲୁ ଧର୍ମରାୟେ

ୟେଘାନ୍ତି ପୀତ କରିବକି ବୀର ଧନୁର୍ଜୟେ ।୧୭୩।

ତୁ ଯେବେ ଅର୍ଜୁନକୁ କରିବୁ ପରିଜା

ମୋହୋର ଶତେ ଭ୍ରାଥ ତାହାକୁ କଚ୍ଛ କଳି ବୋଲନ୍ତି କୁରୁରାଜା ।୧୭୪।

ହାରନ୍ତେଣ ସ୍ରାଗ ଯେ ବସଇ ଦୁଗୁଣ

ଖେଡ଼ କଇଂ ଚିତ୍ତ ଦେବ ବଜାନ୍ତି ପୁଣ ପୁଣ ।୧୭୫।

ତ୍ରଇଲୋକ୍ୟେ ଅସଂଖ୍ୟ ଯେବଣ ଅର୍ଜୁନର ମହିଂମା

ସ୍ୱର୍ଗ ମଞ୍ଚ ପାତାଳ ଯାହାର ସାର୍ଥୁକ ବଡ଼ିମା ।୧୭୬।

ଇନ୍ଦ୍ର ବିବାଦେଣ ଖାଣ୍ଡବ ବନ ସେ ଧଂସି

ମଉଷୋଧି ଦେଇ ଯେ ବଶ୍ୟାନର ମନ ତୋଷି ।୧୭୭।

ସୁଗନ୍ଧିକା ହରଣେ ଯେ ଜିଣିଲା ହନୁମନ୍ତ

ଶରେ ସାଗର ବାନ୍ଧିଲା ଜାଣ ସେ ତ ।୧୭୮।

ଅଙ୍ଗାର ପନ୍ନଙ୍ଗକଇଂ ଯେ ଜିଣିଲା ସମ୍ପୋଡେ

ସୁବର୍ଣ୍ଣଚୂତ ପର୍ବତ ବାନ୍ଧିଲାକ ଶରେ ।୧୭୯।

ପଞ୍ଚାଳ ଦେଶେଣ ଯେ ରାଧାଚକ୍ର ବିନ୍ଧି

ଲକ୍ଷେକ ନୃପତି ମେଳେ ଜଇଣିଲା ସର୍ବ ଯୋଧୀ ।୧୮୦।

ଚାଳିଶି ସହସ୍ର ରାଜା ଯେ ଜିଣିଲା ଉତ୍ତର ଦିଗ ବିଜେ

ଯମାଗୋଷ୍ଠ ରାଜକଇଂ ବନ୍ଧନ କଲା ପିତାମହ କାର୍ଯ୍ୟେ ।୧୮୧।

ସାତ ବଂଶ ମୂଳେ ରାମକୃଷ୍ଣ ସହିତେ

ଜିଣି ସୋଦୋଦ୍ରକୁ ପ୍ରଦାନ ହୋଇଲା ବଳବନ୍ତେ ।୧୮୨।

ଯାହାର ଶହସ୍ରେକୁ ତ୍ରଇଲୋକ୍ୟ ନ ସହଇ

ସର୍ବ ଜିଣି ସେ ସର୍ବସାଚୀ ନାମ ବହି ।୧୮୩।

ଧନୁ ହୁଳେ ବସାଇଲା ଯେ ସପତ ବ୍ରହ୍ମାଣ୍ଡ

କିଞ୍ଚିତେ ବହିଲା ସେ ମେଦିନୀ ନବ ଖଣ୍ଡ ।୧୮୪।

ଭାରଥେ ଭରୋଇ ମଲ୍ଲ ଶରଣ ପଞ୍ଜର ଯାହାର ବୀରଧୂ

ବୀରବର ପ୍ରତଗ୍ୟାଂ ୟାହାର ଜଗତେଣ ସାଧୁ ।୧୮୫।

କିରାତ ରୂପେଣ ଯେ ବନେ ଜିଣିଲା ପଶୁପତି

ଭୋଳେଣ ଅନେକ ବିଦ୍ୟାଦିଲେ ଶାନ୍ତମୂର୍ତ୍ତି ।୧୮୬।

କହନ୍ତେ ନ ସରଇ ପ୍ରତଗ୍ୟାଂ ଯାହାର ଗାଢ଼

ତାହାର ପୁଣ୍ୟେ କରି ଅବା ଜିଣି ପାରଇ ଯେହୁ ପୀଢ଼ ।୧୮୭।

ଶକୁନି ସାନନ୍ଦ ଯେ ଦ୍ରିଯୋଧନ ତୋଷ ଚିତ୍ତ

ପଶା ପାତି ଶକୁନି ଯେ ବୋଲଇ ଜିତ ଜିତ ।୧୮୮।

ଧବଳାଙ୍ଗୀ ସୁମରି ଶକୁନି ମନ୍ତ୍ରୀ ପାଡ଼ି

ବେନି ଚଉକା ଦାନ ପଡ଼ିଲା ଦେଖିଲେ ଦଣ୍ଡଧାରୀ ।୧୮୯।

ହସନ୍ତି କଉରୋବେ ଯେ ବାବନ୍ତି କରତାଳି

ମତ୍ତ ରସେ ଗୀତ ଗାଇ ଦ୍ୟନ୍ତି ହୁଳହୁଳି ।୧୯୦।

ବେନି ସୋହୋଦ୍ରେ ଯେ ପଶାରେ ହାରିଲେ ଧର୍ମସୁତ

ତଦ୍ୟାପି ମେନ ତାଂକର ନବସିଲା ବିକୃତ ।୧୯୧।

ଯୁଝେଷ୍ଠିଂକ ମୁଖ ଚାହିଂ ଦ୍ରିଯୋଧନ ବୋଇଲା

ଭୀମ ଅରଜୁନ ତ ପଶାରେ ହାର ଗଲା ।୧୯୨।

ମକପଳ ସହଦେବ ବାଳୁତ ଅଟନ୍ତି

ତୁ କିସ କରିବୁ ଯୁଝେଷ୍ଠି ବାଳୁତ ପୁଅନ୍ତ ଘେନି ।୧୯୩।

ତାହାଂକର ପୁଣ୍ୟେ ଅବା ଜିଣିପାରୁ ୟେଘାନ୍ତି

ମୋହୋର ଲେଉଟ ପୀଢ଼ କଲି ଭୀମ ଅର୍ଜୁନ ଦୁହିଂନ୍ତି ।୧୯୪।

ଆବର ପ୍ରତଗ୍ୟାଂ ମୁହିଂ କହୁଅଛି ତୋତେ

ଆହୁରି ପୀଢ଼ କଲି ଧୁଶାସନ ଦୁର୍ଜୟ ସହିତେ ।୧୯୫।

ସ୍ରାଗ ବଢ଼ିଲା ରାଜା କଲେକ ସନମତ

ଶକୁନିର ମୁଖ ଚାହିଂ ବୋଲନ୍ତି ଧର୍ମସୁତ ।୧୯୬।

ଶୁଣ ଶକୁନି ମୋର ନକୁଳର ଚରିତ

ସୁକୁମାର ପଣେ ସରି ନାହିଂଟି ଜଗତ ।୧୯୭।

କୁନ୍ତ ମୁନେ ପୃଥୀ ଧରି ପାରଇ ଛତ୍ରିଗଣେ

କୁମାର ପଣେ ପାଟ ଅଛଇ ଯାହାକୁ ପୟାଣେ ।୧୯୮।

ଦକ୍ଷିଣ ଦିଗବିଜେ ଜିଣିଲା ବାହୁବଳେ

ସେ ମାଦ୍ରିର ନନ୍ଦନେ ପୀଢ଼ ମୁଂ କଲଇ ନକୁଳେ ।୧୯୯।

ୟେ ଦାନ ଛାଡ଼ିଣ ମୁଂ ଘେନିମି ଆନଦାନ

ସାତ ଦାନ ମୋହୋର ବୋଲି ବୋଇଲେ ଧର୍ମନାନ ।୨୦୦।

ଦ୍ରିଯୋଧନ ବୋଇଲା ହୋ କଲୁ ଆନ ଦାନ ସଞ୍ଚା

ମୋହୋର ଦାନହାଦେ ୟେବେ ହୋଇଲା କାମଞ୍ଚା ।୨୦୧।

ପାଡ଼ିଲା ଶକୁନି ପଶା ଜିତ ଜିତ ବୋଲି

ଅସ୍ତୁ ଅସ୍ତୁ ହୋଉ ମୁଂ ଯାହା ବାଞ୍ଛିଲି ।୨୦୨।

ବାମଞ୍ଛା ଦାନ ୟେ ପଡ଼ିଲା ପ୍ରତକ୍ଷେ

ନକୁଳ କୁମରକୁ ହାରିଲେ ଧର୍ମ ବଚ୍ଛେ ।୨୦୩।

ଯୁଝେଷ୍ଠିଂକ ମୁଖ ଚାହିଂ ଦ୍ରିଯୋଧନ ବୋଇଲା

ତିନିଂକି ହାରିଲୁ ୟେକା ସହଦେବ ରହିଲା ।୨୦୪।

ୟେକା ତାହାକୁ ଗେନି କିସ କରିବୁ ଯୁଝେଷ୍ଠି

ଭୀମ ଅର୍ଜୁନ ନକୁଳକୁ ହାରିଲୁ ଆବର ରାଜ୍ୟ ଭ୍ରଷ୍ଟି ।୨୦୫।

ଯୁଝେଷ୍ଠି ବୋଇଲେ ମୋହୋର ଭାଇ ଗୁଣେ ଗୁଣବନ୍ତା

କର ପଲବ ଚାହାଂନ୍ତେ ଜାଣଇଂ ଭୂତ ଭବିଷ୍ୟ ବାରତା ।୨୦୬।

ଗୁଣବନ୍ତ ପଣ୍ଡିତ ଦାର୍ମିକ ଗୁଣନିଧି

ଜଗତ ଭୂତନାଥ ଯାହାକୁ ମାଗନ୍ତି ବୁଦ୍ଧି ।୨୦୭।

ଯୁଗାନ୍ତେକ ଜାଣନ୍ତା ଯେ ମୋହୋର ବାଇ ସହଦେବ

ଗୋ ଲକ୍ଷଣ ବିଦ୍ୟା ପାଇଲା ତୋଷିଣ ବାସୁଦେବ ।୨୦୮।

କପିଳାର ପ୍ରସନ୍ନେ ସେ ଜାଣଇଂ ସର୍ବବୁଦ୍ଧି

ଗୋକୁଳେ ହାରିଲା ସେ ଅଷ୍ଟଉତ୍ତର ଶତେ ବ୍ୟାଧି ।୨୦୯।

ଅନିନ୍ଦିତ କର୍ମ ସେ ଅଟଇ ମୋର ଭାଇ

ଅଭୟେ ଭୁବନ ମଧ୍ୟେ ଯେ ସେ ଅଟଇ ଗୁଣଗ୍ରାହୀ ।୨୧୦।

ଯାହାର ବୁଦ୍ଧିବଳେ ଜିଣିଲଇଂ ସମସ୍ତ

ହୃଦେ ବିଚାରିଲେ ଜାଣଇଂ ଭୂତ ଭବିଷ୍ୟ ବାରତ ।୨୧୧।

ପୃଥିବୀ ଆପ ତେଜ ବାଇବ୍ୟ ଆକାଶ

ଦିବ୍ୟଚକ୍ଷୁ ଭାଇକି ମୋହୋର ଅଦୃଶ୍ୟ ହୋୟେ ଦୃଶ୍ୟ ।୨୧୨।

ଯାର ବୁଦ୍ଧିବଳେ ଜାରାସନ୍ଧ ନାଶ ଗଲା

ପୂର୍ବ ଦିଗ ବିଜେ ତିନି ସହସ୍ର ରାଜା ଜିଣି ସାଧିଲା ।୨୧୩।

ତାର ଗୁଣ କହିବାକୁ ବେଳ ନ ଅଣ୍ଟଇ ମୁକୁ

ୟେଘାନ୍ତି ପୀତ ମୁଂ କଲି ସହଦେବକୁ ।୨୧୪।

ପଶାକାଠି ବେନି କରେ ତୋଳିଣ ଭଞ୍ଜଇ

ପାତ ମାମୁଂ ବୋଲି ଶକୁନିକି କରେ ନେଲେ ଦେଇ ।୨୧୫।

ଯୁଝେଷ୍ଠିଂକ ମୁଖ ଚାହିଂ ଶକୁନି ପାଡ଼ିଲା

ଦେଖିଲେ ଯୁଝେଷ୍ଠିଦେବେ ଦାନ ବାମଞ୍ଚା ପଡ଼ିଲା ।୨୧୬।

ସହଦେବକଇ ପଶାୟେ ହାରିଲେ ଯୁଝେଷ୍ଠି

ସୁମରନ୍ତି ଭୋ ଦଇବ ମୋତେ କଲୁ ଅତି କଷ୍ଟି ।୨୧୭।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଦ୍ୱାରିକାୟେ ପ୍ରବେଶିଲେ ଦେବ ଶିରୀପତି ।୨୧୮।

ଗରୁଡ଼ରୁ ଓହ୍ଲାଇଲେ ଦେବ ଜଗନ୍ନାଥ

ପାଣ୍ଡବଂକୁ କହନ୍ତି ସେ ବହୁ ପୁରୁଷାର୍ଥ ।୨୧୯।

ତୁମ୍ଭେ ୟେବେ ଚଳ ବାବୁ ବାରୁଣାବନ୍ତକୁ

ୟେକାକି ଚାଡ଼ି ଆସିଛି ତ ଯୁଝେଷ୍ଠି ଦେବଙ୍କୁ ।୨୨୦।

ଗରୁଡ଼କୁ ଚାହିଂ ଆଗ୍ୟାଂ ଦିଲେ ଜଗନ୍ନାଥେ

ପାଣ୍ଡବନ୍ତ ଛାଡ଼ନେଇ ହୋ ବାରୁଣାବନ୍ତେ ।୨୨୧।

ଶ୍ରୀକୃଷ୍ଣଂକ ଆଗ୍ୟାଂ ପାଇ କରି ପଛୀବର

ପାଣ୍ଡବଂକୁ ଘେନି ଚଳେ ବାରୁଣାବନ୍ତର ।୨୨୨।

ଗରୁଡ଼ ପିଠିରୁ ଓହ୍ଲାଇ ଚାରି ଯେ ପାଣ୍ଡବ

ଭିତର ପୁରକୁ ବିଜେ କଲେ ସଦିଭାବ ।୨୨୩।

ପଶାରେ ସୋଦରନ୍ତ ହାରିଲେ ଧର୍ମରାୟେ

ଚାରିଭାଇ ପ୍ରବେଶ ଆସି ୟେମନ୍ତର ସମୟେ ।୨୨୪।

ବାରୁଣାବନ୍ତେ ଦେଖିଲେ ନାହାନ୍ତି ଯୁଝେଷ୍ଠି

ଦେଖିଣ ବିସରିଲେ ସହଦେବ ନକୁଳ ଭୀମସେନ କିରୀଟୀ ।୨୨୫।

ଅର୍ଜୁନ ଅଗ୍ରତେ ଦ୍ରୋପତୀ ଦେବୀ ବୋଇଲେ

ହସ୍ତିନା ରାଜ୍ୟକଇଂ ଯୁଝେଷ୍ଠିଦେବେ ଗଲେ ।୨୨୬।

ମନେଣ ବିରସ ହୋଇଲେ ଚାରିଭାଇ

ବାବୁ କପଟ ହୋଇଲା ବୋଲି ଅର୍ଜୁନ ବିଚାରଇ ।୨୨୭।

ଚାଲ ହୋ ବହନ ଯିବା ଶୀଘ୍ର ଗତେ

ନ ପୁଣ ଯୁଝେଷ୍ଠିଂକି ଦେଖି ମନୁଆରି ଯୁଗତେ ।୨୨୮।

ଧାମନ୍ତି ପାଣ୍ଡବେ ଯେ ପବନୁଂ ବେଗ ଗତି

ହସ୍ତିନା ସଭାୟେ ଯାଇଂ ପ୍ରବେଶ ତତକ୍ଷଣାନ୍ତି ।୨୨୯।

ଝାଳେଣ ତ୍ରିପଣ୍ଡ ଯେ ସବୁଂକରି କାୟେ

ଶ୍ରମେଣ ଦିଶନ୍ତି ସେ କାଳ ଦୂତ ପ୍ରାୟେ ।୨୩୦।

ହସ୍ତିନା ଆସ୍ତାନ ସନ୍ନିଧ୍ୟେ ଯାଇଂ ଭେଟି

ବେନି କୋଶ ଥାଉଂ ଶୁଭିଲା ପଶାକାଠି ।୨୩୧।

ଆସ୍ତାନ ତଳେ ଯେ ପ୍ରବେଶ ବୀରେ ଧାତି

ଆରେ ସଭାକୁ ନ ଉଠ ବୋଲି ବୋଇଲା କୁରୁପତି ।୨୩୨।

କରେ ଗଦାବର ଘେନି ହାକଇ ଧୁଶାସନ

ସେହି ଠାବରେ ରହରେ ପାଣ୍ଡବ ଭୀମସେନ ।୨୩୩।

ଧୁଶାସନ ବଚନ ଭୀମସେନ ନ ଶୁଣି

ସଭାର ଉପରକୁ ପେଲି ଉଂଠଇ ପାବେନି ।୨୩୪।

ଦୃର୍ଜୟେ ଦୃଷକ ଦୁର୍ବାଳ ଦୁର୍ବିନ୍ଦ ଦୃହନ୍ତ

ଦୁକର୍ଣ୍ଣ ଦୁରାଷ୍ଟ ଦୁରାପଦ ଯେ ଦୁବୃତ୍ତ ।୨୩୫।

ୟେହିମତେ ଦ୍ରିଯୋଧନର ଅନେଶୋତ ଭାଇ

ଆରେ ରହ ରହ ପାଣ୍ଡବା ବୋଲି ପେଲିଣ ପକାଇ ।୨୩୬।

ରାଗେଣ ମାରୁତି ଯେ ଅଧର କଲା ପୁଷ୍ଟ

କାଳ ନୟନ ବୁଲାଇ କମ୍ପାଇ ମୁକୁଟ ।୨୩୭।

ବାଆନ ବାଆନ ଭାର ବେନି ଗଦା କରେ ଘେନି

ହୁଂକାର ଶବଦ କରି ବୁଲାଇ ପାବେନି ।୨୩୮।

ଗୋଳ ଦେଖି ଯୁଝେଷ୍ଠି ଦେବ ଚାହିଂଲେ ଲେଉଟି

ବାବୁ ରହ ରହ ଭୀମସେନ ନ ଦିଅନ୍ତୁ କିନା ଉଠି ।୨୩୯।

ବାବୁ ପଶା କୁତୂହୋଳେ ମୁହିଂ ପଶିଲିଟି ହାଦେ

ସଂହାଥେ ଅର୍ଜିଲି ମୁଂ ୟେଡ଼େକ ପରମାଦେ ।୨୪୦।

ରାଜ୍ୟଭାର ସିଂଘାସନ ସମସ୍ତ ହାରିଲି

ତୁମ୍ଭନ୍ତ ସହିତେଣ ପଶାୟେ କ୍ରୟ କଲି ।୨୪୧।

ଥାଅ କିନା ବାବୁ ସଭାତଳେ ଦଣ୍ଡେ ରହି

ୟେଘାନ୍ତି ପୀଢ଼ ଅବଶ୍ୟ ଜିଣିମିରେ ମୁହିଂ ।୨୪୨।

କୋନ୍ତଂକର ଆଗ୍ୟାଂରେ ରହିଲେ ଅପସରି

ନବ ପାବଚ୍ଛ ତଳେ ବସାଇଲେ ଚାରିନ୍ତ ଭୂଜଧରି ।୨୪୩।

ଝାଳେଣ ତ୍ରିପଣ୍ଡ ଯେ ଚାଳଇ ବ୍ରିକୋଦର

ଅଶ୍ରୁଜଳ ବୃଷ୍ଟି ତାର ବେନି ଲୋଚନର ।୨୪୪।

ଭାମସେନ ବୋଇଲା ଅର୍ଜୁନରେ ଆମ୍ଭେ ମନ୍ଦ କୃତ୍ୟ କଲୁ

ଯୁଝେଷ୍ଠିଂକି ଛାଡ଼ି କିମ୍ପେ ଗୋବିନ୍ଦଂକ ତୁଲେ ଗଲୁ ।୨୪୫।

ଅର୍ଜୁନ ବୋଇଲା ସ୍ୱାମୀ ୟେହୁ ଆମ୍ଭଂକୁ ବଡ଼ ଲାଭ

ପ୍ରାଣେ ନାଶ ନ ଗଲେ ଯେ ଯୁଝେଷ୍ଠି ରାଜଦେବ ।୨୪୬।

ସ୍ୱାମୀ ଜୀବନ ଥିଲେ କରି ପାରିନା ବୁଦ୍ଧି

କୂଟେ ସେ ଘେନୁଛନ୍ତି ସିନା ଆମ୍ଭର ସମ୍ପ୍ରଦ୍ଧି ।୨୪୭।

ଭୀମସେନ ବୋଇଲା ବାବୁ ନୁଆରଇ ସହି

କ୍ରୋଟ ଅନଳ ପ୍ରାୟେ ଦହଇ ମୋର ଦେହୀ ।୨୪୮।

ଆଜ କଉରୋବନ୍ତ ୟେହିକ୍ଷଣି ପକାଇବି ମାରି

ଶଲ୍ୟ ଶକୁନି କର୍ଣ୍ଣ ସବୁନ୍ତି ପକାଇବି କୁଢ଼ କରି ।୨୪୯।

ଭୀଷ୍ମ ଦ୍ରୋଣ ଭୂରିସର୍ବା ବାହ୍ଲିକ ଅଶସ୍ତାମା

ସୋମଦତ୍ତ କୃପାଚାର୍ଯ୍ୟ ଆବର କୃତବର୍ମା ।୨୫୦।

ଆରେ ଆରେ ଅର୍ଜୁନ ୟେମନ୍ତ ମାନହୀନେ କିଂକେ ବ୍ରତୀ

ଯୋଦ୍ଧାନ୍ତ ଆଦିକରି ଲୋଟାଇବି ନା ସବୁନ୍ତି ।୨୫୧।

ଅର୍ଜୁନ ବୋଇଲା ସ୍ୱାମୀ ଠାକୁରଂକର ନାହିଂ ଆଗ୍ୟାଂ

ସ୍ୱାମୀଂକର ବଚନକି କରିବ ଅଗଗ୍ୟାଂ ।୨୫୨।

ବହୁତ ବିନୋୟୀ ଅର୍ଜୁନ ଭୀମସେନକଇଂ ସମାର୍ଜି

ପୁଣ ପୁଣ ଭୀମସେନ ଉଠଇ ଗଳଗାଜି ।୨୫୩।

କୋପ ସଂଘରିଲେ ଦେବ ପଣ୍ଡିତ ପଣ ବହି

ନବ ପାବଚ୍ଛ ତଳେ ଉଭାଛନ୍ତି ଚାରିଭାଇ ।୨୫୪।

ଦ୍ରିଯୋଧନ ବୋଇଲା ଯେ ଆହେ ଯୁଝେଷ୍ଠିର

ଭାଇନ୍ତ ହାରିଣ କିସ ଦମ୍ଭ ପୁଣ ତୁମ୍ଭର ।୨୫୫।

ସେହିତ ହୋଇଲେନି ଆମ୍ଭର ନିଜ ଭୃତ୍ୟ

ତୁ ଥାଇ ଆବର କିସ କରିବୁ ପୁଣ ୟେଥ ।୨୫୬।

ଭାଇନ୍ତ ଛାଡ଼ିଣ ଆର କାହିଂକି ଯିବୁ ୟେକା

ତୋ ତହୁଂ କେହି ଆଉ ନାହିଂ ନା ନିରେଖା ।୨୫୭।

ୟେଘାନ୍ତିର ପୀଢ଼ ତୁ ହୋଇବୁ ଯୁଝେଷ୍ଠି

ଧର୍ମ ବଳ ଥିଲେ ପାରି ଅବା ଲେଉଟି ।୨୫୮।

ତୁ ପୀଢ଼ ହୋଇଲେ ଆମ୍ଭେ କଚ୍ଛକେ ଶତେଭାଇ

ଜିଣିଲେ ତୋର ଭାଇନ୍ତ ନେମୁଂ ମୁକୁଳାଇ ।୨୫୯।

ଦ୍ରିଯୋଧନର ବଚନେ ସ୍ରାଗିଲେ ନୃପମଣି

ବିଚାରିଲେ ଧର୍ମ ଥିଲେ କଡ଼ାକେ ଯୂତ ଜିଣି ।୨୬୦।

ସମ୍ପତ୍ତି ବିପତ୍ତି ୟେ କ୍ଷଣେ କ୍ଷଣେ ମାୟା

ସର୍ବଦା ପ୍ରାଣୀଂକି ଦଇବକି ହୋଇବ ନିର୍ଦ୍ଦୟା ।୨୬୧।

ଶକୁନିର ବଦନ ଚାହିଂ କହିଲେ ରାୟେ ଦୃଢ଼

ମୁକୁହିଂ ଆତ୍ମା ପରିଜା କଲଇଂ ୟେହୁ ପୀଢ଼ ।୨୬୨।

କର୍ଣ୍ଣ ଧୁଶାସନ ନାସିକାୟେ ଦିଲେ ହସ୍ତ

ୟେ ସେ ଯୁଗତ କଥା ତୋହୋର ଅଟଇ ସତ ।୨୬୩।

ୟାବତ କାଳକଇଂ ତ ୟେହି କଥା ରହିଲା

ଭାଇନ୍ତ ହାରିଣ ଧର୍ମ ଆତ୍ମା ବିକ୍ରେକଲା ।୨୬୪।

ଦ୍ରିଯୋଧନ ବୋଇଲା ଶୁଣସି ମାତୁଳ

ପାଡ଼ କିନା ପଶା କାଠି କିମ୍ପେ କରୁ ହେଳ ।୨୬୫।

ଜିତ ଜିତ ବୋଲି ପାଡ଼ିଲା ଶକୁନି

ବାମଞ୍ଚା ପଡ଼ିଲା ସେ ହାରିଲେ ଯୁଝେଷ୍ଠି ନୃପମଣି ।୨୬୬।

ଦେଖିଣ ଧୁଶାସନ ଉଠିଲା କୋପଚିତ୍ତେ

ଯୁଝେଷ୍ଠିଂକର ବେନି ଭୁଜ ଧରିଲା ତୁରିଲେ ।୨୬୭।

ସଭା ତଳକୁ ଯାଅ ଯାଅ ଧର୍ମର ତନୟେ

କିମ୍ପାଇଂ ବସିଅଛୁ ରାଜା ବୃଦ୍ଧ କାକ ପ୍ରାୟେ ।୨୬୮।

ବେନି ଭୁଜ ଧରି ଉଛୁଡ଼ଇ ଧୁଶାସନ

ଦ୍ରିଯୋଧନ ବୋଇଲା ନିଅ କିନାରେ ବହନ ।୨୬୯।

ରାଜାର ବଚନେ ଯୁଝେଷ୍ଠି ଦେବ ଉଠି

ଅରୁଣ ଉଲ୍ଲୋଳ ପ୍ରାୟେ ବେନି ଲୋଚନୁ ଅଶ୍ରୁଜଳ ଫୁଟି ।୨୭୦।

ଆସ୍ତାନୁ ତିନି ପାବଚ୍ଛ ତଳକୁ ନେଲେ ସେ ଗଳଥି

ବାହୁଡ଼ାଇ ଆଣ ବୋଲି ଆଗ୍ୟାଂ ଦିଲେ କୁରୁପତି ।୨୭୧।

ପୁଣିହିଂ ଛାମୁକୁ ଆଣିଲା ଅନ୍ତରୀଚ୍ଛେ

ଦ୍ରିଯୋଧନ ଅଗ୍ରତେ ଉଭା ହୋଇଲେ ଧର୍ମବତ୍ସେ ।୨୭୨।

ଦ୍ରିଯୋଧନ ବୋଇଲା ସମସ୍ତ ହାରିଲୁ ଧର୍ମରାୟେ

ଆବର ଅଛି କି ବୁଦ୍ଧି କେବଣ ଉପାୟେ ।୨୭୩।

ମଉନବ୍ରତେ ଉଭା ହୋଇଛନ୍ତି ଧର୍ମଶିଷି

କ୍ରୋଧ ଭରେ କିଛି ଦେଇ ନୁଆରନ୍ତି ସମାସି ।୨୭୪।

ଶକୁନି ବୋଇଲା ହୋ ଅପଚୟେ କାଳେ ପ୍ରାଣୀ

ହରାଇ ସମସ୍ତ ବୁଦ୍ଧି ଅପରା ପରନ୍ତୁ ନ ଜାଣି ।୨୭୫।

ଦ୍ରିଯୋଧନ ବୋଇଲା ସମସ୍ତ ହାରିଲୁ ନୃପତି

କଥାୟେ ଅଛି ତୋତେ କହିବା ନିଭ୍ରାନ୍ତି ।୨୭୬।

ଦ୍ରୋପତୀକି ପିଢ କରି ପାରିବୁକି ଧର୍ମନାନ

କତିକେ ହୋଇବ ତୋର ରଥ ଗଜ ଅଶ୍ୱ ସନ୍ୟ ।୨୭୭।

ଧନ ଭଣ୍ଡାର ଆଦି କରି ଅଳଂକାର ସହିତେ

ରାଜ୍ୟଭାର ସିଘାଂସନ ତୁମ୍ଭେ ପଞ୍ଚୁଭ୍ରାଥେ ।୨୭୮।

ମୋହୋର ଶତେ ଭ୍ରାଥ ରାଜ୍ୟ ସମସ୍ତ ଆଦିକରି

ୟେକା ଦ୍ରୋପତୀକି କରିବା ପୀଢ ସରି ।୨୭୯।

ୟେବେ ରାୟେ ପଡ଼ଇ ୟେହୁ ଦାନ

ସବୁ ତୋହୋର ହୋଇଂ ହାରିଲା ଦ୍ରବ୍ୟମାନ ।୨୮୦।

ମୋହୋର ରାଜ୍ୟଭାର ଧନଭଣ୍ଡାର ସଇନି ସହିତେ

ଆମ୍ଭେ କ୍ରୟେ ହୋଇଂ ଭୃତ୍ୟପଣେ ଖଟିଥିବୁ ତୋତେ ।୨୮୧।

ଦ୍ରିଯୋଧନ ବଚନେ ଯୁଝେଷ୍ଠି ଦେବ ହସି

ପଶାକାଠି ଆବୋରି କତିରେ ଯାଇଂ ବସି ।୨୮୨।

ଆଶା ଦୁରାପଦ ନୋହଇ ଆନ କଲା

ଆଶା ଲୁବୁଧେ ଶଶା ଆଷ୍ୟ ଥାଉଂ ମଲା ।୨୮୩।

ଯେବଣ ପ୍ରାଣୀ ହୋ ହାରିଣ ପୁଣ କରନ୍ତି ଆଶ

ଆପଣାର ଆଷ୍ୟ କ୍ଷୟେ ନିଶ୍ଚୟେ ୟାନ୍ତି ନାଶ ।୨୮୪।

ଆଶାୟେ ପରମ ଦୁଖ ସମସ୍ତେ ହେଂ ବିଚାରି

ନ ଜାଣି ୟେଡ଼େ ଭିଗ୍ୟଂଜନ ପଡ଼ୁଛନ୍ତି ହୁଡ଼ି ।୨୮୫।

ଯୁଝେଷ୍ଠି ଦେବେ ବିଚାରନ୍ତି ଆପଣା ହୃଦଗତେ

ମହା ଜିଘ୍ନସେନୀ ସେ ପାଞ୍ଚାଳ ରାଜାର ଦୁହିତେ ।୨୮୬।

କୋଟିୟେ ଋଷିଘେନି ମହାଋଷି ବ୍ୟାସ

ମହା ଅନଳ ଭେଦି ଯାହାର ତେଜ ପ୍ରକାଶ ।୨୮୭।

ପରମ ମାହେଶ୍ୱରୀ ଅନାଦି ଅପର୍ଣ୍ଣା

ଯୁଗାନ୍ତେକ କଳ୍ପି ଅନାଦି ସିଦ୍ଧ ସେହ୍ନା ।୨୮୮।

ତାହାକୁ ପୀଢ଼ କରି କି ଆମ୍ଭେ ହାରିବୁ ପଶାୟେ

ସେ କୃଷ୍ଣାର ପ୍ରସାଦେ ଖଣ୍ଡିବା ଅପଚୟେ ।୨୮୯।

ଦେବ ମନ୍ତ୍ର ସିଦ୍ଧା ସେ ଅଟଇ ପରମ ଯୋଗିନୀ

ଚାରି ଅବତାରେ ସେ ହୋଇଲା ଅଯୋନି ।୨୯୦।

ମୁହିଂ ଅବା କାରଣ ପାଇବି ତାହାର ପୁଣ୍ୟବଳେ

ବୁଡ଼ିବାର ଭେଳା ଅବା ଲାଗଇ ମୋର କୂଳେ ।୨୯୧।

ଜାତ ଅନ୍ତ ମଧ୍ୟେ ଅବସ୍ଥାନ ଅଟଇ ସେହି

ଚାରି ମୂର୍ତ୍ତି ଧରି ସେ ସଂସାର ଜନ ମୋହି ।୨୯୨।

ଅନଳ ପଖାଳନୀ ଶରୀର ଯାହାର ନିତି

ସେ ପାଞ୍ଚାଳୀ ପ୍ରସନ୍ନେ ଅବା ଫିଟଇ ଦୁର୍ଗତି ।୨୯୩।

ଅମୃତ ରସ ଦାନୀ ୟେ ସଂସାର ହିତକାରୀ

ତାହାର ପ୍ରସନ୍ନେ ଅବା ମୋହୋର ଅପାଦ ହୋଇପାରି ।୨୯୪।

ଯୁଝେଷ୍ଠିଦେବେ ବୋଇଲେ ଶକୁନି ମନ୍ତ୍ରୀ ଛାମୁ

ଦ୍ରୋପତୀକି ପୀଢ଼ କଲି ମୁଂ ପଶାପାଡ଼ ମାମୁ ।୨୯୫।

କ୍ରୋଧେଣ ଗଦ ଗଦ ଧର୍ମରାୟେ ଯୁଝେଷ୍ଠି

ଭୋ ଦଇବ ବିଧାତା ବୋଲି ମନେ ମହାକଷ୍ଟି ।୨୯୬।

ଧର୍ମ ଧର୍ମ ସୁମରନ୍ତି ଦେବ ଆପଣା ହୃଦଗତେ

ପଞ୍ଜୁରାଜ୍ୟ ପରିଜା କରିଅଛି ୟେକା ଦ୍ରୋପତୀର ନିମନ୍ତେ ।୨୯୭।

ଯୁଝେଷ୍ଠିଂକ କୋପ ଦେଖି ବିହନ୍ତା ପୁରୁଷେ

ଭୟେ କରି ମିଳିଲେ ଯାଇଂ ପିତାମହ ପାଶେ ।୨୯୮।

ଭୋ ଦେବ ମଧ୍ୟପୁରେ ଧର୍ମରାୟେ ଯୁଝେଷ୍ଠି

ସକଳ ସମ୍ପଦ ହାରିଲା ଜିଣିଲା ଧୃତିରାଷ୍ଟ୍ରି ।୨୯୯।

ଭାଇନ୍ତ ଘେନିଣ ଆତ୍ମା କ୍ରୟେ ହେଲେ ପଶାୟେ କୋତେହୋଳେ

ଭାରିଯା ସହିତେ ହାରିବ ବିପାକ କର୍ମବଳେ ।୩୦୦।

ଯେ ସେ ପାଣ୍ଡବେ ସେ ନାରାୟଣ ସରୂପ

ଅନ୍ତକାଳେ ନ ପୁଣ ସେ ଆମ୍ଭନ୍ତ କରନ୍ତି କୋପ ।୩୦୧।

ତୁ ଧାତୁବାଦ ପୁରୁଷ ନବ ସୃଷ୍ଟି କରତା

ଧାରଣା ପୁରୁଷ ତୁହି ନାମ ତୋହୋର ଧାତା ।୩୦୨।

ଧାତାୟେ ଆଗ୍ୟାଂଦିଲେ ଅସ୍ତୁକାର ପୁରୁଷକୁ

କଳିକାଳ ହରାଉଛି ଯୁଝେଷ୍ଠି ଦେବଂକୁ ।୩୦୩।

ପୃଥୀର ଭାରାଭର ଲୀନ ହୋଇବା ନିମନ୍ତେ

ଜିଣୁ ଦ୍ରିଯୋଧନ ଜିଘ୍ନସେନୀ ସହିତେ ।୩୦୪।

ସତୀଂକି ଜିଘାଂସେ ତୁଟିବ ତାର ଆଷ୍ୟ

ଭାରିଯା ଜିଘାଂସେ ସହୋଦ୍ର କରିବେ ନାଶ ।୩୦୫।

ଯାଅ ତୁମ୍ଭେ ବେଗ ହୋଇ ଚାରିପୁରୁଷେ ଅସ୍ତୁକରା

କଉରୋବନ୍ତ ଜିଣାଇଂ ପାଣ୍ଡବନ୍ତ ବେଗେ ହରା ।୩୦୬।

ବହନ ଦ୍ରିଯୋଧନ ମହାସତୀଂକି ଜିଘାଂସୁ

ରାଗେଣ ଭୀମସେନ କଉରୋବ ବଳ ଧଂସୁ ।୩୦୭।

ବ୍ରହ୍ମାୟେ ସରଜିଲା ଯାହା ସଞ୍ଚିତ କରି

କେହୁ ତାହା ଅନ୍ୟଥା କରିବ ମାନବ ଦେହଧରି ।୩୦୮।

ଅସ୍ତୁକରା ପୁରୁଷେ ଯେ ବହନେ ଅଇଲେ

ଶକୁନି ହୃଦରେ ସେ ସମସ୍ତେହେଂ ପଶିଲେ ।୩୦୯।

ଆତ୍ମା ବିକଳେ ଯେ ଦେବ ଧର୍ମସୁତେ

ପଞ୍ଚୁରାଜ୍ୟ ପରିଜା କରିଛନ୍ତି ୟେକା ଦ୍ରୋପତୀର ନିମନ୍ତେ ।୩୧୦।

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ଦ୍ରିଯୋଧନ

ତୋହୋର ମୋହୋର ପାଲଟ କରିବାକି ଦାନ ।୩୧୧।

ତୋହୋର ହେଉ ବାମଞ୍ଛା ମୋହୋର ହୋଉ ପଞ୍ଚୁଆତି

ବାମଞ୍ଛା ପଡ଼ିଲେ ଆମ୍ଭେ ହାରିବୁ ଦ୍ରୋପତୀ ।୩୧୨।

ଯୁଝେଷ୍ଠିଂକ ବଚନ ଦ୍ରିଯୋଧନ କଲା ସନମତ

ପଶାଯୋଡ଼ି ହସ୍ତରେ ଘେନିଲେ ଧର୍ମସୁତ ।୩୧୩।

ଗୋରେଖ ସୁମରି ଯେ ଧର୍ମର କୁମରେ

ପଶାକାଠି ଦିଲେ ନେଇ ଶକୁନିର କରେ ।୩୧୪।

ଯାହା ସେ ସର୍ଜନା କରିଛନ୍ତି ଧାତା

କାହାରି ବୋଲେ ସେ ଯେ ନୋହଇ ଅନ୍ୟଥା ।୩୧୫।

ପଶା ପାଡ଼ ମାମୁ ବୋଲି ବୋଲନ୍ତି ଧର୍ମସୁତେ

ପଞ୍ଜୁରାଜ୍ୟ ପରିଜା କଲି ଦ୍ରୋପତୀର ନିମନ୍ତେ ।୩୧୬।

ଜିତ ଜିତ ବୋଲିଣ ଶକୁନି ମହାମନ୍ତ୍ରୀ

ପଡ଼ିଲା ବାମଞ୍ଛା ହାରିଲେ ଯୁଝେଷ୍ଠି ନୃପତି ।୩୧୭।

ହସନ୍ତି କଉରୋବେ ଯେ କରତାଳି ଦେଇ

ଅବାଡ଼େ ଚିତ୍ର ପ୍ରାୟେକ ନୋହୋଇ ନା ୟେହି ।୩୧୮।

ଛାଡ଼ିଲା ଶିରୀ ସମ୍ପଦ ଅତିହିଂ ଧର୍ମପଣେ

ନେରେ ଧୁଶାସନ ଯୁଝେଷ୍ଠିଂକି ବସା ସଭାତଳେ ୟେହିକ୍ଷଣେ ।୩୧୯।

ରାଜାର ଆଗ୍ୟାଂୟେ ଧୁଶାସନ ମହାବୀର

ଉଠ ହୋ ଯୁଝେଷ୍ଠି ବୋଲି ଆକ୍ରେଷି ଧଇଲା ବେନି କର ।୩୨୦।

ଯୁଝେଷ୍ଠି ଦେବଂକର ଅବସ୍ତା ଦୁଖ ଦେଖି

କାଳଚକ୍ର ପ୍ରାୟେକ ଭୀମର ବୁଲଇ ବେନି ଆଖି ।୩୨୧।

ଭୀଷ୍ମ ବୋଇଲେ ବାବୁ ଶୁଣ କୁରୁପତି

ଚାରି ଭାଇନ୍ତ ଦେଲୁ ଦୁଶହ ଯେ ଶାସ୍ତି ।୩୨୨।

ଯୁଝେଷ୍ଠି ଥାଉ କିନା ସଭାର ଉପରେ

ଅତିହିଂ ଜିଂଘାସ ତୁ ନ କର କୁରୁବୀରେ ।୩୨୩।

ଲକ୍ଷେ ନୃପତି ଯାହାର ଚରଣେ ହାଦେ ବନ୍ଦେ

ଜଗନ୍ନାଥ ପ୍ରଣପତ୍ୟ ଯାହାର ପଦ୍ମପାଦେ ।୩୨୪।

ତେପନ ଯୁଗର ରାଜା ଯେ ଲଂକାର ବିଭୀଷଣ

ତାହାର ପାଦ ପଦ୍ମ ତଳେ କଲାକ ଦରଶନ ।୩୨୫।

ବାବୁ ମହାକୋଟି କଳ୍ପୀ ଅନନ୍ତ ନାଗରାଜା

ଯେବଣ ଯୁଝେଷ୍ଠି ପଦ୍ମପାଦେ କଲାକ ଦିବ୍ୟ ପୂଜା ।୩୨୬।

ପ୍ରତକ୍ଷେ ଧର୍ମଦେବତା ତାହାଂକୁ କେତେ ଜିଘାଂସୁ

ଆଷ୍ୟ ଥାଉଂ ଥାଉଂ ମରଣେ କିମ୍ପେ ପଶୁ ।୩୨୭।

ଆସ୍ତାନ ତଳେ ବସିଲେ ଚାରି ଭାଇ

ଯୁଝେଷ୍ଠି ୟେକା ସଭାୟେ ଥାଉଂ କିନା ରହି ।୩୨୮।

କର୍ଣ୍ଣ ବୋଇଲା ସେ ହାରିଲା ସମସ୍ତ

ସଭାର ତଳେ ଯାଇଂ ବସିଲେ ଚାରି ଭ୍ରାଥ ।୩୨୯।

ସୋଦର ଜିଙ୍ଗାସନେ ଆପଣେ କିସ ସୁଖୀ

ୟେହୁ ବୋଲି କରି ସେ କଷ୍ଟମାନ ସିନା ପାରୁଛନ୍ତି ଦେଖି ।୩୩୦।

ରକତ ମାୟେଂସ ଆବର ଛତ୍ରୀ ଦେହ ବହି

ଆପଣା ଅଭିମାନ କେହ୍ନେ ହୋୟେ ସହି ।୩୩୧।

ଧୁଶାସନ ଦୁର୍ଜୟେ ହସିଲେ ନାସିକାୟେ ହସ୍ତ ଦେଇଂ

ୟେଡ଼େ ନିଲଜ୍ଜରେ ସଭାରେ ବସ କିସ ପାଇଂ ।୩୩୨।

ବହୁତ ଜିଘାଂସ ସେ ପାଇଲେ ଅଭିମାନ

ସଭାରୁ ଉଠିଣ ଦେବ ଗଲେ ଧର୍ମନାନ ।୩୩୩।

ଭାଇନ୍ତ ଘେନିଣ ତହିଂ ବସିଲେ ସଭାତଳେ

ଆରମ୍ଭେ ବସି ହସନ୍ତି କଉରୋବ ସକଳେ ।୩୩୪।

ଭୀମସେନ ଶରୀର କମ୍ପଇ ମହାକୋପେ

ଗଦାବର ବୁଲାଇ ଗର୍ଜଇ ଗରୁତପେ ।୩୩୫।

ଯୁଝେଷ୍ଠିଂକ ବଦନ ଭୀମ ଚାହଂଇ ନିରୋପି

କିମ୍ପେ ମଉନ ହୋଉ ସ୍ୱାମୀ ଆଗ୍ୟାଂ ନ ଦେଉ ଅଦ୍ୟାପି ।୩୩୬।

ଶତ୍ରୁର ଜିଘାଂସ ହୋ ସହିତେ କି ପାରି

ବଳବୀର୍ଯ୍ୟ ଥାଇ କିଂପେ ଦ୍ୱନ୍ଦ ହୁଂ ଅପସରି ।୩୩୭।

ଅତିହିଂ ଧର୍ମ ପଣେ ସ୍ୱାମୀ ବୁଡ଼ାଇଲୁ ରାଜ୍ୟ

ସଂହାଥେଣ ପଶା ଖେଳି ହରାଇଲୁ ଅଇଶୁର୍ଯ୍ୟ ।୩୩୮।

ଆବର ଜୀବନେ ଆମ୍ଭର ପ୍ରୟୋଜନ କିସ

ଅବଶ୍ୟ ମରିବୁ ଆମ୍ଭେ ଖାଇଣ କାଳକୂଟ ବିଷ ।୩୩୯।

ଦୁରାପଦ ପ୍ରତଗ୍ୟାଂ ଯେ କରଇ ଫାଲଗୁନି

ଗର୍ଜିଣ ଉଠିଲେ ନକୁଳ ସହଦେବ ଭାଇବେନି ।୩୪୦।

ସବୁଂକରି ମୂର୍ତ୍ତି ଦେଖି ତିଆରନ୍ତି ଯୁଝେଷ୍ଠି

କୋପ ସଂହର ବାବୁରେ ନ କରି ଅରଷ୍ଚି ।୩୪୧।

ମୁହିଂ ଯାହା ଅର୍ଜିଲି ଭୁଞ୍ଜିବି ତାହା କର୍ମେ

ଦଇବ କଷଣ ମୋତେ କହିଅଛି ଧର୍ମେ ।୩୪୨।

ମନେ ମନେ ଭାଳନ୍ତି ଯୁଝେଷ୍ଠି ରାଜଦେବ

ଭୋ ଦେବ ନିରଞ୍ଜନ ପୁରୁଷ ଧାତା ଦଇବ ।୩୪୩।

ନ ପୁଣ ଭୀମସେନ କୋପ କରି ନାଶଇ କଉରୋବ

ଅନ୍ଧରାଜା ଗୋଟି ମୋର ଅନାସ୍ତ ହୋଇବ ।୩୪୪।

ନ ପୁଣ ସୋଦରନ୍ତ ନ ପଡ଼ଇ ପରମାଦ

ଯେ ମୋହୋର କର୍ମେ ଦୁଖ ଅଛଇ ଅପାଦ ।୩୪୫।

ବାବୁ କୋପେ ନ କର ବୋଲି ଯୁଝେଷ୍ଠି ତିଆରି

ଧର୍ମର ବଚନେ ଅଲଂଘିତ ଭାଇ ଚାରି ।୩୪୬।

ଯୁଝେଷ୍ଠିଂକ ବଚନେ ସଂହରିଲେ ସର୍ବେ କୋପ

ବଇନେତ୍ର ଦେକି ଯେହ୍ନେ ଘୁଞ୍ଚଇ କାଳ ସର୍ପ ।୩୪୭।

କର୍ମ ଆଦରିଣ ରହିଲେ ଚାରି ଭ୍ରାଥେ

ସାଧୁ ସାଧୁ ଯୁଝେଷ୍ଠି ବୋଲି ବୋଇଲେ ସମସ୍ତେ ।୩୪୮।

ଆସ୍ତାନରେ ଥାଇଂ ବୋଲନ୍ତି କୁରୁରାଣ

ହାରିଣ ରାଜ୍ୟଭାର ହୋଇଲେ ଭୃତ୍ୟ ପଣ ।୩୪୯।

ନାପିତ ଜାଣିଣରେ ହୋଇଲେ ପେଶକାରୀ

ତୁମ୍ଭର ଜୀବନରେ ଭୃତ୍ୟର ଭୃତ୍ୟ ସରି ।୩୫୦।

ବିଦୁର ବୋଇଲେ ବାବୁ ପାଣ୍ଡବନ୍ତ କେତେହେଂ ଜିଘାଂସୁ

ସଞ୍ଚୟେ କରି ବଂଶ ନାଶ କରିବା ବୁଦ୍ଧିରେ କିମ୍ପାପଶୁ ।୩୫୧।

ଦ୍ରିଯୋଧନ ବୋଇଲା ଦେଖିଲା ନାହିଂକି ତୁମ୍ଭେ କେହି

ମାୟା ସଭାୟେ କରି ଯେ ଜିଘାଂସିଲା ୟେହି ।୩୫୨।

ଜଳ ସଷ୍ଟିକ ଯେ କଲେ ୟେକ ମୂର୍ତ୍ତି

ବାରିତ ନ ଗଲା ମୋତେ ୟେହାଂକର କୂଟ ଯେ ପ୍ରକୃତି ।୩୫୩।

ଆଉଜି ବସିଲି ମୁଂ ଥମ୍ବ ବୋଲି କରି

ଜଳର ଭିତରେ ମୁଂ ପଡ଼ିଗଲି ହୁଡ଼ି କରି ।୩୫୪।

କରେ କରତାଳି ମାରି ସେ ହସିଲେ ପାଣ୍ଡବେ

ତେତେବେଳେ ତୁମ୍ଭର ୟେ ପଡ଼ିଲା ପରସ୍ତାବେ ।୩୫୫।

ସମ୍ପଦ ବିପଦ ୟେ ରାତ୍ର ଦିବସ ପରାୟେ

ୟେବେ ବିପଦ ପଡ଼ିଲା ସହିବ ନାହିଂକି ରାୟେ ।୩୫୬।

କହୁ କହୁ କୋପାନଳ ବଢିଲା କୁରୁପତି

ଆରେ ଆରେ ପାଣ୍ଡବନ୍ତ ତହିଂକି ଆଣରେ ଦ୍ରୋପତୀ ।୩୫୭।୧୩୩୬୦।

 

ଦୁଶାସନ କର୍ତ୍ତୃକ ଦ୍ରୋପଦୀଙ୍କୁ ସଭାସ୍ଥଳକୁ ଆନୟନ

ୟେହାଂକର ତୁଲେ ବସାଅ ତାକୁ ଆଣି

ସଭାରୁ ଧୁଶାସନ ଧାମଇଂ ଶିର ଝୁଣି ।୧।

ଚଉଷଠି ଭାର ଗଦା ଘେନିଣ ବେନିକରେ

ଧମଇଂ ଧୁଶାସନ ପବନୁହୁଂ ଖରେ ।୨।

ଖାଂକର କେଶ ଉର୍ଦ୍ଧ୍ୱ କପାଳ ବିକଟାଳ

ତମ୍ବା ଚକ୍ର ପ୍ରାୟେ ନୟନ ବୁଲାଇ ପରଖର ।୩।

ଧାମଇ କୁମର ଧୁଶାସନ ଜେନା

ତାଳ ତୋଢ଼ର ବାହୁଟି ମୁକୁଟ ବଜ୍ର ସେହ୍ନା ।୪।

ଅନେକ ରତ୍ନ ଯେ ଭୂଷଣ ତାର କାୟେ

ଦିଶଇ କୁମରମଣି କାର୍ତ୍ତିକେଶ୍ୱର ପ୍ରାୟେ ।୫।

ରଡ଼ି ଶବଦ ଘାୟେ କମ୍ପଇ ଭୂଅଖଣ୍ଡ

ପାଦ ଭରେ ମେଦିନୀ କମ୍ପଇ ସପତ ବ୍ରହ୍ମାଣ୍ଡ ।୬।

ବୀରବର ପ୍ରତଗ୍ୟାଂ କରିଣ ଧୁଶାସନ

ପ୍ରବେଶ ହୋଇଲେ ଯାଇଂ ବାରୁଣାବନ୍ତ ଭୁବନ ।୭।

ଧୁଶାସନକଇଂ ଦେଖିଣ ଯେ ପଳାଇଲେ ପୋଇଲି

ଦ୍ରୋପତୀଂକ ଆଗେ ଯାଇଂ କହିଲେ ମୁଦୁସୁଲୀ ।୮।

ଶୁଣ ଗୋ ଗୋସାମଣୀ ଧୁଶାସନି ଧାମଇଂ ଅତି ବେଗେ

ସିଂହଦ୍ୱାରେ ଆସି ପ୍ରବେଶ ଅତି ରାଗେ ।୯।

ଦ୍ୱାର ରକ୍ଷା କରୁଥିଲେ ଦ୍ୱାରପାଳେ

ଧୁଶାସନକଇଂ ଉଗାଳିଲେ ପୁରେ ପଶିବାର ବେଳେ ।୧୦।

ଆଢୋ ଆଢୋ କରି ରେ ରେକାର ଶବଦ କରି

ଦ୍ୱାର ରକ୍ଷାମାନନ୍ତ ଆସଇ ବୀର ଠେଲି ।୧୧।

ଲକ୍ଷେକ ଯୋଦ୍ଧା ଯେ ଉଗାଳିଲେ ବେଗେ ଯାଇଂ

ଆରେ ଆରେ କଉରୋବା ପଶୁ କାହିଂ ପାଇଂ ।୧୨।

ଗଦା ମୁଦୁଗର ଯେ ପରିଘ ତୀଖ ମୁନା

ଧନୁ ତ୍ରୋଣ କୁନ୍ତ ଅସିପତ୍ର ବଜ୍ର ସେହ୍ନା ।୧୩।

ଅନେକ ନାରାଜମାନ ଧନୁରେ ପୂରୋଇ

ଧୁଶାସନ ଉପରକୁ ବିନ୍ଧିଲେ ତୁହାଇ ।୧୪।

ପଡ଼ନ୍ତି ନାରାଜେ ଯେ ଗଗନୁଂ ଧରା ଜାଣି

କକଡ଼ା ମାସେ ଯେହ୍ନେ ବରଷଇ ପାଣି ।୧୫।

ୟେମନ୍ତ ନାରାଜ ପଡ଼ନ୍ତେ ଦେଖଇ ଧୁଶାସନ

ମତ୍ତଗଜ ପ୍ରାୟେ ଦିଶଇ ଉଦ୍ଦାମ ।୧୬।

ଡାକେଣ କମ୍ପଇ ପୃଥିବୀ ମହାଭରା

ଧାଇଂଣ ପ୍ରହାର ଯେ କରଇ ମହାବୀରା ।୧୭।

ମତ୍ତଗଜ ଦେଖି ଯେହ୍ନେ ଧାମଇ ମତ୍ତ ସିଂଘେ

ହେଠ ମାଥେ ଚଳଇ ବୀର ବୟସ ମତ୍ତଗର୍ବେ ।୧୮।

ଦୁସହ ଧୁଶାସନ ପ୍ରତଗ୍ୟାଂ ଯାହାର ବିରଧୂ

ଅଇରି ଦର୍ପଗଞ୍ଜନ ଗର୍ଜଇ ଯେହ୍ନେ ସିନ୍ଧୁ ।୧୯।

ରେ ରେ କାର ଶବଦେଣ ଗର୍ଜିଣ ବୀର ଉଠି

ସନ୍ୟଂକ ଉପରେ ଧୁଶାସନ ଗଦା ନେଇ ପିଟି ।୨୦।

ମହା ଗଜନ୍ତ ଆରୋହୀ ଥିଲେ ଯେ ମାହୁନ୍ତେ

ଢଳିଲେ ମତ୍ତଗଜେ ଧୁଶାସନ ଗଦା ଘାତେ ।୨୧।

ପୁଣ ପୁଣ ପ୍ରହାର ଯେ କରଇ କୁମର

ଗଜଂକର କୁମ୍ଭସ୍ଥଳ ବାଜି ହୋଇଲା ଶତେ ଦୂର ।୨୨।

ଅସୁଆରେ ମାହୁନ୍ତେ ମାରନ୍ତି କୁନ୍ତ ତୋଳି

ଘାୟେଣ ନ ମାନଇ ସେ କଉରୋବ ମହାବଳୀ ।୨୩।

ପାଣ୍ଡବ ବୀର ଯେ ଅଟନ୍ତି ନିର୍ଭୟା

ମାରନ୍ତି ସହସ୍ର ପଡ଼ଇ ଧୁଶା କାୟା ।୨୪।

କେ ଗଦା ପିଟନ୍ତି କେ ମାରନ୍ତି କୋନ୍ତାକାର

କେ ଶକତି ବଜ୍ରଶର ମାରନ୍ତି ଉପର ।୨୫।

ସନ୍ୟଂକର ଶହସ୍ତ୍ର ନ କାଟେ ଧୁଶା କାୟେ

ଧୁଶାସନ ଗଦାୟେ ଲୋଟନ୍ତି ଗଜହୟେ ।୨୬।

ଅଶ୍ୱଗଜ ପାଦାନ୍ତି ଯେ ପଡ଼ୁଛନ୍ତି ଢଳି

ରୁଧିରେ ଧୁଶାସନ ଯେ କରଇ ରଙ୍ଗକେଳି ।୨୭।

ଖଗବର ଦେଖି ଯେହ୍ନେ ପଲାବନ୍ତି ନାଗେ

ତ୍ରାସେଣ କେହି ନ ରହନ୍ତି ତାର ଆଗେ ।୨୮।

ଦ୍ୱାର ଓହାଡ଼ ଜଗତୀ ପକାଇଲା ସର୍ବଭାଞ୍ଜି

ଭିତରେ ଧୁଶାସନ ପଶିଲା ଗଳଗାଜି ।୨୯।

ଦୁଜ ଦ୍ୱାରେ ଥିଲେ ମୁକୁଟ ବନ୍ଧା ଯୋଦ୍ଧାମାନେ

ବସୁସେନ ଶୂରସେନ କଉଶିକ ବୀର କର୍ଣ୍ଣେ ।୩୦।

ସୁର ଧଂସନ ଗୋପାଳ ଶଶିରେଖା

ଅନୁସର କେଶବ ଯେ ଜନଗଣ ଶିଖା ।୩୧।

ୟେହାଂକର ମୂଳେ ହୋ ଅନେକ ସେନାପତି

ଅଶ୍ୱନ୍ତ ଆରୋହୀ ଆସି ଓଗାଳିଲେ ତତକ୍ଷଣାନ୍ତି ।୩୨।

ନବ ଲକ୍ଷ ଯୋଧା ଯେ ମୁକୁଟ ଶିଖା ମାଥେ

ଝଲକାନ୍ତି ଲାଂକିଆ ବୁଲାବନ୍ତି ବେନି ହାଥେ ।୩୩।

ଆରେ ଆରେ ଧୁଶାସନ ଯିବୁ ଆରେ କାହିଂ

ରାଜ୍ୟରେ ପଶୁଅଛରେ ଠାକୁରଂକର ଆଗ୍ୟାଂ ନାହିଂ ।୩୪।

ଗଦାବର ପିଟି ଆଜ ଘେନି ମୁଂ ପରାଣ

ସୋଦର ଯହୁଂ ତୁ ପାଣ୍ଡବଂକର ଗରୁରାଣ ।୩୫।

ଅବଗ୍ୟାଂ କରି ଯେବେ ଗଡ଼େ ପଶିଲୁ ଅଦ୍ୟାପି

ବାହୁଡ଼ି ଯାଅସିରେ ନ ପଶ ମୂଢ଼ ପାପୀ ।୩୬।

ପାଣ୍ଡବ ବଳଂକର ଘୋର ମୂର୍ତ୍ତି ଦେଖି

ଭୟେ ଧୁଶାସନ କହଇ କୋପ ଯେ ଉପେଖି ।୩୭।

ଧୁଶାସନ ବୋଇଲା ତୁମ୍ଭେ ବଡ଼ାଇ ଦୁର୍ଭାର

ସବୁନ୍ତି ନାଶ କରନ୍ତିରେ ତୁମ୍ଭେ ସମସ୍ତେ ଆମ୍ଭର ।୩୮।

ଯୁଝେଷ୍ଠି ଦେବ ପଶିଲେ ପଶାର ବିନୋଦେ

ରାଜ୍ୟ ଭାର ସିଂହାସନ ହାରିଲେ ସମସ୍ତ ସମ୍ପଦେ ।୩୯।

ଭାଇନ୍ତ ସହିତେ ହାରି ହୋଇଲେ ଆତ୍ମା କ୍ରିୟେ

ଦ୍ରୋପତୀ ସହିତେ ସେ ହାରିଲେ ପଶାୟେ ।୪୦।

ରଥ ଗଜ ଅଶ୍ୱ ସନ୍ୟ ଭଣ୍ଡାର ଆଦି କରି

ସବୁ ଆମ୍ଭର ହୋଇଲାନି ତୁମ୍ଭେ କିମ୍ପେ ଦ୍ୱନ୍ଦକାରୀ ।୪୧।

ତୁମ୍ଭର ପ୍ରଭୁରେ ଅର୍ଜିଲାକ ଯାହା

ସକଳେ ବିଚାରିଣ ବୁଝସିରେ ୟେହା ।୪୨।

ପାଣ୍ଡବେହେଁ ଆମ୍ଭର ହୋଇଲେନି ଜାଣ ଭୃତ୍ୟ

ତାହାଂକର ପତ୍ନୀ ନେଇଂ ଅଇଲି ନିୟତ ।୪୩।

ସାକ୍ଷ ବାକ୍ୟ କହଇ ଧୁଶାସନ ମହାଯୋଧୀ

ସରୂପ ବାରତା କହି ସବୁନ୍ତି ପ୍ରବୋଧି ।୪୪।

ଯଦ୍ୟପି ଦ୍ୱନ୍ଦ ତୁମ୍ଭେ କରିବ ଆମ୍ଭର ତୁଲେ

କେହି ନ ବର୍ତ୍ତିବଟି ଦ୍ରିଯୋଧନ କୋପକଲେ ।୪୫।

ଧୁଶାସନର ବଚନେ ସଇନି ଗଲେ ବୋଧ

ଭୟେଣ ବାଟ ଛାଡ଼ିଲେ କେହି ନ କଲେ ବିରୋଧ ।୪୬।

ରାହୁର ପ୍ରାୟେ ସେ ଘୋଟିଲା ଧୁଶାସନ ବୀର

ଗର୍ଜନ ନାଦ କରି ପଶିଲା ଅନ୍ତେଶ୍ୱର ପୁର ।୪୭।

ଥୋକେ ଦ୍ୱାରପାଳେ ଭୟେ ପଳାଇଣ ଗଲେ

କୁନ୍ତୀଂକ ଆଗରେ ଯାଇଂ ସର୍ବ ଜଣାଇଲେ ।୪୮।

ଭୋ ମାତ ଆଜ ୟେ କିସ ଅସମ୍ଭବ ହେଲା

ଧୁଶାସନ ଆସି ବହୁ ଉପଦ୍ରବ କଲା ।୪୯।

ଦ୍ୱାରପାଳନ୍ତ ନ ମାନି ଭିତରକୁ ପଶେ

ଦେଖି ୟେ ବିପଦ ମାତ ଅଇଲୁଂ ତୋ ପାଶେ ।୫୦।

ଶୁଣି କୋନ୍ତଭୋଜ ସୁତା ତକ୍ଷଣେ ଗମିଲେ

ସିଂହଦ୍ୱାରେ ଉଭା ହୋଇ ଦ୍ୱାର ଆବୋରିଲେ ।୫୧।

ବୋଇଲେ ଧୁଶାସନରେ ଅଇଲୁ କିସ ପାଇଂ

ସିଂହର ଗୃହରେ କିମ୍ପେ ଶ୍ରିକାଳ ପଶଇ ।୫୨।

ବସ ଦଣ୍ଡେ ବୁଝିବାରେ କେବଣ ସମାଚାର

ଶୁଣି ଧୁଶାସନ ବୋଲେ ଯୋଡ଼ି ବେନିକର ।୫୩।

ମୋହୋର ନାହିଂଟି ମାତ କିଞ୍ଚିତରେ ଦୋଷ

ତବ ପୁତ୍ର ମନ୍ଦପଣେ କଲେ ସର୍ବନାଶ ।୫୪।

ଦ୍ରିଯୋଧନ ସଙ୍ଗେ ହେଲେ ପଶାଖେଳେ ଭୋଳ

ରାଜ୍ୟ ଦଣ୍ଡ ସିଂହାସନ ହାରିଲେ ସକଳ ।୫୫।

ଚାରି ଭାଇନ୍ତ ହାରିଲେ ଆପଣା ସହିତେ

ପୁଣିହିଂ ଦ୍ରୋପତୀଂକି ହାରିଲେ ଗୋ ମାତେ ।୫୬।

କୁରୁପତି ଆଗ୍ୟାଂୟେ ମୁଂ ୟେଥେ ଅଛି ଆସି

ଦ୍ରୋପତୀଂକି ନେମଇ ମୁଂ ଅନ୍ତପୁରେ ପଶି ।୫୭।

ଆଗୋ ମାତ ଛାଡ଼ ଦ୍ୱାର ଯିବଇଂ ଭିତର

ଦଣ୍ଡ ପାଇବି ମୁଂ କ୍ଷଣେ ହୋଇଲେ ଉଛୁର ।୫୮।

କୁନ୍ତୀ ବୋଇଲେରେ ବାବୁ ଶଉଣ ମୋ ଉତ୍ତର

କେଉଂ ପୀଢ଼େ କି କି ହାରିଛନ୍ତି ପୁତ୍ର ମୋର ।୫୯।

ଧୁଶାସନ ବୋଲେ ପ୍ରଥମରେ ଅଳଂକାର

ଦୁଜେଣ ହାରିଲେ ସର୍ବ ଧନ ଯେ ଭଣ୍ଡାର ।୬୦।

ତିଜେଣ ହାରିଲେ ପୁଣ ଦଣ୍ଡ ସିଂହାସନ

ଚତୁର୍ଥେ ହାରିଲେ ରଥ ଗଜ ଅଶ୍ୱମାନ ।୬୧।

ପଞ୍ଚମରେ ହାରିଲେ ସେ ଅର୍ଦ୍ଧ ପଞ୍ଚ ରାଜ୍ୟ

ଷଷ୍ଠ ପୀଢ଼ରେ ହାରିଲେ ପବନ ଆତ୍ମଜ ।୬୨।

ସପ୍ତମେ ଫାଲଗୁନି ଅଷ୍ଟମେ ମାଦ୍ରୀବାଳ

ସହଦେବଂକୁ ହାରିଲେ ନବମର ବେଳ ।୬୩।

ଦଶମ ପୀଢ଼ରେ ଆପେ ଆତ୍ମା କ୍ରୟେ କଲେ

ୟେକାଦଶରେ ଦ୍ରୁପଦ କୁମାରୀ ହାରିଲେ ।୬୪।

ୟେପରି ସର୍ବ ସମ୍ପଦ ହାରିଲେ ତୋ ସୁତ

ଆମ୍ଭର ତ ଦୋଷ ନାହିଂ ଶୁଣସି ଗୋ ମାତ ।୬୫।

କୁନ୍ତୀ ବୋଇଲେ ରେ ବାବୁ ଶୁଣ ମୋ ବଚନ

ପ୍ରଥମ ବିବାହି ନାରୀ ଦ୍ରଉପତୀ ଜାଣ ।୬୬।

ପ୍ରଥମରେ ହାରିଥିଲେ ନିଅନ୍ତ ତତ୍କାଳ

ୟେ ଛାର କଥାକୁ ପୁତ୍ର କରୁଛ କଟାଳ ।୬୭।

ଭାଇ ଭାଇରେ ମିଛେ କରୁଅଛ କଳି

ୟେଥିରେ କି ଦୋଷ କଲା ଦ୍ରୋପଦ ଦୁଲାଳୀ ।୬୮।

ଧୁଶାସନ ବୋଲେ ମାତ ଛାଡ଼ିଦିଅ ଦ୍ୱାର

କହି ବୁଲାଇଲା ରଙ୍ଗ ନେତ୍ର ଧୁଶା ବୀର ।୬୯।

ପେଲିଦ୍ୟନ୍ତେ ପଡ଼ିଲେ ଦେବୀ କବାଟ କଣର

ଡାକଦିଲେ ୟେବେ ରକ୍ଷାକର ଚକ୍ରଧର ।୭୦।

ଦ୍ୱାରିକା ଛାଡ଼ି କିବା ଗଲ ଦଇତାରି

ତେଣୁ ଧୁଶାସନ ପଶୁଅଛି ଆମ୍ଭ ପୁରୀ ।୭୧।

କେତେ କେତେ ବିପତ୍ତିରୁ ଉଦ୍ଧରି ଅଛ ମୋରେ

ୟେବେ ଦୟା ଛାଡ଼ିଲକି ଯୁଝିଷ୍ଠିର ଠାରେ ।୭୨।

କି ଅବା ସେ ୟେବେ ମଲେ ପଞ୍ଚୁପୁତ୍ରେ ମୋର

ତେଣୁକରି ଧୁଶାସନ ପଶୁଅଛି ଅନ୍ତପୁର ।୭୩।

ଆଗୋ ଦ୍ରେପତୀ ଦେବୀ ହୁଅସି ସାବଧାନ

ସୋହୋଦ୍ରକୁ ଘେନି ଲୁଚ ଅନ୍ତେଶ୍ୱର ସଦନ ।୭୪।

ବଳାତ୍କାରେ ଧୁଶାସନ ପଶେ ଆମ୍ଭ ପୁରେ

ଗୁପ୍ତେ ରହିଥାଅ ତୁମ୍ଭେ ଅଦୃଶ୍ୟ ଭାବରେ ।୭୫।

ଶୁଣିଣ ଦ୍ରୋପତୀ ଦେବୀ ଚମକିତ ହୋଇ

ପଳାଇ ପାକଶାଳେ ଲୁଚିଲେକ ଯାଇଂ ।୭୬।

ତରତରେ ଫିଟିଣ ପଡ଼ଇ କେଶବାସ

ବ୍ୟାଘ୍ରର ଭୟେ ମୃଗଣୀ ପ୍ରାୟେ ଯଥା ତ୍ରାସ ।୭୭।

ଆକୁଳେ ଦ୍ରୋପତୀ ଦେବୀ ଛାଡ଼ିଣ ନିଶ୍ୱାସ

ଭିତର ପୁରେ ଯାଇଂଣ ହୋଇଲେ ଅଦୃଶ୍ୟ ।୭୮।

ୟେକାଳେ ଭିତରେ ପଶି ଧୁଶାସନ ବୀର

ଖୋଜଇ ଡାଳିମ୍ବା ପୁର ନେତ୍ର ବାସ ପୁର ।୭୯।

ଝୀନପୁର ରତ୍ନପୁର କଉସ୍ତୁଭମଣି ପୁର

ଇନ୍ଦ୍ର ଅବକାଶପୁର ଖୋଜେ ଧୁଶାସନ ବୀର ।୮୦।

ଯେଉଂପୁରେ ଯୁଝେଷ୍ଠିର କରନ୍ତି ଶୟନ

ସରି ନୋହିବ ଲକ୍ଷରେ ମଘବା ଭୁବନ ।୮୧।

ଚାରିକ୍ରୋଶ ଦୀର୍ଘ ପ୍ରତି ଅଟଇ ସଦନ

ହୀରା ନୀଳା ମୋତିରେ ହୋଇଛି ବିତପନ ।୮୨।

ସ୍ଥାନେ ସ୍ଥାନେ ଲାଗିଅଛି ମୁକୁତାର ଝରା

ପ୍ରବାଳ ସ୍ତମ୍ବର ଶୋଭା ଅଟେ ମନୋହରା ।୮୩।

ସ୍ଥାନେ ସ୍ଥାନେ ପାଟବସ୍ତ୍ର ହୋଇଛି ଚାନ୍ଦୁଆ

ମର୍କତ ଚାମରମାନ ଲମ୍ବି ଅଛି ନୂଆ ।୮୪।

ଖୋଜି ଖୋଜି ଧୁଶାସନ କାହିଂ ନ ପାଇଲା

ରୋଷାଇଂ ଶାଳରେ ଯାଇଂ ପ୍ରବେଶ ହୋଇଲା ।୮୫।

ଚଉଦିଗେ ଖୋଜଇ ସେ ଗାନ୍ଧାରୀର ସୁନୁ

ବାଳ ଆଦିତ୍ୟ ପ୍ରାୟେ ଦିଶେ ପାଞ୍ଚାଳୀର ତନୁ ।୮୬।

ରାହୁର ଭୟେ କି ୟେଥି ଅଛଇ ଶଶଧର

ନିକଟରେ ଯାଇଂ ଚିହ୍ନିଲା ୟେ ସେ ଦ୍ରୋପତୀ ଶରୀର ।୮୭।

ଦେଖି ଦୁଶାସନ ମନେ ହେଲା ଆଚମ୍ବିତ

ଆକାଶ ଛାଡ଼ି ୟେଥେ ଅଛଇ ଦିନାନାଥ ।୮୮।

ହସ୍ତ ବଢା଼ବନ୍ତେ କେଶ ଆକର୍ଷେ ପାମର

ଦ୍ରୋପତୀ ଆକୁଳେ ତାକୁ ଦିଅନ୍ତି ଉତ୍ତର ।୮୯।

ନଛୁଅଂ ମୋହୋର ଅଙ୍ଗ ଆହେ ଧୁଶାସନ

ମୋର ଅଙ୍ଗ ହୋଇଅଛି ପାକା ଯେ ସ୍ପର୍ଶନ ।୯୦।

ଧୁଶାସନ ବୋଇଲା ବାଇ ହୋଇଲୁ ଅସତୀ

ନିର୍ଲଜ ହୋଇ ବୋଲୁଛୁ ମୁଖେ ରଜୋବତୀ ।୯୧।

ୟେକାଳେ ଛୁଇଂଲେ ଅଙ୍ଗ ଘୋଟିବ କି ଦୋଷ

ଶୁଣି ଦ୍ରୋପତୀ କହନ୍ତି ଧୁଶାସନ ପାଶ ।୯୨।

ପ୍ରଥମ ଦିନ ରଜୋବତୀ ନାରୀକି ଛୁଇଂଲେ

ଲିଙ୍ଗଭଗ୍ନ ଦୋଷ ଯେ ପୁରୁଷ ଯାଇ ହେଲେ ।୯୩।

ଦୁତୀୟ ଦିନ ଛୁଇଂଲେ ରଜୋବତୀ ନାରୀ

ଗୋ ହତ୍ୟା ଦୋଷ ଲଭେ ପୁରୁଷର ତୁଟେ ଶିରୀ ।୯୪।

ତୃତୀୟ ଦିନ ଛୁଇଂଲେ ବ୍ରହ୍ମହତ୍ୟା ଦୋଷ

ଚତୁର୍ଥ ଦିନ ବାଳହତ୍ୟା ଦୋଷ ଲଭେ ଯେ ପୁରୁଷ ।୯୫।

ସୋଦର ବଧ ଦୋଷ ପଞ୍ଚମ ଦିନେ ପାଇ

ମାତୃ ହରଣ ଦୋଷଟି ଷଷ୍ଠରେ ଲଭଇ ।୯୬।

ସପତ ଦିନଟି ଶୁଦ୍ଧ ହୋୟେ ନାରୀ

ଅୟେଂଳା ଘେନିଣ ଯାନ୍ତି ଥାଉଂ ବିଭାବରୀ ।୯୭।

ସ୍ରାହାନ ସାରି ଓଦା ବାସ ପିନ୍ଧି କୂଳେ ଉଠି

କାହାକଇଂ ନ ଚାହିଂ ଆସଇ ଘରକୁ ନେଉଟି ।୯୮।

ପ୍ରଣମି ଗୁରୁ ବ୍ରାହ୍ମଣ ଶାଶୁ ଯେ ଶ୍ୱଶୁରେ

ଗୃହ କୁଟୁମ୍ବାଦି କାର୍ଯ୍ୟ ତାହା ଉତ୍ତାରୁ ସେ କରେ ।୯୯।

ନିଜ ଅଙ୍ଗ ସୁବେଶ କରିଣ ରୟଣୀରେ

କାନ୍ତ ସଙ୍ଗତେ ବିହାର କରଇ ଆନନ୍ଦରେ ।୧୦୦।

ତେବେ ଜାଣ ଉପୁଜଇ ଅପୁରୁବ ନନ୍ଦନ

ଲକ୍ଷେ ପ୍ରାଣୀ ପୋଷେଣ ସେ ହୁଅଇ ଭାଜନ ।୧୦୧।

ଧୁଶାସନ ବୋଇଲା ମୁଂ ନ ଜାଣଇ ବିଶୁଆସ

ନୟନ ତରାଟି ଧାଇଂଲା ଦ୍ରୋପତୀର ପାଶ ।୧୦୨।

ଯେସନେକ ରାହୁ ଧାମଇଂ କୋପଭରେ

ଗର୍ଜନ ଶବଦ କରି ପଶିଲା ଅନ୍ତପୁରେ ।୧୦୩।

ଧୁଶାସନର ଦୁର୍ବୁଦ୍ଧି ଦେଖିଣ ପାଞ୍ଜାଳୀ

ଅନ୍ତେଶ୍ୱର ପୁରେ ଲୁଚିଲେ ଯାଇଂ ଦ୍ରୁପଦ ଦୁଲାଳୀ ।୧୦୪।

ଆଲୋ ଆଲୋ ବୋଲିଣ ହାକଇ ବୀରମଣି

କାହିଂ ଲୁଚିଅଛି ଲୋ ପାଣ୍ଡବକୁଳ ରାଣୀ ।୧୦୫।

ଧୁଶାସନ ମୁଖୁଂ ଶୁଣିଣ ୟେସନ ଅନୀତି

ଦ୍ୱାର ଆବୋରି ରହିଲେ କୁନ୍ତଭୋଜର ଦୁହିତୀ ।୧୦୬।

ଅନେକ ତିଆରିଣ ଦେବୀ ବିନୟ ବଚନ ବୋଲି

କୋପଭରେ ଧୁଶାସନ କୋଇନ୍ତାଂକୁ ପକାଇ ଦିଲା ପେଲି ।୧୦୭।

ଉତ୍ତାନଶାୟୀ ହୋଇ ପଡ଼ିଲେ କୋନ୍ତିଭୋଜର କୁମାରୀ

ଡେଇଂଣ ଧୁଶାସନ ଯୋ ପଶିଲା ଅନ୍ତପୁରୀ ।୧୦୮।

ପୁରେ ପଶନ୍ତେ ଦେବୀ ରୋବଇ ଉଚ୍ଚସ୍ୱରେ

ଶବଦ ଶୁଣିଣ ଧୁଶାସନ ଭେଟିଲା କତିରେ ।୧୦୯।

ଧୁଶାସନକୁ ଦେଖି ଦେବୀ ପଳାଇଲେ ଅତିଖରେ

ଯାଇଂଣ ପଶିଲେ ଦେବୀ ଚନ୍ଦ୍ରଶାଳା ପୁରେ ।୧୧୦।

ଚନ୍ଦ୍ର ଦେବତାଂକୁ ଦେଖି ଯେହ୍ନେ ଘୋଟଇ ରାହୁ

ସେହି ସରୂପେଣ ତାହାର ବିକାଶଇ ଉର୍ଦ୍ଧ୍ୱବାହୁ ।୧୧୧।

ଆକ୍ରେଷଇ ଧୁଶାସନ ଯେ ମୁରୁଖ ଚାଣ୍ଡାଳ

ଧାତିକାରେ ପାଞ୍ଚାଳୀର ଧଇଲା ଯାଇଂ ବାଳ ।୧୧୨।

ଛାଡ଼ ଛାଡ଼ ଧୁଶାସନ ମମ କେଶ ପାଣି

ଯୁଗତେ ମୁହିଂ ଅଟଇ ସ୍ତିରୀ ସେ ଧର୍ମିଣୀ ।୧୧୩।

ଭୋ ଦଇବ ପୁରୁଷ କିସ ବୋଲି ବୋଲିବଇଂ ତୁକୁ

ୟେ ଦଶା ବିହିଲ ତୁମ୍ଭେ ଅନାଦି ଅପର୍ଣ୍ଣାକୁ ।୧୧୪।

ଚାରି ଅବତାରେ ଯେ ଉପୁଜିଲେ ଅଯୋନି ମେଦିନୀ

କୋଟିୟେ ଋଷି ଘେନି ଯାଗକଲେ ବେଦବ୍ୟାସ ମହାମୁନି ।୧୧୫।

ପ୍ରାଣନ୍ତକ ବଇଶ୍ୟାନର କାଳାନଳ ପିଙ୍ଗଳ ଜାଳା

ଚାରିଅଗ୍ନି ବିଦାରି ଯେ ବାହାର ତେଜ ଯେବଣ ଅବଳା ।୧୧୬।

ମହାଭିଗ୍ୟଂ ବ୍ରାହ୍ମଣ ଦ୍ରୋପଦ ଯାହାର ପିତା

ନିରଞ୍ଜନ ଅବତାରେ ଯୁଝେଷ୍ଠି ଦେବଂକର ବନିତା ।୧୧୭।

ଭୀମ ଅର୍ଜୁନ ପୁଣ ନକୁଳ ସହଦେବ

ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀ କୁମାରେ ସମ୍ଭବ ।୧୧୮।

ଦିଗପାଳଂକର ବଧୂ ସେ ପଞ୍ଚୁଇନ୍ଦ୍ରଂକର ଭାରିଯା

କୋଟିୟେ ବିଳାସୁଣୀ ଯାହାକୁ ନିତ୍ୟେ ଖଟନ୍ତି ପରିଜା ।୧୧୯।

ୟେସନକ ସୁଲକ୍ଷଣୀ ଯେବଣ ବନିତା

ତାହାକଇଂ ୟେଡ଼େକ ଅପ୍ରାଧ ହୋ ବିହିଲୁ ବିହନ୍ତା ବିଧାତା ।୧୨୦।

ବିହନ୍ତା ପୁରୁଷ ତୁ ଅପୂର୍ବ ତୋର କାୟା

ଦେବକଇଂ ଦୁର୍ଲ୍ଲଭ ଯେ ଦେଖିଲି ତୋର ମାୟା ।୧୨୧।

ଅପାଦ ବିପଦ ଦେବ ତୁହି ସେ ସର୍ବ ବିହୁ

ୟେ ତୋହୋର କଷଣ ମାନବ ଦେହେ ସହୁ ।୧୨୨।

ଅଦୃଷ୍ଟି ଅଶ୍ରୁତି ସ୍ୱାମୀ ଯାହାର ଦିବ୍ୟ ରୁଚି

ଠୁଳ ଶୁନ୍ୟ ପୁରୁଷ ତୁ କାହାରି ନୋହୁ କିଛି ।୧୨୩।

ସ୍ତମ୍ବନ ମୋହୋନ ଦେବ ଯେ ଉଚ୍ଚାଟନ

ଗୋଟିକେ ଅଞ୍ଜନ ଧାତୁ ବାଦ ଧରଣ ଧାରଣ ।୧୨୪।

ସତ ରଜ ତମ ତ୍ରିଗୁଣ ଦେବ ତୁହି

ସମ୍ପଦ ବିପଦ ନାଥ ବିହନ୍ତା ବିଧାତା ନାମ ବହି ।୧୨୫।

ଅଗୁଣକଇଂ ଗୁଣ ଅକାରଣ କଇଂ କାରଣ ଦେଉ

ଦୁସହ ଦୁଷୁକୃତ ନାଥ ଦୁର୍ଗତି କି ଛଡ଼ାଉ ।୧୨୬।

ମହା କର୍ମଣ ପୁରୁଷ ନାଥ ତୁହି ସେ ବିଧାତା

ଅକାରଣକଇଂ କାରଣ ତୁହି ସେ ଆତଜାତା ।୧୨୭।

ଚିତ୍ତୁ ଅନ୍ତର ନୋହୁ ମୋର ମନ ବଚନ କର୍ତ୍ତବ୍ୟେ

ଭଜୁଂ ପଞ୍ଜୁଭୂତ ମୋହୋର ଧାତାର ଲୟ ଭାବେ ।୧୨୮।

ନମୋ ଦଇବ ବିଧାତା ତୁ ସକଳ ଗୁଣନିଧି

ଅପରତେ ମୋହୋର ତୁ ସରଣ ବାରାନିଧି ।୧୨୯।

ମହୀଧର ଧାରଣ ନାଥ ପ୍ରସନ୍ନ ପରମ ଯୋଗୀ

ଅନୀତି ସଂସାରେ ହୋଉଅଛୁଂ ପରାଭବି ।୧୩୦।

ଶୂନ୍ୟ ଅଣାକାରକୁ ଅକାଳ ଅସଞ୍ଚା

ନାଶକର ଦଣ୍ଡରୁ ଦେବ ବହନ ମୋତେ ବଞ୍ଚା ।୧୩୧।

ବିଧାତା ସୁମର ନରେ ଅପାଦ ଦୁସ୍ତର ଖଣ୍ଡୁ

ବିଧାତା ସୁମର ନରେ ବିପଦ ନମଣ୍ଡୁ ।୧୩୨।

ଅଭାବ ଅପ୍ରୀତି ମୋତେ ନକରା ଅସ୍ତୁକାର ଜନେ

ଲଭିବି ମହା ପୁଣ୍ୟ ମୁହିଂ ବିଧାତାର ପ୍ରସନ୍ନେ ।୧୩୩।

ଉଦ୍ଧାରଣ ପୁରୁଷ ତୁ ତୋହୋର ଚରଣେ ଶତସହସ୍ର ଦିୟିନି

ବଦୟନ୍ତି ସାରୋଳ ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୧୩୪-୧୩୪୯୪।

 

Unknown

କୁରୁସଭାରେ ଦ୍ରୌପଦୀର ଅପମାନ

ଶୁଣ ହୋ ମନୁରାୟେ ହୃଦଗତେ ବିଧାତା ସୁମରଇ ପାଞ୍ଚାଳୀ

କେଶକରି ଆକ୍ରେଶି ଆଣଇ ଧୁଶାସନ ମହାବଳୀ ।୧।

ଦ୍ରୌପତୀ ନ ଚାହିଂଲେ ଧୁଶାସନର ମୁଖକଇଂ

ମମ କର୍ମେ ୟେହେନେକ ଯେବେ ଭବିଷ୍ୟ ଅଛଇ ।୨।

ନାରାୟଣ ନାରାୟଣ ସୁମରଇ ଜିଘ୍ନସେନୀ

ଆକ୍ରେଷିଣ କଉରୋବ ଆସୁଅଛଇ ଘେନି ।୩।

ସମସ୍ତେ ବିଚାରନ୍ତି ପାଣ୍ଡବେ ନାହାନ୍ତିକି ଜୀବନ୍ତେ

ଭାରିଜା ଜିଘାଂସା ସେ ସହୁଛନ୍ତି କେମନ୍ତେ ।୪।

କୂଟ କପଟ ମନ୍ତ୍ରୀ ସେ କେମନ୍ତ ଭିଆଇଲା

ହସ୍ତିନା ରାଜ୍ୟ ସଞ୍ଚୟେତ ନାଶକଲା ।୫।

ରାଜ୍ୟରକ୍ଷା ଥିଲେ ୟେତେକ ସଇନି

ତ୍ରାସେ ଆଡ଼େ ହୋଇଲେ ଦୁଶା ଆସନ୍ତେ ଦ୍ରୋପତୀକି ଘେନି ।୬।

ବାରୁଣାବନ୍ତକଇଂ ହସ୍ତିନା ଯେ ପାଞ୍ଚଇ ଯୋଜନ ଦୂର

ଦ୍ରୋପତୀର କେଶଧରି ଆଣନ୍ତେ ଚରଣ ପଡ଼ଇ ଭୂମିର ।୭।

ବାମକରେ ଧରିଅଛି ଦ୍ରୋପତୀର ବାଳ

ଡାହାଣକରେ ଗଦାବର ବୁଲାଇ ଅନ୍ତରାଳ ।୮।

ଆଣନ୍ତେଣ ଆପଣେ ପାଞ୍ଚାଳୀ ଧର୍ମାଧର୍ମ ସୁମରି

ପୁରଜନମାନେ ସମସ୍ତେ ହା ହା କରି ।୯।

ଦ୍ରୋପତୀ ବୋଇଲେ ରଖ ରଖ ଆଦିମୂଳ

ରକ୍ଷାକର ଦୀନବନ୍ଧୁ ଭକତ ବତ୍ସଳ ।୧୦।

ତୁୟେ ନ ରଖିଲେ ଅନାଥିନୀ ହେଲି ନାରୀ

ନିୟେ ପାମର କାହାଗେ କରିବି ଗୁହାରି ।୧୧।

ୟେ ଆରତୁଂ ବାରେ ରକ୍ଷାକର ଆର୍ତ୍ତତ୍ରାଣ

ତୁମ୍ଭେ ଦୀନବନ୍ଧୁ ଅଟ ସଂସାର ଧାରଣ ।୧୨।

ଦ୍ରୋପତୀଂକି ନେଲା ଧୁଶା ପବନହୁଂ ଖରେ

ପ୍ରବେଶ ହୋଇଲା ଯାଇଂ ହସ୍ତିନା ରାଜ୍ୟରେ ।୧୩।

ଦ୍ରୋପତୀ ବୋଲନ୍ତି ସଭାକୁ ନ ନିଅ ହେ ବୀର

ସଭାରେ ବସିଛନ୍ତି ଅନେକ ଦଣ୍ଡଧର ।୧୪।

ଭୀଷ୍ମ ଦ୍ରୋଣ ଆଦି ବସିଅଛନ୍ତି ସଭାରେ

ତହିଂକି ମୋତେ ନ ନିଅ ଆହେ ଧୁଶାବୀରେ ।୧୫।

ସଭାର ତଳେ ରଖି ଧୁଶା ରାଜା ପାଶେ ଗଲା

ଆଗ୍ୟାଂ ପ୍ରମାଣେ ଦ୍ରୋପତୀ ଆଣିଲି ବୋଇଲା ।୧୬।

ପାକାସ୍ପରଣ ହୋଇଅଛି ଦେବ ତାର ଦେହ

ୟେହା ଶୁଣି ଦ୍ରିଯୋଧନ ହସେ ଟହ ଟହ ।୧୭।

ଶକୁନିକି କୁରୁପତି ବୋଲେ ମାମୁ ଶୁଣ

ଦ୍ରୋପତୀ ପାକାସ୍ପରଣ ଆଣିମା ଅକାରଣ ।୧୮।

ସେ ଯେବେ ଅଟଇ ମାମୁ ରଜବତୀ ନାରୀ

ମୁଖ ତା ନ ଚାହିଂ ଛୁଇଂଲେ ତୁଟଇ ଯେ ଶିରୀ ।୧୯।

ଶକୁନି ବୋଲେ ସେ ୟେଡ଼େ ନିଲଜୀ ଯୁବତୀ

ପଞ୍ଚପତି କରି ବୋଲାଉଛି ମହାସ୍ୱତୀ ।୨୦।

ସେ ମୂଢୀକି ତୁମ୍ଭଠାକୁ ଆଣ ୟେହି ଘଡ଼ି

ତା ପିନ୍ଧିଲା ପାକା ବସନକୁ ପକାଇବା ଫେଡ଼ି ।୨୦।

ସତୀକି ଅସତୀ ସେହି ଜାଣିବା ସାକ୍ଷାତେ

ହସି ଦ୍ରିଯୋଧନ ବୋଲେ ଆଣ ଯା ତ୍ୱରିତେ ।୨୨।

ୟେହା ଶୁଣି ଧୁଶାସନ ବୀର ଚଳିଗଲା

ଦେବୀ କେଶଧରି ସଭା ଭିତରକୁ ନେଲା ।୨୩।

ଦ୍ରିଯୋଧନ ବୋଲେ ତୋର ପାଞ୍ଚପତି ଥାଇଂ

ଜଣେ ତୋତେ ରଖି ନୁଆରିଲେ ତ ଯେ କେହି ।୨୪।

ଗାରିମା କରନ୍ତି ୟେବେ ରଖନ୍ତୁ ତୋ ବର

ରକ୍ଷାକର୍ତ୍ତା ଶ୍ରୀକୃଷ୍ଣ ପରା ଅଟଇ ତୁମ୍ଭର ।୨୫।

ପାଣ୍ଡବନ୍ତ ସଦା ପରା ରଖନ୍ତି କହ୍ନାଇ

ୟେଡ଼େ ଆରତ ହୋଉତ ନ ରଖନ୍ତି କିମ୍ପାଇଂ ।୨୬।

ଦ୍ରୋପତୀ ଦେବୀ ବୋଇଲେ ୟେ କୁରୁ ସଭାରେ

ଧାର୍ମିକ ବିବେକ ଜନ ଅଛନ୍ତି ୟେଠାରେ ।୨୭।

କେହି ପଦେ ନ କହୁଛ କରୁଛି ଅନୀତି

ଭୀଷ୍ମ ଦ୍ରୋଣ ଭୁରିସର୍ବା ଆଉର ଅଛନ୍ତି ।୨୮।

ଆତ୍ମାକୁ ହାରିଲେ ଖଳେ ଧର୍ମନୃପବର

ମୋତେ ତହିଂ ରହିଲା କାହିଂ ତାଂକ ଅଧିକାର ।୨୯।

କେହି ନ କହିଲେ କିଛି ରହିଲେ ମଉନେ

ଦ୍ରିଯୋଧନ ନୃପତିକି ଭୟେ ରଖି ମନେ ।୩୦।

ୟେବେ କହିଛନ୍ତି ତୋର ସେହି ଚକ୍ରଧାରୀ

ତାହାକଇଂ କିମ୍ପେ ଚିନ୍ତା ନ କରୁରେ ସୁନ୍ଦରୀ ।୩୧।

କହନ୍ତି ଦ୍ରୋପତୀ କୁରୁ ସଭାକୁ ଅନାଇଂ

ଆରତତ୍ରାଣଂକୁ ନିନ୍ଦା କରୁଛ କୁମ୍ପାଇ ।୩୨।

ସତ୍ୟଯୁଗର ଗୋଟିୟେ ଚରିତ ତୁମ୍ଭନ୍ତ କହିବା

ତୁମ୍ଭମାନଂକ ମନରୁ ସଂଶୟ ଛଡ଼ାଇବା ।୩୩।

ଘୋରବନେ ୟେକ ଶଶା ଯେ ବାସକରୁଥିଲା

ସେ ବନେ ୟେକ ସରକୁ ଜଳପାନେ ଗଲା ।୩୪।

ଦୁରୁଂ ଆସନ୍ତେ ୟେକ ସିଂହକୁ ଦେଖିଲା

ପ୍ରାଣର ଭୟେ ଶଶା ତହୁଂ ପଳାଇଣ ଗଲା ।୩୫।

ଆଗେ ଧ୍ୟାୟେଂ ଶଶା ସିଂହ ଗୋଡ଼ାୟେ ପଛରେ

ବିବରେକ ଦେଖିଲା ଶଶା ସେହି ବନରେ ।୩୬।

ବିକଳ ହୋଇଣ ଶଶା ତହିଂ ଭିତରେ ପଶିଲା

ସିଂହ ଯାଇଂନ ସେ ବିବର ମୁହଂରେ ବସିଲା ।୩୭।

ଶ୍ରିକାଳଗର୍ତ୍ତ ସେ ତହିଂ ଅଛଇ ଶ୍ରିକାଳ

ତାହାକଇଂ ଦେଖି ଶଶା ହେଲା ଭୟରେ ଆକୁଳ ।୩୮।

ଶଶାଭାବେ ୟେକର ମୁଖୁଂ ବ୍ରତିଲଇଂ ମୁହିଂ

ଆରେକ ଶତ୍ରୁ ମୁଖରେ ୟେବେ ଯେ ପଡ଼ିଲଇଂ ।୩୯।

ପଳାଇ ଯିବାକୁ ବାଟ ଆଉ ନାହିଂ ମୋତେ

ବିବର ଦ୍ୱାରେ ଜଗିଛି ସିଂହ ମୋ ନିମନ୍ତେ ।୪୦।

ଜାଣିଲେ ବିପଦକାଳ ହୋଇଲେ ଉପସ୍ଥିତ

ନାନାଦି ସଂକଟ ଆସି ହୋଅଇ ଆଗତ ।୪୧।

ନିଶ୍ଚୟ ବିନାଶ ୟେବେ ହେଲି ଜାଣ ମୁହିଂ

ୟେଥୁଂ ଉଦ୍ଧରି ତ ମୋତେ ବାଟ ନ ଦିଶଇ ।୪୨।

ତାରି ପାରନ୍ତି ୟେଥିରୁ କେବଳ ଶ୍ରୀହରି

ତାଂକ ବିନା ୟେ ବିପଦୁଂ କେ ପାରେ ଉଦ୍ଧାରି ।୪୩।

ୟେତେ ଭାବି ମନେ ସୁମରଇ ଜଗନ୍ନାଥ

ରକ୍ଷାକର ଦୀନବନ୍ଧୁ ହୋଇଲି ଅନାଥ ।୪୪।

ତୁମ୍ଭେତ ଆରତତ୍ରାଣ ଜଗତର ବନ୍ଧୁ

ୟେଥୁଂ ତାରିପାରୁଂ ୟେକା ତୁହି କୃପାସିନ୍ଧୁ ।୪୫।

ତୁମ୍ଭେ ନ ରଖିଲେ ନିଷ୍ଚେ ହୋଇଲି ନିଧନ

ତୁମ୍ଭ ବିନେ ଭରସା କେ ନାହିଂ ଭଗବାନ ।୪୬।

ଶଶା ଆରତ ଗୋବିନ୍ଦ କର୍ଣ୍ଣରେ ଶୁଣିଲେ

ରଖିଲୁ ରଖିଲୁ ବୋଲି ଉଚ୍ଚରେ ବୋଇଲେ ।୪୭।

ଶଶାକଇଂ ସାହା ହୋନ୍ତେ ଜଗତେ ଜୀବନ

ଦିଶିଲା ତାହାକୁ ନାନା କୂଟ ଛନ୍ଦମାନ ।୪୮।

ଶଶାକଇଂ ଦେଖି ଶ୍ରିକାଳ କରଇ ବିଚାର

ଦଇବ ଯୋଗେ ଆସି ମୋତେ ମିଳିଲା ଆଧାର ।୪୯।

ହରସ ହୋଇ ବୋଇଲା ରେ କିମ୍ପେ ତୁ ଅଇଲୁ

କେଉଣ କାରଣେ ଆସି ମୋ ଗର୍ତ୍ତେ ପଶିଲୁ ।୫୦।

ଶଶା ବୋଇଲା ଆହେ ଶୁଣ ଶ୍ରିକାଳ ଈଶ

ସର୍ବ ଜନ୍ତୁୟେ ପେଷିଲେ ମୋତେ ତୁମ୍ଭ ପାଶ ।୫୧।

ବୋଇଲେ ଶଶା ତୁ ଗର୍ତ୍ତୁଂ ଶ୍ରିକାଳକୁ ଆଣ

ୟେ ବନେ ହେବ ସେ ଆମ୍ଭମାନଂକ ରାଜନ ।୫୨।

ସମସ୍ତେ ମିଶି କରିବା ତାଂକ ପାଦପୂଜା

ଆମ୍ଭେମାନେ ହେବା ପ୍ରଜା ସେ ହୋଇବ ରାଜା ।୫୩।

ଶଶା ମୁଖରୁ ଶ୍ରିକାଳ ଶୁଣିଣ ୟେସନେକ ଭାଷ

ଆନନ୍ଦ ମନେ କହଇ ହୋଇ ହସ ହସ ।୫୪।

ଯେବେ ରେ ଶଶା ମୁଂ ୟେ ବନେ ନୃପତି ହୋଇବି

ନିଶ୍ଚେଂ ମନ୍ତ୍ରୀପଣେ ତୋ ଶିରେ ଶାଢୀ ଯେ ବାନ୍ଧିବି ।୫୫।

ଚାଲ ୟେ ଅରଣ୍ୟକୁ ଯିବାରେ ସତ୍ୱର

ଶଶା ବୋଲେ ଦେବ ଚାଲିବା ହୋଉ ଯେ ଆଗର ।୫୬।

ପ୍ରଭୁ ଆଗେ ଭୃତ୍ୟ ଚାଲିବାର ତ ନ ଯୋଗାଇ

ଆଗରେ ବିଜେ ହୁଅନ୍ତୁ ଆହୋ ବନସାଇଂ ।୫୭।

ତୁମ୍ଭର ପଛେ ଯିବାର ମୋ ଉଚିତ ହୋଇଲା

ଶଶା କପଟ ଶ୍ରିକାଳ ଜାଣି ନୁଆରିଲା ।୫୮।

ଗର୍ତ୍ତମଧ୍ୟରୁ ଶ୍ରିକାଳ ହୁଅନ୍ତେ ବାହାର

ବସିଥିଲା ସିଂହ ମାଡ଼ିବସିଲା ସତ୍ୱର ।୫୯।

ଶୁଣ କୁରୁପତି ହରି ସହାୟ ନେମାରୁ

ବଞ୍ଚିଲା ଶଶା ଯେ ୟେ ଓହ ସଂକଟ ମୁଖରୁ ।୬୦।

ତୁମ୍ଭେ କାହିଂପାଇଂ ନିନ୍ଦା କରୁଛ ନୃପତି

ହରିଂକି ଚିନ୍ତିଲେ କେବେ ନଥାଇ ଦୁର୍ଗତି ।୬୧।

ଶୁଣି ରୋଷେ ବୋଲେ ରାଜା ଆରେ ଧୁଶାସନ

ସଭାରେ ଫେଡ଼ତ ଦ୍ରୋପତୀ ଅଙ୍ଗରୁ ବସନ ।୬୨।

ସଭାଜନେ ଦେଖନ୍ତୁ ତା ଜାନୁ ଯଉବନ

କିପରି ରଖିବେ ତାକୁ କମଳ ଲୋଚନ ।୬୩।

ୟେହା ଶୁଣି ଧୁଶାସନ ସତ୍ୱରେ ଉଠିଲା

ଦ୍ରୋପତୀର ଅଙ୍ଗୁ ଯାଇଂ ବସନ କାଢିଲା ।୬୪।

ଦ୍ରୋପତୀ ବୋଲନ୍ତି ରହ ରହ ଧୁଶାସନ

ମୋର ପଞ୍ଚୁପତି ବସିଛନ୍ତି ସନ୍ନିଧାନ ।୬୫।

ୟେତେବେଳେ ପଦେ ପଦେ ରହ ମୁଂ କହଇ

ରଖିବେ କି ନ ରଖିବେ ୟେ ବିପଦୁଂ ସେଇ ।୬୬।

ଯୁଝେଷ୍ଠିଂକି ଚାହିଂ ଦେବୀ ଛନ୍ନ ଛନ୍ନ ହୋଇ

କହନ୍ତି ଭୋ ଦେବ ତୁମ୍ଭପରା ପ୍ରଭୁ ଥାଇ ।୬୭।

ୟେଡ଼େ ନିରିମାଖୀ ମୁହିଂ ହେଲି ୟେତେବେଳେ

ଧର୍ମରାଜ ବୋଲାଉଛି ୟେ ମହୀ ମଣ୍ଡଳେ ।୬୮।

ମହା ସଭାତଳେ ଦେବ ତୁମ୍ଭର ନାରୀଂକି

ବିବସ୍ତ୍ର କରେ ତୁମ୍ଭନ୍ତ ଲଜ୍ଜା ନୋହିବ କି ।୬୯।

ଶୁଣି ଯୁଝେଷ୍ଠି ତଳକୁ ପୋତିଲେ ବଦନ

ପ୍ରତି ଉତ୍ତର ନଦେଇ ହୋଇଲେ ମଉନ ।୭୦।

ପାର୍ଥ ମୁଖ ଚାହିଂ ଦେବୀ ଗଦଗଦ ସ୍ୱରେ

କହଇ ଦ୍ରୋପଦୀ ଦେବୀ ଅତ୍ୟନ୍ତ ଶୋକରେ ।୭୧।

ବାସବ ନନ୍ଦନ କିମ୍ପେ ମୋହୋର ବିମନ

ଦୁତୀକୃଷ୍ଣ ହୋଇ କେହ୍ନେ ସହ ମୋ କଷଣ ।୭୨।

ଧିକ ବୀରପଣ ତୁମ୍ଭ ଧିକ ଜୀଇଂବାର

ତୁମ୍ଭେ ଥାଉଂ ବିବସ୍ତ୍ର ମୁଂ ହେଉଛି ସଭାର ।୭୩।

ଦ୍ରୋପତୀ ମୁଖୁଂ ୟେସସନ ଶୁଣି ଅରଜୁନ

ବୋଲନ୍ତି କିମ୍ପେ ମୋତେ ଧିକାରୁଂ ଅକାରଣ ।୭୪।

ମୋହୋର ପ୍ରତଗ୍ୟାଂ ଜାଣି ନାହୁଂକି ସୁନ୍ଦରୀ

ପୂର୍ବେ ଗୋସିଂହ ସତ୍ୟଭାମାକୁ ନେଉଥିଲା ହରି ।୭୫।

ଅର୍ଜୁନ ରଖ ବୋଲି ଡାକିଲେ ସେ ରାତ୍ରରେ

ସେ ଶବଦ ଶୁଭିଲା ଆସି ମୋହୋର କର୍ଣ୍ଣରେ ।୭୬।

ପୁଣି ଶତ ଧନୁ ସେହି କଥା କହିଦେଲା

ଶରେ ପଥ ରୁନ୍ଧିଲି ସେ ଯାଇଂ ନୁଆରିଲା ।୭୭।

ଯୁଦ୍ଧକରି ଗୋସିଂହ ଦୈତ୍ୟକୁ ହେଳେ ମାରି

ସତ୍ୟଭାମାକଇଂ ବିପଦୁଂ ଆଣିଲଇଂ ଉଦ୍ଧାରି ।୭୮।

ରୈବତ ଗିରିରେ ଯାଇଂ କୃଷ୍ଣଂକୁ ଭେଟିଲି

ଶକ୍ରାଜିତ ଦୋହିତାକଇଂ ନେଇଂଣ ସମର୍ପିଲି ।୭୯।

ମୋତେ ନ ଧିକ୍କାର ତୁ କୁରୁ ସନ୍ୟ କେତେ ଛାର

ୟେକା ଶରକେ ସମସ୍ତ କରନ୍ତି ସଂହାର ।୮୦।

କିଞ୍ଚିତେ ଆଗ୍ୟାଂ ଯେବେ ଦିଅନ୍ତେ ଧର୍ମସୁତ

ଦେଖନ୍ତୁ ସଖି କିପରି ମୁହିଂ ଅଟଇ ସାମରଥ ।୮୧।

ପାର୍ଥ ମୁକୁଂ ୟେହା ଶୁଣି ଦ୍ରୁପଦ ଦୁଲଣୀ

ନକୁଳ ମୁଖକୁ ଚାହିଂ କହୁଛନ୍ତି ବାଣୀ ।୮୨।

ହେ ବାବୁ ନକୁଳ ତୁମ୍ଭେ ପରା ବଳିଷ୍ଠେ ବଳୀୟାର

ୟେ କଷଣୁଂ ପାର ଯେବେ ମୋତେ ବାରେକ ରକ୍ଷାକର ।୮୩।

ନବ ନିଶି କୁନ୍ତ ପରା ବହ ବୀର ପଣେ

ୟେ କଷଣ ଦେଖି ଯାହା ରହିଅଛ ପ୍ରାଣେ ।୮୪।

ସଭାତଳେ ଧୁଶା ମତେ ଉଲଗ୍ନ କରୁଛି

ଦେଖିଣ ୟେହା କିପରି ତୁମ୍ଭର ଦେହ ସହୁଅଛି ।୮୫।

ନକୁଳ ବୋଲେରେ ସଖି ଯା ଧାତା ଲିଖନ

ଅଛି କେ ସାମର୍ଥ ତାହା କରିପାରେ ଆନ ।୮୬।

ସଖି କାହିଂପାଇଂ ମୋତେ କରୁ ତୁ ଝିଂଘାସ

କିଞ୍ଚିତରେ ଆଗ୍ୟାଂ ମୋତେ ଯେବେ ଦିଅନ୍ତେ ଧର୍ମଶିଷ ।୮୭।

କୁରୁ ସନ୍ୟ ସହ ୟେ ଧୁଶା ଦ୍ରିଯୋଧନକୁ

କୁନ୍ତ ମୁନେ ଗୁନ୍ଥି ପେଷନ୍ତି ଯମ ଭୁବନକୁ ।୮୮।

ନକୁଳ ବିମୁଖ ଦେଖି ଦ୍ରୋପତୀ କୁମାରୀ

ସହଦେବ ଚାହିଂ ଶୋକେ ବୋଲନ୍ତି ୟେପରି ।୮୯।

ତୁମ୍ଭେ ମନ୍ତ୍ରୀବର ପରା ତିନିକାଳ ଗ୍ୟାଂତା

ଛାମୁରେ କହୁଥାଅ ଭୂତ ଭବିଷ୍ୟତ କଥା ।୯୦।

ତୁମ୍ଭଠାରେ ଅଛି ୟେତେ ଅଦ୍ଭୁତ ଶକତି

ଜାଣି ନଥିଲ କି ଆଗୁଂ ହେବ ବୋଲି ୟେ ବିପତ୍ତି ।୯୧।

ଆଗହୁଂ କିମ୍ପେ ମୋଠାରେ ନ କଲ ଗୋଚର

ୟେ ହରି ପାରିବକି ଦୁର୍ଗତି ମୋହୋର ।୯୨।

ସହଦେବ ବୋଲେ ସଖି ୟେତ ଦେବକୂଟ

ତୁମ୍ଭଂକୁ କଷଣ ହେଲେ ମରିବେ ୟେ ଦୁଷ୍ଟ ।୯୩।

ୟେ ଦ୍ରିଯୋଧନ ନୃପତିର ଶତେଭାଇ

ମହା ମହା ବୀରେ ୟେଥେ ଛନ୍ତି ଯେତେ ରହି ।୯୪।

ୟେମାନଂକର ବିନାଶ ପାଇଂ ଦେବଗଣ

କୂଟ କରି ତୁମ୍ଭଂକୁ ଦେଇଛନ୍ତି କଷଣ ।୯୫।

ବରସ ନୋହିଣ ଦଣ୍ଡେ ମାତ୍ର ଦୁଖ ସହ

ଜଗଜ୍ଜନ ମାତ ତୁମ୍ଭେ କିମ୍ପେ କର କୋହ ।୯୬।

ମନ୍ତ୍ରୀର ୟେ ନିଷ୍ଠୁର ବାଣୀ ଦ୍ରଉପତୀ ଶୁଣି

ଶୋକେ ଅନାଥିନୀ ପ୍ରାୟେ ନେତ୍ରୁଂ ବହେ ପାଣି ।୯୭।

ବୁଡ଼ି ଚିନ୍ତା ସାଗରେ ଗ୍ୟାଂନ ବୁଡ଼ିଗଲା

ଚନ୍ଦ୍ରମା ବଦନ ଗୋଟି ମଳିନ ଦିଶିଲା ।୯୮।

ମୁନି କହନ୍ତି ନୃପତି ଶୁଣ ଦିବ୍ୟରସ

ହେଠ ମୁଖେ ଭୀମ ବସିଅଛି ଭ୍ରାଥ ପାଶ ।୯୯।

ମନ ରୋଷେ ଖରଶ୍ୱାସେ ନଖେ ଚିରେ ମହୀ

ବେନି ନୟନୁଂ ଲୋତକ ଝର ଝର ବହି ।୧୦୦।

ଶିରେ କରଦେଇ ହୃଦେ ଗରୁ ଚିନ୍ତା

ସନ୍ତାପ ଜଳେ ବୁଡ଼ିଲା ଦେଖି ଦେବୀ ବ୍ୟଥା ।୧୦୧।

ଦ୍ରୋପତୀ ଚାହିଂ ଭୀମକୁ ବୋଲେ ବୀର ଦେଖ

ତୋ ପରା ବୀର ଥାଉଂ ମୋହୋର ୟେଡ଼େ ଦୁଖ ।୧୦୨।

ଧୁଶା ହୀନ ପାମର ଧଇଲା ମୋର କେଶ

ନେତ୍ରରେ ଦେଖି ବୀର ନପାଉ ମନେ ରୋଷ ।୧୦୩।

ବାଉନ ବାଉନ ଭାର ଗଦା ତୋର କରେ ନାହୁଂକି ଘେନି

ସିଂହ ନାରୀକି ଶ୍ରିକାଳ କରେ ହୀନମାନୀ ।୧୦୪।

ସଭା ମଧ୍ୟେ ବିବସନ କରେ ତୁମ୍ଭ ଆଗେ

ଧିକ ତୁମ୍ଭ ବଳ ବୀର୍ଯ୍ୟ ଧର କେଉଂ ବାଗେ ।୧୦୫।

ଭୀମ ବୋଲେ ସହି ଶୁଣ ନାହିଂ ମୋର ଦୋଷ

ମୋ ପ୍ରତଗ୍ୟାଂ ଟାଣ ଯୁଝେଷ୍ଠିର କଲେ ନାଶ ।୧୦୬।

ବାରେ ଚାହିଂ ଠାରି ଦିଅନ୍ତେ ଯେବେ ସେ ଚଛୁ

ହସ୍ତିନା ଜୂର କରନ୍ତି ତୋର ଦେଖୁଂ ଦେଖୁଂ ।୧୦୭।

କଦଳୀବନ ଯେହ୍ନେ ପବନେ ପଡ଼େ ଓଲଟି

ରଥୀ ଗଜ ପାଦାନ୍ତି କ୍ଷଣକେ ଦ୍ୟନ୍ତି ପିଟି ।୧୦୮।

ୟେ ଶତେ ଭାର ଗଦା ବୁଲାଇ ବେନିକର

ଦ୍ରିଯୋଧନ ସହିତେ ପେଷନ୍ତି ଯମପୁର ।୧୦୯।

ଦ୍ରୋପତୀ ବୋଇଲେ ବୀର ଧିକ ତୁମ୍ଭ ପ୍ରାଣ

ନିର୍ଲଜ ହୋଇଣ କିମ୍ପେ ଜୀଇଂଛ ପାଞ୍ଚଜଣ ।୧୧୦।

ୟେତେକ ଦୁଖେ ତୁମ୍ଭେ ଜଣେ ରଖିଲାତ ନାହିଂ

ତୁମ୍ଭକଇଂ ଆଶାକରି ମୁଂ ଅନାଥିନୀ ହେଲାଇଂ ।୧୧୧।

ତୁମ୍ଭେ ମହତ ବୋଲି ମୁଂ ଆଶା କରିଥିଲି

ଅନାଥିନୀ ନାରୀ ପରାୟେ ବିଅର୍ଥେ ଦିନ ନେଲି ।୧୧୨।

ଲକ୍ଷେ ରାଜାର ମଧ୍ୟରୁ ମୋତେ କିମ୍ପେ ଆଣିଲତ ଜିଣି

ପଞ୍ଚପତି ଥାଉଂ ଧୁଶା କେଶଧରି ଟାଣି ।୧୧୩।

ଧିକ ତୁମ୍ଭର ଗଦାବଳ ଧିକ ତୁମ୍ଭର ବାହା

ଧୁଶା ଉଲଗ୍ନ କରଇ ଜଣେ କେହି ନୋହିଲେ ସାହା ।୧୧୪।

ଦେବୀର ୟେ କଟୁ ଗୀର ଶୁଣିଣ ବ୍ରିକୋଦର

ସହି ନୁଆରି ଉଠିଲା ଦେଇଣ ଆଣ୍ଠୁଭର ।୧୧୫।

ରେ ରେ ଶବଦ କରିଣ ଛାଡ଼ିଲା ବୀର ରଡ଼ି

ଅଦଭୂତେ କି ମନ୍ଦର ଗିରି ପଡ଼ିଲାକ ଝଡ଼ି ।୧୧୬।

ଲକ୍ଷେ ଯୂଣେ ଯମଦେବ ଆସ୍ଥାନ ତେଜି ଗଲା

ମେରୁ ସହ ଭୂମି ସପ୍ତ ପାତାଳ କମ୍ପିଲା ।୧୧୭।

ଭୀଷ୍ମ ଦ୍ରୋଣ ସହିତେ ସଭାରେ ବସିଥିଲେ

ଭୀମର ଗର୍ଜନ ଶୁଣି ଆସ୍ଥାନ ଛାଡ଼ିଗଲେ ।୧୧୮।

ଭୀଷ୍ମ କହନ୍ତି ଭୋ ଦେବ ଗୁରୁ ଦ୍ରୋଣ ଦେଖ

ୟା ଭୀମ କୁପିଲାଣି ତ ଦେଖିଣ ଦ୍ରୋପତୀର ଦୁଖ ।୧୧୯।

ୟେକା ଯୁଝେଷ୍ଠି ଯେବେ ୟେହାକୁ ଆଗ୍ୟାଂ ଦେବ

ଦ୍ରିଯୋଧନ ସହ ସବୁ କ୍ଷଣକେ ନାଶିବ ।୧୨୦।

ରଣେ ଶରଣ ବୋଇଲେ ଦୁଗୁଣ ସେ ମାରେ

ଦୁତୀୟ ଯମ ଅଟଇ ସେ ଯୋଦ୍ଧାଂକ ଉପରେ ।୧୨୧।

ଦ୍ରିଯୋଧନ ସଭା ପାଖେ ଥିଲା ଧୁଶାସନ

ଭୀମ ଗର୍ଜନ ଶୁଣି ମିଳିଲା ସନ୍ନିଧାନ ।୧୨୨।

କ୍ରୋଧେ ଭୀମକୁ ବୋଲେ କିରେ ପାମର ବାଇ

ଗତ କଥା ପରାୟେ କିରେ ମଣିଅଛୁ ତୁହି ।୧୨୩।

ୟେବେ ସେବକ ମତରେ ହୋଇଲେ ପାଞ୍ଚଜଣ

ନିର୍ଲଜ ପଣରେ ୟେଡ଼େ କରୁଅଛୁ ଟାଣ ।୧୨୪।

ଯେ ଯେଉଂ ସେବା କରିବ ତୁମ୍ଭେ ପାଞ୍ଚଭାଇ

ପ୍ରମାଣ କଥାକୁ କିମ୍ପେ ଦ୍ୱନ୍ଦ କରୁ ତୁହି ।୧୨୫।

ଯୁଝେଷ୍ଠି ଉଠି ନୁଆରି ଦ୍ୱାରେ ବସିବାରେ ଥାଉ

ରଥ ଦଉଡ଼ି ଯେତେ ଲୋଡ଼ା ବଳିବଟି ସେହୁ ।୧୨୬।

ଅର୍ଜୁନ ରୋଷଘରେ ହୋଇବ ସୂପକାର

ତୁରେ ଭୀମା ଅନ୍ତପୁରେ ନିତି ଦେବୁ ନୀର ।୧୨୭।

ନକୁଳ ସିଂହ ଦୁଆରେ ଜଗି ବସିଥିବ

ପଣ୍ଡୁପୁତ୍ର ସହଦେବ ଅର୍ଦ୍ଧରାଜ୍ୟ ନେବ ।୧୨୮।

ତୁମ୍ଭେ ଚାରି ପାଣ୍ଡବେ ଅଟରେ ଜାରଜାତ

ୟେକା ମନ୍ତ୍ରୀ ସହଦେବ ଅଟେ ଆମ୍ଭ ଭ୍ରାଥ ।୧୨୯।

ଅର୍ଦ୍ଧରାଜ୍ୟ ଦେଇ ତାକୁ କରିବୁ ନୃପସାଇଂ

ଭୀମସେନ ବୋଲରେ ଯୁଝେଷ୍ଠି ଆଗ୍ୟାଂ ନାହିଂ ।୧୩୦।

ଯେବେଟି ଆଗ୍ୟାଂ ଦିଅନ୍ତେ ମୋତେ ଯୁଝେଷ୍ଠିର

ଚାପୋଡ଼େ ମାରି ଶିର ଛିଡ଼ାନ୍ତି ତୋହୋର ।୧୩୧।

ଧୁଶାସନ ଶୁଣି ଅତି ଘୋଷାହେଲା ପରଚଣ୍ଡା

ବୋଇଲା ଗଦାରେ ତୋର ଶିର କରିବିରେ ଗୁଣ୍ଡା ।୧୩୨।

ଶୁଣି ଭୀମସେନ କୋପକରି ବୋଲରେ ପାମର

ଗଦାପର୍ବ ଆଦ୍ୟରେଣ ଛେଦିବି ତୋର ଶିର ।୧୩୩।

ୟେହା କହି କୁହାଟି ଧଇଲା ବେନି ଗଦା

ରେ ରେ କାର ଶବଦ କରିଣ ବୀର ମାଇଲା ବେନି କୁଦା ।୧୩୪।

ଦ୍ରିଯୋଧନ ଦ୍ୱନ୍ଦ ଦେଖି ସଭାକୁ ଅନାଇଂ

ବୋଲେ ନିସତ ହେଲ କିମ୍ପେ ଯୁଝେଷ୍ଠି ନୃପସାଇଂ ।୧୩୫।

ତା ସାନ ଭାଇ ଦ୍ୱନ୍ଦେ ହେଉଛି ଛଟପଟ

ନିସତ ମୁଖେ ବୋଲି ଯୁଝେଷ୍ଠି ନେଉ ତାର ରାଷ୍ଟ୍ର ।୧୩୬।

ଶୁଣି ଯୁଝେଷ୍ଠି ଉଠି ବୋଇଲେ ଆରେ ଭୀମ

କଥା ନ ଜାଣି ତୁ କିମ୍ପେ କରୁଅଛୁ ଦ୍ୱନ୍ଦତମ ।୧୩୭।

ୟେତେବେଳେ କୋପ ତୋର କରିବାରତ ନ ଯୋଗାଇ

ଆମ୍ଭ କର୍ମେ ବିଧାତା ଯା ଲେଖିଣ ଅଛଇ ।୧୩୮।

ତୋ ମୁର୍ଖ ବୁଦ୍ଧି କେବେ ନ ଗଲାକ ଛଡ଼ା

ଜାଣିଲି ତୋ ମୂର୍ଖଭାବ ହେଲୁ ଘରବୁଡ଼ା ।୧୩୯।

ଦ୍ରୋପଦୀ ପରା ଭାର୍ଯ୍ୟା ଶତେ ମିଳିବେ ଥିଲେ ଭାଇ

ନିଜ ଭାଇ ମରାଇ ଆଉ ପାଇବଟି କାହିଂ ।୧୪୦।

ୟେସନେକ ତିଆରନ୍ତେ ଯୁଝେଷ୍ଠି ରାଜନ

କୋପେ ଯୁଝେଷ୍ଠି ମୁଖଚାହିଂ ବୋଲେ ଭୀମସେମ ।୧୪୧।

ଅନ୍ଧର ଶତେ ପୁତ୍ର ବା କି କରିବେ ମୋତେ

ଆଗ୍ୟାଂ ଦେଲେ ମୁଂ ମାରନ୍ତି ୟେକା କ୍ଷଣେ ମାତ୍ରେ ।୧୪୨।

ପାର୍ଥ ବୋଲେ ସ୍ଥିର ହୁଅ ଆହେ ଭୀମ ଠାକୁର

ବିନା ଆଗ୍ୟାଂୟେତ ନାହିଂ ପ୍ରାକର୍ମ ଆମ୍ଭର ।୧୪୩।

ନୋହସି କାତର ତୁମ୍ଭେ ନୋହସି କୋପ ମୂର୍ତ୍ତି

ଅର୍ଜୁନର ବୋଲେ ଭୀମ ବସିଲା ହୋଇ ଶାନ୍ତି ।୧୪୪।

ନକ୍ଷତ୍ର ମଧ୍ୟେ ଚନ୍ଦ୍ରମା ଯେସନେ ବିରାଜଇ

ଚାରି ଭାଇ ମଧ୍ୟେ ବୀର ଯେସନ ଦିଶଇ ।୧୪୫।

ଭୀମବୋଲେ ଦ୍ରୋପତୀ ମୋ ନକର ମୋତେ ମାନ

ଯେଉଂଣ କରେ ତୋ କେଶ ଧରିଛି ପାମର ଧୁଶାସନ ।୧୪୬।

ଯୁଝେଷ୍ଠି ରାଣ ଛେଦିବି ନିଶ୍ଚୟେ ଭୁଜ ତାର

ହୃଦେ କାଟିଲା ଗାର କାଳେ ଯାଇ ପାସୋର ।୧୪୭।

ପାଣ୍ଡବଂକ ନିଷ୍ଠୁର ଦେଖିଣ ମହାସ୍ୱତୀ

ଭୟେ ମନେ ସୁମରିଲେ ରଖ ଲକ୍ଷ୍ମୀପତି ।୧୪୮।

ମନ ବଇତନ ଧ୍ୟାନ ଗୋବିନ୍ଦ ପାଦେ ଦେଇ

ମନ ବିରସେ ବସିଲେ ୟେକ ଲୟେ ଧ୍ୟାଇ ।୧୪୯।

ୟେଥୁ ଅନନ୍ତରେ ଶୁଣ ହେ ଦିବ୍ୟ ବଚନ

ଦ୍ରୋପତୀ ଡାକିଲେ ରକ୍ଷାକର ଶ୍ରୀମଧୁସୂଦନ ।୧୫୦।

ତୁମ୍ଭେ ନ ରଖିଲେ ମୁହିଂ ହୋଇଲି ଅନାଥ

ରଖ ରଖ ଜଗନ୍ନାଥ ଦୁଖୀର ସଂଘାତ ।୧୫୧।

କୁରୁ ସଭାତଳେ ମୋର ହୋଇଅଛି ମାନ

ୟେତେବେଳେ ରକ୍ଷାକର ହେ ଦୁଖନାଶନ ।୧୫୨।

ଲଗାଇଲେ ପଦ୍ମ ପାଦତଳେ ଦେବୀ ଧ୍ୟାନ

ଦ୍ୱାରକାରେ ଜାଣିଲେ ଶ୍ରୀମଧୁସୂଦନ ।୧୫୩।

ସତ୍ୟଭାମା ସଙ୍ଗେ ପଶା ଖେଳନ୍ତି ଶ୍ରୀହରି

ଦ୍ରୋପତୀର ଡାକ ପ୍ରଭୁ ଶ୍ରବଣେ ଶୁଣିକରି ।୧୫୪।

ରଖିଲୁ ରଖିଲୁ ଆମ୍ଭେ ବୋଲିଣ ବୋଇଲେ

ଆଜାନୁଲମ୍ବିତ ଭୁଜ ବେଗେ ଟେକିଦେଲେ ।୧୫୫।

ସତ୍ୟଭାମା ବୋଲୁଛନ୍ତି ଶ୍ରୀକୃଷ୍ଣକଇଂ ଚାହିଂ

କେଉଂ ସାରକୁ ରଖିଲ କାହିଂହେ ଗୋସାଇଂ ।୧୫୬।

ପଞ୍ଚୁଆତି ଦାନ ଯେ ମୋର ପଡ଼ିଅଛି ସାର

କାହାକୁ ରଖିଲ କହ ହେ ପ୍ରାଣ ଈଶ୍ୱର ।୧୫୭।

ସତ୍ୟଭାମା ବୋଇଲେ ଶ୍ରୀକୃଷ୍ଣଂକ ଅଗ୍ରତ

ପଡ଼ିଲା ଦାନସାର ମୁଂ ମାରିଛି ନିୟତ ।୧୫୮।

କେବଣ ରାଜ୍ୟେ ସ୍ୱାମୀ କାହାକୁ ରଖିଲ

ରଖିଲି ରଖିଲି ବୋଲି ଦେବ କାହାକୁ ବୋଇଲ ।୧୫୯।

ଗୋବିନ୍ଦ ବୋଇଲେ ୟେ ପଶାଖେଳ ଗୋ ନୁହଇ

ଦ୍ରୋପତୀ ଡାକୁଛନ୍ତି କୁରୁ ସଭାରେ ଥାଇଂ ।୧୬୦।

ଦ୍ରିଯୋଧନ ସଙ୍ଗେ ଯୁଝେଷ୍ଠି ପଶା ଖେଳିଲେ

ଅବିବେକ ପଣେ ଦ୍ରୋପତୀକି ସେ ହାରିଲେ ।୧୬୧।

ବିବସ୍ତ୍ର କରୁଛି ତାଂକ ଧୁଶା ଯେ ପାମର

ଦ୍ରୋପତୀ ଡାକିଲେ ମୋତେ ରଖ ହେ ଠାକୁର ।୧୬୨।

ସତ୍ୟଭାମା ବୋଇଲେ ୟେ କପଟ ବଚନ

ହସ୍ତିନାକୁ ଦ୍ୱାରକା ଯେ ଲକ୍ଷେକ ଯୋଜନ ।୧୬୩।

କେଉଂ ପ୍ରକାରେ ଶୁଭିଲା ୟେତେ ଦୂର ଡାକ

ମିଛେ ଭଣ୍ଡୁଅଛ ମୋତେ ପରାଣ ନାୟକ ।୧୬୪।

ବଦୟନ୍ତି କେଶବ ଶୁଣ ଗୋ ଶକ୍ରାବ୍ରତୀ

କୁରୁ ସଭାରେ କୌରୋବେ କେଶାକର୍ଷଣ କରନ୍ତି ଦ୍ରୋପତୀ ।୧୬୫।

ସେ ମୋତେ ସୁମରଣା କଲାକ ଆରତେ

ମୁହିଂ ତାହାକଇଂ ରଖିଲି କାରଣ ନିମନ୍ତେ ।୧୬୬।

ଶୁଣିଣ ଥମ୍ବୀଭୂତ ହୋଇଲେ ଶକ୍ରାଜିତର ନନ୍ଦିନୀ

ହସ୍ତରୁ ପଶାସାର ପକାଇଲେ ମେଦିନୀ ।୧୬୭।

କେମନ୍ତେ ସମ୍ପ୍ରତେ ଯିବଇଂ ମୁହିଂ ୟେହା

ସ୍ୱରୂପ କରି ମୋତେ କହିବା ଚଉବାହା ।୧୬୮।

ପୂର୍ବେଣ ଗଜକୁ ଯେ ରଖିଲ ମୁରାରି

ଗ୍ରାହାକୁ ଛେଦିଲ ସମ୍ମୁଖେ ଦେଖି ମୁହିଂ ହାରି ।୧୬୯।

ଦ୍ରୋପତୀ ଚରିତତ ଅତି ଅଗୋଚର

ପଞ୍ଚୁପାଣ୍ଡବେ କି ଅବା ନାହାନ୍ତି ସଂଗତର ।୧୭୦।

କିମ୍ପାଇ ଦ୍ରୋପତୀକି ୟେଡ଼େ ବିଡ଼ମ୍ବଣତ

ୟେ ମୋହୋର ଅଗ୍ରତେ କହିବା ପଦ୍ମନେତ୍ର ।୧୭୧।

କହନ୍ତି ନାରାୟଣ ଶୁଣ ଶୁଣ ଶକ୍ରାବତୀ

ପଦ୍ମନ ସ୍ୱ ନକ୍ଷତ୍ରେ ପାଣ୍ଡବେ ଥିଲେ ୟେଥି ।୧୭୨।

ଚାରିଭାଇଂକି ଛାଡ଼ିଗଲେ ଯୁଝେଷ୍ଠି ରାଜଦେବ

ସୋଦରନ୍ତ ଦେଖିବାକୁ ହସ୍ତିନା ବିଜୟେ ବେଗ ।୧୭୩।

କୂଟ କପଟ ଭିଆଇଲା ଶକୁନି ମହାମନ୍ତ୍ରୀ

ଦ୍ରିଯୋଧନ ତୁଲେ ପଶା ଖେଳିଲେ ସୁତକୋନ୍ତି ।୧୭୪।

ରାଜ୍ୟସଭା ସମ୍ପଦ ହାରିଲେ ଧର୍ମ ମହୀପତି

ଚାରି ଭାଇ ସହିତେ ହାରିଲେ ଦ୍ରୋପତୀ ।୧୭୫।

ସେ ମୂଢ କଉରୋବେ ଅଟନ୍ତି ବଡ଼ ଦୁଷ୍ଟ

ପାଞ୍ଚାଳୀକି ବିବସନ କରନ୍ତି ପାପିଷ୍ଠ ।୧୭୬।

ତେଣୁ ସେ ଆମ୍ଭର ମନ ଗୋ ଅଥୟେ

ସତ୍ୟଭାମା ବୋଇଲେ ମୋତେ ଦେଖାଇବା ଦେବରାୟେ ।୧୭୭।

ସତ୍ୟଭାମାଂକ ବଚନେ ଦେବ ମଧୁହାରି

ତତକ୍ଷଣେ ବଇନେତ୍ର ସୁମରଣା କରି ।୧୭୮।

ଗରୁଡ଼କୁ ସୁମରିଲେ ରୁକ୍ମିଣୀ ବଲ୍ଲଭ

ରମ୍ୟେକ ଦ୍ୱୀପରେ ପକ୍ଷୀ ଜାଣିଲା ତା ଜବ ।୧୭୯।

ଗରୁଡ଼ ବୋଇଲା ତାର ପଲ୍ଲୀକୁ ଅନାଇଂ

ଅମୃତ ଭୋଜନ ମୋତେ ପିତା କି ଲାଗଇ ।୧୮୦।

ମଦନା ବୋଇଲା ମୋର ପ୍ରାଣର ଈଶ୍ୱର

କି ପ୍ରମାଦ ପଡ଼ିଲା ଅବା ଦ୍ୱାରକା ପୁରର ।୧୮୧।

ଶୁଣିଣ ଖଗବର ବେଗେହେଂ ଅଇଲା

ଶତେକ ଯୋଜନ ଡେଣା ବିସ୍ତାରିଣ ଦେଲା ।୧୮୨।

ଗୋବିନ୍ଦଂକୁ ସୁମରିଣ ପକ୍ଷୀ ଗଲା ଚଳି

କ୍ଷଣକ ଭିତରେ ଯାଇଂ ଦ୍ୱାରିକାୟେ ମିଳି ।୧୮୩।

ଆସ୍ତାନ ଉପରେ ବସିଅଛନ୍ତି ଗୋସାଇଂ

ପଦ୍ମ ପାଦତଳେ ପକ୍ଷିବର ପଡ଼ିଲାକ ଯାଇ ।୧୮୪।

ଉଠ ଉଠ ବୋଲି ପ୍ରଭୁ ଧଇଲେକ ତୋଳି

ଦେଖିଣ ହରଷ ଯେ ଶକ୍ରାଜିତର ଦୁଲାଳୀ ।୧୮୫।

ଗରୁଡ଼ ବୋଇଲା କିମ୍ପା କଲ ସୁମରଣ

କି କାର୍ଯ୍ୟ କରିବି କହ ହେ ଯେ ଲକ୍ଷ୍ମୀର ରମଣ ।୧୮୬।

ଗୋବିନ୍ଦ ବୋଇଲେ ବାବୁ ପିଠି ତୁ ବିସ୍ତାର

ଆମ୍ଭଂକୁ ଘେନିଣ ଯିବୁ ହସ୍ତିନା ନଗର ।୧୮୭।

ଶୁଣିକରି ଖଗେବର ବେଗେ ପିଠି ବିସ୍ତାରିଲେ

ସତ୍ୟଭାମା ଘେନି ପ୍ରଭୁ ବିଜୟେ ଯେ କଲେ ।୧୮୮।

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନଗରେ

ଅଦୃଶ୍ୟ ହୋଇ ରହିଲେ ଆକାଶ ମାର୍ଗରେ ।୧୮୯।

କୁରୁସଭା ମଣ୍ଡଳ ମଧ୍ୟେ ଥାଇଂ ଦେବହରି

ସତ୍ୟଭାମାଂକୁ ଦେଖାନ୍ତି ଦେବମଧୁହାରି ।୧୯୦।

ଦେଖିଣ ତ୍ରିପୁତି ସେ ଭଜିଲା ଶକ୍ରାବତୀ

ସ୍ୱାମୀର ପାଦତଳେ ବିନୟ ଯୁଗତି ।୧୯୧।

ସ୍ୱାମୀ ଦ୍ରୋପତୀଂକର ବୈକୁଲ୍ୟ ନ ପାରିଲେ ସହି

ମହାଦୁଷ୍ଟ କଉରୋବ ଦୁଖ ଦେଉଛନ୍ତି ତହିଂ ।୧୯୨।

ମୁଖ ଟେକି ଦ୍ରୋପତୀ ଯେ ଦେଲେକ ଅନାଇଂ

ଗରୁଡ଼ ପିଠିରେ ବିଜେ ତ୍ରଇଲୋକ୍ୟ ଗାସାଇଂ ।୧୯୩।

ଚର୍ମନେତ୍ର ଘେନି ଦେବୀ କରିଲେ ଦର୍ଶନ

ନିସ୍ତରିଲି ନିସ୍ତରିଲି ବୋଇଲେ ବଚନ ।୧୯୪।

କୋଟି କୋଟି ଜନ୍ମର ମୋ ଯେତେ ପାପ ଥିଲା

ଶ୍ୱେତ ପଦ୍ମତୋଳା ଦେଖି ଦୂର ହୋଇଗଲା ।୧୯୫।

ଦ୍ରୋପତୀ ଡାକିଲେ ହେ ପ୍ରଭୁ ପଦ୍ମଲୋଚନ

ତୁମ୍ଭଘେନି ବଡ଼ଲୋକ ପାଣ୍ଡୁର ନନ୍ଦନ ।୧୯୬।

ରାଜସୂୟ ଯଗ୍ୟଂକାଳେ ହେ ଦେବ ଅନନ୍ତ

ପ୍ରତିହାରୀ ପଣେ ତୁମ୍ଭେ ଧରିଥିଲ ବେତ ।୧୯୭।

ମଣିମା ମଣିମା ବୋଲିକରି ବୋଲୁଥିଲ

ୟେବେ ଯୁଝେଷ୍ଠିଂକ ଠାରୁ ଦୟାତ ଛାଡ଼ିଲ ।୧୯୮।

କପଟ ପଶାରେ ଜିଣିଣ ରାଜ୍ୟ ସମ୍ପଦ

ସଭାତଳେ ବସାଇଛି ମାନ ଯେ ଗୋବିନ୍ଦ ।୧୯୯।

ମୋହୋର ୟେ ଦୁଖ ପ୍ରଭୁ କହିବଇଂ କେତେ

କେଶଧରି ଧୁଶାସନ ଆଣିଲା ଯେ ମୋତେ ।୨୦୦।

ୟେବେ ବିବସ୍ତ୍ର କରେ ମୋତେ ୟେ ଧୁଶା ପାମର

ତୁମ୍ଭେ ନ ରଖିଲେ ପ୍ରଭୁ ମୁଂ ହେବି କାହାର ।୨୦୧।

ଜଗନ୍ନାଥ ବୋଇଲେ ଛାଡ଼ ମନୁ ବେଦନା

ୟେ ଛାର କଥାକୁ କିମ୍ପା କରୁଛ ଭାବନା ।୨୦୨।

ଯେତେ ବସ୍ତ୍ର ଅଭ୍ୟାଗତେ ଦେଇଅଛ ଦାନ

ଅଦିତ୍ୟଂକଠାରେ ସେହୁ ଅଛଇ ସେ ମାନ ।୨୦୩।

ସମ୍ପଦ କାଳେ ଯେ ଯାହା ଦାନ ଦେଇଥାଇ

ବିପଦର କାଳେ ଲକ୍ଷେ ଗୁଣରେ ମିଳଇ ।୨୦୪।

ଆଦିତ୍ୟଂକୁ ସୁମରଣା କର ଗୋ ସରାଗେ

ଲକ୍ଷ ଗୁଣେ ହୋଇ ତାହା ମିଳିବ ଗୋ ବେଗେ ।୨୦୫।

ୟେତେ ବୋଲି ଶୂନ୍ୟେଣ ଯାନ୍ତି ଦେବହରି

ଆକାଶେ ଭେଟିଲେ ଯାଇଂ ଗଗନବିହାରୀ ।୨୦୬।

ଶୁଣ ହୋ ଦିନକର ବଦୟନ୍ତି କେଶବ

ପୂର୍ବର କଥା ଗୋଟିକ ପଶୋରିଲ ୟେବ ।୨୦୭।

ତୋହୋର ପୁତ୍ର ଶନିଶ୍ଚର ବିଭା କରିବୁ ବୋଲି

ପଞ୍ଚାଉନ କୋଟି ବସ୍ତ୍ର ଆଣିଲୁ ଉଧାରି ।୨୦୮।

ଛପନ କୋଟି ବସ୍ତ୍ର ମାନିଲ ନିୟତ

ପଞ୍ଚାଳୀ ଅଭିମାନେ କିମ୍ପା ନ ଦିଅ ଯୁଗତ ।୨୦୯।

କଷଣ ବେଳେ କିମ୍ପେ ବସ୍ତ୍ର ନ ଦିଅ ଆଣି

କୁରୁସଭା ମଣ୍ଡଳେ ବିବସ୍ତ୍ର ଯେ ଜିଘ୍ନସେନୀ ।୨୧୦।

ଯହୁଂଣ ଆଗ୍ୟାଂ ଦେଲେ ଦେବଶିରୀରଙ୍ଗ

ତେଣୁ ସେ ଗୋଚର ହୋଇଲେ ଗଗନ ଲିଙ୍ଗ ।୨୧୧।

ୟେଥୁ ଅନନ୍ତରେ ଦେବୀ ଯେ ପାଞ୍ଚାଳୀ

ୟେକ ଲୟେ ଅନ୍ତରେ ଚିନ୍ତ ଗଗନବିହାରୀ ।୨୧୨।

ଜୟତୁ କମଳଲୋଚନ ଦିବାକର

ଅନାଦି ପୁରୁଷ ଜୟେ ଜୟେ କର ତାର ।୨୧୩।

ପ୍ରସନ୍ନ ନାରାୟଣ ଅନାଦି ସିଦ୍ଧ ପିତା

ତୁ ସେ ଜାଣୁ ନାଥ ଭୂତ ଭବିଷ୍ୟତ ଗ୍ୟାଂତା ।୨୧୪।

ଜଳ ସ୍ଥଳ ଅନଳ ତୁହି ସେ ପାତାଳ ଆଦି

ପୃଥ୍ୱୀ ଆପ ତେଜ ବାୟିବ୍ୟ ଆକାଶ ପ୍ରସିଦ୍ଧ ।୨୧୫।

ଯୁଗେ ଯୋଗେଶ୍ୱର ତୁ ପ୍ରସନ୍ନ ପରମବନ୍ଧୁ

ଅଣାକାର ପୁରୁଷ ତୁ ଅନନ୍ତ ରୂପ ସଇନ୍ଧୁ ।୨୧୬।

ଅବ୍ୟୟ ଅକ୍ଷୟ ତୁ ନିରଞ୍ଜନ ନିରାକାର

ତିମିର ବିଦାରଣ ନାଥ ଜୟ ତୁ ଭାସ୍କର ।୨୧୭।

ତୁ ଦେବ ଜଗତ ଜନ ବନ୍ଧୁ ପରମ ସାକ୍ଷୀ

ୟେ ଦ୍ୱାପର ଯୁଗେ ମୁଂ ହୋଇଲି ନିରୀମାଖି ।୨୧୮।

ଦୁଖୀ ଜନ ଶରଣ ନାଥ ତିମିର ବିଦାରଣ

ନିରାକାର ପୁରୁଷ ତୁ ଦେବ ନିରଞ୍ଜନ ।୨୧୯।

ପରେ ଉପୁଗାରି ତୁ ପରମାନନ୍ଦ ସ୍ୱାମୀ

ଦୀନ ଜନ ତାରଣ ହେ ତୁହି ଅନ୍ତର୍ଯ୍ୟାମୀ

ଆନ ନଗଣଇ ତୋହୋର ଚରଣେ ପରିଣାମି ।୨୨୦।

ସ୍ୱାମୀ ଦକ୍ଷିଣ ମଉଦଧି ତୀର ଚନ୍ଦ୍ରଭାଗା ଅର୍କ ତୀର୍ଥେ

ଅର୍କ ଦତ୍ୟ ବିଦାରିଲୁ ନାଥ ସଂସାର ଜନହିତେ ।୨୨୧।

ବାରାନିଧି ମନ୍ଥନୁଂ ତୁ ଆଦିତ୍ୟ ଉତପତ୍ତି

ସର୍ବତେଜ ନାଥ ତୁ ପରମାନନ୍ଦ ଯତୀ ।୨୨୨।

ନମସ୍ତେ ବିରଞ୍ଚି ନାରାୟଣ ନମୋ ନମୋ ଦେବଦେବ

ନମୋ ନମୋ ବ୍ରହ୍ମାଣ୍ଡ ଧାରଣ ସଦାଶିବ ।୨୨୩।

ନମୋ ନମୋ ବିରଞ୍ଚି ତୁ ସିଦ୍ଧ ଦେବତା

ସଂଗ୍ୟାର ବଲ୍ଲଭ ନାଥ ସର୍ବଗ୍ୟଂ ମହାଗ୍ୟାଂତା ।୨୨୪।

ତୁ ଦେବ ସୟଳ ପାଳନ୍ତା ପ୍ରଳୟ ଉଦ୍ଧାରି

ନମୋ ନମୋ ବିରଞ୍ଚି ଗଗନବିହାରୀ ।୨୨୫।

ମମ କଷ୍ଟ ଉଦ୍ଧାରଣ କରସି କରତାର

ପରମାନନ୍ଦ ସ୍ୱାମୀ ତୁ ପରଦୁଖେ କାତର ।୨୨୬।

ସକଳ ଦେବତାଂକର ତୁହି ସେ ଦିବ୍ୟ ଚଛୁ

ପାପ ପୁଣ୍ୟ ଆଚାର ତୁ ସର୍ବ ଦେଖୁଅଛୁ ।୨୨୭।

ଅନୁଭବ ନାଥ ବତିଶ କୋଟି କଳା

ନିର୍ଧୁମ ଅଗ୍ନି ତୋହୋର କାଳନଳ ପିଙ୍ଗଳଜାଳା ।୨୨୮।

ଚଉଷଠି ମନ୍ତ୍ରେ ନାଥ ତୁ କରୁଣା ଭଗବାନ

ସଂଗ୍ୟାର ବିବାଦେ ତୁ ଜଗତ ମୋହନ ।୨୨୯।

ସ୍ୱାମୀ ନଜାଣି ଦକ୍ଷର ନନ୍ଦିନୀ ହୋଇଲା ମତ୍ତଗର୍ବୀ

ବୋଇଲା ତୋହୋର ଚରଣେ ସଂସାର ଜନେ ସେବି ।୨୩୦।

ତୋହୋର ତେଜ କେହି ନାହିଂ ଯେ ସହନ୍ତା

ମୋହୋର ହୃଦେ ସ୍ୱାମୀ ହୋଇଲୁ ଗୋପ୍ୟଗଂତା ।୨୩୧।

ସଗ୍ୟାଂ ନିନ୍ଦିଲା ତୋତେ ବୟସ ମତ୍ତଗର୍ବେ

ଆପଣେ ବିଚାର ତୁ କଲୁ ଆଦି ଦେବେ ।୨୩୨।

ଆମ୍ଭନ୍ତ ନିନ୍ଦା କଲା ସେ ସ୍ତୀରୀ ହୀନ ବୁଦ୍ଧି

ଆମ୍ଭର ରୂପ ଦେଖି ସେ ହୋଇବ ଭସ୍ମାଧି ।୨୩୩।

ଆମ୍ଭେ ସର୍ବ ସହ ଯେ ହୋଇ ମହା ଗ୍ୟାଂତା

ସ୍ୱାମୀର ତେଜ ହୀନ ହୋଇଲେ ନଗଣଇ ବନିତା ।୨୩୪।

ୟେତେ ବିଚାରି ଦେବ ଦେଖାଇଲୁ ବିଶ୍ୱରୂପ

ବ୍ରହ୍ମାଣ୍ଡେ ଘୋଟିଲା ଦେବ ତୋହୋର ତେଜ ଅସଂକ୍ଷେପ ।୨୩୫।

ଅନନ୍ତ ମୂରତି ତୋହୋର ନୁଆରିଲା ସେହି

ପଡ଼ିଲା ଅସାଷ୍ଟମ ହୋଇଛି ତାର ଦେହୀ ।୨୩୬।

ତେଜ ସହି ନୁଆରିଲା ଦେବୀ ପଳାଇଲା ତରେ

ଅଶ୍ୱରୂପେ ଗୋପ୍ୟଗଲା ମେରୁର କ୍ରୋଟରେ ।୨୩୭।

ଶରୀରୁ ଛାୟା ୟେକ ଜାତ କରି ଗଲା

ଅନେକ ମଉଷଧି ମତେ ସର୍ବ ପ୍ରକୃତି ସହିଲା ।୨୩୮।

ଛାୟାରେ ନାରାୟଣ ତୁ ବିହିଲୁ ଅଭିଳାଷ

ନବକଳ୍ପ ପରିଯନ୍ତେ ସ୍ୱାମୀ କଲୁ ଗୃହବାସ ।୨୩୯।

ନାଶକର ତୁଲେ ଦେବୀ କଲାକ ଯହୁଂ କଳି

କୋପେଣ ଯମେ ଛାୟାକୁ ପାଦ ପ୍ରହାରକଲା ତୋଳି ।୨୪୦।

ରାଗେଣ ଛାୟା ଶାପ୍ୟ ଦେଲା ତାକୁ ହେଳୁଂ

ମୋହୋର ଦେହେ ପାଦ ପ୍ରହାର କଲୁ ଚରଣେ ତୋହୋର କୁଷ୍ଠ ଗଳୁଂ ।୨୪୧।

ଯମର ଦେହେଂ ଯହୁଂ ଗଳୁତ କୁଷ୍ଠ ବ୍ୟାଧି

ଧ୍ୟାନେଣ ଜାଣିଲୁ ନାଥ ତହିଂର ସଂସିଦ୍ଧି ।୨୪୨।

ଛାୟାକୁ ତେଜ୍ୟା କରିଗଲୁ ଦେବ ଯେ ବିରଞ୍ଚି

ଅଶ୍ୱରୂପ ହୋଇ ସାଗ୍ୟାରେଣ ବଞ୍ଚି ।୨୪୩।

ଅଶ୍ୱରୂପ ହୋଇଣ ଶୃଙ୍ଗାର କଲୁ ଇଚ୍ଛା

ସ ଇନ୍ଦୁ ଜାତ ହୋଇଲେ ଅଶ୍ୱିନୀକୁମର ବେନି ବତ୍ସା ।୨୪୪।

ସ୍ୱାମୀ ନିଜ କାୟେ ଛିନାଇଲୁ କ୍ଷିରୋଦ୍ର କୂଳେ ବସି

ସହସ୍ର କିରଣ ହୋନ୍ତେ ସହିଲା ଶୁଭ୍ରକେଶୀ ।୨୪୫।

ମେଷମାସେ ସ୍ୱାମୀ ତୋହୋର ଷାଠିୟେ କିରଣ

ବୃଷମାସେ ତେଜ ତୋହୋର ସତୁରି ପରିମାଣ ।୨୪୬।

ମିଥୁନ ମାସେ ଅଶି କିରଣ ପରକାଶ

କକଡାୟେ ତୋହୋର ରଶ୍ମି ତିନି ତିରିଶ ସମ୍ଭାଷ ।୨୪୭।

ସିଂହେଣ ଶତ କିରଣ ନିରି ମିତେ

କନ୍ୟେଣ ଅର୍ଦ୍ଧ ଶତ କିରଣ ବହୁ ବିଶ୍ୱଭୂତେ ।୨୪୮।

ଷାଠିୟେ କିରଣ ତୋହୋର ଅଟଇ ଯେ ତୁଳେ

ବିଛାୟେ ସପ୍ତଦଶ ବହୁ ଗଗନ ମଣ୍ଡଳେ ।୨୪୯।

ଧନୁୟେ ଶତ ଚାଳିଶ ନାଥ ହିମ ନାଶୁ

ଶତ କିରଣ ନାଥ ମକରେ ପ୍ରକାଶୁ ।୨୫୦।

ଯାଗଯଗ୍ୟେଂ ଅରୁଣ ଯେ ତୋହୋର ସଙ୍ଗୀ

ସୟଳ ଜନ ଉଦ୍ଧାରଣ ନାଥ ତୁହି ସେ ପରମ ଯୋଗୀ ।୨୫୧।

ମୋହୋର ଚରିତ ନାଥ ଜାଣୁ ତୁହି ପୂର୍ବେ

କେବଳ ସଂକଟୁ ନାଥ ଉଦ୍ଧରୁ ତୁ ୟେବେ ।୨୫୨।

ସ୍ୱାମୀ ତୁଳ ମାସରେ ଉଦିତ ଅମୃତାକ୍ଷ ଆଦିତ୍ୟ

ବିଛା ମାସେ ଦେବ ବିଷଦତ୍ତ ମଇତ୍ର ।୨୫୩।

ବାଳ ଆଦିତ୍ୟ ଉଦୟେ ହୁୟେ ଧନୁ ମାସେ

ଅନନ୍ତ ଆଦିତ୍ୟ ଦେବ ଉଦିତ ମକର ମାସେ ।୨୫୪।

କୁମ୍ଭ ମାସେ ଉଦିତ ମାରକଣ୍ଡ ମୂରତି

ମୀନ ମାସେ ଉଦୟ ମହା ଅର୍କ ଜ୍ୟୋତି ।୨୫୫।

ମହା ଅନଳ ଆଦିତ୍ୟ ଉଦୟେ ମେଷ ମାସେ

ଋ ଅନିଳେକ ଆଦିତ୍ୟ ରଷଇ ମାସେ ପ୍ରକାଶେ ।୨୫୬।

ମଇତ୍ର ଜିତ ଆଦିତ୍ୟ ମିଥୁନ ମାସେ ସଞ୍ଚି

କକଡା ମାସେ ଦେବ ଉଦିତ କମଳା ବିରଞ୍ଚି

ସୁହୃଦେକ ଆଦିତ୍ୟ ଉଦିତ ସିଂହ ମାସେ

ଜ୍ୟୋତିଲିଙ୍ଗ ଆଦିତ୍ୟ କନ୍ୟା ମାସେ ପ୍ରକାଶେ ।୨୫୮।

ଦ୍ୱାଦଶ ମାସକୁ ଦେବ ଦ୍ୱାଦଶ ଆଦିତ୍ୟ

ୟେକ ଆଦିତ୍ୟେକେ କିରଣ ଶତେ ଶତ ।୨୫୯।

ଶରଦ ଶିଶିର ହେମନ୍ତ ବସନ୍ତ ଗ୍ରୀଷମ

ବରଷା ଋତୁ ଘେନି ୟେ ଷଡ଼ ଋତୁ ବିଶ୍ରାମ ।୨୬୦।

ଧାତୁବାଦ ପୁରୁଷ ତୋର ଗଳଇ ଋତୁ ତିନି

ତେଣୁ ସେ ପଲ୍ଲବ ନାଥ ହୋଅଇ ମେଦିନୀ ।୨୬୧।

ସ୍ୱାମୀ ବେଦମନ୍ତ୍ର ବାକ୍ୟେ ତୁହି ସେ ଦେବସଞ୍ଚା

କର ଅନୁଗ୍ରହ ମୋତେ ଗ୍ରହକାଳ ବଞ୍ଚା ।୨୬୨।

ଅଣାକାର ପୁରୁଷ ତୋତେ ଦେଲା ଅଭିଶାପ

ତେଣୁ ସେ ବିପ୍ର ଚାଣ୍ଡାଳ ତୋକ ୟେକ ରୂପ ।୨୬୩।

ସ୍ୱାମୀ ଉଦୟେ ଗିରି ବିଦାରି ନାଥ ଅନୁବ୍ରତେ ଭ୍ରମୁଂ

ମୋତେ ଦୂଷିତ କେମନ୍ତେ କରିବେ ତବ ଛାମୁ ।୨୬୪।

ଯଦ୍ୟପି ନାଥ ତୁ ଧର୍ମ ଯେ ଦେବତା

ସମସ୍ତ ଜନଂକୁ ନାଥ ତୁହି ସେ ଉଦ୍ଧାରନ୍ତା ।୨୬୫।

ଅନାଦି ଯୁଗାନ୍ତକ ତୁହି ସେ ଜଗବନ୍ଧୁ

ୟେକ ଲୟେ ବଞ୍ଚାଇ ଅଜପାଲୟେ ସାଧୁ ।୨୬୬।

ସ୍ୱାମୀ ଆୟୁର ଜ୍ୟୋତିର ଧନୁର ଶୁଷୁମୁନା

ତୋହୋର ଶରୀରକୁ ୟେ ଗୋପ୍ୟାନ ଯୋଗସିନା ।୨୬୭।

ସର୍ବଦା ଭଗତି ନାଥ ତବ ଚରଣେ ଶରଣ

ସେବାଜାଣି ଦୟାକରି ବିରଞ୍ଚି ନାରାୟଣ ।୨୬୮।

ଆଦିଗର୍ଭେ ସମ୍ଭୁତ ତୋହୋର କୋଟିୟେ କିରଣ

କାଳେ ଖଣ୍ଡିଲା ପ୍ରିୟା ତୋହୋର ଅକାରଣ ।୨୬୯।

ମୁହିଂ ଜନମିଲି ସ୍ୱାମୀ ମାନେବର ଯୋନି

ତୁହି ସେ ସଂକ୍ଷେପ ମୋତେ ସନ୍ଧ୍ୟା କାଳ ତିନି ।୨୭୦।

ଚେତନା ପୁରୁଷ ତୋର ଜାତ ଅନ୍ତ ନାହିଂ

କେ ତୋତେ ବିନୟ ହୋଇବ କଳ୍ପ କଳ୍ପାନ୍ତ ଦାହି ।୨୭୧।

ତୁ ଦେବ ଯୋଗେଶ୍ୱର ସଂଗ୍ୟାର ପ୍ରାଣ ନାହା

ଆପାଦ କାଳ ହୋଇଲା ସ୍ୱାମୀ ମୋତେ ହୁଅ ସାହା ।୨୭୨।

ଶ୍ରୀବିରଞ୍ଚି ନାରାୟଣ ଚରଣେ ନମସ୍ତେ

ଶୂଦ୍ରମୁନି ସାରୋଳା ଦାସ ଅନୁଗ୍ରହ ମାଗଇ ନିତ୍ୟେ ।୨୭୩ – ୧୩୭୬୭।

 

ଦ୍ରୌପଦୀର ବସ୍ତ୍ରହରଣ ଓ ଧୃତରାଷ୍ଟ୍ରଙ୍କଠାରୁ ବରପ୍ରାପ୍ତି

ଶୁଣ ବଇବସୁତ ମନୁ ଯେ ବଦୟନ୍ତି ଅଗସ୍ତି

ବିରଞ୍ଚିକି ଅନେକ ସ୍ତୁତି କଲେକ ଦ୍ରୌପଦୀ ।୧।

ପାଞ୍ଚାଳୀର ସ୍ତୁତି ଶୁଣି କମଳଲୋଚନ

ଗଗନର ନାଥ ସ୍ୱାମୀ ହୋଇଲେ ପ୍ରସନ୍ନ ।୨।

ଶୂନ୍ୟେଣ ଶବଦ ଯେ ଭାଷିଲେ ଅଂଶୁମାଳୀ

ବୋଇଲେ ଅଭୟେ ବର ମାଗସି ପାଞ୍ଚାଳୀ ।୩।

କରପତ୍ର ଯୋଡ଼ି ବୋଲଇ ଜିଘ୍ନସେନୀ

ୟେ ଧୁଶାସନ ଚାଣ୍ଡାଳ ଅଇଲା ମୋତେ ଘେନି ।୪।

ୟେ ମୋହୋର କେଶ ଧରି ଅଇଲା କୋପାନଳେ

ପଞ୍ଚ ଯୋଜନ ଯାୟେ ମୋର ଚରଣେ ନପଡ଼ିଲା ତଳେ ।୫।

ଅପର ପ୍ରପଞ୍ଚ ମୋତେ କରଇ ବିବସନ

ସତୀପଣ ଦୂଷଣ ମୋତେ ହୋଇବ ଦିଶିଲେ ଜାନୁ ସ୍ତନ ।୬।

ମୁକୁଇ ପ୍ରସନ୍ନ ହୋଇବା ଗଗନ ଲିଙ୍ଗ

ଯେମନ୍ତେ ଚାଣ୍ଡାଳେ ମୋର ନ ଦେଖନ୍ତି ଅଙ୍ଗ ।୭।

ୟେଥକୁ ହେଳା ଯେବେ କରିବୁ ଦେବ ରବି

ତୋହୋର ଉପରେ ମୁଂ ଅବଶ୍ୟ ପ୍ରାଣ ବିସର୍ଜିବି ।୮।

ଦ୍ରୌପଦୀର କଠୋର ବାକ୍ୟ ଦିନକରନାଥ ଶୁଣି

ଛାୟା ମାୟା ବେନି ଯୁବତୀକି ହକାରିଲେ ଦିନମଣି ।୯।

ଯାଅ ତୁମ୍ଭେ ବେନି କୋଟି ପାଟଳିବସ୍ତ୍ର ଘେନି

ଶରୀରେ ଘୋଡ଼ାଅ ତୁମ୍ଭେ ଦ୍ରୋପଦ ନନ୍ଦିନୀ ।୧୦।

ୟେସନେକ ଆଗ୍ୟାଂ ଯହୁଂ ଦେଲେ ଦେବ ମାରତଣ୍ଡ

ନିରନ୍ତରେ ଘୋଡ଼ାଇଲେ ନେଇ ଦ୍ରୌପଦୀର ପିଣ୍ଡ ।୧୧।

ଦୁର୍ଜୟ ଧୁଶାସନ ପକାବନ୍ତି ବସ୍ତ୍ର କାଢି

ଛାମୁରେ ବସନ ଯେ କୂଢ଼ କୂଢ଼ ହୋଇପଡ଼ି ।୧୨।

କୋଟିୟେ ବସ୍ତ୍ର ଯହୁଂ ଶେଷ ଯେ ହୋଇଲା

ମୂର୍ଖ ପାମର ସେ ତଦ୍ୟପି ଶାନ୍ତି ନୋହିଲା ।୧୩।

କଷ୍ଠୋର ଦେଖିଣ ଦେବ ବିରଞ୍ଚି ନାରାୟଣ

କୋଟିୟେ ବସ୍ତ୍ର ପୁଣ ଛାଡ଼ିଲେ ତତକ୍ଷଣ ।୧୪।

ଛାୟା ମାୟା ସେ ଯେ ବେନି ଯୁବତୀ

ପାଞ୍ଚାଳୀର ଶରୀରେ ବସ୍ତ୍ର ନେଇ ଗୁଡ଼ିଆନ୍ତି ।୧୫।

ପୁଣ ପୁଣ ବସ୍ତ୍ର ପକାବନ୍ତି ପାଲଟାଇଂ

ବେନି କୋଟି ବସ୍ତ୍ର ପାଲଟାଇଲେ ତଦ୍ୟାପି ଦୁର୍ଯ୍ୟୋଧନର ମନେ ଶାନ୍ତି ନାହିଁ ।୧୬।

ଅନାଦି ପୁରୁଷ ଯହୁଂ ପ୍ରସନ୍ନ ହୋଇଲା

ପୁଣହିଂ କୋଟିୟେ ବସ୍ତ୍ର ଯାଇଂ ଶରୀରେ ଲାଗିଲା ।୧୭।

ପୁଣିହିଂ କୋଟିୟେ ପକାଇଲେ କାଢି

ଚାରି କୂଢ଼ ହୋଇଣ ବସ୍ତ୍ର ସଭାତଳେ ପଡ଼ି ।୧୮।

ମୂର୍ଖ ସ୍ୱଭାବେ ଯେ ନବୁଝନ୍ତି କଉରୋବେ

ପୁଣିହିଂ କୋଟିୟେ ବସ୍ତ୍ର ଛାଡ଼ିଲେ ଗଗନ ଲିଙ୍ଗଦେବେ ।୧୯।

ଶୂନ୍ୟେଣ ଲାଗଇ ଆସି ଦ୍ରୌପଦୀର କାୟେ

ଅନ୍ତରୀକ୍ଷେ ଫେଡ଼ି ପକାବନ୍ତି ଗାନ୍ଧାରୀର ପୋୟେ ।୨୦।

ଅସଂକ୍ଷେପ ବସ୍ତ୍ର ଦିଅନ୍ତି କମଳ ଲୋଚନ

ଆହୁରି କୋଟିୟେ ବସ୍ତ୍ର ଲାଗିଲା ଦ୍ରୌପଦୀ ଶରୀରେଣ ।୨୧।

ଛାୟା ମାୟା ବେନି କନ୍ୟା ଯେ ଦ୍ରୌପଦୀ ଶରୀରଘୋଟି

ନିରନ୍ତରେ ବସ୍ତ୍ର ଗୁଡ଼ିଆନ୍ତି ପଞ୍ଚାବନ କୋଟି ।୨୨।

ତଦ୍ୟାପି ଗୋଚର ନୋହନ୍ତି କଉରୋବେ

ଦେଖିବା ଜାନୁ ଯଉବନ ହାକଇ ରାଜଦେବେ ।୨୩।

ଅସମ୍ଭବ ଦେଖିଣ ସେ କମଳ ଲୋଚନ

ଆହୁରି କୋଟିୟେ ବସ୍ତ୍ର ଲାଗିଲା ଦ୍ରୌପଦୀ ହୃଦେଣ ।୨୪।

ଅସମ୍ଭବ ଦେଖିଣ ପଚାରନ୍ତି ଗାଙ୍ଗବେ

ବାବୁ ଗ୍ୟାଂନ ହୀନ ହୋଇଲୁ କୁରୁରାଜଦେବେ ।୨୫।

ଅନେକ କୋଟି ବସ୍ତ୍ର ପକାଇଲ ଫେଡ଼ି

ପୁଣ ପୁଣ ପାଞ୍ଚାଳୀ ଶରୀରେ ବସ୍ତ୍ରଯାଇଂ ଜଡ଼ି ।୨୬।

ବାବୁ ଅନ୍ତସ୍ୱର ପୁରେ ଥାଆନ୍ତି ଯେ ତୁମ୍ଭର ଭାରିଜା

କେତେ କେତେ ବସ୍ତ୍ର ପିନ୍ଧିଥାନ୍ତି ହୋ କୁରୁଦେବରାଜା ।୨୭।

ଅନାଦି ଅପର୍ଣ୍ଣା ସେ ତାଂକୁ କେତେହେଂ ଝିଘାଂସୁ

କୋପାନଳେ ଚାହିଂଲେ ସମସ୍ତେ ହୋଇବେ ଧୂଳିପାଂଶୁ ।୨୮।

ବାବୁ ବଚକ୍ଷଣ ପଣ୍ଡିତ ତୁ ମାନ ଯେ ଗୋବିନ୍ଦ

ପିତାର ପରାୟେ ତୁହିକି ହୋଇଲୁ କି ଜାତିଅନ୍ଧ ।୨୯।

ପରମ ମାହେଶ୍ୱରୀ ସେ ସ୍ତିରୀକୁଳେ ଉତ୍ତମ

ତାହାର ଜାନୁ ସ୍ତନ ଦେଖିବାକୁ ତୁମ୍ଭେ କି ଭାଜନ ।୩୦।

ବଇବସୁତ ମନୁ ପଚାରିଲେ ଅଗସ୍ତିଂକି

ବଡ଼ ଦୁସହ ତଥା ମହାତମା ବୁଝିଲି ମୁଂ ତୁମ୍ଭର ବାକି ।୩୧।

ଦିନକର ନାଥର ୟେମନ୍ତର କଥାଅଛି ପୂର୍ବେ

ଛପନ କୋଟି ବସ୍ତ୍ର କେମନ୍ତେ କଥାଅଛି ପୂର୍ବେ

ଛପନ କୋଟି ବସ୍ତ୍ର କେମନ୍ତେ ଆଣିଦେଲେ ୟେବେ ।୩୨।

ୟେଥିରୁ ଚରିତ୍ର କଥା ମୋତେ କହିବା ବିଶେଷି

ମନ ଭ୍ରାନ୍ତି ଫିଟୁ ହେ କହ ଅଗସ୍ତି ମହାଋଷି ।୩୩।

କୁମ୍ଭ ଋଷି ନନ୍ଦନ ଯେ କହନ୍ତି ପରସ୍ତାବେ

ଦ୍ରୌପଦୀ ବିରଞ୍ଚିର ପ୍ରସ୍ତାପ ଅଛି ପୂର୍ବେ ।୩୪।

ସତ୍ୟଯୁଗର ଚରିତ ଶୁଣ ମହାଗ୍ୟାଂତା

ସୁର ସିଦ୍ଧି ନାମେଣ ଯେ ସତ୍ୟଯୁଗର ବାରତା ।୩୫।

ଚାରି ଅବତାର ସେ ଅଟଇ ଦ୍ରୋପତୀ

ଆଦି ଅବତାରେ ସେ କେତୁକା ମୂରତି

ଦ୍ୱିତୀୟ ଅବତାରେ ସେ ୟେକବଳା ପାର୍ବତୀ ।୩୬।

ତୃତୀୟ ଅବତାରେ ସେ ଦକ୍ଷ ଘରେ ଜାତ

ଚତୁର୍ଥ ଅବତାର ୟେ ଦ୍ରୁପଦ ଦୁହିତା ।୩୭।

ଶୁଣ ହେ ବଇବସୁତ ମନୁ ଦ୍ରୌପଦୀର କଥା

ଶୁଣ ତୁ ୟେକମନ ପୂର୍ବ ଜନ୍ମର ବାରତା ।୩୮।

ପୃଥିବୀ ଜଳମୟ ସପତ ସାଗର

ନାରାୟଣ ଯୋଗମାର୍ଗେ ଶୟନ ବିରଳ ନାଗର ପିଠିର ।୩୯।

ସୀମ ସ୍ଥାନେ ସରସ୍ୱତୀ ପାଦେଣ କମଳାଛି

ମହା ଯୋଗ ସାଧନେ ଶୟନ ଶ୍ରୀବତ୍ସି ।୪୦।

ୟେମନ୍ତେ ଗଲା ଯେ ଚଉଦ ମନୁ ପରିଯନ୍ତେ

ଜଳରେ ଶୟନ ଦେବ କଲେ ଯେ ଅନନ୍ତେ ।୪୧।

ଯୋଗନିଦ୍ରା ବଞ୍ଚାଇଣ ୟେ ଚାହିଂଲେ ବେଦ ହରି

ପଞ୍ଚ ଦଶ ବ୍ରହ୍ମା ତହୁଂ ସେ ଅବତରି ।୪୩।

ଶୁଦ୍ରେକ ହୃଦେକ ଆନନ୍ଦେକ ସାନନ୍ଦେକ ରୂପାୟନ କରି

ବିଧାତା କରତା ବିରଞ୍ଚି ପରମାନନ୍ଦ ଅବତରି ।୪୪।

ନିରାନ୍ତକ ଚନ୍ଦ୍ରପାଦ ସୋମପାନ କଳ୍ମଷ ରୁଦ୍ର ନିରାଲମ୍ବ

ୟେମନ୍ତେ ପଞ୍ଚଦଶ ବ୍ରହ୍ମା ଜାତକଲେ ପରମାନନ୍ଦ ।୪୫।

ପୁଣିହିଂ ନୟନ ସେ ବୁଜିଲେ ଦେବ ଯୋଗେ

ସେ ପଞ୍ଚଦଶ ବ୍ରହ୍ମା ପ୍ରବେଶ ସରସ୍ୱତୀର ଆଗେ ।୪୬।

ଲୋଭେଣ ହରିତେ ଲୋଡ଼ିଲେ ତାଂକୁ ୟେକା

କୋପେଣ ସରସ୍ୱତୀ ଜାତକଲେ ଯେ କେତୁକା ।୪୭।

କେତୁ ବୋଲିଣ ଯେ ବୋଇଲେ ସରସ୍ୱତୀ

କେତୁକା ନାମ ତାର ହୋଇଲା ଆଦି ମୂର୍ତ୍ତି ।୪୮।

ସେ ଆଦି ନାରୀଂକି ବ୍ରହ୍ମାମାନେ ଅଛନ୍ତି କଟାଳି

ସରସ୍ୱତୀ ବୋଇଲେ କେତୁକା ତୁ ଖାଅ ୟେହାନ୍ତ ମାରି ।୪୯।

ସରସ୍ୱତୀ ବଚନେ ଅଭୟା କାମରୂପୀ

ସେ ପଞ୍ଚଦଶ ଉପରକୁ ପଡ଼ିଲେ ଦେବୀ କ୍ଷେପି ।୫୦।

ଭୟେଣ ପଳାଇଲେ ସେ ପଞ୍ଚଦଶ ପୁରୁଷ

ଗୋଡ଼ାଇଣ କେତୁକା ତାଂକୁ କରଇ ପ୍ରାଣ ନାଶ ।୫୧।

ଚଉରାଶି କାଠି ଗଭୀର ଯେଉଂ ପାଣି

ଧାବନ୍ତେ କେତୁକାକୁ ହୋଇଲା ଆଣ୍ଠୁଆଣି ।୫୨।

ସହସ୍ରେ ବରଷେ ବ୍ରହ୍ମାୟେକ କରଇ ଭକ୍ଷ

ଚଉଦ ଭକ୍ଷିଲା ସେ ଚଉଦ ସହସ୍ର ବରଷ ।୫୩।

ଶୁଦ୍ରେକ ନାମେ ବ୍ରହ୍ମା ଯେ ପଳାଇଲା ବାହୁଡ଼ି

ଅନାଦିଂକି ସନ୍ନିଧ୍ୟେ ଯାଇ ଶରଣ ଫୁକାରି ।୫୪।

ମହାରଡ଼ି ଶୁଣିକରି ଯେ ଚିଆଇଂଲେ ବିଷ୍ଣୁ

କି ନିମନ୍ତେ ବୋବି ପାଡୁ କାହିଂର ତୁ ଅଟୁ ।୫୫।

ସ୍ୱାମୀ ତୋହୋ ତହୁଂ ପଞ୍ଚଦଶ ବ୍ରହ୍ମାୟେ ହୋଇଲେ ଉତପତ୍ତି

ୟେକା କେତୁକା ଭକ୍ଷିଲାନି ଚଉଦ ବ୍ରହ୍ମା ମୂରତି ।୫୬।

ୟେବେ ମୋତେ ଗୋଡ଼ାଇଅଛି ବଡ଼ାଇ କଠୋରେ

କେତୁକା ନ ଭକ୍ଷୁ ନାଥ ରକ୍ଷାକର ମୋରେ ।୫୭।

ନାରାୟଣ ବୋଇଲେ ଲୋ ରହ ରହ କେତୁକା

ଚଉଦ ଜଣ ଭକ୍ଷିଲୁ ୟେ ଥାଉକିନା ୟେକା ।୫୮।

ସରସ୍ୱତୀ ବୋଇଲେ ୟେ ମୋଢା ବଡ଼ ଦୁଷ୍ଟ

ମୁକଇଂ ହରିତେ ଲୋଡ଼ଇ ୟେ ପାମର ପାପିଷ୍ଠ ।୫୯।

ରାଗେଣ ଜାତକଲି ଯେ କେତୁକାକୁ ମୁହିଂ

ଶରୀର ତ୍ରିପୁତି କରୁ ୟେ ପନ୍ଦର ବ୍ରହ୍ମା ଖାଇ ।୬୦।

ନାରାୟଣ ବୋଇଲେ ତୁ ୟେବେ ୟାକୁ ରଖ

ଦ୍ୱାପର ଯୁଗରେ ତୁ ୟେହାକଇଂ ଭକ୍ଷ ।୬୧।

ତୁ ଯାଇଂ ଜାତ ହୋଇବୁ ଦ୍ରୁପଦ ରାଜାର ଘରେ

ୟେ ଶୂଦ୍ରକ ଉପୁଜିବ ସୋମବଂଶେ ଧୁଶାସନ ମହାବୀରେ ।୬୨।

ପାଣ୍ଡବେ ପାଞ୍ଚହେଂ ହୋଇବେ ତୋହୋର ସେ ପତି

କପଟେ ପଶା ଖେଳାଇବ ମାନ ଚକ୍ରବ୍ରତୀ ।୬୩।

ରାଜ୍ୟଭାର ସିଂହାସନ ହାରିବେ ଧର୍ମନାନ

ଚାରି ଭାଇ ସହିତେ ଆତ୍ମାକ୍ରିୟେ ହୋଇବ ରାଜନ ।୬୪।

ସଭାୟେଣ ଆଗ୍ୟାଂ ଦେବ ରାଜା ଦ୍ରିଯୋଧନ

ଦ୍ରୋପତୀ କେଶ ଧରି ଆଣିମ ଧୁଶାସନ ।୬୫।

ସଭାତଳେ ବିବସନ କରିବ ତୋତେ ନେଇ

ସେ କଥା ଭୀମସେନ ହୃଦରେ ଥିବ ଲିହି ।୬୬।

ସମରେ ଭୀମ ଧୁଶାସନର ଭୁଜ ଉପାଡ଼ିବ

ତୋହୋର ଶିରେ ଆଣି ରୋଧିର ଢାଳିବ ।୬୭।

ଦ୍ୱାପରେ ଭକ୍ଷଣ କରିବୁଟି ତୁ ତାହା

ଆଗତ ଭବିଷ୍ୟ କହିଲେଟି ଚଉବାହା ।୬୮।

ଶୁଣ ଆହୋ ମନୁ ଚଇତନ ଯେ କହିଲା

ଶୂଦ୍ରେକ ନାମେ ବ୍ରହ୍ମା ଯେ ଧୁଶାସନ ହେଲା ।୬୯।

ଯାହା ସତ୍ୟଯୁଗେ ଆଗ୍ୟାଂ ଦେଇଛନ୍ତି ହରି

ତେଣୁ ଧୁଶାସନ ଦ୍ରଉପତୀର କେଶ ଧରି ।୭୦।

ବଇବସୁତ ବୋଇଲେ ମୋର ଫିଟୁ ମନଭ୍ରାନ୍ତି

ସେ ବସ୍ରମାନ କେମନ୍ତେ ଦେଲେ ଦିବାକର ଜ୍ୟୋତି ।୭୧।

ଆହୋ ଚଇତନ ୟେ ଆଦି ଅବତାରେ

କେତୁକା ନାମ ବହିଲା ୟେ ପ୍ରଳୟ ସାଗରେ ।୭୨।

ଦୁଜ ଅବତାରେ ନିର୍ଘାତ ଘରେ ଉତପତ୍ତି

ନାମ ହୋଇଲା ୟେହାର କେତୁକା ୟେକବଳା ପାର୍ବତୀ ।୭୩।

ପଞ୍ଚାଉନ କୋଟି ଯେ ପାଟୋଳି ବସ୍ର ପାଡି

ତପରେ ବସିଲା ଦେବୀ ଗୃହବାସ ୟେଡି ।୭୪।

ଦକ୍ଷର ନନ୍ଦିନୀ ସଂଗ୍ୟା ଅଟନ୍ତି ଆଦିତ୍ୟର ଭାରିଜା

ଯମ ଶନଶ୍ଚିର ଉପୁଜିଲେ ତାହାର ବେନି ଯେ ତନୁଜା ।୭୫।

କଳସୁ ରାଜାର ଦୁହିତା କାଳୀ ସୁକରାଳୀ

ଯମକୁ ତାହା ପ୍ରଦାନ କଲେ ଅଂଶୁମାଳୀ ।୭୬।

ସୋମ ଦାସ ବୋଲିକରି ୟେକ ଗନ୍ଧର୍ବ ନୃପତି

ଲୋହିତା ନାମେଣ ତାହାର ଗୋଟି ଦିଅ ଆମ୍ଭର ଶନିଶ୍ଚରକୁ ।୭୮।

ଦିବାକର ବଚନେ ସେ ନୁଆରିଲା ପରାଭବି

ବୋଇଲା ସତ୍ୟ ସତ୍ୟ ଦୁହିତା ମୁହିଂ ଦେବି ।୭୯।

ସ୍ୱାମୀ ଶନିଶ୍ଚର ଦୃଷ୍ଟିରେ ସମ୍ମୋହେ ହୋଅନ୍ତି ଦହି

ତହିଂକି ବୁଦ୍ଧି ଦେବ କରିବୁ କିନା ତୁହି ।୮୦।

ରଙ୍ଗ ରକତ ଦେଖିଲେ ଶନିଶ୍ଚର ଦୃଷ୍ଟି

ରକତ ବସ୍ର ଦେବୁ ମୋତେ ପଞ୍ଚାଉନ କୋଟି । ୮୧।

ଦୋହିତାର ଶରୀରେ ଯେ ଥିବଇଂ ମୁଂ ଘୋଡ଼ାଇ

ଶନିଶ୍ଚର ଶାନ୍ତି ହୋଇବେ ତାହାକଇଂ ଚାହିଂ ।୮୨।

ଦିନକର ନାଥ ଗଲେ ତହୁଂ ବେଗି ବେଗି

ୟେକବଳା ପାର୍ବତୀକି ପଞ୍ଚାଉନ କୋଟି ବସ୍ର ମାଗି ।୮୩।

ପୁତ୍ର ଗୋଟିକ ବିଭା କରିବି ଗୋ ମହାମାଈ

ତୋହୋର ବସ୍ର ମୁଂ ତୋତୋ ଦୋବୀ ବାହୁଡ଼ାଇ ।୮୪।

ତୁ ଯେବେ କଷଣ ବେଳେ ମୋତେ ନ ଦେବୁ ଅଶୁଂମାଳୀ

ମୋହୋର କୋପେ ତୋହୋର ଶରୀର ଯିବ ଜଳି ।୮୫।

ଶୁଣ ଆହୋ ମନୁ ପୂର୍ବର ହେତୁ କଥା

ସତ୍ୟକରି ପଞ୍ଚାଉନ କୋଟି ବସ୍ର ନେଲେ ଆଦିତ୍ୟ ଦେବତା ।୮୬।

ଲୋହିତା ଦେବୀ ନେଇ ଘୋଡ଼ାଇଲେ ବିଭାକାଳେ

ସେ ରକ୍ତ ବସ୍ର ଦେଖି ଶନୀଶ୍ଚର ଶାନ୍ତି ଡୋଳେ ।୮୭।

ବିଭା ସାରିଣ ସେ ସୋମ ଦାସ ମହୀପତ୍ୟେ

ସେ ପାଟୋଳୀ ବସ୍ରମାନ ଦେବ ସ୍ତିରୀଂକି ଦିଲେ ସେ ଅକ୍ଷତେ ।୮୮।

ସଂଗ୍ୟା ଦେବୀ ମାଗିଲେ ଯେ ଦେବ ସ୍ତିରୀଂ ମାନଂକୁ

ୟେ ପାଟଳ ବସ୍ରମାନ ସମସ୍ତ ଦେବ ମୁକୁ

ମହାସତୀକି ଝିଂଘାସି ପଡ଼ିବ ଯେତେବେଳେ ।୮୯।

ମୁହିଂ ତାହାଂକୁ ଦେବି ଧୁଶାସନ କଟାଳର କାଳେ ।୯୦।

ଦ୍ରୋପତୀର କୋପେ ନ ବ୍ରତଇ ମୁହିଂ

ଜାଣିଣ ଦେବ ସ୍ତିରୀମାନେ ଦିଲେ ବାହୁଡ଼ାଇ ।୯୧।

ୟେକବର୍ଣ୍ଣ ପାଟୋଳି ପଞ୍ଚାନ କୋଟି ବସ୍ରେ

ଯତନ କରି ବିରଞ୍ଚି ନାରାୟଣେ ଥୋଇଲେ ନେଇ ରଥେ ।୯୨।

ପ୍ରଥମ ଅବତାରେ ସେ କେତୁକା ମୂରତି

ଦ୍ୱିତୀୟ ଅବତାରେ ୟେକବଳା ପାର୍ବତୀ ।୯୩।

ତୃତୀୟ ଅବତାରେ ହୋଇଲା ଶଚିମୃତ୍ତି

ଚତୁର୍ଥ ଅବତାରେ ହୋଇଲେ ଦ୍ରୌପତୀ ।୯୪।

ସେ ଯେହ୍ନେ ଆଗ୍ୟାଂ ଦେଇଥିଲେ ଆଦିନାଥ

ସେ ଶୂଦ୍ରେକ ନାମେ ବ୍ରହ୍ମା ଧୁଶାସନ ରୂପେ ଜାତ ।୯୫।

ନାରାୟଣ ଯାହା ଆଗ୍ୟାଂ ଦେଇଛନ୍ତି ପୂର୍ବେ

ଦ୍ରୋପତୀକି ଝିଂଘାସ ସେ କରୁଅଛି ୟେବେ ।୯୬।

ମହାଭାରତ ଯୁଦ୍ଧେ ହୋଇବ କେତୁକା ମୂରତି

ଧୁଶାସନ ରୁଧିର ସେ ଭକ୍ଷିବ ଦ୍ରୋପତୀ ।୯୭।

ୟେ ମହାସତୀ ସତ୍ୟଯୁଗୁଂ ବସ୍ର ଥୋଇଅଛି ନିସଞ୍ଚି

ଥୋଇଲା ବସ୍ରମାନ ଦ୍ରୋପତୀଂକ ଆଣି ଦିଲେକ ବିରଞ୍ଚି ।୯୮।

ଶୁଣି ସାନନ୍ଦ ହୋଇଲେ ବଇବସୁତ ମନୁ

ଅନେକ ପୂଜାକଲେ କୁମ୍ଭ ଋଷିର ତନୁ ।୯୯।

ବଦୟନ୍ତି ଅଗସ୍ତି ମହା ବ୍ରହ୍ମବେତ୍ତା

ତା ଯାହା ପୁଚ୍ଛାକଲୁ ସଭାପର୍ବର ବାରତା ।୧୦୦।

ଅନେକ ଝିଂଘାସ ଯହୁଂ କଲେକ ଦ୍ରୋପତୀ

କାଳାନ୍ତକ ଜାଣି ଚାରି ପାଣ୍ଡବଂକ ମୃତ୍ତି ।୧୦୧।

ମହାବାତେ ଯେହ୍ନେ କମ୍ପଇ ତରୁ ଶିଖେ

ମେଦିନି କମ୍ପୁଅଛି ଭୀମସେନର କୋପେ ।୧୦୨।

ଅର୍ଜୁନ ନକୁଳ ସହଦେବ ମହାକୋପେ

ଜନ ଗହଳ କଟାଳେ ଯେହ୍ନେ ଗର୍ଜଇ କାଳସର୍ପେ ।୧୦୩।

ଅଧର ପୁଷ୍ଟ କରି ଭୂମିରେ ତାଡ଼ନ୍ତି ମୁଷ୍ଠି

ବାବୁ ଶାନ୍ତି ହୁଅ ବୋଲି ବୋଧ ଦିଅନ୍ତି ଯୁଝେଷ୍ଠି ।୧୦୪।

ସହଦେବ ବୋଇଲା ସ୍ୱାମୀ ନୋହି ୟେବେଳ

ବିପଦ ବେଳେ ଆମ୍ଭଂକୁ ପଡ଼ିଛି କଟାଳ ।୧୦୫।

ସହଦେବର ବଚନେ ଭୀମ ଗର୍ଜିଉଠି

ବୀରବର ପ୍ରତଗ୍ୟାଂ କରଇ ଗଦା ମୁଷ୍ଟି ।୧୦୬।

ଆରେ ଆରେ କଉରୋବା ମୋହୋର ଭାରିଜା ଝିଂଘାସ

ଅବଶ୍ୟ ଶତେ କରିବଇଂ ନାଶ ।୧୦୭।

ରାଗେଣ ପ୍ରତଗ୍ୟାଂ କରଇ ବୀର ଭୀମ

ପ୍ରତଗ୍ୟାଂ କରନ୍ତେ ସେ ଦିଶଇ ଦୂତୀଯମ ।୧୦୮।

ଭୀମସେନ ବୋଇଲା ଆରେ ଆରେ ମୂର୍ଖ ଧୁଶା

ମୋହୋର ଜୀବନ୍ତେ ତୋହୋର ୟେଡ଼େକ ଭରସା ।୧୦୯।

ଅଗ୍ନିରୁ ଉତପତ୍ତି ଯେବଣ ପାଞ୍ଚାଳୀ

ବ୍ରାହ୍ମଣ ରାଜା ଦ୍ରୁପଦର ଅଟଇ ଦୁଲାଳୀ ।୧୧୦।

ପ୍ରତକ୍ଷେ ଅନଳୁଂ ଜାତ ଯେବଣ ଅପର୍ଣ୍ଣା

ମୁନିମାନେ ସୁମରନ୍ତି ଯାହାର ନାମ ପ୍ରସନ୍ନା ।୧୧୧।

ୟେ ମୋହୋର ଅନ୍ତପୁରେ ପଶିଲୁ ଚାଣ୍ଡାଳ

ଆମ୍ଭନ୍ତ ଦେଖନ୍ତେ ଝିଂଘାସ କଲୁ ରେ ପାମର ।୧୧୨।

ଆରେ ଯୁଝେଷ୍ଠି ଠାକୁରଂକର ଯେ ଅଟଇ ପାଟରାଣୀ

ତାହାର କେଶ ଧରି ତୁ ସଭାତଳକୁ ଆଣି ।୧୧୩।

ଆରେ ପାମର ଗୁରୁ ଗଉରୋବ ଜନେ ଅଛନ୍ତି ଅପାର

ସଭାତଳେ ନକରି ୟେସନେକ ବେଭାର ।୧୧୪।

ରାଗେ ବ୍ରିକୋଦର ପ୍ରତଗ୍ୟାଂ ଗଳଗାଜି

ଆଝୁଂ ଝିଂଘାସ କଲୁ ଅନମିତେ

ତୁମ୍ଭନ୍ତ ରକ୍ଷା କେହୁ କରଇ ୟେ ତିନି ଜଗତେ ।୧୧୬।

ଯଦ୍ୟପି ବ୍ରହ୍ମା ଇନ୍ଦ୍ର ଆବର ସଦାଶିବ

ଯମ ବରୁଣ କୁବେର ଗ୍ରହଗଣଇ ସର୍ବ ।୧୧୭।

ତିନି ବ୍ରହ୍ମାଣ୍ଡରେ ଯେତେ ୟେକାଦଶ ଲୋକେ

କୌରବନ୍ତ ରକ୍ଷା କରନ୍ତା ନାହିଂ ତ ତ୍ରଇଲୋକେ ।୧୧୮।

ବେନି ଆଣ୍ଠୁ ବୀର ତାର ମାଡ଼ିବସି ଜାନୁ

ରାଗେଣ ପ୍ରତଗ୍ୟାଂ ଯେ କରଇ ଭୀମସେନୁ ।୧୧୯।

ଆରେ ଧୁଶାସନ ମୋଢା ଅଟୁ ୟେଡ଼େ ଚାଣ୍ଡାଳ

ଆଜହୁଂ ନାଶଗଲେ ଧୃତିରାଷ୍ଟର ବାଳ ।୧୨୦।

ୟେଥିର ଫଳଶ୍ରୁତି ପାଇବୁ ପୁଣ କାଳେ

ଶତଭ୍ରାଥ କଉରୋବ ମାରିବି ୟେକାବେଳେ ।୧୨୧।

ଯେବେଣ ଭୁଜରେ କେଶ ଧଇଲୁ ଧୁଶାସନ

ସେ ଭୁଜ ଉପାଡ଼ିବି ସତୀ ମୋହୋର ବଚନ ।୧୨୨।

ଦ୍ରୋପତୀକି କରାଇବି ରୁଧିରେ ସ୍ରାହାନ

ସତ୍ୟ ସତ୍ୟ ଅଟଇ ୟେ ମୋର ବଚନ ପ୍ରମାଣ ।୧୨୩।

ମୁହିଂ ଯେବେ ଶତେ ଭାଇଂକି ସାଂଗ୍ରାମେ ନ ମାରଇ

କୋଟିୟେ କପିଳା ବଧ ଦୋଷ ମୁଂ ଲଭଇ ।୧୨୪।

ଶିବଥାଳେ ମୁହିଂ ପରଶଇ ବିଷ

ତୋତେ ନ ମାଇଲେ ଅଗ୍ନିରେ ପଶିବି ଅବଶ୍ୟ ।୧୨୫।

ୟେତେ ବୋଲି ବ୍ରିକୋଦର ତୀଖନହ ଘେନି

ପାଶୋରଇ ବୋଲି ବୁକୁରେ କାଟିଲା ଗାର ତିନି ।୧୨୬।

ଶୁଣି ଭାଷ୍ମ ଦ୍ରୋଣେ ହୋଇଲେ ତବଦ

ଆଝୁଂ ନାଶିଲା ୟେବେ ଧୃତିରାଷ୍ଟର ସମ୍ପଦ ।୧୨୭।

ଅତି ଉଗ୍ରତାପ କରନ୍ତେ ମାରୁତି

ଆକାଶେ ତ୍ରାସିଲେ ତେଣେ ଦେବ ସୁରପତି ।୧୨୮।

ଶୂନ୍ୟ ପୁରୁଷମାନେ ବୁଜିଲେ ସର୍ବେ ଦୃଷ୍ଟି

ତ୍ରାସେ ନାଶକର ଆସ୍ତାନୁଂ ଗଲେ ବେଗେ ଉଠି ।୧୨୯।

ରାଗେଣ ପ୍ରତଗ୍ୟାଂ କରଇ ପୁଣି ପୁଣି

ଶାନ୍ତି ନ ଭାଜଇ ବୀର ରାଗେଣ ଶିର ଝୁଣି ।୧୩୦।

କଉରୋବେ ହସନ୍ତି ଭୀମର ପ୍ରତଗ୍ୟାଂ ଶୁଣି

ଦ୍ରୋପତୀ ବଇକୁଲ୍ୟେ ନାରାୟଣ ଗୁଣି ।୧୩୧।

ଶୁଣ ହୋ ଚଇତନ ବଦୟନ୍ତି ପୁଣ ମନ

ଦ୍ରୋପତୀ ବଇକୁଲ୍ୟେ ସୁମରନ୍ତି ଭଗବାନ ।୧୩୨।

ସତ୍ୟଭାମା ତୁଲେ ଖେଳୁଛନ୍ତି ଦେବ ପଶା

ଦାନ ପାରି ସତ୍ୟଭାମା କରଇ ମନୀଷା ।୧୩୩।

ଯହୁଂ ଆପଣେ ସ୍ୱାମୀ ରଖିଲେ ଶ୍ରୀରଙ୍ଗ

ତହୁଂ ନ ଦେଖିଲେ ସେହି ଦ୍ରୋପତୀର ଅଙ୍ଗ ।୧୩୪।

ବଦୟନ୍ତି ଅଗସ୍ତି ଆହୋ ଶୁଣ ବ୍ରହ୍ମବେତ୍ତା

ଭାରା ନାଶେନ ଯାହା ଭିଆଇଲେ ବିଧାତା ।୧୩୫।

ସହଦେବ ନକୁଳ ଚରଣେ ପରିଣାମି

ସହିଲେ ପଣ୍ଡିତ ସିନା ବୋଲି ଦେବସ୍ୱାମୀ ।୧୩୬।

ସହଦେବର ବଚନେ ଭୀମସେନ ଶାନ୍ତି

ବସ୍ର ଅବଶେଷ ଦେଖି କୋପ ବଢିଲା ଦ୍ରୋପତୀ ।୧୩୭।

ପଞ୍ଚାଉନ କୋଟି ବସ୍ର ସରିଲାନି ଯୁଗତେ

ଆବର କୋଟିୟେ ବସ୍ର କାଢ଼ିଲେ ବେନି ଭ୍ରାଥେ ।୧୩୮।

ଦେବତାଂକର ବସ୍ର ଯେ ଶୂନ୍ୟେ ଯାନ୍ତି ଉଡ଼ି

ବାହୁଡ଼ି ଦ୍ରୋପତୀର ଶରୀରେ ହୋନ୍ତି ଓଢ଼ି ।୧୩୯।

ଦେଖି ଭୀଷ୍ମ ଦ୍ରୋଣେ ନ ପାରିଲେ ସହି

କଷ୍ଟ ଦେଖି ଲୋଚନୁଂ ଅଶ୍ରୁଜଳ ବହି ।୧୪୦।

ଭୀଷ୍ମ ବୋଇଲେ ହୋ ରାଜା କୁରୁବୀର

ବାପର ଚକ୍ଷୁ ପ୍ରାୟେ କି ହୋଇଲା ତୋହୋର ।୧୪୧।

ଲକ୍ଷେ ରାଜାର ତୁ ଅଟୁ ଶିରୋମଣି

ଭାନୁ ରାଜାର ଦୁହିତା ତୋହୋର ପାଟରାଣୀ ।୧୪୨।

ୟେକ ବସ୍ର ଖଣ୍ଡିକେ ପିନ୍ଧନ୍ତି ବେନିଖଣ୍ଡ

ସଭାରେ ଯେତେ ତୁମ୍ଭେ ସମସ୍ତେହେଂ ଦୃଦଣ୍ଡ ।୧୪୩।

ପର୍ବତ ସମାନେ ପଡ଼ିଲାନି ବସ୍ର କୁଢ଼ କୁଢ଼

ତଥାପି ଶାନ୍ତି ତୁମ୍ଭେ ନୋହିଲା ରେ ମୂଢ଼ ।୧୪୪।

ବହୁତ ଝିଂଘାସିଣ ବୋଇଲେ ଭୀଷ୍ମ ଦ୍ରୋଣେ

ତଦ୍ୟାପି ଚେତନା ଯେ ନ ବସିଲା କୁରୁରାଣେ ।୧୪୫।

ମହା କଷ୍ଠୋର ଦେଖିଣ କୋପିତ ପାଞ୍ଚାଳୀ

ହସ୍ତିନା ରାଜ୍ୟକୁ ଚାହିଂ ଦିଲେ ଚକ୍ଷୁ ଢାଳି ।୧୪୬।

ଅଦଭୁତେ ଜଗତୀ ପଡ଼ିଲାକ ତାର ଭାଜି

ତୋହୋର ଘରୁ ଅଗ୍ନି ଉଠିଲାକ ଗଳଗାଜି ।୧୪୭।

ମହାତେଜ ଅନଳ ଲୋହିତ ପିଙ୍ଗଳ ଜାଳା

ଅନ୍ତେଶ୍ୱର ପୁରୁଂ ରୋଦନ କରି ପଳାବନ୍ତି ସମସ୍ତ ଅବଳା ।୧୪୮।

ରାଜାର ନବର ସହିତେ ଲାଗିଲାକ ଅଗ୍ନି

ଗହନ କାରୁଣା ବାଣୀ ଶୁଭେ ଘୋରଧୁନି ।୧୪୯।

ଭୀଷ୍ମେ ବୋଇଲେ ରାଜା ନ କଲୁ ଆମ୍ଭ ବୋଲ

ମହତ ଝିଂଘାସେ ନୋହଇ କାଳେ ଭଲ ।୧୫୦।

ଦେଖ ତୋହୋର ନବର ଅଗ୍ନି ଅଛି ବେଢି

ରାଣୀହଂସ ପୁରମାନ ଯାଉଅଛି ପୋଡ଼ି ।୧୫୧।

ସେ ମହାସତୀ ଯେବେ ଚାହାନ୍ତେ ସଭାକୁ

ସମସ୍ତେହେଂ ଦହନ ହୋନ୍ତେ ଦେଖନ୍ତୁ କାହାକୁ ।୧୫୨।

ଆରେ ଆରେ ଧୁଶାସନ ଛାଡ଼ ଦ୍ରୋପତୀର ବାଳ

ତଦ୍ୟାପି କେଶ ଧରି ଆକ୍ରେଷଇ ଚାଣ୍ଡାଳ ।୧୫୩।

କ୍ରୋଟ ଅନଳ ନୟେନ ଚାହିଂଲେ ଜିଘ୍ନସେନୀ

ବଜ୍ରଘାତ ଜାଣି ପଡ଼ିଲେ ଦୁର୍ଜୟ ଧୁଶାସନ ବେନି ।୧୫୪।

ପାଷାଣ ପାବଚ୍ଛେ ପଡ଼ି ଫାଟିଲା ଲଲାଟ ପାଟି

ଅସାଷ୍ଟମେ ଅଚେତନ ହୋଇଲା ରୋଧିର ବହେ ଫୁଟି ।୧୫୫।

ଆସ୍ତାନ ଉପରୁ ଯେ ପଡ଼ିଲା କୁରୁପତି

ଶଲ୍ୟ ଶକୁନି କର୍ଣ୍ଣ ମୋହେଣ ନିବର୍ତ୍ତି ।୧୫୬।

ଭୀଷ୍ମ ଦ୍ରୋଣ ଦୁହେଂ ଦ୍ରିଯୋଧନକୁ ଧରି

ଗତଆତ୍ମା ପ୍ରାୟେ ଚେତନା ନାହିଂ କାହାରି ।୧୫୭।

ନଗ୍ରର ଭିତରେ ତାହାର ଯେତେକ ପୁତ୍ରବାଳୀ

ଅଦଭୁତେ ଗୋଳ ଶୁଭିଲାକ ବୋବାଳି ।୧୫୮।

ଧୃତିରାଷ୍ଟ ପୁଚ୍ଛିଲେ ସଞ୍ଜୟ ମୁଖ ଚାହିଂ

କିମ୍ପାଇ ଭୁବନେ ଗୋଳ ବହୁତ ଶୁଭଇ ।୧୫୯।

ସିନ୍ଧୁଘୋଷ ପ୍ରାୟେକ ଶୁଭଇ ମୁଖଧୁନି

କହ ତୁ ସଞ୍ଜୟେ ମନ୍ତ୍ରୀ ମହାଗ୍ୟାନୀ ।୧୬୦।

ସଞ୍ଜୟେ ବୋଇଲେ ଶୁଣ ତୁ ରାଜା ଧୃତିରାଷ୍ଟ

କିଂପାଇଂ ନ ତିଆରୁ ତୋର ପୋୟେ ବଡ଼ ଦୁଷ୍ଟ ।୧୬୧।

କୂଟ କପଟ ମନ୍ତ୍ରୀ ଅଟଇ ଶକୁନି ମନ୍ଦବୁଦ୍ଧି

ସଞ୍ଚୟେ ବୁଡ଼ାଇଲା ରାୟେ ତୋହୋର ୟେଡ଼େକ ସମ୍ପ୍ରଧି

ତୋର ପୁତ୍ରକଇଂ ବୁଦ୍ଧି ଶିଖାଇଲେ ନାନାଦି ।୧୬୨।

ପୁତ୍ରେ ତୋର ସେକଥା ମଣି ନୁଆରିଲେ

ଶକୁନି ବୁଦ୍ଧିରେ ପଡ଼ି ପଶା ଭିଆଇଲେ ।୧୬୩।

ବିଶ୍ୱାସଘାତ କରି ବସାଇଲେ ଯୁଝେଷ୍ଠି

ସକଳ ସମ୍ପଦ ହାରିଲେ ଧର୍ମ ମହୀପତି ।୧୬୪।

ପଞ୍ଚ ଭାଇନ୍ତ ବସାଇଲେ ସଭାତଳେ

ବହୁତ ଝିଘାଂସ କରି ବସାଇଲେ ତୋର ବାଳେ ।୧୬୫।

ସେ ନିଷ୍କଳଂକ ପୁରୁଷ ସକଳ କଥା ସହି

ପୁଣ ତୋର ପୁତ୍ରେ ଉପାୟେ କଲେ ତହିଂ ।୧୬୬।

ତୋହୋର କୂଳବଧୂ ଦେବୀ ଯେ ପାଞ୍ଚାଳୀ

ଦୁଷ୍ଟ ପାମରେ ତାକୁ ସଭାକୁ ଆଣିଲେ କେଶ ଧରି ।୧୬୭।

କେଶ ଆକ୍ରଷଣ କରି କରିଲେ ବିବସନ

ପୁତ୍ରଂକର ସମ୍ପଦ ଦେଖ ହୋ ରାଜନ ।୧୬୮।

ସେ ମହାସତୀ ଯହୁଂ କୋପାନଳେ ଚାହିଂ

ତେଣୁ ସେ ନବର ତୋର ବେଢ଼ିଣ ପୋଡ଼ଇ ।୧୬୯।

ସେ ମହାସତୀ ୟେବେ ଚାହାନ୍ତା ନୟନ

ସମସ୍ତ ପୁତ୍ରେ ତୋର ହୋଅନ୍ତେ ଦହନ ।୧୭୦।

ଶକୁନି ମନ୍ତ୍ରୀ ତୋର ୟେସନ ଉପାୟେ

ଧୃତିରାଷ୍ଟ ଅଗ୍ରତେ କହନ୍ତି ସଞ୍ଜୟେ ।୧୭୧।

ଧାତିକାରେ ଅନ୍ତପୁରୁଂ ବାହାରିଲେ ଭାନୁମତୀ

ଦ୍ରୋପତୀ ଚରଣ ତଳେ ବିନୟେ ଭଗତି ।୧୭୨।

ଭୋ ମାତ ମାହେଶ୍ୱରୀ ତୁ ଅନାଦି ସିଦ୍ଧ ଅପର୍ଣ୍ଣା

ଦୁଷ୍ଟ କଉରୋବେ ୟେ ମୂର୍ଖଜନେ ସିନା ।୧୭୩।

ଅନାଦି ଶକତି ତୁ ମହା ଅନଳ ବିଦାରି

ଅଗ୍ନି ସ୍ରାହାନ ସିନା ନିତ୍ୟେ ଅଟଇ ତୋହରି ।୧୭୪।

ଯୁଗକଳ୍ପ ବଞ୍ଚାଉ ତୁ ପରମ ମାହେଶ୍ୱରୀ

ବେଦମନ୍ତ୍ର ଯାହାର ହୃଦ୍‌ଗତେ ବିଶ୍ରାମ କରି ।୧୭୫।

ମାଗୋ ଧାର୍ମିକ ମହତ ବିବେକ ଶାନ୍ତି କୁଳଶୀଳ

କଷଣେ ଅଭୟା ତୁ ଚିନ୍ତାମଣି ସୟଳ ।୧୭୬।

ଲକ୍ଷେକ ନୃପତି ଯାହାର ଚରଣେ ସେ ବନ୍ଦେ

ପାପର ଚାଣ୍ଡାଳେ ତୋତେ ବିହିଲେ ୟେଡ଼େକ ପ୍ରମାଦେ ।୧୭୭।

ୟେ ଭୁବି ଭୁବନ ମଧ୍ୟେ ଯାହାର ଅଶେଷ ମହିମାଂ

ଦଶଦୋଷ ଅପ୍ରାଧ ମୋହୋର କରିବାକ କ୍ଷମା ।୧୭୮।

ପୁଣ ପୁଣ ପ୍ରଣପତ୍ୟ ଭାନୁମତୀ ଦ୍ରୋପତୀର ପାଦପୃଷ୍ଠେ

ସନ୍ନିଧ୍ୟେ ମିଳିଲେ ଗାନ୍ଧାରୀ ବିଦୁର ସଞ୍ଜୟେ ଧୃତିରାଷ୍ଟେ ।୧୭୯।

ବିନୟ ଭାବେ ଅନ୍ଧରାଜା ହୋଇଣ କୃତାଞ୍ଜୋଳି

ମାଗୋ କେବଣ ଠାବେ ବିଜେ କୁଳ ମଣ୍ଡନୀ ପାଞ୍ଚାଳୀ ।୧୮୦।

ପ୍ରସନ୍ନ ଅପର୍ଣ୍ଣା ମାଗୋ ଅନାଦି ସିଦ୍ଧ ଦଇବତୀ

ଶୂନ୍ୟ ବ୍ରହ୍ମାଣ୍ଡ ଭେଦି ଯାହାର ବିକାଶଇ ଜ୍ୟୋତି ।୧୮୧।

ମମ ଦୋଷ ଅପ୍ରାଧ ଗୋ କ୍ଷମାକର ମାୟେ

ମୁହିଂ ମନ୍ଦକ୍ଷଣେ ମାଗୋ ପୁତ୍ର ଉପୁଜାୟେ ।୧୮୨।

ନଜାଣି ପାମରେ ତୋତେ କଲେ ମନ୍ଦକୃତ୍ୟ

ଦୁଷ୍ଟଂକର ଦୋଷମାନ ଯେ ନ ଘେନନ୍ତି ମହତ ।୧୮୩।

ଯାବତ ଚନ୍ଦ୍ର ଦିବାକର ତୁହି ସେ ଆଦି ୟେକା

ଅଭୟ ବର ଦାୟିନୀ ଗୋ ପ୍ରଳୟେ ନିଶଂକା ।୧୮୪।

ବହୁତ ବିନୟ ହୋଇ ଯେ ବଦୟନ୍ତି ଧୃତିରାଷ୍ଟେ

ବହୁତ ଅପ୍ରାଧ ଗୋ କଲେ ମନ୍ଦ ଦୁଷ୍ଟେ ।୧୮୫।

ଅପାର ଅପ୍ରାଧ ମାଗୋ କରିବୁ ଉପେକ୍ଷା

ତୋହୋର କୋପକଲେ କି ମୋହୋର ବଂଶ ହୋଇବ ରକ୍ଷା ।୧୮୬।

କୁଳେ କଳଂକ ମାଗୋ ସେ ରୁହାଇଲେ କଥା

ତୁହିତ ମହାକଷଣରୁ ଗୋ ଉତୁରିଲୁ ମାତା ।୧୮୭।

ମହା ଧାର୍ମିକ ସେ ଯେ ପରମ ବଇଷ୍ଣବୀ

ଧୃତିରାଷ୍ଟ ବଚନେ ଶାନ୍ତି ହୋଇଲେକ ଦେବୀ ।୧୮୮।

ଶାନ୍ତି ହୋଇ ଚାହିଂଲେ ଦେବୀ ଅମୃତ ଲୋଚନେ

ଲିଭିଲା ବହନି ଯେ ଦେଖିଲେ ସର୍ବଜନେ ।୧୮୯।

ଦ୍ରୋପତୀକି ଘେନିଣ ଗାନ୍ଧାରୀ ଭାନୁମତି

ଆପଣା ଭୁବନେ ଯାଇଂ ପ୍ରବେଶ ତଡ଼ତି ।୧୯୦।

ଅନ୍ତେଶ୍ୱର ଭିତରେ ସର୍ବ ବଧୂଜନ ମିଳି

ଦ୍ରୋପତୀଂକି ବନ୍ଦାବନ୍ତି କରେଣ ଘେନି ଅର୍ଘ୍ୟସ୍ଥାଳୀ ।୧୯୧।

ଯୁଝେଷ୍ଠିଙ୍କ ହାଥ ଧଇଲେ ଧୃତରାଷ୍ଟେ

ବାବୁ ଅନମିତେ ଦ୍ରୋପତୀଂକ ଝିଂଘାସିଲେ ଦୁଷ୍ଟେ ।୧୯୨।

ପରମ ପଣ୍ଡିତ ତୁହି ସହିବୁ ନାହିଂ କି ତାହା

ଉଠବୋଲି କୋଳକଲେ ଗାନ୍ଧାରୀର ପ୍ରାଣନାହା ।୧୯୩।

ବାବୁ ଯଦ୍ୟପି ଦୁଷ୍ଟେ ସଘଂନ୍ତି ପଣ୍ଡିତକୁ

ପଣ୍ଡିତ ଜନେ କଟାଳ କରିବେ କି ତାହାକୁ ।୧୯୪।

ଅଜାତଶତ୍ରୁ ଯେ ଅଟନ୍ତି ଧର୍ମରାୟେ ଯୁଝେଷ୍ଠି

ପାଶୋରିଲେ ସମସ୍ତ କ୍ରୋଧ ଧୃତରାଷ୍ଟ ବଚନେ ଉଠି ।୧୯୫।

ଭୀମକୁ କୋଳକରି ଧଇଲେ ବିଦୁର ସଞ୍ଜୟେ

ବାବୁ ଛାଡ଼ି ଅଭିମାନ ଧୃତିରାଷ୍ଟର ବିନୟେ ।୧୯୬।

ବାବୁ ଅନେକ ଦୁର୍ଗତି ତୋତେ ଚିନ୍ତିଲେ ରେ ଭୀମ

ବିଷଲଡୁ ପାରକଲୁ ତୋର ପୁଣ୍ୟଧର୍ମ ।୧୯୭।

ଜଦୁର ଘରେ ଯେ ଭିଆଇଲେ କୂଟେ

ପୁରଞ୍ଜନ ପଣ୍ଡାକୁ ଯେ ପେଷିଲେ କପଟେ ।୧୯୮।

ବାବୁ ତୁମ୍ଭେ ପାର ହୋଇଗଲ ଧର୍ମବଳେ

ପୁରଞ୍ଜନ ପଣ୍ଡା ନାଶଗଲା କର୍ମର ଅବଳେ ।୧୯୯।

ବାବୁ ଚାରି ଯୁଗେ ହାଦେ ଧର୍ମ ଅଟଇ ସେ ମୂଳ

ପ୍ରତ୍ୟକ୍ଷେ ୟେହିକ୍ଷଣି ଦିଶିଲା ଧର୍ମବଳ ।୨୦୦।

ଉଠ ଉଠ ଭୀମସେନ ଉଠରେ କିରୀଟୀ

ବିଦୁର ସଞ୍ଜୟଂକ ବଚନେ ଶାନ୍ତି ହୋଇ ଉଠି ।୨୦୧।

ଆପଣାର ମନ୍ଦିରେ ବିଜୟେ ଧୃତରାଷ୍ଟେ

ପାଣ୍ଡବନ୍ତ ଘେନିଣ ସାନନ୍ଦ ମନ ତୁଷ୍ଟେ ।୨୦୨।

ବହୁତ ପୁରୁଷାର୍ଥେ କହିଲେ ଅନ୍ଧରାୟେ

ଅନେକ ଅଳଂକାର ଦେଇ ବହୁତ ବିନୟେ ।୨୦୩।

ସ୍ରାହାନ ଭୋଜନ କରାଇ ପାଣ୍ଡବନ୍ତ

ଗାନ୍ଧାରୀ ଧୃତରାଷ୍ଟେ ବହୁତ ଉଷତ ।୨୦୪।

ଦିବ୍ୟ ପଲଂକ ଉପରେ ଦ୍ରୋପତୀଂକି ବସାଇ

ଗାନ୍ଧାରୀ ଭାନୁମତୀ ସଞ୍ଜୟେ ବିଦୁର ଧୃତରାଷ୍ଟ ଅଗ୍ରତେ
ଉଭାହୋଇ ।୨୦୫।

ଦ୍ରୋପତୀକି ବୋଇଲେ ମାଗୋ ଯାଅ ଯା ନିଜ ପୁରେ

ଧୃତିରାଷ୍ଟ ବୋଇଲେ ଅନୁଗ୍ରହ ହୋଇଲା କି ମୋହୋରେ ।୨୦୬।

ଦ୍ରୋପତୀ ବୋଇଲେ ତାତ ଆମ୍ଭର ବିପଦର କାଳ

ତୁ କୁହିଂ କିସ ବୋଲିବୁ ଆମ୍ଭ କର୍ମର ଅବଳ ।୨୦୭।

ଧୃତରାଷ୍ଟ ବୋଇଲେ ମାଗୋ ତୁ ପରମ ମାହେଶ୍ୱରୀ

ସୁଗ୍ୟାନୀ ମହାପଣ୍ଡିତ ପାଞ୍ଚାଳ ରାଜାର କୁମାରୀ ।୨୦୮।

ଧୃତରାଷ୍ଟେ ବୋଇଲେ ମୋତେ ଯେବେ ହୋଇଲା ଅନୁଗ୍ରହ

ମୋହୋର ମନଭ୍ରାନ୍ତି ଫିଟୁ ମୋତେ ବର ମାଗି କହ ।୨୦୯।

ଦ୍ରୋପତୀ ବୋଇଲେ ଆମ୍ଭେ ତୁମ୍ଭର ଯେ ଭୃତ୍ୟ

ଦଇବ ବିଧାତା ଯାହା କରିଛି ନିର୍ମିତ ।୨୧୦।

ୟେହେନେକ କୃତ୍ୟ କଲେ ତୁମ୍ଭର ଯେ ପୋୟେ

ଚାରି ଦିଗକୁ ତାତ କଥା ଗୋଟିୟେ ଯେ ରହେ ।୨୧୧।

ରାଜ୍ୟଭାର ସିଂଘାସନ ଧନରତ୍ନ ଆଦିକରି

ପଞ୍ଚଭାଇ ତୁଲେ ପାଣ୍ଡବଂକ ନାରୀ ।୨୧୨।

କପଟ କୂଟେ ଏହା ସମସ୍ତ ହରାଇଲେ

ସଭାର ତଳେ ଯାଇ ୟେହ୍ନେକ କୃତକଲେ ।୨୧୩।

ଶରୀରେ ପ୍ରାଣ ଥାଉଂ ପାଣ୍ଡବ ପାଞ୍ଚଭାଇ

ତୁମ୍ଭର ମୁଖ ଚାହିଂ ସମସ୍ତ ତେଜ୍ୟା କରଇ ।୨୧୪।

ୟେତେକ ବୋଲିଣ ଯେ ଦ୍ରୋପତୀ ମଉନ

ଧୃତରାଷ୍ଟ ବୋଇଲେ ପୁଣ ପୁଣ ଯେ ବଚନ ।୨୧୫।

ମୋତେ ଯେବେ ତୁମ୍ଭ ମନରେ ଦୟାଥିବ

ପ୍ରସନ୍ନ ହୋଇ ମୋତେ ବର ବହନ ମାଗିବ ।୨୧୬।

ୟେ ମୋହୋର ସତ୍ୟ ସତ୍ୟ ଅଟେ ତିନିବାର

ଯାହା ମାଗୁଂ ତାହା ମୁଂ ଦେବଇଂ ନିରାଧାର ।୨୧୭।

ଦ୍ରୋପତୀ ବୋଇଲେ ଦେବ ବରଦେବ ମୋତେ

ସ୍ୱାମୀ ଯେ ହାରିଲେ ରାଜ୍ୟଭାର ସହିତେ ।୨୧୮।

ତାହା ପ୍ରାର୍ଥନା କରି ମାଗଇ ଅଭ୍ୟର୍ଥୀ

ଧୃତିରାଷ୍ଟ ବୋଇଲେ ମୋର ହୋଇଲା ସତ୍ୟସତି ।୨୧୯।

ଆବର ବର ମୋତେ ମାଗସି ପାଞ୍ଚାଳୀ

ଯେ ତୋହୋର ମନଇଚ୍ଛା ମନର ହିଆଳି ।୨୨୦।

ଦ୍ରୋପତୀ ବୋଇଲେ ମୋର ରଥ ଗଜ ଅଶ୍ୱ ସଇନି

ଦିଲି ସ୍ୱସ୍ତିବାକ୍ୟେ ଆବର ଗୋ ମାଗ ଜିଘ୍ନସେନୀ ।୨୨୧।

ଦ୍ରୋପତୀ ବୋଇଲେ ମୋର ମାଗିଲି ପଞ୍ଚୁପତି

ମୋତେ ଆଦି ବରିଲେ ଯୁଝେଷ୍ଠି ନୃପତି ।୨୨୨।

ସନ୍ତୋଷେ ବର ଦିଲେ ଅମ୍ବିକାର ସୁତ

ଆବର ଦେବି ତୋତେ ଯେତେ ମୋହୋର ସନମତ ।୨୨୩।

ଦ୍ରୋପତୀ ବୋଇଲେ ତାତ ସ୍ତିରୀଂକ ତିନିବର

ପୁରୁଷଂକର ଦଶବର ଅଟଇ ବେଭାର ।୨୨୪।

ତିନିବରୁ ତିରୀ ଯେବେ ଅଧିକ କରେ ଆଶା

ଅବଶ୍ୟ ସେ ସ୍ତିରୀଂକର ଛେଦନ ହୋୟେ ନାସା ।୨୨୫।

ଦଶବରୁ ଅଧୁକ ଯେବେ ମାଗଇ ପୁରୁଷ

ଅବଶ୍ୟ ସେ ପୁରୁଷର କନ୍ଧ ଯାଇ ନାଶ ।୨୨୬।

ଧୃତରାଷ୍ଟ ବୋଇଲେ ଗୋ ତୁ ସର୍ବଗ୍ୟଂ ମହାଗ୍ୟାଂତା

ସ୍ୱାମୀନ୍ତ ଘେନି ତୋର ବେଗେ ବିଜେକର ମାତା ।୨୨୭।

ଦ୍ରିଯୋଧନ ତହିଂ ଥିଲା ଯେତେ ଅଳଂକାର

ତାହା ଘେନି ଅଇଲେ ଯେ ସଞ୍ଜୟେ ବିଦୁର ।୨୨୮।

ବର ପାଇ ଦ୍ରୋପତୀ ଯେ ପାଣ୍ଡବନ୍ତ ଘେନି

ବାରୁଣାବନ୍ତେ ଯାଇ ବିଜୟେ ଜିଘ୍ନସେନୀ ।୨୨୯।

ସମଦଣ୍ଡ ଘେନିଣ ଯେ ରାଜା ଧୃତିରାଷ୍ଟି

ଭୀଷ୍ମ ଦ୍ରୋଣ ସହିତେ ଗଲେକ ପାଛୋଟି ।୨୩୦।

ସମାର୍ଜନା କରି ବାହୁଡ଼ାଇଲେ ଧର୍ମସୁତେ

ଅନେକ ପ୍ରୀତି ବଢ଼ିଲା ଶତେ ଉତ୍ତର ପଞ୍ଚିଭ୍ରାଥେ ।୨୩୧।

ଦ୍ରୋପତୀ କେଶ ତାର ବନ୍ଧନ ନକରି

ଭୀମସେନ ହୃଦଗତେ ରାଗ ଅଛି ପୂରି ।୨୩୨।

ପୁଣ ୟେକ ଆତ୍ମା ପ୍ରାୟେକ ହୋଇଲେ ପୀରତି

ଧୃତିରାଷ୍ଟକଇଂ ସେବା କରିଥାନ୍ତି ନିତ୍ୟାପତି ।୨୩୩ – ୧୪୦୦୦।

 

Unknown

ଶିବଙ୍କଠାରୁ ନାଗାର୍ଜୁନର ବରପ୍ରାପ୍ତି

ମନୁ ପୁଚ୍ଛ କଲେ ଶୁଣ ହୋ ଅଗସ୍ତିୟେ

ମୁକୁଇ କହିବା ମୁନି ସନ୍ଦେଶ କଥାୟେ ।୧।

ଅର୍ଜୁନ ନାଗେଣୀରେ ପାତାଳେ ଯେ ପୀରତି

ସେ ନାଗେଣୀ ହୋଇଥିଲା ଯେ ବେନିମାସ ଗର୍ଭବତୀ ।୨।

ତାହାର ତହୁଂ କିସ ଜାତ ହୋଇଲା ମୁନିହେଂ

ଅଗସ୍ତି ବୋଇଲେ ତାହା ସାବଧାନେ ଶୁଣସି ହୋ ରାୟେ ।୩।

ନାଗେଣୀକି ସନ୍ଦେଶ ଯେ କହିଲେ ବିବତ୍ସ

ଦ୍ୱାରେ ଆରୋପି ଥିଲେ ଅର୍ଜୁନ ନାମେ ବୃକ୍ଷ ।୪।

ଯେତେବେଳେ ନାଗେଣୀ କାମରସ ଭୋଳ

ଅନେକ ବେଶ ବେଶନ ସେ ବୃକ୍ଷକଇଂ କରେ କୋଳ ।୫।

ସୁସଞ୍ଚ କୋମଳ ଯେ ଅର୍ଜୁନର ଅଙ୍ଗ

ତାହା ଆକ୍ରଷଣେ ତାହାର ଭାଙ୍ଗଇ କାମଗ୍ରାସ ।୬।

ବୃଷ କୃଷ୍ଣପକ୍ଷ ଚଉଠୀରେ ହେଲା ଗର୍ଭବତୀ

ଫଗୁଣ ମାସେ ତାହାର ପୂର୍ଣ୍ଣମାସ ରୀତି ।୭।

କୁମ୍ଭର କୃଷ୍ଣ ଚଉଠୀ ଅର୍କବାର ଜାଣ

ହସ୍ତା ନକ୍ଷତ୍ରର ଭୋଗ ସେ ଦିନ ସଂପୂର୍ଣ୍ଣ ।୮।

ବେଳ ଦଶଦଣ୍ଡଠାରେ କୁମର ଉତପତ୍ତି

ମନୁଷ୍ୟ ବଦନ ସେହି ନାଗର ମୂରତି ।୯।

ସପତମୀ ଚନ୍ଦ୍ର ପ୍ରାୟେ କୁମାର ବିକାଶି

ଜନମନ୍ତେ ହେଲା ତାର ହସ୍ତାକନ୍ୟା ରାଶି ।୧୦।

ବୃହସ୍ପତି କକଡ଼ାରେ ପଞ୍ଚମରେ ରାହୁ

ପ୍ରତାପୀ କୁମାର ବର ଆଜାନୁ ତା ବାହୁ  ।୧୧।

ତଇତିଳ ନାମେ କରଣ ଧୃତି ନାମେ ଯୋଗ

କୁମ୍ଭ ସଂକରାନ୍ତିର ଯେ ପାଞ୍ଚଦିନ ଭୋଗ  ।୧୨।

ୟେସନେକ ଯୋଗଲଗ୍ନେ କୁମାର ଉତ୍ପନ୍ନ

ସନ୍ଧ୍ୟାବଳୀ ନାମ ତାର ଦିଲା ନାଗାର୍ଜ୍ଜୁନ ।୧୩।

ଅନେକ ଯତନେ କୁମାର ପ୍ରତିପାଳଇ ସନ୍ଧ୍ୟାବଳୀ

ସମସ୍ତ ନାଗକୁମାରେ ତାକୁ ଖଟିଥାନ୍ତି ମନର ହିଆଳି।୧୪।

କୁମାରକଇଂ ଦେଖିଣ ସେ ନାଗରାଜା ଅନନ୍ତ

ଅତିଯତ୍ନେ ପାଳ ବୋଲି ବୋଇଲେ ନାଗା ଅର୍ଜୁନନ୍ତ ।୧୫।

ୟେମନ୍ତେ କୁମର ବଢ଼ଇ ନାଗ ମହାବଳା

ପାତାଳେ ଆସି ସେ ପଞ୍ଚଦଶ ବରଷ ଅନର୍ଗଳା ।୧୬।

ତକ୍ଷକର ନନ୍ଦନ ଯେ ନାମ ବାତାବଳୀ

ନାଗା ଅର୍ଜୁନର ତୁଲେ ସେ ହୋଇଲା ବାରୁଆଳି ।୧୭।

ନାଗା ଅର୍ଜୁନ ମାଇଲା ବାତାବଳୀ ନାଗକୁ

ଅନେକ ଝିଂଘାସ କରି ବୋଇଲା ତାହାକୁ ।୧୮।

ବୋଇଲା ତୁମ୍ଭେ ମୋଢାୟେ ରେ ପାମର ଅଟ ମନ୍ଦ ସର୍ପ

ପ୍ରଭାତେ ତୁମ୍ଭନ୍ତ ଦେଖିଲେ ମହାଦ୍ଵନ୍ଦ ପାପ ।୧୯।

ଯାତ୍ରା ଅନକୂଳେ ଯେ ଦେଖଇ ତୁମ୍ଭନ୍ତ ଆଗେ

ଅବଶ୍ୟ ନାଶ ଯାଇରେ ଅନକୂଳ ବିଯୋଗେ ।୨୦।

ତୁମ୍ଭର ମଳ ପଡ଼ଇ ଯେବଣ ମନୁଷ୍ୟ ଉପରେ

ପିତୃଲୋକେ ପାଣି ନପାବନ୍ତି ସମ୍ଵଚ୍ଛରେ ।୨୧।

ଛୁଇଂଲେ ମହାପାତକ ତୁମ୍ଭେ ଖାଇଲେ ମରି

ତୁମ୍ଭନ୍ତ ଛୁଇଂଲେ ରେ ବ୍ରହ୍ମହତ୍ୟା ଦୋଷ ସରି ।୨୨।

ବିନତା ନନ୍ଦନ ତୁଲେ ହୋଇଲ ରେ ବିବାଦୀ

ତେଣୁକରି ଗରୁଡ଼ ତୁମ୍ଭଂକୁ ନିରନ୍ତର କରଇ ଖାଦି ।୨୩।

ଗରୁଡ଼ ଡରେ ତୁମ୍ଭେ ପାତାଳ ପୁରେ ଲୁଚି

ୟେକା ଦେଖି ତୁମ୍ଭର ମୋତେ ଗର୍ଜନ ହୋଉଅଛି  ।୨୪।

ନାଗା ଅର୍ଜୁନର ୟେସନେକ ଝିଂଘାସେ

ତକ୍ଷକର ନନ୍ଦନ ଯେ ବୋଇଲା ନିରାଶେ ।୨୫।

ବାତାବଳୀ ବୋଲଇ ନାଗା ଅର୍ଜୁନକୁ ଚାହିଂ

ୟେଡ଼େ ଦର୍ପ ବହୁ ରେ ତୁମ୍ଭର କୁଳଗୋତ୍ର ନାହିଂ ।୨୬।

ବାପା ପାମର ତୋହର ରେ ଗୋଳକୁଣ୍ଡା ଶୁଣି

କେବଳ ପାତକ କରିଥିଲା ଆମ୍ଭ ପିତାର ଭୟେଣୀ ।୨୭।

ଆମ୍ଭର ପିତା ଘରେ ଆମ୍ଭନ୍ତ ଝିଂଘାସ କରାଉ

କାୟେମ ଚଢ଼ାଇ ପ୍ରାୟେକ ବୃତ୍ତାନ୍ତ ଜାଣି କହୁ ।୨୮।

ସନ୍ନ୍ୟାସୀ ତପୁସୀ ରେ ଆବର ଯୋଗୀ ଭିଖାରୀ

ମାତାର ଗୋତ୍ରେ ଥିଲେ ତାହାକଇଂ ହୋୟେ ସରି ।୨୯।

ଦେଶ ଗ୍ରାମ ବାଡ଼ି ବୃତ୍ତି ତୁମ୍ଭର ରେ କାହିଂ

ଆମ୍ଭନ୍ତ ମାରୁ ତୁରେ ଅକୁଳ ଅମୂଳ ହୋଇ ।୩୦।

କେହି ତୋହୋର ପିତାର ନାମ ନ ଧରନ୍ତି

ସମସ୍ତେ ବୋଲନ୍ତି ତୋତେ ବାସୁକୀର ନାତି ।୩୧।

ମାତାକୁଳେ ବ୍ରତଇ ଯେ ଅଟଇ କୁଜନ

ଅମାନୁଷ୍ୟ ତୁଳେ ତାହାକଇଂ କରିବ ଲେଖନ ।୩୨।

ନାଗା ଅର୍ଜୁନ ଅନେକ ଝିଂଘାସ ବୋଇଲା ବାତାବଳୀ

କାନ୍ଦିଣ କୁମର ଯେ ଚଳଇ ପ୍ରଜ୍ଜଳୀ ।୩୩।

ମାତାର ଅଗ୍ରତେ ଯାଇଂ ପଡ଼ିଲାକ ମୃଚ୍ଛା

କୋଳେ ଧରି ସନ୍ଧ୍ୟାବାଳୀ କରଇ ତାକୁ ପୁଚ୍ଛା ।୩୪।

ଆରେ ମୋହୋର ବାବୁ ଅନାସ୍ତର ବନ୍ଧୁ

ଦୁଖୀର ସଂଘାତ ଅନମିତେ କିମ୍ପେ କାନ୍ଦୁ ।୩୫।

ଅନାସ୍ତର ବାନ୍ଧବ ରେ ଅନ୍ଧର ଲଉଡ଼ି

କେଉଂଣ ଅସମ୍ଭବ ରେ ହୋଇଲା ତୋହୋରି ।୩୬।

କ୍ରୋଧେଣ ବୋଇଲା ନନ୍ଦନ ମାତାର ମୁଖ ଚାହିଂ

ତୁ ମୋତେ ଜନ୍ମଦିଲୁ ମାଗୋ ପିତା ମୋର କାହିଂ ।୩୭।

ନାଗେଣୀ ବୋଇଲା ତୋର ପିତାରେ କିସ ଅର୍ଥ

କେଉଂଣ ଅସମ୍ଭବ ହୋଇଲା ମୋତେ କହିବୁ ନାହିଂକି ସତ ।୩୮।

କୁମର ବୋଇଲା ମାତା ଗୋ ତକ୍ଷକ ନନ୍ଦନ ବାତାବଳୀ

ବହୁତ ଝିଂଘାସ ମୋତେ ବୋଇଲା ପରଜ୍ଜଳି ।୩୯।

ବୋଇଲା ଅକୁଳ ଅମୂଳ ବାଡ଼ି ବୃତ୍ତି ତୋର କାହିଂ

ଅନାମିକା ଅକୁଳ ରେ ବ୍ରତ ଆମ୍ଭର ଅନ୍ନ ଖାଇ ।୪୦।

ମୁଂ ୟେହାଂକର ପୁରେ ନଥିବି ଗୋ ମାତା

କେଉଂଣ ରାଜ୍ୟରେ ଗୋ ଅଛନ୍ତି ମୋର ପିତା ।୪୧।

ସନ୍ଧ୍ୟାବାଳୀ ବୋଇଲା ବାବୁ ଅପାର ଦୂର ସିନା

ଜଗତେ ଉଦିତ ମଧ୍ୟେ ଜୟନ୍ତି ହସ୍ତିନା ।୪୨।

ଇନ୍ଦ୍ରପ୍ରଶସ୍ତ ଜମପ୍ରଶସ୍ତ ବାରୁଣାବନ୍ତ ରାଜ୍ୟପଞ୍ଚ

ଯେ ତୋହୋର ପିତା ରେ ସେ ଠାକୁର ଅଟନ୍ତି ମଞ୍ଚ ।୪୩।

ବାବୁ ୟେ ସପତ ବ୍ରହ୍ମାଣ୍ଡ ସେ ବସାଇ ଧନୁହୁଳେ

ଷୋଳଦିନ ପରିଯନ୍ତେ ଧଇଲା ଅବନୀଳେ ।୪୪।

ବାବୁ ୟେଥି ପୃଥୀର ଭାରାଭର ଉଶ୍ୱାସିବା ନିମନ୍ତେ

ଶରଣ ପଶି ଅନନ୍ତ ଅର୍ଜୁନକୁ ପ୍ରଦାନ କଲେ ମୋତେ ।୪୫।

ବାବୁ ୟେହି ଛାରଂକୁ କିସ ତୋହୋର ୟେତେ ଭୟେ

ମାରି ପକାଉ କିନା ୟେ ଅଷ୍ଟକୁଳା ନାଗଂକର ଯେତେକ ତନୟେ ।୪୬।

କୁମର ବୋଇଲା ମାଗୋ ମୁଂ ନ ଜାଣଇ ଶସ୍ରବିଦ୍ୟା

ନାହିଂ ମୋର ଧନୁତ୍ରୋଣ ନାହିଂ ମୋର ମନ୍ତ୍ରସିଦ୍ଧା ।୪୭।

ମୁହିଂ ଯାଉଅଛି ମାତା ଗୋ ମଞ୍ଚ ଭୁବନକୁ

ଲୋଡ଼ିଣ ଠାବ କରିବି ଅବା ମୋହୋର ପିଅରକୁ ।୪୮।

ଶହସ୍ର ଶାହାସ୍ର ବିଦ୍ୟା ଯେତେକ ତହିଂ ଶିଖି

ତେବେ ସେ ମୁଂ ବାହୁଡ଼ି ଆସିବି ୟେଥିକି ।୪୯।

ନାଗାନ୍ତ ମାରିବାକୁ ଯେବେ ହୋଇବି ସାମରଥା

ତେମନ୍ତେ ନିର୍ଜିତ ହୋଇଲେ ବାହୁଡ଼ି ଆସିବି ଗୋ ମାତା ।୫୦।

ଅମୃତ ଲଡ଼ୁ ନାଗେଣି ଦିଲା ତାହାର ହାଥେ

ଧର୍ମ ଦେବତା ବାବୁ ପ୍ରସନ୍ନ ହୋଉ ତୋତେ ।୫୧।

ମାତାକୁ ସମାର୍ଜି ନାଗାର୍ଜୁନ ଚଳଇ ହେଳୁ ହେଳୁ

କ୍ଷଣକେ ସେ ବାହାର ହୋଇଲା ପାତାଳୁ ।୫୨।

ପ୍ରବେଶ କୁମର ଯାଇଂମଧ୍ୟ ଭୁବନ ସ୍ୱର୍ଗେ

ଚଳଇ କୁମର କାଶୀନଦୀର ଉତ୍ତର ତୀର ଲାଗେ ।୫୩।

ଅଗାଧ ଗଭୀର ବୋଲି ନ ପଶଇ ଜଳେ

ଉତ୍ତରମୁଖ ହୋଇ ଯାଉଅଛି ନଦୀ ପଶ୍ଚିମ କୂଳେ

ଗହନ ବନମାଳମାନ ବୁଛ ଯେ ଶୀତଳେ ।୫୪।

ନାବହିଂ ନ ପାଇଣ ଚଳଇ ବାଳଶିଷି

ହର ଉଦ୍ୟାନ ବନେ ପ୍ରବେଶ ହୋଇଲାକ ଆସି ।୫୫।

ଅନନ୍ତ ଗିରି ଗନ୍ଧ ମାଦନ ପର୍ବତ

ମଳୟ କନ୍ଦର କଉସ୍ତୁଭ ଅଚଳନ୍ତ ।୫୬।

ରୁଦ୍ରଗିରି ଶଇଳ ଯେ ବରୁଣ ପର୍ବତ

ବିନ୍ଧ୍ୟମାଳ ସହିତେଣ ଗିରି ଆଠଶତ ।୫୭।

ବହୁତ ଡିଙ୍ଗର ଭିତରେ ଭେଦି କାଶୀନାମେ ନଦୀ

ନିବିଡ଼ କପିଳାସରୁ ଦକ୍ଷିଣ ଦିଗେ ଭେଦି ।୫୮।

ଶୁକ୍ଲାମ୍ବର ଜଳ ବହଇ ଧବଳାଙ୍ଗୀ

ଅନେକ ଗନ୍ଧ ସେ ଶରୀରେଣ ଭୋଗୀ ।୫୯।

ପାର୍ବତୀ ଯେ ସ୍ନାନ କରନ୍ତି ଯେବଣ ସ୍ଥାନେ

ତହୁଂ ନଦୀୟେକ ବହଇ ଉଦ୍ୟାନେ ।୬୦।

ଗନ୍ଧବତୀ ନଦୀ ନାମ ଅଟଇ ତାହାର

ଦୁଇନଦୀ ଦେଖି ସାନନ୍ଦ ବାଳୁତ କୁମର ।୬୧।

ଦେଖଇ ଭୁବନ ଯେ ରୁଦ୍ରପୁର କପିଳାସ

ବାରସ୍ୱତୀ ପୁର ଜିଣି ତେଜ ପରକାଶ ।୬୨।

ଝଲକନ୍ତି ରତ୍ନମାନ ଜଗତୀ ଉପରେ

ଉଡ଼ନ୍ତି ପାତାଙ୍ଗମାନ ଗଗନ ଶିଖରେ ।୬୩।

ପୂର୍ବଦ୍ୱାରେ ଖଟଇ ବାଳ ଯେ ଆଦିତ୍ୟ

ଅହର୍ନିଶ ବହଇ ଯେ ମଳୟ ବସନ୍ତ ।୬୪।

ନବ ସହସ୍ର ଯୋଜନ ସେ ଦ୍ୱାର ଆୟତନ

ନବକୋଟି ଶିବଗଣ ଖଟନ୍ତି ବିଦ୍ୟମାନ ।୬୫।

ସେ ପୂର୍ବଦ୍ୱାରେ ଯେ ବହଇ ପଞ୍ଚନଦୀ

ରୁଦ୍ର ବଇତରଣୀ ଧବଳ ମୁଖୀ ସରସ୍ୱତୀ

ଗଙ୍ଗା ଯେ ପ୍ରସିଦ୍ଧି ।୬୬।

ଦେଖଇ ନନ୍ଦ କିଶୋର ଆବର ମହାକାଳ

ବିଜେକର୍ଣ୍ଣକଟାର ଘେନି ଉଭା ବେନି ଦ୍ୱାରପାଳ ।୬୭।

ଯୁଗକେ ୟେକ ଦିବସ ହୋଅଇ ତାହାଂକୁ

କିଞ୍ଚିତ ପ୍ରାୟେ ମଣନ୍ତି ସେ ଦେବତାମାନକୁଂ ।୬୮।

ସେ ଦ୍ୱାର ଦେଖିଲା ଯାଇଂ ନାଗା ଅରଜୁନ

ଦକ୍ଷିଣ ଦ୍ୱାରେ ଖଟନ୍ତି ଦେବତା ଗଣ ମାନ ।୬୯।

ଅଶି ସହସ୍ର ଯୋଜନ ସେ ଦ୍ୱାର ଆୟତନ

ତହିଂ ବସନ୍ତି ଦ୍ୱାରପାଳ ବିନାୟକ ଗଜାନନ ।୭୦।

ପଞ୍ଚଷଠି ଲକ୍ଷ ତହିଂ ଶିବଗଣମାନେ

ଅନେକ ରତ୍ନ ଆଭରଣେ କୁବେର ସମାନେ ।୭୧।

ସପତସିନ୍ଧୁ ଘେନି ରତ୍ନାକର ଜଳନିଧି

ଖଟଇ ବରୁଣ ଯେ ଘେନିଣ ବାରାନିଧି ।୭୨।

ବ୍ରହ୍ମା ଇନ୍ଦ୍ରଦେବତା ବୃହସ୍ପତି ସହିତେ

ଯମ କୁବେର ବଇଶ୍ୱାନର ଦଇବତେ ।୭୩।

ଅନନ୍ତ ନାରାୟଣ ସମସ୍ତ ଦିଗପାଳେ

ସମସ୍ତେହେଂ ଖଟନ୍ତି ଈଶ୍ୱର ପାଦତଳେ ।୭୪।

ରୁଦ୍ର ମନ୍ତ୍ର ଅଭ୍ୟାସି ଆଧ୍ୟାନ କରନ୍ତି ଅନୁଦିନ

ଅନେକ ଭଗତେ ସ୍ୱାମୀକି ନ ପାଆନ୍ତି ଦ୍ରଶନ ।୭୫।

ଉତ୍ତର ଦ୍ୱାରେ ଯାଇଂ ଦେଖଇ ବାଳଶିଷି

ଚଣ୍ଡ ପ୍ରଚଣ୍ଡ ବେନି ଦ୍ୱାରପାଳେ ଅଛନ୍ତି ବସି ।୭୬।

ସତୁରୀ ଯୋଜନ ଦ୍ୱାରର ଆୟତନ

ଖଞ୍ଜିତ ହୀରା ମାଣିକ୍ୟ ନବକୋଟି ରତ୍ନ ।୭୭।

ତ୍ରିଦଶ ଲକ୍ଷ ଖଟନ୍ତି ତହିଂ ଭ୍ରୂକୁଟିଗଣମାନ

ଚାରି ମେଘମାନେ ଖଟି ଅଛନ୍ତି ସେହୁ ଯେ ଦ୍ୱାରେଣ ।୭୮।

ଆବର୍ତ୍ତନ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କର ମେଘ

ନିର୍ଘାତ ଅନନ୍ତ କାମ୍ୟକ କାଳାନଳ ମେଘ ।୭୯।

ଘଟଘଟ ସଂକୁଚିତ ଧାତୁପୃଷ୍ଟ ତରଳ ଚଞ୍ଚଳ

ଅରୁଣ ବରୁଣ ପ୍ରଳୟାନ୍ତକ ଯୁଗପାଳ ।୮୦।

ତପନ ଅନ୍ତକ ସାଗର ମଛନ ଖଣ୍ଡକ ଊର୍ଦ୍ଧ୍ଵକ

ଯମ ଘଣ୍ଟ ଜଳଗମ୍ଭୀର ତାପିତ ମୁଦିର ନାଗାନ୍ତକ ।୮୧।

ଜଳ ତରଙ୍ଗ ଜଳଜୀମୂତ ଅନ୍ତପଟଳ ଟଳ ଟଳ

ଧୂମାନ୍ତକ ଲୋହିତାକ୍ଷ ଜଳଧର ଜମ୍ବପଟଳ ।୮୨।

ସ୍ଫଟିକ ଗଜଘଣ୍ଟ ଅନାଧୃଷ୍ଟ ଋତୁମେଘ

ଶ୍ୱେତ ତିମ୍ବୁର ଯାଗପାଳକ ପ୍ରସାଦକ ଜଳତ୍ରୋଣା ପୁଷ୍ପମେଘ ।୮୩।

ୟେତେ ମେଘଂକର ମୂଳେ ପାଞ୍ଚପଦ୍ମ ମେଘ

ଖଟନ୍ତି ଉତ୍ତର ଦ୍ୱାରେ କପିଳାସ ସ୍ୱର୍ଗ ।୮୪।

ଇନ୍ଦ୍ର ମେଖଳା ବ୍ରହ୍ମରୁଦ୍ର ବିଷ୍ଣୁଚନ୍ଦ୍ର ମେଖଳୀ

ଉତ୍ତର ବାହିନୀ ତହୁଂ ପଞ୍ଚୁନଦୀ ଚଳି ।୮୫।

ୟେ ପଞ୍ଚୁନଦୀ ତହିଂ ହୋଇଛନ୍ତି ସଙ୍ଗମୁ

ଶୁଣ ତୁ ହୋ ମହାରାଜା ବଇବସୁତ ମନୁ ।୮୬।

ସେ ଉତ୍ତର ଦ୍ୱାର ମହିମାଂ କେହୁ ଅନ୍ତକରି

ମନୁୟେକ ଦିବସେକ ହୋଅଇ ଅବଧାରି ।୮୭।

ଦେବନାଶନ ବୃକ୍ଷ ଅଛଇ ସେ ଦ୍ୱାରେ

ଦେବତାଂକ ଅସ୍ଥିମାନ ପଡ଼ିଅଛି କୁଢ଼େ କୁଢ଼େ ।୮୮।

ପାର୍ବତୀ ସହିତେ ବିଜେ କରିଛନ୍ତି ଦେବ ହର

କଳପେ ପରିଯନ୍ତେ ସେ ନୁହନ୍ତି ବାହାର ।୮୯।

ଦ୍ରଶନ ନପାଇ ନାଶଯାନ୍ତି ଦିଗପାଳେ

ତାହାଂକର ଅସ୍ଥି ପଡ଼ିଅଛି ଦେବନାଶନ ବୃକ୍ଷ ତଳେ ।୯୦।

ଦେଖିଣ ଆଶ୍ରିଜ ଯେ ନାଗା ଅରଜୁନ

ପଶିତେ ନୁଆରିଲା ବୀର ବଡାଇ ଗହନ ।୯୧।

ତହୁଂଣ କୁମରମଣି ଚଳଇ ପଶ୍ଚିମ ଦ୍ୱାରେ

ଚାଳିଶ ସହସ୍ର ଯୋଜନ ସେ ଦ୍ୱାର ବିସ୍ତାରେ ।୯୨।

ଜୟନ୍ତିକ ଅଜୟନ୍ତିକ ଦ୍ୱାରପାଳ ବେନି ସେନାପତି

ମେରୁ ପର୍ବତ ଶୂଳେ ପୋତିଲେ ତିନିଘାନ୍ତି ।୯୩।

ମର୍ଭୁତେଜ ଶିବଗଣ ଖଟନ୍ତି ଚଣ୍ଡପୁତ୍ରେ

ଦ୍ୱାର ନିରୋଧନ୍ତି ସେହୁ ପ୍ରତଗ୍ୟାଂ ବଳବନ୍ତେ ।୯୪।

ଯମୁନା ସରସ୍ୱତୀ ଶିବାୟେଣୀ ବିଷ୍ଣୁବେଣୀ

ମଦାଅଗ୍ନି ଘେନି ୟେ ପଞ୍ଚୁନଦୀ ବାହେନୀ ।୯୫।

ପଶ୍ଚିମା ମୂରତି ସେ ବହନ୍ତି ମେରୁ ମେଖଳୀ

ଦକ୍ଷିଣ ଭାଗେନୀ ସେ ସଙ୍ଗମ ସିନ୍ଧୁସ୍ଥଳୀ ।୯୬।

ସେ ନଦୀର ପାରୁଶେ ଦେଖ ହୋ ଚଇତନ

ପାର୍ବତୀଂକ ଦ୍ରଶନ ନିମନ୍ତେ ତହିଂ ଅଛନ୍ତି ଦେବକନ୍ୟାମାନ ।୯୭।

ୟେକୁୟେକ କେତେ ନାମ କହିବି ନୃପତି

ବ୍ରହ୍ମାଂକର ଭାରିଜା ଅଛନ୍ତି ସାବିତ୍ରୀ ।୯୮।

ଅଗ୍ନିଂକର ଭାରିଜା ସ୍ୱାହା ସ୍ୱଧା ସତୀ

ବରୁଣ ଭାର୍ଯ୍ୟା ତହିଂ ଅଛନ୍ତି ନୀରବତୀ ।୯୯।

କୁବେରଂକ ଭାର୍ଯ୍ୟା ଯେ ନାମ ହାରାବତୀ

ନଦୀର ପାରୁଶେ ସେହି ସେ ଅଛନ୍ତି ।୧୦୦।

ବୃହସ୍ପତିଂକ ଭାରିଜା ଅଟନ୍ତି ଯେ ତାରା

ଶୁକ୍ରଂକର ନଇଋତୀ ଭାର୍ଯ୍ୟା ଭୃଗୁଂକ ଭାର୍ଯ୍ୟା ହାରା ।୧୦୧।

ଆଦିତ୍ୟଂକ ସଂଗ୍ୟାଂ ପବନର ଅଞ୍ଜନା

ୟେମାନେ ଅଛନ୍ତି ଯେ ତହିଂ ଦେବକନ୍ୟା ।୧୦୨।

ବଶିଷ୍ଠକ ଭାରିଜା ଯେ ନାମ ଅରୁନ୍ଧତୀ

ବିଶ୍ୱଦେବାଂକର ପଞ୍ଚୁ ଅପର୍ଣା ଅଛନ୍ତି ।୧୦୩।

କଶ୍ୟପଂକର କଦ୍ରୁ ବିନତା ଦିତି ଅଦିତି ଚାରିଭଗ୍ନୀ

ସନକେ ମଳୟା ଚନ୍ଦ୍ରଂକର ରୋହିଣୀ ।୧୦୪।

ଗଉତମଂକର ଅହଲ୍ୟା ଇନ୍ଦ୍ରେଣ ଶଚୀ

ଯମେ କାଳୀ କରାଳୀ ମେଘେ ସାନୁମତୀ ।୧୦୫।

ସଞ୍ଚିତ ଯେ ମାହେଶ୍ୱରୀ ୟେ ଆଦି ଅପର୍ଣ୍ଣା

ପଚ୍ଛିମ ଦ୍ୱାରେ ଖଟନ୍ତି ପାର୍ବତୀ ତଲୟେ ସିନା ।୧୦୬।

ଦେଖିଣ ବିଚାରଇ ସେ ନାଗା ଅରଜୁନ

ଅନୁବ୍ରତେ ରାତ୍ର ତହିଂ ଭଜେ ହୋଇଥାଇ ଜହ୍ନ ।୧୦୭।

ଲକ୍ଷେ ବରଷ ହୋଇଲାଣି ଦ୍ୱାରେ ରହିଛନ୍ତି

ମାଜଣା ନ ସରଇ ପାର୍ବତୀଂକ ଦ୍ରଶନ ନ ପାବନ୍ତି ।୧୦୮।

ସେ ଭୁବନ ଦେଖି ନାଗା ଅର୍ଜୁନ ପରଶଂସି

ଗଣନାୟକମାନଂକ ସଙ୍ଗତେ ଯାଇଂ ବସି ।୧୦୯।

ପଚାରଇ କୁମର ଗୋସାଇଂ ବୁଦ୍ଧିୟେ କହିବାକ ମୋତେ

ୟେ ଭୁବନ ପ୍ରାପତ ମୋତେ ହୋଇବ କେମନ୍ତେ ।୧୧୦।

ବୋଲନ୍ତି ରୁଦ୍ରଗଣେ ଶୁଣ ତୁ ବାଳୁତ ବଳା

ୟେ ସେ ଶିବପୁରୀ ସକଳ ସୁରମେଳା ।୧୧୧।

ୟେକଲୟେ କରି ରୁଦ୍ରଂକୁ କଲେ ସେବା

ପ୍ରସନ୍ନେ ଅଭୟେ ବର ଦିଅନ୍ତି ଆଦିଦେବା।୧୧୨।

ସମସ୍ତେ ସେବକ ଆମ୍ଭେ ବରର ପ୍ରସାଦୀ

କଳ୍ପଜୀବୀ ହୋଇ ରହିଲୁ ଆମ୍ଭେ ୟେକଲୟେ ସମ୍ପାଦି ।୧୧୩।

ଆହୋ ଗନ୍ଧର୍ବ ବୋଲିକରି ଯେବଣ ନଦୀଗୋଟି

ଶତେ ଯୋଜନ ପରିଯନ୍ତେ ସୁବର୍ଣ୍ଣ ଅବେଣ୍ଟପୁଷ୍ୟ ଫୁଟି ।୧୧୪।

ପାର୍ବତୀଂକ ସ୍ରାହାନ ଜଳ ପଡଇ ସେହୁ ଜଳେ

ସୁବର୍ଣ୍ଣର ପଦ୍ମ ଫୁଟି ବହୁ ଥାଇ ସର୍ବକାଳେ ।୧୧୫।

ବରୁଣ ଦେବତା ତାହା ସଂହରଇ ସାହେରେ

ତେଣୁକରି ବାରାନିଧି ବିଳସଇ ରତ୍ନାକରେ ।୧୧୬।

ସେ ପଶ୍ଚିମ ଦ୍ୱାରେ ଯେ ହରଉଦ୍ୟାନ ବନ

ଅହର୍ନିଶି ବହୁଥାଇ ମଳୟ ବସନ୍ତ ପବନ ।୧୧୭।

ଯେତେକ ବୃକ୍ଷ ଅଛନ୍ତି ତହିଂ ସଭିୟେଂ ସୁଗନ୍ଧମୟେ

ଚନ୍ଦନ ଅଗ୍ର କର୍ପୂର କସ୍ତୁରୀ ଆମୋଦନ୍ତ ବାୟେ ।୧୧୮।

ଦକ୍ଷିଣ ଭାଗେ କାବେରୀ ଆଉ କୁଶଭଦ୍ରା

ଗଉରୀ ପଦ୍ମବେଣୀ ଶିବାୟେଣୀ ଲକ୍ଷ୍ମୀମୁଦ୍ରା ।୧୧୯।

ଦକ୍ଷିଣ ଦ୍ୱାରେ ବହଇ ସପତ ଯେ ନଦୀ

ପଞ୍ଚଗୋଟି ତୀର୍ଥ ଘେନିଣ ଦକ୍ଷିଣ ମହୋଦଧିରେ ଯାଇଂଭେଦି ।୧୨୦।

କୋଟିୟେ ତୀର୍ଥ ଘେନିଣ କ୍ଷେତ୍ରାଧି ପୁଷ୍କର

ୟେମାନେ ଖଟିଛନ୍ତି ଆକାଶ ସ୍ୱର୍ଗଦ୍ୱାର ।୧୨୧।

ରତ୍ନମାନେ କୁଢ କୁଢ ହୋଇଅଛନ୍ତି ଚଉକତି

ଗୁରୁବୋଲି ନ ବହନ୍ତି ତା ଛାର କରି ଦ୍ୟନ୍ତି ।୧୨୨।

ବରଷକେ ତିନିବେଳ ହୁଅଇ କଣୟ ବୃଷ୍ଟି

ଲକ୍ଷେ ଯୋଜନ ଆୟତନ ତାହା କେହି ନ ସାଉଂଟି।୧୨୩।

ଗଙ୍ଗା ଗୟା ସରସ୍ୱତୀ ରୁଦ୍ରା ଗୋଦାବରୀ ଗଉତମୀ

ନର୍ମଦା ପାପ ନାଶିନୀ କୃଷ୍ଣ ବେଣୀ ରୁଦ୍ରବେଣୀ ।୧୨୪।

ଗୋମତୀ ବଇତରଣୀ କାଶୀ କଉଶିକୀ

ଅନ୍ଧେକ ଗୋପ୍ୟତୀର୍ଥ ରାମବେଣି ତ୍ରିୟେମ୍ବକୀ ।୧୨୫।

ହରିଭଦ୍ରା ତୁଙ୍ଗଭଦ୍ରା ପ୍ରାଚି ଚିତ୍ର ଉତ୍ପଳା

ଉତ୍ରାଂକୁର ଚନ୍ଦ୍ରଭାଗା ଶବରୀ ଅନନ୍ତ ଭଦ୍ରକଳା ।୧୨୬।

ସାଗର ସଙ୍ଗମା ତୁଳସୀ ଲକ୍ଷ୍ମୀବେଣୀ

ମାରକଣ୍ଡ କଳ୍ମା ଅଜୟା ରୁଦ୍ରାୟଣୀ ।୧୨୭।

କାଞ୍ଚୀ କାଳନ୍ଦୀ ବୃଦ୍ଧମାତା ବିମଳା

ନୀଳେନ୍ଦୀ ସାଧେବୀ ମାହେଶ୍ୱରୀ ସୁକମଳା ।୧୨୮।

ୟେ ନଦୀଂକ ମୂଳେ କୋଟିୟେ ନଦୀ ସଙ୍ଗମ

ସଭିୟେଂ କପିଳାସ ପ୍ରତିକ୍ଷଣ କରନ୍ତି ନିତ୍ୟକର୍ମ ।୧୨୯।

ରୁଦ୍ର ପାଦୁକାରେ ସମସ୍ତେ ଧବଳାଙ୍ଗୀ

ସଂସାର ପାପ ହାରିଣୀ ଅଟନ୍ତି ସମସ୍ତେ ସଉଭାଗୀ

ଦକ୍ଷିଣ ଦ୍ୱାରେ ଖଟନ୍ତି ଯେ ଯାହା ସେବା ଲାଗି ।୧୩୦।

କହନ୍ତେ ଅସଂକ୍ଷେପ ସେ କପିଳାସ ସ୍ୱର୍ଗ କଥା

ମାନବ ଜନ୍ମେ କେହୁ ତାହା କରିବ ଲେଖନ୍ତା ।୧୩୧।

ଅସଂଖ୍ୟ ସାଗର ୟେହା କେ ପାରିବ ଲେଖି

ଶିବ ପୁରାଣେ ସଂକେତେ ମୁଂ କିଞ୍ଚିତେଣ ଦେଖି।୧୩୨।

ମୁହିଂ ଯହୁଂ ଦ୍ୱାରପାଳ କପିଳାସ ଭୁବନେ

ଇତି ନନ୍ଦିକେଶ୍ୱର ଶାପ୍ୟେ ଗ୍ୟାନହୀନେ ।୧୩୩।

ଯେହ୍ନେ ଆଗ୍ୟାଂ ଦିଲେ ଅଭୟା ପାରବତୀ

ଆଗ୍ୟାଂୟେ ବହିଲି ମୁଂ ମାନବ ଜନ୍ମ ମୃତ୍ତି ।୧୩୪।

ସସାଂର ଘଟଣ ୟେ ମାୟା ମୋହ ଫାଶି

ଅବନ୍ଧନ ବନ୍ଧନ ମୁଂ ୟେଥେ ହୋଇଅଛି ଆସି ।୧୩୫।

ଅଭାବ ନଉକାୟେ ଅପାଦ ସଂସାର

ଇତିଶ୍ରୀ ମହାଭାରଥ ୟେଥକୁ ପୂର୍ଣ୍ଣ କଣ୍ଡେୟାର ।୧୩୬।

ଯେଉଂଣ ଶ୍ରୋତା ୟେହା ଶୁଣନ୍ତି ମନ ବଚନ କର୍ତ୍ତବ୍ୟ

ଅନିତୀ ସଂସାରୁ ପାର ହୋଇବ ଜନେ ତେବେ ।୧୩୭।

ଆହୋ କୁଟୁମ୍ବ ଦେଖଣେନ୍ତ ରାଗ ମୋହ ହିଂସା

ସଦାନନ୍ଦ ପ୍ରସନ୍ନେ ମୋର ସମାପତ ମନୀଷା ।୧୩୮।

ମମ ଦୋଷ ହର ନାଥ ଅନାଦି ରୁଦ୍ର କାଶୀ

ୟେ ମାୟା ସଂସାରୁ ପାରିକରି ମୋତେ ନିଜ ଦ୍ୱାର ଦିଅସି ।୧୩୯।

କୃପାଜଳ ନନ୍ଦିନୀ ଗୋ ନର୍ମଦା ସରସ୍ୱତୀ

ପିତାମହ ଶାପ୍ୟେ କରି ସାରଳା ଚଣ୍ଡୀ ମୃତ୍ତି ।୧୪୦।

ତବ ଲୟେ ପ୍ରକୃତି ମମ ଭାବନା ପଞ୍ଚୁଭୂତେ

ମୁକତି ସାଗର କହିଲି ମୁଂ ସଂସାର ଜନହିତେ ।୧୪୧।

ଯେବଣ ଶାହାସ୍ର ବାହାର ଶିଷୁମୁନା ବେଦୁଂ

ଶୂଦ୍ରମୁନି ପଦ ମୋର ସାରୋଳ ଚଣ୍ଡୀଂକ ପ୍ରସାଦୁଂ ।୧୪୨।

ଆହୋ ଚଇତନ ୟେସନେକ ସୁଲଭ ଯେ କପିଳାସ ସ୍ୱର୍ଗ କଥା

ନାଗା ଅର୍ଜୁନ ତହିଂ ଶୁଣିଲା ସମସ୍ତ ବାରତା।୧୪୩।

କାଶୀନଦୀ ତୀରେ ହର ଉଦ୍ୟାନ ଯେ ବନ

ନାଗା ଅର୍ଜୁନ ତହିଂ ଆରୋପିଲା ତପସ୍ଥାନ ।୧୪୪।

ନୀର ତୁଳସୀପତ୍ର ବରଷକେ ଭକ୍ଷି

ରୁଦ୍ର ବ୍ରହ୍ମମନ୍ତ୍ରେ ଅଜପା ଲୟେ ବସି ।୧୪୫।

ବାଲୁକା ଲିଙ୍ଗ ଥାପି ତାଡ଼ଇ ବେନିଡୋଳ

ଲିଙ୍ଗ ଉପରେ ଦେଇ ଢାଳଇ ନେତର ଚାମର ।୧୪୬।

ଚଞ୍ଚପଟ ଚାଞ୍ଚପୁଟ ତାଣ୍ଡବ ରସ ନାଟ

ଧ୍ରିମିକ ଧ୍ରିମିକ ଝମ ଝମ ବିଚିତ୍ର ରଙ୍ଗ ନାଟ ।୧୪୭।

ପୁଣିହଂ କୁମରର କଅଂଳି ବେନି ଆଖି

ଦିବ୍ୟଚଛୁ ଘେନିଣ ସେ ସମସ୍ତ ଭୁବନକଇଂ ଦେଖି ।୧୪୮।

ପ୍ରତିଦିନ ତାଡ଼ଇ ସେ ବେନି ଯେ ଲୋଚନେ

ପୁଣିହିଂ କଅଂଳଇ ଶ୍ରୀବିଶ୍ୱନାଥଂକ ପ୍ରସନ୍ନେ ।୧୪୯।

ପଞ୍ଚୁବରଷ ତପ କଲା ୟେହିମତେ

ଲୋଟିଲା ଶରୀର ଯେ ଢାଳିଲା ଅଶକତେ ।୧୫୦।

ପୁଣିହିଂ ପାତିଲା ମହା ସ୍ତମ୍ଭର ଆହୁତି

ବେନିସ୍ତମ୍ଭ ପଞ୍ଚଚାଳିଶ ହାଥକରି ପୋତି।୧୫୧।

ଉପରେ ଧାରଣା ନେଇ ୟେକ କାଠ ବାନ୍ଧି

ଉର୍ଦ୍ଧ୍ୱରେ ତା ବେନି ଚରଣ ନେଇ ଛନ୍ଦି ।୧୫୨।

ତଳେ ଅଗ୍ନି ଲଗାଇ ପାତିଲା ଆହୁତି

ଉଗ୍ରତପ କଲା ହୋଇଣ ହେଠମୃତ୍ତି।୧୫୩।

ଆକାଶେ ବେନି ଚରଣ ତଳକୁ କଲା ଶିର

ମୁଖ ନାସିକାରୁ ଝଡ଼ି ପଡ଼ଇ ରୁଧିର ।୧୫୪।

ପ୍ରଳୟ ହୋଇ ଯେ ଉଠଇ ବହତି

ଶରୀର କ୍ଷେପଇ ଯେ ନିଦ୍ରାଘ ଅନଳ ଜ୍ୟୋତି।୧୫୫।

ତେଜେଣ ଦେହୁ ମାଂସ ପଡ଼ଇ ମିଲାଇ

ପୁଣିହିଂ କଅଂଳଇ ଯେ ରୁଦ୍ରଂକ ଆଗ୍ୟାଂ ପାଇ ।୧୫୬।

ଉର୍ଦ୍ଧ୍ୱରେତା ତପକଲା ପଞ୍ଚୁ ବରଷ ପରିଯନ୍ତେ

କଷ୍ଠୋରେ ଆସନ ଯେ କମ୍ପିଲା ବିଶ୍ୱନାଥେ ।୧୫୭।

ହୃଦରେ ଆଭରଣ ଲୋହିତ ପିଙ୍ଗଳ ନାଗେ

ବାହୁଟି କଂକଣ ଯେ ଆଦ୍ରାବଳୀ ଉତଙ୍ଗେ ।୧୫୮।

ଗିରିବର କଟି ମେଖଳ ଅନନ୍ତ ନାଗ ପିନ୍ଧି

ପରିମଳ ନୂପୁର ଯେ ଚରଣେ ଛନ୍ତି ଛନ୍ଦି ।୧୫୯।

ସିନ୍ଧୁଘୋଷ ଜାଣିକରି ଫେଣିବ୍ୟାଳ ଗର୍ଜି

ନବଲକ୍ଷ ଡମ୍ବୁରୁ ଯେ ଅନ୍ତରୀକ୍ଷେ ବାଜି ।୧୬୦।

ଲୋହିତ କର୍କଶ ନୀଳ ଧବଳ ପଶୁଅଙ୍ଗୀ

ମହା ମେଖଳି ଜଟା ଭେଦି ମଉଳେ ଧବଳାଙ୍ଗୀ ।୧୬୧।

ଦକ୍ଷର ନନ୍ଦିନୀ ହୃଦରେ ଯାର ବାମା

ନାଭିମଣ୍ଡଳେ ବାରାହୀ ଉର୍ଦ୍ଧ୍ୱେ ନାମ ଉମା ।୧୬୨।

ଶରଦ ପାଦୁକାୟେ ଶରଦ ବସୁଧା

ନିରାକାର ପୁରୁଷ ସ୍ୱାମୀ ପ୍ରତକ୍ଷେ ମହାସିଦ୍ଧା ।୧୬୩।

ମହା ଯୋଗେଶ୍ୱର ଦେବ ବଇଲ ବାହାନେ

ନିଜ ରୂପେ ଦୃଶାଇଲେ ଦେବ ଈଶ୍ୱାନ୍ୟେ।୧୬୪।

ତତ୍ତୁଅର୍ଥ ପୁରୁଷ ଯେ ଦହିଲେ କାମଦେବ

ଅଲେଖ ନିରାକର ସେ ଅଟନ୍ତି ସଦାଶିବ ।୧୬୫।

ଧବଳାଙ୍ଗ ପୁରୁଷ ସେ ପ୍ରଳୟ ବଞ୍ଚାବନ୍ତା

ଅନନ୍ତ ଶିଖର ନାଥ ଦିଗବସନ କଛା ।୧୬୬।

ମଧ୍ୟ ଭୁବନ ଚରଣ ଦିଗ ଯେ ମଉଳି

ସଂସିଦ୍ଧି କରନ୍ତା ନାଥ ଅଭୟ କାପାଳୀ ।୧୬୭।

ପର ଦୁଖେଣ କାତର ନାଥ ପରଦୁଖେ ଦୁଖୀ

ଅସଞ୍ଚେପ ରୂପ ଯାହାର କେ ପାରଇ କେ ପାରଇ ଲେଖି ।୧୬୮।

ଶ୍ରୀବିଶ୍ୱନାଥ ପୁରୁଷଂକ ସରୂପ ରୂପ ଦେଖି

ଶତ ସହସ୍ର ଦଣ୍ଡ ପ୍ରଳମ୍ବ କୁମର ତଲୟେ ଉପେଖି ।୧୬୯।

ଶ୍ରୀବନ୍ତ ପ୍ରଶନ୍ନ ନାଥ ପ୍ରଳମ୍ବିତ ତବ ପଦ୍ମପାଦେ

ଶୁଦ୍ରମୁନି ସାରଳାଦାସ ପ୍ରଣପତ୍ୟ ବିଶ୍ୱନାଥ ପାଦ ବନ୍ଦେ ।୧୭୦।

ଧ୍ୟାନେ ଜାଣିଲା ତାହା ପ୍ରସନ୍ନେ ଦେବଶୂଳୀ

ଯୋଗେଶ୍ୱର ପୁରୁଷ ଦେବ ବିଜୟେ କପାଳୀ।୧୭୧।

କାଟିଲେ ଦେବରଜ୍ଜୁ କୁମର ପଡ଼ିଲେ ଅସାଷ୍ଟମେ

ଅମୃତ ସିଞ୍ଚିଲେ ଦେବ ବସିଲାକ ସାଷ୍ଟମେ ।୧୭୨।

ନାଗା ଅର୍ଜୁନ ଦେଖିଲା ପ୍ରପଞ୍ଚ ରୂପ ଯୋଗୀ

ବୋଇଲା ମହାତମା ଦୁଖେ ଅର୍ଜିଲା ତପ ମୋର କିମ୍ପେ ଭାଙ୍ଗି ।୧୭୩।

ଈଶ୍ୱରେ ବୋଇଲେ ତୁ କାହାରେ ତପକରୁ

ସେ ବୋଇଲା ବିଶ୍ୱନାଥ ଦେବତାଂକୁ ହୃଦେ ମୁହିଂ ଧରୁ ।୧୭୪।

ଆରେ ଈଶ୍ୱର ଦେଖିଲେ ଯେବେ ତୋହୋର ପୁରୁଷାର୍ଥେ

ମୁହିଂ ସେ ଧୂର୍ଜଟୀ ରେ ଅଭୟେ ବିଶ୍ୱନାଥ ।୧୭୫।

ନାଗାର୍ଜୁନ ବୋଇଲା ନୋହଇ ୟେମନ୍ତ ତା ରୂପ

ପ୍ରସନ୍ନ ତ୍ରିପୁରାନ୍ତକ ମୋତେ ଦେଖାଅ ସରୂପ ।୧୭୬।

ଆହୋ ଚଇତନ ନାଗାର୍ଜୁନର ଶୁଣି ୟେ ଦୃଢ଼ ବଚନ

ଧଇଲେ ନିଜ ରୂପ ଦେବ ତ୍ରିଲୋଚନ ।୧୭୭।

ସଦ୍ୟୁ ବାମ ଘୋର ଈଶାନ ତତପୁରୁଖ

ଶୁକଳ ବର୍ଣ୍ଣ ଶୁଦ୍ଧ ସ୍ଫଟିକ ବର୍ଣ୍ଣ ପଞ୍ଚଶିଖ ।୧୭୮।

ମହା ମେଖଳ ନିକଳଂକ ପିଙ୍ଗଳ ପଞ୍ଚୁଜଟ

ସୋମସୂର୍ଯ୍ୟ ଅନଳ ତ୍ରିନେତ୍ର ଲଲାଟ ।୧୭୯।

ୟେମନ୍ତ ପଞ୍ଚଦଶ ଲୋଚନ ପଞ୍ଚ ବୟଣେ

ପଞ୍ଚ ବୟାଣେ ପାଶ କୁଣ୍ଡଳ ବେନି ଯେ ଶ୍ରବଣେ ।୧୮୦।

ଗଙ୍ଗା ଯମୁନା ସରସ୍ୱତୀ ବହନ୍ତି ପଞ୍ଚୁଜଟେ

ମହା କାଳକୂଟ ବିଷ ନିଳବର୍ଣ୍ଣ ଶୋଭା କଣ୍ଠେ ।୧୮୧।

ପିନାକ ସାରଙ୍ଗ ଅଜଙ୍ଗ କୋଦଣ୍ଡ ପଞ୍ଚୁଭୁଜେ

ଶୂଳ ପଶୁପତ୍ର କୁନ୍ତ ପ୍ରଶୁ ଯେ ନାରାଜେ ।୧୮୨।

ଡମ୍ବରୁ ଖଟ୍ୱାଙ୍ଗ କପାଳ ପଶୁପତି

ସର୍ବାଙ୍ଗ ସୁଢ଼ଳ ନାଥ ଭୂଷଣ ବିଭୂତି ।୧୮୩।

ନିଜ ରୂପ ଦେଖାଇଲେ ଦେବ ଯେ ଈଶାନ୍ୟେ

କୀଟ ପରାୟେ ଦିଶିଲେ ସମସ୍ତ ସ୍ଥାବର ଜଙ୍ଗମ ମୀନେ ।୧୮୪।

ନାଗାର୍ଜୁନ ଦେଖି ଶତସହସ୍ର ଦଣ୍ଡ ପରିଣାମି

ଦୋଷକୃତ ବଚନ ମୋହର କ୍ଷମା କରିବା ଦେବସ୍ୱାମୀ ।୧୮୫।

ବର ମାଗ ବର ମାଗ ବୋଲି ବୋଲନ୍ତି ବିଶ୍ୱନାଥ

ଯାହା ଇଚ୍ଛା କରିବୁ ୟେହିକ୍ଷଣି ତାହା କରାଇବୁଂ ପ୍ରାପତ ।୧୮୬।

ନାଗାର୍ଜୁନ ବୋଇଲା ସ୍ୱାମୀ ଶୁଣିମା ବିଶ୍ୱମ୍ବର

ସତ୍ୟକର ମାଗିବି ନାଥ ଯେହ୍ନେ ଇଚ୍ଛାମୋର ।୧୮୭।

ଈଶ୍ୱର ବୋଇଲେ ରେ ମାଗୁ କିନା ବର

ତିରୀଂକି ତିନିବାର ପୁରୁଷଂକୁ ଦଶ ବର

ଦଶବର କିସ ତୁକୁ ମାଗିବି ବିଶ୍ୱେଶ୍ୱର।୧୮୮।

ମାଗୁଅଛି ବର ସ୍ୱାମୀ ଯିସ ମୋର ଇଛା

ଉଦେ ଅସ୍ତ ପରିଯନ୍ତେ ଦେଉଥିବୁ ଯେ ମୋହୋର ମନବାଞ୍ଛା ।୧୮୯।

ଈଶ୍ୱର ବୋଇଲେ ମାଗୁନିକା ବର

ନାଗାର୍ଜୁନ ବୋଇଲେ ମୁଂ ହୋଇବି ଅମର ।୧୯୦।

ଅଷ୍ଟକୋଳା ନାଗାନ୍ତ ଜିଣିମି ମୁଂହି ଧରି

ଭୋ ନାଥ ନାଗବାଳକମାନେ ମୋତେ ନୋହିବେ କେହୁ ସରି ।୧୯୧।

ପୃଥିବୀ ଧରିବାକୁ ମୁଂ ହୋଇବି ଭାଜନ

ଅନନ୍ତ ସରି ପ୍ରାକ୍ରମ ମୋର ହୋଇବ ଉଦ୍ଦାନ ।୧୯୨।

ଶରୀର ବଜ୍ର ମୋର ହୋଇବ କାପାଳୀ

ଦେବ ସହସ୍ରମାନ ମୋର ଅଙ୍ଗେ ହୋଇବେ ଯେ ଧୂଳି ।୧୯୩।

ବଜ୍ର ବିଭୂତି ଲେପିଲେ ଦେବ ନାଗାର୍ଜୁନ ଅଙ୍ଗେ

ଶରୀର ବଜ୍ରହେଲା ରୁଦ୍ରଂକର ଅପାଙ୍ଗେ ।୧୯୪।

ସ୍ୱାମୀ ଯମର କାଳଦଣ୍ଡେ ନୋହିବି ମୁହିଂ ବଧେ

ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ପବନ ହାରିବେ ମୋତେ ଯୁଦ୍ଧେ।୧୯୫।

ଚନ୍ଦ୍ର ସୂର୍ଯ୍ୟ ଆଦିକରି ଜିଣିମି ଆଣି ଧରି

ଅପାର ସମରେ ଅବଧ୍ୟ ମୁଂ ହୋଇବି ତ୍ରିପୁରାରି ।୧୯୬।

ଦିବ୍ୟଚଛୁ ପ୍ରାପତ ମୋତେ ହୋଇବ ପରମ ଯୋଗୀ

ତବ ଦ୍ୱାରପାଳ ମୁଂ ହୋଇବି କଳ୍ପଭୋଗୀ ।୧୯୭।

ସଦାଶିବ ବୋଇଲେ ଯାହା ମାଗୁ ତୋତେ ସର୍ବ ହୋଉ ସିଦ୍ଧି

ତ୍ରଇଲୋକ୍ୟର ମଧ୍ୟେଣ ତୁହି ହୁଅରେ ୟେକ ଯୋଦ୍ଧୀ ।୧୯୮।

କୁମର ବୋଇଲା ମୋତେ ଯେବେ ପ୍ରସନ୍ନ ହୋଇଲା ପଞ୍ଚମନୁ

ସନ୍ତୋଷ ଦେବାକ ମୋତେ ପିନାକ ଅଜଙ୍ଗ ନାମେ ଧନୁ ।୧୯୯।

ଅଚ୍ଛୟେ ତ୍ରୋଣ ତୋର ପଶୁପତ୍ର ଶର

ତ୍ରିଶୁଳ ଖଟ୍ୱାଙ୍ଗ ଆବର ଅମୋହ ମୁଦଗର ।୨୦୦।

ଭୋଳେ ଦିଲେ ସ୍ୱାମୀ ପ୍ରସନ୍ନେ ଅଭୟେ ବିଶ୍ୱନାଥ

ମାଗିଲା କୁମର ଯେ ନାଗପାଶ ସହିତ ।୨୦୧।

ସ୍ୱାମୀ ଅନଳେ ପଶିଲେ ନ ପୋଡ଼ିବ ମୋହର କାୟେ

ଅଗାଦ ଜଳେ ନ ବୁଡ଼ିବ କରିବ ମୋତେ ଦୟେ ।୨୦୨।

ସ୍ୱାମୀ ପୃଥୀ ଆପ ତେଜ ଯେ ବାଇବ ଆକାଶ

ୟେ ପଞ୍ଚଧାତୁ ମୋତେ ହୋଇବାକ ଦୃଶ ।୨୦୩।

ତୁମ୍ଭେ ମୋହର ପିଅର ହୋଇବ ବିଶ୍ୱବାସୀ

ପାର୍ବତୀ ମାତା ହୋଇବେ, ମୋତେ ପ୍ରସନ୍ନ ହୋଅସି।୨୦୪।

ନାଗାର୍ଜୁନକୁ ଘେନିଣ ଦେବହର

ଆପଣେ ଦିଲେ ନେଇ ପାର୍ବତୀ କୋଡର ।୨୦୫।

ତୁମ୍ଭେ ୟେହାକଇଂ କ୍ଷୀରପାନ କରାଅ ହୋ ଗିରିଜା

ପ୍ରସନ୍ନେ ଅଭୟ ବର ଦିଲେ ଦେବାଧି ଦେବରାଜା ।୨୦୬।

ନାଗାର୍ଜୁନକଇଂ ଦେବୀ କୋଳେ ଧରି

ମୁଖେ କ୍ଷୀର ଦିଲେ ନେଇ ଦେବୀ ଶାକମ୍ଭରୀ ।୨୦୭।

ତେଣୁ ନାଗା ଅରଜୁନ ହୋଇଲେ ଯେ ତ୍ରିଜୀବୀ

ଆରୋଗ୍ୟ ଶରୀର ତାକୁ କଲେ ସଦାଶିବ ଶିବୀ ।୨୦୮।

ପାର୍ବତୀ ଦିଲେକ ସ୍ରାଗେ ଅମୋହ ଶକତି

ପରଶୁ ଅମୃତାକ୍ଷ ଶର ଦିଲକେ ଗଣପତି ।୨୦୯।

ସୂର୍ଯ୍ୟ ବ୍ରତକେ ଶର ହମ ଗଦା ବେନି

କାର୍ତ୍ତିକେଶ୍ୱର ଦିଲେ ନାଗା ଅର୍ଜୁନକୁ କୋଳେ ଘେନି ।୨୧୦।

ଅଗ୍ନି ନାରାଜ ଯେ ମହାକାଳ ବାଣ

ବାରାହୀ ମାହେଶ୍ୱରୀ ଯେ ଦିଲକେ ତତକ୍ଷଣ ।୨୧୧।

କୁଣ୍ଡଳୀ ଚକ୍ର ତାହାକୁ ଦିଲକେ ବସୁମତୀ

ପର୍ବତା ଶହସ୍ରେକ ଦିଲେ ଦେବ ଗଣପତି ।୨୧୨।

କାଳଫାଶି ନାଗଫାଶି ଜଳ ଫାଶି ତିନି

ଜୟନ୍ତିକ ଅଜୟ ଯେ ପୂଜାକଲେ ବେନି ।୨୧୩।

ୟେହିମତି ଶହସ୍ରମାନ ଦିଲେ ଶିବଗଣେ

କୋଟିକଳ୍ପି ହୁଅ ବୋଲି ବୋଇଲେ ତ୍ରିଲୋଚନେ।୨୧୪।

ଈଶ୍ୱରେ ବଦୟନ୍ତି ତୁରେ ହୋଇଲୁ ଆମ୍ଭର ବଚ୍ଛା

ହର ଉଦ୍ୟାନ ବନ ଆଜହୁଂ କର ରକ୍ଷା ।୨୧୫।

ପାର୍ବତୀ ବୋଇଲେ ୟେ ମୋହୋର ଗଣ୍ଡାଗୋଟି

ଯତନ କରି ୟେହାକୁ ଥିବୁଟି ଆକଟି ।୨୧୬।

ଅନେକ ରତ୍ନ ମଣ୍ଡିଲା ଅଛି ତାର କାୟେ

ଯତ୍ନେ ରଖିଥିବୁଟି ତାହାକୁ ନ ପଡ଼ିବ ଅପଚୟେ ।୨୧୭।

ବର ମାଗନ୍ତେ ଯେ ଆଦିତ୍ୟ ଗଲା ଅସ୍ତ

କପିଳାସ ସ୍ୱର୍ଗେ ଯାଇଂ ବିଜୟେ ବିଶ୍ୱନାଥ ।୨୧୮।

ବର ପାଇ ସାନନ୍ଦ ସେ ନାଗା ଅରଜୁନ

ରହିଲା କୁମର ସେ ହର ଉଦ୍ୟାନ ବନ ।୨୧୯।

ବର ପାଇଣ ନାଗା ଅରଜୁନ ପାତାଳ ସ୍ୱର୍ଗକଇଂ ଗଲା

ଅମରାଧି ନାଥ ପ୍ରାୟେ କୁମର ଦିଶିଲା ।୨୨୦।

ପୁତ୍ରକଇଂ ଦେଖିଣ ଯେ ହରଷ ନାଗେଣୀ

ସମସ୍ତ ବୃତ୍ତାନ୍ତ ଯେ କହଇ କୁମରମଣି ।୨୨୧।

ମାତାର ଅଗ୍ରତେ ବୀର ପ୍ରସନ୍ନ ମନେ କହି

ଯାଉଅଛି ମାତା ଗୋ ମୁଂ କ୍ଷଣେ ନୁଆରଇ ରହି ।୨୨୨।

ଦଇବ ଦାନ ଯେ କରିବେ ଉପଦ୍ରବ

କପିଳାସ ରକ୍ଷା ପାଳକ ଅଟଇ ମୁହିଂ ସର୍ବ ।୨୨୩।

ମୋତେ ଚିନ୍ତା କିଛି ତୁ ନ କର ଗୋ ମାୟେ

ଈଶ୍ୱର ପ୍ରସନ୍ନେ ମୁଂ ତ୍ରଇଲୋକ୍ୟେ ଅଜୟେ ।୨୨୪।

ଅନେକ ରତ୍ନ ଅଙ୍ଗେ ଆଭରଣ କଲା

ପାତାଳ ସ୍ୱର୍ଗ କୁମର ଯେ ବାହାର ହୋଇଲା ।୨୨୫।

ହର ଉଦ୍ୟାନ ବନେ ସେ ହୋଇଲା ପରବେଶ

ସୁଖେଣ ବିହଡଇ ସେ ଯେ ଭୁବନ କପିଳାସ ।୨୨୬-୧୪୨୨୬।

 

ଅର୍ଜୁନ କର୍ତ୍ତୃକ ଗଣ୍ଡା ବଧ

ୟେଥୁ ଅନନ୍ତରେ ଶୁଣ ହୋ ନୃପତି

ବିସ୍ତାରିଣ ଶୁଣ ସଭାପର୍ବର ରୀତି ।୧।

ମୀନମାସ କୃଷ୍ଣପକ୍ଷ ଦଶମୀ ଅର୍କବାର

ଶ୍ରବଣା ନକ୍ଷତ୍ର ଯେ ଭୋଗ୍ୟ ଅଟଇ ସେ ଦିନର

ମକର ରାଶିକି ଯେ ଭୋଗ ଶଶାଂକର।୨।

ବାଳବ ନାମେ କରଣ ପରିଘ ନାମେ ଯୋଗ

ନାରଦେ ବିଜେକଲେ ବାରୁଣାବନ୍ତ ନଗ୍ର ।୩।

ଦଣ୍ଡ କମଣ୍ଡଳ ଯେ କଷା କଉପୀନ

ଦ୍ୱାଦଶ ଲକ୍ଷଣ ଚିତା ହୃଦେ ଶ୍ରୀବଚ୍ଛ ଲାଞ୍ଛନ ।୪।

ନାରଦଂକୁ ଦେଖିଣ ଉଠିଲେ ଯୁଝେଷ୍ଠି ଧର୍ମରାଜା

ବ୍ରହ୍ମଋଷିଂକ ଚରଣେ କଲେ ଦିବ୍ୟ ପୂଜା ।୫।

ପାଦ ପଖାଳିଣ ନବତନ ବସ୍ର ଦେଇ

ଅଷ୍ଟାଙ୍ଗ ଶରୀରେ ଚନ୍ଦନ ଶ୍ୟାମଳାଇ ।୬।

ଅକ୍ଷତ ଗନ୍ଧ ଚନ୍ଦନ ପୁଷ୍ୟ ତାମୁଳ ସହିତେ

ପଞ୍ଚୁରତ୍ନେ ପାଦାଅର୍ଘ୍ୟ ଦିଲେ ନାରଦଂକ ଅଗ୍ରତେ ।୬।

ବସନ କୁଣ୍ଡଳ ଯେ ନବରତ୍ନ ମାଳ ଦେଇ

ଧୂପ ଦୀପ ପୁଷ୍ୟ ଅକ୍ଷତ ଦେଇଣ ବିନୋୟୀ ।୮।

କନେକ ପୀଢାୟେ ତହିଂ ଦିଲକେ ଆସନ

ପୂଜା ପାଇ ବସିଲେ ନାରଦ ତପୋଧନ ।୯।

କରପତ୍ର ଯୋଡ଼ିଣ ଯୁଝେଷ୍ଠି ଦେବସ୍ୱାମୀ

ସେ ବ୍ରହ୍ମଋଷିଂକ ପାଦେ ଶତେ ସହସ୍ର ଦଣ୍ଡ ପରିଣାମି ।୧୦।

ବଡ଼ ସୁଫଳ ଦିନ ଆଜ ଦେଖିଲି ମହାତ୍ମା

ମହା ବ୍ରହ୍ମମୁନି ତୁ ଅଟୁ ପ୍ରତକ୍ଷେ ଦୁତୀବ୍ରହ୍ମା ।୧୧।

ଯୁଝେଷ୍ଠି ଦେବ ପୁଚ୍ଛା କଲେ ସକଳ ବାରତା

କେଉଂଣ ପୁରେ ମୁନି ହେ ଦେଖିଲେ କେବଣ ଯେ କଥା ।୧୨।

ନାରଦେ ବୋଇଲେ ତୁ ଶୁଣ ଧର୍ମରାୟେ

ଆମ୍ଭେ ଥିଲୁ ପ୍ରଥମେ ବ୍ରହ୍ମାଂକ ସଭାୟେ ।୧୩।

ଯୁଝେଷ୍ଠି ପଚାରିଲେ ଶୁଣିମା ବ୍ରହ୍ମଯତି

ବ୍ରହ୍ମାଂକ ସଭାୟେ ମୁନିହେ କେ କେ ବସିଥାନ୍ତି ।୧୪।

ନାରଦ ବୋଇଲେ ବ୍ରହ୍ମାଂକର ପୁତ୍ର ଯେ ବଶିଷ୍ଠ

ପଉଲସ୍ତି ବସନ୍ତି ତହିଂ ମୁନିବର ଶ୍ରେଷ୍ଠ ।୧୫।

ମାରକଣ୍ଡ ମହଋଷି ବସିଛନ୍ତି ସନ୍ନିଧ୍ୟ୍ୟାନେ

ଅଗସ୍ତି ବାଲମ୍ବିକ ସୁମନ୍ତ ପ୍ରୋହିତ ଦିଜ ଜନେ ।୧୬।

ଉଦ୍ଦାଳେକ ବାମଦେବ ଦୃଭାସା ୟେ ବସେ

ବିଶ୍ୱାମିତ୍ର ଗାଲବ ବସନ୍ତି ବ୍ରହ୍ମାଂକର ପାଶେ ।୧୭।

ଅଷ୍ଟାବକ୍ର ଭାରଦ୍ୱାଦଶ ସନକ ମହଋଷି

ଉତଂକ ଗଉତମ ବିଭାଣ୍ଡକ ଛନ୍ତି ବସି ।୧୮।

ଋଷ୍ୟଶୃଙ୍ଗ ମହଋଷି ଅଗ୍ନିକା ମରୀଚି କାଶ୍ୟପେ

ମେଋଶୂଳ ମାଲ୍ୟବନ୍ତ ବସନ୍ତି ସମୀପେ ।୧୯।

ଆସ୍ଥାନର ତଳେ ଯେ କଳ୍ପ ବସୁ ମହାରାଜା

ଆସ୍ଥାନ ନିରୋଧଇ କାଶ୍ୟପ ଆତ୍ମଜା ।୨୦।

ହା ହା ହୁ ହୁ ମୂଳେ ତିନିକୋଟି ଗନ୍ଧର୍ବେ

ସଭା ଦ୍ୱାର ନିରୋଧନ୍ତି ବଡ଼ାଇ ସମ୍ଭର୍ବେ ।୨୧।

ମୁହିଂ ଦେବଂକର ଡଗର କହଇ ଗତ ଆଗତ ବାରତା

ସପତସ୍ୱର ବୀଣା ମୋର ଶୁଣଇ ବିଧାତା ।୨୨।

କରତାର ପୁରୁଷ ଭିଆଇ ଚାରିଖାନି

ନୀତିବନ୍ତେ ପୁରୁଷ ସେ ସମସ୍ତ ନିରିବାଣି ।୨୩।

ଚଉରାଶି କୋଟି ଅମରଣ ଘେନି ସଙ୍ଗେ

ବିଜେ ଅମରାଧି ନାଥ ଗନ୍ଧର୍ବେ ଖଟନ୍ତି ତାର ଆଗେ ।୨୪।

ଚଉଷଠି କୋଟି ଅମର ବିଳାସୁଣୀ

ମୃଦଙ୍ଗ ତାଳ କମସାଳ ବାୟେଂଶୀ ବ୍ରହ୍ମବାଣୀ ।୨୫।

ଚଉଷଠି କୋଟି ଗନ୍ଧର୍ବ ପୁତ୍ର ଗାୟନେ

ବିଜେ ମହା ସମ୍ଭର୍ବେ ସହସ୍ର ଲୋଚନେ ।୨୬।

ରମ୍ଭା ଉର୍ବଶୀ ମେନକା ଚିତ୍ରରେଖା

କାମସେଣୀ ମୋହନୀ ଚଞ୍ଚଳା ମଦନିକା ।୨୭।

ୟେମନ୍ତ ଅଷ୍ଟ ଅପଛରୀ ମୂଳେ ଚଉଷଠି କୋଟି ବିଳାଳୁଣୀ ବିଦ୍ୟାଧରୀ

ଭରହରଷ ନାୟିକାୟେ ସେ ନୃତ୍ୟେଣ ମହାଭାରି ।୨୮।

ଆହୋ ଯୁଝେଷ୍ଠି ସମରେ ରହିଲା ଯେ ଜମ୍ବୁ ଦଇତର ସମ୍ପାଧି

ତଦର୍ଥେ ନାମ ତାହାର ଅଟଇ ଜମ୍ଭୋଭେଦୀ ।୨୯।

ବାଷଠି କୋଟି ଯେ ବାସବର ପୁତ୍ରମାନେ

ସଭିୟେଂ ଦିଶନ୍ତି ଦେବ ଇନ୍ଦ୍ରର ସମାନେ ।୩୦।

ୟେସନେକ ସମ୍ଭର୍ବେ ଅମର ସ୍ୱର୍ଗପୁରୀ

ବିଜୟେ ମଘବାନ ଯେ ଦେବ ବଜ୍ରଧାରୀ।୩୧।

କୁବେର ଭୁବନ ଦେଖିଲୁ ଅଳକା ବାରସ୍ୱତୀ

ଦେବ ଭଣ୍ଡାର ରଖଇ ପଉଲସ୍ତ୍ୟର ନାତି ।୩୨।

ସପତ ନିଧି ନାୟେକ ସେ ଦେବ ଭଣ୍ଡାର ଅଧିକାରୀ

ଅଷ୍ଟ ଉତ୍ତର ଶତେକ ପୁତ୍ର ଅଟଇ ତାହାରି ।୩୩।

ବହୁତ ବିଦ୍ୟାଧରୀ ଯେ ଖଟନ୍ତି ତାହାର ପୁରେ

ତ୍ରଇଲୋକେ ଅସଂକ୍ଷେପ ସେ ହୁଅନ୍ତି ବ୍ରହ୍ମାଣ୍ଡ ଭିତରେ ।୩୪।

ତାହାର ଉପରେ ଈଶ୍ୱର ଦେବତା ବିଜେ ନିସଙ୍ଗ କପିଳାସେ

ମହାକଳ୍ପ ଘେନି ସେ ବିଜୟେ ବିଶ୍ୱବାସେ ।୩୫।

ଚନ୍ଦ୍ର ଭୁବନେ ଦେଖିଲୁଂ ହିରଣ୍ୟଗର୍ଭ ପୁରୀ

ଧାତୁବାଦ ପୁରୁଷ ସେ ନିଶାନାଥ ଅଧିକାରୀ ।୩୬।

ଆଦିତ୍ୟଂକର ଭୁବନ ଯେ ଶୂନ୍ୟ ଆକାଶେ

ଅରୁଣ ସାରଥି ଖଟଇ ତାହାଂକର ପାଶେ ।୩୭।

ଅସଂଖ୍ୟ ମହିଂମା ୟେହାଂକର ଅଟଇ ନ ସରଇ କହନ୍ତେ

ସଂଜୀବନୀ ଭୁବନକୁ ଗଲୁଂ ଦେଖିଲୁଂ ଯମ ଦଇବତେ।୩୮।

ବସନ୍ତି ନବଗ୍ରହେ ୟେକାଦଶ ରୁଦ୍ରେ

ନାଶକର ଦେବତା ବିଜୟେ ବଡ଼ାଇ ସମ୍ପଦେ ।୩୯।

ନାରଦଂକ ବଚନେ ଯେ ବଦୟନ୍ତି ଯୁଝେଷ୍ଠି

ଯମର ସଭାୟେ ଯେ ତୁମ୍ଭେ ଥିଲ ତପନିଷ୍ଠି ।୪୦।

ଆସ୍ଥାନେ ଦେଖିଲ ଯେ ସମସ୍ତ ଦେବତାଂକୁ

ମୋହୋର ପିତାଂକୁ ଦେଖିଲ କି ପଣ୍ଡୁରାଜାଂକୁ ।୪୧।

ନାରଦେ ବୋଇଲେ ତୁ ପୁଚ୍ଛାକଲୁ ଯାହା

ପଣ୍ଡୁର ଚରିତ କହଇ ଶୁଣ ନରନାହା ।୪୨।

ପିତା ପଣ୍ଡୁ ତୋହୋର ଯେ ବ୍ରହ୍ମହତ୍ୟା ଦୋଷ କଲା

ତଦ ଦୋଷେ କୃତାନ୍ତେକ ତାହାକଇଂ ଅପ୍ରାଧ ବିହିଲା ।୪୩।

ତିନି ପାବଚ୍ଛ ତଳେ ଉଭା ହୋଇଥିଲା ପଣ୍ଡୁ

ଦୁଇ ପାବଚ୍ଛ ଉଠିଲା ପାବଚ୍ଛେ ଅଛି ଗଡୁଂ ।୪୪।

ପାବଚ୍ଛକ ତଳେ ପଣ୍ଡୁ ଉଭା ହୋଇଅଛି

ବସ ବୋଲି ଜନ୍ତୁନାଥ ନ ବୋଇଲା ବାଚି ।୪୫।

ମୁହିଂ ପୁଚ୍ଛିଲି ଯୁଝେଷ୍ଠି ରାଜୁସି ଯାଗ କଲା

ତେଡ଼େ ଧର୍ମେ ୟେହାର ପାପ କିଂପେ ମୋଚନ ନୋହିଲା ।୪୬।

ଯମ ବୋଇଲା ସେ ଦୁଇପୁର ଲୋକନ୍ତ ଦିଲା ଅନ୍ନଚ୍ଛତ୍ର

ପାଇଲେ ମଞ୍ଚ ପାତାଳ ବେନି ଯେ ଜଗତ ।୪୭।

ୟେବେ ଗଣ୍ଡାୟେକ ମାରି ଯେବେ କାମ୍ୟଶ୍ରାଦ୍ଧ କରି

ଦେବତାମାନେ ଯେ ମିଳିବେ ତାର ପୁରୀ ।୪୮।

ସେ କାମ୍ୟଶ୍ରାଧ କଲେ ବୃନ୍ଦାଅର୍କେ ହୋଇବେ ତ୍ରିପୁତି

ତେବେ ପଣ୍ଡୁର ଖଣ୍ଡିବ ବ୍ରହ୍ମହତ୍ୟା ମହାପାତକ ବିପତ୍ତି ।୪୯।

ୟେହା ଶୁଣି ପଣ୍ଡୁର ମୋତେ ବୋଇଲା ଅନେକ ବିନୟୀ

ଯୁଝେଷ୍ଠି ଛାମୁରେ ମୁନି ହେ କହିବୁ ତୁମ୍ଭେ ଯାଇଂ।୫୦।

ଗଣ୍ଡା ଗୋଟିୟେ ମାରି କରିବ କାମ୍ୟଶ୍ରାଦ୍ଧ

ଅଳପେ ଖଣ୍ଡିବ ମୁନି ହେ ମୋହର ବିରୋଧ ।୫୧।

ଶୁଣିଣ ଯୁଝେଷ୍ଠିଂକି ନ ଫୁରଇ କିଛି

ସୁମରନ୍ତି ଭଗବାନ ଦେବ ଶିରୀବଚ୍ଛି ।୫୨।

ଯୁଝେଷ୍ଠି ଦେବ ବୋଇଲେ ବାବୁ ଶୁଣ ବ୍ରିକୋଦର

ବନସ୍ତରେ ପଶି ବାବୁ ଗଣ୍ଡା ଗୋଟିୟେ ମାର ।୫୩।

ଭୀମସେନ ବୋଇଲେ ମୁଂ ୟେହିକ୍ଷଣି ଯିବି ଦେବ

କେମନ୍ତେ ସରୂପ ସେ ନ ଚିହ୍ନଇ ଗଣ୍ଡାଜୀବ ।୫୪।

ଖେଦି ମାରିବି ମୁଂ ସମସ୍ତ ଜୀବମାନଂକୁ

ଗଣ୍ଡା ଚିହ୍ନିମାକୁ ଜଣେ ଦେଇଥିବା ମୁକୁ ।୫୫।

ଯୁଝେଷ୍ଠି ବୋଇଲେ ତୁ ନ ଯାଅ ବ୍ରିକୋଦର

ଯାଆସି ଅର୍ଜୁନ ତୁ ବେଣ୍ଟ ଯେ ଆହାର ।୫୬।

ଯୁଝେଷ୍ଠିଂକର ଆଗ୍ୟାଂ ଶିରାଗ୍ରତେ ଘେନି

ମୃଗୟା ବିନୋଦେ ସେ ଚଳଇ ବୀର ଫାଲଗୁନି ।୫୭।

ହିରଣ୍ୟକ ବନେ ଯାଇ ଚଳଇ ସର୍ବସାଚୀ

କିରାତ ରୂପ ଧରି ବନେ ଜୀବ ଲୋଡୁଅଛି।୫୮।

ଡାଳି ପତ୍ର ଆଭରଣ କଣ୍ଠରେ ଗୁଞ୍ଜମାଳି

ଲଲାଟେ ଗୁଞ୍ଜୁରା ମାଳି ଶରୀରେଣ ମୟୂର ଝାଲି ।୫୯।

ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ

ଫିରିକି ନାରାଜ କରେ ଶରୀରେ ଡାଳି ଆଭରଣେ ।୬୦।

ୟେସନେକ କିରାତ ରୂପ ଧରିଣ ସର୍ବସାଚୀ

ବଚନର ସରୂପେ ପାଥ ଗଣ୍ଡାଜୀବ ଲୋଡ଼ୁଅଛି ।୬୧।

ହିରଣ୍ୟକ ବନ ମନହର ବନ ଆଦିକରି

ବୁଲଇ ପାର୍ଥିବ ଆସଇ ବନେ ହେରି ।୬୨।

ଅନେକ ବନ କନ୍ଦର ନଦୀ ଘୋର ଭ୍ରମି

ନାନା ଜଳଘଟମାନ ଖୋଜଇ ବିକ୍ରମି ।୬୩।

ନବ ଦିବସ ପରିଯନ୍ତେ ଖୋଜି ନ ପାଇଲା ଗଣ୍ଡା

ନିଝର ବନ ଗହନେ ପଶି ଲୋଡିଲା ପରଚଣ୍ଡା ।୬୪।

କନ୍ଦମୂଳ କୋମଳ ପତ୍ର କରଇ ଭକ୍ଷଣ

ଖେଦିଣ ଖୋଜର ମୃଗାରି ସ୍ୱାମୀଂକ ବଚନ ।୬୫।

ବାରୁଣା ବୋଲିକରି ୟେକଇ ପର୍ବତଗୋଟି

ପାପନାଶିନୀ ବହୁଅଛି ତୁଙ୍ଗଭଦ୍ରାୟେ ଯାଇଂ ଫୁଟି ।୬୬।

ସେ ନଦୀର ପଚ୍ଛିମ କଇଚ୍ଛାଡେ ଅସକନ୍ଦ ନାମେ ପରବତ

ସେହି ଗିରିବର ଉପରେ ଯାଇଂ ଉଠିଲା ବୀର ପାଥ ।୬୭।

ୟେସନେକ ପର୍ବତ ଉପରେ ଯାଇଂଣ ସେହୁ ଉଠି ।୬୮।

ନାରଦଂକୁ ଦେଖି ପ୍ରଳମ୍ବିତ ଫାଲଗୁନି

ନ ପାଇଲି ଗଣ୍ଡାଜୀବ ଲୋଡି ମହାମୁନି ।୬୯।

ନାରଦ ହସିଲେ ଧନୁର୍ଜୟ ମୁଖ ଚାହିଂ

ୟେ ରୂପଗୋଟି ବାବୁ ଅଛି ତୋତେ ଶୋହି ।୭୦।

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ମୁନି ଦେବ

ଅନେକ ବନ କନ୍ଦର ଲୋଡ଼ି ନ ପାଇଲି ଗଣ୍ଡାଜୀବ ।୭୧।

ଅର୍ଜୁନ ବଚନ ଶୁଣି ବଦୟନ୍ତି ନାରଦେ

ତୋହୋର ମୃଗୟ ଶୁଣି ପଳାଇଲେ ଗଣ୍ଡାଜୀବ ହାଦେ ।୭୨।

ରୁଦ୍ର ପର୍ବତ ତଳେ ହର ଉଦ୍ୟାନ ବନ

ତହିଂ ଯାଇଂ ଗଣ୍ଡା ଜୀବମାନେ ହୋଇଲେ ଗୋପ୍ୟାନ ।୭୩।

ଗତ ଆଗତ ବାରତା ଜାଣଇ ନାରଦ

ଯହିଂ ଭଲ ତହିଂତ ଉପୁଜାଇ ମନ୍ଦ।୭୪।

ୟେ ଗନ୍ଧର୍ବ ନଦୀର ଉତ୍ତର ତୀରେ ତୁ ଯିବୁ

ୟେକ ଗଣ୍ଡାଜୀବ ଗୋଟିୟେ ମାରିଣ ଆଣିବୁ ।୭୫।

କାମ୍ୟଶ୍ରାଦ୍ଧ କରିବୁ ବାବୁ ପଣ୍ଡୁର ନିମନ୍ତେ

ମୁକତ ହୋଇ ତୋରି ପିତା ବସୁ ସ୍ୱର୍ଗପଚ୍ଛେ ।୭୬।

ୟେତେ କହି ନାରଦ ଯେ ଗଲେ ଅନ୍ତର୍ଦ୍ଧାନେ

ଚଳଇ ବାସବି ଯେ ହର ଉଦ୍ୟାନ ବନେ ।୭୭।

ପାଣିଘାଟେ ରହି ତହିଂ ନିତ୍ୟକର୍ମ ସାରି

ବିଜୟେ ଅର୍ଜୁନ ଯେ ରୁଦ୍ରନାମେ ଗିରି ।୭୮।

ଦେଖଇ ରୁଦ୍ରବନ ଅତିୟ ପରିମଳ

ଭାଷନ୍ତି ସେ ବନ ଜୀବେ ଅତିହିଂ କୋଳାହଳ ।୭୯।

ଚଉବନ ଯୋଜନ ସେ ତୋଟାର ଆୟତନ

ସୁବର୍ଣ୍ଣମୟେ ପାଚେରୀ ଉଚ୍ଛର୍ଗ ସାତତାଳ ପରିମାନ ।୮୦।

ପୂର୍ବଦ୍ୱାରେ ଜଗତୀ କଣୟ ପୁର ଜାଣି

ଆକାଶେ ଝଲକନ୍ତି ହୀରା ମାଣିକ୍ୟ ଶୁଦ୍ଧମଣି ।୮୧।

ସରୂପେ ଖାଣ୍ଡବ ବନ ପରାୟେକ ଦିଶି

ଦେଖିଣ ଧନୁର୍ଜୟ ବହୁତ ପରଶଂସି ।୮୨।

ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି

ହର ଉଦ୍ୟାନ ବନରେ ନାହିଂ ଯେ ସନ୍ଧ୍ୟାବାଳୀର ସନ୍ତତି ।୮୩।

ସ୍ୱନକ୍ଷତ୍ର ବନ୍ଦାପନା ନିମନ୍ତେ ପାତାଳକଇଂ ଗଲା

ହର ଉଦ୍ୟାନ ବନେ ସେ ଗଣ୍ଡାହିଂ ଚରୁଥିଲା ।୮୪।

ସେ ଦିନ ନାଗା ଅର୍ଜୁନର ସ୍ୱନକ୍ଷତ୍ର ବନ୍ଦାପନା

ମାତାର ତହିଂକି ଯାଇଥିଲା ନାଗକୁମର ଜେନା ।୮୫।

ୟେଣେ ରୁଦ୍ରଗିରି ପର୍ବତରେ ବସିଛି କିରାଟୀ

ୟେକଲୟେ କରିଣ ସେ ଜଗିଛି ପାଣିଘାଟି ।୮୬।

ଦିନକର ନାଥ ଆସି ହୋଇଲେ ନବଘଡ଼ି

ବନଜୀବ ଜନ୍ତୁ ଆସନ୍ତି ପାଣି ଲୋଡି ।୮୭।

ଗଜ ଅଶ୍ୱ ଶାର୍ଦ୍ଦୁଳ ବ୍ୟାଘ୍ର ଗୟଳ ମୃଗାରି

ହରିଣ ବାହୁଟିଆ ସିଂଘ ଆଦି କରି ।୮୮।

ପାଣି ଖାଇ ବନଜୀବେ ଯାଆନ୍ତି ଲେଉଟି

ସର୍ବ ଜୀବ ପଛେ ଆସୁଅଛି ଅତି ସୁନ୍ଦର ଗଣ୍ଡା ଜୀବଗୋଟି ।୮୯।

ଗଣ୍ଡାର ଶରୀରେ ଖଞ୍ଜିଲା ରତ୍ନ ଲଚ୍ଛେ

ଦେଖିଣ ସାନନ୍ଦ ମନେ ଭାଳଇ ବିବଚ୍ଛେ ।୯୦।

ବିଚାରଇ ଅର୍ଜୁନ ୟେହି ସେ ଗଣ୍ଡାଜୀବ

ନାରଦଂକ ବଚନ ମିଥ୍ୟା କି ହୋଇବ ।୯୧।

ୟେଦେନେକ ବିତକ୍ଷଣ ୟେ ଗଣ୍ଡାର ମୂରତି

କିଂପାଇଂ ପିତୃଲୋକେ ନୋହିବେ ସଦଗତି ।୯୨।

ଇତର ଲୋକେ ଦେଖି ହୋଉଛନ୍ତି ମୋହେ ବଶ

ଇଚ୍ଛାତ ନ ବଳଇ କେମନ୍ତେ କରିବି ପ୍ରାମେ ନାଶ ।୯୩।

ତୃଷାର ଆରତେ ୟେ ଆଲଇ ପାଣି ଖାଇ

ତୃଷାର୍ଥୀ ପ୍ରାଣୀକି ହୋ ମାରିତ ନ ଯୋଗାଇ ।୯୪।

ପାଣି ପିଇ ଗଣ୍ଡା ଯେବେ ଆସିବ ଲେଉଟି

ଲେଉଟିଲେ ବିନ୍ଧିବ ଯେ ବିଚାରଇ କିରାଟୀ ।୯୫।

ୟେମନ୍ତେ ବିଚାର କରି ବସିଲାକ ବୀର

ଗୁଣଦେଇ ହାଥେ ଧରିଅଛି ଧନୁଶର ।୯୬।

ୟେମନ୍ତେ ଗଣ୍ଡା ଯାଇଂ ପାଣି ଯେ ଭକ୍ଷିଲା

ଅବହେଳେ ଗଣ୍ଡା ଯେ ପାଲଟି ଅଇଲା ।୯୭।

ଅଚିନ୍ତେଣ ଗଣ୍ଡା ଯେ ଆସଇ ପାଲଟି

ବାବଲ ନାରାଜେକ ଯେ ପାଚିଲା କିରାଟୀ ।୯୮।

ଫୁ ଫୁ କାରେ ପାଣିରୁ ସେ ବାହୁଡ଼ିବା ବେଳେ

ଆକ୍ରେଷିଣ ନାରାଜ ପାଥ ବିନ୍ଧିଲା ଅବନୀଳେ ।୯୯।

ବାମ ଅଙ୍ଗେ ପଡ଼ି ନାରାଜ ଡାହାଣ ଅଙ୍ଗେ ନିକିଳି

ଶରଘାତେ ଗଣ୍ଡାଗୋଟି ପଡ଼ିଲାକ ମହୀଢଳୀ ।୧୦୦।

ଧାଇଂ ଯାଇଂ ସନ୍ନିଧ୍ୟେ ମିଳିଲେ ଧନୁର୍ଜୟେ

ପଡ଼ିଅଛି ଗଣ୍ଡାଜୀବ ରସାଣିଲା ସୁବର୍ଣ୍ଣର ପ୍ରାୟେ ।୧୦୧।

ଝଲକନ୍ତି ହୀରା ମାଣିକ୍ୟ ଶୁଦ୍ଧମଣି

ଅମୂଲ୍ୟ ରତନ ଯେ ମୂଲ୍ୟ ନାହିଂ ପୁଣି ।୧୦୨।

ମୁଣ୍ଡ କନ୍ଧ ତୁଣ୍ଡ ତା ସର୍ବ ରତ୍ନମୟେ

ଅଷ୍ଟରତ୍ନେ ଘଟିତ ଆଦିତ୍ୟ କିରଣ ପ୍ରାୟେ ।୧୦୩।

ଅର୍ଜୁନ ବିଚାରଇ ସେ ଗଣ୍ଡାରେ ମୋର କାର୍ଯ୍ୟ

ପରଦ୍ରବ୍ୟ କେମନ୍ତେ ମୁଂ କରିବି ଗ୍ରାହିଜ୍ୟ ।୧୦୪।

ୟେଥି ଅବା ଧନମାନ ଯିବଇଂ କୁଢାଇ

ଆନଇ ସେ ନେମ ତାହାର ପାଇଂ ନାହିଂ ।୧୦୫।

ଦଣ୍ଡକ ୟେହି ଠାବରେ ସେ ଜଗି ମୁହିଂ ଥିବି

ଗଣ୍ଡା ଯେ ଲୋଡ଼ି ଆସିବ ତାହାକୁ ରତ୍ନମାନ ଦେବି ।୧୦୬।

ପିତୃକାର୍ଯ୍ୟ ନିମନ୍ତେ ମୁହିଂ ମାଇଲହିଂ ଗଣ୍ଡାଜୀବ

ପରଧନ ହରନ୍ତେ ଦୋଷ ମୋତେ ଲାଗିବ ।୧୦୭।

ସେ ଗଣ୍ଡା ଉପରେ ଘୋଡ଼ାଇଲା ଲତା ଲୋଚିୟେ

ମାଧବୀ ଲତାର ତଳେ ଜଗି ବସିଲା ଧନୁର୍ଜୟେ ।୧୦୮।୧୪୩୩୪।

 

Unknown

ନାଗାର୍ଜୁନ କର୍ତ୍ତୃକ ଅର୍ଜୁନର ମୃତ୍ୟୁ

ଆହୋ ରାଜନ ପାତାଳେ ବନ୍ଦାପନା ଯେ ନାଗା ଅରଜୁନ

ସନ୍ଧ୍ୟାବାଳୀ ଅର୍ଘ୍ୟ ଦିଅଇ ଯେ ମଙ୍ଗଳ ବିଧାନ ।୧।

ଅର୍ଘ୍ୟ ଘେନିମାର ବେଳେ ସେ ନାଗୁଣୀର ତନୟେ

ବାମ ନୟନ ଫୁରଇ ବିଷାଦ ତାର କାୟେ ।୨।

ଆସନ ତେଜି କୁମର ଧାତିକାରେ ଉଠି

ମା ଗୋ କପିଳାସେ ହୋଇଲା କେବଣ ଅରଷ୍ଟି ।୩।

କେ ଅବା ହର ଉଦ୍ୟାନ ବନ ନାଶକଲା

ପାର୍ବତୀଂକ ଗଣ୍ଡଗୋଟି କେ ଅବା ମାଇଲା ।୪।

ନାଗୁଣୀ ବୋଇଲା ବାବୁ ଗଣ୍ଡାଜୀବ ଅର୍ଥେ

ପାଣ୍ଡବେ ବୁଲୁ ଥାଆନ୍ତିଟି ବେଣ୍ଟ ବିନୋଦ ନିମନ୍ତେ ।୫।

ମାତାର ଅଗ୍ରତେ କହଇ ନାଗାଅରଜୁନ

ମାଗୋ କାହିଂ ହସ୍ତିନା କାହିଂ ହର ଉଦ୍ୟାନ ବନ ।୬।

ଚଉଷଠୀ ଯୋଜନ ଅନ୍ତେ ଅଟଇ କପିଳାସ

ୟେଥି କାହିଂ ଲୋଡ଼ୁ ମା ଗୋ ପାଣ୍ଡବଂକର ପ୍ରକାଶ ।୭।

ବାବୁ ଜମ୍ବୁଦ୍ୱୀପ ମଧ୍ୟରେ ପାଣ୍ଡବେ ମହାସ୍ୱାମୀ

ଲକ୍ଷେ ଯୋଜନ ନିମିଷେକ ସେ ପାରନ୍ତି ଗମି ।୮।

ବାବୁ ତୋହୋର ପିଅର ଅରଜୁନ

ନୀଳେନ୍ଦୀ ଦଳ ଜିଣି ତାହାର କାୟେ ଶୋଭାବନ ।୯।

ଆକୁଞ୍ଚିତ କେଶ ଜୂଡା କପୋଳ ୟେକ ତୁଲେ

ଦ୍ରହସିତ ବଦନ ନାସିକା ଗରୁଡ଼ ଚଞ୍ଚୁ ଜାଣି ଅମୂଲ୍ୟ ।୧୦।

ଶ୍ରବଣେ ଶୋଭାବନ ଅମୃତକୁଣ୍ଡ ବେନି

ଦୁତୀୟ ନାମ ତାହାର ବହଇ ଫାଲଗୁନି ।୧୧।

ରକତତାମ୍ର ପ୍ରାୟେ ଦିଶଇ ବେନିଡୋଳେ

ଡାଳିମ୍ବ ପୁଷ୍ୟ ପ୍ରାୟେ ଦିଶଇ ଅଧର ବିମ୍ବହୁଳ ।୧୨।

କ୍ଷୁଦ୍ରହୀରା ପ୍ରାୟେକ ଦିଶଇ ଦନ୍ତପତି

ଅଣ୍ଡିର କୋକିଳ ପ୍ରାୟେ କହିବାର ରୀତି ।୧୩।

ବାବୁ ଅପ୍ରୀତି ବାକ୍ୟ ସେ ନ କହଇ କଦାଚିତେ

ଗୁଣ ସାଗର ନାଥ ୟେ ସୁଦୟା ଅନୁବ୍ରତେ ।୧୪।

ଦୁଖୀଜନ ଉଦ୍ଧାରଣ ସେ କଇଚ୍ଛା ଜଗଜ୍ଜେଠୀ

ଆରେକ ନାମ ତାହାର ଦୁତୀକୃଷ୍ଣ ଗୋଟି ।୧୫।

ଉଚ୍ଛର୍ଗ ଗଣ୍ଡଦେଶ କୁନ୍ଦରେଖା ଘଟମା ଜାଣି

କଣ୍ଠତଟେ ଶୋଭାବନ ସୂର୍ଯ୍ୟାବ୍ରତେକ ମଣି ।୧୬।

ବାବୁ ଯେଉଂଣ ଥାନେ ଥାଇ ତୋହୋର ପିତା ଧନୁର୍ଜୟେ

ରାତ୍ରହିଂ ଦିଶୁଥାଇ ଯେ ଦିବସ ପରାୟେ ।୧୭।

ବାବୁ ପ୍ରଳମ୍ବ ବାହୁ ଆକ୍ରଷଣ ଭୁଜବେନି

ଲକ୍ଷେବଳ ଗାଣ୍ଡିମ ଧନୁ କରେଣ ଥାଇ ଘେନି ।୧୮।

ପିତା ମୋହୋର ଦେଇଅଛି ଅଭୟେ ମାଣିକ୍ୟ ମଣିମାଳି

ହୃଦଗତେ ଥାଇ ତାହାର ଅନୁବ୍ରତେ ଲୁଳୁ ।୧୯।

ବିସ୍ତାର ବକ୍ଷସ୍ଥଳ ସଂକୀର୍ଣ୍ଣ ଅଙ୍ଗୁଷ୍ଠି ।୨୦।

ବାବୁ ଜାନୁ ବେନି ସୁଘଟଣ ଉଲଟ କଦଳୀ

ଅବନୀ ଆକ୍ରଷଣେ ଲୀଳାଗତି ଚାଳି ।୨୧।

କେଶରୀ ପଟାନ୍ତର ତାହାର ପ୍ରକୃତି

ଆକ୍ରଷଣେ ଗଜଯୂଥ ଯେହ୍ନେ ସିଂଘର ମୂରତି ।୨୨।

ରକତ କୁମୁଦ ପ୍ରାୟେ ପାଦର ତଳିକାନ୍ତି

ଦୁଇପାଦ ତଳିର ପଦ୍ମଚିହ୍ନ ବସନ୍ତି ।୨୩।

ମରୁତର ସମାନେ ତାର ଅଟଇ ବଡ଼ିମା

ପ୍ରଶୁରାମ ସାରିକ୍ଷେ ଯେ ତେଜର ଗାରିମା ।୨୪।

ବାବୁ କୋପ ବିକାଶଇ ଯେ ନରସିଂଘ ତେଜ

ଗାଣ୍ଡିମ ଧନୁ ଅକ୍ଷୟେ ତ୍ରୋଣ ଶୋହଇ ନାରାୟଣ ଶହସ୍ର ଭୁଜ ।୨୫।

ବାବୁ ପିଠି ଦିଶଇ ତାର ରସାଣ ପତ୍ର ପ୍ରାୟେ

ଇନ୍ଦ୍ର ଦେବତାର ସେ ଅଟଇ ତନୟେ ।୨୬।

ପଞ୍ଚୁକଟକେ ଠାକୁର କୋଇନ୍ତା ଦେବୀ ମାତା

ବେଦ ମନ୍ତ୍ର ଶାହାସ୍ରେ ସେହୁ ଅଟଇ ନିର୍ଜାତା ।୨୭।

ହନୁମନ୍ତ ବିବାଦେ ସେ ଶରେ ସାଗରକୁ ବିନ୍ଧି

ପାର୍ଥ ନାମ ବହିଲା ସେ ଦ୍ରଶନେ କାର୍ଯ୍ୟସିଦ୍ଧି ।୨୮।

ବାବୁ ବିଭତ୍ସ କର୍ମେ ସେ ଯେ ନ ମାରନ୍ତି ରଣେ

ବିବତ୍ସ ନାମ ଗୋଟିକି ବହନ୍ତି ପୁଣ ତେଣେ ।୨୯।

ଯୁଝେଷ୍ଠିର ଦେବଂକର ଚରଣେ ନିତ୍ୟ ବନ୍ଦନ

ଜ୍ୟେଷ୍ଠ ସାହୋଦ୍ର ଯେ ପବନ ନନ୍ଦନ ଭୀମସେନ ।୩୦।

ନକୁଳ ସହଦେବ ଯେ ଅଟଇ ସାନୁଜ

ଅଭେଦ ଆତ୍ମା ଅଟନ୍ତି ଜଗନ୍ନାଥ ଦେବରାଜ ।୩୧।

ବାବୁ ଅପାର ଗୁଣ ତାଂକର କହଇ ତୋ ଆଗେ

ବଧୀର ପ୍ରାୟ ହୋଇ ନ ଶୁଣୁ ବେଗେ ବେଗେ ।୩୨।

ନାଗା ଅର୍ଜୁନ ବୋଲେ ମାତ ଶୁଣିଲଇଂ ମୁହିଂ

ବହନ ଯିବି ମା ଗେ ନୁଆରଇ ରହି ।୩୩।

ୟେ ମୋହୋର ଶରୀର ମା ଗୋ ବଡ଼ଇ ବିଷାଦ

ନିଶ୍ଚୟେ କପିଳାସ ଗୋ ପଡିଲା ପ୍ରମାଦ ।୩୪।

ମାତାକଇଂ ବିନୋୟୀ ହୋଇ ଚଳଇ କୁମର

ପାତାଳସ୍ୱର୍ଗ ପୁରୁଂ ସେ ହୋଇଲା ବାହାର ।୩୫।

କୋପେଣ ଧାମଇଂ ସେ ନାଗୁଣୀର ତନୁ

ଶ୍ରୀଭୁଜେ ଶୋଭାବନ ପିନାକ ସମାନେ ଧନୁ ।୩୬।

ଅକ୍ଷତ୍ରତ୍ରୋଣ ବେନି ବସିଛି ବାମ ଯେ ଡାହାଣ

ପଶୁପତ୍ର ପ୍ରଶୁ ଯେ ଡାହାଣ ଭୁଜେଣ ।୩୭।

କାଳଚକ୍ର ପ୍ରାୟେକ ବୁଲାଇ ବେନି ଡୋଳା

ହର ଉଦ୍ୟାନ ବନେ ପ୍ରବେଶ ନାଗୁଣୀର ବଳା ।୩୮।

ଦେଖଇ ବନସ୍ତ ଯେ ସମସ୍ତ ଅଛଇ ଭଲେ

ପାର୍ବତୀଂକ ଗଣ୍ଡାଗୋଟି ନାହିଂ ଜୀବଂକର ତୁଲେ ।୩୯।

ବିଚାରଇ ବନସ୍ତକୁ ଅବା ବିଜେକଲେ ଗଉରା ହର

ଗଣ୍ଡାଗୋଟି ଗୋଡ଼ାଇ ଗଲା ଅବା ତାହାଂକ ସଙ୍ଗତର ।୪୦।

ବାହାର କୁମରମଣି ହର ଉଦ୍ୟାନ ବନୁଂ

କପିଳାସେ ପ୍ରବେଶ ଯାଇଂ ନାଗୁଣୀର ଜନୁ ।୪୧।

ନିଅଡ଼େ କପିଳାସେ ଲୋଡ଼ଇ ନିରେଖି

ଗଣ୍ଡାଜୀବ ଗୋଟିକି ବୀର ନ ପାଇଲା ଦେଖି ।୪୨।

ଆନ କିଛି ବିଅର୍ଥ ତ ନାହିଂ କପିଳାସେ

ଗଣ୍ଡା ଲୋଡ଼ି ନ ପାଇ ସେ ଧାମଇଂ ବିରସେ ।୪୩।

କି ଅବା ଗଣ୍ଡାଗୋଟି ଯାଇଅଛି ପାଣି ହେରି

ନଦୀକୂଳ ଲୋଡ଼ଇ ନାଗା ଅର୍ଜୁନ ଅନୁସରି ।୪୪।

ଲତା ଲୋଚିୟେକ ତାହାର ଉପରେ ଘୋଡ଼ାହୋଇ

ଦେଖିଲା ଗଣ୍ଡାଗୋଟି ଅଛି ତହିଂ ଶୋଇ ।୪୫।

ଧାଇଂ ଧାଇଂ କୁମର କାଢ଼ାଇ ଲୋଚି

ଦେଖିଲା ଗଣ୍ଡା ବକ୍ଷସ୍ଥଳେ ନାରାଜ ଫୁଟିଅଛି ।୪୬।

ମହାଯନ୍ତ୍ର ନିବିଡ଼ ପ୍ରାୟେ ଦେହେ ଫୁଟି

ତାଳେକ ଗମ୍ଭୀରେ ଯେ ଶର ତଳକୁ ଅଛି କଣ୍ଟି ।୪୭।

ଆକ୍ରେଷି ତୋଳିଣ ନୁଆରିଲା ତାହା ଚାଳି

ଶରୀରେ ଜୀବନ ନାହିଂ ରୁଧିର ପଡ଼ଇ ଗଳି ।୪୮।

ଦେଖିଣ ନାଗାର୍ଜୁନର ଉଡ଼ିଲା ସାହସ

କଟାକ୍ଷ ନୟନେ ବୀର ଚାହଂଇ ଚଉପାଶ ।୪୯।

ବୋଇଲା ମୋହୋର ଗଣ୍ଡା କେ ମାଇଲା ତ୍ରଇଲୋକ୍ୟେ

ମାନବ ଚାର ହୋଇ କେ ହୋଇଲା ୟେଡେ ଶକ୍ୟେ ।୫୦।

ଯଦ୍ୟପି ବ୍ରହ୍ମା ଇନ୍ଦ୍ର ହୋଇବ କୁବେର

ତିରଣ ପ୍ରମାଣେ ମାୟେଂସ କାଟିବି ତାହାର ।୫୧।

ଯଦ୍ୟପି ଚନ୍ଦ୍ର ସୂର୍ଯ୍ୟ ପବନ କତାନ୍ତଇ

ୟେମନ୍ତ ସମୟେ ଦେଖିଲେ କି ସେ ଆଜ ବ୍ରତଇ ।୫୨।

ଯଦ୍ୟପି ପକ୍ଷ ରାକ୍ଷସ ହେଇବ ବନମାଳୀ

କାଟିଣ ମାୟେଂସ ତାହାର ଦେବି ବିଷାବଳି ।୫୩।

ପ୍ରତଗ୍ୟାଂ ଶୁଣି ତୁନି ହୋଇଥିଲା ଫାଲଗୁନି

କୃଷ୍ଣର ପ୍ରତଗ୍ୟାଂ ଶୁଣି ବୀର ସହି ନୁଆରିଲା ପୁଣି ।୫୪।

ଲତାର ଭିତରୁ ବାହାର ହୋଇଲା ସର୍ବସାଚୀ

ଦେଖିଣ ନାଗା ଅର୍ଜୁନକୁ ନ ଫୁରଇ କିଛି ।୫୫।

ନାଗା ଅର୍ଜୁନ ବୋଇଲେ ଆହୋ କିରାତ ଭାଇ

ମୋହୋର ଗଣ୍ଡାଗୋଟି କେ ମାଇଲା ଦେଖିଲୁ କି ତୁହି ।୫୬।

ଅର୍ଜୁନ ବୋଇଲା ତୁ ଶୁଣ ଆହୋ ତପୋଧନି

ଗଣ୍ଡାର ତହୁଂ ରତ୍ନମାନ ଯାଅ ଯା ତୋହୋର ଘେନି ।୫୭।

ମୋହୋର କାର୍ଯ୍ୟ ଅର୍ଥେ ମୁଂ ମାଇଲି ଗଣ୍ଡାଗୋଟି

ୟେ ରତ୍ନମାନ ନିମନ୍ତେ ମୁଂ ଜଗି ବସିଅଛି ହେଟି ।୫୮।

ଶୁଣିଣ କୋପକଲା ଯେ ନାଗାଅର୍ଜୁନ ମହାବୀରା

ତୁହି ସେ କାଳସର୍ପ ଚାଳିଲୁ ରେ ଶବରା ।୫୯।

ଆରେ ପାର୍ବତୀଂକର ଗଣ୍ଡା ୟେ ରୁଦ୍ର ଦେବତାଂକର ବାହାନ

ଶରଧାୟେ ବିଜେ ୟେଥେ କରନ୍ତି ଦେବତ୍ରିଲୋଚନ ।୬୦।

ଆରେ ରେ ଶବରା ବିଷମ ଖଡ଼ିଆଳିଲୁ ସଂହାଥେ

ପର୍ବତକଇଂ ରେ ପାତିଲୁ ନିଜ ମାଥେ ।୬୧।

ସୁମର ରେ ଶବରା ତୋହୋର ପିତାମାତା

ସୁମର ଶବରାରେ ତୋହୋର ଇଷ୍ଟକୁଳ ଦେବତା ।୬୨।

ଅର୍ଜୁନ ବୋଇଲା ରେ ଅଗ୍ୟାନ ତପନିଷ୍ଠି

ରତ୍ନମାନ ନିଅ ତୋହୋର ମୁଂ ନେମଇ ଗଣ୍ଡାଗୋଟି ।୬୩।

କୋପେଣ କୋହନଳ ସେ ନାଗୁଣୀର ବତ୍ସା

ଯୋଚିଲା ନାରାଜ ବୋଇଲା ଆଜ କେ କୁରୁ ତୋତେ ରକ୍ଷା ।୬୪।

ଆହୋ ବଇବସୁତ ମନୁ ସେ ପିତାପୁତ୍ର ଅଟନ୍ତି ଯେ ବେନି

କିରାତ ରୂପ ତାର ନାଗା ଅରଜୁନ ନୁଆରିଲା ଚିହ୍ନି ।୬୫।

ଲୁହାର ପଞ୍ଚୁ ନାରାଜ ପରିଘ ତୀଖମୁନା

ଆକ୍ରେଷି ନାଗା ଅର୍ଜୁନ ଭେଦିଲା ତାର ସେହ୍ନା ।୬୬।

ଅର୍ଜୁନର ପାଦତଳେ ପଡ଼ିଲା ପଞ୍ଚୁଶର

ପଚ୍ଛୀ ପ୍ରାୟେକ ହୋଇ ଯେ ପଡ଼ିଲା ଭୂମିର ।୬୭।

ପୁଣିହିଂ ଦଶ ନାରାଜ ଅବଲୀଳେ ବିନ୍ଧିଲା ମହାବଳେ

ପଡ଼ିଲେ ନାରାଜମାନ ଯାଇଂ ଅର୍ଜୁନ ପାଦତଳେ ।୬୮।

ଲାଘବ ଶରେଣ ପାଥକୁ ନୁଆରିଲା ଜିଣି

ପରିଘ ନାରାଜ ବିନ୍ଧିଲାକ ବୀର ଟାଣି ।୬୯।

ବୋଇଲା ତୁ ଯେବେ ହରପ୍ରସାଦଟି

ସେ କିରାତ ମୋଢାର ଯାଇଂ ଚ୍ଛେଦ ଶିରଗୋଟି ।୭୦।

ସେ ପରିଘ ନାରାଜ ପଡ଼ିଲା ଅର୍ଜୁନ ପାଦତଳ ଉପରେ

ରୋମେ ରୋମେ ରୁଧିର ଗଳିଲା ଅଷ୍ଟାଙ୍ଗ ଶରୀରେ ।୭୧।

ଘାୟେଣ ଧନୁର୍ଜୟେ କଲା ମହାକୋପ

ଯଷ୍ଟି ପ୍ରହାରେ ଯେହ୍ନେ ଗର୍ଜଇ କାଳସର୍ପ ।୭୨।

ଫିରିକି ନାରାଜେକ ବିନ୍ଧିଲା ଫାଲଗୁନ୍ୟ

ନାଗା ଅର୍ଜୁନ ମୁଖେ ଦିଲାକ ଚୁମ୍ବନ ।୭୩।

ପୁଣ ପୁଣ ନାଗା ଅର୍ଜୁନ ପ୍ରହାର କରଇ ଶର

ସମସ୍ତ ନାରାଜ ପଡ଼ଇ ଅର୍ଜୁନର ପାଦତଳେ ।୭୪।

ଅର୍ଜୁନ ବାଣ ଯେ ବିନ୍ଧଇ ଅବିଚ୍ଛନ୍ନେ

ନାଗାଅର୍ଜୁନ ମୁକେ ଦିଲେକ ଚୁମ୍ବନେ ।୭୫।

ଯଦ୍ୟପି ପିତାପୁତ୍ର ଯେ ହୋଇଲେ ଅନ୍ୟୋଅନ୍ୟି

ନରାଜେ ଧର୍ମ ନ ଛାଡ଼ନ୍ତି ସେ ଅଟନ୍ତି ମହାଗ୍ୟାନୀ ।୭୬।

ସେହୁ ସହସ୍ରେ ନାଗା ଅର୍ଜୁନ ନୁଆରିଲା ଜିଣି

କୋପେଣ ଦେବଶହସ୍ର ଆଧାନ କଲା କୁମରମଣି ।୭୭।

ଆର୍ଦ୍ରାବଳୀ ଶହସ୍ର ବିନ୍ଧିଲା ଯେ ସନ୍ଧ୍ୟାବାଳୀର ତନୟେ

ଦିଶିଲା ନାରାଜ ଯେ ଜୁଳୁଜୁଳା ପୋକ ପ୍ରାୟେ ।୭୮।

ବାରୁଣା ଶହସ୍ର ଯେ ବିନ୍ଧିଲା ଫାଲଗୁନି

ନାଗା ଅର୍ଜୁନ ସହସ୍ରମାନ ସବୁ ପକାଇଲା ଛିନି ।୭୯।

ପର୍ବତାଶହସ୍ରେକ ବିନ୍ଧିଲା ନାଗା ଅରଜୁନ

ବଜ୍ରା ଶହସ୍ରେ ତାହା ଚ୍ଛେଦିଲେ ଫାଲଗୁନ୍ୟ ।୮୦।

ପନ୍ନଗା ଶର ଯେ ନାଗା ଅର୍ଜୁନ ପେଷି

ଗରୁଡ଼ା ଶହସ୍ରେ ତାହା ଅର୍ଜୁନ ବିନାଶି ।୮୧।

କୁହୁକା ନାରାଜ ଯେ ପେଷିଲା କୁମର

ପୃଥିବାଯାକ ସମସ୍ତ ଯେ ହୋଇଲା ଅନ୍ଧକାର ।୮୨।

ସୂର୍ଯ୍ୟାବ୍ରତେକ ଶର ବିନ୍ଧିଲା ସର୍ବସାଚୀ

ଫିଟିଲା କୁହୁଡ଼ି ଯେ ନ ରହିଲା କିଛି ।୮୩।

ଅଗ୍ନିଶସ୍ର ନାଗା ଅର୍ଜୁନ କଲାକ ଆଧାନ

ମହାଅନଳ ଶିଖା ଯେ ଘୋଟିଲା ଗଗନ ।୮୪।

ଅଗ୍ନିତେଜେ ପଳାଇେଲ ଶୂନ୍ୟପୁରୁଷମାନେ

ଅର୍ଜୁନ ରଖ ରଖ ବୋଲି ଶୁଭିଲା ଗଗନେ ।୮୫।

ଆକ୍ରେଷି ଅର୍ଜୁନ ଯେ ମେଘଶସ୍ର ପେଷି

ଅଗ୍ନିର ତେଜ ଲିଭିଲା ଜଳ ଯେ ବରଷି ।୮୬।

ଅର୍ଜୁନ ଅନେକ ଶର ବିନ୍ଧିଲା ପରିକଚ୍ଛ

ସାଧୁ ସାଧୁ କିରାତ ରେ ଜୀବନ ତୋହୋର ସାଚ ।୮୭।

ମୁହିଂ ଜଗୁଜିତାରେ ରୁଦ୍ର ଦେବତାଂକର ପ୍ରସନ୍ନେ

ଯାହାର ନାରାଜକୁ ତ୍ରାସନ୍ତି ଦେବଗଣମାନେ ।୮୮।

ସ୍ୱର୍ଗ ମଞ୍ଚ ପାତାଳରେ ଜିଣନ୍ତା ମୋତେ କେହି ନାହିଂ

ୟେ ଶସ୍ରମାନ ଶବରାରେ ପାଇଲୁ ତୁ କାହିଂ ।୮୯।

ବହୁତ ଝିଂଘାସ କଲା ନାଗୁଣୀର ବଳା

ମୁହିଂ ବୀରବରରେ ଛତ୍ରୀ ଅନର୍ଗଳା ।୯୦।

ଅର୍ଜୁନ ବୋଇଲା ତୁ ମୋଢା ଅଗ୍ୟାନ ତପୁସୀ

ବଡ଼ଜଣର ପୁତ୍ର ହୋଇ ମରଣେ କିଂକେ ପଶି ।୯୧।

ମୋହୋ ଚରିତ ତୋର ନାହିଂ କିରେ ଶୁଣିଲା

କିମ୍ପେ ତୋର ଆଗେ ରୁଦ୍ର ଦେବତା ନ କହିଲା ।୯୨।

ଆରେ ଖାଣ୍ଡେବ ବନ ମୁଂ ଦହିଲି ହାଦେ ହେଳେ

ଅଗ୍ନିଦେତାଂକୁ ମୁଂ ଆରୋଗ୍ୟ କଲି ମୋହୋର ବୁଦ୍ଧି ବଳେ ।୯୩।

ପଞ୍ଚାଳ ଦେଶେ ବିବାଦେ ରାଧାଚକ୍ର ବିନ୍ଧି

ଲକ୍ଷେ ନୃପତିଂକି ମୁଂ ରଲାଇଂ ହାଦେ ସାଧି ।୯୪।

ଆରେ ଦ୍ୱାରକା ବିବାଦେ ରାମକୃଷ୍ଣଂକୁ ହେଳେ ଜିଣି

ବଳେ ଆଣିଲିଟି ଜଗନ୍ନାଥଂକ ଭୟେଣୀ ।୯୫।

କଉଶିକ ବିବାଦେ ମୁଂ ରଖିଲି କପିଳାସ

ମୋହୋର ଚରିତ ରେ ଜାଣନ୍ତି ବିଶ୍ୱବାସ ।୯୬।

ଆରେ କିରାତ ରୂପରେ ମୁଂ ଜିଣିଲି ଈଶ୍ୱରଂକୁ

ଭୟେଣ ଧନୁ ତ୍ରୋଣ ଦିଲେ ରୁଦ୍ର ମୁକୁ ।୯୭।

ଉତ୍ତର ଦିଗ ବିଜେ ସକଳ ରାଜାନ୍ତ ସାଧି

ଜଗୁଜିତା ଯମାଗୋଷ୍ଠ ରାଜାକୁ ରଥ ରେ ଆଣିଲଇଂ ବାନ୍ଧି ।୯୮।

ନିର୍ବାତକପତ ମାରି ସ୍ୱର୍ଗ ଉଦ୍ଧରିଲି

ଦେବ ଦାନବ ମାନବ କେହୁ ମୋର ଆଗେ ମିଳି ।୯୯।

ଆରେ ପାତାଳ ଦିଗ ବିଜେକଲି ରାଜୁସି ଯାଗକାଳେ

ନବଦୀପା ପୃଥୀ ମୁଂ ଧଇଲି ଧନୁହୁଳେ ।୧୦୦।

ଶରେ ଶରେ ସାଗର ମୁଂ ବାନ୍ଧିଲି ସେତୁବନ୍ଧ

ନାଗେଣୀ ବଳ ଜିଣିଲି ହନୁମନ୍ତର ବିବାଦ ।୧୦୧।

ଆରେ ରୁଦ୍ରଦେବତାଂକୁ ମୁଂ ଅନେକ ଉପୁଗାରି

ତୁ ଛାର ତପୁସୀରେ କି ହୋଇବୁ ମୋତେ ସରି ।୧୦୨।

ଆରେ ମୋହୋର ପିତୃକାର୍ଯ୍ୟ ଅର୍ଥେ ତୋହୋର ଗଣ୍ଡାଜୀବ ମାଇଲି

ତୋତେ ନ ଲଂଘଇ ରେ ତୁ ବାଳୁତ ପୁତ୍ର ବୋଲି ।୧୦୩।

ଅର୍ଜୁନର ବଚନେ ନାଗା ଅରଜୁନ ହସି

ହଟକାର ଲୋକେ ପ୍ରାୟେ ତୁ ମୋତେ ପ୍ରତଗ୍ୟାଂ ବହୁତ ଭାଷି ।୧୦୪।

ଯଦ୍ୟପି ପ୍ରତଗ୍ୟାଂ ରେ କରନ୍ତି ମତ୍ତନାଗେ

ସେ କି ରହି ପାରନ୍ତି ହୋ ଖଗେଶ୍ୱର ଆଗେ ।୧୦୫।

ଆରେ ଯଦ୍ୟପି ପ୍ରତଗ୍ୟାଂବନ୍ତ ହୁଅନ୍ତି ଦଇତେ

ନାରାୟଣ ଦ୍ରୋଚ୍ଛନାୟେ ଅସୁରେ ବ୍ରତନ୍ତି କେମନ୍ତେ ।୧୦୬।

ଆରେ ପ୍ରତଗ୍ୟାଂ ଯେ କରନ୍ତି ଗଜଯୂଥେ

କେତେବେଳେ ବ୍ରତିଚ୍ଛେ ସେ କେଶରୀ ଅଗ୍ରତେ ।୧୦୭।

ଯଦ୍ୟପି ପ୍ରତଗ୍ୟାଂବନ୍ତ କରିବେ ବୃକ୍ଷମାନେ

ପବନ ବିଘାତେ କି ଆରମ୍ଭେ ଥାନ୍ତି ବନେ ।୧୦୮।

ଯଦ୍ୟପି ପ୍ରତଗ୍ୟାଂବନ୍ତ ବହନ୍ତି ତିରଣରାଶି

କିଞ୍ଚିତ ହୁତାଶନେ ହୋଅନ୍ତି ସବୁ ଧ୍ୱଂସି ।୧୦୯।

ଆରେ ଯଦ୍ୟପି ବିଶ୍ୱରୂପ ହୋଅନ୍ତି ନିଶାଚର

ସେ କି ରହି ପାରନ୍ତି ରେ ଦୁର୍ଗାଂକର ଛାମୁରେ ।୧୧୦।

ଅର୍ଜୁନ ବୋଇେଲ ରେ ତୁ ଯୋଗୀ ତପୁସୀ

ମାଇଲେ ଯଶ ନାହିଂ ଜନ୍ମେଣ ଭିକ୍ଷାସୀ ।୧୧୧।

ଅର୍ଜୁନ ବଚନ ନାଗାଅର୍ଜୁନ ଶୁଣି

ଗର୍ଜଇ କୁମରମଣି କାଳସର୍ପ ଜାଣି ।୧୧୨।

କୋପେ ନାଗାଅର୍ଜୁନ ଧଇଲା ଶୂଳ ଶକତି

କୋଟିୟେ ସୂର୍ଯ୍ୟ କିରଣ ଯେବଣ ଶୂଳ ଶକତିର ଜ୍ୟୋତି ।୧୧୩।

କାଳଚକ୍ର ପ୍ରାୟେକ ନୟନ ଅଧରେ ଦନ୍ତ ଚାପି

ଅନ୍ତରିଚ୍ଛେ ବୁଲାଇ ସେ ବାଳୁତ କାମରୂପୀ ।୧୧୪।

ମଲୁରେ ଶବରା ତୁ କିଞ୍ଚିତ ଅପରାଧେ

ଭଲ ଜଣେ ନାଶଗଲୁ ରେ ଗଣ୍ଡାର ବିରୋଧେ ।୧୧୫।

ଶକତି ବୁଲାଇ ପେଷିଲା ନାଗୁଣୀର ଶିଷି

ଅମୋହା ଶହସ୍ର ଘେନି ଅର୍ଜୁନ ତାହା ନାଶି ।୧୧୬।

ନାଗା ଅର୍ଜୁନ ମାଇଲା ବଜ୍ର ମୁଦୁଗରେ

ଅର୍ଜୁନ ଛେଦିଲା ତାହା ନବନିଶି କୋଠାରେ ।୧୧୭।

ମେଘ ଶହସ୍ରେକ ଯେ ମାଇଲା ନାଗା ଅରଜୁନେ

ପୃଥିବୀ ଅନ୍ଧାର ହୋଇଲା ତାହାର ଗରଜନେ ।୧୧୮।

ନିର୍ଘାତ ବାଣେକ ଅନଳ ବଜ୍ରସୂଚୀ

ୟେକା ନାରାଜକେ ତ୍ରଇଲୋକ୍ୟ ଘୋଟି ଯାଉଅଛି ।୧୧୯।

ଦେଖିଣ ଅର୍ଜୁନ ସେ ବହୁତ ପ୍ରଶଂସା କଲା

ଧନ୍ୟ ଧନ୍ୟ ବାଳୁତରେ ତୋତେ ଯେହୁ ଜାତକଲା ।୧୨୦।

ସାଧୁ ସାଧୁ ତପୁସୀରେ ଯେ ତୋହୋର ପିତା

ସାଧୁ ରେ ତପୁସୀଆ ଯେ ତୋହୋର ମାତା ।୧୨୧।

ଆରେ ତୋତେ ଜାତକଲା ଯେବଣ ଜନନୀ

ୟେକା ନିମିଷକରେ ଜୀବନ ତାହାର ଧନି ।୧୨୨।

ଯେ ତୋହୋର ପିତା ସେ ରେ ସାମାନ୍ୟ ଜନ ନୋହୋଇ

କ୍ଷତ୍ରୀବନ୍ତ ବୁଦ୍ଧିବନ୍ତ ପଣେ ତୁ ଜଗୁଜନ ମୋହି ।୧୨୩।

ବହୁତ ପ୍ରଂଶସା କଲା ତାକୁ ପାଣ୍ଡବେ ଫାଲଗୁନି

ଆକ୍ରେଷି ବିନ୍ଧିଲା ସେ ପବନା ଶହସ୍ରେକ ଘେନି ।୧୨୪।

ମହାରୋଷଭରେ ପବନା ଶହସ୍ର ଯେ ପଡ଼ି

ଦଶଦିଗ ମେଘେ ଫାଟି ପଳାଇଲେ ସର୍ବେ ଉଡ଼ି ।୧୨୫।

ନାଗାଅର୍ଜୁନ ବୋଇଲା ସାଧୁ ସାଧୁ ଶବରା

ତୋତେ ନାଶକରି କିସ ଯଶ ଅର୍ଜିବ ଯମରା ।୧୨୬।

କିରାତ ହୋଇ ତୁରେ ୟେଡ଼େ ବଳବନ୍ତା

ଆଦିହୁଂ ଜାଣିଲେ ତୋହୋର ମୋହୋର ପୀରତି ବଢ଼ନ୍ତା ।୧୨୭।

ତୋହୋର ପରାୟେକ ରେ ଗୁଣବନ୍ତ ପୁରୁଷ ଗୋଟି

କିଞ୍ଚିତ ଦୋଷେ କେମନ୍ତେ ରେ ତୋତେ ପକାଇବି କାଟି ।୧୨୮।

ପୁଣ ପୁଣ ପ୍ରତଗ୍ୟାଂ ସେ କରଇ ବାଳଶିଷି

କୋପେଣ କୁମର ଯେ ପେଷିଲା ନାଗଫାଶି ।୧୨୯।

ଅର୍ଜୁନ ଗରୁଡ଼ା ଶରେ ଯେ ମାଇଲା କୂତୁହୋଳେ

ଭୟେଣ ନାଗମାନେ ଯାଇଂ ପଶିଲେ ପାତାଳେ ।୧୩୦।

ଅବିଶ୍ରାମ ସମର ହୋଇଲା ପିତା ପୁତ୍ରେ

ଦିବାରାତ୍ର ଯୁଦ୍ଧ ଯେ ହୋଇଲା ତିନିଦିନ ପରିଯନ୍ତେ ।୧୩୧।

କ୍ଷୁଧାରେ କୁମର ଯେ କୋପେ କାଳାନଳ

ଧ୍ୟାୟେଣ ସୁମରିଲା ନାରାଜ ମହାକାଳ ।୧୩୨।

କରେଣ ଖପର କଟାଳ ବିକଟାଳ ଭୟାଂକାର

ହୃଦେ ଯେ ମୁଣ୍ଡମାଳ କେଶ ତା ଖାଂକର ।୧୩୩।

ଅନ୍ଧାର ଘୋର ଶରୀର ଲହ ଲହ ଜିଭ୍ୟା

ମନ୍ଦାର ପୁଷ୍ୟ ଆଭରଣ ମୂରତି ଦୁଲଭା ।୧୩୪।

ବିକଟାଳ ଦଶନ ତାର ରକତବର୍ଣ୍ଣ କାୟେ

ଦିଗାମ୍ବର ଲୋକେ ଦେଖି କଲେ ମହାଭୟେ ।୧୩୫।

ଆକାଶୁଂ ଆସି ନାଗା ଅର୍ଜୁନ ଛାମୁରେ ପରବେଶ

ବୋଇଲା କେ ତୋତେ ଅସାଧ୍ୟରେ ବହନ ମୋତେ ପେଷ ।୧୩୬।

ମହାକାଳ ଶର ବସାଇଲା ପିନାକ ନାମେ ଧନୁ

ସେ ଶବରାକୁ ଛେଦ ବୋଲି ବୋଇଲା ସନ୍ଧ୍ୟାବାଳୀର ତନୁ ।୧୩୭।

କୁମର ବଚନେ ମହାକାଳ ବାଣ କ୍ଷେପି

ୟେକା ନିମିଷେକେ ତିନି ଭୁବନେ ଗଲା ବ୍ୟାପି ।୧୩୮।

ମହା ତେଜବନ୍ତା ଯେ ମୂରତି ଭୟାଂକାର

କଟାର ବୁଲାଇଣ ମିଳିଲା ଅର୍ଜୁନ ଛାମୁର ।୧୩୯।

ଦେଖଇ ମହାକାଳ ସେ ଅଭୟେ ସୋମବଂଶୀ

ଅର୍ଜୁନକୁ ଦେଖି ମହାକାଳ ମନେ ତ୍ରାସି ।୧୪୦।

ବୋଇଲା ମହାକାଳ ତୁ ପାଣ୍ଡବ ଅରଜୁନ

ଅଗ୍ୟାନେ ପିତା ପୁତ୍ର ତୁମ୍ଭେ ହୋଇଲ ଅନ୍ୟୋଅନ୍ୟ ।୧୪୧।

ବାବୁ ଅର୍ଜୁନ ତୁ ଗଲୁ ପାତାଳ ଦିଗବିଜେ

ସନ୍ଧ୍ୟାବଳୀକି ପ୍ରଦାନ ତୋତେ କଲାକ ନାଗରାଜେ ।୧୪୨।

ବାବୁ ତୋହୋର ଥାଆନ୍ତେଣ ସେ ନାଗେଣୀ ଗର୍ଭବତୀ

ତାହାର ତହୁଂ ହୋଇଲା କୁମର ଉତପତ୍ତି ।୧୪୩।

ବାବୁ ୟେ ସେ ପୁତ୍ର ତୋହୋର ନାଗାଅରଜୁନ

ଈଶ୍ୱରକଇଂ ସେବାକରି ପାଇଲା ସମସ୍ତ ଶସ୍ରମାନ ।୧୪୪।

ହର ଉଦ୍ୟାନ ବନେ ୟେ ଗଣ୍ଡା କରଇ ରକ୍ଷା

ତୁ ତାହା ନାଶକଲୁ ଛତ୍ରୀବର ମହା କଇଚ୍ଛା ।୧୪୫।

ବାବୁ ଅନେକ ଶହସ୍ରେ ତୋତେ ନୁଆରିଲା ଜିଣି

ଅନିର୍ବାରଣ ଶର ମୋତେ ସନ୍ଧାନ କଲା ଆଣି ।୧୪୬।

ଅପାଲଟେକ ଶର ବାବୁ ଅଟଇ ହାଦେ ମୁହିଂ

ବ୍ରହ୍ମା ବିଷ୍ଣୁ ହୋଇଲେ ମୁଂ ନାଶକରି ଯାଇଂ ।୧୪୭।

ମନ୍ତ୍ର ସୁମରିଲେ ଆସଇ ପେଷିଲେ କରଇ ନାଶ

କାର୍ଯ୍ୟ ନ କରି ବାହୁଡ଼ିଲେ ପଶିତେ ନ ଦିଅନ୍ତି କପିଳାସ ।୧୪୮।

ବାବୁ ପୁତ୍ର ହୋଇଣ ପେଷିଲା ନ ଜାଣି ତୋତେ

ମୁହିଂ ୟେବେ ପାଥ ବାହୁଡ଼ି ଯିବଇଂ କେମନ୍ତେ ।୧୪୯।

ମୁକୁହିଂ ବ୍ରହ୍ମା ପଛେ ଦେଉ ଲଜ୍ଜା ଦୋଷ

ମୋହୋର ସମାନେ କରି ନାରାଜେକ ପେଷ ।୧୫୦।

ଅର୍ଜୁନ ବୋଇଲା ଦୁହିଂକର ଯୁଦ୍ଧେ

ସକଳ ଦେବଶସ୍ର ବିନ୍ଧିଲି ରଣ ମଧ୍ୟେ ।୧୫୧।

ତୋହୋର ସମାନେ ହୋଇ ମୋର ଦେବଶସ୍ର ନାହିଂ

ଯେହେନେକ ଅରଜିଛି କର୍ମେ ଭୁଞ୍ଜିବଇଂ ମୁହିଂ ।୧୫୨।

ମହାକାଳ ବୋଇଲା ମୁଂ ହୋଇଲି ଦୂଷିତ

ଆନ ନାରାଜ ଗୋଟିୟେ ପରୀକ୍ଷ କରି ବିନ୍ଧ ବୀରପାଥ ।୧୫୩।

ଅର୍ଜୁନ ବୋଇଲା ତୋହାର ତୁଲକୁ ନାରାଜ ମୋର ନାହିଂ

କି ଶହସ୍ର ଘେନି ତୋତେ ପେଷିବଇଂ ମୁହିଂ ।୧୫୪।

ମହାକାଳ ବୋଇଲା ଯେ ପେଷିଲା ଶହସ୍ରମାନ

ତହିଂରୁ ଶହସ୍ର ଗୋଟିୟେ ମୋତେ ପେଷସି ବହନ ।୧୫୫।

ଅର୍ଜୁନ ବୋଇଲା ମୋର ଛତ୍ରୀଧର୍ମ ଅଟଇ

ଉପେକ୍ଷିଲା ଶହସ୍ରମାନ ଆବର ନ ପେଷଇ ।୧୫୬।

ୟେ ଯେ ଭୂମିରେ ପଡ଼ିଅଛି ନାଗାର୍ଜୁନର ଶହସ୍ରମାନ

ୟେଥୁଂ ଗୋଟିୟେ ଶର ତୁ କରସି ଉଦ୍ୟାନ ।୧୫୭।

ଅର୍ଜୁନ ବୋଇଲା ହୋ ଶୁଣ ମହାକାଳେ

ପର ଧନ ପର ଶର ନ ଘେନଇ ମୁଂ କେଉଣସି ବେଳେ ।୧୫୮।

ପରତିରୀ ମୋର ମାତା ପର ପୁରୁଷ ମୋର ବାପ

ପରର ବୋଲେ ଶତ୍ରୁକୁ ମୁଂ ନ କରଇ ପରିତାପ ।୧୫୯।

ପର ଶହସ୍ର ମୁଂ ନ ପେଷଇ ରଣେ

ପର କାର୍ଯ୍ୟେ ଶତ୍ରୁକୁ ମୁଂ ନ ନାଶଇ ପ୍ରାଣେ ।୧୬୦।

ପର ଦ୍ରବ୍ୟ ନ ହରଇ ନ ଲଂଘଇ ପର ସୀମା

ପର ବଳକୁ ମୋହୋର ନାହିଂ ଯେ ବଡ଼ିମା ।୧୬୧।

ଶୁଣ ହୋ ବଇବସୁତ ମନୁ ଅର୍ଜୁନର ଶୁଣି ୟେ ନିଷ୍ଠୁର ବାଣୀ

କୋପେଣ ଗର୍ଜଇ ମହାକାଳ କାଳସର୍ପ ଜାଣି ।୧୬୨।

ଆହୋ ନାଗାଅର୍ଜୁନ କିମ୍ପେ ପେଷିଲୁ ତୁ ମୋତେ

କାଳେହେଂ ପ୍ରମାଦ ବାବୁ ପଡ଼ୁଅଛି ତୋତେ ।୧୬୩।

ଭୋ ଦିଗପାଳେ ତୁମ୍ଭେ ସାକ୍ଷୀ ହୋଇଥିବା

ଅର୍ଜୁନକୁ ମାରୁଅଛିଟି ମୋତେ ପଛେ ଅପଛାତି ନ ଦେବା ।୧୬୪।

ଚାରିଦିଗେ ଚାରି ମେଘେ ହୋଅ ତୁମ୍ଭେ ସାକ୍ଷୀ

ବ୍ରହ୍ମାଣ୍ଡ ଭିତରେ ମୋତେ ନ କହିବା ବାଚି ।୧୬୫।

ଦଶ ଦିଗପାଳେ ଚାରିଦିଗ ଆଦିକରି

ତାହାରି ପୁତ୍ର ପେଷିଲା ଦୋଷ ନାହିଂଟି ମୋହୋରି ।୧୬୬।

ୟେତେକ ବୋଲିକରି ସେ କଟାର ଦିଲା ବିଞ୍ଚି

କଟି ମେଖଳା ଠାରୁ ବେନିଖଣ୍ଡ ହୋଇଲା ସର୍ବସାଚୀ ।୧୬୭।

କଂକାଳ ଠାବରୁ ଯେ ହୋଇଲା ବେନିଖଣ୍ଡ

ମାରିଣ ମହାକାଳ ଗଲା କପିଳାସ ବ୍ରହ୍ମାଣ୍ଡ ।୧୬୮।

ମୋହେଣ ଅର୍ଜୁନ ଯେ ପଡ଼ିଲାକ ଢଳି

ଧାଇଂଯାଇଂ ନାଗାଅରୁଜୁନ କତିରେ ତାର ମିଳି ।୧୬୯।

ଅର୍ଜୁନ କତିରେ ଯାଇଂ ହୋଇଲା ନାଗାଅରଜୁନ

ପ୍ରଶଂସା କରଇ ଶବରା ରେ ଧନ୍ୟ ତୋ ଜୀବନ ।୧୭୦।

ଆରେ ବନଚର ହୋଇଣ ୟେଡ଼େକ ତୋର ସତ

ସମରେ ମୁକୁଇଂ ହୋଉ ୟେମନ୍ତ ପ୍ରାପତ ।୧୭୧।

ଆରେ କିରାତ ହୋଇ ତୁ ୟେଡ଼େକ ବଳବନ୍ତା

ଆପଣାର ଲଲାଟେ ବୀର ଘେନିଲା ରକତର ଚିତା ।୧୭୨।

ହାଥରୁ କୁମର ଘେନିଲା ଗାଣ୍ଡିମ ଯେ ଧନୁ

ପାତାଳ ଭୁବନକଇଂ ଗଲା ନାଗୁଣୀକ ତନୁ ।୧୭୩।

ପ୍ରକୋପିତ ବଦନ ଯେ ହୋଇଣ କୁମରେ

ମାତାର ଅଗ୍ରତେ ସେ ପ୍ରବେଶ ଧାତିକାରେ ।୧୭୪।

ରକତ ଚିତା ଦେଖି ପଚାରଇ ସନ୍ଧ୍ୟାବାଳୀ

ବାବୁ ଲଲାଟେ ରକତ ଚିତା ତୋର ଚନ୍ଦ୍ରମା ମୁଖ କାଳି ।୧୭୫।

ବାବୁ କାହା ତୁଲେ ଯେ ହୋଇଲୁ ବିବାଦୀ

ବାଳୁତ କୁମର ହୋଇ ତୁ ସବୁରି ତୁଲେ ଦ୍ୱନ୍ଦୀ ।୧୭୬।

ନିଶ୍ୱାସ ଘନ ଘନ ଛାଡ଼ଇ କୁମରଇଂ

କୋପଭରେ କୁମର କଥା କହିତେ ନୁଆରଇ ।୧୭୭-୧୪୫୧୧।

 

ଅର୍ଜୁନଙ୍କ ନିଧନରେ ଶ୍ରୀକୃଷ୍ଣ ଓ
ବଳରାମଙ୍କର ଶିବଙ୍କ ପ୍ରତି କୋପ

ଆହୋ ବଇବସୁତ ମନୁ ମହାକାଳ

ଯେତେବେଳେ ଅର୍ଜୁନକଇଂ ମାରି ଗଲା

ଆକାଶେ ଚିତ୍ରସେନ ଦିଗବିଜେ କରିଣ ଦେଖିଲା ।୧।

ଅର୍ଜୁନ ଘାୟେ କ୍ରିମି ବସଇ ବୋଲି କଲା ପୁଷ୍ୟବୃଷ୍ଟି

ହୃଦଗତ ପରିଯନ୍ତେ ପଡ଼ିଲା ପୁଷ୍ୟ ଘୋଟି ।୨।

ଚିତ୍ରସେନ କହିଲା ଯାଇଂ ବାସବ ଦେବତାଂକୁ

ଈଶ୍ୱରଂକ ଗଣପୁତ୍ର ମାଇଲା ଅର୍ଜୁନକୁ ।୩।

ଭୋ ସ୍ୱାମୀ ବେନିଖଣ୍ଡ ହୋଇଣ ପଡ଼ିଅଛି ଅର୍ଜୁନ

ଶୁଣି ମୃଚ୍ଛାଗତେ ଯେ ପଡ଼ିଲେ ମଘବାନ ।୪।

ହା ହା ପୁତ୍ର ବୋଲି ପଡ଼ିଲେ ମଘବା

ଉଚ୍ଚସ୍ୱରେ ରୋବଇ ସୁରରାଜ ଦେବା ।୫।

ଈଶ୍ୱର ଗଣପୁତ୍ର ହୋଇ କେହ୍ନେ ସେ ଅର୍ଜୁନକୁ ମାରି

ଆଜହୁଂ ନାଶଗଲା କପିଳାସ ସ୍ୱର୍ଗପୁରୀ ।୬।

ମହା କୋପଭରେ ଆଗ୍ୟାଂ ସେ ଦିଲେକ ଦେବରାଜ

ଆରେ ଅଙ୍ଗାର ପନ୍ନଗ ବେଗେ ଦଣ୍ଡ ମୋର ସାଜ ।୭।

ୟେଣେ ନାରଦ ମହଋଷି ଗଲେ ଅନ୍ତରୀଚ୍ଛେ

ଦ୍ୱାରକା ଭୁବନେ ଯାଇଂ ମିଳିଲେ ପ୍ରତକ୍ଷେ ।୮।

ସୁଧର୍ମା ସଭାରେ ବିଜେ ରାମକୃଷ୍ଣ ବେନି ଭ୍ରାଥେ

ବ୍ରହ୍ମାର ନନ୍ଦନ ଯାଇଂ ବିଜୟେ ତୁରିତେ ।୯।

ନାରଦେ ବୋଇଲେ ବହନ ହୋଇ ଉଠ ହେ ଗୋବିନ୍ଦେ

ଅର୍ଜୁନ ତୋହୋର ହାଦେ ହୋଇଲା ଶିରଚ୍ଛେଦେ ।୧୦।

ଗଣ୍ଡାର ବିନୋଦେ ସେ ଗଲା ବନ ବେଣ୍ଟେ

ହରଗଣ୍ଡା ମାଇଲା ଯାଇଂ କାଶୀନଦୀ ଘାଟେ ।୧୧।

ନାଗା ଅର୍ଜୁନ ବୋଲି ୟେକ ଗଣପୁତ୍ରେ

ଅର୍ଜୁନକୁ ଛେଦିଲା ସେ ମହାକାଳ ବାଣଘାତେ ।୧୨।

ସଞ୍ଚୟେ ବାରତା ଯହୁଂ ନାରଦେ କଲେ ପୁଚ୍ଛା

ଶୁଣିଣ ଜଗନ୍ନାଥେ ଯେ ପଡ଼ି ଗଲେ ମୁଚ୍ଛା ।୧୩।

ହା ହା ଅର୍ଜୁନ ବୋଲି ସ୍ୱାମୀ ବଳରାମେ

ମୋହେଣ ପଡ଼ି ଦେବେ ହୋଇଲେ ଅସାଷ୍ଟମେ ।୧୪।

ବାବୁ ଅଭୟେ ସୋମବଂଶୀ ସଂସାରେ ଜଗୁଜିତା

କେବଣ ଜନ ତୋହୋର ତହୁଂ ହୋଇଲା ସାମରଥା ।୧୫।

ବାବୁ ୟେ ତ୍ରଇଲୋକ ଭୁବନେ ତୁ ଅଟୁ ୟେକ ଯୋଧୀ

ଅଗ୍ନି ଦେବତାର ପାରକଲୁ ଲୁଦୁବୁଦୁ ବ୍ୟାଧି ।୧୬।

ପୃଥୀ ଧରିବାକୁ ବାବୁ ତୁ ହୋଇଲୁ ସାମରଥା

ଭଗତେ ପ୍ରସନ୍ନେ ହୋଇଲେ ତୋତେ ଅଗ୍ନି ଯେ ଦେବତା ।୧୭।

ବାବୁ ଗୋସିଂଘ ବଧକରି ତୁ ରଖିଲୁ ଦ୍ୱାରକା

ସ୍ୱର୍ଗ ମଞ୍ଚ ପାତାଳେ ତୁ ପ୍ରତଗ୍ୟାଂ ବଳବନ୍ତା ୟେକା ।୧୮।

ତ୍ରିଭୁବନ ମୋହନ ତୁ କାମିନୀ ମନସିଜ

ଅନେକ ବିଳାପ ଯେ କରନ୍ତି ଦେବରାଜ ।୧୯।

କାହିଂ ଅଛି ଅରଜୁନି ମୁନି ହେ ନିଅ ମୋତେ କଢାଇ

ହୃଦର ବାନ୍ଧବ ମୋହୋର ଦେଖଇ କିନା ଯାଇ ।୨୦।

ବଳରାମ ବୋଇଲେକ ଅର୍ଜୁନର କ୍ରୋଧେ

ଈଶ୍ୱର ଦେବତାଂକୁ ଥୋଇବିକି ଆଜ ଯୁଦ୍ଧେ ।୨୧।

ସାଜରେ ଦାରୁକ ମୋର ତାଳଧ୍ୱଜ ରଥ

ଭାଜିଣ କପିଳାସ ଆଜ କରିବି ଭଗନସ୍ତ ।୨୨।

କୋପେଣ ଗର୍ଜନ୍ତି ସ୍ୱାମୀ କାମପାଳ

ବେନିକରେ ଧଇଲେ ଦେବ ହଳ ଯେ ମୂଷଳ ।୨୩।

ସମର୍ଥକ ସଉନନ୍ଦ ଯେ କରେଣ ରାମ ଧରି

ଦ୍ୱାରକା ଭୁବନୁଂ ବାହାର ହୋଇଲେ ହଳଧାରୀ ।୨୪।

ନନ୍ଦୀଘୋଷ ରଥେ ବିଜେ ଦେବରାଜେ ଜଗନ୍ନାଥେ

ଶଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗ ଧନୁ ଶୋହେ ହାଥେ ।୨୫।

ଭୋଜବଂଶର ରାଜା ଯେ ଅଟଇ ଉଗ୍ରସେନ

ଛପନ କୋଟି ତୁଲେ ଯାଦବ ବଳମାନ ।୨୬।

ପଞ୍ଚୁଲକ୍ଷ ଯୋଧା ଘେନି ଯଦୁବଂଶର ନୃପତି

ନବଲକ୍ଷ ଯୋଧା ଘେନି ବାହାର ଅନ୍ଧେକ ବଂଶର ଆଧିପତି ।୨୭।

ବୀରସେନ ବୋଲିକରି ବୃଷ୍ଣିବଂଶ ରାଜା

ଦ୍ୱାରକାହୁଂ ବାହାର ହୁଅନ୍ତେ ବାଜଇ ବୀରବାଜା ।୨୮।

ବହୁତ ବଳ ଚଞ୍ଚଳ ଯେ କଳଣା ନ ଯାଇ

ଦ୍ୱାରକାରୁ ବାହାର ହୋଇଲେ ହଳସାଇଂ ।୨୯।

ବାମେ ବଜ୍ର ଲଙ୍ଗଳ ଡାହାଣେ ସଉନନ୍ଦ

କୋଟିୟେ ସିଂଘର ପ୍ରାକ୍ରମ ଯେଉଂଣ ରାମଚନ୍ଦ୍ର ।୩୦।

ଅମ୍ବା କଦମ୍ବା ଯେ ପ୍ରଳମ୍ବା ତିନିବୀର

ଯାହାରେଣ ନିପାତ ହୋଇଲେ ତିନି ଯେ ଅସୁର ।୩୧।

ରଥ ନ ଚଢ଼ି ରାମ ଧାମନ୍ତି ଗଳଗାଜି

ପାଦଭରେ ଅବନୀ କି ପଡ଼ୁଅଛି ଭାଜି ।୩୨।

ସମଦଣ୍ଡ ଘେନିଣ ଯେ ସଂକ୍ରିଷେଣ କାହ୍ନେ

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ଭୁବନେ ।୩୩।

ଶୁଣ ହୋ କଉରୋବେ ବଦନ୍ତି କାମପାଳ

ଅର୍ଜୁନର ପ୍ରାଣତ୍ୟାଗ ହୋଇଲା ଶୁଣ ହୋ ଗାନ୍ଧାରୀର ବାଳ ।୩୪।

ସଦାଶିବର ଗଣପୁତ୍ର ଗୋଟି ମାଇଲା ଫାଲଗୁନି

ସମ୍ପୋଡ଼େ ମାରିଣ କଲା ତାକୁ ଖଣ୍ଡ ବେନି ।୩୫।

ଶୁଣି ମୃକ୍ଷାଗତ ଗଲା କଉରୋବ ଅଧିକାରୀ

ବଜ୍ରାଘାତ ପ୍ରାୟେ ମୋହେଣ ଢଳି ପଡ଼ି ।୩୬।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଇଲ୍ୟ ଯେ ଶକୁନି

ସମସ୍ତେହେଂ ଲୋଟି ପଡ଼ିଲେ ସୁମରି ଫାଲଗୁନି ।୩୭।

ଆରେ ମୋର ଗୁଣସାଗର ବାନ୍ଧବ ଅର୍ଜୁନ ନାମଗୋଟି

ଗତପ୍ରାଣ ପ୍ରାୟେ ହୋଇ ସଭିୟେ ପଡ଼ିଲେ ମହୀଲୋଟି ।୩୮।

ବାବୁ ଅହିଂସୀ ଅପାପୀ ଅନାସ୍ତ ଜନ ବନ୍ଧୁ

ୟେ ସୋମବଂଶକଇଂ ଶରଦ ଉଦିତ ପୂର୍ଣ୍ଣଇନ୍ଦୁ ।୩୯।

ବାବୁ ପାଣ୍ଡବାସୁର ମୋତେ ଗିଳୁଥିଲା ଯେତେବେଳେ

ନବସାଗର ସଇନି ତାର ମାଇଲୁ ଘୋର ରୋଳେ ।୪୦।

ବାବୁ ଉଦର ବିଦାରିଣ ଚିରିଲୁ ତାର ବୁକୁ

ଦତ୍ୟବଳ ନିବାରିଣ ଉଦ୍ଧରିଲୁ ବାବୁ ମୁକୁ ।୪୧।

ପାଣ୍ଡବାସୁର ମାରି ପାଣ୍ଡବ ତୋହୋର ନାମ

ନିକଳଂକ ନିର୍ଦୋଷ ଅନୁବ୍ରତେ ଯାହାର ଧର୍ମ ।୪୨।

ଆରେ ମୁହିଂ ଗୁଣ କିସ ବର୍ଣ୍ଣିବ ରେ ଭାଇ

ଅର୍ଜୁନର ବିହୁନେ ବ୍ରତିବା ମୋର ନାହିଂ ।୪୩।

ଅନାଥର ନାଥ ଶରଣ ପଞ୍ଜର ଯାହାର ବୀରଧୁ

ହସ୍ତିନାର ଲକ୍ଷ୍ମୀ ଛାଡ଼ିଲା ଆଜ ମୋର କନ୍ଧୁ ।୪୪।

ବାବୁ ଦୁଖୀର ବାନ୍ଧବ ତୁ ମୋ ପ୍ରାଣର ସଂଘାତ

ଦଶଦିଗ ଅନ୍ଧାର ରେ କଲୁ ବୀର ପାଥ ।୪୫।

ଅମର ଭୁବନ ସ୍ୱର୍ଗ ଜିଣିଣ ସଂପୋଡ଼େ

ୟେଡ଼େ ବଡ଼ ସମ୍ପଦ ବାବୁ ନାଶକଲୁ ଅଖଡ଼େ ।୪୬।

ବାରତା ପାଇ ରାଜା ରୋବଇ ଧୃତିରାଷ୍ଟ

ବୋଇଲା ୟେତେକାଳେ ମୋତେ ହୋଇଲା ପୁତ୍ର କଷ୍ଟ ।୪୭।

ବଳରାମେ ବୋଇଲେ ହୋ କ୍ରୋଧ ଛାଡ଼ କୁରୁରାଜ

ଜାଣିମା ତଦନ୍ତ ବାରତ ଦଣ୍ଡ ତୋହୋର ବେଗେ ସାଜ ।୪୮।

ସାଜ ସାଜ ବୋଲି ଯେ ଶୁଭିଲା ଗରୁଡ଼ାକ

ବାଜନ୍ତି ବୀରତୂର ନିଶାଣ ଟମକ ।୪୯।

ୟେକାଦଶ କ୍ଷେଉଣୀ ସଇନି ପଲାଣି

ଆକାଶ ଉଚ୍ଛୁଳଇ ମୁଖରାବ ଧୁନି ।୫୦।

ଅନେକ ସଇନି ହେ ସାଜିଲେ କଉରୋବେ

ସମଦଣ୍ଡ ଘେନି ବାହର କୁରୁରାଜ ଦେବେ ।୫୧।

ନନ୍ଦିଘୋଷ ରଥ ଆରୋହିଲେ ଦେବ ଯେ ଅଚ୍ୟୁତେ

ବିଜେ ଜଗନ୍ନାଥ ହୋଇଲେ ବାରୁଣାବନ୍ତେ ।୫୨।

ଆସ୍ତାନେ ବିଜେକରି ଅଛନ୍ତି ଧର୍ମରାୟେ

ସନ୍ନିଧ୍ୟେ ନାରାୟଣ କହନ୍ତି ବିନୟେ ।୫୩।

ସ୍ୱାମୀ ସମସ୍ତେ ଅଛତ ଅର୍ଜୁନ ତୁମ୍ଭର କାହିଂ

ନାରଦେ ବୋଇଲେ ପାଥ ଜୀବନ୍ତେ ଆଉ ନାହିଂ ।୫୪।

ଗଣ୍ଡା ମାରିଣ ଯେ ପଠାଇଲେ ଅର୍ଜୁନ

ଯାଇଣ ପଶିଲା ସେ ହର ଉଦ୍ୟାନ ବନ ।୫୫।

ପାର୍ବତୀଂକର ଗଣ୍ଡାଗୋଟି ମାଇଲା ଫାଲଗୁନି

ଶିବର ଗଣପୁତ୍ର ତାହାକଇଂ ଛେଦିଲା ମହାକାଳ ବାଣ ଘେନି ।୫୬।

ଶୁଣିଣ ଅସାଷ୍ଟମେ ପଡ଼ିଲେ ଧର୍ମର ନନ୍ଦନ

ବଜ୍ରାଘାତ ପ୍ରାୟେ ହୋଇ ପଡ଼ିଲେ ଭୀମସେନ ।୫୭।

ଅର୍ଜୁନ ନାମ ଧରି ରୋବନ୍ତି ଯୁଝେଷ୍ଠି

ଆରେ ମୋର ସର୍ବଗୁଣ ସୁନ୍ଦର ଭାଇଗୋଟି ।୫୮।

ବାବୁ ଉତ୍ତର ଦିଗକୁ ଜିଣିଲୁ ବାହୁବଳେ

ନବଦ୍ୱୀପା ପୃଥୀ ଧଇଲୁ ଧନୁହୁଳେ ।୫୯।

ଶକତା ବକତା ତୋର ଅତୁଳାୟିତ ପ୍ରାକ୍ରମ

ଧାନୁକୀଚକ୍ର ଚୂଡ଼ାମଣି ଛତ୍ରୀପଣେ ନାହିଂ ସମ ।୬୦।

ଅପାର କ୍ରୋଧେ ରୋଦନ କରନ୍ତି ଯୁଝେଷ୍ଠି

ୟେମନ୍ତ ସମୟେ ଦଣ୍ଡ ଘେନି ପ୍ରବେଶ ଧୃତରାଷ୍ଟି ।୬୧।

ବୋଇଲା କାହିଂକି ହେଳା କର ହୋ ଧର୍ମରାୟେ

କେଟି ନାଶକଲା ଆମ୍ଭର ବୀର ଧନୁର୍ଜୟେ ।୬୨।

ଭାଙ୍ଗିବି କପିଳାସ ଆଜି କରିବି ଭଗନସ୍ତ

ଜଣେକେ ନ ଥୋଇବି ଶିବଗଣମାନନ୍ତ ।୬୩।

କୋଇନ୍ତା ଦ୍ରୋପତୀ ଯେ ସହୋଦ୍ରା ସହିତେ

ଉଚ୍ଚସ୍ୱରେ ରୋଦନ ଯେ କରନ୍ତି ସମସ୍ତେ ।୬୪।

ଗାନ୍ଧାରୀ ଭାନୁମତୀ ରୋବନ୍ତି ସର୍ବବାଳୀ

ଉଚ୍ଚସ୍ୱରରେ ରୋଦନ ଯେ ଶୁଭଇ ବୋବାଳି ।୬୫।

ହା ହା ନାଥ ବୋଲିକରି ରୋବନ୍ତି ସୁଭଦ୍ରା

ତୁହି ସେ ଭାଞ୍ଜିଲୁ ନାଥ ମୋହୋର ଅକ୍ଷୟ ଯୋଗମୁଦ୍ରା ।୬୬।

ରାମକୃଷ୍ଣଂକ ଛାମୁରେ ପଡ଼ଇ ବାଳୀ ଲୋଟି

କାହିଂ ପଠିଆଇଲ ମୋର ପଞ୍ଜୁଭୂତ ଆତ୍ମାଗୋଟି ।୬୭।

ଗୋବିନ୍ଦେ ବୋଇଲେ ତୁ ନ ରୋବ ଗୋ ସତୀ

ୟେହିକ୍ଷଣି ଜୀଆଇଂ ଆଣିମି ତୋହୋର ପତି ।୬୮।

ସବୁଂକରି କ୍ରୋଧ ସେ ଶାନ୍ତି ଯେ କରାଇ

ସମଦଣ୍ଡ ଘେନି ବିଜୟେ ଯଦୁକୁଳ ସାଇଂ ।୬୯।

ୟେସନେକ ସମୟେ ତହିଂ ଯଦୁବଳ ସନ୍ୟ

ଦିଶିଲାକ ଥାଠ ଯେ ଅତୀୟ ଗହନ ।୭୦।

ବାରୁଣା ପର୍ବତେ ଉଠିଲେ ବଳ ଯାଇଂ

ବୋଲନ୍ତି ନୃପତିୟେ ଯେ ମନରେ ପରିଘାଇ ।୭୧।

ୟେଥେ କିମ୍ପା ହେଳା କଲେ କେଉଂଣ କାରଣ

ଅର୍ଜୁନ ପ୍ରାୟେ କ୍ଷତ୍ରୀ ଯେ ପଡ଼ିଅଛି ରଣ ।୭୨।

ୟେସନେକ ସମୟେ ତହୁଂ ସନ୍ୟ ହୋଇଲେ ବାହାର

ଦିବସରେ ଅଦୃଶ୍ୟ ଯେ ହୋଇଲେ ଦିନକର ।୭୩।

ଚଳିଲେ ସଇନି ତହୁଂ ଅତୀୟ ଗହନେ

ବାଦ୍ୟନାଦ ଶବଦ ଯେ ଉଛୁଳଇ ଗଗନେ ।୭୪।

ପଞ୍ଚଦଶ ଯୋଜନ ମାଡ଼ି ଚଳଇ ଯେ ବଳ

ରଥ ଗଜ ଅଶ୍ୱ ତହିଂ ଅତୀୟ ଅଚାର୍ଗଳ ।୭୫।

ୟେକେ ପଛ କରି କେ ହୁଅନ୍ତି ଆଗୁସାର

କେହୁ ତହୁଂ ପ୍ରତଗ୍ୟାଂ କରନ୍ତି ଗରୁତର ।୭୬।

ଆଗିଆଣି ଥାଠରେ ଯେ ଚଳଇ ବୀର ଭୀମା

ବୋଲେ ଭାଞ୍ଜି ପକାଇବି ଆଜ କପିଳାସ ସୀମା ।୭୭।

ଗଦାବର ଚଳାଇ ବୁଲାଇ ବ୍ରିକୋଦର

ଭୀମସେନ ଦେଖି ପୃଥୀ ହୋଅଇ ଥରହର ।୭୮।

ମନୁରାୟେ ଅଗ୍ରତେ ଯେ ବଦୟନ୍ତି ଅଗସ୍ତି

ୟେଥୁ ଅନନ୍ତରେ ତୁ ଶୁଣ ହୋ ନୃପତି ।୭୯।

ନାଗା ଅର୍ଜୁନ ୟେଣେ ପାତାଳ ସ୍ୱର୍ଗେ ଗଲା

ମାତାର ଅଗ୍ରତେ ଯାଇଂ ସମସ୍ତ ବାରତା କହିଲା ।୮୦।

ମାଗୋ ପାର୍ବତୀଂକର ଗଣ୍ଡା ମୁଂ ଯେ ରକ୍ଷା କରିଥିଲି

ସ୍ୱ ନକ୍ଷତ୍ର ବନ୍ଦାପନା ନିମନ୍ତେ ୟେ ପୂରେ ଅଇଲି ।୮୧।

ମାଗୋ ବଡ଼ାଇ ସୁନ୍ଦର ୟେକଇ କିରାତ

ପାର୍ବତୀଂକ ଗଣ୍ଡାଗୋଟି କଲା ସେ ପ୍ରାଣ ହତ ।୮୨।

ମା ଗୋ ମାରିକରି ଯେବେ ଗଣ୍ଡା ଘେତି ଯାଇଥାନ୍ତା

ତାହାର ମୋହର ଆଉ ଭେଟ ନ ପଡ଼ନ୍ତା ।୮୩।

ଗଣ୍ଡା ମାରିକିରି ରହିଥିଲା ମାଧବୀ ଲତା ତଳେ

ମୁହିଂ ଯାଇଂ ପ୍ରବେଶ ହୋଇଲି ତେତେବେଳେ ।୮୪।

ବହୁତ ଉଚ୍ଚବାଚ ଲାଗିଲାକ କଳି

ଅପାର ମାର୍ଗରେ ହୋଇଲୁଂ ବୋଲାବୋଲି ।୮୫।

ଅନେକ ସମର ଗୋ କଲା ମୋହୋର ତୁଲେ

ଅନେକ ଶହସ୍ର ଗୋ ବିନ୍ଧିଲା କୂତୁହୋଳେ ।୮୬।

ଶହସ୍ରକୁ ଶହସ୍ର ଗୋ କଲା ପରିତାଳ

ଦେବ ଶହସ୍ରମାନ ଗୋ ବିନ୍ଧିଲି ଅନ୍ତରାଳ ।୮୭।

ଦେବ ଶହସ୍ର ଗୋ ଜିଣି ନୂଆରିଲି ତାହାକୁ

ଅନେକ ପ୍ରତଗ୍ୟାଂ ଗୋ କହିଲା ମାତା ମୁକୁ ।୮୮।

ପ୍ରଥମେ ବୋଇଲା ମୁଂ ଖାଣ୍ଡବେ ବନ ଦହିଲି

ଅଗ୍ନିର ନିମନ୍ତେ ମୁଂ ଇନ୍ଦ୍ରଦେବତାଂକୁ ଜିଣିଲି ।୮୯।

ପାଞ୍ଚାଳ ଦେଶେ ମୁଂ ଯେ ବିନ୍ଧିଲି ରାଧାଚକ୍ର

ମୁକୁଟ ମର୍ଦ୍ଦିଲି ଲକ୍ଷେ ରାଜାଂକର ମୁଖ କଲି ବକ୍ର ।୯୦।

ହନୁମନ୍ତର ତୁଲେ ମୁଂ ଯେ ହୋଇଲି ବିବାଦୀ

ଶରେ ଶରେ ସାଗର ମୁଂ ବାନ୍ଧିଲି ବାରାନିଧି ।୯୧।

ଉତ୍ତର ଦିଗକଇଂ ବିଜେ ଚାଳିଶ ସହସ୍ର ରାଜା ସାଧି

ଜଗୁଜିତା ଯମାଗୋଷ୍ଠ ରାଜାକୁ ମୁଂ ଆଣିଲଇଂ ରଥେ ବାନ୍ଧି ।୯୨।

ପୁଣି ବୋଇଲା ମୁହିଂ ୟେକାୟେଂ ଦିଗ ବିଜୟେ କଲାଇଂ ପାତାଳେ

ଭରାଭର ମେଦିନୀ ଧଇଲି ଧନୁହୁଳେ ।୯୩।

ଅନେକ ପ୍ରତଗ୍ୟାଂ ଯହୁଂ ଶୁଣିଲି ତାହାର

କୋପେଣ ସ୍ମରଣା କଲି ମହାକାଳ ଶର ।୯୪।

ଶେଷରେ ଶବରା ଯେ ପ୍ରାଣେ ହତ ହୋୟେ

ଶୁଣିଣ ସନ୍ଧ୍ୟାବଳୀ ଯେ ପଡ଼ିଲା ଭୂମିୟେ ।୯୫।

ବଡ଼ ବିଡ଼ମ୍ବଣ ମୁଂ ତୋହୋର ନିରାଶ ଯେ ହୋୟେ ।୯୬।

କେବଣ ପାପକ୍ଷଣେ ପୁତ୍ର କଲି ତୋତେ ଜାତ

ଅନ୍ତେଣ ସ୍ୱାମୀ ମୋହୋର ନାଶଗଲା ତୋହୋର ହାଥ ।୯୭।

ସ୍ୱାମୀର ବିହୁନେ ଯେ ମୁଂ ହୋଇଲି ବଡ଼ ଦୁଖୀ

କେଣେ ଗଲୁ ପ୍ରାଣନାଥ ମୋତେ କରିଣ ନିରୀମାଖି ।୯୮।

ନାଗା ଅର୍ଜୁନ ବୋଇଲା ମାତା ଗୋ କିମ୍ପେ ଅନମିତେ କ୍ରୋଧକରୁ

ସେ ମୋହୋର ପିତା ବୋଲି କେମନ୍ତେ ମନେ ଧରୁ ।୯୯।

ସନ୍ଧ୍ୟାବଳୀ ବୋଇଲା ବାବୁ କହିଥିଲି ତୋତେ

ଆବର ଶକ୍ୟ କାହାର ସପ୍ତଦ୍ୱୀପା ମହୀ ଧରିତେ ।୧୦୦।

ଯେବଣ କାଳେ ତୋର ପିତା ରାଜୁସି ଯାଗ କଲା

ଜମ୍ବୁଦ୍ୱୀପ ମଧ୍ୟେ ଲକ୍ଷେ ରାଜାନ୍ତ ବରିଲା ।୧୦୧।

ପାତାଳୁଂ ନ ଗଲା ଯେ ଅନନ୍ତ ମହାରାଜା

କହିଲେ ବ୍ୟାସମୁନି ପରାଶରଂକ ଆତ୍ମଜା ।୧୦୨।

ତୋହୋର ପିତା ବାବୁ ଅଇଲେ ପାତାଳେ

ଧନୁହୁଳେ ଧଇଲେ ପୃଥିବୀର ସପତ ମଣ୍ଡଳେ ।୧୦୩।

ପିତା ମୋର ଅନନ୍ତ ବରିଲା ମାଳା ଦେଇ

ବିଭା ହୋଇଲା ପିତା ତୋର ପାତାଳ ପୁରେ ଥାଇ ।୧୦୪।

ସମୟକେ ପିତା ତୋର ଗଲେ ନିଜ ଦେଶ

ସେଦିନ ବଳା ତୁ ମୋ ଗର୍ଭରେ ତିନିମାସ ।୧୦୫।

ଯିବାବେଳେ ମୁହିଂ ବୋଇଲଇଂ ବାଣୀ

ମୋତେ ଛାଡ଼ି ନଯା ତୁ କ୍ଷତ୍ରିୟ କୁଳମଣି ।୧୦୬।

ଗର୍ଭରେ ତିନିମାସ ମୋର ହୋଇଛି କୁମର

ତୁମ୍ଭେ ଗଲେ ଅନାଚାରୀ ବୋଲିବେ ସଂସାରର ।୧୦୭।

ୟେଥକୁ କାରଣ ମୋତେ କହ କ୍ଷତ୍ରୀବର

ତୋହୋର ଭଲମନ୍ଦ କେମନ୍ତେ ଜାଣିବି ମନର ।୧୦୮।

ଦ୍ୱାରେ ରୋପିଲେ ସେ ଅର୍ଜୁନ ନାମେ ତରୁ

ମୋହୋର ଭଲ ମନ୍ଦ କଥା ଯେବେ ତୁ ବିଚାରୁ ।୧୦୯।

ତ୍ରଇଲୋକେ ମୋତେ ଜିଣିତେ ନାହିଂ ସାମରଥ

ମୋହୋର ମୃତୁକାଳେ ୟେ ତରୁ ହେବ ହତ ।୧୧୦।

ନାଗା ଅର୍ଜୁନ ବୋଇଲା ମୁଂ ସଂପ୍ରତେ କେମନ୍ତ କରି

ବାହାର ହୋଇଲା ନାଗୁଣୀ ପୁତ୍ରର ହାଥଧରି ।୧୧୧।

ବେନି ନୟନୁଂ ଲୋତକ ପଡ଼ଇ ଘନ ଘନ

ପୁରୁଂ ବାହାରେ ଦେଖିଲେ ବୃକ୍ଷ ହୋଇଛି ମଳିନ ।୧୧୨।

ମୁତ୍ୟୁଯୋଗ ହୋଇଛି ସେହି ସେ ଯେ ବୃକ୍ଷା

ଦେଖିଣ ସନ୍ଧ୍ୟାବଳୀ ପଡ଼ିଗଲା ମୃଚ୍ଛା ।୧୧୩।

ଦେଖିଣ ସନ୍ଧ୍ୟାବଳୀ ପଡ଼ିଲା ଭୂମିଗାମୀ

ଅନାଥ ନାଥ ମୋତେ ଛାଡ଼ିଗଲୁ ସ୍ୱାମୀ ।୧୧୪।

ସର୍ବଗ୍ୟଂ ନାଥ ହୋଇ କିଂପେ ନ ଚିହ୍ନିଲୁ ପୁତ୍ରକୁ

ଆପେ ନାଶଗଲୁ ଅନାଥ କଲୁ ମୁକୁ ।୧୧୫।

ମୁହିଂ ପାମେରୀ ଅର୍ଜିଲି ୟେତେକଇଂ

କାହିଂ ପଡ଼ିଅଛି ସ୍ୱାମୀ ମୋର ଦେଖା ପୁତ୍ର ନେଇ ।୧୧୬।

ନିଜ ପ୍ରାଣ ଛାଡ଼ିବି ସ୍ୱାମୀର ମୁଖ ଚାହିଂ

ଆବର ଶରୀରେ ମୋର ପିରୋଜନ ନାହିଂ ।୧୧୭।

ଆଗେଣ କୁମାର ଯେ ପଛେଣ ସନ୍ଧ୍ୟାବାଳୀ

ପାତାଳୁଂ ବାହାର ହୋଇ ଆସଇ ବାତୁଳୀ ।୧୧୮।

ରାମକୃଷ୍ଣ ଯୁଝେଷ୍ଠି ଯେ ଦ୍ରିଯୋଧନ ସହିତେ

ସମଦଣ୍ଡ ଘେନିକରି ବିଜୟେ ସମସ୍ତେ ।୧୧୯।

ଅନେକ ପ୍ରତଗ୍ୟାଂ ସେ କରନ୍ତି ଗଳଗାଜି

ଶବଦେ ଡିଙ୍ଗର କି ପଡ଼ୁଅଛି ଭାଞ୍ଜି ।୧୨୦।

ଅନେକ ସନ୍ୟ ଗହଳ ଦେଖିଣ ସନ୍ଧ୍ୟାବଳୀ

ନାଗାର୍ଜୁନ ମୁଖ ଚାହିଂ ମନେ ମେନ ଭାଳି ।୧୨୧।

ସ୍ୱାମୀକି ମୋହୋର ନାଶ କଲୁରେ ଦୁଷ୍ଟବଳା

ତୁହି ପୁତ୍ର ମରିବୁ ବହନ ୟେଥୁଂ ପଳା ।୧୨୨।

ବହୁତ ସନ୍ୟ ଦେଖି କୁମର କଲା ଭୟେ

କପିଳାସ କନ୍ଦରକୁ ପଳାଇଲା ସେ ବାଳୁତ ତନୟେ ।୧୨୩।

ସଦାଶିବ ସନ୍ନିଧ୍ୟେ ହୋଇଲା ପରବେଶ

ଈଶ୍ୱରେ ପଚାରିଲେ ବାବୁରେ କି ଅର୍ଥେ ବିରସ ।୧୨୪।

କରପତ୍ର ଯୋଡ଼ିଣ ବୋଲଇ ନାଗା ଅରଜୁନ

ୟେକଇ କିରାତ ଗଣ୍ଡା ଗୋଟିକି ଦେବ କଲାତ ନିଧନ ।୧୨୫।

ମୁହିଂ ସେ ଶବରାକୁ ସମରେ କଲାଇଂ ନିପାତ

ତହିଂର ପାଇଂ ବାହିଲେ ରାମକୃଷ୍ଣ ବେନି ଭ୍ରାଥ ।୧୨୬।

କଉରୋବ ପାଣ୍ଡବ ଅନେକ ଶଇନି

ଆକାଶୁଂ ବିଜେକଲେ ଦେବ ସହସ୍ରଯୋନି ।୧୨୭।

ଅନେକ କଥା କହିଲା ସେ ନାଗେଣୀର ବାଳେ

ଶୁଣିଣ ବିଶ୍ୱନାଥ ହସନ୍ତି କୂତୁହୋଳେ ।୧୨୮।

ତେଣେ କାଶୀନଦୀ ତୀରେ ବିଜୟେ ଦେବହରି

ଅର୍ଜୁନ ସନ୍ନିଧ୍ୟେ ଯାଇଂ ବିଜୟେ ବନମାଳୀ ।୧୨୯।

ଦେଖନ୍ତି ଶରଦ ଚନ୍ଦ୍ର ବଦନ ବିକାଶି

ଦେଖନ୍ତି ମୋହେ ପଡ଼ିଲେ ଦେବ ହୃଷିକେଶୀ ।୧୩୦।

ବାବୁ କ୍ଷତ୍ରୀବର ସୁନ୍ଦର ରେ କଇଚ୍ଛା ଜଗଜ୍ଜେଠୀ

କିଞ୍ଚିତେ ବୁଡ଼ାଇଲୁ ବାବୁ ଅର୍ଜୁନ ନାମ ଗୋଟି ।୧୩୧।

ଯୁଝେଷ୍ଠି ଦ୍ରିଯୋଧନ ପଡ଼ିଲେ ସର୍ବେ ଢଳି

ଅନେକ କାରୁଣ୍ୟ ଧୁନି ପଡ଼ଇ ବୋବାଳି ।୧୩୨।

ନାଗେଣୀ ପରବେଶ ଯେ ହୋଇଲା ସନ୍ନିଧାନେ

ଦେଖିଲା ଅର୍ଜୁନ ଯେ ବିଜୟେ ବିଦ୍ୟମାନେ ।୧୩୩।

ଅଧର ପୁଷ୍ଟ କରିଣ ଚାହଂଇ ଦନ୍ତ ଚାପି

ନୟନ କଟାକ୍ଷି ଚାହଂଇ କାମରୂପୀ ।୧୩୪।

ଆକର୍ଷଣ ବକ୍ଷସ୍ଥଳ ପ୍ରଳୟ ବେନି ବାହା

ବିଚାରଇ କୁମାର କେହ୍ନେ ମାରିଗଲା ୟେହା ।୧୩୫।

ଦିବ୍ୟ ଅବତାର ୟେ ଦିଶଇ ମୂରତି

ବିସରି ନାଗେଣୀ ଯେ ମିଳିଲା ତାର କତି ।୧୩୬।

ଚକ୍ଷୁର ବାଟେ ପାଥର ପ୍ରାଣ ହାଦେ ଗଲା

ସନ୍ଧ୍ୟାବଳୀ ତାହା ଯେ ମଣି ତ ନଗଲା ।୧୩୭।

ବୋଲଇ ଭୋ ନାଥ ତୁ ଅଟୁ ଛତ୍ରୀବର

ବାଳୁତ ପୁତ୍ର ଛାରକୁ କିମ୍ପେ ୟେଡେ଼କ ରୋଷ ତୋହୋର ।୧୩୮।

ଭୟେ ପୁତ୍ରକୁ ମୋହୋର ନାଶ ନକଲୁ ସ୍ୱାମୀ

କୋପ ସଂହର ବୋଲି ସେ ହୋଇଲା ପରିଣାମି ।୧୩୯।

ଆସ ଆସ ସ୍ୱାମୀ ନିଜ ପୁରେ ଯିବା

ବାଳୁତ ପୁତ୍ର ସେ ଦୋଷ ତା ଉପେକ୍ଷା କରିବା ।୧୪୦।

ଅନେକ ବିନୋୟୀ ଧଇଲେ ଭୁଜଦଣ୍ଡ

ଉଛୁଡ଼ନ୍ତେ ଭାଜି ଯେ ହୋଇଲା ବେନିଖଣ୍ଡ ।୧୪୧।

ହା ହା ସ୍ୱାମୀ ବୋଲି ରୋବଇ ସନ୍ଧ୍ୟାବାଳୀ

ଖଣ୍ଡେକ ତୋଳି ଦେବ ଧଇଲେ ବନମାଳୀ ।୧୪୨।

ଅନେକ କ୍ରୋଧ ଯେ କରନ୍ତି ସଇନି

ଖଣ୍ଡେକ ନାଗେଣୀ ହୃଦେ ଲଗାଇଲା ଆଣି ।୧୪୩।

ଗତ ଆତ୍ମା ପ୍ରାୟେ ହୋଇ ପଡ଼ିଲା ଯୁବତୀ

ମୃକ୍ଷାଗତେ ପଡ଼ିଲେ ଯେ ଦେବ ଶିରୀପତି ।୧୪୪।

ଯୁଝେଷ୍ଠି ଦେବଂକର କ୍ରୋଧ କହିତେ କି ପାରି

ଧର୍ମର ନନ୍ଦନ ସେ ରୋବନ୍ତି ଦିଗ ଭରି ।୧୪୫।

ଅନେକ କ୍ରୋଧ କରନ୍ତି ଦେବରାୟେ

ଜଗତ ଜନ ବାନ୍ଧବ ମୋର ବୀର ଧନୁର୍ଜୟେ ।୧୪୬।

ବାବୁ କେମନ୍ତେ ବ୍ରତିବୁ ରେ ତୋହୋର ଅଭାବେ

ଦଶଦିଗ ଅନ୍ଧାର ତୁ କରିଗଲୁ ୟେବେ ।୧୪୭।

ଅନେକ କ୍ରୋଧ ତହିଂ କରଇ କୁରୁପତି

ତୋହୋର ଅଭାବେ ମୋହୋର ରେ ତୁଟିଲା ବିଭୂତି ।୧୪୮।

କେହୁ ସେ ମେରୁ ଚାଲିବାକୁ ଭାଜନ ନିଜ ଠାବୁଂ

ୟେଡ଼େ ବଳବନ୍ତା କେ ହୋଇଲାରେ ବାବୁ ।୧୪୯।

ତୁ ମୋହୋର ସୋଦର ରେ ଅଟୁ କୁଳର ପ୍ରଦୀପ

ୟେ ପଞ୍ଚୁରାଜ୍ୟକୁ ଠାକୁର ଅଟୁ ତୁରେ ବାପ ।୧୫୦।

ୟେ ତୋର ବିହୁନେ ରେ ବ୍ରତିବୁଂ ଆର କାହିଂ

ସଂସାର ଜନ ହିତା ଯେ ତୋ ତହୁଂ ଆନ ନାହିଂ ।୧୫୧।

ଅର୍ଜୁନ ଅଚେବନେ କୋପନ୍ତି ହଳଧାରୀ

ଆଜ ଉପାଡ଼ିବି କପିଳାସ ସ୍ୱର୍ଗପୁରୀ ।୧୫୨।

ଅନେକ ପ୍ରତଗ୍ୟାଂ ଯେ କରନ୍ତି କାମପାଳ

କପିଳାସ କନ୍ଦର ଯେ ବେଢିଲେ ଯାଇଂ ବଳ ।୧୫୩।

ବଳରାମଂକ ତୁଲେ କଉରୋବ ସଇନି

ନକୁଳ ସହଦେବ ଆବର ପାଣ୍ଡବ ପାବେନି ।୧୫୪।

ଅମର ସନ୍ୟବଳ ଘେନିଣ ଆଖଣ୍ଡଳ

ଅର୍ଜୁନ ମୃତୁପିଣ୍ଡ ଦଖିଣ କୋହାନଳ ।୧୫୫।

ଅଇରାବତ ଚଢ଼ି ଦେବ ଇନ୍ଦ୍ର ଯେ ଚଳଇ

ବାସବର ପ୍ରତଗ୍ୟାଂ କହିତ କି ପାରଇ ।୧୫୬।

ବଡ଼ାଇ ସମ୍ଭର୍ବେ ସେ କପିଳାସ ସ୍ୱର୍ଗ ବେଢ଼ି

ଦେବବାଦ୍ୟ ଦୁନ୍ଦୁଭି ଶବଦେ ତଡ଼ବତି ।୧୫୭।

ଅନେକ ସଇନି ଯେ ନ ଯାଇ କଳଣା

ବାଜଇ ବିଜିଘୋଷ ଟମକ ନିଶାଣା ।୧୫୮।

ୟେସନେକ ସମୟେ ନାରଦ ମହଋଷି

କପିଳାସ କନ୍ଦର ମିଳିଗଲେ ଆସି ।୧୫୯।

ନାରଦେ ବୋଇଲେ ଶୁଣ ଦେବ ହର

କପିଳାସ କନ୍ଦର ଯେ ସମ୍ଭାଳ ତୋହୋର ।୧୬୦।

ନାରଦ ମୁଖୁଂ ୟେସନେକ ବାକ୍ୟ ଶୁଣି

କୋହେ କୋପାନଳ ଯେ ଦେବ ଶୂଳପାଣି ।୧୬୧।

ଚଉଦ କୋଟି ଯେ ଶିବଗଣନ୍ତ ସାଜି

ନବଲକ୍ଷ ଡମ୍ବରୁ ଯେ ଅନ୍ତରୀକ୍ଷେ ବାଜି ।୧୬୨।

ବୃଷଭ ଆରୋହି ଯେ ଦେବ ବିଶ୍ୱବାସୀ

ଶୂଳ ପିନାକ ଧରି ବିଜୟେ ଦେବକାଶୀ ।୧୬୩।

ଟିଣାୟେକ ବିଣାୟେକ ଯେ ମହାକାଳ ନନ୍ଦୀ

ଜୟନ୍ତିକ ଅଜୟନ୍ତିକ ଚଣ୍ଡ ପ୍ରଚଣ୍ଡ ବୀର ଛନ୍ଦି ।୧୬୪।

ଅନେକ ନାରାଜ ଧରିଛନ୍ତି ତାହାଂକର ହାଥେ

ଶିବଗଣମାନେ ଯେ ଉଭାରିଲେ ସମସ୍ତେ ।୧୬୫।

ଈଶ୍ୱରଂକର ବଳ ଦେଖି ଦେବ ଚକ୍ରଧାରୀ

ପ୍ରବେଶ ନାରାୟଣ ଅର୍ଜୁନେ ତେଜ୍ୟା କରି ।୧୬୬।

ଯୁଝେଷ୍ଠି ଦେବ ଅର୍ଜୁନ କାୟା ଯେ ସମ୍ଭାଳି

ଅନେକ ବାହୁନି କାନ୍ଦଇ ସନ୍ଧ୍ୟାବଳୀ ।୧୬୭।

ବଇନେତ୍ର ବାହାନେ ଦେବ ଯେ ଅଚ୍ୟୁତ

ବଳରାମ ଅଗ୍ରତେ ବିଜୟେ ବିଶ୍ୱନାଥ ।୧୬୮।

ବଇଲ ବାହାନେ ଯେ ବିଜୟେ ବିଶ୍ୱଭୁତ ।୧୬୯।

ବଳରାମ କୋପିତ ସଦାଶିବ ଦେଖି

ବଜ୍ରହଳ ଧଇଲେ ଦେବ ଓପ୍ରୋଧ ଉପେଖି ।୧୭୦।

ବଳରାମଂକ କୋପ ଦେଖିଣ ଦେବହରି

ରହ ରହ ସ୍ୱାମୀ ବୋଲି ରାମଂକୁ ଶାନ୍ତି କରି ।୧୭୧।

ନନ୍ଦୀଘୋଷ ଆରୋହିଣ ଦେବ ଯେ ଅଚ୍ୟୁତେ

ପ୍ରବେଶ ହୋଇଲେ ଯାଇଂ ସଦାଶିବର ଅଗ୍ରତେ ।୧୭୨।

ଶ୍ରୀକରେ ଅର୍ଘ୍ୟ ଘେନିଣ ଦେବ ଦାମ୍ବୋଦର

ପ୍ରଣପତ୍ୟ ହୋଇଲେ ଯାଇଂ ଈଶ୍ୱରଂକ ଛାମୁର ।୧୭୩।

ନାରାୟଣଂକୁ ଦେଖିଣ ଦେବ ସଦାଶିବ

କୋପେ ପ୍ରତିଉତ୍ତର ଦିଅନ୍ତି ମହାଦେବ ।୧୭୪।

ଆରେ ଆରେ ପାମର ତୁ ଅଟୁ ବଡ଼ ଦୋଷୀ

ବ୍ରହ୍ମହତ୍ୟା ପାତକେ ତୋତେ ଆକାଶେ ନ ଦିଲେ ବସି ।୧୭୫।

ବିଶ୍ରବାର ନନ୍ଦନ ତୁ ବଧିଲୁ ରାବଣ

ତେଣୁକରି ବ୍ରହ୍ମହତ୍ୟା ଦୋଷ ତୋତେ ଦିଲେ ଦେବଗଣ ।୧୭୬।

ପୁଣି ତୁ ଜନ୍ମ ହୋଇଲୁ ଆସି ବସୁଦେବ ଘରେ

ପ୍ରୋହିଣୀକି ବଧକଲୁ ସ୍ତ୍ରୀଲିଙ୍ଗ ବିଚାରେ ।୧୭୭।

ଗୋଗୋଷ୍ଠେ ପଶିଣ ଯେ ଷଣ୍ଢା କଲୁ ବଧ

ଗୋହତ୍ୟା ଦୋଷ ତୋତେ ବହୁତ ବିରୋଧ ।୧୭୮।

ଗୋପସ୍ତିରୀମାନନ୍ତ ତୁ ହରିଲୁ ଦାରାଅର୍ଥେ

ଗୋପାଳ ପ୍ରକୃତି ତୋର ଅଟଇ ଯୁଗତେ ।୧୭୯।

ଗଉଡ଼ ବାଉଡ଼ ହାଉଡ଼ ତିନି ନାମ ବହୁ

ଜନ୍ମ ଅନୁରୂପେ ବାକ୍ୟ ତୁହି କହୁ ।୧୮୦।

ଅପାର ପାତକ ରେ ଅଛଇ ତୋର ଅଙ୍ଗେ

ତୋହୋର ମୁଖ ଚାହିଂ ନ ଯୋଗାଇ ସଙ୍ଗେ ।୧୮୧।

ଗୁଣ ନ ବିଚାରି ଅନମିତେ ହୋଉ ଦ୍ୱନ୍ଦୀ

ବହୁତ ଝିଂଘାସିଣ ଯେ ସଦାନନ୍ଦ ନିନ୍ଦି ।୧୮୨।

ଈଶ୍ୱର ବଚନେ ହରି କୋପେଣ ପରଜଳି

ରାଗେ ପ୍ରତିଉତ୍ତର ଯେ ଦିଅନ୍ତି ବନମାଳୀ ।୧୮୩।

ଆହେ ଈଶ୍ୱର ତୋହୋର ୟେହୁ କଥାମାନ

ମୁହିଂ ତାହା ବୁଝିଲିନି ଦେବ ତ୍ରିଲୋଚନ ।୧୮୪।

ରାବଣକୁ ମାଇଲି ସେ ଅଟେ ବ୍ରହ୍ମ ରାକ୍ଷସ

ତହିଂକି ଅନମିତ୍ତେ ଦିଲୁ ମୋତେ ବ୍ରହ୍ମହତ୍ୟା ଦୋଷ ।୧୮୫।

ଆହୋ ବ୍ରହ୍ମା ସତ୍ୟଯୁଗେ ତୋର କଲା କେଉଂ ଦୋଷ

ଅଦଭୂତେ ଶିର ତାର ମୋଡ଼ିଲୁ ବିଶ୍ୱବାସ ।୧୮୬।

ତୁ ସେ ବ୍ରହ୍ମହତ୍ୟା କଲୁରେ ପାମର ଯୋଗୀ

ସେ ବ୍ରହ୍ମା କପାଳ ତୋର କରେ ଅଛି ଲାଗି ।୧୮୭।

ତୁ ସେ ରାବଣକୁ ବର ଦିଲୁ ପଶୁପତି

ମନ୍ଦୋଦରୀକି ସେବା କରଇ ତୋହୋର ପାର୍ବତୀ ।୧୮୮।

ଆପଣେହେଂ ନୃତ୍ୟକରୁ ରାବଣ ଅଗ୍ରତେ

ସମସ୍ତ ଦେବତାୟେ ଖଟନ୍ତି ବଶ୍ୟାବୃତ୍ତେ ।୧୮୯।

ସେ ରାବଣ ଅଟେ ମୋର ଦାରାର ବଇରି

ସେ ଦେବଋଷି କଣ୍ଟକ ତାହାକଇଂ ମୁହିଂ ମାରି ।୧୯୦।

କିସ ଦୋଷ କଲେ ତୋର ପ୍ରଜାପତି ଦକ୍ଷ

ତାହାର ମୁଣ୍ଡ ଗୋଟିକ ହୋ ମୋଡ଼ିଲୁ ପ୍ରତକ୍ଷ ।୧୯୧।

ତୁ ଯେ ବ୍ରହ୍ମହତ୍ୟା ଦୋଷ କଲୁ ରେ କପାଳୀ

ଆନକୁ ବାଛୁ ତୁ ଲଜ୍ଜା କି ନ ଉଗୁଳି ।୧୯୨।

ତୁହି ଯେ ବୋଇଲୁ ମୁଂ ସ୍ତିରୀହତ୍ୟା କଲି

କଂସର ଭୟେଣୀ ପ୍ରୋହିଣୀକି ମାଇଲି ।୧୯୩।

ଦୁଇ ଥନରେ ସେ ବିଷକୁ ପୂରୋଇ

ମୋତେ ମାରିବ ବୋଲି ଆସିଲାକ ଧାଇଂ ।୧୯୪।

ସେ କ୍ଷୀର ମୋତେ ଦିଅନ୍ତେ ବଦନେ

ଗାଢ଼େଣ ଚୁମ୍ବିଲି ସେ ଗଲା ନାଶପାନେ ।୧୯୫।

ମୋତେ ପ୍ରାଣେ ନାଶ କରିତେ ଅଇଲା

ମୁହିଂ ନାଶକଲି ତହିଂ ମୋହୋର କିସ ଦୋଷ ହୋଇଲା ।୧୯୬।

ରାକ୍ଷାସୁଣୀ ପିଚାଶୁଣୀ ଡାଂକେଣୀ ଅସୁରୁଣୀ

ୟେହାନ୍ତ ମାଇଲେ ଦୋଷ ନାହିଂ ପୁଣି ।୧୯୭।

ତୁ ଯେ ସିଦ୍ଧ ସତ୍ୟଯୁଗେ ପାର୍ବତୀଂକି ଭଣ୍ଡିଲୁ

ତିନିଦିନେ ଆସିବି ବୋଲି ଗଙ୍ଗା ଘରକଇଂ ଗଲୁ ।୧୯୮।

ଦେବ ବରଷେ ରହିଲୁ ନବ ସହସ୍ର ବରଷ

ଅଭିମାନେ ପାର୍ବତୀ ଛାଡ଼ିଲେ ଶରୀର ଆଶ ।୧୯୯।

ତୋହୋର ଉପରରେ ମଲା ଦଉଡ଼ି ଲଗାଇ

ସେହି ମୁଣ୍ଡଗୋଟି ଅଛୁ ହୃଦରେ ଲମ୍ବାଇ ।୨୦୦।

ତୁହି ସେ ସ୍ତିରୀହତ୍ୟା କଲୁ ଯେ ଯୁଗତେ

ଅକାରଣେ ଦୁର୍ବୁଦ୍ଧିତ କହୁ ଆନ କେତେ ।୨୦୧।

ତୁ ଯେ ବୋଇଲୁ ମୁଂ ଗୋହତ୍ୟା ଦୋଷ କଲି

ଗୋଗୋଷ୍ଠେ ପଶିଣ ମୁଂ ଷଣ୍ଢାସୁରକୁ ମାଇଲି ।୨୦୨।

କଂସର ସେନାପତି ସେ ଷଣ୍ଢରୂପ ଧରି

ସେ କପଟେ ମୋତେ ମାରିବ ବୋଲି ଅଇଲା ଖରକରି ।୨୦୩।

ମୁହିଂ ତାହାକୁ ସାଂଗ୍ରାମେ କଲଇଂ ହାଦେ ବଧ

ସାଂଗ୍ରାମେ ଗୋରୁ ବ୍ରାହ୍ମଣେ ହୋଅନ୍ତି ଶିରଚ୍ଛେଦ ।୨୦୪।

ତୁ ଯେ ତପକଲୁ ପାତାଳ ଗଙ୍ଗା ତୀରେ

କୁଶ ଲୋଚିୟେ ଲୁଚାଇ ଦିଲୁ ନଦୀର କୂଳେ ।୨୦୫।

ବେଦ ମାତା ଗାଇତୀରି ଆସୁଣ ଥିଲା ଚରି

ନ ଜାଣି ଗୋ ମାତା ସେ ଖାଇଲା କୁଶ ବିଡ଼ି ।୨୦୬।

ରାଗ ସଂହରି ନୁଆରି ତୁ ଧାଇଂଲୁ କୋପାନଳେ

ଗୋ ମାତା କପିଳାକୁ ମାଇଲୁ ହରଶୂଳେ ।୨୦୭।

ଗାଈର ଶରୀରେ ଶୂଳ ତୋହୋର ଯେ ପଡ଼ି

ସେ ଗୋ ମାତାର ମୁଣ୍ଡ ପଡ଼ିଲାକ ଛିଡ଼ି ।୨୦୮।

ଆନକଇଂ କଥା ତୁ ଯେ ନ ଜାଣି କହୁ ଧୂର୍ଜ୍ଜଟୀ

ଭଇରୋବ ରୂପରେ ଖପରେ ତୋହୋର ଗୋମାତା ମୁଣ୍ଡଗୋଟି ।୨୦୯।

ତୁ ସେ ଗୋରୁହତ୍ୟା ଦୋଷ କଲୁସି କପାଳୀ

ମୁକୁହିଂ ଝିଂଘାସୁ ଅନମିତେ ଯେ ତୋହୋର ଭଳି ।୨୧୦।

ତୁ ଯେ ବୋଇଲୁ ମୁହିଂ ହରିଲି ଗୋପସ୍ତିରୀମାନନ୍ତ

ଅନ୍ୟର ତିରୀ ସେ ମୋହୋର କିସ ମାନିତ ।୨୧୧।

ଆମ୍ଭର ନିଜ ମାତା ଅନାଦି ଶକତି

ତା ତହୁଂ ହୋଇଲୁ ଆମ୍ଭେ ତିନିପୁତ୍ର ଉତପତି ।୨୧୨।

ସେ ତିନି ସନ୍ତତି ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ସେ ଶକତି ଘେନି ତୁହି ୟେବେ କରୁଅଛୁ ଘର ।୨୧୩।

ମହା କୂଟ ବଚନ ଶୁଣି ଶୂଳପାଣି

କୋପେଣ ଗର୍ଜନ୍ତି ଦେବ କାଳସର୍ପ ଜାଣି ।୨୧୪।

ଗଳଇ ତ୍ରିପଣ୍ଡ ଦେବ ତ୍ରିପୁରାନ୍ତେକ ମୃତ୍ତି

ତମ୍ବାର ଚକ୍ର ପ୍ରାୟେକ ବୁଲାଇ ଚଛୁ ଜ୍ୟୋତି ।୨୧୫।

ଅଧର ପୃଷ୍ଟ କରି ଅଧରେ ଦନ୍ତ ଚାପି

ତୀକ୍ଷ ପରଶୁ ୟେକ ଘେନିଣ ମାଇଲେ ଦେବ ଖେପି ।୨୧୬।

ଦେଖିଣ ପକ୍ଷ ଯେ ପାତିଲା ଖଗେଶ୍ୱର

ଭାଜିଣ ପରଶୁ ଯେ ହୋଇଲା ଶତେ ଚୂର ।୨୧୭।

କଦଳୀ ପତ୍ର ପ୍ରାୟେକ କମ୍ପଇ ହର ଅଙ୍ଗ

ପୁଣିହିଂ ପ୍ରହାର ଯେ କଲେକ ଖଟ୍ୱାଙ୍ଗ ।୨୧୮।

ଗରୁଡ଼ ପକ୍ଷରେ ବାଜି ଶସ୍ର ଚୂର ଗଲା

କୋପେ ବିଶ୍ୱନାଥ ଯେ ପିନାକ ଧଇଲା ।୨୧୯।

ସହସ୍ରେକ ନାରାଜ ଯେ ବିନ୍ଧିଲେ ପୂରୋଇ

ଗୋବିନ୍ଦେ ପଛକରି ଧାଇଂଲେ ହଳସାଇଂ ।୨୨୦।

ସର୍ବଦା ମତ୍ତଭୋଳା ସେ କାଦମ୍ବରୀ ରସଭୋଳେ

ଅନ୍ତରୀକ୍ଷେ ବୁଲାନ୍ତି ସମର୍ଥେକ ସଉନନ୍ଦ ମୂଷଳେ ।୨୨୧।

ତାଳଧ୍ୱଜ ରଥ ଆରୋହି କାମପାଳ

କୋପେ ପ୍ରବେଶ ଦେବ ସଦାନନ୍ଦ ଛାମୁର ।୨୨୨।

ବଳରାମଂକୁ ଦେଖିଣ ଦେବ ଯେ ଧୂର୍ଜଟୀ

ତ୍ରିଶୂଳ ଶକତି ନେଇ ଦେବ ବେଗେ ପିଟି ।୨୨୩।

ତାଳଧ୍ୱଜ ରଥ ଯେ ଭାଞ୍ଜି ହୋଇଗଲା ଚୂନା

ଅଭେଦ କବଚ ଭେଦିଲା ବଳରାମ ସେନା ।୨୨୪।

ପାଦଗତି ହୋଇଣ ଧାଇଂଲେ ନୀଳାମ୍ବରେ

ବଜ୍ରହଳ ପିଟିଲେ ଦେବ ସଦାଶିବ ଉପରେ ।୨୨୫।

ଦେଖିଣ ସଦାଶିବ ବାମଅଙ୍ଗ ପାତି

ବଳରାମଂକ ହାଥରୁ ଉଛୁଡ଼ି ଘେନିଲେ ହଳ ଶକତି ।୨୨୬।

ସେହି ହଳ ଘେନି ଦେବ ପିଟିଲେ ଲେଉଟାଇ

ପୁଣି ଉଛୁଡ଼ି ତାହା ଘେନିଲେ ହଳସାଇଂ ।୨୨୭।

ସେ ରାଜନ କାର୍ତ୍ତିକେଶ୍ୱର ସଙ୍ଗେ ଇନ୍ଦ୍ର ଦେବତାର ଯୁଦ୍ଧ

ଅନେକ ସାଂଗ୍ରାମ ସେ ହୋଇଲା ରଣ ମଧ୍ୟ ।୨୨୮।

ଦ୍ରିଯୋଧନ ସଙ୍ଗେ ନନ୍ଦିକେଶ୍ୱର ରଣ ବଢି

ଭୀମସେନ ମହାକାଳ ଯୁଦ୍ଧେ ଘୋର ରଡ଼ି ।୨୨୯।

ଧୁଶାସନ ବିନାୟକ ଦୁହିଂକର ସମର

ଜୟନ୍ତିକ ତୁଲେ ଗାଙ୍ଗେବ ରଣ ଘୋର ।୨୩୦।

ଚଣ୍ଡ ସେନାପତି ତୁଲେ ଚିତ୍ରସେନ ଯୁଦ୍ଧ କରି

ମହା ପ୍ରଳୟ ପ୍ରାୟେ ସମରେ ଆଗୁସରି ।୨୩୧।

କୁତୂହଳ ସମର ଯେ ହରିହର ବେନି

ଦଇବର ବିପାକେ ସେ ହୋଅନ୍ତି ଅନ୍ୟାଅନ୍ୟି ।୨୩୨।

ପ୍ରଚଣ୍ଡ ସେନାପତିର ତୁଲେ ଗୁରୁ ଦ୍ରୋଣେ

ଟିଣାକେୟର ତୁଲେଣ ଶଲ୍ୟ ମହାରାଣେ ।୨୩୩।

ପାଶ ଗଦା ମୁଦୁଗର ଅସିପତ୍ର ତୀକ୍ଷମୁନା

ବିନ୍ଧନ୍ତେ ନିକିଳଇ ଅଭେଦ ବଜ୍ରସେନା ।୨୩୪।

ଶହସ୍ର ବିଘାତେଣ କମ୍ପଇ ବ୍ରହ୍ମାଣ୍ଡ

ତ୍ରାସିଲେ ଭୂଅଲୋକ ମେଦିନୀ ନବଖଣ୍ଡ ।୨୩୫।

ତର୍ଜନ୍ତି ଗର୍ଜନ୍ତି ସେ ଧାମନ୍ତି ଅତି ବେଗେ

ଘଣ୍ଟାରାବ ଶବଦେ ସେ କମ୍ପନ୍ତି ମତ୍ତନାଗେ ।୨୩୬।

ଦୁସହ ସାଂଗ୍ରାମେ ଯେ ବଢ଼ିଲା ଅପ୍ରମିତ

କ୍ଷତ୍ରୀଂକର ପାଦଘାତ ନ ସହଇ ବସୁମତୀ ।୨୩୭।

କରେଣ ଗଦାବର ଯେ ଘେନିଣ ବୀର ବ୍ରିକୋଦର

ଶିବଗଣଂକର ତୁଲେ ବିଷମ ସମର ।୨୩୮।

ବାଇନ ବାଉନ ଭାର ଗଦା ଭୀମ ଘେନିଣ ବେନି ହାଥେ

କୃତାନ୍ତକ ପ୍ରାୟେକ ଦିଶଇ କୋପଚିତ୍ତେ ।୨୩୯।

ରେ ରେ କାର କରିଣ ପାଣ୍ଡବ ବୀର ଉଠି

ଶିବଗଣମାନନ୍ତ ଗୋଡ଼ାଇଣ ପିଟି ।୨୪୦।

ମହା ପ୍ରଳୟ କାଳେ ଯେନ୍‌ହେ ଗର୍ଜନ୍ତି ମେଘମାଳ

କାଳଚକ୍ର ପ୍ରାୟେକ ନୟନ ତାର ବୁଲାଇ ଅନ୍ତରାଳ ।୨୪୧।

ସୋହଡ ସୁନ୍ଦର ଯେ ନିର୍ଦୟା ବୀର ଭୀମା

ଶତ୍ରୁ ଶରଣ ନ ରଖଇ ଦୁସହ ଗାରିମା ।୨୪୨।

ଶିବଗଣମାନନ୍ତ ଗୋଡ଼ାଇ ଭୀମ ପିଟି

ପଳାନ୍ତି ଶିବଗଣେ ନ ଚାହାଂନ୍ତି ନେଉଟି ।୨୪୩।

ଭୀମସେନ ମୃତ୍ତି ଦେଖି ଧାମଇଂ ମହାକାଳ

ମହାଘୋର ମୃତ୍ତି ସେ ହୃଦେ ନର ମୁଣ୍ଡମାଳ ।୨୪୪।

କରେଣ କଟାରୀ ବୁଲାଇ ମହାଘୋରେ

ଧାଇଂଣ ପ୍ରହାର କଲାକ ଭୀମସେନର ଉପରେ ।୨୪୫।

କଟାରୀ ପଡ଼ନ୍ତେ ସେ ଦେଖିଲା ପାବେନି

ମହାକାଳ ହାଥରୁ ଉଛୁଡ଼ଇ ତାହା ଘେନି ।୨୪୬।

ସେ କଟାରୀ ଘେନି ମହାକାଳେ ନେଉଟାଇ ନେଇ ପିଟି

ମହାକାଳ ଶରୀରେ ପଡ଼ି ଅଗ୍ନି ଜଳିଉଠି ।୨୪୭।

ବଜ୍ର କଟାରୀ ପଡ଼ନ୍ତେ ଅଚେତ ମହାକାଳ

ରଡ଼ିନାଦେ କମ୍ପିଲେ ଆକାଶେ ଦିଗ ପାଳ ।୨୪୮।

ମହାକାଳ ଅଚେଷ୍ଟ ଦେଖିଣ ନାଗାଅରଜୁନ

ଭୀମସେନ ସନ୍ନିଧ୍ୟେ ପ୍ରବେଶ ସନ୍ଧ୍ୟାବାଳୀ ନାନ ।୨୪୯।

ଦୁତୀ ପିନାକ ସମାନେ କରେଣ ଧରି ଧନୁ

ଭାମସେନକଇଂ ଲକ୍ଷେ ନାରାଦ ବିନ୍ଧିଲା ନଗେଣୀର ତନୁ ।୨୫୦।

ଦେଖିଣ ବ୍ରିକୋଦର ପାତିଲା ବାମଅଙ୍ଗ

ସମସ୍ତ ଶହସ୍ର ତିହିଂ ପଡ଼ିଣ ହୋଇଲା ଭଙ୍ଗ ।୨୫୧।

ପୁଣ କୋଟିୟେ ନାରାଜ କୁମାର ଯେ ଯୋଚି

ଆକାଶ ଅନ୍ଧକାର ହୋଇଲା ସେ ନ ଦିଶଇ କିଛି ।୨୫୨।

ଦେଖିଣ ପ୍ରଶଂସଇ ପାଣ୍ଡବ ପାବେନି

ଧନ୍ୟରେ ତପୁସୀ ତୋହୋର ପିଅର ଜନନୀ ।୨୫୩।

ନାରାଜ ଦେଖି ବାମଅଙ୍ଗ ପାତଇ ପୁଣ ପୁଣ

ସମସ୍ତ ନାରାଜ ଅଙ୍ଗେ ପଡ଼ି ଚୂରଗଲା ଭୀମସେନ ତା ନ ଜାଣି ।୨୫୪।

ଦେଖିଣ ପ୍ରଶଂସଇ ସେ ନାଗେଣୀର ବଳା

ମତ୍ତ ମାତଙ୍ଗ ଜାଣି ତେଜ ଅନର୍ଗଳା ।୨୫୫।

କୋପଭରେ ବିକାଶିଲା ରୁଦ୍ରର ମୂରତି

କରେ ଧଇଲା କୁମର ଶୂଳ ଯେ ଶକତି ।୨୫୬।

କୋଟିୟେ ସୂର୍ଯ୍ୟର କିରଣ ଯେବଣ ଶୂଳ ଶକତିର ତେଜ

ଯେବଣ ଶହସ୍ର ପେଶିଲେ ତ୍ରଇଲୋକ ହୋଅଇ ଦହିଜ ।୨୫୭।

ଅନ୍ତରୀକ୍ଷେ କୁମର ତା ଧରି ବୁଲାବନ୍ତେ ହାଥେ

ତ୍ରାସେ ଗୋପ୍ୟାନ ନ ହୋଉଛନ୍ତି ପାତାଳେ ଉଡ଼ନ୍ତେ ପର୍ବତେ ।୨୫୮।

ନାଗାଅର୍ଜୁନ ବୋଇଲା ଶୁଣସି ହୋ ଭାଇ

ଶକତି ପେଶୁଅଛିଟି ଦୋଷ ମୋହୋର ନାହିଂ ।୨୫୯।

ଶୂରବର ସୁନ୍ଦର ଦିଶୁଅଛୁ ମକର କେତନ ପ୍ରାୟେ

ଶକତିର ତେଜେ ଦହନ ହୋଇବଟି ତୋହୋର କାୟେ ।୨୬୦।

ସମ୍ଭାଳ ସମ୍ଭାଳ ବୋଲି ବୀର ଶକତି ଦିଲା ପେଷି

ଭୀମ ଶରୀରେ ପଡ଼ିଲା ଶକତି ବେଗେ ଆସି ।୨୬୧।

ଶକତି ଦ୍ରୋଚ୍ଛନାରେ ବୀର ହୋଇଲା ଅସାଷ୍ଟମ

ମୃଚ୍ଛାଗତ ହୋଇ ଯେ ପଡ଼ିଲା ଭୀମସେନ ।୨୬୨।

ଶକତିର ତେଜେ ନବ ସହସ୍ର ଯୋଧୀ

ମୃଚ୍ଛାଗତେ ସମସ୍ତେ ପଡ଼ିଲେ ଆତ୍ମାନ୍ତ ନିରୋଧି ।୨୬୩।

ଭୀମସେନ ଅସାଷ୍ଟମ ଦେଖି ମାନଗୋବିନ୍ଦ ରାୟେ

ଅନେଶ୍ୱତ ଭ୍ରାଥ ଘେନି ଆପଣେ ବିଜୟେ ।୨୬୪।

ଅନେକ ଶହସ୍ରମାନ ସେ ପୂରୋଇ ବୀରେ କୋପେ

ଶତେପୁର କରି ନାଗାଅର୍ଜୁନକୁ ବେଢ଼ିଲେ ପରିତାପେ ।୨୬୫।

ଯେସନେକେ ଜଳବୃଷ୍ଟି ହୋଅଇ ଶ୍ରାବଣେ

ଆଦିତ୍ୟ ଦେବତା ଅଦୃଶ୍ୟ ଯେ ହୋଇଲେ ଗଗନେ ।୨୬୬।

ଦେଖିଣ କୋପିତ ଯେ ନାଗେଣୀର ବାଳ

ଯେସନେକ ମତ୍ତନାଗ ଧାମଇଂ କୋପାନଳ ।୨୬୭।

ଯେସନେକ ମତ୍ତନାଗ ପଶଇ କଦଳୀର ବନେ

ଭଜିଣ ଚୂର ସେ କରଇ ମହାରଣେ ।୨୬୮।

ୟେକା କୁମରକେ ସମସ୍ତ ଶହସ୍ର ଛେଦି

ପବନହୁଂ ବେଗକରି ନାରାଜ ନିରୋଧି ।୨୬୯।

ପବନ ବିଘାତେ ଯେହ୍ନେ ପଡ଼ଇ ଫକୁଫଳ

କନ୍ଧରୁ ଶିର ଛିଡ଼ିଣ ପଡ଼ଇ ମହୀତଳ ।୨୭୦।

ଯେତେକ ନାରାଜମାନ ବିନ୍ଧନ୍ତି କଉରୋବେ

ନାଗାଅରଜୁନ ଶରୀରେ ପଡ଼ି ଚୂର ହୋଉଛନ୍ତି ସର୍ବେ ।୨୭୧।

ୟେକା ଘାନ୍ତିକେ ନାଗାଅରଜୁନ କଲା ଶର ବୃଷ୍ଟି

ଶତେ ଭାଇଂକି ନାରାଜ ବିନ୍ଧିଲା ଶତେକୋଟି ।୨୭୨।

ରୋମକେ ନାରାଜ ପଡ଼ିଲା ସବୁଂକରି ଉପରେ

ମୃକ୍ଷାଗତ ଯାଇଂଣ ପଡ଼ିଲେ ସର୍ବ ବୀରେ ।୨୭୩।

ୟେକା ଘାନ୍ତିକେ ଯହୁଂ ପଡ଼ିଲେ ଶତେଭ୍ରାଥ

ସିଂଘନାଦ କଲା ଯେ ନାଗେଣୀର ସୁତ ।୨୭୪।

ନାରାଜ ପଡ଼ନ୍ତେ ଭାଜିଲେ ସଇନି

ଦ୍ରିଯୋଧନ ଓଗାଳଇ କରେ ଗଦା ଘେନି ।୨୭୫।

ରାହୁ ଯେସନେ ଧାମଇ ଶଶଧର ଦେଖି

ତେସନ ଦ୍ରିଯୋଧନ ହୋଇ ମହାକୋପୀ ।୨୭୬।

ବାସହରା ପକ୍ଷୀ ଯେହ୍ନେ ଧାମନ୍ତି ଆରତେ

ଭାଜିଲେ କଉରୋବେ ମିଳନ୍ତି ନାହିଂ ଅଗ୍ରତେ ।୨୭୭।

ରାଗେଣ ମାନଗୋବିନ୍ଦ ଗଦାୟେ ପ୍ରହାରି

ନାଗେଣୀ କୁମର ତାହା ଗେନିଲା ଉଛୁଡ଼ି ।୨୭୮।

ଶୂନ୍ୟହାଥେ ହୋୟେ ରାଜା ଦ୍ରିଯୋଧନ

ମହାକୋପେ ପ୍ରଜ୍ଜ୍ୱଳିତ ନାଗେଣୀ ନନ୍ଦନ ।୨୭୯।

ସେହି ଗଦା ଘେନିଣ ନାଗେଣୀ କୁମର

ତୁରିତେ ପିଟିଲା ନେଇ ରାଜାର ଉପର ।୨୮୦।

ସିଂଘନାଦ କରଇ ଯେ ନାଗେଣୀ କୁମର

ପଡ଼ିଲା ମାନଗୋବିନ୍ଦ ଅସାଷ୍ଟମେ ଭୂମିର ।୨୮୧।

କଉରୋବ ସଇନିଂକୁ ଧ୍ୱଂସିଲା ଅନେକ ରଣେ

ପାଞ୍ଜଲକ୍ଷ ଯୋଦ୍ଧା ସେ ମାଇଲା ୟେକାଜଣେ ।୨୮୨।

ରାଜାର ନିଧନ ଦେଖି ଭୀଷ୍ମ ମହାରଥୀ

ଗଙ୍ଗାର ନନ୍ଦନ ଆସି ଓଗାଳିଲେ ତତକ୍ଷଣାନ୍ତି ।୨୮୩।

ନବମେବଚ୍ଛ ଯୋଦ୍ଧା ଅଛନ୍ତି ତାହାଂକର ତୁଲେ

ନାଗା ଅର୍ଜୁନ ଛାମୁରେ ଭୀଷ୍ମେ ବିଜେକଲେ ।୨୮୪।

ମହାଅନଳ ତେଜ ଜାଣି ଦିଶଇ ନାଗାଅରଜୁନ

ନିଶି ପ୍ରବେଶେ ଯେହ୍ନେ ଦିଶଇ ହୁତାଶନ ।୨୮୫।

ଶ୍ରୀଭୁଜେ ଶୋଭାବନ ପିନାକ ସମାନେ ଧନୁ

ସମରେ ଅନିର୍ବାରଣ ସେ ନାଗେଣୀର ତନୁ ।୨୮୬।

ଲକ୍ଷେକ ନାରାଜ ବୀର ଭୀଷ୍ମଂକୁ ପୂରୋଇ

ଆରେ ଆରେ ମାନବ ରେ ଯିବୁ ଆଜ କାହିଂ ।୨୮୭।

ତୀକ୍ଷମୁନା ନାରାଜେକ ଘେନି କୁମାର କରଇ ଶରବୃଷ୍ଟି

ଭୀଷ୍ମଂକର ରଥ ବେନିଖଣ୍ଡ କରି କାଟି ।୨୮୮।

ହୁଂକାର ଶବଦ ଯେ କରିଣ ଶିରଝୁଣି

ଲକ୍ଷେକ ନାରାଜ ଭୀଷ୍ମଂକୁ ବିନ୍ଧିଲାକ ଟାଣି ।୨୮୯।

ଭୀଷ୍ମଂକର ଶରୀର ଫୁଟିଲା ମହାତମେ

ରୁଧିର ଗାଙ୍ଗେବଂକର ବାହାର ରୋମେ ରୋମେ ।୨୯୦।

କୋପେଣ ଧନୁ ଧରିଣ ଶାୟନ୍ତନୁର ଶିଷି

ଅବିଚ୍ଛନ୍ନେ ଭୀଷ୍ମଦେବ ନାରାଜ ବରଷି ।୨୯୧।

ପାଞ୍ଚଲକ୍ଷ ନାରାଜ ଯେ ବିନ୍ଧିଲେ ଗାଙ୍ଗେବ

ୟେକା ନାରାଜକେ ତାହା ଚ୍ଛେଦିଲା ବାଳଭାବ ।୨୯୨।

ଅବିଶ୍ରାମେ ଚକ୍ର ଘୋନି ମାଇଲା କୁମର

ଭୀଷ୍ମଂକ ଶରୀରେ ପଡ଼ି ରୋଧିର ବାହାର ।୨୯୩।

ସମରେ ନିଚେଷ୍ଟ ଯେ ଶାୟନ୍ତନୁର ବଳା

ପୁଣି ସାଷ୍ଟାମ ହୋଇ ସେ ତେଜେଣ ଅନର୍ଗଳା ।୨୯୪।

କୋପେଣ ଭୀଷ୍ମ ଯେ ଧାଇଂଲେ ପାଦଗତି

ନାଗା ଅର୍ଜୁନକୁ ପିଟିଲେ ଅମୋହ ଶକତି ।୨୯୫।

ଦେଖିଣ ନାଗା ଅର୍ଜୁନ ପାତିଲାକ ତାହର ମୁଣ୍ଡ

ଶକତି ଶିରେ ପଡ଼ି ହୋଇଲା ଶତେଖଣ୍ଡ ।୨୯୬।

ଆହୋ ଅମୋହ ଶକତି ସେ ଯହୁଂ ଭଗ୍ମ ହୋଇଗଲା

ଗଙ୍ଗାର ନନ୍ଦନ ଦେଖି ସମରେ ଘୁଞ୍ଚିଲା ।୨୯୭।

ଭୀଷ୍ମଂକର ଘୁଞ୍ଚନ୍ତେ ଘୁଞ୍ଚି ଭାଜିଲେ ସଇନି

ଗୋଡ଼ାଇ ବିନ୍ଧନ କୁମର ଅନେକ ଶହସ୍ର ଘେନି ।୨୯୮।

ରଥ ଗଜ ସଇନି ପଡ଼ିଲେ ଭଗ୍ମହୋଇ

କଟାରେ ଶିର ଚ୍ଛେଦଇ ନିର୍ଦୟାଭାବ ବହି ।୨୯୯।

ଅନେକ ସଇନି ଯେ ବିନ୍ଧୁଛନ୍ତି ଶର

ପଡ଼ିଣ ଚୂର ହୋଉଛନ୍ତି କୁମର ଉପର ।୩୦୦।

ଯୋଜନ ପରିଯନ୍ତେ ଥାଠ ନେଲାକ ଭଞ୍ଜାଇ

ବେନିକୋଶ ବିସ୍ତାରେ ସଇନି ପଡ଼ିଲେ ରଣଭୂଇଂ ।୩୦୧।

ତାତ ତୋଡ଼ର ଝୁମ୍ପା ସରଳ ମୁକୁଟ ବାହୁଟି

ରକତେ ମର୍ଦ୍ଦନ ହୋଇ ବୀରେ ପଡ଼ିଲେ ମହୀଲୋଟି ।୩୦୨।

ଥାଠଭଗ୍ନ ଦେଖିଣ ଯେ କର୍ଣ୍ଣ ଅଶସ୍ତମା

ନାଗା ଅର୍ଜୁନ ଛାମୁରେ ପ୍ରବେଶ କୃତବର୍ମା ।୩୦୩।

ୟେକ କୁମାରକୁ ଯେ ବେଢ଼ିଲେ ତିନିରଥୀ

ୟେହାଂକର ତୁଲେ ମୁକୁଟବନ୍ଧା ଯୋଦ୍ଧା ପାଞ୍ଚଲକ୍ଷ ହାଥୀ ।୩୦୪।

ଲକ୍ଷେପୁର କରି ବେଢ଼ିଲେ ସର୍ବ ଥାଠେ

ଆକାଶ ଅନ୍ଧକାର ହୋଇଲା ଶହସ୍ରଂକ ନିଘୋଟେ ।୩୦୫।

ଶହସ୍ର ବିଘାତେ ଯେହ୍ନେ କମ୍ପଇ ମେରୁ

ନିର୍ଭୟେ କୁମାର ସେ ନ ଶଂକଇ ଶହସ୍ର ପଡ଼ୁ ।୩୦୬।

ଅପାର ନାରାଜ ପଡ଼ି ଚୂରଗଲେ ତାହାର ଅଙ୍ଗେ

ରେ ରେ କାର ଶବଦ କରି ସେ ନାଚଇ ରଣରଙ୍ଗେ ।୩୦୭।

କୋଟିୟେ ନାରାଜ ପୂରୋଇ ବିନ୍ଧିଲା ଧାତିକାରେ

ତିନିଶହ ଯୋଦ୍ଧା ଯେ ପଡ଼ିଲେ ୟେକଠାରେ ।୩୦୮।

ରଥ ଗଜ ଅଶ୍ୱ ଯେ ପଡ଼ିଲେ ଭୂମି ଲୋଟି

ଦେଖିଲେ କର୍ଣ୍ଣ ଅଶସ୍ତମା କୃପେ ନିବୁଜାଇ ପଡ଼ିଲେ ଥାଠ କୋଟି ।୩୦୯।

ପୁଣି ନାଗାଅରଜୁନ କର୍ଣ୍ଣକୁ ବାଇବା ଶହସ୍ର ମାଇଲା

ସହସ୍ରେକ ଯୋଦ୍ଧା ଘେନି କର୍ଣ୍ଣ କେଣେ ଉଡ଼ିଗଲା ।୩୧୦।

ପଶୁପତ୍ର ନାରାଜ ଘେନି ମାଇଲା ଅଶସ୍ତମାକୁ

ସେହ୍ନା ଫୁଟିଣ ନାରାଜ ଭେଦିଲା ତାହାର ବୁକୁ ।୩୧୧।

ଦ୍ରୋଣଂକର ନନ୍ଦନ ପଡ଼ିଲେ ଉତ୍ତାନଶାହୀ ହୋଇ

ଶହସ୍ରଂକ ତେଜୁଂ କରି ପଡ଼ିଲେ କୃପହି ।୩୧୨।

କୃପଂକ ତୁଲେ ଯେ ପାଞ୍ଚଲକ୍ଷ ଥିଲେ

ବାଣର ତେଜ ଲାଗି ସମସ୍ତେ ପ୍ରାଣ ବିସର୍ଜିଲେ ।୩୧୩।

ରଥ ଗଜ ସଇନି ଯେ କେହୁ କରି ଅନ୍ତ

ୟେକା କୁମରକେ ଭେଦଇ ସେ କୁରୁବଳନ୍ତ ।୩୧୪।

ଅସଂଚେପ ଯୁଦ୍ଧ କଲା ନାଗାଅରଜୁନ

ସମସ୍ତ ଧ୍ୱଂସିଲା ୟେକାୟେ କୁରୁସନ୍ୟମାନ ।୩୧୫।

ନବକୋଟି ରଥୀ ନବ ମେବଚ୍ଛ ଯେ ହାଥୀ

ସାତବୃନ୍ଦ ଅଶ୍ୱ ନବ କ୍ଷଉଣୀ ପାଦାନ୍ତି ।୩୧୬।

ପାଞ୍ଚ ଯୋଜନ ପାୟେଡ଼ା କରି ୟେତେକ ସନ୍ୟ ମାରି

ବାହୁଡ଼ି କାର୍ତ୍ତିକ ସଙ୍ଗତେ ମିଳିଲା ଗୁଣନାଦ କରି ।୩୧୭।

ଦେବତାଂକର ତୁଲେ କାର୍ତ୍ତିକେଶ୍ୱର ଅପ୍ରମିତ ଯୁଦ୍ଧେ

ବହୁତ ଗନ୍ଧର୍ବେ ପଡ଼ିଲେନି କାର୍ତ୍ତିକେଶ୍ୱର ବିରୋଧେ ।୩୧୮।

ଛଡ଼ଭୁଜେ କୁମାର ଧଇଲା ଛଡଧନୁ

ଇନ୍ଦ୍ର ଦେବତାଂକୁ ବିନ୍ଧିଲା ପାର୍ବତୀର ତନୁ ।୩୧୯।

ନାଗାର୍ଜୁନର ତୁଲେ ଯୁଦ୍ଧ ଅଙ୍ଗାର ପନ୍ନଗ

ନାଗେଣୀର ନ୍ନଦନ ଯେ ଭେଦିଲା ତାର ଅଙ୍ଗ ।୩୨୦।

ଦ୍ୱାଦଶ ମୁନା ନାରାଜ ନାଗା ଅରଜୁନ କଲା ବୃଷ୍ଟି

ଘାୟେଣ ଅଙ୍ଗାର ପନ୍ନଗ ପଡ଼ିଲା ମହୀଲୋଟି ।୩୨୧।

ସୋଦର ନିଧନେ ଜୟସେନ ଚିତ୍ରରଥ

ବେନିଶତ ନାରାଜ ଟାଣି ବିନ୍ଧିଲେ ତୁରିତ ।୩୨୨।

ନାଗେଣୀର ନନ୍ଦନ ପାତିଲା ବକ୍ଷସ୍ଥଳ

ପଡ଼ିଣ ନାରାଜ ଯେ ଧୂଳି ହୋଇଣ ସକଳ ।୩୨୩।

ପୁଣି ଚିତ୍ରରଥ ମାଇଲା ତିମ୍ବରୁ ଶକତି

ଦରାଣ୍ଡି ନାଗା ଅରଜୁନ ଧଇଲାକ ଧାତି ।୩୨୪।

ସେହି ତିମ୍ବୁରୁ ଶକତି ମାଇଲା ମହାବଳୀ

ବାସବର ନନ୍ଦନ ପଡ଼ିଲା ମହୀ ଢଳି ।୩୨୫।

ଜୟସେନ ବୃଦ୍ଧଶ୍ରବା ପ୍ରଚଣ୍ଡବଳୀ ତିନି

ଅନଙ୍ଗସେନ ,ବିଶ୍ୱାବସୁ ବେଢ଼ିଲେ ଗଦାନ୍ତ ଯେ ଘେନି ।୩୨୬।

ଦେଖିଣ ନାଗାଅରଜୁନ କୋପେଣ ଶର ବିନ୍ଧି

ପଞ୍ଚ ଗନ୍ଧର୍ବଂକର ଶିର ପକାଇଲା ଛେଦି ।୩୨୭।

ଅନେକ ବଳ ଧଂସିଲା ସନ୍ଧ୍ୟାବାଳୀର ତନୟେ

ବିଦ୍ୟାଧରମାନେ ଯେ ପଳାଇଲେ ସର୍ବେ ଭୟେ ।୩୨୮।

କାର୍ତ୍ତିକେଶ୍ୱର ଯେ ପୁଣ ପେଷିଲେ ଶକତି

ଘାୟେଣ ଢଳି ପଡ଼ିଲା ଯେ ଅଇରାବତ ହାଥୀ ।୩୨୯।

ଡେଇଂଣ ପଡ଼ିଲେ ସେ ଦେବ ସୁନାଶୀରେ

ବଜ୍ର ଶକତି ପେଷିଲେ ସେ କାର୍ତ୍ତିକ ଉପରେ ।୩୩୦।

ମୟୂର ଶିରେ ଯାଇଂ ପଡ଼ିଲା ବଜ୍ରଶର

ଘାୟେଣ ମୟୂର ଢଳି ପଡ଼ିଲା ଭୂମିର ।୩୩୧।

କାର୍ତ୍ତିକେଶ୍ୱର କରେ ଧରିଛି ଶୂଳ ଶକତି

ବଜ୍ର ଶକତି ଧରିଅଛଇ ଦେବ ସୁରପତି ।୩୩୨।

ବୃଷଭ ବାହାନେ ବିଜୟେ ବିଶ୍ୱବାସୀ

ପିନାକ ଶାରଙ୍ଗ ଧରି କୋପେଣ ପରକାଶି ।୩୩୩।

ବ୍ରହ୍ମ ଶହସ୍ରେକ ଧନୁରେ ପୂରୋଇ

ଶ୍ରୀ ଜଗନ୍ନାଥ ଉପରକୁ ଆସୁଛନ୍ତି ଧାଇଂ ।୩୩୪।

ସଦାଶିବର କୋପ ଦେଖିଣ ଅଚ୍ୟୁତ

ନାରାୟଣା ଶହସ୍ର ପୂରୋଇ ଧାମନ୍ତି ଜଗଭୂତ ।୩୩୫।

ରୁଦ୍ର ଶହସ୍ରେକ ପେଷିଲେ ସଦାଶିବ

ନାରାୟଣା ଶହସ୍ରା ବିନ୍ଧିଲେ ବାସୁଦେବ ।୩୩୬।

ଅନିବାରଣ ଶହସ୍ର ଯେ ଅଟନ୍ତି ସେ ବେନି

ଦୁହିଂକର ହାବୋଡ଼ା ଘାତେ କମ୍ପିଲା ମେଦିନୀ ।୩୩୭।

ଦେବ ଶହସ୍ର ପଡ଼ିତାଳ ଉଠିଲା ବହନି ଜାଳା

ବ୍ରହ୍ମାଣ୍ଡେ ଘୋଟିଲା ସେ ମହାତେଜା ଅନର୍ଗଳା ।୩୩୮।

ପର୍ବତେ ପଶିଗଲେ ପାତାଳ ଭୁବନେ

ନିଜ ଆସ୍ତାନ ତେଜିଲେ ବୃନ୍ଦାଅର୍କମାନେ ।୩୩୯।

ପବନ ଦେବତା ସହିତେ ନୁଆରିଲେ ଚଳି

ଶୂନ୍ୟ ପୁରୁଷମାନେ ଶାନ୍ତି ଶାନ୍ତି ବୋଲି ।୩୪୦।

ଈଶ୍ୱର ଘେନିଲେ କରେ ଶୂଳ ଯେ ଶକତି

ସୁଦ୍ରିଶେଣ ଚକ୍ର ଯେ ଧଇଲେ ଶିରିପତି ।୩୪୧।

ଅଷ୍ଟାଙ୍ଗ ଦେଖିଣ ଯେ ଦିଗପାଳମାନେ

ପିତାମହ ଆଗେ ଯାଇଂ କହିଲେ ବିଧାନେ ।୩୪୨।

ନାରଦ ମହାତମା ଯେ ଲଗାଇ ଦିଲେ କଳି

ବେଗେ ତୁ ପ୍ରହାର କରୁ କିନା ଶୂଳୀ ।୩୪୩।

ନାରଦେ ବୋଇଲେ ସେ ପିତା ପୁତ୍ରେ ହୋଇଲେ ହଣାହଣି

ତୋହୋର କପିଳାସ କିମ୍ପେ ତାଡ଼ି ଲୋଡ଼ଇ ହଳପାଣି ।୩୪୪।

ଅନୀତି କଥାମାନ ହର ତୁ କେମନ୍ତେ ସହିବୁ

ଗଉଡ଼ବଳ ବହନ କରି ମାରି ପକାଇବୁ ।୩୪୫।

ପୁଣି ଯାଇଂ ମିଳିଲେ ଜଗନ୍ନାଥଂକର କତି

ବୋଲନ୍ତି ରୁଦ୍ରଦେବତାଂକୁ କେମନ୍ତେ ତୁ ସହିବୁ ଶିରୀପତି ।୩୪୬।

ୟେହିମତି କରି ସବୁନ୍ତି ଦିଅଇ ବର

ତାହାର ବରେ କରି ଧ୍ୱଂସନ୍ତି ତିନିପୁର ।୩୪୭।

କଂସ ନାରକା ଯେ ବାଣା ବଜ୍ରନାଭ

ସବୁନ୍ତିହିଂ ବରଦେଇ ଫୁଲାଇଲା ମହାଦେବ ।୩୪୮।

ୟେହାର ବରେ ବର୍ଦ୍ଧୁତ ହୋଅନ୍ତି ନିଶାଚର ସଇନି

ୟେହାରେ ସେ ନାଶଯାଇ ସଚରାଚର ମେଦିନୀ ।୩୪୯।

ମାରି ଶିବଗଣ କପିଳାସ ସ୍ୱର୍ଗ ଭାଞ୍ଜିପକା

ନ ଥାଉ ରୁଦ୍ରଦେବତା ତୁହି ସେ ଥାଅ ୟେକା ।୩୫୦।

ସାମାନ୍ୟ କି ତୋତେ ବୋଲଇ ଗଉଡ଼ ବାଉଡ଼ ହାଉଡ଼

ଧାରଣା ପୁରୁଷ ତୁ ତୋତେ କରଇ ଛାର ।୩୫୧।

ୟେତେ ବୋଲି ମହାତମା କୁତୂହୋଳେ କରନ୍ତି ତହିଂ ନାଟ

ଲାଗୁ ଲାଗୁ କଳି ବହନ ରେ ଧାଅଂ ବେନି ଥାଠ ।୩୫୨।

ୟେତେ ବୋଲି ମୁନି କଳିଧୋକଡ଼ିରୁ ମାଇଲେ ଧୂଳି ମୁଠାୟେ

ପୁଣି ଲାଗିଲା ଗୋଳ ରୟଣୀ ପରଭାତ ଯାୟେ ।୩୫୩।

ନାରାୟଣ ହାଥେ ଯହୁଂ ସୁଦ୍ରିଶେନ ଚକ୍ର ଦେଖି

ବିଜେକଲେ ବେଦବର ଯଶୋବନ୍ତୀ ଭୁବନ ଉପେକ୍ଷି ।୩୫୪।

ମରାଳ ବାହାନେ ଯେ ବିଜୟେ ବିରଞ୍ଚି

ରୁଦ୍ର ଦେବତାଂକ ଛାମୁରେ ବ୍ରହ୍ମାୟେ କରନ୍ତି ବାଚି ।୩୫୫।

ତୁ ଦେବ ଯୋଗେଶ୍ୱର ପ୍ରସନ୍ନ କପାଳୀ

ତୁ ସେ ସକଳ ଭୁବନ ଅଛୁ ପ୍ରତିପାଳି ।୩୫୬।

ତୁ ସେ ପ୍ରସନ୍ନ ଦେବ ନିରାକାର ଅଭୟେ

ପରମାନନ୍ଦ ପୁରୁଷ ତୁ କରୁନା ସଦୟେ ।୩୫୭।

ଜାତ ଅନ୍ତ ପୁରୁଷ ତୁ ସଂସାର ଜନ କରତା

ପରମ ମାହେଶ୍ୱର ତୁ ପ୍ରସନ୍ନେ ବର ଦ୍ୟନ୍ତା ।୩୫୮।

ଶରଣ ରକ୍ଷଣ ନାଥ ତୁ ନିରେଖ ଜନବନ୍ଧୁ

ଅଜପା ମନ୍ତ୍ରେଣ ନାଥ ତୋହୋର ଚରଣ ତଳେ ବନ୍ଦୁ ।୩୫୯।

ତୁ ଦେବ ତ୍ରିପୁର ବଧ କଲୁ କୂଟେ

ଅନ୍ଧେକ ବିଦାରଣ ନାଥ କଲୁ ତୁ ସଂକଟେ ।୩୬୦।

ଯାବତ ଚନ୍ଦ୍ର ଦିବାକର ଆଦିକରି

ବେଳେ ବେଳେ ନାଥ ତୁହି ସେ ମେଦିନୀ ଉଦ୍ଧରି ।୩୬୧।

ସୋମସୂର୍ଯ୍ୟ ଅନଳ ତୁ ସେ ତିନିନେତ୍ର

ଅଲଂଘିତ ପୁରୁଷ ତୁ କାହିଂକି କୋପ ଚିତ୍ତ ।୩୬୨।

ତୁ ଦେବ ଆଦି ପୁରୁଷ ତୁ ଦେବ ଅନାଦି

ଶିବ ଦରଶନେ ସକଳ କାର୍ଯ୍ୟ ସିଦ୍ଧି ।୩୬୩।

ଯୋଗେଶ୍ୱର ପୁରୁଷ ତୋ ଚରଣେ ନମାମି

ୟେ ଭବଜଳ ସାଗରୁ ଉଦ୍ଧରି ଧରି ସ୍ୱାମୀ ।୩୬୪।

ସଦୟେ ବର ନାଥ ତୋ ଚରଣରେ ସେବା

ଶୂଦ୍ରମୁନି ସାରୋଳା ଦାସକୁ ମୁକତି ଗତି ଦେବା ।୩୬୫।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଈଶ୍ୱର ଦେବତାଂକୁ ବ୍ରହ୍ମା କଲେ ଅନେକ ସ୍ତୁତି ।୩୬୬।

ଯହୁଂ ବେଦବ୍ରହ୍ମା ବହୁତ ଉପଲେସି

ବ୍ରହ୍ମାର ବଚନେ ଶାନ୍ତି ଦେବ ବିଶ୍ୱବାସୀ ।୩୬୭।

ମନରେ ହରଷ ହୋଇଣ ମହାତୋଷୀ

ସାନନ୍ଦେଣ ସଦାନନ୍ଦ ବଚନ ପ୍ରକାଶି ।୩୬୮।

ଶୁଣ ତୁ ବେଦବର ଜଗନ୍ନାଥର ଚରିତ

ବେଢ଼ିଣ କପିଳାସ ମୋହୋର କରନ୍ତି ଭଗନସ୍ତ ।୩୬୯।

ସମସ୍ତ ମେଳିକରି ଆସିଅଛି ବାହି

ଜାଣିଲେ ସେ ମୋହୋର ୟେକ ପ୍ରାଣ ଅଟଇ ।୩୭୦।

ତୋହୋର ବଚନେ ଶାନ୍ତି ଲଭିବଇଂ ମୁହିଂ

ତୁ ବେଦବର ଶାନ୍ତି କରାଅ ଶ୍ରୀହରିଂକି ଯାଇଂ ।୩୭୧।

ବ୍ରହ୍ମାୟେ ବୋଇଲେ ଶୁଣିବା ଦେବହର

ତୋହୋର ଆଗ୍ୟାଂୟେ ଶାନ୍ତି କରିବି ନୀଳାମ୍ବର ।୩୭୨।

ଈଶ୍ୱର ଆଗ୍ୟାଂୟେ ଯେ ଚଳନ୍ତି ବେଦପତି

ଯାଇଂ ହୋଇଲେ ବ୍ରହ୍ମା ନୀଳାମ୍ବର କତି ।୩୭୩।

ପୁଣ ବିନୟେ ବ୍ରହ୍ମା କହନ୍ତି ଆହେ ବଳରାମ

ନୀଳାମ୍ବର ପୁରୁଷ ତୁ ଦେବଂକ ଉତ୍ତମ ।୩୭୪।

ସଦା ମହାମତ୍ତ ତୁ କାଦମ୍ବରୀ ରସେ ଭୋଳ

ଦେବାଧିଦେବ ଶିରୋମଣି ଅଭୟେ କାମପାଳ ।୩୭୫।

ଇନ୍ଦ୍ରର ବିବାଦେ ଦେବ ଧଇଲୁ ଗୋବର୍ଦ୍ଧନ

ତୋହୋରେ ସଂସାର ସେ ହୋଅଇ ବର୍ଦ୍ଧମାନ ।୩୭୬।

ସଉନିଧି ବଇକୁଣ୍ଠେ ଦେବ ତୋହୋର ଯୋଗଲୟେ

କଳ୍ପ କଳ୍ପାନ୍ତରେ ଦ୍ରଶନ ତୋତେ ନ ପାନ୍ତି ଦେବତାୟେ ।୩୭୭।

ଅଭୟେ ନିରାକାର ତୁ ବାରାଭର ନିବାରଣ ନିମନ୍ତେ

ବିଷ୍ଣୁର ଜ୍ୟେଷ୍ଠ ହୋଇ ତୁ ଉପୁଜିଲୁ ମହୀଗତେ ।୩୭୮।

ଭୂଦେବ ଯୋଗେଶ୍ୱର ଯେ ସର୍ବଗ୍ୟଂ ପୁରୁଷ

ତବ ପାଦପଦ୍ମୁଂଉତପତ୍ତି ପୃଥୀ ଆପ ତେଜବାଇବ ଆକାଶ ।୩୭୯।

ଦକ୍ଷିଣେ ସଉନନ୍ଦ ସ୍ୱାମୀ ବାମେ ବଜ୍ରଲାଙ୍ଗଳ

କୋଟି କୋଟି ସିଂଘର ପ୍ରାକର୍ମ ସ୍ୱାମୀ କଳେବର ।୩୮୦।

ଅମ୍ବା କଦମ୍ବା ପ୍ରଳମ୍ବା ତିନିବୀରା

କିଞ୍ଚିତ ସମରେ ନାଶଗଲେ ଅସୁରା ।୩୮୧।

ତୁ ଦେବ ଅନନ୍ତ କୋଟି ବ୍ରହ୍ମାଣ୍ଡ ଧାରଣ

ଅଣାକାର ପୁରୁଷ ତୁ ନାମ ତୋହୋର ସଂକ୍ରିଷେଣ ।୩୮୨।

କାଳ ଗରଳ ଧ୍ୱଂସନ ନାଥ ମଉଳେ ସପତ ଫେଣି

ଅନନ୍ତ କୋଟି ପ୍ରଳୟ ଅନ୍ତକ ଜାଣି ନୁଆରନ୍ତି କେହି ପୁଣି ।୩୮୩।

ମହାଯାଗ ଆସନ ତୋହୋର ନୀଳ କଳ୍ପବଟେ

ଦିଗାନ୍ତକ ଅସୁରନ୍ତ ତୁ ମାଇଲୁ ଦେବକୂଟେ ।୩୮୪।

ବିଶ୍ୱଦେବା ପଞ୍ଚପୁରୁଷେ ତୋହୋର ଦରଶନେ

କଇଶିକର ଶାପୁଂ ସେ ତରିଲେ ପଞ୍ଚୁଜନେ ।୩୮୫।

ଅନନ୍ତ ଦର୍ପ ଧ୍ୱଂସିଲୁ ଦେବ ହଟକେଶ୍ୱର ବିବାଦେ

ଅଷ୍ଟକୁଳା ନାଗେ ତରିଲେ ତୋହୋର ପରସାଦେ ।୩୮୬।

ବିନା ଅପରାଧେ ନାଥ ଧ୍ୱଂସିଲୁ ଦର୍ପକେଶୀ

ଯୋଗେ ଯୋଗେଶ୍ୱର ତୁ ଯୋଗୀ ଦର୍ପ ଧ୍ୱଂସି ।୩୮୭।

ତୁ ଦେବ ପରମାନନ୍ଦ ପରଲୋକର ବନ୍ଧୁ

ସର୍ପଂକର ନାସିକାରୁ ବହଇ ସପତ ଜଳ ସିନ୍ଧୁ ।୩୮୮।

ନୀର ନୀଳ ନିଶ୍ଚଳ କ୍ଷୀର ଶ୍ୱେତ ଲବଣ ଘୃତ ମହୋଦଧି

ତବ ହୃଦୟ ମଧ୍ୟେ ସପତ ସିନ୍ଧୁ ଜଳ ଭେଦୀ ।୩୮୯।

ତବ ଚରଣେ ବିନୟେ ନାଥ ଶୁକ୍ଳାମ୍ବର ପୁରୁଷ

ଶୁଦ୍ଧ ସ୍ଫଟିକ ପରାୟେ ଯାହାର ଶରୀର ପ୍ରକାଶ ।୩୯୦।

ଧବଳ ଶ୍ୱେତ ଶରଦ ନୀଳ ଲୋହିତ କୃଷ୍ଣ ପିଙ୍ଗଳ ସପତ ଫେଣି

ହରିହର ବ୍ରହ୍ମାୟେ ତଲୟେ ଅନନ୍ତ କୋଟି ମଣି ।୩୯୧।

ସ୍ୱାମୀ ସାତ ପବନ ହୋଇ ୟେକା ଫେଣାର ମଧ୍ୟେ

ସାତ ଫେଣାରେ ଅଣଚାଶ ପବନ ବହଇ ସାଧ୍ୟେ ।୩୯୨।

ଜପ ମନ୍ତ୍ର ତପ ଲୟେ ଯୋଗ ପଞ୍ଚୁମୁଦ୍ରା

ଅକାଳ ଅକାମ ତୁ ଅଭୟେ ଅବଧା ଅବିଦ୍ୟା ।୩୯୩।

ନମୋ ବଳରାମ ଶୂନ୍ୟ ପବନ ଭେଦେ

ଷଢ଼ଋତୁ ପ୍ରକାଶଇ ଦେବ ତୋହୋର ପ୍ରସାଦେ ।୩୯୪।

ନମୋ ନମୋ ବଳରାମ ଅନନ୍ତ ଧବଳୀ

ନମୋ ନମୋ ବଳରାମ ସିଦ୍ଧ ସାଧ୍ୟ ହଳୀ ।୩୯୫।

ରୋହିଣୀ ନନ୍ଦନ ନାଥ ଅଦଭୂତେ ଦେବରାୟେ

କେହି ବାରି ନୁଆରିଲେ ଶୂନ୍ୟ ତୋର କାୟେ ।୩୯୬।

ମୁକତିକଇଂ କାରଣ ଶରଣ ରକ୍ଷଣ

ସୟଳ ସଂସାର ମଉଳି ଦେବ ଜୟ ତୁ ସଂକ୍ରିଷେଣ ।୩୯୭।

ଶ୍ରୀବଳରାମଂକ ଚରଣେ ଦଇନି ପରିଣାମି

ଶୂଦ୍ରମୁନି ସାରୋଳା ଦାସକୁ ଉଦ୍ଧର ଦେବସ୍ୱାମୀ ।୩୯୮-୧୪୯୦୯।

 

Unknown

ଅର୍ଜୁନର ପୁନର୍ଜୀବନ ଲାଭ ଓ ସମସ୍ତଙ୍କ ମହାନନ୍ଦ

ଶୁଣ ବଇବସୁତ ମନୁ ବଦୟନ୍ତି ମହାତମା

ବଳରାମଂକୁ ଅନେକ ତୁସ୍ତ କରି ଶାନ୍ତି କଲେ ବେଦବ୍ରହ୍ମା ।୧।

ବୋଲନ୍ତି ବଳରାମେ ଶୁଣ ବେଦବର

ସଂସାର ନାଶ କରୁଅଛନ୍ତି ଦେବହର ।୨।

ଦୁଷ୍ଟଂକୁ ବର ଦେଇ ସମସ୍ତ କରଇ ଧ୍ୱଂସ

ୟେହାରେ ସୃଷ୍ଟି ନାଶ ଯାଇ ଆମ୍ଭର କିସ ଦୋଷ ।୩।

ପଦ୍ମ ଯୋନି ନାଥ ରାମଂକୁ ବିନୟେ ପରିଣାମି

ରୁଦ୍ର ଦେବତାଂକୁ ତୁ ଯେ କୋପ ଛାଡ଼ି ଦେବସ୍ୱାମୀ ।୪।

ବ୍ରହ୍ମାଂକର ବଚନେ ବଦୟନ୍ତି ନୀଳାମ୍ବର

ଶ୍ରୀକୃଷ୍ଣଂକୁ ପ୍ରବୋଧ କର ଦେବ କୁଶଧର ।୫।

ବଳରାମଂକ ବଚନେ ବଦୟନ୍ତି ବେଦପତି

ଯାଇଂ ପ୍ରବେଶ ହୋଇଲେ ନାରାୟଣଂକର କତି ।୬।

ତୁସ୍ତି କରଇ ବ୍ରହ୍ମା ଅନେକ ବିନୋୟୀ

ଛାଡ଼ ବଇରାଗ ସ୍ୱାମୀ କମଲାର ସାଇଂ ।୭।

ପଂକଜ ଶୟନୁ ଯେ ଅଇଲୁ ଦେବ କାର୍ଯ୍ୟେ

ଭାରାଭାର ଉଶ୍ୱାସ ନିମନ୍ତେ ଯେ ସଂସାରେ କଲୁ ବିଜେ ।୮।

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ୟୋ ତୋହୋର ସ୍ଥାପନ

ଯୋଗୀଜନେ ଚିନ୍ତିତ ଯେ ଯାହାର ଚରଣ ।୯।

ଅନୁଗ୍ରହ କର ସ୍ୱାମୀ କମଳାର ସାଇଂ

ଅଭୟେ ପାଦ ତଳେଣ ମୁଂ ଶରଣ ପଶଇ ।୧୦।

ଅନେକ ତୁସ୍ତି ଯହୁଂ କଲେ ବେଦବର

ସନ୍ତୋଷ ହୋଇଲେ ସ୍ୱାମୀ ଦେବ ଚକ୍ରଧର ।୧୧।

ବ୍ରହ୍ମାର ବଚନେ ସନ୍ତୋଷ ହୋଇଲେ ରାମ ଦାମ୍ବୋଦର

ଅର୍ଜୁନକୁ ଜୀଆଇଂ ଦେବୁନା ମୋର ବେଦବର ।୧୨।

ବଦୟନ୍ତି ବିରଞ୍ଚି ତୁ ଶାନ୍ତିହୁଅ ସଂକ୍ରିଷେଣ

ଅର୍ଜୁନକୁ ତୋହୋର ଜୀଆଇଂ ଦେବି ୟେହିକ୍ଷଣ ।୧୩।

ସଦାଶିବ ବଳରାମ ହରି ହେଲେ ଶାନ୍ତି

ଯମକଇଂ ସୁମରଣା କଲେ ବେଦପତି ।୧୪।

ସଞ୍ଜୀବନୀ ପୁର ତେଜି ବିଜୟେ ନାଶକର

ପାଦାଅର୍ଘ୍ୟ ଦେଇ ପ୍ରଳମ୍ବ କରଇ ହରିହର ଚରଣର ।୧୫।

ପଦ୍ମଯୋନିର ଚରଣେ କୃତାନ୍ତେକ ପରିଣାମି

କିମର୍ଥେ ସୁମରଣା ମୋତେ କଲୁଂ ଦେବସ୍ୱାମୀ ।୧୬।

ତୁ ଦେବ ଅନାଦି ନବସୃଷ୍ଟି କରତା

ଅସ୍ତୁକାର ପୁରୁଷ ତୁ ବିହନ୍ତା ବିଧାତା ।୧୭।

ଆଗେ ବ୍ରହ୍ମା ବଦନ ପଛେ ବିରଞ୍ଚି କରତା

ବାମେ ଗୁରୁ ବଦନ ଡାହାଣେ ଶୋହଇ ତୋର ଧାତା ।୧୮।

ଆଗର ବଦନେ ଦେବ ଋକବେଦ ସାଧି

ଧାତାର ବଦନେ ଦେବ ସାମବେଦ ସମ୍ପାଦି ।୧୯।

ଗୁରୁ ବଦନେ ଦେବ ଯର୍ଜୁବେଦ ଭାଷି ସଞ୍ଚି

ଅଥର୍ବ ବେଦ ପଢ଼ନ୍ତି ଦେବ ଅଭୟେ ବିରଞ୍ଚି ।୨୦।

ସ୍ୱାମୀ ତୋହୋର ନିମନ୍ତେ ମୋତେ ସଂସାର ଜନେ ପୁଚ୍ଛା

କାଷ୍ଠ ପାଷାଣ ମୃତ୍ତିକା ତୋହୋର ଆତ୍ମାରୂପ ଦୁଜା ।୨୧।

ତୋତେ ପୂଜିବାକୁ ଦେବ କାହାର ମନ୍ତ୍ର ଅଛି

ତେଣୁ ସେ ଅପୂଜା ତୁ ଭୋଗ ଯେ ନ ଇଚ୍ଛି ।୨୨।

ନଜାଣି ପଣ୍ଡିତ ଜନେ ହୋଉଛନ୍ତି ବଣା

ରୁଦ୍ର ଶାପେ ଅପୂଜା ତୋତେ ବୋଲନ୍ତି କହଣା ।୨୩।

ବିହନ୍ତା ପୁରୁଷ ତୁ ଅଭେଦ ବଜ୍ରସେହ୍ନା ତୋର କାୟେ

ଆନର ଶାପକୁ ନାଥ କିସ ତୋହୋର ଭୟେ ।୨୪।

ୟେ ତୋହୋର ଶାପେଣ ସେ ସଂସାରେ ଅଭୋଗୀ

ସର୍ବସାଧାରଣ ପୁରୁଷ ତୁ ସର୍ବଗ୍ୟଂ ପରମ ଯୋଗୀ ।୨୫।

ଜୟତୁ ବେଦବର ଚତୁର ବଦନ

ଶୂଦ୍ରମୁନି ସାରୋଳା ଦାସ ତବ ପାଦେ ଧ୍ୟାନ ।୨୬।

ବଦୟନ୍ତି ପିତାମହ ଯମର ବଦନ ଚାହିଂ

ନାଗା ଅର୍ଜୁନ ଶରଘାତେ ଅର୍ଜୁନ ଅଛି କ୍ଷିଦ୍ର ଦେହି ।୨୭।

ହରିହର ସାଂଗ୍ରାମ ହୋୟେ ହାଦେ ତହିଂର ନିମନ୍ତେ

ପୃଥୀ ପ୍ରଳୟ ହୋଉଅଛି ଦୁହିଂକର ଶରଘାତେ ।୨୮।

କିଞ୍ଚିତ କରି ଛାଡ଼ ତୁ ବାସବିର ପ୍ରାଣ

ତୋହୋର ଆଗ୍ୟାଂୟେ ଅର୍ଜୁନ ବ୍ରତ୍ତୁ ୟେହିକ୍ଷଣ ।୨୯।

କୋଇନ୍ତାଂକ ନନ୍ଦନ ସେ ଜଗତଜନ ହିତକାରୀ

ମନ୍ଦାଗ୍ନି ବ୍ୟାଧିରୁ ଅଗ୍ନିଦେବତାଂକୁ ଉଦ୍ଧରି ।୩୦।

ଗୋସିଂଦ ବଧ କରିଣ ରଖିଲା ଦ୍ୱାରକା

କୁମ୍ଭେକ ନାଶକରି କପିଳାସ ରଖିଲା ୟେକା ।୩୧।

ଭାରାଭର ଉଶ୍ୱାସ କରିବ ୟେ ମହାଭାରଥ ଯୁଦ୍ଧେ

ଅନେକ ଦୁଷ୍ଟ ନିଶୋଧନ କରିବ ରଣ ମଧ୍ୟେ ।୩୨।

ଧନୁହୁଳେ ଧଇଲା ସପତ ବ୍ରହ୍ମାଣ୍ଡ

ଅଦଭୂତେ ସାଂଗ୍ରାମେ ୟେ ହୋଇଲା ବେନି ଖଣ୍ଡ ।୩୩।

ସ୍ୱର୍ଗମଞ୍ଚ ପାତାଳେ ୟେ ଅଟଇ ୟେକା ଜଣେ

ଦ୍ନାପର ଯୁଗେ ଭାରୋଇ ମଲ୍ଲ ପାଣ୍ଡବ ପଞ୍ଚାଣେ ।୩୪।

ବହନ ଜୀବନଗୋଟି ତାହାର ଛାଡ଼ିଣ ଦିଅସି ହୋ ଯମ

ସଂସାରେ ଉଦିତ ହୋଉ ରକ୍ଷାକର ଧର୍ମ ।୩୫।

ପିତାମହର ବଚନେ ବୋଲଇ ନାଶକର

ମୋହୋର ଚରିତ ହାଦେ ତୋତେ କି ଅଗୋଚର ।୩୬।

ମାତାର ଶାପେ ମୋହୋର ଗଳୁତ କୁଷ୍ଠ ବ୍ୟାଧି

ସତ୍ୟ ତ୍ରେତୟା ଦ୍ୱାପର ତିନିଯୁଗ ଗଲାନି କେହି ନ କହିଲ ବୁଦ୍ଧି ।୩୭।

ଈଶ୍ୱରେ ପୁଚ୍ଛିଲେ ମାତାଂକୁ ତୁ କେବଣ ଦ୍ରୋହ କଲୁ

କିମର୍ଥେ ଅଷ୍ଟାଙ୍ଗେ ୟେତେକ ବ୍ୟାଧି ପାଇଲୁ ।୩୮।

କରପତ୍ର ଯୋଡ଼ିୁଣ କହଇ କୃତାନ୍ତେକ

ସ୍ୱାମୀ ଦକ୍ଷ ପ୍ରଜାପତିର ଦୁହିତା ଷାଠିୟେକ ।୩୯।

ଧର୍ମକୁ ପ୍ରଦାନ ସେ କଲାକ ଦଶ ଯେ ଦୁହିତା

ତେର କନ୍ୟା ଦିଲାକ କଶ୍ୟପ ତପୋବନ୍ତା ।୪୦।

ସତାଈଶ କନ୍ୟା ପ୍ରଦାନ କଲା ଶଶୀ

ଉମାକନ୍ୟାକୁ ପ୍ରଦାନ ହୋଇଲେ ଦେବକାଶୀ ।୪୧।

ସ୍ୱହା ସ୍ୱଧା ବୋଳି ତାର ବେନି ଯେ ଦୁହିତୀ

ଅଗ୍ନି ଦେବତାଂକୁ ପ୍ରଦାନ କଲା ଦକ୍ଷ ପ୍ରଜାପତି ।୪୨।

ବ୍ରହ୍ମାକଇଂ ସାବିତ୍ରୀ ବରୁଣେ ନୀରବତୀ

କୁବେର ଦେବତାକଇଂ ପ୍ରଦାନ କଲେ ହାରାବତୀ ।୪୩।

ଆଦିତ୍ୟ ଦେବତାଂକୁ ଯେ ସଂଗ୍ୟାଂ ପ୍ରଦାନ କଲା

ୟେକାଦଶ ଦେବତାଂକୁ ଅଣଷଠୀ କନ୍ୟା ଦିଲା ।୪୪।

ହେମାନାମେ କନ୍ୟା ଯେ ହୋଇଲା ପରମ ଯୋଗୀ

ବିଭା ନୋହିଲା ସେ ନୋହିଲା ଭ୍ରଥାଭୋଗୀ ।୪୫।

ଆଦିତ୍ୟ ଦେବତାର ସଂଗ୍ୟାଂ ଯେ ବଲ୍ଲଭୀ

ନିଦ୍ରାଘ ତେଜ ସହି ନୁଆରିଲା ମହାଦେବୀ ।୪୬।

ମହା ଅନଳ ପୁରୁଷ ବୋଲି ଭାଜିଲା ମହାମାୟା

ଆପଣା ଶରୀରୁ ଜାତକଲା ଦେବୀ ଛାୟା ।୪୭।

ଆଦିତ୍ୟ ପ୍ରକୃତିମାନ ସମସ୍ତ ତାହାକଇଂ କହି

ଆଦିତ୍ୟଂକର ବଲ୍ଲଭୀ ଗୋ ହୋଇଥାଅ ତୁହି ।୪୮।

ଛାୟାକଇଂ ସମର୍ପି ଦେବୀ ଯେ ହୋଇଲେ ଗୋପ୍ୟନ

ମେରୁ ମେଖଳେ ଲୁଚି ସେ ହୋଇଲେ ଆନବର୍ଣ୍ଣ ।୪୯।

ଛାୟାକଇଂ ବାରି ନୁଆରିଲେ ଦିନକର ନାଥେ

ୟେମନ୍ତ ବହିଗଲା ନବ ସହସ୍ର ବରଷ ପରିଯନ୍ତେ ।୫୦।

ଯମ ଶନିଚର ଆମ୍ଭେ ସଂଗ୍ୟାର ବେନିପୁତ୍ର

ଅନେକ ଦୟାକରି ସେ ପାଳିଥାନ୍ତି ଆମ୍ଭନ୍ତ ।୫୧।

ସ୍ୱାମୀ ଶ୍ରାବଣ ମାସ କୃଷ୍ଣପକ୍ଷ ଅଷ୍ଟମୀ ଶଉରି ବାର

ଅଶ୍ୱିନୀ ନାମେ ନକ୍ଷତ୍ର ଅଟଇ ସେ ଦିନର ।୫୨।

ବାଳବ ନାମେ କରଣ ଧୃତି ନାମେ ଯୋଗ

କକଡ଼ା ସଂକରାନ୍ତିକି ନବଦିନ ଭୋଗ ।୫୩।

ସେଦିନ ଛାୟାଂକ ତୁଲେ କଲି ମୁହିଂ କଳି

ଭ୍ରଚ୍ଛନା କରିଣ ସେହୁ ଦିଲେ ମୋତେ ଗାଳି ।୫୪।

ସେହି ଅନେକ ରାଗେଣ ଝିଂଘାସିଲେ ମୋତେ

ସହି ନୁଆରିଲି ମୁଂ ମାଇଲି ପାଦଘାତେ ।୫୫।

ରାଗେଣ ଛାୟା ମୋତେ ଶାପଦିଲା ହାଦେ ଅଶ୍ରୂପାତେ

ଯାଆରେ ନାଶକର ତୋତେ ଗଳୁତ କୁଷ୍ଠ ହୋଉ ପାଦଘାତେ ।୫୬।

ସ୍ୱାମୀ ମାତାଂକର ଶାପ ମୁଂ ନୁଆରିଲି ମେଣ୍ଟି

ତଦ ଦୋଷେଣ ମୁଂ ହୋଇଲି ମହାକଷ୍ଟି ।୫୭।

ବିରଞ୍ଚି ନାରାୟଣ ଦେଖିଲେ ମୋହୋର ଶାସ୍ତି

ବିଚାରି ବିସରିଲେ ୟେତ ହୋଇଲା ବଡ଼ ଅନୀତି ।୫୮।

ବିମୁଖେ ମାତାୟେ ଯେ ପୁତ୍ରଂକୁ କରନ୍ତି ଅନେକ କୋପ

ଗର୍ଭଧାରୀ ମାତାଂକର ପୁତ୍ରକୁ ନ ପଡ଼ଇ ଶାପ ।୫୯।

ମାତାଂକର ଶାପ ଯେବେ ପୁତ୍ରକୁ ପଡ଼ିବ

କେମନ୍ତେ ସଚରାଚର ପୃଥିବୀ ବ୍ରତିବ ।୬୦।

ଆଝୁଂ ମାତାଶାପ ଯେ ପୁତ୍ରଂକୁ ନ ଫଳୁ

ୟେମନ୍ତ ବୋଲି ବୋଇଲେ ପରମ ଦୟାଳୁ ।୬୧।

ୟେ ଅବା ପୁତ୍ରଂକର ନୁହଇ ଗର୍ଭଧାରୀ

ଧ୍ୟାନେଣ ଜାଣିଲେ ଦେବ ଗଗନ ବିହାରୀ ।୬୨।

ନିୟତ ଶାପ ୟେତ ନୁହଇ ଯୁଗତେ

ଛାୟା ପରିଚାରୀପଣେ ଖଟିଅଛି ମୋତେ ।୬୩।

ସାଧୁ ସାଧୁ ସାଧବୀ ତୋର ମହିମାଂ ଦୁର୍ଲଭ

ଚିରାଞ୍ଚନ କଥା ରହୁ ମୁ ଛାୟାର ବଲ୍ଲଭ ।୬୪।

କୃତାନ୍ତେକ ବୋଇଲା ଦେବ ଯାହା ପୁଚ୍ଛାକଲ ମୋତେ

ଶାପ ଚିରାଞ୍ଚନେ ରହିଲା ତିନିଯୁଗ ପରିଯନ୍ତେ ।୬୫।

ମୁହିଂ ଯେବେ ମୁକତି ନୋହିବି ୟେହି ପରସ୍ତାବେ

ୟେ କଷଣୁଂ ମୋତେ ପାରି କରିବେ ହାଦେ ମହାଦେବେ ।୬୬।

ଶୁଣିଣ ପରମ ସାନନ୍ଦ ହୋଇଲେ ବିଶ୍ୱନାଥେ

ଶ୍ରୀଚରଣ ଲଗାଇଲେ ଯମର ପାଦଗତେ ।୬୭।

ଅନେକ କାଳର ଯେ ଗଳୁତ କୁଷ୍ଠ ବ୍ୟାଧି

ବିଶ୍ୱନାଥଂକ ପ୍ରସନ୍ନେ ଆରୋଗ୍ୟ ହୋଇଲା ଜନ୍ତୁଭେଦୀ ।୬୮।

ଜୟତୁ ବିଶ୍ୱନାଥ କୃତାନ୍ତେକ ଶାପରୁ ଉଦ୍ଧରନ୍ତା

ଶଇଳଜାର ବଲ୍ଲଭ ନାଥ ସଂସାର ଜନ କରନ୍ତା ।୬୯।

ଅନୀତି ସଂସାର ୟେ ମାୟାକୂଟ ରଚନା

ୟେ ଭବ ସାଗରକୁ ତୁହି ସେ ଅଦଉତି ୟେ ବନ୍ଧନା ।୭୦।

ଚିରାଞ୍ଚନ ପାତକ ତୋହୋରେ ହୋୟେ ଧ୍ୱଂସା

ଅନ୍ଧକ ତ୍ରିପୁର ଧ୍ୱଂସନ ନାଥ ମୋହେର ପୂରାଅ ମନୀଷା ।୭୧।

ପଞ୍ଚଦଶ ଲୋଚନ ଯାହାର ବିରାଜଇ ମଉଳେ

ମହାକଷ୍ଟ ବ୍ୟାଧି ଖଣ୍ଡଇ ତୋହୋର ବୁଦ୍ଧିବଳେ ।୭୨।

ପ୍ରସନ୍ନ ନାରାୟଣ ତୁ ସେ ଚନ୍ଦ୍ରଶେଖର

କାଳକୂଟ ଭକ୍ଷନ୍ତା ନାଥ ଜୟତୁ ବିଶ୍ୱମ୍ଭର ।୭୩।

ପ୍ରଳୟ ନିବାରଣ ନାଥ ତୁ ଜୟତୁ ସଦାଶିବ

ସୁରସିଦ୍ଧ ମୁନି ଯାହାର ଚରଣେ ବିନୟେ ସଦିଭାବ ।୭୪।

ସେ ଦେବ ଚରଣେ ମୋର ବିନୟ ପରସ୍ତାବେ

ଶୂଦ୍ରମୁନି ସାରୋଳ ଦାସ ବିନୟ ଭକ୍ତିଭାବେ ।୭୫।

ଅନେକ ତୁସ୍ତି ଯେ କରନ୍ତି ଜନ୍ତୁଦେବ

ବ୍ରହ୍ମା ବିଷ୍ଣୁ ମହେଶ୍ୱରଂକୁ ତୋଷିଲେ ସ୍ତୁତିଭାବେ ।୭୬।

ଆହୋ ମନୁରାୟେ ନିକଳଂକ ହୋଇଲା ଯମ ଯେ ଦେବତା

ଅର୍ଜୁନ ସନ୍ନିଧ୍ୟେ ବିଜୟେ ଜନ୍ତୁଂକ କରତା ।୭୭।

ଯୁଝେଷ୍ଠି ଦେବ ଧରିଥିଲେ କଟିଭାଗଖଣ୍ଡ

ସନ୍ଧ୍ୟାବାଳୀ ଧରିଥିଲା ହୃଦଠାରୁ ମୁଣ୍ଡ ।୭୮।

ପିତାମହ ଦିଲେ ଜଡ଼ି ମନ୍ତ୍ର ମଉଷଧି

ଶରୀର ଯୋଡ଼ିତ ହୋଇଲା ଦାତାର ବାକ୍ୟସିଦ୍ଧି ।୭୯।

ନାଶକର ଦେବତା ଛାଡ଼ିଦିଲେ ପ୍ରାଣ

କମଣ୍ଡଳୁଂ ଜଳ ସିଞ୍ଚିଲେ ବ୍ରହ୍ମା ପୁଣ ।୮୦।

ଉଠରେ ଅର୍ଜୁନ ବୋଲି ଧାତା ଶରୀରେ ଆଉଂସି

ସାଷ୍ଟାମ ହୋଇ ଅର୍ଜୁନ ତକ୍ଷଣେ ଉଠିବସି ।୮୧।

ନୟନ ମଳିଣ ବୀର ଚାହିଂଇ ଫାଲଗୁନି

ଦେଖଇ ଅପ୍ରମିତ ହୋଇ ପଡ଼ିଅଛନ୍ତି ସଇନି ।୮୨।

ହର ଗଣ୍ଡାର ଜୀବ ଛାଡ଼ିଦିଲାକ କୃତାନ୍ତ

ନିଜ କାୟା ଘେନିଣ ସେ ଉଠିଲା ତୁରିତ ।୮୩।

ପଳାଇ ପଶିଲା ଯାଇ ହର ଉଦ୍ୟାନ ବନେ

ଯୁଝେଷ୍ଠି ଦେବ ବୋଇଲେ ଶୁଣସି ଫାଲଗୁନ୍ୟେ ।୮୪।

ଧର୍ମରାଜା ଅର୍ଜୁନକୁ କୋଳରେ ବସାଇ

ସମସ୍ତ ଚରିତ ଯେ କହିଲେ ତାହାକଇଂ ।୮୫।

ବାବୁ ପାତାଳ ସ୍ୱର୍ଗେ ତୁ ବିଭା ହୋଇଲୁ ଯେବଣ ବାଳୀ

ତାହାର ନନ୍ଦନ ନାଗା ଅର୍ଜୁନ ମହାବଳୀ ।୮୬।

ସେ ତୋତେ ବିରୋଧ ହାଦେ କଲାକ ସର୍ବସାଚୀ

ତହିଂର ପାଇଂ କୋପକଲେ କି ଦେବ ଶିରୀବଚ୍ଛି ।୮୭।

ହରିହର ସମର ହୋଇଲା ତୋହୋ ପାଇଂ

ଅନେକ ସମଦଣ୍ଡ ଘେନି ବାବୁ କହିଲା କୁରୁସାଇଂ ।୮୮।

କର୍ଣ୍ଣ ଶଲ୍ୟ ଶକୁନି ଅଶ୍ୱତ୍‌ଥମା ଆଦିକରି

ଶତେ ଭ୍ରାଥନ୍ତ ଘେନି ଦ୍ରିଯୋଧନ ଅଛି ପଡ଼ି ।୮୯।

ହରିହର ବଳରାମ ଦିଗପାଳନ୍ତ ଦେଖିଣ ବୀର ଫାଲଗୁନି

ୟେହାଂକର ଚରଣେ ଯେ କରଇ ଦୟିନୀ ।୯୦।

ଗୋବିନ୍ଦ କୋଳକରି ଧଇଲେ ଅର୍ଜୁନକୁ

ଈଶ୍ୱର ଅନେକ ପୁରୁଷାର୍ଥ କଲେକ ପାଥକୁ ।୯୧।

ଶୁଭ ଅନକୂଳେ ଶିରେ ଦିଲେ ନେଇ ଅର୍ଘ୍ୟ

ଅର୍ଜୁନ ବିନୋପୟୀ ପିତାମହର ଆଗ ।୯୨।

ମୁହିଂ ଜୀବନ ପାଇଲି ଦେବ ତୋହୋର ପରସନ୍ନେ

ମୋହୋର ପାଇଂ ଯେ ଯେ ପଡ଼ିଛନ୍ତି କୁରୁସନ୍ୟେ ।୯୩।

ୟେହାନ୍ତ ଜୀଆଇଂଣ ଦେବା ଦେବ ବେଦବର

କମଣ୍ଡଳୁ ପାଣି ଘେନି ଦାତା ସିଞ୍ଚିଲେ ଧାତିକାର ।୯୪।

ସେ ନବଦୃଷ୍ଟି କରତା ଧାତା ଚାହିଂଲେ ଅମୃତ ଦୃଷ୍ଟି

ସାଷ୍ଟାମ ହୋଇକରି ସମସ୍ତେ ବ୍ରତି ଉଠି ।୯୫।

ଧାତା ବୋଇଲେ ପାଥ ହୋ ଜୀବନ ତୋହୋର ଧନି

ହରଷେଣ ବୋଇଲେ ବର ମାଗସି ଫାଲଗୁନି ।୯୬।

ଅର୍ଜୁନ ବୋଇଲେ ଦେବ କଲୁ ଯେବେ ସଦୟେ

ପଣ୍ଡୁର ବ୍ରହ୍ମହତ୍ୟା ଦେବ କରିବାକ କ୍ଷୟେ ।୯୭।

ସ୍ୱର୍ଗ ପ୍ରାପତ ଯେ ହୋଉ ମୋହୋର ପିତା

ଅସ୍ତୁ ଅସ୍ତୁ ବୋଲିଣ ସେ ବୋଇଲେ ବିଧାତା ।୯୮।

ଯମ ଦେବତାଂକୁ ବୋଇଲେ ୟେହାର ସମସ୍ତ ଧ୍ୱଂସୁ

ଆଜହୁଂ ପଣ୍ଡୁରାଜା ସ୍ୱର୍ଗେ ଯାଇଂ ବସୁ ।୯୯।

ଯମ ବୋଇଲା ପଣ୍ଡୁର ଆଉ ଦୋଷ କାହିଂ

ମୋହୋର ପାତାଳ ହରଣ ନିମନ୍ତେ ୟେତେ କୃତ୍ୟ କଲି ମୁହିଂ ।୧୦୦।

ସେ ପଣ୍ଡୁର ପରସାଦେ ହରିଲି ମୋର ବ୍ୟାଧି

ସେ ପରମ ମହାତମା ମୋତେ ପରମ ମଉଷୋଧି ।୧୦୧।

ପଣ୍ଡୁଂକୁ ସ୍ୱର୍ଗେ ନେଇ ବସାଇଲା ନାଶକର

ନାଗା ଅର୍ଜୁନର ହାଥ ଧରିଣ ଦେବ ହର ।୧୦୨।

ଅର୍ଜୁନର କୋଳେ ନେଇ ବସାଇଲେ ବିଶ୍ୱନାଥ

ୟେ ତୋହୋର ପୁତ୍ରକୁ ସମ୍ଭାଳ ବୀର ପାଥ ।୧୦୩।

ନାଗା ଅର୍ଜୁନକୁ କୋଳେ ପାଥ ଘେନି

ମୁଖେ ଚୁମ୍ବନ ତାହାର ଦିଲାକ ଫାଲଗୁନି ।୧୦୪।

ବାବୁ ରୁଦ୍ରଂକୁ ସେବାକଲୁ ରେ ବଂଶ ମୋହୋର ସାଧୁ

ଲଭିଲୁ ଅକ୍ଷୟ ସ୍ୱର୍ଗ ସଦାଶିବ ପରସାଦୁଂ ।୧୦୫।

ୟେହି କପିଳାସ ସ୍ୱର୍ଗେ ତୁ ଥାଅସି ରେ ବଳା

ଈଶ୍ୱର ପ୍ରସାଦେ ତୋହୋର ତେଜ ଅନର୍ଗଳା ।୧୦୬।

ଆମ୍ଭର ତହିଂ ଥିଲେ ତୁ ହୋଇବୁ ଦ୍ୱନ୍ଦକାରୀ

ବାବୁ ଦ୍ୱନ୍ଦେଣ ପଶିଲେ ଯେ ଅବଶ୍ୟ ପ୍ରାଣହାରୀ ।୧୦୭।

ଈଶ୍ୱରଂକୁ ସମର୍ପିଲେ ନେଇ ନାଗା ଅର୍ଜୁନଂକୁ

ଦ୍ୱାରପାଳ କରି ହର ଥୋଇଲେ ତାହାଂକୁ ।୧୦୮।

ରାମ କୃଷ୍ଣ ଯୁଝେଷ୍ଠି ଇନ୍ଦ୍ର ଅର୍ଜୁନ ସହିତେ

କପିଳାସ ସ୍ୱର୍ଗେ ଯାଇଂ ବିଜୟେ ବିଶ୍ୱନାଥେ ।୧୦୯।

କଉରୋବ ସହିତେ ବିଜୟ କପିଳାସେ

ଅନେକ ଉତ୍ସବ କଲେ ବରଷେ ବିଶ୍ୱବାସେ ।୧୧୦।

ସମଦଣ୍ଡ ସହିତେ ଦିଲେକ ଭୋଜନ

ସବୁନ୍ତିହିଂ ଅକ୍ଷତ ଯେ କଲେକ ତ୍ରିଲୋଚନ ।୧୧୧।

ଅର୍ଜୁନକୁ ଘେନିକରି ଦେବ ମୁରାରି

ଚଳନ୍ତି ନାରାୟଣ ଯେ ଦ୍ୱାରାବତୀ ପୁରୀ ।୧୧୨।

ଯୁଝେଷ୍ଠି ଦ୍ରିଯୋଧନ ଯେ ଗଲେ ହସ୍ତିନାକୁ

ସନ୍ଧ୍ୟାବାଳୀ ପ୍ରାଣପତ୍ୟ ହୋଇଲା ଅର୍ଜୁନକୁ ।୧୧୩।

ଅନେକ ବିନୟ ଭାବେ ଖଟିଲେ ଅର୍ଜୁନର ପାୟେ

ସ୍ୱାମୀ ନ ଜାଣି ଦ୍ରୋହ କଲା ତୋତେ ମୋହୋର ବାଳୁତ
ତନୟେ ।୧୧୪।

ଅର୍ଜୁନ ବୋଇଲେ ସେ ମୋହୋର ଆତ୍ମଜ

ମୋହୋର ପୁତ୍ର ସିନା ଜିଣିଲା ୟେଥିକି ମୋତେ କିସ ଲାଜ ।୧୧୫।

ଆନର ହାଥେ ଯେବେ ମୁଂ ହୁଅନ୍ତି ଝିଂଘାସି

ଅଇରି ଲୋକ ମୁଖେ ମୁଂ ପାଆନ୍ତି ଉପହାସୀ ।୧୧୬।

ତୁ ୟେବେ ପ୍ରିୟା ଗୋ ଯାଅ ପାତାଳ ସ୍ୱର୍ଗକୁ

ପୁଣିହିଂ ଦ୍ରଶନ ଯେ ପାଉ ସିନା ମୁକୁଂ ।୧୧୭।

ଅନେକ ଧନରତ୍ନ ଦିଲେକ ସର୍ବସାଚୀ

ନାଗେଣୀକି ଅନେକ ପୁରୁଷାର୍ଥ କଲେକ ଶ୍ରୀବତ୍ସି ।୧୧୮।

ସାଧୁରେ ସାଧବୀ ଗୋ ଜୀବନ ତୋହୋର ସାଚା

ୟେହେନେକ ସୁଲକ୍ଷଣେ ଜାତକଲୁ ତୋହୋର ବଚ୍ଛା ।୧୧୯।

ତ୍ରଇଲୋକେ ଜିଣନ୍ତା ଯେ ଅଟଇ ତୋହୋର ପତି

ଇନ୍ଦ୍ର ଗୋବିନ୍ଦ ହର ବ୍ରହ୍ମା ଜିଣିଲା ସବୁନ୍ତି ।୧୨୦।

ୟେହାକୁ ଜିଣିତେ ତୋହୋର ପୁତ୍ର ସାମରଥା

ସମସ୍ତ ଯୁଗକଇଂ ରୁହାଇଲା ୟେହୁ ଚିରାଞ୍ଚନ କଥା ।୧୨୧।

ଆପଣେ ଅର୍ଜୁନ ପ୍ରବୋଧଇ ସନ୍ଧ୍ୟାବାଳୀ

କୃଷ୍ଣ ଅର୍ଜୁନଂକୁ ପାଦପୀଜା କରି ଦେବୀ ପାତାଳ
ଭୁବନକଇଂ ଚଳି ।୧୨୨।

ଚଳନ୍ତେ ସନ୍ଧ୍ୟାବାଳୀ ବହୁତ ହରଷେ

ଧନ୍ୟ ଧନ୍ୟ ତୋର ମାତା ଅର୍ଜୁନ ପ୍ରଶଂସେ ।୧୨୩।

ଅର୍ଜୁନକୁ ଘେନି ଦେବ ଜନାର୍ଦ୍ଦନେ

ବିଜୟେ ରାମକୃଷ୍ଣ ଦ୍ୱାରକା ଭୁବନେ ।୧୨୪।

ବିଜୟେ କୁରୁ ପାଣ୍ଡବେ ବାରୁଣାବନ୍ତ ସ୍ଥାନେ

ଅର୍ଜୁନକୁ ଘେନି ଦ୍ୱାରକାୟେ ବିଜୟେ ଜନାର୍ଦ୍ଦନେ ।୧୨୫।

ବହୁତ ସେ ଉତ୍ସବ ସେ ଦ୍ୱାରକା ନଗରୀ

ପାଥକୁ ଦେଖି ଆସନ୍ତି ସମସ୍ତ ନରନାରୀ ।୧୨୬।

ଅଷ୍ଟ ପାଟବଂଶୀ ଶ୍ରୀକୃଷ୍ଣର ବାମା

ସବୁହୁଂ ଶ୍ରେଷ୍ଠ ଅଟନ୍ତି ଭୀଷ୍ମଂକର ଜେମା ।୧୨୭।

ତାହାକୁଂ ରାଇ ଆଗ୍ୟାଂ ଦିଲେ ନାରାୟଣ

ଅର୍ଜୁନ ପାଇଂ ସଞ୍ଚା କର ଗୋ ଭିଆଣ ।୧୨୮।

ସୁଧର୍ମା ସଭାୟେ କୋଳେ ଘେନି ବନମାଳୀ

କରେଣ ଅର୍ଘ୍ୟ ଘେନି ଅଇଲେ ସର୍ବ ବାଳୀ ।୧୨୯।

ଅର୍ଜୁନକୁ ଦେଖିଣ ସର୍ବେହେଂ କଲେ ନିଉଛାଳି

ସାନନ୍ଦେଣ ହୁଳହୁଳି ଦିଅନ୍ତି ସର୍ବେ ମିଳି ।୧୩୦।

ଅର୍ଜୁନକୁ ଦେଖି ପୁଣ ସମସ୍ତ ଯୁବତୀ

ଆନନ୍ଦେ ଅଶ୍ରୁଜଳ ଅନେକ ହରଷ ମତି ।୧୩୧।

ସାଧୁ ସାଧୁ ଜୀବନ ତୁମ୍ଭର ବୋଲିଣ ପରଶଂସି

କେଉଂଣ ପାପକ୍ଷଣେ ହୋଇଲୁ ବାବୁ ଧ୍ୱଂସି ।୧୩୨।

ଜଗତଜିତା ପୁରୁଷ ତୁ ସଂସାର ହିତକାରୀ

ବୀରବର ପ୍ରତାପ କେ ତ୍ରଇଲୋକେ ତୋତେ ସରି ।୧୩୩।

ମେରୁ ଚାଳିବାକୁ କେ ହୋଇଲା ଶକତା

ତୋହୋର ପୁତ୍ର ହୋଇ ୟେ ୟେଡ଼େକ ବଳବନ୍ତା ।୧୩୪।

ଦ୍ୱାରକାୟେ ଉତ୍ସବ କଲେକତ ବାସୁଦେବ

ଅନେକ ଅନ୍ନ ଭୋଜନ କରନ୍ତି ସମ୍ଭର୍ବ ।୧୩୫।

ଆପାଦ ଶାନ୍ତି ଅର୍ଥେ କରାନ୍ତି ଆହୁତି

ବ୍ୟାସେ ଧର୍ମ ପ୍ରୋହିତେ ସମସ୍ତେ ମିଳନ୍ତି ।୧୩୬।

ଅର୍ଜୁନକୁ ଅର୍ଘ୍ୟ ଦିଲେ ସର୍ବ ମୁନି ମିଳି

ପୁଣ୍ୟ ଜାତ ନିମନ୍ତେ ଅନେକ ବେଦଧୁନି ତୋଳି ।୧୩୭।

ଦ୍ୱାରକାୟେ ପାଥ ରହିଲେ ଦଶ ଦିବସ ପରିଯନ୍ତେ

ଅର୍ଜୁନକୁ ଘେନି ଆସନ୍ତି ଦେବ କଟକ ଇନ୍ଦ୍ର ପ୍ରଶସ୍ତେ ।୧୩୮।

ଜଇନ୍ତା କଟକେ ଯେ ହୋଇଲେ ପରବେଶ

କୋଇନ୍ତା ଦ୍ରୋପତୀ ଅର୍ଘ୍ୟ ବନ୍ଦାବନ୍ତି ଅର୍ଜୁନ ହରି ପାଶ ।୧୩୯।

ବିଜୟ କଲେ ପାଣ୍ଡବେ ବାରୁଣାବନ୍ତ ସ୍ଥାନ

ଅରଜୁନକୁ ଘେନି ଦ୍ରିଯୋଧନ ଗଲା ହସ୍ତିନା ଭୁବନ ।୧୪୦।

ଧୃତିରାଷ୍ଟ ସଞ୍ଜୟେ ବିଦୂର ସହିତେ

ଗାନ୍ଧାରୀ ଭାନୁମତୀ ମୂଳେ ସକଳ କାମିନୀ ଅର୍ଘ୍ୟ ବନ୍ଦାବନ୍ତି
ଅର୍ଜୁନର ମାଥେ ।୧୪୧।

ଅର୍ଜୁନ ଶିରେ ଅର୍ଘ୍ୟ ଦିଅନ୍ତି ସର୍ବେ ମିଳି

ଅନ୍ତପୁରେ ଶୁଭଇ ଆନନ୍ଦେ ହୁଳହୁଳି ।୧୪୨।

ଧୃତିରାଷ୍ଟେ ବୋଇଲେ ବାବୁ ଅନେକ ବିଅର୍ଥେ କଷ୍ଟ ଆମ୍ଭେ ଯେ ପାଇଲୁଂ

ୟେ ପଞ୍ଚିରାଜ୍ୟ ବୁଡ଼ିଲା ପ୍ରାୟେ ମଣିଥିଲୁ ।୧୪୩।

ୟେବେ ସେ ଧର୍ମ ଉଦିତ ହୋଇଲା ବୀର ପାଥ

ଉଦ୍ଧରିଲୁ ସୋମବଂଶ ଯେ ହୋଇଲା ସୁଆର୍ଥ ।୧୪୪।

ହସ୍ତିନା ରାଜ୍ୟେ ଅନେକ ଉତ୍ସବ ବଧାଇ

ବହୁତ ସାନନ୍ଦେଣ ବିଜୟେ କୁରୁସାଇଂ ।୧୪୫।

ଅନେକ ଉତ୍ସବ ଯେ ହୋଇଲା ପଞ୍ଚୁକଟକ ରାଜ୍ୟେ

ଧନ ବସ୍ର ଅନ୍ନଛତ୍ର ଦିଅନ୍ତି ସମ୍ଭର୍ବେ ବହୁତ ଦ୍ୱିଜେ ।୧୪୬।

ମୁଣୋହି ଭୋଜନ କରି ଅର୍ଜୁନ ଶ୍ରୀପତି ଦ୍ରିଯୋଧନ

କିସ କହିବା ଉଲ୍ଲାସ ଯେହ୍ନେ ପଞ୍ଚୁ କଟକ ଭୁବନ ।୧୪୭।

ସାନନ୍ଦେ ରହିଲେ ଦେବ ଜନାର୍ଦ୍ଦନ

ବହୁତ ଆନନ୍ଦ ହୋଇଲେ ପଞ୍ଚୁସ୍ୱର୍ଗ ସ୍ଥାନ ।୧୪୮।

ହସ୍ତିନାୟେ କୁରୁବଳେ ପାଣ୍ଡବେ ବାରୁଣା ଇନ୍ଦ୍ର ପ୍ରଶସ୍ତେ

ପାଣ୍ଡବଂକୁ ଘେନି ବିଜେକଲେ ଜଗଭୂତେ ।୧୪୯।

ଦେଖିଣ ସାନନ୍ଦ ଯେ ହୋଇଲେ ଦେବୀ କୋନ୍ତେ

ଶ୍ରୀ ଜଗନ୍ନାଥଂକୁ ପୁଚ୍ଛାକେଲ ପାଣ୍ଡବଂକର ମାତେ ।୧୫୦।

ନାରାୟଣଂକ ଶିରେ ଦୁର୍ବାକ୍ଷତ ଦେଇ

କୋନ୍ତଭୋଜର ନନ୍ଦନୀ କହନ୍ତି ବିନୋୟୀ ।୧୫୧।

ତୁ ନାଥ ଅନାଥ ଜନଂକର ବନ୍ଧୁ

ଦୁଖୀଜନ ସୋଦୋର ଜୟ ତୁ କୃପାସିନ୍ଧୁ ।୧୫୨।

ଦୀନଜନ ସୋଦର ତୁ ଭଗତ ମତ୍ସଳ

ଭାବଗ୍ରାହୀ ନାଥ ତୁ ନାଥ ଜୟ କୃପାଲୋଳ ।୧୫୩।

ଅନାସ୍ତ ନିସ୍ତାରଣ ମୋତେ ସମ୍ଭାଳଣ ନାହିଂ

ଅନାସ୍ତକୁ ଦୟା ତୁ କର ଭାବଗ୍ରାହୀ ।୧୫୪।

ୟେ ମୋହୋର ପତି ଯେ ପଣ୍ଡୁ ଦଣ୍ଡଧାରୀ

ଶତଶୃଙ୍ଗ ପର୍ବତେ ସେ ହୋଇଲେ ଅପହାରୀ ।୧୫୫।

ଧୃତିରାଷ୍ଚ ଆଣି ଆମ୍ଭଂକୁ କଲେ ସମ୍ଭାଳଣ

ବିଶ୍ୱାସୀ ଆଣିଲେ ମୋହୋର ପଞ୍ଚୁଗୋଟି ନନ୍ଦନ ।୧୫୬।

ବାରୁଣାବନ୍ତ ଭୁବନେ ରଖିଲେ ଆମ୍ଭନ୍ତ ନେଇ

ତହିଂ ଯାହା କଲେ ତୁ ନ ଜାଣୁ କି ଭାବଗ୍ରାହୀ ।୧୫୭।

ଅଗ୍ନି ଜଳସ ଘୃତ କଲେ ତହୁଂ ପୁଟେ

ଜଉ ସଜଳସ ଗୁଆଘୃତ ଛଣପଟେ ।୧୫୮।

ପୁରଞ୍ଜନ ନାମେ ପଣ୍ଡା ହାଥେ ଲଗାଇଲେ ଜୂଇ

ୟେ ମହା ସଂକଟୁ ପୁତ୍ରଂକୁ ରଖିଲୁ ଭାବଗ୍ରାହୀ ।୧୫୯।

ବିଷଲଡ଼ୁ ଖୁଆଇ ଯେ ମାଇଲେ ଭୀମାକୁ

ତୁ ଯେବେ ରକ୍ଷା ନ କରନ୍ତୁ ତାହାକୁ ।୧୬୦।

କେମନ୍ତେ ଥାଆନ୍ତେ ମୋର ଅନାସ୍ତ ପୁତ୍ର ପାଞ୍ଚ

ତୁ ସେ ଅନାସ୍ତର ବନ୍ଧୁ ମହିମାଂ ତୋର ସାଚ ।୧୬୧।

ଅନାସ୍ତ ଲୋକ ମୁଂ ପୁତ୍ରକୁ ରଖ ଦେବରାୟେ

ବହୁତ ବିନୋୟୀ ଯହୁଂ କହିଲେ କୋଇନ୍ତାୟେ ।୧୬୨।

ଗଦଗଦ ବାଣୀ ନେତ୍ରୁ ଅଶ୍ରୁଜଳ ବହେ ।୧୬୩।

ବୋଲନ୍ତି ନାରାୟଣ ଶୁଣସି ଗୋ ମାତା

ଜଗୁଜନ ମୋହନ ତୋହୋର ପୁତ୍ର ବଳବନ୍ତା ।୧୬୪।

ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ଭୁବନ

ଦୁଷ୍ଟଜନ ସଂଘାରଣ ୟେ ତୋର ନନ୍ଦନ ।୧୬୫।

ନାଗା ଅର୍ଜୁନ ବୋଲି ୟେ ତୋହୋର ଅର୍ଜୁନର ପୁତ୍ର

ବେଳୁଂବେଳ ମାହେଶ୍ୱରୀ ଗୋ ବର୍ଦ୍ଧୁତ ତୋହୋର ଗୋତ୍ର ।୧୬୬।

ମା ଗୋ ଭୀମସେନର ପୁତ୍ର ବଳୀ ଯେ ବେଲାଳ

ତିନି ଭୁବନ ଜିଣିମାକୁ ସେ ସାମର୍ଥ ମହାବୀର ।୧୬୭।

ହିଡିମ୍ବିକୀର ନନ୍ଦନ ବୀର ଘଟଉତ୍କଚ

ଦାନେବ ଛତ୍ରୀ ସେ ଅଟଇ ବଳିଷ୍ଠ ।୧୬୮।

ମା ଗୋ ପୁତ୍ରଂକର ତହୁଂ ତୋର ନାତିୟେ ବର୍ଦ୍ଧମାନ

କେହି ଜିଣନ୍ତା ନାହିଂ ତୋତେ ୟେ ତିନି ଭୁବନ ।୧୬୯।

ଛାର କଉରୋବ ପାମରଂକୁ କିସ ୟେ ତୋହୋର ଭୟେ

ଆପଣେ ହାଥ ଧରି ଦିଆରନ୍ତି ଦେବରାୟେ ।୧୭୦।

ନାରାୟଣଂକୁ ଦେଖୁ ସୁଭଦ୍ରା ପ୍ରଣପତ୍ୟ ହୋଇଲେ ଆସି

ଅର୍ଘ୍ୟ ଘେନି ଶ୍ରୀକୃଷ୍ଣଂକୁ ବନ୍ଦାନ୍ତି ଶୁଭ୍ରକେଶୀ ।୧୭୧।

ଛଡ଼ଅର୍ଘ୍ୟ ଘେନିଣ ଦେବୀ ଯା ପାଞ୍ଚାଳୀ

ନାରାୟଣଂକ ଛାମୁରେ ସେ କଲେକ ନିଉଛାଳି ।୧୭୨।

ବୋଲନ୍ତି ଭଗବାନ ଶୁଣ ଗୋ ଦ୍ରୋପତୀ

ସମରେ ଅପଚୟେ ପାଇଥିଲା ତୋହୋର ପତି ।୧୭୩।

ନାରାୟଣ ବଦୟନ୍ତି ଶୁଣ ଗୋ ଦ୍ରୋପତୀ

ୟହାକଇଂ ଜିଣିଲା ଗୋ ୟେହାର ସନ୍ତତି ।୧୭୪।

ୟେ ସେ ପ୍ରତଗ୍ୟାଂ ଗୋ ଅଟଇ ତୁମ୍ଭରେ

ତ୍ରଇଲୋକ୍ୟେ ବିଖ୍ୟାତ ୟେ ତୋହୋର କୁମରେ ।୧୭୫।

ଶୁଣି କରପତ୍ର ଯୋଡ଼ି ବୋଲାଇ ପାଞ୍ଚାଳୀ

ନାରାୟଣଂକ ସନ୍ନିଧ୍ୟେ ପଡ଼ିଲା ଦେବୀ ଢଳି ।୧୭୬।

ଦେଖିଣ ନାରାୟଣେ ଧଇଲେ ବେଗେ ତୋଳି

ଗତଆତ୍ମା ପ୍ରାୟେ ଯେ ପଡ଼ିଅଛି ବାଳୀ ।୧୭୭।

ରୋବଇ ଭଗବତୀ ଯେ ବହୁତ ବିକଳ

କହୁଂ କହୁଂ କଥା ନେତ୍ରୁ ବହଇ ଅଶ୍ରୁଜଳ ।୧୭୮।

ଜାଣିଲେ ଜଗନ୍ନାଥ ଯେ ପାଞ୍ଚାଳୀର ମନ

ଯହୁଂ ସେ କଉରୋବେ କଲେକ ବିବସନ ।୧୭୯।

ଦ୍ରୋପତୀ ବୋଇଲେ ଦେବ ତୁ ସେ ଅନ୍ତର୍ଯ୍ୟାମୀ

ତୋହୋର ନ ରଖନ୍ତେ କେ ରଖନ୍ତା ଦେବସ୍ୱାମୀ ।୧୮୦।

ୟେକ ଭ୍ରଥାକୁ ପଞ୍ଚୁ ଯୁବତୀ ବିଦ୍ୟାମାନ

ୟେବେ ପଞ୍ଚୁଭ୍ରଥା ଦେବ ହୋଇଲା ମୋହୋର କର୍ମ ।୧୮୧।

ୟେତେକ ଅବସ୍ତା ଦେବ ନ ଗଲା ମୋହୋର ହୃଷୀକେଶ

ପଞ୍ଚୁଭ୍ରଥା ଦେଖନ୍ତେ ମୋତେ ସଲେକ ବିବସ୍ର ।୧୮୨।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିସର୍ବା

ପାରିଦଣ୍ଡ ସହିତେ ସମସ୍ତ ରାଜଦେବା ।୧୮୩।

ଆସ୍ତାନ ପୂରିତ ଯେ ସମସ୍ତେ ଛନ୍ତି ବସି

ଅନ୍ତପୁରୁଂ ଧୁଶାସନ କେଶ ଧରି ମୋତେ ନେଲାକ ଆକ୍ରେଷି ।୧୮୪।

ତୁ ଦେବ ଅନ୍ତର୍ଯ୍ୟାମୀ ନଜାଣୁ ଅବା କାହା

ୟେହାଂକର ଦେଖନ୍ତେ ଯେତେ ଶାସ୍ତି ଦିଲା କୁରୁନାହା ।୧୮୫।

ମୁହିଂ ଅନାସ୍ତୁଣୀ ମୋହୋର କେହି ନାହିଂ

କେ ସହି ପାରିବ ନାଥ ରକତ ମାଂସ ଦେହ ବହି ।୧୮୬।

ଯଦ୍ୟପି ଧୁଶାସନର ଉପାଡ଼ିବେ ବାହ

ତେବେ ସେ ଜାଣିବି ମୋର ଅଛନ୍ତି ପଞ୍ଚୁନାହା ।୧୮୭।

ନୋହିଲେ ଅବଶ୍ୟ ଯେ ଝାସିବି ସାଗର

ୟେ ତୋହୋର ଛାମୁରେ ସତ୍ୟ କହୁଛି ଦାମ୍ବୋଦର ।୧୮୮।

ଯଦ୍ୟପି ଶରୀରେ ମୋହୋର ରଖଇ ନିଜ ପ୍ରାଣ

ଯୁଝେଷ୍ଠି ଦେବଂକର ମୁଂ ହାରଇ ଚତଣ ।୧୮୯।

ନିରଞ୍ଜନ ଥାଳେ ମୁଂ ପୂରାଇ ଦିଅଇ ବିଷ

ଧୁଶାସନେ ନ ମାରିଲେ ମୁଂ ମରିବି ଅବଶ୍ୟ ।୧୯୦।

ଧୁଶାସନକୁ ନ ମାଇଲେ ମୁଂ ନ ବାନ୍ଧଇ ବାଳ

କହନ୍ତେଣ ଗଦଗଦେ ଦେବୀର ନେତ୍ରୁଂ ବହଇ ଅଶ୍ରୁଜଳ ।୧୯୧।

ପାଞ୍ଚାଳୀର ମୁଖରୁ ନିଷ୍ଠୁର ବାକ୍ୟ ଶୁଣି

କୋପେଣ ଗର୍ଜଇ ଯେ ପାଣ୍ଡବ ବୀରମଣି ।୧୯୨।

ଯଦ୍ୟପି ନ ମାରଇ ଗାନ୍ଧାରୀର ଶତେପୁତ୍ର

ତୋହୋର ଚରଣ ଛୁଇଂ ନିୟମ କରୁଛି ଜଗଭୂତ ।୧୯୩।

ଯୁଝେଷ୍ଠି ଦେବଂକର ଯେ ହୋଇବି ଦୋରେହା

ଶତେଭ୍ରାଥ ଆଦିକରି ଯେବେ ନ ମାରଇ ଜଗୁନାହା ।୧୯୪।

ୟେତେକେହେଂ ଶାନ୍ତି ଯେ ନୋହୋଇ ତାହାର କୋପ

ଦଶନହେ ବିଦାରଇ ଭୀମର ନିଜ ଦର୍ପ ।୧୯୫।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି କାଟିଲା ତିନିଗାର

ଆପଣାର ହୃଦୟ ଯେ ଚିରିଲା ବ୍ରିକୋଦର ।୧୯୬।

ଯୁଝେଷ୍ଠି ଦେବ ବୋଇଲେ ସହଣ ନ ଯାଇ

ଯେତେକ ଶାସ୍ତି ମୋତେ କଲାକ କୁରୁସାଇଂ ।୧୯୭।

ଦୁଖୀଜନ ସାଧାରଣ ତୁ ଦେବ ଚକ୍ରଧର

ଅନେକ ସମାର୍ଜନା କଲେ ଧୃତିରାଷ୍ଟ ବିଦୁର ।୧୯୮।

ଗାନ୍ଧାରୀ ଭାନୁମତୀ ଆବର ସର୍ବବାଳୀ

ଦ୍ରୋପତୀ ଶିରେ ବନ୍ଦାଇଲେ ଘେନିଣ ଅର୍ଘ୍ୟସ୍ଥାଳୀ ।୧୯୯।

ବହୁତ ସମାର୍ଜିଣ ଯେ କହିଲେ ଭାନୁବତୀ

କ୍ରୋଧ ଶାନ୍ତି ନୋହଇ ଯେ ଦ୍ରୋପଦ ଦୁହିତୀ ।୨୦୦।

କୂଟ କପଟ ପଶା ଯେ କଲାକ ଶକୁନି

ୟେଥିର ଚରିତ ମୁଂ ଜାଣିଲି ଲାଭହାନୀ ।୨୦୧।

ଆବର ବେଳେ ପଶା ଯେ ଖେଳିବି ତାର ସଙ୍ଗେ

ପୁଣି ଯେବେ ହାରିବି ପଶିବି ବନମାର୍ଗେ ।୨୦୨।

ୟେ ମୋହୋର ସତ୍ୟ ଶୁଣିମା ଚକ୍ରପାଣି

ୟେସନେକ ହୋଇ ଅବା ବ୍ରତନ୍ତି ଯେଉଂଣ ପ୍ରାଣୀ ।୨୦୩।

ଜୀଇଂବା ଠାବରୁ ଯେ ମରିବା ବଡ଼ ଭଲ

ୟେସନେକ କୃତ ହୋଇଲା ଆମ୍ଭଂକୁ ସଲ ।୨୦୪।

ପାଞ୍ଚ ଭାଇନ୍ତ ଘେନି ଖେଳିବି ପଶାଜୂତ

ଜିଣି ଯେବେ ପାରଇ ୟେ ପଞ୍ଚୁଜଗତ ।୨୦୫।

ହାରିଲେ ଅବଶ୍ୟ ଯେ ପଶିବି ଘୋରବନ

ୟେ ମୋହୋର ସତ୍ୟ ସତ୍ୟ ଜାଣିଥାଅ ଭଗବାନ ।୨୦୬।

ପାଣ୍ଡବଂକୁ ସମାର୍ଜି ସେ ଦେବ ନାରାୟଣ

ଯିବି ବୋଲି ଯୁଝେଷ୍ଠିଂକର ନମନ୍ତି ଚରଣ ।୨୦୭।

ଅର୍ଜୁନକୁ କୋଳ ସମ୍ଭାଷଣ କରି ହରି

ଅନେକ ପ୍ରକାରେ ଭୀମକୁ ପୁରୁଷାର୍ଥ କରି ।୨୦୮।

ନକୁଳକୁ ଚୁମ୍ବନ ଦେଇ ନାରାୟଣ

ଦ୍ରୋପତୀ ମୁଖ ଚାହିଂ କହନ୍ତି ତିଆରିଣ ।୨୦୯।

ତୁ ଆଗୋ ମହାସ୍ୱତୀ ନ ଭାଳ ମନେ କିଛି

ମାନ ଉଦ୍ଧାରିବ ତୋର ପବନର ବତ୍ସି ।୨୧୦।

ପାଣ୍ଡବନ୍ତ ତିଆରିଣ ଦେବ ନାରାୟଣ

ବିଜୟେ ଜଗନ୍ନାଥ ଦ୍ୱାରିକା ଭୁବନ ।୨୧୧।

ବଇନେତ୍ର ଆରୋହିଣ ମିଳିଲେ ଦେବ ଆସି

ବାରୁଣାବନ୍ତ ଭୁବନେ ଯେ ରହିଲେ ପଣ୍ଡୁଶିଷି ।୨୧୨।

ହସ୍ତିନାୟେ କୁରୁବୀରେ ପାଣ୍ଡବେ ଇନ୍ଦ୍ରପ୍ରଶସ୍ତେ

ଧୃତିରାଷ୍ଟଂକୁ ଭଗତି ହୋଇଥାନ୍ତି ପଞ୍ଚୁଭ୍ରାଥେ ।୨୧୩।

ସଞ୍ଜୀବନୀ ପୁରେ ଯେ ବିଜୟେ ନାଶକର

କୋଟିୟେ ଅର୍ଘ୍ୟ ନେଇ ଦିଲା ପଣ୍ଡୁରାଜାର ଶିର ।୨୧୪।

ଅନେକ ରତନେ ଯେ କଲାକ ଆଭରଣ

ଭୃତ୍ୟ ପ୍ରାୟ ଖଟିତାଇ ନାଶକର ସଭାର ମଧ୍ୟେଣ ।୨୧୫।

ଅନେକ ପ୍ରଶଂସା ଯେ କରଇ ନାଶକର

ସାଧୁ ସାଧୁ ପଣ୍ଡୁରାଜା ଜୀବନ ତୋହୋର ।୨୧୬।

ସୁପୁତ୍ର ଉପୁଜାଇ ଅର୍ଜିଲୁ ବହୁତ ଧର୍ମ

ସ୍ୱର୍ଗେ ପୂଜା ପାଇଲୁ ପଦ ବ୍ରହ୍ମା ସମ ।୨୧୭।

ପଣ୍ଡୁଂକୁ ଅନେକ ମତେ କରିଣ ରାୟେ ପୂଜା

ଅପସରାବୃନ୍ଦ ଘେନି ଖଟଇ ଯମରାଜା ।୨୧୮।

ଶୁଣ ହୋ ପଣ୍ଡିତ ଜନେ ସୁପୁତ୍ରଂକର କଥା

ଆପଣେ ତରଇ, ତାରଇ ତାର ପିତୃ ଯେ ଦେବତା ।୨୧୯।

ବଂଶ ନିକଳଂକ ହୁଅଇ ସୁପୁତ୍ର ଉପୁଜିଲେ

ପିତୃଲୋକଂକୁ ଲଂଘି ନୁଆରଇ ଯମ ତାହାର ବଳେ ।୨୨୦।

ସକଳ ଅବିକଳେ ବ୍ରତନ୍ତି ପିତୃମାନେ

ସମସ୍ତ କାରଣ ପାଆନ୍ତିଟି ଧର୍ମର ପରସନେ ।୨୨୧।

ଜୟତୁ ବାସୁଦେବ କମଳା ବିଳାସ

ଧର୍ମପଥେ ପିଣ୍ଡ ଯାଇ ବଇକୁଣ୍ଠ ସ୍ୱର୍ଗବାସ ।୨୨୨।

ସେ ଦେବର ପଦ୍ମପାଦେ ନିତ୍ୟେ ମୋ ଶରଣ

ଶୂଦ୍ରମୁନି ସାରୋଳା ଦାସକୁ ଦେବ ରକ୍ଷଣ ।୨୨୩।୧୫୧୩୨।

 

ପାଣ୍ଡବଙ୍କର ଦ୍ୱିତୀୟ ବନବାସର କାରଣ

ବଇବସୁତ ମନୁ ଅଗସ୍ତିଂକି କଲେ ପୁଚ୍ଛା

କଉରବେ ପାଣ୍ଡବେ ଯେ ହୋଇବେ ୟେକ ସଞ୍ଚା ।୧।

ଯୁଝେଷ୍ଠିଂକି ବନବାସ ହୋଇଲା କେମନ୍ତେ

ୟେକଥା ବିତାରି କହିବା ମୁନି ମୋତେ ।୨।

ଶୁଣ ହୋ ମହାରାଜ ବଦନ୍ତି ଅଗସ୍ତି

ପାଣ୍ଡବଂକୁ ଅଭିମାନ ଯେ କଲା କୁରୁପତି ।୩।

ତୁଳ ମାସ କୃଷ୍ଣପକ୍ଷ ଭଉମବାସର ଚଉଠୀ

ରୋହିଣୀ ନାମେ ନକ୍ଷତ୍ର ଯେ ବେଳେ ତିନିଘଟି ।୪।

ସେ ଦିନ ଯୁଝେଷ୍ଠି ଯେ ହସ୍ତନାକୁ ଗଲେ

ଧୃତରାଷ୍ଟଂକ ଚରଣେ ପ୍ରଳମ୍ବିତ ହେଲେ ।୫।

ଦେଖିଣ ଧୃତରାଷ୍ଟ ବହୁତ ପୁରସରି

ଆସ୍ଥାନେ ବସ ବୋଲି ଆଗ୍ୟାଂ ଅବଧାରୀ ।୬।

ଆସ୍ଥାନେ ମଧ୍ୟେ ବିଜୟେ ଧର୍ମ ଦଣ୍ଡଧାରୀ ।୭।

ଯୁଝେଷ୍ଠି ଦ୍ରିଯୋଧନ ଯେ ୟେକଇ ଆସନେ

ଅନେକ କଉତୁକ କରନ୍ତି ଯୋଦ୍ଧାମାନେ ।୮।

ଆସ୍ଥାନେ ଶକୁନି ନେଇ ପକାଇଲା ପଶା

ଯୁଝେଷ୍ଠି ଦେବେ ତହିଂକି ବଢ଼ାଇଲେ ମନୀଷା ।୯।

ଶ୍ରୀଭୁଜେ ଖଡ଼ି ୟେକ ଘେନିଣ ଧର୍ମସୁତେ

କୋଠି କାଟ ବୋଲି ଦିଲେ ସହଦେବ ହାଥେ ।୧୦।

ଆପଣେ ସହଦେବ କୋଠି କାଟଇ ଖଡ଼ି ଘେନି

ବଇଜୟନ୍ତୀ ମାଳା ଦେଇ କଲାକ ଛକ ତିନି ।୧୧।

ୟେ ପଶା କପଟ ବୋଲି କହିଲା ସାର ପିଠି

ଦେଖିଣ ଦ୍ରହସିତ ଯେ ହୋଇଲେ ଯୁଝେଷ୍ଠି ।୧୨।

ବଦୟନ୍ତି ଧର୍ମେ, ମାମୁ ନୋହୋଇ ତୋହୋର ପଶା

ଆନ ପଶାକୁ ମୋହୋର ବଳଇ ମନୀଷା ।୧୩।

ଆନ ପଶା ଆଣ ବୋଲି ହାକନ୍ତେ ଯୁଝେଷ୍ଠି

ଅଦଭୂତେ ସଭାରେ ପଡ଼ିଲା ଆସି ବେନି ପଶାକାଠି ।୧୪।

ବଡ଼ ସୁଢଳିତ ପଶା ସୁବର୍ଣ୍ଣ ଦଶଦାନ

ଦେଖିଣ ହରଷ କୋନ୍ତେ ଆବର ଦ୍ରିଯୋଧନ ।୧୫।

ଧର୍ମେଣ ପଶା ଆସି ହୋଇଲାକ ପ୍ରାପତ

ସହଦେବ ପାଡୁ ୟେହା ବୋଲି ବୋଇଲେ କୁରୁନାଥ ।୧୬।

ଦକ୍ଷିଣେ ମାନଗୋବିନ୍ଦ ଉତ୍ତରେ ଯୁଝେଷ୍ଠି

ମଧ୍ୟ ପୀଢ଼କେ ସହଦେବ ଘେନିଲା ପଶାକାଠି ।୧୭।

କାଠି ନିରୋପିଣ ଯେ ହସିଲା ମନ୍ତ୍ରୀବର

ୟେହେନେକ ଭିଆଣ ଯେ ହୋଇଲା ଦେବଂକର ।୧୮।

ଚଇତନ ପୁଚ୍ଛାକଲେ ମନୁ ପୁରୁଷଂକୁ

ସହଦେବ ଅପଚ୍ଛାତି ଦିଲେ କିଂପେ ଦେବତାମାନଂକୁ ।୧୯।

ବଦୟନ୍ତି ମନୁ ପୁରୁଷ ଶୁଣ ହୋ ତଦନ୍ତ

ଦେବତାୟେ ବିଜେ କରିଛନ୍ତି ମେରୁ ଯେ ପର୍ବତ ।୨୦।

ୟେମନ୍ତର ସମୟେ ପାତାଳୁଂ ଯେ ଅଇଲା ଅବନୀ

ଆସ୍ତାନେ ଗୁହାରି କଲା ଦନ୍ତେ ତିରଣ ଘେନି ।୨୧।

ଧାତାର ଅଗ୍ରତେ ବିକଳେ କହଇ ମହୀ

କୀଚକର ଶତେ ଭାଇଂକର ଭାରା ମୁଂ ନୁଆରଇ ସହି ।୨୨।

ବିକ୍ରମେ ଚାଲନ୍ତେ ସେ ରୁଧିର ବହଇ ମୋର ମୁଖେ

ରାସାଂଗତ ହୋଇବି ମୁଂ କଟାଳ ବଡ଼ ଦୁଖେ ।୨୩।

ଦେବତାୟେ ରାଇଲେ ଖଳ ଦୁର୍ବଳ ବେନିଦୂତ

ତୁମ୍ଭେ ଅନର୍ଥ କରାଇବ ପାଣ୍ଡବ କଉରୋବନ୍ତ ।୨୪।

ଯୁଝେଷ୍ଠିଂକି ପଶାରେ ହରାଇଣ ତୁମ୍ଭେ ଆଜ ଆସ

ପରିଜା ରେ ଯୁଝେଷ୍ଠି ଯାଆନ୍ତୁ ବନବାସ ।୨୫।

ଦ୍ୱାଦଶ ବରଷ ପରିଯନ୍ତେ ସେ ହୋଇବେ ବନଗାମୀ

ବରଷେ ତେର ଦିବସ ହୋଅନ୍ତୁ ଗୋପ୍ୟାନ ଯୁଝେଷ୍ଠି ଦେବସ୍ୱାମୀ ।୨୬।

ବିରାଟ ଭୁବନେ ଯାଇଂ ହୋଇବେ ଗୋପ୍ୟାନ

ଦ୍ରୋପତୀର ଅର୍ଥେ ଭୀମ କୀଚକକଇଂ କରିବ ନିଧନ ।୨୭।

ପିତାଂକ ଆଗ୍ୟାଂୟେ ଗଲେ ଖଳ ଯେ ଦୁର୍ବଳ

ବିଶ୍ରାମିଲେ ଖଳ ଦ୍ରିଯୋଧନର ବକ୍ଷସ୍ଥଳ ।୨୮।

ଦୁର୍ବଳ ପଶିଲା ଯାଇଂ ଯୁଝେଷ୍ଠିଂକ ଗର୍ଭେ

ୟେମନ୍ତେ ଦୁଇଦୂତ ଲଗାଇ ଉପାୟ ଭାବେ ।୨୯।

କଳିକାଳ ଦୁହେଂ ଯେ ହୋଇଲେ ପଶାକାଠି

ୟେହା ବାରି ନୁଆରିଲେ ଯୁଝେଷ୍ଠି ଧୃତରାଷ୍ଟି ।୩୦।

ଦ୍ରିଯୋଧନ ମୁଖ ଚାହିଂ ବୋଇଲେ ଧର୍ମରାଜା

ୟେ ପଶାକଇଂ କିସ ଯେ କରିବା ପରିଜା ।୩୧।

ଦ୍ରିଯୋଧନ ବୋଇଲା ୟେ ପଶାର କିସ ଅଟଇ ଚରିତ

ଆକାଶୁଂ ଆସି ଅଦଭୂତେ ହୋଇଲା ପରାପତ ।୩୨।

ଦୁହେଂ ଦାନେ ଦାନେ ଆମ୍ଭେ ଘେନିବା ଯେ ବାଛି

ଯେହୁ ହାରିବ ସେ ପଞ୍ଚୁରାଜ୍ୟେ ନୋହେ କିଛି ।୩୩।

ଯୁଝେଷ୍ଠି ଦେବ ବୋଇଲେ ଦ୍ୱାଦଶ ବରଷ ପରିଯନ୍ତେ

ରାଜ୍ୟଭାର ଛାଡ଼ିଣ ସେ ବୁଲିବ ବନସ୍ତେ ।୩୪।

ଶକୁନି ବୋଇଲା ଆବର ବରଷେ ତେର ଦିନ

ୟେତେକ ଅଦୃଶ୍ୟେ ଅବଶ୍ୟ ହୋଇବ ଗୋପ୍ୟାନ ।୩୫।

ୟେ ବରଷେ ତେରଦିନେ ଯେବେ ହୋଇବ ଜାଣନ୍ତା

ପୁଣି ତେର ବରଷ ସେ ହୋଇବେ ରାଜ୍ୟେ ହତା ।୩୬।

ଯୁଝେଷ୍ଠି ଦ୍ରିଯୋଧନ ଶୁଣି ହୋଇଲେକ ତୁନି

ସହଦେବ ବୋଇଲା ସତ୍ୟ ଯାହା କହିଲେ ଶକୁନି ।୩୭।

ଜାଣଇ ସହଦେବ ଦେବତାଂକର ଚରିତ

ଆମ୍ଭର ଗୋପ୍ୟାନ ନୋହିଲେ କୀଚକ ନୋହିବ ହତ ।୩୮।

ଅବଶ୍ୟ କୀଚକ ମରିବ ଭୀମସେନର ହାଥେ

ସହଦେବ ସନମତ କରାଇଲା ତେମନ୍ତେ ।୩୯।

ଦୁଇ ମନ୍ତ୍ରୀ ବଚନେ ବେନିରାୟେ ହୋଇଲେ ଯେ ତୁଷ୍ଟି

ହୋଇଲା ୟେହି ପରିଜା ବୋଇଲେ ଦ୍ରିଯୋଧନ ଯୁଝେଷ୍ଠି ।୪୦।

ବଦୟନ୍ତି କୋନ୍ତେ ଦ୍ରିଯୋଧନର ମୁଖ ଚାହିଂ

ଘେନ ତୋହୋର ଦାନ ଯେସନ ଇଚ୍ଛାଇ ।୪୧।

ଯୁଝେଷ୍ଠିଂକର ବଚନେ ଦ୍ରିଯୋଧନ ବୋଇଲା

ୟେ ମୋହୋର ଭାଗେ ବେନି ଚଉକ ହୋଇଲା ।୪୨।

ଯୁଝେଷ୍ଠି ଦେବେ ବୋଇଲେ ଯେ ତୋହୋର ଇଚ୍ଛା

ୟୋ ମୋହୋର ଦାନ ହାବେ ହୋଇଲା ବାମଞ୍ଚା ।୪୩।

ୟେସନ ବଚନ ଯହୁଂ ବୋଇଲେ ଯୁଝେଷ୍ଠି

ଗୋରେଖ ସୁମରି ଦ୍ରିଯୋଧନ ସହଦେବ କରେ ଦିଲା ପଶାକାଠି ।୪୪।

ଶତେଭ୍ରାଥା ମାନଗୋବିନ୍ଦର ଯେତେ ସାଖା ସଙ୍ଗ

ସଭିୟେ ସନମତ କରି କରନ୍ତି ନୃତ୍ୟରଙ୍ଗ ।୪୫।

ଭୋ ଦଇବ ପୁରୁଷ କର୍ମ ଯହିଂଟି କରଇ ଯାହା ଯାହା

କାହାରିହିଂ ବେଳେ ସେ ମେଣ୍ଟାଇ ନୋହେ ତାହା ।୪୬।

ଧର୍ମ ଧର୍ମ ସୁମରି ପାଡ ହୋ ମନ୍ତ୍ରୀବର

ଜାଣିମା ଧର୍ମକର୍ମ ଯେ ଅଟଇ କାହାର ।୪୭।

ଦେବତାଂକର ଭିଆଣ ସୁମରି ପାଡଇ ମନ୍ତ୍ରୀବର

ପଡ଼ିଲା ବେନି ଚଉକ ଜିଣିଲେ କଉରୋବେ ସକଳ ।୪୮।

ଯୁଝେଷ୍ଠି ଦେବ ପଶାରେ ହାରିଲେ ରାଜ୍ୟଭାର

କଉରୋବ ଆନନ୍ଦେ ଯେ ହୋଇଲେ ଅପାର ।୪୯।

ଯାଅ ହୋ ପାଣ୍ଡବେ ତୁମ୍ଭେ କ୍ଷେଣେହେଂ ନ ରହ

କର୍ମ ଆଦରିଣ ବନବାସ ଦୁଖ ସହ ।୫୦।

ଖାଇବ କନ୍ଦମୂଳ ମୃଗୟା ବେଣ୍ଟ ବନଜୀବ

ଦ୍ୱନ୍ଦମାନ ତେଜି ୟେବେ ନିଦ୍ୱନ୍ଦ ହୋଇବ ।୫୧।

ୟେ ସଂସାର ସାଗର ବହୁତ ଅପଚ୍ଛାତି

ବହୁତ କଉତୁକ ଇଚ୍ଛାୟେଣ ବ୍ରତୀ ।୫୨।

ହସନ୍ତି ବିଖଣ୍ଡେ ଯେ ବୋଲନ୍ତି କୂଟବୋଲ

କୋପେଣ ଭୀମସେନ ଶରୀରେ ଉତସଲ ।୫୩।

କୋପେଣ ଚାରିଭାଇ ଯେ କରନ୍ତି ଗର୍ଜନ

ରୋଷେଣ ଭୀମସେନ ନିଶ୍ୱାଲ ଛାଡ଼ଇ ଘନ ଘନ ।୫୪।

ରକତ କୁମୋଦ ଜାଣିଣ ନେତ୍ର ଓଳି

ଯୁଝେଷ୍ଠି ଦେବ ତରାଟି ଚାହାନ୍ତେ ତାଂକ କୋପ ସମ୍ବାଳି ।୫୫।

ଯେସନେକେ ଜଳଧାରା ଶୋଷଇ ସର୍ପଦାହା ?

ଚାରିହେଂ ଶାନ୍ତି ହୋଇଲେ ତହିଂ ସ୍ଥିରକରି ଦେହା ।୫୬।

ଶୁଣ ହୋ ରାଜନ ତପସ୍ୱୀନ ରୂପ ଯେ ଧଇଲେ ଶରୀରେ

ଉଠିଣ ଚଳିଲେ ଯେ ବନେ ପଞ୍ଚୁବୀରେ ।୫୭।

କୋପେଣ ଭୀମସେନ ବୋଲଇ ଆକ୍ରେଷି

ବଚନେକ ଶୁଣିମା ସଭାୟେ ଯେତେକ ଅଛ ବସି ।୫୮।

ଦ୍ୱାଦଶ ବରଷ ବୁଲିବୁଂ ଯେ ଆମ୍ଭେ ବନେ

ମଧ୍ୟେଣ ବରଷେ ଆମ୍ଭେ ଥିବୁଇଂ ଗୋପ୍ୟାନେ ।୫୯।

ତ୍ରିୟୋଦଶ ବରଷ ତେର ଦିବସ ପ୍ରାପତି

ଶତେ ଭ୍ରାଥଂକର ମୁହିଂ ଘେନିମି ଜୀବତି ।୬୦।

ସ୍ୱର୍ଗ ଲୋକନ୍ତ ମୁହିଂ ନ ପାଇ ଆଦରେ

ୟେକେ ୟେକେ ନ ମାରଇ ଯେବେ କୁରୁ ଶତବୀରେ ।୬୧।

କର୍ଣ୍ଣ ଶକୁନି ଦ୍ରିଯୋଧନର ଦେଖନ୍ତେ

ଧୁଶାସନର ହୃଦୟ ବିଦାରିବି ୟେହି ହାଥେ ।୬୨।

ରୋଧିର ପାନେ କୋପ କରିବଇଂ ଶାନ୍ତି

ୟେଥିକଇଂ କେହି ତୁମ୍ଭେ ନ କହିବ ବାଚି ।୬୩।

ଦ୍ରୋପତୀର କେଶ ଆକ୍ରଷଣ କଲା ସଭାର ଅଗ୍ରତେ

ତେବେ ସେ କେଶ ବନ୍ଧାଯିବ ୟେହାର ରକତେ ।୬୪।

ପିତା ମୋହୋର ସ୍ୱର୍ଗେ ନ ପାଇବ ସଦଗତି

କୁରୁରାଜାକଇଂ ଯେବେ ନ ମାରିବି ବିକୋତି ।୬୫।

ଯେତେକ ଧର୍ମ କଲଇଂ ୟେହି ଜନ୍ମେ

ତାହା ମୁଂ ନ ପାଇବଇଂ ଯଦି ନ କରଇ ୟେହୁ କର୍ମେ ।୬୬।

ଦ୍ରିଯୋଧନ ଝିଂଘାସିଲା ଯେ ଦେଖାଇ ଦାନୁ ଦୁଇ ତୋଳି

ତହିଂ ମୋ ଗଦା ନେଇ ପିଟିବି ନିରୋଳି ।୬୭।

ମାରିଣ ମୁକୁଟ ଯେ ମର୍ଦ୍ଦିବି ୟେହାରି

ଯିବ ସେ ଯମପୂର ଭାଇନ୍ତ ଆଗକରି ।୬୮।

ଶତେଭ୍ରାଥ ହୋଇଲେ ମୋହୋର ଯେ ଭାଗେ

ଅର୍ଜୁନ କର୍ଣ୍ଣକଇଂ ମାରିବ ସମର ସଂଯୋଗେ ।୬୯।

ସହଦେବ ଭାଗେ ଯେ ଶକୁନି କୂଟବାଦୀ

ପଶାଖେଳେ ଆମ୍ଭର ୟେ ଘେନାଇଲା ସମ୍ପ୍ରଧି ।୭୦।

ଶୁଣିଣ ସଭାଜନେ ଯେ ବିସ୍ମୟେ ମନ ଚିତ୍ତ

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶକୁନି ସୋମଦତ୍ତ ।୭୧।

ପାଣ୍ଡବେ ଅଭିନ୍ନ କଲେ କୂଟେ ପରପଞ୍ଚ

ୟେହା ଯୋଗୁଂ ଆମ୍ଭେ ଯିବା ଯମପୁର ପ୍ରତ୍ୟଚ୍ଛ ।୭୨।

ବିଚାରି ରାଜାମାନେ ମନ ବିକଳିତ

ଯାହା ବୋଲଇ ଭୀମ କରିବ ନିୟତ ।୭୩।

କୁଳକ୍ଷୟେ କାରଣ ୟେବେ ହୋଇଲାକ ଆସି

ଭୀଷ୍ମ ଦ୍ରୋଣ କୃପ ସଭାୟେଣ ପ୍ରକାଶି ।୭୪।

ଲୋକେଣ ଅପଚ୍ଛାତି ସେ ପାଇଲା ଧୃତିରାଷ୍ଟ

କୁଳ କ୍ଷୟକୁ କାରଣ କଲା ଆସି ବାଟ ।୭୫।

କର୍ଣ୍ଣ ଶକୁନି ବୋଇଲେ ରାଜା ବଂଶ ଗଲା ହତ

ବନବାସ ତାହାଂକୁ ସେ ହୋଇଲା ଭଲମତ ।୭୬।

ତ୍ରିୟୋଦଶ ବରଷ ସୁଖେ ବନରେ ବିତିବ

ତହୁଂ ଆସି ବାନ୍ଧେବ ସହିତେଣ ନାଶିବ ।୭୭।

ଭଲକଇଂ କାରଣ ନକଲା ରାଜସୁତ

କାଲେଳଣ ସେହି ତ ହୋଇଲା ଅଣହିତ ।୭୮।

ୟେଥୁ ଅନନ୍ତରେ ଶୁଣ ହୋ ରାଜନ

ଯୁଝେଷ୍ଠି ଚରିତ ଯେ ପବିତ୍ର ଆଖ୍ୟାନ ।୭୯।

ଆହୋ ଚଳନ୍ତି ପାଣ୍ଡବେ ଯେ ବନବାସ ମାର୍ଗେ

ପୁରଜନମାନେ ଅନେକ ବୋଲନ୍ତି ବଇରାଗେ ।୮୦।

ଗୃହବାସ ଛାଡ଼ିଣ ସେ ସମସ୍ତେ ରାଜଦଣ୍ଡେ ମିଳନ୍ତି ଆସି

ନୟନରୁ ନୀର ଗଳଇ ପାଞ୍ଚଭାଇଂକର ମୁଖ ଦେଖି ।୮୧।

ଆହୋ ପଣ୍ଡୁର ପିତୃ ପିତାମହର ସିନା ୟେହି ମହୀ

କୂଟେଣ ରାଜ୍ୟ ୟେହାର ପୁତ୍ରକଇଂ ଦିଅଇ ।୮୨।

ସୁକୁମାର ଶରୀର ତାର ଭୋଗ ଅନରୂପ

କେସନେକେ ବନ ଦୁଖ ସହିବେ ୟେ ନୃପ ।୮୩।

ଆହୋ ଅଧର୍ମ କୃତ ଯେ କଲାକ ଧୃତିରାଷ୍ଟି

କେସନେକେ ଅନୁଜ ଭ୍ରାଥକୁ ୟେଡେ କଷ୍ଟି ।୮୪।

ଗୋଡ଼ାବନ୍ତି ସାଧୁଜନେ ପାତ୍ର ଅମନାତ୍ୟେ

ଯୁଝେଷ୍ଠି ଦେବଂକୁ ଦେଖିବୁ ସ୍ୱାମୀ ଆମ୍ଭର ପଞ୍ଚୁଭୂତେ ।୮୫।

ଛାଡ଼ିବୁ ପୁତ୍ର ପତ୍ନୀ ଆବର ଗୃହବାସ

ବନେ ସେବା କରିଥିବୁଂ ଯେ ଧର୍ମ ସ୍ୱାମୀଂକର ପାଶ ।୮୬।

ଭୀଷ୍ମଂକର ଥାଆନ୍ତେ ସେ ୟେଡେକ କର୍ମ କାହିଂ

ବିଦୁର ମହାତ୍ମା କି ସଭାରେଣ ନାହିଂ ।୮୭।

ଦ୍ରୋଣ କୃପ ଶଲ୍ୟ କି ସଭାରେ ନ ଥିଲେ

କିପାଇଂ ଯୁଝେଷ୍ଠିଂକି ସେ ୟେଡେ କଷ୍ଟ ବିହିଲେ ।୮୮।

ଧୃତିରାଷ୍ଟ ଗାନ୍ଧାରୀ କେମନ୍ତେ ଛାଡ଼ିଲେ ସେନେହ

କେସନେକେ ଦହିଜ ନ ଗଲା ତାର ଦେହ ।୮୯।

ୟେ ଯେ ସୁକୁମାରୀ ଦ୍ରୋପଦ ରାଜାର ଦୁହିତା

କେସନେକେ ବନବାସ ବିହିଲୁ ବିଧାତା ।୯୦।

ଅତିଅନ୍ତ ସୁନ୍ଦର କୋମଳ ଯାର ବେନିପାଦ

ବନଗିରି ବୁଲନ୍ତେ କି ନୋହିବ ପରମାଦ ।୯୧।

ଦ୍ରୋପତୀ ଦେଖିଣ ଯେ ରୋବନ୍ତି ନରନାରୀ

ଧିକ ହୋଉ ଧୃତରାଷ୍ଟ ଅଟଇ ମନ୍ଦଚାରୀ ।୯୨।

ଲକ୍ଷେ ରାଜା ହେଉଂଣ ସ୍ତିରୀର ନ ଦେଖିଲେ ପାଦ

ସେ ୟେବେ ବୁଲିବେ ଯେ ବନଗିରି ମଧ୍ୟ ।୯୩।

ଆହୋ ଯୁଝେଷ୍ଠି ଦେବଂକର ଯେ ବନ ଗମନ ଶୁଣି

ଆସନ୍ତି ବ୍ରାହ୍ମଣେ ଯେ ଆବର ତପୋଧନୀ ।୯୪।

ନିତ୍ୟେହେଂ ଭୁଞ୍ଜନ୍ତି ଯେ ଅଠାଶି ସହସ୍ର ଦ୍ୱିଜ

ବାରସସ୍ର ଉର୍ଦ୍ଧରେତା ଆବର ପରିବ୍ରାଜ ।୯୫।

କରନ୍ତି ପ୍ରଳମ୍ବ ଯେ ଯୁଝେଷ୍ଠି ଦେବ ୟେହାଂକୁ ଦେଖି

ସୁଖେଣ ଥିବା ମୁନି ହେ ଆଜ ଆମ୍ଭଂକୁ ଉପେକ୍ଷି ।୯୬।

ତ୍ରୟୋଦଶ ବରଷ ଥିବାକ ଅପ୍ରମାଦେ

ବିଧାତା କରିଛି ମୋତେ ୟେହେନେକ ପ୍ରମାଦେ ।୯୭।

କଲ୍ୟାଣ କରିଣ ଯେ ବୋଲନ୍ତି ବିପ୍ରମାନେ

ତୋହୋର ବିତ୍ରକେ ନ ଶୋହଇ ୟେହୁସ୍ଥାନେ ।୯୮।

ତୋତେ ଘେନି ଆମ୍ଭେ ପଶିବୁଂ ବିପିନେ

ଛାଡ଼ିଣ ଯିବାକଇଂ ଆମ୍ଭର ନ ବଳଇ ମନେ ।୯୯।

ସ୍ୱଚ୍ଛନ୍ଦେ ବନେ ପଶି ଫଳମୂଳ ଆହାର ଯେ କରି

ସର୍ବଦାୟେ ଥିବୁଂ ଆମ୍ଭେ ତୋହୋର ମନ ବରି ।୧୦୦।

ଆହୋ ବ୍ରାହ୍ମଣ ଭାଇ ଭାରିଜା ସହିତେ

ବନେଣ ଗମନ୍ତି ଯେ ପଣ୍ଡୁରାଜା ପୁତ୍ରେ ।୧୦୧।

ଆମ୍ଭନ୍ତ ନ ନିବର୍ତ୍ତାଅ ତୁମ୍ଭେ ରାଜ୍ୟୁଂ ଯାନ୍ତେ

ତୋହେ ବିତ୍ରକ ହୋଇବ କେହୁ ପୁଣ୍ୟବନ୍ତେ ।୧୦୨।

ୟେଥୁ ଅନନ୍ତରେ ଯେ ପୁରୁଜନମାନେ

ସମସ୍ତେ ଗୋଡ଼ାବନ୍ତି ସେ ଯୁଝେଷ୍ଠି ସନ୍ନିଧ୍ୟାନେ ।୧୦୩।

ଭ୍ରାଥ ସୁତ ବଧୂ ଭାରିଜା ବ୍ରାହ୍ମଣ ସହିତେ

ଯାଇଂଣ ମିଳିଲେ ଯୁଝେଷ୍ଠିଦେବଂକ ଅଗ୍ରତେ ।୧୦୪।

ଦେଖିଣ ବଚନ ଯେ ବୋଲନ୍ତି ଧର୍ମନୃପ

କିଂପାଇଂ ଗୋଡ଼ାଇ ଅଇେଲ ମୋହୋର ସମୀପ ।୧୦୫।

ବିଚାରି ନଗ୍ରଲୋକେ ବୋଲନ୍ତି ମଧୁର ବାଣୀ

ତୋହୋର ସଂଗତେ ବନେ ଯିବୁଂ ହୋ ନୃପମଣି ।୧୦୬।

ତୁ ଯେବେ ବନ ଗମିବୁ ଆମ୍ଭର କିସ ଘର

କାହାକଇଂ ସେବା ୟେବେ କରିବୁ ହୋ ନୃପବର ।୧୦୭।

ବୋଲନ୍ତି ଯୁଝେଷ୍ଠିଦେବ ପୁରଞ୍ଜନଂକର ପାଶେ

ଦ୍ରିଯୋଧନକୁ ସେବା କରିଥିବ ମନର ହରଷେ ।୧୦୮।

ନିତ୍ୟେହେଂ କଲ୍ୟାଣ କରିବ ସର୍ବେ ମିଳି

ଯେସନେକେ ଦୁଖ ପାରଯାଇ ତେସନେକ ବୋଲି ।୧୦୯।

ତହୁଂଣ ଯୁଝେଷ୍ଠି ବୋଧି ପୁରଜନନ୍ତ ରୁହାଇ

ବନ ଗହନେ ଯେ ଯୁଝେଷ୍ଠି ପଞ୍ଚୁଭାଇ ଯାଇ ।୧୧୦।

ସକଳ ପୁରଜନ ବାହୁଡ଼ନ୍ତି ବିମୁଖେ

ନିଜ ପୁରେ ପ୍ରବେଶ ମନର ଅସୁଖେ ।୧୧୧।

ୟେଥୁ ଅନନ୍ତରେ ଯେ ରାଜା ଧୃତିରାଷ୍ଟେ

ଚିନ୍ତା ସାଗରେ ବୁଡ଼ିଲେ ଉପୁଜିଲାକ ମହାକଷ୍ଟେ ।୧୧୨।

ବିଦୁରକୁ ହକାରି ଯେ ବୋଇଲା ଅନ୍ଧରାଜ

କୁଳକ୍ଷୟ ଉପାୟେ ହୋଇଲା ୟେବେ ଆଜ ।୧୧୩।

ଯୁଝେଷ୍ଠି ଭାଇ ଭାରିଜା ଗଲେ ବନବାସ

ମୁକୁଇଂ ବହୁତ କଷ୍ଟ ହୋଇଲା ବଡ଼ ପ୍ରାସ ।୧୧୪।

ଦୁଖକଇଂ ଆନ ମନ ନୋହନ୍ତି ପଞ୍ଜୁଭାଇ

କେସନେକ ବନସ୍ତେ ପଶିବେଟି ଯାଇଂ ।୧୧୫।

କେଉଂଣ ଚରିତ ଯେ କଲାକ ମୋହୋର ସୁତ

ଭୃତ୍ୟ ପ୍ରାୟେ ସେବା କରିଥାନ୍ତି ପଞ୍ଚୁଭ୍ରାଥ ।୧୧୬।

ଜନ ମୁଖେ ମୋତେ କିସ ବୋଲିବେ ସର୍ବଇଂ

ବୋଲଇ ବିଦୁର ଯେ ଶୁଣ କୁରୁସାଇଂ ।୧୧୭।

ଯେତେ କଥାମାନ ତୋତେ କହିଲଇଂ ଆଦି

ସ୍ୱୟେଂ ଗଞ୍ଜି ହୋଇଲୁନି ୟେ ତୋହୋର ବୁଦ୍ଧି ।୧୧୮।

ଯାହା ସେ ପଶାକାଠି କାଟିଲା ଶକୁନି

ଶେଷେ ହୋଇବେ ସେ ରଣରଙ୍ଗ ମେଦିନୀ ।୧୧୯।

ଯହୁଂ ସେ କାଠି ବେନି କୃଷ୍ଣ ଯେ ଶୁକଳ

ଯେ ସେ କୁରୁ ପାଣ୍ଡବେ ଅଟନ୍ତି ବେନିବଳ ।୧୨୦।

ୟେକକୁ ଆରେକ ଯେ ରଣ ସାରଗୋଟି ମାରି

ଅନ୍ୟୋଅନ୍ୟି ତେସନେକେ ହୋଇବେ ସଂହାରି ।୧୨୧।

ପଶାକାଠି ହାଦେ ଯେସନେକ ବେଭାର

ବାନ୍ଧ ମାର ଶବଦ ଯେ ଶୁଭଇ ବିସ୍ତାର ।୧୨୨।

ଅଂକ ଯେ ପଡ଼ଇ ବୀରଂକର ଶଇର

ଗୁଣ ଅବିଗୁଣ ଯେ ବାବଲ ଆକାର ।୧୨୩।

ଦାନ ଭାଞ୍ଜିଣ ଯେ ବିବିଧ ବୀର ଡାକ ଦେଇ

ପ୍ରତୋଷେ ପ୍ରମୋଦିତ ଅନ୍ୟୋଅନ୍ୟି ପ୍ରକାଶଇ ।୧୨୪।

ଧନ ଭୂମି ଯେହ୍ନେ ହୋଇଲୁ ଆନନ୍ଦ

ସୁତ ବାନ୍ଧବ ନାଶନେ ସେହି ମତି ହୋଇବୁ ନରେନ୍ଦ୍ର ।୧୨୫।

ବିଷ ଅମୃତ ପ୍ରାୟେ ବୁଝି କଲୁ ଭୋଗ

ସଞ୍ଜୟେ କୁଟୁମ୍ବ ବନ୍ଧୁ ତୁ କଲୁ ତେସନେକେ ମୃତୁଯୋଗ ।୧୨୬।

ଭୀମସେନ ଗଲା ଯେ ବାହା ଦୁଇ ତୋଳି

ଅର୍ଜୁନ ନିରନ୍ତରେ ଶହସ୍ର ଚାଳି ଚଳି ।୧୨୭।

ଦ୍ରୋପତୀ କେଶ ଯେ ମୁକୁଳ କରିଗଲା

ଧଉମ୍ୟ ପୁରୋହିତଂକୁ ସେ ଦେଖିଣ ଅର୍ଘ୍ୟ ଦିଲା ।୧୨୮।

ନକୁଳ ଗଲା ମୁଖେ ପାଉଂଶ ଲଗାଇ

ସହଦେବ ଗଲା ଯେ ଛତ୍ରୀମକ ମୁଖ ଚାହିଂ ।୧୨୯।

ଭ୍ରାଥ ପୁତ୍ରଂକୁ ତୋର ହୋଇଲାକ ଛିଦ୍ର

କେସନେକେ ଦୁର୍ବୁଦ୍ଧି ପଶିଲା ତୋର ଚିତ୍ତ ମଧ୍ୟ ।୧୩୦।

ଚାରିଭ୍ରାଥେ ଯାନ୍ତେଣ ଯେ ନିରୁତ୍ତର

ସଭାତଳେ ବାହୁଡ଼ି ବୋଇଲା ବ୍ରିକୋଦର ।୧୩୧।

ବୋଇଲା ଗଦା ପିଟିବି ଦ୍ରିଯୋଧନର ଜାନୁତଳ

ଶତେଭାଇ ୟେ କାରଣେ ମାରିବିଟି ୟେହାର ।୧୩୨।

ବୋଇଲା ଯେତେଦିନ କେଶ ମୁକଳ କଲାକ ପାଞ୍ଜାଳୀ

ଧୁଶାସନ ରୋଧିରେ କେଶ ତା ପଖାଳି ।୧୩୩।

କର୍ଣ୍ଣକଇଂ ମାରିବ ନିଚୟେ ଫାଲଗୁନି

ସହଦେବ ଭାଗେଣ ଯେ ହୋଇଲା ଶକୁନି ।୧୩୪।

ଅନର୍ଥ ବୃକ୍ଷକୁ ତୁ ହୋଇଲୁ ଆଦିମୂଳ

କର୍ଣ୍ଣ ଦ୍ରିଯୋଧନ ଧୁଶାସନ ସକଳ ଫଳ ।୧୩୫।

ସୋମବଂଶେ ୟେକ ପୁତ୍ର ହୋଇଲା ଉତପନ୍ନ

ତୋହୋରେଣ ସୋମବଂଶ ହୋଇଲା ଲୋପ୍ୟାନ ।୧୩୬।

ଭୀମସେନ ସଭାୟେଣ ୟେତେକ ବୋଇଲା

ନିଚୟ ବିପଦ ଯେ ତୋତେ ସେ ହୋଇଲା ।୧୩୭।

ବୋଲଇ ବିଦୁର ଶୁଣିମା ଧୃତିରାଷ୍ଟ ବୀର

ବାହୁ ବେନି ତୋଳି ଯେ ଗଲାକ ବ୍ରିକୋଦର ।୧୩୮।

କୁରୁ ପାଣ୍ଡବେ ଯେ ହୋଇବାକ ମହାଯୁଦ୍ଧ

ୟେ ବେନିବାହେ ଶତ୍ରୁକୁ ସେ କରିବ ଯେ ବଧ ।୧୩୯।

ଯୁଝେଷ୍ଠି ଦେବେ ଯେ ଗଲେ ମୁଖେ ବସ୍ର ଘୋଡ଼ାଇ କରି

ଲେଉଟି ମୁଖ ଚାହିଂବେ କୁରୁପୁରୀ ।୧୪୦।

ଅର୍ଜୁନ ଗଲା ଯେ ବାଲିକି ବିନ୍ଥରି

ରଣେ ଶହସ୍ର ପେଷିବି ଅନିର୍ଯାପ କରି ।୧୪୧।

ମକୁଳ ବୋଇଲା ଯେ ଶତ୍ରୁର ପାଉଂଶ ହାଦେ ଦେଖି

ତେବେ ସେ ମୋହୋର ମୁଖୁଂ ଭସ୍ମ ଯେ ଉପେକ୍ଷି ।୧୪୨।

ହସ୍ତିନା ପୁର ଦେଖି ସହଦେବ ଭାଷି

ୟେ ପୁର ଶୂନ୍ୟ ଦେଖିବୁଂ ଅବଶ୍ୟ ଆମ୍ଭେ ଆସି ।୧୪୩।

ଧଉମ୍ୟ ପ୍ରୋହିତଂକର ଅଭିପ୍ରାୟ ଶୁଣ

ନିର୍ବଂଶ ହୋଇଣ ଯେ ପଡ଼ିବେ ମହାରଣ ।୧୪୪।

ଆମ୍ଭେ ସେ ତାହାଂକର ପ୍ରେତକାର୍ଯ୍ୟ କରନ୍ତା

ୟେହା ସେ ପରିମାଣି ଅଛଇ ବିଧାତା ।୧୪୫।

ସୁତ ସହୋଦର ଯେ ବନ୍ଧୁଜନମାନନ୍ତ

ସକଳ ପାଉଂଶ ଯେ ଦେଖିବୁ ନିୟତ ।୧୪୬।

ୟେସନେକ ଅରିଷ୍ଟି ୟେ ଦେଖିବୁ ମହାରାଜ୍ୟେ

ନିଚୟେ ଦୁଖ ତୁ ପାଇବୁ ଅକାର୍ଯ୍ୟେ ।୧୪୭।

ଗଣନା ପ୍ରକାରେ ଆଜୁଂ ତେର ବରଷ ଅନ୍ତେ

ସନ୍ତାନ ଚିନ୍ତା ତୁ କରିବୁ ନୃପତ୍ୟେ ।୧୪୮।

ବିଦୁର ବଚନେ ନୃପତି ଦୁଖେଣ ପୂରିତ

ଯୁଝେଷ୍ଠି ବନ ଗମନେ ବିକଳ ମୋହୋର ଚିତ୍ତ ।୧୪୯।

ୟେଥୁ ଅନନ୍ତରେ ଯେ ଆରଣ୍ୟକ ପର୍ବର ବାଣୀ

ଶୁଣନ୍ତେ ସୁରସିଦ୍ଧ କେ ବ୍ରତିବାକ ପ୍ରାଣୀ ।୧୫୦।

ପରମ ଆତ୍ମାର ଯେ ଅଟଇ ପଞ୍ଚଭୂତ

ବନ୍ଦଇ ବିଷ୍ଣୁ ଯେ ସର୍ବ ଲୋକନାଥ ।୧୫୧।

ମନଧ୍ୟାନେ ଭକ୍ତି ମୋ ଶତ ସହସ୍ର ଚିତ୍ତେ

ବଦନ୍ତି ସାରୋଳା ଦାସ ଶ୍ରୀ ମହାଭାରଥ ସଂଗୀତେ ।୧୫୨।

ଇତିଶ୍ରୀ ସଭାପର୍ବ ଶୁଣନ୍ତେ ସର୍ବ ପାତେକ ଯାଇ କ୍ଷୟେ

ଶୂଦ୍ରମୁନି ସାରେଳା ଦାସଂକୁ ଜଗନ୍ନାଥଂକ ସଦୟେ ।୧୫୩।

ଶ୍ରୀ ସାରୋଳା ଚଣ୍ଡୀର ମୁଂ ନିଜ ଦାସ

ବଦୟନ୍ତି ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୧୫୪।୧୫୨୮୬।

 

ସମାପ୍ତ

ସଭା ପର୍ବ ଦ୍ୱିତୀୟ ଖଣ୍ଡ ସମ୍ପୂର୍ଣ୍ଣ